Unknown

 

 

 

 

 

 

 

ମହାଭାରତ ବନପର୍ବ-୩

ଭାଷାନ୍ତର

ଗୋବିନ୍ଦଚନ୍ଦ୍ର ମହାପାତ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ସୂଚୀପତ୍ର

 

ଅଧ୍ୟାୟ

ବିଷୟ

୧୫୮

ଆର୍ଷ୍ଟିଷେଣଙ୍କ ଆଶ୍ରମକୁ ଯିବା

୧୫୯

ଆର୍ଷ୍ଟିଷେଣ-ଯୁଧିଷ୍ଠିର ସମ୍ବାଦ

୧୬୦

ମଣିମାନର ବଧ

୧୬୧

କୁବେର-ଦର୍ଶନ

୧୬୨

କୁବେରଙ୍କ ଉକ୍ତି

୧୬୩

ମେରୁ ଦର୍ଶନ

୧୬୪

ଅର୍ଜୁନଙ୍କ ଆଗମନ

୧୬୫

ଅର୍ଜୁନଙ୍କ ଭ୍ରାତୃମିଳନ

୧୬୬

ଇନ୍ଦ୍ରଙ୍କ ସାନ୍ତ୍ୱନା

୧୬୭

ଯୁଧିଷ୍ଠିର-ଅର୍ଜୁନ ସମ୍ବାଦ

୧୬୮

ଅର୍ଜୁନଙ୍କ ଉକ୍ତି

୧୬୯

ନିବାତ-କବଚ ଯୁଦ୍ଧାରମ୍ଭ

୧୭୦

ଅର୍ଜୁନ ଓ ନିବାତକବଚ ଯୁଦ୍ଧ

୧୭୧

ମାୟାଯୁଦ୍ଧ

୧୭୨

ନିବାତକବଚଙ୍କ ସଂହାର

୧୭୩

ହିରଣ୍ୟପୁର ଦୈତ୍ୟ-ବଧ

୧୭୪

ଅସ୍ତ୍ରଦର୍ଶନ ସଂକେତ

୧୭୫

ନାରଦଙ୍କ ନିଷେଧ

୧୭୬

ଗନ୍ଧମାର୍ଦ୍ଦନ ପ୍ରସ୍ଥାନ

୧୭୭

ଦ୍ୱୈତବନ ପ୍ରବେଶ

୧୭୮

ଅଜଗର ଚରିତ

୧୭୯

ଯୁଧିଷ୍ଠିର-ଭୀମ ଦର୍ଶନ

୧୮୦

ଯୁଧିଷ୍ଠିର ସର୍ପସମ୍ବାଦ

୧୮୧

ଭୀମମୋଚନ

୧୮୨

କାମ୍ୟକବନ ପ୍ରବେଶ

୧୮୩

କର୍ମଫଳଭୋଗ ବିବେଚନା

୧୮୪

ବ୍ରାହ୍ମଣମାହାତ୍ମ୍ୟ କଥନ

୧୮୫

ବ୍ରାହ୍ମଣମାହାତ୍ମ୍ୟ ପ୍ରଶଂସା

୧୮୬

ସରସ୍ୱତୀ-ତାର୍କ୍ଷ୍ୟ ସମ୍ବାଦ

୧୮୭

ମତ୍ସ୍ୟାବତାର ଉପାଖ୍ୟାନ

୧୮୮

ମାର୍କଣ୍ଡେୟ ଚରିତ

୧୮୯

ଭବିଷ୍ୟ କଥନ

୧୯୦

କଳ୍‍କୀ ଅବତାର ବର୍ଣ୍ଣନ

୧୯୧

ଯୁଧିଷ୍ଠିରାନୁଶାସନ

୧୯୨

ମଣ୍ଡୂକୋପାଖ୍ୟାନ

୧୯୩

ଇନ୍ଦ୍ର-ବକମୁନି ସମ୍ବାଦ

୧୯୪

ଶିବି ପ୍ରଶଂସା

୧୯୫

ନହୁଷ ଚରିତ

୧୯୬

ସେଦୁକ-ବୃଷଦର୍ଭ ଚରିତ

୧୯୭

ଶିବିଙ୍କ ପରୀକ୍ଷା

୧୯୮

ଶିବିଙ୍କ ମହତ୍ତ୍ୱ

୧୯୯

ଇନ୍ଦ୍ରଦ୍ୟୁମ୍ନୋପାଖ୍ୟାନ

୨୦୦

ଦାନ-ମହାତ୍ମ୍ୟ

୨୦୧

ଧୁନ୍ଧୁମାରୋପାଖ୍ୟାନ

୨୦୨

ଧୁନ୍ଧୁ-ବଧ ପାଇଁ ଆଗ୍ରହ

୨୦୩

ମଧୁ-କୈଟଭ ବଧ

୨୦୪

କୁବଳୟାଶ୍ୱଦ୍ୱାରା ଧୁନ୍ଧୁ ବଧ

୨୦୫

ପତିବ୍ରତୋପାଖ୍ୟାନ

୨୦୬

ବ୍ରାହ୍ମଣ ଧର୍ମ ବର୍ଣ୍ଣନ

୨୦୭

ବ୍ରାହ୍ମଣ-ବ୍ୟାଧ ସମ୍ବାଦ

୨୦୮

ହିଂସା ଓ ଅହିଂସା ବିବେଚନ

୨୦୯

ବ୍ରହ୍ମପ୍ରାପ୍ତିର ଉପାୟ

୨୧୦

ବାହ୍ମୀବିଦ୍ୟା ବର୍ଣ୍ଣନ

୨୧୧

ଇନ୍ଦ୍ରିୟନିଗ୍ରହ ବର୍ଣ୍ଣନ

୨୧୨

ତ୍ରିଗୁଣସ୍ୱରୂପ ଓ ଫଳ

୨୧୩

ପରମାତ୍ମା ସାକ୍ଷାତ୍କାର ଉପାୟ

୨୧୪

ମାତୃ-ପିତୃ ସେବା

୨୧୫

ଧର୍ମବ୍ୟାଧର ପୂର୍ବଜନ୍ମ କଥା

୨୧୬

କୌଶିକ ଧର୍ମବ୍ୟାଧ ସମ୍ବାଦ

୨୧୭

ବୃହସ୍ପତିଙ୍କ ଉତ୍ପତ୍ତି

୨୧୮

ଆଙ୍ଗିରସୋପାଖ୍ୟାନ

୨୧୯

ବୃହସ୍ପତିଙ୍କ ସନ୍ତତି

୨୨୦

ପାଞ୍ଚଜନ୍ୟ ଅଗ୍ନିର ଉତ୍ପତ୍ତି

୨୨୧

ତପ ଓ ଭାନୁଙ୍କ ସନ୍ତତି

୨୨୨

ଅଗ୍ନି-ସମୁଦ୍ଭବ

୨୨୩

କେଶି-ପରାଭବ

୨୨୪

ସ୍କନ୍ଦୋତ୍ପତ୍ତି

୨୨୫

କୁମାରୋତ୍ପତ୍ତି

୨୨୬

ବାଳ ସ୍କନ୍ଦର ରକ୍ଷା

୨୨୭

ଇନ୍ଦ୍ର-ସ୍କନ୍ଦ ସମାଗମ

୨୨୮

ସ୍କନ୍ଦ-ପାର୍ଷଦ ବର୍ଣ୍ଣନ

୨୨୯

ଦେବସେନା ସହ ବିବାହ

୨୩୦

ମନୁଷ୍ୟ-କଷ୍ଟପ୍ରଦ ଗ୍ରହବର୍ଣ୍ଣନ

୨୩୧

ମହିଷାସୁରବଧ

୨୩୨

କାର୍ତ୍ତିକେୟ ସ୍ତବ

୨୩୩

ଦ୍ରୌପଦୀ-ସତ୍ୟଭାମା ସମ୍ବାଦ

୨୩୪

ଦ୍ରୌପଦୀ କର୍ତ୍ତବ୍ୟ କଥନ

୨୩୫

କୃଷ୍ଣଙ୍କ ଦ୍ୱାରକା ପ୍ରସ୍ଥାନ

୨୩୬

ଧୃତରାଷ୍ଟ୍ର ଖେଦ

୨୩୭

କର୍ଣ୍ଣ-ଶକୁନି ସମ୍ବାଦ

୨୩୮

ଘୋଷଯାତ୍ରା ମନ୍ତ୍ରଣା

୨୩୯

ଦୁର୍ଯ୍ୟୋଧନ-ପ୍ରସ୍ଥାନ

୨୪୦

ଗନ୍ଧର୍ବ-ଦୁର୍ଯ୍ୟୋଧନ ସେନା-ସମ୍ବାଦ

୨୪୧

କର୍ଣ୍ଣ-ପରାଭବ

୨୪୨

ଦୁର୍ଯ୍ୟୋଧନାଦି ହରଣ

୨୪୩

ଦୁର୍ଯ୍ୟୋଧନ ମୋଚନାନୁଜ୍ଞା

୨୪୪

ପାଣ୍ଡବ-ଗନ୍ଧର୍ବ ଯୁଦ୍ଧ

୨୪୫

ଗନ୍ଧର୍ବ ପରାଭବ

୨୪୬

ଦୁର୍ଯ୍ୟୋଧନ ମୋକ୍ଷଣ

୨୪୭

କର୍ଣ୍ଣ-ଦୁର୍ଯ୍ୟୋଧନ ସମ୍ବାଦ

୨୪୮

ଦୁର୍ଯ୍ୟୋଧନ କଥନ

୨୪୯

ଦୁର୍ଯ୍ୟୋଧନର ପ୍ରାୟୋପବେଶନ

୨୫୦

କର୍ଣ୍ଣର ଉକ୍ତି

୨୫୧

ଶକୁନିର ଉପଦେଶ

୨୫୨

ଦୁର୍ଯ୍ୟୋଧନ-ପୁରପ୍ରବେଶ

୨୫୩

କର୍ଣ୍ଣ ଦିଗ୍‌ବିଜୟ

୨୫୪

କର୍ଣ୍ଣର ହସ୍ତିନାପୁରରେ ସତ୍କାର

୨୫୫

ଦୁର୍ଯ୍ୟୋଧନଯଜ୍ଞ ସମାରମ୍ଭ

୨୫୬

ଦୁର୍ଯ୍ୟୋଧନଯଜ୍ଞ

୨୫୭

ଯୁଧିଷ୍ଠିର ଚିନ୍ତା

୨୫୮

କାମ୍ୟକ ପ୍ରବେଶ

☆☆☆

 

॥ ଅଧ୍ୟାୟ – ୧୫୮ ॥

 

ବୈଶମ୍ପାୟନ ବୋଇଲେ– ସେହି ରାକ୍ଷସ ନିହତ ହୁଅନ୍ତେ ମହାରାଜ ପ୍ରଭୁ ଯୁଧିଷ୍ଠିର ପୁନର୍ବାର ନରନାରୟଣାଶ୍ରମକୁ ଆଗମନ କରି ସେଠାରେ ବାସ କଲେ । ୧ । ଦିନେ ରାଜା ଯୁଧିଷ୍ଠିର ଅର୍ଜୁନଙ୍କୁ ସ୍ମରଣ କରି ଦ୍ରୌପଦୀଙ୍କୁ ଓ ଭ୍ରାତାଗଣଙ୍କୁ ଆହ୍ୱାନ କରି କହିଲେ– ଆମ୍ଭମାନଙ୍କର ବନଭ୍ରମଣରେ ଚାରିବର୍ଷ କାଳ କୁଶଳରେ ଅତିବାହିତ ହେଲା । ଅର୍ଜୁନ କହିଯାଇଥିଲେ ଯେ ପଞ୍ଚମବର୍ଷ ଅତୀତ ହେଲେ ସେ ଆମ୍ଭମାନଙ୍କ ସହିତ ଶ୍ୱେତଗିରିରେ ମିଳିତ ହେବେ । ଯେଉଁ ଶ୍ୱେତଗିରିରେ ସୁରାସୁରମାନେ ବାସକରନ୍ତି, ସହସ୍ରଦଳ ଓ ଶତଦଳ ପଦ୍ମମାନେ ଯାହାର ଶୋଭା ସମ୍ପାଦନ କରନ୍ତି, ପ୍ରଫୁଲ୍ଲ ନୀଳୋତ୍ପଳ ଯେଉଁଠାରେ ସମାକୀର୍ଣ୍ଣ ହୋଇଥାଏ, ବ୍ୟାଘ୍ର, ମହିଷ, ବରାହ, ଗବୟ, ହରିଣ, ଶ୍ୱାପଦ ଓ ରୁରୁଜାତୀୟ ମୃଗ ଓ ବ୍ୟାଳଗଣ ଯେଉଁଠାରେ ବାସ କରୁଅଛନ୍ତି; ଚାତକ, ମୟୂର, ମତ୍ତକୋକିଳ ଓ ଷଟ୍‌ପଦମାନଙ୍କଦ୍ୱାରା ସମନ୍ୱିତ ପୁଷ୍ପଦ୍ରୁମମାନେ ଶୋଭା ପାଉଅଛନ୍ତି, ଆମ୍ଭେମାନେ ମଧ୍ୟ ତାହାଙ୍କର ସମାଗମ ଓ ଦର୍ଶନ ନିମିତ୍ତ ସେହି ପର୍ବତ ରାଜକୁ ଯାଇ ତାହାଙ୍କର ଅନ୍ୱେଷଣ କରିବା ବୋଲି ବିଚାରିଥିଲୁ ଓ ପୂର୍ବେ ସେହି ଅପରିମିତ ତେଜସ୍ୱୀ ପାର୍ଥ ଆମ୍ଭ ନିକଟରେ ନିୟମ କରିଯାଇଥିଲେ ଯେ ସେ ବିଦ୍ୟାର୍ଥୀ ହୋଇ ପଞ୍ଚବର୍ଷକାଳ ଇନ୍ଦ୍ରପୁରୀରେ ବାସ କରିବେ । ଅତଏବ ସମ୍ପ୍ରତି ସେହି ପର୍ବତକୁ ଆମ୍ଭେମାନେ ଯାଇ ଗାଣ୍ଡୀବଧନ୍ୱାଙ୍କୁ ଦେବଲୋକରୁ ଇହଲୋକକୁ ପ୍ରତ୍ୟାଗମନ କରୁଥିବାର ଦେଖିବୁଁ । ମହିଷୀ ଓ ଅନୁଜମାନଙ୍କୁ ରାଜା ଏହିକଥା କହି ଉଗ୍ରତପସ୍ୱୀ ବ୍ରାହ୍ମଣମାନଙ୍କୁ ଆହ୍ୱାନ କଲେ । ୧୦ । ଓ ତାହାଙ୍କୁ ପ୍ରଦକ୍ଷିଣ କରି ପୂର୍ବୋକ୍ତ ବିଷୟ ପ୍ରୀତିପୂର୍ବକ ପ୍ରକାଶ୍ୟରେ କହିଲେ । ୧୧ । ସେମାନେ ମଧ୍ୟ ଆଶୀର୍ବାଦ କରି ପାଣ୍ଡବମାନଙ୍କ ବଚନରେ ଅନୁମୋଦନ କଲେ । ତତ୍ପରେ ରାଜାଙ୍କୁ ସମ୍ବୋଧନ କରି କହିଲେ, ହେ ଧର୍ମଜ୍ଞ, ଭରତର୍ଷଭ ! ଆପଣ ଅଚିର କାଳରେ ଏହି କ୍ଲେଶରୁ ଉତ୍ତୀର୍ଣ୍ଣ ହୋଇ କ୍ଷାତ୍ରଧର୍ମଦ୍ୱାରା ପୃଥିବୀ ପ୍ରତିପାଳନ କରିବେ ଓ ସୁଖରେ କାଳାତିପାତ କରିବେ । ୧୩ । ତପସ୍ୱୀମାନଙ୍କର ସେହି ବାକ୍ୟକୁ ପରନ୍ତପ ରାଜା ଯୁଧିଷ୍ଠିର ସ୍ୱୀକାର କରି ସେମାନଙ୍କୁ ଓ ଭ୍ରାତାଗଣଙ୍କୁ ସଙ୍ଗରେ ଘେନି ସେଠାରୁ ପ୍ରସ୍ଥାନ କଲେ । ରାକ୍ଷସମାନେ ସେମାନଙ୍କ ପଛେ ପଛେ ଗଲେ । ଲୋମଶ ଋଷି ସମସ୍ତଙ୍କର ରକ୍ଷକ ହୋଇ ଚାଲିଲେ । ମହାତେଜା ଯୁଧିଷ୍ଠିର ପରମ ସୁନ୍ଦର ବ୍ରତସବୁ ଆଚରଣ କରନ୍ତି । ସେ କେଉଁଠାରେ ପଦବ୍ରଜରେ, କେଉଁଠାରେ ଅବା ରାକ୍ଷସମାନଙ୍କ ସ୍କନ୍ଧରେ ଆରୋହଣ କରି ଗମନ କଲେ । ୧୫ ।

 

ଅନନ୍ତର ସେ ବହୁ କ୍ଳେଶ ଅନୁଭବ କରି ସିଂହ, ବ୍ୟାଘ୍ର ଓ ଗଜ ସମାକୀର୍ଣ୍ଣ ଉତ୍ତର ଦିଗକୁ ପ୍ରୟାଣ କଲେ । ୧୬ । କୈଳାସ, ମୈନାକ, ଗନ୍ଧମାର୍ଦ୍ଦନର ପ୍ରତ୍ୟନ୍ତ ଗିରିମାନେ ଓ ଶ୍ୱେତଗିରି ଏବଂ ପର୍ବତର ଉପର୍ଯ୍ୟୁପରି ବହୁସଂଖ୍ୟକ ପୁଣ୍ୟନଦୀମାନଙ୍କୁ ଦେଖି ଦେଖି ସପ୍ତଦଶ ଦିବସରେ ହିମାଳୟ ପୃଷ୍ଠରେ ଉପନୀତ ହେଲେ । ହେ ରାଜନ୍‌ ! ନାନା ଦ୍ରୁମଲତାପୂର୍ଣ୍ଣ ପୁଣ୍ୟ ହିମାଳୟ ଗିରିପୃଷ୍ଠରେ ଗନ୍ଧମାର୍ଦ୍ଦନ ଶୈଳର ସମୀପରେ ପାଣ୍ଡବମାନେ ବୃଷପର୍ବାଙ୍କ ଆଶ୍ରମ ଦେଖିବାକୁ ପାଇଲେ । ଯେଉଁ ଆଶ୍ରମରେ ଜଳର ଆବର୍ତ୍ତ ନିକଟରେ ପୁଷ୍ପିତ ମହୀରୁହନିକର, ସେ ସ୍ଥାନକୁ ସମାବୃତ୍ତ କରି ଅଛନ୍ତି, ସେହି ସ୍ଥାନକୁ ଦେଖି ସେମାନଙ୍କର ମହାନ ହର୍ଷ ଜାତହେଲା । ୨୦ । ଶତ୍ରୁ ବିନାଶକାରୀ ପାଣ୍ଡବମାନେ ଗତଶ୍ରୀ ହୋଇଥିବାରୁ ଧର୍ମାତ୍ମା ଓ ରାଜର୍ଷି ବୃଷପର୍ବା ସେମାନଙ୍କୁ ପୁତ୍ରପ୍ରାୟ ଅଭିନନ୍ଦନ କଲେ । ପାଣ୍ଡବମାନେ ସମାଦୃତ ହୋଇ ସେହି ସ୍ଥାନରେ ସପ୍ତରାତ୍ରି ବାସ କଲେ । ଅଷ୍ଟମଦିନ ଉପସ୍ଥିତ ହୁଅନ୍ତେ ଲୋକ ବିଶ୍ରୁତ ରାଜର୍ଷି ଓ ମହାତ୍ମା ବୃଷପର୍ବାଙ୍କୁ ସମ୍ବୋଧନ କରି ସେମାନେ କହିଲେ ଯେ ସେମାନେ ପ୍ରସ୍ଥାନ କରିବାର ଇଚ୍ଛା କରୁଅଛନ୍ତି । ୨୩ । ଯଥା ସମୟରେ ଆପଣାର ବନ୍ଧୁତୁଲ୍ୟ ସମଭିବ୍ୟାହାରୀ ବ୍ରାହ୍ମଣମାନଙ୍କୁ ଗୋଟି ଗୋଟି କରି ବୃଷପର୍ବାଙ୍କୁ ଚିହ୍ନାଇ ଦେଲେ ଓ ଆପଣା ସଙ୍ଗରେ ପ୍ରୟୋଜନାତୀତ ଯେଉଁସବୁ ଯଜ୍ଞପାତ୍ର ଓ ସୁଶୋଭନ ଆଭରଣ ଥିଲା, ତାହା ତାଙ୍କ ଆଶ୍ରମରେ ରଖିଗଲେ । ୨୫ ।

 

ଅତଃପର ଭୂତ, ଭବିଷ୍ୟତବେତ୍ତା, ସମଧର୍ମବିତ୍‌, ଧର୍ମନିଷ୍ଠ, ରାଜର୍ଷି ବୃଷପର୍ବା ପାଣ୍ଡବମାନଙ୍କୁ ପୁତ୍ରପ୍ରାୟ ଅନୁଶାସନ କଲେ । ୨୬ । ମହାତ୍ମା ପାଣ୍ଡବମାନେ ତାହାଙ୍କର ଅନୁଜ୍ଞା ଗ୍ରହଣ କରି ଉତ୍ତରଦିଗକୁ ଗମନ କରିବାରେ ପ୍ରବୃତ୍ତ ହେଲେ । ମହାମତି ବୃଷପର୍ବା ମଧ୍ୟ ପାଣ୍ଡବମାନଙ୍କର ଅନୁଗମନ କଲେ । ୨୭ । ତତ୍ପରେ ସେହି ମହାତେଜସ୍ୱୀ ପାଣ୍ଡବମାନଙ୍କୁ ସଦୁପଦେଶ ପ୍ରଦାନ କରି ଆଶୀର୍ବଚନଦ୍ୱାରା ଅଭିନନ୍ଦନ କରି ବିପ୍ରଗଣଙ୍କ ନିକଟରେ ସେମାନଙ୍କୁ ବିନ୍ୟସ୍ତ କଲେ ଓ ତତ୍ପରେ ଗମନର ପଥସମ୍ବନ୍ଧୀୟ ଉପଦେଶ ଦେଇ ସ୍ୱୟଂ ନିବୃତ୍ତ ହେଲେ । ୨୯-। ଏଣେ ସତ୍ୟବିକ୍ରମ ଯୁଧିଷ୍ଠିର ଭ୍ରାତୃଗଣଙ୍କ ସହିତ ନାନା ପଶୁ ନିଷେବିତ ପର୍ବତ ପଥରେ ପଦବ୍ରଜରେ ପ୍ରସ୍ଥାନ କରିବାକୁ ଆରମ୍ଭ କଲେ । ରାତ୍ରିକାଳରେ ନାନାପ୍ରକାର ଦ୍ରୁମରେ ରୁଦ୍ଧ ଶୈଳସାନୁରେ ପାଣ୍ଡବମାନେ ବାସକରି ଚତୁର୍ଥ ଦିବସରେ ଶ୍ୱେତପର୍ବତରେ ପ୍ରବିଷ୍ଟ ହେଲେ । ୩୧-। ମଣି ଓ କାଞ୍ଚନ ରୂପଧାରୀ ପରମ ସୁନ୍ଦର ଶୀଳା ସମୂହରେ ଉପହିତ ମହାମେଘ ସଦୃଶ ଜଳାଶୟ ନିକଟରେ ଉପସ୍ଥିତ ହୋଇ ବୃଷପର୍ବା ଯେପରି କହିଥିଲେ, ସେହିପରି ବିବିଧ ପ୍ରଦେଶ ଓ ବୃକ୍ଷମାନଙ୍କୁ ଦେଖିଲେ । ୩୩ । ଶୈଳର ଅବୟବରେ ଗୋଟିଏ ଗୁହା ଉପରେ ଆଉ ଗୋଟିଏ ଦୁର୍ଗମ ଗୁହାକୁ ଅବସ୍ଥିତ ହେବାର ଦେଖି ତନ୍ମଧ୍ୟରେ ସୁଖରେ ବିହରଣ କଲେ । ଧୌମ୍ୟ, ଦ୍ରୋପଦୀ, ପାଣ୍ଡବମାନେ ଓ ଲୋମଶ ମହର୍ଷି ସମସ୍ତେ ଏକତ୍ର ହୋଇ ଓ କେହି * ଅବହୀନ ନ ହୋଇ ଗମନ କଲେ । ୩୫ । ମହାଭାଗ ପାଣ୍ଡବମାନେ ଗମନ କରି କ୍ରମରେ ମାଳବାନ ନାମକ ପର୍ବତରେ ଉପସ୍ଥିତ ହେଲେ । ଯେଉଁଠାରେ ମୃଗ ଓ ନାନାବିଧ ପକ୍ଷୀଙ୍କର କଳରବରେ ଧ୍ୱନିତ ଦ୍ରୁମ ଓ ଲତାରେ ସମାକୁଳିତ ମହାବନ ବିଦ୍ୟମାନ ଅଛି, ସେହି ବନର ମହାଦ୍ରୁମମାନଙ୍କ ଶାଖାରେ ଶାଖାମୃଗମାନେ କ୍ରୀଡ଼ା କରୁଅଛନ୍ତି । ସେହି ବନପାର୍ଶ୍ୱରେ ମନୋରମ ଓ ପବିତ୍ର ପଦ୍ମକୁସୁମରେ ପୂରିତ ସରୋବରକୁ ସେମାନେ ଦେଖିଲେ । ୩୭ ।

 

[*ଅବହୀନ ହେଲେ ନାହିଁ–ପଛକୁ ରହିଗଲେ ନାହିଁ ।]

 

ତଦନନ୍ତର କିଂପୁରୁଷମାନଙ୍କର ଆବାସସ୍ଥାନ ଓ ସିଦ୍ଧଚାରଣଗଣଙ୍କର ସଞ୍ଚରଣଭୂମି ପର୍ବତରାଜ ଗନ୍ଧମାର୍ଦ୍ଦନ ପରିଦୃଶ୍ୟ ହେଲା । ତାହାକୁ ଦେଖି ସେମାନଙ୍କର କଳେବର ରୋମାଞ୍ଚିତ ହେଲା । ୩୮ । ସେହି ବୀରପୁରୁଷମାନେ ଦ୍ରୌପଦୀଙ୍କ ସମଭିବ୍ୟାହାରରେ ଓ ମହାତ୍ମା ବିପ୍ରମାନଙ୍କ ସହିତ ପ୍ରମୁଦିତ ହୋଇ ବିଦ୍ୟାଧର ଓ କିନ୍ନରୀଗଣଙ୍କ ବିଚରିତ ଗନ୍ଧମାର୍ଦ୍ଦନରେ କ୍ରମଶଃ ପ୍ରବେଶ କଲେ । ଯେଉଁ ଗନ୍ଧମାର୍ଦ୍ଦନରେ ମହାଗଜ, ସିଂହ ଓ ବ୍ୟାଘ୍ରନିଚୟ ବାସ କରନ୍ତି, ଯେଉଁ ଗିରି ଶରଭମାନଙ୍କ ନିନାଦରେ ଶବ୍ଦାୟମାନ, ଯେ କି ନାନା ମୃଗରେ ସମାକୀର୍ଣ୍ଣ ନନ୍ଦନବନ ସଦୃଶ ମନ ଓ ହୃଦୟର ଆନନ୍ଦଜନକ, ଗନ୍ଧମାର୍ଦ୍ଦନର ସେହି ଶୁଭ କାନନରେ ଏମାନେ ଉପନୀତ ହେଲେ । ୪୧ । ପ୍ରବେଶକାଳରେ ସେମାନେ କର୍ଣ୍ଣମନୋହର ସୁମଧୁର ପକ୍ଷୀମାନଙ୍କର ମନ୍ଦ ମନ୍ଦ କଳରବକୁ ଅନୁଭବ କଲେ । ୪୩ ।

 

ଆହୁରି ଦେଖିଲେ ଯେ ବୃକ୍ଷମାନେ ସର୍ବଋତୁର ଫଳରେ ଭାରାବନତ ହୋଇଅଛନ୍ତି, ସର୍ବଋତୁର କୁସୁମରେ ସମୁଜ୍ଜ୍ୱଳ ଦିଶୁଅଛନ୍ତି । ଆମ୍ରାତକ, ଭବା, ନାରିକେଳ, ତିନ୍ଦୁକ, ମୁଞ୍ଜାତକ, ଜୀବ, ଡାଳିମ୍ବ , ବୀଜପୁର, ପନସ, ଲକୁଚ, କଦଳୀ, ଖର୍ଜୁର, ଜଳବେତସ, ପାରାବତ, ଚମ୍ପକ, କଦମ୍ବ, ବିଲ୍ୱ, କପିତ୍ଥ, ଜମ୍ବୁ, ଗାମ୍ଭାଡ଼ି, ବଦରୀ, ପ୍ଳକ୍ଷ, ଉଦୁମ୍ବର, ବଟ, ଅଶ୍ୱତ୍ଥ, କ୍ଷିରିକା, ଭଲାତକ, ଆମଳକୀ, ହରିତକୀ, ବିଭିତକ, ଇନ୍ଦୁଦ, କରମର୍ଦ୍ଦ, ମହାଫଳ ଓ କେନ୍ଦୁଳ–ଏହି ପ୍ରକାର ଅନ୍ୟାନ୍ୟ ବହୁବିଧ ଅମୃତସଦୃଶ ସୁସ୍ୱାଦୁ ଫଳରେ ଶୋଭିତ ବିବିଧ ବୃକ୍ଷମାନ ଗନ୍ଧମାର୍ଦ୍ଦନ ଶୀଳାରେ ଶୋଭା ପାଉଥିଲେ । ୪୯ । ଚମ୍ପକ, ଅଶୋକ, କେତକୀ, ବକୁଳ, ପୁନ୍ନାଗ, ସପ୍ତପର୍ଣ୍ଣ, କର୍ଣ୍ଣିକାର, ବେତସ, ପାଟଳ, କୁଟଜ, ରମଣୀୟ ମନ୍ଦାର, ଇନ୍ଦୀବର ପାରିଜାତ, ରକ୍ତକାଞ୍ଚନ, ଦେବଦାରୁ, ଶାଳ, ତାଳ, ତମାଳ, ପିପ୍‌ପଳ, ଜ୍ୟୋତିସ୍ମତି, ଶାଳ୍ମଳୀ, କିଂଶୁକ, ଶିଂଶପା ପ୍ରଭୃତି ବୃକ୍ଷମାନେ ମଧ୍ୟ ସେଠାରେ ବିରାଜିତ ହୋଇଥିଲେ । ୫୨ । ଚକୋର, ଶତପତ୍ର, ଭୃଙ୍ଗରାଜ, କୋକିଳ, ଶୁକ, କଳବିକା, ହାରିତ, ଜୀବଞ୍ଜୀବ, ପ୍ରିୟକ, ଚାତକ ଓ ଅନ୍ୟାନ୍ୟ ବିବିଧ ବିହଙ୍ଗମ ଉପର୍ଯ୍ୟୁକ୍ତ ବୃକ୍ଷସମୂହରେ ଅଧିଷ୍ଠିତ ହୋଇ ସୁସ୍ରାବ୍ୟ,ରମଣୀୟ, ଅବ୍ୟକ୍ତ ମଧୁର ରବ କରୁଥିଲେ । ୫୪ । କୁମୁଦ,ପୁଣ୍ଡରୀକ, କୋକନଦ, ଉତ୍ପଳ, କହ୍ଲାର ଓ କମଳଦ୍ୱାରା ସମାକୀର୍ଣ୍ଣ ସରୋବରମାନେ ଚତୁର୍ଦ୍ଦିଗରେ ଜଳଚର ପକ୍ଷୀଙ୍କଦ୍ୱାରା ମନୋହର ରୂପକୁ ଧାରଣ କରିଥିଲେ । ସେହିସବୁ ସରୋବରରେ କଳହଂସ, ଚକ୍ରବାକ, କୁରଭ, ଜଳକୁକ୍କୁଟ, କାରଣ୍ଡବ, ପ୍ଳବ, ହଂସ, ବକ ଓ ମଦ୍ଗୁ ପ୍ରଭୃତି ଜଳଚାରୀ ପକ୍ଷୀମାନେ ଇତସ୍ତତଃ ବ୍ୟାପ୍ତ ହୋଇଥିଲେ । ମଧୁକରମାନେ ଆନନ୍ଦିତ ହୋଇ ତାମରସର ରସ ସବୁ ମଦରେ ଅଳସହୋଇ ପଦ୍ମୋଦର ମଧ୍ୟରେ ବାସ କରିବାରୁ କେଶରଚ୍ୟୁତ, ରେଣୁକଣାଦ୍ୱାରା ସେମାନେ ଅରୁଣବର୍ଣ୍ଣରେ ରଞ୍ଜିତ ହେଲାପ୍ରାୟ ମନୋରମ ଦିଶୁଥିଲେ; ଅଥଚ ସେମାନଙ୍କର ମନୋହର ସ୍ୱରରେ ଗନ୍ଧମାର୍ଦ୍ଦନ ସାନୁସ୍ଥିତ ପଦ୍ମଖଣ୍ଡମଣ୍ଡିତ କମଳାକରମାନେ ନିନାଦିତ ହେଉଥିଲେ । ୫୬ । ବନପ୍ରିୟ ମୟୂରକୁଳ ମୟୂରୀମାନଙ୍କ ସହିତ ବହୁଳ ଲତାମଣ୍ଡପରେ ମେଘରବ ପ୍ରାୟ ବାଦ୍ୟରବରେ କାମାକୁଳିତ ହୋଇ ଚିତ୍ରିତ ପୁଚ୍ଛମାନଙ୍କୁ ବିସ୍ତୃତ କରି ହର୍ଷ ଓ ଉତ୍ସାହ ସହିତ ଅତି ସୁମଧୁର କେକାରବ କରୁଥିଲେ । ୬୨ । କେତେକ ମୟୂର ପ୍ରିୟାସହିତ ଲତାସଙ୍କଟ-କୁଟଜ ମଧ୍ୟରେ ଅବସ୍ଥିତ ହୋଇ କ୍ରୀଡ଼ା କରୁଥିଲେ । ୬୩ । କେତେକ ଶିଖଣ୍ଡି ବୃକ୍ଷର ବିବର ମଧ୍ୟରେ ଅବସ୍ଥିତ ହୋଇଥିଲେ । କେତେକ ମୟୂରୀ ବୃକ୍ଷଶାଖାପରେ ପୁଚ୍ଛର ସୌନ୍ଦର୍ଯ୍ୟ ହେତୁରୁ ଦର୍ପପୂର୍ଣ୍ଣ ଓ ମତ୍ତହୋଇ ମୁକୁଟପ୍ରାୟ ଶୋଭା ବିସ୍ତାର କରୁଥିଲେ ।

 

ଏହିପରି ମନୋଜ୍ଞ ଭାବମାନଙ୍କୁ ସେହି ବୀରମାନେ ଦର୍ଶନ କଲେ । ଆହୁରି ଦେଖିଲେ ଯେ ବହୁଳ ପର୍ବତମାନଙ୍କ ଶୃଙ୍ଗ ଉପରେ ସରଳ ସିନ୍ଧୁବାର ତରୁ ମନ୍ମଥର ତୋମର ହୋଇ ଶୋଭା ପାଉଥିଲେ । ୬୫ । ସୁବର୍ଣ୍ଣ ବର୍ଣ୍ଣ କୁସୁମମାନେ ମଧ୍ୟ ସେହି ଶିଖରୀପରେ ଦୃଶ୍ୟ ହେଉଥିଲେ । ବିକଶିତ କର୍ଣ୍ଣକାରମାନେ ଉତ୍ତମ କର୍ଣ୍ଣିକାର ପ୍ରାୟ ହୋଇଥିବାର ଓ ବନରାଜିରେ କୁରୁବକମାନେ ପୁଷ୍ପିତ ହୋଇଥିବାର ଦେଖିଲେ । ୬୬ । ବକରାଜି ମଧ୍ୟରେ ପୁଷ୍ପିତ କୁରୁବକସବୁ କନ୍ଦର୍ପ ଶରସମୂହ ପ୍ରାୟ କାମୀଜନମାନଙ୍କର ଉତ୍ସାହବର୍ଦ୍ଧନ କରି ପର୍ବତର ଶୋଭା ସମ୍ପାଦନ କରୁଥିଲେ । ୬୭ । କେଉଁଠାରେ ମଧ୍ୟ ତିଳକସଦୃଶ ତିଳକ କୁସୁମମାନେ ଶୋଭା ପାଉଅଛନ୍ତି । କେଉଁଠାରେ ମନୋହର ସହକାରମାନେ ଅନଙ୍ଗ ଶରାକାର ହୋଇଅଛନ୍ତି । ୬୮ । ଓ ଭ୍ରମରମାନେ ଏହା ଉପରେ ଉପବେଶନ କରି ଗୁଣୁ ଗୁଣୁ ସ୍ୱରରେ ଧ୍ୱନି କରୁଅଛନ୍ତି । କେଉଁଠାରେ ମଧ୍ୟ ତରୁ ସମୁଦାୟ ଲୋହିତ, କୃଷ୍ଣ, ପୀତ ପ୍ରଭୃତି ନାନାବର୍ଣ୍ଣର ପୁଷ୍ପରେ ଅତୀବ ଶୋଭମାନ ହୋଇଅଛି । ୬୯ । କେଉଁଠାରେ ଅବା ଶୈଳସାନୁରେ ଲୋହିତ ବର୍ଣ୍ଣର ଅଥବା ଅଞ୍ଜନସଦୃଶ ବୈଦୂର୍ଯ୍ୟମଣି ପ୍ରଭାଧାରୀ ବୃକ୍ଷମାନେ ବିରାଜିତ ହୋଇଅଛନ୍ତି । ୭୦ । ଶାଳ, ତମାଳ, ପାଟଳ, ବକୁଳ, ବୃକ୍ଷସବୁ ସମାସକ୍ତ ହୋଇ ମାଳାପ୍ରାୟ ଶୈଳଶିଖରରେ ଶୋଭା ପାଉଅଛନ୍ତି । ବିମଳ ସ୍ଫଟିକପ୍ରାୟ ଶୋଭାନ୍ୱିତ ଓ ପାଣ୍ଡୁରବର୍ଣ୍ଣ ପକ୍ଷଦ୍ୱାରା ରଞ୍ଜିତ ଦ୍ୱିଜ,କଳହଂସ, କପୋତ ଓ ସାରସମାନେ ମଧୁର ଗାନ କରୁଅଛନ୍ତି-। ୭୨ । ଏହିପରି ବହୁସଂଖ୍ୟକ ସରୋବର ଶୈଳସାନୁରେ ପାଣ୍ଡବମାନେ ଦେଖି କ୍ରମଶଃ ଗମନ କଲେ । ପଦ୍ମ ଓ ଉତ୍ପଳମାନେ ମିଶ୍ରିତ ହୋଇ ଜଳର ସ୍ପର୍ଶସୁଖକୁ ବର୍ଦ୍ଧିତ କରୁଥିଲେ-। ୭୩ ।

 

ଏହି ପ୍ରକାରେ ବୀରମାନେ କ୍ରମରେ ଆପଣାର ଚତୁଃପାର୍ଶ୍ୱରେ ଶୋଭା ସନ୍ଦର୍ଶନ କରି ସୁଗନ୍ଧମୟ ମାଲ୍ୟମାନଙ୍କୁ ଓ ରସବନ୍ତ ଫଳମାନଙ୍କୁ ଆଘ୍ରାଣ ଓ ଭକ୍ଷଣ କଲେ । ମନୋଜ୍ଞ ସରୋବରମାନ ଓ ମନୋରମ ବୃକ୍ଷମାନ ଦର୍ଶନ କରି ବିସ୍ମୟରେ ଉତ୍‌ଫୁଲ୍ଲଲୋଚନ ହୋଇ ତନ୍ମଧ୍ୟରେ ପ୍ରବିଷ୍ଟ ହେଲେ । ୭୫ । କହ୍ଲାର, ଉତ୍ପଳ ଓ ପୁଣ୍ଡିରିକ ପୁଷ୍ପର ସୁବାସରେ ସୁବାସିତ ଓ ସୁଖସ୍ପର୍ଶ ସମୀରଣ ସେମାନଙ୍କର ଅଙ୍ଗ ସ୍ପର୍ଶ କରୁଥିଲା । ୭୬ । ଅନନ୍ତର ଯୁଧିଷ୍ଠିର ଭୀମସେନଙ୍କୁ ପ୍ରିୟ ସମ୍ବୋଧନ କରି କହିଲେ, ହେ ଭୀମ ! ଦେଖ, ଏହି ଗନ୍ଧମାର୍ଦ୍ଦନସ୍ଥିତ କାନନ କି ଆଶ୍ଚର୍ଯ୍ୟ ଶୋଭା ଧାରଣ କରିଅଛି ? ୭୭ । ଏହି ମନୋହର ଅରଣ୍ୟ ବିବିଧାକାର ବୃକ୍ଷଲତା ଓ ପତ୍ରପୁଷ୍ପ ଫଳରେ ପରିପୂର୍ଣ୍ଣ ହୋଇଅଛି । କୁସୁମମାନେ ବିକଶିତ ହୋଇଅଛନ୍ତି । ପୁଂଷ୍କୋକିଳମାନେ କୁହୁରବ କରୁଅଛନ୍ତି । ଏହି ଗନ୍ଧମାର୍ଦ୍ଦନ ସାନୁରେ କଣ୍ଟକୀ ବୃକ୍ଷ ଅଥବା ଅପୁଷ୍ପିତ ବୃକ୍ଷ ନାହିଁ । ସମସ୍ତ ବୃକ୍ଷ ଚିକ୍କଣ ପତ୍ର ଓ ସୁନ୍ଦର ଫଳରେ ପରିପୂର୍ଣ୍ଣ । ପ୍ରଫୁଲ୍ଲ ପଙ୍କଜ ଉପରେ ଭ୍ରମରମାନେ ଗୁଣୁଗୁଣୁ ଶବ୍ଦ କରୁଅଛନ୍ତି । ୮୦ । କରୀମାନେ କରେଣୁମାନଙ୍କୁ ସଙ୍ଗରେ ଘେନି ପଦ୍ମପତ୍ରକୁ ଆଲୋଡ଼ନ କରୁଅଛନ୍ତି । ସାକ୍ଷାତ୍ ଲକ୍ଷ୍ମୀଙ୍କ ପ୍ରିୟ ଏହି ନଳିନୀ ନାମକ ସରୋବର ପଦ୍ମମାଳାରେ ଶୋଭାପାଉଅଛି । ନାନା କୁସୁମ ଗନ୍ଧରେ ଏହି ଉତ୍ତମ କାନନ ପୂର୍ଣ୍ଣ ହୋଇଅଛି । ୮୨ । ଏହି ପର୍ବତସ୍ଥିତ କାନନମାନେ ଭ୍ରମରମାନଙ୍କ ରବରେ ସୁଶ୍ରାବ୍ୟ ହୋଇଅଛନ୍ତି ! ହେ ଭୀମ ! ଦେଖ, ଚାରିଆଡ଼େ ଦେବତାମାନଙ୍କର ପବିତ୍ର କ୍ରୀଡ଼ାସ୍ଥାନ ଅଛି । ମନୁଷ୍ୟମାନଙ୍କର ଏଠାକୁ ଆସିବାର ସାଧ୍ୟ ନାହିଁ; କିନ୍ତୁ ଆମ୍ଭେମାନେ ଏଠାକୁ ଆସି ସିଦ୍ଧ ହୋଇଅଛୁ । ହେ ବୃକୋଦର ! ପୁଷ୍ପିତ ପାଦପମାନଙ୍କ ଦେହରେ ପୁଷ୍ପିତା ଲତାମାନେ ବେଷ୍ଟନ କରିଅଛନ୍ତି । ୮୪ ।

 

ହେ ପାର୍ଥ ! ଏହି ଗନ୍ଧମାର୍ଦ୍ଦନ ପର୍ବତରେ ଶିଖଣ୍ଡୀମାନେ ଶିଖଣ୍ଡିନୀଙ୍କ ସହିତ କ୍ରୀଡ଼ା କରୁଅଛନ୍ତି । ୮୫ । ହେ ଭୀମ ! ସେମାନଙ୍କର ନିନାଦ ଶ୍ରବଣ କର । ଚକୋର, ଶତପତ୍ର ଓ ମତ୍ତ କୋକିଳମାନଙ୍କର ରବ କେଡ଼େ ମଧୁର ଶୁଭୁଅଛି । ୮୬ । ଏହି ବଡ଼ ବଡ଼ ପୁଷ୍ପିତ ବୃକ୍ଷମାନଙ୍କ ଉପରେ ପକ୍ଷୀମାନେ ବସାଉଠା କରୁଅଛନ୍ତି । ସେହି ପକ୍ଷୀମାନଙ୍କର ବର୍ଣ୍ଣ ନାନାପ୍ରକାର; କେହି ଲାଲ, କେହି ପୀତ ଓ କେହି ଅବା ଚିତ୍ରିତ । ୮୭ । ବହୁ ସଂଖ୍ୟକ ଚକୋର ବୃକ୍ଷ ଉପରେ ବସି ପରସ୍ପରକୁ ଅବଲୋକନ କରୁଅଛନ୍ତି । ହରିତବର୍ଣ୍ଣ ଓ ଅରୁଣବର୍ଣ୍ଣ ତୃଣାଚ୍ଛନ୍ନ ଭୂମି ଉପରେ ସାରସମାନେ ବୁଲୁଅଛନ୍ତି । ଶୈଳପ୍ରସ୍ରବଣ ନିକଟରେ ମଧ୍ୟ ମଧୁର ସ୍ୱରରେ ଗାୟନ କରୁଅଛନ୍ତି । ଯାହାକୁ ଶୁଣି ସବୁ ପ୍ରାଣୀଙ୍କର ମନ ଆନନ୍ଦିତ ହେଉଅଛି । ୮୯ । ଭୃଙ୍ଗରାଜ, ଉପଚକ୍ର ଓ ଲୌହପୃଷ୍ଟ ପକ୍ଷୀମାନେ ଗାୟନ କରୁଅଛନ୍ତି । ହସ୍ତୀମାନେ କରେଣୁମାନଙ୍କ ସହିତ ବୈଦୂର୍ଯ୍ୟବର୍ଣ୍ଣାଭ୍ର ମହାସରୋବର ଜଳକୁ କ୍ଷୋଭିତ କରୁଅଛନ୍ତି । ଶୈଳଶୃଙ୍ଗସ୍ଥ ବହୁ ତାଳବୃକ୍ଷରୁ ଉଚ୍ଚରୁ ତାଳ ଏବଂ ପ୍ରସ୍ରବଣରୁ ଜଳଧାରମାନେ ନିପତିତ ହେଉଅଛନ୍ତି । ୯୧ । ସେହି ବାରିଧାରାର ପ୍ରଭା ସୂର୍ଯ୍ୟଙ୍କ ପ୍ରଭାପ୍ରାୟ, ଶରତକାଳୀନ ମେଘସମ ଗର୍ଜନକାରୀ ଓ ଭୟଙ୍କର ହୋଇଅଛି । ୯୨ । ନାନାପ୍ରକାର ରଜତ ପ୍ରଭୃତି ଧାତୁ ଏହି ଶୈଳକୁ ଶୋଭିତ କରୁଅଛନ୍ତି । କୌଣସିଠାରେ ଅଞ୍ଜନବର୍ଣ୍ଣ ଧାତୁମାନେ, କେଉଁଠାରେ ଅବା କାଞ୍ଚନପ୍ରାୟ ଧାତୁସବୁ ଅଥବା ହରିତାଳପ୍ରାୟ ବର୍ଣ୍ଣବିଶିଷ୍ଟ କିମ୍ବା ହିଙ୍ଗୁଳସମ ରକ୍ତବର୍ଣ୍ଣ ଧାତୁସବୁ ପ୍ରକାଶିତ ହେଉଅଛନ୍ତି । ମନଃଶିଳାର ଗୂହାମାନେ ସନ୍ଧ୍ୟାକାଳୀନ ମେଘପ୍ରାୟ ଅରୁଣବର୍ଣ୍ଣ ଦିଶୁଅଛନ୍ତି । ୯୪ । ଶଶକବର୍ଣ୍ଣ ପ୍ରାୟ ବର୍ଣ୍ଣବିଶିଷ୍ଟ ଅଥବା ଲୋହିତବର୍ଣ୍ଣର ଗୈରିକ ଧାତୁସବୁ ବିଦ୍ୟମାନ ରହିଅଛନ୍ତି । ଶୁକ୍ଳ ଓ କୃଷ୍ଣବର୍ଣ୍ଣର ମେଘମାନେ ବାଳସୂର୍ଯ୍ୟର ପ୍ରଭା ଧାରଣ କରିଅଛନ୍ତି । ଏପରି ଆହୁରି ବହୁବିଧ ମହାପ୍ରଭାଶାଳୀ ଧାତୁ ଏହି ଶୈଳକୁ ଶୋଭିତ କରୁଅଛନ୍ତି । ବୃଷପର୍ବା ଋଷି ଯେପରି କହିଥିଲେ, ସେହିପରି ହେ ପାର୍ଥ ! ଶୈଳଶୃଙ୍ଗ ଉପରେ ଗନ୍ଧର୍ବ ଓ କିଂପୁରୁଷଗଣ; ସ୍ୱ ସ୍ୱ ପ୍ରିୟାମାନଙ୍କ ସହିତ ଦୃଶ୍ୟ ହେଉଅଛନ୍ତି । ସେମାନଙ୍କର ସାମତାଳିକ ଗୀତ ଓ ସାମବେଦମାନଙ୍କର ନିସ୍ୱନ ଶ୍ରୁତିଗୋଚର ହେଉଅଛି । ସେହି ଗାନ ପ୍ରାଣୀମାନଙ୍କର ମନକୁ ହରଣ କରୁଅଛି ।

 

ହେ ଭୀମ ! ଏହି ଦେବନଦୀ ମହାଗଙ୍ଗାକୁ ନୟନ ଟେକି ଦର୍ଶନ କର; ସେ ଅତି ପବିତ୍ରା । ୯୮ । ଏହା କଳହଂସଗଣରେ ଯୁକ୍ତ ହୋଇଅଛି । ଋଷି ଓ କିନ୍ନରଗଣ ତାହାଙ୍କର ସେବା କରୁଅଛନ୍ତି । ନାନାବିଧ ଧାତୁ, ଅନ୍ୟାନ୍ୟ ନଦୀ, କିନ୍ନରଗଣ, ମୃଗ ଓ ପଶୁପକ୍ଷୀମାନେ, ଗନ୍ଧର୍ବ ଓ ସରୋବରମାନେ, ମନୋରମ କାନନସବୁ ସେହି ଗଙ୍ଗାଙ୍କର ଶୋଭା ବିସ୍ତାର କରୁଅଛନ୍ତି । ବିବିଧାକାର ଶତମସ୍ତକ ସର୍ପସବୁ ତାହାର ନିକଟରେ ରହିଅଛନ୍ତି । ୧୦୦ । ହେ କୌନ୍ତେୟ ! ଏପରି ସୁଶୋଭିତ ଶୈଳରାଜକୁ ଦର୍ଶନ କର । ବୈଶମ୍ପାୟନ ବୋଇଲେ, ସେହି ସୁରପୁରୁଷମାନେ ଆନନ୍ଦ ଅନ୍ତଃକରଣରେ ଅନୁତ୍ତମାଗତିକୁ ପ୍ରାପ୍ତ ହେଲେ । ୧୦୧ । ପରମତପସ୍ୱୀ ସେହି ବେଦପୁରୁଷମାନେ ପ୍ରୀତମନରେ ଅନୁତ୍ତମାଗତିକୁ ପ୍ରାପ୍ତ ହେଲେ ଓ ପର୍ବତରାଜର ଶୋଭା ଦର୍ଶନ କରି ସୁଦ୍ଧା ତାହାଙ୍କର ନେତ୍ର ତୃପ୍ତ ହେଲାନାହିଁ । ସେମାନଙ୍କ ସହିତ ମହିଷୀ ଦ୍ରୌପଦୀ ଓ ମହାତ୍ମା ବିପ୍ରମାନେ ମଧ୍ୟ ତାଦୃଶ ସୁଖ ଅନୁଭବ କଲେ । ତଦନନ୍ତର ରାଜର୍ଷି ଅଷ୍ଟିଷେଣଙ୍କ ଆଶ୍ରମକୁ ଦେଖିଲେ, ଯେଉଁଠାରେ କି କୁସୁମମାଳାସବୁ ଓ ଫଳବନ୍ତ ବୃକ୍ଷସବୁ ଶୋଭା ପାଉଅଛନ୍ତି । ଏଥିଉତ୍ତାରୁ ସେମାନେ ପ୍ରଖର ତପସ୍ୟାରତ କୃଶ ଓ ଶିରାବନ୍ତ ସର୍ବଧର୍ମର ପାରଗ ଅଷ୍ଟିଷେଣଙ୍କ ଆଶ୍ରମରେ ପ୍ରବିଷ୍ଟ ହେଲେ । ୧୦୩ ।

 

॥ ଅଧ୍ୟାୟ – ୧୫୯ ॥

 

ବୈଶମ୍ପାୟନ ବୋଇଲେ, ତପସ୍ୟାଦ୍ୱାରା ଦଗ୍ଧ କ୍ଳିବିଷ ସେହି ଋଷିଙ୍କ ସମୀପକୁ ପ୍ରୀତିପୂର୍ବକ ଯୁଧିଷ୍ଠିର ଗମନ କରି ଆପଣାର ନାମ ଉଚ୍ଚାରଣ କରି, ମସ୍ତକକୁ ଭୂମିସଂଲଗ୍ନ କରି ଅଭିବାଦନ କଲେ । ତଦନନ୍ତର କୃଷ୍ଣା, ଭୀମ, ତତ୍ପରେ ନକୁଳ ଓ ସହଦେବ ଦୁହେଁ ରାଜଋଷିଙ୍କ ନିକଟରେ ମସ୍ତକ ପାତି ନମସ୍କାର ହୋଇ ତାହାଙ୍କୁ ବେଷ୍ଟନ କରି ଦଣ୍ଡାୟମାନ ହେଲେ । ୨ । ପାଣ୍ଡବମାନଙ୍କର ପୁରୋହିତ ଧର୍ମଜ୍ଞ ଧୈାମ୍ୟ ମଧ୍ୟ ବ୍ରତାଚାରୀ ସେହି ଋଷିଙ୍କୁ ଯଥାନ୍ୟାୟରେ ଅଭିବାଦନ କଲେ । ସେହି ଧର୍ମଜ୍ଞ ମୁନି ଦିବ୍ୟଚକ୍ଷୁଦ୍ୱାରା ସେମାନଙ୍କୁ ଜାଣିପାରି କୁରୁଶ୍ରେଷ୍ଠ ପାଣ୍ଡୁପୁତ୍ରମାନଙ୍କୁ ବସ ବୋଲି କହିଲେ । ୪ । ସେହି ମହାତପା କୁରୁଶ୍ରେଷ୍ଠ ଯୁଧିଷ୍ଠିରଙ୍କୁ ଓ ଉପବିଷ୍ଟ ତାହାଙ୍କର ଭ୍ରାତାମାନଙ୍କୁ କୁଶଳ ପ୍ରଶ୍ନ କଲେ । ୫ । ହେ ପାର୍ଥ ! ଅନୃତରେ ତୁମ୍ଭର ମତି ହୁଏ ନାହିଁ ତ ? ଧର୍ମରେ ସଦା ପ୍ରବୃତ୍ତ ହୋଇ ଥାଅ ତ ? ତୁମ୍ଭ ପିତାମାତାଙ୍କର ବୃତ୍ତି ଉଚ୍ଛନ୍ନ ହୋଇ ନାହିଁ ତ ? ତୁମ୍ଭେ ଗୁରୁବୃଦ୍ଧ ଓ ବୈଦ୍ୟମାନଙ୍କୁ ଆଦର କରିଥାଅ ତ ? ପାପକର୍ମରେ ତୁମ୍ଭର ମତି ନାହିଁ ତ ? । ୭ । ହେ କୁରୁଶ୍ରେଷ୍ଠ ! ନ୍ୟାୟାନୁସାରେ ତୁମ୍ଭେ ସତ୍‍କର୍ମର ଅନୁଷ୍ଠାନ ଓ ଅସତ୍‌କର୍ମର ପରିହାର ଜାଣି ଅଛ ତ ! ତୁମ୍ଭେ ଆପଣାର ଗରିମା ବର୍ଣ୍ଣନା କର ନାହିଁ ତ ? ସାଧୁମାନଙ୍କୁ ତୁମ୍ଭେ ଯଥାଯୋଗ୍ୟ ସମ୍ମାନ ଓ ଆଦର କରିଥାଅ ତ ! ବନବାସୀ ହୋଇସୁଦ୍ଧା ତୁମ୍ଭେ ଧର୍ମର ଅନୁବର୍ତ୍ତୀ ହୋଇଅଛ ତ ? ୯ । ହେ ପାର୍ଥ ! ତୁମ୍ଭର ଆଚାର ବ୍ୟବହାର ଦେଖି ମହର୍ଷି ଧୌମ୍ୟ ପରିତାପିତ ହୁଅନ୍ତି ନାହିଁ ତ ? ଦାନ, ଧର୍ମ, ତପସ୍ୟା, ଶୈାଚ, ସରଳତା ଓ ତିତିକ୍ଷାଦ୍ୱାରା ତୁମ୍ଭେ ପିତୃଗଣଙ୍କ ଆଚରଣର ଅନୁବର୍ତ୍ତୀ ହୋଇଅଛ ତ ? ହେ ପାଣ୍ଡବ ! ପୂର୍ବାପୂର୍ବ ରାଜର୍ଷିମାନେ ଯେଉଁ ପଥରେ ଗମନ କରିଥିଲେ, ତୁମ୍ଭେ ସେହି ପଥରେ ଗମନ କରୁଅଛ ତ ? ପିତୃଲୋକଗଣ ପିତୃଲୋକରେ ଥାଇ ସ୍ୱକୀୟକୁଳରେ ପୁତ୍ର ଅଥବା ନପ୍ତା ଜାତହେଲେ ସେମାନେ ଶୋକ ଓ ହାସ୍ୟ କରନ୍ତି ତ ? ୧୨ । ତାହାର ଅଭିପ୍ରାୟ ଏହିଯେ, ଜାତ ଶିଶୁ ଦୁଷ୍କର୍ମ କଲେ ଆମ୍ଭମାନଙ୍କର ଦୁଃଖ ହେବ, ଏହା ଭାବି ଶୋକ କରନ୍ତି ଓ ସେହି ଶିଶୁ ଯଦି ଧର୍ମାଚରଣ କରେ, ତେବେ ଆମ୍ଭମାନଙ୍କର ଆନନ୍ଦ ହେବ, ଏହା ଭାବି ହାସ୍ୟ କରନ୍ତି । ୧୩ । ହେ ପାର୍ଥ ! ମାତା, ପିତା,ଅଗ୍ନି, ଗୁରୁ ଓ ଆତ୍ମା ଏହି ପଞ୍ଚଜନ ଯାହାର ଗୃହରେ ପୂଜିତ ହୁଅନ୍ତି, ସେ ଇହଲୋକ ଓ ପରଲୋକ ଉଭୟ ଲୋକକୁ ଜୟ କରେ । ୧୪ ।

 

ଯୁଧିଷ୍ଠିର ବୋଇଲେ, ହେ ଭଗବାନ ଆର୍ଯ୍ୟ ! ଆପଣ ଆମ୍ଭଙ୍କୁ ଯେଉଁ ଧର୍ମୋପଦେଶ ଦେଲେ, ତାହା ସାଧ୍ୟାନୁସାରେ ଯଥାନ୍ୟାୟରେ ଓ ଯଥା ବିଧିରେ ଆମ୍ଭେମାନେ ଅନୁଷ୍ଠାନ କରିଥାଉଁ-। ୧୫ । ଅଷ୍ଟିଷେଣ ବୋଇଲେ, ହେ ରାଜନ୍‌ ! ଋଷିମାନେ କେବଳ ଜଳପାନ କରି ଅଥବା ବାୟୁମାତ୍ର ସେବନ କରି ରହି ପର୍ବତ ସନ୍ଧିରେ, ଆକାଶପଥରେ ପ୍ଳବମାନ ହୋଇ ଏହି ପର୍ବତଶ୍ରେଷ୍ଠକୁ ଆଗମନ କରନ୍ତି । ୧୬ । କିଂ ପୁରୁଷ ଓ ଯକ୍ଷ ପ୍ରଭୃତି ଅନ୍ୟାୟକାମୀ ପୁରୁଷମାନେ ମଧ୍ୟ କାନ୍ତାସହିତ ଆସକ୍ତ ହୋଇ ଏହି ଶୈଳଶୃଙ୍ଗକୁ ଆସିବାର ଦେଖାଯାଏ । ୧୭ । ହେ ପାର୍ଥ-! ଗନ୍ଧର୍ବ ଓ ଅପ୍‌ସରାମାନେ ନିର୍ମଳ ଓ କୌଶିକ ବସନକୁ ପରିଧାନ କରି ଏଠାକୁ ଆଗମନ କରନ୍ତି-। ସୁନ୍ଦର ବିଦ୍ୟାଧରମାନେ ଗଳାରେ ମାଳା ଲଗାଇ ଓ ନାଗ, ସୁପର୍ଣ୍ଣଗଣ ଓ ସର୍ପଗଣ ଏଠାକୁ ଆଗମନ କରନ୍ତି । ଏହି ଶୈଳର ଉପରିଭାଗରେ ପର୍ବତ ସନ୍ଧିରେ ଭେରୀ, ପଣବ, ଶଙ୍ଖ ଓ ମୃଦଙ୍ଗର ଧ୍ୱନି ସର୍ବଦା ଶ୍ରୁତିଗୋଚର ହୁଏ । ୨୦ ।

 

ହେ ଭରତର୍ଷଭମାନେ ! ତୁମ୍ଭେମାନେ ଏହି ସ୍ଥାନରେ ରହି ସେହି ନିଃସ୍ୱନମାନ ଶ୍ରବଣ କର-। କଦାପି ସେଠାକୁ ଗମନ କରିବାକୁ ଇଚ୍ଛା କର ନାହିଁ । କାରଣ ଏହି ସ୍ଥାନରୁ ଆଉ ଅଧିକ ଦୂରକୁ ଯିବା ମନୁଷ୍ୟର ସାଧ୍ୟ ନୁହେଁ । ୨୨ । ହେ ଭାରତ ! ଅତି ଅଳ୍ପ ଚପଳ କର୍ମକାରୀ ମନୁଷ୍ୟକୁ ଏଠାରେ ମଧ୍ୟ ସମସ୍ତ ପ୍ରାଣୀମାନେ ଦ୍ୱେଷ କରନ୍ତି ଓ ରାକ୍ଷସମାନେ ମଧ୍ୟ ସେମାନଙ୍କୁ ତାଡ଼ନା କରନ୍ତି । ହେ ଯୁଧିଷ୍ଠିର ! ଏହି କୈଳାସ ଗିରି ଶିଖର ଉପରେ ପରମ ସିଦ୍ଧ ଦେବର୍ଷିଗଣଙ୍କର ଗତି ପ୍ରକାଶିତ ହୁଏ । ୨୪ । ହେ ଶତ୍ରୁନିସୂଦନ ପାର୍ଥ ! ଏହି ପର୍ବତରେ ଚପଳତାବଶତଃ ଯଦି କୌଣସି ମନୁଷ୍ୟ ଏହାର ପଥକୁ ଅତିକ୍ରମ କରେ, ତେବେ ରାକ୍ଷସମାନେ ତାହାକୁ ଲୌହଶୂଳାଦିଦ୍ୱାରା ହନନ କରନ୍ତି । ୨୫ । ହେ ବତ୍ସ ! ଅପ୍‌ସରା ସମୂହରେ ପରିବୃତ୍ତ ହୋଇ ସମୃଦ୍ଧିସମ୍ପନ୍ନ ନରବାହନ କୁବେରଙ୍କୁ ମଧ୍ୟ ଏହି ସ୍ଥାନରେ ରହି ପର୍ବତସନ୍ଧିରେ ଅର୍ଥାତ୍ ପୂର୍ଣ୍ଣିମା ଓ ପ୍ରତିପଦ ଦୁହିଁଙ୍କ ମଧ୍ୟ କାଳରେ ଦେଖିବାକୁ ମିଳେ । ୨୬ । ତତ୍କାଳରେ ପ୍ରାଣୀମାନେ ଦେଖନ୍ତି ଯେ ଶୈଳଶିଖରରେ ରାକ୍ଷସଗଣଙ୍କ ଅଧିପତି କୁବେର ଉଦିତ ସୂର୍ଯ୍ୟଙ୍କ ପ୍ରାୟ ଶୈଳଶିଖରରେ ଉପବିଷ୍ଟ ହୋଇଅଛନ୍ତି । ୨୭ । ହେ ଭାରତସତ୍ତମ ! ଏହି ଗିରିଶିଖରରେ ଦେବ, ଦାନବ, ସିଦ୍ଧ ଓ କୁବେରଙ୍କ ଉଦ୍ୟାନମାନ ଅଛି । ୨୮ । ଏହି ଗନ୍ଧମାର୍ଦ୍ଦନରେ ତୁମ୍ବୁରୁ ପର୍ବସନ୍ଧିରେ କୁବେରଙ୍କୁ ଉପାସନା କରନ୍ତି । ତାହାଙ୍କର ଗୀତ ସାମଧ୍ୱନି ପ୍ରାୟ କର୍ଣ୍ଣବିବରରେ ପ୍ରବିଷ୍ଟ ହୁଏ । ୨୯ ।
 

ହେ ତାତ ଯୁଧିଷ୍ଠିର ! ଏହି ପର୍ବତର ପ୍ରାଣୀମାନେ ଏହି ରୂପ ଆଶ୍ଚର୍ଯ୍ୟ ବ୍ୟାପାର ପର୍ବସନ୍ଧି ସମୟରେ ବହୁବାର ଅବଲୋକନ କରନ୍ତି ଓ ଶ୍ରବଣ କରନ୍ତି । ୩୦ । ହେ ପାଣ୍ଡବଗଣ ! ଯେପର୍ଯ୍ୟନ୍ତ ଅର୍ଜୁନଙ୍କ ସହିତ ତୁମ୍ଭମାନଙ୍କର ସାକ୍ଷାତ୍ ନ ହୋଇଛି ତେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୁନିଭୋଜ୍ୟ, ସୁରସ ଫଳମାନଙ୍କୁ ଭୋଜନ କରି ଏହି ସ୍ଥାନରେ ବାସ କର । ହେ ପୁତ୍ରଗଣ ! ଏହି ସ୍ଥାନରେ କୌଣସି ପ୍ରକାରେ ଚଞ୍ଚଳ ହୁଅ ନାହିଁ । ଏ ସ୍ଥାନରେ ସ୍ୱେଚ୍ଛାନୁସାରେ ବାସକରି ଓ ଶ୍ରଦ୍ଧାନୁରୂପ ବିହାର କରି ପରିଶେଷରେ ଶସ୍ତ୍ରଦ୍ୱାରା ପୃଥିବୀ ଜୟକରି ପ୍ରତିପାଳନ କର-। ୩୨ ।

 

॥ ଅଧ୍ୟାୟ – ୧୬୦ ॥

 

ଜନ୍ମେଜୟ କହିଲେ, ହେ ଋଷେ ! ତୁମ୍ଭେ ସାଧୁମାନଙ୍କ ମଧ୍ୟରେ ଉତ୍ତମ । ଆମ୍ଭର ପିତାମହ ପାଣ୍ଡବମାନେ ମହାତ୍ମା ଓ ସେମାନଙ୍କର ଦିବ୍ୟ ପରାକ୍ରମ ଥିଲା । ଏହି ଗନ୍ଧମାର୍ଦ୍ଦନ ପର୍ବତରେ ଅଷ୍ଟିଷେଣଙ୍କ ଆଶ୍ରମରେ ସେମାନେ କେତେ କାଳ ବାସ କରିଥିଲେ ? ଓ ସେହି ଅତି ବଳଶାଳୀ ଓ ପୌରୁଷସମ୍ପନ୍ନ ମହାବୀର୍ଯ୍ୟଶାଳୀ ମହାବୀରମାନେ ସେଠାରେ କି କି କାର୍ଯ୍ୟ କରିଥିଲେ ? ସେମାନେ ସେଠାରେ ବାସ କଲାବେଳେ କି କି ଦ୍ରବ୍ୟ ଭୋଜନ କରୁଥିଲେ, ଆପଣ ଏହିସବୁ ବିଷୟ ବର୍ଣ୍ଣନା କରନ୍ତୁ । ସେହି ହିମାଳୟ ସମ୍ବନ୍ଧୀୟ ଗିରିସମୂହରେ ମହାବାହୁ ଭୀମସେନ ଯେଉଁ ଯେଉଁ କର୍ମ କରିଥିଲେ, ତାହା ସବୁ ଓ ତାହାଙ୍କର ବିକ୍ରମ ବିସ୍ତାର କରି ଆମ୍ଭନିକଟରେ କୀର୍ତ୍ତନ କରନ୍ତୁ । ୪ ।

 

ହେ ଦ୍ୱିଜୋତ୍ତମ ! ଯକ୍ଷମାନଙ୍କ ସହିତ ପୁନର୍ବାର ଭୀମଙ୍କର ଯୁଦ୍ଧ ହୋଇ ନାହିଁ ତ ? ଅଷ୍ଟିଷେଣ କହିଥିଲେ ଯେ ସେଠାରେ ଆସି କୁବେର ବାସ କରନ୍ତି; ଅତଏବ କୁବେରଙ୍କ ସହିତ ପାଣ୍ଡବମାନଙ୍କର ସାକ୍ଷାତ୍ ହୋଇଥିଲା କି ? । ୫ । ହେ ତପୋଧନ ! ଆମ୍ଭେ ଏହାର ସବିସ୍ତାର ବର୍ଣ୍ଣନା ଶୁଣିବାକୁ ଇଚ୍ଛା କରୁଅଛୁଁ; ଯେହେତୁ ସେମାନଙ୍କର ଚରିତ୍ର ଶ୍ରବଣ କରି ଆମ୍ଭର ବିଶେଷ ତୃପ୍ତି ହେଉ ନାହିଁ । ବୈଶମ୍ପାୟନ ବୋଇଲେ, ମହାରାଜ ! ଭରତଶ୍ରେଷ୍ଠ ପାଣ୍ଡବଗଣେ ଅନୁପମ ତେଜସ୍ୱୀ ଅଷ୍ଟିଷେଣଙ୍କ ନିକଟରେ ପୂର୍ବରୁ ଆପଣାର ହିତକର ଉପଦେଶ ଶ୍ରବଣକରି ତଦନୁସାରେ କାର୍ଯ୍ୟ କରିବାରେ ପ୍ରବୃତ୍ତ ହେଲେ । ୭ । ମୁନିଭୋଜ୍ୟ ରସାନ୍ୱିତ ଫଳମାନଙ୍କୁ ଅଥଚ ଅବିଷାକ୍ତ ଶରଦ୍ୱାରା ବିନଷ୍ଟ ମୃଗମାନଙ୍କର ମାଂସକୁ ନାନାବିଧ ପବିତ୍ର ମଧୁ ସହିତ ଭୋଜନ କରି ହିମାଳୟପୃଷ୍ଠରେ ନିବାସ କଲେ ।

 

ହେ ମହାରାଜ ! ତାଦୃଶ ବାସ ଓ ଭୋଜନ କରି ପାଣ୍ଡବମାନେ ଲୋମଶଙ୍କ କଥିତ ବିବିଧ ବାକ୍ୟ ଶ୍ରବଣ କରୁଁ କରୁଁ କ୍ରମରେ ପଞ୍ଚମ ବର୍ଷ ଅତୀତ ଦେଲା । ୧୦ । ହେ ପ୍ରଭୋ ! ପ୍ରୟୋଜନ ହେଲେ ଆମ୍ଭେ ଆସିବୁ, ଏହା କହି ଘଟୋତ୍କଚ ଏଥିପୂର୍ବରୁ ସବୁ ରାକ୍ଷସଙ୍କ ସହିତ ସେଠାରୁ ଗମନ କରିଥିଲା । ୧୧ । ସେହି ମହାତ୍ମାମାନେ ଅଷ୍ଟିଷେଣଙ୍କ ଆଶ୍ରମରେ ବାସକରି ମହତ ଆଶ୍ଚର୍ଯ୍ୟମାନ ଦେଖୁ ଦେଖୁ ଅନେକ ମାସ ଅତୀତ ହେଲା । ୧୨ । ପାଣ୍ଡବମାନଙ୍କ ସହିତ ବିହାର କରି ଓ ରମଣୀୟ ଦୃଶ୍ୟମାନଙ୍କୁ ଅବଲୋକନ କରି ମହାଭାଗା ମୁନିମାନେ ମଧ୍ୟ ପ୍ରୀତିଯୁକ୍ତ ହୋଇ ସେଠାରେ ବାସ କଲେ । ୧୩ । ଯତିବ୍ରତ, ଶୁଦ୍ଧାତ୍ମା ମୁନି ଓ ଚାରଣଗଣ ପ୍ରୀତିଯୁକ୍ତ ହୋଇ ଗନ୍ଧମାର୍ଦ୍ଦନବିହାରୀ କ୍ରୀଡ଼ାଶୀଳ ପାଣ୍ଡବମାନଙ୍କ ସହିତ ସାକ୍ଷାତ୍ କରିବାକୁ ଆଗମନ କଲେ । ଭରତସତ୍ତମମାନେ ମଧ୍ୟ ସେମାନଙ୍କ ସହିତ ଦିବ୍ୟ କଥାଳାପ କରିବାରେ ପ୍ରବୃତ୍ତ ହେଲେ । ୧୪ ।

 

ଏହି ପ୍ରକାରେ କେତେକାଳ ଅତୀତ ହେଲା । ଏକଦା ମହାହ୍ରଦ ନିବାସୀ ସମୃଦ୍ଧି ସମ୍ପନ୍ନ ଗୋଟିଏ ମହାନାଗକୁ ଗରୁଡ଼ ସହସା ହରଣ କଲେ । ୧୫ । ତହିଁରେ ସେହି ମହାଶୈଳ ପ୍ରକମ୍ପିତ ହେଲା ଓ ବୃହଦାକାର ବୃକ୍ଷମାନେ ମଧ୍ୟ ମର୍ଦ୍ଦିତ ହୋଇଗଲେ । ପାଣ୍ଡବମାନେ ଓ ଅନ୍ୟାନ୍ୟ ପ୍ରାଣୀ ସମସ୍ତେ ସେହି ଅତିଶୟ ଅଦ୍ଭୁତ ବ୍ୟାପାର ସନ୍ଦର୍ଶନ କଲେ । ୧୬ । ତେତେବେଳେ ଏହା ମହାଗିରିର ଅଗ୍ରଭାଗରୁ ନାନାଜାତୀୟ ସୁଗନ୍ଧି ଓ ସୁନ୍ଦର ପୁଷ୍ପମାନ ପାଣ୍ଡବମାନଙ୍କ ନିକଟକୁ ବାୟୁଦ୍ୱାରା ଆନୀତ ହେଲା । ୧୭ । ସେଠାରେ ସୁହୃଦ୍‌ଗଣଙ୍କ ସହିତ ପାଣ୍ଡବମାନେ ଓ ଯଶସ୍ୱିନୀ ଦ୍ରୌପଦୀ ସମସ୍ତେ ସେହିସବୁ ପଞ୍ଚବର୍ଣ୍ଣର ଦିବ୍ୟପୁଷ୍ପମାନଙ୍କୁ ଅବଲୋକନ କଲେ । ୧୮ । ଅନନ୍ତର ମହାଭୁଜ ଭୀମସେନ ପର୍ବତ ଉପରେ ଗୋଟିଏ ନିର୍ଜନ ସ୍ଥାନରେ ଏକାକୀ ଉପବିଷ୍ଟ ହୋଇଅଛନ୍ତି, ଏମନ୍ତ ସମୟରେ କୃଷ୍ଣା ତାହାଙ୍କୁ କହିଲେ, ହେ ଭରତସତ୍ତମ ! ପବନଦେବ ସୁପର୍ଣ୍ଣଙ୍କ ପକ୍ଷରେ ବାୟୁବେଗରେ ବେଗବାନ ହୋଇ ମହାବଳରେ ଅଶ୍ୱରଥା ନଦୀ ପ୍ରତି ପଞ୍ଚବର୍ଣ୍ଣ ପୁଷ୍ପକୁ ନିକ୍ଷେପ କରୁଅଛନ୍ତି । ସର୍ବପ୍ରାଣୀ ଏହାକୁ ପ୍ରତ୍ୟକ୍ଷ କରୁଅଛନ୍ତି । ତୁମ୍ଭର ଭ୍ରାତା ସତ୍ୟସନ୍ଧ ମହାତ୍ମା ଅର୍ଜୁନ ଖାଣ୍ଡବ ବନରେ ଗନ୍ଧର୍ବ, ଉରଗ ଓ ରାକ୍ଷସମାନଙ୍କୁ ଅଥଚ ଇନ୍ଦ୍ରଙ୍କୁ ମଧ୍ୟ ନିବାରିତ କରି ମାୟାବୀ ଉଗ୍ର ପ୍ରାଣୀମାନଙ୍କୁ ନିହତ କରିଥିଲେ । ସେହି କାର୍ଯ୍ୟଦ୍ୱାରା ସେ ଗାଣ୍ଡୀବଧନୁକୁ ପ୍ରାପ୍ତ ହୋଇଅଛନ୍ତି-। ୨୨ । ତୁମ୍ଭର ମଧ୍ୟ ତେଜ ଓ ବାହୁବଳ ଅତି ମହତ୍‌; ତୁମ୍ଭର ବାହୁବଳ ବାସବଙ୍କ ବଳର ସମାନ ଅଟେ । ସେ ବଳକୁ ଅନ୍ୟକେହି ଧର୍ଷଣ କରିନପାରେ । ୨୩ ।

 

ଅତଏବ ହେ ଭୀମସେନ ! ତୁମ୍ଭର ବାହୁବଳ ବେଗରେ ରାକ୍ଷସମାନେ ବିତ୍ରାସିତ ହୋଇ ଶୈଳ ପରିତ୍ୟାଗପୂର୍ବକ ଦିଗନ୍ତର ଗମନ କରନ୍ତୁ । ତାହାହେଲେ ତୁମ୍ଭର ସୁହୃଦ୍‌ଗଣ ନିର୍ଭୟରେ ଏହି ବିଚିତ୍ର ମାଲ୍ୟବାନ ଶୈଳଶୃଙ୍ଗକୁ ସୁଖରେ ଦର୍ଶନ କରିବେ । ୨୫ । ହେ ଭୀମସେନ ! ଆମ୍ଭ ମନରେ ଏହି କାମନା ବହୁ ଦିନରୁ ସଞ୍ଚିତ ହୋଇଅଛି ଯେ ଆମ୍ଭେ ମଧ୍ୟ ତୁମ୍ଭର ବାହୁବଳରେ ରକ୍ଷିତ ହୋଇ ଶୈଳଶିଖରକୁ ଦେଖିବୁ । ୨୬ । ପରପତପସ୍ୱୀ ମହାବାହୁ ଭୀମସେନ ଦ୍ରୌପଦୀଙ୍କ ବାକ୍ୟରେ ଉତ୍ତେଜିତ ହୋଇ ଆପଣାକୁ ତିରସ୍କୃତ ହୋଇଥିବାର ବୋଧ କଲେ ଏବଂ ପ୍ରହାରପ୍ରାପ୍ତ ବଳବାନ ବୃଷଭପ୍ରାୟ ଆପଣାର ଧୈର୍ଯ୍ୟକୁ ସମ୍ଭାଳିପାରିଲେ ନାହିଁ । ୨୭ । ମହାସିଂହସମ ଗତିଶାଳୀ, ଶ୍ରୀମାନ, ବଳବାନ, ମନସ୍ୱୀ, ଦର୍ପୀ, ମାନୀ, ଶୁଭ୍ରକାଞ୍ଚନପ୍ରଭ, ଲୋହିତନେତ୍ର, ପୃଥୁଳସ୍କନ୍ଧ, ମତ୍ତବାରଣବିକ୍ରମ, ସିଂହଦଂଷ୍ଟ୍ରା, ତରୁଣ ଶାଳବୃକ୍ଷସମ ଉଦ୍‌ଗତ, ମହାତ୍ମା, ସର୍ବାଙ୍ଗସୁନ୍ଦର, କମ୍ବୁଗ୍ରୀବ ଓ ମହାଭୁଜ ବୁକୋଦର ରୁକୁପୃଷ୍ଠଧନୁ, ଖଡ଼୍‌ଗ ଓ ତୃଣକୁ ଗ୍ରହଣ କଲେ । ୩୦ । କେଶରୀପ୍ରାୟ ଉଦ୍ଧତ ଓ ମତ୍ତମାତଙ୍ଗ ପ୍ରାୟ ନିର୍ଭୀକ ହୋଇ ସେ ଶୈଳପ୍ରତି ଧାବମାନ ହେଲେ । ୩୧ । ତତ୍କାଳରେ ତତ୍ରସ୍ଥିତ ପ୍ରାଣୀମାନେ ବାଣ ଓ କାର୍ମୂକଧାରୀ ତାଦୃଶ ପୁରୁଷକୁ ମୃଗେନ୍ଦ୍ର ଓ ମଦମତ୍ତହସ୍ତୀ ପ୍ରାୟ ଆଗମନ କରିବାର ଦେଖିଲେ । ୩୨ । ପାଣ୍ଡୁନନ୍ଦନ ଭୀମସେନ ଗଦାହସ୍ତ ହୋଇ ଦ୍ରୌପଦୀଙ୍କର ହର୍ଷ ବର୍ଦ୍ଧନ କରି ଭୟ ଓ ମୋହକୁ ତ୍ୟାଗକରି ଶୈଳରାଜ ପ୍ରତି ଧାବିତ ହେଲେ । ୩୩ । ଗ୍ଲାନି, କାତରତା, କ୍ଷୋଭ, ମାତ୍ସର୍ଯ୍ୟ, କୌଣସି କାଳରେ କେହି ସୁଦ୍ଧା ପବନନନ୍ଦନ ପାର୍ଥଙ୍କୁ ଆଶ୍ରୟ କରିପାରିଲେନାହିଁ । ୩୪ । ମହାବଳ ପରାକ୍ରାନ୍ତ ଭୀମ ଗୋଟିଏ ମାତ୍ର ପଥପ୍ରାପ୍ତ ହେଲେ ଯହିଁରେ କି ଜଣେମାତ୍ର ଗମନ କରିପାରିବ । ସେହି ପଥରେ ସେ ବହୁ ତାଳ ସମୁଚ୍ଛ୍ରିତ, ଦୁରାରୋହ, ବିଷମ ଓ ଭୀମଦର୍ଶନ ଶୃଙ୍ଗକୁ ଆରୋହଣ କଲେ । ୩୫ । କିନ୍ନର, ମହାନାଗ, ମୁନି, ଗନ୍ଧର୍ବ ଓ ରାକ୍ଷସମାନଙ୍କୁ ହୃଷ୍ଟକରି ମହାବଳ ଭୀମ ପର୍ବତର ଅଗ୍ରକୁ ଆରୋହଣ କଲେ । ୩୬ ।

 

ତତ୍‌ପରେ ଚତୁର୍ଦ୍ଦିଗରେ ସୁବର୍ଣ୍ଣମୟ ପ୍ରାଚୀର ପରିବେଷ୍ଟିତ, କାଞ୍ଚନ ଓ ସ୍ଫଟିକ ବେଶସମୂହରେ ବିଭୂଷିତ ବିଶ୍ରବା ଋଷିଙ୍କ କୁମର କୁବେରଙ୍କର ଆବାସସ୍ଥାନ ଭରତର୍ଷଭ ଦେଖିପାରିଲେ । ୩୭ । ସେହି ପ୍ରାଚୀରର ଦ୍ୱାର ତୋରଣ ଓ ପତାକାରେ ଶୋଭାନ୍ୱିତ ହୋଇଥିଲା-। ପ୍ରାଚୀର ପାର୍ଶ୍ୱରେ ସର୍ବପ୍ରକାର ଉଦ୍ୟାନ ଥିଲା । ରତ୍ନଖଚିତ ହେଲାପ୍ରାୟ ପ୍ରାଚୀରର ଶୋଭା ପ୍ରକାଶିତ ହେଉଥିଲା । ଶୈଳଠାରୁ ମଧ୍ୟ ଅଧିକ ଅଟ୍ଟାଳିକାଦ୍ୱାରା ସଂଯୁକ୍ତ ହୋଇଥିଲା । ୩୯ । ବିଳାସିନୀମାନେ ସେହି ପ୍ରାଚୀରର ଚତୁଃପାର୍ଶ୍ୱରେ ନୃତ୍ୟରେ ରତ ହୋଇଥିଲେ । ପ୍ରାଚୀର ସନ୍ନିବିଷ୍ଟ ପତାକାସମୂହ ବାୟୁଦ୍ୱାରା ଅତିଶୟ ସଞ୍ଚାଳିତ ହେଉଥିଲା । ୪୦ । ବକ୍ରୀକୃତ ବାହୁଦ୍ୱୟ ଭୀମସେନ ଧନୁଷ୍କୋଟିକୁ ଅବଲମ୍ବନପୂର୍ବକ ଧନାଧିପତିଙ୍କ ପୁରଶୋଭା ସନ୍ଦର୍ଶନ କଲେ । ସେ ଶୋଭା ଦେଖିବାରୁ ଆପଣାର ପୂର୍ବ ଐଶ୍ୱର୍ଯ୍ୟର ସ୍ମରଣ ହେଲା ଓ ମନରେ ତାହାଙ୍କର ଖେଦ ଜାତ ହେଲା । ୪୧ । ସେଠାରେ ଗନ୍ଧମାର୍ଦ୍ଦନର ବାୟୁ ସର୍ବପ୍ରକାର ସୁଗନ୍ଧର ବହନକାରୀ ହୋଇ ତତ୍ରସ୍ଥ ସମସ୍ତ ପ୍ରାଣୀଙ୍କୁ ଆମୋଦିତ କରି ସୁଖରେ ପ୍ରବାହିତ ହେଲା । ୪୨ । ପୁନଶ୍ଚ ଭରତର୍ଷଭ ଦେଖିଲେ ଯେ, ସେହି ରାକ୍ଷସାଧିପତିଙ୍କ ବାସସ୍ଥାନ ଅତି ଆଶ୍ଚର୍ଯ୍ୟ ଓ ବିବିଧ ବର୍ଣ୍ଣ ଯୁକ୍ତ ମଞ୍ଜରୀମାନଙ୍କୁ ଧାରଣ କରି ବିବିଧ ଦ୍ରୁମମାନ ସେ ସ୍ଥାନର ଶୋଭା ସମ୍ପାଦନ କରୁଥିଲେ । ସେ ବାସସ୍ଥାନ ସର୍ବତ୍ର ରତ୍ନସମୂହରେ ଖଚିତ ହୋଇ ବିବିଧ ମାଲ୍ୟରେ ବିଭୂଷିତ ହୋଇଥିଲା । ୪୪ । ସେଠାରେ ଗଦା, ଖଡ଼୍‌ଗ ଓ ଧନୁଷ୍ପାଣି ହୋଇ ମହାବାହୁ ଭୀମସେନ ପର୍ବତପ୍ରାୟ ଅଚଳ ହୋଇ ଦଣ୍ଡାୟମାନ ହେଲେ । ୪୫ । ତତ୍ପରେ ଶଙ୍ଖଧ୍ୱନି କରି ଜ୍ୟାଘୋଷ ଓ ତଳଶବ୍ଦଦ୍ୱାରା ଭୀମସେନ ଶତ୍ରୁମାନଙ୍କ ମନରେ ଭୟ ଜାତ କଲେ । ତତ୍ପରେ ଯକ୍ଷ, ରାକ୍ଷସ ଓ ଗନ୍ଧର୍ବମାନେ ରୋମାଞ୍ଚିତ ହୋଇ ସେହି ଶବ୍ଦକୁ ଲକ୍ଷ୍ୟକରି ପାଣ୍ଡବଙ୍କ ସମୀପକୁ ଦ୍ରୁତବେଗରେ ଆଗମନ କଲେ । ୪୭ । ଯକ୍ଷ ରାକ୍ଷସମାନେ, ଗଦା, ପରିଘ, ନିସ୍ତ୍ରିଂଶ, ଶୂଳ, ଶକ୍ତି ଓ ପରଶ୍ୱଧମାନଙ୍କୁ ହସ୍ତରେ ଗ୍ରହଣ କରିଥିବାରୁ ଶୋଭାନ୍ୱିତ ଦିଶିଲେ । ୪୮ ।

 

ହେ ଭାରତ ! ତଦନନ୍ତର ସେମାନଙ୍କ ସହିତ ଭୀମଙ୍କର ଯୁଦ୍ଧ ଆରମ୍ଭ ହେଲା । ମାୟାବୀ ରାକ୍ଷସ ଓ ଯକ୍ଷମାନେ ଭୀମଙ୍କ ପ୍ରତି ଶୂଳ, ଶକ୍ତି ଓ ପରଶ୍ୱଧମାନଙ୍କୁ ନିକ୍ଷେପ କଲେ । ୪୯ । ଭୀମସେନ ଅତି ବେଗରେ ପ୍ରହାର କରି ଭଲ୍ଲଦ୍ୱାରା ସେହି ପ୍ରେକ୍ଷିତ ଅସ୍ତ୍ରମାନଙ୍କୁ ଛେଦନ କଲେ । ମହାବଳ ଭୀମସେନ ଆକାଶସ୍ଥିତ ଓ ଭୂମିସ୍ଥିତ ଗର୍ଜନକାରୀ ରାକ୍ଷସମାନଙ୍କର ଶରୀରକୁ ଶରଦ୍ୱାରା ବିଦ୍ଧ କଲେ । ତଦ୍ଦ୍ୱାରା ଭୀମଙ୍କ ଉପରେ ଲୋହିତ ବର୍ଣ୍ଣ ମହାଶୋଣିତ ବୃଷ୍ଟି ନିପତିତ ହେଲା । ୫୧-। ଗଦା ଓ ପରିଘଧାରୀ ରାକ୍ଷସମାନଙ୍କର ଶରୀରରୁ ଶୋଣିତଧାରା ପ୍ରତ୍ୟୁତ ହୋଇ ଭୂମିସ୍ଥିତ ରାକ୍ଷସମାନଙ୍କର ଚତୁର୍ଦ୍ଦିଗରେ ପ୍ରବାହିତ ହେଲା । ୫୨ । ଭୀମଙ୍କ ବାହୁବଳରେ ନିକ୍ଷିପ୍ତ ଆୟୁଧଦ୍ୱାରା ଯକ୍ଷ ଓ ରାକ୍ଷସମାନଙ୍କର ଶରୀର ଓ ମସ୍ତକ ଛିନ୍ନ ହୋଇ ଇତସ୍ତତଃ ନିପତିତ ହେଲା-। ୫୩ । ସୂର୍ଯ୍ୟଙ୍କୁ ମେଘଗଣ ବେଷ୍ଟନ କଲାପ୍ରାୟ ପ୍ରିୟଦର୍ଶନ ପାଣ୍ଡବଙ୍କୁ ରକ୍ଷଗଣ ବେଢ଼ି ଆଚ୍ଛାଦନ କରିଥିବାର ପ୍ରାଣୀମାନେ ଦେଖିଲେ । ୫୪ । ମହାବାହୁ ଶତ୍ରୁବିନାଶକାରୀ ବଳବାନ ସତ୍ୟବିକ୍ରମ ଭୀମସେନ ଆପଣାର ଶରଦ୍ୱାରା ଆଚ୍ଛନ୍ନ ହୋଇଥିଲେ, ଯେପରି କି ସୂର୍ଯ୍ୟ ଆପଣାର କିରଣସମୂହରେ ବେଷ୍ଟିତ ହୋଇଥାନ୍ତି । ୫୫ । ସବୁ ରାକ୍ଷସ ଦେଖିଲେ ଯେ ସେମାନେ ଭୟଙ୍କର ତର୍ଜନ, ଗର୍ଜନ ଓ ପ୍ରହାର କରି ସୁଦ୍ଧା ଭୀମସେନଙ୍କୁ ମୋହିତ କରିପାରିଲେନାହିଁ । ୫୬ । ଯକ୍ଷମାନଙ୍କର ସର୍ବାଙ୍ଗ ବିକୃତ ହେବାରୁ ଭୀମସେନଙ୍କ ଭୟରେ ଆର୍ଦ୍ରିତ ହୋଇ ଆୟୁଧମାନଙ୍କୁ ପରିତ୍ୟାଗପୂର୍ବକ ଭୟଙ୍କର ଆର୍ତ୍ତସ୍ୱର ତ୍ୟାଗ କଲେ । ୫୭ ।

 

ତତ୍ପରେ ସେମାନେ ଦୃଢ଼ଧନ୍ୱା ଭୀମଙ୍କ ତ୍ରାସରେ ଗଦା, ଶୂଳ, ଖଡ଼୍‌ଗ, ଶକ୍ତି ଓ ପରଶୁ ପ୍ରଭୃତି ଅସ୍ତ୍ରଶସ୍ତ୍ରମାନଙ୍କୁ ପରିତ୍ୟାଗ କରି ଦକ୍ଷିଣ ଦିଗରେ ଆଶ୍ରୟ ନେଲେ । ୫୮ । ସେହି ଦିଗରେ ବିଶାଳବକ୍ଷା ମହାଭୁଜ କୁବେରଙ୍କ ସଖା ମଣିମାନ୍ ନାମରେ ଗୋଟିଏ ରାକ୍ଷସ ଗଦା ଓ ଶୂଳ ହସ୍ତରେ ଦଣ୍ଡାୟମାନ ହୋଇଥିଲା । ୫୯ । ସେହି ବଳବାନ ରାକ୍ଷସ ମଣିମାନ ଆପଣାର ପ୍ରଭୁତ୍ୱ ଓ ପୌରୁଷ ପ୍ରଦର୍ଶନ କଲା । ଯୁଦ୍ଧରେ ପରାଙ୍ମଖ ରାକ୍ଷସମାନଙ୍କୁ ଦେଖି ସେ ହାସ୍ୟ କରି କହିଲା । ୬୦ । ଜଣେ ମନୁଷ୍ୟ ଆସି ସମରରେ ଅନେକ ଯକ୍ଷ, ରକ୍ଷଗଣଙ୍କୁ ପରାଭୂତ କରିଅଛି । ଏକଥା ତୁମ୍ଭେମାନେ କୁବେରଙ୍କ ଭବନକୁ ଯାଇ ଧନେଶ୍ୱରଙ୍କୁ କିପରି କହିବ ? ମଣିମାନ ରାକ୍ଷସ ସେମାନଙ୍କୁ ଏହିପରି କହି ସ୍ୱୟଂ ଶୂଳଶକ୍ତି ଓ ଗଦାଧରି ପାଣ୍ଡବଙ୍କ ଅଭିମୁଖକୁ ଧାବିତ ହେଲା । ୬୨ । ଭୀମସେନ ଦେଖିଲେ, ମତ୍ତମାତଙ୍ଗପ୍ରାୟ ବେଗରେ ମଣିମାନ ଆସୁଅଛି । ଏହା ଦେଖି ସେ ତତ୍‌କ୍ଷଣାତ ତିନିଗୋଟି ବାଛୁରୀଦନ୍ତନିର୍ମିତ ଅସ୍ତ୍ରଦ୍ୱାରା ତାହା ପାର୍ଶ୍ୱଦେଶରେ ତାଡ଼ନା କଲେ । ୬୩-। ମହାବଳ ମଣିମାନ ମଧ୍ୟ କ୍ରୁଦ୍ଧ ହୋଇ ମହତୀ ଗଦା ଧରି ଭ୍ରାମଣ କରି ଭୀମଙ୍କ ପ୍ରତି ନିକ୍ଷେପ କଲା । ୬୪ । ଆକାଶସ୍ଥିତ ବିଦ୍ୟୁତ୍‍ପ୍ରଭାବିଶିଷ୍ଟ ସେହି ମହତୀ ଗଦାକୁ ଭୀମ ନିଜର ଶିଳାଶାଣିତ ବହୁଶତ ଶରଦ୍ୱାରା ଆଚ୍ଛନ୍ନ କଲେ; କିନ୍ତୁ ସେହି ଶରମାନେ ଗଦାରେ ଲଗ୍ନ ହେଲା ମାତ୍ରେ ପ୍ରତିହତ ହେଲେ । ଶରମାନେ ବେଗରେ ପ୍ରେରିତ ହୋଇଥିଲେ ହେଁ ଗଦାର ବେଗକୁ ନିବାରଣ କରିପାରିଲେନାହିଁ । ୬୬ । ଭୀମବିକ୍ରମ ବଳବାନ ଭୀମସେନ ଗଦାଯୁଦ୍ଧ ବିଷୟରେ ଉତ୍ତମରୂପେ ଅଭିଜ୍ଞ ଥିଲେ; ସୁତରାଂ ସେ ତତ୍‌କ୍ଷଣାତ ତୀରବର୍ଷଣକୁ ପରିତ୍ୟାଗ କରି ଗଦାଦ୍ୱାରା ମଣିମାନର ସେହି ଗଦାପ୍ରହାରକୁ ବ୍ୟର୍ଥ କଲେ । ୬୭ ।

 

ଏହି ଅବସରରେ ବୁଦ୍ଧିଶୀଳ ରାକ୍ଷସ ମଣିମାନ ଗୋଟାଏ ସୁବର୍ଣ୍ଣଦଣ୍ଡ ସଂଯୁକ୍ତ ଭୟାନକ ଲୌହମୟ ଶକ୍ତି ଘେନି ପ୍ରହାର କଲା । ୬୮ । ଅଗ୍ନିଶିଖାସ୍ୱରୂପ ଅତି ଦାରୁଣ ସେହି ଶକ୍ତି ଗଭୀର ନିନାଦସହିତ ସହସା ଭୀମଙ୍କ ଦକ୍ଷିଣ ଭୁଜକୁ ଭେଦକରି ଭୂମିରେ ପ୍ରବିଷ୍ଟ ହେଲା । ୬୯ । ଅପରିମିତ ପରାକ୍ରମ ମହାଧନୁର୍ଦ୍ଧାରୀ ଭୀମ ଶକ୍ତିଦ୍ୱାରା ଅତିମାତ୍ର ବିଦ୍ଧ ହୋଇ କ୍ରୋଧାକୁଳ ନୟନରେ ପୁନଶ୍ଚ ଗଦା ଗ୍ରହଣ କଲେ । ଶତ୍ରୁମାନଙ୍କର ଭୟବର୍ଦ୍ଧନକାରୀ ସର୍ବଲୌହମୟୀ ସେହି ଶୈକ୍ୟା ଗଦାକୁ ଦୃଢ଼ରୂପେ ଧାରଣ କରି ଓ ତର୍ଜନ କରି ମହାବଳ ପରାକ୍ରାନ୍ତ ମଣିମାନଙ୍କ ପ୍ରତି ଦ୍ରୁତ ଗତିରେ ଧାବିତ ହେଲେ । ତତ୍କାଳରେ ମଣିମାନ ମଧ୍ୟ ନିନାଦ କରି ଗୋଟାଏ ସମୁଜ୍ଜ୍ୱଳ ମହାଶୂଳ ଗ୍ରହଣ କରି ମହାବେଗରେ ଭୀମଙ୍କ ପ୍ରତି ନିକ୍ଷେପ କଲା । ଗଦାଯୁଦ୍ଧବିଶାରଦ ମହାବାହୁ ଭୀମ ନିଜ ଗଦାର ଅଗ୍ରଭାଗଦ୍ୱାରା ସେହି ଶୂଳକୁ ଭଗ୍ନକରି ଗରୁଡ଼ ଯେପରି ସର୍ପକୁ ହନନ କରି ଧାବମାନ ହୁଏ, ତାହାରି ପ୍ରାୟ ମଣିମାନର ଅଭିମୁଖକୁ ବେଗରେ ଧାବିତ ହେଲେ । ତତ୍ପରେ ଭୀମ ସେହି ରଣସ୍ଥଳରେ ସହସା ଅନ୍ତରୀକ୍ଷକୁ ଲମ୍ଫ ପ୍ରଦାନ କରି ମହାନିନାଦ ସହିତ ଗଦା ଘୂର୍ଣ୍ଣନପୂର୍ବକ ମଣିମାନ ପ୍ରତି ନିକ୍ଷେପ କଲେ । ଇନ୍ଦ୍ରନିକ୍ଷିପ୍ତ ବଜ୍ରପ୍ରାୟ ସେହି ଗଦା ବାତସମ ବେଗରେ ରାକ୍ଷସର ପ୍ରାଣ ବିନାଶ କରି ଯଜ୍ଞରୁ ଉତ୍ପନ୍ନ ପ୍ରାଣୀବିନାଶକାରୀ କୃତ୍ୟାପୁରୁଷପ୍ରାୟ କ୍ଷିତି ତଳରେ ପତିତ ହେଲା । ତତ୍କାଳରେ ସର୍ବ ପ୍ରାଣୀ ଦେଖିଲେ ଯେ ମହାବୃକ୍ଷକୁ ଯେପରି ସିଂହ ବିନାଶ କରିଥାଏ, ସେହିପରି ଭୀମସେନ ଏହି ରାକ୍ଷସକୁ ବିନାଶ କରିଅଛନ୍ତି । ଏହାପରେ ଆଉ ଯେଉଁ ନିଶାଚରମାନେ ହତ ନ ହୋଇ ଅବଶିଷ୍ଟ ଥିଲେ, ସେମାନେ ମଣିମାନଙ୍କୁ ଭୂପତିତ ଓ ନିହତ ଦେଖି ଭୟାନକ ଆର୍ତ୍ତନାଦ କରି ପୂର୍ବଦିଗକୁ ପଳାୟନ କଲେ । ୭୭ ।

 

॥ ଅଧ୍ୟାୟ – ୧୬୧ ॥

 

ବୈଶମ୍ପାୟନ ବୋଇଲେ, ଏଣେ ଅଜାତଶତ୍ରୁ, ଯୁଧିଷ୍ଠିର, ନକୁଳ ଓ ସହଦେବ ଦୁହେଁ, ଦ୍ରୌପଦୀ, ଧୌମ୍ୟ, ବିପ୍ରଗଣ ଓ ଅନ୍ୟାନ୍ୟ ସୁହୃଦ ବର୍ଗନିକର ଗୁହାର ଅଭ୍ୟନ୍ତରରେ ବହୁବିଧ ଶବ୍ଦର ପ୍ରତିଧ୍ୱନି ଶୁଣି ଓ ଭୀମସେନଙ୍କୁ ନିକଟରେ ନ ଦେଖି ଅତିଶୟ ବିମନା ହେଲେ । ୨ । ସେହି ମହାରଥୀମାନେ ଅଷ୍ଟିଷେଣଙ୍କଠାରେ ଦ୍ରୌପଦୀଙ୍କୁ ସମ୍ପ୍ରସାରଣ କରି ନିଜ ନିଜ ଆୟୁଧ ଘେନି ଶୈଳଶୃଙ୍ଗକୁ ଆରୋହଣ କଲେ । ୩ । ତଦନନ୍ତର ସେହି ମହାଧନୁର୍ଦ୍ଧାରୀ ବୀର ପୁରୁଷମାନେ ଶୈଳର ଅଗ୍ରଭାଗରେ ଭୀମସେନଙ୍କୁ ଦର୍ଶନ କଲେ । ୪ । ସମ୍ମୁଖରେ ସେମାନେ ଦେଖିଲେ, ମହାକାୟ ମହାସତ୍ୱ ରାକ୍ଷସମାନେ ଗତସତ୍ୱ ହୋଇ ଭୀମସେନଙ୍କଦ୍ୱାରା ନିହତ ହୋଇଅଛନ୍ତି । ୫--ମହାବାହୁ ଭୀମସେନ ଗଦା, ଖଡ଼୍‌ଗ ଓ ଧନୁର୍ଦ୍ଧାରୀ ହୋଇ ସକଳ ଦାନବଙ୍କୁ ଇନ୍ଦ୍ରଙ୍କ ପ୍ରାୟ ବିନାଶ କରି ଶୋଭାନ୍ୱିତ ହୋଇ ଦଣ୍ଡାୟମାନ ହୋଇଅଛନ୍ତି । ତତ୍ପରେ ମହାରଥୀ ପୃଥାପୁତ୍ରମାନେ ଭ୍ରାତାଙ୍କୁ ଆଲିଙ୍ଗନ କରି ସେଠାରେ ସୁଖରେ ଉପବେଶନ କଲେ । ଏହିପରି ସେମାନେ ସର୍ବୋତ୍ତମ ଗତି ଲାଭ କଲେ । ୭ । ମହାଭାଗ ଲୋକପାଳମାନେ ଯେପରି ସ୍ୱର୍ଗକୁ ଶୋଭାନ୍ୱିତ କରନ୍ତି, ତଦ୍ରୂପ ମହାଧନୁର୍ଦ୍ଧାରୀ ଏହି ଚାରି ବୀର ବେଦବର ପ୍ରାୟ ଗିରିଶୃଙ୍ଗକୁ ଶୋଭାନ୍ୱିତ କଲେ । ୮ । ପୃଥିବୀପତି ଭ୍ରାତା ଯୁଧିଷ୍ଠିର ଭ୍ରାତା ଭୀମସେନଙ୍କୁ ବସିଥିବା ଓ ରାକ୍ଷସମାନଙ୍କୁ ନିପାତିତ ହୋଇଥିବା ଅଥଚ ନିକଟରେ କୁବେରଙ୍କ ଭବନ ଥିବାର ବିଲୋକନ କରି କହିଲେ । ୯ ।

 

ହେ ଭୀମ ! ସାହସରୁ ହେଉ ବା ମୋହରୁ ହେଉ, ଯେଉଁ କାରଣରୁ ହେଉ, ତୁମ୍ଭେ ଏହି ପାପକର୍ମ୍ମ କଲ; ଏହି କର୍ମ୍ମ କରିବା ତୁମ୍ଭ ପକ୍ଷରେ ଉଚିତ ନ ଥିଲା । ତୁମ୍ଭେ ମୁନିଙ୍କ ପ୍ରାୟ ବନବାସୀ ହୋଇଅଛ । ଅକାରଣରେ ଏହି ରାକ୍ଷସମାନଙ୍କୁ ବଧ କରିବା ତୁମ୍ଭର ଯୋଗ୍ୟକର୍ମ ହୋଇନାହିଁ । ୧୦ । ଧର୍ମବେତ୍ତାମାନେ ନିର୍ଣ୍ଣୟ କରିଅଛନ୍ତି, ରାଜଦ୍ୱେଷ କରିବାର ନୁହେଁ; କିନ୍ତୁ ହେ ଭୀମସେନ ! ତୁମେ ତ୍ରିଦଶଗଣଙ୍କର ଦ୍ୱେଷ କଲ । ୧୧ । ହେ ପାର୍ଥ । ଧର୍ମ ଓ ଅର୍ଥକୁ ଅନାଦର କରି ଯେ ପାପକର୍ମ୍ମରେ ମନକୁ ବଳାଏ, ସେ ନିଶ୍ଚୟ ସେହି ପାପକର୍ମ୍ମର ଫଳକୁ ପାଏ । ତୁମ୍ଭେ ଯଦି ମୋର ପ୍ରିୟ କର୍ମ କରିବା ଇଚ୍ଛାକର, ତେବେ ଏପରି କର୍ମ୍ମ କଦାପି କରିବ ନାହିଁ । ୧୨ । ବୈଶମ୍ପାୟନ ବୋଇଲେ– ଧର୍ମାତ୍ମା କୁନ୍ତୀପୁତ୍ର ଯୁଧିଷ୍ଠିର ଭ୍ରାତା ଭୀମଙ୍କୁ ଏହିପରି କହି ବିରତ ହେଲେ । ଅର୍ଥତତ୍ତ୍ୱରେ ଅଭିଜ୍ଞ ମହାତେଜା ସେହି ବିଷୟ ଚିନ୍ତାକରି ଭୀମଙ୍କଦ୍ୱାରା ନିହତ ହେଲା ପରେ ଆଉ ଯେଉଁ ରାକ୍ଷସମାନେ ଅବଶିଷ୍ଟ ଥିଲେ, ସେମାନଙ୍କ ସହିତ କୁବେରଙ୍କ ଭବନକୁ ଗମନ କଲେ । ବିଶ୍ରବା ଋଷିଙ୍କର କୁମର କୁବେରଙ୍କ ନିକଟରେ ଅତିଶୀଘ୍ର ପ୍ରବିଷ୍ଟ ହେଲେ । ୧୫ । ରାକ୍ଷସମାନେ ରକ୍ତରେ ଆପ୍ଲୁତ ହୋଇ ଅସ୍ତ୍ରଶସ୍ତ୍ରମାନଙ୍କୁ ନିକ୍ଷେପ କରି ଭୀମସେନଙ୍କ ଭୟରେ ଆର୍ଦ୍ରିତ ହୋଇ ଭୟଙ୍କର ଆର୍ତ୍ତନାଦ ବିସର୍ଜ୍ଜନ କଲେ । ୧୬ । ହେ ରାଜନ୍‌ ! ଗଦା, ପରିଘ, ନିସ୍ତ୍ରଂଶ ଗୋମର, ପ୍ରାଶ ଯୋଦ୍ଧାମାନେ ମୁକ୍ତକେଶ ହୋଇ ଯକ୍ଷାଧିପତିଙ୍କୁ କହିଲେ, ହେ ଦେବ ! ଧନେଶ୍ୱର ! ଜଣେ ମନୁଷ୍ୟ ଆସି ତୁମ୍ଭର ଶୈଳରେ ପ୍ରବିଷ୍ଟ ହୋଇ ରାକ୍ଷସମାନଙ୍କୁ ମର୍ଦ୍ଦନ କରି ନିହତ କଲା । ୧୮ ।

 

ହେ ଧନାଧିପ ! ରାକ୍ଷସମାନେ କ୍ରୋଧବଶରୁ ଯୁଦ୍ଧରେ ପ୍ରବୃତ୍ତ ହୋଇ ଜଣେ ମନୁଷ୍ୟକୁ ପରାସ୍ତ କରିନପାରି ସ୍ୱୟଂ ନିହତ ହୋଇ ରଣଭୂମିରେ ପଡ଼ି ରହିଅଛନ୍ତି । ୧୯ । ଆପଣଙ୍କ ସଖା ମଣିମାନ ହତ ହୋଇଅଛନ୍ତି । ଆମ୍ଭେ କେତେଜଣ ମାତ୍ର ଅବଶିଷ୍ଟ ଅଛୁଁ । ମନୁଷ୍ୟ ଜଣେ ଏହି କର୍ମ କରିଅଛି । ଏଥିରେ ଆପଣଙ୍କର ଯାହା କର୍ତ୍ତବ୍ୟ, ତାହା କରନ୍ତୁ । ସର୍ବ ଯକ୍ଷବଣଙ୍କ ଅଧିପତି ତାହା ଶ୍ରବଣ କରି ଅତିଶୟ, କ୍ରୁଦ୍ଧ ଓ କୋପରେ ରକ୍ତନୟନ ହୋଇ ବୋଇଲେ, କେମନ୍ତ ! ପୁନର୍ବାର ଭୀମ ଅପରାଧ କଲା । ଏଥିରେ ତାହାଙ୍କର କ୍ରୋଧ ଅତିଶୟ ହେଲା । ସେ କହିଲେ, ରଥ ଯୋଜନା କର । ଆଜ୍ଞାମାତ୍ରକେ କିଙ୍କରମାନେ ସକଳ ମେଘସଦୃଶ ବର୍ଣ୍ଣବିଶିଷ୍ଟ ଓ ଶୈଳଶୃଙ୍ଗସମ ଭ୍ରର୍ତ୍ସିତ ହେମମାଳାଧାରୀ ଅଶ୍ରୁମାନଙ୍କଦ୍ୱାରା ରଥଯୋଜନା କଲେ । ତାହାଙ୍କର ସେହି ଅଶ୍ୱମାନେ ସର୍ବଗୁଣସଂଯୁକ୍ତ, ସେମାନଙ୍କର ଚକ୍ଷୁ ନିର୍ମଳ, ଅଶ୍ୱଜାତିରେ ସେ ଉତ୍ତମ; ତେଜ ଓ ବଳରେ ଆଦରଣୀୟ, ନାନାରତ୍ନରେ ବିଭୂଷିତ, ସେମାନେ ଏପରି ବେଗଗାମୀ ଯେ ପବନର ବେଗକୁ ମଧ୍ୟ ଅତିକ୍ରମ କରିବାକୁ ଇଚ୍ଛା କରନ୍ତି । ୨୫ । ସେହି ଅଶ୍ୱମାନେ ବିଜୟଲାଭ କରିବା ଉଦ୍ଦେଶ୍ୟରେ ହ୍ରେଷରବଦ୍ୱାରା ସେ ସ୍ଥାନକୁ ପ୍ରକମ୍ପିତ କଲେ । ଭଗବାନ ରାଜରାଜ ସେହି ମହାରଥରେ ଉପବେଶନ କଲେ । ଦ୍ୱିତିସମ୍ପନ୍ନ ଦେବ ଓ ଗନ୍ଧର୍ବମାନେ ତାହାଙ୍କର ସ୍ତବ କଲେ । ଧନାଧିପତି ମହାତ୍ମା କୁବେର ପ୍ରସ୍ଥାନ କଲାବେଳେ ହେମବର୍ଣ୍ଣାଭ ମହାବଳ, ମହାକାୟ, ରକ୍ତାଭ ଦଶ ଶତ ଯକ୍ଷ ନିସ୍ତ୍ରିଂଶଧାରୀହୋଇ ମହାବେଗରେ ଆକାଶମାର୍ଗରେ ଗତିକରି ଗନ୍ଧମାର୍ଦ୍ଦନରେ ଉପସ୍ଥିତ ହେଲେ । ଆଗମନବେଳେ ବୋଧହେଲା ଯେ ସେମାନେ ଆକାଶକୁ ଆକର୍ଷଣ କରି ଆସୁଅଛନ୍ତି । ୨୯ । ଏଣେ ଧନାଧିପତିଙ୍କର ପାଳିତ ସେହି ଅଶ୍ୱବୃନ୍ଦଙ୍କୁ ଓ ଯକ୍ଷରାକ୍ଷସଙ୍କଦ୍ୱାରା ପରିବୃତ୍ତ ପ୍ରିୟଦର୍ଶନ ମହାତ୍ମା କୁବେରଙ୍କୁ ଦେଖି ପାଣ୍ଡବମାନଙ୍କର କଳେବର ରୋମାଞ୍ଚିତ ହେଲା । ଖଡ଼୍‌ଗ ଓ କୋଦଣ୍ଡଧାରୀ, ମହାସତ୍ୱ, ମହାରଥୀ ପାଣ୍ଡୁପୁତ୍ରମାନଙ୍କୁ ଧନାଧିପତି କୁବେର ବିଲୋକନ କରି ପ୍ରୀତ ହେଲେ ଓ ପାଣ୍ଡବମାନେ ଦେବକାର୍ଯ୍ୟରେ ଆସିଥିବାର ଜାଣି ମନମଧ୍ୟରେ ପରମ ସନ୍ତୁଷ୍ଟ ହେଲେ । ୩୨ । କୁବେରଙ୍କ ଅନୁଚର ଯକ୍ଷମାନେ ବିହଙ୍ଗମପ୍ରାୟ ମହାବେଗରେ ଗିରିଶୃଙ୍ଗ ଉପରେ ଆପତିତ ହେଲେ ଓ ଧନେଶ୍ୱରଙ୍କୁ ଆଗରେ ରଖି ପାଣ୍ଡବମାନଙ୍କ ସମ୍ମୁଖରେ ଅବସ୍ଥିତ ହେଲେ । ୩୪ ।

 

ହେ ଭାରତ ! ତଦନନ୍ତର ଯକ୍ଷ ଓ ଗନ୍ଧର୍ବମାନେ ଦେଖିଲେ ଯେ ପାଣ୍ଡବମାନଙ୍କ ପ୍ରତି କୁବେରଙ୍କର ମନ ପ୍ରସନ୍ନ ଅଛି । ଏହା ଦେଖି ସେମାନେ ନିର୍ବିକାର ହୋଇ ରହିଲେ । ୩୪ । ମହାତ୍ମା ପାଣ୍ଡବମାନେ ପ୍ରଭୁ ଧନଦଙ୍କୁ ପ୍ରଣାମ କଲେ; ଧର୍ମବେତ୍ତା ଧର୍ମପୁତ୍ର, ନକୁଳ ଓ ସହଦେବ ପ୍ରଭୃତି ପାଣ୍ଡବମାନେ ପ୍ରଭୁ ଧନଦଙ୍କୁ ପ୍ରଣାମ କଲେ । ୩୫ । ସେହି ମହାରଥୀମାନେ ଆପେ ଅପରାଧ କରିଥିଲା ପ୍ରାୟ ଆପଣାକୁ ଜାଣି ସମସ୍ତେ କୃତାଞ୍ଜଳି ହୋଇ ଧନେଶ୍ୱରଙ୍କୁ ଚତୁଃପାର୍ଶ୍ୱରେ ବେଷ୍ଟନପୂର୍ବକ ଦଣ୍ଡାୟମାନ ହେଲେ । ୩୬ । ବିଶ୍ୱକର୍ମାଙ୍କ ନିର୍ମିତ ବିଚିତ୍ର ଶ୍ରେଷ୍ଠ ଆସନରେ ଧନପତି କୁବେର ଉପବିଷ୍ଟ ହେଲେ । ୩୭ । ସେ ବସନ୍ତେ ଶଙ୍କୁକର୍ଣ୍ଣ, ମହାବେଗଶାଳୀ, ମହାଶରୀରବନ୍ତ ଯକ୍ଷ ଓ ରାକ୍ଷସମାନେ ସହସ୍ର ସହସ୍ର ତାହାଙ୍କ ସମୀପରେ ଉପବିଷ୍ଟ ହେଲେ । ୩୮ । ଦେବତାମାନେ ଯେପରି ଇନ୍ଦ୍ରଙ୍କୁ ବେଷ୍ଟନ କରି ସଭାରେ ବସିଥାନ୍ତି, ତଦ୍ରୂପ ଗନ୍ଧର୍ବ ଓ ଅପ୍‌ସରାଗଣ କୁବେରଙ୍କୁ ଘେରିବସିଲେ । ୩୯ । ଅତି ସୁନ୍ଦର ସୁବର୍ଣ୍ଣମାଳାକୁ ଭୀମସେନ ମସ୍ତକରେ ଧାରଣ କରି ପାଶ, ଖଡ଼୍‌ଗ ଓ ଧନୁ ଗ୍ରହଣ କରି ଧନାଧିପତିଙ୍କୁ ନେତ୍ରଟେକି ବିଲୋକନ କଲେ । ୪୦ । ରାକ୍ଷସମାନଙ୍କଦ୍ୱାରା କ୍ଷତବିକ୍ଷତ ହୋଇଥିଲେ ହେଁ ଭୀମସେନଙ୍କର କୌଣସି ଗ୍ଲାନି ଲକ୍ଷିତ ହେଉନଥିଲା । ସେ କୁବେରଙ୍କୁ ଦେଖୁଥାନ୍ତି ଓ କୁବେରଙ୍କ ସମ୍ମୁଖରେ ଥା’ନ୍ତି । ତଥାପି ତାହାଙ୍କର ତଦ୍ରୂପ ଅବସ୍ଥାରେ କୌଣସି ମନର ବିକାର ଲକ୍ଷିତ ହେଉନଥିଲା । ଯୁଦ୍ଧ କରିବା ଅଭିପ୍ରାୟରେ ନିକ୍ଷିତ ବାଣମାନଙ୍କୁ ଗ୍ରହଣ କରିଥିବା ଭୀମସେନଙ୍କୁ ଦେଖି ନରବାହନ କୁବେର ଧର୍ମସୁତଙ୍କୁ କହିଲେ । ୨ । ହେ ପାର୍ଥ ! ସମସ୍ତେ ଜାଣନ୍ତି ଯେ ତୁମ୍ଭେ ସର୍ବପ୍ରାଣୀଙ୍କର ହିତରେ ରତ ଥାଅ । ଅତଏବ ତୁମ୍ଭେ ନିର୍ଭୟରେ ଭ୍ରାତାମାନଙ୍କ ସହିତ ଏହି ଶୈଳର ଅଗ୍ରଭାଗରେ ବାସ କର । ୪୩ ।

 

ହେ ପାଣ୍ଡବ ! ଭୀମସେନ ପ୍ରତି ତୁମ୍ଭେ କ୍ରୋଧ କରିବ ନାହିଁ । କାଳବଳରେ ଏହି ରାକ୍ଷସମାନେ ନିହତ ହୋଇଅଛନ୍ତି । ତୁମ୍ଭର ଅନୁଜ ଭୀମ ତହିଁରେ କେବଳ ନିମିତ୍ତମାତ୍ର ହୋଇଥିବାର ଜାଣ । ୪୪ । ଭୀମସେନ ଯେ ସାହସ କରିଅଛନ୍ତି, ତନ୍ନିମିତ୍ତ ଆପଣ ଲଜ୍ଜିତ ହେବେନାହିଁ । ଯକ୍ଷ, ରାକ୍ଷସମାନଙ୍କର ଏହି ବିନାଶ ଘଟିବା । ଦେବତାଗଣ ପୂର୍ବରୁ ଜାଣିଥିଲେ । ୪୫ । ହେ ଭରତର୍ଷଭ ! ଭୀମସେନଙ୍କଠାରେ ଆମ୍ଭର କୋପ ମଧ୍ୟ ନାହିଁ । ଆମ୍ଭେ ତାହାଙ୍କଠାରେ ପ୍ରୀତ ହୋଇଅଛୁ । ଭୀମସେନଙ୍କର ଏହି କାର୍ଯ୍ୟରେ ଆମ୍ଭର ଅତିଶୟ ତୁଷ୍ଟି ହୋଇଅଛି ।

 

ବୈଶମ୍ପାୟନ ବୋଇଲେ, ଧର୍ମରାଜଙ୍କୁ ଏହି କଥା କହି କୁବେର ପୁନଶ୍ଚ ଭୀମସେନଙ୍କୁ ଭାଷିଲେ, ତାତ ! ହେ ଭୀମ ! କୃଷ୍ଣଙ୍କ ନିମିତ୍ତ ତୁମ୍ଭେ ଏହି ଯେଉଁ ସାହସ ପ୍ରକାଶ କଲ, ହେ କୁରୁସତ୍ତମ ! ତାହା ଆମ୍ଭ ମନରେ ନାହିଁ । ଆମ୍ଭଙ୍କୁ ଅନାଦର କରି ଓ ଦେବତାମାନଙ୍କ ପ୍ରତି ହେଳା ପ୍ରଦର୍ଶନ କରି ଆପଣା ବାହୁବଳକୁ ଆଶ୍ରୟ କରି ତୁମ୍ଭେ ଯେ ଯକ୍ଷରକ୍ଷଗଣଙ୍କୁ ବିନାଶ କଲ, ତହିଁରେ ଆମ୍ଭେ ପ୍ରୀତ ହୋଇଅଛୁଁ । ହେ ବୃକୋଦର ! ଅଦ୍ୟ ଆମ୍ଭେ ସେହି ଘୋର ଅଭିଶାପରୁ ମୁକ୍ତ ହେଲୁ । ପରମଋଷି ଅଗସ୍ତ୍ୟ କ୍ରୁଦ୍ଧ ହୋଇ ପୂର୍ବେ ଆମ୍ଭଙ୍କୁ କୌଣସି ଅପରାଧ ଉପଲକ୍ଷ୍ୟରେ ଯେଉଁ ଅଭିଶାପ ଦେଇଥିଲେ, ତୁମ୍ଭେ ଏହି କାର୍ଯ୍ୟଦ୍ୱାରା ସେହି ଅଭିଶାପରୁ ନିଷ୍କୃତିର ସମ୍ପାଦନ କଲ । ୫୦-। ହେ ପାଣ୍ଡବନନ୍ଦନ ! ପୂର୍ବରୁ ଆମ୍ଭର ଏହି ଦୁଃଖ ନିର୍ଦ୍ଦିଷ୍ଟ ଥିଲା । ହେ ପାଣ୍ଡବ ! ତୁମ୍ଭେ ଏହି ଯେଉଁ କାର୍ଯ୍ୟ କଲ, ତହିଁରେ ତୁମ୍ଭର ତିଳାର୍ଦ୍ଧ ଅପରାଧ ନାହିଁ । ୫୧ ।

 

ଯୁଧିଷ୍ଠିର ବୋଇଲେ, ହେ ଭଗବନ ! ମହାତ୍ମା ଅଗସ୍ତ୍ୟଙ୍କଦ୍ୱାରା ଆପଣ କିପରି ଅଭିଶପ୍ତ ହେଲେ ? ହେ ଦେବ ! ଆମ୍ଭେ ତାହା ଶ୍ରବଣ କରିବାକୁ ଇଚ୍ଛା କରୁଅଛୁଁ । ତୁମ୍ଭର ଏହି ଶାପର କାରଣ କଅଣ କହ । ୫୨ । ମୋତେ ଆଶ୍ଚର୍ଯ୍ୟ ବୋଧ ହେଉଅଛି ଯେ ସେହି ବୁଦ୍ଧିମାନ ଋଷିଙ୍କର କ୍ରୋଧରେ ତୁମ୍ଭେ ଆପଣାର ବଳ, ବାହନ ଓ ଅନୁଗାମୀଙ୍କ ସହିତ ନିର୍ଦ୍ଦଗ୍ଧ ହେଲ । ୫୩ । ଧନେଶ୍ୱର ବୋଇଲେ, ହେ ନରେଶ୍ୱର ! କୁଶବତୀ ନଦୀତୀରରେ ଦେବତାମାନଙ୍କର ଗୋଟିଏ ମନ୍ତ୍ରଣାସ୍ଥାନ ନିର୍ଦ୍ଦିଷ୍ଟ ହୋଇଥିଲା । ଆମ୍ଭେ ମଧ୍ୟ ଯକ୍ଷଙ୍କଦ୍ୱାରା ପରିବୃତ୍ତ ହୋଇ ତିନିଶତ ମହାପଦ୍ମ ଘେନି ସେଠାକୁ ଗମନ କରୁଥିଲୁ । ଆମ୍ଭ ସଙ୍ଗରେ ଘୋର ରୂପଧାରୀ ଓ ବିବିଧ ଆୟୁଧବନ୍ତ ଯକ୍ଷମାନେ ଗମନ କରୁଥିଲେ । ପଥରେ ଆମ୍ଭେ ଋଷିସତ୍ତମ ଅଗସ୍ତ୍ୟଙ୍କୁ ଦେଖିଲୁ । ୫୫ । ସେ ଉଗ୍ର ତପସ୍ୟାରେ ଯମୁନାତୀରରେ ରତ ହୋଇଥିଲେ । ସେହି ଆଶ୍ରମ ନାନା ପକ୍ଷୀଗଣଙ୍କଦ୍ୱାରା ଆକୀର୍ଣ୍ଣ ହୋଇଥିଲା ଓ ପୁଷ୍ପିତ ଦ୍ରୁମମାନଙ୍କଦ୍ୱାରା ଶୋଭାପାଉଥିଲା । ୫୬ । ସୂର୍ଯ୍ୟଙ୍କ ଅଭିମୁଖୀ ଓ ଊର୍ଦ୍ଧ୍ୱବାହୁ ହୋଇ ଅଗସ୍ତ୍ୟ ଋଷି ଉଭା ହୋଇଥିଲେ । ତେଜୋରାଶିଦ୍ୱାରା ହୁତାଶନ ପ୍ରାୟ ଦୀପ୍ତିବନ୍ତ ଦିଶୁଥିଲେ । ଆମ୍ଭର ସଖା ରାକ୍ଷସଧିପତି ଯାହାଙ୍କର ନାମ ମଣିମାନ, ସେ ମୂର୍ଖପଣରୁ ଅଥଚ ଅଜ୍ଞତା ବଶରୁ ଅହଙ୍କାରୀ ହୋଇ ସେହି ଆକାଶରେ ଥାଇ ମହର୍ଷି ଅଗସ୍ତ୍ୟଙ୍କ ମୁର୍ଦ୍ଧାରେ *ଷ୍ଠୀବନ କଲା । କୋପରେ ବଶୀଭୂତ ହୋଇ ସେହି ଋଷି ଆପଣାର ତେଜଦ୍ୱାରା ଦିଗମାନଙ୍କୁ ଦଗ୍ଧ କଲାପ୍ରାୟ ହୋଇ ଆମ୍ଭଙ୍କୁ କହିଲେ । ୫୯ । ହେ ଧନେଶ୍ୱର, ତୋହର ସଖା ଦୁଷ୍ଟାତ୍ମା ମଣିମାନ ମୋତେ ଅବଜ୍ଞା କରି ତୋହର ସାକ୍ଷାତ୍‍ରେ ଯାହା ଏହି କାର୍ଯ୍ୟ କଲା, ତନ୍ନିମିତ୍ତ ଏହି ସୈନ୍ୟମାନଙ୍କ ସହିତ କୌଣସି ମନୁଷ୍ୟଦ୍ୱାରା ନିହତ ହେବ । ତୁ ଦୁର୍ମତି ମଧ୍ୟ ଏହି ନିହତ ସୈନ୍ୟମାନଙ୍କ ସହିତ କ୍ଲେଶକୁ ପ୍ରାପ୍ତ ହେବୁ ଓ ସେହି ମନୁଷ୍ୟକୁ ବିଲୋକନ କରି ଏହି କ୍ଲିବିଷରୁ ବିମୁକ୍ତ ହେବୁ । ୬୧ । ଏହି ସୈନ୍ୟମାନଙ୍କର ପୁତ୍ର ପୌତ୍ରମାନେ ଯେ କି ତୁମ୍ଭର ଆଜ୍ଞା ପ୍ରତିପାଳନ କରିବେ, ସେମାନେ ଏହି ଅଭିଶାପରେ ଲିପ୍ତ ହେବେ ନାହିଁ । ହେ ମହାରାଜ ! ଆମ୍ଭେ ପୂର୍ବେ ଋଷିବର ଅଗସ୍ତ୍ୟଙ୍କଠାରୁ ଏହି ଶାପ ପ୍ରାପ୍ତ ହୋଇଥିଲୁଁ । ତୁମ୍ଭର ଭ୍ରାତା ଭୀମସେନ ଅଦ୍ୟ ଆମ୍ଭଙ୍କୁ ସେହି ଶାପରୁ ବିମୁକ୍ତ କଲେ । ୬୩ ।

 

[* ଷ୍ଠୀବନ କଲା–ଛେପ ପକାଇଲା ।]

 

॥ ଅଧ୍ୟାୟ – ୧୬୨ ॥

 

ଧନଦ ବୋଇଲେ, ହେ ଯୁଧିଷ୍ଠିର ! ଧୈର୍ଯ୍ୟ, ଦକ୍ଷତା, ଦେଶ, କାଳ ଓ ପରାକ୍ରମ– ଏହି ପାଞ୍ଚଗୋଟିଦ୍ୱାରା ଲୋକମାନଙ୍କ କାର୍ଯ୍ୟରେ ଉନ୍ନତି ହୁଏ । ୧ । ହେ ଭାରତ ! ସତ୍ୟଯୁଗରେ ମନୁଷ୍ୟମାନେ ନିଜ ନିଜ କର୍ମରେ ଧୃତିବନ୍ତ ଥିଲେ । ଦକ୍ଷତା ଓ ପରାକ୍ରମ କି ବିଧିରେ ପ୍ରୟୋଗ କରିବାକୁ ହୁଏ, ତାହା ସେମାନେ ଜାଣିଥିଲେ । ୨ । କ୍ଷତ୍ରିୟ ଜାତି ଧୈର୍ଯ୍ୟଶୀଳ;ଦେଶକାଳରେ ଯେଉଁସବୁ ବିଧାନ କରିବାକୁ ହୁଏ, ତାହା ସେମାନେ ଜାଣି ଚିରକାଳ ପୃଥିବୀ ଶାସନ କରୁଥିଲେ । ୩ । ହେ ପାର୍ଥ ! ଯେଉଁ ପୁରୁଷ ଏହିରୂପେ ସବୁକର୍ମରେ ପ୍ରବୃତ୍ତ ହୁଏ, ସେ ଇହଲୋକରେ ଯଶ ଓ ପରଲୋକରେ ସଦ୍‌ଗତିକୁ ଲାଭକରେ । ୪ । ବୃତ୍ତ୍ରହନ୍ତା ଇନ୍ଦ୍ର ଦେଶକାଳର ଅବକାଶ ପାଇବା ଇଚ୍ଛାରେ ଅପେକ୍ଷା କରି ପରାକ୍ରମ ପ୍ରକାଶ କଲେ ଓ ଅମରପୁରୀରେ ପୁନର୍ବାର ରାଜ୍ୟକୁ ପ୍ରାପ୍ତ ହେଲେ । ୫ । ଯେଉଁ ବ୍ୟକ୍ତି କେବଳ କ୍ରୋଧପରତନ୍ତ୍ର ହୋଇ ଅନିଷ୍ଟ ପତନକୁ ପୂର୍ବରୁ ସମ୍ଭାବନା ନ କରେ, ସେହି ପାପବୁଦ୍ଧି ପାପର ଅନୁବର୍ତ୍ତୀ ହୁଏ । ୬ । ସେ କର୍ମର ବିଭାଗକୁ ଜାଣେ ନାହିଁ । ଇହକାଳ ଓ ପରକାଳ ଉଭୟତ୍ର ତାହାର କର୍ମ ନଷ୍ଟ ହୁଏ । ଯେଉଁ ଦୁର୍ବୁଦ୍ଧି ପୁରୁଷ କାଳଜ୍ଞ ନ ହୋଇଥାଏ, କାର୍ଯ୍ୟ ବିଶେଷରେ ଯାହାର ଅଭିଜ୍ଞତା ନ ଥାଏ, ତାହାର କାର୍ଯ୍ୟାରମ୍ଭ ବୃଥା ହୁଏ । ସୁତରାଂ ସେ ଇହ ଓ ପରଲୋକ ଦୁଇଠାରେ ବିନଷ୍ଟ ହୁଏ । ସେହି ବ୍ୟକ୍ତିମାନେ ସର୍ବସାମର୍ଥ୍ୟ ଲାଭ କରିବେ ବୋଲି ସାହସରେ ପ୍ରବୃତ୍ତ ହେବାରୁ ନିଶ୍ଚୟ ସେମାନଙ୍କର ପାପ ହୁଏ ।

 

ହେ ପୁରୁଷଶ୍ରେଷ୍ଠ ! ଏହି ଭୀମସେନ ଗର୍ବିତ, କ୍ରୋଧୀ ଓ ଭୟ ରହିତ । ଏହାଙ୍କର ବୁଦ୍ଧି ବାଳକର ବୁଦ୍ଧିପ୍ରାୟ । ଏ ଅସହିଷ୍ଣୁା ରାଜର୍ଷି ଅଷ୍ଟିଷେଣଙ୍କ ଆଶ୍ରମକୁ ପୁନର୍ବାର ଗମନ କରି ତୁମ୍ଭେ ଏହାଙ୍କୁ ଶାସନ କରିବ । ୧୦ । ଏହି କୃଷ୍ଣପକ୍ଷରେ ରାକ୍ଷସଠାରୁ ଭୟ ହୁଏ । ତଥାପି ଶୋକ ଓ ଭୟ ପରିତ୍ୟାଗ କରି ତୁମ୍ଭମାନେ ସେଠାରେ ବାସକର । ଗନ୍ଧର୍ବ ଓ କିନ୍ନରଗଣଙ୍କ ସହିତ ଅଳକାବାସୀ ଓ ପର୍ବତବାସୀ ରାକ୍ଷସମାନେ ସମସ୍ତେ ଆମ୍ଭଦ୍ୱାରା ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଓ ତୁମ୍ଭ ସହିତରେ ଥିବା ଦ୍ୱିଜଗଣଙ୍କୁ ରକ୍ଷା କରିବେ । ୧୨ । ହେ ଧାର୍ମିକଶ୍ରେଷ୍ଠ ! ବୃକୋଦର ତୁମ୍ଭର ଅନୁଗତ; ତୁମ୍ଭେ ଏହାଙ୍କୁ ସାନ୍ତ୍ୱନା ଦେଇ ବୁଝାଇ କହିବ ଯେ ସେ ସାହସିକ କର୍ମରେ ପ୍ରବୃତ୍ତ ନ ହୁଅନ୍ତୁ । ୧୩ । ଏଥି ଉତ୍ତାରୁ ବନଗୋଚର ପ୍ରାଣୀମାନେ ସର୍ବଦା ତୁମ୍ଭମାନଙ୍କ ସହିତ ସାକ୍ଷାତ୍‍ କରିବେ । ତୁମ୍ଭମାନଙ୍କ ନିକଟରେ ଅବସ୍ଥାନ କରିବେ ଓ ତୁମ୍ଭମାନଙ୍କୁ ରକ୍ଷା କରିବେ । ୧୪ । ପୁରୁଷେନ୍ଦ୍ରମାନେ ! ଆମ୍ଭର ପରିଚାରକ ସମସ୍ତେ ସର୍ବଦା ତୁମ୍ଭମାନଙ୍କ ନିମିତ୍ତ ସୁସ୍ୱାଦୁ ବହୁ ଅନ୍ନ ଓ ପାନୀୟ ଆହରଣ କରିବେ । ୧୫ । ହେ ଯୁଧିଷ୍ଠିର ! ବାସବଙ୍କର ଅର୍ଜୁନ, ବାୟୁଙ୍କର ବୃକୋଦର, ଧର୍ମଙ୍କର ତୁମ୍ଭେ ଏବଂ ଅଶ୍ୱିନୀକୁମାରଦ୍ୱୟଙ୍କର ନକୁଳ ଓ ସହଦେବ ଯୋଗୋତ୍ପନ୍ନ ଆତ୍ମସମ୍ପନ୍ନ ସନ୍ତାନ ହୋଇଥିବାରୁ ସେମାନଙ୍କଦ୍ୱାରା ତୁମ୍ଭେମାନେ ରକ୍ଷଣୀୟ, ସେହିପରି ତୁମ୍ଭେମାନେ ଆମ୍ଭର ମଧ୍ୟ ରକ୍ଷଣୀୟ ଅଟ । ୧୭ । ଭୀମସେନଙ୍କର ଅନୁଜ ଅର୍ଥତତ୍ତ୍ୱଜ୍ଞ, ଦେଶକାଳ-ବିଧାନଜ୍ଞ, ସର୍ବଧର୍ମର ବିଧାନବେତ୍ତା, ଫାଲ୍‌ଗୁନୀ ସ୍ୱର୍ଗରେ କୁଶଳରେ ଅଛନ୍ତି ।

 

ହେ ବତ୍ସ ! ଲୋକସମ୍ମତ, ସ୍ୱର୍ଗୀୟ ଯେତେ ସମ୍ପତ୍ତି ଅଛି, ସେସବୁ ଜନ୍ମକାଳାବଧି ଧନଞ୍ଜୟଙ୍କଠାରେ ବିଦ୍ୟମାନ । ଧର୍ମ, ଦାନ, ବଳ, ବୁଦ୍ଧି, ଲଜ୍ଜା, ଧୈର୍ଯ୍ୟ ଓ ସତ୍‍ ତେଜ– ଏହିସବୁଗୁଣ ଅମିତତେଜସ୍ୱୀ ଅର୍ଜୁନଙ୍କଠାରେ ଅବସ୍ଥିତ । ୨୦ । ହେ ପାଣ୍ଡବ ! ଅଜ୍ଞତାବଶରୁ ସୁଦ୍ଧା ଅର୍ଜୁନ କଦାପି ଗର୍ହିତ କର୍ମର ଅନୁଷ୍ଠାନ କରନ୍ତି ନାହିଁ; ମିଥ୍ୟା ବାକ୍ୟ କହନ୍ତି ନାହିଁ; ମନୁଷ୍ୟଲୋକରେ ଏହିପରି କଥା ଅଛି । ୨୧ । ହେ ଭାରତ ! କୁରୁକୁଳର କୀର୍ତ୍ତିବର୍ଦ୍ଧନ ଅର୍ଜୁନ ଅମରାବତୀରେ ଦେବ, ପିତୃ ଓ ଗନ୍ଧର୍ବମାନଙ୍କଦ୍ୱାରା ସମ୍ମାନିତ ହୋଇ ଅସ୍ତ୍ରଶିକ୍ଷା କରୁଅଛନ୍ତି । ୨୨-। ହେ ପାର୍ଥ ! ଯେଉଁ ମହାବୀର୍ଯ୍ୟ ମହାତେଜା ତୁମ୍ଭର ପ୍ରପିତାମହ ଶାନ୍ତନୁ ଧର୍ମଦ୍ୱାରା ସକଳ ମହୀପତିଙ୍କୁ ଆପଣାର ବଶୀଭୂତ କରି ଶାସନ କରୁଥିଲେ, ସ୍ୱର୍ଗରେ ସେହି ଶାନ୍ତନୁଙ୍କୁ କୁଳଧ୍ୱଜ ଗାଣ୍ଡୀବଧନ୍ୱା ଅର୍ଜୁନ ପ୍ରୀତ କରିଅଛନ୍ତି । ୨୪ । ଯେଉଁ ମହାତପା ତୁମ୍ଭର ପିତାମହ ଶାନ୍ତନୁ ଯମୁନାତୀରରେ ପିତୃଦେବ, ଋଷି ଓ ବିପ୍ରମାନଙ୍କୁ ଅର୍ଚ୍ଚନା କରି ସପ୍ତସଂଖ୍ୟକ ଅଶ୍ୱମେଧ ଯଜ୍ଞ ଆହରଣ କରିଥିଲେ, ସେହି ରାଜାଧିରାଜ ତୁମ୍ଭର ପ୍ରପିତାମହ ସ୍ୱର୍ଗରେ ଇନ୍ଦ୍ରଲୋକରେ ଥାଇ ନିରନ୍ତର ତୁମ୍ଭର କୁଶଳ ପ୍ରଶ୍ନ କରନ୍ତି । ୨୬ ।

 

ବୈଶମ୍ପାୟନ କହିଲେ, ପାଣ୍ଡବମାନେ କୁବେରଙ୍କଠାରୁ ଏହିପରି ବଚନ ଶ୍ରବଣ କରି ଅତିଶୟ ଆହ୍ଲାଦିତ ହେଲେ । ତଦନନ୍ତର ଭରତର୍ଷଭ ବୃକୋଦର ଶକ୍ତି, ଗଦା ଓ ଧନୁକୁ ଅବନମିତ କରି କୁବେରଙ୍କୁ ପ୍ରଣାମ କଲେ । ୨୮ । ତତ୍ପରେ ଶରଣରକ୍ଷକ କୁବେର ଭୀମଙ୍କୁ ଶରଣାଗତ ଦେଖି କହିଲେ, ତୁମ୍ଭେ ଶତ୍ରୁମାନଙ୍କର ମାନହା ଓ ସୁହୃଦ୍‌ବର୍ଗଙ୍କର ଆନନ୍ଦବର୍ଦ୍ଧକ ହୁଅ । ୨୯ ।

 

ତତ୍ପରେ କୁବେର ପାଣ୍ଡବମାନଙ୍କୁ ସମ୍ବୋଧନ କରି କହିଲେ, ହେ ଶତ୍ରୁତାପନ ! ତୁମ୍ଭେମାନେ ସ୍ୱ ସ୍ୱ ରମଣୀୟ ନିକେତନରେ ବାସ କର । ଯକ୍ଷମାନେ ତୁମ୍ଭମାନଙ୍କ ନିମିତ୍ତ କେତେକ ଅଭିଳାଷ କରିବେ । ୩୦ । ଗୁଡ଼ାକେଶ ଧନଞ୍ଜୟ ସାକ୍ଷାତ୍‍ ପୁରନ୍ଦରଙ୍କଦ୍ୱାରା କୃତାସ୍ତ୍ର ଓ ପ୍ରେରିତ ହୋଇ ଶୀଘ୍ର ପୁନରାଗମନ କରିବେ । ୩୧ । ସତ୍‌କର୍ମଶୀଳ ଯୁଧିଷ୍ଠିରଙ୍କୁ କୁବେର ଏହିରୂପ ଅନୁଶାସନ କରି ସେହି ଗିରିବରରେ ଅନ୍ତର୍ହିତ ହେଲେ । ୩୨ । ସହସ୍ର ସହସ୍ର ଯକ୍ଷ ଓ ରାକ୍ଷସ ଗଜପୃଷ୍ଠସ୍ଥିତ ବିଚିତ୍ର କମ୍ବଳରେ ସଂକୀର୍ଣ୍ଣ ଓ ନାନାରତ୍ନବିଭୂଷିତ ଯାନରେ ଚଢ଼ି ତାହାଙ୍କର ଅନୁଗାମୀ ହେଲେ । * ଐରାବତ ପଥରେ ଯେପରି ଶବ୍ଦ ହୁଏ, କୁବେରଙ୍କ ସଦନ ନିକଟରେ ପକ୍ଷୀସଦୃଶ ଉତ୍କୃଷ୍ଟ ଅଶ୍ୱନିର୍ଘୋଷ ଶ୍ରୁତିଗୋଚର ହେଲା । ୩୪ । ଧନାଧିପତିଙ୍କର ଘୋଟକମାନେ ଆକାଶକୁ ଆକର୍ଷଣ କରି ଓ ପବନଦେବଙ୍କୁ ପାନକରି ଦୃଢ଼ତର ବେଗରେ ଗମନ କଲେ । ୩୫ । ଏଣେ ଧନାଧିପତିଙ୍କର ଶାସନରେ ତାହାଙ୍କର ଦୂତମାନେ ରାକ୍ଷସମାନଙ୍କର ସେହିସବୁ ମୃତଶରୀରକୁ ଶୈଳଗ୍ରରୁ ଅପକର୍ଷଣ କରି ନିକ୍ଷେପ କଲେ । ହେ ମହାରାଜ ! ଯେହେତୁରୁ ଧୀମାନ୍ ଅଗସ୍ତ୍ୟ ସେହି ସମୟରେ କୁବେରଙ୍କର ଓ ଯକ୍ଷରାକ୍ଷସମାନଙ୍କର ଅଭିଶାପର କାଳ ନିରୂପଣ କରିଥିଲେ, ସେଥି ନିମିତ୍ତ ସେମାନେ ଯୁଦ୍ଧରେ ନିହତ ହେଲେ ଓ ସେମାନଙ୍କର ଅଭିଶାପ ଅସ୍ତ ହେଲା । ୩୭ । ମହାତ୍ମା ପାଣ୍ଡୁନନ୍ଦନମାନେ ତତ୍ରସ୍ଥ ଗୃହରେ କତିପୟ ରାତ୍ରି ବାସ କରି ରାକ୍ଷସଙ୍କଦ୍ୱାରା ସମ୍ମାନିତ ହୋଇ ସୁଖରେ କାଳକ୍ଷେପ କଲେ । ୩୮ ।

 

[* ଐରାବତପଥରେ–ଇନ୍ଦ୍ରଙ୍କ ପୁରୀ ନିକଟରେ ।]

 

॥ ଅଧ୍ୟାୟ – ୧୬୩ ॥

 

ବୈଶମ୍ପାୟନ କହିଲେ, ହେ ଅରିନ୍ଦମ ! ତଦନନ୍ତର ସୂର୍ଯ୍ୟୋଦୟ ହୁଅନ୍ତେ ଧୌମ୍ୟ ଆହ୍ନିକକୃତ୍ୟ ସମାପନ କରି ଅଷ୍ଟିଷେନଙ୍କ ସହିତ ପାଣ୍ଡବମାନଙ୍କ ସମୀପବର୍ତ୍ତୀ ହେଲେ । ୧ । ପାଣ୍ଡବମାନେ କୃତାଞ୍ଜଳିପୁଟରେ ସେ ଦୁହିଁଙ୍କର ଚରଣ ବନ୍ଦନା କଲେ । ପରିଶେଷରେ ଅପର ବ୍ରାହ୍ମଣମାନଙ୍କୁ ଅର୍ଚ୍ଚନା କଲେ । ୨ । ଏଥିଉତ୍ତାରୁ ମହର୍ଷି ଧୌମ୍ୟ ଯୁଧିଷ୍ଠିରଙ୍କ ଦକ୍ଷିଣ କରକୁ ଧାରଣ କରି ପୂର୍ବଦିଗକୁ ଚାହିଁ କହିଲେ । ୩ । ମହାରାଜ ! ସେହି ଶୈଳରାଜ ମନ୍ଦର ସାଗରପର୍ଯ୍ୟନ୍ତ ଭୂମିକୁ ଆବର୍ତ୍ତନ କରି ବିରାଜିତ ଅଛି । ୪ । ହେ ପାଣ୍ଡବ ! ସକାନନ, ସପର୍ବତ ଓ ଅରଣ୍ୟଶୋଭିତ ଏହି ଦିଗକୁ ଇନ୍ଦ୍ର ଓ କୁବେର ଦୁହେଁ ରକ୍ଷା କରନ୍ତି । ହେ ବତ୍ସ ! ସର୍ବଧର୍ମଜ୍ଞ ମନୀଷୀ ଋଷି ନିକର କହନ୍ତି ଯେ ଏହି ଦିଗରେ ରାଜା କୁବେରଙ୍କର ଓ ଦେବରାଜ ଇନ୍ଦ୍ରଙ୍କର ନିକେତନ ଅଛି । ୬ । ଧର୍ମଜ୍ଞ ଋଷିମାନେ ଓ ସିଦ୍ଧସାଧ୍ୟ ଦେବଗଣ ଏ ଦିଗରେ ଉଦିତ ଆଦିତ୍ୟଙ୍କର ଉପାସନା କରନ୍ତି । ସର୍ବଜନ୍ତୁଙ୍କର ପ୍ରଭୁ ଧର୍ମଜ୍ଞ ରାଜା ଯମ ପ୍ରେତଗଣଙ୍କର ଅଧିପତି, ସେ ଦକ୍ଷିଣ ଦିଗକୁ ଆଶ୍ରୟ କରିଥାନ୍ତି । ୮ । ସେହି ଦିଗରେ ଯମଙ୍କର ସଞ୍ଜମନ ନାମକ ଭବନ ଅଛି । ସେହି ଭବନ ପରମସମୃଦ୍ଧିସମ୍ପନ୍ନ, ପୁଣ୍ୟଜନକ ଓ ଦେଖିଲେ ଆଶ୍ଚର୍ଯ୍ୟ ବୋଧ ହୁଏ । ହେ ରାଜନ୍‌ ! ସୂର୍ଯ୍ୟନାରାୟଣ ଯେଉଁ ପର୍ବତକୁ ଗମନ କରି ସତ୍ୟ ପ୍ରତିଜ୍ଞାରେ ଆବଦ୍ଧ, ସେ ଏହି ପର୍ବତରାଜ । ମନୀଷୀମାନେ ଏହି ପର୍ବତକୁ ଅସ୍ତାଚଳ କହନ୍ତି । ଏହିରୂପେ ଦିକ୍‌ପତି ବରୁଣ ମଧ୍ୟ ସେହି ପର୍ବତରାଜରେ ଓ ମହୋଦଧି ସମୁଦ୍ରରେ ବାସ କରି ପ୍ରାଣୀମାନଙ୍କୁ ରକ୍ଷା କରନ୍ତି । ୧୧ ।

 

ହେ ମହାବାହୋ ! ବ୍ରହ୍ମବେତ୍ତାମାନଙ୍କର ଗତି ଓ ମଙ୍ଗଳପଦ ମହାବୀର୍ଯ୍ୟବାନ ସେହି ମହାମେରୁ ଉତ୍ତର ଦିଗକୁ ପ୍ରକାଶିତ କରି ଅବସ୍ଥିତ ଅଛନ୍ତି । ସେଠାରେ ବ୍ରହ୍ମସତ୍ତା ଅଛି । ଭ୍ରୂଣାତ୍ମା ପ୍ରଜାପତି ସେହିଠାରେ ରହି ସ୍ଥାବର ଜଙ୍ଗମ ସବୁ ସୃଷ୍ଟି କରିଅଛନ୍ତି । ୧୩ । ଦକ୍ଷ ପ୍ରଭୃତି ଯେଉଁ ସାତଜଣ ବ୍ରହ୍ମାଙ୍କର ମାନସପୁତ୍ର ବୋଲି ବର୍ଣ୍ଣିତ ହୁଅନ୍ତି, ସେହି ମେରୁ ସେମାନଙ୍କର ସୁଦ୍ଧା ଶିବଦାୟକ ଓ କୁଶଳର ସ୍ଥାନ ଅଟନ୍ତି । ୧୪ । ବଶିଷ୍ଠ ପ୍ରଭୃତି ସାତଜଣ ମହର୍ଷି ସେହି ସ୍ଥାନରେ ଅସ୍ତମିତ ହୋଇ ପୁନର୍ବାର ଉଦିତ ହୁଅନ୍ତି । ୧୫ । ଆତ୍ମାରାମ ଦେବତାମାନଙ୍କ ସହିତ ପିତାମହ ବ୍ରହ୍ମା ଏହି ମେରୁ ପର୍ବତର ନିର୍ମଳ ଶୃଙ୍ଗଦେଶରେ ଅଧିବାସ କରନ୍ତି । ଏହି ବ୍ରହ୍ମସଦନ ଉତ୍ତାରୁ ପ୍ରଭୁ ନାରାୟଣଙ୍କର ସ୍ଥାନ ପ୍ରକାଶ ପାଉଅଛି । ଯେଉଁ ନାରାୟଣଙ୍କୁ ମନୀଷୀମାନେ ପଞ୍ଚଭୂତାତ୍ମିକା ପ୍ରକୃତିର ନିତ୍ୟ ଉପାଦାନ ବୋଲି ଓ ଆଦ୍ୟନ୍ତରହିତ ପରଦେବ ବୋଲି ବର୍ଣ୍ଣନା କରନ୍ତି, ଯେଉଁ ତେଜୋମୟ ଶୁଭପ୍ରଦ ସ୍ଥାନକୁ ଦେବତାମାନଙ୍କର ସୁଦ୍ଧା ଦର୍ଶନ କରିବା ଦୁଃସାଧ୍ୟ । ୧୮ । ହେ ରାଜନ୍‌ ! ମହାତ୍ମା ବିଷ୍ଣୁଙ୍କର ସେହି ସ୍ଥାନ ସ୍ୱକୀୟ ପ୍ରଭାରେ ସୂର୍ଯ୍ୟ ଓ ଅନଳଠାରୁ ମଧ୍ୟ ଅଧିକ ତେଜୋମୟ ଦିଶୁଅଛନ୍ତି । ଦେବ ଓ ଦାନବମାନେ ମଧ୍ୟ ଯାହାଙ୍କୁ ଦର୍ଶନ କରିବାକୁ ସମର୍ଥ ନୁହନ୍ତି । ୧୯ । ହେ ବତ୍ସ ! ଏତାଦୃଶ ନାରାୟଣଙ୍କର ସ୍ଥାନ ସୁମେରୁ ପର୍ବତର ପୂର୍ବଦିଗରେ ବିରାଜିତ ଅଛି । ଯେଉଁ ସ୍ଥାନରେ ସମସ୍ତଙ୍କର ନିଦାନସ୍ୱରୂପ ଭୂତପତି ନାରାୟଣ ସକଳ ପ୍ରାଣୀଙ୍କୁ ପ୍ରକାଶିତ କରି ଓ ପରମ ଶୋଭାବିଶିଷ୍ଟ ହୋଇ ବିରାଜିତ ଅଛନ୍ତି, ସେ ସ୍ଥାନକୁ ବ୍ରହ୍ମର୍ଷିମାନଙ୍କର ସୁଦ୍ଧା ଗତି ହୋଇନପାରେ । ମହର୍ଷିମାନଙ୍କର ଯେ ଗତି ହୁଏ ନାହିଁ, ସେ କଥା ବା କଅଣ କହିବା ? ୨୧ । ହେ କୁରୁସତ୍ତମ ! କେବଳ ଯତିମାନଙ୍କର ସେଠାକୁ ଗତି ହୁଏ । ହେ ପାଣ୍ଡବ ! କୌଣସି ଜ୍ୟୋତିର୍ମୟ ପଦାର୍ଥ ସୁଦ୍ଧା ସେହି ଅଚିନ୍ତ୍ୟ ପରମାତ୍ମା ପ୍ରଭୁଙ୍କ ସମୀପରେ ସ୍ୱକୀୟ ଜ୍ୟୋତି ପ୍ରକାଶ କରିନପାରେ । ଯେହେତୁରୁ ସର୍ବଦ୍ରବ୍ୟର ସ୍ୱୀୟ ଜ୍ୟୋତିଃ ନାରାୟଣଙ୍କ ଜ୍ୟୋତିଃରେ ଅଭିଭୂତ ହୁଏ-। ଶୁଭକର୍ମଦ୍ୱାରା ଭାବିତାତ୍ମା ତପୋଯୁକ୍ତ ଯତିମାନେ ଭକ୍ତି ପ୍ରଭାବରୁ ସେହି ନାରାୟଣ ହରିଙ୍କୁ ପ୍ରାପ୍ତ ହୁଅନ୍ତି । ୨୩ । ଅଜ୍ଞାନ ଓ ମୋହବର୍ଦ୍ଧିତ ଯୋଗସିଦ୍ଧ ଯତିମାନେ ସେଠାରେ ମହାତ୍ମା ସ୍ୱୟମ୍ଭୂ ସନାତନ ଦେବଙ୍କୁ ପ୍ରାପ୍ତ ହୋଇ ପୁନର୍ବାର ଇହଲୋକକୁ ଆଗମନ କରନ୍ତି ନାହିଁ । ୨୫ । ହେ ମହାଭାଗ ! ଭାରତ ! ସେହି ସ୍ଥାନ ଅକ୍ଷୟ, ଅବ୍ୟୟ ଓ ନିତ୍ୟ; ଯେ ହେତୁରୁ ଏହି ସ୍ଥାନ ଚିରକାଳ ଈଶ୍ୱରଙ୍କର ପ୍ରାଣସ୍ୱରୂପ । ୨୬ ।

 

ହେ କୁରୁନନ୍ଦନ ଯୁଧିଷ୍ଠିର ! ସୂର୍ଯ୍ୟ ଓ ଚନ୍ଦ୍ରମା ଚିରକାଳ ସେହି ମେରୁକୁ ପ୍ରତିଦିନ ପ୍ରଦକ୍ଷିଣ କରନ୍ତି । ୨୭ । ହେ ମହାରାଜ ! ଅନଘ ! ସମସ୍ତ ଜ୍ୟୋତିର୍ଗଣ ମଧ୍ୟ ସେ ଗିରିରାଜ ମେରୁକୁ ସର୍ବତୋଭାବେ ପ୍ରଦକ୍ଷିଣ କରନ୍ତି । ପ୍ରକାଶଶୀଳ, ଭଗବାନ ଆଦିତ୍ୟ ଦେବ ସେହି ଜ୍ୟୋତିର୍ଗଣଙ୍କୁ ଆକର୍ଷଣ କରି ପ୍ରଦକ୍ଷିଣ କରନ୍ତି । ୨୮ । ସେହି ବିଭାବସୁ ଅସ୍ତଗତ ହୋଇ ପରେ ସନ୍ଧ୍ୟାକୁ ଅତିକ୍ରମ କରି ଉତ୍ତର ଦିଗକୁ ଭଜନା କରନ୍ତି । ତତ୍ପରେ ସର୍ବଭୂତଙ୍କର ହିତକାରୀ ସେହି ପ୍ରଭୁ ସୂର୍ଯ୍ୟଦେବ ପୁନର୍ବାର ମେରୁକୁ ଅନୁବର୍ତ୍ତନ କରି ପୂର୍ବାଭିମୁଖୀ ହୋଇ ଗମନ କରନ୍ତି । ୩୧ । ଏହିରୂପେ ଭଗବାନ ଚନ୍ଦ୍ରମା ମଧ୍ୟ ଯଥାକାଳରେ ପର୍ବସନ୍ଧିରେ ବହୁପ୍ରକାର ମାସମାନଙ୍କର ବିଭାଗ କରି ନକ୍ଷତ୍ରମାନଙ୍କ ସହିତ ଗମନ କରନ୍ତି । ୩୨ । ଚନ୍ଦ୍ରମା ଏହିରୂପେ ନିରଳସ ଭାବରେ ମେରୁକୁ ଅତିକ୍ରମ କରି ସର୍ବ ପ୍ରାଣୀଙ୍କର ବୃଦ୍ଧିକୁ ସାଧି ପୁନର୍ବାର ମନ୍ଦରଶୈଳକୁ ଆସନ୍ତି । ସେହିପରି ତମିସ୍ରହନ୍ତା ଆଦିତ୍ୟଦେବ ମଧ୍ୟ ସ୍ୱକୀୟ କିରଣକାଳରେ ଜଗତ୍ ପ୍ରକାଶିତ କରି ନିର୍ବୋଧପଥରେ ଆବର୍ତ୍ତନ କରନ୍ତି । ୩୪ । ଶିଶିର ସୃଷ୍ଟି କାମନାରେ ଏହି ଆଦିତ୍ୟ ଯେତେବେଳେ ଦକ୍ଷିଣକୁ ଗମନ କରନ୍ତି, ସେତେବେଳେ ସର୍ବ ପ୍ରାଣୀଙ୍କ ପ୍ରତି ଶୀତକାଳର ସମାଗମ ହୁଏ । ୩୫ । ସେହି ବିଭାବସୁ ପୁନଶ୍ଚ ଦକ୍ଷିଣମାର୍ଗରୁ ନିବୃତ୍ତ ହୋଇ ତେଜଃଦ୍ୱାରା ସ୍ଥାବରଜଙ୍ଗମାତ୍ମା ନିଖିଳ ପ୍ରାଣୀଙ୍କର ତେଜ ଗ୍ରହଣ କରନ୍ତି । ତହିଁରେ ଘର୍ମ, ଶ୍ରମ, ତନ୍ଦ୍ରା ଓ ଗ୍ଳାନି ମନୁଷ୍ୟକୁ ଆଶ୍ରୟ କରେ ଓ ପ୍ରାଣୀମାନେ ବାରମ୍ବାର ସର୍ବଦା ନିଦ୍ରା ସେବନ କରନ୍ତି । ଭଗବାନ ଭାନୁମାନ୍ ଏହି ପ୍ରକାରେ ସେହି ଅନିର୍ଦ୍ଦେଶ ପଥକୁ ଆବର୍ତ୍ତନ କରି ଜଳବର୍ଷଣଦ୍ୱାରା ପ୍ରଜାବର୍ଦ୍ଧନ କରନ୍ତି । ୩୮ । ମହାତେଜା ଆଦିତ୍ୟ ସୁଖଜନକ ସମୀରଣଦ୍ୱାରା ସନ୍ତାପକୁ, ବୃଷ୍ଟିଦ୍ୱାରା ସମସ୍ତ ସ୍ଥାବରଜଙ୍ଗମମାନଙ୍କୁ ପରିବର୍ଦ୍ଧନ କରି ପୁନର୍ବାର ନିବୃତ୍ତ ହୁଅନ୍ତି । ୩୯ ।

 

ହେ ପାର୍ଥ ! ଏହିରୂପେ ସବିତା ଅଚିନ୍ତିତ ହୋଇ କାଳଚକ୍ରରେ ବିଚରଣପୂର୍ବକ ସ୍ଥାବର ଓ ଜଙ୍ଗମାତ୍ମକ ସର୍ବ ଭୂତଙ୍କୁ ଆକର୍ଷଣ କରି ପରିବର୍ତ୍ତନ କରନ୍ତି । ୪୦ । ହେ ପାଣ୍ଡବ ! ଏହି ଆଦିତ୍ୟଙ୍କର ଗତି ନିରନ୍ତର ହୁଏ । ଏ କ୍ଷଣକାଳ ସୁଦ୍ଧା ସ୍ଥିତ ହୁଅନ୍ତି ନାହିଁ । ସର୍ବଭୂତଙ୍କର ତେଜକୁ ହରଣ କରି ପୁନର୍ବାର ତାହାଙ୍କୁ ବିସର୍ଜନ କରନ୍ତି । ହେ ଭାରତ ! ଏହି ପ୍ରଭୁ ଆଦିତ୍ୟ ସର୍ବଦା ଦେବ ଓ ଭୂତଗଣଙ୍କର ଆୟୁ ନିର୍ଦ୍ଦେଶ କରନ୍ତି; କର୍ମ ସୃଷ୍ଟି କରନ୍ତି ଓ ଦିବାରାତ୍ରି କରନ୍ତି । ଆହୁରି ମଧ୍ୟ କଳା ଓ କାଷ୍ଠା ପ୍ରଭୃତି କାଳକୁ ସୃଷ୍ଟି କରନ୍ତି । ୪୨ ।

 

॥ ଅଧ୍ୟାୟ – ୧୬୪ ॥

 

ବୈଶମ୍ପାୟନ କହିଲେ, ମହାରାଜ ! ମହାତ୍ମା ପାଣ୍ଡବମାନେ ଅର୍ଜୁନଙ୍କର ଦର୍ଶନାଭିଳାଷରେ ସେହି ପର୍ବତରେ ବାସ କରି କ୍ରୀଡ଼ା ଓ ପ୍ରମୋଦରେ କାଳକ୍ଷେପ କଲେ । ୧ । ସେମାନଙ୍କ ସହିତ ସାକ୍ଷାତ୍‍ କରିବା ନିମିତ୍ତ କ୍ରମରେ ଗନ୍ଧର୍ବସମୂହ ଓ ମହର୍ଷିଗଣ ପ୍ରୀତିପୂର୍ଣ୍ଣଚିତ୍ତରେ ଆଗମନ କଲେ ଏବଂ ବଳଶାଳୀ, ବିଶୁଦ୍ଧସତ୍ତ୍ୱ, ତେଜସ୍ୱୀ, ସତ୍ୟନିଷ୍ଠ ପାଣ୍ଡବମାନଙ୍କୁ ଦେଖି ପ୍ରୀତ ହେଲେ । ୨ । ମରୁଦ୍‌ଗଣ ସ୍ୱର୍ଗକୁ ପାଇଲେ ଯେପରି ସେମାନଙ୍କ ମନରେ ପ୍ରସନ୍ନତା ଜାତ ହୁଏ, ସେହିପରି ମହାରଥୀ ପାଣ୍ଡବମାନଙ୍କ ମନରେ ପୁଷ୍ପସମ୍ପନ୍ନରେ ଯୁକ୍ତ ଏହି ଉତ୍କୃଷ୍ଟ ପର୍ବତକୁ ପାଇ ସନ୍ତୋଷ ଜାତ ହେଲା । ଗିରିବରସ୍ଥିତ ମୟୂର ଓ ହଂସଙ୍କର ନିନାଦରେ ପ୍ରତିନାଦିତ ପୁଷ୍ପୋପକୀର୍ଣ୍ଣ ଶୃଙ୍ଗ ଓ ସାନୁକୁ ଦର୍ଶନ କରି ଅସୀମ ହର୍ଷ ଲାଭ କଲେ । ୪ । ସେହି ଉତ୍ତମ ଗିରିସ୍ଥିତ ସରୋବରମାନଙ୍କୁ ଓ ତହିଁରେ କ୍ରୀଡ଼ା କରୁଥିବା ହଂସ, କାରଣ୍ଡବ ଓ କଳହଂସମାନଙ୍କୁ ଅବଲୋକନ କଲେ; ପୁଣି ପ୍ରସ୍ଫୁଟିତ ପଦ୍ମକୁ ଦେଖି ମଧ୍ୟ ଆନନ୍ଦିତ ହେଲେ । ଏହି ପୁଷ୍କରିଣୀମାନଙ୍କ ତଟକୁ କୁବେର ସ୍ୱୟଂ ନିର୍ମାଣ କରିଥିଲେ । ୫ । ସମୃଦ୍ଧିରୂପ କ୍ରୀଡ଼ାସ୍ଥାନମାନଙ୍କୁ ଦେଖିଲେ ଯେ ସୁଚିତ୍ରମାଲ୍ୟସମୂହଦ୍ୱାରା ଓ ମନୋରମ ମଣିଗଣଙ୍କଦ୍ୱାରା ସେସବୁ ଶୋଭିତ ହୋଇଅଛି । ଧନଦ ରାଜାଙ୍କ ପକ୍ଷରେ ଯେପରି ସମ୍ଭବ ହୋଇପାରେ, ତାଦୃଶ ଶୋଭା ସମ୍ପାଦିତ ହୋଇଅଛି । ୬ । ନାନାବିଧ ସୁଗନ୍ଧପୁଷ୍ପ ତଥା ମହାଦ୍ରୁମଯୁକ୍ତ ସେହି ଶୃଙ୍ଗରେ ତପସ୍ୱୀ ପାଣ୍ଡବମାନେ ସତତ ଭ୍ରମଣ କରି ସୁଦ୍ଧା ତାହାର ମହିମା ମନ ମଧ୍ୟରେ ଧାରଣ କରିପାରିଲେନାହିଁ; ତାହାର ଅକଥନୀୟ ମହିମା । ୭ । ପୁରୁଷପ୍ରବର ସେହି ପର୍ବତରାଜରେ ମହୌଷଧିମାନଙ୍କର ପ୍ରଭା ଓ ସେହି ଗିରିର ସ୍ୱାଭାବିକ ତେଜ ହେତୁରୁ ସେଠାରେ ଦିବାରାତ୍ରିର କୌଣସି ପ୍ରଭେଦ ନ ଥିଲା । ୮ ।

 

ଅପରିମିତ ତେଜସ୍ୱୀ ବିଭାବସୁ ଯେଉଁ ପର୍ବତକୁ ଅବଲମ୍ବନ କରି ସ୍ଥାବରଜଙ୍ଗମକୁ ବର୍ଦ୍ଧିତ କରିଥା’ନ୍ତି, ସେହି ସୂର୍ଯ୍ୟଙ୍କୁ ମନୁଷ୍ୟସିଂହ ବୀରପୁରୁଷମାନେ ସେଠାରେ ରହି ସେହି ସୂର୍ଯ୍ୟଦେବଙ୍କୁ ଉଦୟ ଓ ଅସ୍ତମାନ ହେବାର ଦେଖନ୍ତି । ୯ । ସେମାନେ ସତ୍ୟବ୍ରତ, ମହାରଥ ଅର୍ଜୁନଙ୍କ ଆଗମନ ପ୍ରତୀକ୍ଷାରେ ସେହି ଗିରିବରରେ ରହି ରବିଙ୍କ ଉଦୟ ଅସ୍ତ ଦେଖିଲେ । ଅନ୍ଧକାର କିପରି ହୁଏ ଓ ଯାଏ, ତାହା ମଧ୍ୟ ଦେଖିଲେ । ଅନ୍ଧକାରନାଶନ ସୂର୍ଯ୍ୟଙ୍କ କିରଣଜାଳରେ କି ପ୍ରକାରେ ଦିଗମାନେ ପ୍ରକାଶିତ ହୁଅନ୍ତି, ତାହା ମଧ୍ୟ ଦେଖିଲେ । ୧୦ । ସ୍ୱାଧ୍ୟାୟଶୀଳ, ସତତ କ୍ରିୟାନିଷ୍ଠ ପାଣ୍ଡବମାନେ ମହାରଥୀ ସତ୍ୟବ୍ରତ ଅର୍ଜୁନଙ୍କ ପ୍ରତୀକ୍ଷାରେ କହିଲେ, ଧନଞ୍ଜୟ କୃତାସ୍ତ୍ର ହୋଇ ଏଠାକୁ ଆସନ୍ତେ ଓ ତାହାଙ୍କ ସହିତ ଆମ୍ଭମାନଙ୍କର ଏହି ସ୍ଥାନରେ ସାକ୍ଷାତ୍‍ ହୁଅନ୍ତା କି ? ଆମ୍ଭେମାନେ ସମାଗତ ହୋଇଅଛୁଁ । ଆମ୍ଭମାନଙ୍କର ସେହି ଆନନ୍ଦ ଏହିଠାରେ ହେଉ । ଏହି ଆଶୀର୍ବଚନ କହି ପାଣ୍ଡବମାନେ ଯୋଗରେ ନିରତ ହେଲେ । ୧୨ । ସେହି ପର୍ବତରେ ବିଚିତ୍ର ବନମାନଙ୍କୁ ଦେଖି ଓ କିରୀଟୀଙ୍କୁ ସର୍ବଦା ଚିନ୍ତା କରିବାରୁ ଗୋଟିଏ ଦିବସ ଓ ଗୋଟିଏ ରାତ୍ରି ସେମାନଙ୍କ ପକ୍ଷରେ ବର୍ଷକ ସମାନ ବୋଧହେଲା । ୧୩ । ଯେଉଁ ଦିନଠାରୁ ଧୌମ୍ୟଙ୍କ ଆଦେଶରେ ଅର୍ଜୁନ ଜଟା ଧାରଣ କରି ଅସ୍ତ୍ରଶିକ୍ଷା ନିମିତ୍ତ ସ୍ୱର୍ଗକୁ ପ୍ରସ୍ଥାନ କଲେ, ସେହି ଦିନଠାରୁ ପାଣ୍ଡବମାନଙ୍କର ଅର୍ଜୁନଙ୍କ ଚିନ୍ତାରେ ହର୍ଷ ଅତୀତ ହୋଇଥିଲା । ଏହି ବନ ଦେଖି କ’ଣ ସେମାନଙ୍କର ହର୍ଷ ହୋଇପାରେ ? ୧୪ । ମତ୍ତମାତଙ୍ଗଗାମୀ ଅର୍ଜୁନ ଯେଉଁ ସମୟରେ ଭ୍ରାତା ଯୁଧିଷ୍ଠିରଙ୍କ ନିଯୋଗରେ କାମ୍ୟକ ବନରୁ ପ୍ରବ୍ରଜିତ ହୋଇଥିଲେ, ତତ୍କାଳରେ ସେମାନେ ଶୋକାହତ ହୋଇଥିଲେ । ୧୫ ।

 

ହେ ଭାରତ ! ଏହିରୂପେ ଭରତକୁଳପ୍ରଧାନ ପାଣ୍ଡବମାନେ ସେହି ପର୍ବତରେ ଏକ ମାସ କାଳ ଅତି କଷ୍ଟରେ ଅତିବାହିତ କଲେ । ବାସବଙ୍କ ସମୀପକୁ ଅସ୍ତ୍ରଶିକ୍ଷା ନିମିତ୍ତ ଅର୍ଜୁନ ଯାଇଥିଲେ ଏବଂ ତାହାଙ୍କ ଚିନ୍ତାରେ ଏମାନଙ୍କର ଏତାଦୃଶ କଷ୍ଟ ହେଲା । ୧୬ । ଏଣେ ଅର୍ଜୁନ ଇନ୍ଦ୍ରଙ୍କ ପୁରୀରେ ପାଞ୍ଚବର୍ଷ କାଳ ବାସକରି ପୁରନ୍ଦରଙ୍କ ନିକଟରୁ ଯେଉଁସବୁ ଅସ୍ତ୍ରଶିକ୍ଷା କରିଥିଲେ, ତାହା ଏହି ଆଗ୍ନେୟ, ବାରୁଣ, ସୌମ୍ୟ, ବାୟବ୍ୟ, ବୈଷ୍ଣବ, ଐନ୍ଦ୍ର, ପାଶୁପତ, ବ୍ରାହ୍ମ୍ୟ । ପ୍ରଜାପତିଙ୍କର ପାରମେଷ୍ଠ୍ୟ ଅସ୍ତ୍ର । ଏହାପରେ ଯମ, ଧାତା, ସବିତା, ତ୍ୱଷ୍ଟା ଓ କୁବେରଙ୍କର ଯେଉଁ ସବୁ ଅସ୍ତ୍ର ସେହିସବୁ ଦିବ୍ୟାସ୍ତ୍ର ପ୍ରାପ୍ତ ହୋଇ ଶତକ୍ରତୁଙ୍କୁ ଅଭିବାଦନ କରି ପରିଶେଷରେ ତାହାଙ୍କର ଅନୁଜ୍ଞା ଗ୍ରହଣ କରି ପ୍ରଦକ୍ଷିଣପୂର୍ବକ ପ୍ରୀତ ଓ ହୃଷ୍ଟମାନସରେ ଗନ୍ଧମାର୍ଦ୍ଦନକୁ ଆଗମନ କଲେ । ୨୦ ।

 

॥ ଅଧ୍ୟାୟ – ୧୬୫ ॥

 

ବୈଶମ୍ପାୟନ ବୋଇଲେ– ଯୁଧିଷ୍ଠିର ପ୍ରଭୃତି ମହାରଥୀମାନେ ମହାତ୍ମା ଅର୍ଜୁନଙ୍କୁ ଚିନ୍ତା କରୁଅଛନ୍ତି । ଏମନ୍ତ ସମୟରେ ଗୋଟିଏ ରଥ ଆସି ସେମାନଙ୍କ ସମୀପରେ ଉପସ୍ଥିତ ହୋଇ ସେମାନଙ୍କର ହର୍ଷ ବର୍ଦ୍ଧନ କଲା । ସେ ରଥରେ ଅଶ୍ୱମାନେ ସଂଯୁକ୍ତ ହୋଇଥିଲେ । ସେ ରଥଟି ଇନ୍ଦ୍ରଙ୍କର, ଅତି ଉଜ୍ଜ୍ୱଳ ଅଟେ । ବିଜୁଳି ପରି ସେ ରଥ ହଠାତ୍ ଆସି ସେମାନଙ୍କ ସମୀପରେ ଉପସ୍ଥିତ ହେଲା । ମାତଳୀ ଅଶ୍ୱରଶ୍ମିକୁ ଗ୍ରହଣ କରିଥିଲେ । ମେଘ ମଧ୍ୟରୁ ଯେପରି ଗୋଟାଏ ମହାନ ଉଲ୍‌କା ନିର୍ଗତ ହୁଏ, ଧୂମରହିତ ପ୍ରଜ୍ଜ୍ୱଳିତ ଅଗ୍ନିଶିଖା ଯେପରି ଉଦ୍ଦୀପିତ ହୁଏ, ଇନ୍ଦ୍ରଙ୍କ ବିମାନ ଅନ୍ତରୀକ୍ଷକୁ ତଦ୍ରୂପ ଆଲୋକିତ କରି ସମାଗତ ହେଲା । ନୂତନ ଆଭରଣ ସ୍ୱର୍ଗୀୟମାଲ୍ୟ ଓ କିରୀଟଧାରୀ ହୋଇ ଧନଞ୍ଜୟ ତହିଁରେ ଅଧିରୂଢ଼ ହୋଇଥିବାର ଦେଖିଲେ । ଇନ୍ଦ୍ରଙ୍କ ପ୍ରାୟ ପ୍ରଭାସମ୍ପନ୍ନ ଓ ସ୍ୱର୍ଗୀୟ ତେଜରେ ପ୍ରଜ୍ଜ୍ୱଳିତ ହୋଇ ଅର୍ଜୁନ କ୍ରମେ କ୍ରମେ ସେହି ପର୍ବତରେ ଉପନୀତ ହେଲେ । ୩ । ଧୀମାନ୍ ଅର୍ଜୁନ କିରୀଟ ଓ ମାଳାରେ ଶୋଭିତ ହୋଇ ମହେନ୍ଦ୍ର ଶୈଳରେ ଉପନୀତ ହୁଅନ୍ତେ ଇନ୍ଦ୍ରଙ୍କ ଯାନରୁ ଅବତରଣ କଲେ । ଧୌମ୍ୟଙ୍କ ପଦରେ ଅଭିବାଦନ କରି ତଦନନ୍ତର ଅଜାତଶତ୍ରୁଙ୍କୁ ତଦ୍ରୂପ ନମସ୍କାର କଲେ । ୪ ।

 

ତତ୍ପରେ ବୃକୋଦରଙ୍କର ପାଦ ବନ୍ଦନା କରି ମାଦ୍ରୀସୁତଦ୍ୱୟଙ୍କଦ୍ୱାରା ଅଭିବାଦିତ ହେଲେ-। ତତ୍ପରେ କୃଷ୍ଣାଙ୍କ ନିକଟକୁ ଯାଇ ତାହାଙ୍କୁ ସାନ୍ତ୍ୱନା ଦେଇ ଭ୍ରାତାଙ୍କ ସମୀପରେ ନମହୋଇ ରହିଲେ । ୫ । ଅପ୍ରମେୟ ଅର୍ଜୁନଙ୍କ ସହିତ ସମାଗତ ହୁଅନ୍ତେ, ସେମାନଙ୍କର ଅତ୍ୟନ୍ତ ହର୍ଷ ଜାତ ହେଲା । କିରୀଟମାଳି ମଧ୍ୟ ସେମାନଙ୍କୁ ଅବଲୋକନ କରି ଆନନ୍ଦିତ ହେଲେ ଓ ରାଜା ଯୁଧିଷ୍ଠିରଙ୍କୁ ପ୍ରାର୍ଥନା କଲେ । ନମୁଚି-ନିହନ୍ତା ଇନ୍ଦ୍ର ଯେଉଁ ଯାନରେ ଆରୋହଣ କରି ଦିତିଙ୍କର ସାତ ପୁତ୍ରଙ୍କୁ ବିନାଶ କରିଥିଲେ, ମହାବଳଶାଳୀ ପୃଥାପୁତ୍ରମାନେ ସେହି ଇନ୍ଦ୍ରଙ୍କ ଯାନକୁ ପ୍ରାପ୍ତ ହୋଇ ବିଧିପୂର୍ବକ ତାହାକୁ ପ୍ରଦକ୍ଷିଣ କଲେ । ୭ । ପରନ୍ତୁ ସେମାନେ ଅତିଶୟ ହୃଷ୍ଟହୋଇ ସୁରରାଜାଙ୍କୁ ଯେପରି ମାନ୍ୟ କରିବାକୁ ହୁଏ, ସେହିପରି ମାତଳିଙ୍କର ସତ୍କାର କଲେ । ୮ । ତତ୍ପରେ କୁରୁରାଜ ପୁତ୍ରମାନେ ସେହି ମାତଳିଙ୍କୁ ସବୁ ଦେବତାଙ୍କର କୁଶଳବାର୍ତ୍ତା ଯଥାବତ୍ ପ୍ରଶ୍ନ କଲେ । ୮ । ମାତଳି ମଧ୍ୟ ସେମାନଙ୍କୁ ଅଭିବାଦନ କରି ପିତା ଯେପରି ପୁତ୍ରକୁ ଅନୁଶାସନ କରେ, ତଦ୍ରୂପ ସେ ପୃଥାପୁତ୍ରମାନଙ୍କୁ ଉପଦେଶ ପ୍ରଦାନ କଲେ ।

 

ତଦନନ୍ତର ଅପ୍ରତିମ ପ୍ରଭାଶାଳୀ ସେହି ରଥରେ ସେମାନେ ବସି ପୁନର୍ବାର ସ୍ୱର୍ଗରାଜାଙ୍କ ନିକଟରେ ଉପସ୍ଥିତ ହେଲେ । ୯ । ମାତଳି ଗମନ କରନ୍ତେ ନରଦେବ ସର୍ବରିପୁ ପ୍ରମଥନକାରୀ ଇନ୍ଦ୍ରଙ୍କ ସୁତ ମହାତ୍ମା ଅର୍ଜୁନ ଶକ୍ରଙ୍କ ପ୍ରଦତ୍ତ ଉଜ୍ଜ୍ୱଳରୂପୀ ମହାଧନମାନଙ୍କୁ ଓ ଦିବାକରଙ୍କ ପ୍ରାୟ ତେଜୋବନ୍ତ ବିଭୂଷଣମାନଙ୍କୁ ସୁତସୋମଙ୍କ ଜନନୀ ଓ ପ୍ରିୟା ଦ୍ରୌପଦୀଙ୍କୁ ପ୍ରଦାନ କଲେ । ୧୦ । ଅନନ୍ତର ସେହିସବୁ କୁରୁପୁଙ୍ଗବମାନେ ସୂର୍ଯ୍ୟାଗ୍ନିସମ ପ୍ରଭାସମ୍ପନ୍ନ ଦ୍ୱିଜଗଣଙ୍କ ମଧ୍ୟରେ ଉପବେଶନ କରି ଯଥାନୁରୂପ କଥାସବୁ କହିଲେ । ଆମ୍ଭେ ଏହିପରି ସାକ୍ଷାତ୍‍ ଇନ୍ଦ୍ର, ପବନ ଓ ମହାଦେବଙ୍କଠାରୁ ଅସ୍ତ୍ରଶିକ୍ଷା କରିଅଛୁଁ । ଶୀତଳା ଓ ସମାଧିଦ୍ୱାରା ଇନ୍ଦ୍ରଙ୍କୁ ଅପରାପର ସୁରଗଣଙ୍କୁ ସୁଦ୍ଧା ପ୍ରୀତ କରିଅଛୁଁ । ମହାରାଜ ! ବିଶୁଦ୍ଧକର୍ମା କିରୀଟୀ ସ୍ୱର୍ଗବାସର କଥା ସେମାନଙ୍କୁ ସଂକ୍ଷେପରେ କହି ସେହି ରାତ୍ରରେ ନକୁଳ ଓ ଧନଦ ସହଦେବଙ୍କ ସହିତ ସୁଖରେ ଶୟନ କଲେ । ୧୪ ।

 

॥ ଅଧ୍ୟାୟ – ୧୬୬ ॥

 

ବୈଶମ୍ପାୟନ କହିଲେ– ଅନନ୍ତର ରାତ୍ରି ପ୍ରଭାତ ହେଲା । ଧନଞ୍ଜୟ ଉଠି ଭ୍ରାତାମାନଙ୍କ ସହିତ ଧର୍ମରାଜ ଯୁଧିଷ୍ଠିରଙ୍କୁ ବିନୀତ ଭାବରେ ବନ୍ଦନା କଲେ । ୧ । ହେ ଭାରତ ! ଏହି ସମୟରେ ଅନ୍ତରୀକ୍ଷରେ ଦେବତାମାନଙ୍କ ମଧ୍ୟରେ ଭୟଙ୍କର ତୁମୁଳ ଶବ୍ଦ ଶୁଭିଲା । ୨ । ହେ ଭାରତ ! ସର୍ବପ୍ରକାର ବାଦ୍ୟଧ୍ୱନି, ରଥନେମିର ଧ୍ୱନି ଓ ଘଟଣାନିନାଦ ଶ୍ରୁତିକୁ ଶୁଭିଲା । ବ୍ୟାଧ, ମୃଗ ଓ ପକ୍ଷୀମାନେ ପୃଥକ୍ ପୃଥକ୍ ରାବ କଲେ । ଯେପରି ଆଶ୍ଚର୍ଯ୍ୟ ଶବ୍ଦ ହୁଏ, ସେଥିରୁ ସେହିପରି ଶବ୍ଦ ଶୁଣାଗଲା । ଗନ୍ଧର୍ବ ଓ ଅପ୍‌ସରାଗଣ ଚତୁର୍ଦ୍ଦିଗରୁ ସୂର୍ଯ୍ୟସଦୃଶ ବିମାନରେ ଆରୋହଣ କରି ଅରିନ୍ଦମ ଦେବରାଜଙ୍କର ଅନୁଗାମୀ ହେଲେ । ୪ । ଅନନ୍ତର ଅଶ୍ୱ ଯୋଜିତ, ସୁବର୍ଣ୍ଣ ପରିଷ୍କୃତ, ଗମ୍ଭୀର ନିଃସ୍ୱନଯୁକ୍ତ ରଥରେ ଦେବରାଜ ଆରୋହଣ କରି ପରମକାନ୍ତିଦ୍ୱାରା ଦୀପିତ ହୋଇ ପୃଥାପୁତ୍ରମାନଙ୍କ ଅଭିମୁଖରେ ଯାତ୍ରା କଲେ ଓ କିୟତ୍‌କ୍ଷଣ ପରେ ସେମାନଙ୍କ ନିକଟରେ ଉପନୀତ ହୋଇ ରଥରୁ ଅବତରଣ କଲେ । ୬ ।

 

ଧର୍ମରାଜ ଯୁଧିଷ୍ଠିର ମହାତ୍ମା ସହସ୍ରଲୋଚନଙ୍କୁ ଦେଖିଲା କ୍ଷଣି ଭ୍ରାତାମାନଙ୍କୁ ସଙ୍ଗରେ ଘେନି ତାହାଙ୍କ ସମୀପସ୍ଥ ହୋଇ ବିଧିଦୃଷ୍ଟ କ୍ରିୟାନୁସାରେ ତାହାଙ୍କର ଯଥାଯୋଗ୍ୟ ଓ ଯଥାସାଧ୍ୟ ପୂଜା କଲେ । ୮ । ତେଜସ୍ୱୀ ଧନଞ୍ଜୟ ପୁରନ୍ଦରଙ୍କୁ ପ୍ରଣାମ କରି ଭୃତ୍ୟପ୍ରାୟ ହୋଇ ତାହାଙ୍କ ସମୀପରେ ଉଭା ହୋଇ ରହିଲେ । ପାପବିରହିତ, ତପୋନିଷ୍ଠ ଓ ଜଟାଧାରୀ ଅର୍ଜୁନଙ୍କୁ ବିନୀତ ଭାବରେ ଦେବରାଜ ଇନ୍ଦ୍ରଙ୍କ ସନ୍ନିଧାନରେ ଅବସ୍ଥିତ ହୋଇଥିବାର ଦେଖି ରାଜା ଯୁଧିଷ୍ଠିର ତାହାଙ୍କର ମସ୍ତକାଘ୍ରାଣ କଲେ ଓ ଅତିଶୟ ହୃଷ୍ଟ ହେଲେ । ଅର୍ଜୁନଦର୍ଶନ ଓ ଦେବରାଜଙ୍କର ପୂଜା ଏହି ଦୁଇପ୍ରକାର କାର୍ଯ୍ୟ ଏକତ୍ର ହେବାରୁ ଧର୍ମରାଜ ପରମ ପ୍ରୀତ ହେଲେ । ବୁଦ୍ଧିମାନ ପୁରନ୍ଦର ଯୁଧିଷ୍ଠିରଙ୍କୁ ହର୍ଷସାଗରରେ ନିମଗ୍ନ ଦେଖି ସେହି କାଳର ଉପଯୋଗୀ ବାକ୍ୟମାନ କହିଲେ । ହେ ପାଣ୍ଡବ ! ତୁମ୍ଭେ ଏହି ପୃଥିବୀକୁ ଶାସନ କରିବ । ତୁମ୍ଭର କଲ୍ୟାଣ ହେଉ । ବର୍ତ୍ତମାନ ପୁନଶ୍ଚ କାମ୍ୟକ ଅରଣ୍ୟକୁ ଗମନ କର । ୧୩ ।

 

ହେ ରାଜନ୍‌ ! ଧନଞ୍ଜୟ ସଂଯତ ହୋଇ ଆମ୍ଭ ନିକଟରୁ ସମୁଦାୟ ଅସ୍ତ୍ରଶସ୍ତ୍ର ଶିକ୍ଷା କରିଅଛନ୍ତି । ସେ ଆମ୍ଭର ପ୍ରିୟ କର୍ମ ମଧ୍ୟ କରିଅଛନ୍ତି । ଅତଏବ ତ୍ରିଲୋକ ମଧ୍ୟରେ ତାହାଙ୍କୁ ଜୟ କରିବାକୁ କେହି ନାହିଁ । ୧୪ । କୁନ୍ତୀନନ୍ଦନ ଯୁଧିଷ୍ଠିରଙ୍କୁ ସହସ୍ରନେତ୍ର ଏହିପରି କହି ମହର୍ଷିଗଣକର୍ତ୍ତୃକ ସ୍ତୂୟମାନ ହୋଇ ହୃଷ୍ଟଚିତ୍ତରେ ସ୍ୱର୍ଗକୁ ଗମନ କଲେ । ୧୫ । ହେ ମହାରାଜ ! ଯେଉଁ ବ୍ୟକ୍ତି ବର୍ଷେ ପର୍ଯ୍ୟନ୍ତ ବ୍ରହ୍ମଚାରୀ ଓ ସମାହିତ ହୋଇ ପାଣ୍ଡବଙ୍କ ସହିତ ଇନ୍ଦ୍ରଙ୍କ ସମାଗମ ବର୍ଣ୍ଣନାକୁ ଅଧ୍ୟୟନ କରେ, ସେହି ବିଦ୍ୱାନ ବ୍ୟକ୍ତି ପୀଡ଼ାଶୂନ୍ୟ ହୋଇ ଶତସମ୍ବତ୍ସର ଜୀବିତ ହୁଏ । ୧୭ ।

 

॥ ଅଧ୍ୟାୟ – ୧୬୭ ॥

 

ବୈଶମ୍ପାୟନ କହିଲେ, ଦେବରାଜ ଇନ୍ଦ୍ର ନିଜ ସ୍ଥାନକୁ ଗମନ କରନ୍ତେ ଅର୍ଜୁନ, ଦ୍ରୌପଦୀ ଓ ସବୁଭ୍ରାତା ଏକତ୍ର ହୋଇ ଧର୍ମପୁତ୍ରଙ୍କର ପୂଜା କଲେ । ୧ । ଅର୍ଜୁନ ଅଭିବାଦନ କଲେ । ତହିଁରେ ଧର୍ମନନ୍ଦନ ପ୍ରହୃଷ୍ଟ ହୋଇ ତାହାଙ୍କର ମସ୍ତକ ଘ୍ରାଣ କଲେ ଓ ହର୍ଷ ଗଦ୍ ଗଦ୍ ବାକ୍ୟରେ ତାହାଙ୍କୁ ପଚାରିଲେ, ହେ ଅର୍ଜୁନ ! ତୁମ୍ଭେ କିପରି ସ୍ୱର୍ଗରେ ଏତେଦିନ ରହିଲ ? କି ପ୍ରକାରେ ଅସ୍ତ୍ରମାନଙ୍କୁ ପ୍ରାପ୍ତ ହେଲ ? କିରୂପେ ଦେବରାଜଙ୍କୁ ସନ୍ତୁଷ୍ଟ କଲ ? । ୩ । ହେ ପାଣ୍ଡବ ! ତୁମ୍ଭେ ସର୍ବପ୍ରକାର ଅସ୍ତ୍ରକୁ ସମ୍ୟକ୍‍ରୂପେ ଗ୍ରହଣ କରିଅଛ ତ ? ସୁରାଧିପତି ଇନ୍ଦ୍ର ଓ ରୁଦ୍ରଦେବ ମଧ୍ୟ ତୁମ୍ଭପ୍ରତି ପ୍ରୀତହୋଇ ଅସ୍ତ୍ରପ୍ରଦାନ କରିଅଛନ୍ତି ତ ? ୪ । ତୁମ୍ଭେ ଯେରୂପେ ଇନ୍ଦ୍ର ଓ ଭଗବାନ ରୁଦ୍ରଙ୍କୁ ଦର୍ଶନ କରିଥିଲ, ଯେ ପ୍ରକାରେ ଅସ୍ତ୍ରମାନଙ୍କୁ ପ୍ରାପ୍ତ ହୋଇଅଛ ଏବଂ ଯେପରି ସେମାନଙ୍କୁ ଆରାଧନା କରିଥିଲ, ତାହା ବର୍ଣ୍ଣନା କରି କହ । ଇନ୍ଦ୍ର କହିଲେ ଯେ ତୁମ୍ଭ କର୍ମରେ ସେ ପ୍ରୀତ ହୋଇଥିଲେ, କହ ଦେଖି, ତୁମ୍ଭେ କି କାର୍ଯ୍ୟଦ୍ୱାରା ତାହାଙ୍କୁ ପ୍ରସନ୍ନ କରିଥିଲ ? । ୬ । ହେ ନିଷ୍ପାପ ! ଦ୍ୟୁତିମାନ ଅର୍ଜୁନ-! ଆମ୍ଭେ ବିସ୍ତୃତ ଭାବରେ ସେସବୁ ବିଷୟ ଶ୍ରବଣ କରିବାକୁ ଅଭିଳାଷ କରୁଅଛୁଁ । ତୁମ୍ଭେ ସେହି ଘଟଣାମାନଙ୍କୁ ବର୍ଣ୍ଣନା କର । ୮ । ଅର୍ଜୁନ ବୋଇଲେ–ହେ ମହାରାଜ ! ଶୁଣିବା ହେଉନ୍ତୁ । ଯେଉଁ ବିଧିରେ ଆମ୍ଭେ ଶତକ୍ରତୁ ଓ ଭଗବାନ ଶଙ୍କରଙ୍କୁ ଦର୍ଶନ କରିଅଛୁ, ତାହା କହୁଅଛୁଁ । ୯ ।

 

ହେ ଅରିମର୍ଦ୍ଦନ ! ଆପଣ ଯେଉଁ ବିଦ୍ୟା ବ୍ୟାସଙ୍କଠାରୁ ଶିକ୍ଷାକରି ଆମ୍ଭଙ୍କୁ ପ୍ରଦାନ କରିଥିଲେ, ତାହା ଆମ୍ଭେ ଶିକ୍ଷାକରି ଆପଣଙ୍କ ଆଦେଶାନୁସାରେ ତପସ୍ୟା ନିମିତ୍ତ ବନକୁ ଗମନ କଲୁ । ୧୦ । କାମ୍ୟକ ବନରୁ ଭୃଗୁତୁଙ୍ଗକୁ ଗମନ କରି ଦିନେମାତ୍ର ସେଠାରେ ତପସ୍ୟାକରି ପଥ ମଧ୍ୟରେ ଗୋଟିଏ ବ୍ରାହ୍ମଣଙ୍କୁ ଦର୍ଶନ କଲୁ । ୧୧ । ସେ ଆମ୍ଭଙ୍କୁ ପଚାରିଲେ– ହେ କୌନ୍ତେୟ ! ତୁମ୍ଭେ କେଉଁଠାକୁ ଯିବ ? ଆମ୍ଭଙ୍କୁ କହ । ୧୨ । ହେ ରାଜନ୍‌ ! ଆମ୍ଭେ ତାହାଙ୍କୁ ଯଥାର୍ଥତଃ ସବୁ କହିଲୁଁ । ବ୍ରାହ୍ମଣ ଆମ୍ଭର ସତ୍ୟ ବାକ୍ୟ ଶ୍ରବଣକରି ଆମ୍ଭ ପ୍ରତି ପ୍ରୀତହୋଇ ଆମ୍ଭଙ୍କୁ ସମାଦର କଲେ-। ୧୩ । ତଦନନ୍ତର ସେ ପ୍ରସନ୍ନ ହୋଇ ଆମ୍ଭଙ୍କୁ କହିଲେ, ହେ ଭାରତ ! ତୁମ୍ଭେ ତପସ୍ୟା କର, ଯଦ୍ଦ୍ୱାରା ଅଳ୍ପକାଳ ପରେ ତୁମ୍ଭେ ସୁରାଧିପତିଙ୍କର ଦର୍ଶନ ପାଇବ । ୧୪ । ତତ୍ପରେ ଆମ୍ଭେ ତାହାଙ୍କ କଥାନୁସାରେ ହିମାଚଳକୁ ଆରୋହଣ କରି ସେଠାରେ ତପସ୍ୟା ଆରମ୍ଭ କଲୁ । ତହିଁରେ ଆମ୍ଭର ପ୍ରଥମ ମାସ ଫଳମୂଳ ଭକ୍ଷଣରେ, ଦ୍ୱିତୀୟ ମାସ ଜଳ ଭକ୍ଷଣରେ ଓ ତୃତୀୟ ମାସ ନିରାହାରରେ ଅତିବାହିତ ହେଲା । ୧୬ । ତତ୍ପରେ ଚତୁର୍ଥ ମାସରେ ଆମ୍ଭେ ଊର୍ଦ୍ଧ୍ୱବାହୁ ହୋଇ ରହିଥିଲୁ; ତହିଁରେ ଆମ୍ଭର ଯେ ବଳ ହ୍ରାସ ନ ହେଲା, ତାହା ଅତି ଅଦ୍ଭୁତ ପ୍ରାୟ ପ୍ରତୀୟମାନ ହେଲା-। ପଞ୍ଚମ ମାସର ପ୍ରଥମ ଦିବସ ଗତ ହୁଅନ୍ତେ ବରାହପ୍ରାୟ କୌଣସି ଜନ୍ତୁ ଆମ୍ଭ ସମୀପକୁ ଆଗମନ କରି ଅବସ୍ଥାନ କଲା । ୧୮ । ସେ ମୁଖରେ ପୃଥିବୀକୁ ଖୋଳିଲା ଓ ଚରଣଦ୍ୱାରା ମଧ୍ୟ ଧରଣୀକୁ ବିଦାରଣ କଲା-। ଜଠରଦ୍ୱାରା ଭୂମିକୁ ମାର୍ଜନା ଓ ମୃହୁର୍ମୁର୍ହୁ ଇତସ୍ତତଃ ପରିଭ୍ରମଣ କରି ଆମ୍ଭ ସମୀପକୁ ଆସିଲା-। ତାହା ପଛରେ କିରାତ ବେଶଧାରୀ ଗୋଟିଏ ମହତ ପୁରୁଷ ଧନୁର୍ବାଣ ଓ ଅସି ଧାରଣକରି ସ୍ତ୍ରୀଗଣଙ୍କ ସହିତ ଆସୁଥିବାର ଦେଖିଲୁଁ । ୨୦ ।

 

ଅନନ୍ତର ଆମ୍ଭେ ଧନୁ ଓ ଅକ୍ଷୟ ତୂଣୀରଦ୍ୱୟ ଧାରଣକରି ଶରଦ୍ୱାରା ସେହି ଅଦ୍ଭୁତ ଓ ଲୋମହର୍ଷଣକାରୀ ବରାହକୁ ପ୍ରହାର କଲୁ । ୨୧ । ଆମ୍ଭ ସଙ୍ଗେ ସଙ୍ଗେ ବଳବାନ କିରାତ ମଧ୍ୟ ଆପଣା ଦୃଢ଼ ଧନୁକୁ ଆକର୍ଷଣ କରି ତାହାକୁ ପ୍ରହାର କଲା । ଏଥିରେ ଆମ୍ଭ ମନରେ ଶଙ୍କା ଜାତହେଲା । ୨୨ । ହେ ରାଜନ୍‌ ! ଆମ୍ଭେ ପୂର୍ବେ ଏହାକୁ ତାଡ଼ନ କରିଥିଲୁଁ । କି କାରଣରୁ ତୁମ୍ଭେ ମୃଗୟାଧର୍ମକୁ ପରିତ୍ୟାଗ କରି ଏହା ପ୍ରତି ଶରନିକ୍ଷେପ କଲ ? ଏହି ନିଶିତ ବାଣଦ୍ୱାରା ଆମ୍ଭେ ତୁମ୍ଭର ଦର୍ପକୁ ନାଶ କରିବୁ । ତୁମ୍ଭେ ସ୍ଥିର ହୁଅ । ତତ୍ପରେ ମହାକାୟ ସେହି ଧନୁର୍ଦ୍ଧାରୀ ମୋ ପ୍ରତି ଧାବିତ ହେଲା । ୨୪ । ତତ୍ପରେ ପର୍ବତରେ ଜଳଧାରା ବର୍ଷଣ କଲା ପ୍ରାୟ ମହାଶର ସମୂହଦ୍ୱାରା ମୋତେ ଆବୃତ୍ତ କଲା । ଆମ୍ଭେ ମଧ୍ୟ ମହତ ଶରଦ୍ୱାରା ତାହାକୁ ଆଚ୍ଛନ୍ନ କଲୁ । ୨୫ । ଶୈଳରାଜ ପ୍ରତି ବଜ୍ରନିକ୍ଷେପ କଲାପ୍ରାୟ ଯନ୍ତ୍ରିତ ଓ ଅନୁମନ୍ତ୍ରିତ ଦୀପ୍ତମୁଖ ଶରଦ୍ୱାରା ଆମ୍ଭେ ତାହାକୁ ପ୍ରତିବଦ୍ଧ କଲୁ । ଆମ୍ଭ ପ୍ରହାରଦ୍ୱାରା ସେହି କିରାତର ଶରୀର ଶତଧା ଓ ସହସ୍ରଧା ହୋଇ ଦୃଶ୍ୟ ହେଲା । ତହିଁରେ ଆମ୍ଭେ ତାହାର ଯେତେ ଗୋଟା ଶରୀର ଦୃଶ୍ୟ ହେଲା, ତେତେ ଗୋଟା ଶରୀର ପ୍ରତି ପୃଥକ୍ ପୃଥକ୍ ଶର ପ୍ରହାର କଲୁଁ । ୨୭ । ହେ ଭାରତ ! ମହାରାଜ ! ପୁନର୍ବାର ସେହି ଶରୀରମାନ ଗୋଟିଏ ହୋଇ ଦୃଶ୍ୟ ହେଲା । ତତ୍କାଳରେ ଆମ୍ଭେ ସେହି ଗୋଟିକ ପ୍ରତି ଶର ପ୍ରହାର କଲୁ । ୨୮-। ହେ ରାଜନ ! ଆମ୍ଭ ସହିତ ଯୁଦ୍ଧରେ ସେ କେତେବେଳେ ଅଣୁ ପ୍ରାୟ, କେତେବେଳେ ଅବା ବୃହତ ମସ୍ତକ ହୁଏ । କେତେବେଳେ ଅବା ବିପରୀତ ଭାବରେ ରୂପ ଧାରଣ କରି ଆମ୍ଭର ସମ୍ମୁଖୀନ ହୁଏ-। ୨୯ ।

 

ହେ ଭରତଶ୍ରେଷ୍ଠ ! ଯେତେବେଳେ ଆମ୍ଭେ ରଣରେ ତାହାକୁ ପରାଜିତ କରିନପାରିଲୁ, ତେତେବେଳେ ମହାସ୍ତ୍ର ବାୟବ୍ୟକୁ ଯୋଜନା କଲୁ । ୩୦ । ତଦ୍ଦ୍ୱାରା ମଧ୍ୟ ଆମ୍ଭେ ତାହାକୁ ବିନାଶ କରିବାକୁ ସମର୍ଥ ନ ହେବାରୁ ଆଶ୍ଚର୍ଯ୍ୟ ହେଲୁ । ବାୟବ୍ୟ ଅସ୍ତ୍ର ପ୍ରତିହତ ହେବାରୁ ଆମ୍ଭ ମଧ୍ୟରେ ମହାନ ବିସ୍ମୟ ଜାତ ହେଲା । ୩୧ । ମହାରାଜ ! ଆମ୍ଭେ ପୁନର୍ବାର ସେହି ଯୁଦ୍ଧରେ ନାନାପ୍ରକାର ଅସ୍ତ୍ରଦ୍ୱାରା ତାହାକୁ ସମାଚ୍ଛନ୍ନ କଲୁ । ୩୨ । ତତ୍ପରେ ଆମ୍ଭେ ସ୍ଥୂଣାବର୍ଣ୍ଣ, କାରୁଣ, ପ୍ରବଳ ଶରବର୍ଷ, ଶଲଭ ଓ ଅଶ୍ଲବର୍ଷ– ଏହିସବୁ ଅସ୍ତ୍ରମାନଙ୍କୁ ଧରି ତାହାଙ୍କ ପ୍ରତି ନିକ୍ଷେପ କଲୁ । ୩୩ । କିନ୍ତୁ ହେ ନୃପ ! ସେହି ବୀର ଆମ୍ଭର ତତ୍ସମୁଦାୟ ଅସ୍ତ୍ରକୁ ଗିଳି ପକାଇଲେ । ଅସ୍ତ୍ରମାନଙ୍କୁ ହଠାତ୍ ଗ୍ରାସକରି ପକାଇବାରୁ ପରିଶେଷରେ ଆମ୍ଭେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲୁ । ୩୪ । ଆମ୍ଭର ନିକ୍ଷିପ୍ତ ବ୍ରହ୍ମାସ୍ତ୍ରରୁ ଯେଉଁସବୁ ପ୍ରଜ୍ଜ୍ୱଳିତ ବାଣମାନ ବିନିର୍ଗତ ହେଲେ, ତଦ୍ଦ୍ୱାରା ତାହାଙ୍କର ଶରୀର ଉପଚିତ ହେଲା । ଉପଚିତ ହୋଇ ମଧ୍ୟ ସେ କ୍ରମରେ ପରିବର୍ଦ୍ଧିତ ହେଲେ; ପରେ ଆମ୍ଭର ବିକ୍ଷିପ୍ତ ମହାସ୍ତ୍ରର ତେଜଃଦ୍ୱାରା କ୍ଷଣକାଳ ମଧ୍ୟରେ ଲୋକମାନେ ସନ୍ତାପିତ ହେଲେ । ଆକାଶ ଓ ଦିଗନ୍ତର ପ୍ରଜ୍ଜ୍ୱଳିତ ହେଲା । ତତ୍ପରେ ଦେଖିଲୁ ଯେ ସେ ଆମ୍ଭର ବ୍ରହ୍ମାସ୍ତ୍ରକୁ ସୁଦ୍ଧା କ୍ଷଣକାଳ ମଧ୍ୟରେ ସଂହାର କଲେ ।

 

ହେ ରାଜନ୍‌ ! ବ୍ରହ୍ମାସ୍ତ୍ର ଯହୁଁ ପ୍ରତିହତ ହେଲା, ତହୁଁ ଆମ୍ଭ ମନରେ ମହାଭୟ ଜନ୍ମିଲା । ୩୭ । ତଦନନ୍ତର ଆମ୍ଭେ ସହସା କୋଦଣ୍ଡ ଓ ଅକ୍ଷୟ ତୂଣଦ୍ୱୟକୁ ଗ୍ରହଣ କରି ତଦ୍ଦ୍ୱାରା ତାହାଙ୍କୂ ହନନ କଲୁ । ସେହିସବୁ ଅସ୍ତ୍ରକୁ ମଧ୍ୟ ସେ ଭକ୍ଷଣ କରି ପକାଇଲେ । ଅନନ୍ତର ଅସ୍ତ୍ରମାନେ ହତ ଓ ଭକ୍ଷିତ ହୁଅନ୍ତେ, ତାହାଙ୍କ ସହିତ ଆମ୍ଭର ବାହୁଯୁଦ୍ଧ ଆରମ୍ଭ ହେଲା । ୩୯ । ତତ୍ପରେ ଆମ୍ଭେ ଦୁଇଜଣ ମୁଷ୍ଟି ଓ ତଳପ୍ରହାରଦ୍ୱାରା ଯୁଦ୍ଧରେ ପ୍ରବୃତ୍ତ ହେଲୁ । ପରିଶେଷରେ ଆମ୍ଭେ ତାହାଙ୍କୁ ନ ପାରି ନିଶ୍ଚେଷ୍ଟ ହୋଇ ଭୂମିରେ ପଡ଼ିଲୁ । ୪୦ । ହେ ମହାରାଜ ! ଅନନ୍ତର ସେହି ପୁରୁଷ ହାସ୍ୟକରି ସ୍ତ୍ରୀଗଣଙ୍କ ସହିତ ଆମ୍ଭ ସାକ୍ଷାତ୍‍ରେ ଅନ୍ତର୍ହିତ ହେଲେ । ଏହି କାର୍ଯ୍ୟକୁ ଆମ୍ଭେ ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲୁ । ୪୧ । ହେ ମହାରାଜ ! ସେହି ଭଗବାନ ଏହିପରି କରି ଶେଷରେ ଅଦ୍ଭୁତ ବସ୍ତ୍ର ପରିଧାନପୂର୍ବକ ଦିବ୍ୟରୂପ ଧାରଣ କଲେ । ୪୨ । ଭଗବାନ ତ୍ରିଦଶନାଥ ମହେଶ୍ୱର କିରାତ ରୂପକୁ ପରିତ୍ୟାଗ କରି ସ୍ୱକୀୟ ଦିବ୍ୟରୂପରେ ଅବସ୍ଥିତ ହେଲେ । ୪୩ । ବ୍ୟାଳ ଓ ପିନାକଧାରୀ ଭଗବାନ ବୃଷଧ୍ୱଜ ଉମାଙ୍କ ସହିତ ଆମ୍ଭର ନେତ୍ରପଥରେ ଆବିର୍ଭୂତ ହେଲେ । ୪୪ ।

 

ହେ ପରନ୍ତପ ! ଭଗବାନ ଶୂଳପାଣି ଆମ୍ଭ ସମୀପକୁ ଆସି ଉଭାହୋଇ କହିଲେ, ଆମ୍ଭେ ତୁମ୍ଭଠାରେ ତୁଷ୍ଟ ହୋଇଅଛୁ । ତତ୍ପରେ ଭଗବାନ ଆମ୍ଭର ଧନୁ ଓ ଅକ୍ଷୟ ତୂଣଦ୍ୱୟକୁ ଆଣି ଆମ୍ଭଙ୍କୁ ପ୍ରଦାନ କଲେ ଓ ବର ପ୍ରାର୍ଥନା କର ବୋଲି କହିଲେ । ୪୬ । ଆହୁରି କହିଲେ, ହେ କୁନ୍ତୀସୂତ ! ଆମ୍ଭେ ତୁମ୍ଭ ପ୍ରତି ତୁଷ୍ଟ ହୋଇଅଛୁ । ତୁମ୍ଭର କି କାର୍ଯ୍ୟ କରିବୁ କହ । ହେ ବୀର ! ତୁମ୍ଭ ମନରେ କି କଥା ଅଛି କହ । ଆମ୍ଭେ ତାହା ପ୍ରଦାନ କରିବୁ । କେବଳ ଅମରତ୍ୱକୁ ଛାଡ଼ି ଆଉ ଯାହା ତୁମ୍ଭ ମନରେ ଅଛି ତାହା ଆମ୍ଭେ ହେବୁ । ତତ୍ପରେ ଆମ୍ଭେ ପ୍ରାଞ୍ଜଳ ହୋଇ ଅସ୍ତ୍ରପାଇବା ଅଭିଳାଷରେ ମନଦ୍ୱାରା ପ୍ରଣାମ କରି କଥାରେ କହିଲୁ । ହେ ଭଗବାନ ! ଆପଣ ଯଦି ପ୍ରସନ୍ନ ହୋଇଥାନ୍ତି, ତେବେ ମୋହର ଏହି ବର ଇଚ୍ଛା ଯେ ଦେବତାମାନଙ୍କଠାରେ ଯେତେ ପ୍ରକାର ଅସ୍ତ୍ର ଅଛି, ତାହା ସବୁ ଜାଣିବି । ଭଗବାନ ତ୍ର‌୍ୟମ୍ବକ ଆମ୍ଭଙ୍କୁ ଦେବେ ବୋଲି କହିଲେ । ୫୦ । ହେ ପାଣ୍ଡବ ! ଆମ୍ଭର ରୌଦ୍ର ଅସ୍ତ୍ର ତୁମଠାରେ ଉପସ୍ଥିତ ହେବ ।

 

ଏହା କହି ସେ ପ୍ରୀତହୋଇ ମହତ ପାଶୁପତ ଅସ୍ତ୍ର ଆମ୍ଭଙ୍କୁ ପ୍ରଦାନ କଲେ । ୫୧ । ମହାଦେବ ସେହି ସନାତନ ଅସ୍ତ୍ର ଆମ୍ଭଙ୍କୁ ଦାନ କରି କହିଲେ, ମନୁଷ୍ୟ ପ୍ରତି ଏହି ଅସ୍ତ୍ରକୁ ତୁମ୍ଭେ କଦାପି ପ୍ରୟୋଗ କରିବ ନାହିଁ । ୫୨ । ଅଳ୍ପ ତେଜଠାରେ ଏହି ଅସ୍ତ୍ର ପ୍ରୟୋଗ କଲେ ଜଗତକୁ ଏହି ଅସ୍ତ୍ର ଦହନ କରିଦେବ । ୫୩ । ଆଉ ସବୁ ଅସ୍ତ୍ର ଯେତେବେଳେ ବୃଥା ହେବ, ତେତେବେଳେ ହେ ଧନଞ୍ଜୟ ! ଏହି ଅସ୍ତ୍ରକୁ ପ୍ରୟୋଗ କରିବ । ଏହି ଦିବ୍ୟ ଅସ୍ତ୍ର ଅନ୍ୟ ଅସ୍ତ୍ରଦ୍ୱାରା ପ୍ରତିହତ ହୁଏନାହିଁ ଓ ଏହି ଅସ୍ତ୍ର ଅନ୍ୟ ସମସ୍ତ ଅସ୍ତ୍ରକୁ ପ୍ରତିଷେଧ କରେ । ୫୪ । ମହାରାଜ ! ବୃଷଧ୍ୱଜ ପ୍ରସନ୍ନ ହେବାରୁ ସେହି ଦିବ୍ୟ ଅସ୍ତ୍ର ଆମ୍ଭ ପାର୍ଶ୍ୱରେ ଅବସ୍ଥିତ ହେଲା । ଅନ୍ୟ ଅସ୍ତ୍ରଦ୍ୱାରା ସେ ଅସ୍ତ୍ର ପ୍ରତିହତ ହେବାର ନୁହେଁ ଓ ସେ ସ୍ୱୟଂ ସର୍ବାସ୍ତ୍ରକୁ ପ୍ରତିଷେଧ କରେ । ଶତ୍ରୁକୁଳର ଉଚ୍ଛାଦନ କରେ ଓ ଶତ୍ରୁସେନାଙ୍କ ଉଚ୍ଛେଦକାରୀ ସୁର, ରାକ୍ଷସ, ଦାନବମାନେ କେହି ତାହା ନିକଟକୁ ଆସିପାରନ୍ତି ନାହିଁ-। ତତ୍ପରେ ଦେବଦେବ ଶଙ୍କରଙ୍କର ଆଜ୍ଞାନୁସାରେ ଆମ୍ଭେ ସେହିଠାରେ ଉପବେଶନ କଲୁ-। ଏଥିଉତ୍ତାରୁ ମହାଦେବ ଆମ୍ଭସାକ୍ଷାତ୍‍ରେ ସେହି ସ୍ଥାନରେ ଅନ୍ତର୍ହିତ ହେଲେ । ୫୭ ।

 

॥ ଅଧ୍ୟାୟ – ୧୬୮ ॥

 

ଅର୍ଜୁନ କହିଲେ ହେ ଭାରତ ! ତଦନନ୍ତର ଆମ୍ଭେ ପ୍ରୀତ ହୋଇ ଦେବାଧିଦେବ ମହାତ୍ମା ତ୍ର‌୍ୟମ୍ବକଙ୍କ ପ୍ରସାଦରୁ ସେହିଠାରେ ସେ ରାତ୍ରି କ୍ଷେପଣ କଲୁ । ୧ । ଆରଦିନ ପ୍ରାତଃକାଳରେ ପୂର୍ବାହ୍ନକ୍ରିୟା ସମାପନ କରି ପୁନର୍ବାର ସେହି ଦ୍ୱିଜଶ୍ରେଷ୍ଠଙ୍କୁ ଦେଖିଲୁ । ୨ । ହେ ଭାରତ ! ଆମ୍ଭେ ଯେପରି ମହାଦେବଙ୍କୁ ଦର୍ଶନ କରିଥିଲୁ ଓ ତାହାଙ୍କ ସହିତ ଯେପରି ଯୁଦ୍ଧ ହେଲା, ତାହାସବୁ ସେହି ବ୍ରାହ୍ମଣଙ୍କୁ ନିବେଦନ କଲୁ । ହେ ରାଜେନ୍ଦ୍ର ! ସେହି ଦ୍ୱିଜବର ଅତ୍ୟନ୍ତ ପ୍ରୀତହୋଇ ଆମ୍ଭଙ୍କୁ କହିଲେ, ତୁମ୍ଭେ ଯେରୂପେ ମହାଦେବଙ୍କର ଦର୍ଶନ ଲାଭ କଲ, ଅନ୍ୟକେହି ସେପରି ତାହାଙ୍କର ଦର୍ଶନ ପାଇପାରନ୍ତି ନାହିଁ । ୪ । ହେ ନିଷ୍ପାପ ! ତୁମେ ଯମପ୍ରଭୃତି ସବୁ ଲୋକପାଳଙ୍କ ସହିତ ଇନ୍ଦ୍ରଙ୍କର ସୁଦ୍ଧା ଦର୍ଶନ ପାଇବ ଓ ସେ ତୁମ୍ଭଙ୍କୁ ସବୁ ଅସ୍ତ୍ର ପ୍ରଦାନ କରିବେ । ୫ । ହେ ରାଜନ୍‌ ! ସୂର୍ଯ୍ୟପ୍ରାୟ ତେଜସ୍ୱୀ ସେହି ବ୍ରାହ୍ମଣ ଆମ୍ଭଙ୍କୁ ଏହି କଥା କହି ଓ ଆମ୍ଭଙ୍କୁ ପୁନଃ ପୁନଃ ଆଲିଙ୍ଗନ କରି ଇଚ୍ଛାନୁସାରେ ଗମନ କଲେ । ୬ । ହେ ଶତ୍ରୁନାଶନ ! ପରେ ସେହିଦିନ ଅପରାହ୍ଣରେ ଏହି ଲୋକକୁ ପୁନର୍ବାର ନବଜୀବନ ପ୍ରଦାନ କରି ପୁଣ୍ୟ ସମୀରଣ ପ୍ରବାହିତ ହେଲା । ୭ । ଆମ୍ଭ ସମୀପରେ ସେହି ହିମାଳୟ ଗିରିର ପାଦଦେଶରେ ଦିବ୍ୟ ନୂତନ ଓ ସୁଗନ୍ଧମାଲ୍ୟ ମାନ ପ୍ରାଦୁର୍ଭାବ ହେଲା । ୮ । ଦିବ୍ୟ ବାଦିତ୍ରମାନେ ଚତୁର୍ଦ୍ଦିଗରେ ଉତ୍ତମ ଘୋଷ କରି ବାଜିଲେ । ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ମନୋହର ସ୍ତୁତିସମୂହ ଶ୍ରୂତ ହେଲା । ୯ । ଅପ୍‌ସରା ଓ ଗନ୍ଧର୍ବମାନଙ୍କର ଗାୟନ ଶବ୍ଦ ଇନ୍ଦ୍ରଙ୍କ ସମ୍ମୁଖରେ ପରିଶ୍ରୂତ ହେଲା । ୧୦ । ମରୁଦ୍‌ଗଣମାନେ ଦେବଯାନରେ ବସି ଶୁଭାଗମନ କଲେ । ମହେନ୍ଦ୍ରଙ୍କର ଯେଉଁ ଅନୁଚରବର୍ଗ ଦେବସଦନରେ ନିବାସ କରନ୍ତି, ସେମାନେ ମଧ୍ୟ ଆସିଲେ । ୧୧ । ତତ୍ପରେ ଉତ୍ତମ ଅଳଙ୍କୃତ ଅଶ୍ୱମାନଙ୍କର ସଂଯୁକ୍ତ ଯାନରେ ଶଚୀଙ୍କ ସହିତ ଇନ୍ଦ୍ର ଆରୋହଣ କରି ସର୍ବ ଅମରଗଣଙ୍କ ସହିତ ସେଠାରେ ଉପଗତ ହେଲେ । ୧୨ ।

 

ଏହି ସମୟରେ ନରବାହନ କୁବେର ମଧ୍ୟ ପରମ ଶୋଭାରେ ଯୁକ୍ତ ହୋଇ ଆମ୍ଭଙ୍କୁ ଦେଖାଦେଲେ । ହେ ରାଜନ୍‌ ! ଦକ୍ଷିଣ ଦିଗରେ ଆମ୍ଭେ ଦେଖିଲୁ ଯେ ଯମ ବସିଅଛନ୍ତି । ବରୁଣ ଓ ଦେବରାଜ ଇନ୍ଦ୍ର ଆପଣା ସ୍ଥାନରେ ଅବସ୍ଥିତ ଥିବାର ମଧ୍ୟ ଦେଖିଲୁ । ୧୪ । ହେ ରାଜନ୍‌ ! ନରଶ୍ରେଷ୍ଠ ! ସେମାନେ ଆମ୍ଭଙ୍କୁ ସାନ୍ତ୍ୱନା ଦେଇ କହିଲେ, ସର୍ବସାଚିନ ! ନିରୀକ୍ଷଣ କର, ଲୋକପାଳମାନେ ଆମ୍ଭେ ସମସ୍ତେ ଏହିଠାରେ ରହିଅଛୁଁ । ୧୫ । ସୁରକାର୍ଯ୍ୟ ସିଦ୍ଧନିମିତ୍ତ ତୁମ୍ଭେ ଶଙ୍କରଙ୍କର ଦର୍ଶନ ପାଇଲ । ଆମ୍ଭେମାନେ ମଧ୍ୟ ତୁମର ସମୀପବର୍ତ୍ତୀ ହୋଇ ଚତୁର୍ଦ୍ଦିଗରେ ବିଦ୍ୟମାନ ଅଛୁଁ । ଆମ୍ଭମାନଙ୍କଠାରୁ ସବୁ ଅସ୍ତ୍ର ଗ୍ରହଣ କର । ୧୬ । ହେ ବିଭୋ ! ତତ୍ପରେ ଆମ୍ଭେ ପୟତ ହୋଇ ସୁରଶ୍ରେଷ୍ଠମାନଙ୍କୁ ପ୍ରଣିପାତ କରି ତାହାଙ୍କ ପ୍ରଦତ୍ତ ଶସ୍ତ୍ରମାନ ବିଧିପୂର୍ବକ ପ୍ରତିଗତ କଲୁ । ୧୭ । ହେ ଭାରତ ! ଅନନ୍ତର ଦେବମାନେ ଯେଉଁ ଯେଉଁ ଦିଗରୁ ଆସିଥିଲେ, ସେମାନେ ସେହି ସେହି ଦିଗକୁ ପ୍ରତିଗମନ କଲେ । ଆମ୍ଭେ ମଧ୍ୟ ଅସ୍ତ୍ର ଗ୍ରହଣ କରି ସେମାନଙ୍କଠାରୁ ଅନୁଜ୍ଞା ନେଇ ଆସିଲୁ । ୧୮ । ଦେବେଶ ମଘବାନ ସୁନ୍ଦର ଓ ପ୍ରଭାଶାଳୀ ରଥରେ ଆରୋହଣ କରି ଆମ୍ଭଙ୍କୁ କହିଲେ, ହେ ଫାଲ୍‌ଗୁନି ! ଚାଲ ସ୍ୱର୍ଗକୁ ଯିବା । ୧୯ । ହେ ଭରତର୍ଷଭ ! ଏଠାକୁ ଆସିବା ପୂର୍ବରୁ ଆମ୍ଭେ ତୁମ୍ଭଙ୍କୁ ଜାଣିଥିଲୁଁ ।

 

ହେ ଧନଞ୍ଜୟ ! ତହିଁ ଉତ୍ତାରୁ ଆମ୍ଭେ ତୁମ୍ଭଙ୍କୁ ଦେଖାଦେଲୁଁ । ୨୦ । ହେ ପାଣ୍ଡବ ! ପୂର୍ବେ ତୁମ୍ଭେ ଅନେକ ତୀର୍ଥରେ ବାରମ୍ବାର ଅବଗାହନ କରିଥିଲ; ଅତଏବ ହେ ପାଣ୍ଡବ ! ତୁମେ ସ୍ୱର୍ଗକୁ ଯିବ । ୨୧ । ହେ ଶତ୍ରୁନିସୂଦନ ! ତୁମ୍ଭେ ଅବଶ୍ୟ ସ୍ୱର୍ଗକୁ ଯିବ; କିନ୍ତୁ ପୁନର୍ବାର ଉତ୍ତମ ତପଶ୍ଚରଣ କରିବ । ୨୨ । ଦେବତାମାନେ ଓ ମହାତ୍ମା ମୁନିଗଣ ତୁମ୍ଭଙ୍କୁ ଚିହ୍ନନ୍ତି, ଆମ୍ଭ ଆଦେଶ ପ୍ରମାଣେ ତୁମ୍ଭଙ୍କୁ ମାତଳୀ ସ୍ୱର୍ଗକୁ ଘେନିଯିବେ । ୨୩ । ତଦନନ୍ତର ଆମ୍ଭେ ଇନ୍ଦ୍ରଙ୍କୁ କହିଲୁ, ହେ ଭଗବାନ ! ତୁମ୍ଭେ ଆମ୍ଭଠାରେ ପ୍ରସନ୍ନ ହୁଅ । ହେ ତ୍ରିଦଶେଶ୍ୱର ! ଅସ୍ତ୍ରଲାଭାର୍ଥ ମୁଁ ଆପଣଙ୍କୁ ଆଚାର୍ଯ୍ୟସ୍ୱରୂପ ବରଣ କରୁଅଛି । ୨୪ ।

 

ଇନ୍ଦ୍ର ବୋଇଲେ, ତାତ ! ତୁମ୍ଭେ ଅସ୍ତ୍ରବିତ୍ ଓ କ୍ରୁରକର୍ମା ହେବ । ହେ ପାଣ୍ଡବ ! ତୁମ୍ଭେ ଯେଉଁ ନିମିତ୍ତ ଅସ୍ତ୍ରପ୍ରାର୍ଥୀ ହୋଇଅଛ, ସେ ଅଭିଳାଷ ତୁମ୍ଭର ପୂର୍ଣ୍ଣ ହେବ । ୨୫ । ତଦନନ୍ତର ଆମ୍ଭେ କହିଲୁ, ହେ ଶତ୍ରୁହନ ! ଅସ୍ତ୍ରର ପ୍ରତିଘାତ ବ୍ୟତିରେକ ଆମ୍ଭେ ମନୁଷ୍ୟ ପ୍ରତି କଦାପି ଦିବ୍ୟାସ୍ତ୍ର ପ୍ରୟୋଗ କରିବୁ ନାହିଁ । ୨୬ । ଅତଏବ ହେ ବିବୁଧେଶ୍ୱର ! ଆମ୍ଭଙ୍କୁ ସେହିସବୁ ଦିବ୍ୟାସ୍ତ୍ର ପ୍ରଦାନ କରନ୍ତୁ । ତାହାହେଲେ ଆମ୍ଭେ ଅସ୍ତ୍ରଜିତମାନଙ୍କର ଲୋକଙ୍କୁ ଲାଭ କରିବାକୁ ସମର୍ଥ ହେବୁ । ୨୭ । ଇନ୍ଦ୍ର କହିଲେ, ହେ ଧନଞ୍ଜୟ ! ଏ ପରୀକ୍ଷା ନିମିତ୍ତ ଆମ୍ଭେ ତୁମ୍ଭଙ୍କୁ ଏହି କଥା କହିଲୁଁ । ତୁମ୍ଭେ ଯେପରି ଆମ୍ଭର ଆତ୍ମଜ, ତୁମ୍ଭ ପକ୍ଷରେ ତଦନୁରୂପ ବାକ୍ୟ ଉତ୍ପନ୍ନ ହୋଇଅଛି । ୨୮ । ହେ ଭାରତ-! ତୁମ୍ଭେ ଆମ୍ଭ ଭବନକୁ ଯାଇ ମରୁଦଗଣ, ବାୟୁ, ଅଗ୍ନି, ବସୁ, ବରୁଣଙ୍କଠାରୁ ଅସ୍ତ୍ରଶିକ୍ଷା କରିବ । ୨୯ । ଆହୁରି ସାଧ୍ୟ, ପିତାମହ, ଗନ୍ଧର୍ବ, ଉରଗ ଓ ରାକ୍ଷସମାନଙ୍କ ଅସ୍ତ୍ରକୁ ଲାଭକରିବ । ତତ୍ପରେ ବୈଷ୍ଣବ, ନୈଋର୍ତ ଓ ଆମ୍ଭର ଅସ୍ତ୍ରସମୂହକୁ ଶିକ୍ଷା କରିବ । ଦେବରାଜ ଆମ୍ଭଙ୍କୁ ଏହି କଥା କହି ସେହି ସ୍ଥାନରୁ ଅନ୍ତର୍ହିତ ହେଲେ । ୩୧ । ହେ ନୃପ ! ପରେ ଅଶ୍ୱଯୁକ୍ତ, ଦିବ୍ୟ, ପୁଣ୍ୟଲଭ୍ୟ ମାୟାମୟ ରଥକୁ ମାତଳି ଯୋଜନା କରି ଆମ୍ଭ ସମୀପରେ ଉପସ୍ଥିତ ହେବାର ଦେଖିଲୁ । ଲୋକପାଳମାନେ ଗମନ କରନ୍ତେ ମାତଳି ଆମ୍ଭଙ୍କୁ କହିଲେ, ହେ ମହାତେଜସ୍ୱୀନ ! ଦେବରାଜ ଶକ୍ର ତୁମ୍ଭଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି । ୩୩ । ହେ ମହାବାହୋ ! ତୁମ୍ଭେ ନିଜ ଆତ୍ମାକୁ ସିଦ୍ଧ କରି ତତ୍ପରେ ଯେଉଁ କାର୍ଯ୍ୟ କର୍ତ୍ତବ୍ୟ, ତାହା ନିଷ୍ପାଦନ କର । ଶରୀର ସହିତ ସ୍ୱର୍ଗକୁ ଗମନ କର । ୩୪-। ହେ ଭାରତ ! ମୁରଜୟୀ ଇନ୍ଦ୍ର ତୁମ୍ଭଙ୍କୁ ଦେଖିବାକୁ ଇଚ୍ଛା କରିଛନ୍ତି । ମାତଳି ଆମ୍ଭଙ୍କୁ ଏହି କଥା କହନ୍ତେ, ଆମ୍ଭେ ହିମାଳୟଗିରିକୁ ଆମନ୍ତ୍ରଣ କରି ଓ ରଥକୁ ପ୍ରଦକ୍ଷିଣ କରି ତହିଁରେ ଆରୋହଣ କରୁ । ତତ୍ପରେ ଅଶ୍ୱତତ୍ତ୍ୱଜ୍ଞ ମାତଳି ରଥ ସଂଚାଳନ କଲେ । ମନ ଓ ପବନ ତୁଲ୍ୟ ବେଗଶୀଳ ଅଶ୍ୱମାନେ ରଥକୁ ଅତିଶୟ ବେଗରେ ବହନ କରନ୍ତେ ଆମ୍ଭ ମୁଖକୁ ନିରୀକ୍ଷଣ କରି ମାତଳି ବିସ୍ମୟାନ୍ୱିତ ହୋଇ କହିଲେ, ଅଦ୍ୟ ଆମ୍ଭେ ଏହି ଗୋଟିଏ କଥା ଦେଖି ଆଶ୍ଚର୍ଯ୍ୟ ହେଲୁ ଯେ ତୁମ୍ଭେ ଏହି ଦିବ୍ୟ ରଥରେ ବସି ପଦେ ସୁଦ୍ଧା ସ୍ୱସ୍ଥାନରୁ ବିଚଳିତ ହେଉନାହଁ । ହେ ଭରତର୍ଷଭ-! ଅଶ୍ୱମାନେ ଯେତେବେଳେ ପ୍ରଥମରୁ ଉଡ଼ିବାକୁ ଆରମ୍ଭ କରନ୍ତି, ତେତେବେଳେ ଶଚୀପତି ମଧ୍ୟ ସ୍ୱସ୍ଥାନରୁ ବିଚଳିତ ହେବାର ଦେଖାଯାଇଅଛି । କିନ୍ତୁ ତୁମ୍ଭେ ଏତାଦୃଶ ଭ୍ରମଣଶୀଳ ରଥରେ ଯଥାସ୍ଥାନରେ ଅବସ୍ଥିତ ରହିଅଛ । ଏହି କାର୍ଯ୍ୟଦ୍ୱାରା ତୁମ୍ଭେ ଇନ୍ଦ୍ରଙ୍କୁ ଅତିକ୍ରମ କରିଅଛ ବୋଲି ଆମ୍ଭର ପ୍ରତୀୟମାନ ହେଉଅଛି । ୪୧ ।

 

ହେ ରାଜନ୍‌ ! ମାତଳି ଏହି କଥା କହି ଆକାଶରେ ପ୍ରବିଷ୍ଟ ହେଲେ । ତତ୍ପରେ ଆମ୍ଭଙ୍କୁ ଦେବାଳୟ ଓ ବିମାନସମୂହ ଦେଖାଇବାକୁ ଆରମ୍ଭ କଲେ । ଅନନ୍ତର ଅଶ୍ୱଯୁକ୍ତ ସେହି ରଥ ଊର୍ଦ୍ଧ୍ୱକୁ ଗମନ କଲା । ୪୨ । ହେ ନରୋତ୍ତମ ! ଏହି ସମୟରେ ଦେବ ଓ ଋଷିଗଣ ଆମ୍ଭଙ୍କୁ ପୂଜା କରିବାକୁ ଆରମ୍ଭ କଲେ । ଅତଃପର ଆମେ ଅପରିମିତ ତେଜସ୍ୱୀ ଗନ୍ଧର୍ବ, ଅପ୍‌ସରା ଓ ଦେବର୍ଷିଗଣଙ୍କ ପ୍ରଭାବ ଓ କାମକାମୀ ଲୋକଙ୍କୁ ଦର୍ଶନ କଲୁଁ । ଇନ୍ଦ୍ରଙ୍କର ସାରଥି ମାତଳି ଆମ୍ଭଙ୍କୁ ଦେବଗଣଙ୍କର ନନ୍ଦନବନ ଓ ଉପବନମାନ ଦର୍ଶନ କରାଇଲେ । ତତ୍ପରେ ଆମ୍ଭେ ଇନ୍ଦ୍ରପୁରୀ ଅମରାବତୀକୁ ଦେଖିଲୁ ଯେ ସେ ଦିବ୍ୟ କାମ୍ୟଫଳଧାରୀ ବୃକ୍ଷ ଓ ରତ୍ନମାନଙ୍କରେ ସମଳଙ୍କୃତ ହୋଇଅଛି । ୪୫ । ହେ ନୃପ ! ସେଠାରେ ଆଦିତ୍ୟଦେବ ଆତପ ବିସ୍ତାର କରନ୍ତି ନାହିଁ । ଶୀତ, ଉଷ୍ମ ଓ ପରିଶ୍ରମରେ କେହି ଥକି ପଡ଼ନ୍ତି ନାହିଁ । ସେଠାରେ ରଜୋଗୁଣର ଉଦ୍ଭବ ନାହିଁ । ମହାରାଜ-! ସେଠାରେ ସ୍ୱର୍ଗବାସୀଙ୍କର ଶୋକ, ମୋହ, ଦୁର୍ବଳତା ଓ ଗ୍ଲାନି ଉପଲବ୍ଧି ହୁଏ ନାହିଁ । ସେ ଶତ୍ରୁଘାତିନ, ହେ ବିଶାମ୍ପତେ ! ଦ୍ୟୁଲୋକବାସୀ ସୁବୁଦ୍ଧି ଅଟନ୍ତି । ସେମାନଙ୍କୁ କ୍ରୋଧ ଓ ଲୋଭ ଆକ୍ରମଣ କରିପାରେ ନାହିଁ-। ୪୮ । ଅମରପୁରବାସୀ ପ୍ରାଣୀମାନେ ସର୍ବଦା ସନ୍ତୋଷ ଚିତ୍ତରେ କାଳାତିବାହନ କରନ୍ତି । ତତ୍ରସ୍ଥ ମହୀରୁହମାନେ ହରିତ୍‌ବର୍ଣ୍ଣ ପତ୍ରରେ ଓ ପୁଷ୍ପଫଳରେ ଅନବରତ ସଂଯୁକ୍ତ ହୋଇଥାନ୍ତି । ଶୀତଳ, ସୁଗନ୍ଧିବାୟୁ ପ୍ରାଣୀମାନଙ୍କର ଜୀବନସ୍ୱରୂପ ସେଠାରେ ସୁଖଜନକ ହୋଇ ପ୍ରବାହିତ ହୁଏ । ୫୦ । ଭୂମିମାନ ସେଠାରେ ସର୍ବ ରତ୍ନରେ ବିଚିତ୍ରତ ଓ ପୁଷ୍ପଦାମରେ ବିଭୂଷିତ ହୋଇଥାଏ । ଆକାଶରେ ବିମାନାରୋହୀ ଓ ମୃଗପକ୍ଷୀମାନେ ବହୁ ସଂଖ୍ୟାରେ ଭ୍ରମଣ କରୁଥିବାର; ଦେଖାଯାନ୍ତି ।

 

ତତ୍ପରେ ଆମ୍ଭେ ଦେଖିଲୁ ଯେ ବସୁଗଣ, ରୁଦ୍ରଗଣ, ସାଧ୍ୟଗଣ, ମରୁଦଗଣ ଭ୍ରମୁଅଛନ୍ତି । ୫୨ । ଆଦିତ୍ୟଗଣ ଓ ଅଶ୍ୱନୀକୁମାରଙ୍କୁ ଦେଖି ସମସ୍ତଙ୍କର ଆମ୍ଭେ ଯଥାଯୋଗ୍ୟ ପୂଜା କଲୁ । ସେମାନେ ଆମ୍ଭଙ୍କୁ ବଳ, ବୀର୍ଯ୍ୟ, ଯଶଃ, ତେଜ, ଅସ୍ତ୍ର ଓ ସଂଗ୍ରାମରେ ବିଜୟ ସୂଚକ ଆଶୀର୍ବାଦ କଲେ । ତତ୍ପରେ ଦେବଗନ୍ଧର୍ବପୂଜିତ ରମଣୀୟ ଅମରାବତୀପୁରୀରେ ପ୍ରବିଷ୍ଟ ହୋଇ କୃତାଞ୍ଜଳିପୂର୍ବକ ସହସାକ୍ଷ ଦେବରାଜଙ୍କୁ ନମସ୍କାର କଲୁ । ଦାତୃଶ୍ରେଷ୍ଠ ଇନ୍ଦ୍ର ପ୍ରୀତହୋଇ ଆମ୍ଭଙ୍କୁ ବସିବାକୁ ଅର୍ଦ୍ଧାସନ ଦେଲେ । ୫୫ । ବାସବ ବହୁ ଶ୍ରଦ୍ଧା କରି ମଧ୍ୟ ଆମ୍ଭର ଗାତ୍ର ସ୍ପର୍ଶ କଲେ । ହେ ଭାରତ ! ସେଠାରେ ଭୁରି ଦକ୍ଷିଣଦେବ ଗନ୍ଧର୍ବମାନଙ୍କ ସହିତ ଅସ୍ତ୍ରଲାଭାର୍ଥ ସ୍ୱର୍ଗରେ ବାସ କଲୁଁ ଓ ଅସ୍ତ୍ରଶିକ୍ଷା କଲୁ । ବିଶ୍ୱାବସୁଙ୍କ ପୁତ୍ର ଚିତ୍ରସେନ ଆମ୍ଭର ସଖା ହୋଇଥିଲେ । ୫୭ । ହେ ନୃପ ! ସେ ଆମ୍ଭଙ୍କୁ ସବୁ ଗନ୍ଧର୍ବଙ୍କ ସହିତ ପରିଚୟ କରାଇଲେ । ହେ ରାଜନ୍‌ ! ସେଠାରେ ଆମ୍ଭେ ସମାଦୃତ ହୋଇ ରହି ଅସ୍ତ୍ରମାନଙ୍କୁ ଗ୍ରହଣ କଲୁ । ୫୮ । ହେ ଭରତଶ୍ରେଷ୍ଠ ! ଇନ୍ଦ୍ରଙ୍କ ଭବନରେ ଆମ୍ଭେ ସୁଖରେ ବାସକଲୁ । ଆମ୍ଭର ସବୁ ପ୍ରକାର କାମନା ପୂରଣ ହେଉଥାଏ । ଗୀତ ଶବ୍ଦ ଓ ତୂରୀ ଶବ୍ଦ ଶୁଭୁଥାଏ । ଶ୍ରେଷ୍ଠ ଅପ୍‌ସରାମାନଙ୍କ ନୃତ୍ୟ ଦୃଶ୍ୟ ହେଉଥାଏ । ୫୯ । ନୃତ୍ୟଗୀତ ପ୍ରଭୃତି ଅବଜ୍ଞାନ କରି ତହିଁପ୍ରତି ଯଥାଯୋଗ୍ୟ ମନ ଦେଉଥାଏ । କିନ୍ତୁ ଅସ୍ତ୍ରଶିକ୍ଷା ବିଷୟରେ ବିଶେଷ ଯତ୍ନ କରୁଥିଲୁ । ଅନନ୍ତର ପ୍ରଭୁ ଆମ୍ଭର ସେହି ଅଭିପ୍ରାୟ ଜାଣି ଆମ୍ଭ ପ୍ରତି ସନ୍ତୁଷ୍ଟ ହେଲେ । ହେ ରାଜନ୍‌ ! ଏହିରୂପେ ସ୍ୱର୍ଗବାସରେ ଏତେ କାଳ ଆମ୍ଭର ଅତିବାହିତ ହେଲା । ୬୧ । ପରେ ହରିବାହନ ଇନ୍ଦ୍ର ଆମ୍ଭଙ୍କୁ କୃତାସ୍ତ୍ର ହେବା ଓ ବିଶ୍ୱସ୍ତ ଥିବାର ଜାଣିପାରି ନିଜ ପାଣିଯୁଗଳଦ୍ୱାରା ଆମ୍ଭର ମସ୍ତକକୁ ସ୍ପର୍ଶକରି କହିଲେ । ୬୨ । ଏବେ ତୁମ୍ଭଙ୍କୁ ଯୁଦ୍ଧରେ ଜୟ କରିବାକୁ ସୁରଗଣଙ୍କର ସୁଦ୍ଧା ସାମର୍ଥ୍ୟ ହେବ ନାହିଁ-। ସୁତରାଂ ପୃଥିବୀସ୍ଥିତ ଆକୃତାତ୍ମା ମନୁଷ୍ୟମାନଙ୍କ କଥା କ’ଣ କହିବା ! ସେମାନଙ୍କର କି ସାଧ୍ୟ ଅଛି ଯେ ସେମାନେ ତୁମ୍ଭଙ୍କୁ ଜୟ କରିବେ ? ୬୩ । ଯେ ହେତୁରୁ ତୁମ୍ଭର ବଳ ଅକକନ୍ତା, ତୁମ୍ଭଙ୍କୁ କେହି ଯୁଦ୍ଧରେ ଜୟ କରିପାରିବେ ନାହିଁ ।

 

ତତ୍ପରେ ସେ ପୁନର୍ବାର କହିବାକୁ ଆରମ୍ଭ କଲାବେଳେ ତାହାଙ୍କର କଳେବର ରୋମାଞ୍ଚିତ ହେଲା ଓ ସେ କହିଲେ । ୬୪ । ହେ ବୀର ! ଅସ୍ତ୍ରଯୁଦ୍ଧରେ କେହି ତୁମ୍ଭର ସମାନ ହେବ ନାହିଁ । ହେ କୁରୁଦବହ ! ତୁମ୍ଭେ ସର୍ବଦା ଅନଳସ, ଦକ୍ଷ, ସତ୍ୟବାଦୀ ଓ ଶୂର ଅଟ । ହେ ଧନଞ୍ଜୟ ! ତୁମ୍ଭେ ପଞ୍ଚବିଧ ବିଧିସହିତ ପଞ୍ଚଦଶ ଅସ୍ତ୍ର ପ୍ରାପ୍ତ ହୋଇଅଛ । ଅତଏବ ତୁମ୍ଭ ସମାନ ଆଉ କେହି ନାହାନ୍ତି-। ତୁମ୍ଭେ ପ୍ରୟୋଗ ଜାଣ, ଉପସଂହାର ଜାଣ, ଅର୍ଥାତ୍ ତୁମ୍ଭଙ୍କୁ ଅସ୍ତ୍ରମାନଙ୍କର ପୁନଃ ପୁନଃ ପ୍ରୟୋଗ ଓ ଉପସଂହାର ବିଦିତ ଅଛି । ଅସ୍ତ୍ରାଗ୍ନିଦଗ୍ଧ ବ୍ୟକ୍ତି ପୁନରୁର୍ଜ୍ଜୀବନ ଓ ଶତ୍ରୁର ଅସ୍ତ୍ରଦ୍ୱାରା ଅଭିଭୂତ ସ୍ୱକୀୟ ଅସ୍ତ୍ରକୁ କିପରି ପୁନରୁଦ୍ଦୀପନ କରିବାକୁ ହୁଏ, ଏହି ପଞ୍ଚବିଧ ବିଧିକୁ ତୁମ୍ଭେ ସର୍ବପ୍ରକାରେ ଜ୍ଞାତ ହୋଇଅଛ । ଅତଏବ ହେ ପରନ୍ତପ ! ତୁମ୍ଭର ଏହି ଗୁରୁଦକ୍ଷିଣା ଦେବାର ସମୟ ଉପସ୍ଥିତ ହୋଇଅଛି । ୬୮ । ତୁମ୍ଭେ ପ୍ରତିଜ୍ଞା କର ଯେ, ଦକ୍ଷିଣା ଦେବ, ତାହାହେଲେ ଆମ୍ଭେ ମାନିବୁ ଯେ ଆମ୍ଭର ଗୋଟିଏ ମହତ କାର୍ଯ୍ୟ ସମ୍ପନ୍ନ ହେଲା । ହେ ରାଜନ୍‌ ! ଆମ୍ଭେ ଦେବରାଜଙ୍କୁ କହିଲୁ, । ୬୯-। ଯଦି ସେହି କାର୍ଯ୍ୟ ଆମ୍ଭର ଶକ୍ୟ ହୁଏ, ତେବେ ସେ କାର୍ଯ୍ୟ ମୁଁ କଲି ବୋଲି ଆପଣ ଜାଣନ୍ତୁ । ହେ ରାଜନ୍‌ ! ଆମ୍ଭେ ଏହି କଥା କହିଲାରୁ ବଳବୃତ୍ତିନିସୂଦନ ହାସ୍ୟ କରି ଆମ୍ଭଙ୍କୁ କହିଲେ । ୭୦ । ତ୍ରିଲୋକ ମଧ୍ୟରେ ତୁମ୍ଭର ଅଶକ୍ୟ କିଛି ନାହିଁ । ଦେବଗଣଙ୍କର ଶ୍ରେଷ୍ଠ ଇନ୍ଦ୍ର ଅଟନ୍ତି । ତୁମ୍ଭେ ତାହାଙ୍କ ସମାନ ବଳ ଓ ବୀର୍ଯ୍ୟ ସଂଯୁତ, ତାହାଙ୍କ ପ୍ରାୟ ସୁବିଖ୍ୟାତ ।

 

ନିବାତକବଚ ନାମରେ ତିନି କୋଟି ଦାନବ ଅଛନ୍ତି । ସେମାନେ ସମୁଦ୍ରଗର୍ଭକୁ ଆଶ୍ରୟ କରି ଦୁର୍ଗ ମଧ୍ୟରେ ରହିଅଛନ୍ତି । ୭୨ । ହେ କୌନ୍ତେୟ ! ତୁମ୍ଭେ ସେଠାକୁ ଯାଇ ସେମାନଙ୍କୁ ବିନାଶ କର । ତାହାହେଲେ ତୁମ୍ଭର ଗୁରୁଦକ୍ଷିଣା ପ୍ରଦାନ କରିବାର ହେଲା । ତଦନନ୍ତର ସେ ଆମ୍ଭଙ୍କୁ ଗୋଟିଏ ଦିବ୍ୟ ଓ ମହାପ୍ରଭ ରଥ ପ୍ରଦାନ କଲେ । ମୟୂରଲୋମ ସଦୃଶ ଲୋମ ଥାଇ ଅଶ୍ୱମାନେ ତହିଁରେ ଯୋଜିତ ହୋଇଥାନ୍ତି ଓ ସ୍ୱୟଂ ମାତଳି ତହିଁରେ ଅଧିଷ୍ଠିତ; ତତ୍ପରେ ଆମ୍ଭ ମସ୍ତକରେ ଏହି ମୁକୁଟ ବନ୍ଧନ କରିଦେଲେ । ୭୪ । ଆପଣାର ରୂପ ସଦୃଶ ଅଙ୍ଗଭୂଷଣ ଦେଲେ । ଏହି ସଦୃଶ୍ୟ ଓ ଉତ୍ତମ ଅଭେଦ୍ୟ କବଚକୁ ପିନ୍ଧାଇ ଦେଲେ । ସେ କବଚ ଦେହରେ ସ୍ପୃଷ୍ଟ ହେଲେ ବଡ଼ ସୁଖ ବୋଧହୁଏ । ୭୫ । ଗାଣ୍ଡୀବରେ ଏହି ଅଜିରା ଗୁଣକୁ ଯୋଜନା କରିଦେଲେ, ସେହି ଜ୍ୟା କଦାପି ଜୀର୍ଣ୍ଣ ହେବାର ନୁହେଁ । ତତ୍ପରେ ଯହିଁରେ ସେ ପୂର୍ବକାଳରେ ବସି ବିରୋଚନ ପୁତ୍ର ବଳିକୁ ଜୟ କରିଥିଲେ, ସେହି ରଥରେ ଆମ୍ଭେ ସମାରୂଢ଼ ହୋଇ ଯାତ୍ରା କଲୁ । ହେ ନରନାଥ ! ପରେ ଦେବଗଣ ସେହି ରଥ ଶବ୍ଦରେ ପ୍ରବୋଧିତ ହୋଇ ଆମ୍ଭଙ୍କୁ ଦେବରାଜ ବୋଲି ଜାଣି ପଚାରିଲେ, ହେ ଫାଲ୍‌ଗୁନି ! ତୁମ୍ଭେ କି କାର୍ଯ୍ୟ କରିବାକୁ ମାନସ କରିଅଛ ? ୭୮ । ଆମ୍ଭେ ସେମାନଙ୍କୁ କହିଲୁ, ଯେଉଁ କାର୍ଯ୍ୟ ଉପସ୍ଥିତ ହୋଇଅଛି, ଯୁଦ୍ଧରେ ଆମ୍ଭେ ସେହି କାର୍ଯ୍ୟ ନିଷ୍ପନ୍ନ କରିବୁ । ହେ ମହାଭାଗ ! ପୁଣ୍ୟାତ୍ମାଗଣ ! ନିବାତକବଚଙ୍କ ବଧାଭିଳାଷରେ ଆମ୍ଭେ ଉପସ୍ଥିତ ହୋଇଥିବାର ଜାଣନ୍ତୁ ଏବଂ କୁଶଳାଶୀର୍ବାଦ କରନ୍ତୁ । ଏଥି ଉତ୍ତାରୁ ସେମାନେ ପ୍ରସନ୍ନ ହୋଇ ଯେପରି ପୁରନ୍ଦରଙ୍କୁ ସ୍ତବ କରନ୍ତି, ସେହିପରି ଆମ୍ଭଙ୍କୁ ମଧ୍ୟ ସ୍ତବ କଲେ ।

 

ହେ କୌନ୍ତେୟ ! ଏହି ରଥରେ ବସି ଶମ୍ଭର, ନମୁଚି, ବଳ ଓ ବୃତ୍ତାସୁରକୁ ଅଥଚ ପ୍ରହ୍ଲାଦ ଓ ନରକାସୁରକୁ ସମରେ ଇନ୍ଦ୍ର ଜୟ କରିଥିଲେ । ୮୧ । ଏହି ରଥରେ ଆରୋହଣ କରି ବହୁ ସହସ୍ର, ବହୁ ନିୟୁତ, ବହୁ ଅର୍ବୁଦ ସଂଖ୍ୟକ ଦୈତବଳଙ୍କୁ ଦଳନ କରିଥିଲେ । ୮୨ । ହେ ଫାଲ୍‌ଗୁନି-! ପୂର୍ବେ ଇନ୍ଦ୍ର ଏହି ରଥଦ୍ୱାରା ବିକ୍ରମ ପ୍ରକାଶକରି ଦାନବଗଣଙ୍କୁ ପରାଜିତ କରିଥିଲେ-। ସେହି ପ୍ରକାରେ ତୁମ୍ଭେ ମଧ୍ୟ ଏହି ରଥଦ୍ୱାରା ବିକ୍ରମ ପ୍ରକାଶ କରି ନିବାତକବଚମାନଙ୍କୁ ରଣରେ ଜୟ କରିବ । ୮୪ । ମହାତ୍ମା ମହେନ୍ଦ୍ର ଯେପରି ଏହି ପ୍ରଧାନ ଶଙ୍ଖଦ୍ୱାରା ଲୋକମାନଙ୍କୁ ପରାଭୂତ କରିଥିଲେ, ତଦ୍ରୂପ ତୁମ୍ଭେ ମଧ୍ୟ ଏହି ମହାଶଙ୍ଖଦ୍ୱାରା ଦାନବମାନଙ୍କୁ ପରାଭୂତ କରିବ-। ଦେବତାମାନେ ଏହା କହି ଦେବଦତ୍ତ ଶଙ୍ଖ ଆମ୍ଭଙ୍କୁ ପ୍ରଦାନ କଲେ । ଆମ୍ଭେ ତାହାକୁ ଜୟ ନିମିତ୍ତ ପ୍ରତିଗ୍ରହ କଲୁ । ସେହି ସମୟରେ ଅମରବୃନ୍ଦ ଆମ୍ଭଙ୍କୁ ସ୍ତବ କରିବାରେ ପ୍ରବୃତ୍ତ ହେଲେ । ଶଙ୍ଖ, କବଚ, ଶର, ଶରାସନକୁ ଆମ୍ଭେ ଗ୍ରହଣ କରି ଯୁଦ୍ଧାଭିଳାଷରେ ଅତ୍ୟୁଗ୍ର ଦାନବାଳୟକୁ ଗମନ କଲୁ-

 

Unknown

॥ ଅଧ୍ୟାୟ – ୧୬୯ ॥

 

ଅର୍ଜୁନ କହିଲେ, ତଦନନ୍ତର ଆମ୍ଭେ ଗମନ କରୁ କରୁ ସ୍ଥାନେ ସ୍ଥାନେ ମହର୍ଷିମାନେ ଆମ୍ଭଙ୍କୁ ସ୍ତବ କଲେ । ତତ୍ପରେ ଅକ୍ଷୟ ଓ ଭୟାନକ ଜଳପତି ଉଦଧିଙ୍କୁ ଦେଖିଲୁ । ୧ । ସେହି ସମୁଦ୍ରରେ ଫେନରାଶିମଣ୍ଡିତ ତରଙ୍ଗମାଳା ଚଳନଶୀଳ ପର୍ବତ ପ୍ରାୟ ଦୃଶ୍ୟ ହେଲେ । ରତ୍ନପୂର୍ଣ୍ଣ ସହସ୍ର ସହସ୍ର ଅର୍ଣ୍ଣବ ପୋତମାନେ ନେତ୍ରଗୋଚର ହେଲେ । ତିମିଙ୍ଗିଳ, କଚ୍ଛପ ଓ ମକରନିକର ଜଳମଗ୍ନ ପର୍ବତ ପ୍ରାୟ ଦୃଷ୍ଟିଗୋଚର ହେଲେ । ନିଶା ସମୟରେ ତରଳ ମେଘାବୃତ ତାରାମଣ୍ଡଳ ଯେପରି ଦୃଶ୍ୟ ହୁଏ, ତଦ୍ରୂପ ଜଳମଗ୍ନ ସହସ୍ର ସହସ୍ର ଶଙ୍ଖ ଜଳମଗ୍ନ ହୋଇ ଇତସ୍ତତଃ ଦୃଶ୍ୟ ହେଲେ । ଆହୁରି ଦେଖିଲେ, ସେହି ସମୁଦ୍ରଜଳରେ ସହସ୍ର ସହସ୍ର ରତ୍ନ ଭାସୁଅଛି । ପୁନଶ୍ଚ ସେଠାରେ ବାୟୁ ଭୀଷଣ ରବରେ ଘୂର୍ଣ୍ଣିତ ହେଉଥିଲା । ଏହିସବୁ ଆମ୍ଭଙ୍କୁ ଗୋଟିଏ ଅଦ୍ଭୁତ ବ୍ୟାପାର ପ୍ରାୟ ପ୍ରତୀତ ହେଲା । ସବଜଳାଧାର ଏତାଦୃଶ ଉଦଧି ମହାବେଗଶୀଳ ହୋଇଥିବାର ଦେଖି ପରିଶେଷରେ ଆମ୍ଭେ ତାହା ସମୀପରେ ଦାନବାକୀର୍ଣ୍ଣ ଦୈତ୍ୟପୁରକୁ ବିଲୋକନ କଲୁ । ମାତଳି ସତ୍ୱର ହୋଇ ସେଠାରେ ପୃଥିବୀତଳକୁ ବୋଲି ଏକାବେଳକେ ଗମନ କରି ରଥ ନିନାଦରେ ସେହି ପୁରକୁ ପ୍ରତିନାଦିତ କଲେ । ଦାନବମାନେ ଆକାଶସ୍ଥ ମେଘଶବ୍ଦ ପ୍ରାୟ ଆମ୍ଭର ରଥନିର୍ଘୋଷ ଶ୍ରବଣ କରି ଆମ୍ଭଙ୍କୁ ଦେବରାଜ ଇନ୍ଦ୍ର ମନେକରି ଉଦ୍‌ବିଗ୍ନ ହେଲେ । ୯ । ସେମାନେ ସମସ୍ତେ ଭୀତ ହୋଇ ଶୀଘ୍ର ଶୀଘ୍ର ଶର, ଶରାସନ, ଅସି, ଶୂଳ, ପରଶୁ, ଗଦା, ମୂଷଳ, ଯେ ଯାହା ପାଇଲେ, ତାହା ହସ୍ତରେ ଧରି ଉଭା ହେଲେ । ୧୦ ।

 

ଅନନ୍ତର ପୁରରକ୍ଷା ନିମିତ୍ତ ଦାନବମାନେ ଭୀତ ହୋଇ ଦ୍ୱାରମାନଙ୍କୁ ଅବରୋଧ କଲେ । ପୁରସ୍ଥିତ କିଛି ମାତ୍ର ଦୃଶ୍ୟ ନ ହେଉ ଏହି ଅଭିପ୍ରାୟରେ ସେମାନେ ଦ୍ୱାରମାନଙ୍କୁ ଅବରୋଧ କଲେ-। ୧୨ । ଆମ୍ଭେ ମଧ୍ୟ ମହାସ୍ୱନ ଦେବଦତ୍ତ ଶଙ୍ଖକୁ ଗ୍ରହଣ କରି ପରମ ପ୍ରମୋଦରେ ତାହାକୁ ପ୍ରଧ୍ମାତ କଲୁ । ୧୩ । ସେହି ଶବ୍ଦ ଆକାଶକୁ ଯାଇ ପ୍ରତିଶବ୍ଦ ଜାତ କଲା । ତାହା ଶୁଣି ମହାଭୂତମାନେ ମଧ୍ୟ ବିତ୍ରସ୍ତ ହୋଇ ଲୁଚିଗଲେ । ତଦନନ୍ତର ନିବାତକବଚମାନେ, ହେ ଭାରତ-! ସମସ୍ତେ ଦଂଶିତ ହୋଇ ବିବଧ ପ୍ରକାର ତ୍ରାଣରେ ସଂଯୁକ୍ତ ହୋଇ ବିଚିତ୍ର ଆୟୁଧମାନ ହସ୍ତରେ ଧରି ଲୌହମୟ ମହାଶୂଳ ଓ ଗଦା, ମୂଷଳ, ପଟ୍ଟିଶ, କରବାଳ ରଥଚକ୍ରମାନଙ୍କୁ ଘେନି ପ୍ରାଦୁର୍ଭୂତ ହେଲେ-। ହେ ଭାରତ ! ଶତଘ୍ନୀ, ଭୂଷଣ୍ଡୀ ଖଡ଼୍‌ଗମାନଙ୍କଦ୍ୱାରା ମଧ୍ୟ ଦିତିପୁତ୍ରମାନେ ଅଳଙ୍କୃତ ହୋଇ ଯୁଦ୍ଧାର୍ଥ ବାହାରିଲେ । ୧୬ ।

 

ତତ୍ପରେ ମାତଳି ରଥପଥ ବିଷୟରେ ଅନେକ ବିଚାର କରି ସେହି ଘୋଟକମାନଙ୍କୁ ସମତଳ ପ୍ରଦେଶରେ ଚାଳନା କରିବାକୁ ଆରମ୍ଭ କଲେ । ତତ୍କାଳରେ ଶୀଘ୍ରଗାମୀ ଅଶ୍ୱମାନଙ୍କଦ୍ୱାରା ମାତଳି ଏପରି ଦ୍ରୁତବେଗରେ ରଥଚାଳନା କଲେ ଯେ ରଥପାର୍ଶ୍ୱସ୍ଥିତ କୌଣସି ପଦାର୍ଥକୁ ଆମ୍ଭେ ଦେଖିପାରିଲୁ ନାହିଁ । ଏହି କାର୍ଯ୍ୟ ଆମ୍ଭଙ୍କୁ ଅଦ୍ଭୁତ ପ୍ରାୟ ବୋଧ ହେଲା । ତଦନନ୍ତର ଦାନବମାନେ ସହସ୍ର ସହସ୍ର ସଂଖ୍ୟାରେ ଆସି ବିକୃତ ସ୍ୱର ଓ ବିକୃତ ଆକାର ବିଶିଷ୍ଟ ବାଦ୍ୟମାନଙ୍କୁ ବଜାଇଲେ । ସେହି ଶବ୍ଦ ଶ୍ରବଣ କରି ସମୁଦ୍ର ମଧ୍ୟରେ ପର୍ବତୋପମ ଲକ୍ଷ ଲକ୍ଷ ମତ୍ସ୍ୟ ପ୍ରଭୃତି ପ୍ରାଣୀ ସନ୍ତରଣ କଲେ । ୨୦ । ତହିଁ ଉତ୍ତାରୁ ଦାନବମାନେ ଅତିଶୟ ବେଗରେ ପ୍ରଖରତର ଶତ ଶତ ଓ ସହସ୍ର ସହସ୍ର ବାଣମାନଙ୍କୁ ପ୍ରହାର କରି ଆମ୍ଭ ପ୍ରତି ଧାବିତ ହେଲେ । ୨୧ । ହେ ଭାରତ ! ସେମାନଙ୍କ ସହିତ ଆମ୍ଭର ତୁମୁଳ ଯୁଦ୍ଧ ହେଲା, ଯହିଁରେ ମହାଭୟଙ୍କର ନିବାତକବଚ ନାମକ ଅସୁରମାନେ ବିନଷ୍ଟ ହେଲେ । ୨୨ । ତଦନନ୍ତର ସେହି ମହାଯୁଦ୍ଧକୁ ଦେଖିବା ନିମିତ୍ତ ଦାନବଗଣ, ଋଷିଗଣ ଓ ବ୍ରହ୍ମର୍ଷିଗଣ ଅପିଚ ସିଦ୍ଧମାନେ ସମାଗମନ କଲେ । ୨୩ । ତାରକାସୁର ଯୁଦ୍ଧରେ ମୁନିମାନେ ଯେପରି ମଧୁର ସ୍ୱରରେ ଇନ୍ଦ୍ରଙ୍କୁ ସ୍ତବ କରିଥିଲେ, ସେମାନେ ତଦନୁରୂପ ବାକ୍ୟଦ୍ୱାରା ଜୟାଭିଳାଷୀ ହୋଇ ଆମ୍ଭଙ୍କୁ ସ୍ତୁତି କଲେ । ୨୪ ।

 

॥ ଅଧ୍ୟାୟ – ୧୭୦ ॥

 

ଅର୍ଜୁନ ବୋଇଲେ, ହେ ଭାରତ ! ତଦନନ୍ତର ନିବାତକବଚମାନେ ଏକତ୍ର ହୋଇ ଆୟୁଧମାନଙ୍କୁ ଘେନି ରଣଭୂମିରେ ଆମ୍ଭ ପ୍ରତି ବେଗରେ ଧାବିତ ହେଲେ । ୧ । ସେହି ମହାରଥୀମାନେ ରଥ ଚାଲିବାର ପଥକୁ ସୁଦ୍ଧା ଆଚ୍ଛାଦନ କରି ମହାଚିତ୍କାରପୂର୍ବକ ସବୁଦିଗରୁ ଆମ୍ଭଙ୍କୁ ଶରବୃଷ୍ଟିଦ୍ୱାରା ଅବକୀର୍ଣ୍ଣ କଲେ । ୨ । ତଦନନ୍ତର ମହାବଳବନ୍ତ ଅପର ଦାନବମାନେ ଶୂଳ ଓ ପଟ୍ଟୀଶକୁ ହସ୍ତରେ ଧରି ଶୂଳ ଓ ଭୂଷଣ୍ଡୀମାନଙ୍କୁ ଆମ୍ଭ ପ୍ରତି ମୋକ୍ଷଣ କଲେ । ୩ । ସେହି ଶୂଳବୃଷ୍ଟି, ସୁମହତ ଗଦା ଓ ଶକ୍ତିସମାକୁଳିତ ହୋଇ ନିରନ୍ତର ଆମ୍ଭ ରଥ ଉପରେ ନିପତିତ ହେଲା-। ୪ । ଅନ୍ୟାନ୍ୟ ନିବାତକବଚମାନେ ସେହି ଯୁଦ୍ଧରେ ଶାଣିତ ଶସ୍ତ୍ରମାନଙ୍କୁ ଆୟୂଧସ୍ୱରୂପ ଧାରଣ କରି ରୌଦ୍ରରୂପୀ ହୋଇ ଆମ୍ଭଙ୍କୁ ପ୍ରହାର କଲେ । ୫ । ସେମାନଙ୍କୁ ଆମ୍ଭେ ପ୍ରତ୍ୟେକରେ ଦଶ ଦଶ ବାଣ ଗାଣ୍ଡୀବଧନୁରୁ ମୁକ୍ତ କରି ପ୍ରହାର କଲୁ । ଆମ୍ଭ ଶରମାନ ବେଗବାନ ଓ ସେଗୁଡ଼ିକର ଗତି ସରଳ; ତଦ୍ଦ୍ୱାରା ସେମାନେ ବିଦ୍ଧ ହେଲେ । ଦାନବମାନେ ମତପ୍ରେରିତ ଶିଳାଶାଣିତ ଶରନିକରଦ୍ୱାରା ବିମୁଖ ହେଲେ । ପରେ ଆମ୍ଭର ବାତସମ ବେଗଗାମୀ ଅଶ୍ୱମାନଙ୍କୁ ମାତଳି ଏପରି ବେଗରେ ଓ କୌଶଳରେ ପରିଚାଳନା କଲେ ଯେ ସେହି ସାରଥିଙ୍କ ସଂଯମ ଗୁଣରୁ ଅଶ୍ୱମାନଙ୍କଦ୍ୱାରା ସେଠାରେ ବହୁସଂଖ୍ୟକ ଦିତିତନୟ ପ୍ରମଥିତ ହେଲେ । ୮ ।

 

ସେହି ମହାରଥରେ ଦଶ ସହସ୍ର ଅଶ୍ୱ ସଂଯୁକ୍ତ ହୋଇଥିଲେ ହେଁ ମାତଳି ସେମାନଙ୍କୁ ଏପରି ଭାବରେ ସଂଯତ କରିଥିଲେ ଯେ ଅଳ୍ପସଂଖ୍ୟକ ଅଶ୍ୱମାନେ ବିଚରଣ କଲା ପ୍ରାୟ ଦେଖାଗଲା । ଅଶ୍ୱମାନଙ୍କର ଚରଣପାତ, ରଥର ଘର୍ଘରିତ ଧ୍ୱନି ଓ ତାହା ନେମିର ଦଳନ ଓ ମଦୀୟ ବାଣମାନଙ୍କ ସନ୍ନିପାତରେ ଶତ ଶତ ଅସୁର ନିହତ ହେଲେ । ୧୦ । ଏହିରୂପେ ଅନ୍ୟାନ୍ୟ ଅସୁରମାନେ ମଧ୍ୟ ଶରାସନକୁ ହସ୍ତରେ ଧରି ପ୍ରାଣ ହରାଇବାରୁ ଓ ସେମାନଙ୍କର ସାରଥି ହତ ହେବାରୁ ତୁରଙ୍ଗକର୍ତ୍ତୃକ ଆକୃଷ୍ଟ ହେଲେ । ୧୧ । ତତ୍ପରେ ଯୁଦ୍ଧନିପୁଣ ସମସ୍ତ ଦାନବମାନେ ଦିଗ୍‌ବିଦିଗ ପ୍ରତିରୋଧ କରି ବିବିଧ ଅସ୍ତ୍ରମାନ ଘେନି ଯୁଦ୍ଧରେ ପ୍ରବୃତ୍ତ ହେଲେ । ଏହି ସମୟରେ ଆମ୍ଭର ମନ ବ୍ୟଥିତ ହୋଇଥିଲା । ୧୨ । ପରନ୍ତୁ ସେହି ସମୟରେ ମାତଳି ଯେ ତାଦୃଶ ବେଗଶୀଳ ବାଜିଗଣଙ୍କୁ ଅନାୟାସରେ ପରିଚାଳିତ କରୁଥିଲେ ତଦ୍ଦ୍ୱାରା ଆମ୍ଭେ ତାହାଙ୍କର ପରମାଶ୍ଚର୍ଯ୍ୟ ବୀର୍ଯ୍ୟ ଦେଖିବାକୁ ପାଇଲୁ । ୧୩ । ହେ ରାଜନ୍‌ ! ତଦନନ୍ତର ଆମ୍ଭେ ବିଚିତ୍ର ଆଶୁଗାମୀ ଅସ୍ତ୍ରଧାରୀ ଶତ ଶତ ଓ ସହସ୍ର ସହସ୍ର ଅସୁରଙ୍କୁ ରଣରେ ଛେଦନ କରିବାକୁ ଆରମ୍ଭ କଲୁ । ୧୪ । ହେ ଶତ୍ରୁହନ ! ଇନ୍ଦ୍ରଙ୍କ ସାରଥି ବୀର ମାତଳି ଦେଖିଲେ ଯେ ଆମ୍ଭେ ସର୍ବଯତ୍ନରେ ସେହି ଯୁଦ୍ଧରେ ପ୍ରବୃତ୍ତ ହୋଇଅଛୁଁ । ଏହା ଦେଖି ସେ ଆମ୍ଭଠାରେ ପ୍ରୀତ ହେଲେ । ୧୫ ।

 

ନିବାତକବଚଙ୍କ ମଧ୍ୟରେ କେହି କେହି ଦାନବ ଅଶ୍ୱ ଓ ରଥଦ୍ୱାରା ନିହତ ହୋଇ କ୍ଷୟପ୍ରାପ୍ତ ହେଲେ । କୌଣସି କୌଣସି ଦାନବ ଯୁଦ୍ଧରୁ ନିବୃତ୍ତ ହେଲେ । ଅପର ଦାନବମାନେ ଆମ୍ଭମାନଙ୍କ ଶରାଘାତରେ ଆର୍ତ୍ତହୋଇ ଶରବର୍ଷଣଦ୍ୱାରା ଆମ୍ଭମାନଙ୍କୁ ନିବୃତ୍ତ କରିବାକୁ ପ୍ରବୃତ୍ତ ହେଲେ । ୧୭ । ତଦନନ୍ତର ଆମ୍ଭେ ବ୍ରହ୍ମାସ୍ତ୍ରମନ୍ତ୍ରରେ ମନ୍ତ୍ରିତ କରି ଶତ ଶତ ଓ ସହସ୍ର ସହସ୍ର ଶୀଘ୍ରଗାମୀ ଶରନିକରଦ୍ୱାରା ସେମାନଙ୍କୁ ଦଗ୍ଧ କରିବାରେ ପ୍ରବୃତ୍ତ ହେଲୁ । ୧୮ । ପରେ ସେହି ମହାସୁରମାନେ ପୀଡ୍ୟମାନ ହୋଇ କ୍ରୋଧାବିଷ୍ଟ ହେଲେ ଓ ଯୁଗପତ୍ ଶକ୍ତି, ଶୂଳ ଓ ଅସି ବର୍ଷଣଦ୍ୱାରା ଆମ୍ଭଙ୍କୁ ପୀଡ଼ିତ କଲେ । ୧୯ । ହେ ଭାରତ ! ତଦନନ୍ତର ଆମ୍ଭେ ଅତି ତେଜସ୍ୱୀ ଦେବରାଜଙ୍କ ପ୍ରିୟ ମାଧବ ନାମକ ପରମାସ୍ତ୍ରକୁ ଅବଲମ୍ବନ କଲୁଁ । ୨୦ । ସେହି ଅସ୍ତ୍ରର ଏପରି ପ୍ରଭାବ ଯେ ଅସୁରମାନେ ଆମ୍ଭ ପ୍ରତି ଯେଉଁ ଖଡ଼୍‌ଗ ଓ ତ୍ରିଶୂଳମାନ ନିକ୍ଷେପ କଲେ ସେହିସବୁ ଅସ୍ତ୍ର ଓ ସହସ୍ର ସହସ୍ର ତୋମରକୁ ଆମ୍ଭେ ଶତ ଶତ ଖଣ୍ଡରେ ଛେଦନ କରି ପକାଇଲୁ । ୨୧ । ସେମାନଙ୍କର ଅସ୍ତ୍ରସବୁ ଛେଦନ କରି କ୍ରୋଧପ୍ରଯୁକ୍ତ ପ୍ରତ୍ୟେକ ଦାନବକୁ ଦଶ ଦଶ ଶରଦ୍ୱାରା ବିଦ୍ଧ କଲୁ । ୨୨ । ତତ୍କାଳରେ ଯୁଦ୍ଧସ୍ଥାନରେ ଗାଣ୍ଡୀବ କୋଦଣ୍ଡରୁ ଯେଉଁସବୁ ମହାବାଣମାନ ଭ୍ରମର ପଂକ୍ତିପ୍ରାୟ ବିନିର୍ଗତ ଓ ନିପତିତ ହୋଇଥିଲା, ତାହା ଦେଖି ମାତଳି ଆମ୍ଭଙ୍କୁ ଅତିଶୟ ପ୍ରଶଂସା କରିଥିଲେ । ୨୩ । ଦାନବମାନଙ୍କର ବାଣମାନେ ଶଲଭ ସମାନ କେବଳ ବହୁତ୍ୱ ପ୍ରଯୁକ୍ତ ଆମ୍ଭଙ୍କୁ ପ୍ରବଳରୂପେ ସମାକୀର୍ଣ୍ଣ କରିଥିଲେ । ଆମ୍ଭେ ମଧ୍ୟ ସେମାନଙ୍କ ପ୍ରତି ରାଶି ରାଶି ଶରାନଳ ବର୍ଷଣ କରିଥିଲୁ । ୨୪ । ପରନ୍ତୁ ଆମ୍ଭର ସେହି ବାଣାନଳଦ୍ୱାରା ତତ୍କାଳରେ ନିବାତକବଚମାନେ ବଧ୍ୟମାନ ହୋଇ ପୁନର୍ବାର ଆମ୍ଭଙ୍କୁ ଚତୁର୍ଦ୍ଦିଗରୁ ମହତୀ ଶରବୃଷ୍ଟିଦ୍ୱାରା ଆଚ୍ଛାଦନ କଲେ । ଅସ୍ତ୍ରବିଘାତୀ ଜାଜ୍ୱଲ୍ୟମାନ ଆଶୁଗମାନଙ୍କଦ୍ୱାରା ଦାନବମାନଙ୍କର ଶରବେଗକୁ ବିନଷ୍ଟ କରି ସହସ୍ର ସହସ୍ର ଦାନବଙ୍କୁ ମଧ୍ୟ ନିହତ କଲୁ । ୨୬ ।

 

ବର୍ଷାକାଳରେ ପର୍ବତ ଯେପରି ଜଳାଧାର ବିଗଳିତ ହୁଏ, ତଦ୍ରୂପ ଦାନବମାନଙ୍କ ଦେହରୁ ଶୋଣିତଧାରା ବିଗଳିତ ହେଲା । ୨୭ । ଆମ୍ଭର ଶର ଇନ୍ଦ୍ରଙ୍କ ବଜ୍ରସଦୃଶ କଠିନସ୍ପର୍ଶ, ସରଳଗାମୀ, ବେଗଶୀଳ; ସେହି ଶରଦ୍ୱାରା ଦାନବମାନେ ବଧ ହୁଅନ୍ତେ ଅତିଶୟ ଉଦ୍‌ବିଗ୍ନ ହେଲେ । ସେମାନଙ୍କ ଦେହ ଶତଧା ଭିନ୍ନ ହେଲା ଓ ସେମାନଙ୍କର ଅସ୍ତ୍ରତେଜ କ୍ଷୀଣ ହୋଇଗଲା । ତତ୍ପରେ ସେମାନେ ଆମ୍ଭ ସହିତ ମାୟାଦ୍ୱାରା ଯୁଦ୍ଧ କରିବାକୁ ଆରମ୍ଭ କଲେ । ୨୯ ।

 

॥ ଅଧ୍ୟାୟ – ୧୭୧ ॥

 

ଅର୍ଜୁନ କହିଲେ, ମହାରାଜ ! ତଦନନ୍ତର ସେ ମାୟାଯୁଦ୍ଧରେ ଚତୁର୍ଦ୍ଦିଗରୁ ମହତ ଶୀଳା ବର୍ଷଣ ପ୍ରାଦୁର୍ଭୂତ ହେଲା । ଖଣ୍ଡିଏ ଖଣ୍ଡିଏ ଶିଳାର ପରିମାଣ ପର୍ବତାକାର । ତଦ୍ଦ୍ୱାରା ଆମ୍ଭେ ଅତିଶୟ ପୀଡ଼ିତ ହେଲାରୁ ଇନ୍ଦ୍ରଙ୍କ ବଜ୍ରସଦୃଶ ଅସ୍ତ୍ର ପ୍ରେରଣ କରି ବେଗବାନ ଶରଜାଲଦ୍ୱାରା ଚୂର୍ଣ୍ଣ କଲୁ । ୨ । ଶିଳାବୃଷ୍ଟି ଚୂର୍ଣ୍ଣୀକୃତ ହେବାରୁ ଅଗ୍ନି ଜାତ ହେଲା । ପ୍ରସ୍ତରଚୂର୍ଣ୍ଣମାନ ଅଗ୍ନି ସମୂହ ପ୍ରାୟ ପତିତ ହେଲା । ୩ । ଶିଳାବର୍ଷଣ ନିହତ ହୁଅନ୍ତେ ମହତ୍ତର ଜଳବର୍ଷଣ ଜାତ ହେଲା । ଆମ୍ଭ ସମୀପରେ ମୂଷଳଧାରାରେ ବର୍ଷା ପଡ଼ିଲା । ୪ । ଆକାଶରୁ ଜଳଧାରା ସହସ୍ର ସହସ୍ର ହୋଇ ପଡ଼ି ଦିଗ ଓ ବିଦିଗମାନଙ୍କୁ ଆବରଣ କଲା । ୫ । ଧାରାମାନଙ୍କର ନିପାତ, ବାୟୁର ପ୍ରଖର ଶବ୍ଦ ଓ ଦୈତ୍ୟମାନଙ୍କର ଗର୍ଜନଦ୍ୱାରା କ’ଣ ହେଉଅଛି ତାହା କିଛି ଜଣାପଡ଼ିଲା ନାହିଁ । ଆକାଶରୁ ନିପତିତ ଜଳଧାରା ବସୁଧାରେ ନିରନ୍ତର ପଡ଼ି ଆମ୍ଭଙ୍କୁ ସେଠାରେ ମୋହିତ କଲା । ବିଶୋଷଣ ନାମକ ଯେଉଁ ଦିବ୍ୟାସ୍ତ୍ର ଇନ୍ଦ୍ର ଆମ୍ଭଙ୍କୁ ଦେଇଥିଲେ, ତାହାକୁ ପ୍ରେରଣ କରି ତଦ୍ଦ୍ୱାରା ଆମ୍ଭେ ସେହି ଜଳକୁ ଶୋଷଣ କଲୁଁ । ୮ । ଶିଳାବର୍ଷଣ ହତହୋଇ ଜଳବର୍ଷା ବିଶୋଷିତ ହୁଅନ୍ତେ ଦାନବମାନେ ମାୟାମୟ ଅନଳକୁ ବାୟୁ ସହିତ ବିକ୍ଷିପ୍ତ କଲେ । ୯ । ହେ ଭାରତ ! ତଦନନ୍ତର ଆମ୍ଭେ ଜଳାସ୍ତ୍ରଦ୍ୱାରା ଅଗ୍ନିକୁ ନିର୍ବାପିତ କଲୁଁ, ଶୈଳ ଓ ମହାସ୍ତ୍ରଦ୍ୱାରା ବାୟୁବେଗକୁ ଧାରଣ କଲୁ । ୧୦ । ହେ ଭାରତ ! ବାୟୁବେଗ ପ୍ରତିହତ ହୁଅନ୍ତେ ଯୁଦ୍ଧଦୁର୍ମଦ ଦାନବମାନେ ଏକାବେଳକେ ବିବିଧ ମାୟାକୁ ପ୍ରକାଶ କଲେ । ୧୧ । ତଦନନ୍ତର ଭୟଙ୍କର ଅସ୍ତ୍ରମାନଙ୍କର ଅଗ୍ନିର ଓ ବାୟୁର ଓ ଶିଳାବର୍ଷଣ ରୋମାଞ୍ଚକାରୀ ବୃଷ୍ଟି ଏକ କାଳରେ ପ୍ରାଦୁର୍ଭୂତ ହେଲା । ୧୨ । ଯୁଦ୍ଧରେ ସେହି ମାୟାମୟୀ ବୃଷ୍ଟି ଆମ୍ଭଙ୍କୁ ଅତିଶୟ ପ୍ରପୀଡ଼ିତ କଲା ଓ ଚତୁର୍ଦ୍ଦିଗରୁ ଭୟଙ୍କର ତମ ଘୋଟିଗଲା । ୧୩ । ଘୋର ଓ ନିଷ୍ଠୁର ଅନ୍ଧକାର ଏହି ଲୋକକୁ ସଂବୃତ କରନ୍ତେ ଅଶ୍ୱମାନେ ବିମୁଖ ହେଲେ ଓ ମାତଳି ନିଜାସନରୁ ସ୍ଖଳିତ ହେଲେ । ୧୪ । ତାହାଙ୍କ ହସ୍ତର ହିରଣ୍ମୟ ପ୍ରତୋଦ ଖସି ଭୂମିରେ ପଡ଼ିଲା । ହେ ଭାରତ ! ସେ ଭୀତ ହୋଇ ଆମ୍ଭଙ୍କୁ ବାରମ୍ବାର କହିଲେ, ହେ ଭରତର୍ଷଭ ! କେଉଁଠାରେ ଅଛ ? ୧୫ ।

 

ମାତଳିଙ୍କ ଚେତନା ତଦ୍ରୂପ ହେବାରୁ ଆମ୍ଭଙ୍କୁ ତୀବ୍ରଭୟ ଉପସ୍ଥିତ ହେଲା । ମାତଳି ଜ୍ଞାନଶୂନ୍ୟ ହେଲେ ହେଁ ଆମ୍ଭଙ୍କୁ ତ୍ରସ୍ତ ଦେଖି କହିଲେ । ୧୬ । ହେ ପାର୍ଥ ! ପୂର୍ବକାଳରେ ଅମୃତାର୍ଥ ସୁର ଓ ଅସୁରମାନଙ୍କ ମଧ୍ୟରେ ମହାନ ସଂଗ୍ରାମ ଉପସ୍ଥିତ ହୋଇଥିଲା । ହେ ପୁଣ୍ୟାତ୍ମନ ! ଆମ୍ଭେ ସେହି ଯୁଦ୍ଧକୁ ଦେଖିଥିଲୁଁ । ସମ୍ବର ବଧରେ ମଧ୍ୟ ଘୋର ସଂଗ୍ରାମ ହୋଇଥିଲା । ସେଠାରେ ସୁଦ୍ଧା ଆମ୍ଭେ ଦେବରାଜଙ୍କର ସାରଥି ହୋଇଥିଲୁଁ । ୧୮ । ପୁନଶ୍ଚ ବୃତ୍ତ୍ରାସୁର ବଧରେ ଆମ୍ଭେ ଅଶ୍ୱମାନଙ୍କର ପରିଚାଳନା କରିଥିଲୁଁ । ବିରୋଚନପୁତ୍ରଙ୍କ ସହିତ ସୁଦାରୁଣ ଯୁଦ୍ଧକୁ ଆମ୍ଭେ ଦେଖିଅଛୁଁ । ୧୯ । ଏହିସବୁ ମହାଭୟଙ୍କର ଯୁଦ୍ଧକୁ ଆମ୍ଭେ ନିର୍ବାହ କରିଥିଲୁଁ । କିନ୍ତୁ ହେ ପାଣ୍ଡବ ! ଏଥି ପୂର୍ବରୁ ଆମ୍ଭେ କୌଣସିଠାରେ ସୁଦ୍ଧା ଏତାଦୃଶ ହତଜ୍ଞାନ ହୋଇ ନ ଥିଲୁଁ । ୨୦ । ନିଶ୍ଚୟ ପିତାମହ ବ୍ରହ୍ମା ପ୍ରଜାମାନଙ୍କର କ୍ଷୟବିଧାନ କରିଅଛନ୍ତି । ଜଗତର କ୍ଷୟ ତାହାଙ୍କର ଅଭିପ୍ରେତ, ନତୁବା ଏପରି ଯୁଦ୍ଧ କଦାପି ଘଟନ୍ତା ନାହିଁ । ତାଙ୍କର ସେହି ବଚନ ଶ୍ରବଣ କରି ଆମ୍ଭେ ଆପଣାର ଚିତ୍ତକୁ ସ୍ଥିର କରି ଦାନବମାନଙ୍କର ମହତ ବଳକୁ ବିମୋହିତ କଲୁଁ । ୨୨ ।

 

ଭୀତ ମାତଳିଙ୍କୁ ଆମ୍ଭେ ତତ୍କାଳରେ କହିଲୁ, ଆମ୍ଭର ଭୁଜବଳ ଦେଖ । ଅସ୍ତ୍ରମାନଙ୍କର ପ୍ରଭାବ, ଅଥଚ ଗାଣ୍ଡୀବଧନୁର ପରାକ୍ରମକୁ ଦେଖ । ୨୩ । ଅଦ୍ୟ ଆମ୍ଭେ ଅସ୍ତ୍ରମାୟାଦ୍ୱାରା ଦାନବମାନଙ୍କର ଏହି ଦାରୁଣ ମାୟାକୁ ସଂହାର କରିବୁ । ଏହି ଉଗ୍ର ଅନ୍ଧକାରକୁ ବିନାଶ କରିବୁ । ହେ ସୁତ ! ଭୟ କର ନାହିଁ, ସ୍ଥିର ହୁଅ । ୨୪ । ହେ ନରାଧିପ ! ଏହିପରି କହି ଆମ୍ଭେ ଅସ୍ତ୍ରମାୟାକୁ ସୃଷ୍ଟ କଲୁ । ଯେଉଁ ମାୟାକି ସର୍ବପ୍ରାଣୀର ମୋହନକାରିଣୀ, ତ୍ରିଦିବବାସୀମାନଙ୍କର ହିତନିମିତ୍ତ ସୃଷ୍ଟ ହୋଇଅଛି । ୨୫ । ଅସୁରମାନଙ୍କର ମାୟା ପ୍ରପୀଡ଼ିତ ହେଲା, ସେହି ଅସୁରମାନେ ପୁନର୍ବାର ବହୁବିଧ ମାୟାକୁ ପ୍ରାଦୁର୍ଭୂତ କଲେ । ୨୬ । ପୁନଶ୍ଚ ମାୟା ନଷ୍ଟ ହୋଇ ପ୍ରକାଶ ଜାତ ହେଲା । ପୁନର୍ବାର ଏହି ଲୋକ ଅନ୍ଧକାରଦ୍ୱାରା ଗ୍ରସ୍ତ ହେଲା; କିଛି ମାତ୍ର ଦୃଶ୍ୟ ହେଲା ନାହିଁ । ପୁନର୍ବାର ଜଳରେ ନିମଜ୍ଜିତ ହେଲା । ୨୭ । ପ୍ରକାଶ ହୁଅନ୍ତେ ଅଶ୍ୱମାନେ ମାତଳିଦ୍ୱାରା ଉତ୍ତମରୂପେ ସଂଗୃହୀତ ହେଲେ । ୨୮ । ତଦନନ୍ତର ଅତ୍ୟୁଗ୍ର ନିବାତକବଚମାନେ ଆମ୍ଭ ପ୍ରତି ଧାବିତ ହେଲେ । ଅବସର ପାଇ ଆମ୍ଭେ ସେମାନଙ୍କୁ ଯମସଦନକୁ ପ୍ରେରଣ କଲୁ । ୨୯ । ଏହିପରି ନିବାତକବଚଙ୍କ ଅନ୍ତକାରୀ ସେହି ଯୁଦ୍ଧ ହେଉ ହେଉ ସେହି ଦାନବମାନେ ମାୟାରେ ଆବୃତ ହେବାରୁ ସହସା ସେମାନଙ୍କ ମଧ୍ୟରୁ ଗୋଟିଏ ସୁଦ୍ଧା ଦୃଶ୍ୟ ହେଲେ ନାହିଁ । ୩୦ ।

 

॥ ଅଧ୍ୟାୟ – ୧୭୨ ॥

 

ଅର୍ଜୁନ ବୋଇଲେ, ଦୈତ୍ୟମାନେ ଏହି ମାୟାଯୁଦ୍ଧରେ ପ୍ରବୃତ୍ତ ହୋଇ ଅଦୃଶ୍ୟ ହୁଅନ୍ତେ ଆମ୍ଭେ ମଧ୍ୟ ଅଦୃଶ୍ୟ ଅସ୍ତ୍ର ଘେନି ସେମାନଙ୍କ ସହିତ ଯୁଦ୍ଧ କଲୁ । ୧ । ଗାଣ୍ଡୀବ ନିର୍ମୁକ୍ତ ବିଶିଖମାନେ ସମ୍ୟକ୍ରୂପେ ପ୍ରଯୁକ୍ତ ହୋଇ ଯେଉଁ ଯେଉଁଠାରେ ଦାନବମାନେ ଥିଲେ, ସେହିଠାରେ ସେମାନଙ୍କର ଉତ୍ତମାଙ୍ଗମାନଙ୍କୁ ଛେଦନ କଲେ । ୨ । ତଦନନ୍ତର ନିବାତକବଚମାନେ ଯୁଦ୍ଧରେ ଆମ୍ଭଦ୍ୱାରା ନିହତ ହୋଇଯିବାରୁ ସହସା ସେମାନେ ମାୟାକୁ ସଂହରଣ କରି ଆପଣା ଗୃହରେ ପ୍ରବିଷ୍ଟ ହେଲେ । ୩ । ଦୈତ୍ୟମାନେ ଅପଗତ ହୋଇଯିବାରୁ ଓ ଦିଗମାନେ ନିର୍ମଳ ହେବାରୁ ଆମ୍ଭେ ଦେଖିଲୁ ଯେ ଶତ ସହସ୍ର ଦାନବ ସେଠାରେ ହତ ହୋଇ ପଡ଼ିଅଛନ୍ତି । ୪ । ସେଠାରେ ସେମାନଙ୍କର ଶସ୍ତ୍ର ଓ ଆଭରଣମାନ ଭଗ୍ନ ହୋଇ ପଡ଼ିଅଛି । କବଚ ସହିତ ଶତ ଶତ ଦୈତ୍ୟଦେହ ଭୂମିରେ ପଡ଼ିଅଛି । ୫ । ଅଶ୍ୱମାନେ ପାଦ ପକାଇବାକୁ କିଞ୍ଚିନ୍ମାତ୍ର ସ୍ଥାନ ପାଇଲେ ନାହିଁ । ତହୁଁ ସେମାନେ ଅନ୍ତରୀକ୍ଷକୁ ଉଠି ସେଠାରେ ଅବସ୍ଥିତ ହେଲେ । ୬ ।

 

ତଦନନ୍ତର ନିବାତକବଚମାନେ କେବଳ ଆକାଶକୁ ଆଚ୍ଛାଦିତ କରି ଅଦୃଶ୍ୟଭାବରେ ରହି ବଡ଼ ବଡ଼ ଶିଳାମାନ ବିସର୍ଜନ କଲେ ଓ ବୃଷ୍ଟି କଲେ । ହେ ଭାରତ ! ଯେଉଁ ଭୟାନକ ଦାନବମାନେ ଭୂମିରେ ରହିଲେ, ସେମାନେ ଅଶ୍ୱମାନଙ୍କର ଚରଣ ଓ ରଥର ଚକ୍ରକୁ ଧାରଣ କଲେ-। ୮ । ଏହି ପ୍ରକାରେ ଅଶ୍ୱମାନଙ୍କୁ ଓ ରଥକୁ ନିଗୃହୀତ କରି ପର୍ବତସମୂହଦ୍ୱାରା ଆମ୍ଭଙ୍କୁ ପ୍ରହାର କଲେ । ୯ । ଯେଉଁଠାରେ ଆମ୍ଭେ ଥିଲୁ ସେ ସ୍ଥାନର ଚତୁଃପାର୍ଶ୍ୱରେ ଏତେ ପ୍ରସ୍ତର ଓ ପର୍ବତ ନିପତିତ ହେଲା ଯେ ଆମ୍ଭର ସେହି ସ୍ଥାନଟି ଗୁହାର ଆକାର ଧାରଣ କଲା । ୧୦ । ତତ୍କାଳରେ ଆମ୍ଭର ଅସ୍ତ୍ରମାନଙ୍କୁ ଦାନବମାନେ ନିଗୃହୀତ କଲେ ଓ ସ୍ୱୟଂ ଆମ୍ଭେ ଯେ ରାଶି ରାଶି ପର୍ବତଦ୍ୱାରା ଆଚ୍ଛାଦିତ ହୋଇ ପରମ ପୀଡ଼ା ପ୍ରାପ୍ତ ହେଲୁ, ମାତଳି ତାହା ବୁଝିପାରିଲେ । ୧୧ । ଆମ୍ଭଙ୍କୁ ଭୀତ ହୋଇଥିବାର ବୋଧକରି ମାତଳି କହିଲେ, “ଅର୍ଜୁନ, ଅର୍ଜୁନ ! ତୁମ୍ଭେ ଭୟ କର ନାହିଁ । ୧୨ । ହେ ନରନାଥ ! ତଦନନ୍ତର ଆମ୍ଭେ ତାହାଙ୍କର ବାକ୍ୟ ଶ୍ରବଣ କରି ଦେବରାଜଙ୍କ ପ୍ରିୟ ଭୟାନକ ବଜ୍ରାସ୍ତ୍ରକୁ ଅଭିମନ୍ତ୍ରିତ କରି ପ୍ରୟୋଗ କଲୁ । ଗାଣ୍ଡୀବକୁ ବଜ୍ରମନ୍ତ୍ରରେ ଅନୁମନ୍ତ୍ରିତ କରି ପର୍ବତସ୍ଥାନକୁ ଲକ୍ଷ୍ୟ କରି ଲୌହନିର୍ମିତ ଶାଣିତ ଶରମାନଙ୍କୁ ବିମୋଚନ କଲୁ । ତତ୍ପରେ ବଜ୍ରମନ୍ତ୍ରପ୍ରେରିତ ବଜ୍ରୀଭୂତ ବାଣମାନେ ଆସୁରୀ ମାୟାକୁ ବିନାଶ କରି ନିବାତକବଚମାନଙ୍କ ମଧ୍ୟରେ ସମାବିଷ୍ଟ ହେଲେ । ୧୫ । ତଦ୍ଦ୍ୱାରା ପର୍ବତାକାର ସେହି ଦାନବମାନେ ଆମ୍ଭର ବଜ୍ରାସ୍ତ୍ର ବେଗରେ ପରସ୍ପର ଆଲିଙ୍ଗନ କରି ପୃଥିବୀର ଅଭ୍ୟନ୍ତରରେ ଥାଇ ରଥଚକ୍ରକୁ ଓ ଅଶ୍ୱମାନଙ୍କ ଚରଣକୁ ଗ୍ରହଣ କରିଥିଲେ । ଆମ୍ଭର ବାଣସବୁ ସେମାନଙ୍କ ମଧ୍ୟରେ ସୁଦ୍ଧା ପ୍ରବିଷ୍ଟ ହୋଇ ସେମାନଙ୍କୁ ବିନଷ୍ଟ କଲା-

 

ଏଥି ଉତ୍ତାରୁ ଆମ୍ଭେ ଦେଖିଲୁ ଯେ ପ୍ରତିକ୍ଷିପ୍ତ ପର୍ବତ ଓ ନିବାତକବଚଙ୍କ ମୃତ ଶରୀରଦ୍ୱାରା ସେହି ସ୍ଥାନ ସମାଚ୍ଛନ୍ନ ହୋଇଥିଲା । ତତ୍କାଳରେ ଅଶ୍ୱମାନଙ୍କର, କି ରଥର, କି ମାତଳିଙ୍କର, କି ଆମ୍ଭର କୌଣସି କ୍ଷତି ଦୃଶ୍ୟ ହେଲା ନାହିଁ । ଆମ୍ଭମାନଙ୍କୁ ଏହି କାର୍ଯ୍ୟଟି ଅଦ୍ଭୁତପ୍ରାୟ ବୋଧ ହେଲା-। ୧୯ । ହେ ରାଜନ୍‌ ! ତଦନନ୍ତର ମାତଳି ଆମ୍ଭଙ୍କୁ ହସି ହସି କହିଲେ, ଅର୍ଜୁନ, ତୁମ୍ଭଠାରେ ଯେପରି ବଳ, ବୀର୍ଯ୍ୟ ଉପଲବ୍ଧ ହେଉଛି, ତାହା ଦେବଗଣଙ୍କ ମଧ୍ୟରେ ଦୃଷ୍ଟ ହୁଏ ନାହିଁ । ୨୦ । ହେ ମହାରାଜ ! ଦାନବଦଳ ନିହତ ହୁଅନ୍ତେ ସେମାନଙ୍କର ନାରୀମାନେ ଶରତକାଳଳୀନ ସାରସ ପକ୍ଷୀଙ୍କ ପ୍ରାୟ କ୍ରନ୍ଦନ କଲେ । ୨୧ । ଏଥି ଉତ୍ତାରୁ ଆମ୍ଭେ ମାତଳିଙ୍କ ସହିତ ରଥରେ ଆରୋହଣ କରି ତାହାର ଗମ୍ଭୀର ନିଃସ୍ୱନଦ୍ୱାରା ନିବାତକବଚ-ସ୍ତ୍ରୀମାନଙ୍କୁ ସନ୍ତ୍ରସ୍ତ କରି ସେହି ପୁରରେ ପ୍ରବେଶ କଲୁ । ୨୨ । ଦାନବନାରୀମାନେ ଆମ୍ଭର ତେଜସ୍ୱୀ ରଥ ଓ ତହିଁରେ ସଂଯୁକ୍ତ ଦଶ ସହସ୍ର ମୟୂରସଦୃଶ ଅଶ୍ୱମାନଙ୍କୁ ଦେଖି ପୃଥକ୍ ପୃଥକ୍ ଦଳବଦ୍ଧ ହୋଇ ଇତସ୍ତତଃ ପଳାୟନ କଲେ । ସେ ସମୟରେ ଶୈଳଶୃଙ୍ଗରୁ ଶିଳାଖଣ୍ଡମାନ ନିପତିତ ହେଲେ ଯେପରି ଶବ୍ଦ କରେ, ଦାନବରମଣୀମାନଙ୍କ ଗାତ୍ରରୁ ସ୍ଖଳିତ ଆଭରଣସମୂହର ମଧ୍ୟ ତଦ୍ରୂପ ଶବ୍ଦ ଶ୍ରୁତିଗୋଚର ହେଲା । ସେହିସବୁ ଦୈତ୍ୟନାରୀମାନେ ତ୍ରାସଯୁକ୍ତ ହୋଇ ପରିଶେଷରେ ବହୁ ଯତ୍ନଦ୍ୱାରା ବିଚିତ୍ରିତ ସୁବର୍ଣ୍ଣମୟ ସ୍ୱ ସ୍ୱ ନିକେତନରେ ପ୍ରବେଶ କଲେ । ୨୫ ।

 

ଅତଃପର ଆମ୍ଭେ ସେହି ଅଦ୍ଭୁତାକାର ଉତ୍ତମ ନଗରକୁ ଅମରାବତୀଠାରୁ ସୁଦ୍ଧା ଉତ୍କୃଷ୍ଟ ହୋଇଥିବାର ଦେଖି ମାତଳିଙ୍କୁ ପଚାରିଲୁ ଯେ, ଏହି ନଗର ପୁରନ୍ଦରପୁରୀ ଅପେକ୍ଷା ବିଶିଷ୍ଟ ବୋଧ ହେଉଅଛି । ଅତଏବ ଦେବତାମାନେ କି କାରଣରୁ ଏ ପ୍ରକାର ଉତ୍କୃଷ୍ଟ ନଗରରେ ବାସ କରୁ ନାହାନ୍ତି ? । ୨୬ । ମାତଳି କହିଲେ, ହେ ପାର୍ଥ ! ପୂର୍ବକାଳରେ ଏହି ନଗର ଆମ୍ଭମାନଙ୍କ ଦେବରାଜଙ୍କର ବାସସ୍ଥାନ ଥିଲା । ତତ୍ପରେ ନିବାତକବଚମାନେ ସୁରଗଣଙ୍କୁ ଏଠାରୁ ତଡ଼ିଦେଇ ତହିଁରେ ସ୍ୱୟଂ ବାସ କଲେ । ୨୮ । ସେମାନେ ଅତିଶୟ ତୀବ୍ର ତପସ୍ୟାଦ୍ୱାରା ପିତାମହଙ୍କୁ ପ୍ରସନ୍ନ କରି ତାହାଙ୍କଠାରୁ ଏଠାରେ ବାସ କରିବା ଓ ଦେବଗଣଙ୍କୁ ଯୁଦ୍ଧରେ ଭୟ ନ କରିବା ବର ପ୍ରାପ୍ତ ହେଲେ । ୨୯ । ସେମାନେ ଉକ୍ତ ପ୍ରକାରେ ବରପ୍ରାପ୍ତ ହୁଅନ୍ତେ ସ୍ୱୟମ୍ଭୂ ଭଗବାନଙ୍କୁ ଇନ୍ଦ୍ର ଏହିପରି କହିଲେ ଯେ ଆପଣ ଏ ବିଷୟରେ ନିଜର ଶ୍ରେୟ ଯହିଁରେ ହୁଏ, ତହିଁର ପ୍ରତିକାର କରନ୍ତୁ । ୩୦ । ହେ ଭାରତ ! ତଦନନ୍ତର ପୁରନ୍ଦରଙ୍କୁ ପିତାମହ ଏହି ଆଦେଶ କଲେ ଯେ, ହେ ଶତ୍ରୁହନ ! ଏ ବିଷୟରେ ଇତିପୂର୍ବରୁ ଦୈବନିର୍ଦ୍ଦିଷ୍ଟ ହୋଇଅଛି ଯେ ତୁମ୍ଭେ ଅନ୍ୟ ଦେହ ଧାରଣ କରି ଏହି ନିବାତକବଚମାନଙ୍କର ବିନାଶ କରିବ । ୩୧ । ଅତଏବ ଏହି କାରଣରୁ ଇନ୍ଦ୍ର ତୁମ୍ଭଙ୍କୁ ଏମାନଙ୍କ ବଧ ନିମିତ୍ତ ଅସ୍ତ୍ର ପ୍ରଦାନ କରିଅଛନ୍ତି । ତୁମ୍ଭେ ଯେଉଁମାନଙ୍କୁ ବଧ କଲ, ସେମାନଙ୍କୁ ଦେବତାମାନେ ବଧ କରିବାକୁ ଅସମର୍ଥ ଅଟନ୍ତି । ୩୨ । ହେ ଭରତକୁଳପ୍ରସୂତ ! କାଳର ପରିଣାମ ଅନୁସାରେ ତୁମ୍ଭେ ଏଠାରେ ଦାନବମାନଙ୍କର ଅନ୍ତକ ହୋଇ ଆସିଥିବାରୁ ଏହି କାର୍ଯ୍ୟ ତୁମ୍ଭଦ୍ୱାରା ସମ୍ପାଦିତ ହେଲା । ୩୩ । ହେ ପୁରୁଷେନ୍ଦ୍ର ! ଦାନବମାନଙ୍କ ବିନାଶ ନିମିତ୍ତ ଦେବରାଜ ତୁମ୍ଭଙ୍କୁ ସର୍ବୋତ୍କୃଷ୍ଟ ଅସ୍ତ୍ର ଓ ବଳଗ୍ରହଣ କରାଇଅଛନ୍ତି । ୩୪ । ଅର୍ଜୁନ କହିଲେ, ତଦନନ୍ତର ଆମ୍ଭେ ସେହିସବୁ ଦାନବମାନଙ୍କୁ ନିହତ କରି ସେହି ନଗରକୁ ଶାସନକରି ପୁନର୍ବାର ମାତଳିଙ୍କ ସହିତ ସୁରପୁରୀକୁ ଯାତ୍ରା କଲୁ । ୩୫ ।

 

॥ ଅଧ୍ୟାୟ – ୧୭୩ ॥

 

ଅର୍ଜୁନ ବୋଇଲେ, ଆମ୍ଭେ ସେଠାରୁ ନିବୃତ୍ତ ହୋଇ ପାବକ ଓ ପ୍ରଭାକରଙ୍କ ତୁଲ୍ୟ ପ୍ରଭାଶୀଳ କାମଚର ଆଉ ଗୋଟିଏ ଦିବ୍ୟ ନଗର ଦେଖିଲୁ । ୧ । ସେହି ନଗର ରତ୍ନ- ଦୃଶ୍ୟମୟ ଚିତ୍ରସମୂହରେ ଓ ସୁସ୍ୱର ପକ୍ଷୀସମୂହରେ ରଞ୍ଜିତ ହୋଇଅଛି । ପୌଲମ ଓ କାଳକଞ୍ଜ ନାମକ ଅସୁରମାନେ ପରମାହ୍ଲାଦରେ ସେଠାରେ ଅଧିବାସ କରନ୍ତି । ୨ । ସେହି ନଗରର ଚାରିଦ୍ୱାର ଥାଇ ତାହା ଦୁର୍ଗମ ହୋଇଅଛି । ଗୋପୁର ଓ ଅଟ୍ଟାଳିକା ସମୂହରେ ସଂଯୁତ, ସର୍ବ ରତ୍ନମୟ, ଦିବ୍ୟ ଓ ଅଦ୍ଭୁତଦର୍ଶନ ପୁଷ୍ପଫଳଧାରୀ ନାନା ରତ୍ନମୟ ବୃକ୍ଷରେ ପରିବୃତ, ସୁମନୋହର ଦିବ୍ୟ ପତତ୍ରୀନିଚୟରେ ସମୁପେତ ହୋଇଅଛି । ଯେଉଁଠାରେ ନିତ୍ୟ ପ୍ରମୁଦିତ ଓ ମାଲ୍ୟବିଭୂଷିତ ହୋଇ ଅସୁରସମୂହ ଶୂଳ, ଖଡ଼୍‌ଗ, ମୂଷଳ, ମୁଦ୍‌ଗର ଓ କୋଦଣ୍ଡ ଧାରଣ କରି ସର୍ବତ୍ର ସମାକୀର୍ଣ୍ଣ ହୋଇଅଛନ୍ତି । ୫ । ହେ ମହାରାଜ ! ଆମ୍ଭେ ଏତାଦୃଶ ଆଶ୍ଚର୍ଯ୍ୟଜନକ ଦୈତ୍ୟପୁରକୁ ଦର୍ଶନ କରି ମାତଳିଙ୍କୁ ପଚାରିଲୁ, କି ଆଶ୍ଚର୍ଯ୍ୟ ! ଏହି ନଗର ଦାନବାଧୀନ ହୋଇଅଛି । ୬ । ମାତଳି କହିଲେ, ପୁଲୋମା ଓ କାଳିକା ନାମରେ ଦିତିଙ୍କର ଦୁଇଗୋଟି ତନୟା ମହା-ଅସୁରୀ ଦିବ୍ୟ ପରିମାଣରେ ସହସ୍ରବର୍ଷ ଉତ୍କଟ ତପସ୍ୟା କରିଥିଲେ । ୭ । ଅନନ୍ତର ସେମାନଙ୍କ ତପସ୍ୟା ଅବସାନ ହେବାରୁ ସ୍ୱୟମ୍ଭୂ ସେମାନଙ୍କୁ ବରଦାନ କଲେ । ସେମାନେ ସ୍ୱୟମ୍ଭୂଙ୍କଠାରୁ ଏହି ବର ଗ୍ରହଣ କଲେ ଯେ ସେମାନଙ୍କ ପୁତ୍ରଗଣଙ୍କର ଦୁଃଖ ନ ହେଉ ଏବଂ ସୁର, ରାକ୍ଷସ ଓ ପନ୍ନଗଗଣ ତାଙ୍କ ପୁତ୍ରଙ୍କୁ ବିନାଶ କରି ନ ପାରନ୍ତୁ; ଅଥଚ ସେମାନଙ୍କ ବ୍ୟବହାର ନିମିତ୍ତ ରମଣୀୟ ଗୋଟିଏ ନଗର ଲାଭ ହେଉ । ଯେଉଁ ନଗର ଆକାଶରେ ଅବସ୍ଥିତ ହୋଇଥିବ, ରମଣୀୟ ଓ ମହାପ୍ରଭୁ ଦିଶୁଥିବ, ସର୍ବରତ୍ନରେ ଯୁକ୍ତ ଥିବ, ଯେଉଁଠାକୁ ଦେବଗଣ, ମହର୍ଷିଗଣ, ଯକ୍ଷ, ଗନ୍ଧର୍ବ, ପନ୍ନଗଗଣ ଓ ଅସୁରନିଚୟ ଗମନକରିନପାରିବେ, ପୁନଶ୍ଚ ଯେଉଁ ନଗର ସର୍ବକାମପୂରଣ ଗୁଣରେ ଯୁକ୍ତ ହୋଇଥିବ, ଅଥଚ ଯେଉଁଠାରେ ଶୋକ ଓ ଆଧିବ୍ୟାଧି ସବୁ ନ ଥିବ, ଏହିପରି ନଗର ସେମାନେ ପ୍ରାର୍ଥନା କଲେ ।

 

ହେ ଭରତଶ୍ରେଷ୍ଠ ! ବ୍ରହ୍ମା ଯେଉଁ ଆକାଶଚର ଦିବ୍ୟ ନଗରକୁ କାଳକେୟଗଣଙ୍କ ନିମିତ୍ତ ନିର୍ମାଣ କରିଥିଲେ, ବର୍ତ୍ତମାନ ତୁମ୍ଭେ ସେହି ଅମରଶୂନ୍ୟ ନଗରରେ ବିଚରଣ କରୁଅଛ । ହେ ବୀର-! ଏହି ନଗରରେ ଉକ୍ତ କାଳକଞ୍ଜ ଓ ପୌଲମ୍ୟ ଦାନବମାନେ ବାସ କରିଥା’ନ୍ତି । ୧୨ । ଏହି ମହାନଗର ହିରଣ୍ୟପୁର ବୋଲି ବିଖ୍ୟାତ ଅଟେ । କାଳକେୟ ଓ ପୌଲମେୟ ଦାନବମାନେ ଏହାକୁ ସର୍ବଦା ରକ୍ଷା କରନ୍ତି । ୧୩ । ହେ ରାଜେନ୍ଦ୍ର ! ଏମାନେ ସର୍ବଦା ପ୍ରମୁଦିତ ଥା’ନ୍ତି । ସର୍ବ ଦେବତାଙ୍କର ଅବଧ୍ୟ, ଉଦବେଗରହିତ ଓ ପୂର୍ଣ୍ଣମନୋରଥ ହୋଇ ଏହି ନଗରରେ ବାସ କରନ୍ତି । ୧୪ । ହେ ପାର୍ଥ ! ପୂର୍ବେ ବ୍ରହ୍ମା ନିର୍ଦ୍ଦେଶ କରିଅଛନ୍ତି ଯେ ମନୁଷ୍ୟ ହସ୍ତରେ ଏମାନେ ବଧ ହେବେ; ଅତଏବ ଏହି ଦୁରାପଦ ଅତି ବଳବାନ କାଳକଞ୍ଜଗଣଙ୍କୁ ତୁମ୍ଭେ ବଜ୍ରାସ୍ତ୍ରଦ୍ୱାରା ଶୀଘ୍ର ବିନାଶ କର । ୧୫ ।

 

ଅର୍ଜୁନ କହିଲେ, ହେ ନରନାଥ ! ସେହି ନଗର ଯେ ସୁରାସୁରମାନଙ୍କର ଅବଧ୍ୟ, ଏହା ଜାଣି ଆମ୍ଭେ ହୃଷ୍ଟହୋଇ ମାତଳିଙ୍କୁ କହିଲୁ ଯେ ତୁମ୍ଭେ ଶୀଘ୍ର ଏହି ପୁରକୁ ଯାଅ । ଆମ୍ଭେ ଅସ୍ତ୍ରଦ୍ୱାରା ସୁରଦ୍ୱେଷୀମାନଙ୍କୁ ବଧ କରିବୁ । ଏପରି କୌଣସି ସୁରଦ୍ୱେଷୀ, ପାପାତ୍ମା ନାହାନ୍ତି ଯେଉଁମାନେ କି ଆମ୍ଭର କୌଣସି ପ୍ରକାରେ ବଧ୍ୟ ନୁହନ୍ତି । ୧୭ । ଏହି କାରଣରୁ ମାତଳି ଆମ୍ଭଙ୍କୁ ଅଶ୍ୱଯୁକ୍ତ ସେହି ଦିବ୍ୟ ରଥରେ ବସାଇ ହିରଣ୍ୟପୁରକୁ ଶୀଘ୍ର ଘେନିଗଲେ । ୧୮ । ବିଚିତ୍ର ଆଭରଣ ଓ ବସ୍ତ୍ରଧାରୀ ସେହି ଦାନବମାନେ କବଚ ପିନ୍ଧି ରଥରେ ବସି ମହାବେଗରେ ଆମ୍ଭ ପ୍ରତି ଧାବିତ ହେଲେ । ୧୯ । ତଦନନ୍ତର ତୀବ୍ର ପରାକ୍ରମଶାଳୀ ଦାନବେନ୍ଦ୍ରମାନେ ଆମ୍ଭ ପ୍ରତି କ୍ରୂଦ୍ଧ ହୋଇ ନାଲିକ, ନାରାଚ, ଭଲ୍ଲ, ଶକ୍ତି, ରୁଷ୍ଟି ଓ ତୋମର ପ୍ରଭୃତିଦ୍ୱାରା ଆମ୍ଭର ଅସ୍ତ୍ରମାନଙ୍କୁ ପ୍ରତିହତ କଲେ, ଅଥଚ ତଦ୍ରୂପ ସେମାନଙ୍କର ଅସ୍ତ୍ରଦ୍ୱାରା ଆମ୍ଭଙ୍କୁ ପ୍ରହାର କଲେ । ୨୦ । ଆମ୍ଭେ ମଧ୍ୟ ମହତ ବିଦ୍ୟାବଳକୁ ଆଶ୍ରୟ କରି ମହତୀ ଶର ବୃଷ୍ଟିଦ୍ୱାରା ସେମାନଙ୍କର ଅସ୍ତ୍ରବର୍ଷଣକୁ ନିବାରଣ କଲୁ । ୨୧ । ରଣସ୍ଥଳରେ ରଥମାର୍ଗରେ ବିଚରଣ କରି ଆମ୍ଭେ ସେ ସମସ୍ତଙ୍କୁ ମୋହିତ କଲୁ । ତହିଁରେ ସେମାନେ ମୁଗ୍ଧ ହୋଇ ଆପଣା ମଧ୍ୟରେ ପରସ୍ପରକୁ ପାତିତ କଲେ । ୨୨ । ସେମାନେ ଏହିରୂପେ ବିମୁଗ୍ଧ ହୋଇ ପରସ୍ପର ପ୍ରତି ଧାବମାନ ହେଲେ । ଆମ୍ଭେ ମଧ୍ୟ ସେହି ସମୟରେ ଉଜ୍ଜ୍ୱଳ ଶିଖବିଶିଖଦ୍ୱାରା ସେମାନଙ୍କର ଶତ ଶତ ମସ୍ତକ ଛେଦନ କଲୁ । ୨୩ । ସେମାନେ ନିହତ ହୋଇ ପୁନର୍ବାର ହିରଣ୍ୟପୁରୀକୁ ଅବଲମ୍ବନ କରି ଦାନବୀମାୟାକୁ ଆଶ୍ରୟକରି ନଗର ସହିତ ଆକାଶକୁ ଉତ୍ପତିତ ହେଲେ । ୨୪ ।

 

ହେ କୁରୁନନ୍ଦନ ! ତତ୍କାଳରେ ଆମ୍ଭେ ଦାନବମାନଙ୍କ ରଥ ସମୂହକୁ ମହାଶରବର୍ଷଣଦ୍ୱାରା ସମାଚ୍ଛନ୍ନ କଲୁ ଓ ସେମାନଙ୍କ ଗତିକୁ ନିବାରଣ କଲୁ । ୨୫ । ତହିଁରେ ସୁଦ୍ଧା ଦାନବମାନେ ବରଲାଭ ପ୍ରଭାବରୁ ସୂର୍ଯ୍ୟସମ ପ୍ରଭାସମ୍ପନ୍ନ ଦିବ୍ୟ ଓ କାମଗପୁରକୁ ଯଥାସୁଖରେ ଗଗନରେ ଧାରଣ କରି ରହିଲେ । ୨୬ । ସେହି ପୁର ଥରେ ଭୂମି ମଧ୍ୟରେ ପତିତ ହୁଏ, ପୁନର୍ବାର ଊର୍ଦ୍ଧ୍ୱକୁ ଉଠି ସେଠାରେ ପ୍ରତିଷ୍ଠିତ ହୁଏ । ପୁନର୍ବାର ସେଠାରୁ କୁଟିଳ ଭାବରେ ତୀର୍ଯ୍ୟକ୍ ଗତିକରି ଜଳ ମଧ୍ୟରେ ନିମଗ୍ନ ହୁଏ । ୨୭ । ହେ ପରନ୍ତପ ! ଅମରାବତୀସଦୃଶ ସେହି କାମଗାମୀ ମହତ ପୁରକୁ ବହୁବିଧ ଅସ୍ତ୍ରନିକ୍ଷେପଦ୍ୱାରା ରୁଦ୍ଧ କଲୁ । ୨୮ । ତଦନନ୍ତର ଦିବ୍ୟାସ୍ତ୍ର, ପ୍ରକାଶିତ ଶରନିକରଦ୍ୱାରା ଦାନବଗଣଙ୍କ ସହିତ ସେହି ପୁରୀକୁ ଆମ୍ଭେ ଆୟତ୍ତ କଲୁ । ୨୯ । ହେ ରାଜନ୍‌ ! ତଦ୍ଦ୍ୱାରା ଓ ଆମ୍ଭେ ଯେଉଁ ଲୌହ ନିର୍ମିତ ଋଜୁଗାମୀ ବାଣମାନଙ୍କୁ ପ୍ରେରଣ କଲୁ, ତଦ୍ଦ୍ୱାରା ସେହି ଅସୁରପୁର ବିକ୍ଷତ ଓ ଭଗ୍ନହୋଇ ଭୂମିରେ ପତିତ ହେଲା । ୩୦ । ଲୌହମୟ ଓ ବଜ୍ରସମ ବେଗବାନ ଆମ୍ଭର ବାଣସମୂହଦ୍ୱାରା କାଳପ୍ରାପ୍ତ ହୋଇ ସୁଦ୍ଧା ସେହି ଦାନବମାନେ ପରିଭ୍ରମଣ କଲେ । ୩୧ ।

 

ଏହି ଉତ୍ତାରୁ ଆଦିତ୍ୟପ୍ରଭ ରଥକୁ ଘେନି ମାତଳି ଅଗ୍ରେ ଉତ୍ପନ୍ନ କରି ପୁନଶ୍ଚ ପୃଥିବୀରେ ଶୀଘ୍ର ଅବତରଣ କଲେ । ୩୨ । ହେ ଭାରତ ! ସେହି ସମୟରେ ଯୁଦ୍ଧାଭିଳାଷୀ ଅସୁରମାନଙ୍କର ଷାଠିଏ ସହସ୍ର ରଥ ଆମ୍ଭଙ୍କୁ ବେଷ୍ଟନ କଲା । ୩୩ । ଗୃଧ୍ରପକ୍ଷଭୂଷିତ ଶାଣିତ ଶର ସମୂହଦ୍ୱାରା ସେହି ରଥମାନଙ୍କୁ ନିହତ କରିବାରେ ପ୍ରବୃତ୍ତ ହେଲୁ । ଏହି ସମୟରେ ସେମାନେ ସମୁଦ୍ରତରଙ୍ଗ ପ୍ରାୟ ଉଦ୍‌ବିଗ୍ନ ହୋଇ ଯୁଦ୍ଧରେ ପ୍ରବୃତ୍ତ ହେଲେ । ଆମ୍ଭେ ସେତେବେଳେ ଭାବିଲୁ ଯେ ମାନବୀୟ ଯୁଦ୍ଧଦ୍ୱାରା ଏମାନଙ୍କୁ ପରାସ୍ତ କରି ହେବ ନାହିଁ । ୩୪ । ଏହିରୂପେ ଭାବି ଆମ୍ଭେ ଦିବ୍ୟାସ୍ତ୍ରମାନଙ୍କୁ ଯଥାକ୍ରମରେ ଯୋଜନା କଲୁ । କିନ୍ତୁ ସେହି ବିଚିତ୍ର ଯୋଦ୍ଧା ଓ ରଥୀମାନେ ଆମ୍ଭ ପ୍ରେରିତ ସହସ୍ର ସହସ୍ର ଦିବ୍ୟାସ୍ତ୍ରମାନଙ୍କୁ ଧୀରେ ଧୀରେ ପ୍ରତିହତ କଲେ । ପରେ ଆମ୍ଭେ ଦେଖିଲୁ ଯେ, ଶତ ଶତ ଓ ସହସ୍ର ସହସ୍ର ମହାବଳ ଦାନବ ବିଚିତ୍ର ରଥମାର୍ଗରେ ବିଚରଣ କରି ସମର କଲେ । ତତ୍କାଳରେ ସେମାନେ ବିଚିତ୍ର ମୁକୁଟ, ମାଲ୍ୟ, ଧ୍ୱଜ, କବଚ ଓ ଅନ୍ୟାନ୍ୟ ଆଭରଣ ଘେନିଥିଲେ । ଏହାଦ୍ୱାରା ଆମ୍ଭେ ବୋଧକଲୁ ଯେ, ଏମାନେ ଆମ୍ଭର ଚିତ୍ତକୁ ମୋହିତ କରିବା ନିମିତ୍ତ ଏହିପରି ବେଶ ଘେନି ଅଛନ୍ତି । ଅସ୍ତୁ ମନ୍ତ୍ର ପଢ଼ି ଶରବର୍ଷଣଦ୍ୱାରା ସେହି ରଣରେ ଆମ୍ଭେ ସେମାନଙ୍କର ବିଶେଷ ପୀଡ଼ା ଜାତ କରିପାରିଲୁ ନାହିଁ । ପରନ୍ତୁ ସେମାନେ ଆମ୍ଭଙ୍କୁ ପୀଡ଼ିତ କଲେ । ୩୮ । କୃତାସ୍ତ୍ର, ଯୁଦ୍ଧକୁଶଳ ବହୁସଂଖ୍ୟକ ଦାନବଙ୍କଦ୍ୱାରା ପୀଡ଼ିତ ହେବାରୁ ଏହି ମହାଯୁଦ୍ଧରେ ଆମ୍ଭର ଭୟ ଜାତ ହେଲା । ତତ୍ପରେ ସେହି ରଣରେ ପୟତ ହୋଇ ଦେବଦେବ ରୁଦ୍ରଙ୍କୁ ନମସ୍କାର କରି କହିଲୁ, ପ୍ରାଣୀମାନଙ୍କର ମଙ୍ଗଳ ହେଉ । ଏହା କହି ରୌଦ୍ର ନାମରେ ବିଖ୍ୟାତ ସର୍ବଶତ୍ରୁବିନାଶକାରୀ ମହାସ୍ତ୍ରକୁ ପ୍ରେରଣ କଲୁ-। ୪୧ । ତଦନନ୍ତର ଆମ୍ଭେ ଗୋଟିଏ ପୁରୁଷକୁ ଦେଖିଲୁ, ଯାହାର ତିନି ଗୋଟା ମସ୍ତକ, ତିନି ଗୋଟା ମୁଖ, ନଅ ଗୋଟା ଲୋଚନ, ଯାହାର କେଶ ସୂର୍ଯ୍ୟ ଓ ଅଗ୍ନିଙ୍କତୁଲ୍ୟ ଦୀପ୍ତିମାନ ଦିଶୁଅଛି-। ୪୨ ।

 

ହେ ଶତ୍ରୁନାଶନ ! ମହାନାଗରମାନେ ରସନାଦ୍ୱାରା ଲେହନ କରି ସେହି ପୁରୁଷଙ୍କର ଶିରୋବେଷ୍ଟନ କରିଛନ୍ତି । ହେ ଭରତଶ୍ରେଷ୍ଠ ! ତତ୍ପରେ ଆମ୍ଭେ ସେହି ସନାତନ ଘୋର ରୂପ ରୌଦାସ୍ତ୍ରକୁ ସନ୍ଦର୍ଶନ କରି ତାହାକୁ ଗାଣ୍ଡୀବରେ ଯୋଜନା କଲୁ । ତଦନନ୍ତର ଅପରିମିତ ତେଜସ୍ୱୀ ତ୍ରିଲୋଚନ ମହାଦେବଙ୍କୁ ପ୍ରଣିପାତ କରି ଦାନବେନ୍ଦ୍ରମାନଙ୍କର ସଂହାର କାମନାରେ ତାହାଙ୍କୁ ପରିତ୍ୟାଗ କଲୁ । ୪୪ । ସେହି ରୌଦାସ୍ତ୍ରକୁ ମୁକ୍ତ କଲାକ୍ଷଣି, ହେ ରାଜନ୍‌ ! ସେହି ରଣସ୍ଥାନରେ ମୃଗ, ସିଂହ, ବ୍ୟାଘ୍ର, ଭଲ୍ଲୁକ, ମହିଷ, ପନ୍ନଗ, ଗୋ, ଶରଭ, ବାନର, ବୃଷ, ବରାହ, ବୃକ, ଭଲ୍ଲୁକ, ଗୃଧ୍ର, ପର୍ବତ, ସମୁଦ୍ର, ଦେବ, ଋଷି, ଗନ୍ଧର୍ବ, ପିଶାଚ, ଯକ୍ଷ, ଅସୁର, ଗୃହ୍ୟକ, ନୈଋତ ଗୃଜାସ୍ୟ, ଅସ୍ତ୍ରଧାରୀ ମୀନାକାର ଓ ଅଶ୍ୱାକାର ସହସ୍ର ସହସ୍ର ରାକ୍ଷସ ପ୍ରାଦୁର୍ଭାବ ହେଲେ । ତତ୍ପରେ ଏହିରୂପ ପ୍ରାଣୀମାନେ ଓ ଅନ୍ୟାନ୍ୟ ବହୁସଂଖ୍ୟକ ନାନାରୂପଧାରୀ ପ୍ରାଣୀମାନଙ୍କଦ୍ୱାରା ନିଖିଳ ଜଗତ ପରିବ୍ୟାପ୍ତ ହେଲା । ୫୨ । ତହିଁରେ ମାଂସ, ମେଦ ଓ ବସାହାରୀତ୍ରିଶିର, ଚତୁର୍ଦ୍ଦନ୍ତ, ଚତୁରାନନ ଓ ଚତୁର୍ଭୁଜ ପ୍ରଭୃତି ଅନେକ ପ୍ରକାର ରୂପଧାରୀ ପ୍ରାଣୀଙ୍କଦ୍ୱାରା ଦାନବମାନେ ପୁନଃ ପୁନଃ ନିହତ ହୋଇ ବିନାଶପ୍ରାପ୍ତ ହେଲେ । ଆମ୍ଭେ ମଧ୍ୟ ଶତ୍ରୁବିନାଶକାରୀ, ସୂର୍ଯ୍ୟାଗ୍ନିସଦୃଶ, ତେଜସ୍ୱୀ, ବଜ୍ରାଶନୀ ସମାନ ପ୍ରଭାଶାଳୀ, ଗିରିସମ, ସାରମୟ ଅନ୍ୟାନ୍ୟ ବାଣଦ୍ୱାରା ମୁହୂର୍ତ୍ତକ ମଧ୍ୟରେ ସମୁଦାୟ ଦାନବଙ୍କୁ ବିନଷ୍ଟ କଲୁ । ୫୫ । ମହାରାଜ ! ଦାନବମାନେ ବିଚ୍ଛିନ୍ନ ହୋଇ ଆକାଶରୁ ନିପତିତ ହେବାର ଦେଖି ଆମ୍ଭେ ପୁନର୍ବାର ବିଧାତା ମହାଦେବଙ୍କୁ ପ୍ରଣାମ କଲୁ । ୫୬ । ଦେବସାରଥି ମାତଳି ମଧ୍ୟ ଦେଖିଲେ ଯେ, ରୌଦ୍ରାସ୍ତ୍ରଦ୍ୱାରା ଦିବ୍ୟାଭରଣଭୂଷିତ ଅସୁରମାନେ ବିନଷ୍ଟ ହେଲେ ।

 

ଏହା ଦେଖି ତାହାଙ୍କର ପରମ ହର୍ଷ ଜାତ ହେଲା । ୫୭ । ଦେବଗଣଙ୍କର ଅସାଧ୍ୟ ଏହି ମହତ କର୍ମକୁ ଆମ୍ଭେ ସୁସମ୍ପନ୍ନ କଲୁ । ଏହା ଦେଖି ମାତଳି ଆମ୍ଭଙ୍କୁ ଅତିଶୟ ସମାଦର କଲେ । ୫୮ । ସେ ପ୍ରୀତ ହୋଇ କୁତାଞ୍ଜଳିପୁଟରେ କହିଲେ, ହେ ବୀର, ତୁମ୍ଭେ ଯେଉଁ କର୍ମ ସମ୍ପାଦନ କଲ, ଏହା ସୁରାସରଙ୍କର ଅସାଧ୍ୟ । ସ୍ୱୟଂ ଇନ୍ଦ୍ର, ମଧ୍ୟ ଏହି କାର୍ଯ୍ୟ କରିବାକୁ ସମର୍ଥ ନୁହନ୍ତି । ଆକାଶଚାରୀ ଏହି ସୁମହତ୍‌ପୁରକୁ ଦେବତା କି ଅସୁର କେହି ବିନାଶ କରିନପାରନ୍ତି; କିନ୍ତୁ ତୁମ୍ଭେ ସ୍ୱକୀୟ ପରାକ୍ରମ ଓ ତପସ୍ୟାବଳରେ ଏହାକୁ ବିମଥିତ କଲ । ୫୯ । ହେ ମହାରାଜ ! କାମଗାମୀ ଆକାଶଚାରୀ ଏହି ପୁର ଦାନବଙ୍କ ସହିତ ହତ ହୁଅନ୍ତେ ସେମାନଙ୍କର ସ୍ତ୍ରୀମାନେ ବ୍ୟଥିତ ଚିତ୍ତରେ ମୁକ୍ତକେଶା ହୋଇ ଆର୍ତ୍ତନାଦ କରି କୁରରୀ ପ୍ରାୟ ରୋଦନ କଲେ ଓ ନଗରର ବହିର୍ଦ୍ଦେଶକୁ ପଳାୟନ କଲେ । ୬୨ । ସେମାନେ ପିତା, ଭ୍ରାତା ଓ ପୁତ୍ରଙ୍କର ମୃତ୍ୟୁଶୋକରେ ଆର୍ତ୍ତ ଓ ଅନାଥା ହେଲାରୁ ମାଲ୍ୟ ଓ ଭୂଷଣମାନ ଦେହରୁ ବିଗଳିତ ହେଲା । ସେମାନେ ବକ୍ଷରେ କରାଘାତ କରି ଶୁଷ୍କକଣ୍ଠରେ ରୋଦନପୂର୍ବକ ଭୂତଳରେ ପତିତ ହେଲେ । ୬୩ । ସେହି ଦାନବପୁର ଶୋକପୂର୍ଣ୍ଣ, ଶୋଭାହୀନ, ଦୀନଦଶାପନ୍ନ, ହତନାଥ, କାନ୍ତିବର୍ଜିତ ଓ ପ୍ରଭାଶୂନ୍ୟ ହୋଇ ପୁଷ୍କରିଣୀର ପଦ୍ମ ଶୁଖିଗଲେ ଅଥବା ଅରଣ୍ୟରୁ ବୃକ୍ଷ ଶୁଖିଗଲେ ସେମାନେ ଯେପରି ଶୋଭାହୀନ ଦିଶନ୍ତି, ସେହିପରି ଏହି ପୁର ଦୃଶ୍ୟ ହେଲା । ୬୫ । ତଦନନ୍ତର ସେହି ପୁର *ଗନ୍ଧର୍ବନଗର ପ୍ରାୟ ହେଲା । ମାତଳି ଆମ୍ଭଙ୍କୁ କୃତକାର୍ଯ୍ୟ ଓ ହୃଷ୍ଟ ହେବାର ଦେଖି ସମର ସ୍ଥଳରୁ ଦେବରାଜଙ୍କ ଭବନକୁ ଶୀଘ୍ର ରଥ ବାହି ଘେନିଗଲେ । ନିବାତ କବଚଙ୍କୁ ଓ ହିରଣ୍ୟପୁରସ୍ଥିତ ମହାସୁରମାନଙ୍କୁ ନିହତ କରି ଆମ୍ଭେ ସେଠାରୁ ଇନ୍ଦ୍ରଙ୍କ ସମୀପକୁ ଆସିଲୁ । ଆମ୍ଭର କର୍ମମାନଙ୍କୁ ମାତଳି ବିସ୍ତାର ପୂର୍ବକ ଇନ୍ଦ୍ରଙ୍କୁ କହିଲେ । ୬୮ । ହେ ମହାତେଜସ୍ୱୀନ୍‌ ! ହିରଣ୍ୟପୁର ଯେପରି ନିପାତିତ ହେଲା ଓ ମାୟାସବୁ ନିବାରିତ ହେଲା ଏବଂ ତାହା ଯେପରି ଘଟିଥିଲା; ସେହିପରି ମାତଳି ଶୁଣାଇଲେ । ୬୯ ।

 

[*ବାସ୍ତବରେ ଯେଉଁ ନଗର ନ ଥାଏ, କେବଳ ମାତ୍ର ସ୍ୱପ୍ନରେ ଦୃଶ୍ୟ ହୁଏ, ତାହାକୁ ‘ଗନ୍ଧର୍ବନଗର’ ବୋଲାଯାଏ ।]

 

ଯୁଦ୍ଧରେ ମହାତେଜସ୍ୱୀ ନିବାତକବଚମାନଙ୍କର ବଧବୃତ୍ତାନ୍ତ ଭଗବାନ ସହସ୍ରାକ୍ଷ ପୁରନ୍ଦର ଶ୍ରବଣ କରି ପ୍ରୀତ ହେଲେ । ୭୦ । ମରୁଦଗଣଙ୍କ ସହ ସହସ୍ରାକ୍ଷ ଆମ୍ଭଙ୍କୁ ସାଧୁ ସାଧୁ ବୋଲି କହି ପ୍ରଶଂସା କଲେ । ତତ୍ପରେ ଦେବରାଜ ପୁନଃ ପୁନଃ ଆମ୍ଭଙ୍କୁ ଅଶ୍ୱାସିତ କରି ଦେବଗଣଙ୍କ ସହିତ ଏହି ସୁମଧୁର ବଚନ କହିଲେ । ହେ ପାର୍ଥ ! ତୁମ୍ଭେ ଆମ୍ଭର ମହାନ ଶତ୍ରୁମାନଙ୍କୁ ନିହତ କରି ରଣରେ ଏହି ଯେଉଁ କାର୍ଯ୍ୟ କଲ, ଏପରି କାର୍ଯ୍ୟ କି ଦେବ, କି ଅସୁର କେହି କରିବାକୁ ସମର୍ଥ ନୂହନ୍ତି । ହେ ଧନଞ୍ଜୟ ! ଯୁଦ୍ଧସ୍ଥଳରେ ତୁମ୍ଭେ ଏହିପରି ସର୍ବଦା ସ୍ଥିର ହୋଇ କାର୍ଯ୍ୟ କରିବ । ୭୩ । ଅଥଚ ଭ୍ରାନ୍ତ ନ ହୋଇ ଅସ୍ତ୍ରସବୁ ପ୍ରତିପାଦନ କରିବ । କି ଦେବଗଣ, କି ରାକ୍ଷସଗଣ, କି ଦାନବଗଣ, କେହି ସୁଦ୍ଧା ରଣରେ ତୁମ୍ଭଙ୍କୁ ପରାଜୟ କରିପାରିବେ ନାହିଁ । ୭୪ । ଯକ୍ଷ, ଅସୁର, ଗନ୍ଧର୍ବ, ପକ୍ଷୀଗଣ ଓ ପନ୍ନଗଗଣପୂରିତ ଏହି ବସୁଧାକୁ ତୁମ୍ଭ ବାହୁବଳଦ୍ୱାରା ନିର୍ଜିତ କରି ଧର୍ମାତ୍ମା ଯୁଧିଷ୍ଠିର ପାଳନ କରିବେ । ୭୫ ।

 

॥ ଅଧ୍ୟାୟ – ୧୭୪ ॥

 

ଅର୍ଜୁନ କହିଲେ, ତଦନନ୍ତର ଦେବରାଜ ଆମ୍ଭଙ୍କୁ ଶରଦ୍ୱାରା କ୍ଷତବିକ୍ଷତ ହୋଇଥିବା ଅଥଚ ଶତ୍ରୁମାନଙ୍କୁ ଜୟ କରିଥିବାର ଦେଖି ବିଶେଷରୂପେ ସମାଦର କରି ଏହି କଥା କହିଲେ । ୧ । ହେ ଭାରତ ! ଯେତେ ଦିବ୍ୟାସ୍ତ୍ର ତାହାସବୁ ତୁମ୍ଭଠାରେ ଅଛି । ଅତଏବ କୌଣସି ମନୁଷ୍ୟ ତୁମ୍ଭଙ୍କୁ ପରାଭବ କରିବାକୁ ସମର୍ଥ ହେବେ ନାହିଁ । ୨ । ହେ ପୁତ୍ର ! ତୁମ୍ଭେ ସଂଗ୍ରାମରେ ଅବସ୍ଥିତ ହେଲେ ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ, ଶକୁନି ଓ ଅନ୍ୟାନ୍ୟ ରାଜନ୍ୟବର୍ଗ ତୁମ୍ଭର ଷୋଡ଼ଶାଂଶର ଏକ ଅଂଶ ସୁଦ୍ଧା ଯୋଗ୍ୟ ହୋଇପାରିବେ ନାହିଁ । ୩ । ହେ ନୃପ ! ପ୍ରଭୁ ମଘବନ ! ଏହି ଦିବ୍ୟ ଅଭେଦ୍ୟ ତନୁତ୍ରାଣ କବଚ ଓ ହିରଣ୍ମୟ ମାଳାକୁ ଆମ୍ଭଙ୍କୁ ପ୍ରଦାନ କରିଅଛନ୍ତି । ୪ । ଦେବଦତ୍ତ ନାମକ ମହାଶବ୍ଦକାରୀ ଏହି ଶଙ୍ଖକୁ ଆମ୍ଭଙ୍କୁ ଦେଇଅଛନ୍ତି ଓ ସ୍ୱହସ୍ତରେ ଏହି କୀରୀଟକୁ ଆମ୍ଭ ମସ୍ତକରେ ପିନ୍ଧାଇ ଅଛନ୍ତି । ୫ । ଆହୁରି ଦେବଲୋକ- ଉତ୍ପନ୍ନ ମନୋହର ମୂଲ୍ୟବାନ ଏହି ବସନ ଓ ଭୂଷଣମାନ ଆମ୍ଭଙ୍କୁ ପ୍ରଦାନ କରିଅଛନ୍ତି । ୬ । ମହାରାଜ ! ଆମ୍ଭେ ଏହିରୂପେ ସେହି ପୁଣ୍ୟମୟ ଇନ୍ଦ୍ରଭୁବନରେ ପୁରସ୍କୃତ ହୋଇ ଗନ୍ଧର୍ବ ବାଳକମାନଙ୍କ ସଙ୍ଗରେ ସୁଖରେ ବାସ କରିଥିଲୁଁ ।

 

ଏମନ୍ତ ସମୟରେ ଦିନେ ଇନ୍ଦ୍ର ଅମରଗଣଙ୍କ ସହିତ ପ୍ରୀତିଯୁକ୍ତ ହୋଇ ଆମ୍ଭଙ୍କୁ କହିଲେ, ହେ ଅର୍ଜୁନ, ତୁମ୍ଭର ଗମନ କରିବା ସମୟ ଉପସ୍ଥିତ ହୋଇଅଛି । ତୁମ୍ଭର ଭ୍ରାତାମାନେ ତୁମ୍ଭଙ୍କୁ ସ୍ମରଣ କରୁଅଛନ୍ତି । ୮ । ହେ ଭାରତ-କୁଳନନ୍ଦନ ! ମହାରାଜ ! ଆମ୍ଭେ ଏହି ପ୍ରକାରେ ଇନ୍ଦ୍ରଙ୍କ ସଦନରେ ଦ୍ୟୁତଜନୀତ କଷ୍ଟକୁ ସ୍ମରଣ କରି ପାଞ୍ଚବର୍ଷକାଳ ବାସ କରିଅଛୁଁ । ଅନନ୍ତର ଆମ୍ଭେ ଏହି ଗନ୍ଧମାର୍ଦ୍ଦନର ପ୍ରତ୍ୟନ୍ତ ପର୍ବତଶିଖରରେ ଆପଣଙ୍କୁ ଭ୍ରାତୃଗଣଙ୍କଦ୍ୱାରା ପରିବେଷ୍ଟିତ ହୋଇଥିବାର ଦେଖିଲୁ । ୧୦ ।

 

ଯୁଧିଷ୍ଠିର କହିଲେ, ହେ ଭରତକୁଳ ନନ୍ଦନ ! ଧନଞ୍ଜୟ ! ଭାଗ୍ୟ କ୍ରମେ ତୁମ୍ଭେ ଅସ୍ତ୍ରମାନଙ୍କୁ ଲାଭ କରିଅଛ । ଭାଗ୍ୟକ୍ରମେ ଦେବଗଣଙ୍କ ରାଜା, ପ୍ରଭୁ, ଈଶ୍ୱର, ଇନ୍ଦ୍ର ତୁମ୍ଭଦ୍ୱାରା ଆରାଧିତ ହୋଇଅଛନ୍ତି । ଭାଗ୍ୟକ୍ରମେ ଦେବଗଣଙ୍କ ଭଗବତୀଙ୍କ ସହିତ ଭଗବାନ ଶଙ୍କର ତୁମ୍ଭଙ୍କୁ ସାକ୍ଷାତ୍‍ ଦେଇ ତୁମ୍ଭର ଯୁଦ୍ଧରେ ପରିତୁଷ୍ଟ ହୋଇଅଛନ୍ତି ଓ ଭାଗ୍ୟକ୍ରମେ ଲୋକପାଳଗଣଙ୍କ ସହିତ ତୁମ୍ଭର ସାକ୍ଷାତ୍‍ ହୋଇଅଛି । ହେ ପରନ୍ତପ ! ଭାଗ୍ୟକ୍ରମେ ତୁମେ ପୁନରାଗମନ କଲ । ୧୩ । ତୁମ୍ଭଙ୍କୁ ପ୍ରାପ୍ତ ହୋଇ ଅଦ୍ୟ ଆମ୍ଭେମାନେ କରୁଅଛୁଁ ଯେ ନଗରମାଳିନୀ ଏହି ବସୁନ୍ଧରାକୁ ଆମ୍ଭେ ଜୟ କଲୁଁ ଓ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଆମ୍ଭର ବଶୀଭୂତ ହେଲେ । ହେ ଭରତକୁଳ- ଭୂଷଣ ! ତୁମ୍ଭେ ଯେଉଁସବୁ ଅସ୍ତ୍ରଦ୍ୱାରା ତାଦୃଶ ମହାବୀର୍ଯ୍ୟବନ୍ତ ନିବାତ କବଚମାନଙ୍କୁ ବଧ କରିଅଛ ସେହିସବୁ, ଦିବ୍ୟାସ୍ତ୍ରକୁ ଦେଖିବା ନିମିତ୍ତ ଆମ୍ଭର ଅଭିଳାଷ ହେଉଅଛି । ୧୫ ।

 

ଅର୍ଜୁନ କହିଲେ, ଆମ୍ଭେ ଯାହାଦ୍ୱାରା ନିବାତକବଚମାନଙ୍କୁ ମାରିଅଛୁ, ଆପଣ ସେହି ସମୁଦାୟ ଦିବ୍ୟାସ୍ତ୍ରକୁ କାଲି ପ୍ରଭାତରେ ଦେଖିବା ହେବେ । ୧୬ । ବୈଶମ୍ପାୟନ କହିଲେ, ଧନଞ୍ଜୟ ଏହି ରୂପେଁ ଆଗମନ ବୃତ୍ତାନ୍ତ ନିବେଦନ କରି ଭ୍ରାତୃଗଣଙ୍କ ସହିତ ସେହିଠାରେ ସେହି ରାତ୍ରିରେ ବାସ କଲେ । ୧୭ ।

 

॥ ଅଧ୍ୟାୟ – ୧୭୫ ॥

 

ବୈଶମ୍ପାୟନ କହିଲେ, ସେହି ରାତ୍ରି ଅତୀତ ହୁଅନ୍ତେ, ଭାତୃଗଣଙ୍କ ସହିତ ଧର୍ମରାଜ ଯୁଧିଷ୍ଠିର ଗାତ୍ରୋତ୍‌ଥାନପୂର୍ବକ ନିତ୍ୟକାର୍ଯ୍ୟ ସମାପ୍ତ କଲେ । ୧ । ପରେ ଜନନୀଙ୍କ ଆନନ୍ଦବର୍ଦ୍ଧନ ଅର୍ଜୁନଙ୍କୁ କହିଲେ– ହେ କୌନ୍ତେୟ ! ତୁମ୍ଭେ ଯେଉଁସବୁ ଅସ୍ତ୍ରଦ୍ୱାରା ଦାନବଦଳକୁ ଦଳନ କରିଅଛ, ସେହିସବୁ ଅସ୍ତ୍ର ଆମ୍ଭଙ୍କୁ ପ୍ରଦର୍ଶନ କର । ୨ । ହେ ମହାରାଜ ! ଭରତ ନନ୍ଦନ ! ତଦନନ୍ତର ପାଣ୍ଡୁପୁତ୍ର ଧନଞ୍ଜୟ ଦେବଗଣଙ୍କ ପ୍ରଦତ୍ତ ଦିବ୍ୟାସ୍ତ୍ରମାନ ଯୁଧିଷ୍ଠିରଙ୍କୁ ଦେଖାଇବାକୁ ଉଦ୍ୟତ ହେଲେ-। ୩ । ମହାତେଜା, ମହାଭୁଜ ଶ୍ରୀମାନ ଧନଞ୍ଜୟ ଯଥାବିଧି ପରମ ଶୁଚିବନ୍ତ ହୋଇ ଧ୍ୟାନଦ୍ୱାରା ଭୂଧରଙ୍କୁ ଯୁଗନ୍ଧର କରି ପ୍ରତ୍ୟନ୍ତ ପର୍ବତକୁ ଚକ୍ରକରି ଓ ଉତ୍ତମ ବଂଶଦଣ୍ଡକୁ ତ୍ରିବେଣୁ କରି ପୃଥିବୀକୁ ରଥ କଲେ । ତହିଁରେ ସ୍ୱୟଂ ଆରୋହଣ କରି ହସ୍ତରେ ଗାଣ୍ଡୀବ କୋଦଣ୍ଡକୁ ଧରିଲେ । ଦେବଦତ୍ତ ନାମକ ଶଙ୍ଖକୁ ମଧ୍ୟ ଗ୍ରହଣ କଲେ । ତତ୍ପରେ ଦିବ୍ୟ ସୁଦୀପ୍ତ କବଚରେ ସମାବୃତ ହୋଇ ଅତିଶୟ ଶୋଭମାନ ଦିଶିଲେ । ଅନନ୍ତର ଦିବ୍ୟାସ୍ତ୍ରମାନଙ୍କୁ ଏକାଦିକ୍ରମେ ସବୁ ଦେଖାଇବାକୁ ଆରମ୍ଭ କଲେ-। ୬ । ଦିବ୍ୟାସ୍ତ୍ର ପ୍ରୟୋଗ କରିବାକୁ ଉପକ୍ରମ କରନ୍ତେ, ପର୍ବତ ଓ ଦ୍ରୁମ ସହିତ ଏହି ମହୀତାହଙ୍କ ପାଦଭରାରେ ଆକ୍ରାନ୍ତ ହୋଇ କମ୍ପମାନା ହେଲା । ନଦୀ ଓ ସାଗରସମୂହ କ୍ଷୁଭିତ ହେଲେ । ୮ । ଶୈଳମାନେ ବିଦୀର୍ଣ୍ଣ ହେଲେ । ସମୀରଣ ନ ବହି ସ୍ଥିର ହେଲା । ସହସ୍ରାଂଶୁ ପ୍ରଭାହୀନ ହେଲେ । ଅଗ୍ନି ପ୍ରଜ୍ଜ୍ୱଳିତ ହେଲେ ନାହିଁ । ଦ୍ୱିଜାତିମାନଙ୍କର ବେଦମାନେ ସର୍ବପ୍ରକାରେ ସେମାନଙ୍କୁ ସ୍ମୃତି ହେଲା ନାହିଁ । ହେ ଜନମେଜୟ ! ଯେଉଁସବୁ ପ୍ରାଣୀମାନେ ଭୂମି ମଧ୍ୟରେ ଥିଲେ ସେମାନେ ମଧ୍ୟ ପୀଡ଼ିତ ହୋଇ ଭୂମିରୁ ବାହାରି ଅର୍ଜୁନଙ୍କୁ ବେଷ୍ଟନ କଲେ । ସେମାନେ ସମସ୍ତ ତତ୍କାଳରେ ଅସ୍ତ୍ରର ଅନଳଦ୍ୱାରା ଦହ୍ୟମାନ ହୋଇ ମୁଖକୁ ବିକୃତ କଲେ । ପରନ୍ତୁ ସେମାନେ କୃତାଞ୍ଜଳିପୁଟରେ କମ୍ପିତ ହୋଇ ଧନଞ୍ଜୟଙ୍କ ନିକଟରେ ଜୀବନ ପ୍ରାର୍ଥନା କଲେ । ସେହି ସମୟରେ ବ୍ରହ୍ମର୍ଷି, ସିଦ୍ଧ ମହର୍ଷିଗଣ ଓ ସମୁଦାୟ ଜଙ୍ଗମ ପ୍ରାଣୀ ସେଠାରେ ଉପସ୍ଥିତ ହେଲେ । ଦେବର୍ଷିମାନେ ଓ ଦ୍ୟୁଲୋକବାସୀମାନେ, ଯକ୍ଷ, ରାକ୍ଷସ, ଗନ୍ଧର୍ବ, ପତତ୍ରୀ ଓ ଖେଚର ପ୍ରଭୃତି ପ୍ରାଣୀମାନେ ସେଠାରେ ଉପସ୍ଥିତ ହେଲେ । ୧୪ । ତତ୍ପରେ ପିତାମହ ଲୋକପାଳମାନଙ୍କ ସହ ଓ ଭଗବାନ ମହାଦେବ ନିଜଗଣଙ୍କ ସହିତ ଆଗମନ କଲେ । ୧୫ । ପବନ ଦେବ ବିଚିତ୍ର ଦିବ୍ୟ ମାଲ୍ୟମାନଙ୍କୁ ଧରି ଅର୍ଜୁନଙ୍କ ଚତୁଃପାର୍ଶ୍ୱରେ ସର୍ବତୋଭାବ ସଞ୍ଚରଣ କଲେ । ୧୬ । ହେ ରାଜନ୍‌ ! ଗନ୍ଧର୍ବମାନେ ଦେବଗଣଙ୍କଦ୍ୱାରା ସେଠାକୁ ପ୍ରେରିତ ହୋଇ ଆସି ବିବିଧ ଗାଥା ଗାୟନ କଲେ ଓ ଅପସରାମାନେ ଦଳବଦ୍ଧ ହୋଇ ନୃତ୍ୟ କଲେ । ୧୭ ।

 

ହେ ନରପାଳ ! ସେହି ସମୟରେ ଦେବଗଣଙ୍କଦ୍ୱାରା ପ୍ରେରିତ ହୋଇ ସେଠାକୁ ନାରଦ ଆଗମନ କଲେ ଓ ପୃଥାପୁତ୍ରଙ୍କୁ ଏହି ବାକ୍ୟ କହିଲେ । ୧୮ । ଅର୍ଜୁନ ! ତୁମ୍ଭେ ଦିବ୍ୟାସ୍ତ୍ରମାନଙ୍କୁ ପ୍ରୟୋଗ କର ନାହିଁ । ଅଲକ୍ଷ୍ୟ ସ୍ଥାନରେ ଏହାକୁ ପ୍ରୟୋଗ କରିବା କଦାପି ଉଚିତ ନୁହେଁ । ସ୍ୱୟଂ ଆର୍ତ୍ତ ନ ହେଲେ ଲକ୍ଷ୍ୟରେ ସୁଦ୍ଧା ଏହାକୁ କଦାପି ପ୍ରୟୋଗ କରିବ ନାହିଁ । ହେ କୁରୁନନ୍ଦନ ! ଅକାରଣରେ ଦିବ୍ୟାସ୍ତ୍ରକୁ ପ୍ରଯୁକ୍ତ କଲେ ମହାନ ଦୋଷ ଘଟିବ । ୨୦ । ଏହିସବୁ ବଳବାନ ଅସ୍ତ୍ରକୁ ରକ୍ଷା କଲେ ସୁଖ ହୁଏ, ସନ୍ଦେହ ନାହିଁ । ୨୧ । ଯଦି ଏହିସବୁ ଅସ୍ତ୍ର ବିଧିପୂର୍ବକ ରକ୍ଷିତ ନ ହୁଏ, ତେବେ ସେହି ଅସ୍ତ୍ରଦ୍ୱାରା ତ୍ରିଲୋକ ବିନଷ୍ଟ ହେବ । ଅତଏବ ଆଉ କଦାପି ଏପରି କରିବ ନାହିଁ ।

 

ଅର୍ଜୁନଙ୍କୁ ଦେବର୍ଷି ଏହିପରି କହି ପରେ ଯୁଧିଷ୍ଠିରଙ୍କୁ କହିଲେ, ହେ ଅଜାତଶତ୍ରୁ ଯୁଧିଷ୍ଠିର । ଅର୍ଜୁନ ଯେତେବେଳେ ଯୁଦ୍ଧସ୍ଥଳରେ ଶତ୍ରୁକୁଳକୁ ମର୍ଦ୍ଦନ କରିବା ନିମିତ୍ତ ଏହି ମହାସ୍ତ୍ରସମୂହ ପ୍ରୟୋଗ କରିବେ, ତେତେବେଳେ ତୁମ୍ଭେ ଏହି ଅସ୍ତ୍ରମାନଙ୍କର ମହିମା ଓ ପ୍ରଭାବ ଦେଖିବ । ୨୩ । ବୈଶମ୍ପାୟନ କହିଲେ, ହେ ନରେନ୍ଦ୍ର ! ଦେବତାମାନେ ଏହିରୂପେ ପାର୍ଥଙ୍କୁ ନିବାରଣ କରି ଯଥାସ୍ଥାନକୁ ଗମନ କଲେ ଓ ଅନ୍ୟାନ୍ୟ ଯେଉଁମାନେ ସେଠାକୁ ଆଗମନ କରିଥିଲେ, ସେମାନେ ମଧ୍ୟ ସ୍ୱ ସ୍ୱ ସ୍ଥାନକୁ ପ୍ରସ୍ଥାନ କଲେ । ୨୪ । ହେ କୁମ୍ଭନନ୍ଦନ ! ସେମାନେ ସମସ୍ତେ ପ୍ରତିଗମନ କରନ୍ତେ ପାଣ୍ଡବମାନେ ହୃଷ୍ଟହୋଇ କୃଷ୍ଣାଙ୍କ ସହିତ ବନରେ ବାସ କଲେ ।

 

॥ ଅଧ୍ୟାୟ – ୧୭୬ ॥

 

ଜନମେଜୟ ପଚାରିଲେ– ରଥିବର ! ଅର୍ଜୁନ କୃତାସ୍ତ୍ର ହୋଇ ଇନ୍ଦ୍ରଙ୍କ ଭବନରୁ ଫେରିବାରୁ ପୃଥାଙ୍କ ପୁତ୍ରମାନେ ସେହି ଶୂର ଧନଞ୍ଜୟଙ୍କ ସହିତ କି କି କାର୍ଯ୍ୟ କଲେ । ୧ । ବୈଶମ୍ପାୟନ କହିଲେ, ଇନ୍ଦ୍ରଙ୍କ ସମାନ ବୀର ପାଣ୍ଡବମାନେ ଅର୍ଜୁନଙ୍କୁ ଘେନି ସେହି ରମଣୀୟ ଶୈଳରେ କୁବେରଙ୍କ ଉଦ୍ୟାନରେ ବିହାର କଲେ । ୨ । ଅର୍ଜୁନ ତତ୍ରସ୍ଥିତ ଅପ୍ରତିମ ଗୃହମାନଙ୍କୁ ଦେଖି ନାନାଦ୍ରୂମରେ ନିବଦ୍ଧ କ୍ରୀଡ଼ାସ୍ଥାନ ସମୂହରେ ଧନୁର୍ଦ୍ଧାରୀ ହୋଇ ବିଚରଣ କଲେ । ମହାସ୍ତ୍ରମାନଙ୍କୁ ଲାଭ କରିଥିଲେ ହେଁ ସେ କାହାରି ପ୍ରତି କୌଣସି ଅତ୍ୟାଚାର ନ କରି ପ୍ରୟତ ହୋଇ ରହିଲେ । ୩-। ନରଦେବଙ୍କ ପୁତ୍ରମାନେ ଧନେଶ୍ୱର କୁବେରଙ୍କ ପ୍ରସାଦରୁ ସେଠାରେ ବାସସ୍ଥାନ ପ୍ରାପ୍ତହୋଇ ତତ୍ରସ୍ଥିତ କୌଣସି ପ୍ରାଣୀ ପ୍ରତି କିଛି ସ୍ପୃହା ନ କରି ସେଠାରେ ଆନନ୍ଦରେ ରହିଲେ ଓ ଯେତେଦିନ ସେମାନେ ସେଠାରେ ରହିଲେ ତେତେଦିନ ସେମାନଙ୍କର ସମୟ ସୁଖରେ ଓ ନିର୍ବିଘ୍ନରେ ଅତିବାହିତ ହେଲା । ୪ । କ୍ରମରେ ସେହି ସ୍ଥାନରେ ସେମାନେ ଅର୍ଜୁନଙ୍କ ସହିତ ମିଳିତ ହୋଇ ଚାରି ବର୍ଷକାଳ ଏକରାତ୍ରି ପ୍ରାୟ ଅତିବାହିତ କଲେ । ପାଣ୍ଡବମାନଙ୍କ ବନବାସରେ ପୂର୍ବେ ଛଅବର୍ଷ କାଳ ଗତ ହୋଇଥିଲା ଓ ଏବେ ଗନ୍ଧମାର୍ଦ୍ଦନରେ କୁବେରଙ୍କ କ୍ରୀଡ଼ାବନରେ ଚାରିବର୍ଷ ରହିଲେ ।

 

ଏହିପରି ଦଶ ବର୍ଷକାଳ ସେମାନଙ୍କର ମହାସୁଖରେ ଅତୀତ ହେଲା । ୫ । ତଦନନ୍ତର ତେଜସ୍ୱୀ, ବାୟୁସୂତ ଓ ଦେବରାଜଙ୍କ ସଦୃଶ ବୀର ନକୁଳ ଓ ସହଦେବ ଏବଂ ଅର୍ଜୁନ ଯାଇ ନିର୍ଜନରେ ରାଜା ଯୁଧିଷ୍ଠିରଙ୍କ ସମୀପରେ ଏହିପରି ହିତଜନକ ଓ ଶ୍ରୂତିପ୍ରିୟ ବଚନମାନ କହିଲେ । ୬ । ହେ କୁରୁରାଜ ! ଆମ୍ଭେମାନେ ଆପଣଙ୍କ ପ୍ରତିଜ୍ଞା ପାଳନରେ ଓ ପ୍ରିୟକାର୍ଯ୍ୟାନୁଷ୍ଠାନରେ ଇଚ୍ଛୁକ ବୋଲି ବନ ପରିତ୍ୟାଗ କରି ଅନୁଚର ସହିତ ଦୁର୍ଯ୍ୟୋଧନଙ୍କୁ ହାଣିବାକୁ ଯାଉନାହୁଁ । ୭ । ହେ ମହାରାଜ ! ଆମ୍ଭେମାନେ ସୁଖରେ ରହିବାର ଯୋଗ୍ୟ, ପରନ୍ତୁ ଦୁର୍ଯ୍ୟୋଧନ ଆମ୍ଭମାନଙ୍କର ସୁଖକୁ ଆକର୍ଷଣ କରି ନେଲେ ହେଁ ଆମ୍ଭେମାନେ ଏହି ଏଗାର ବର୍ଷ ପର୍ଯ୍ୟନ୍ତ ସୁଖରେ ବାସକରି ଆସୁଅଛୁ-। ଏଥି ଉତ୍ତାରୁ ମଧ୍ୟ ଆପଣଙ୍କ ଆଜ୍ଞାନୁସାରେ ଅଭିମାନ ତ୍ୟାଗ କରି ନିଃଶଙ୍କ ଚିତ୍ତରେ ସେହି ଦୁର୍ମତି, ଦୁଶ୍ଚରିତ୍ର, ଦୁର୍ଯ୍ୟୋଧନକୁ ବଞ୍ଚନା କରି ବନ ମଧ୍ୟରେ ବିଚରଣ କରି ଅଜ୍ଞାତବାସରେ ଅତିବାହିତ କରିବା । ୯ । ଆମ୍ଭେମାନେ ଅଗ୍ରେ ସନ୍ନିହିତ ଦେଶରେ ବାସକରି ପରେ ଦୂର ଦେଶରେ ବାସ କରୁଅଛୁ । ଏହା ଭାବି ସେମାନେ ଆମ୍ଭଙ୍କୁ ଚିହ୍ନିପାରିବେ ନାହିଁ । ଅତଏବ ତାଦୃଶ ସ୍ଥାନରେ ବର୍ଷେକାଳ ପ୍ରଚ୍ଛନ୍ନଭାବରେ ବିହାର କରି ସେହି ନରାଧମ ଦୁର୍ଯ୍ୟୋଧନ ଓ ତାହାର ଅନୁଚରମାନଙ୍କୁ କଣ୍ଟକପ୍ରାୟ ଉଦ୍ଧାର କରିବୁ । ହେ ନରେନ୍ଦ୍ର ! ଆପଣ ସେହି ନରାଧମକୁ ପ୍ରତିଫଳ ଦେଇ ସେ ଯେତେଦୂର ଶତ୍ରୁତା କରିଅଛି, ତାହାର ଫଳପୁଷ୍ପ ତାହାଙ୍କୁ ଦେଇ ନିର୍ଯାତନା କରି ସୁଖରେ ରାଜ୍ୟଶାସନ କରିବା ହେବେ । ହେ ନରଦେବ ! ଆମ୍ଭେମାନେ ଏହି ସ୍ୱର୍ଗସଦୃଶ ଦେଶରେ ବିଚରଣ କରୁଅଛୁ । ଏହାଦ୍ୱାରା ଆମ୍ଭର ରାଜ୍ୟନାଶଜନିତ ଶୋକକୁ ନାଶ କରିପାରୁ, କିନ୍ତୁ ତାହାହେଲେ ହେଁ ସଚରାଚର ଲୋକ ମଧ୍ୟରେ ଆପଣଙ୍କର ଯେଉଁ ପୁଣ୍ୟଗନ୍ଧ କୀର୍ତ୍ତିପବନ ପ୍ରବାହିତ ହେଉଅଛି, ତାହା ବିନଷ୍ଟ ହେବ । ଅତଏବ ହେ ଭାରତ ! ଆପଣ କୁରୁରାଜ୍ୟ ପ୍ରାପ୍ତହୋଇ ମହତ ସୁଖ ସମ୍ଭୋଗ କରିପାରିବେ ଓ ଯଜ୍ଞାଦି କ୍ରିୟା ଅନୁଷ୍ଠାନ କରିପାରିବେ । ଆହୁରି ଆପଣ ରାଜା ହୋଇ ଯଜ୍ଞାଦି କଲେ, ଏହି କୁବେରଙ୍କଠାରୁ ଯାହା ଲାଭ କରିଅଛନ୍ତି, ତାହାକୁ ନିରନ୍ତର ଲାଭ କରିପାରିବା ହେବେ । ଅତଏବ ହେ ଭାରତ ! ଆପଣ ଅପରାଧୀ ଶତ୍ରୁନିବହର ବଧ ଓ ନିଗ୍ରହ ନିମିତ୍ତ ଉପାୟ କରନ୍ତୁ; ଯେହେତୁରୁ ସାକ୍ଷାତ୍‍ ବଜ୍ରପାଣି ମଧ୍ୟ ଆପଣଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇ ଆପଣଙ୍କର ଉଗ୍ରତେଜକୁ ସହ୍ୟ କରିପାରିବେ ନାହିଁ ।

 

ହେ ଧର୍ମରାଜ ! ଶନିଙ୍କ ପୁତ୍ର ସାତ୍ୱକୀ ଓ ଗରୁଡ଼ଧ୍ୱଜ କୃଷ୍ଣ ଆପଣଙ୍କ ନିମିତ୍ତ ଦେବଗଣ ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇ ସୁଦ୍ଧା କଦାପି କ୍ଲେଶ ବୋଧ କରିବେ ନାହିଁ । ହେ ଶ୍ରେଷ୍ଠ ନରନାଥ ! ଅର୍ଜୁନ ଯେପରି ବଳ ବିଷୟରେ ଅନୁପମ, ସେହିପରି ଭୀମସେନ ଓ ଆମ୍ଭେ ମଧ୍ୟ ବଳରେ ଅପ୍ରତିମ-। ୧୫ । ଯେପରି କୃଷ୍ଣ ଯାଦବଙ୍କ ସହିତ ଆପଣଙ୍କ ପ୍ରୟୋଜନ ସିଦ୍ଧିନିମିତ୍ତ ଉଦଯୋଗ କରନ୍ତି, ସେହିପରି ଆମ୍ଭେ ମଧ୍ୟ, ଅର୍ଥ ସିଦ୍ଧି ନିମିତ୍ତ ଅଭିମୁଖୀ ହୋଇଅଛୁ । ପରନ୍ତୁ ନକୁଳ, ସହଦେବ ଦୁହେଁ ବୀର ଓ ଅସ୍ତ୍ରପ୍ରୟୋଗରେ କୁଶଳୀ ଅଟନ୍ତି । ଅତଏବ ଆମ୍ଭେମାନେ ସମସ୍ତେ ଆପଣଙ୍କର ରାଜ୍ୟ ଓ ଉତ୍କୃଷ୍ଟ ଐଶ୍ୱର୍ଯ୍ୟଲାଭରେ ତତ୍ପର ହୋଇ ଶତ୍ରୁଙ୍କ ସହିତ ସଂଗ୍ରାମକରି ଶାନ୍ତି ସମ୍ପାଦନ କରିବୁ । ୧୭-। ବୈଶମ୍ପାୟନ କହିଲେ, ତଦନନ୍ତର ଧର୍ମାର୍ଥବେତ୍ତା, ମହାତେଜା ଧର୍ମତନୟ, ବରିଷ୍ଠ, ମହାତ୍ମା ଯୁଧିଷ୍ଠିର ଭାଇମାନଙ୍କର ଅଭିମତ ଜ୍ଞାତ ହୋଇ କୁବେରଙ୍କ ଭବନକୁ ପ୍ରଦକ୍ଷିଣ କଲେ । ତତ୍ପରେ ସେହି ସ୍ଥାନରେ ଯେତେ ନିକେତନ, ନଦୀ, ସରୋବର ଓ ସମସ୍ତ ଯକ୍ଷ ରାକ୍ଷସଙ୍କୁ ସମ୍ଭାଷଣ କରି ଯେଉଁ ପଥରେ ଆରୋହଣ କରିଥିଲେ, ସେହି ପଥକୁ ପୁନର୍ବାର ସ୍ମରଣକରି ଗିରିପ୍ରତି ଦୃଷ୍ଟି ନିକ୍ଷେପପୂର୍ବକ ଏହିରୂପେ ମନେ ମନେ ପ୍ରାର୍ଥନା କଲେ । ୧୯ ।

 

ହେ ଶୈଳେନ୍ଦ୍ର ! ଆମ୍ଭେ ସୁହୃଦ୍‌ଗଣଙ୍କ ସହିତ ଶତ୍ରୁମାନଙ୍କୁ ଜୟ କରି ଏବଂ ରାଜ୍ୟ ଲାଭକରି କୃତକାର୍ଯ୍ୟ ହୋଇ ଆତ୍ମସଂଯମପୂର୍ବକ ତପସ୍ୟା ନିମିତ୍ତ ପୁନର୍ବାର ତୁମ୍ଭଙ୍କୁ ଦର୍ଶନ କରିବୁ । ୨୦ । ଅନନ୍ତର ପ୍ରତ୍ୟାଗମନ ନିମିତ୍ତ ଅନୁଜ ଓ ଦ୍ୱିଜଗଣଙ୍କଦ୍ୱାରା କୁରୁରାଜ୍ୟ ପରିବୃତ ହେଲେ । ଘଟୋତ୍କଚ ଓ ତାହାଙ୍କ ଅଧୀନସ୍ଥିତ ରାକ୍ଷସମାନେ ଯେଉଁ ପଥରେ ପୂର୍ବେ ପାଣ୍ଡବମାନେ ଆସିଥିଲେ, ସେହି ପଥରେ ସେମାନଙ୍କୁ, ଦ୍ରୌପଦୀଙ୍କୁ ଓ ଦ୍ୱିଜଗଣଙ୍କୁ ପର୍ବତ- ନିର୍ଝର ପ୍ରଭୃତି ସଂକଟ ସ୍ଥଳରେ ବହନ କଲେ । ୨୧ । ଲୋମଶ ଋଷି ସେମାନଙ୍କୁ ପ୍ରସ୍ଥାନ କରିବାର ଉଦ୍ୟତ ଦେଖି ପିତା ଯେପରି ପୁତ୍ରମାନଙ୍କୁ ଉପଦେଶ ଦିଅନ୍ତି, ସେହିପରି ସେମାନଙ୍କୁ ପ୍ରୀତ ଚିତ୍ତରେ ଅନୁଶାସନ କଲେ ଓ ପ୍ରଫୁଲ୍ଲ ମନରେ ଦେବଗଣଙ୍କର ପୁଣ୍ୟତମ ସଦନକୁ ଗମନ କଲେ । ୨୨ । ନରୋତ୍ତମ ପାଣ୍ଡବମାନେ ଅଷ୍ଟିଷେଣଙ୍କଠାରୁ ସେହିରୂପେ ଅନୁଶାସିତ ହୋଇ ରମଣୀୟ ତପୋବନ, ସରୋବର ଓ ମହାତୀର୍ଥମାନଙ୍କ ଅବଲୋକନ କରି କରି ଗମନ କଲେ ।

 

॥ ଅଧ୍ୟାୟ – ୧୭୭ ॥

 

ବୈଶମ୍ପାୟନ କହିଲେ–ଦିଗ୍‌ଗଜ, କିନ୍ନର, ପକ୍ଷୀକୁଳ ଓ ପ୍ରସ୍ରବଣ ସମୂହଦ୍ୱାରା ସୁଶୋଭିତ ସେହି ପର୍ବତସମୂହକୁ ପରିତ୍ୟାଗକରି ଭାରତ ପୁଙ୍ଗବମାନେ ପ୍ରୀତ ହେଲେ ନାହିଁ । ୧ । ତହିଁ ଉତ୍ତାରୁ ସେମାନେ କୁବେରଙ୍କ ମେଘକାନ୍ତି କୈଳାସକୁ ବିଲୋକନ କରି ପୁନର୍ବାର ହର୍ଷ ପ୍ରାପ୍ତ ହେଲେ । ୨ । ଖଡ଼୍‌ଗ ଓ କୋଦଣ୍ଡଧାରୀ ନରୋତ୍ତମ ସେହି ବୀର ପୁରୁଷମାନେ ସ୍ଥାନେ ସ୍ଥାନେ ଉଚ୍ଚ ଓ ପର୍ବତସଂରୁଦ୍ଧ ସିଂହସ୍ଥାନକୁ ଦେଖିଲେ । ପାର୍ବତ୍ୟ ସେତୁମାଳା, ବହୁସଂଖ୍ୟକ ପ୍ରପାତ ଓ ନିମ୍ନସ୍ଥାନମାନ ଏବଂ ମୃଗ, ପକ୍ଷୀ ଓ ଗଜଗଣ ନିସେବିତ ଅନେକାନେକ ମହାରଣ୍ୟମାନଙ୍କୁ ବିଲୋକନ କରି କରି ସେମାନେ ହୃଷ୍ଟଚିତ୍ତରେ ଗମନ କଲେ । ୪ । ଯିବାବେଳେ ରମଣୀୟ ବନ, ନଦୀ, ସରୋବର, ଗିରିଗୁହା ଓ ଗହ୍ୱର, ଏହିସବୁ ସ୍ଥାନମାନ ସେମାନଙ୍କର ନିବାସଭୂମି ହେଲା । ୫-। ବହୁପ୍ରକାର ଦୁର୍ଗମ ସ୍ଥାନରେ ସେମାନେ ବସତି କରି ଅଚିନ୍ତ୍ୟରୂପ କୈଳାସ ପର୍ବତକୁ ଅତିକ୍ରମପୂର୍ବକ ବୃଷପର୍ବାଙ୍କର ସେହି ମନୋରମ ଓ ଉତ୍କୃଷ୍ଟ ଆଶ୍ରମରେ ଉପନୀତ ହେଲେ । ୬ । ରାଜର୍ଷି ବୃଷପର୍ବାଙ୍କ ସହିତ ସେମାନେ ସମବେତ ହୁଅନ୍ତେ ଋଷିପ୍ରବର ସେମାନଙ୍କୁ ସମାଦର କଲେ-। ଋଷିଙ୍କ ସମୀପରେ ପର୍ବତବାସର କଥା ସେମାନେ ବିସ୍ତାର ପୂର୍ବକ ବର୍ଣ୍ଣନ କଲେ । ୭ । ସେହି ବୀରମାନେ ଦେବ ଓ ମହର୍ଷିଗଣସେବିତ ସେହି ପୁଣ୍ୟାଶ୍ରମରେ ଏକ ରାତ୍ରି ସୁଖରେ ବାସକରି ପୁନର୍ବାର ବିଶାଳ ବଦରିକୁ ଆସି ସେଠାରେ ସୁଖରେ ବାସକଲେ । ୮ ।

 

ତଦନନ୍ତର ସେହି ମହାନୁଭବ ବୀରମାନେ ନାରାୟଣଙ୍କ ସ୍ଥାନରେ ପୁନର୍ବାର ଉପନୀତ ହୋଇ ବିଶୋକଚିତ୍ତରେ ହେବ ଓ ସିଦ୍ଧଗଣସେବିତ କୁବେରଙ୍କ ପ୍ରିୟ ସୌଗନ୍ଧ ସରୋବରକୁ ସନ୍ଦର୍ଶନ କରି ସେଠାରେ ବାସ କଲେ । ୯ । ନିଷ୍ପାପ ବିପ୍ରବୃନ୍ଦ ନନ୍ଦନକାନନକୁ ପ୍ରାପ୍ତ ହୋଇ ଯେପରି ସୁଖୀ ହୁଅନ୍ତି, ସେହି ପ୍ରିୟ ନରୋତ୍ତମ ପାଣ୍ଡବମାନେ ସେହି ସରୋବରକୁ ବିଲୋକନ କରି ଶୋକ ତ୍ୟାଗ କଲେ ଓ ସୁଖରେ ସେଠାରେ ବିହରଣ କଲେ । ୧୦ । ବଦରିକାଶ୍ରମରେ ମାସେକାଳ ସୁଖରେ ବିହାର କରି ପରିଶେଷରେ ଯେଉଁ ପଥରେ ପୂର୍ବେ ସେମାନେ ଆଗମନ କରିଥିଲେ, ସେହି ପଥଦେଇ ଯଥାକ୍ରମେ କିରାତରାଜ ସୁବାହୁଙ୍କ ରାଜ୍ୟକୁ ସେମାନେ ଯାତ୍ରାକଲେ । ୧୧ । ଚୀନ୍‌, ତୁଖାର, ଦରଦ ଓ ବହୁ ରତ୍ନାଢ଼୍ୟ ସମସ୍ତ ପୁଳିନ୍ଦଦେଶ ପ୍ରଭୃତି ଦୁର୍ଗମ ହିମାଳୟ ପ୍ରଦେଶକୁ ଅତିକ୍ରମ କରି ସୁବାହୁ ରାଜାଙ୍କ ପୁରୀ ଦେଖିବାକୁ ପାଇଲେ । ୧୨ ।

 

ରାଜା ସୁବାହୁ ପୁରୁଷାନୁକ୍ରମେ ରାଜବଂଶୀୟ କୁରସିଂହମାନଙ୍କୁ ସ୍ୱରାଜକୁ ଆସିଥିବା ଶୁଣି ପ୍ରୀତଚିତ୍ତରେ ଅଗ୍ରସର ହେଲେ । ସେମାନେ ମଧ୍ୟ ତାହାଙ୍କୁ ଦେଖି ଅଭିନନ୍ଦନ କଲେ । ୧୩ । ସୁବାହୁ ରାଜାଙ୍କ ନିକଟରେ ଇନ୍ଦ୍ରସେନ ଓ ବିଶୋକ ପ୍ରଭୃତି ସାରଥିଙ୍କ ସହିତ ସଙ୍ଗତ କରି ସେଠାରେ ଏକ ରାତ୍ରି ସୁଖରେ ବାସ କଲେ । ପରିଚାରକ, ପୌରୋଗବ ଓ ତଦ୍‌ଭିନ୍ନ ଯେଉଁମାନେ ମହାନସରେ କର୍ମଚାରୀ ଥିଲେ, ସେମାନଙ୍କୁ ଦେଖି ପାଣ୍ଡବମାନେ ହୃଷ୍ଟ ହେଲେ । ଏଥିଉତ୍ତାରୁ ଅନୁଚରଙ୍କ ସହିତ ଘଟୋତ୍କଚକୁ ବିଦାୟ ଦେଇ ରଥୀ ଓ ସାରଥିଙ୍କୁ ସଂଗରେ ଘେନି ଯମୁନା- ସମୀପବର୍ତ୍ତୀ ଆଦ୍ରି ରାଜ୍ୟ ଅଭିମୁଖରେ ଯାତ୍ରା କଲେ । ୧୫ । ଯାହାଙ୍କର ବରୁଣବର୍ଣ୍ଣ ଓ ପାଣ୍ଡୁରବର୍ଣ୍ଣ ସାନୁରେ ଅତି ଶୁଭ୍ର ତୁଷାରରାଶି ଉତ୍ତରୀୟସ୍ୱରୂପ ଶୋଭା ପାଉଅଛି, ସେହି ପସ୍ରବଣସଂଯୁକ୍ତ ପର୍ବତରାଜଙ୍କ ଉପରିଭାଗରେ ବରାହ ଓ ନାନାମୃଗ, ପକ୍ଷୀନିଷେବିତ କୁବେରଙ୍କ କାନନସଦୃଶ ବିଶାଖ ଯୂପ ନାମରେ ମହାବନକୁ ପ୍ରାପ୍ତ ହୋଇ ସେଠାରେ ତତ୍କାଳରେ ବସତି କଲେ-। ପାଣ୍ଡବମାନେ ସେହି ବିଶାଖ ଯୂପ ବନରେ ମୃଗୟାସକ୍ତ ହୋଇ ବର୍ଷେକାଳ ସୁଖରେ ବିହାର କଲେ । ୧୭ । ପରନ୍ତୁ ଦିନେ ବୃକୋଦର ତତ୍ରସ୍ଥ ଗୋଟିଏ ବଳବାନ କ୍ଷୁଧାର୍ତ୍ତ ଭୂଜଙ୍ଗମକୁ ନିକଟରେ ଦେଖି ବିଷାଦ ଓ ମୋହରେ ବ୍ୟଥିତ ହେଲେ । ସେହି ସର୍ପ ମୃତ୍ୟୁସଦୃଶ ଅତି ଭୟଙ୍କର ଦିଶିଲା । ୧୮ ।

 

ଅସୀମ ତେଜସ୍ୱୀ ଧାର୍ମିକବର ଯୁଧିଷ୍ଠିର ସର୍ବଗାତ୍ର ସର୍ପଗ୍ରସ୍ତ ହୋଇଥିବା ବୃକୋଦରଙ୍କୁ ମୁକ୍ତକରି ତାହାଙ୍କର ଆଶ୍ରୟସ୍ୱରୂପ ହେଲେ । ୧୯ । ନିରନ୍ତର ଧନୁର୍ବେଦ ଶିକ୍ଷାରେ, ତପସ୍ୟାଚରଣରେ ଓ ବନବିହାରଦ୍ୱାରା କାନ୍ତିମାନ ପାଣ୍ଡବମାନଙ୍କର କ୍ରମରେ ଦ୍ୱାଦଶ ବର୍ଷ ନିକଟ ହେଲା । ତହିଁରେ ସେମାନେ ଚୈତ୍ରରଥ ସଦୃଶ ସେହି ବନରୁ ମରୁଭୂମି ପାର୍ଶ୍ୱଦେଇ ସରସ୍ୱତୀ ତୀରରେ ଉପଗତ ହେଲେ । ସେଠାରୁ ନିବାସ କାମନାରେ ଦ୍ୱୈତବନ ସରୋବରକୁ ଗମନ କଲେ-। ୨୧ । ସେଠାରେ ବୃଦ୍ଧ ବାନପ୍ରସ୍ଥମାନେ ବାସ କରୁଥିଲେ । ଦନ୍ତ ନ ଥିବାରୁ ସେମାନେ ପ୍ରସ୍ତରରେ କୁଟି କରି ଫଳମୂଳାହାରୀ ହୋଇଥିଲେ । ସର୍ବଦା ଶ୍ରମ, ଦମ ଯୁକ୍ତହୋଇ ସମାଧିରେ ରତ ଥିଲେ-। ପାଣ୍ଡବମାନଙ୍କୁ ଦ୍ୱୈତବନରେ ପ୍ରବିଷ୍ଟ ହେବାର ଦେଖି ସେମାନଙ୍କର ବସିବା ନିମିତ୍ତ ତୃଣ ଓ ପାଦ୍ୟ ନିମିତ୍ତ ଜଳ ଆଣି ସେମାନଙ୍କ ସମୀପରେ ଉପସ୍ଥିତ ହେଲେ । ୨୨ । ପ୍ଲକ୍ଷ, ରୁଦ୍ରାକ୍ଷ, ବେତସ, ବଦରି, ଖଦିର, ଶିରୀଷ, ବିଲ୍ୱ, ଇଙ୍ଗୁଦ, ପୀଳ, ଶମୀ ଓ ବଂଶାଙ୍କୁର ପ୍ରଭୃତି ବୃକ୍ଷମାନେ ସେଠାରେ ସରସ୍ୱତୀ ତୀରରେ ସୁଶୋଭିତ ହୋଇଥିଲେ । ନରଦେବ- ପୁତ୍ରମାନେ ପ୍ରୀତ ଚିତ୍ତରେ ସେହି ସରସ୍ୱତୀ ତୀରରେ ବିହାର କଲେ । ଯାହା ତୀରରେ ଯକ୍ଷ-ଗନ୍ଧର୍ବ-ମହର୍ଷିଗଣ ମଧ୍ୟ ବାସ କରିବାକୁ ଅଭିଳାଷୀ ହୁଅନ୍ତି ଓ ଦେବଭବନସଦୃଶ ଯାହାର ଶୋଭା, ସେହି ସ୍ଥାନରେ ପାଣ୍ଡବମାନେ ସଞ୍ଚରଣ କଲେ । ୨୪ ।

 

॥ ଅଧ୍ୟାୟ – ୧୭୮ ॥

 

ମହାମୁନେ ଜନମେଜୟ ପଚାରିଲେ– ହେ ମଧୁସୂଦନ ! ଭୀମପରାକ୍ରମ ଭୀମସେନଙ୍କ ଦେହରେ ଦଶ ସହସ୍ର ହସ୍ତୀଙ୍କର ପରାକ୍ରମ ଥିଲା । ଅତଏବ କି ହେତୁରୁ ସେ ସେହି ଅଜଗରକୁ ଦେଖି ଭୀତ ହେଲେ ? ପୁଲସ୍ତ୍ୟନନ୍ଦନ କୁବେରଙ୍କୁ ଯେ ଦର୍ପିତ ହୋଇ ଯୁଦ୍ଧାର୍ଥ ଆହ୍ୱାନ କଲେ, ନଳିନୀରେ ପଦ୍ମବନକୁ ମର୍ଦ୍ଦିତ କରି ଯକ୍ଷ ଓ ରାକ୍ଷସଗଣଙ୍କୁ ନିହତ କଲେ, ତାହାଙ୍କୁ ତୁମ୍ଭେ ଭୀତ ହେଲେ ବୋଲି କହୁଅଛ ? ଶତ୍ରୁମାନେ କି ତାହାଙ୍କୁ ଜୟ କରିପାରନ୍ତି ? ଏହାର କାରଣ କଅଣ କହ ? ଏହିସବୁ ଜାଣିବା ନିମିତ୍ତ ଆମ୍ଭର ଅତିଶୟ କୌତୂହଳ ହେଉଅଛି । ୩ ।

 

ବୌଶମ୍ପାୟନ କହିଲେ– ହେ ରାଜନ୍‌ ! ଉଗ୍ରଧନ୍ୱା ପାଣ୍ଡବମାନେ ଯେଉଁ ସମୟରେ ରାଜର୍ଷି ବୃଷପର୍ବାଙ୍କ ଆଶ୍ରମରେ ବାସ କରୁଥିଲେ, ତେତେବେଳେ ସେମାନଙ୍କ ମଧ୍ୟରୁ ବୃକୋଦର ଦିନେ ଧନୁର୍ଦ୍ଧାରୀ ହୋଇ ଖଡ଼୍‌ଗ ବାନ୍ଧି ଆପଣା ଇଚ୍ଛାକ୍ରମେ ଭ୍ରମଣ କରୁ କରୁ ଗନ୍ଧର୍ବ ସେବିତ କୌଣସି ରମଣୀୟ ଭୂମିରେ ଉପସ୍ଥିତ ହେଲେ । ହିମାଳୟ ଗିରି ସମୀପରେ ଦେବର୍ଷି, ସିଦ୍ଧଗଣ ଓ ଅପ୍‌ସରାଗଣଙ୍କର ଅନେକ ସ୍ୱାସ୍ଥ୍ୟକର ସ୍ଥାନକୁ ସେ ଅବଲୋକନ କଲେ । ୬ । ପରନ୍ତୁ ସେହିସବୁ ପ୍ରଦେଶରେ ଚକୋର, ଚକ୍ରବାକ, ନବଜୀବକ, କୋକିଳ ଓ ଭୃଙ୍ଗରାଜ ପ୍ରଭୃତି ପକ୍ଷୀମାନେ ନାଦ କରୁଥିଲେ । ମନ ଓ ନୟନର ଆନନ୍ଦକାରୀ, ଛାୟାଯୁକ୍ତ, ବହୁଳ କୋମଳ ସ୍ନିଗ୍ଧ ଫୁଲ ଓ ଫଳରେ ସଂଯୁକ୍ତ ବୃକ୍ଷମାନେ ସେ ସ୍ଥାନର ଶୋଭାବର୍ଦ୍ଧନ କରୁଥିଲେ । ୮ । ତୁଷାରଧବଳ ହଂସ- କାରଣ୍ଡକଯୁକ୍ତ ଓ ବୈଦୁର୍ଯ୍ୟମଣିସଦୃଶ ଜଳରେ ପରିପୂର୍ଣ୍ଣ ଗିରିନଦୀମାନେ ମେଘପଟଳୀକୁ ଜାଲରେ ପକାଇ ବାନ୍ଧିବା ନିମିତ୍ତ, ଦେବଦାରୁ- ହରିଚନ୍ଦନ ମିଶ୍ରିତ ପୁନ୍ନାଗ ଓ ଶୈଳଜ ଅନ୍ୟ ବୃକ୍ଷପୂର୍ଣ୍ଣ ବନ ସେଠାରେ ତଦନୁରୂପ କାମ କରୁଥିଲେ । ଆହୁରି ବିବିଧ ରମଣୀୟ ପଦାର୍ଥମାନଙ୍କୁ ଦେଖୁ ଦେଖୁ ସମତଳ ନିଜ୍ୱର୍ଳ ଗିରିସନ୍ନିହିତ ପ୍ରଦେଶରେ ପାରିଧି କରିବା ଉଦ୍ଦେଶ୍ୟରେ ଧାବମାନ ହୋଇ ଭୀମ ଅନେକାନେକ ମୃଗଙ୍କୁ ବଧ କଲେ । ୧୧ ।

 

ଦଶ ସହସ୍ର ମତ୍ତହସ୍ତୀ ବଳକୁ ଦେହରେ ଧରିଥିବାର ଖ୍ୟାତି ଥିବାରୁ ଓ ଶତ ଶତ ମନୁଷ୍ୟଙ୍କୁ ନିବାରଣ କରିବାରେ କ୍ଷମ ଥିବାରୁ ମହାବାହୁ ଭୀମସେନ ସେହି ମହାବନରେ ବଳପୂର୍ବକ ଦଂଷ୍ଟ୍ରିମାନଙ୍କୁ ବିନାଶ କଲେ । ୧୨ । ସିଂହ- ଶାର୍ଦ୍ଦୁଳସମ ବିକ୍ରମଶାଳୀ ମହାବଳ ଭୀମ ପରାକ୍ରମ ଭୀମ ସେହି ବନରେ ସ୍ଥାନେ ସ୍ଥାନେ ମୃଗ-ବରାହ-ମହିଷମାନଙ୍କୁ ବିନାଶ କଲେ ଓ ବେଗରେ ବହୁସଂଖ୍ୟକ ବୃକ୍ଷ ଉତ୍ପାଟନ କଲେ । କାହାକୁ ମଧ୍ୟ ଭଗ୍ନ କଲେ । ଭୀମସେନ ସବୁଦିନେ ଦର୍ପସମନ୍ୱିତ । ସେ ପର୍ବତ- ଅଗ୍ରସ୍ଥିତ ବନଦେଶମାନଙ୍କୁ ମର୍ଦ୍ଦନ କଲେ । ଗହ୍ୱରଗୁଡ଼ିକୁ ପ୍ରତିଧ୍ୱନିତ କଲେ । ପାଦପମାନଙ୍କୁ ପ୍ରକ୍ଷେପଣ କରି ଗର୍ଜନ ଧ୍ୱନିଦ୍ୱାରା ପୃଥିବୀକୁ ଆପୂରିତ କରି ବନ ମଧ୍ୟରେ ନିର୍ଭୟ ଚିତ୍ତରେ ବେଗରେ ପୁନଃ ପୁନଃ ଆପତିତ ହେଲେ । ବାହୁସ୍ଫୋଟନ, ସିଂହନାଦ ଓ ତଳତାଳଧ୍ୱନି କଲେ । ୧୭ । ଭୀମଙ୍କ ଗର୍ଜନ-ନିନାଦରେ ମହାସତ୍ୱ ଗଜେନ୍ଦ୍ରନାଥ ଓ ମହାବଳ ମୃଗେନ୍ଦ୍ରମାନେ ଭୟରେ ଗିରଗୁହାମାନ ବିସର୍ଜନ କଲେ । ତାଦୃଶ ମହାଭୟଙ୍କର ବନରେ ବୃକୋଦର ମୃଗଲାଭ ଇଚ୍ଛାକରି କୌଣସି ସ୍ଥାନକୁ ଧାବମାନ ହେଲେ, କୌଣସିଠାରେ ବସିଲେ, କୌଣସି ସ୍ଥାନରେ ଅବା ନିର୍ଭୟରେ ବିଚରଣ କଲେ । ମନୁଷ୍ୟ- ବ୍ୟାଘ୍ର ଭୀମସେନ ବନ ମଧ୍ୟରେ କୌଣସିଠାରେ ବନଚରଙ୍କ ପ୍ରାୟ ବନଗାମୀ ହେଲେ । ୨୦ । ମହାସତ୍ୱ ପରାକ୍ରମ ବୃକୋଦର ଅରଣ୍ୟାନି ମଧ୍ୟରେ ପ୍ରବିଷ୍ଟ ହୋଇ ପ୍ରାଣୀମାନଙ୍କୁ ତ୍ରାସିତ କରି ଅଦ୍ଭୁତ ଗର୍ଜନ ବିସର୍ଜନ କଲେ । ୨୧ । ତାହାଙ୍କ ଶବ୍ଦରେ ଗୃହାଶ୍ରୟୀ ସର୍ପମାନେ ସୁଦ୍ଧା ଭୀତ ହେଲେ । ସେମାନଙ୍କ ପଶ୍ଚାତ୍ ବୃକୋଦର ଧୀରେ ଧୀରେ ଗମନ କଲେ ।

 

ତଦନନ୍ତର ଦେବସଦୃଶ ମହାବଳ ଭୀମ ଗୋଟିଏ ଗିରିଦୁର୍ଗ ମଧ୍ୟରେ ଭୟଙ୍କର ମହାକାୟ ଗୋଟିଏ ଭୁଜଙ୍ଗମକୁ ଦେଖିଲେ । ସେହି ସର୍ପ ଏଡ଼େ ବୃହତ୍ ଯେ ସେ ଆପଣା ଶରୀରଦ୍ୱାରା ସେହି ଗିରିଗହ୍ୱରକୁ ପୂର୍ଣ୍ଣ କରି ରହିଅଛି । ୨୪ । ତାହାର ଶରୀର ଅତି ବୃହତ୍‌, ଫଣା ପର୍ବତପ୍ରାୟ ବିସ୍ତୀର୍ଣ୍ଣ, ବଳ ଅତି ମହାନ୍‌, ଅଙ୍ଗ ଚିତ୍ରିତ ଓ ଚର୍ମଦ୍ୱାରା ବିମଣ୍ଡିତ । ତାହାର ଶରୀରର ବର୍ଣ୍ଣ ହରିଦ୍ରା ବର୍ଣ୍ଣ, ଦନ୍ତ ତାହାର ଚାରିଗୋଟି, ଚକ୍ଷୁ ପ୍ରଦୀପ୍ତ ଓ ତାମ୍ରବର୍ଣ୍ଣା । କାଳାନ୍ତକ ଯମପ୍ରାୟ ସେହି ଭୁଜଙ୍ଗମ ମୁହୁର୍ମୁହୁ ମୁଖପ୍ରାନ୍ତକୁ ଲେହନ କରି ପ୍ରାଣୀମାନଙ୍କର ଭୟଜାତ କରୁଅଛି ଓ ନିଃଶ୍ୱାସର ପ୍ରଖରତାଦ୍ୱାରା ଅନ୍ତକାରୀ ଯମକୁ ତିରସ୍କାର କରୁଅଛି । ୨୭ । ସେହି ଭୟଙ୍କର ଅଜଗର ସହସା ଭୀମଙ୍କ ନିକଟକୁ ଆସି ବଳପୂର୍ବକ ତାହାଙ୍କର ଭୂଜଦ୍ୱୟକୁ ଗ୍ରହଣ କଲା । ୨୮ । ସେ ଛୁଇଁଲାକ୍ଷଣି ଭୀମସେନଙ୍କର ଜ୍ଞାନ ଶୂନ୍ୟ ହେଲା । ସର୍ପର ବର ପ୍ରଭାବରୁ ଭୀମସେନଙ୍କର ଏପରି ଅବସ୍ଥା ହେଲା । ୨୯ । ସେହି ଭୀମ ଦଶ ସହସ୍ର ନାଗଙ୍କର ବଳ ଧାରଣ କରନ୍ତି । ସେହି ତେଜସ୍ୱୀ ଭୀମ ଭୁଜଙ୍ଗଦ୍ୱାରା ବଶୀକୃତ ହେଲେ । ଅନେକ ଚେଷ୍ଟା କରି ସୁଦ୍ଧା ମୁକ୍ତ ହୋଇପାରିଲେ ନାହିଁ । ସର୍ପର ବରପ୍ରାପ୍ତି ପ୍ରଭାବରେ ବିମୋହିତ ଓ ବଳହୀନ ହୋଇ ରହିଲେ ।

 

॥ ଅଧ୍ୟାୟ – ୧୭୯ ॥

 

ବୈଶମ୍ପାୟନ କହିଲେ– ହେ ମହାରାଜ ! ସର୍ପଦ୍ୱାରା ତେଜସ୍ୱୀ ଭୀମସେନ ଏହି ପ୍ରକାରେ ବଶୀଭୂତ ହେବାରୁ ସେ ମନମଧ୍ୟରେ ଚିନ୍ତା କଲେ ଯେ ଏହି ସର୍ପର କାହୁଁ ଏତେ ବଳ ଆସିଲା । ୧-। ଏହା ଭାବି ଭୀମ କହିଲେ, ହେ ପନ୍ନଗ ! ତୁମ୍ଭେ ଭୁଜଗଣଙ୍କ ମଧ୍ୟରେ ଶ୍ରେଷ୍ଠ ଅଟ । ଆପଣା ଇଚ୍ଛାରେ ତୁମ୍ଭେ କହ, ତୁମ୍ଭେ କିଏ ? ଆମ୍ଭଦ୍ୱାରା ତୁମ୍ଭର କି କାର୍ଯ୍ୟ ହେବ ? ୨ । ଆମ୍ଭେ ଧର୍ମରାଜାଙ୍କର କନିଷ୍ଠ ଭ୍ରାତା ଓ ପାଣ୍ଡୁଙ୍କର ପୁତ୍ର ଅଟୁ । ଆମ୍ଭର ନାମ ଭୀମ । ଆମ୍ଭେ ଅୟୁତ ହସ୍ତୀର ବଳକୁ ଧାରଣ କରିଅଛୁ । ଅତଏବ ତୁମ୍ଭେ କିପରି ଆମ୍ଭଙ୍କୁ ଆୟତ୍ତ କଲ ? ୩ । ସମରରେ କେଶରୀ ସିଂହକୁ, ଶତ ଶତ ବ୍ୟାଘ୍ରଙ୍କୁ, ମହିଷ ଓ ହସ୍ତୀଙ୍କୁ ଆମ୍ଭେ ସଂହାର କରିଅଛୁଁ । ୪ । ହେ ପନ୍ନଗରାଜ ! ମହାବଳ ରାକ୍ଷସ, ପିଶାଚ ଓ ପନ୍ନଗମାନେ ସୁଦ୍ଧା ଆମର ଭୁଜବଳର ତେଜକୁ ସହିବାକୁ ସମର୍ଥ ହୁଅନ୍ତି ନାହିଁ । ୫ । ହେ ଭୁଜଗନାଥ ! ତୁମ୍ଭର କି କୌଣସି ବିଦ୍ୟାବଳ ଅଛି ? ଅଥବା ତୁମ୍ଭେ କୌଣସି ବର ପାଇଅଛ ଯେ ଆମ୍ଭେ ଯତ୍ନ କରି ସୁଦ୍ଧା ତୁମ୍ଭଠାରୁ ମୁକ୍ତ ହୋଇପାରୁ ନାହୁଁ । ୬ । ଯେହେତୁ ତୁମ୍ଭେ ଆମ୍ଭର ମହତ ବଳକୁ ପ୍ରତିହତ କଲ, ଏଥିରୁ ଆମ୍ଭେ ବୋଧ କରୁଅଛୁ ଯେ ମନୁଷ୍ୟମାନଙ୍କର ବିକ୍ରମ ବୃଥା । ୭ ।

 

ବୈଶମ୍ପାୟନ କହିଲେ- ବୀର ଭୀମସେନ ଏହିପରି କହୁଅଛନ୍ତି, ଏଣେ ଅଜଗର ତାହାଙ୍କୁ ଆପଣାର ମହାକାୟଦ୍ୱାରା ଚତୁର୍ଦ୍ଦିଗରୁ ବେଷ୍ଟନ କରୁଅଛି । ଯେତେବେଳେ ସର୍ବତୋଭାବେ ବେଷ୍ଟନ କାର୍ଯ୍ୟ ସମାପ୍ତ ହେଲା ଓ ଭୀମସେନ ସଂପୂର୍ଣ୍ଣରୂପେ ଆୟତ୍ତ ହେଲେ, ତେତେବେଳେ ସେହି ସର୍ପ ଭୀମଙ୍କର ଭୁଜଦ୍ୱୟକୁ ମୋଚନ କରି କହିଲା । ୯ । ହେ ମହାଭୁଜ ! ଆମ୍ଭେ ବହୁକାଳରୁ କ୍ଷୁଧିତ ଅଛୁଁ । ଦେବତାମାନେ ଆମ୍ଭ ଭାଗ୍ୟକୁ ଅଦ୍ୟ ତୁମ୍ଭଙ୍କୁ ମୋର ଭକ୍ଷଣ ପାଇଁ ନିର୍ଦ୍ଦେଶ କରିଅଛନ୍ତି । ଦେହଧାରୀମାନଙ୍କର ପ୍ରାଣ ଅତିଶୟ ପ୍ରିୟ ପଦାର୍ଥ ଅଟେ । ୧୦ । ହେ ସତ୍ତମ ! ଅରିନ୍ଦମ ! ଆମ୍ଭେ ଯେପରି ଏହି ସର୍ପ ଦେହ ପାଇଅଛୁଁ, ତାହା ଅବଶ୍ୟ ଅଦ୍ୟ ତୁମ୍ଭ ନିକଟରେ କହିବୁ । ଆମ୍ଭେ କହୁଅଛୁ ଶୁଣ । ୧୧ । ମହର୍ଷିମାନଙ୍କ କୋପରୁ ଆମ୍ଭେ ଏହି ଅବସ୍ଥାକୁ ପ୍ରାପ୍ତ ହୋଇଅଛୁଁ । ଅତଏବ ଆମ୍ଭ ଶାପର ବିନାଶ ଇଚ୍ଛାକରି ତୁମ୍ଭ ନିକଟରେ ସବୁକଥା କହିବୁଁ । ୧୨ । ନହୁଷ ନାମରେ ଜଣେ ରାଜର୍ଷି ଥିଲେ, ଏକଥା ତୁମ୍ଭର କର୍ଣ୍ଣ କୁହରରେ ପ୍ରବେଶ ହୋଇପାରିଥିବ । ସେ ନହୁଷ ତୁମ୍ଭର ପୂର୍ବପୁରୁଷଙ୍କର ପୂର୍ବପୁରୁଷ ଅଟନ୍ତି । ସେ ଆୟୁ ରାଜାଙ୍କର ପୁତ୍ର । ୧୩ ।

 

ହେ ଅରିନ୍ଦମ ! ଆମ୍ଭେ ସେହି ନହୁଷ । ବ୍ରାହ୍ମଣମାନଙ୍କୁ ଅବମାନନା କରି ଅଗସ୍ତ୍ୟଙ୍କ ଅଭିଶାପରୁ ଏହି ଦଶାକୁ ପ୍ରାପ୍ତ ହୋଇଅଛୁଁ । ଆମ୍ଭର ଦୁର୍ଦ୍ଦଶାର କାରଣ ଏହି ତୁମ୍ଭେ ଜାଣ । ୧୪ । ତୁମ୍ଭେ ଆମ୍ଭର ବଂଶରୁ ଜନ୍ମ ଓ ଅବଧ୍ୟ ହେଲେ ହେଁ ଅଦ୍ୟ ଆମ୍ଭେ ତୁମ୍ଭଙ୍କୁ ଭକ୍ଷଣ କରିବୁ । ଏ ବିଷୟରେ ଯେପରି ବିଧାନ ଅଛି, ତାହା ଶ୍ରବଣ କର । ୧୫ । ହେ ନରୋତ୍ତମ ! ମାତଙ୍ଗ ହେଉ, ମହିଷ ହେଉ, ଦିବସର ଷଷ୍ଠ ଭାଗରେ ଯେ କେହି ଆମ୍ଭର ବଶୀଭୂତ ହେବେ, ସେ କୌଣସି ପ୍ରକାରେ ଆମ୍ଭ କବଳରୁ ମୁକ୍ତ ହୋଇପାରିବେ ନାହିଁ । ୧୬ । ହେ କୁରୁଶ୍ରେଷ୍ଠ ! ତୁମ୍ଭେ ତିର୍ଯ୍ୟଗ୍‌ଯୋନିଜାତ ଭୁଜଙ୍ଗମଦ୍ୱାରା କେବଳ ପରାକ୍ରମରେ ଯେ ଆହତ ହୋଇଅଛ, ଏମନ୍ତ ନୁହେଁ; ଆମ୍ଭ ପ୍ରତି ଯେଉଁ ବର ଅଛି, ତାହା ପ୍ରଭାବରେ ତୁମ୍ଭେ ନିଗୃହୀତ ହୋଇଅଛ । ୧୭ । ଆମ୍ଭେ ଯେତେବେଳେ ଇନ୍ଦ୍ରଙ୍କ ଆସନରୁ ଚ୍ୟୁତ ହୋଇ ବିମାନାଭାଗରୁ ନିପତିତ ହେଲୁଁ, ତେତେବେଳେ ମୁନିସତ୍ତମ ଭଗବାନ ଅଗସ୍ତ୍ୟଙ୍କୁ କହିଥିଲୁଁ ଯେ ଆମ୍ଭେ ଅଭିଶାପରୁ ଯେପରି ମୁକ୍ତ ହେବୁ, ଆପଣ ତହିଁରେ ବିଧାନ କରନ୍ତୁ । ୧୮ ।

 

ପରେ ତେଜସ୍ୱୀ ଅଗସ୍ତ୍ୟ ଦୟାର୍ଦ ହୋଇ ଆମ୍ଭଙ୍କୁ କହିଲେ– ହେ ରାଜନ୍‌ ! କିଛି କାଳ ପରେ ତୁମ୍ଭର ଶାପ ମୋଚନ ହେବ । ୧୯ । ଅତଏବ ହେ ମହାବଳ ଭୀମ ! ତଦବଧି ଆମ୍ଭେ ଏହି ପୃଥିବୀରେ ପଡ଼ି ରହିଅଛୁଁ; କିନ୍ତୁ ଆମ୍ଭର ପୂର୍ବଜନ୍ମର ସ୍ମୃତି ଆମ୍ଭଙ୍କୁ ପରିତ୍ୟାଗ କରିନାହିଁ । ସେହିହେତୁରୁ ପୂର୍ବେ ଆମ୍ଭର ଯେପରି ଜ୍ଞାନ ଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଜ୍ଞାନ ରହିଅଛି । ୨୦-

 

ଋଷି ଆମ୍ଭଙ୍କୁ ଏହିପରି କହିଥିଲେ ଯେ କୌଣସି ବିଶେଷଜ୍ଞ ବ୍ୟକ୍ତି ତୁମ୍ଭର ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ, ସେ ତୁମ୍ଭଙ୍କୁ ଏହି ପାପରୁ ବିମୁକ୍ତ କରିବେ । ୨୧ । ଓ ତୁମ୍ଭେ ଯେଉଁ ପ୍ରାଣୀଙ୍କୁ ଗ୍ରହଣ କରିବ, ତାହାର ଅଧିକତର ବଳ ଥିଲେ ହେଁ ତୁମ୍ଭେ ଛୁଇଁଲାକ୍ଷଣି ତାହାର ସେହି ବଳ ହ୍ରାସ ହେବ । ୨୨ । ଅଗସ୍ତ୍ୟ ପ୍ରଭୃତି ଋଷିଙ୍କର ଆମ୍ଭ ସହିତ ପ୍ରଣୟ ଜାତ ହୋଇଥିଲା । ଏଥିନିମିତ୍ତ ଆମ୍ଭେ ସେମାନଙ୍କର ପୂର୍ବୋକ୍ତ ବାକ୍ୟ ଶ୍ରବଣ କରିଥିଲୁଁ । ସେହି କଥା କହି ସେମାନେ ଅନ୍ତର୍ହିତ ହେଲେ । ୨୩ । ହେ ମହାଦ୍ୟୁତେ ! ଯେହେତୁରୁ ଆମ୍ଭେ ପରମ ଦୁଷ୍କର୍ମ କରିଥିଲୁଁ, ସେହି ହେତୁରୁ ଆମ୍ଭେ ଏହି ସର୍ପଯୋନିରେ ଜାତ ହୋଇ ଅପବିତ୍ର ନରକରେ ବାସ କରୁଅଛୁ । ୨୪ । ମହାବାହୁ ଭୀମସେନ ସର୍ପକୁ ସମ୍ବୋଧନ କରି କହିଲେ, ହେ ମହାସର୍ପ ! ଆମ୍ଭେ କୁପିତ ହେଉନାହୁଁ କି ଆପଣଙ୍କୁ ନିନ୍ଦା କରୁନାହୁଁ । ୨୫ । ଯେହେତୁ ମନୁଷ୍ୟ ସୁଖଦୁଃଖ ଆଗମରେ କେତେବେଳେ ସାମର୍ଥ୍ୟହୀନ ହୁଏ ଅଥବା କେତେବେଳେ ସାମର୍ଥ୍ୟବନ୍ତ ହୁଏ, ତନ୍ନିମିତ୍ତ ମଲେ ମଧ୍ୟ ଦୁଃଖ କରିବା ଉଚିତ ନୁହେଁ । ୨୬ । ଯେଉଁ ବ୍ୟକ୍ତି ଆପଣାର ପୁରୁଷକାରଦ୍ୱାରା ଦୈବକୁ ବଞ୍ଚନା କରିପାରେ ଅର୍ଥାତ୍ କେହି ଦୈବକୁ ଅତିକ୍ରମ କରିପାରେ ନାହିଁ, ଅତଏବ ଦୈବକୁ ଆମ୍ଭେ ଶ୍ରେଷ୍ଠ ବୋଲି ମଣୁଅଛୁ । ପୁରୁଷାର୍ଥ କୌଣସି କାର୍ଯ୍ୟକାରୀ ନୁହେଁ । ୨୭ । ଦେଖ, ଦୈବ ପ୍ରତିକୂଳ ହେବାରୁ ଅଦ୍ୟ ଆମ୍ଭର ଭୁଜବଳ ଅକାରଣ ହେଲା ଓ ଆମ୍ଭେ ଏତାଦୃଶ ଅବସ୍ଥାକୁ ପ୍ରାପ୍ତ ହେଲୁ । ୨୮ । ସେ ଯାହାହେଉ, ରାଜପରିଚ୍ୟୁତ ହୋଇ ବିପିନ ମଧ୍ୟରେ ଆମ୍ଭର ଭ୍ରାତାମାନଙ୍କୁ ଆମ୍ଭେ ଛାଡ଼ି ଆସିଅଛୁଁ । ତାହାଙ୍କ ନିମିତ୍ତ ଆମ୍ଭର ଶୋକ ହେଉଅଛି । ଆମ୍ଭର ନିଜ ବଳ ବିନାଶ ନିମିତ୍ତ କୌଣସି ଦୁଃଖ ନାହିଁ-। ୨୯ । ଏହି ହିମାଳୟ ଶୈଳ ଅତିଶୟ ଦୁର୍ଗମ. ଯଥା ରାକ୍ଷସମାନେ ଏଥିରେ ପରିପୂର୍ଣ୍ଣ ଅଛନ୍ତି-। ଆମ୍ଭର ଭ୍ରାତାମାନେ ଆମ୍ଭଙ୍କୁ ଅନ୍ୱେଷଣ କରି ନ ପାଇ ବିହ୍ୱଳ ହୋଇ ଭୂମିରେ ପତିତ ହେବେ; ଏଥିରେ ସଂଶୟ ନାହିଁ । ୩୦ । ବୁଦ୍ଧିମାନ ଅର୍ଜୁନ ବିଷଣ୍ଣ ନୋହିପାରନ୍ତି; କାରଣ ସେ ସର୍ବାସ୍ତ୍ରବେତ୍ତା, କି ଦେବ କି କିନ୍ନର, କି ଗନ୍ଧର୍ବ କି ରାକ୍ଷସ କେହି ତାହାଙ୍କୁ ପରାସ୍ତ କରିପାରିବେ ନାହିଁ । ୩୧ । ସେହି ମହାବଳ ଓ ମହାବାହୁ ଅର୍ଜୁନ ଏକାକୀ ଦେବରାଜଙ୍କୁ ସୁଦ୍ଧା ଶୀଘ୍ର ପଦଚ୍ୟୁତ କରିପାରନ୍ତି ଓ ଅତଏବ ଦୁର୍ଦ୍ୟୂତଦେବୀ ସର୍ବଲୋକଙ୍କର ବିଦ୍ୱେଷର ପାତ୍ର । ଦମ୍ଭ- ମୋହ ପରାୟଣ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ସେ ଯେ ପରାଜିତ କରିବେ, ତହିଁରେ କିଛି ମାତ୍ର ସଂଶୟ ନାହିଁ । ୩୪ ।

 

ହେ ଭୁଜଙ୍ଗମରାଜ ! ଆମ୍ଭର ଜନନୀ ପୁତ୍ରବତ୍ସଳା ଓ ଦୀନା; ତାହାଙ୍କ ନିମିତ୍ତ ଆମ୍ଭର ଶୋକ ଉପସ୍ଥିତ ହେଉଅଛି । ସେ ଆମ୍ଭମାନଙ୍କର ଉନ୍ନତି ଓ ମହତ୍ତ୍ୱ ନିମିତ୍ତ ସର୍ବଦା ପ୍ରାର୍ଥନା କରନ୍ତି-। ୩୫ । ହେ ଭୁଜଙ୍ଗମ ! ଆମ୍ଭ ନିମିତ୍ତ ଅନାଥା ଜନନୀଙ୍କର ଯେଉଁ ମନୋରଥ ଅଛି, ତାହା କି ଆମ୍ଭ ବିନାଶ ହେତୁରୁ ବିଫଳ ହେବ ? । ୩୬ । ହେ ଭୁଜଙ୍ଗମ ! ଜ୍ୟେଷ୍ଠ ଭ୍ରାତାମାନଙ୍କର ସର୍ବଦା ଅନୁବର୍ତ୍ତୀ ଯମଜ ନକୁଳ ଓ ସହଦେବ ଆମ୍ଭର ବାହୁବଳଦ୍ୱାରା ରକ୍ଷିତ ହୋଇଥିଲେ । ସେମାନେ ସର୍ବଦା ପୁରୁଷାଭିମାନୀ । ଏହିହେତୁରୁ ଆମ୍ଭର ବୋଧ ହେଉଅଛି, ସେ ଆମ୍ଭ ବିନାଶରେ ହୀନ ପରାକ୍ରମ ହୋଇ ପରିବେଦନ କରିବେ । ୩୮ । ସର୍ପଗ୍ରସ୍ତ ହୋଇ ବୃକୋଦର ଏହିପରି ବହୁତ ବିଳାପ କଲେ । ଭୁଜଗ- ଦେହଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ତାହାଙ୍କର ଅଙ୍ଗଚାଳନା କରିବାର ସାମର୍ଥ୍ୟ ନ ଥିଲା । ୩୯ । ଏଣେ କୁନ୍ତୀନନ୍ଦନ ଯୁଧିଷ୍ଠିର ଦାରୁଣ ଅନିଷ୍ଟ ଓ ଉତ୍‌ପାତମାନ ଦେଖିବାରୁ ତାହାଙ୍କର ମନ ଉଦ୍‌ବିଗ୍ନ ହେଲା । ୪୫ । ଦିଙ୍‌ମଣ୍ଡଳ ପ୍ରଦୀପ୍ତ ହେବାରୁ ଶିବାଗଣ ତ୍ରସ୍ତ ହୋଇ ସେହି ଆଶ୍ରମର ଦକ୍ଷିଣ ପାର୍ଶ୍ୱରେ ରହି ଅମଙ୍ଗଳ ରବ କଲେ । ୪୧ । ବର୍ତ୍ତିକା ନାମକ ଏକପ୍ରକାର ଚଢ଼େଇ ଗୋଟିଏ ଡେଣାକୁ ବିସ୍ତାର କରି ଗୋଟିଏ ଆଖିରେ ଚାହିଁ ଓ ଗୋଟିଏ ଚରଣରେ ବସି ଭିକ୍ଷୁରୂପେ ମ୍ଲାନଭାବରେ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ରକ୍ତ ବମନ କଲେ । ୪୨ । ରୁକ୍ଷ ଓ ପ୍ରଚଣ୍ଡ ହୋଇ ବାୟୁ ଶର୍କରାରାଶି ଆକର୍ଷଣ କରି ପ୍ରବାହିତ ହେଲା । ମୃଗ ଓ ପକ୍ଷୀମାନେ ଦକ୍ଷିଣ ଦିଗକୁ ଆଶ୍ରୟ କରି ରବ କଲେ । ୪୩ । କୃଷ୍ଣବାୟସ ପଛଆଡ଼ୁ ଆସି ଯାଅ ଯାଅ କହିଲେ । ଦକ୍ଷିଣବାହୁ ତାହାଙ୍କର କମ୍ପିତ ହେଲା, ବାମଚରଣ ଓ ହୃଦୟ ପରିବର୍ତ୍ତିତ ହେଲା । ବାମଚକ୍ଷୁ ଅନିଷ୍ଟସୂଚକ ହୋଇ ଫରକିଲା । ୪୫ ।

 

ହେ ଭାରତ ! ଧର୍ମରାଜ ବଡ଼ ବୁଦ୍ଧିମାନ । ଏହିସବୁ ଅନିଷ୍ଟ ସୂଚନା ଓ ଉତ୍ପାତମାନ ଦେଖିବାରୁ ତାହାଙ୍କର ମହାଭୟ ଉପସ୍ଥିତ ହେଲା । ସେ ବିବେଚନା କରି ଦ୍ରୌପଦୀଙ୍କୁ ପଚାରିଲେ, “ଆରେ, ଭୀମ କାହାନ୍ତି” ? ପାଞ୍ଚାଳୀ କହିଲେ, “ବୃକୋଦର ଏଠାରୁ ଅନେକ ବେଳରୁ ଗଲେଣି ।” ମହାବାହୁ ବୀର ଯୁଧିଷ୍ଠିର ତାହା ଶୁଣି ଧୌମ୍ୟଙ୍କ ସହିତ ତତ୍‌କ୍ଷଣାତ ସେଠାରୁ ପ୍ରସ୍ଥାନ କଲେ । ଧନଞ୍ଜୟଙ୍କୁ କହିଲେ, ତୁମ୍ଭେ ଦ୍ରୌପଦୀଙ୍କୁ ରକ୍ଷା କରିବ । ଦ୍ୱିଜଗଣଙ୍କୁ ରକ୍ଷା କରିବା ନିମିତ୍ତ ନକୁଳ ଓ ସହଦେବଙ୍କୁ ଆଦେଶ ଦେଲେ । ୪୮ । ତଦନନ୍ତର ସେହି ଆଶ୍ରମରୁ ଭୀମଙ୍କର ପଦଚିହ୍ନ ଦେଖି ମହାରଣ୍ୟ ମଧ୍ୟରେ ତାହାଙ୍କର ଅନ୍ୱେଷଣ କଲେ । ୪୯ । ପୂର୍ବଦିଗରେ ଅନେକ ମହାରାଜାଙ୍କର ମୃତ ଦେହ ଓ ଭୀମଙ୍କ ପଦ ଚିହ୍ନରେ ଚିହ୍ନିତ ଭୂପ୍ରଦେଶ ଦେଖିଲେ । ୫୦ । ଅନନ୍ତର ଦେଖିଲେ ଯେ ସହସ୍ର ସହସ୍ର ମୃଗ ଓ ଶତ ଶତ ସିଂହ ବଣରେ ମରି ପଡ଼ିଅଛନ୍ତି । ଏହା ଦେଖି ଭୀମ ଯେ ସେହି ଦିଗକୁ ଆସିଅଛନ୍ତି, ତାହା ଅବଗତ ହେଲେ । ୫୧ । ବାତବେଗୀ ବୀର ଭୀମସେନ ଯେଉଁ ପଥରେ ମୃଗ ନିମିତ୍ତ ଧାବିତ ହୋଇଥିଲେ, ସେଠାରେ ତାହାଙ୍କର ବେଗଗମନ-ପବନରେ ଦ୍ରୂମମାନ ଭଗ୍ନ ଓ ଛିନ୍ନହୋଇ ପଡ଼ିଥିବାର ଦେଖିଲେ । ୫୨ । ଧର୍ମରାଜ ଯୁଧିଷ୍ଠିର ସେହିସବୁ ଚିହ୍ନର ଅନୁସରଣ କରି ଗିରିଗୁହା ସନ୍ନିହିତ ହେଲେ । ସେଠାରେ ମରୁତ୍ ରୁକ୍ଷ ହୋଇ ବହୁଥିଲା । ଦ୍ରୁମସବୁ ନିଷ୍ପ୍ରଭ ହୋଇଥିଲେ । ସେହି ଗହ୍ୱର କଣ୍ଟକ ବୃକ୍ଷରେ ସମାକୀର୍ଣ୍ଣ; ପ୍ରସ୍ତର ଖଣ୍ଡ ଓ ଶାଖାହୀନ କ୍ଷୁଦ୍ର ବିଟପିଦ୍ୱାରା ଆଚ୍ଛାଦିତ; ବିଷମ, ଉତ୍କଟ, ଦୁର୍ଗମ ଓ ଜନଶୂନ୍ୟ ଗୋଟିଏ ଉଷର ପ୍ରଦେଶକୁ ସେ ଯାଇ ଦେଖିଲେ ଯେ ତାଙ୍କର ଅନୁଜ ଭୀମସେନ ଗୋଟାଏ ମହାସର୍ପଦ୍ୱାରା ଗୃହୀତ ହୋଇ ନିଶ୍ଚେଷ୍ଟ ଭାବରେ ରହିଅଛନ୍ତି । ୫୬ ।

 

॥ ଅଧ୍ୟାୟ – ୧୮୦ ॥

 

ବୈଶମ୍ପାୟନ ବୋଇଲେ– ପ୍ରିୟ ଭ୍ରାତା ଭୀମଙ୍କୁ ଭୁଜଗବେଷ୍ଟିତ ହୋଇଥିବାର ଦେଖି ବୁଦ୍ଧିମାନ ଯୁଧିଷ୍ଠିର ତାହାଙ୍କୁ କହିଲେ, ହେ ଭାଇ ! ତୁମ୍ଭେ ଏହି ଆପଦକୁ କିପରି ପ୍ରାପ୍ତ ହେଲ ? ପର୍ବତାକାର ଏହି ସର୍ପୋତ୍ତମ କିଏ ? ୨ । ଯେପରି ସର୍ପ ତାହାଙ୍କୁ ଗ୍ରହଣ କରିଥିଲା ଓ ଯେପରି ସେ ଚେଷ୍ଟାହୀନ ହୋଇଥିଲେ, ସେହିସବୁ କଥା ଭୀମ ଯୁଧିଷ୍ଠିରଙ୍କୁ କହିଲେ । ୩ । ହେ ଆର୍ଯ୍ୟ ! ଏହି ମହାସର୍ପ ଭକ୍ଷଣ କରିବା ନିମିତ୍ତ ଆମ୍ଭଙ୍କୁ ଗ୍ରହଣ କରିଅଛି । ନହୁଷ ନାମରେ ଜଣେ ରାଜର୍ଷି ଥିଲେ । ସେ ଏହି ସର୍ପଜନ୍ମ ପ୍ରାପ୍ତ ହୋଇଅଛନ୍ତି । ୪ ।

 

ଯୁଧିଷ୍ଠିର ବୋଇଲେ– ଆୟୁଷ୍ମାନ ଆମ୍ଭର ଭ୍ରାତା ଅପରିମିତ ବଳଶାଳୀ, ଏହାଙ୍କୁ ତୁମ୍ଭେ ଛାଡ଼ିଦିଅ । ତୁମ୍ଭର କ୍ଷୁଧାନିବାରଣ ନିମିତ୍ତ ଆମ୍ଭେ ତୁମ୍ଭଙ୍କୁ ଅନ୍ୟ ଆହାର ଦେଉଅଛୁଁ । ୫ । ସର୍ପ ବୋଇଲେ, ଏହି ରାଜପୁତ୍ର ଆହାରସ୍ୱରୂପ ହୋଇ ଆମ୍ଭ ମୁଖାଗ୍ରରେ ଉପସ୍ଥିତ ହୋଇଅଛି । ତୁମ୍ଭେ ଏଠାରେ ରହ ନାହିଁ । ଆଗାମୀ କାଲି ତୁମ୍ଭେ ମଧ୍ୟ ଆମ୍ଭର ଆହାର ହେବ । ୬ । ହେ ମହାବାହୋ ! ଆମ୍ଭର ଏହି ବ୍ରତ ଅଛି ଯେ ଯେଉଁ ବ୍ୟକ୍ତି ଆମ୍ଭର ଅଧିକାର ସ୍ଥାନକୁ ଆସିବ, ତାତ ସେ ଆମ୍ଭର ଭକ୍ଷ ହେବ । ତୁମ୍ଭେ ମଧ୍ୟ ଆମ୍ଭ ନିକଟକୁ ଆସିଅଛ । ୭ । ବହୁକାଳ ପରେ ତୁମ୍ଭର ଏହି ଅନୁଜକୁ ଆହାରସ୍ୱରୂପ ଆମ୍ଭେ ପ୍ରାପ୍ତ ହୋଇଅଛୁ । ଆମ୍ଭେ ଏହାକୁ ମୋକ୍ଷଣ କରିବୁ ନାହିଁ କି ଅନ୍ୟ କାହାପ୍ରତି ଆମ୍ଭର ଆକାଙ୍‌କ୍ଷା ନାହିଁ । ୮ । ଯୁଧିଷ୍ଠିର ବୋଇଲେ, ତୁମ୍ଭେ ଦେବ ହୁଅ କି ଦୈତ୍ୟ ହୁଅ, ହେ ସର୍ପ-! ତୁମ୍ଭେ ସତ୍ୟ କହ ।

 

ହେ ଭୁଜଙ୍ଗମ ! କି ନିମିତ୍ତ ତୁମ୍ଭେ ଭୀମସେନଙ୍କୁ ଗ୍ରାସ କରୁଅଛ ? ୯ । ତୁମ୍ଭଙ୍କୁ କଅଣ ଆଣିଦେଲେ ଅଥବା କି କଥା କହିଲେ, ହେ ଭୁଜଙ୍ଗମ ! ତୁମ୍ଭର ସନ୍ତୋଷ ହେବ ? ଆମ୍ଭେ ତୁମ୍ଭଙ୍କୁ କି ଆହାର ଆଣିଦେବୁ ଓ କ’ଣ ହେଲେ ତୁମ୍ଭେ ଆମ୍ଭର ଏହି ଭାଇଙ୍କୁ ଛାଡ଼ିଦେବ । ୧୦ ।

 

ସର୍ପ କହିଲେ, ହେ ନରାଧିପ ! ପୂର୍ବେ ଆମ୍ଭେ ନହୁଷ ନାମରେ ରାଜା ଥିଲୁ । ଆମ୍ଭେ ଆୟୁଙ୍କର ପୁତ୍ର । ଯଜ୍ଞାଚରଣ, ତପସ୍ୟା, ସ୍ୱାଧ୍ୟାୟ, ଦମ ଓ ବିକ୍ରମଦ୍ୱାରା ଆମ୍ଭେ ନିର୍ବାଧରେ ତ୍ରିଲୋକରେ ଐଶ୍ୱର୍ଯ୍ୟପ୍ରାପ୍ତ ହେବାରୁ ଆମ୍ଭ ଚିତ୍ତରେ ଦର୍ପ ଜାତ ହେଲା । ସହସ୍ରେ ବ୍ରାହ୍ମଣ ଆମ୍ଭର ଶିବିକା ବହନ କଲେ । ୧୩ । ଐଶ୍ୱର୍ଯ୍ୟମଦରେ ମତ୍ତ ହୋଇ ବ୍ରାହ୍ମଣମାନଙ୍କୁ ଆମ୍ଭେ ଅବମାନନା କଲୁ । ହେ ପୃଥିବୀପତେ ! ଅଗସ୍ତ୍ୟ ଋଷିଙ୍କ ହେତୁରୁ ଆମ୍ଭେ ଏତାଦୃଶ ଦଶା ପ୍ରାପ୍ତ ହୋଇଅଛୁ । ୧୪ । ହେ ପାଣ୍ଡବ ! ହେ ରାଜନ୍‌ ! ମହାତ୍ମା ଅଗସ୍ତ୍ୟ ଋଷିଙ୍କ ଅନୁଗ୍ରହରୁ ଅଦ୍ୟାବଧି ଆମ୍ଭଙ୍କୁ ଜ୍ଞାନ ପରିତ୍ୟାଗ କରିନାହିଁ । ୧୫ । ଦିବସର ଷଷ୍ଠଭାଗରେ ତୁମ୍ଭର ଅନୁଜ ଆମ୍ଭର ଆହାରସ୍ୱରୂପ ମିଳିଅଛି । ଆମ୍ଭେ ଏହାକୁ ପରିତ୍ୟାଗ କରିବୁ ନାହିଁ ଅଥବା ଆମ୍ଭକୁ ଅନ୍ୟ ଆହାରରେ ପ୍ରୟୋଜନ ନାହିଁ । ୧୬ । ଆମ୍ଭେ ଯେଉଁ ପ୍ରଶ୍ନ ଅଦ୍ୟ ପଚାରିବୁଁ ତାହାର ଉତ୍ତର ଯେବେ ତୁମ୍ଭେ ଦେବ, ତାହାହେଲେ ଆମ୍ଭେ ତୁମ୍ଭର ଭାଇ ବୃକୋଦରଙ୍କୁ ପରେ ପରିତ୍ୟାଗ କରିବୁ । ୧୭ ।

 

ଯୁଧିଷ୍ଠିର ବୋଇଲେ, ହେ ସର୍ପ ! ଇଚ୍ଛାନୁସାରେ ତୁମ୍ଭେ ପଚାର । ଆମ୍ଭେ ତୁମ୍ଭ ବଚନର ପ୍ରତ୍ୟୁତ୍ତର ଦେବୁ । ହେ ଭୁଜଙ୍ଗମ ! ଏତଦ୍ଦ୍ୱାରା ଆମ୍ଭେ ଯେପରି ତୁମ୍ଭର ପ୍ରୀତି ଜାତ କରିପାରିବୁ, ସେଥିପାଇଁ ଚେଷ୍ଟା କରିବୁ । ୧୮ । ହେ ସର୍ପରାଜ ! ବ୍ରାହ୍ମଣଙ୍କର ଯାହା ଜାଣିବାର ଆବଶ୍ୟକ, ତାହା ତୁମ୍ଭେ ଅବଶ୍ୟ ଜାଣିଅଛ । ଅତଏବ ଆମ୍ଭେ ତୁମ୍ଭର ବଚନ ଶ୍ରବଣ କରି ପ୍ରତ୍ୟୁତ୍ତର ଦେଇପାରିବୁ । ୧୯ । ସର୍ପ କହିଲେ, ହେ ନୃପ ଯୁଧିଷ୍ଠିର ! ବ୍ରାହ୍ମଣ କିଏ ଓ ସେ କଅଣ ଜାଣିବା ଆବଶ୍ୟକ ? ଏହା କହ । ତୁମ୍ଭର ବଚନ ଶୁଣି ତୁମ୍ଭଙ୍କୁ ଅତିଶୟ ସୁମତିମାନ ବୋଲି ଜାଣୁଅଛୁଁ । ୨୦ । ଯୁଧିଷ୍ଠିର କହିଲେ– ହେ ନାଗରାଜ ! ସତ୍ୟ, ଦାନ, କ୍ଷମାଶୀଳତା, ଅକ୍ରୁରତା, ତପସ୍ୟା ଓ ଦୟା ଯାହାଠାରେ ଦୃଶ୍ୟ ହୁଏ, ସେହି ବ୍ରାହ୍ମଣ ବୋଲି କଥିତ ହୁଅନ୍ତି । ୨୧ । ଯେ ସୁଖ-ଦୁଃଖରହିତ ଓ ଯାହାକୁ ଜାଣିଲେ ମନୁଷ୍ୟ ଶୋକପ୍ରାପ୍ତ ନ ହୁଏ, ସେହି ପରଂବ୍ରହ୍ମ ବେଦ୍ୟ । ସମ୍ପ୍ରତି ଆଉ ଯାହା କହିବାକୁ ଇଚ୍ଛା ଅଛି, ତାହା ତୁମ୍ଭେ ବ୍ୟକ୍ତ କର । ୨୨ ।

 

ସର୍ପ କହିଲେ, ହେ ଯୁଧିଷ୍ଠିର ! ସତ୍ୟ, ବେଦବାକ୍ୟ, ଅପୌରୁଷେୟ ଅର୍ଥାତ୍ କେହି ମନୁଷ୍ୟଦ୍ୱାରା କି ଅନ୍ୟ ପୁରୁଷଦ୍ୱାରା ଉଚ୍ଚାରିତ ହୋଇନାହିଁ । ଚାରିବର୍ଣ୍ଣ ସମ୍ବନ୍ଧରେ ତାହା ହିତକର ଓ ପ୍ରମାଣସ୍ୱରୂପ ! ବେଦର ପ୍ରତିପାଦ୍ୟ ସତ୍ୟ, ଦାନ, ଅକ୍ରୋଧ, ଦୟା ଓ ଅହିଂସା ଶୂଦ୍ରଠାରେ ମଧ୍ୟ ଦୃଷ୍ଟ ହେଉଅଛି । ୨୩ । ସେପରି ଶୂଦ୍ର କ’ଣ ବ୍ରାହ୍ମଣ ଅଟେ ? ତୁମ୍ଭେ ଦୁଃଖ ସୁଖ ରହିତ ପଦାର୍ଥକୁ ବେଦ୍ୟବୋଲି ନିର୍ଦ୍ଦେଶ କଲ; କିନ୍ତୁ ଆମ୍ଭର ବୋଧ ହେଉଅଛି ଯେ ସୁଖଦୁଃଖବିହୀନ କୌଣସି ବସ୍ତୁ ନାହିଁ । ଯେ ହେତୁରୁ ସୁଖଦୁଃଖରହିତ କୌଣସି ପଦାର୍ଥ ଜଗତରେ ଦୃଷ୍ଟ ହୁଏ ନାହିଁ । ୨୪ । ଯୁଧିଷ୍ଠିର କହିଲେ– ହେ ସର୍ପ, ଯେଉଁ ଶୂଦ୍ରଠାରେ ସେହିସବୁ ଲକ୍ଷଣ ଥାଏ ଓ ଯେଉଁ ବ୍ରାହ୍ମଣଠାରେ ତାହା ନ ଥାଏ, ସେ ଶୂଦ୍ର ନୁହେଁ କି ସେହି ବ୍ରାହ୍ମଣ ବ୍ରାହ୍ମଣ ନୁହେଁ । ୨୫ । ହେ ସର୍ପ ! ଯେଉଁ ବ୍ୟକ୍ତିଠାରେ ସେସବୁ ଚରିତ୍ର ଲକ୍ଷିତ ହୁଏ, ସେହି ସେ ବ୍ରାହ୍ମଣ ବୋଲି ନିର୍ଦ୍ଦିଷ୍ଟ ହୁଅନ୍ତି ଓ ଯେଉଁ ବ୍ୟକ୍ତିଠାରେ ତାହା ବିଦ୍ୟମାନ ନାହିଁ, ତାହାକୁ ଶୁଦ୍ର ବୋଲି ନିର୍ଦ୍ଦେଶ କରାଯାଏ । ୨୬ । ତୁମ୍ଭେ ଯେ କହିଲ, ସୁଖଦୁଃଖହୀନ ବେଦ୍ୟଦ୍ରବ୍ୟ ନାହିଁ, ଯେ ହେତୁରୁ ସୁଖଦୁଃଖବିହୀନ କୌଣସି ବସ୍ତୁ ଆପାତତଃ ବୋଧହୁଏ ନାହିଁ ତାହା ସତ୍ୟ, କିନ୍ତୁ ଯେପରି ଶୀତ, ଉଷ୍ଣ ମଧ୍ୟରେ ଶୀତଳତା କି ଉଷ୍ଣତା ନ ଥାଏ, ସେହିସବୁ ସୁଖ ଓ ଦୁଃଖହୀନ କୌଣସି ପଦାର୍ଥ କୌଣସିଠାରେ ସୁଦ୍ଧା ନ ଥାଏ । ଅର୍ଥାତ୍ ଯେପରି ଶୀତଳତା ଓ ଉଷ୍ଣତା ବ୍ୟତୀତ କୌଣସି ଅନିର୍ବଚନୀୟ ପଦାର୍ଥ ଥିବାର ସ୍ୱୀକାର କରାଯାଏ, ସେହିପରି ସୁଖଦୁଃଖହୀନ କୌଣସି ଅନିର୍ବଚନୀୟ ବେଦ୍ୟବସ୍ତୁ ଥିବାର ଅବଶ୍ୟ ସ୍ୱୀକାର କରିବାକୁ ହୁଏ । ଆମ୍ଭର ଏହି ରୂପ ବିବେଚନା ହୁଏ । ଏବେ ତୁମ୍ଭେ ଯାହା ବିବେଚନା କର । ୨୯ ।

 

ସର୍ପ କହିଲା– ହେ ଆୟୁଷ୍ମାନ୍‌ ! ଯଦି ଚରିତ୍ରଦ୍ୱାରା ବ୍ରାହ୍ମଣ ହେବାର ନିଶ୍ଚିତ ହେଲା, ତେବେ ଯେଉଁ ପର୍ଯ୍ୟନ୍ତ ଚରିତ୍ରର କାର୍ଯ୍ୟ ହୋଇନାହିଁ, ସେ ପର୍ଯ୍ୟନ୍ତ ଜାତିବିଭାଗ ବୃଥା । ୩୦ । ଯୁଧିଷ୍ଠିର କହିଲେ, ହେ ମହାମତେ ! ମହାସର୍ପ ! ଆମ୍ଭର ଏହା ବୋଧ ହେଉଅଛି ଯେ ସର୍ବ ବର୍ଣ୍ଣର ସଙ୍କର ହେତୁ ମନୁଷ୍ୟ ମଧ୍ୟରେ ଜାତି ନିର୍ଣ୍ଣୟ ହେବା ଦୁଃସାଧ୍ୟ । ୩୧ । ସବୁ ମନୁଷ୍ୟ ସବୁ ସ୍ତ୍ରୀଠାରେ ଚିରକାଳ ପୁତ୍ର ଉତ୍ପାଦନ କରିଥାଏ ? ପ୍ରତ୍ୟେକ ମନୁଷ୍ୟ ଜନ୍ମ-ମରଣ-ବାକ୍ୟ ଓ ମୈଥୁନ ସମାନ । ୩୨ । ବିଶେଷତଃ “ଯାଜାମହେ” ଇତ୍ୟାଦି ଋଷିଙ୍କ ବାକ୍ୟ ମଧ୍ୟ ପ୍ରମାଣ ଅଛି । ସେହି ହେତୁରୁ ଯେଉଁମାନେ ଚରିତ୍ରକୁ ପ୍ରଧାନ ଯଜ୍ଞ ବୋଲି ବର୍ଣ୍ଣନା କରନ୍ତି, ସେହିମାନଙ୍କୁ ତତ୍ତ୍ୱଦର୍ଶୀ ବୋଲାଯାଏ । ୩୩ । ପୁରୁଷଙ୍କର ନାଡ଼ୀ ଛେଦନ ପୂର୍ବରୁ ଜାତକର୍ମ କରାଯାଏ । ସେତେବେଳେ ତାହାର ମାତା ସାବିତ୍ରୀ ଓ ପିତା ଆଚାର୍ଯ୍ୟ ହୋଇଥାନ୍ତି । ୩୪ । ଏ ବିଷୟରେ ସଂଶୟ ହେବାରୁ ସ୍ୱୟମ୍ଭୁବମନୁ କହିଅଛନ୍ତି ଯେ, ଯେ ପର୍ଯ୍ୟନ୍ତ ପୁରୁଷ ବେଦରେ ସଂଯୁକ୍ତ ନ ହୁଏ, ସେ ପର୍ଯ୍ୟନ୍ତ ସେ ଶୂଦ୍ର ଥାଏ । ୩୫ । ହେ ନାଗେନ୍ଦ୍ର ! ବର୍ଣ୍ଣମାନଙ୍କର ସଂସ୍କାରାଦି କ୍ରିୟା କରାଗଲେ ହେଁ ସେମାନଙ୍କଠାରେ ଯଦି ସଚ୍ଚରିତ୍ରତା ନ ଥାଏ, ତେବେ ସେ ସ୍ଥଳେ ସଙ୍କରଙ୍କୁ ବଳବାନ ବୋଲି ନିଶ୍ଚୟ କରିବ । ୩୬ । ହେ ଭୁଜଗସତ୍ତମ ମହାସର୍ପ ! ବର୍ତ୍ତମାନ ଯେଉଁ ପୁରୁଷଙ୍କଠାରେ ଉତ୍ତମ ସଂସ୍କୃତି ଚରିତ୍ର ଦେଖାଯାଏ, ତାହାଙ୍କୁ ବ୍ରାହ୍ମଣ ବୋଲି ଆମ୍ଭେ ପୂର୍ବେ ବର୍ଣ୍ଣନ କରିଅଛୁ । ୩୭ । ସର୍ପ କହିଲେ, ହେ ଯୁଧିଷ୍ଠିର ! ତୁମ୍ଭର ବାକ୍ୟ ଆମ୍ଭେ ଶ୍ରବଣ କଲୁଁ । ବେଦ୍ୟବସ୍ତୁକୁ ତୁମ୍ଭେ ଅବଗତ ଅଛ । ଏବେ ଆମ୍ଭେ ତୁମ୍ଭର ଭ୍ରାତା ବୃକୋଦରଙ୍କୁ କିରୂପେ ଭକ୍ଷଣ କରିପାରିବା ? ୩୮ ।

 

॥ ଅଧ୍ୟାୟ – ୧୮୧ ॥

 

ଯୁଧିଷ୍ଠିର କହିଲେ– ହେ ନାଗେନ୍ଦ୍ର ! ଏହି ଲୋକ ମଧ୍ୟରେ ତୁମ୍ଭେ ବେଦବେଦାଙ୍ଗପାରଗ ବୋଲି ବୋଧ ହେଉଅଛ । ଅତଏବ ଆମ୍ଭେ ପ୍ରଶ୍ନ କରୁଅଛୁଁ, କି କର୍ମ କଲେ ମନୁଷ୍ୟର ଉତ୍ତମ ଗତି ହୁଏ ? ଏହା ତୁମ୍ଭେ ବର୍ଣ୍ଣନ କର । ୧ । ସର୍ପ କହିଲେ, ହେ ଭାରତ ! ଆମ୍ଭ ବିବେଚନାରେ ମନୁଷ୍ୟ ଯେବେ ପାତ୍ରରେ ଦାନ କରେ, ପ୍ରିୟ ଓ ସତ୍ୟ ବାକ୍ୟ କହେ ଓ ଅହିଂସା ଆଚରଣ କରେ, ତେବେ ସେ ସ୍ୱର୍ଗକୁ ଗମନ କରିବାକୁ ସମର୍ଥ ହୁଏ । ୨ । ଯୁଧିଷ୍ଠିର କହିଲେ, ହେ ସର୍ପ ! ଦାନ ଓ ସତ୍ୟ ଏହି ଦୁହିଁଙ୍କ ମଧ୍ୟରେ ବଡ଼ କିଏ ? ଅହିଂସା ଓ ପ୍ରିୟ ବ୍ୟବହାର ଏହି ଦୁହିଁଙ୍କ ମଧ୍ୟରେ ବଡ଼ କିଏ ? ତୁମ୍ଭେ ଆମ୍ଭଙ୍କୁ ଏହି ଦୁଇ ବିଷୟରେ ଶ୍ରେଷ୍ଠ ଓ ଅଶ୍ରେଷ୍ଠ ନିର୍ଦ୍ଧାରଣ କରି କହ । ୩ ।

 

ସର୍ପ କହିଲେ, ହେ ରାଜେନ୍ଦ୍ର ! ଆମ୍ଭର ଏହି ନିଶ୍ଚିତ ଜ୍ଞାନ ଅଛି ଯେ ଦାନ, ସତ୍ୟ, ଅହିଂସାଚରଣ ଓ ପ୍ରିୟ କାର୍ଯ୍ୟ କରିବା– ଏମାନଙ୍କ ମଧ୍ୟରେ କାର୍ଯ୍ୟର ଗୌରବ ଓ ଲଘୁତା ଅନୁସାରେ ବଡ଼ ସାନ ହୋଇଥାଏ । କାରଣ ଏହି ଯେ କାର୍ଯ୍ୟବିଶେଷରେ ଶ୍ରେଷ୍ଠକାର୍ଯ୍ୟ ଅଶ୍ରେଷ୍ଠ ହୁଏ । ୪ । କୌଣସି ସ୍ଥଳରେ ଦାନ ଅପେକ୍ଷା ସତ୍ୟ ବିଶିଷ୍ଟ ହୁଏ, ଅଥଚ ସତ୍ୟବାକ୍ୟ ଅପେକ୍ଷା କୌଣସି ଦାନ ଶ୍ରେଷ୍ଠ ବୋଲି ପରିଗଣିତ ହୁଏ । ୫ । ହେ ମହୀପାଳ ! ଏହିପରି କୌଣସି ପ୍ରିୟ ବାକ୍ୟ ଅପେକ୍ଷା ଅହିଂସା ବଡ଼ ହୁଏ ଓ କୌଣସି ସ୍ଥଳରେ ଅହିଂସା ଅପେକ୍ଷା ପ୍ରିୟ କାର୍ଯ୍ୟ ଶ୍ରେଷ୍ଠ ବୋଲି ଗଣ୍ୟ ହୁଏ । ୬ । ଏହିରୂପେ କାର୍ଯ୍ୟକୁ ଅପେକ୍ଷା କରି ସେମାନଙ୍କର ଗୌରବ ଲାଘବ ହୋଇଥାଏ । ହେ ରାଜନ୍‌ ! ଏଥି ଉତ୍ତାରୁ ତୁମ୍ଭର ଆଉ ଯଦି କୌଣସି ଅଭିପ୍ରେତ ଥାଏ ତେବେ କହ; ଆମ୍ଭେ ତାହାର ଉତ୍ତର ଦେବୁ । ୭ ।

 

ଯୁଧିଷ୍ଠିର କହିଲେ, ହେ ସର୍ପ ! ଯାହାର ଶରୀର ବିନଷ୍ଟ ହୋଇଅଛି, ଏପରି ଦେହହୀନ ବ୍ୟକ୍ତିର କର୍ମଫଳ ଭୋଗ କିପରି ହୋଇପାରେ ? ତାହାର ସ୍ୱର୍ଗଗତି ଓ ଶବ୍ଦସ୍ପର୍ଶାଦି ବିଷୟର ଉପଭୋଗ କିପରି ହୋଇପାରେ ? ଏହିସବୁ କଥା ତୁମ୍ଭେ ଆମ୍ଭ ନିକଟରେ ବ୍ୟକ୍ତ କର । ୮ ।

 

ସର୍ପ କହିଲେ, ହେ ରାଜନ୍‌ ! ମନୁଷ୍ୟମାନଙ୍କର ସ୍ୱକୀୟ କର୍ମାନୁସାରେ ମନୁଷ୍ୟ ଜନ୍ମ, ସ୍ୱର୍ଗଭୋଗ ଓ ତୀର୍ଯ୍ୟଗ୍ ଯୋନିରେ ଜନ୍ମ, ଏହି ତିନି ପ୍ରକାର ଗତି ହେବାର ଦେଖାଯାଏ । ୯ । ମନୁଷ୍ୟ ନିରଳସ ହୋଇ ଅହିଂସା ଓ ଶମାଦିଯୁକ୍ତ ଦାନାଦି କାର୍ଯ୍ୟ କରି ଏହି ମନୁଷ୍ୟଲୋକରୁ ଗମନ କରି ସ୍ୱର୍ଗ ଭୋଗ କରେ । ୧୦ । ପୁନଶ୍ଚ ଏହାର ବିପରୀତ କାର୍ଯ୍ୟଦ୍ୱାରା ଅର୍ଥାତ୍ ପାପପୁଣ୍ୟର ତାରତମ୍ୟ ଅନୁସାରେ ମନୁଷ୍ୟ ଜନ୍ମ ଅଥବା ତୀର୍ଯ୍ୟଗ ଯୋନିଜନ୍ମ ଦୁହିଁଙ୍କ ପ୍ରାପ୍ତ ହୁଏ । ଏ ବିଷୟରେ ଯାହା ନିର୍ଦ୍ଧାରିତ ଅଛି, ତାହା କହୁଅଛି ଶ୍ରବଣ କର । ୧୧ । ଯେଉଁ ବ୍ୟକ୍ତି କାମ, କ୍ରୋଧ, ଲୋଭ; ମୋହ ସମନ୍ୱିତ ହୁଏ, ସେ ମନୁଷ୍ୟଜନ୍ମରୁ ପରିଭ୍ରଷ୍ଟ ହୋଇ ତିର୍ଯ୍ୟଗ ଯୋନିରେ ଜନ୍ମଗ୍ରହଣ କରେ । ୧୨ । ଓ ମନୁଷ୍ୟଜନ୍ମ ପାଇବା ନିମିତ୍ତ ତିର୍ଯ୍ୟଗ ଯୋନିରୁ ମୁକ୍ତି ପାଏ; ଏହି କଥା ବେଦରେ ଉକ୍ତ ହୋଇଅଛି । ପୁନଶ୍ଚ ଗୋ, ଅଜ, ଅଶ୍ୱଯୋନିରୁ ଦେବତ୍ୱ ଲାଭ ହୁଏ; ଏହା ମଧ୍ୟ ବେଦରେ ଉକ୍ତ ଅଛି । ୧୩ । ହେ ବତ୍ସ ! କର୍ମାନୁଷ୍ଠାନକାରୀ ଜୀବ ଏହିପରି ଏକଗତିରୁ ଅନ୍ୟଗତି ପ୍ରାପ୍ତ ହୁଏ । ପୁନଶ୍ଚ ଦ୍ୱିଜ ଅର୍ଥାତ୍ ଜ୍ଞାନୀ ବ୍ୟକ୍ତି ନିତ୍ୟ ବ୍ରହ୍ମଙ୍କଠାରୁ ଆତ୍ମାକୁ ବିଲୀନ କରନ୍ତି । ୧୪ । ଦେହାଭୀମାନୀ ଓ ଫଳାର୍ଥୀ ଜୀବ କର୍ମନିମିତ୍ତ ଅଦୃଷ୍ଟଦ୍ୱାରା ଗୃହୀତ ହୋଇ ଭିନ୍ନ ଭିନ୍ନ ଜାତିରେ ଜନ୍ମଗ୍ରହଣ କରି ଦୈହିକ ଫଳ ଭୋଗ କରେ ।

 

ଯୁଧିଷ୍ଠିର କହିଲେ–ହେ ମହାମତି ସର୍ପ ! ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ ଏହି ପଞ୍ଚବିଧ ବିଷୟରେ ସେହି ଅସଙ୍ଗ ଆତ୍ମା କିପରି ଅଧିଷ୍ଠାନ ସମ୍ଭବ ହୋଇପାରେ ? ତାହା ତୁମ୍ଭେ ଯଥାର୍ଥରୂପେ ସ୍ଥିରଚିତ୍ତରେ ବର୍ଣ୍ଣନା କର । ୧୬ । ଶବ୍ଦ, ସ୍ପର୍ଶ, ପ୍ରଭୃତି ବିଷମ ବିଷୟମାନଙ୍କୁ ତୁମ୍ଭେ କଅଣ ଏକକାଳରେ ଗ୍ରହଣ କର ? ଆମ୍ଭର ଏହିସବୁ ପ୍ରଶ୍ନର ପ୍ରତ୍ୟୁତ୍ତର ଦିଅ । ୧୭ ।

 

ସର୍ପ କହିଲେ, ଆୟୁଷ୍ମାନ ! ଆତ୍ମସ୍ୱରୂପ ଦ୍ରବ୍ୟ ସ୍ଥୂଳ, ସୂକ୍ଷ୍ମ ଦେହର ଆଶ୍ରୟ ହେତୁରୁ ଇନ୍ଦ୍ରିୟମାନଙ୍କଦ୍ୱାରା ଅଧିଷ୍ଠିତ ହୋଇ ବିଧାନାନୁସାରେ ବିଷୟମାନଙ୍କୁ ଉପଭୋଗ କରେ । ୧୮ । ହେ ଭରତର୍ଷଭ ! ଏହି ସ୍ଥଳରେ ସେହି ଆତ୍ମାଙ୍କର ବିଷୟଭୋଗର ଇନ୍ଦ୍ରିୟମାନଙ୍କୁ କହୁଅଛୁ; ଆମ୍ଭଠାରୁ ଶ୍ରବଣ କର । (ଏ ସ୍ଥଳରେ ସେହି ଆତ୍ମା କେଉଁ କାରଣଦ୍ୱାରା ନିଜର ବିଷୟ ଭୋଗ କରନ୍ତି, ତାହା ଆମ୍ଭଠାରୁ ଶ୍ରବଣ କର) ଇନ୍ଦ୍ରିୟ, ମନ ଓ ବୁଦ୍ଧି ଏମାନଙ୍କୁ କରଣ ବୋଲାଯାଏ । ୧୯-। ହେ ତାତ ! ବିଷୟାଧାର ଇନ୍ଦ୍ରିୟରେ ସମବସ୍ଥିତ ମନଦ୍ୱାରା ନିଜର ସ୍ଥାନ ହୃଦୟାକାଶରୁ ଜୀବ ନିଃସୃତ ହୋଇ ଏହିସବୁ ଶବ୍ଦସ୍ପର୍ଶାଦି ବିଷୟମାନଙ୍କୁ କ୍ରମେ କ୍ରମେ ଅନୁଭବ କରେ । ପ୍ରକୃତରେ ଜୀବ ଯେ ବିଷୟାନୁଭବ କରେ, ତାହା ସେ ମନଦ୍ୱାରା କରିଥାଏ, ସୁତରାଂ ଶବ୍ଦସ୍ପର୍ଶାଦି ସମସ୍ତ ବିଷୟରେ ଅନୁଭବ ଏକକାଳରେ ହୋଇନପାରେ । ୨୧ । ହେ ପୁରୁଷେନ୍ଦ୍ର ! ସେହି ଜୀବ ଦୁଇ ଭ୍ରୂର ଅଭ୍ୟନ୍ତରରେ ଅବସ୍ଥିତ ହୋଇ ବିବିଧାକାର ଦ୍ରବ୍ୟରେ ବିବିଧ ପ୍ରକାର ବୁଦ୍ଧିକୁ ସୃଜନ କରେ-। ୨୨ । ଯୋଗୀମାନେ ଅନୁଭବ କରିଅଛନ୍ତି ଯେ ବୁଦ୍ଧିଦ୍ୱାରା ବିଷୟଜ୍ଞାନ ହେଲାପରେ ଜ୍ଞାନୀର ଅଭିଳାଷ ଜାତ ହୁଏ । ଏହିହେତୁରୁ ଜଣାଯାଇଅଛି ଯେ ସେହି ବୁଦ୍ଧିଠାରୁ ଆତ୍ମା ସ୍ୱତନ୍ତ୍ର । ଏହାଦ୍ୱାରା ଜୀବାତ୍ମାର ଅସ୍ତିତ୍ୱ ପ୍ରକାଶିତ ହେଉଅଛି । ୨୩ ।

 

ଯୁଧିଷ୍ଠିର କହିଲେ, ହେ ସର୍ପ ! ତୁମ୍ଭେ ମନ ଓ ବୁଦ୍ଧି ଏ ଦୁହିଁଙ୍କର ଭିନ୍ନ ଭିନ୍ନ ଲକ୍ଷଣ ଆମ୍ଭଙ୍କୁ କହ; ଯେହେତୁ ଅଧ୍ୟାତ୍ମବେତ୍ତାମାନଙ୍କର ଏହା ପରମ କାର୍ଯ୍ୟ ବୋଲି ବିହିତ ହୋଇଛି । ୨୪ ।

 

ସର୍ପ ବୋଇଲେ, ହେ ଯୁଧିଷ୍ଠିର ! ବୁଦ୍ଧି ଆତ୍ମାର ନିତାନ୍ତ ଅନୁଗତ ଓ ଆଶ୍ରିତ । ସେହିହେତୁରୁ ବୁଦ୍ଧି ଜ୍ଞାନର ପ୍ରେରକ ହୁଏ । ୨୫ । ବିଷୟରେ ଇନ୍ଦ୍ରିୟ ସଂଯୋଗ ହେତୁରୁ ବୁଦ୍ଧି ଉତ୍ପନ୍ନ ହୁଏ । ମନ ତ ଉତ୍ପନ୍ନ ହୋଇଥାଏ । ପରନ୍ତୁ ବୁଦ୍ଧିର ସୁଖଦୁଃଖାଦି ଉତ୍ପନ୍ନ କରିବାର ସାମର୍ଥ୍ୟ ନାହିଁ, କିନ୍ତୁ ମନର ସେ ସାମର୍ଥ୍ୟ ଅଛି । ବୁଦ୍ଧି ଯେ ପରିମାଣରେ ମନ ନିକଟରେ ଗୁଣମାନଙ୍କୁ ଉପନୀତ କରେ, ତଦନୁସାରେ ମନ ଗୁଣବାନ୍ ହୁଏ । ୨୬ । ହେ ତାତ ! ମନ ଓ ବୁଦ୍ଧିର ଏହି ପ୍ରଭେଦ । ତୁମ୍ଭେ ମଧ୍ୟ ଅଭିଜ୍ଞ । ଅତଏବ ଏ ବିଷୟରେ ତୁମ୍ଭେ କି ବିବେଚନା କରୁଅଛ ? ୨୭ ।

 

ଯୁଧିଷ୍ଠିର କହିଲେ, ହେ ଭୁଜଙ୍ଗମ ! ତୁମ୍ଭେ ଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତୁମ୍ଭର ବୁଦ୍ଧି ମଧ୍ୟ ଉତ୍କୃଷ୍ଟ, ସୁତରାଂ ବେଦ୍ୟ ପଦାର୍ଥକୁ ତୁମ୍ଭେ ଉତ୍ତମରୂପେ ଜାଣ । ତେବେ ଆମ୍ଭଙ୍କୁ ଏ ବିଷୟରେ ପ୍ରଶ୍ନ କରିବାର ପ୍ରୟୋଜନ କଅଣ ? ୨୮ । ହେ ସର୍ପ ! ଆମ୍ଭର ଆଉ ଗୋଟିଏ ବଡ଼ ସଂଶୟ ଉପସ୍ଥିତ ହୋଇଅଛି । ତାହା ଏହି ଯେ ତୁମ୍ଭେ ସର୍ବଜ୍ଞ, ତୁମ୍ଭେ ଅଦ୍ଭୁତ ଶୁଭକର୍ମମାନଙ୍କୁ ଅନୁଷ୍ଠାନ କରିଅଛ । ସେଥିନିମିତ୍ତ ତୁମ୍ଭେ ସ୍ୱର୍ଗବାସୀ ହୋଇଥିଲ । ଏପରି ସ୍ଥଳରେ କିପରି ମୋହ ପ୍ରବେଶ କଲା ? । ୨୯ ।

 

ସର୍ପ କହିଲେ, ଯୁଧିଷ୍ଠିର ! ଆମ୍ଭର ଏହି ବିବେଚନା ଯେ ମନୁଷ୍ୟ ଶୂର ଓ ସୁବୁଦ୍ଧ ହେଲେ ହେଁ ଐଶ୍ୱର୍ଯ୍ୟମଦ ତାହାକୁ ମୋହିତ କରେ । ଅତଏବ ଐଶ୍ୱର୍ଯ୍ୟସୁଖରେ ସମାସକ୍ତ ସବୁ ପୁରୁଷ ମୁଗ୍ଧ ହୁଅନ୍ତି । ୩୦ । ଏହି ନିମିତ୍ତ ଆମ୍ଭେ ମଧ୍ୟ ଐଶ୍ୱର୍ଯ୍ୟମଦରେ ମତ୍ତହୋଇ ଏହି ସ୍ଥାନରେ ନିପତିତ ହୋଇଅଛୁ ଓ ବୋଧପ୍ରାପ୍ତ ହୋଇ ତୁମ୍ଭଙ୍କୁ ସମ୍ବୋଧନ କରୁଅଛୁ । ୩୧ । ହେ ପରମତପସ୍ୱୀ ମହାରାଜ ! ତୁମ୍ଭେ ଆମ୍ଭର ହିତକାର୍ଯ୍ୟ କଲ । ତୁମ୍ଭର ସ୍ୱଭାବ ଅତି ସାଧୁ । ତୁମ୍ଭ ସହିତ ଆଳାପ କରି ଆମ୍ଭର ନିଦାରୁଣ ଅଭିଶାପ କ୍ଷୟ ହେଲା । ୩୨ । ପୂର୍ବକାଳରେ ସ୍ୱର୍ଗରେ ଦିବ୍ୟ ବିମାନରେ ଆରୋହୀ ହୋଇ ବିଚରଣ କରୁଥିଲୁ । ଅଭିମାନରେ ମତ୍ତହୋଇ ଆମ୍ଭେ ଅନ୍ୟ କୌଣସି ବିଷୟ ଚିନ୍ତା କରୁ ନ ଥିଲୁ । ୩୩ । ବ୍ରହ୍ମର୍ଷି, ଦେବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ପନ୍ନଗଗଣ ଓ ସମସ୍ତ ତ୍ରୈଲୋକ୍ୟବାସୀ ଆମ୍ଭଙ୍କୁ ବର ପ୍ରଦାନ କରୁଥିଲେ । ୩୪ । ହେ ପୃଥିବୀଶ୍ୱର ! ଆମ୍ଭର ଏତାଦୃଶ ଦୃଷ୍ଟିବଳ ଥିଲା ଯେ ଆମ୍ଭେ ଯେଉଁ ପ୍ରାଣୀଙ୍କୁ ଚକ୍ଷୁଦ୍ୱାରା ଚାହୁଁଥିଲୁ, ତତ୍‌କ୍ଷଣାତ ଆମ୍ଭେ ତାହାର ତେଜକୁ ହରଣ କରୁଥିଲୁ । ୩୫ । ସହସ୍ରେ ବ୍ରହ୍ମର୍ଷି ଆମ୍ଭର ଶିବିକା ବହନ କରୁଥିଲେ । ଏହି ମନ୍ଦ ନୀତି ଆମ୍ଭଙ୍କୁ ଐଶ୍ୱର୍ଯ୍ୟରୁ ଭ୍ରଷ୍ଟ କଲା । ୩୬ । ଦିନେ ଅଗସ୍ତ୍ୟ ମୁନି ଆମ୍ଭର ଶିବିକା ବହନ କରୁଥିଲେ । ତତ୍କାଳରେ ତାଙ୍କ ଉପରେ ମୋର ପାଦ ପଡ଼ିଗଲା । ସେ ରୁଷ୍ଟ ହୋଇ ଆମ୍ଭଙ୍କୁ କହିଲେ, ତୁ ଧ୍ୱଂସ ହୁଅ । ତୁ ସର୍ପମୂର୍ତ୍ତି ପ୍ରାପ୍ତ ହୁଅ । ୩୭ । ଅନନ୍ତର ଆମ୍ଭେ ଶ୍ରୀଭ୍ରଷ୍ଟ ହୋଇ ସେହି ଦିବ୍ୟ ବିମାନରୁ ପତିତ ହେଲୁ ଓ ପଡ଼ୁ ପଡ଼ୁ ଆମ୍ଭେ ଆପଣାକୁ ଅଧୋମୁଖ ସର୍ପରୂପ ଦେଖିଲୁ । ତତ୍କାଳରେ ଆମ୍ଭେ ପ୍ରାର୍ଥନା କଲୁଁ, ହେ ଭଗବନ ! ଆମ୍ଭେ ପ୍ରମାଦଯୁକ୍ତ ଓ ବିମୂଢ଼ ହୋଇଥିଲୁ । ଏହି କାରଣରୁ ଆପଣ କ୍ଷମା କରନ୍ତୁ । ଆମ୍ଭ ଅଭିଶାପର ଶେଷ ହେଉ ।

 

ତଦନନ୍ତର ସେ କୃପାନ୍ୱିତ ହୋଇ ଆମ୍ଭର ପତନବେଳେ କହିଲେ ଯେ ଧର୍ମରାଜ ଯୁଧିଷ୍ଠିର ଶାପରୁ ତୁମ୍ଭଙ୍କୁ ମୁକ୍ତ କରିବେ । ହେ ନରାଧୀଶ ! ତୁମ୍ଭର ଘୋର ଅଭିମାନ ରୂପ ପାପର ଫଳ କ୍ଷୟ ହେଲେ ତୁମ୍ଭେ ପୁନର୍ବାର ପୁଣ୍ୟ କାର୍ଯ୍ୟର ଫଳ ପ୍ରାପ୍ତ ହେବ । ଅନନ୍ତର ତାହାଙ୍କର ତପସ୍ୟାବଳ ଦେଖି ଆମ୍ଭର ବିସ୍ମୟ ଜାତ ହୋଇଥିଲା । ୪୧ । ସେଥି ନିମିତ୍ତ ଆମ୍ଭେ ତୁମ୍ଭଙ୍କୁ ବ୍ରହ୍ମ ଓ ବ୍ରହ୍ମବିଷୟକ ପ୍ରଶ୍ନ କଲୁ । ହେ ନୃପ ! ପୁରୁଷମାନଙ୍କର ସତ୍ୟ, ଦମ, ତପସ୍ୟା, ଦାନ, ଅହିଂସା ଓ ଧର୍ମନିଷ୍ଠତା ସର୍ବଦା ସାଧ୍ୟ ହୁଏ । ଜାତି ଓ କୁଳ ସାଧକ ନୁହେଁ । ମହାରାଜ ! ମହାବଳଠାରୁ ବଳବାନ ତୁମ୍ଭ ଭ୍ରାତା ଏହି ଭୀମସେନ ନିରାପଦ ହୁଅନ୍ତୁ । ତୁମ୍ଭର ମଙ୍ଗଳ ହେଉ । ଆମ୍ଭେ ପୁନର୍ବାର ସ୍ୱର୍ଗକୁ ଗମନ କଲୁ । ୪୩ ।

 

ବୈଶମ୍ପାୟନ କହିଲେ, ମହାରାଜ ! ସର୍ପରୂପୀ ନହୁଷ ଏହି କଥା କହି ଆଜଗରବପୁ ପରିବର୍ତ୍ତରେ ଦିବ୍ୟଦେହକୁ ଧରି ପୁନର୍ବାର ସୁରଲୋକକୁ ଗମନ କଲେ । ୪୪ । ଶ୍ରୀମନ ଧର୍ମାତ୍ମା ଯୁଧିଷ୍ଠିର ସଙ୍ଗରେ ଭୀମସେନଙ୍କୁ ଓ ଧୌମ୍ୟଙ୍କୁ ଘେନି ପୁନର୍ବାର ଆଶ୍ରମକୁ ପ୍ରତ୍ୟାଗମନ କଲେ । ୪୫ । ତତ୍ପରେ ସେ ଦ୍ୱିଜ ଓ ଅନୁଜଗଣଙ୍କ ନିକଟରେ ଯଥାବତ୍ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନ କଲେ । ୪୬ । ସେହିସବୁ ଦ୍ୱିଜଗଣ, ଯଶସ୍ୱିନୀ ଦ୍ରୌପଦୀ ଓ ଭ୍ରାତା ଅର୍ଜ୍ଜୁନ ସେହି ବୃତ୍ତାନ୍ତକୁ ଶ୍ରବଣ କରି ଅତ୍ୟନ୍ତ ଲଜ୍ଜିତ ହେଲେ । ୪୭ । ବ୍ରାହ୍ମଣମାନେ ପାଣ୍ଡବଙ୍କ ହିତ କାମନାରେ ଭୀମଙ୍କର ଦୁଃସାହସକୁ ନିନ୍ଦା କରି କହିଲେ, ହେ ଭୀମ ! ଆଉ ଏପରି କାମ କେବେ କରିବ ନାହିଁ । ପାଣ୍ଡବମାନେ ମହାବଳ ଭୀମଙ୍କୁ ଭୟରୁ ମୁକ୍ତ ହେବାର ଦେଖି ହୃଷ୍ଟ ହେଲେ ଓ ସନ୍ତୋଷ ଭାବରେ ବିହାର କଲେ । ୪୯ ।

 

Unknown

॥ ଅଧ୍ୟାୟ – ୧୮୨ ॥

 

ବୈଶମ୍ପାୟନ କହିଲେ, ସେମାନେ ସେହି ପର୍ବତରେ ବାସ କରୁଥିଲେ, ଏମନ୍ତ ସମୟରେ ଗ୍ରୀଷ୍ମକାଳ ଶେଷ ହୋଇ ସର୍ବପ୍ରାଣୀର ସୁଖାବହ ପ୍ରାବୃଟକାଳ ଉପସ୍ଥିତ ହେଲା । ଶତ ଶତ ସହସ୍ର ସହସ୍ର କୃଷ୍ଣବର୍ଣ୍ଣ ମେଘଜାଲ ଦିଗ୍‌ମଣ୍ଡଳ ଓ ନଭସ୍ଥଳକୁ ଅଚ୍ଛାଦନ କରି ଦିବାନିଶି ନିରନ୍ତର ବାରି ବର୍ଷଣ କଲେ । ୨ । ଧରଣୀରୁ ସୂର୍ଯ୍ୟଙ୍କ ପ୍ରଭା ତିରୋହିତ ହେଲା । ସୌଦାମିନିଙ୍କର ନିର୍ମଳତେଜ ବିଦୁରିତ ହେଲା । ୩ । ଶସ୍ୟାଙ୍କୁର ଓ ତୃଣାଙ୍କୁର ପୃଥିବୀର ଦେହରେ ଉତ୍ପନ୍ନ ହେଲା । ଦଂଶକ ଓ ସରୀସୃପଙ୍କର ପ୍ରଭାବ ବଢ଼ିଲା । ଭୂମଣ୍ଡଳ ଜଳରେ ସିକ୍ତ ହେଲା । ସର୍ବପ୍ରାଣୀ ଏହା ଦେଖି ରମଣୀୟ ବୋଧକଲେ । ୪ । ସବୁସ୍ଥାନ ଜଳରେ ପ୍ଲାବିତ ହେବାରୁ ସମ-ବିଷମ ସବୁ ସମାନ ଦିଶିଲା । କିଏ ନଦୀ, କିଏ ତଟ ବୋଧଗମ୍ୟ ହେଲା ନାହିଁ । ୫ । ବର୍ଷାର ପ୍ରାଦୁର୍ଭାବରେ ନଦନଦୀମାନଙ୍କ ବେଗବତୀ ହୋଇ ବାୟୁବେଗରେ ପ୍ରବାହିତ ହେଲେ । ମହାରଣ୍ୟ ଯେପରି କ୍ଷୁଭିତ ହୁଏ, ନଦନଦୀମାନେ ଜଳ ସେହିପରି କ୍ଷୁଭିତ ହେଲା । ୬ । ବୃଷ୍ଟିଜଳରେ ଅଭିଷିକ୍ତ ହୋଇ ବରାହ, ମୃଗ ଓ ବିବିଧ ବିହଙ୍ଗଙ୍କର ବିବିଧ ରବରେ କାନନ ପରିପୂର୍ଣ୍ଣ ହେଲା । ୭ । ଚାତକ, ମୟୂର ଓ ପୁଂଷ୍କୋକିଳମାନେ ପ୍ରମତ୍ତ ହେଲେ । ମଣ୍ଡୁକମାନେ ଦର୍ପିତ ହୋଇ କୂଜନ କଲେ । ୮ । ଗିରିସନ୍ନିହିତ ଶୁଷ୍କଭୂମିରେ ବିଚରଣ କରି ପାଣ୍ଡବମାନଙ୍କର ସମୟ ସୁଖରେ ଅତିବାହିତ ହେଲା । ୯ ।

 

ଅନନ୍ତର ଶରତକାଳଳ ବିକଶିତ ହେଲା । ତହିଁରେ ସୁଦ୍ଧା ମହାତ୍ମା ପାଣ୍ଡବମାନଙ୍କର ଚିତ୍ତ ପ୍ରମୁଦିତ ହେଲା । ବକ ଓ ହଂସମାନେ ଶ୍ରେଣୀବଦ୍ଧ ହୋଇ ଇତସ୍ତତଃ ସମାକୀର୍ଣ୍ଣ ହେଲେ । ପର୍ବତସାନୁରେ ତୃଣ ଓ ବନ ପ୍ରରୋହିତ ହେଲେ । ନଦୀମାନଙ୍କର ଜଳ ସୁନିର୍ମଳ ଦିଶିଲା । ୧୦ । ଆକାଶ ନିର୍ମଳ ହେବାରୁ ନକ୍ଷତ୍ରନିକର ବିଶଦଭାବେ ପ୍ରକାଶିତ ହେଲେ । ଏହିସବୁ କାରଣରୁ ଶରତକାଳଳକୁ ଦେଖି ପାଣ୍ଡବମାନେ ସୁଖୀ ହେଲେ । ମୃଗ-ପକ୍ଷୀଗଣ ନାନା ସ୍ଥାନରେ ସମାକୀର୍ଣ୍ଣ ହେଲେ । ଜଳଦସଦୃଶ ଶୀତଳ ନିର୍ମଳ ଯାମିନୀ, ଗ୍ରହ, ନକ୍ଷତ୍ର ଓ ଚନ୍ଦ୍ରମଣ୍ଡଳ ମନୋହର ଦୃଶ୍ୟ ହେଲା । ସରୋବରସବୁ ନିର୍ମଳ ଜଳରେ ପରିପୂର୍ଣ୍ଣ ହେଲା ଏବଂ କୁମୁଦ, କହ୍ଲାର ଓ କମଳଦ୍ୱାରା ସମଳଙ୍କୃତ ହୋଇ ନୟନର ଆନନ୍ଦ ବର୍ଦ୍ଧନ କଲା । ୧୩ । ପୁଣ୍ୟତୀର୍ଥା ସରସ୍ୱତୀ ନଦୀ ତଟରେ ବେତସ ବୃକ୍ଷମାନେ ଆକାଶର ବର୍ଣ୍ଣ-ପ୍ରାୟ ସୁଦୃଶ୍ୟ ବର୍ଣ୍ଣ ଧରିଅଛନ୍ତି ଓ ନିର୍ମଳ ଜଳରେ ସରସ୍ୱତୀ ପରିପୂର୍ଣ୍ଣ ହୋଇଅଛି । ବୀର ପାଣ୍ଡବମାନେ ତାହାକୁ ଦେଖି ଅଧିକତର ହୃଷ୍ଟ ହେଲେ । ୧୫ । ହେ ଜନମେଜୟ ! ଶରତକାଳଳରେ ପର୍ବସନ୍ଧିରେ ଶାରଦୀ କାର୍ତ୍ତିକ ପୂର୍ଣ୍ଣିମାର ନିଶା ଉପସ୍ଥିତ ହେବାରୁ ଭରତଶ୍ରେଷ୍ଠ ପାଣ୍ଡବମାନେ ମହାତପସ୍ୱୀମାନଙ୍କ ସହିତ ସଙ୍ଗତ କରି ଉତ୍ତମ ପୁଣ୍ୟକର୍ମମାନଙ୍କୁ ଅନୁଷ୍ଠାନ କଲେ । ୧୭ । ରାତ୍ର ହେବାରୁ, ଧୌମ୍ୟଙ୍କ ସହିତ ପାଣ୍ଡବମାନେ ସାରଥି ଓ ଅନୁଗାମୀମାନଙ୍କୁ ଘେନି କାମ୍ୟକବନକୁ ଗମନ କଲେ ।

 

॥ ଅଧ୍ୟାୟ – ୧୮୩ ॥

 

ବୈଶମ୍ପାୟନ କହିଲେ–ଯୁଧିଷ୍ଠିରଆଦି କୁରୁବୀରମାନେ କାମ୍ୟକବନରେ ପ୍ରବିଷ୍ଟ ହୋଇ ଅତିଥି ସତ୍କାରାନନ୍ତର ମୁନିଗଣ ଓ କୃଷ୍ଣାଙ୍କ ସହିତ ବିଷଣ୍ଣ ହେଲେ । ୧ । ତଦନନ୍ତର ପାଣ୍ଡୁପୁତ୍ରମାନେ ସେଠାରେ ବିଶ୍ୱସ୍ତଭାବରେ ବାସକରୁଥିବାର ଦେଖି ବହୁସଂଖ୍ୟକ ବ୍ରାହ୍ମଣ ଆସି ତାହାଙ୍କୁ ଚତୁଃ ବେଷ୍ଟନ କଲେ । ୨ । ପରେ ଜଣେ ବ୍ରାହ୍ମଣ କହିଲେ ଯେ ଅର୍ଜ୍ଜୁନଙ୍କର ପ୍ରିୟସଖା ଉଦାରବୁଦ୍ଧି ସ୍ୱାଧୀନ କୃଷ୍ଣ ଏଠାକୁ ଆସିବେ । ୩ । ସେ ବ୍ରାହ୍ମଣ ଆହୁରି କହିଲେ, କୁରୁକୁଳନନ୍ଦନମାନେ ଏଠାକୁ ଆସିବାର ବାର୍ତ୍ତା କୃଷ୍ଣ ଜାଣିଅଛନ୍ତି । ସେ ସର୍ବଦା ଆପଣମାନଙ୍କର ମଙ୍ଗଳ କାମନା କରନ୍ତି । ସମ୍ପ୍ରତି ଆପଣମାନଙ୍କ ସହିତ ସାକ୍ଷାତ୍‍ କରିବାକୁ ଇଚ୍ଛା କରିଅଛନ୍ତି । ୪ । ଆହୁରି ଚିରଂଜୀବୀ, ସ୍ୱାଧ୍ୟାୟରତ ଓ ତପଃସମ୍ପନ୍ନ ମାର୍କଣ୍ଡେୟ ଋଷି ମଧ୍ୟ ଶୀଘ୍ର ଆପଣଙ୍କ ନିକଟକୁ ଆଗମନ କରିବେ । ୫ । ବ୍ରାହ୍ମଣ ଏହିରୂପେ କହୁ କହୁ କେଶବ ଆସି ସେଠାରେ ଦେଖାଦେଲେ । ବୈଶ୍ୟ ଓ ସୁଗ୍ରୀବ ଯୁକ୍ତ ରଥରେ ପାଣ୍ଡବମାନେ ଦେଖିଲେ, ରଥୀପ୍ରବର ଦେବକୀପୁତ୍ର କେଶବ ସତ୍ୟଭାମାଙ୍କ ସହିତ ବସି ଶଚୀଙ୍କୁ ଘେନି ଇନ୍ଦ୍ର ଆସିଲାପ୍ରାୟ କୁରୁବୀରମାନଙ୍କୁ ଦେଖିବା ନିମିତ୍ତ ସେଠାରେ ଉପସ୍ଥିତ ହେଲେ । ୭ ।

 

ରଥରୁ କୃଷ୍ଣ ଅବତୀର୍ଣ୍ଣ ହୋଇ ଧର୍ମରାଜଙ୍କୁ ଓ ବଳୀଶ୍ରେଷ୍ଠ ଭୀମଙ୍କୁ ଯଥାବିଧି ବନ୍ଦନା କଲେ । ୮ । ଧୌମ୍ୟଙ୍କୁ ପୂଜା କଲେ ଓ ନକୁଳ ସହଦେବଙ୍କଦ୍ୱାରା ଅଭିବାଦିତ ହେଲେ । ତତ୍ପରେ କୃଷ୍ଣ ଅର୍ଜ୍ଜୁନଙ୍କୁ ଆଲିଙ୍ଗନ କରି ଦ୍ରୌପଦୀଙ୍କୁ ସାନ୍ତ୍ୱନା ଦେଲେ । ୯ । ବହୁକାଳ ପରେ ପ୍ରିୟସଖା ବୀର ଫାଲ୍‌ଗୁନୀଙ୍କୁ ଆସିବାର ଦେଖି ଅରିନ୍ଦମ କୃଷ୍ଣ ପୁନଃ ପୁନଃ ଆଲିଙ୍ଗନ କଲେ । ୧୦ । କୃଷ୍ଣଙ୍କ ପ୍ରିୟା ମହିଷୀ ସତ୍ୟଭାମା ମଧ୍ୟ ପାଣ୍ଡବମାନଙ୍କର ପ୍ରିୟ ଭାର୍ଯ୍ୟା ଦ୍ରୌପଦୀଙ୍କୁ ଆଲିଙ୍ଗନ କଲେ । ତଦନନ୍ତର ପାଣ୍ଡବମାନେ ଭାର୍ଯ୍ୟାଙ୍କ ସହିତ ପୁରୋହିତଙ୍କୁ ଘେନି ପୁଣ୍ଡରୀକାକ୍ଷ କୃଷ୍ଣଙ୍କୁ ଅର୍ଚ୍ଚନା କଲେ ଓ ତାହାଙ୍କୁ ସର୍ବଦିଗରୁ ଘେରି ବସିଲେ । ସର୍ବଜ୍ଞ କୃଷ୍ଣ ପୃଥାପୁତ୍ର ଅସୁରତର୍ଜ୍ଜନ ଅର୍ଜୁନଙ୍କ ସହିତ ସମାଗତ ହେବାରୁ ବୋଧହେଲା ଯେ ମହାତ୍ମା ଭୂତପତି ଯେପରି ସାକ୍ଷାତ୍‍ ଭଗବାନ କାର୍ତ୍ତିକେୟଙ୍କ ସହିତ ମିଳିତ ହୋଇଅଛନ୍ତି । ତଦନନ୍ତର କିରୀଟମାଳୀ ଅର୍ଜୁନ ବନସମୂହରେ ଯାହା ଯାହା ଘଟିଥିଲା, ତାହାସବୁ ଗଦାଗ୍ରଜଙ୍କଠାରେ ନିବେଦନ କଲେ । ତତ୍ପରେ ସୁଭଦ୍ରା ଓ ଅଭିମନ୍ୟୁ କିପର ଅଛନ୍ତି, ତାହା ପଚାରିଲେ । ମଧୁସୂଦନ ଧୌମ୍ୟ, କୃଷ୍ଣା ଓ ଅର୍ଜୁନଙ୍କୁ ପୂଜାକରି ଯୁଧିଷ୍ଠିରଙ୍କୁ ପ୍ରଶଂସାପୂର୍ବକ ତାହାଙ୍କ ପାର୍ଶ୍ୱରେ ଉପବେଶନ କଲେ । ୧୫ ।

 

ହେ ରାଜନ୍ ପାଣ୍ଡବ ! ରାଜ୍ୟ ଅପେକ୍ଷା ଧର୍ମ ଶ୍ରେଷ୍ଠ, ସେହି ଧର୍ମର ବୃଦ୍ଧି ନିମିତ୍ତ ତପସ୍ୟା କରାଯାଏ । ଆପଣ ସତ୍ୟ ଓ ସରଳତାଦ୍ୱାରା ସ୍ୱଧର୍ମାଚରଣ କରି ଇହ ଓ ପର ଉଭୟ ଲୋକକୁ ଜୟ କରିଅଛନ୍ତି । ୧୬ । ଆପଣ ଅଗ୍ରେ ବ୍ରତାଚରଣପୂର୍ବକ ସମ୍ୟକରୂପେ ବେଦାଧ୍ୟୟନ କଲେ, ପରେ ସମଗ୍ର ଧନୁର୍ବେଦକୁ ଶିକ୍ଷା କରି କ୍ଷତ୍ରିୟ ଧର୍ମାନୁସାରେ ଧନଲାଭପୂର୍ବକ ଅନେକ ପୁରାତନ ଯଜ୍ଞ ନିଷ୍ପାଦନ କଲେ । ୧୭ । ହେ ନରେନ୍ଦ୍ର ! ଗ୍ରାମ୍ୟ ଧର୍ମରେ ଆପଣଙ୍କର ଗତି ନାହିଁ । କର୍ମ ନିଷ୍ପନ୍ନ ନିମିତ୍ତ ଆପଣ କୌଣସି କର୍ମ କରନ୍ତି ନାହିଁ । ଏହି କାରଣବଶତଃ ଆପଣ ସ୍ୱତଃସିଦ୍ଧ ପ୍ରଭାବଦ୍ୱାରା ଧର୍ମରାଜ ବୋଲାଉଅଛନ୍ତି । ୧୮ । ହେ ରାଜନ୍‌ ! ଆପଣ ରାଜ୍ୟମାନଙ୍କରୁ ଅପରିମିତ ଧନ ଓ ଭୋଗ ପ୍ରାପ୍ତ ହୋଇ ସୁଦ୍ଧା ସତ୍ୟ, ଦାନ, ତପସ୍ୟା, ଶ୍ରଦ୍ଧା, ବୁଦ୍ଧି, କ୍ଷମା ଓ ଧୈର୍ଯ୍ୟରେ ସର୍ବଦା ଆପଣଙ୍କର ଆସକ୍ତି ଥାଏ । ୧୯ । ହେ ପାଣ୍ଡବ, କୁରୁଜାଙ୍ଗଳବାସୀ ଜନସମୂହ ଯେତେବେଳେ ଦେଖିଲେ ଯେ ସଭା ମଧ୍ୟକୁ ଦ୍ରୌପଦୀଙ୍କୁ ଆନୟନ କରାହୋଇଅଛି, ତେତେବେଳେ ଏହି ଅଧର୍ମ ବ୍ୟବହାରକୁ ତୁମ୍ଭ ବ୍ୟତିରେକେ ଅନ୍ୟ କିଏ ସହି ପାରିଥାନ୍ତା ! ୨୦ । ନିଃସଂଶୟରେ ଆପଣ ଶୀଘ୍ର ସର୍ବସମୃଦ୍ଧି ଲାଭ କରି ସମ୍ୟକ୍ରୂପେ ପ୍ରଜାପାଳନ କରିବେ । ଆପଣଙ୍କ ପ୍ରତିଜ୍ଞା ସମାପ୍ତ ହେଲାକ୍ଷଣି ଆମ୍ଭେମାନେ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ନିଗ୍ରହ କରିବାକୁ ପ୍ରସ୍ତୁତ ହେବୁ-। ୨୧ ।

 

ପରେ ଧୌମ୍ୟ, ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ ଓ କୃଷ୍ଣାଙ୍କୁ ଦଶାର୍ହବଂଶର ଭଗବାନ ବାସୁଦେବ କହିଲେ, ଭାଗ୍ୟକ୍ରମେ ତୁମ୍ଭେମାନେ ଅର୍ଜୁନଙ୍କୁ ଫେରିପାଇଲ; ଭାଗ୍ୟକ୍ରମେ ସେ କୃତାସ୍ତ୍ର ହୋଇ କୁଶଳରେ ଆସିଲେ । ୨୨ । ତତ୍ପରେ ସୁହୃଦଗଣଙ୍କ ସହିତ ଯାଜ୍ଞସେନୀ କୃଷ୍ଣାଙ୍କୁ କହିଲେ, ତୁମ୍ଭେ ଭାଗ୍ୟକ୍ରମେ ଧନଞ୍ଜୟଙ୍କୁ ପ୍ରାପ୍ତ ହୋଇଅଛ; ଭାଗ୍ୟକ୍ରମେ ତୁମ୍ଭର ମନୋରଥ ପୂର୍ଣ୍ଣ ହେଲା । ପରେ କୃଷ୍ଣ ପୁନର୍ବାର କହିଲେ, ହେ ଯାଜ୍ଞସେନି, କୃଷ୍ଣେ ! ତୁମ୍ଭର ସୁଶୀଳ ଶିଶୁସନ୍ତାନମାନେ ସର୍ବଦା ସୁହୃତଗଣଙ୍କ ସହିତ ସାଧୁଜନାଚରିତ ଆଚରଣକୁ ପାଳନ କରନ୍ତି ଓ ସର୍ବଦା ଧନୁର୍ବେଦ ଶିକ୍ଷା କରନ୍ତି । ୨୪ । ତୁମ୍ଭର ପିତାମାତା ଓ ସହୋଦରମାନେ ସେହି ବାଳକଙ୍କୁ ରାଜ୍ୟଭୋଗରେ ପ୍ରଲୋଭିତ କଲେ ହେଁ ସେମାନେ ମାତୁଳ ଗୃହରେ ସନ୍ତୋଷ ଲାଭ କରନ୍ତି ନାହିଁ । ୨୫ । ହେ କୃଷ୍ଣେ ! ତୁମ୍ଭର ପୁତ୍ରମାନେ ଆନର୍କ ଦେଶରେ ଧନୁର୍ବେଦରେ ଅଗ୍ରଗଣ୍ୟ ହୋଇ ଏଠାରେ ସୁଖରେ ବାସ କରୁଅଛନ୍ତି । ସେମାନେ ସ୍ୱର୍ଗସୁଖ ସୁଦ୍ଧା ସ୍ପୃହା କରନ୍ତି ନାହିଁ । ୨୬ । ତୁମ୍ଭେ ଓ ଆର୍ଯ୍ୟା କୁନ୍ତୀ ସେମାନଙ୍କୁ ସେ ପ୍ରକାର ଆଚରଣ କର, ସୁଭଦ୍ରା ମଧ୍ୟ ସତର୍କତା ସହକାରେ ସେମାନଙ୍କ ପ୍ରତି ପୁନଃ ପୁନଃ ସର୍ବଦା ସେହିପରି ଆଚରଣ କରନ୍ତି । ୨୭ । ହେ କୃଷ୍ଣେ ! ଅନିରୁଦ୍ଧ, ଅଭିମନ୍ୟୁ, ସୁନିଥ ଓ ଭାନୁଙ୍କ ପ୍ରତି ରୁକ୍ମିଣୀନନ୍ଦନ ପ୍ରଦ୍ୟୁମ୍ନ ଯେପରି ଶିକ୍ଷା ପ୍ରଦାନ ଓ ବ୍ୟବହାର କରନ୍ତି, ସେହିପରି ତୁମ୍ଭର ପୁତ୍ରମାନଙ୍କ ପ୍ରତି ଶିକ୍ଷା ପ୍ରଦାନ କରନ୍ତି । ୨୮ । କୁମାର ଅଭିମନ୍ୟୁ ମଧ୍ୟ ଶିକ୍ଷାପ୍ରଦାନରେ ନିପୁଣ; ସେ ମଧ୍ୟ ନିରଳସ ହୋଇ ତୁମ୍ଭର ପୁତ୍ରମାନଙ୍କୁ ଗଦା, ଖଡ଼୍‌ଗ ଓ ଚର୍ମ ଗ୍ରହଣ ବିଷୟରେ ଓ ଅନ୍ୟାନ୍ୟ ଅସ୍ତ୍ରପ୍ରୟୋଗ ବିଷୟରେ ଏବଂ ରଥାଶ୍ୱ ଚାଳନାରେ ନିରନ୍ତର ଉପଦେଶ ଦିଅନ୍ତି । ୨୯ । ରୁକ୍ମିଣୀନନ୍ଦନ ତୁମ୍ଭ ପୁତ୍ରମାନଙ୍କୁ ଓ ଅଭିମନ୍ୟୁଙ୍କୁ ଶିକ୍ଷାପ୍ରଦାନ କରି ଓ ସେମାନଙ୍କ ପରାକ୍ରମ ଦେଖି ସନ୍ତୁଷ୍ଟ ହୁଅନ୍ତି । ୩୦ । ହେ ଯାଜ୍ଞସେନି ! ତୁମ୍ଭର ପୁତ୍ରମାନେ ଯେତେବେଳେ ବିହାରାର୍ଥ ଗମନ କରନ୍ତି, ତେତେବେଳେ ପ୍ରତ୍ୟେକଙ୍କ ସଙ୍ଗେ ହସ୍ତୀ, ଅଶ୍ୱ ଓ ଅନ୍ୟାନ୍ୟ ଯାନ ଅନୁସରଣ କରେ । ୩୧ ।

 

ଅନନ୍ତର ଦଶାର୍ହପତି ଶ୍ରୀକୃଷ୍ଣ ସମ୍ବୋଧନ କରି ଯୁଧିଷ୍ଠିରଙ୍କୁ କହିଲେ, ରାଜନ୍‌ ! ଏହି କୁଞ୍ଜର, ଅନ୍ଧକ, ଦଶାର୍ହବଂଶୀୟ ଯୋଦ୍ଧାମାନେ ଆପଣଙ୍କ ଆଦେଶ ପାଳନ ନିମିତ୍ତ ଆପଣଙ୍କ ଇଚ୍ଛାନୁଯାୟୀ ଯଥାସ୍ଥାନରେ ଅବସ୍ଥାନ କରନ୍ତୁ । ୩୨ । ହେ ନରେନ୍ଦ୍ର ! ଯାହାଙ୍କର କାର୍ମୁକର ବେଗ ପବନର ବେଗ ସହିତ ସମାନ ଓ ହଳାୟୁଧ ଯାହାଙ୍କର ନିୟନ୍ତା, ସେହି ନାରାୟଣୀସେନା ସାଦି, ପତ୍ତି, ଅଶ୍ୱ, ରଥ ଓ କୁଞ୍ଜରମାନେ ଏକତ୍ର ହୋଇ ଆପଣଙ୍କ କାର୍ଯ୍ୟରେ ନିଯୁକ୍ତ ହେଉନ୍ତୁ । ହେ ପାଣ୍ଡବ ! ପାପୀଶ୍ରେଷ୍ଠ ଧୃତରାଷ୍ଟ୍ରଙ୍କର ତନୟ ଦୁର୍ଯ୍ୟୋଧନ, ତାହାର ସହୃଦବର୍ଗ ଓ ତାହାର ଅମାତ୍ୟମାନେ ନରକାସୁର ଓ ସୌଭପତି ପଥାନୁସରଣ କରନ୍ତୁ । ୩୪ । ହେ ନରନାଥ ! ଆପଣ ସଭା ମଧ୍ୟରେ ଯେପରି ପ୍ରତିଜ୍ଞା କରି ଅଛନ୍ତି, ତଦନୁସାରେ ପ୍ରତୀକ୍ଷା ନିମିତ୍ତ ଅଭିଳାଷ କରନ୍ତୁ । ଆପଣଙ୍କ ପ୍ରତିଜ୍ଞାତ ସମୟ ଅତୀତ ହେଲେ ଦଶାର୍ହଯୋଦ୍ଧାମାନେ ଆପଣଙ୍କ ଶତ୍ରୁମାନଙ୍କୁ ନିହତ କରି ପକାଇବେ । ହସ୍ତୀନାପୁର ଆପଣଙ୍କୁ ପ୍ରତୀକ୍ଷା କରିଥାଉ । ୩୫ । ଆପଣ ମନ୍ୟୁ ଓ ପାପରହିତ ହୋଇ ଯେଉଁଠାରେ ଇଚ୍ଛା କରନ୍ତି, ସେହିଠାରେ ବିହାର କରନ୍ତୁ । ପରିଶେଷରେ ହସ୍ତୀନାପୁର ଓ ତତ୍‌ସମ୍ବଳିତ ପ୍ରଧାନ ଓ ସୁନ୍ଦର ପ୍ରସିଦ୍ଧ ରାଜ୍ୟକୁ ପ୍ରାପ୍ତ ହେବେ । ୩୬ ।

 

ପୁରୁଷୋତ୍ତମଙ୍କ କଥିତ ବାକ୍ୟର ଅଭିପ୍ରାୟକୁ ମହାତ୍ମା ଧର୍ମରାଜ ଅବଗତ ହୋଇ ଓ ପ୍ରଶଂସା କରି ତାହାଙ୍କୁ ଅବଲୋକନ କରି କୃତାଞ୍ଜଳିପୁଟରେ କହିଲେ । ୩୭ । ହେ କେଶବ ! ତୁମ୍ଭେ ପାଣ୍ଡବମାନଙ୍କର ଏକମାତ୍ର ଗତି; ଏଥିରେ ସଂଶୟ ନାହିଁ । ଯେହେତୁରୁ ପୃଥାପୁତ୍ରମାନେ ତୁମ୍ଭର ଶରଣାଗତ । ସମୟ ଉପସ୍ଥିତ ହେଲେ ତୁମ୍ଭେ ଯେ ସେହି ସମସ୍ତ କର୍ମ ନିର୍ବାହ କରିବ, ଏଥିରେ ସନ୍ଦେହ ନାହିଁ ? ୩୮ । ପାଣ୍ଡବମାନେ ପ୍ରତିଜ୍ଞାନୁସାରେ ନିର୍ଜ୍ଜନ ବନରେ ଦ୍ୱାଦଶ ବର୍ଷକାଳ ଅତିବାହିତ କରି ତତ୍ପରେ ବିଧିପୂର୍ବକ ଅଜ୍ଞାତ ବନବାସକୁ ସୁଦ୍ଧା ସମାପ୍ତ କରି ତୁମ୍ଭରି ଆଶ୍ରୟ ଗ୍ରହଣ କରିବେ । ୩୯ । ତୁମ୍ଭେ ଯେପରି କହିଲ, ଏହି ବୁଦ୍ଧି ଯେପରି ତୁମ୍ଭର ସର୍ବଦା ଥାଉ; ଯେ ହେତୁରୁ ସ୍ୱଜନ, ବାନ୍ଧବ ଓ କଳତ୍ରାଦି ସହିତ ସତ୍ୟନିଷ୍ଠ ପାଣ୍ଡବମାନେ ଦାନ, ଧର୍ମରେ ରତ ଓ ତୁମ୍ଭର ଶରଣାପନ୍ନ । ୪୦ ।

 

ବୈଶମ୍ପାୟନ କହିଲେ– ହେ ଭାରତ ! କୃଷ୍ଣ ଓ ଯୁଧିଷ୍ଠିର ଏହିରୂପେ କଥୋପକଥନ କରୁଛନ୍ତି, ଏମନ୍ତ ସମୟରେ ତପୋବୃଦ୍ଧ, ବହୁସହସ୍ର ବର୍ଷଜୀବୀ ମହାତପା, ଧର୍ମାତ୍ମା, ମାର୍କଣ୍ଡେୟ ଋଷି ସେଠାରେ ଦର୍ଶନ ଦେଲେ । ଔଦାର୍ଯ୍ୟଗୁଣଯୁକ୍ତ ରୂପ ସମ୍ପନ୍ନ ଅଜରାମର ଋଷିଙ୍କୁ ପଞ୍ଚବିଂଶତି ବର୍ଷ ବୟସ ବୋଲି ବୋଧ ହୁଏ । ସେଠାରେ ଯେତେ ବ୍ରାହ୍ମଣ ଥିଲେ, ସେମାନେ ସମସ୍ତେ ପାଣ୍ଡବ ଓ କୃଷ୍ଣଙ୍କ ସହିତ ବହୁ ସହସ୍ର ବର୍ଷଜୀବୀ ବୃଦ୍ଧତମ ଋଷିଙ୍କୁ ଆସିବାର ଦେଖି ବିଧିପୂର୍ବକ ତାହାଙ୍କର ଅର୍ଚ୍ଚନା କଲେ । ଋଷିସତ୍ତମ ମାର୍କଣ୍ଡେୟ ପୂଜିତ ହୋଇ ସୁସ୍ଥ ଚିତ୍ତରେ ଆସୀନ ହେଲେ ।

 

ବିପ୍ର ଓ ପାଣ୍ଡବଙ୍କ ମତାନୁସାରେ କୃଷ୍ଣ ତାହାଙ୍କୁ କହିଲେ, “ହେ ଋଷିସତ୍ତମ ମାର୍କଣ୍ଡେୟ ! ପାଣ୍ଡବ ଓ ବ୍ରାହ୍ମଣମାନେ, ଦ୍ରୌପଦୀ, ସତ୍ୟଭାମା ଓ ଆମ୍ଭେ ସମସ୍ତେ ଆପଣଙ୍କ ମୁଖରୁ ପରାବୃତ୍ତ ପୁଣ୍ୟକଥା ଓ ରାଜା, ଋଷି ତଥା ସ୍ତ୍ରୀଲୋକମାନଙ୍କର ସନାତନ ସଦାଚାର ଶ୍ରବଣ କରିବାକୁ ଅଭିଳାଷୀ ହୋଇଅଛୁ । ଆପଣ ଆମ୍ଭମାନଙ୍କ ନିକଟରେ ତାହା କୀର୍ତ୍ତନ କରନ୍ତୁ । ୪୫ । ବୈଶମ୍ପାୟନ କହିଲେ, ସେମାନେ ସମସ୍ତେ ସେଠାରେ ଉପବିଷ୍ଟ ଅଛନ୍ତି; ଏମନ୍ତ ସମୟରେ ବିଶୁଦ୍ଧାତ୍ମା ଦେବର୍ଷି ନାରଦ ମଧ୍ୟ ସେଠାରେ ଆସି ପାଣ୍ଡବମାନଙ୍କ ଦର୍ଶନନିମିତ୍ତ ଉପସ୍ଥିତ ହେଲେ । ୪୭ । ବୁଦ୍ଧିସମ୍ପନ୍ନ ପୁରୁଷଶ୍ରେଷ୍ଠମାନେ ମହାତ୍ମା ନାରଦଙ୍କୁ ପାଦ୍ୟ ଓ ଅର୍ଘ୍ୟଦ୍ୱାରା ଯଥୋଚିତ ସତ୍କାର କଲେ । ୪୮ । ଦେବର୍ଷି ନାରଦ ମଧ୍ୟ ସେମାନଙ୍କର ଅବସର ହୋଇଥିବାର ଜାଣି ମାର୍କଣ୍ଡେୟଙ୍କ କଥା ଶୁଣିବାକୁ ଅନୁମୋଦନ କଲେ । ୪୯ ।

 

ଅନନ୍ତର କାଳଜ୍ଞ ସନାତନ କୃଷ୍ଣ ହାସ୍ୟ ବଦନରେ ମାର୍କଣ୍ଡେୟଙ୍କୁ କହିଲେ, ହେ ବ୍ରହ୍ମର୍ଷିବର ! ପାଣ୍ଡବମାନଙ୍କଠାରେ ଆପଣଙ୍କର ଯାହା କହିବାର ଇଚ୍ଛା, ତାହା କହନ୍ତୁ । ୫୦ । କୃଷ୍ଣଙ୍କ କଥା ଶୁଣି ମହାତପା ମାର୍କଣ୍ଡେୟ ପ୍ରତ୍ୟୁତ୍ତର ଦେଲେ ଯେ ଆପଣମାନେ ଅବସର ସ୍ଥିର କରନ୍ତୁ; ଯେ ହେତୁରୁ ଆମ୍ଭର ଅନେକ କଥା କହିବାର ଅଛି । ପାଣ୍ଡବ ଓ ଦ୍ୱିଜମାନେ ମହାମୁନି ମାର୍କଣ୍ଡେୟଙ୍କ ଅଭିମତ ଶ୍ରବଣ କରି ତାହାଙ୍କୁ ମଧ୍ୟାହ୍ନକାଳୀନ ସୂର୍ଯ୍ୟଙ୍କ ସଦୃଶ ତେଜସ୍ୱୀ ଦେଖି ଉପଯୁକ୍ତ ଅବସର ନିରୂପଣ କଲେ ।

 

ବୈଶମ୍ପାୟନ କହିଲେ, ମହାମୁନିଙ୍କୁ କଥା-ପ୍ରସ୍ତାବ କରିବାର ଉଦ୍ୟତ ଦେଖି ଯୁଧିଷ୍ଠିର ପଚାରିଲେ । ୫୩ । ହେ ମହାତ୍ମନ ! ଆପଣ ପୁରାତନ ପୁରୁଷ । ଅତଏବ ଆପଣ ଦେବ, ଦୈତ୍ୟ, ମହାତ୍ମା, ଋଷି ଓ ରାଜର୍ଷି ସମସ୍ତଙ୍କର ବୃତ୍ତାନ୍ତ ଅବଗତ ଅଛନ୍ତି । ୫୪ । ଆମ୍ଭେମାନେ ବିଦିତ ଅଛୁଁ ଯେ ଆପଣ ସମସ୍ତଙ୍କର ସେବା ଓ ଉପାସନାର ଯୋଗ୍ୟ ଅଟନ୍ତି । ଆପଣଙ୍କୁ ଦର୍ଶନ କରିବା ନିମିତ୍ତ ବହୁକାଳରୁ ଆମ୍ଭମାନଙ୍କର ଅଭିଳାଷ ଥିଲା । ଆମ୍ଭମାନଙ୍କର ସୌଭାଗ୍ୟବଶତଃ ଆପଣ ଓ ଏହି ଦେବକୀପୁତ୍ର ଆମ୍ଭମାନଙ୍କର ଦର୍ଶନାର୍ଥୀ ହୋଇ ଆସିଅଛନ୍ତି । ୫୫ । ହେ ବ୍ରହ୍ମଜ୍ଞ ବରେଣ୍ୟ ? ଆମ୍ଭେ ଆପଣଙ୍କୁ ସୁଖଭ୍ରଷ୍ଟ ଓ ଧୃତରାଷ୍ଟ୍ରପୁତ୍ରମାନଙ୍କୁ ସୁମୃଦ୍ଧିଶାଳୀ ଦେଖି ଆମ୍ଭର ଏହା ବୋଧ ହେଉଅଛି ଯେ ପୁରୁଷ ଶୁଭ କର୍ମ କରି ଅଶୁଭ ଫଳ ପାଉଛି ଓ ଅଶୁଭ କର୍ମ କରି ଶୁଭ ଫଳ ପାଉଅଛି । ଈଶ୍ୱର ହୋଇ ସେ କିପରି ଶୁଭାଶୁଭ କର୍ମଫଳ ପ୍ରବର୍ତ୍ତକ ହୁଅନ୍ତି ? ମନୁଷ୍ୟମାନଙ୍କର ବା ସୁଖ ଦୁଃଖ କାହିଁ ପାଇଁ ହୁଏ ? ଇହକାଳରେ ବା ପରକାଳରେ କେଉଁ କାରଣରୁ ଜୀବକୁ କର୍ମଫଳ ଭୋଗ କରିବାକୁ ହୁଏ ? ହେ ଦ୍ୱିଜସତ୍ତମ ଭାର୍ଗବ ! ମନୁଷ୍ୟ କର୍ମର ଅନୁଷ୍ଠାନ କରି ଇହକାଳରେ ଦେହତ୍ୟାଗ କରେ ଏବଂ କି ହେତୁରୁ ପରକାଳରେ ଶୁଭ ବା ଅଶୁଭ କର୍ମଫଳ ପ୍ରାପ୍ତ ହୁଏ ? ଜୀବର ଇହଲୋକର କର୍ମର ଫଳ ଓ ପରଲୋକର ଅଦୃଷ୍ଟ କାହାକୁ ଅବଲୋକନ କରିଥାନ୍ତି-। ୬୦ ।

 

ମାର୍କଣ୍ଡେୟ କହିଲେ, ହେ ବାଗ୍ମୀବର ! ତୁମ୍ଭର ଏହି ପ୍ରଶ୍ନ ସୁଯୋଗ୍ୟ ହୋଇଅଛି । ବେଦିତବ୍ୟ ବିଷୟ ତୁମ୍ଭର ବିଦିତ ହୋଇଅଛି । ବୋଧହୁଏ, ତୁମ୍ଭେ ଲୋକ ରକ୍ଷଣାର୍ଥ ଏହି ପ୍ରଶ୍ନ କରୁଅଛ । ୬୧ । ମନୁଷ୍ୟ ଯେ ରୂପରେ ଇହଲୋକରେ ସୁଖ ଦୁଃଖ ଭୋଗ କରିଥାଏ, ସେ ସମସ୍ତ କଥା ଆମ୍ଭେ ବର୍ତ୍ତମାନ ତୁମ୍ଭଙ୍କୁ କହୁଅଛୁ; ତୁମ୍ଭେ ଏକାଗ୍ରଚିତ୍ତ ହୋଇ ଶ୍ରବଣ କର ।

 

ହେ କୁରୁସତ୍ତମ ! ପୂର୍ବେ ପ୍ରଜାପତି ଜାତହୋଇ ଶରୀରଧାରୀମାନଙ୍କର ନିର୍ମଳ ଓ ବିଶୁଦ୍ଧ ଧର୍ମପରତନ୍ତ୍ର ଶରୀରକୁ ସୃଷ୍ଟି କରିଥିଲେ । ପୁରାତନ ମାନବମାନେ ସୁବ୍ରତ, ସତ୍ୟବାଦୀ, ଅମୋଘସଂକଳ୍ପ, ବ୍ରହ୍ମନିଷ୍ଠ, ପୁଣ୍ୟଶୀଳ, ସ୍ୱଚ୍ଛନ୍ଦାଚାରୀ ଥିଲେ । ୬୪ । ସେମାନେ ଦେବଗଣଙ୍କ ସହିତ ସ୍ୱଚ୍ଛନ୍ଦରେ ଆକାଶ ତଳରେ ଓ ନଭଃସ୍ଥଳରେ ଗମନାଗମନ କରୁଥିଲେ । ସେମାନେ ସ୍ୱଚ୍ଛନ୍ଦମୃତ୍ୟୁବରଣ କରୁଥିଲେ ଏବଂ ସ୍ୱଚ୍ଛନ୍ଦଜୀବୀ, ଅଳ୍ପବାଧାବିଶିଷ୍ଟ, ନିରାତଙ୍କ, ନିରୁପଦ୍ରବ ଥିଲେ ଓ ସେମାନଙ୍କର ପ୍ରୟୋଜନ ସିଦ୍ଧି ହେଉଥିଲା । ୬୬ । ସେହିସବୁ ମହାତ୍ମାମାନେ ମହର୍ଷି ଓ ସୁରନିକରଙ୍କ ସହିତ ସାକ୍ଷାତ୍‍ କରୁଥିଲେ ଓ ସର୍ବଧର୍ମର ପ୍ରତ୍ୟକ୍ଷକାରୀ, ଜିତେନ୍ଦ୍ରିୟ, ଅନ୍ୟର ଶୁଭ ଦେଖିଲେ ଦ୍ୱେଷ କରନ୍ତି ନାହିଁ । ସହସ୍ରେ ପୁତ୍ରଙ୍କର ଜନକ ହୁଅନ୍ତି ଓ ସହସ୍ରେ ବର୍ଷ ଜୀବିତ ହୋଇଥାନ୍ତି । ତଦନନ୍ତର ମାନବମାନେ ଅଳ୍ପକାଳରେ କେବଳ ପୃଥିବୀ ଉପରେ ବିଚରଣ କଲେ । କାମକ୍ରୋଧରେ ଅଭିଭୂତ ହୋଇ ମାୟାଦ୍ୱାରା ଜୀବିକାନିର୍ବାହ କଲେ । ଲୋଭ ଓ ମୋହରେ ଅଭିଭୂତ ହେବାରୁ ସେମାନଙ୍କର ଶକ୍ତି ବଢ଼ିଲା । ଗର୍ହିତ କର୍ମ କରିବାରୁ ପାପଭାଗୀ ହୋଇ ସେମାନେ ତୀର୍ଯ୍ୟଗ ଯୋନିରେ ଜାତ ହେଲେ; ନରକଗାମୀ ହେଲେ ଓ ପୁନଃ ପୁନଃ ଏହି ବିଚିତ୍ର ସଂସାର ମଧ୍ୟରେ ପଚ୍ୟମାନ ହେଲେ । ସେମାନଙ୍କର କ୍ରିୟାକଳାପ, ସଂକଳ୍ପ ଓ ଜ୍ଞାନ ବ୍ୟର୍ଥ ହେଲା । ପ୍ରାୟ ସମସ୍ତେ ବିରୁଦ୍ଧଜ୍ଞାନୀ, ସର୍ବ ବିଷୟରେ ସର୍ବଦା ଶଙ୍କାନ୍ୱିତ, କ୍ଳେଶଭାଗୀ ଓ ଅଶୁଭ କର୍ମଦ୍ୱାରା ପରିଚିହ୍ନିତ ହେଲେ । ୭୧ । ଦୁଷ୍କୁଳରେ ଜାତ, ବହୁଳ ବ୍ୟାଧିଗ୍ରସ୍ତ, ଦୁଃସ୍ୱଭାବସମ୍ପନ୍ନ, ମନସ୍ତାପଯୁକ୍ତ, ଅଳ୍ପାୟୁ, ପାପୀ, ଉତ୍କଟ କର୍ମଫଳଭୋଗୀ, ସର୍ବକାମର ଯାଚକ ଓ ନାସ୍ତିକ ହେଲେ ଏବଂ ସେମାନଙ୍କର ଭେଦବୁଦ୍ଧି ଜାତ ହେଲା । ୭୩ । ହେ କୌନ୍ତେୟ ! ଏହି ସଂସାରରେ ଜୀବମାନେ ମୃତ୍ୟୁ ପରେ ସ୍ୱକୀୟ କର୍ମାନୁସାରେ ଗତିଲାଭ କରନ୍ତି । ତୁମ୍ଭେ ପଚାରିଲ ଯେ ପ୍ରାଜ୍ଞ ହେଉ ବା ବୁଦ୍ଧିମାନ ହେଉ, ଉଭୟ ବ୍ୟକ୍ତିଙ୍କର କର୍ମଦୋଷ କେଉଁଠାରେ ଥାଏ ଓ ସେମାନେ କି ପ୍ରକାରେ ସୁକୃତ ବା ଦୁଷ୍କୃତ ଭୋଗ କରନ୍ତି; ତାହାର ସିଦ୍ଧାନ୍ତ ବାକ୍ୟ ଶ୍ରବଣ କର । ୭୫ ।

 

ବିଧାତା ଏହି ମନୁଷ୍ୟର ସ୍ୱକୃତଧର୍ମୀ ଧର୍ମର ସ୍ଥାନସ୍ୱରୂପ; ପ୍ରାଣ, ମନ, ବୁଦ୍ଧି ଓ ଇନ୍ଦ୍ରିୟମୟ ସୂକ୍ଷ୍ମ ଶରୀରକୁ ଆବିଷ୍କୃତ କଲେ ମନୁଷ୍ୟ ଏହି ସୂକ୍ଷ୍ମ ଶରୀରଦ୍ୱାରା ମହତ ଶୁଭାଶୁଭ ସଞ୍ଚାର କରେ । ୭୬ । ଆୟୁ କ୍ଷୟ ହେଲେ ବ୍ୟକ୍ତି ଏକାବେଳକେ ଏହି ସ୍ଥୂଳ ଦେହକୁ ପରିତ୍ୟାଗ କରି ଅନ୍ୟ ଯୋନିରେ ଅନ୍ୟ ଦେହକୁ ଅବଲମ୍ବନ କରେ । କ୍ଷଣକାଳ ସୁଦ୍ଧା ଦେହ ଶୂନ୍ୟ ନ ଥାଏ । ୭୭ । ତତ୍କାଳରେ ଏହି ଜୀବ ଆପଣାର କୃତକର୍ମର ଶୁଭାଶୁଭ, ଅଦୃଷ୍ଟ ସେହି ସୂକ୍ଷ୍ମ ଦେହର ଆଶ୍ରୟର ଛାୟା ପ୍ରାୟ ଅନୁଗାମୀ ହୋଇ ଫଳ ପ୍ରଦାନ କରେ । ତଦ୍ଦ୍ୱାରା ଜୀବ ସୁଖାର୍ହ ଅଥବା ଦୁଃଖାର୍ହ ହୁଏ । ୭୮ । ଜ୍ଞାନୀ ପୁରୁଷମାନେ ଜ୍ଞାନନେତ୍ରଦ୍ୱାରା କର୍ମାନୁଷ୍ଠାନକାରୀ ଜୀବକୁ କୃତାନ୍ତବିହିତ ପୁଣ୍ୟ ଓ ପାପର ଫଳଭୋଗବିଧିର ଅଧୀନ ହୋଇଥିବାର ଦେଖନ୍ତି । ପରନ୍ତୁ ଜୀବର ଭୋଗ୍ୟ ଶୁଭାଶୁଭ, ଅଦୃଷ୍ଟଜନିତ ସୁଖ ଓ ଦୁଃଖକୁ ଦୂର କରିବାକୁ ଅଶକ୍ତ ହୁଅନ୍ତି । ୭୯ । ହେ ଯୁଧିଷ୍ଠିର ! ଅଜ୍ଞାନୀମାନଙ୍କର ଏହି ଗତି କହିଲୁ । ଏଥି ଉତ୍ତାରୁ ଜ୍ଞାନୀମାନଙ୍କର ଉତ୍ତମ ଗତି ହେବା କଥା କହୁଅଛୁ, ଶ୍ରବଣ କର । ୮୦ । ଜ୍ଞାନୀ ମନୁଷ୍ୟମାନେ ତପସ୍ୟାନୁଷ୍ଠାନ କରି ସର୍ବଶାସ୍ତ୍ରପରାୟଣ ହୋଇ ବ୍ରତନିଷ୍ଠ, ସତ୍ୟପର, ଗୁରୁଶୁଶ୍ରୁଷାରତ, ସୁଶୀଳ, ଯୋଗଜ ଧର୍ମର ଉପାର୍ଜ୍ଜକ, କ୍ଷମାଶୀଳ, ଜିତେନ୍ଦ୍ରିୟ, ସୁତେଜସ୍ୱୀ, ଶୁଦ୍ଧକୁଳରେ ଜନ୍ମଗ୍ରହଣକାରୀ ଓ ପ୍ରାୟ ଶୁଭ ଲକ୍ଷଣାକ୍ରାନ୍ତ ହୁଅନ୍ତି । ୮୨ । ଇନ୍ଦ୍ରିୟ ଜୟ କରିବାରୁ ସେମାନେ ସ୍ୱାଧୀନ ହୁଅନ୍ତି । ଶୁଚି ହେତୁରୁ ନିରୋଗ ହୁଅନ୍ତି । ଦୁଃଖ ଓ ଭୟର ଅଳ୍ପତା ହେତୁରୁ ଉପଦ୍ରବ ତାହାଙ୍କ ପାଖକୁ ଆସେ ନାହିଁ । ୮୩ । ସେମାନେ ସ୍ୱକୀୟ ଆତ୍ମାକୁ ଜ୍ଞାନଚକ୍ଷୁଦ୍ୱାରା ପରମାତ୍ମା ବୋଲି ଜାଣନ୍ତି । ସେ ଜୀବାତ୍ମା ଗର୍ଭଚ୍ୟୁତ ହେଉ ଅଥବା ଜାତହେଉ ଅଥବା ଗର୍ଭରେ ଥାଉ, ସର୍ବାବସ୍ଥାରେ ତାହାକୁ ଜ୍ଞାନଚକ୍ଷୁଦ୍ୱାରା ଦେଖନ୍ତି । ୮୪ । ଲୌକିକ ଜ୍ଞାନ ଓ ଶାସ୍ତ୍ରୀୟ ଜ୍ଞାନସମନ୍ୱିତ ସେହି ମହାତ୍ମା ଋଷିମାନେ ଏହି କର୍ମଭୂମିକୁ ପ୍ରାପ୍ତହୋଇ ପୁନର୍ବାର ସୁରଲୋକକୁ ଗମନ କରନ୍ତି । ମନୁଷ୍ୟମାନେ ଦୈବ ହେତୁରୁ ଅଥବା ଅକସ୍ମାତ୍ କୌଣସି କାରଣରୁ ଅଥବା ସ୍ୱକୀୟ କର୍ମ ହେତୁରୁ ସୁଖ ଦୁଃଖାଦି ଫଳପ୍ରାପ୍ତ ହୁଅନ୍ତି । ଏଥିରେ ତୁମ୍ଭର ଯେପରି ବିପରୀତ ବୁଦ୍ଧି ନ ହେଉ । ୮୬ ।

 

ହେ ବାଗ୍ମୀଶ୍ରେଷ୍ଠ ଯୁଧିଷ୍ଠିର ! ଆମ୍ଭେ ଏହି ମର୍ତ୍ତ୍ୟଲୋକରେ ଯାହାକୁ ପରମ ଶ୍ରେୟ ବୋଲି ବୋଧ କରୁ, ତଦ୍ ବିଷୟରେ ଗୋଟିଏ ଉଦାହରଣ ଦେଉଅଛୁ; ଶ୍ରବଣ କର । ୮୭ । କାହାର ଇହଲୋକରେ ମଙ୍ଗଳ ହୁଏ ଓ ପରଲୋକରେ ମଙ୍ଗଳ ହୁଏନାହିଁ, କୌଣସି ବ୍ୟକ୍ତିର ଇହ ଓ ପରଲୋକ ଉଭୟତ୍ର ମଙ୍ଗଳ ହୁଏ, କାହାର ଅବା ଇହ କି ପରଲୋକ କୌଣସିଠାରେ ସୁଦ୍ଧା ମଙ୍ଗଳ ହୁଏ ନାହିଁ । ୮୮ । ଯେଉଁମାନଙ୍କର ବିପୁଳ ଧନ ଅଛି, ସେମାନେ ଉତ୍କୃଷ୍ଟ ବସ୍ତ୍ରାଳଙ୍କାରରେ ବିଭୂଷିତ ହୋଇ ସର୍ବଦା ବିହାର କରନ୍ତି, ସର୍ବଦା ଦେହ ସୁଖରେ ଆସକ୍ତ ସେହି ବ୍ୟକ୍ତିମାନଙ୍କର ଇହଲୋକରେ ସୁଖଭୋଗ ହୁଏ କିନ୍ତୁ ପରଲୋକରେ ହୁଏ ନାହିଁ । ୮୯ । ଯେଉଁମାନେ ଯୋଗଯୁକ୍ତ, ତପସ୍ୟାଯୁକ୍ତ, ଜିତେନ୍ଦ୍ରିୟ, ସ୍ୱାଧ୍ୟାୟଶୀଳ ଓ ପ୍ରାଣୀବଧରୁ ନିବୃତ୍ତ ହୋଇ ଦେହକୁ ଜୀର୍ଣ୍ଣ କରନ୍ତି, ସେମାନଙ୍କର ପରଲୋକରେ ସୁଖଭୋଗ ହୁଏ, ମାତ୍ର ଇହଲୋକରେ ହୁଏ ନାହିଁ । ୯୦ । ଯେଉଁମାନେ ପ୍ରଥମେ ଧର୍ମାଚରଣ କରନ୍ତି, ପରେ ଧର୍ମଦ୍ୱାରା ଯଥାକାଳରେ ସଞ୍ଚୟପୂର୍ବକ ଦାନପରିଗ୍ରହ ଯଜ୍ଞାଦି କ୍ରିୟାଦ୍ୱାରା ଦେବତାମାନଙ୍କର ସନ୍ତୋଷସାଧନ କରନ୍ତି, ସେମାନଙ୍କର ଇହ ଓ ପର ଉଭୟ ଲୋକରେ ସୁଖଭୋଗ ହୁଏ । ୯୧ । ଯେଉଁ ମୂଢ଼ମାନେ ବିଦ୍ୟାଭ୍ୟାସ, ତପସ୍ୟା, ଦାନ ଓ ସନ୍ତାନପ୍ରଜନନରେ ଯତ୍ନବାନ ନ ହୋଇ ଐହିକ ସୁଖ ଉପଭୋଗ କରନ୍ତି ନାହିଁ, ସେମାନଙ୍କର ଇହ ଓ ପର କୌଣସି ଲୋକରେ ସୁଖଭୋଗ ହୁଏ ନାହିଁ । ୯୨ ।

 

ତୁମ୍ଭେମାନେ ସମସ୍ତେ ଅତିବୀର୍ଯ୍ୟ, ଅତିଶୟ ସତ୍ତ୍ୱସମ୍ପନ୍ନ, ଦିବ୍ୟ ତେଜସ୍ୱୀ, ଦୃଢ଼କାୟ, ଶୂର ଓ ଅଧୀତବିଦ୍ୟ ସୁରଗଣଙ୍କ କାର୍ଯ୍ୟ ସାଧନ ନିମିତ୍ତ ସ୍ୱର୍ଗଲୋକରୁ ଏହି ଅବନୀତଳକୁ ଆଗମନ କରିଅଛ । ୯୩ । ତୁମ୍ଭେମାନେ ଇହଲୋକର ଉତ୍କୃଷ୍ଟ ବିଧି ଅନୁସାରେ ତପସ୍ୟା କର, ଦମ ସମ୍ପନ୍ନ ହୁଅ ଓ ବିହାରଶୀଳ ହୋଇ ଦେବ, ଋଷି ଓ ପିତୃଗଣଙ୍କର ତୃପ୍ତିସାଧନ କର । ପରିଶେଷରେ ମହତୀ କର୍ମ ସମ୍ପାଦନ କରି କ୍ରମରେ ଆପଣା ପୁଣ୍ୟକର୍ମଦ୍ୱାରା ପୁଣ୍ୟକର୍ମାମାନଙ୍କର ନିବାସଭୂମି ସ୍ୱର୍ଗକୁ ପ୍ରାପ୍ତ ହୁଅ । ହେ କୌରବେନ୍ଦ୍ର ! ତୁମ୍ଭର ଏହି ଆତ୍ମାକ୍ଳେଶ ଦେଖି ମନରେ ଶଙ୍କା କର ନାହିଁ । ତୁମ୍ଭର ଏହି କ୍ଳେଶ ଭବିଷ୍ୟତ ସୁଖ ନିମିତ୍ତ ହେଉଅଛି । ୯୫ ।

 

॥ ଅଧ୍ୟାୟ – ୧୮୪ ॥

 

ବୈଶମ୍ପାୟନ କହିଲେ, ମହାରାଜ ! ମହାତ୍ମା ମାର୍କଣ୍ଡେୟଙ୍କୁ ପାଣ୍ଡୁସୁତମାନେ ତତ୍କାଳରେ କହିଲେ ଯେ ଦ୍ୱିଜଶ୍ରେଷ୍ଠମାନଙ୍କର ମହାତ୍ମ୍ୟ ଶୁଣିବାକୁ ଇଚ୍ଛା କରୁଅଛୁଁ; ଆପଣ କହିବା ହେଉନ୍ତୁ । ମହାତପା ଏହି କଥା ଶ୍ରବଣ କରି ବୋଇଲେ, ସେହି ମାର୍କଣ୍ଡେୟ ମହାତପସ୍ୱୀ ଓ ସର୍ବଶାସ୍ତ୍ରରେ ବିଶାରଦ ଅଟନ୍ତି । ୨ । ମାର୍କଣ୍ଡେୟ ବୋଇଲେ, ଦ୍ୱୈହୟବଂଶରେ ଜାତ, ଶତ୍ରୁପୁର ବିଜୟୀ, ରୂପ ସମ୍ପନ୍ନ, ବଳବାନ ଗୋଟିଏ ରାଜକୁମାର ମୃଗୟା କରିବାକୁ ଗମନ କଲେ । ୩ । ତୃଣ-ଲତା-ସମାବୃତ ଅରଣ୍ୟ ମଧ୍ୟରେ ପର୍ଯ୍ୟଟନ କରୁ କରୁ ସନ୍ନିକଟରେ ଜଣେ ଋଷିଙ୍କୁ ଦେଖିଲେ । ସେ କୃଷ୍ଣସାର ମୃଗର ଚର୍ମ ନିର୍ମିତ ଉତ୍ତରୀୟଦ୍ୱାରା ଆବୃତ୍ତ ହୋଇଥିଲେ । ୪ । ରାଜକୁମାର ତାହାଙ୍କୁ ମୃଗ ବୋଧକରି ନିହତ କଲେ । କମଳନେତ୍ର, ପୃଥିବୀପତି ରାଜକୁମାର ସେହି ଗର୍ହିତ କର୍ମ କରି ଅତ୍ୟନ୍ତ ବ୍ୟଥିତ ହେଲେ । ଶୋକରେ ତାହାଙ୍କର ଚେତନା ଉପହତ ହେବାରୁ ସେ ଦ୍ୱୈହୟରାଜାମାନଙ୍କ ନିକଟକୁ ଗମନ କଲେ ଓ ସେମାନଙ୍କ ନିକଟରେ ଆପଣାର ଅସତ୍ କାର୍ଯ୍ୟ ଯଥାବିଧି କୀର୍ତ୍ତନ କଲେ । ୬ ।

 

ହେ ବତ୍ସ ! ସେମାନେ ଫଳମୂଳାଶୀ ମୁନିଙ୍କୁ ହିଂସା କରିଥିବାର ଶ୍ରବଣ କରି ଓ ତାହାକୁ ଦେଖି ତନ୍ନିମିତ୍ତ ଅତିଶୟ ଦୁଃଖିତ ହେଲେ । ୭ । ଅନନ୍ତର ସେମାନେ ସମସ୍ତେ ଜାଣିବାକୁ ଇଚ୍ଛାକଲେ ଯେ ସେ ମୁନି କାହାର ସନ୍ତାନ ! ଅନ୍ୱେଷଣ କରୁ କରୁ ସେମାନେ ହଠାତ୍ ଅରିଷ୍ଟନେମୀଙ୍କ ଆଶ୍ରମରେ ଉପନୀତ ହେଲେ । ୮ । ପରେ ସେହି ନିୟତବ୍ରତ, ମହାତ୍ମା ମୁନିଙ୍କୁ ଅଭିବାଦନ କରି ଦଣ୍ଡାୟମାନ ହେଲେ । ତତ୍ପରେ ସେହି ଋଷି ସେମାନଙ୍କ ସତ୍କାରାର୍ଥ ଉଦ୍ୟୋଗ କଲେ । ତହୁଁ ସେମାନେ ସେହି ମହାତ୍ମାଙ୍କୁ କହିଲେ ଯେ ମୁନେ ! ଆମ୍ଭେମାନେ ବ୍ରାହ୍ମଣ-ହିଂସା କରିଅଛୁ । ସେହି ହେତୁରୁ ଆପଣାର କର୍ମଦୋଷରୁ ଆପଣଙ୍କ ଠାରୁ ସତ୍କାର ପାଇବାର ଯୋଗ୍ୟ ନୋହୁ । ତେତେବେଳେ ସେହି ବିପ୍ରର୍ଷି ସେମାନଙ୍କୁ କହିଲେ, କି ହେତୁରୁ ତୁମ୍ଭେମାନେ ବ୍ରାହ୍ମଣ ହିଂସା କଲ ? ସେହି ବ୍ରାହ୍ମଣ କାହିଁ କହ ଓ ତୁମ୍ଭେ ସମସ୍ତେ ମିଳିତ ହୋଇ ଆମ୍ଭ ତପସ୍ୟା ବଳକୁ ଦର୍ଶନ କର । ୧୧ ।

 

ଋଷି ଏହି କଥା କହନ୍ତେ ଯେପରି ସେହି ବ୍ରହ୍ମବଧ ହୋଇଥିଲା ତତ୍ସମୁଦାୟ ବୃତ୍ତାନ୍ତ ଆନୁପୂର୍ବିକ ବର୍ଣ୍ଣନା କଲେ ଓ ସେଠାକୁ ଯାଇ ତାହାଙ୍କର ମୃତଦେହ ଅନ୍ୱେଷଣ କଲେ । ପରନ୍ତୁ ସେମାନେ ସେହି ଶବକୁ ପାଇଲେ ନାହିଁ । ପରିଶେଷରେ ଲଜ୍ଜିତ ଓ ସ୍ୱପ୍ନ ଦେଖିଲାପ୍ରାୟ ଗତଚେତନ ହୋଇ ପ୍ରତ୍ୟାଗତ ହେଲେ । ହେ ମହାରାଜ ! ତତ୍କାଳରେ ପରପୁରଞ୍ଜୟ କଶ୍ୟପନନ୍ଦନ ମୁନି ସେମାନଙ୍କୁ କହିଲେ, ହେ ନୃପଗଣ ? ତୁମ୍ଭେମାନେ ଯାହାଙ୍କୁ ବିନଷ୍ଟ କରିଅଛ, ସେ କ’ଣ ଏହି ତପସ୍ୱୀ ବ୍ରାହ୍ମଣ ଓ ଆମ୍ଭର ସନ୍ତାନ ଅଟନ୍ତି । ୧୪ । ହେ ମହୀପତେ ! ସେମାନେ ସେହି ଋଷିପୁତ୍ରଙ୍କୁ ଦେଖି ଅତିଶୟ ଆଶ୍ଚର୍ଯ୍ୟ ହୋଇ ଓ ବିସ୍ମୟାପନ୍ନ ହୋଇ କହିଲେ, ହଁ ଏହି । ୧୫-। ସେମାନେ କହିଲେ, ଏ ନିହତ ହୋଇଥିଲେ; କି ପ୍ରକାରେ ଜୀବିତ ହେଲେ ? ଏ କ’ଣ ତପସ୍ୟାର ବଳ ? ଯାହାଦ୍ୱାରା କି ଏ ପୁନର୍ଜୀବିତ ହେଲେ ? ୧୬ । ହେ ବିପ୍ର ! ଏ ବ୍ରାହ୍ମଣ ପୁନର୍ଜୀବନ ପ୍ରାପ୍ତ ହେବାର କାରଣକୁ ଅମ୍ଭେମାନେ ଶୁଣିବାକୁ ବାଞ୍ଛା କରୁଅଛୁ । ଯଦି ଆମ୍ଭେମାନେ ଶୁଣିବାର ଯୋଗ୍ୟ, ତେବେ ବୋଲିବା ହେଉନ୍ତୁ ।

 

ଋଷି ସେମାନଙ୍କୁ କହିଲେ, ହେ ନୃପଗଣ ! ମୃତ୍ୟୁ ଆମ୍ଭମାନଙ୍କ ନିକଟରେ କ୍ଷମତା ପ୍ରକାଶ କରିପାରନ୍ତି ନାହିଁ । ତାହାର କାରଣ ଯୁକ୍ତି ସହିତ ସଂକ୍ଷେପରେ କହୁଅଛୁ, ଶ୍ରବଣ କର । ଆମ୍ଭେମାନେ ସତ୍ୟ ବ୍ୟବହାର କରୁଁ । ମିଥ୍ୟା ବିଷୟରେ ମନକୁ ପ୍ରବୃତ୍ତ କରୁ ନାହିଁ ଓ ସ୍ୱଧର୍ମ ଅନୁଷ୍ଠାନ କରୁଁ । ସେହି ହେତୁରୁ ମୃତ୍ୟୁଠାରୁ ଆମ୍ଭମାନଙ୍କର ଭୟ ନାହିଁ । ବ୍ରାହ୍ମଣମାନଙ୍କର ଯାହା କୁଶଳ, ଆମ୍ଭେମାନେ ତାହା କହୁ । ସେମାନଙ୍କର ଦୁଶ୍ଚରିତ୍ର କହୁନାହିଁ । ସେହି ହେତୁରୁ ଆମ୍ଭମାନଙ୍କର ମୃତ୍ୟୁଭୟ ନାହିଁ । ୧୯ । ଅତିଥିମାନଙ୍କୁ ଅନ୍ନପାନାଦିଦ୍ୱାରା ପରିତୃପ୍ତ କରି ପରିବାରମାନଙ୍କୁ ସମ୍ପୂର୍ଣ୍ଣ ଭୋଜନ ଦେଇ ପରିଶେଷରେ ସ୍ୱୟଂ ଭୋଜନ କରୁ । ସେହି ହେତୁରୁ ଆମ୍ଭମାନଙ୍କର ମୃତ୍ୟୁଭୟ ନାହିଁ । ଆମ୍ଭେମାନେ ଶାନ୍ତ, ଦାନ୍ତ, କ୍ଷମାଶୀଳ, ତୀର୍ଥସେବୀ ଓ ଦାନପରାୟଣ; ପୁଣ୍ୟସ୍ଥାନରେ ଯୋଗସିଦ୍ଧ ମହାପୁରୁଷମାନଙ୍କ ସଂସର୍ଗରେ ବାସ କରୁଁ । ସେହିହେତୁରୁ ଆମ୍ଭମାନଙ୍କର ମୃତ୍ୟୁଭୟ ନାହିଁ । ୨୧ । ତୁମ୍ଭମାନଙ୍କ ନିକଟରେ ଏକଥା କିଞ୍ଚିତମାତ୍ର କହିଲୁ । ବର୍ତ୍ତମାନ ତୁମ୍ଭେମାନେ ସମସ୍ତେ ପରିତୁଷ୍ଟ ହୋଇ ଏକତ୍ର ଗମନ କର । ଏହି ବ୍ରହ୍ମହତ୍ୟା ନିମିତ୍ତ ତୁମ୍ଭମାନଙ୍କର ଭୟ ନାହିଁ । ୨୨ । ହେ ଭରତର୍ଷଭ ! ଏକଥା ଶୁଣି ସେମାନେ ଯେ ଅଜ୍ଞ ବୋଲି କହି ମହାମୁନିଙ୍କୁ ଅର୍ଚ୍ଚନା କରି ଆହ୍ଲାଦପୂର୍ବକ ସ୍ୱସ୍ଥାନକୁ ଗମନ କଲେ ।

 

॥ ଅଧ୍ୟାୟ – ୧୮୫ ॥

 

ମାର୍କଣ୍ଡେୟ କହିଲେ, ହେ ଯୁଧିଷ୍ଠିର ! ବ୍ରାହ୍ମଣମାନଙ୍କର ମହାଭାଗ୍ୟ ବୃତ୍ତାନ୍ତ ପୁନର୍ବାର ଆମ୍ଭଠାରୁ ଶ୍ରବଣ କର । ବୈନ୍ୟ ନାମରେ ଜଣେ ରାଜର୍ଷି ଅଶ୍ୱମେଧ ଯଜ୍ଞରେ ଦୀକ୍ଷିତ ହୋଇଥିଲେ-। ୧ । ଆମ୍ଭେମାନେ ଶୁଣିଅଛୁ ଯେ ସେହି ସମୟରେ ଅତ୍ରି ଋଷି ତାହାଙ୍କ ନିକଟକୁ ଧନଯାଚ୍‌ଞା ନିମିତ୍ତ ଗମନ କରିବାକୁ ଉଦ୍ୟତ ହୋଇଥିଲେ; କିନ୍ତୁ ସେହି ମହାତେଜସ୍ୱୀ ଋଷି ଧର୍ମବୁଦ୍ଧି ହେତୁରୁ ଆଉ ଅର୍ଥନିମିତ୍ତ ଯାଚ୍‌ଞା କଲେ ନାହିଁ । ୨ । ସେ ବନଗମନରେ ଅଭିଳାଷୀ ହୋଇ ଧର୍ମପତ୍ନୀ ଓ ପୁତ୍ରମାନଙ୍କୁ ଡାକି କହିଲେ– ତୁମ୍ଭେମାନେ ଶୀଘ୍ର ବନଗମନରେ ପ୍ରବୃତ୍ତ ହୁଅ । ଆମ୍ଭେମାନେ ଯଦି ବନଗମନ କରିବା, ତେବେ ଆମ୍ଭମାନଙ୍କର ଅତି ଉତ୍ତମ ଫଳ ହେବ ଓ ଆମ୍ଭେମାନେ ଅକ୍ଷୟ, ଅବ୍ୟୟ, ମୋକ୍ଷକୁ ପାଇପାରିବା । ୪ ।

 

ପରେ ତାହାଙ୍କର ଧର୍ମପତ୍ନୀ ବିଚାରିଲେ ଯେ ଧନ ଆଣି ତଦ୍ଦ୍ୱାରା ଯଜ୍ଞକାର୍ଯ୍ୟ ବିସ୍ତାର କରିବେ । ତହୁଁ ସେ ପ୍ରତ୍ୟୁତ୍ତର ଦେଲେ– ହେ ବିପ୍ରେର୍ଷେ ! ଆପଣ ମହାତ୍ମା ରାଜର୍ଷି ବୈନ୍ୟଙ୍କ ନିକଟକୁ ଯାଇ ବହୁ ଧନ ପ୍ରାର୍ଥନା କରନ୍ତୁ । ୫ । ବୈନ୍ୟରାଜା ଯଜ୍ଞରେ ଦୀକ୍ଷିତ ହୋଇଅଛନ୍ତି । ସେ ଆପଣଙ୍କୁ ଧନ ଦାନ କରିବେ । ଆପଣ ତାହାଙ୍କ ନିକଟରୁ ବହୁ ଧନ ଗ୍ରହଣ କରି ଭୃତ୍ୟ ଓ ପୁତ୍ରାଦିଙ୍କୁ ବଣ୍ଟନ କରି ପରେ ଯେଉଁ ସ୍ଥାନକୁ ଇଚ୍ଛା ହେବ, ସେହି ସ୍ଥାନକୁ ଗମନ କରିବେ । ଧର୍ମବେତ୍ତାମାନେ ଏହିପରି କାର୍ଯ୍ୟକୁ ପରମଧର୍ମ ବୋଲି ବୋଲନ୍ତି । ୭ । ଅତ୍ରି କହିଲେ, ମହାଭାଗ-! ମହାତ୍ମା ଗୌତମ ଆମ୍ଭଙ୍କୁ କହିଅଛନ୍ତି, ବୈନ୍ୟରାଜା ଧର୍ମାର୍ଥ ସଂଯୁକ୍ତ ଓ ସତ୍ୟଧର୍ମପରାୟଣ ଅଟନ୍ତି; କିନ୍ତୁ ଏ ବିଷୟରେ ଗୋଟିଏ ଦୋଷ ଅଛି । ତାହାଙ୍କ ନିକଟରେ ଆମ୍ଭର ଦ୍ୱେଷକାରୀ ବ୍ରାହ୍ମଣମାନେ ଅଛନ୍ତି । ଅତଏବ ଗୌତମଙ୍କ କଥା ଶୁଣି ଆମ୍ଭେ ସେଠାକୁ ଯିବାକୁ ଇଚ୍ଛା କରୁ ନାହୁଁ-। ୯ । ସେଠାକୁ ଯାଇ ଆମ୍ଭେ ଧର୍ମାର୍ଥସଂଯୁକ୍ତ ଓ କଲ୍ୟାଣକର ବାକ୍ୟ କହିଲେ ସୁଦ୍ଧା ସେହି ବ୍ରାହ୍ମଣମାନେ ଆମ୍ଭ ବାକ୍ୟର ଅନ୍ୟଥା ଅର୍ଥ ପ୍ରତିପାଦନ କରିବେ । ୧୦ । ହେଉ, ତୁମ୍ଭର ବାକ୍ୟ ଆମ୍ଭର ରୁଚିକର ହୋଇଅଛି । ଏଥି ନିମିତ୍ତ ଆମ୍ଭେ ସେଠାକୁ ଗମନ କରିବୁ । ବୈନ୍ୟରାଜ ଆମ୍ଭଙ୍କୁ ଅନେକ ଗୋ ଓ ପ୍ରଚୁର ଅର୍ଥ ଦେବେ । ୧୧ ।

 

ମାର୍କଣ୍ଡେୟ କହିଲେ, ମହାତପା ଅତ୍ରି ଏହିରୂପେ କହି ମହାତ୍ମା ବୈନ୍ୟଙ୍କ ଯଜ୍ଞପାଟକୁ ଗମନ କଲେ । ଯଜ୍ଞାୟତନରେ ଉପନୀତ ହୋଇ ସେ ଋଷି ମଙ୍ଗଳଯୁକ୍ତ ବାକ୍ୟଦ୍ୱାରା ନୃପତିଙ୍କର ସ୍ତବ କଲେ । ଅତ୍ରି କହିଲେ, ହେ ରାଜନ୍‌ ! ତୁମ୍ଭେ ଧନ୍ୟ, ତୁମ୍ଭେ ଈଶ୍ୱର, ପୃଥିବୀରେ ତୁମ୍ଭେ ପ୍ରଥମ ରାଜା ! ୧୩ । ମୁନିମାନେ ତୁମ୍ଭଙ୍କୁ ସ୍ତବ କରନ୍ତି ଓ ତୁମ୍ଭ ବ୍ୟତିରେକେ ଅନ୍ୟକେହି ରାଜା ଧର୍ମବେତ୍ତା ନାହିଁ । ଋଷି ଏହିରୂପେ କହିବାରୁ ମହାତପା ଗୌତମ ତାହାଙ୍କ ପ୍ରତି କୁପିତ ହୋଇ କହିଲେ । ୧୪-। ଅତ୍ରି ! ତୁମ୍ଭେ ଏପରି ଆସି ପୁନର୍ବାର କହିବ ନାହିଁ । ତୁମ୍ଭର ବୁଦ୍ଧି ସମାହିତ ହୋଇ ନାହିଁ । ଏହି ଜଗତରେ ପ୍ରଜାପତି ମହେନ୍ଦ୍ର ଆମ୍ଭମାନଙ୍କର ପ୍ରଥମ ରାଜା ଅଟନ୍ତି । ୧୫ । ହେ ରାଜେନ୍ଦ୍ର ! ପରେ ଗୌତମଙ୍କ ପ୍ରତି ଅତ୍ରି କହିଲେ, ପ୍ରଜାପତି ଇନ୍ଦ୍ର ଯେପରି ସମସ୍ତଙ୍କର ବିଧାନକର୍ତ୍ତା, ରାଜା ବୈନ୍ୟ ମଧ୍ୟ ତଦ୍ରୂପ ଅଟନ୍ତି । ଅତଏବ ତୁମ୍ଭେ ମୁଗ୍ଧ ହୋଇଅଛ । ତୁମ୍ଭର ମତିଭ୍ରଂଶ ହୋଇଅଛି । ୧୬ । ଗୌତମ କହିଲେ, ଅତ୍ରି ! ଆମ୍ଭର ନିଶ୍ଚୟ ବୋଧହେଉଅଛି, ଆମ୍ଭେ ମୁଗ୍ଧ ହୋଇ ନାହୁଁ । ଏ ବିଷୟରେ ତୁମ୍ଭର ମୋହ ହୋଇଅଛି । ତୁମ୍ଭେ ଧନାଭିଳାଷୀ ହୋଇ ଜନସମାଜରେ ରାଜାଙ୍କର ମିଥ୍ୟା ପ୍ରଶଂସା କରୁଅଛ । ୧୭ । ପରମଧର୍ମ ଯେ କ’ଣ, ତାହା ତୁମ୍ଭେ ଜାଣ ନାହିଁ ଓ ତୁମ୍ଭର ପ୍ରୟୋଜନ-ଜ୍ଞାନ ମଧ୍ୟ ନାହିଁ । ଅତଏବ ତୁମ୍ଭେ ବାଳକ ଓ ମୂର୍ଖ । କି ହେତୁରୁ ବୃଦ୍ଧ ପ୍ରାୟ ହୋଇଅଛ-? ୧୮ ।

 

ମାର୍କଣ୍ଡେୟ କହିଲେ, ସେମାନେ ମୁନିମାନଙ୍କର ଦୃଷ୍ଟିପଥରେ ଆରୂଢ଼ ହୋଇ ଉକ୍ତ ପ୍ରକାର ବିବାଦ କରୁଅଛନ୍ତି, ଏମନ୍ତ ସମୟରେ ଯେଉଁମାନେ ବୈନ୍ୟଙ୍କ ଯଜ୍ଞରେ ବ୍ୟାପୃତ ଥିଲେ– ସେମାନେ ପଚାରିଲେ, ଏମାନେ କି କାରଣରୁ ଏପରି ବିବାଦ କରୁଅଛନ୍ତି ? ୧୯ । ଏମାନଙ୍କୁ କିଏ ରାଜସଭାକୁ ପ୍ରବେଶ କରାଇଲେ ? ଏମାନେ କି କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ଯେ ଏତାଦୃଶ ଚିତ୍କାର କରୁଅଛନ୍ତି ? ୨୦ । ଅନନ୍ତର ପରମଧର୍ମାତ୍ମା ସର୍ବଧର୍ମବେତ୍ତା କାଶ୍ୟପ ସମୀପାଗତ ହୋଇ ଉଭୟ ବିବାଦୀଙ୍କୁ ତାହାଙ୍କର ପ୍ରୟୋଜନ ଜଣାଇବାକୁ ଅନୁମତି ଦେଲେ । ୨୧ ।

 

ତତ୍ପରେ ଗୌତମ ମୁନିସତ୍ତମ ସଦସ୍ୟମାନଙ୍କୁ କହିଲେ, ହେ ଦ୍ୱିଜଶ୍ରେଷ୍ଠଗଣ ! ଆମ୍ଭର ଦୁହିଁଙ୍କର କଥିତ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଅତ୍ରି କହୁଅଛନ୍ତି ଯେ ରାଜା ବୈନ୍ୟ ବିଧାତା ଅଟନ୍ତି, ଏ ବିଷୟରେ ଆମ୍ଭମାନଙ୍କର ମହାନ ସଂଶୟ ହେଉଅଛି । ମାର୍କଣ୍ଡେୟ କହିଲେ, ମହାତ୍ମା ମୁନିମାନେ ସେହି କଥାକୁ ଶ୍ରବଣ କଲାମାତ୍ରକେ ସନତ କୁମାରଙ୍କ ନିକଟକୁ ଶୀଘ୍ର ଦଉଡ଼ି ଗଲେ ଓ ସଂଶୟ ବିଷୟ ସେମାନଙ୍କୁ ପଚାରିଲେ । ମହାତପା ସନତ କୁମାର ସେମାନଙ୍କର ବଚନ ଶ୍ରବଣ କରି ଧର୍ମାର୍ଥଯୁକ୍ତ ଯଥାର୍ଥ ବଚନ କହିଲେ । ୨୩ । ଅଗ୍ନି ଯେପରି ବାୟୁସଂଯୁକ୍ତ ହୋଇ ଅରଣ୍ୟକୁ ଦହନ କରେ, ସେହିପରି ବ୍ରହ୍ମତେଜ କ୍ଷାତ୍ରତେଜ ସହିତ ମିଳିତ ହୋଇ ଓ କ୍ଷାତ୍ରତେଜ ବ୍ରହ୍ମତେଜ ସହିତ ମିଳିତ ହୋଇ ଶତ୍ରୁମାନଙ୍କୁ ଦହନ କରେ । ୨୫ । ରାଜା ବିଖ୍ୟାତ ଧର୍ମରକ୍ଷକ ଓ ପ୍ରଜାମାନଙ୍କର ପାଳନକର୍ତ୍ତା, ସେହି ସେ ଇନ୍ଦ୍ର ଅର୍ଥାତ୍ ଲୋକରକ୍ଷଣକାରୀ । ସେହି ଶୁକ୍ରାଚାର୍ଯ୍ୟ, ସେହି ନୀତିପ୍ରଦର୍ଶକ, ସେହି ବୃହସ୍ପତି ଓ ହିତୋପଦେଷ୍ଟା; ସୁତରାଂ ସେହି ରାଜା ଧାତା ଅର୍ଥାତ୍ ସୃଜନକାରୀ ବୋଲି ନିର୍ଦ୍ଦିଷ୍ଟ ହୁଅନ୍ତି । ୨୬ । ଯାହାଙ୍କୁ ପ୍ରଜାପତି, ବିରାଟ ସମ୍ରାଟ୍‍, କ୍ଷତ୍ରିୟଭୂପତି ନୃପତି ବୋଲି ସ୍ତବ କରାଯାଏ, ତାହାଙ୍କୁ କେଉଁ ବ୍ୟକ୍ତି ଅର୍ଚ୍ଚନା କରିବାକୁ ଯୋଗ୍ୟ ନ ହୁଏ ? ୨୭ । ରାଜାଙ୍କୁ ଲୋକରକ୍ଷାର ପ୍ରଥମ କାରଣ ବୋଲାଯାଏ । ସଂଗ୍ରାମ ଜୟ ହେତୁରୁ ସେ ଉପଦ୍ରବ ନାଶକାରୀ, ଲୋକରକ୍ଷାର୍ଥ ପ୍ରହରୀପ୍ରାୟ ସର୍ବତ୍ର ଗମନକାରୀ, ପ୍ରମୋଦପରାୟଣ, ନିୟନ୍ତା, ସ୍ୱର୍ଗନେତା, ସଦ୍ୟଜୟଶୀଳ, ବିଷ୍ଣୁସ୍ୱରୂପ, ସଂଗ୍ରାମ-ଜୟର ହେତୁ ଓ ସର୍ବତ୍ର ଜୟର କାରଣ ଅଟନ୍ତି । ତାହାଙ୍କର କ୍ରୋଧ ବ୍ୟର୍ଥ ହୁଏ ନାହିଁ ଓ ତାହାଙ୍କୁ ସତ୍ୟଧର୍ମ ପ୍ରବର୍ତ୍ତକ ବୋଲି ବୋଲାଯାଏ । ୨୯ । ଋଷିମାନେ ଅଧର୍ମାକ୍ରାନ୍ତ ନ ହୁଅନ୍ତୁ, ଏହି ଭୟରେ ଭୀତ ହୋଇ ସେମାନେ କ୍ଷତ୍ରିୟଙ୍କଠାରେ ବଳ ସମାହିତ କରିଅଛନ୍ତି । ଯେ ପ୍ରକାର ଦେବଗଣଙ୍କ ମଧ୍ୟରେ ଆଦିତ୍ୟ ଦ୍ୟୁଲୋକରେ ଥାଇ ତେଜଦ୍ୱାରା ତିମିର ନାଶ କରନ୍ତି, ସେହିପରି ରାଜା ଭୂମଣ୍ଡଳରେ ଥାଇ ଅଧର୍ମକୁ ସମ୍ପୂର୍ଣ୍ଣରୂପେ ଅପନୋଦନ କରନ୍ତି । ଅତଏବ ଶାସ୍ତ୍ରୀୟ ପ୍ରମାଣ ଦର୍ଶନଦ୍ୱାରା ରାଜାଙ୍କୁ ପ୍ରଧାନ ବୋଲି ବୋଲାଯାଏ; ସୁତରାଂ ଯେ ରାଜାଙ୍କ ପ୍ରାଧାନ୍ୟ ବିଷୟରେ ବାକ୍ୟ ବିନ୍ୟାସ କରିଅଛନ୍ତି, ସେହି ବାକ୍ୟ ସୁସିଦ୍ଧ ଅଟେ । ୩୧ ।

 

ମାର୍କଣ୍ଡେୟ କହିଲେ, ତଦନନ୍ତର ମହାତ୍ମା ରାଜା ବୈନ୍ୟ ସେହି ସିଦ୍ଧାନ୍ତ ଶୁଣି ସନ୍ତୁଷ୍ଟ ହେଲେ । ପୂର୍ବେ ଯେ ତାହାଙ୍କୁ ସ୍ତବ କରିଥିଲେ, ସେହି ଅତ୍ରିଙ୍କ ପ୍ରତି ପ୍ରୀତ ହୋଇ କହିଲେ, । ୩୨ । ହେ ବିପ୍ରର୍ଷେ ! ଆପଣ ଆମ୍ଭଙ୍କୁ ସର୍ବଦେବ ସମ୍ମିଳିତ ଶ୍ରେଷ୍ଠ ଓ ମନୁଷ୍ୟଗଣଙ୍କ ମଧ୍ୟରେ ଜ୍ୟୟାନ ବୋଲି ବର୍ଣ୍ଣନା କରିଅଛନ୍ତି । ଏହି ହେତୁରୁ ଆମ୍ଭେ ଆପଣଙ୍କୁ ନାନାପ୍ରକାର ଓ ପ୍ରଚୁର ଧନ ପ୍ରଦାନ କରିବୁ । ଆମ୍ଭେ ଉତ୍ତମ ବସନ ଭୂଷଣରେ ବିଭୂଷିତା, ସହସ୍ରସଂଖ୍ୟକ ଶ୍ୟାମା ଦାସୀ ଓ ଦଶକୋଟି ସୁବର୍ଣ୍ଣ ଓ ଦ୍ୱାତ୍ରିଂଶତ ମହଣର ଯେଉଁ ଏକଭାଗ ହୁଏ ଏତାଦୃଶ ଦଶଭାଗ ସୁବର୍ଣ୍ଣ ଦେବୁ; ଯେ ହେତୁରୁ ଆପଣ ବିବେଚନାରେ ସର୍ବଜ୍ଞ ଅଟନ୍ତି । ୩୫ । ଅନନ୍ତର ମହାତପା, ତେଜସ୍ୱୀ ଅତ୍ରିଋଷି ନୃପତିଙ୍କଦ୍ୱାରା ସତ୍‌କୃତ ହୋଇ ନ୍ୟାୟାନୁସାରେ ସେହି ସମସ୍ତ ଧନକୁ ପ୍ରତିଗ୍ରହ କରି ଗୃହକୁ ପ୍ରତ୍ୟାଗମନ କଲେ । ୩୬ । ସେ ପ୍ରୀତଚିତ୍ତରେ ପୁତ୍ରମାନଙ୍କୁ ସେହି ଧନ ପ୍ରଦାନ କରି ସ୍ଥିରଚିତ୍ତରେ ତପସ୍ୟାର୍ଥ ବନଗମନ କଲେ । ୩୭ ।

 

॥ ଅଧ୍ୟାୟ – ୧୮୬ ॥

 

ମାର୍କଣ୍ଡେୟ କହିଲେ, ହେ ଶତ୍ରୁପୁରଜୟୀବୀର ! ଏହି ବ୍ରାହ୍ମଣମାନଙ୍କର ମହାତ୍ମ୍ୟ ବିଷୟରେ ତାର୍କ୍ଷ୍ୟମୁନି ସରସ୍ୱତୀଙ୍କୁ ପଚାରିଥିଲେ ଓ ସେ ଯାହା କହିଅଛନ୍ତି ତାହା ମଧ୍ୟ ଶ୍ରବଣ କର-। ସରସ୍ୱତୀଙ୍କୁ ତାର୍କ୍ଷ୍ୟ ପଚାରିଲେ, ଭଦ୍ରେ ! ମନୋହରାଙ୍ଗି ! ଇହଲୋକରେ ପୁରୁଷର ଶ୍ରେୟ କାହିଁରେ ହୁଏ ? କି ରୂପ କର୍ମ କଲେ ସ୍ୱଧର୍ମଚ୍ୟୁତି ହୁଏ ନାହିଁ, ଏହିସବୁ କଥା ଆପଣ ଆମ୍ଭଙ୍କୁ କହିବା ହେଉନ୍ତୁ । ଆମ୍ଭେ ଯହିଁରେ ଧର୍ମଚ୍ୟୁତ ନ ହେବୁ, ଆପଣଙ୍କ ଉପଦେଶାନୁସାରେ ଆମ୍ଭେ ସେହିରୂପେ କର୍ମ କରିବାକୁ ସମର୍ଥ ହେବୁ, ହେ ଶୁଭଗେ ! ଆମ୍ଭେ କେଉଁ ସମୟରେ କିରୂପେ ଅଗ୍ନିରେ ହବନ କରିବୁ ଓ ପୂଜନ କରିବୁ ଏବଂ କି କର୍ମ କଲେ ଧର୍ମଭ୍ରଷ୍ଟ ନ ହେବୁ, ଏହିସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ । ତାହାହେଲେ ଆମ୍ଭେ ରଜୋଗୁଣଶୂନ୍ୟ ହୋଇ ଲୋକ-ନିବହରେ ସଂଚରଣ କରିପାରିବୁ । ୩ ।

 

ମାର୍କଣ୍ଡେୟ କହିଲେ, ଋଷିଙ୍କ ପ୍ରଶ୍ନ ଶୁଣି ସରସ୍ୱତୀ ପ୍ରୀତିଯୁକ୍ତ ହେଲେ ଓ ତାର୍କ୍ଷ୍ୟଙ୍କୁ ବୁଦ୍ଧିସମ୍ପନ୍ନ ଓ ଶୁଶ୍ରୂଷୁ ଦେଖି ଧର୍ମଯୁକ୍ତ ଓ ହିତକର ବାକ୍ୟରେ କହିଲେ । ୪ । ଯେଉଁ ବ୍ୟକ୍ତି ଶୁଚି, ପ୍ରମାଦରହିତ ଓ ପ୍ରଣବଜପରେ ରତ ଥା’ନ୍ତି, ଯଥାସ୍ଥାନରେ ସଗୁଣ ବ୍ରହ୍ମଙ୍କୁ ଧ୍ୟାନ କରନ୍ତି, ସେ ବ୍ରହ୍ମଲୋକକୁ ଗମନ କଲେ ଦେବଗଣଙ୍କ ସହିତ ପ୍ରୀତିଯୋଗ ପ୍ରାପ୍ତ ହୁଅନ୍ତି । ୫ । ସେଠାରେ ରମଣୀୟ ପୁଷ୍କରିଣୀ ସବୁ ଅଛି, ଯାହାର ଘାଟ ଅଳଙ୍କୃତ ଓ ଜଳ ଅପଙ୍କିଳ ହୋଇଅଛି; ଯହିଁରେ “ହିରଣ୍ମୟ ପୁଣ୍ଡରୀକମାନେ ପ୍ରସ୍ଫୁଟିତ ହୋଇଥାନ୍ତି । ଯାହାକୁ ଦେଖିଲାକ୍ଷଣି ମନର ଦୁଃଖ ଦୂର ହୁଏ; ଯେ କି ସୁପବିତ୍ର ଓ ସୁପୁଷ୍ପିତ ଅଟେ, ଯହିଁରେ ମୀନପୁଞ୍ଜ ବାସ କରନ୍ତି, ତାହାର ତୀରରେ ପୁଣ୍ୟାତ୍ମା ବ୍ୟକ୍ତିମାନେ ଥାଆନ୍ତି ଓ ପ୍ରତ୍ୟେକରେ ପୃଥକ୍ ପୃଥକ୍‍ରୂପେ ସୁବର୍ଣ୍ଣବର୍ଣ୍ଣ ଅପ୍‌ସରାଙ୍କଦ୍ୱାରା ପୂଜିତ ହୁଅନ୍ତି; ଯେଉଁ ଅପ୍‌ସରାମାନଙ୍କ ଦେହ ଓ ବାସ ସୁଗନ୍ଧାନ୍ୱିତ ଓ ଯେଉଁମାନେ ସମଳଙ୍କୁତ, ଏତାଦୃଶ ଅପ୍‌ସରାମାନେ ହୃଷ୍ଟହୋଇ ସେହି ପୁଣ୍ୟାତ୍ମାଙ୍କର ସେବା କରନ୍ତି । ୭ । ମନୁଷ୍ୟମାନେ ଗୋଦାନ କଲେ ଉତ୍ତମ ଲୋକ ପ୍ରାପ୍ତ ହୁଅନ୍ତି, ବୃଷ ପ୍ରଦାନ କଲେ ସୂର୍ଯ୍ୟଲୋକକୁ ଗମନ କରନ୍ତି, ବସ୍ତ୍ର ଦାନ କଲେ ଇନ୍ଦ୍ରଲୋକବାସୀ ହୁଅନ୍ତି, ହିରଣ୍ୟ ଦାନ କଲେ ଦେବତ୍ୱ ଲାଭ ହୁଏ । ୮ । ଯେଉଁ ଧେନୁକୁ ସୁଖରେ ଦୋହନ କରାଯାଏ ଓ ଯେ ଦେଖିବାକୁ ସୁନ୍ଦର ଓ ସୁଲକ୍ଷଣସମ୍ପନ୍ନ, ଯେ ବତ୍ସବତୀ, ଘରୁ ପଳାୟନ ନ କରେ, ଏପରି ଧେନୁକୁ ଦାନ କଲେ, ସେହି ଧେନୁର ଶରୀରରେ ଯେତେ ଲୋମସଂଖ୍ୟା ଅଛି, ତେତେ ବର୍ଷ ପର୍ଯ୍ୟନ୍ତ ସୁରଲୋକରେ ମନୁଷ୍ୟ ବାସ କରେ । ୯ । ଯେ ଭାରବାହୀ, ଅନୁଦ୍ଧତ, ତରୁଣ, ବୀର୍ଯ୍ୟଶାଳୀ ଓ ବଳବାନ ହଳବାହକ ବୃଷଭକୁ ଦାନ କରେ, ଉପର୍ଯ୍ୟୁକ୍ତ ଦଶ ଧେନୁ ଦାନର ଫଳ ସେ ପ୍ରାପ୍ତ ହୁଏ । ୧୦ । ଯେଉଁ ବ୍ୟକ୍ତି କଂସାର ଦୁହିଣୀ ସହିତ କପିଳାଧେନୁକୁ ଦାନ କରେ ଓ ତହିଁ ସଙ୍ଗେ ଦକ୍ଷିଣା ଦିଏ, ସେହି ଗୁଣଯୁକ୍ତା ଧେନୁ କାମଧେନୁ ପ୍ରାୟ ହୋଇ ଦାତାଙ୍କର ସମୀପବର୍ତ୍ତିନୀ ହୁଏ । ୧୧ । ଯେଉଁ ମନୁଷ୍ୟ ଧେନୁ ଦାନକରେ, ସେ ଧେନୁ ଦେହରେ ଯେତେ ଲୋମର ସଂଖ୍ୟା, ସେ ତେତେ ସଂଖ୍ୟକ ଫଳ ଲାଭ କରେ ଓ ସେହି ବ୍ୟକ୍ତି ପରକାଳରେ ଅଧସ୍ତନ ପୌତ୍ରାଦି ଓ ଊର୍ଦ୍ଧ୍ୱତନ ସପ୍ତପୁରୁଷ ପର୍ଯ୍ୟନ୍ତ ଆପଣାର କୁଳ ଉଦ୍ଧାର କରେ । ଯେଉଁ ବ୍ୟକ୍ତି ବ୍ରାହ୍ମଣକୁ ଦକ୍ଷିଣା ଓ କାଂସ୍ୟ (ଦୋହନୀ) ଦୁହିଣୀ ସହିତ ଧନ, ତିଳ, ଦାନ କରେ, ସେ ବସୁଲୋକକୁ ସୁଖରେ ଜୟ କରେ । ୧୩ । ଯେଉଁ ନର ନିଜର କାମ କ୍ରୋଧାଦିସ୍ୱରୂପ ଦାନବମାନଙ୍କଦ୍ୱାରା ବ୍ୟାପ୍ତ ହେବାରୁ ଅନ୍ଧକାର ନରକରେ ପତିତ ହୁଏ, ସେ ଗୋଦାନ କଲେ, ବାତଯୁକ୍ତ ତରଣୀ ସମୁଦ୍ରରୁ ପାରିହୋଇ ଆସିଲା ପ୍ରାୟ ଅନ୍ଧକାରସ୍ୱରୂପ ନରକରୁ ଉତ୍ତୀର୍ଣ୍ଣ ହୁଏ । ୧୪ । ଯେ ବ୍ରାହ୍ମ୍ୟ ବିବାହନୁସାରେ କନ୍ୟାଦାନ କରନ୍ତି ଓ ବିଧିବୋଧିତ ଅନ୍ୟାନ୍ୟ ଦାନ କରନ୍ତି, ସେ ପୁରନ୍ଦରପୁରୀକୁ ଗମନ କରନ୍ତି । ହେ ତାର୍କ୍ଷ୍ୟ ! ଯେଉଁ ସାଧୁପୁରୁଷ ସଂଯତ ହୋଇ ସାତବର୍ଷ ପର୍ଯ୍ୟନ୍ତ ଅଗ୍ନିରେ ଆହୁତି ପ୍ରଦାନ କରନ୍ତି, ସେ ସ୍ୱକୀୟ କର୍ମଦ୍ୱାରା ଆପଣାର ପିତୃପିତାମହମାନଙ୍କୁ ପୂର୍ବତନ ସପ୍ତପୁରୁଷ ପର୍ଯ୍ୟନ୍ତ ଓ ଅଧସ୍ତନ ସପ୍ତପୁରୁଷ ପର୍ଯ୍ୟନ୍ତ ପବିତ୍ର କରନ୍ତି । ୧୬ ।

 

ତାର୍କ୍ଷ୍ୟ କହିଲେ, ହେ ଦେବି ! ଚାରୁରୂପେ ! ଆମ୍ଭେ ପଚାରୁ ଅଛୁ, ଅଗ୍ନିହୋତ୍ରର ବେଦୋକ୍ତ ନିୟମ କ’ଣ ? ଆପଣ ତାହା ଆମ୍ଭଙ୍କୁ କହନ୍ତୁ । ଅଗ୍ନିହୋତ୍ରର ଯେଉଁ ବେଦୋକ୍ତ ନିୟମ ଅଛି, ତାହା ଆପଣଙ୍କଠାରୁ ଶ୍ରବଣ କଲେ ଆମ୍ଭେ ଜାଣିପାରିବୁ । ସରସ୍ୱତୀ କହିଲେ, ‘ଅଶୁଚି ଅସ୍ମାତ’ ପଠିତ କିନ୍ତୁ ଅର୍ଥାନଭିଜ୍ଞ ବ୍ୟକ୍ତି ହୋମ କରିବେ ନାହିଁ । ଯେହେତୁ ଦେବତାମାନେ ଭକ୍ତିପ୍ରିୟ, ଯେଉଁମାନେ ମନ୍ତ୍ରର ଅର୍ଥ ବୋଧକରନ୍ତି ନାହିଁ, ସେମାନେ ଶ୍ରଦ୍ଧାପୂର୍ବକ ଆହୁତି ପ୍ରଦାନ କରିନପାରନ୍ତି । ୧୮ । ହେ ତାର୍କ୍ଷ୍ୟ ! ଯେଉଁମାନେ ଶ୍ରୋତ୍ରିୟ ନୁହନ୍ତି, ସେମାନଙ୍କଦ୍ୱାରା ଦେବତାଙ୍କ ଉଦ୍ଦେଶ୍ୟରେ ଆହୁତି ଦାନ କରିବ ନାହିଁ । ତାହାର କାରଣ ଏହି ଯେ, ସେପରି ବ୍ୟକ୍ତି ଅନଳରେ ଆହୁତି ସେଚନ କଲେ ତାହା ନିଷ୍ଫଳ ହୁଏ । ଯାହାଙ୍କର କୁଳଶୀଳ ଜଣାନାହିଁ, ତାହାଙ୍କୁ ମଧ୍ୟ ଅଶ୍ରୋତ୍ରିୟ ବୋଲି ଜାଣ । ତାହାଙ୍କଦ୍ୱାରା ଅଗ୍ନିହୋତ୍ର ହବନ କରିବ ନାହିଁ । ଯେଉଁମାନେ ଧନ ଓ ଐଶ୍ୱର୍ଯ୍ୟ ହେତୁରୁ ଗର୍ବ କରନ୍ତି ନାହିଁ, ଚିତ୍ତ ସଂଯମ କରିଥା’ନ୍ତି, ଶ୍ରଦ୍ଧାଳୁ ଓ ସତ୍ୟବ୍ରତ ହୋଇ ହୋମ କରନ୍ତି ଓ ହୃତଶେଷକୁ ସ୍ୱୟଂ ଭକ୍ଷଣ କରନ୍ତି, ସେମାନେ ଗୋଦାନଜନିତ ପୁଣ୍ୟଗନ୍ଧ ଲୋକମାନଙ୍କୁ ପ୍ରାପ୍ତ ହୋଇ ପରିଶେଷରେ ପରମ ସତ୍ୟଦେବଙ୍କର ଦର୍ଶନ ଲାଭ କରନ୍ତି । ୨୦ । ତାର୍କ୍ଷ୍ୟ କହିଲେ, ହେ ସୁନ୍ଦରୀ ! ଶୁଭଗେ ! ଆପଣ କ୍ଷେତ୍ରଜ୍ଞରୂପିଣୀ ପ୍ରଜ୍ଞା, ଆପଣଙ୍କୁ ପରମାତ୍ମା ଓ କର୍ମଫଳ ଏହି ଦୁଇଟିରେ ପ୍ରବିଷ୍ଟ ହୋଇଥିବାର ଜାଣି ଆପଣଙ୍କୁ ପ୍ରଶ୍ନ କରୁଅଛି, ଆପଣ କିଏ ? ୨୧ ।

 

ସରସ୍ୱତୀ କହିଲେ– “ହେ ବିପ୍ର ! ବିପ୍ରଶ୍ରେଷ୍ଠମାନଙ୍କ ସଂଶୟ ଛେଦନ ନିମିତ୍ତ ବିଦ୍ୟାରୂପୀ ସରସ୍ୱତୀ, ଅଗ୍ନିହୋତ୍ରାଦି ସତ୍‌କର୍ମରୁ ଆବିଷ୍କୃତା ହୋଇଅଛୁ ଓ ତୁମ୍ଭ ନିକଟକୁ ଆସି ଏହି ସତ୍ୟ ବିଷୟକୁ ପ୍ରକୃତରୂପେ ଯାହା ହେବାର ତାହା ବର୍ଣ୍ଣନା କଲୁ । ଆମ୍ଭେ ଯାହାଙ୍କର ଯେପରି ଭାବ ତଦନୁସାରେ ଅବସ୍ଥିତ ହୋଇଥାଉଁ । ତାର୍କ୍ଷ୍ୟ କହିଲେ, “ଶୁଭଗେ ! ଆପଣଙ୍କ ସଦୃଶ କେହି ନାହିଁ । ଆପଣ ଲକ୍ଷ୍ମୀଙ୍କ ପ୍ରାୟ ଅତିଶୟ ଦ୍ୟୁତିମତୀ, ଆପଣଙ୍କ କାନ୍ତି ଅନନ୍ତ । ଆପଣ ଦିବ୍ୟପ୍ରଜ୍ଞା ଧାରଣ କରିଅଛନ୍ତି । ୨୩ । ସରସ୍ୱତୀ କହିଲେ, “ହେ ମାନବଶ୍ରେଷ୍ଠ ! ବିଦ୍ୱାନ ବିପ୍ର ! ଯଜ୍ଞରେ ଯେଉଁସବୁ ଲୌହମୟ, ଦାରୁମୟ ଓ ପାର୍ଥିବ ଦ୍ରବ୍ୟ ଉପଯୋଗ୍ୟ ହୁଏ ଓ ଋତ୍ୱିକମାନେ ଯେଉଁସବୁ ଶ୍ରେଷ୍ଠ ଦ୍ରବ୍ୟ ଉପପାଦିତ କରନ୍ତି, ତଦ୍ଦ୍ୱାରା ଆମ୍ଭେ ସଂବର୍ଦ୍ଧିତା ହୋଇ ଆପ୍ୟାୟିତା ଓ ରୂପବତୀ ହୋଇଅଛୁ । ତୁମ୍ଭେ ଯେ ଆମ୍ଭକୁ ପ୍ରଜ୍ଞାବତୀ କହିଲ ଓ ଆମ୍ଭର ଦିବ୍ୟରୂପକୁ ଦର୍ଶନ କଲ ତଦ୍ଦ୍ୱାରା ତୁମ୍ଭେ ଅବଶ୍ୟ ସିଦ୍ଧ ହୋଇଅଛ ବୋଲି ଜାଣ । ତାର୍କ୍ଷ୍ୟ କହିଲେ– ହେ ଦେବି ! ଧୀର ମୁନିମାନେ ସମ୍ୟକ୍ ବୁଦ୍ଧିରେ ଯାହାକୁ ପରମ ଆଶ୍ରୟ ବିବେଚନା କରି ଇନ୍ଦ୍ରିୟ ନିଗ୍ରହାଦି କରନ୍ତି ଓ ଶେଷରେ ଯାହାଙ୍କଠାରେ ପ୍ରବେଶ କରନ୍ତି, ଆପଣ ସେହି ଶୋକାତୀତ ପରମଶ୍ରେଷ୍ଠ ପଦାର୍ଥ ମୋକ୍ଷସ୍ୱରୂପ ଅଟନ୍ତି । ଜ୍ଞାନୀମାନେ ଯେଉଁ ସନାତନ ଉତ୍କୃଷ୍ଟ ପରମ ପଦାର୍ଥକୁ ଜାଣନ୍ତି, ଆମ୍ଭେ ତାହା ଜାଣୁ ନାହିଁ । ୨୬ । ସରସ୍ୱତୀ କହିଲେ, ସ୍ୱାଧ୍ୟାୟବନ୍ତ ବେଦବିତ୍ ବ୍ୟକ୍ତିମାନେ ତପୋରୂପ ଧନକୁ ସଞ୍ଚୟ କରନ୍ତି । ବ୍ରତାଚାର ଓ ପୁଣ୍ୟଯୋଗଦ୍ୱାରା ଯାହାକୁ ପ୍ରାପ୍ତ ହୋଇ ଶୋକଶୂନ୍ୟ ଓ ବିମୁକ୍ତ ହୁଅନ୍ତି, ସେହି ପରାତ୍ପର ପ୍ରସିଦ୍ଧ ପୁରାତନକୁ ପରମବ୍ରହ୍ମ ବୋଲାଯାଏ । ୨୭ । ସେହି ପରମବ୍ରହ୍ମଙ୍କ ମଧ୍ୟରେ ଯେଉଁ ଭୋଗସ୍ଥାନ ଅଛି, ସେ ଅନନ୍ତ ଶାଖାରେ ସଂଯୁକ୍ତ, ଶବ୍ଦାଦି ବିଷୟରୂପ ପୁଣ୍ୟଗନ୍ଧରେ ସଂଯୁକ୍ତ, ଅପରିଚ୍ଛିନ୍ନ ବ୍ରହ୍ମାଣ୍ଡ ରୂପ ବେତସବୃକ୍ଷସ୍ୱରୂପ ପ୍ରକାଶ ପାଉଅଛି । ତାହାର ଅବିଦ୍ୟାରୂପ ମୂଳରୁ ଭୋଗବାସନାମାନ ଅନେକ ନଦୀପ୍ରାୟ ହୋଇ ନିରନ୍ତର ସ୍ରବୁ ଅଛନ୍ତି । ସେହି ପୁଣ୍ୟଗନ୍ଧା ନଦୀସବୁ ପ୍ରଥମେ ରମଣୀୟ ହୁଅନ୍ତି । ମଧୁପ୍ରାୟ ମଧୁର ଓ ଉଦକପ୍ରାୟ ତୃପ୍ତିକର ହୋଇ ଭୋଗଜନିତ ସୁଖକୁ ପ୍ରସୂତ କରୁଅଛନ୍ତି । ଭର୍ଜିତ ଧାନ୍ୟରୁ ଯେପରି ଅଙ୍କୁର ନ ହୁଏ, ପିଷ୍ଟକରେ ଯେପରି ଅନେକ ଛିଦ୍ର ଥାଏ, ମାଂସ ଯେପରି ହିଂସାଦ୍ୱାରା ଲଭ୍ୟ ହୁଏ, ଶାକରେ ଯେପରି ଅଳ୍ପ ରସ ଥାଏ, ପାୟସ ଯେପରି ମୁଖକୁ ରୁଚିକର ହୁଏ କିନ୍ତୁ ଗୁରୁପାକ ଅଟେ, କର୍ଦ୍ଦମ ଯେପରି ଦେହକୁ ମଳିନ କରେ, ସେହିପରି ସେ ଚିତ୍ତକୁ ମଳିନ କରେ । ବାଲୁକା ଯେପରି ପରସ୍ପର ଅସଂଶ୍ଲିଷ୍ଟ, କେହି କାହାରି ଦେହକୁ ଯେପରି ନ ଲାଗେ, ସେହିପରି ପୁତ୍ରବିତ୍ତାଦି ବାସନାସ୍ୱରୂପ ମହାନଦୀମାନେ ବିବିଧ ବିଷୟଭୋଗର ସ୍ଥାନସ୍ୱରୂପ । ଉକ୍ତ ବେତସ ବୃକ୍ଷର ପ୍ରତ୍ୟେକ ଶାଖାରେ ପ୍ରବାହିତ ହୁଏ । ୨୯ । ଇନ୍ଦ୍ର, ଅଗ୍ନି ଓ ମରୁଦ୍‌ଗଣ ପ୍ରଭୃତି ଦେବଗଣ ଯାହାକୁ ପାଇବା ନିମିତ୍ତ ଉତ୍ତମୋତ୍ତମ ଯଜ୍ଞଦ୍ୱାରା ଯଜନ କରନ୍ତି, ସେହିପରି ବ୍ରହ୍ମ ଆମ୍ଭର ପ୍ରାପ୍ୟସ୍ଥାନ । ଆମ୍ଭେ ବିଦ୍ୟାରୂପା ସରସ୍ୱତୀ । ୩୦ ।

 

॥ ଅଧ୍ୟାୟ – ୧୮୭ ॥

 

ବୈଶମ୍ପାୟନ କହିଲେ, ତଦନନ୍ତର ପାଣ୍ଡୁନନ୍ଦନ ଯୁଧିଷ୍ଠିର ମାର୍କଣ୍ଡେୟଙ୍କୁ କହିଲେ, ଆପଣ ଏବେ ବୈବସ୍ୱତମନୁଙ୍କ ଚରିତ୍ର କୀର୍ତ୍ତନ କରନ୍ତୁ । ମାର୍କଣ୍ଡେୟ କହିଲେ– ହେ ମହାରାଜ ! ଆପଣ ନରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ବିବସ୍ୱାନଙ୍କର ପୁତ୍ର ମନୁ ନାମରେ ଜଣେ ମହର୍ଷି ଥିଲେ । ସେ ଅତିଶୟ ପ୍ରତାପଶାଳୀ ଓ ପ୍ରଜାପତିଙ୍କ ସମାନ ତେଜସ୍ୱୀ ଥିଲେ । ବଳ, ତେଜ, କାନ୍ତି, ଦୀପ୍ତି ଓ ତପସ୍ୟାଦ୍ୱାରା ଆପଣାର ପିତୃପିତାମହଙ୍କୁ ବିଶେଷରୂପେ ଅତିକ୍ରମ କରିଥିଲେ । ବିଶାଳ ବଦରିରେ ସେହି ନରପତି ଏକପଦରେ ସ୍ଥିତ ହୋଇ କଠୋର ତପସ୍ୟା ଆରମ୍ଭ କଲେ । ୪ । ସେ ମସ୍ତକକୁ ତଳକୁ କରି ନିମିଷ ନ ପକାଇ ଦଶ ସହସ୍ର ବର୍ଷ ତପସ୍ୟା କଲେ ।

 

ଏକଦା ଚୀରିଣୀ ନଦୀତଟରେ ଜଟାଧାରୀ ହୋଇ ଆର୍ଦ୍ର ବସ୍ତ୍ରରେ ସେ ତପସ୍ୟାରେ ରତ ଥିଲେ । ଏମନ୍ତ ସମୟରେ ଗୋଟିଏ ମତ୍ସ୍ୟ ସେଠାକୁ ଆସି ତାହାଙ୍କୁ କହିଲା । ୬ । ହେ ଭଗବନ ସୁବ୍ରତ ! ଆମ୍ଭେ କ୍ଷୁଦ୍ର ମତ୍ସ୍ୟ, ବୃହତ୍ ମତ୍ସ୍ୟମାନଙ୍କ ଠାରୁ ଆମ୍ଭର ଭୟ ହେଉଅଛି । ଅତଏବ ଆପଣ ଆମ୍ଭଙ୍କୁ ସେମାନଙ୍କ ଭୟରୁ ରକ୍ଷା କରନ୍ତୁ । ୭ । ବିଶେଷତଃ ଆମ୍ଭମାନଙ୍କର ଜାତିରେ ସର୍ବଦା ଏହିପରି ରୀତି ଅଛି ଯେ ବଳବାନ ମତ୍ସ୍ୟମାନେ ଦୁର୍ବଳ ମତ୍ସ୍ୟଙ୍କୁ ଆହାର କରନ୍ତି । ଅତଏବ ଆମ୍ଭେ ମହାଭୟାର୍ଣ୍ଣବରେ ମଗ୍ନ ହୋଇଅଛୁ । ଆପଣ ଆମ୍ଭଙ୍କୁ ତହିଁରୁ ଉଦ୍ଧାର କରନ୍ତୁ । ୯ ।

 

ମତ୍ସ୍ୟର ବଚନ ଶ୍ରବଣ କରି ବୈବସ୍ୱତ ମନୁ କୃପାଜଳରେ ଅଭିଷିକ୍ତ ହେଲେ । ସେହି ମତ୍ସ୍ୟକୁ ହସ୍ତଦ୍ୱାରା ସ୍ୱୟଂ ଗ୍ରହଣ କଲେ । ୧୦ । ତତ୍ପରେ ଚନ୍ଦ୍ରକିରଣ ତୁଲ୍ୟ ଶୁଭ୍ର ସେହି ମତ୍ସ୍ୟକୁ ଜଳରୁ ନେଇ ତୀରକୁ ଆଣି ଗୋଟିଏ ଜଳପାତ୍ରରେ ପ୍ରକ୍ଷେପ କଲେ । ୧୧ । ମନୁଙ୍କ ସ୍ନେହରେ ସତ୍କୃତ ହୋଇ ସେହି ମତ୍ସ୍ୟ ବର୍ଦ୍ଧିତ ହେଲା । ମନୁ ମଧ୍ୟ ତାହା ପ୍ରତି ପୁତ୍ର ବାତ୍ସଲ୍ୟ ପ୍ରକାଶ କଲେ । ୧୨ । ଅନନ୍ତର ଦୀର୍ଘକାଳରେ ସେହି ମତ୍ସ୍ୟ ଏଡ଼େ ବଡ଼ ହେଲା ଯେ(୧) ଅଳିଞ୍ଜରରେ ତାହାକୁ ସ୍ଥାନ ହେଲା ନାହିଁ । ୧୩ । ତତ୍ପରେ ସେହି ମତ୍ସ୍ୟମନୁଙ୍କୁ ଦେଖି ପୁନର୍ବାର କହିଲା, ହେ ଭଗବନ ! ଆପଣ ବର୍ତ୍ତମାନ ଆମ୍ଭ ନିମିତ୍ତ ଅନ୍ୟ କୌଣସି ସ୍ଥାନ ନିରୂପଣ କରନ୍ତୁ । ଶତ୍ରୁପରଜୟୀ ଭଗବାନ ମନୁ ସେହି ଅଳିଞ୍ଜରରୁ ମତ୍ସ୍ୟକୁ ଉଦ୍ଧୃତ କରି ଗୋଟିଏ ବୃହତ୍ ବାପୀ ନିକଟକୁ ଆଣି ତହିଁରେ ନିକ୍ଷେପ କଲେ । ୧୫ । ସେହି ମତ୍ସ୍ୟ ତହିଁରେ ବହୁ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହେଲା । ହେଁ ପଦ୍ମଲୋଚନ ! ସେହି ବାପୀର ଦୈର୍ଘ୍ୟ ଦୁଇ ଯୋଜନ ଓ ବିସ୍ତାର ଏକ ଯୋଜନ ଥିଲା; କିନ୍ତୁ ସେହି ମତ୍ସ୍ୟ ଏତାଦୃଶ ବର୍ଦ୍ଧିତ ହେଲା ଯେ ତହିଁରେ ଶରୀର ସଞ୍ଚାରଣ କରିପାରିଲା ନାହିଁ ।

 

[(୧) ଅଳିଞ୍ଜର–ଜଳପାତ୍ର]

 

ହେ କୁନ୍ତୀନନ୍ଦନ ! ତହିଁରେ ସେ ମନୁଙ୍କୁ ଦେଖି ପୁନର୍ବାର କହିଲା, “ହେ ତାତ ! ଆମ୍ଭଙ୍କୁ ଏଠାରୁ ନେଇଯାଇ ସମୁଦ୍ରର ପ୍ରିୟ ମହିଷୀ ଗଙ୍ଗାରେ ଛାଡ଼ନ୍ତୁ । ଆମ୍ଭେ ସେଠାରେ ବସତି କରିବୁ ନତୁବା ଆପଣ ଯାହା ବିବେଚନା କରନ୍ତି, କରନ୍ତୁ । ଆମ୍ଭେ ସନ୍ତୁଷ୍ଟ ଚିତ୍ତରେ ଆପଣଙ୍କ ଆଦେଶ ଅନୁସାରେ ବାସ କରିବୁ । ଆପଣଙ୍କ ହେତୁରୁ ମୋର କାୟ ଏଡ଼େ ବୃହତ୍ ହୋଇଅଛି । ୨୦ ।

 

ମତ୍ସ୍ୟ ଏହିପରି କହନ୍ତେ, ଭଗବାନ ପ୍ରଭୁ ମନୁ ଗଙ୍ଗାନଦୀରେ ସେହି ମତ୍ସ୍ୟକୁ ନେଇ ଛାଡ଼ିଲେ । ୨୧ । ହେ ଅରିନ୍ଦମ ! ସେହି ମତ୍ସ୍ୟ ଗଙ୍ଗାରେ କିଛିକାଳ ରହିବାରେ ପୁନଶ୍ଚ ତହିଁରେ ତାହାକୁ ସ୍ଥାନ ହେଲା ନାହିଁ । ତହୁଁ ସେ ମନୁଙ୍କୁ କହିଲା, । ୨୨ । “ହେ ପ୍ରଭୋ ! ଆମ୍ଭେ ବୃହତକାୟ ହେତୁରୁ ଗଙ୍ଗାରେ ସୁଦ୍ଧା ଶରୀର ଚାଳନା କରିପାରୁନାହୁଁ । ଅତଏବ ହେ ଭଗବନ ! ଆପଣ ଆମ୍ଭ ପ୍ରତି ପ୍ରସନ୍ନ ହୁଅନ୍ତୁ ଓ ଆମ୍ଭଙ୍କୁ ସମୁଦ୍ରକୁ ଘେନି ଯାଆନ୍ତୁ । ୨୩ । ତତ୍ପରେ ମନୁ ସ୍ୱୟଂ ତାହାକୁ ଗଙ୍ଗାଜଳରୁ ଉଦ୍ଧୃତ କରି ସମୁଦ୍ରକୁ ଆଣିଲେ ଓ ସେଠାରେ ପରିତ୍ୟାଗ କଲେ । ୨୪ । ଅତି ବୃହତ୍ ସେହି ମତ୍ସ୍ୟକୁ ବହନ କରି ନେବାରେ ତାହାଙ୍କୁ ଭାରବୋଧ ହେଲା ନାହିଁ । ପ୍ରକୃତରେ ବୈବସ୍ୱତ ମନୁ ଯେତେ ଭାର ବୋହିପାରିବେ, ସେହି ମତ୍ସ୍ୟ ତେତିକି ଭାରି ହେଲା । ତାହାର ଶରୀରଗନ୍ଧ ମଧ୍ୟ ସୁଖକର ହେଲା । ୨୫ । ଯେତେବେଳେ ମନୁ ସେହି ମତ୍ସ୍ୟକୁ ପ୍ରକ୍ଷେପ କଲେ, ତେତେବେଳେ ମତ୍ସ୍ୟ ଈଷତ୍ ହାସ୍ୟ କରି କହିଲା, । ୨୬ । ହେ ଭଗବନ ! ଆପଣ ଆମ୍ଭଙ୍କୁ ବିଶେଷରୂପେ ଓ ସର୍ବତୋଭାବେ ରକ୍ଷାକରିଅଛନ୍ତି । ଅତଏବ ଉପଯୁକ୍ତ ସମୟ ଉପସ୍ଥିତ ହେଲା । ଆପଣଙ୍କର ଯାହା କର୍ତ୍ତବ୍ୟ, ତାହା ଆମ୍ଭ ନିକଟରୁ ଶ୍ରବଣ କରନ୍ତୁ । ୨୭ । ହେ ଭଗବନ ! ହେ ମହାଭାଗ ! ସମ୍ପ୍ରତି ପୃଥିବୀପ୍ରଳୟର ସମୟ ଉପସ୍ଥିତ ହୋଇଅଛି । ଅବିଳମ୍ବେ ଏହି ପୃଥିବୀରେ ସ୍ଥାବର, ଜଙ୍ଗମ, ଯେତେ ପଦାର୍ଥ ଅଛନ୍ତି, ସମସ୍ତେ ପ୍ରଳୟପ୍ରାପ୍ତ ହେବେ । କି ସ୍ଥାବର, କି ଜଙ୍ଗମ, କି ଚେତନ, କି ଅଚେତନ ସମସ୍ତଙ୍କର ଭୟାବହ କାଳ ଉପସ୍ଥିତ ହୋଇଅଛି । ଅତଏବ ଆପଣଙ୍କର ଯାହା ବିଶେଷ ହିତକର, ତାହା ଅଦ୍ୟ ଆପଣଙ୍କୁ ଜଣାଉଅଛି । ୩୦ । ହେ ମହାମୁନେ ! ଆପଣ ଗୋଟିଏ ଦୃଢ଼ ନୌକା ନିର୍ମାଣ କରାଇ ତାହାକୁ ରଜ୍ଜୁରେ ବାନ୍ଧି ସପ୍ତଋଷିଙ୍କୁ ଘେନି ତହିଁରେ ଆରୋହଣ କରିବେ । ୩୧ । ପୂର୍ବେ ଦ୍ୱିଜମାନେ ଯେଉଁ ବୀଜ କଥା କହିଅଛନ୍ତି, ସେହି ସବୁ ବୀଜକୁ ସେ ନୌକାରେ ଉତ୍ତୋଳନ କରିନେବେ ଓ ପୃଥକ୍ ପୃଥକ୍ ବିଭାଗ କରି ସୁରକ୍ଷିତ କରିବେ । ଆପଣ ନୌକାରେ ରହି ଆମ୍ଭର ପ୍ରତୀକ୍ଷା କରିବେ । ହେ ମୁନିପ୍ରିୟତାପସ ! ତେତେବେଳେ ଆମ୍ଭେ ଶୃଙ୍ଗଧରି ଆସିବୁ । ଆମ୍ଭର ଶୃଙ୍ଗ ଦେଖିଲାକ୍ଷଣି ଆପଣ ଆମ୍ଭଙ୍କୁ ଚିହ୍ନିପାରିବେ । ୩୩ । ଆମ୍ଭେ ଯେପରି କହିଲୁ, ଆପଣ ସେହିପରି କରିବେ । କାରଣ ଆମ୍ଭ ସାହାଯ୍ୟ ବ୍ୟତିରେକେ ତାଦୃଶ ଜଳପ୍ଲାବନରୁ ଆପଣ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । ୩୫ । ଏବେ ଆମ୍ଭେ ଆପଣଙ୍କଠାରୁ ବିଦାୟ ନେଇ ଗମନ କରୁଅଛୁ । ହେ ବିଭୋ ! ଆମ୍ଭର ଏହି କଥାରେ ଆପଣ କୌଣସି ଆଶଙ୍କା କରିବେ ନାହିଁ ।

 

ବୈବସ୍ୱତ ମନୁ, ‘ହେଉ’ ବୋଲି କହି ମତ୍ସ୍ୟଠାରୁ ବିଦାୟ ଗ୍ରହଣ କଲେ । ତତ୍ପରେ ମନୁ ଓ ମତ୍ସ୍ୟ ଦୁହେଁ ଆପଣା ଆପଣାର ଅଭିଳଷିତ ସ୍ଥାନକୁ ଗମନ କଲେ । ହେ ମହାରାଜ ! ଅନନ୍ତର ଉଦକନିଧି ଉଜ୍ଜ୍ୱଳ ହେବାକୁ ଆରମ୍ଭ ହେଲା । ମତ୍ସ୍ୟ ଯେ ରୂପ କହିଥିଲେ ତଦନୁରୂପ ସର୍ବପ୍ରକାର ବୀଜକୁ ମନୁ ସଂଗ୍ରହ କରି ଗୋଟିଏ ଦୃଢ଼ ନୌକାରେ ସେହି ସବୁ ବୀଜ ରଖି ତହିଁରେ ଆରୋହଣ କଲେ । ମହାତରଙ୍ଗମାଳାରେ ସମୁଦ୍ର ମଧ୍ୟରେ ନୌକା ଭାସମାନ ହେଲା । ତହୁଁ ସେ ମତ୍ସ୍ୟକୁ ମନୁ ଚିନ୍ତା କଲେ, ହେ ଅରିନ୍ଦମ ! ତେତେବେଳେ ସେହି ମତ୍ସ୍ୟ ଶୃଙ୍ଗୀରୂପ ଧରି ତତ୍‌କ୍ଷଣାତ ସେଠାରେ ସମାଗତ ହେଲା । ହେ ଭରତନାଥ ! ମନୁ ସେହି ମହାଜଳାର୍ଣ୍ଣବରେ ମତ୍ସ୍ୟକୁ ଶୃଙ୍ଗୀ ରୂପରେ ଆସିବାରେ ଦେଖିଲେ । ପର୍ବତ ପ୍ରାୟ ତାହାର ଉଚ୍ଛ୍ରିକ ଦେଖି ତାହା ଶୃଙ୍ଗରେ ରଜ୍ଜୁଦ୍ୱାରା ନୌକାକୁ ବନ୍ଧନ କଲେ । ହେ ଅରିନ୍ଦମ ! ମତ୍ସ୍ୟ ସେହି ନୌକାକୁ ମହାବଳରେ ଲବଣ ଜଳରେ ଆକର୍ଷଣ କଲା । ହେ ମନୁଜେଶ୍ୱର ! ମତ୍ସ୍ୟ ସେହି ନୌକାଦ୍ୱାରା ମନୁଙ୍କୁ ସମୁଦ୍ର ପାରି କରାଇଲା । ୪୨ । ମହୋଦଧିର ଲହରୀ ଉପରେ ସେ ନୌକା ନୃତ୍ୟ କରି ଓ ଜଳ କଲ୍ଲୋଳରେ ଗର୍ଜନ କରି ମହାବାତଦ୍ୱାରା କ୍ଷୋଭମାନ ହେଲା । ୪୩ । ହେ ଶତ୍ରୁ ପରାଜୟୀ ! ପ୍ରମତ୍ତା ନାରୀପ୍ରାୟ ସେହି ନୌକା ଏପରି ଘୂର୍ଣ୍ଣିତ ହେଲା ଯେ ଭୂମି, ଦିଗ୍‌ବିଦିଗମାନେ କିଛି ଦିଶିଲେ ନାହିଁ । ୪୪ ।

 

ହେ ନରଶ୍ରେଷ୍ଠ ! ଆକାଶ, ସ୍ୱର୍ଗ ସବୁ ଜଳମୟ ବୋଧ ହେଲା । ହେ ଭରତର୍ଷଭ ! ଲୋକମାନେ ଏହିପରି ସଙ୍କୁଳିତ ହୁଅନ୍ତେ ସପ୍ତଋଷି ମନୁ ଓ ମତ୍ସ୍ୟ ବ୍ୟତିରେକେ ଆଉ କିଛିମାତ୍ର ଦୃଶ୍ୟ ହେଲା ନାହିଁ । ବହୁ ବର୍ଷ ଏହି ପ୍ରକାରେ ମତ୍ସ୍ୟ ସେହି ନାବକୁ ନିରନ୍ତର ଆକର୍ଷଣ କରି, ହେ ରାଜନ୍‌ ! ହିମବାନ୍ ପର୍ବତ ଶୃଙ୍ଗରେ ସଂଲଗ୍ନ ହେଲା । ହେ କୁରୁନନ୍ଦନ ! ପରିଶେଷରେ ତଦନନ୍ତର ସେହି ମତ୍ସ୍ୟ ଈଷତ୍ ହାସ୍ୟକରି ଋଷିମାନଙ୍କୁ କହିଲା, । ୪୮ । ଏହି ହିମବାନ୍ ପର୍ବତର ଶୃଙ୍ଗରେ ଶୀଘ୍ର ଏହି ନୌକାକୁ ବନ୍ଧନ କର । ହେ ଭରତର୍ଷଭ ! ସେହି ନୌକା ସେମାନଙ୍କଦ୍ୱାରା ଶୀଘ୍ର ବଦ୍ଧ ହେଲା । ମତ୍ସ୍ୟର ବଚନାନୁସାରେ ହିମବାନ୍ ଗିରିଶୃଙ୍ଗରେ ସେହି ନୌକା ଯେଉଁଠାରେ ବଦ୍ଧ ହୋଇଥିଲା, ସେହି ସ୍ଥାନ ଅଦ୍ୟାପି ନୌବନ୍ଧନ ନାମରେ ବିଖ୍ୟାତ ଅଛି । ତଦନନ୍ତର ସେହି ଋଷିମାନଙ୍କୁ (୧) ଅନିମିଷ କହିଲା । ୫୧ । ଆମ୍ଭେ ପ୍ରଜାପତି ବ୍ରହ୍ମା, ଆମ୍ଭ ବ୍ୟତିରେକେ ଆଉ କିଛି ଜାଣିବାର ପଦାର୍ଥ ନାହିଁ । ଆମ୍ଭେ ମତ୍ସ୍ୟରୂପକୁ ଧରି ମହାର୍ଣ୍ଣବରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ । ୫୨ । ସୁରାସୁର ମନୁଷ୍ୟ ପ୍ରଭୃତି ସର୍ବପ୍ରକାର ପ୍ରଜାଙ୍କୁ, କି ଜଡ଼, କି ଚେତନ ସମସ୍ତଙ୍କୁ, ମନୁ ସୃଷ୍ଟି କରିବେ-। ଏହାଙ୍କର କଠୋର ତପସ୍ୟା ବଳରେ ପ୍ରଜାସୃଷ୍ଟି ବିଷୟରେ ଏହାଙ୍କର କ୍ଷମତା ଜାତ ହେବ ଓ ଆମ୍ଭ ପ୍ରସାଦରୁ ସେ ତଦ୍ ବିଷୟରେ ମୋହପ୍ରାପ୍ତ ହେବେ ନାହିଁ ।

 

[(୧) ଅନିମିଷ–ମତ୍ସ୍ୟ ।]

 

ମହାରାଜ ! ମତ୍ସ୍ୟ ଏହି କଥା କହି ତତ୍‌କ୍ଷଣାତ ଅଦୃଶ୍ୟ ହେଲା । ତଦନନ୍ତର ବୈବସ୍ୱତ ମନୁ ସ୍ୱୟଂ ପ୍ରଜାସୃଷ୍ଟି କରିବାକୁ କାମନା କଲେ । ୫୫ । କିନ୍ତୁ ସେ କିପରି ସୃଷ୍ଟି କରିବେ, ତାହା ତାହାଙ୍କୁ ଦୃଶ୍ୟ ହେଲା ନାହିଁ । ଏଥି ନିମନ୍ତେ ସେ ପୁନଶ୍ଚ ମହତ ତପସ୍ୟା ଆରମ୍ଭ କଲେ । ହେ ଭରତର୍ଷଭ ! ମହାତପସ୍ୟା କରି ସେ ସମୁଦାୟ ପ୍ରଜା ସୃଷ୍ଟି କରିବାକୁ ପ୍ରବୃତ୍ତ ହେଲେ । ହେ ରାଜନ୍‌-! ମତ୍ସ୍ୟପୁରାଣରେ ଏହି ଉପାଖ୍ୟାନ କଥିତ ହୋଇଅଛି । ଆମ୍ଭେ ଏହି ପାପ ବିନାଶକାରୀ ଉପାଖ୍ୟାନ ତୁମ୍ଭ ନିକଟରେ କୀର୍ତ୍ତନ କଲୁ । ଯେଉଁ ମନୁଷ୍ୟ ଏହି ମନୁଙ୍କ ଚରିତ୍ରକୁ ନିତ୍ୟ ଅଦ୍ୟୋପାନ୍ତ ଶ୍ରବଣ କରିବେ, ତାହାଙ୍କର ମନୋରଥ ପୂର୍ଣ୍ଣ ହେବ ଓ ସେ ସୁଖୀ ହୋଇ ସ୍ୱର୍ଗକୁ ଗମନ କରିବେ ।

 

॥ ଅଧ୍ୟାୟ – ୧୮୮ ॥

 

ବୈଶମ୍ପାୟନ କହିଲେ– ତଦନନ୍ତର ଯଶସ୍ୱୀ ମାର୍କଣ୍ଡେୟ ଋଷିଙ୍କୁ ଧର୍ମରାଜ ଯୁଧିଷ୍ଠିର ବିନୟାବନତ ହୋଇ ପୁନର୍ବାର ପ୍ରଶ୍ନ କଲେ । ହେ ମହାମୁନେ ! ଆପଣ ଅନେକ ସହସ୍ର ଯୁଗ ଦେଖିଅଛନ୍ତି । ହେ ଆୟୁଷ୍ମନ୍‌ ! ଆପଣଙ୍କ ସମାନ ସୁଦୀର୍ଘଜୀବୀ ଆଉ କେହି ଇହଲୋକରେ ଦେଖାଯାନ୍ତି ନାହିଁ । ୨ । ପରମେଷ୍ଠି ମହାତ୍ମା ବ୍ରହ୍ମାଙ୍କ ବ୍ୟତିରେକେ ହେ ବ୍ରହ୍ମଜ୍ଞଶ୍ରେଷ୍ଠ ! ଆଉ କେହି ପରମାୟୁରେ ଆପଣଙ୍କ ସମାନ ନାହାନ୍ତି । ୩ । ହେ ବ୍ରହ୍ମଜ୍ଞଶ୍ରେଷ୍ଠ ! ପ୍ରଳୟ କାଳରେ ଯେତେବେଳେ ଏହି ଲୋକମାନେ ଓ ଆକାଶାଦି ପ୍ରାଣୀଶୂନ୍ୟ ହେଲେ, ଦେବଦାନବାଦିମାନେ ବିନଷ୍ଟ ହେଲେ, ତେତେବେଳେ ଆପଣ ଏକାକୀ ବ୍ରହ୍ମାଙ୍କୁ ଉପାସନା କରିଥାନ୍ତି । ୪ । ପ୍ରଳୟ ଯେତେବେଳେ ନିବୃତ୍ତ ହେଲା, ଯେତେବେଳେ ପିତାମହ ବ୍ରହ୍ମା ଜାଗ୍ରତ ହେଲେ ଓ ଦିଗମାନଙ୍କୁ ବାୟୁରେ ପରିବର୍ତ୍ତନ କରି, ବାୟୁ ସ୍ଥାନରେ ଜଳ ସୃଷ୍ଟି କଲେ ଓ ତହିଁରେ ବିକ୍ଷେପ ଶକ୍ତିଦ୍ୱାରା ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଓ ଉଦ୍ଭିଜ୍ଜ ଏହି ଚତୁର୍ବିଧ ଜୀବମାନଙ୍କୁ ସୃଷ୍ଟି କଲେ । ୫ । ତେତେବେଳେ ଆପଣ ସେହି ପ୍ରାଣୀମାନଙ୍କୁ ସୃଷ୍ଟହେବା ସ୍ୱଚକ୍ଷୁରେ ଦେଖିଥିଲେ ।

 

ହେ ଦ୍ୱିଜଶ୍ରେଷ୍ଠ ! ଆପଣ ସମାଧିଦ୍ୱାରା ତତ୍କାଳରେ ଏକନିଷ୍ଠ ହୋଇ ସର୍ବଲୋକ ପିତାମହ ଓ ଲୋକଗୁରୁ ବ୍ରହ୍ମାଙ୍କୁ ସାକ୍ଷାତ୍‍ ଆରାଧନା କରିଥିଲେ । ଆପଣ ଅନେକ ଥର ସୃଷ୍ଟି ପ୍ରଭୃତି କାର୍ଯ୍ୟମାନଙ୍କୁ ପ୍ରତ୍ୟକ୍ଷ ଓ କଠୋର ତପସ୍ୟାରେ ମଗ୍ନହୋଇ ମରିଚୀ ପ୍ରଭୃତି ପ୍ରଜାପତିମାନଙ୍କୁ ନିର୍ଜିତ କରିଥିଲେ । ଲୋକମାନେ ଆପଣଙ୍କୁ ନାରାୟଣଙ୍କ ସମୀପରେ ଥା’ନ୍ତି ବୋଲି ସ୍ତବ କରୁଥିଲେ । ଆପଣ ପୂର୍ବକାଳରେ କାମରୂପୀ, ବିଶ୍ୱବ୍ୟାପୀ, ବ୍ରହ୍ମଙ୍କୁ ଉପଲବ୍ଧ ସ୍ଥାନ ଦିବ୍ୟ ହୃଦୟପଦ୍ମକୁ ଫିଟାଇ ଯେଉଁ ସ୍ଥାନରେ ସେହି ଆଦିଦେବଙ୍କର ଉପଲବ୍ଧି ହୁଏ, ସେହି ସ୍ଥାନରେ ତାହାଙ୍କୁ ଯୋଗଚକ୍ଷୁଦ୍ୱାରା ଜାଣିବା ହୋଇଥିଲେ । ହେ ବିପ୍ରର୍ଷେ ! ସେହି ହେତୁରୁ ବ୍ରହ୍ମାଙ୍କ ପ୍ରସାଦରୁ ସର୍ବବିନାଶକାରୀ ମୃତ୍ୟୁ କି ଦେହବିନାଶିନୀ ଜରା କେହି ଆପଣଙ୍କୁ ବିନଷ୍ଟ କରିପାରି ନାହାନ୍ତି । ୧୧ । ସୂର୍ଯ୍ୟ, ଚନ୍ଦ୍ର, ଅନଳ, ଅନିଳ, ସ୍ୱର୍ଗଲୋକ ଓ ଭୂଲୋକ କେହି ଯେତେବେଳେ ନ ଥିଲେ–ଦେବ, ଅସୁର ଓ ଉରଗମାନେ କେହି ନଥିଲେ, ସ୍ଥାବର ଓ ଜଙ୍ଗମାତ୍ମକ ସମସ୍ତ ପ୍ରାଣୀ ବିନଷ୍ଟ ହେଲେ, ସେହି ଏକାର୍ଣ୍ଣବ କାଳରେ ଏକମାତ୍ର ଆପଣ ବ୍ରହ୍ମାଙ୍କୁ ଉପାସନା କରୁଥିଲେ । ଯେଉଁ ବ୍ରହ୍ମା ସବୁ ପ୍ରାଣୀଙ୍କର ଈଶ୍ୱର, ଯାହାଙ୍କର ଅନ୍ତଃକରଣର କଳନା କରି ହୁଏ ନାହିଁ ଓ ପଦ୍ମ ମଧ୍ୟରେ ଯାହାଙ୍କର ନିକେତନ, ସେହି ବ୍ରହ୍ମାଙ୍କୁ ଆପଣ ଉପାସନା କରିଥିଲେ । ୧୪ । ହେ ଦ୍ୱିଜସତ୍ତମ ! ଆପଣ ଏହିସବୁ ପୂର୍ବ ବୃତ୍ତାନ୍ତକୁ ସ୍ୱଚକ୍ଷୁରେ ଦେଖିଅଛନ୍ତି । ଏକାକୀ ଆପଣ ବହୁପ୍ରକାର କାର୍ଯ୍ୟ ଅନୁଭବ କରିଅଛନ୍ତି । ଜଗତର କୌଣସି କାଳରେ ସୁଦ୍ଧା ଆପଣଙ୍କୁ କିଛିମାତ୍ର ଅବିଦିତ ନାହିଁ । ସେହି ହେତୁରୁ ଆପଣଙ୍କ ନିକଟରୁ ଏହିସବୁ ପୁରାଣକଥା ଶ୍ରବଣ କରିବାକୁ ବାସନା କରିଅଛୁ । ୧୬ ।

 

ମାର୍କଣ୍ଡେୟ ହୃଷ୍ଟ ହୋଇ କହିଲେ, ହେ ରାଜନ୍‌ ! ସ୍ୱୟମ୍ଭୁ, ପୁରାତନ, ନିତ୍ୟ, ଅବ୍ୟୟ, ଅବ୍ୟକ୍ତ, ଅତିସୂକ୍ଷ୍ମ, ନିର୍ଗୁଣ ଓ ଗୁଣାତ୍ମକ ପୁରୁଷଙ୍କୁ ପ୍ରଣାମ କରି ତୁମ୍ଭର ଅଭିପ୍ରେତ ବିଷୟ କହିବାକୁ ପ୍ରବୃତ୍ତ ହେଉଅଛୁ । ସାବଧାନ ହୁଅ । ହେ ପୁରୁଷେନ୍ଦ୍ର ! ପୀତାମ୍ବର ପରିଧାୟୀ ଜନାର୍ଦ୍ଦନଙ୍କୁ ସେହି ପୁରୁଷ ବୋଲି ଜାଣିବ । ୧୮ । ଏହି ସେ ସ୍ରଷ୍ଟା, ବିବିଧ ରୂପ ପ୍ରାଣୀଗଣଙ୍କ ଆତ୍ମା ଓ ପ୍ରଭୁ ଅଟନ୍ତି । ଏହି ଅଚିନ୍ତ୍ୟ, ମହତ୍‌, ଆଶ୍ଚର୍ଯ୍ୟମୟ, ଅନାଦିନିଧନ, ବିଶ୍ୱରୂପାତ୍ମକ, ଅବ୍ୟୟ ଓ ଅକ୍ଷୟ ପୁରୁଷଙ୍କୁ ପବିତ୍ର ପ୍ରାଣୀ ବୋଲି ବର୍ଣ୍ଣନା କରନ୍ତି । ଏହି ସେ ସମସ୍ତଙ୍କର ଉତ୍ପାଦକ । ଏହାଙ୍କୁ କେହି ଉତ୍ପନ୍ନ କରିନାହାନ୍ତି । ସର୍ବଲୋକର ପୌରୁଷ ପ୍ରତି ଏ କାରଣ ଅଟନ୍ତି ଓ ଏ ପୁରୁଷ ଯାହା ଜାଣନ୍ତି, ସମସ୍ତ ଦେବତା ସୁଦ୍ଧା ତାହା ଜାଣନ୍ତି ନାହିଁ । ୨୧ । ହେ ମନୁଜନାଥ ରାଜେନ୍ଦ୍ର ! ନିଖିଳ ଜଗତ୍ କ୍ଷୟ ହେଲେ ଆଦିକାରଣ ପରମାତ୍ମାଙ୍କଠାରୁ ପୁନର୍ବାର ଏହି ସମୁଦାୟ ଜଗତ୍ କେଳାକୁହୁକ ପରି ଜନ୍ମ ହୁଅନ୍ତି । ଦୈବ ପରିମାଣରେ ଚାରି ସହସ୍ର ବର୍ଷରେ ସତ୍ୟଯୁଗ ହୁଏ । ୨୨ । ଯୁଗସନ୍ଧି ଚାରିଶତ ବତ୍ସର ଓ ସନ୍ଧ୍ୟାର ଅଂଶ ମଧ୍ୟ ଚାରିଶତ ବତ୍ସର । ତହିଁପରେ ତ୍ରେତାଯୁଗ ତିନି ସହସ୍ର ବତ୍ସର ବୋଲି କଥିତ ହୋଇଅଛି । ୨୩ । ତାହାର ଯୁଗସନ୍ଧି ତିନିଶତ ବତ୍ସର ଓ ସନ୍ଧ୍ୟାର ଅଂଶ ମଧ୍ୟ ତିନିଶତ ବତ୍ସର । ତତ୍ପରେ ଦ୍ୱାପରଯୁଗ ଦୁଇଶତ ଦୁଇ ସହସ୍ର ବତ୍ସର । ୨୪ । ଦ୍ୱାପରଯୁଗ ସନ୍ଧି ଦୁଇଶତ ବତ୍ସର ଓ ତାହାର ସନ୍ଧ୍ୟାଂଶ ଦୁଇଶତ ବତ୍ସର । ଏହିପରି ପରିମାଣ ନିର୍ଦ୍ଦିଷ୍ଟ ଅଛି । ଏହାପରେ କଳିଯୁଗ ଏକସହସ୍ର ବତ୍ସର ପରିମିତ ବୋଲି ଶାସ୍ତ୍ରରେ କଥିତ ହୋଇଅଛି । ଏହାର ଯୁଗସନ୍ଧି ଏକଶତ ବତ୍ସର ଓ ସନ୍ଧ୍ୟାଂଶ ମଧ୍ୟ ଏକଶତ ବତ୍ସର ଅଟେ । ହେ ରାଜନ୍‌ ! ସନ୍ଧି ଓ ସନ୍ଧ୍ୟାଂଶ ମଧ୍ୟ ଏକଶତ ବତ୍ସର ଅଟେ । ହେ ରାଜନ୍‌ ! ସନ୍ଧି ଓ ସନ୍ଧ୍ୟାଂଶ ଦୁହିଁଙ୍କୁ ପରିମାଣ ମଧ୍ୟରେ ଗଣନା କରିବ-। ୨୬ । କଳିଯୁଗ କ୍ଷୟ ହେଲେ ପୁନର୍ବାର କୃତଯୁଗ ପ୍ରବୃତ୍ତ ହୁଏ । ଏହି ଦ୍ୱାଦଶସହସ୍ର ବର୍ଷ ଅର୍ଥାତ୍ ସମୁଦାୟ ଚାରିଯୁଗର ପରିମାଣ କାଳରେ ଯେଉଁ ଗୋଟିଏ ଯୁଗ ହେଲା, ତାହାର ସହସ୍ର ଯୁଗରେ ପଦ୍ମଯୋନି ବ୍ରହ୍ମାଙ୍କର ଏକ ଦିନହୁଏ । ବ୍ରହ୍ମସ୍ୱରୂପ ଗୃହରେ ଏହି ବିଶ୍ୱ ସର୍ବତୋଭାବରେ ପରିବର୍ତ୍ତିତ ହୁଏ ।

 

ହେ ମନୁଜଶ୍ରେଷ୍ଠ ! ପଣ୍ଡିତମାନେ ତାହାକୁ ସମସ୍ତ ଲୋକର ପ୍ରଳୟ ବୋଲି ଜାଣନ୍ତି । ହେ ଭରତର୍ଷଭ ! ପୂର୍ବୋକ୍ତ ପରିମିତ ସହସ୍ର ବର୍ଷର ଶେଷଭାଗ ଅର୍ଥାତ୍ ଯୁଗାନ୍ତକାଳ ଆଗତ ହୁଏ । ଯେତେବେଳେ ତାହାର ଅତ୍ୟଳ୍ପ ଅବଶିଷ୍ଟ ଥାଏ, ତେତେବେଳେ ସବୁ ମନୁଷ୍ୟ ପ୍ରାୟ ଅସତ୍ୟବାଦୀ ହୁଅନ୍ତି । ହେ ପାର୍ଥ ! ସେହି କାଳରେ ଯଜ୍ଞର ପ୍ରତିନିଧି, ଦାନର ପ୍ରତିନିଧି, ବ୍ରତର ପ୍ରତିନିଧିମାନେ ପ୍ରବର୍ତ୍ତିତ ହୁଅନ୍ତି । ୩୦ । ବ୍ରାହ୍ମଣମାନେ ଶୂଦ୍ରପ୍ରାୟ ଆଚରଣ କରନ୍ତି । ଶୂଦ୍ରମାନେ ଧନ ଉପାର୍ଜ୍ଜନ କରନ୍ତି; ଅଥଚ କ୍ଷତ୍ରିୟ ଧର୍ମର କାର୍ଯ୍ୟ କରନ୍ତି । ସେହି ଯୁଗ ଶେଷରେ ଅର୍ଥାତ୍ କଳିଯୁଗରେ ବ୍ରାହ୍ମଣମାନେ ଯଜ୍ଞ ଓ ସ୍ୱାଧ୍ୟାୟରୁ ନିବୃତ୍ତ ହୁଅନ୍ତି । ଦଣ୍ଡ କି ଅଜୀନ ଧାରଣ କରନ୍ତି ନାହିଁ; ସର୍ବଭକ୍ଷ ହୋଇ ବାସ କରନ୍ତି । ହେ ବତ୍ସ ! ଏହି କାଳରେ ବ୍ରାହ୍ମଣମାନେ ଜପହୀନ ଓ ଶୂଦ୍ରମାନେ ଜପପରାୟଣ ହୁଅନ୍ତି । ୩୩ । ହେ ମନୁଜନାଥ ! ଯେତେବେଳେ ଲୋକରେ ଏହିସବୁ ବିପରୀତ କାର୍ଯ୍ୟ ଦ୍ରୃଷ୍ଟ ହୁଏ, ତେତେବେଳେ ସେ କାଳକୁ ପଣ୍ଡିତମାନେ ଲୋକକ୍ଷୟର କାରଣ ବୋଲି ଜାଣନ୍ତି-। ଅପିଚ ଏହି କାଳରେ ପୃଥିବୀର ବହୁସଂଖ୍ୟକ ମ୍ଳେଚ୍ଛ ରାଜା ହୁଅନ୍ତି । ୩୪ । ସେମାନେ ପାପାଶୟ ଓ ମୃଷାପରାୟଣ ହୋଇ ମିଥ୍ୟାନୁଶାସନ କରନ୍ତି । ଆନ୍ଧ୍ର, ଶକ, ପୁଳିନ୍ଦ, ଯବନ, କାମ୍ବୋଜ, ବାହ୍ଲିକ ଓ ଆଭୀର ଜାତିମାନେ ବୀର ଓ ନରାଧିପତି ହୁଅନ୍ତି । ତତ୍କାଳରେ କୌଣସି ବ୍ରାହ୍ମଣ ସ୍ୱଧର୍ମରେ ଜୀବିକାନିର୍ବାହ କରେ ନାହିଁ । ୩୬ ।

 

ହେ ନରପାଳ ! ଏହି ସମୟରେ କ୍ଷତ୍ରିୟ ଓ ବୈଶ୍ୟମାନେ ସ୍ୱ ସ୍ୱ ଧର୍ମର ବିପରୀତ କାର୍ଯ୍ୟ କରନ୍ତି । ଏହି ନିଦାରୁଣ କାଳରେ ମନୁଷ୍ୟମାନେ ଅଳ୍ପାୟୁ, ଅଳ୍ପବଳ ଓ ଅଳ୍ପପରାକ୍ରମ, ଅଳ୍ପସାର ଓ ଅଳ୍ପଦେହ ଓ ଅତ୍ୟଳ୍ପ ସତ୍ୟଭାଷୀ ହୁଅନ୍ତି । ୩୮ । ଜନପଦମାନ ଜନଶୂନ୍ୟ ହୁଅନ୍ତି ଅର୍ଥାତ୍ ଯେଉଁ ସ୍ଥାନରେ ଅନେକ ପ୍ରାଣୀ ବାସ କରୁଥିଲେ ସେଠାରେ ଦୁଇ ଚାରିଜଣ ମାତ୍ର ଅବଶିଷ୍ଟ ଥା’ନ୍ତି । ଦିଗମାନ ପଶୁ ଓ ସର୍ପାଦିଦ୍ୱାରା ପରିପୂର୍ଣ୍ଣ ଓ ମନୁଷ୍ୟମାନେ ବୃଥା ବ୍ରହ୍ମଚାରୀ ହୁଅନ୍ତି । ଏହି ଯୁଗାନ୍ତକାଳରେ ଶୂଦ୍ରମାନେ ବ୍ରାହ୍ମଣଙ୍କୁ ‘ହେ ଆପଣ’ ବୋଲି ଡାକନ୍ତି ଓ ବ୍ରାହ୍ମଣମାନେ ଶୂଦ୍ରଙ୍କୁ ଆର୍ଯ୍ୟ ବୋଲି ସମ୍ଭାଷଣ କରନ୍ତି । ୩୯ । ହେ ମନୁଜେନ୍ଦ୍ର ! ଯୁଗାନ୍ତକାଳ ଆସିଲେ ବହୁ ଜନ୍ତୁ ଉତ୍ପନ୍ନ ହୁଅନ୍ତି । ସୁଗନ୍ଧ ଦ୍ରବ୍ୟ ପୂର୍ବପ୍ରାୟ ସୁବାସିତ ହୁଏ ନାହିଁ ଓ ରସ ଆଗପରି ସ୍ୱାଦୁ ଲାଗେ ନାହିଁ । ହେ ରାଜନ୍‌ ! ଯୁଗକ୍ଷୟ କାଳରେ ସ୍ତ୍ରୀଲୋକେ ଅସତୀ ହୋଇ ସଦାଚାରକୁ ତ୍ୟାଗ କରନ୍ତି । ସେମାନଙ୍କର ବହୁ ସନ୍ତାନ ହୁଏ ଓ ଦେହ ତାହାଙ୍କର ହ୍ରସ୍ୱ ହୁଏ । ରତିକ୍ରିୟାରେ ସେମାନେ ଅତ୍ୟନ୍ତ ଆର୍ତ୍ତା ହୋଇ ଅଗ୍ରେ ମୁଖଦ୍ୱାରା ପଶ୍ଚାତ୍ ସ୍ତ୍ରୀ ଚିହ୍ନଦ୍ୱାରା ରତିକାର୍ଯ୍ୟ ନିର୍ବାହ କରନ୍ତି । ଅନ୍ନକଷ୍ଟରେ ଜନପଦବାସୀ ଆର୍ତ୍ତ ହୋଇ ଚତୁଷ୍ପଥକୁ ଲମ୍ପଟ ଓ ବେଶ୍ୟାଦ୍ୱାରା ପରିବ୍ୟାପ୍ତ କରନ୍ତି । ପତ୍ନୀମାନେ ଲଜ୍ଜାଶୂନ୍ୟା ଓ ଭର୍ତ୍ତୃବିରୋଧିନୀ ହୁଅନ୍ତି । ୪୨ । ଗୋଜାତି ଅଳ୍ପ ଦୁଧ ଦିଅନ୍ତି । ବୃକ୍ଷସବୁ ଅଳ୍ପଫଳୀ ହୁଅନ୍ତି ଓ ବାୟସଙ୍କ ବସାରେ ପୂର୍ଣ୍ଣ ହୋଇଥା’ନ୍ତି । ୪୩ । ହେ ପୃଥିବୀପତେ ! ବ୍ରହ୍ମ ହତ୍ୟା ପାପରେ ଲିପ୍ତ ଓ ମିଥ୍ୟାଭାଷୀ ରାଜାମାନଙ୍କ ଠାରୁ ବ୍ରାହ୍ମଣମାନେ ପ୍ରତିଗ୍ରହ କରନ୍ତି; ଅଥଚ ଲୋଭ ଓ ମୋହରେ ଯୁକ୍ତ ହୋଇ ଭିକ୍ଷାନିମିତ୍ତ ବୃଥା ଧର୍ମଚିହ୍ନ ଧାରଣ କରନ୍ତି ଓ ପୁନଃ ପୁନଃ ଚୌର୍ଯ୍ୟ କର୍ମରେ ପ୍ରବୃତ୍ତ ହୁଅନ୍ତି । ୪୫ । ଗୃହସ୍ଥମାନେ କରଭାରରେ ଭୀତ ଓ ପୀଡ଼ିତ ହୋଇ ତାହାକୁ ସୁଝିବା ନିମିତ୍ତ ଠକପଣରେ ଅର୍ଥ ସଂଗ୍ରହ କରନ୍ତି । ଦ୍ୱିଜମାନେ ଛଦ୍ମ ମୁନି-ବେଶଧାରୀ ବାଣିଜ୍ୟଜୀବୀ, ବୃଥା ନଖଲୋମଧାରୀ ଓ ଅର୍ଥଲୋଭରେ ବୃଥା ବ୍ରହ୍ମଚାରୀ ହୁଅନ୍ତି । ମନୁଷ୍ୟମାନେ ବୃଥାଚାରୀ, ମଦ୍ୟପାୟୀ, ଗୁରୁତଳ୍ପଗାମୀ ଓ ବୃଥାଶ୍ରମକାରୀ ହୋଇଥା’ନ୍ତି । ଶରୀରର ପୁଷ୍ଟି ନିମିତ୍ତ ଶୋଣିତବର୍ଦ୍ଧନ ନିମିତ୍ତ ବୃଥା ମାଂସଭୋଜନ କରନ୍ତି ଓ ଇହଲୋକ ସମ୍ବନ୍ଧୀୟ କାର୍ଯ୍ୟର ଉନ୍ନତି ଚେଷ୍ଟା କରନ୍ତି । ୪୮ । ହେ ମନୁଜେନ୍ଦ୍ର ! ବହୁସଂଖ୍ୟକ ପାଷଣ୍ଡଜନଙ୍କଦ୍ୱାରା ଆଶ୍ରମଗୁଡ଼ିକ ପରିବୃତ୍ତ ହୁଏ । ସେଗୁଡ଼ିକ ପରାନ୍ନଗୁଣବାଦରେ ନିଯୁକ୍ତ ଥାନ୍ତି । ଏହି ସମୟରେ ସ୍ୱର୍ଗରାଜ ଇନ୍ଦ୍ର ନିୟମିତ ବର୍ଷଣ କରନ୍ତି ନାହିଁ । ହେ, ଭାରତ ! ବୀଜମାନେ ସମ୍ୟକ୍ରୂପେ ଅଙ୍କୁରିତ ହୁଅନ୍ତି ନାହିଁ । ମନୁଷ୍ୟମାନେ ହିଂସାରତ ଓ ଅପବିତ୍ର ହୁଅନ୍ତି ।

 

ହେ ନିଷ୍ପାପ ମହୀପାଳ ! ଏହି ଦୁଷ୍କର ସମୟରେ ଅଧର୍ମର ଫଳ ଅଧିକ ହୁଏ । ଧର୍ମ ଆଦୌ ନ ଥାଏ । ୫୧ । ହେ ପାର୍ଥିବ ! ଏହି ସମୟରେ ଯେଉଁ ବ୍ୟକ୍ତି ଧାର୍ମିକ ହୁଏ, ସେ ଅଳ୍ପାୟୁ ହୋଇ ମରେ । ସୁତରାଂ କୌଣସି ଧର୍ମ ନଥାଏ । ୫୨ । ବଣିକମାନେ ମାୟାବୀ ହୋଇ (୨) କୂଟମାନଦ୍ୱାରା ପଣ୍ୟଦ୍ରବ୍ୟ ବିକ୍ରୟ କରନ୍ତି । ଏହିରୂପେ ଧାର୍ମିକର କ୍ଷୟ ଓ ପାପୀର ବୃଦ୍ଧି ହୁଏ । ଧର୍ମର ବଳ ହାନି ଓ ଅଧର୍ମର ବଳ ବୃଦ୍ଧି ହୁଏ । ୫୪ । ହେ ଯୁଧିଷ୍ଠିର ! ଯୁଗକ୍ଷୟକାଳରେ ଧାର୍ମିକ ମାନବମାନେ ଅଳ୍ପାୟୁ ହୁଅନ୍ତି ଓ ସେମାନଙ୍କର ଐଶ୍ୱର୍ଯ୍ୟ ବଢ଼େ । ୫୫ । ପ୍ରଜାମାନେ ନଗରର ବିହାରସ୍ଥାନରେ ଅଧାର୍ମିକ ହୋଇ ଅଧର୍ମ କାର୍ଯ୍ୟ କରନ୍ତି । ଅତ୍ୟଳ୍ପ ଧନ ସଞ୍ଚୟରେ ଆପଣାକୁ ଧନାଢ଼୍ୟ ବୋଲି ମନେ କରି ମତ୍ତ ହୁଅନ୍ତି । ହେ ରାଜନ୍‌ ! ଅଧିକାଂଶ ମନୁଷ୍ୟ ପରର ଗୁପ୍ତଧନକୁ ଅପହରଣ କରିବାର ଚେଷ୍ଟା କରନ୍ତି । ପାପାଚରଣ କରନ୍ତି । ଗୁପ୍ତ ଦ୍ରବ୍ୟକୁ ଅପହରଣ କରି ମଧ୍ୟ ଅସ୍ୱୀକାର କରନ୍ତି । ୫୮ । ବୃକ, ବ୍ୟାଘ୍ରାଦି ହିଂସ୍ରଜନ୍ତୁ ଓ ମୃଗ, ପକ୍ଷୀମାନେ ନଗରର ବିହାରଭୂମିରେ ଓ ଦେବାଳୟରେ ପ୍ରାୟ ଶୋଇଥାନ୍ତି । ସପ୍ତମ ବା ଦ୍ୱାଦଶ ବର୍ଷ ବୟସ୍କ ପୁରୁଷର ସନ୍ତାନ ହୁଏ । ୬୦ । ମନୁଷ୍ୟମାନେ ଷୋଡ଼ଶ ବର୍ଷରେ ବୃଦ୍ଧ ହୁଅନ୍ତି । ଏହି ହେତୁରୁ ମନୁଷ୍ୟମାନଙ୍କର ଶୀଘ୍ର ଆୟୁ କ୍ଷୟ ହୋଇଆସେ । ମହାରାଜ ! ଏହି କାଳର ତରୁଣମାନେ କ୍ଷୀଣାୟୁ ହୋଇ ବୃଦ୍ଧମାନଙ୍କର ଆଚରଣ କରନ୍ତି । ୬୨ । ନାରୀମାନେ କଳିହୁଡ଼ି ହୁଅନ୍ତି । ତାହାଙ୍କର ଆଚରଣ ବିପରୀତ ହୁଏ । ଆପଣାର ପତି ଯୋଗ୍ୟ ହୋଇଥିଲେ ହେଁ ତାହାକୁ ବଞ୍ଚନା କରି ପଶୁ ପ୍ରାୟ ଚାକରଙ୍କ ସଙ୍ଗେ ବ୍ୟଭିଚାରିଣୀ ହୁଅନ୍ତି । ବୀରପତ୍ନୀ ହୋଇଥିଲେ ହେଁ ପତି ଜୀବିତ ଥାଉ ଥାଉ ଗୋପନରେ ଅନ୍ୟ ପୁରୁଷର ଆଶ୍ରୟ ନିଅନ୍ତି ଓ ତାହା ସହିତ ବ୍ୟଭିଚାର କରନ୍ତି-। ୬୪ । ହେ ମହାରାଜ ! ଏହିପରି ସହସ୍ର ଚତୁର୍ଯୁଗର ଅବସାନ ହେଲେ ପ୍ରାଣୀମାନଙ୍କର ଭୟଙ୍କର ଆୟୁ କ୍ଷୟ ଉପସ୍ଥିତ ହୁଏ । ପ୍ରଥମେ ବହୁ ବର୍ଷ ପର୍ଯ୍ୟନ୍ତ ଅନାବୃଷ୍ଟି ହୁଏ । ୬୫ । ହେ ନରନାଥ-! ତହିଁରେ ଅଧିକସଂଖ୍ୟକ ପ୍ରାଣୀ, ଯେଉଁମାନେ କି ଦୁର୍ବଳ, ସେମାନେ କ୍ଷୁଧିତ ହୋଇ ପୃଥିବୀରେ ସଂହାରପ୍ରାପ୍ତ ହୁଅନ୍ତି । ୬୬ । ତଦନନ୍ତର ସାତ ଗୋଟି ସୂର୍ଯ୍ୟ ଏକକାଳରେ ଉଦିତ ହୋଇ ସମୁଦ୍ରର ସମସ୍ତ ଜଳକୁ ଶୋଷଣ କରିବାକୁ ଆରମ୍ଭ କରିଦିଅନ୍ତି । ଶୁଷ୍କ ଓ ଆର୍ଦ୍ର ଯେତେ ତୃଣ କାଷ୍ଠ ଥାଏ, ସବୁ ଭସ୍ମୀଭୂତ ହେଲା ପ୍ରାୟ ଦୃଶ୍ୟ ହୁଏ । ୬୮ । ହେ ମହାରାଜ ! ତଦନନ୍ତର ପୂର୍ବୋକ୍ତ ଆଦିତ୍ୟମାନେ ଯେଉଁ ପୃଥିବୀକୁ ଶୋଷଣ କରନ୍ତି, ସେହି ପୃଥିବୀ ମଧ୍ୟରେ ବାୟୁ ସହିତ ସମ୍ବର୍ତ୍ତକ ଅଗ୍ନି ପ୍ରବିଷ୍ଟ ହୁଏ । ୬୯ । ତତ୍ପରେ ସେହି ଅଗ୍ନି ପୃଥିବୀକୁ ଭେଦକରି ରସାତଳରେ ପ୍ରବିଷ୍ଟ ହୋଇ ଦେବ, ଦାନବ, ଯକ୍ଷମାନଙ୍କର ମହାଭୟ ଉତ୍ପାଦନ କରେ । ୭୦ । ହେ ନରପାଳ ! ଅଧଃସ୍ଥିତ ନାଗଲୋକରେ ଓ ପୃଥିବୀତଳେ ଯେତେ ଦ୍ରବ୍ୟ ଥାଏ, ତତ୍‌ସମୁଦାୟ କ୍ଷଣକାଳରେ ସେହି ଅଗ୍ନିଦ୍ୱାରା ଦଗ୍ଧ ହୁଏ । ୭୧ । ସହସ୍ର ସହସ୍ର ଯୋଜନା ଏହି ଜଗତକୁ ସେହି ଅଶୁଭ ବାୟୁ ସହିତ ସଂବର୍ତ୍ତକ ଅଗ୍ନି ମିଳିତ ହୋଇ ଦଗ୍ଧ କରେ । ଅବଶିଷ୍ଟ କିଛି ରହେ ନାହିଁ । ସେହି ପ୍ରଜ୍ଜ୍ୱଳିତ ଅଗ୍ନିଦ୍ୱାରା ଦେବାସୁର, ଗନ୍ଧର୍ବ, ଯକ୍ଷ, ଉରଗ ଓ ରାକ୍ଷସମାନେ ସମସ୍ତେ ଜଗତ ସହିତ ଦଗ୍ଧ ହୋଇଯାଆନ୍ତି । ୭୩ । ତଦନନ୍ତର ଗଗନମଣ୍ଡଳରେ ଗଜରାଜ ସଦୃଶ ମହାମେଘମାନେ ବିଦ୍ୟୁତ୍‌ମାଳାରେ ବିଭୂଷିତ ହୋଇ ଉଦିତ ହୁଅନ୍ତି । ୭୪ । କୌଣସି କୌଣସି ମେଘ ନୀଳୋତ୍ପଳ ସଦୃଶ ଶ୍ୟାମ ବର୍ଣ୍ଣ, କୌଣସି କୌଣସି ମେଘ କୁମୁଦ ବର୍ଣ୍ଣ, କୌଣସି ମେଘ କେଶର ବର୍ଣ୍ଣ, କୌଣସି ମେଘ ପୀତ ବର୍ଣ୍ଣ ବା ହରିଦ୍ରା ବର୍ଣ୍ଣ, କୌଣସି ମେଘ କାକାଣ୍ଡ ବର୍ଣ୍ଣ, କୌଣସି ମେଘ କମଳଦଳ ବର୍ଣ୍ଣ, କୌଣସି ମେଘ ହିଙ୍ଗୁଳ କାନ୍ତିବିଶିଷ୍ଟ, କୌଣସି ମେଘ ଉତ୍କୃଷ୍ଟ ନଗରସଦୃଶ, କେଉଁ କେଉଁ ମେଘ ଗଜଯୂଥ ଆକାର ପ୍ରାୟ ଧାରଣ କରନ୍ତି । କୌଣସି କୌଣସି ମେଘ ଅଞ୍ଜନ-ପର୍ବତାକାର ଓ କେଉଁ କେଉଁ ମେଘ ମକରାକୃତିସ୍ୱରୂପ ଆବିର୍ଭୂତ ହୁଅନ୍ତି । ୭୫ । ବିଦ୍ୟୁତ୍ ମାଳାବିଭୂଷିତ ସେହି ମେଘମାନେ ଘୋର ଗର୍ଜ୍ଜନ କରି ଜଳଦପଟଳରୁ ନିର୍ଗତ ହୋଇ ନଭୋମଣ୍ଡଳକୁ ଆଚ୍ଛନ୍ନ କରନ୍ତି । ୭୮ । ହେ ମହାରାଜ-! ଅଳ୍ପକାଳରେ ବନ, ଗିରି, ଓ ଖଣି ସହିତ ଏହି ପୃଥିବୀ ବୃଷ୍ଟିଜଳରେ ପରିପୂର୍ଣ୍ଣ ହୁଏ । ୭୯ । ହେ ପୁରୁଷେନ୍ଦ୍ର ! ତତ୍ପରେ ବିଧାତାଙ୍କ ପ୍ରେରିତ ସେହି ସମସ୍ତ ଭୟାନକ ମେଘ ପଟଳ କ୍ଷଣକାଳ ମଧ୍ୟରେ ସର୍ବତ୍ର ଜଳପ୍ଲାବନ କଲେ । ପ୍ରଭୂତ ଜଳ ବର୍ଷଣ କରି ବସୁନ୍ଧରା ପରିପୂର୍ଣ୍ଣ ହୁଅନ୍ତେ ସେହି ନିଦାରୁଣ ଭୟଙ୍କର ଅଶୁଭ ଅଗ୍ନି ବିନଷ୍ଟ ହୁଏ । ୮୧ । ବିଧାତାଙ୍କଦ୍ୱାରା ନିୟୋଜିତ ସେହି ମେଘମଣ୍ଡଳୀ ଏହିରୂପେ କ୍ରମଶଃ ଦ୍ୱାଦଶବର୍ଷ ପର୍ଯ୍ୟନ୍ତ ବର୍ଷାକରି ନିଖିଳ ବିଶ୍ୱକୁ ପରିପୂର୍ଣ୍ଣ କରନ୍ତି । ୮୨ ।

 

[(୨) କୂଟମାନ– ମିଥ୍ୟା ପରିମାଣ; ଦଣ୍ଡିମାରିବା ଅର୍ଥାତ୍ ମାପ ବା ଓଜନରେ କମ୍ ଓଜନର ଜିନିଷ ଦେବା ।]

 

ହେ ଭାରତ ! ଅନନ୍ତର ତତ୍କାଳରେ ସେହି ପ୍ଲାବନଦ୍ୱାରା ସମୁଦ୍ର ସ୍ୱକୀୟ ବେଳାକୁ ଅତିକ୍ରମ କରେ । ଅନେକ ପର୍ବତ ବିଦୀର୍ଣ୍ଣ ହେବାରେ ମହୀମଣ୍ଡଳ ଜଳମଧ୍ୟରେ ନିମଗ୍ନ ହୁଏ । ୮୩-। ତତ୍ପରେ ବାୟୁ ବେଗରେ ଜଳଦମାନେ ସହସା ଆହତ ହୋଇ ନଭୋମଣ୍ଡଳକୁ ବେଷ୍ଟନ କରି ସର୍ବତ୍ର ପରିଭ୍ରମଣପୂର୍ବକ କ୍ରମରେ ବିନଷ୍ଟ ହୁଅନ୍ତି । ୮୪ । ହେ ମନୁଜାଧିପ ! ପରିଶେଷରେ ପଦ୍ମାଳୟ, ଆଦିଦେବ, ସ୍ୱୟମ୍ଭୁ ସେହି ପ୍ରଳୟ ମାରୁତକୁ ପାନ କରି ନିଦ୍ରିତ ହୁଅନ୍ତି । ୮୫ । ହେ ନରନାଥ ! ଅନନ୍ତର ସେହି ଘୋର ଏକାର୍ଣ୍ଣବ ବେଳେ ଦେବଗଣ, ଅସୁର, ଯକ୍ଷ, ରାକ୍ଷସ ଓ ମନୁଷ୍ୟଗଣ, ଶ୍ୱାପଦଗଣ, ମହୀରୁହସମୂହ ଓ ସ୍ଥାବର, ଜଙ୍ଗମ ଯେତେ ଥାଆନ୍ତି, ସେସବୁ ବିନଷ୍ଟ ହୁଅନ୍ତି । ଆମ୍ଭେ ଏକାକୀ ଆହତ ହୋଇ ଇତସ୍ତତଃ କେବଳ ଭ୍ରମଣ କରୁ । ୮୭ । ହେ ପାର୍ଥିବଶ୍ରେଷ୍ଠ ! ସେହି ଘୋର ଏକାର୍ଣ୍ଣବ-ଜଳରେ ପ୍ଳବମାନ ହୋଇ ସ୍ଥାବର, ଜଙ୍ଗମ, କୌଣସି ପ୍ରାଣୀଙ୍କୁ ନ ଦେଖିବାରୁ ଆମ୍ଭର ଚିତ୍ତବୈକ୍ଳବ୍ୟ ଜାତ ହୁଏ । ୮୮ । ଆମ୍ଭେ ନିରଳସ ଭାବରେ ଭାସିଭାସି ସୁଦୀର୍ଘ କାଳ ପର୍ଯ୍ୟନ୍ତ ଗମନ କରୁ । ଅବଶେଷରେ ଶାନ୍ତ ହୋଇ କୌଣସିଠାରେ ଆଶ୍ରୟଲାଭ କରିପାରୁ ନାହିଁ । ୮୯ ।

 

ହେ ପୃଥିବୀଶ୍ୱର ! ଅନନ୍ତର କୌଣସି ଏକ ସମୟରେ ସେହି ଜଳରାଶି ମଧ୍ୟରେ ଗୋଟିଏ ସୁବିସ୍ତୀର୍ଣ୍ଣ ଓ ସୁମହାନ ବଟବୃକ୍ଷ ଦର୍ଶନ କରୁ । ହେ ଭାରତ ! ସେହି ବୃକ୍ଷର ଗୋଟିଏ ବିସ୍ତୀର୍ଣ୍ଣ ଶାଖାରେ ଗୋଟିଏ ପର୍ଯ୍ୟଙ୍କ ଥାଏ । ତହିଁରେ ଦିବ୍ୟ ଶଯ୍ୟା ବିସ୍ତୃତ ଥାଇ ତଦୁପରି ଗୋଟିଏ ସୁନ୍ଦର ଶିଶୁ ନୟନଗୋଚର ହୁଏ । ତାହାର ମୁଖମଣ୍ଡଳ ପଦ୍ମେନ୍ଦୁ ସଦୃଶ, ଚକ୍ଷୁପ୍ରଫୁଲ୍ଲ କମଳଦଳ ସମାନ । ୯୨ । ତାହାକୁ ଦେଖି ଆମ୍ଭ ଚିତ୍ତରେ ମହାନ ବିସ୍ମୟ ଜାତ ହୁଏ । ଆମ୍ଭେ ଭାବୁ, ସମୁଦାୟ ଜଗତ୍ ବିନଷ୍ଟ ହୋଇଅଛି । ତେବେ କି ପ୍ରକାରେ ଏହି ଶିଶୁ ଏଠାରେ ଶୟନ କରେ । ହେ ନରେଶ୍ୱର ! ଆମ୍ଭେ ଭୂତ, ଭବିଷ୍ୟତ, ବର୍ତ୍ତମାନ ବିଷୟରେ ଜ୍ଞାନୀ ଅଟୁ । ତପସ୍ୟାଦ୍ୱାରା ଧ୍ୟାନ କରୁ; ତଥାପି ସେହି ଶିଶୁ ଯେ କିଏ, ତାହା ଜାଣିବାକୁ ସକ୍ଷମ ହେଉନାହିଁ । ୯୪ । କିନ୍ତୁ ସେହି ଶିଶୁର ବର୍ଣ୍ଣ, ଅତସୀପୁଷ୍ପସନ୍ନିଭ ଶ୍ରୀବତ୍ସଚିହ୍ନରେ ବକ୍ଷସ୍ଥଳ ସୁଶୋଭିତ ଓ ସାକ୍ଷାତ୍‍ ଲକ୍ଷ୍ମୀଙ୍କ ଆବାସସ୍ୱରୂପ ବୋଲି ଆମ୍ଭଙ୍କୁ ବୋଧ ହେଲା । ୯୫ ।

 

ତଦନନ୍ତର ଶ୍ରୀବତ୍ସଧାରୀ କମଳଲୋଚନ, ତେଜସ୍ୱୀ ସେହି ଶିଶୁ ଆମ୍ଭଙ୍କୁ କର୍ଣ୍ଣସୁଖକର ବାକ୍ୟରେ କହନ୍ତି, ହେ ଭାର୍ଗବ ମାର୍କଣ୍ଡେୟ ! ଆମ୍ଭେ ତୁମ୍ଭଙ୍କୁ ଜାଣିଲୁ ଯେ ତୁମ୍ଭେ ଶ୍ରାନ୍ତ ହୋଇଅଛ, ସେହି ହେତୁରୁ ତୁମ୍ଭେ ବିଶ୍ରାମ କରିବାକୁ ଇଚ୍ଛା କରୁଅଛ । ଅତଏବ ତୁମ୍ଭର ଯେଉଁ ପର୍ଯ୍ୟନ୍ତ ଅଭିଳାଷ ହୁଏ, ସେହି ପର୍ଯ୍ୟନ୍ତ ଏହି ସ୍ଥାନରେ ରହି ଶ୍ରାନ୍ତି ଦୂର କର । ୯୭ । ହେ ମୁନିସତ୍ତମ ! ଆମ୍ଭେ ତୁମ୍ଭ ପ୍ରତି ପ୍ରସନ୍ନ ହୋଇ ତୁମ୍ଭର ବାସସ୍ଥାନର ବିଧାନ କରିଅଛୁ । ତୁମ୍ଭେ ଆମ୍ଭ ଶରୀର ମଧ୍ୟରେ ପ୍ରବେଶ କରି ଅବସ୍ଥାନ କର । ୯୮ । ହେ ଭାରତ ! ବାଳକ ଏହିପରି କହନ୍ତେ ଆମ୍ଭର ଦୀର୍ଘ ଜୀବନରେ ଓ ମନୁଷ୍ୟପଣରେ ବୈରାଗ୍ୟ ଜାତ ହୁଏ । ୯୯ । ତତ୍ପରେ ସେହି ବାଳକ ସହସା ମୁଖ ବିସ୍ତାର କରେ-। ଆମ୍ଭେ ଯେପରି କି ଦୈବବଳରେ ଅବଶ ହୋଇ ତାହାଙ୍କ ମୁଖମଧ୍ୟକୁ ନୀତ ହେଉ । ୧୦୦ । ହେ ମନୁଜାଧିପ ! ଆମ୍ଭେ ତାହାଙ୍କ କୁକ୍ଷିମଧ୍ୟରେ ସହସା ପ୍ରବିଷ୍ଟ ହୋଇ ଏହି ବନ, ନଗର, ରାଷ୍ଟ୍ର ପ୍ରଭୃତିର ଧାରଣକର୍ତ୍ତା ମହୀମଣ୍ଡଳକୁ ଦେଖୁ । ୧୦୧ । ସେହି ମହାତ୍ମାଙ୍କ କୁକ୍ଷିମଧ୍ୟରେ ପରିଭ୍ରମଣ କରି ଗଙ୍ଗା, ଶତଦ୍ରୁ, ସୀତା, ଯମୁନା, କୌଶିକୀ, ଚର୍ମଣ୍ୱତୀ, ଚନ୍ଦ୍ରଭାଗା, ସରସ୍ୱତୀ, ସିନ୍ଧୁ, ବିପାଶା, ଗୋଦାବରୀ, ବସ୍ୱୋକସାରା, ନଳିନୀ, ନର୍ମଦା, ତାମ୍ବା, ପୁଣ୍ୟତୋୟା, ଶୁଭାବହା, ଦେନ୍ୱା, ସୁବେଣ୍ୱା, କୃଷ୍ଣବେଣ୍ୱା–ଏହିସବୁ ଅପରାପର ନଦୀମାନଙ୍କୁ ଦେଖୁ । ଈରାମା, ବିତସ୍ତା, କାବେରୀ, ଶୋଣ, ବିଷଲ୍ୟା, କିମ୍ପୁନା ପ୍ରଭୃତି ମହାନଦୀମାନେ ମଧ୍ୟ ଦୃଶ୍ୟ ହୁଅନ୍ତି । ହେ ଅମିତ୍ର ଅର୍ଥାତ୍ ଶତ୍ରୁହନ୍ତା ! ତତ୍ପରେ ସେହି କୁକ୍ଷିମଧ୍ୟରେ ଜଳଜନ୍ତୁମାନଙ୍କର ଆବାସସ୍ଥାନ ଜଳନିଧି ରତ୍ନାକରକୁ ମଧ୍ୟ ଦେଖୁ । ୧୦୭ । ଅପିଚ ଚନ୍ଦ୍ର-ସୂର୍ଯ୍ୟ-ବିରାଜିତ ନଭୋମଣ୍ଡଳକୁ ପ୍ରଦୀପ୍ତ ହୋଇଥିବାର ଦେଖୁ । ୧୦୮ । ବିବିଧ କାନନରେ ଉପଶୋଭିତା ପୃଥିବୀକୁ ମଧ୍ୟ ଦେଖୁ । ତହିଁରେ ନିରୀକ୍ଷଣ କରୁ ଯେ ବ୍ରାହ୍ମଣମାନେ ବହୁବିଧ ଯଜ୍ଞଦ୍ୱାରା ଯଜନ କରୁଅଛନ୍ତି । କ୍ଷତ୍ରିୟମାନେ ସର୍ବବର୍ଣ୍ଣର ରକ୍ଷାରେ ପ୍ରବୃତ୍ତ ହୋଇଅଛନ୍ତି । ବୈଶ୍ୟମାନେ ଯଥାନ୍ୟାୟରେ କୃଷିକର୍ମ୍ମରେ ରତ ହୋଇଅଛନ୍ତି । ୧୧୦ । ଶୂଦ୍ରମାନେ ଦ୍ୱିଜମାନଙ୍କ ଶୂଶ୍ରୂଷାରେ ନିରତ ଅଛନ୍ତି । ତଦନନ୍ତର ଆମ୍ଭେ ସେହି ମହାତ୍ମାଙ୍କ ଗର୍ଭରେ ପରିଭ୍ରମଣ କରି ହିମାଚଳ ଓ ତାହାର ହେମକୂଟ ଶୃଙ୍ଗକୁ ଦେଖୁ । ନିଷିଦ୍ଧ ଦେଶକୁ ଦେଖୁ । ରଜତଯୁକ୍ତ ଶ୍ୱେତ ପର୍ବତକୁ ଦେଖୁ । ୧୧୨ ।

 

ହେ ମହୀପାଳ ! ଗନ୍ଧର୍ବ ପର୍ବତକୁ ଦେଖୁ । ହେ ମନୁଜବ୍ୟାଘ୍ର ! ମନ୍ଦରଗିରିକୁ ଦେଖୁ । ମହାନ ନୀଳଗିରିକୁ ଦେଖୁ । ୧୧୩ । ହେ ମହାରାଜ ! କନକପର୍ବତ ମେରୁକୁ ଦେଖୁ । ମହେନ୍ଦ୍ର ପର୍ବତ ଓ ଗିରିଶ୍ରେଷ୍ଠ ବିନ୍ଧ୍ୟପର୍ବତକୁ ଦେଖୁ । ୧୧୪ । ମଳୟଗିରି ଓ ପାରିପାତ୍ର ପର୍ବତକୁ ଦେଖୁ । ଏହିସବୁ ଓ ଅନ୍ୟାନ୍ୟ ବହୁ ସଂଖ୍ୟକ ଯେତେ ପର୍ବତ ଅଛି, ସେସବୁକୁ ମଧ୍ୟ ଦେଖୁ । ୧୧୫ । ତାହାଙ୍କ ଉଦର ମଧ୍ୟରେ ଆମ୍ଭେ ଦେଖୁ ଯେ ପର୍ବତମାନେ ରତ୍ନବିଭୂଷିତ ହୋଇଅଛନ୍ତି । ହେ ମନୁଜାଧିପ ! ସିଂହ, ବ୍ୟାଘ୍ର ଓ ବରାହମାନଙ୍କୁ ଆମ୍ଭେ ଦେଖୁ । ୧୧୬ । ହେ ପୃଥିବୀଶ୍ୱର ! ପୃଥିବୀର ଆଉ ଯେତେସବୁ ଜୀବଜନ୍ତୁ ଅଛନ୍ତି, ସେ ସମସ୍ତଙ୍କୁ ଆମ୍ଭେ ଦେଖୁ । ୧୧୭ । ହେ ନରଶ୍ରେଷ୍ଠ ! ତାହାଙ୍କ କୁକ୍ଷିରେ ପ୍ରବିଷ୍ଟ ହୋଇ, ସର୍ବ ଦିଗରେ ଭ୍ରମଣକରି ଇନ୍ଦ୍ରାଦି ଦେବଗଣଙ୍କୁ ଦର୍ଶନ କରୁ । ୧୧୮ । ସାଧ୍ୟଗଣ, ଋଷିଗଣ, ରୁଦ୍ରଗଣ, ଆଦିତ୍ୟଗଣ, ପିତୃଗଣ ଓ ଗୁହ୍ୟକ, ସର୍ପ, ନାଗ, ସୁପର୍ଣ୍ଣ, ବସୁଗଣ ଓ ଅଶ୍ୱିନୀକୁମାରଙ୍କୁ ଦେଖୁ । ୧୧୯ । ଗନ୍ଧର୍ବ, ଅପ୍‌ସରା ଓ ଯକ୍ଷଗଣ ଆମ୍ଭର ଦୃଷ୍ଟିପଥରେ ଆଗମନ କରନ୍ତି । ହେ ମହୀନାଥ ! ଦୈତ୍ୟ, ଦାନବ, ନାଗ ଓ ମନୁଜମାନଙ୍କୁ ଦେଖୁ । ସିଂହିକାତନୟ ଓ ଆଉ ଯେ ଦେବଶତ୍ରୁ ଥାଆନ୍ତି, ସେମାନଙ୍କୁ ଦେଖୁ । ସ୍ଥାବର ଓ ଜଙ୍ଗମ ମଧ୍ୟରେ ଆମ୍ଭେ ଯାହା କିଛି ଦେଖୁ ତତ୍ ସମୁଦାୟ ସେହି ମହାତ୍ମାଙ୍କ ଉଦର ମଧ୍ୟରେ ବିଲୋକନ କଲୁ । ହେ ବିଭୋ ! ତାହାଙ୍କ ଉଦର ମଧ୍ୟରେ ଫଳାହାରୀ ହୋଇ ଶତାଧିକ ବର୍ଷ ସଞ୍ଚରଣ କଲୁ; ତଥାପି ତାହାଙ୍କର ଶରୀରର ଅନ୍ତ ପାଉ ନାହିଁ । ୧୨୩ । ହେ ରାଜନ୍‌ ! ତାହାଙ୍କ ଉଦର ମଧ୍ୟରେ ଶତତ ଧାବମାନ ହୋଇ ସୁଦ୍ଧା ସେହି ମହାତ୍ମାଙ୍କ ଦେହର ଅନ୍ତ ପାଉନାହିଁ । ୧୨୪ । ତଦନନ୍ତର ଆମ୍ଭେ ସେହି ପୁରୁଷଙ୍କଠାରେ ବିଧିପୂର୍ବକ ଶରଣାଗତ ହେଉ । ବରେଣ୍ୟ ଓ ବରଦ ସେହି ଦେବଙ୍କୁ ମନରେ ଧ୍ୟାନ କରୁ ଓ କର୍ମରେ ତାହାଙ୍କୁ ନମସ୍କାର କରୁ । ୧୨୫ । ହେ ରାଜନ୍‌ ! ତତ୍ପରେ ଆମ୍ଭେ ସହସା ବାୟୁବେଗରେ ସେହି ମହାତ୍ମାଙ୍କ ମୁଖରୁ ନିଃସୃତ ହେଉ । ୧୨୬ । ତତ୍ପରେ ସେହି ବଟବୃକ୍ଷ ଶାଖାରେ, ହେ ରାଜନ୍‌ ! ହେ ମନୁଜଶ୍ରେଷ୍ଠ ! ସମୁଦାୟ ଜଗତକୁ ଗର୍ଭଗତ କରି ସେହି ବାଳକ ବିରାଜିତ ଅଛନ୍ତି । ୧୨୭ ।

 

ବାଳକ-ବେଶରେ ଶ୍ରୀବତ୍ସଚିହ୍ନକୁ ଧାରଣକରି ଅପରିମିତ ତେଜସ୍ୱୀ ସେହି ବାଳକଙ୍କୁ ବଟଶାଖାରେ ଥିବାର ଦେଖୁ । ହେ ନରଶ୍ରେଷ୍ଠ ! ତଦନନ୍ତର ସେହି ଶ୍ରୀବତ୍ସଚିହ୍ନଧାରୀ, ଦ୍ୟୁତିମାନ, ପିତାମ୍ବରଧାରୀ ଶିଶୁ ଆମ୍ଭ ପ୍ରତି ମନ୍ଦହାସ୍ୟ କରି ଆମ୍ଭଙ୍କୁ କହନ୍ତି । ୧୨୯ । ହେ ମୁନିସତ୍ତମ ମାର୍କେଣ୍ଡେୟ ! ତୁମ୍ଭେ ଆମ୍ଭ ଶରୀର ମଧ୍ୟରେ ବାସକରି ଏବେ ପରିଶ୍ରାନ୍ତ ହୋଇଅଛ । ଅତଏବ ତୁମ୍ଭଙ୍କୁ ସବୁ ବୃତ୍ତାନ୍ତ କହୁଅଛୁ । ୧୩୦ । ଏକଥା କହିଲା ଉତ୍ତାରୁ ମୁହୂର୍ତ୍ତକାଳ ମଧ୍ୟରେ ନୂତନ ଦୃଷ୍ଟି ପ୍ରାଦୁର୍ଭୂତ ହୁଏ । ଆମ୍ଭେ ଚେତନାପ୍ରାପ୍ତ ହୋଇ ମୁକ୍ତଥିବାର ଜାଣୁ । ୧୩୧ । ହେ ବତ୍ସ ! ଆମ୍ଭେ ସେହି ଅପରିମିତ ତେଜସ୍ୱୀ ବାଳକଙ୍କର ଅସୀମ ପ୍ରଭାବ ଦେଖି ତାହାଙ୍କର ସୁଜାତ, ମୃଦୁଳ, ରକ୍ତବର୍ଣ୍ଣର ଅଙ୍ଗୁଳିମାନଙ୍କୁ ଓ ତାମ୍ର-ଚରଣକୁ ଯତ୍ନପୂର୍ବକ ମସ୍ତକରେ ଧାରଣକରି ଅଭିନନ୍ଦନ କରୁ । ବିନୟ ଓ ଯତ୍ନ ସହକାରେ କୃତାଞ୍ଜଳିପୁଟରେ ସମୀପଗତ ହୋଇ ସେହି ଭୂତାତ୍ମା କମଳଲୋଚନଙ୍କୁ ଦର୍ଶନ କରୁ । ୧୩୪ । ପରିଶେଷରେ ପ୍ରାଞ୍ଜଳିହୋଇ ତାହାଙ୍କୁ ପ୍ରଣାମକରି କହୁ, ହେ ଦେବ ! ଆମ୍ଭେ ତୁମ୍ଭଙ୍କୁ ଓ ତୁମ୍ଭର ଏହି ପ୍ରବଳ ମାୟାକୁ ଜାଣିବାକୁ ଇଚ୍ଛା କରୁଛୁ । ୧୩୫ । ହେ ଭଗବନ ! ଆମ୍ଭେ ଆପଣଙ୍କ ମୁଖବାଟେ ଶରୀର ମଧ୍ୟରେ ପ୍ରବିଷ୍ଟ ହୋଇ ଅଖିଳ ବ୍ରହ୍ମାଣ୍ଡକୁ ଦେଖୁଛୁ । ୧୩୬ । ହେ ଦେବ ! ଆପଣଙ୍କ ଶରୀର ମଧ୍ୟରେ ଦେବ ଦାନବ, ଯକ୍ଷ, ରାକ୍ଷସ, ନାଗ, ସମସ୍ତ ସ୍ଥାବର ଓ ଜଙ୍ଗମାତ୍ମକ ଜଗତ୍ ଆମ୍ଭର ନୟନଗୋଚର ହୁଏ । ୧୩୭ । ହେ ଦେବ ! ଆପଣଙ୍କ ଦେହ ମଧ୍ୟକୁ ସତ୍ୱର ଗମନକରି ଓ ନିରନ୍ତର ପରିଭ୍ରମଣ କରି ସୁଦ୍ଧା ଆପଣଙ୍କ ପ୍ରସାଦରୁ ଆମ୍ଭର ସ୍ମୃତିଶକ୍ତି ହୀନ ହୁଏ ନାହିଁ । ହେ ପ୍ରଭୋ ! ଆମ୍ଭର ଇଚ୍ଛା ନ ଥିଲେ ହେଁ ଆପଣଙ୍କ ଜଠରରୁ ବିନିଃସୃତ ହେଉ । ଅତଏବ, ହେ ପୁଣ୍ଡୁରୀକାକ୍ଷ ! ଆପଣଙ୍କ ଏହି ସୁନ୍ଦର ମୂର୍ତ୍ତିକୁ ଜାଣିବା ନିମିତ୍ତ ଆମ୍ଭର ଅତ୍ୟନ୍ତ ଅଭିଳାଷ ହୋଇଅଛି । ୧୩୯ । ଆପଣ କି ନିମିତ୍ତ ଏହି ସମସ୍ତ ଜଗତକୁ ଉଦରସ୍ଥ କରି ଶିଶୁପ୍ରାୟ ଅବସ୍ଥାନ କରିଅଛନ୍ତି ? ଏହାର କାରଣ ଆମ୍ଭ ନିକଟରେ ବ୍ୟକ୍ତ କରନ୍ତୁ । ୧୪୦ । ହେ ଅନଘ ! କି କାରଣରୁ ଆପଣ ସମୁଦାୟ ଜଗତକୁ ଶରୀରସ୍ଥ କରିଅଛନ୍ତି ଓ କେତେ କାଳ ପର୍ଯ୍ୟନ୍ତ ଆପଣ ଏହି ସ୍ଥାନରେ ଅବସ୍ଥାନ କରିବା ହେବେ ? ୧୪୧ । ହେ ପ୍ରଭୋ ! ଦେବୋତ୍ତମ ! ଆମ୍ଭେ ବ୍ରାହ୍ମଣୋଚିତ ଅଭିଳାଷ କରିଅଛୁ । ଆପଣ ବିସ୍ତାର ପୂର୍ବକ ଯଥାଯଥ ବର୍ଣ୍ଣନା କରନ୍ତୁ; ଆମ୍ଭେ ଶ୍ରବଣ କରିବୁ; ଯେହେତୁରୁ ଆମ୍ଭେ ଦେଖୁ ଯେ ତାହା ଅଚିନ୍ତନୀୟ ଓ ମହତ୍କାର୍ଯ୍ୟ ଅଟେ । ସେହି ଦେବ ମହାତ୍ମା, ମହାଦ୍ୟୁତି ଓ ଶ୍ରୀମାନ୍ । ସେ ଆମ୍ଭଠାରୁ ଏକଥା ଶୁଣି ଆମ୍ଭଙ୍କୁ ସାନ୍ତ୍ୱନା ଦେଇ ଏହିପରି କହିଲେ । ୧୪୩ ।

 

॥ ଅଧ୍ୟାୟ – ୧୮୯ ॥

 

ଦେବ କହିଲେ, ହେ ବିପ୍ର ! ଦେବତାମାନେ ସୁଦ୍ଧା ଇଚ୍ଛା କଲେ ଆମ୍ଭଙ୍କୁ ଯଥାର୍ଥରୂପେ ଜାଣିପାରନ୍ତି ନାହିଁ । ପରନ୍ତୁ ଆମ୍ଭେ ଯେପରି ଏହି ବିଶ୍ୱକୁ ସର୍ଜ୍ଜନା କରୁଁ, ତାହା ତୁମ୍ଭ ପ୍ରତି ପ୍ରୀତହୋଇ କହୁଅଛୁ, ଶ୍ରବଣ କର । ୧ । ହେ ବିପ୍ରର୍ଷେ ! ତୁମ୍ଭେ ପିତୃଭକ୍ତ ଅଟ ଓ ଆମ୍ଭର ଶରଣାଗତ ହୋଇଅଛ । ବିଶେଷତଃ ! ତୁମ୍ଭଠାରେ ମହତ୍ତ ବ୍ରହ୍ମଚର୍ଯ୍ୟ ରହିଅଛି । ଏହି ହେତୁରୁ ତୁମ୍ଭେ ଆମ୍ଭର ସାକ୍ଷାତ୍‍ ଲାଭ କଲ । ୨ । ପୂର୍ବକାଳରେ ଆମ୍ଭେ ଜଳର ନାମ ‘ନାରା’ ବୋଲି ନାମ ଦେଇଥିଲୁ । ସେହି ‘ନାରା’ ମଧ୍ୟରେ ଆମ୍ଭେ ସର୍ବଦା ବାସକରୁ । ଏଥିନିମିତ୍ତ ଆମ୍ଭର ନାମ * ‘ନାରାୟଣ’ ବୋଲି ସମସ୍ତେ କହନ୍ତି । ହେ ଦ୍ୱିଜସତ୍ତମ ! ଏହି ଜଗତ ମୋଠାରୁ ଉତ୍ପନ୍ନ । ଆମ୍ଭେ ଶାଶ୍ୱତ, ଅର୍ଥାତ୍ ସବୁକାଳରେ ଥାଉଁ । ଆମ୍ଭେ ଅବ୍ୟୟ, ଅର୍ଥାତ୍ ଆମ୍ଭର କ୍ଷୟ ନାହିଁ । ଆମ୍ଭେ ସର୍ବପ୍ରାଣୀଙ୍କର ବିଧାନକର୍ତ୍ତା ଓ ସଂହାରକର୍ତ୍ତା । ୪ । ଆମ୍ଭେ ବିଷ୍ଣୁ, ଆମ୍ଭେ ବ୍ରହ୍ମା, ଆମ୍ଭେ ଦେବରାଜ ଇନ୍ଦ୍ର, ଆମ୍ଭେ ଧନାଧିପତି କୁବେର, ଆମ୍ଭେ ପ୍ରେତଗଣଙ୍କର ଅଧିପତି, କୃତାନ୍ତ ଅର୍ଥାତ୍ ଯମ । ୫ । ଆମ୍ଭେ ସୋମ, ଶିବ, ପ୍ରଜାପତି ଓ କଶ୍ୟପ ଅଟୁ । ହେ ଦ୍ୱିଜଶ୍ରେଷ୍ଠ ! ଆମ୍ଭେ ଧାତା, ବିଧାତା ଓ ଯଜ୍ଞସ୍ୱରୂପ । ୬ । ଅଗ୍ନି ଆମ୍ଭର ମୁଖ, ପୃଥ୍ୱୀ ଆମ୍ଭର ଚରଣଦ୍ୱୟ, ଚନ୍ଦ୍ର-ସୂର୍ଯ୍ୟ ଆମ୍ଭର ନେତ୍ରଯୁଗଳ, ଦ୍ୟୁଲୋକ ଆମ୍ଭର କର୍ଣ୍ଣଯୁଗଳ, ଜଳ ଆମ୍ଭର ଘର୍ମରୁ ଉତ୍ପନ୍ନ ହୋଇଅଛି । ୭ । ଦିକ୍ ଓ ମହାକାଶ ଆମ୍ଭର ଦେହ, ବାୟୁ ଆମ୍ଭର ମନ ମଧ୍ୟରେ ଥାଏ । ଶତ ଶତ ଦକ୍ଷିଣାଯୁକ୍ତ ଯଜ୍ଞମାନଙ୍କୁ ଆମ୍ଭେ ଆହରଣ କରିଅଛୁ । ଆମ୍ଭେ ଦେବତାମାନଙ୍କ ଯଜ୍ଞରେ ଅବସ୍ଥାନ କରୁ । ବେଦବେତ୍ତାମାନେ ଆମ୍ଭଙ୍କୁ ଯଜନ କରନ୍ତି ।

 

[*ନାରା–ଜଳ, ଅୟନ– ବାସସ୍ଥାନ ।]

 

ପୃଥିବୀରେ କ୍ଷତ୍ରିୟଶ୍ରେଷ୍ଠ ରାଜାମାନେ ଶୋକାଭିଳାଷୀ ହୋଇ ଆମ୍ଭ ଉଦ୍ଦେଶ୍ୟରେ ଯଜ୍ଞ କରନ୍ତି । ବୈଶ୍ୟମାନେ ମଧ୍ୟ ସ୍ୱର୍ଗଲୋକକୁ ଜୟ କରିବାର ଇଚ୍ଛାକରି ଆମ୍ଭରି ଉଦ୍ଦେଶ୍ୟରେ ଯଜ୍ଞ କରନ୍ତି । ୧୦ । ଏକାକୀ ଆମ୍ଭେ ଅନନ୍ତ ହୋଇ ଚତୁଃ ସାଗରଭୂଷିତ ମେରୁମନ୍ଦରାଦି ଗିରିଧାରୀ ଧରାମଣ୍ଡଳକୁ ଧାରଣ କରିଥାଉଁ । ହେ ବିପ୍ର ! ପୂର୍ବକାଳରେ ଆମ୍ଭେ ବରାହରୂପ ଧାରଣ କରି ଜଳମଗ୍ନ ଅବନୀକୁ ନିଜ ବୀର୍ଯ୍ୟଦ୍ୱାରା ଉଦ୍ଧାର କରିଥିଲୁ । ହେ ଦ୍ୱିଜୋତ୍ତମ ! ଆମ୍ଭେ ବଡ଼ବାମୁଖଅଗ୍ନି ହୋଇ ସଂଶ୍ଲିଷ୍ଟ ଜଳରାଶିକୁ ପାନ କରିଥିଲୁ ଓ ପୁନର୍ବାର ତାହାକୁ ସୃଜନ କଲୁ । ଆମ୍ଭର ଶକ୍ତିଦ୍ୱାରା ଆମ୍ଭ ମୁଖରୁ ବ୍ରାହ୍ମଣ, ଭୂଜଯୁଗଳରୁ କ୍ଷତ୍ରିୟ ଓ ଉରୁ ଦ୍ୱୟରୁ ବୈଶ୍ୟ ଜାତ ହେଲେ । ୧୩ । ଆମ୍ଭର ଚରଣଯୁଗଳରୁ ଶୂଦ୍ରଜାତି କ୍ରମଶଃ ଉତ୍ପନ୍ନ ହୋଇଅଛନ୍ତି । ଋକ୍‌, ସାମ, ଯଜୁଃ ଓ ଅଥର୍ବ ଏହି ଚାରିବେଦ ଆମ୍ଭଠାରୁ ପ୍ରାଦୁର୍ଭୂତ ହୋଇ ଆମ୍ଭଠାରେ ବିଲୀନ ହୁଅନ୍ତି । ଯେଉଁମାନେ ଯତି, ଯେଉଁମାନେ ଶାନ୍ତିପ୍ରିୟ, ଯେଉଁମାନେ ମହାତ୍ମା ଓ ମୋକ୍ଷଲାଭେଚ୍ଛୁ, ଯେଉଁମାନେ କାମ, କ୍ରୋଧ, ଦ୍ୱେଷରୁ ମୁକ୍ତ, ଯେଉଁମାନେ ନିଃସଙ୍ଗ, କଳୁଷରହିତ, ସତ୍ୱବାନ, ନିରହଙ୍କାର, ନିତ୍ୟ ଅଧ୍ୟାତ୍ମ୍ୟ ଚର୍ଚ୍ଚା କରନ୍ତି, ସେହି ବିପ୍ରମାନେ ଆମ୍ଭଙ୍କୁ ଚିନ୍ତାକରି ଉପାସନା କରନ୍ତି । ଆମ୍ଭେ ସଂବର୍ତ୍ତକ ନାମକ ଅଗ୍ନି ଓ ସଂବର୍ତ୍ତକ ନାମକ ଅନଳ । ୧୭ । ଆମ୍ଭେ ସମ୍ବର୍ତ୍ତକ ସୂର୍ଯ୍ୟ ଓ ଆମ୍ଭେ ସମ୍ବର୍ତ୍ତକ ନାମକ ଅନଳ ଅଟୁ-। ନଭୋମଣ୍ଡଳରେ ଯେଉଁ ତାରାମାନେ ଦୃଶ୍ୟ ହୁଅନ୍ତି, ସେମାନଙ୍କୁ ଆମ୍ଭର ଲୋମକୂପ ବୋଲି ଜାଣ-। ହେ ଦ୍ୱିଜସତ୍ତମ ! ରତ୍ନର ଆକାର ସମୁଦ୍ର ଓ ଚାରି ଦିଗ ଆମ୍ଭର ବସ୍ତ୍ର, ଶଯ୍ୟା ଓ ବାସସ୍ଥାନ ବୋଲି ଜାଣ । ଦେବକାର୍ଯ୍ୟ ସିଦ୍ଧିନିମିତ୍ତ ଆମ୍ଭଦ୍ୱାରା ସେମାନେ ସୁବିଭକ୍ତ ହୋଇ ଅଛନ୍ତି । ୨୦ । ହେ ସଜ୍ଜନଶ୍ରେଷ୍ଠ ! କାମ, କ୍ରୋଧ, ହର୍ଷ କି ଭୟ ଅଥବା ମୋହ ଏ ସମସ୍ତଙ୍କୁ ଆମ୍ଭ ରୂପ ବୋଲି ଜାଣ-। ୨୧ ।

 

ହେ ବିପ୍ର ! ଯେଉଁ ନରମାନେ ଶୋଭନ କର୍ମ ନିଷ୍ପନ୍ନ କରି ସତ୍ୟ, ଦାନ, ତପସ୍ୟା ଓ ଜନ୍ତୁମାନଙ୍କଠାରେ ଅହିଂସାରୂପ ଗୁଣମାନଙ୍କୁ ପ୍ରାପ୍ତ ହୁଅନ୍ତି, ସେମାନେ ଆମ୍ଭ ବିଧାନାନୁସାରେ ବିହିତ ହୁଅନ୍ତି ଓ ଆମ୍ଭ ଦେହ ମଧ୍ୟରେ ବିହରଣ କରନ୍ତି । ସେମାନଙ୍କ ବିଜ୍ଞାନ ଆମ୍ଭଦ୍ୱାରା ଅଭିଭୂତ ହୋଇ ଚେଷ୍ଟାଯୁକ୍ତ ହୁଏ । କେହି ସ୍ୱେଚ୍ଛାରେ ତଦ୍ରୂପ ହୁଅନ୍ତି ନାହିଁ । ୨୩ । ବେଦମାନଙ୍କୁ ସମ୍ୟକ୍ରୂପେ ଅଧ୍ୟୟନ କରି ଯେଉଁମାନେ ବିବିଧ ଯଜ୍ଞଦ୍ୱାରା ଆମ୍ଭଙ୍କୁ ଯଜନ କରନ୍ତି, ସେହି ଶାନ୍ତାତ୍ମା, ଅକ୍ରୋଧୀ, ଦ୍ୱିଜାତିମାନେ ଆମ୍ଭଙ୍କୁ ପ୍ରାପ୍ତ ହୁଅନ୍ତି । ୨୪ । ଦୁଷ୍କର୍ମଶୀଳ, ଲୋଭାଭିଭୂତ, କୃପଣ, ଅକୃତାତ୍ମା, ଅନାର୍ଯ୍ୟ ପୁରୁଷମାନେ ସେହି ମଙ୍ଗଳପଥକୁ ପ୍ରାପ୍ତ ହୁଅନ୍ତି ନାହିଁ । ୨୫ । ଅତଏବ ସଂଯତାତ୍ମା ମନୁଷ୍ୟମାନଙ୍କର ଯୋଗନିଷେବିତ ମହାଫଳଜନକ ସେହି ମଙ୍ଗଳପଥକୁ ମୂଢ଼ ବ୍ୟକ୍ତିମାନେ ପାଆନ୍ତି ନାହିଁ ବୋଲି ଜାଣିବ । ୨୬ ।

 

ହେ ସତ୍ତମ ! ଯେତେବେଳେ ଧର୍ମର ଗ୍ଲାନି ହୁଏ ଓ ଅଧର୍ମର ପ୍ରାଦୁର୍ଭାବ ହୁଏ, ତେତେବେଳେ ଆମ୍ଭେ ଆପଣାକୁ ଲୀଳାବିଗ୍ରହ ରୂପରେ ସୃଷ୍ଟି କରୁ । ୨୭ । ଲୋକରେ ଯେତେବେଳେ ହିଂସାରତ ଓ ସୁରାସୁରଙ୍କର ଅବଧ୍ୟ ଦାରୁଣତମ ଦୈତ୍ୟ ଓ ରାକ୍ଷସମାନେ ଉତ୍ପନ୍ନ ହୁଅନ୍ତି, ତେତେବେଳେ ଆମ୍ଭେ ନରଦେହରେ ପ୍ରବେଶ କରି ଶୁଭକର୍ମକାରୀ ବ୍ୟକ୍ତିମାନଙ୍କ ଗୃହରେ ଅବତୀର୍ଣ୍ଣ ହେଉ; ଅଶୁଭ କର୍ମମାନଙ୍କୁ ପ୍ରଶମନ କରୁ । ୨୯ । ଆମ୍ଭେ ନିଜର ମାୟାଦ୍ୱାରା, ଦେବ, ମାନବ, ଗନ୍ଧର୍ବ, ଉରଗ ପ୍ରଭୃତି ପ୍ରାଣୀମାନଙ୍କୁ ଅଥଚ ସ୍ଥାବର ପ୍ରାଣୀମାନଙ୍କୁ ସୃଷ୍ଟିକରି ପୁନର୍ବାର ସଂହାର କରୁ । ୩୦ । ଆମ୍ଭେ ମର୍ଯ୍ୟାଦାକୁ ଦୃଢ଼ କରିବା ନିମିତ୍ତ କାର୍ଯ୍ୟକାଳରେ ମନୁଷ୍ୟଦେହରେ ପ୍ରବିଷ୍ଟ ହୋଇ ପୁନଃ ପୁନଃ ଅଚିନ୍ତନୀୟ ଆଶ୍ଚର୍ଯ୍ୟ ଦେହମାନ ସୃଷ୍ଟି କରିଥାଉ । ୩୧ । ଆମ୍ଭେ ସତ୍ୟଯୁଗରେ ଶ୍ୱେତ ବର୍ଣ୍ଣ, ତ୍ରେତା ଯୁଗରେ ପୀତ ବର୍ଣ୍ଣ, ଦ୍ୱାପର ଯୁଗରେ ରକ୍ତ ବର୍ଣ୍ଣ ଓ କଳି ଯୁଗରେ କୃଷ୍ଣ ବର୍ଣ୍ଣ ହେଉ । ୩୨ । ସେହି କଳିକାଳରେ ଧର୍ମ ତିନି ଭାଗ ହୁଏ, ଅନ୍ତକାଳ ଉପସ୍ଥିତ ହେଲେ ଆମ୍ଭେ ଏକାକୀ ନିଦାରୁଣ କାମରୂପୀ ହୋଇ ସ୍ଥାବର-ଜଙ୍ଗମବିଶିଷ୍ଟ ତ୍ରିଲୋକକୁ ବିନଷ୍ଟ କରୁ-। ଆମ୍ଭେ ତ୍ରିପଦଦ୍ୱାରା ତ୍ରିଲୋକକୁ ଆଚ୍ଛାଦିତ କରିଥିଲୁ । ଆମ୍ଭେ ଏହି ବିଶ୍ୱସଂସାରର ଆତ୍ମା ଓ ସର୍ବଲୋକଙ୍କର ସୁଖ ବହନ କରୁ । ୩୪ । ଆମ୍ଭେ ମଧ୍ୟ ସର୍ବଲୋକର ତତ୍ତ୍ୱାବଧାରୀ ଓ ସର୍ବଗାମୀ-। ଆମ୍ଭର ଅନ୍ତ ନାହିଁ । ଆମ୍ଭେ ବିଷୟେନ୍ଦ୍ରିୟମାନଙ୍କୁ ନିଗ୍ରହ କରୁ ବୋଲି ଆମ୍ଭର ନାମ ହୃଷୀକେଶ ହୋଇଅଛି ଓ ଆମ୍ଭର ବିକ୍ରମ ଅତି ବିଶାଳ ।

 

ହେ ବ୍ରହ୍ମନ୍‌ ! ଏକାକୀ ଆମ୍ଭେ ସର୍ବଭୂତର ପ୍ରଶମନ କରିଥାଉ; ପ୍ରଯତ୍ନମାନଙ୍କୁ ସଫଳ କରୁ-। ଆମ୍ଭେ ରୂପବିହୀନ କାଳଚକ୍ରର ନିୟନ୍ତା । ୩୫ । ହେ ମୁନିବର ! ସକଳପ୍ରାଣୀଙ୍କ ମଧ୍ୟରେ ଆମ୍ଭର ଆତ୍ମା ସମ୍ୟକ୍ରୂପେ ନିହିତ ଅଛି; କିନ୍ତୁ ଆମ୍ଭଙ୍କୁ କେହି ଜାଣିପାରେ ନାହିଁ । ୩୬ । ସମସ୍ତ ଜଗତ୍‌ର ଭକ୍ତିଶୀଳ ବ୍ୟକ୍ତିମାନେ ଆମ୍ଭଙ୍କୁ ପୂଜା କରନ୍ତି । ହେ ବିପ୍ର ! ତୁମ୍ଭେ ଆମ୍ଭ କୁକ୍ଷି ମଧ୍ୟରେ ଥାଇ ଯେତେ କ୍ଲେଶ ପାଇଅଛ, ସେସବୁ ତୁମ୍ଭର ଭବିଷ୍ୟତ ସୁଖୋଦୟ ଓ ମଙ୍ଗଳ ନିମିତ୍ତ ବୋଲି ଜାଣିବ ଏବଂ ତୁମ୍ଭେ ଲୋକ ମଧ୍ୟରେ ଯେତେ ସ୍ଥାବର ଜଙ୍ଗମ ଦେଖିଲ, । ୩୮ । ସେସବୁ ଆମ୍ଭଦ୍ୱାରା ବିହିତ ହୋଇଅଛି । ସର୍ବଲୋକ ପିତାମହ ବ୍ରହ୍ମା ଆମ୍ଭର ଅର୍ଦ୍ଧଶରୀର । ୩୯ । ଓ ଆମ୍ଭେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ନାରାୟଣ ଅଟୁଁ ।

 

ହେ ବିପ୍ରର୍ଷେ ! ଆମ୍ଭେ ବିଶ୍ୱର ଆତ୍ମା, ସହସ୍ରେ ଚତୁର୍ଯୁଗର ପରିବର୍ତ୍ତନ ସମୟରେ ଆମ୍ଭେ ସର୍ବପ୍ରାଣୀଙ୍କୁ ମୁଗ୍ଧ କରି ସ୍ୱୟଂ ନିଦ୍ରିତ ହେଉ । ହେ ମୁନିବର ! ଯେ ପର୍ଯ୍ୟନ୍ତ ବ୍ରହ୍ମା ଜାଗରିତ ନ ହୁଅନ୍ତି, ସେ ପର୍ଯ୍ୟନ୍ତ ଆମ୍ଭେ ଶିଶୁ ନ ହୋଇ ସୁଦ୍ଧା ଶିଶୁରୂପ ଧରି ଏହି ସ୍ଥାନରେ ସର୍ବକାଳରେ ଓ ସର୍ବ ପ୍ରକାରେ ଅବସ୍ଥାନ କରୁ । ହେ ଦ୍ୱିଜ ! ବିପ୍ରର୍ଷିମାନେ ତୁମ୍ଭଙ୍କୁ ପୂଜା କରନ୍ତି । ଆମ୍ଭେ ବ୍ରହ୍ମସ୍ୱରୂପ; ତୁମ୍ଭ ପ୍ରତି ଆମ୍ଭେ ପୁନଃ ପୁନଃ ସନ୍ତୁଷ୍ଟ ହୋଇ ବରଦାନ କରିଅଛୁ । ୪୩ । ତୁମ୍ଭେ ସ୍ଥାବର, ଜଙ୍ଗମ ନଷ୍ଟ ହେବାର ଦେଖି ଓ ନିଖିଳ ଜଗତକୁ ଏକାର୍ଣ୍ଣବ ହେବାର ଦେଖି ବିହ୍ୱଳ ହୋଇଥିଲ; ତାହା ଆମ୍ଭେ ଜାଣିପାରିଥିଲୁ । ଏଥିନିମିତ୍ତ ଏହି ଜଗତ୍ ଦେଖାଇଲୁ । ହେ ଋଷିବର ! ତୁମ୍ଭେ ଯେତେବେଳେ ଆମ୍ଭର ଶରୀର ମଧ୍ୟରେ ପ୍ରବିଷ୍ଟ ହୋଇଥିଲ, । ୪୪ । ତେତେବେଳେ ତୁମ୍ଭେ ସେଠାରେ ସବୁଲୋକଙ୍କୁ ଦେଖି ବିସ୍ମିତ ହୋଇଥିବାରୁ ତୁମ୍ଭର ଜ୍ଞାନଶକ୍ତି ରହିତ ହୋଇଥିଲା । ସେହି ହେତୁରୁ ଆମ୍ଭେ ତୁମ୍ଭଙ୍କୁ ମୁଖରୁ ଶୀଘ୍ର ନିଃସାରିତ କଲୁ । ୪୫ । ଏବେ ସୁରାସୁରମାନଙ୍କର ଦୁର୍ଜ୍ଞେୟ ହେଲେ ହେଁ ଆମ୍ଭେ ତୁମ୍ଭଠାରେ ବ୍ୟକ୍ତ ହେଲୁ । ୪୬ ।

 

ମହାତପା ବ୍ରହ୍ମା ଯେଉଁ ପର୍ଯ୍ୟନ୍ତ ପ୍ରବୁଦ୍ଧ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ନିଃସଙ୍ଗ ହୋଇ ସୁଖରେ ବିଚରଣ କର । ୪୭ । ହେ ଦ୍ୱିଜବର ! ଅନନ୍ତର ସର୍ବଲୋକ-ପିତାମହ ବ୍ରହ୍ମା ଯେତେବେଳେ ଜାଗରିତ ହେବେ, ତେତେବେଳେ ଆମ୍ଭେ ଏକାକୀ ପୃଥିବୀ, ଆକାଶ, ଜ୍ୟୋତି, ବାୟୁ, ଜଳ ଓ ଅବଶିଷ୍ଟ ସ୍ଥାବରଜଙ୍ଗମ ପ୍ରଭୃତି ଶରୀରମାନଙ୍କୁ ଓ ସମସ୍ତ ଲୌକିକ ପଦାର୍ଥକୁ ସୃଜନ କରିବୁ । ୪୯ । ମାର୍କଣ୍ଡେୟ କହିଲେ, ହେ ବତ୍ସ ! ସେହି ପରମାଦ୍ଭୁତ ଦେବ ଏହି କଥା କହି ଅନ୍ତର୍ହିତ ହେଲେ । ତତ୍ପରେ ଆମ୍ଭେ ଏହି ବିଚିତ୍ର ଓ ବିବିଧ ପ୍ରଜାପୁଞ୍ଜ ସୃଷ୍ଟ ହେବାର ଦେଖିଲୁ । ୫୦ ।

 

ହେ ସର୍ବଧର୍ମଧାରୀ ଭରତନାଥ ! ଯୁଗକ୍ଷୟ ସମୟରେ ଆମ୍ଭେ ଏହିରୂପ ଆଶ୍ଚର୍ଯ୍ୟ କାର୍ଯ୍ୟମାନଙ୍କୁ ପ୍ରତ୍ୟକ୍ଷ କରିଥିଲୁ । ୫୧ । ହେ ପୁରୁଷଶ୍ରେଷ୍ଠ ! ପୂର୍ବକାଳରେ ଆମ୍ଭେ ଯେଉଁ ନଳିନାୟତଲୋଚନ ପରମଦେବଙ୍କୁ ଦେଖିଥିଲୁ, ସେ ଏହି ପୁରୁଷପ୍ରଧାନ ଜନାର୍ଦ୍ଦନ । ବର୍ତ୍ତମାନ ସେ ତୁମ୍ଭର ଭ୍ରାତା ହୋଇଅଛନ୍ତି । ଏହାଙ୍କ ବରଦାନ ହେତୁରୁ ଆମ୍ଭର ସ୍ମରଣଶକ୍ତିର ହ୍ରାସ ହୋଇନାହିଁ ଓ ଆମ୍ଭର ପରମାୟୁ ଦୀର୍ଘ ହୋଇଅଛି ଅଥଚ ମୃତ୍ୟୁ ଆମ୍ଭର ବଶୀଭୂତ ହୋଇଅଛି । ୫୩ । ସେହି ପୁରାତନ ପରମବିଭୂ ଅଚିନ୍ତ୍ୟାତ୍ମା ହରି ଏହି ମହାଭୁଜ କୃଷ୍ଣ ଅଟନ୍ତି । ବର୍ତ୍ତମାନ ବୃଷ୍ଣିକୁଳରେ ଜନ୍ମପରିଗ୍ରହକରି କ୍ରୀଡ଼ାଶୀଳ ହୋଇଅଛନ୍ତି । ୫୪ । ସେ ଧାତା, ବିଧାତା, ସଂହର୍ତ୍ତା ଓ ନିତ୍ୟ ଅଟନ୍ତି-। ତାହାଙ୍କ ବକ୍ଷସ୍ଥଳରେ ଶ୍ରୀବତ୍ସଚିହ୍ନ ବିଦ୍ୟମାନ ଅଛି । ତାହାଙ୍କ ନାମ ଗୋବିନ୍ଦ-। ସେ ପ୍ରଜାପତିମାନଙ୍କର ପତି ଓ ପ୍ରଭୁ ଅଟନ୍ତି । ୫୫ । ଏହି ଆଦିଦେବଙ୍କର ଜନ୍ମ ନାହିଁ । ସେ ଏହି ବିଶ୍ୱସଂସାରକୁ ଘୋଟି ରହିଅଛନ୍ତି । ସେ ବୃଷ୍ଣିକୁଳର ତିଳକ ଅଟନ୍ତି । ଏହି ପୁରୁଷଙ୍କୁ ଦେଖି ଆମ୍ଭର ସ୍ମରଣଶକ୍ତି ପୁନର୍ବାର ଉଦିତ ହେଲା । ୫୬ । ଏ ସର୍ବପ୍ରାଣୀଙ୍କର ପିତା ଓ ମାତା ଏବଂ ଏହାଙ୍କୁ ଲକ୍ଷ୍ମୀଙ୍କ ପତି ବୋଲି ଜାଣିବ । ହେ କୌରବେନ୍ଦ୍ରଗଣ ! ସମସ୍ତେ ଏହାଙ୍କର ଶରଣାଗତ ହୁଅନ୍ତି; ଅତଏବ ତୁମ୍ଭେମାନେ ଏହାଙ୍କର ଶରଣାପନ୍ନ ହୁଅ । ୫୭ ।

 

ବୈଶମ୍ପାୟନ କହିଲେ, ମହର୍ଷି ମାର୍କେଣ୍ଡୟ ପାଣ୍ଡବମାନଙ୍କୁ ଏହି କଥା କହିବାରୁ ସେମାନେ ସମସ୍ତେ ଓ ଦ୍ରୌପଦୀ କୃଷ୍ଣଙ୍କୁ ନମସ୍କାର କଲେ । ୫୮ । ପୁରୁଷେନ୍ଦ୍ର ମାନାର୍ହ କୃଷ୍ଣ ମଧ୍ୟ ମାନପ୍ରାପ୍ତ ହୋଇ ସେମାନଙ୍କୁ ଯଥାବିଧି ପରମ ମନୋହର ସାନ୍ତ୍ୱନା ବାକ୍ୟଦ୍ୱାରା ଆଶ୍ୱାସିତ କଲେ-। ୫୯ ।

 

॥ ଅଧ୍ୟାୟ – ୧୯୦ ॥

 

ବୈଶମ୍ପାୟନ କହିଲେ– ରାଜ୍ୟ ବିଷୟରେ କୁନ୍ତୀପୁତ୍ର ଯୁଧିଷ୍ଠିର ପୁନର୍ବାର ମହାମୁନି ମାର୍କଣ୍ଡେୟଙ୍କୁ ପଚାରିଲେ । ୧ । ହେ ଭାର୍ଗବ ! ଆପଣ ବାଗ୍ମୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଯୁଗାଦି କାଳରେ ଯେପରି ଏହି ପୃଥିବୀ ବିନଷ୍ଟ ହୋଇ ପୁନଶ୍ଚ ଉତ୍ପନ୍ନ ହେଲା, ତାହା ଆପଣ କହିବା ହେଲେ ଓ ଆମ୍ଭେ ଶ୍ରବଣ କଲୁ । ୨ । କିନ୍ତୁ କଳି ଯୁଗ ବିଷୟରେ ବିଶେଷ ବିବରଣ ଶ୍ରବଣ କରିବାକୁ ଆମ୍ଭର କୌତୂହଳ ହୋଇଅଛି । ଏହି ଯୁଗରେ ଧର୍ମ କ୍ଷୟ ହୁଅନ୍ତେ କ’ଣ ଅବଶିଷ୍ଟ ରହିବ ଓ ମାନବମାନଙ୍କର ପରମାୟୁ, ବଳ, ଆହାର, ବିହାର, ପରିଚ୍ଛଦ ପ୍ରଭୃତି କିପରି ହେବ ? ୪ । କେଉଁ ପର୍ଯ୍ୟନ୍ତ ଏହି କଳିଯୁଗ ରହି ସୀମାପ୍ରାପ୍ତ ହେବ ଓ ପୁନର୍ବାର ସତ୍ୟଯୁଗ କେବେ ପ୍ରବର୍ତ୍ତିତ ହେବ ? ୫ ।

 

ମୁନିବର ଏହିପରି ଅଭିହିତ ହୁଅନ୍ତେ ବୃଷ୍ଣିକୁଳଇନ୍ଦ୍ର କୃଷ୍ଣ ପାଣ୍ଡବମାନଙ୍କର ସନ୍ତୋଷ ନିମିତ୍ତ ପୁନଶ୍ଚ କହିବାକୁ ଆରମ୍ଭ କଲେ । ୬ । ମାର୍କଣ୍ଡେୟ କହିଲେ, ହେ ରାଜେନ୍ଦ୍ର ! ଦେବଦେବଙ୍କ ପ୍ରସାଦରୁ ଆମ୍ଭେ ଯାହା ଦେଖିଅଛୁ, ତାହା ଶ୍ରବଣ କର । ୭ । ହେ ଭରତଶ୍ରେଷ୍ଠ ! ପୂର୍ବକାଳରେ ସତ୍ୟ ଯୁଗରେ ଧର୍ମ ଷୋଳ କଳାରେ ପରିପୂର୍ଣ୍ଣ ହୋଇଥିଲା । ଛଳ ଓ ଲୋଭ ସହିତ ତାହାର ସଂସ୍ରବ ନ ଥିଲା । ମନୁଷ୍ୟମାନଙ୍କଠାରେ ଏହା ଚତୁଷ୍ପାଦରେ ବର୍ତ୍ତମାନ ଥିଲା । ୯ । ତ୍ରେତା ଯୁଗରେ ସେହି ଧର୍ମର ଗୋଟିଏ ପାଦ ଅଧର୍ମଦ୍ୱାରା ନଷ୍ଟ ହୋଇଥିଲା । ଦ୍ୱାପର ଯୁଗରେ ଅଧେ ଅଧର୍ମଗ୍ରସ୍ତ ହେବାରୁ ଅବଶିଷ୍ଟ ଦୁଇପାଦ ମାତ୍ର ଧର୍ମ ଥିଲା । ଏହିପରି କଥିତ ଅଛି । ୧୦ । କଳିଯୁଗରେ ଧର୍ମର ତିନିଅଂଶ ଅଧର୍ମଦ୍ୱାରା ଗ୍ରସ୍ତ ହୋଇ ଏକପାଦ ମାତ୍ର ଧର୍ମ ବିଦ୍ୟମାନ ଥିଲା । ସେହି ପାଦେ ଧର୍ମ ମନୁଷ୍ୟମାନଙ୍କୁ ଆଶ୍ରୟ କଲେ ।

 

ହେ ଭରତର୍ଷଭ ପାଣ୍ଡବ ! ଶ୍ରବଣ କର, ମନୁଷ୍ୟମାନଙ୍କର ପରମାୟୁ, ବୀର୍ଯ୍ୟ, ବୁଦ୍ଧିବଳ ଓ ତେଜ ଯୁଗକୁଯୁଗ ହ୍ରାସ ହୁଏ । ହେ ଯୁଧିଷ୍ଠିର ! କଳିଯୁଗରେ ବ୍ରାହ୍ମଣ, କ୍ଷତ୍ରିୟ ଓ ଶୂଦ୍ରମାନେ ଛଳପୂର୍ବକ ଧର୍ମାଚରଣ କରିବେ । ମନୁଷ୍ୟମାନେ ଧର୍ମର ଜାଲ ବିସ୍ତାର କରି ଲୋକଙ୍କୁ ବଞ୍ଚନା କରିବେ ଓ ଆପେ ପଣ୍ଡିତ ବୋଲି ଅହଙ୍କାର କରି ସତ୍ୟକୁ ସଂକ୍ଷିପ୍ତ କରିବେ । ୧୪ । ଅନନ୍ତର ସେମାନଙ୍କର ସତ୍ୟହାନି ହେତୁରୁ ଆୟୁଷ ଅଳ୍ପ ହେବ । ପରମାୟୁର ଅଳ୍ପତା ହେତୁରୁ ବିଦ୍ୟୋପଜୀବୀ ହେବାକୁ ସମର୍ଥ ହେବେ ନାହିଁ । ବିଦ୍ୟାହୀନ ହେଲେ ଜ୍ଞାନର ଅଭାବରୁ ଲୋକମାନେ ଲୋଭରେ ଅଭିଭୂତ ହେବେ । ଲୋଭରୁ କ୍ରୋଧ ଜାତ ହେବ; ସୁତରାଂ ତତ୍କାଳରେ ମନୁଷ୍ୟମାନେ ଲୋଭାସକ୍ତ ଓ କ୍ରୋଧପରାୟଣ ହେବେ; ଅଥଚ ମୂଢ଼ ଓ କାମାସକ୍ତ ହୋଇ ପରସ୍ପର ପ୍ରତି ସଂକୀର୍ଣ୍ଣ ହେବେ । ୧୭ । ଦ୍ୱିଜାଦି ତପସ୍ୟା ନ କରି ଓ ସତ୍ୟ ନ କହି ଶୂଦ୍ର ସମାନ ହେବେ । ଅନ୍ତ୍ୟଜ ବ୍ୟକ୍ତିମାନେ ମଧ୍ୟମ ହେବେ ଓ ମଧ୍ୟମ ବ୍ୟକ୍ତିମାନେ ଅନ୍ତ୍ୟଜ ହେବେ । ଯୁଗାନ୍ତକାଳ ଉପସ୍ଥିତ ହେଲେ ଲୋକମାନେ ଏହି ପ୍ରକାର ହେବେ । ତତ୍କାଳରେ ବସ୍ତ୍ର ମଧ୍ୟରେ ଶଣସୂତ୍ରର ବସ୍ତ୍ର ଓ ଧାନ୍ୟ ମଧ୍ୟରେ କୋରଦୂଷକ (କୋଦୁଅ) ଧାନ୍ୟ ବୋଲି ପରିଗଣିତ ହେବ । ୧୯ । ପୁରୁଷମାନେ ଭାର୍ଯ୍ୟାକୁ ମିତ୍ର ବୋଲି ଗଣ୍ୟ କରିବେ । ଗୋଜାତି ବିନଷ୍ଟ ହେବେ । ସୁତରାଂ ସେହି କାଳରେ ମନୁଷ୍ୟମାନେ ଛାଗମେଷାଦି ଦୋହନ କରିବେ । ୨୦ । ଗୋରୁମାନେ ବିନଷ୍ଟ ହେଲେ, ଯେଉଁମାନେ ବ୍ରତଧାରଣ କରନ୍ତି, ସେମାନେ ଲୋଭ ଓ ମୋହପରାୟଣ ହେବେ । ୨୧ । ମନୁଷ୍ୟମାନେ ଅନ୍ୟୋନ୍ୟରେ ହିଂସାରତ ହେବେ । ସେମାନେ ଜପହୀନ, ନାସ୍ତିକ ଓ ଚୋର ହେବେ । ୨୨ । ନଦୀତୀରେ କୋଡ଼ିଘେନି ଔଷଧ ବୁଣିବେ । ତାହା ମଧ୍ୟ ଅଳ୍ପ ଫଳପ୍ରସୂ ହେବ । ୨୩ । ଯେଉଁ ପୁରୁଷମାନେ ଶ୍ରାଦ୍ଧ ଓ ଦୈବ କର୍ମରେ ଧୃତବ୍ରତ, ସେମାନେ ମଧ୍ୟ ପରସ୍ପର ଲୋଭୀ ହୋଇ ପରସ୍ପରର ଭୋଜ୍ୟଦ୍ରବ୍ୟ ଭୋଗକରିବେ । ୨୪ । ପିତାପୁତ୍ରର ଓ ପୁତ୍ର ପିତାଙ୍କର ଶଯ୍ୟା ଭୋଗ କରିବେ । ଏହି ଯୁଗକ୍ଷୟ କାଳରେ ଯାହା ଖାଇବାରେ ଯୋଗ୍ୟ ନୁହେଁ, ତାହାକୁ ଆହାର କରିବେ । ଦ୍ରବ୍ୟର ମର୍ଯ୍ୟାଦା ରହିବ ନାହିଁ । ୨୫ । ବ୍ରାହ୍ମଣମାନେ ବ୍ରତାଚରଣ କରିବେ ନାହିଁ ଓ ବେଦ ନିନ୍ଦା କରିବେ । ବୃଥା ହେତୁବାଦରେ ସେମାନେ ବିମୋହିତ ହୋଇ ଯଜ୍ଞ ପ୍ରଭୃତି କରିବେ ନାହିଁ । ନୀଚ ବିଷୟରେ ସ୍ପୃହା କରିବେ । ହୀନ କାର୍ଯ୍ୟରେ ରତ ହେବେ । ୨୬ । ମନୁଷ୍ୟମାନେ ନିମ୍ନ ଭୂମିରେ କୃଷିକର୍ମ କରିବେ । ଧେନୁ ଓ ଏକବର୍ଷୀୟ ବତ୍ସମାନଙ୍କୁ ଭାରବହନରେ ନିଯୁକ୍ତ କରିବେ । ୨୭ । ପୁତ୍ର ପିତାଙ୍କୁ ଓ ପିତା ପୁତ୍ରଙ୍କୁ ବଧକରି ସୁଦ୍ଧା ନିନ୍ଦାଭାଜନ ହେବେ ନାହିଁ । ପ୍ରତ୍ୟୁତ ନିରୁଦ୍ୱେଗରେ ଆପଣାକୁ ବ୍ରହ୍ମବାଦୀ ବୋଲି କହି ଖ୍ୟାତ କରିବେ । ୨୮ । ସମସ୍ତ ଜଗତରୁ କ୍ରିୟା ଉଠିଯିବ । ଯଜ୍ଞ ରହିବ ନାହିଁ । ଲୋକମାନେ ନିରାନନ୍ଦ ଓ ଉତ୍ସବହୀନ ହୋଇ ମ୍ଲେଚ୍ଛପ୍ରାୟ ହେବେ । ୨୯ । ତତ୍କାଳରେ ମନୁଷ୍ୟମାନେ ପ୍ରାୟ ବନ୍ଧୁହୀନ ହେବେ । ଦୀନ ଓ ବିଧବାମାନଙ୍କର ଧନ ହରଣ କରିବେ । ୩୦ । ଅଳ୍ପବୀର୍ଯ୍ୟ ଓ ଜ୍ଞାନହୀନ ଲୋକେ ଲୋଭ ଓ ମୋହର ବଶୀଭୂତ ହୋଇ ଦୁଷ୍ଟ ବ୍ୟକ୍ତିଙ୍କଠାରୁ ତିରସ୍କାର ସହିତ ଦାନକୁ ସନ୍ତୋଷରେ ପ୍ରତିଗ୍ରହ କରିବେ । ୩୧ ।

 

ହେ କୌନ୍ତେୟ ! ପାପବୁଦ୍ଧି, ମୂର୍ଖ ରାଜାମାନେ ପଣ୍ଡିତାଭିମାନୀ ହୋଇ ପରସ୍ପରକୁ ଆହ୍ୱାନ କରି ପରସ୍ପର ବଧରେ ନିଯୁକ୍ତ ହେବେ । ୩୨ । ତତ୍କାଳରେ ରାଜାମାନେ ଲୋକରକ୍ଷକ ହେବେ ନାହିଁ । ପ୍ରକୃତରେ ସେମାନେ ଲୋକଙ୍କର କଣ୍ଟକସ୍ୱରୂପ ହେବେ । ଅଭିମାନ ଓ ଅହଂକାରରେ ଦର୍ପିତ ଓ ଲୁବ୍‌ଧ ହୋଇ କେବଳ ଦଣ୍ଡବିଧାନରେ ଅନୁରାଗୀ ହେବେ । ୩୪ । ହେ ଭାରତ ! ସେମାନେ ସାଧୁବ୍ୟକ୍ତିଙ୍କ ପ୍ରତି ବାରମ୍ବାର ଆକ୍ରମଣ କରିବେ । ସାଧୁମାନେ କ୍ରନ୍ଦନ କଲେ ସୁଦ୍ଧା ନିର୍ଦ୍ଦୟ ହୋଇ ସେମାନଙ୍କର ଧନ, ଦାରା ପ୍ରଭୃତିକୁ ଗ୍ରହଣ କରି ଭୋଗ କରିବେ । ୩୫ । ସେହି ସମୟରେ କେହି କାହାରିଠାରୁ କନ୍ୟା ପ୍ରାର୍ଥନା କରିବେ ନାହିଁ; ଅଥବା କେହି କାହାରିକୁ କନ୍ୟା ପ୍ରଦାନ କରିବେ ନାହିଁ । କନ୍ୟାମାନେ ସ୍ୱୟଂ ଅନ୍ୱେଷଣ କରି ପତି ଗ୍ରହଣ କରିବେ । ୩୬ । କଳି ଉପସ୍ଥିତ ହେଲେ ମୂଢ଼ମତି ଓ ଅସନ୍ତୁଷ୍ଟ ରାଜାମାନେ ସର୍ବପ୍ରକାର ଉପାୟଦ୍ୱାରା ପରଧନ ହରଣ କରିବେ । ୩୭ ।

 

ତତ୍କାଳରେ ସମୁଦାୟ ଜଗତ୍ ମ୍ଲେଚ୍ଛ ପ୍ରାୟ ହେବ, ଏଥିରେ ସଂଶୟ ନାହିଁ । ଅପିଚ ସହୋଦରଙ୍କ ମଧ୍ୟରେ ପ୍ରବଞ୍ଚନା ହେବ । ୩୮ । ତତ୍କାଳର ମନୁଷ୍ୟମାନେ ପଣ୍ଡିତାଭିମାନୀ ହୋଇ ସତ୍ୟକୁ ସଂକ୍ଷିପ୍ତ କରିବେ । ବୃଦ୍ଧମାନେ ବାଳକମତି ହେବେ ଓ ବାଳକମାନେ ସ୍ଥବିରମତି ହେବେ । ୩୯ । ଭୟାଳୁ ବ୍ୟକ୍ତିମାନେ ଶୂରାଭିମାନୀ ହେବେ । ଶୂରାମାନେ ଭୀରୁପ୍ରାୟ ବିଷଣ୍ଣ ହେବେ; କେହି କାହାକୁ ବିଶ୍ୱାସ କରିବେ ନାହିଁ । ୪୦ । କଳିଯୁଗ ଆଗତ ହେଲେ ଖାଦ୍ୟାଖାଦ୍ୟର ବିଚାର ରହିବ ନାହିଁ । ଏକତ୍ର ଭୋଜନ କରିବେ । ସବୁ ଲୋକେ ଏକ ପ୍ରକାର ଆହାର କରିବେ ଓ ମୋହ ଲୋଭର ଅନୁଗତ ହେବେ । ତତ୍କାଳରେ ଅଧର୍ମର ବୃଦ୍ଧି ହେବ ଓ ଧର୍ମର ପ୍ରବର୍ତ୍ତନ ହେବ ନାହିଁ । ୪୧ । ତତ୍କାଳରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ପ୍ରଭୃତି ବର୍ଣ୍ଣ ବିଭାଗ ରହିବ ନାହିଁ । ୪୨ । ଲୋକମାତ୍ରେ ଏକବର୍ଣ୍ଣ ହେବେ । ପିତା ପୁତ୍ରକୁ ଓ ପୁତ୍ର ପିତାଙ୍କୁ କ୍ଷମା କରିବ ନାହିଁ । ଭାର୍ଯ୍ୟା ପତି ଶୁଶ୍ରୂଷାରେ ରତ ହେବେ ନାହିଁ । ୪୩ । ଯେଉଁସବୁ ଦେଶରେ ଯବାନ୍ନ ଓ ଗୋଧୂମାନ୍ନ ପ୍ରଧାନ, ସେହିସବୁ ଦେଶରେ ଲୋକେ ବାସ କରିବେ । ୪୪ ।

 

ହେ ନରନାଥ ! ସ୍ତ୍ରୀ ଓ ପୁରୁଷ ସମସ୍ତେ ସ୍ୱେଚ୍ଛାଚାରୀ ହେବେ ଓ କେହି କାହାରି କୌଣସି ବିଷୟ ସହ୍ୟ କରିବେ ନାହିଁ । ୪୫ । ହେ ଯୁଧିଷ୍ଠିର ! ସେହି କାଳରେ ମାନବମାନେ ଶ୍ରାଦ୍ଧଦ୍ୱାରା ପିତୃ ଓ ଦେବଗଣଙ୍କର ତୃପ୍ତି ସାଧନ କରିବେ ନାହିଁ । ସମଗ୍ର ଜଗତ ମ୍ଲେଚ୍ଛୀଭୂତ ହେବ । କେହି କାହାରି ଶିଷ୍ୟ ହେବେ ନାହିଁ କି କେହି କାହାରି ଗୁରୁ ହେବେ ନାହିଁ । ନିଖିଳ ଲୋକ ତମୋଗୁଣାଶ୍ରୟୀ ହେବେ । ୪୭ । ତତ୍କାଳରେ ମନୁଷ୍ୟର ପରମାୟୁ ଷୋଳ ବର୍ଷ ହେବ । ଲୋକେ ଷୋଡ଼ଶ ବର୍ଷ ପରେ ପ୍ରାଣ ପରିତ୍ୟାଗ କରିବେ । ୪୮ । ପଞ୍ଚମ ବା ଷଷ୍ଠ ବର୍ଷବୟସ୍କା କନ୍ୟାମାନେ ପୁତ୍ର ପ୍ରସବ କରିବେ ଓ ସପ୍ତମ ବା ଅଷ୍ଟମ ବର୍ଷ ପୁରୁଷମାନେ ପୁତ୍ର ଉତ୍ପାଦନ କରିବେ । ୪୯ । ହେ ରାଜେନ୍ଦ୍ର ! ସେହି ଯୁଗାନ୍ତ କାଳରେ ସ୍ତ୍ରୀ ପ୍ରତି ପତିର ଓ ପତି ପ୍ରତି ସ୍ତ୍ରୀର ସନ୍ତୋଷ ରହିବ ନାହିଁ-। ୫୦ । ଲୋକଙ୍କର ଅଳ୍ପ ସମ୍ପତ୍ତି ହେବ । ବୃଥା ଧର୍ମଚିହ୍ନକୁ ଧାରଣ କରିବେ । ହିଂସାରେ ତାହାଙ୍କର ପ୍ରବୃତ୍ତି ହେବ । କେହି କାହାରି ଦାତା ହେବେ ନାହିଁ । ୫୧ । ଜନପଦବାସୀ ଅନ୍ନକଷ୍ଟରେ ଆର୍ତ୍ତ ହେବେ । ବ୍ରାହ୍ମଣୀମାନେ ଲମ୍ପଟ ଓ ବେଶ୍ୟାରତ ହେବେ । ପତ୍ନୀମାନେ ପତିଦ୍ୱେଷିଣୀ ହେବେ । ୫୨ । ମନୁଷ୍ୟମାନେ ମ୍ଲେଚ୍ଛାଚାରୀ ଓ ସର୍ବଭକ୍ଷ ଏବଂ ସକଳ କର୍ମରେ ନିଷ୍ଠୁର ହେବେ, ଏଥିରେ ସଂଶୟ ନାହିଁ । ୫୩ । ସମସ୍ତେ ଧନଲୋଭୀ ହୋଇ କ୍ରୟବିକ୍ରୟ ବେଳେ ପରସ୍ପରକୁ ବଞ୍ଚନା କରିବେ । ୫୪ । ଶାସ୍ତ୍ର ନ ଜାଣି କ୍ରିୟାକଳାପ କରିବେ ଓ ସବୁଲୋକ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବେ । ସମସ୍ତେ ସ୍ୱଭାବତଃ ନିଷ୍ଠୁର କର୍ମ କରିବେ । ୫୬ । ବ୍ୟଥା ରହିତ ହୋଇ ବୃକ୍ଷ ଓ ଆରାମମାନଙ୍କୁ ବିନଷ୍ଟ କରିବେ । ପ୍ରାଣୀମାନଙ୍କ ଜୀବନରେ ସର୍ବଦା ସଂଶୟ ଜନ୍ମିବ-। ୫୭ । ହେ ନୃପବର ! ତତ୍କାଳରେ ନୃପତିମାନେ ଲୋଭାଭିଭୂତ ହୋଇ ବ୍ରହ୍ମସ୍ୱ ଉପଭୋଗ କରିବେ ଓ ବ୍ରାହ୍ମଣମାନଙ୍କୁ ଅନାୟାସରେ ନିହତ କରିବେ । ୫୮ । ଦ୍ୱିଜମାନେ ଭୟାର୍ତ୍ତ ହୋଇ ଓ ଶୂଦ୍ରମାନେ ପ୍ରପୀଡ଼ିତ ହୋଇ ରକ୍ଷକ ଅଭାବରେ ହାହାକାର କରି ପୃଥିବୀରେ ପରିଭ୍ରମଣ କରିବେ-। ୫୯ । ତତ୍କାଳରେ ମନୁଷ୍ୟମାନେ ଅନ୍ୟର ଜୀବନ ବିନାଶ କରିବାରେ ରତ ହେବେ । ସେମାନଙ୍କର ସ୍ୱଭାବ ନିଷ୍ଠୁର ଓ ଭୟଙ୍କର ହେବ । ଯେଉଁ ସମୟରେ ଏପରି ହେବ, ସେହି ସମୟରେ ଯୁଗର ଶେଷ ହେଲା ବୋଲି ଜାଣିବ । ୬୦ । ହେ କୁରୁନନ୍ଦନ ! ଦ୍ୱିଜମାନେ ଦସ୍ୟୁଙ୍କଦ୍ୱାରା ପୀଡ଼ିତ ହୋଇ କାକପ୍ରାୟ ଶଙ୍କିତ ଓ ତ୍ରାସଯୁକ୍ତ ହୋଇ ନଦୀ, ପର୍ବତ ଓ ବିଷମ ସ୍ଥାନମାନଙ୍କୁ ପଳାୟନ କରି ସେଠାରେ ଆଶ୍ରୟ ଗ୍ରହଣ କରିବେ । ପ୍ରଧାନ ପ୍ରଧାନ ବ୍ରାହ୍ମଣମାନେ ମଧ୍ୟ ମନ୍ଦ ରାଜାଙ୍କର କରଭାରରେ ପ୍ରପୀଡ଼ିତ ହେବେ । ସେମାନେ ଧୈର୍ଯ୍ୟ ପରିତ୍ୟାଗ କରି ଶୂଦ୍ରଙ୍କର ସୁଦ୍ଧା ପରିଚାରକ ହୋଇ ନିନ୍ଦିତ କର୍ମଦ୍ୱାରା ଧନାର୍ଜନ କରିବେ । ୬୩ । ଶୂଦ୍ରମାନେ ଧର୍ମୋପଦେଶକ ହେବେ; ବ୍ରାହ୍ମଣମାନେ ତହିଁର ପ୍ରମାଣ ନିଶ୍ଚୟ କରି ଶୂଦ୍ରର ଉପାସନା କରିବେ । ୬୪ । ନୀଚ ବ୍ୟକ୍ତି ବଡ଼ ହେବେ । ସକଳ ସଂସାର ବିପରୀତ ଧର୍ମରେ ସମାକ୍ରାନ୍ତ ହେବ । ଲୋକମାନେ ଦେବତାଙ୍କୁ ପରିତ୍ୟାଗ କରି ଭିତ୍ତି ମଧ୍ୟରେ ଅସ୍ଥିରଖି ଅଥବା ଅସ୍ଥିଦ୍ୱାରା ଭିତ୍ତି ପରେ ରୂପ ଅଙ୍କିତ କରି ତାହାର ପୂଜା କରିବେ । ୬୫ । ଶୂଦ୍ରମାନେ ଦ୍ୱିଜମାନଙ୍କୁ ପରିଚର୍ଯ୍ୟା କରିବେ ନାହିଁ । ମହର୍ଷିମାନଙ୍କ ଆଶ୍ରମରେ ଓ ବ୍ରାହ୍ମଣମାନଙ୍କ ଚତୁଷ୍ପାଠୀରେ, ଦେବସ୍ଥାନରେ, ଯଜ୍ଞାୟତନରେ, ନାଗମାନଙ୍କ ଆଳୟରେ, ପୃଥିବୀରେ ଅସ୍ଥିଦ୍ୱାରା ଅଙ୍କିତ ରୂପମାନ ରହିବେ; ମାତ୍ର ଦେବଗୃହମାନ ରହିବ ନାହିଁ । ୬୭ ।

 

ଏହି ଯୁଗ କ୍ଷୀଣ ହୁଅନ୍ତେ ସେହି ଯୁଗାନ୍ତର ଲକ୍ଷଣମାନଙ୍କୁ କହିଲୁ । ତତ୍କାଳରେ ମନୁଷ୍ୟମାନେ କ୍ରୋଧୀ ଓ ଧର୍ମହୀନ ହେବେ, ମାଂସ ଭକ୍ଷଣ ଓ ମଦ୍ୟପାନ କରିବେ । ଏହିପରି ମନୁଷ୍ୟମାନେ ହେଲେ ଯୁଗ ସଂକ୍ଷିପ୍ତ ହେବ ଓ ତେତେବେଳେ ପୁଷ୍ପରୁ ପୁଷ୍ପ ଓ ଫଳରୁ ଫଳ ଜାତ ହେବ । ତେତେବେଳେ ଯୁଗର ଉପସଂହାର ହେବ । ଯୁଗ ଶେଷ ହେଲେ ମେଘ ଅକାଳରେ ବର୍ଷଣ କରିବ । ୭୦ । ମନୁଷ୍ୟମାନଙ୍କର କ୍ରିୟାକଳାପ କ୍ରମପୂର୍ବକ ହେବ ନାହିଁ । ଶୂଦ୍ରମାନେ ବ୍ରାହ୍ମଣମାନଙ୍କ ସହିତ ବିରୋଧ କରିବେ । ୭୧ । ଅନନ୍ତର ଅଚିର କାଳ ମଧ୍ୟରେ ପୃଥିବୀ ମ୍ଲେଚ୍ଛମାନଙ୍କଦ୍ୱାରା ସମାକୀର୍ଣ୍ଣ ହେବ । ବିପ୍ରମାନେ ତେତେବେଳେ କରଭାରରେ ଦିଗ୍‌ଦିଗନ୍ତରକୁ ପଳାୟନ କରିବେ । ୭୨ । ଦେଶର ସମସ୍ତ ଲୋକଙ୍କର ଆଚାର ବ୍ୟବହାରରେ ପ୍ରଭେଦ ରହିବ ନାହିଁ; ଅର୍ଥାତ୍ ସମସ୍ତଙ୍କର ଏକ ବ୍ୟବହାର ଓ ଆଚାର ହେବ । ଲୋକେ ଆପଣା କର୍ମରେ ବେତନ ନ ପାଇ ପୀଡ଼ିତ ହେବେ । ସେମାନେ ଅନ୍ୟ ଆଶ୍ରମକୁ ଆଶ୍ରମ କରି ଫଳମୂଳ ଆହାର କରି ଜୀବନଯାତ୍ରା ନିର୍ବାହ କରିବେ । ୭୩ । ଲୋକମାନେ ସମସ୍ତେ ଏହିପରି ପର୍ଯ୍ୟାକୁଳିତ ହେଲେ ଅବଧାରିତ କୌଣସି ନିୟମ ରହିବ ନାହିଁ । ଶିଷ୍ୟମାନେ ଅପ୍ରିୟକାରୀ ହୋଇ ଗୁରୁଙ୍କର ଉପଦେଶ ପାଳନ କରିବେ ନାହିଁ । ୭୪ । ଆଚାର୍ଯ୍ୟମାନେ ନିର୍ଦ୍ଧନ ହୋଇ ଲୋକଙ୍କଦ୍ୱାରା ନିନ୍ଦିତ ହେବେ । ମିତ୍ର, ସମ୍ବନ୍ଧୀ ଓ ବ୍ରାହ୍ମଣମାନେ ଧନ ଦେଇ ମିତ୍ରର କାର୍ଯ୍ୟ କରିବେ । ୭୫ ।

 

କାହାରି ଅଭାବ ମୋଚନ ହେବ ନାହିଁ । ତଦନନ୍ତର ଦିଗମାନେ ପ୍ରଜ୍ୱଳିତ ହେବେ ଓ ଜ୍ୟୋତିର୍ଗଣ ପ୍ରଖର କିରଣ ପ୍ରଦାନ କରିବେ । ନକ୍ଷତ୍ର ମଣ୍ଡଳ ପ୍ରଭାହୀନ ହେବ । ସମୀରଣ ସୁଖରେ ବହିବ ନାହିଁ । ବହୁସଂଖ୍ୟକ ଉଲ୍‌କାପାତ ହୋଇ ମହାଭୟର ସୂଚନା ଦେବ । ୭୭ । ଏକାବେଳକେ ସପ୍ତସୂର୍ଯ୍ୟ ଉତ୍ତାପ ପ୍ରଦାନ କରିବେ । ଓ ସର୍ବତ୍ର ତୁମୁଳ ନିର୍ଘୋଷ ଶ୍ରୂତ ହେବ । ଦିଗମାନେ ଦହ୍ୟମାନ ହେଉଥିବେ । ୭୮ । ତତ୍କାଳରେ ଉଦୟାସ୍ତ ସମୟରେ ରାହୁଦ୍ୱାରା ଦିବାକର ଆଚ୍ଛାଦିତ ହେବେ । ସହସ୍ର-ଲୋଚନ ଭଗବାନ ଇନ୍ଦ୍ର ଯଥା ସମୟରେ ବର୍ଷଣ କରିବେ ନାହିଁ । ୭୯-। ସୁତରାଂ ଶସ୍ୟ ମଧ୍ୟ ଜନ୍ମିବ ନାହିଁ । ୭୯ । ସ୍ତ୍ରୀମାନେ ପୁନଃ ନିଷ୍ଠୁର ଭାଷିଣୀ ହେବେ । ନିର୍ଦ୍ଦୟା ହୋଇ ରୋଦନ କରିବାରେ ତତ୍ପର ହେବେ । ୮୦ । ସେମାନେ ପତିବାକ୍ୟ ପାଳନ କରିବେ ନାହିଁ-। ପୁତ୍ରମାନେ ପିତା ଓ ମାତାଙ୍କୁ ବଧ କରିବେ । ସ୍ତ୍ରୀମାନେ ପତି ଓ ପୁତ୍ରମାନଙ୍କର ଆଶ୍ରୟରେ ନ ରହି ସେମାନଙ୍କୁ ହିଂସା କରିବେ । ତତ୍କାଳରେ ରାହୁ ପର୍ବଦିନ ବ୍ୟତିରେକେ ଅନ୍ୟ ଦିନରେ ସୁଦ୍ଧା ଦିବାକରଙ୍କୁ ଗ୍ରାସ କରିବେ । ୮୨ । ସବୁଠାରେ ଅଗ୍ନି ପ୍ରଜ୍ୱଳିତ ହେଉଥିବ । ପଥିକମାନେ ଅନ୍ନ, ପାନ ଓ ବାସସ୍ଥାନ ଯାଞ୍ଚ କରି ସୁଦ୍ଧା ପ୍ରାପ୍ତ ହେବେ ନାହିଁ । ପରିଶେଷଷର ନିରସ୍ତ ହୋଇ ବାଟରେ ଶୋଇ ରହିବେ । କାକ, ଶକୁନ ଓ ନାଗ ପ୍ରଭୃତି ପଶୁପକ୍ଷୀମାନେ ଭୀଷଣ ଶବ୍ଦ କରିବେ । ୮୩ । ମନୁଷ୍ୟମାନେ ମିତ୍ର, କୁଟୁମ୍ବ ଓ ପରିଜନଙ୍କୁ ପରିତ୍ୟାଗ କରିବେ । ୮୫ । ଦେଶରୁ ଦେଶାନ୍ତର, ଏକ ଦିଗରୁ ଅନ୍ୟ ଦିଗକୁ ଓ ଏକ ନଗରକୁ ଛାଡ଼ି କ୍ରମଶଃ ଅନ୍ୟ ନଗରରେ ଆଶ୍ରୟ ଗ୍ରହଣ କରିବେ । ପରସ୍ପର ପରସ୍ପରକୁ ଲକ୍ଷ୍ୟକରି ହା ତାତ ! ହା ପୁତ୍ରଃ ! ଏହିପରି ଅନ୍ୟଦିଗକୁ ଓ ଏକ ନଗରକୁ ଛାଡ଼ି କ୍ରମଶଃ ଅନ୍ୟ ନଗରରେ ଆଶ୍ରୟ ଗ୍ରହଣ କରିବେ । ଏହିପରି ଦାରୁଣ ବାକ୍ୟସବୁ ଉଚ୍ଚାରଣ କରି ପୃଥିବୀ ପର୍ଯ୍ୟଟନ କରିବେ । ୮୮ । ଯୁଗାନ୍ତ ସମୟରେ ଏହିପରି ତୁମୁଳ ସଂଘାତ ଉପସ୍ଥିତ ହେବ । ତଦନନ୍ତର ଯୁଗାନ୍ତ ସମୟ ଅତୀତ ହେଲେ, ପୁନର୍ବାର ବ୍ରାହ୍ମଣ, କ୍ଷତ୍ରିୟ ପ୍ରଭୃତି ବର୍ଣ୍ଣମାନଙ୍କର ଆଚାର ବ୍ୟବସ୍ଥା ହେବ । ତୁମୁଳ ଯୁଗକ୍ଷୟ ପରେ କାଳାନ୍ତରରେ ଲୋକେ ଆପଣାର ବୃଦ୍ଧି ନିମିତ୍ତ ଦୈବାଧୀନ ହେବେ । ଦୈବ ଅନୁକୂଳ ହେଲେ ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଓ ବୃହସ୍ପତି ଏହି ତିନି ଗ୍ରହ ପୁଷ୍ୟା ନକ୍ଷତ୍ରରେ ଏକ ରାଶିରେ ରହିବେ, ତେତେବେଳେ ପୁନର୍ବାର ସତ୍ୟଯୁଗ ପ୍ରବୃତ୍ତ ହେବ । ତେତେବେଳେ ଯଥା– ସମୟରେ ପର୍ଜନ୍ୟ ବର୍ଷଣ କରିବ ଓ ନକ୍ଷତ୍ରମାନେ ଭୟଙ୍କର ହେବେ । ୮୯ । ଗ୍ରହମାନେ ଯଥାକ୍ରମରେ ଗମନ କରି ଅନୁକୂଳ ହେବେ । ସୁଭିକ୍ଷ, ଆରୋଗ୍ୟ, ନିରାମୟ ଉପସ୍ଥିତ ହେବ । ବିଷ୍ଣୁ ଓ ଯଶା-ବଂଶୀୟ, କଳ୍‌କୀ ନାମରେ ବ୍ରାହ୍ମଣ କାଳ-ପ୍ରେରିତ ହୋଇ ଜନ୍ମ ହେବେ । ଶମ୍ଭଳ ଗ୍ରାମରେ ବ୍ରାହ୍ମଣ ଗୃହରେ ସେହି କଳ୍‌କୀ ମହାବୁଦ୍ଧିମାନ ଓ ମହାପରାକ୍ରମଶାଳୀ ହେବେ । ତାହାଙ୍କ କଳ୍ପନାନୁସାରେ ବାହନ, ଅସ୍ତ୍ରଶସ୍ତ୍ର ଓ କବଚ ଏବଂ ଯୋଦ୍ଧାମାନେ ଉପସ୍ଥିତ ହେବେ । ସେ ଧର୍ମବିଜୟୀ ଚକ୍ରବର୍ତ୍ତୀ ରାଜା ହୋଇ ସେହି ଲୋକଙ୍କ ପ୍ରତି ପ୍ରସନ୍ନ ହେବେ । ତାଙ୍କର ବୁଦ୍ଧି ଉଦାର ହେବ ଓ ସେ ତେଜରେ ପ୍ରଜ୍ୱଳିତ ହେବେ । ସମସ୍ତ ଜଗତର ସଂହାର ପରେ ବ୍ରାହ୍ମଣ ରୂପ ଧରି ଯୁଗକ୍ଷୟର ପରିବର୍ତ୍ତନ କରିବେ । ତତ୍କାଳରେ ସେ ବ୍ରାହ୍ମଣଙ୍କଦ୍ୱାରା ପରିବୃତ୍ତ ହୋଇ ସର୍ବତ୍ର ସର୍ବମ୍ଳେଚ୍ଛଙ୍କୁ ଉଚ୍ଛନ୍ନ କରିବେ । ୯୬ ।

 

॥ ଅଧ୍ୟାୟ – ୧୯୧ ॥

 

ମାର୍କଣ୍ଡେୟ କହିଲେ, ତଦନନ୍ତର ସେ ଦସ୍ୟୁମାନଙ୍କୁ ବିନାଶ କରି ବିଧିପୂର୍ବକ ମହାଯଜ୍ଞ ଅଶ୍ୱମେଧକୁ ଲକ୍ଷ୍ୟକରି ଦ୍ୱିଜଗଣଙ୍କୁ ଏହି ପୃଥିବୀ ଦାନ କରିବେ । ସ୍ୱୟମ୍ଭୁ ବ୍ରହ୍ମାଙ୍କର ହିତକର ମର୍ଯ୍ୟାଦା ସଂସ୍ଥାପନ କରି ପୁଣ୍ୟ ସଞ୍ଚୟ କରିବେ ଓ ଯଶଃ ବିସ୍ତାର କରି ପଛକୁ ରମଣୀୟ ବନ ମଧ୍ୟରେ ପ୍ରବିଷ୍ଟ ହେବେ । ୨ । ଲୋକବାସୀ ମନୁଷ୍ୟମାନେ ଯେତେବେଳେ ତାହାଙ୍କ ଚରିତ୍ରର ଅନୁବର୍ତ୍ତୀ ହେବେ । ବିପ୍ରମାନେ ଦସ୍ୟୁ ନାଶ କରିବାରୁ ଦେଶର ମଙ୍ଗଳ ହେବ । ଦ୍ୱିଜବର କଳ୍‌କୀ ଜନପଦମାନଙ୍କୁ ଜୟକରି ସେହି ସବୁ ବିଜିତ ଦେଶରେ କୃଷ୍ଣାଜିନ, ଶକ୍ତି ଓ ତ୍ରିଶୂଳ ପ୍ରଭୃତି ଆୟୁଧ ସଂସ୍ଥାପନ କରିବେ । ଅନ୍ୟ ବିପ୍ରମାନେ ତାହାଙ୍କର ସ୍ତବ କରିବେ । କଳ୍‌କୀ ସେମାନଙ୍କର ସମ୍ମାନ ରକ୍ଷାକରି ନିରନ୍ତର ପୃଥିବୀ ବିଚରଣ ପୂର୍ବକ ଦସ୍ୟୁବଧରେ ରତ ହେବେ । ଦସ୍ୟୁମାନେ ବାପ ରେ ! ମା ରେ ! ପୁଅ ରେ ! ଏହିପରି ଦାରୁଣ ବାକ୍ୟ କହି ଅତିଶୟ ରୋଦନ କରିବେ । ୬ । କିନ୍ତୁ କଳ୍‌କୀ ସେମାନଙ୍କୁ ସଂହାର କରିବେ । ହେ ଭାରତ ! କୃତ ଯୁଗ ଉପସ୍ଥିତ ହେଲେ ଅଧର୍ମର ବିନାଶ ଓ ଧର୍ମର ବୃଦ୍ଧି ହେବ । ଲୋକେ ପୁନଶ୍ଚ କ୍ରିୟାବାନ ହେବେ । ୭ ।

 

ସତ୍ୟଯୁଗରେ ଆରାମ, ଯଜ୍ଞସ୍ଥାନ, ଚତୁଷ୍ପାଠୀ, ତଡ଼ାଗ, ବିବିଧ ପୁଷ୍କରିଣୀ, ଦେବତାୟତନ ଓ ନାନାବିଧ ଯଜ୍ଞ ଓ କ୍ରିୟାକଳାପ ଖନିତ ଏବଂ ନିର୍ମିତ ହେବ; ନାନାବିଧ ଯଜ୍ଞ ଓ କ୍ରିୟାକଳାପ ଅନୁଷ୍ଠିତ ହେବ । ପ୍ରଜାମାନେ ବ୍ରହ୍ମପରାୟଣ, ସାଧୁ, ମୁନି ଓ ତପସ୍ୱୀ ହେବେ । କି ଆଶ୍ରମୀ, କି ଆଶ୍ରମଭ୍ରଷ୍ଟ ସମସ୍ତେ ସତ୍ୟବ୍ୟବହାରୀ ହେବେ । ୮ । ବୀଜମାନଙ୍କୁ ରୋପଣ କଲାକ୍ଷଣି ସେମାନେ ଅଙ୍କୁରିତ ହେବେ । ସବୁ ଋତୁରେ ଶସ୍ୟସବୁ ଜାତ ହେବ । ଦାନ, ବ୍ରତ ଓ ନିମୟରେ ମନୁଷ୍ୟମାନେ ନିରତ ହେବେ, ବ୍ରାହ୍ମଣମାନେ ଧର୍ମାର୍ଥୀ ହେବେ ଏବଂ ସେମାନେ ହର୍ଷଯୁକ୍ତ ହୋମ-ଜପ-ଯଜ୍ଞ- ପରାୟଣ ହେବେ । କ୍ଷତ୍ରିୟମାନେ ଧର୍ମାନୁସାରେ ବସୁନ୍ଧରାକୁ ପାଳନ କରିବେ । ୧୨ । ବୈଶ୍ୟମାନେ ଯଥୋଚିତ ବ୍ୟବହାରରେ ରତ ହେବେ । ବିପ୍ରମାନେ ଷଟ୍‌କର୍ମରେ ନିରତ ହେବେ ଏବଂ ଶୂଦ୍ରମାନେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟଙ୍କର ଶୁଶ୍ରୂଷାରେ ତତ୍ପର ହେବେ । ହେ ରାଜେନ୍ଦ୍ର ପାଣ୍ଡବ-! ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଯୁଗର ଧର୍ମ ଓ ଯୁଗସଂଖ୍ୟା ତୁମ୍ଭ ନିକଟରେ ବର୍ଣ୍ଣନା କଲୁ-। ୧୪ । ହେ ରାଜନ୍‌ ! ବାୟୁପୁରାଣ କଥିତ, ଋଷିସଂସ୍ତୁତ ଅତୀତ ଓ ଅନାଗତ ବିଷୟମାନଙ୍କୁ ତୁମ୍ଭ ନିକଟରେ ବ୍ୟକ୍ତ କଲୁ । ଆମ୍ଭେ ଚୀରଜୀବୀ ହୋଇ ଏହିପରି ସଂସାରର ଗତି ଯାହାକି ବହୁତ ଥର ଦର୍ଶନ ଓ ଅନୁଭବ କରିଥିଲୁ, ତହା ତୁମ୍ଭ ନିକଟରେ ପ୍ରକାଶ କରି କହିଲୁ । ୧୭ । ହେ ଧାର୍ମିକଶ୍ରେଷ୍ଠ-! ତୁମ୍ଭେ ଭ୍ରାତାମାନଙ୍କ ସହିତ ଧର୍ମ ବିଷୟରେ ସଂଶୟ ଦୂର କରିବା ନିମିତ୍ତ ଆମ୍ଭଠାରୁ ଅନ୍ୟ କଥା ଶ୍ରବଣ କର । ୧୮ । ତୁମ୍ଭେ ନିତ୍ୟ ଆତ୍ମାକୁ ଧର୍ମରେ ଯୋଜନା କରିବ; ଯେ ହେତୁରୁ ଧର୍ମାତ୍ମା ପୁରୁଷ ଇହ ଓ ପରଲୋକ ଦୁଇଠାରେ ସୁଖ ଲାଭ କରେ । ୧୯ ।

 

ହେ ପୁଣ୍ୟଶୀଳ ! ଆମ୍ଭେ ଆଉ ଯେଉଁ କଲ୍ୟାଣକର ବିଷୟ ତୁମ୍ଭଙ୍କୁ କହିବୁ, ତାହା ମଧ୍ୟ ଶ୍ରବଣ କର । ତୁମ୍ଭେ ବ୍ରାହ୍ମଣଙ୍କୁ କଦାଚ ପରିଭବ କରିବ ନାହିଁ; ଯେହେତୁରୁ ବ୍ରାହ୍ମଣ କୁପିତ ହେଲେ ପ୍ରତିଜ୍ଞାଦ୍ୱାରା ସମସ୍ତ ଲୋକ ବିନାଶ କରିପାରନ୍ତି । ୨୦ । ବୈଶମ୍ପାୟନ କହିଲେ, ଅତିଶୟ ତେଜସ୍ୱୀ, ବୁଦ୍ଧିମାନ୍‌, କୁରୁଶ୍ରେଷ୍ଠ ଯୁଧିଷ୍ଠିର ମାର୍କଣ୍ଡେୟଙ୍କର ବାକ୍ୟ ଶ୍ରବଣ କରି କହିଲେ, ହେ ମହାମୁନେ ! ଆମ୍ଭଙ୍କୁ ପ୍ରଜାରକ୍ଷା କରିବାକୁ ହେଲେ ଆମ୍ଭେ କେଉଁ ଧର୍ମରେ ଅବସ୍ଥାନ କରିବା ଉଚିତ ଓ କି ପ୍ରକାର ଆଚରଣ କଲେ ଆପଣାର ଧର୍ମରକ୍ଷା ହେବ । ୨୩ । ମାର୍କଣ୍ଡେୟ କହିଲେ ! ମହାରାଜ ! ସର୍ବପ୍ରାଣୀଙ୍କ ପ୍ରତି ଦୟାବାନ୍‌, ହିତକର, ଅନୁରକ୍ତ ଓ ଅସୂୟାଶୂନ୍ୟ ହୁଅ । ସତ୍ୟବାଦୀ, କୋମଳ ସ୍ୱଭାବ ଓ ଦମଯୁକ୍ତ ହୁଅ । ଅଧର୍ମକୁ ତ୍ୟାଗକରି ଧର୍ମଦ୍ୱାରା ପ୍ରଜାରକ୍ଷଣ କର । ପିତୃଗଣ ଓ ଦେବଗଣଙ୍କର ପୂଜା କର । ୨୪ । ଅଜ୍ଞାତରେ ଯଦି କୌଣସି କାର୍ଯ୍ୟ କରାଯାଏ, ତେବେ ଦାନଦ୍ୱାରା ତାହାକୁ ଜୟ କର । ସର୍ବଦା ଅଭିମାନ ତ୍ୟାଗକରି ଶୀଳସମ୍ପନ୍ନ ହୁଅ । ସମୁଦାୟ ବସୁନ୍ଧରାକୁ ଜୟକରି ଶୀଳ, ହୃଷ୍ଟ ଓ ସୁଖୀ ହୁଅ । ଆମ୍ଭେ ଏହି ଭୂତ ଭବିଷ୍ୟ ଧର୍ମ ତୁମ୍ଭ ନିକଟରେ କୀର୍ତ୍ତନ କଲୁ । ୨୬ । ପରନ୍ତୁ ଅତୀତ କି ଅନାଗତ କୌଣସି କଥା ତୁମ୍ଭଙ୍କୁ ଅବିଦିତ ନାହିଁ । ଅତଏବ ହେ ବତ୍ସ ! ଏହି ବନବାସଜନିତ କ୍ଳେଶକୁ ତୁମ୍ଭେ ମନରେ ଧରିବ ନାହିଁ । ୨୭ । ପ୍ରାଜ୍ଞ ବ୍ୟକ୍ତିମାନେ କାଳଦ୍ୱାରା ପୀଡିତ ହେଲେ ହେଁ ମୁଗ୍ଧ ହୁଅନ୍ତି ନାହିଁ । ହେ ମହାବାହୋ ! ଦେବତାମାନେ ମଧ୍ୟ ଏହି କାଳକୁ ଅତିକ୍ରମ କରି ପାରନ୍ତି ନାହିଁ । ସବୁ ପ୍ରଜା କାଳପ୍ରେରିତ ହୋଇ ମୋହିତ ହୁଅନ୍ତି । ତୁମ୍ଭର ଭାବ ବିଶୁଦ୍ଧ ଅଟେ । ଆମ୍ଭେ ଯାହା କହିଲୁ, ଏଥିରେ ତୁମ୍ଭେ କୌଣସି ଆଶଙ୍କା କର ନାହିଁ । ଆମ୍ଭର ଏହି ବାକ୍ୟରେ ଆଶଙ୍କା ହେଲେ ତୁମ୍ଭର ଧର୍ମ ନଷ୍ଟ ହୋଇପାରେ ।

 

ହେ ଭରତବର୍ଷଭ ! ସୁବିଖ୍ୟାତ କୁରୁବଂଶରେ ତୁମ୍ଭେ ଜନ୍ମ ପରିଗ୍ରହ କରିଅଛ । ଅତଏବ ତୁମ୍ଭେ କାୟମନୋବାକ୍ୟରେ ଆମ୍ଭ କଥା ଅନୁସାରେ ଆଚରଣ କର । ୩୧ । ଯୁଧିଷ୍ଠିର କହିଲେ, ହେ ପ୍ରଭୋ ! ଆପଣ ବିପ୍ରଶେଷ୍ଠ ଅଟନ୍ତି, ଆପଣ ଯେଉଁ ବାକ୍ୟ କହିଲେ, ତାହା ଶୁଣିବାକୁ ଅତି ମନୋହର । ୩୨ । ତାହା ଶୁଣି ଆମ୍ଭେ ଆପଣଙ୍କ ଆଜ୍ଞାନୁସାରେ ଯତ୍ନପୂର୍ବକ ଆଚରଣ କରିବୁ । ହେ ବିପ୍ରଶ୍ରେଷ୍ଠ ! ଆମ୍ଭର ଲୋଭ, ଭୟ ବା ମାତ୍ସର୍ଯ୍ୟ ନାହିଁ । ଆପଣ ଆମ୍ଭଙ୍କୁ ଯାହା କହିଲେ, ଆମ୍ଭେ ତଦନୁସାରେ କାର୍ଯ୍ୟ କରିବୁ, ଏଥିରେ କିଛି ସଂଶୟ ନାହିଁ । ବୈଶମ୍ପାୟନ କହିଲେ, ହେ ରାଜନ୍‌ ! କୃଷ୍ଣ, ପାଣ୍ଡବଗଣ ଓ ସବୁ ବିପ୍ରର୍ଷି ସମାଗତ ହୋଇ ସେଠାରେ ଅବସ୍ଥାନ କରିଥିଲେ । ସେମାନେ ଧୀସମ୍ପନ୍ନ ମାର୍କଣ୍ଡେୟଙ୍କ ବଚନ ଶ୍ରବଣ କରି ପରମାହ୍ଲାଦିତ ହେଲେ ଓ ତାହାଙ୍କ ଠାରୁ ପୁରାତନ ଶୁଭବୃତ୍ତାନ୍ତ ଶ୍ରବଣ କରି ବିସ୍ମିତ ହେଲେ ।

 

॥ ଅଧ୍ୟାୟ – ୧୯୨ ॥

 

ଜନମେଜୟ କହିଲେ– ହେ ବ୍ରହ୍ମନ୍‌ ! ଆପଣ ପୁନର୍ବାର ବ୍ରାହ୍ମଣମାନଙ୍କ ମହାତ୍ମ୍ୟ ମହାଭାଗ୍ୟ ବର୍ଣ୍ଣନ କରନ୍ତୁ । ଯାହା ମହାତପା ମାର୍କଣ୍ଡେୟ ପାଣ୍ଡବମାନଙ୍କ ନିକଟରେ କହିଥିଲେ, ସେହି କଥାମାନଙ୍କୁ କହିବା ହେଉନ୍ତୁ । ୧ । ବୈଶମ୍ପାୟନ କହିଲେ, ପାଣ୍ଡୁସୂତ ଯୁଧିଷ୍ଠିର ମାର୍କଣ୍ଡେୟଙ୍କୁ କହିଲେ, ଆପଣ ପୁନର୍ବାର ବ୍ରାହ୍ମଣମାନଙ୍କ ମହାତ୍ମ୍ୟ ବର୍ଣ୍ଣନ କରନ୍ତୁ ।

 

ପରେ ମାର୍କଣ୍ଡେୟ କହିଲେ, “ଆମ୍ଭେ ବ୍ରହ୍ମର୍ଷିମାନଙ୍କ ପୂର୍ବ ଚରିତ୍ର କହୁଅଛ, ଅବହିତ ହୋଇ ଶ୍ରବଣ କର । ୨ । ଅଯୋଧ୍ୟାରେ ପରୀକ୍ଷିତ ନାମରେ ଇକ୍ଷ୍ୱାକୁବଂଶରେ ଜଣେ ରାଜା ଥିଲେ-। ଏକଦା ସେ ମୃଗୟା କରିବାକୁ ଗମନ କରିଥିଲେ । ୩ । ଅଶ୍ୱାରୋହଣ ପୂର୍ବକ ମୃଗର ଅନୁସରଣ କରି ଅନେକ ଦୂରରେ ଉପସ୍ଥିତ ହେଲେ । ୪ । ଅନନ୍ତର ପଥଶ୍ରାନ୍ତ ଓ କ୍ଷୁଧା ପିପାସାରେ ଅଭିଭୂତ ହୋଇ ଗୋଟିଏ ନୀଳିମ ନିବିଡ ବନ ଦେଖିଲେ । ୫ । ତନ୍ମଧ୍ୟରେ ସେ ପ୍ରବେଶ କଲେ । ସେହି ବନ ମଧ୍ୟରେ ଅତିଶୟ ରମଣୀୟ ଗୋଟିଏ ସରୋବର ଦେଖି ତହିଁରେ ଅଶ୍ୱସହ ଅବଗାହନ କଲେ-। ୬ । ଶ୍ରମ ଦୂର ହୁଅନ୍ତେ ଅଶ୍ୱ ସମ୍ମୁଖରେ ପଦ୍ମକେଶର ଓ ମୃଣାଳ ଗୁଡିଏ ଆଣି ପକାଇଲେ-। ତତ୍ପରେ ସ୍ୱୟଂ ଉପବେଶନ କଲେ ଏବଂ ନିଦ୍ରା ଆସିବାରେ ଶୟନ କଲେ । ଏମନ୍ତ ସମୟରେ ଗୋଟିଏ ମଧୁର ସଙ୍ଗୀତ ଧ୍ୱନି ତାହାଙ୍କ କର୍ଣ୍ଣକୁହରରେ ପ୍ରବିଷ୍ଟ ହେଲା । ୭ । ତାହା ଶୁଣି ସେ ଚିନ୍ତା କଲେ, ଏଠାରେ ମନୁଷ୍ୟର ଗତି ନାହିଁ, ତେବେ କିଏ ଏ ଗୀତ ଗାଉଅଛି-? ୮ । କ୍ଷଣକାଳ ପରେ ସେ ଦେଖିଲେ ଯେ ପରମରୂପବତୀ, ଶୋଭାନାଙ୍ଗୀ ଗୋଟିଏ କନ୍ୟା ଗୀତ ଗାଇ ଫୁଲ ତୋଳୁଅଛି । ଏହି ସମୟରେ ସେହି କନ୍ୟା ରାଜାଙ୍କ ସମୀପରେ ଉପନୀତ ହେଲେ ।

 

ରାଜା ତାହାଙ୍କୁ ପଚାରିଲେ, “ଭଦ୍ରେ ! ତୁମ୍ଭେ କିଏ ? କାହାର କନ୍ୟା ? ସେ ଉତ୍ତର କଲେ, ଆମ୍ଭେ କନ୍ୟା, ଅବିବାହିତା । ରାଜା କହିଲେ, “ଆମ୍ଭେ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛୁ” । ୧୦ । ପରେ କନ୍ୟା କହିଲେ, ଆପଣ ଗୋଟିଏ ପ୍ରତିଜ୍ଞା କଲେ ଆମ୍ଭଙ୍କୁ ଲାଭ କରିପାରିବେ ନତୁବା ପାରିବେ ନାହିଁ । ରାଜା ତାହାଙ୍କୁ ପ୍ରତିଜ୍ଞା ବିଷୟ ପଚାରିଲେ । ତହିଁରେ କନ୍ୟା କହିଲା, “ଆମ୍ଭଙ୍କୁ ଜଳ ଦେଖାଇବେ ନାହିଁ” । ୧୧ । ରାଜା ତାହା ସ୍ୱୀକାର କରି ସେ କନ୍ୟାର ପାଣିଗ୍ରହଣ କଲେ । ରାଜା ପରୀକ୍ଷିତ ଏହିପରି ବିବାହ କରି ଆହ୍ଲାଦ ପୂର୍ବକ କ୍ରୀଡା କରି କନ୍ୟା ସହିତ ଏକତ୍ର ମୌନଭାବରେ ସଙ୍ଗତ ହୋଇ ସେହି ସ୍ଥାନରେ ବାସ କରି ରହିଲେ । ୧୨ । ତଦନନ୍ତର ରାଜା ସେହିଠାରେ ବାସ କରୁଅଛନ୍ତି, ଏମନ୍ତ ସମୟରେ ତାହାଙ୍କର ସେନାମାନେ ଚାଲି ଚାଲି ଆସି ସେଠାରେ ଉପସ୍ଥିତ ହେଲେ । ୧୩ । ସେମାନେ ତାହାଙ୍କୁ ଦେଖି ବେଷ୍ଟନ କରି ଛିଡା ହୋଇ ରହିଲେ । ସେନାମାନଙ୍କୁ ଦେଖି ରାଜା ଆଶ୍ୱସ୍ତ ହେଲେ । ପରେ ସେହି କନ୍ୟା ସହିତ ଗୋଟିଏ ମନୋହର ଶିବିକାରେ ଆରୋହଣ କରି ରାଜା ନିଜ ନଗରକୁ ପ୍ରତ୍ୟାଗମନ କଲେ । ସେଠାରେ ସେ ନିର୍ଜ୍ଜନରେ ସେହି କନ୍ୟା ସହିତ ବାସ କଲେ । ୧୪ । ତଦବଧି କୌଣସି ନିକଟସ୍ଥ ବ୍ୟକ୍ତି ମଧ୍ୟ ରାଜାଙ୍କ ଦେଖାପାନ୍ତି ନାହିଁ । ଦିନେ ତାହାଙ୍କର ପ୍ରଧାନମନ୍ତ୍ରୀ ରାଜାଙ୍କ ପରିଚାରିକାମାନଙ୍କୁ ପଚାରିଲେ, ୧୫ । ଏଠାରେ ତୁମ୍ଭ ମାନଙ୍କର କି ପ୍ରୟୋଜନ ? ସେମାନେ ଉତ୍ତର କଲେ–୧୬ । ଆମ୍ଭେମାନେ ଗୋଟିଏ ଅପୂର୍ବ ନାରୀକୁ ଦେଖିଅଛୁ । ସେ କହିଥିଲା ଯେ, ତାହାକୁ ଜଳ ଦେଖାଇବ ନାହିଁ । ରାଜା ତାହା ସ୍ୱୀକାର କରି ତାହା ସହିତ କ୍ରୀଡା କରୁଅଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ଏହିକଥା ଶ୍ରବଣ କରି ବହୁ ପୁଷ୍ପଫଳରେ ପରିପୂର୍ଣ୍ଣ ଗୋଟିଏ ବନ ମଧ୍ୟରେ ଗୋଟିଏ ବାପୀ ନିର୍ମାଣ କରାଇଲେ । ତାହା ପାର୍ଶ୍ୱରେ ମୁକ୍ତାଜାଲ ଶୋଭା ପାଉଥାଏ । ପୁନଶ୍ଚ ସେହି ବାପୀ ସୁଧାରେ ଲିପ୍ତ ହୋଇଥାଏ । ଏହିପରି କରି ଗୋପନରେ ରାଜାଙ୍କୁ ଯାଇ କହିଲେ । ୧୭ । ଏହି ବନ ଅତି ରମଣୀୟ । ତୁମ୍ଭେ ଏଠାରେ କ୍ରୀଡା କର । ୧୮ ।

 

ରାଜା ତାହାଙ୍କ ବଚନ ଶ୍ରବଣ କରି ରାଣୀଙ୍କ ସହିତ ସେହି ବଣରେ ପ୍ରବିଷ୍ଟ ହେଲେ । ଦିନକରେ ରାଜା ସେହି ରମ୍ୟ କାନନରେ ରାଣୀଙ୍କ ସହିତ ବିହାର କରୁଥିଲେ । ଏମନ୍ତ ସମୟରେ କ୍ଷୁଧା ଓ ତୃଷାରେ ପୀଡିତ ହୋଇ ଗୋଟିଏ ମନୋହର ମାଧବୀଲତାର କୁଞ୍ଜ ଦେଖିଲେ । ୧୯ । ତତ୍ପରେ ପ୍ରିୟାଙ୍କ ସହିତ ତହିଁରେ ପ୍ରବେଶ କରି ସୁଧାସମ ଜଳ ପରିପୂର୍ଣ୍ଣା ସେହି ବାପୀକୁ ଦେଖିଲେ-। ରାଜା ତାହାକୁ ଦେଖି ସୁଦ୍ଧା ରାଣୀଙ୍କ ସହିତ ତାହା ତୀରରେ ଅବସ୍ଥାନ କଲେ । ୨୧ । ତତ୍ପରେ ରାଜା ତାହାଙ୍କୁ କହିଲେ, ତୁମ୍ଭେ ଏହି ବାପୀଜଳରେ ସୁଖରେ ଅବତରଣ କର । ରାଜାଙ୍କ କଥା ଶୁଣି ସେ ଜଳ ମଧ୍ୟରେ ଅବତରଣ କରି ନିମଗ୍ନ ହେଲେ ଓ ଆଉ ସେଠାରୁ ଉଠିଲେ ନାହିଁ । ୨୨ । ତତ୍ପରେ ରାଜା ତାହାଙ୍କ ଅନ୍ୱେଷଣ ନିମିତ୍ତ ବାପୀର ଜଳକୁ ନିଷ୍କାସିତ କରି ଶୁଖାଇଦେଲେ । ପରିଶେଷରେ ତଳେ ଗୋଟିଏ ଗର୍ତ୍ତ ମୁଖରେ ଗୋଟିଏ ବେଙ୍ଗ ଦେଖିଲେ । ତତ୍ପରେ କୁପିତ ହୋଇ ଭୃତ୍ୟମାନଙ୍କୁ ଆଜ୍ଞା ଦେଲେ, “ଅଦ୍ୟାବଧି ତୁମ୍ଭେମାନେ ସର୍ବତ୍ର ଭେକମାନଙ୍କୁ ବଧ କର ଓ ଯେ ଆମ୍ଭ ନିକଟକୁ ଆସି କିଛି ପ୍ରାର୍ଥନା କରିବ, ସେ ମୃତ ମଣ୍ଡୂକକୁ ତାକୁ ଦେଇ ଆମ୍ଭ ସମୀପକୁ ଆସିବା ପାଇଁ କହିବେ । ଅନନ୍ତର ସବୁଠାରୁ ନିଦାରୁଣ ଭେକବଧ ଆରମ୍ଭ ହେଲା । ମଣ୍ଡୂକମାନେ ସମସ୍ତେ ଭୀତ ହେଲେ । ଭେକମାନେ ଭୟାର୍ତ୍ତ ହୋଇ ତାହାଙ୍କ ରାଜାଙ୍କୁ ଏହି ବଧବୃତ୍ତାନ୍ତ ନିବେଦନ କଲେ-। ୨୫ । ତଦନନ୍ତର ମଣ୍ଡୂକରାଜ ତପସ୍ୱୀ ବେଶଧାରୀ ହୋଇ ରାଜାଙ୍କ ନିକଟକୁ ଆଗମନ କଲେ ଓ ସମୀପକୁ ଯାଇ କହିଲେ, “ହେ ରାଜନ୍‌ ! ଆପଣ କ୍ରୋଧରେ ବଶୀଭୂତ ହୁଅନ୍ତୁ ନାହିଁ; ପ୍ରସନ୍ନ ହୁଅନ୍ତୁ-। ନିରପରାଧ ମଣ୍ଡୂକମାନଙ୍କୁ ବଧ କରିବା ଆପଣଙ୍କର ଉଚିତ ହେଉନାହିଁ । ଏ ବିଷୟରେ ଦୁଇଟି ଶ୍ଲୋକ ଅଛି । ୨୭ । ହେ ଅଚ୍ୟୁତ ! ଆପଣ ମଣ୍ଡୁକଗଣଙ୍କୁ ହିଂସା କରିବେ ନାହିଁ, କ୍ରୋଧ ସମ୍ବରଣ କରନ୍ତୁ; ଅଜ୍ଞାନ ବ୍ୟକ୍ତିମାନଙ୍କର ଧନବୃଦ୍ଧି ଏତଦ୍ଦ୍ୱାରା ନଷ୍ଟ ହୁଏ । ଅତଏବ ଆପଣ ପ୍ରତିଜ୍ଞା କରନ୍ତୁ ଯେ, ମଣ୍ଡୂକମାନଙ୍କ ପ୍ରତି କ୍ରୋଧ କରିବେ ନାହିଁ । ଅଧର୍ମ କରିବାରେ ପ୍ରୟୋଜନ କ’ଣ ? ମଣ୍ଡୂକ ବଧ କଲେ ଆପଣଙ୍କର କି ଫଳୋଦୟ ହେବ ? ୨୯ ।

 

ମଣ୍ଡୂକରାଜ ଏହିପରି କହନ୍ତେ ରାଜା ଇଷ୍ଟଜନବିୟୋଗଦ୍ୱାରା କାତର ହୋଇ ତାହାଙ୍କୁ କହିଲେ,। ୩୦ । ହେ ବିଦ୍ୱନ୍‌ ! ଆମ୍ଭେ ମଣ୍ଡୂକମାନଙ୍କୁ କ୍ଷମା କରିବୁ ନାହିଁ, ବଧ କରିବୁ; ଯେ ହେତୁରୁ ସେମାନେ ଆମ୍ଭର ପ୍ରିୟାଙ୍କୁ ଭକ୍ଷଣ କରିଅଛନ୍ତି । ଅତଏବ ସେ ସମସ୍ତଙ୍କୁ ସର୍ବପ୍ରକାରେ ବଧ କରିବୁ । ତୁମ୍ଭେ ଆମ୍ଭଙ୍କୁ ଆଉ ଅନୁରୋଧ କର ନାହିଁ । ୩୧ । ଭୂପତିଙ୍କର ବାକ୍ୟ ଶ୍ରବଣ କରି ମଣ୍ଡୂକରାଜଙ୍କ ଚିତ୍ତ ବ୍ୟଥିତ ହେଲା । ସେ କହିଲେ, ହେ ରାଜନ୍‌ ! ପ୍ରସନ୍ନ ହୁଅନ୍ତୁ । ଆମ୍ଭେ ଆୟୁନାମା ମଣ୍ଡୂକରାଜ; ସେହି କନ୍ୟା ଆମ୍ଭର ଦୁହିତା । ତାହାର ନାମ ସୁଶୋଭନା । ତାହାର ଚରିତ୍ର ଅତି ମନ୍ଦ । ପୂର୍ବେ ସେ ଅନେକ ରାଜାଙ୍କୁ ଏହିପରି ବଞ୍ଚନା କରିଅଛି । ୩୨ । ମଣ୍ଡୂକରାଜାଙ୍କୁ ରାଜା କହିଲେ– “ଆମ୍ଭେ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛୁ, ତୁମ୍ଭେ ଆମ୍ଭଙ୍କୁ ସେହି କନ୍ୟା ପ୍ରଦାନ କର । ୩୩ । ତତ୍ପରେ ମଣ୍ଡୂକରାଜ ସେହି କନ୍ୟାକୁ ଆଣି ରାଜାଙ୍କୁ ପ୍ରଦାନ କଲେ ଓ କନ୍ୟାଙ୍କୁ କହିଲେ, ତୁମ୍ଭେ ଏହି ରାଜାଙ୍କର ଶୁଶ୍ରୂଷା କର । ୩୪ । ତତ୍ପରେ ମଣ୍ଡୂକରାଜ କ୍ରୁଦ୍ଧ ହୋଇ ସେହି କନ୍ୟାକୁ ଅଭିଶାପ ଦେଲେ, ଯେ ହେତୁରୁ ତୁମ୍ଭେ ବହୁସଂଖ୍ୟକ ରାଜାଙ୍କୁ ବଞ୍ଚନା କରି ତାହାଙ୍କ ସହିତ ଅସତ୍ୟ ବ୍ୟବହାର କରିଅଛ, ସେହିହେତୁରୁ; ତୁମ୍ଭର ସନ୍ତାନମାନେ ବ୍ରାହ୍ମଣଙ୍କର ଅହିତକାରୀ ହେବେ । ରାଜା ସେହି କନ୍ୟାକୁ ପାଇ ତୈଲୋକ୍ୟର ଐଶ୍ୱର୍ଯ୍ୟଲାଭ କଲାପ୍ରାୟ ଆନନ୍ଦିତ ହେଲେ ଓ ହର୍ଷ ଗଦ୍ ଗଦ୍ ବାକ୍ୟରେ ମଣ୍ଡୂର୍କରାଜାଙ୍କୁ ପ୍ରଣାମ କଲେ ଓ କହିଲେ, ଆପଣ ଆମ୍ଭଠାରେ ବଡ ଅନୁଗ୍ରହ କରିଅଛନ୍ତି । ତତ୍ପରେ ମଣ୍ଡୂକରାଜ ଦୁହିତାଙ୍କଠାରୁ ବିଦାୟ ଗ୍ରହଣ କରି ସ୍ୱସ୍ଥାନକୁ ପ୍ରସ୍ଥାନ କଲେ । ୩୭ । କିୟତ୍ କାଳ ପରେ ସେହି ସୁଶୋଭନା ରାଣୀଙ୍କଠାରୁ ରାଜାଙ୍କର ତିନିଗୋଟି ପୁତ୍ର ଜନ୍ମିଲେ । ସେମାନଙ୍କର ନାମ ଶଳ, ଦଳ ଓ ନଳ ।

 

ତଦନନ୍ତର ରାଜା ପରୀକ୍ଷିତ ଜ୍ୟେଷ୍ଠ ସନ୍ତାନ ଶଳକୁ ସିଂହାସନ ଦେଇ ତପସ୍ୟା କରିବା ନିମିତ୍ତ ବନଗାମୀ ହେଲେ । ୩୮ । କିୟତ୍କାଳ ପରେ ରାଜା ଶଳ ମୃଗୟା କରିବା ନିମିତ୍ତ ଗୋଟିଏ ମୃଗର ଅନୁସରଣ କରି ରଥରେ ଚଢ଼ି ଧାବମାନ ହେଲେ । ୩୯ । ସେ ସାରଥିକୁ କହିଲେ, “ବେଗରେ ରଥ ଚାଳନା କର” । ସାରଥିକୁ ଏହିପରି କହିବାରୁ ରାଜାଙ୍କୁ ସାରଥି କହିଲା,। ୪୦ । ଆପଣ ଏପରି ସଂକଳ୍ପ ତ୍ୟାଗ କରନ୍ତୁ । କଦାପି ଏହି ମୃଗ ଗ୍ରହଣ କରିପାରିବେ ନାହିଁ । ଆପଣଙ୍କ ରଥରେ ଯଦି ବାମୀ ଅଶ୍ୱ ନିଯୁକ୍ତ ଥାଆନ୍ତା, ତାହାହେଲେ ପାରନ୍ତେ । ଏହା ଶୁଣି ରାଜା ସୂତଙ୍କୁ କହିଲେ, ବାମୀ ଘୋଟକ କିପରି ,ତାହା କଥା ଆମ୍ଭଙ୍କୁ କହ; ନତୁବା ତୁମ୍ଭଙ୍କୁ ହାଣିଦେବୁ । ତଦନନ୍ତର ରାଜା ପୁନର୍ବାର ଖଡ୍‌ଗ ଉଠାଇ ସୂତକୁ କହିଲେ, “ଶୀଘ୍ର କହ, ନତୁବା ତୋତେ ହାଣିଦେବି” । ତତ୍କାଳରେ ସୂତ ରାଜଭୟରେ ଭୀତ ହୋଇ କହିଲା– “ବାମଦେବଙ୍କର ଦୁଇ ଗୋଟି ବାମୀ ଅଶ୍ୱ ଅଛନ୍ତି, ସେମାନେ ମନ ପ୍ରାୟ ବେଗଗାମୀ ।” ୪୧ ।

 

ସୂତ ଏହିରୂପେ କହନ୍ତେ ରାଜା କହିଲେ– ବାମଦେବଙ୍କର ଆଶ୍ରମକୁ ତୁମ୍ଭେ ରଥ ବାହନ କର । ସେ ବାମଦେବଙ୍କ ଆଶ୍ରମକୁ ଯାଇ ଋଷିଙ୍କୁ କହିଲେ,। ୪୨ । ହେ ଭଗବନ ! ଗୋଟିଏ ମୃଗ ଆମ୍ଭଦ୍ୱାରା ବିଦ୍ଧହୋଇ ପଳାୟନ କରିଅଛି; ତାହାକୁ ଆମ୍ଭଙ୍କୁ ଆଣିଦିଅ । ବାମୀ ଅଶ୍ୱଦ୍ୱୟଙ୍କୁ ଆମ୍ଭଙ୍କୁ ଦିଅ । ଋଷି ତାହାଙ୍କୁ କହିଲେ– ବାମୀ ଅଶ୍ୱ ଦୁହିଁଙ୍କୁ ତୁମ୍ଭଙ୍କୁ ଦେଉଅଛୁ, ତୁମ୍ଭେ କୃତକାର୍ଯ୍ୟ ହେଲେ ଆମ୍ଭଙ୍କୁ ପ୍ରତ୍ୟର୍ପଣ କରିଦେବ । ତତ୍ପରେ ରାଜା ଅଶ୍ୱ ଦୁଇଟି ନେଇ ଋଷିଙ୍କ ଆଜ୍ଞା ଗ୍ରହଣପୂର୍ବକ ପ୍ରସ୍ଥାନ କଲେ । ତତ୍ପରେ ସେହି ଅଶ୍ୱଯୁଗଳକୁ ସ୍ୱୀୟ ରଥରେ ନିଯୋଜିତ କରି ତାହା ଉପରେ ଆରୋହଣ କରି ମୃଗ ଅନ୍ୱେଷଣ ନିମିତ୍ତ ପ୍ରସ୍ଥାନ କଲେ । ସୂତକୁ କହିଲେ– ସୂତ ! ଏହି ଅଶ୍ୱରତ୍ନ ଦୁଇଟି ବ୍ରାହ୍ମଣଙ୍କର ଯୋଗ୍ୟ ନୁହନ୍ତି । ଅତଏବ ଆଉ ଏ ଦୁଇଟିକୁ ଋଷିଙ୍କୁ ପ୍ରତ୍ୟର୍ପଣ କରିବା ନାହିଁ । ରାଜା ଏହି କଥା କହି ବିଦ୍ଧ ମୃଗକୁ ଲାଭ କଲା ପରେ ସେହି ଦିଓଟି ଅଶ୍ୱକୁ ଘେନି ନିଜ ନଗରକୁ ଆସିଲେ ଓ ଅନ୍ତଃପୁର ମଧ୍ୟରେ ସେ ଦୁଇଟିକୁ ଲୁଚାଇ ବାନ୍ଧିରଖିଲେ । ୪୩ । ଅନନ୍ତର ଋଷି ଭାବିଲେ–ଏହି ରାଜପୁତ୍ର ଯୁବା ଅଟେ, ଉତ୍ତମ ବାହନ ପାଇ ବିହାର କରୁଅଛି । ଆମ୍ଭଙ୍କୁ ଆଉ ଦେଉ ନାହିଁ । ୪୪ । ମନେ ମନେ ଏହିପରି ଚିନ୍ତା କରି ତେତେବେଳେ ଏକମାସ ପୂର୍ଣ୍ଣ ହେଲା, ଯେତେବେଳେ ସେ ଋଷି ଆପଣାର ଶିଷ୍ୟ ଆତ୍ରେୟଙ୍କୁ କହିଲେ,। ୪୫ । “ଆତ୍ରେୟ ! ତୁମ୍ଭେ ଯାଇ ରାଜାଙ୍କୁ କହ, ଯଦି ତାଙ୍କର କର୍ମ ସମାପ୍ତ ହୋଇଥାଏ, ତେବେ ଉପାଧ୍ୟାୟଙ୍କର ଅଶ୍ୱ ଦୁଇଟିକୁ ତାହାଙ୍କୁ ପ୍ରତ୍ୟର୍ପଣ କରନ୍ତୁ । ଶିଷ୍ୟ ଯାଇ ରାଜାଙ୍କ ନିକଟରେ ସେହିପରି କହିଲା’’ ।

 

ରାଜା ତାହାଙ୍କୁ ପ୍ରତ୍ୟୁତ୍ତର ଦେଲେ, “ଏହି ବାହନ ରାଜାମାନଙ୍କର ଉପଯୁକ୍ତ; ବ୍ରାହ୍ମଣମାନଙ୍କର ଏତାଦୃଶ ଅଶ୍ୱରତ୍ନ ରଖିବା ଯୁକ୍ତିଯୁକ୍ତ ନୁହେଁ । ସେମାନଙ୍କର ଅଶ୍ୱରେ କି ପ୍ରୟୋଜନ ଅଛି ? ଅତଏବ ତୁମ୍ଭେ କୁଶଳରେ ଗମନ କର । ୪୬ । ଶିଷ୍ୟ ପ୍ରତ୍ୟାଗତ ହୋଇ ଉପାଧ୍ୟାୟଙ୍କୁ ସେହି କଥା କହିଲେ । ଉପାଧ୍ୟାୟ ବାମଦେବ ତାଦୃଶ ଅପ୍ରିୟ ବାକ୍ୟ ଶ୍ରବଣ କରି ସ୍ୱୟଂ ରାଜାଙ୍କ ନିକଟକୁ ଅଶ୍ୱ ନିମିତ୍ତ ଗମନ କଲେ । ତଥାପି ରାଜା ତାହାଙ୍କୁ ସେ ଅଶ୍ୱ ଦେଲେ ନାହିଁ । ୪୭ । ତହୁଁ ବାମଦେବ କହିଲେ, ହେ ରାଜନ୍‌ ! ଏହି ଦୁଇଟି ଅଶ୍ୱଦ୍ୱାରା ତୁମ୍ଭେ ଅସାଧ୍ୟ କର୍ମ ସାଧନ କରିଅଛ, ଏବେ ଆମ୍ଭର ଅଶ୍ୱ ଆମ୍ଭଙ୍କୁ ପ୍ରଦାନ କର । ତୁମ୍ଭେ ବ୍ରାହ୍ମଣ ଓ କ୍ଷାତ୍ରଧର୍ମର ବହିର୍ଭୁତ ହୁଅନାହିଁ ଓ ବରୁଣଦେବଙ୍କ ଅଭିଶାପରେ ତୁମ୍ଭେ ନିହତ ହୁଅନାହିଁ । ୪୮ ।

 

ରାଜା କହିଲେ, ହେ ମହର୍ଷେ ! ବାମଦେବ ! ସୁଶିକ୍ଷିତ ଓ ଶାନ୍ତ ପ୍ରକୃତିଯୁକ୍ତ ବୃଷଭ ଦୁଇଟି ହେଲେ ବ୍ରାହ୍ମଣମାନଙ୍କର ଉପଯୁକ୍ତ ବାହନ ହେବେ । ଅତଏବ ଆମ୍ଭେ ଦୁଇଟି ବୃଷଭ ଦେଉଅଛୁ; ତଦ୍ଦ୍ୱାରା ଆପଣ ଗମନ କରନ୍ତୁ । ଆପଣଙ୍କ ସଦୃଶ ବ୍ୟକ୍ତିଙ୍କୁ ବେଦମାନେ ବହନ କରନ୍ତି; ଅଶ୍ୱ କି ଛାର । ୪୯ । ବାମଦେବ କହିଲେ, ହେ ପାର୍ଥିବ ! ପରଲୋକରେ ମାଦୃଶ ବ୍ୟକ୍ତିକୁ ବେଦମାନେ ବହନ କରନ୍ତି; କିନ୍ତୁ ଇହଲୋକରେ ଆମ୍ଭର ଓ ଆମ୍ଭ ସଦୃଶ ଅପର ବ୍ୟକ୍ତିମାନଙ୍କର ଏହି ଅଶ୍ୱବାହନ ଅଟନ୍ତି । ୫୦ । ରାଜା କହିଲେ, ଚାରି ଗୋଟି ଗର୍ଦ୍ଦଭ ବା ଉତ୍ତମ ଅଶ୍ୱତରୀ ଅଥବା ବାତବେଗ ଅନ୍ୟ ଅଶ୍ୱମାନେ ଆପଣଙ୍କୁ ବହନ କରନ୍ତୁ ଓ ଆପଣ ସେହିସବୁ ବାହନଦ୍ୱାରା ଗମନ କରନ୍ତୁ । ଏହି ବାମୀଦୁହେଁ କ୍ଷତ୍ରିୟଙ୍କର ଉପଯୁକ୍ତ । ଅତଏବ ଏମାନେ ଆମ୍ଭର ବୋଲି ଜାଣନ୍ତୁ । ୫୧ । ବାମଦେବ କହିଲେ, ହେ ରାଜନ୍‌ ! ବ୍ରାହ୍ମଣମାନଙ୍କ ନିମିତ୍ତ ଯେଉଁସବୁ କଠିନ ବ୍ରତ ଋଷିଗଣ ନିର୍ଦ୍ଦେଶ କରିଅଛନ୍ତି ସେହି ବ୍ରତାଚରଣ କରି ଆମ୍ଭେ ଯଦି ଜୀବିତ ଥାଉ, ତେବେ ଆମ୍ଭ ଆଦେଶାନୁସାରେ ଲୌହମୟ, ଭୟାନକ ବୃହତ୍ ଚାରିଟା ରାକ୍ଷସ ତୁମ୍ଭଙ୍କୁ ବଧ କରିବାର ଅଭିଳାଷରେ ଶାଣିତ ଶୂଳଧାରୀ ହୋଇ ତୁମ୍ଭଙ୍କୁ ଚାରି ଖଣ୍ଡ କରି ଚାରି ଜଣ ବହନ କରନ୍ତୁ । ୫୨ । ରାଜା କହିଲେ, ହେ ବାମଦେବ ! ଯେଉଁମାନେ ଆପଣଙ୍କୁ ବାକ୍ୟ, ମନ ବା କର୍ମଦ୍ୱାରା ହିଂସ୍ର ବ୍ରାହ୍ମଣ ବୋଲି ଜାଣନ୍ତି, ସେହିମାନେ ଆମ୍ଭ ବଚନରେ ନିଯୁକ୍ତ ହୋଇ ଶାଣିତ ଶୂଳହସ୍ତ ହୋଇ ଆପଣଙ୍କୁ ଶିଷ୍ୟମାନଙ୍କ ସହିତ ନିପାତ କରନ୍ତୁ । ୫୩ । ବାମଦେବ କହିଲେ, ହେ ରାଜନ୍‌ ! ତୁମ୍ଭେ ଆମ୍ଭର ଏହି ବାମୀ ଘୋଟକ ଦ୍ୱୟଙ୍କୁ ନେଇ ପୁନର୍ବାର ଫେରାଇଦେବ ବୋଲି କହିଥିଲ, ଯଦି ତୁମ୍ଭର ଜୀବନ ରଖିବାର ଇଚ୍ଛା ଥାଏ, ତେବେ ଆମ୍ଭର ଅଶ୍ୱ ଦୁଇଟିକୁ ଶୀଘ୍ର ପ୍ରତ୍ୟର୍ପଣ କର । ୫୪ । ରାଜା କହିଲେ, ହେ ବ୍ରହ୍ମନ୍‌ ! ଏହି ବାମୀଦ୍ୱୟ ମୃଗୟାର ଉପଯୁକ୍ତ; କିନ୍ତୁ ବ୍ରାହ୍ମଣମାନଙ୍କର ମୃଗୟା କରିବା ବିହିତ ନୁହେଁ । ଏହି ନିମିତ୍ତ ଆମ୍ଭେ ବାମୀଦ୍ୱୟ ଦେଉନାହୁଁ । ଆପଣଙ୍କୁ ଆମ୍ଭେ ମିଥ୍ୟାବାଦୀ ବୋଲି ଅନୁଶାସନ କରୁନାହୁଁ । ଅଦ୍ୟାବଧି ଆମ୍ଭେ ଆପଣଙ୍କର ସମୁଦାୟ ଅଜ୍ଞା ପ୍ରତିପାଳନ କରି ପୁଣ୍ୟଲୋକ ଲାଭ କରିପାରିବୁ । ୫୫ ।

 

ବାମଦେବ କହିଲେ– ହେ ରାଜନ୍‌ ! ମନ, ବାକ୍ୟ ବା କାର୍ଯ୍ୟଦ୍ୱାରା ବ୍ରାହ୍ମଣମାନେ ଶାସିତ ହୁଅନ୍ତି ନାହିଁ । ଯେ ବିଦ୍ୱାନ୍ ବ୍ୟକ୍ତି ତପସ୍ୟାଦ୍ୱାରା ବ୍ରାହ୍ମଣଙ୍କୁ ଏହିପରି ଜାଣନ୍ତି, ସେ କର୍ମଦ୍ୱାରା ଶ୍ରେଷ୍ଠ ହୋଇ ଜୀବିତ ଥାଆନ୍ତି । ୫୬ । ମାର୍କଣ୍ଡେୟ କହିଲେ– ହେ ମହାରାଜ ! ବାମଦେବ ଏହିପରି କରନ୍ତେ, ଘୋରରୂପ ରାକ୍ଷସମାନେ ଶୂଳହସ୍ତରେ ଉତ୍‌ଥିତ ହୋଇ ରାଜାଙ୍କୁ ହନନ କରିବାକୁ ଉଦ୍ୟତ ହେଲେ । ତତ୍କାଳରେ ରାଜା ସେମାନଙ୍କଦ୍ୱାରା ବଧ୍ୟମାନ ହୋଇ ଉଚ୍ଚୈଃସ୍ୱରରେ କହିଲେ,। ୫୭ । ହେ ବ୍ରହ୍ମନ୍‌ ! ଆମ୍ଭର ଭ୍ରାତା ଦଳ ସମୁଦାୟ ଇକ୍ଷ୍ୱାକୁବଂଶୀୟ ଅଥବା ଏହି ବୈଶ୍ୟମାନେ ସମସ୍ତେ ଯଦି ଆମ୍ଭର ଆଜ୍ଞାକାରୀ ଥାଆନ୍ତି, ଆମ୍ଭେ ବାମଦେବଙ୍କର ଏହି ବାମୀଦ୍ୱୟକୁ ପରିତ୍ୟାଗ କରିବୁ ନାହିଁ । ଏହି ଋଷି ପରଲୋକର ଧର୍ମଶୀଳ ହୁଅନ୍ତି ନାହଁ । ରାଜା ଏହିପରି କହୁ କହୁ ରାକ୍ଷସମାନେ ତାହାଙ୍କୁ ନିହତ କରି ଭୂମିରେ ପାତିତ କଲେ । ତଦନନ୍ତର ଇକ୍ଷ୍ୱାକୁବଂଶୀୟମାନେ ନୃପତିଙ୍କ ମୃତ୍ୟୁସମ୍ବାଦ ଶୁଣି ତାହାଙ୍କ ଭ୍ରାତା ଦଳଙ୍କୁ ରାଜ୍ୟରେ ଅଭିଷିକ୍ତ କଲେ । ୫୯ । ଯେତେବେଳେ ବିପ୍ର ବାମଦେବ ସେଠାକୁ ଗମନ କରି ଭୂପତି ଦଳଙ୍କୁ କହିଲେ, “ହେ ରାଜନ୍‌ ! ବ୍ରାହ୍ମଣମାନଙ୍କୁ ଯେ ଦାନ କରିବା ବିଧେୟ, ଏ କଥା ସମୁଦାୟ ଧର୍ମଶାସ୍ତ୍ରରେ ଦେଖାଯାଏ । ୬୦ । ଅତଏବ ଯଦି ତୁମ୍ଭର ଅର୍ଧମକୁ ଭୟ ଥାଏ, ତେବେ ତୁମ୍ଭେ ଅଦ୍ୟ ଶୀଘ୍ର ବାମୀଦ୍ୱୟ ଆମ୍ଭଙ୍କୁ ପ୍ରଦାନ କର ।” ରାଜା ବାମଦେବଙ୍କ ବାକ୍ୟ ଶ୍ରବଣ କରି ରୋଷଯୁକ୍ତ ହୋଇ ସାରଥିକୁ କହିଲେ,। ୬୧ । ଆମ୍ଭେ ଯେତେ ବିଷ-ଚିତ୍ରିତ ସାୟକ ରଖିଅଛୁ, ତହିଁରୁ ଗୋଟିଏ ଆଣ, ଯଦ୍ଦ୍ୱାରା ବାମଦେବ ବିଦ୍ଧହୋଇ ଭୂମିରେ ପଡ଼ିବ ଓ କୁକୁରମାନେ ତାହାକୁ ଦଂଶନ କରିବେ । ୬୨ ।

 

ବାମଦେବ କହିଲେ– ହେ ନରେନ୍ଦ୍ର ! ଆମ୍ଭେ ଜାଣୁ, ତୁମ୍ଭର ରାଣୀଙ୍କ ଗର୍ଭରେ ଶ୍ୱେନଜିତ୍ ନାମରେ ଗୋଟିଏ ଦଶବର୍ଷୀୟ ବାଳକ ଅଛି । ସେ ତୁମ୍ଭର ଅତିଶୟ ପ୍ରିୟ । ଆମ୍ଭ ବାକ୍ୟାନୁସାରେ ତୁମ୍ଭେ ପ୍ରୟୋଜିତ ହୋଇ ଶୀଘ୍ର ତାହାକୁ ଏହି ବିଷାକ୍ତ ଶରଦ୍ୱାରା ସଂହାର କର । ୬୩ । ମାର୍କଣ୍ଡେୟ କହିଲେ– ହେ ମହାରାଜ ! ବାମଦେବ ଏହିପରି କହନ୍ତେ ଦଳରାଜାଙ୍କ ପ୍ରଖର ବିଷାକ୍ତ ଶର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି ରାଜପୁତ୍ର ଶ୍ୱେନଜିତ୍‌ଙ୍କୁ ବିନାଶ କଲା । ଦଳରାଜା ସେଠାରେ ଏ କଥା ଶ୍ରବଣ କରି କହିଲେ,। ୬୪ । ହେ ଇକ୍ଷ୍ୱାକୁଗଣ ! ଅଦ୍ୟ ଆମ୍ଭର ବଳବୀର୍ଯ୍ୟ ଦେଖ । ଅଦ୍ୟ ଆମ୍ଭେ ତୁମ୍ଭର ପ୍ରିୟାଚରଣ କରୁଅଛୁ । ଏହି ବିପ୍ରକୁ ପ୍ରମଥନ କରି ନିହତ କରିବୁ । ତୁମ୍ଭେମାନେ ଆଉ ଗୋଟିଏ ତୀକ୍ଷ୍‌ଣ ଶର ଆନୟନ କର । ୬୫ । ବାମଦେବ କହିଲେ– ହେ ମାନବେନ୍ଦ୍ର ! ତୁମ୍ଭେ ଏହି ଭୟଙ୍କର ବିଷଦଗ୍ଧ ଶରକୁ ଆମ୍ଭ ପ୍ରତି ସନ୍ଧାନ କରୁଅଛ; କିନ୍ତୁ ଏହି ଶରକୁ ତୁମ୍ଭେ ସନ୍ଧାନ କରିପାରିବ ନାହିଁ । ୬୬ । ରାଜା କହିଲେ, ହେ ଇକ୍ଷ୍ୱାକୁଗଣ ! ଆମ୍ଭଙ୍କୁ ଦେଖ, ଆମ୍ଭେ ଯେଉଁ ଶରକୁ ଗ୍ରହଣ କରିଅଛୁ, ତାହା ସନ୍ଧାନ କରିପାରୁନାହୁଁ । ବାମଦେବଙ୍କୁ ବିନାଶ କରିବାରୁ ନିରୁତ୍ସାହ ହେଉଅଛୁ । ଅତଏବ ଏହି ଆୟୁଷ୍ମାନ ବାମଦେବ ଜୀବିତ ଥାନ୍ତୁ । ୬୭ । ବାମଦେବ କହିଲେ– ତୁମ୍ଭେ ଥିବାରୁ ତୁମ୍ଭର ଯେଉଁ ପାପ ହୋଇଅଛି,ତହିଁରେ ତୁମ୍ଭେ ମୁକ୍ତ ହୁଅ ।

 

ମାର୍କଣ୍ଡେୟ କହିଲେ– ଅନନ୍ତର ରାଜା ସେହି କାର୍ଯ୍ୟ କଲେ । ପରେ ରାଜପୁତ୍ରୀ ରାଣୀ ମୁନିଙ୍କୁ କହିଲେ,। ୬୮ । ହେ ବ୍ରହ୍ମନ୍‌ ! ମୁଁ ବ୍ରାହ୍ମଣମାନଙ୍କର ଅନୁକୂଳ କାର୍ଯ୍ୟରେ ଯତ୍ନ ଓ ସେମାନଙ୍କର ସେବା କରିବାକୁ ଇଚ୍ଛା କରିଥାଏ । ଅତଏବ ଆପଣ ଆଜ୍ଞା କରନ୍ତୁ ଯେ, ମୁଁ ପୁଣ୍ୟଲୋକ ଲାଭ କରେ । ୬୯ । ବାମଦେବ କହିଲେ, ଆନନ୍ଦିତେ, ରାଜପୁତ୍ରି ! ତୁମ୍ଭଦ୍ୱାରା ଏହି ରାଜକୁଳ ରକ୍ଷିତ ହେଲା । ତୁମ୍ଭେ ଆମ୍ଭ ନିକଟରେ ଅନୁପମ ବର ପ୍ରାର୍ଥନା କର, ଆମ୍ଭେ ଏହିକ୍ଷଣି ସେହି ବର ପ୍ରଦାନ କରିବୁ । ତୁମ୍ଭେ ଏହି ମହତ ଇକ୍ଷ୍ୱାକୁରାଜ୍ୟ ଶାସନ କର । ୭୦ । ରାଜ୍ଞୀ କହିଲେ– ଆମ୍ଭେ ଏହି ବର ପ୍ରାର୍ଥନା କରୁଅଛୁ ଯେ ଅଦ୍ୟ ଆମ୍ଭର ପତି ପାପରୁ ବିମୁକ୍ତ ହେଉନ୍ତୁ ଓ ଆପଣ ଏହାଙ୍କର ଓ ଏହାଙ୍କ ପୁତ୍ର, ବାନ୍ଧବମାନଙ୍କର ମଙ୍ଗଳ ଚିନ୍ତା କରନ୍ତୁ; ଏହି ଆମ୍ଭର ବରପ୍ରାର୍ଥନା-। ୭୧ । ମାର୍କଣ୍ଡେୟ କହିଲେ, ହେ କୁରୁବୀର ! ସେହି ମହାମୁନି ରାଜ୍ଞୀଙ୍କର ପ୍ରାର୍ଥନା ଶ୍ରବଣ କରି ‘ହେଉ’ ବୋଲି କହିଲେ । ତଦନନ୍ତର ରାଜା ଆନନ୍ଦିତ ହୋଇ ତାହାଙ୍କୁ ପ୍ରଣାମ କରି ବାମୀଦ୍ୱୟ ପ୍ରଦାନ କଲେ । ୭୨ ।

 

॥ ଅଧ୍ୟାୟ – ୧୯୩ ॥

 

ବୈଶମ୍ପାୟନ କହିଲେ– ହେ ଭାରତ ! ଋଷିଗଣ, ବ୍ରାହ୍ମଣମାନେ ଓ ଯୁଧିଷ୍ଠିର ମାର୍କଣ୍ଡେୟଙ୍କୁ ପଚାରିଲେ, “ମହର୍ଷେ ! ବକଋଷି କି ପ୍ରକାରେ ଦୀର୍ଘାୟୁ ହେଲେ ? ମାର୍କଣ୍ଡେୟ ସେମାନଙ୍କୁ କହିଲେ,। ୧ । ମହାତପା ରାଜର୍ଷି ବକ ଯେ ଦୀର୍ଘାୟୁ ହେଲେ, ତାହା ବିଚାର କରିବା ଅକର୍ତ୍ତବ୍ୟ । କୁନ୍ତୀନନ୍ଦନ ଧର୍ମରାଜ ଯୁଧିଷ୍ଠିର ଓ ତାହାଙ୍କର ଭ୍ରାତାମାନେ ସେ କଥା ଶୁଣି ମାର୍କଣ୍ଡେୟଙ୍କୁ ପଚାରିଲେ । ୩ । ଆମ୍ଭେମାନେ ଶୁଣିଅଛୁ ଯେ ମହାତ୍ମା ବକ ଓ ଦାଲ୍‌ଭ୍ୟ ଏହି ଦୁଇ ଋଷି ଚିରଜୀବୀ, ଲୋକପ୍ରିୟ ଓ ଦେବରାଜ ଇନ୍ଦ୍ରଙ୍କର ସଖା ଥିଲେ । ୪ । ହେ ଭଗବନ ! ବକ ଓ ଶତ୍ରୁଙ୍କ ସମାଗମ ପ୍ରସ୍ତାବ ଶୁଣିବା ନିମିତ୍ତ ଆମ୍ଭର ଆଗ୍ରହ ହେଉଅଛି । ଅତଏବ ଆପଣ ତାହା ଆନୁପୂର୍ବିକ ବର୍ଣ୍ଣନ କରନ୍ତୁ । ୫ ।

 

ମାର୍କଣ୍ଡେୟ କହିଲେ– ହେ ରାଜନ୍‌ ! ଶ୍ରବଣ କର । ଯେତେବେଳେ ରୋମାଞ୍ଚକର ଦେବାସୁରଙ୍କ ଯୁଦ୍ଧ ସମାପ୍ତ ହେଲା, ସେତେବେଳେ ଦେବରାଜ ଇନ୍ଦ୍ର ତ୍ରିଲୋକର ଅଧିପତି ହେଲେ-। ୬ । ପର୍ଜନ୍ୟ ତେତେବେଳେ ସମ୍ୟକ୍ରୂପେ ବର୍ଷଣ କଲା । ପ୍ରଜାଗଣ ଶସ୍ୟ ସମ୍ପନ୍ନ ହୋଇ ଉତ୍ତମସ୍ୱଭାବ, ନୀରୋଗ, ଉତ୍ତମ ଓ ଧର୍ମପରାୟଣ ହେଲେ; ନିଜ ଜାତୀୟ ଧର୍ମ ପ୍ରତିପାଳନ କଲେ; ବଳନିସୂଦନ ଦେବରାଜ, ଶତାଧ୍ୱର ସବୁ ପ୍ରଜାଙ୍କୁ ହର୍ଷାନ୍ୱିତ ଦେଖି ସ୍ୱୟଂ ହୃଷ୍ଟ ହେଲେ ଓ ଐରାବତରେ ଚଢି ଭ୍ରମଣ କରିବାକୁ ବାହାରିଲେ । ହୃଷ୍ଟ ପ୍ରଜାମଣ୍ଡଳୀ, ବିଚିତ୍ର ଆଶ୍ରମମାନ, ନାନାବିଧ ଗ୍ରାମ, ସମୃଦ୍ଧିଶାଳୀ ନଗର, ଜନପଦ, ପ୍ରଜାପାଳନଦକ୍ଷ, ଧର୍ମଧାରୀ ନରପତି ଉଦପାନ, ପ୍ରପାତ, ବାପୀ, ତଡାଗ, ନାନା ବ୍ରତଚାରୀ ଦ୍ୱିଜୋତ୍ତମମାନଙ୍କଦ୍ୱାରା ନିସେବିତ ସରୋବର ସମୂହ ବୁଲି ବୁଲି ଦେଖିଲେ ।

 

ହେ ମହାରାଜ ! ତଦନନ୍ତର ଶତକ୍ରତୁ ଏହି ରମଣୀୟ ଭୂମଣ୍ଡଳରେ ଅବତୀର୍ଣ୍ଣ ହୋଇ ପୂର୍ବ ସମୁଦ୍ର ତୀରରେ ଗୋଟିଏ ପ୍ରଦେଶ ଦେଖିଲେ । ସେହି ସ୍ଥାନଟି ବହୁବିଧ ଓ ବହୁସଂଖ୍ୟକ ମଙ୍ଗଳମୟ ବୃକ୍ଷଦ୍ୱାରା ପୂର୍ଣ୍ଣ ହୋଇଅଛି । ତନ୍ମଧ୍ୟରେ ପଶୁପକ୍ଷୀନିସେବିତ ଗୋଟିଏ ରମଣୀୟ ଆଶ୍ରମ ଅଛି । ସେହି ରମଣୀୟ ଆଶ୍ରମରେ ସେ ବକଋଷିଙ୍କୁ ଦେଖିଲେ । ୧୪ । ବକଋଷି ମଧ୍ୟ ଇନ୍ଦ୍ରଙ୍କୁ ଦେଖି ଅତିଶୟ ପ୍ରୀତ ହୋଇ ତାହାଙ୍କୁ ଆସନ, ପାଦ୍ୟ ଓ ଅର୍ଘ୍ୟ ପ୍ରଦାନ କରି ଫଳମୂଳଦ୍ୱାରା ପୂଜା କଲେ । ୧୫ । ତନନନ୍ତର ବଳସୂଦନ, ବରଦ, ଦେବରାଜ ଶତ ସୁଖରେ ଉପବିଷ୍ଟ ହେଲେ । ତଦନନ୍ତର ତ୍ରିଦଶରାଜ ବକଋଷିଙ୍କୁ ପଚାରିଲେ, । ୧୬ । ହେ ବ୍ରହ୍ମନ୍‌ ! ହେ ନିଷ୍ପାପ ! ତୁମ୍ଭେ ଶତ ସହସ୍ର ବତ୍ସର ଜୀବିତ ଅଛି । ଅତଏବ ଚିରଜୀବୀମାନଙ୍କର ଯେ କି ସୁଖ, ତାହା ତୁମ୍ଭେ ଆମ୍ଭ ନିକଟରେ ବର୍ଣ୍ଣନା କର । ୧୭ ।

 

ବକ କହିଲେ, ଅପ୍ରିୟ ସହିତ ବାସ, ପ୍ରିୟଜନ ସହିତ ବିଯୋଗ ଚିରଜୀବୀମାନଙ୍କର ଦୁଃଖ ବୋଲି ଜାଣିବ । ୧୮ । ପୁତ୍ର, କଳତ୍ର, ଜ୍ଞାତି ଓ ସୃହୃଦ୍‌ଗଣଙ୍କର ବିନାଶ ଓ ଅନ୍ୟର ଅଧୀନତା ବଶତଃ ଯେ କଷ୍ଟ, ତାହା ଅପେକ୍ଷା ଆଉ ଅଧିକତର ଦୁଃଖ କ’ଣ ଅଛି । ୧୯ । ଅର୍ଥହୀନ ପୁରୁଷ, ଯେ ଅନ୍ୟଦ୍ୱାରା ପରାଭୂତ ହୁଏ, ତଦପେକ୍ଷା ଇହଲୋକରେ ଅନ୍ୟ କୌଣସି ଦୁଃଖ ଆମ୍ଭ ନିକଟରେ ଦୁଃଖ ବୋଲି ଜଣାଯାଏ ନାହିଁ । ୨୦ । ଚିରଜୀବୀ ବ୍ୟକ୍ତିମାନେ ଦେଖନ୍ତି ଯେ ଅକୁଳନମାନେ ସତ୍‌କୁଳରୁ ଜାତ ହୁଅନ୍ତି । କୁଳୀନ ବ୍ୟକ୍ତିର କୁଳକ୍ଷୟ ହୁଏ, ଅଥଚ ସେମାନଙ୍କର ସଂଯୋଗ ବିଯୋଗ ହୁଏ; ଆମ୍ଭେ ଏହିସବୁ ବିଷୟ ଦୃଷ୍ଟିଗୋଚର କରିଅଛୁ । ୨୧ । ସମୃଦ୍ଧିଶାଳୀ ଅକୁଳୀନମାନଙ୍କର ଯେ କିପରି କୁଳକ୍ଷୟ ହୁଏ, ତାହା ଆପଣ ପ୍ରତ୍ୟକ୍ଷ କରିଅଛନ୍ତି । ୨୨ । ହେ ଦେବରାଜ ! ଦେବ, ଦାନବ, ଗନ୍ଧର୍ବ, ମନୁଷ୍ୟ, ଉରଗ ଓ ରାକ୍ଷସମାନେ ଯେ ବିପରୀତ ଫଳପ୍ରାପ୍ତ ହୁଅନ୍ତି, ତାହା ଅପେକ୍ଷା ଆଉ ଅଧିକ ଦୁଃଖ କ’ଣ ହୋଇପାରେ ? ସତ୍‌କୁଳଜାତ ବ୍ୟକ୍ତିମାନେ ଅକୁଳଜାତ ବ୍ୟକ୍ତିଙ୍କର ବଶବର୍ତ୍ତୀ ହୋଇ କ୍ଳେଶପ୍ରାପ୍ତ ହୁଅନ୍ତି ଓ ଧନାଢ଼୍ୟ ବ୍ୟକ୍ତିମାନେ ଦରିଦ୍ରଙ୍କୁ ଯାହା ଅବଜ୍ଞା କରନ୍ତି, ଏଥିରୁ ଆଉ ଅଧିକ ଦୁଃଖ କଅଣ ଅଛି ? ୨୪ । ମନୁଷ୍ୟମାନଙ୍କ ମଧ୍ୟରେ ଏହିପରି ବିପରୀତ ଭାବ ଅନେକ ଦେଖାଯାଏ । ହେ ପ୍ରାଜ୍ଞ ! ଜ୍ଞାନହୀନ ବ୍ୟକ୍ତିମାନେ ସୁଖୀ ଓ ପଣ୍ଡିତମାନେ କ୍ଳେଶପ୍ରାପ୍ତ ହୁଅନ୍ତି । ୨୫ । ଏହି ଜଗତରେ ମନୁଷ୍ୟମାନଙ୍କ ଏତାଦୃଶ ବହୁବିଧ ଦୁଃଖ ଦେଖିବାକୁ ହୁଏ ।

 

ଇନ୍ଦ୍ର କହିଲେ, ହେ ବ୍ରହ୍ମନ୍‌ ! ଦେବର୍ଷିଗଣ ନିସେବିତ ଚିରଜୀବୀମାନଙ୍କର ଯେ କି ଦୁଃଖ, ତାହା ମଧ୍ୟ ଆପଣ ଆମ୍ଭ ନିକଟରେ ବ୍ୟକ୍ତି କରନ୍ତୁ ।

 

ଋଷି ବକ କହିଲେ, ହେ ମଘବାନ ! କୁମିତ୍ରକୁ ଆଶ୍ରୟ ନ କରି ଦିବସର ଅଷ୍ଟମ ଓ ଦ୍ୱାଦଶ ଭାଗରେ ଯେ ଆପଣା ଗୃହରେ ଶାକାନ୍ନ ମାତ୍ର ଆହାର କରି ଜୀବନ ଧାରଣ ରେ, ତାହା ଅପେକ୍ଷା ଆଉ ଅଧିକ ସୁଖ କଅଣ ଅଛି ? ହେ ମଘବାନ ! ଯାହାଙ୍କ ନିମିତ୍ତ ଦିନ ଗଣନା ନ ହୁଏ, ପଣ୍ଡିତମାନେ ସେହି ବ୍ୟକ୍ତିଙ୍କୁ ପେଟୁ ବୋଲି କହନ୍ତି ନାହିଁ । ୨୭ । ସ୍ୱଗୃହରେ ଯେ କେବଳ ଶାକ ପାକକରି ଆହାର କରେ, ସେହି ବ୍ୟକ୍ତି ହିଁ ସୁଖୀ । କାହାରି ଆଶ୍ରୟ ବ୍ୟତିରେକେ ଆପଣା କ୍ଷମତାରେ ଉପାର୍ଜିତ ଫଳମୂଳ ବା ଶାକ ସ୍ୱଗୃହରେ ଭୋଜନ କରିବା ଶ୍ରେୟସ୍କର ଓ ମହତ । ପ୍ରତିଦିନ ଯଦି ପରଗୃହରେ ସୁପରିଷ୍କୃତ ଭୋଜନ କରାଯାଏ, କିନ୍ତୁ ଆଦର ନ ଥାଏ ତାହା ହେଲେ ସେ ଭୋଜନ କରିବା ଶ୍ରେୟସ୍କର ନୁହେଁ; ଅତଏବ ସାଧୁମାନଙ୍କର ମତ ଏହି ଯେ ରାକ୍ଷସ କୁକୁର ସଦୃଶ ପରାନ୍ନ ଭୋଗ କରିବାକୁ ଇଚ୍ଛା କରେ, ସେହି ଦୁରାତ୍ମା କ୍ଷୁଦ୍ରାଶୟର ତାଦୃଶ ଭୋଜନକୁ ଧିକ୍-। ଯେଉଁ ବ୍ୟକ୍ତି ଦ୍ୱିଜଶ୍ରେଷ୍ଠ ହୋଇ ପିତୃ, ଅତିଥି ଓ ଭୂତଗଣଙ୍କୁ ପାକାନ୍ନ ଦେଇ ଅବଶିଷ୍ଟ ଯାହା ଥାଏ, ତାହାକୁ ଭୋଜନ କରେ, ତାହା ଅପେକ୍ଷା ଆଉ ଅଧିକ ସୁଖୀ କିଏ ? ଅତଏବ ହେ ଇନ୍ଦ୍ର ! ଯେଉଁ ବ୍ୟକ୍ତି ପ୍ରତିଦିନ ଅତିଥିଙ୍କୁ ଅନ୍ନ ଦେଇ ଅବଶିଷ୍ଟ ଯାହା ରହେ, ତାହାକୁ ଭୋଜନ କରେ, ତଦପେଷା ତାହାର ସୁପରିଷ୍କୃତ ଓ ପବିତ୍ର ଅନ୍ନ ଆଉ କିଛି ନାହିଁ । ସେହି ଅତିଥି ପ୍ରଭୃତିଙ୍କୁ ଯେଉଁ ଦ୍ୱିଜ ଅନ୍ନଦାନ କରେ, ସେହି ଦ୍ୱିଜ ଯେତେ ଗୁଣ୍ଡା ଅନ୍ନ ଭକ୍ଷଣ କରେ, ସେ ତେତେ ସଂଖ୍ୟକ ଗୋଦାନର ଫଳପ୍ରାପ୍ତ ହୁଏ, ଅଥଚ ସେ ଯୌବନକାଳରେ ଯେଉଁ ପାପ କର୍ମ କରିଥାନ୍ତି, ତାହା ତାହାଙ୍କର ନଷ୍ଟ ହୁଏ । ୩୪-। ବ୍ରାହ୍ମଣକୁ ଭୋଜନ ଦେଇ ତାହା ହସ୍ତରେ ଦକ୍ଷିଣା ଦେଇ, ଯେଉଁ ବ୍ୟକ୍ତି ଭୋଜନ ଦେଇନଥାଏ, ସେ ଦକ୍ଷିଣା ଜଳ ମାତ୍ର ଛିଞ୍ଚିହେଲେ ତତ୍‌କ୍ଷଣାତ ପାପରୁ ମୁକ୍ତ ହୁଏ । ୩୫ । ହେ ମହାରାଜ-! ଦେବରାଜ ଏହି ସମସ୍ତ କଥୋପକଥନ କରି ଓ ଅନ୍ୟାନ୍ୟ ବିଷୟରେ କଥାବାର୍ତ୍ତା ହୋଇ ବକ ଋଷିଙ୍କ ଠାରୁ ବିଦାୟ ହୋଇ ସ୍ୱର୍ଗକୁ ଗମନ କଲେ । ୩୬ ।

 

॥ ଅଧ୍ୟାୟ – ୧୯୪ ॥

 

ବୈଶମ୍ପାୟନ କହିଲେ– ହେ ମହାରାଜ ! ତଦନନ୍ତର ପାଣ୍ଡବମାନେ ପୁନର୍ବାର ମାର୍କଣ୍ଡେୟଙ୍କୁ କହିଲେ, ୧ । ଆପଣ ପୂର୍ବେ ବ୍ରାହ୍ମଣମାନଙ୍କର ମାହାତ୍ମ୍ୟ କୀର୍ତ୍ତନ କରିଅଛନ୍ତି । ଏବେ ରାଜନ୍ୟମାନଙ୍କର ମାହାତ୍ମ୍ୟ ଶୁଣିବା ନିମିତ୍ତ ଆମ୍ଭମାନଙ୍କର ସ୍ପୃହା ହେଉଅଛି; ଆପଣ ତାହା କୀର୍ତ୍ତନ କରନ୍ତୁ । ମାର୍କଣ୍ଡେୟ ଋଷି କହିଲେ, ଏବେ ତୁମ୍ଭେମାନେ ରାଜନଗଣଙ୍କର ମାହାତ୍ମ୍ୟ ଶ୍ରବଣ କର । କୁରୁବଂଶୀୟ ସୁହୋତ୍ର ନାମରେ ଜଣେ ରାଜା ମହର୍ଷିଗଣଙ୍କ ନିକଟକୁ ଯାତ୍ରା କରିଥିଲେ । ସେଠାରୁ ପ୍ରତ୍ୟାଗମନ କଲାବେଳେ ପଥରେ ଉଶୀନରଙ୍କ ପୁତ୍ର ନରପତି ଶିବିଙ୍କ ସହିତ ତାହାଙ୍କର ସାକ୍ଷାତ୍‍ ହେଲା । ସେମାନେ ଏକତ୍ର ହୋଇ ବୟସ ଅନୁସାରେ ପରସ୍ପରକୁ ପୂଜା କଲେ ଓ ଆପଣା ଆପଣାକୁ ସମାନ ଗୁଣଶାଳୀ ବୋଧ କରି କେହି କାହାରିକୁ ବାଟ ଛାଡ଼ିଲେ ନାହିଁ ।

 

ଏହି ଅବସରରେ ମହର୍ଷି ନାରଦ ସେହିଠାରେ ଦେଖାଦେଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି କାରଣରୁ ପରସ୍ପରର ପଥ ଅବରୋଧ କରି ଦଣ୍ଡାୟମାନ ହୋଇଅଛ ? ସେ ଦୁହେଁ ନାରଦଙ୍କୁ କହିଲେ, ଆପଣ ଏପରି କହନ୍ତୁ ନାହିଁ । ପୂର୍ବକାଳରେ ଧର୍ମ ବ୍ୟବସ୍ଥାପକମାନେ କହିଅଛନ୍ତି, ଯେ ବିଶିଷ୍ଟ ଓ ସମର୍ଥ, ତାହାକୁ ପଥ ପ୍ରଦାନ କରିବାକୁ ହୁଏ କିନ୍ତୁ ଆମ୍ଭେ ଦୁହେଁ ସମାନ ଭାବସମ୍ପନ୍ନ, ବିଚାରଦ୍ୱାରା ଆମ୍ଭ ଦୁହିଁଙ୍କର ଉତ୍କଷତା ନାହିଁ କି କେହି କାହାରିଠାରୁ ନିକୃଷ୍ଟ ନୋହୁ । ସେମାନେ ଏହିପରି ନାରଦଙ୍କୁ କହିବାରୁ ଦେବର୍ଷି ନାରଦ ସୁହୋତ୍ରଙ୍କୁ ସମ୍ବୋଧନ କରି ଏହି ତିନି ଗୋଟି ଶ୍ଳୋକ ପାଠ କଲେ । ୩ । ହେ କୌରବ ! ଯେ କ୍ରୂର ହୁଅନ୍ତି, ସେ ମୃଦୁବ୍ୟକ୍ତି ନିକଟରେ ସୁଦ୍ଧା କ୍ରୂରତା ପ୍ରକାଶ କରନ୍ତି; ଯେ ମୃଦୁ ହୁଅନ୍ତି, ସେ କ୍ରୂର ବ୍ୟକ୍ତିଠାରେ ସୁଦ୍ଧା ମୃଦୁ ବ୍ୟବହାର କରନ୍ତି । ଏହିପରି ସାଧୁ ବ୍ୟକ୍ତିମାନେ ସୁଦ୍ଧା ଅସାଧୁ ବ୍ୟକ୍ତିଙ୍କ ସମୀପରେ ସାଧୁର ବ୍ୟବହାର କରନ୍ତି-। ଅତଏବ ସାଧୁ ହୋଇ ସାଧୁଙ୍କ ନିକଟରେ କି ହେତୁରୁ ସାଧୁ ବ୍ୟବହାର ନ କରିବ ? ୪ । କଦର୍ଯ୍ୟ ବ୍ୟକ୍ତିମାନଙ୍କୁ ଦାନଦ୍ୱାରା, ମିଥ୍ୟାବାଦୀକୁ ସତ୍ୟଦ୍ୱାରା, କ୍ରୂରକର୍ମାଙ୍କୁ କ୍ଷମାଦ୍ୱାରା ଓ ସାଧୁବ୍ୟକ୍ତିଙ୍କୁ ସାଧୁ ବ୍ୟବହାରଦ୍ୱାରା ଜୟ କରିବାକୁ ହୁଏ; ଏହିରୂପ ନିଦର୍ଶନ ଅଛି । ୬ । ଆପଣ ଦୁହେଁ ଉଦାରଭାବାପନ୍ନ । ଅତଏବ ଆପଣମାନଙ୍କ ମଧ୍ୟରୁ ଯେ ହେଉ ଜଣେ ଏହି ନିଦର୍ଶନାନୁସାରେ ଅପସର୍ପଣ କରନ୍ତୁ । ନାରଦ ଏହିକଥା କହି ମୌନ ହେଲେ । କୁରୁକୁଳୋତ୍ତମ ରାଜା ସୁହୋତ୍ର ନାରଦଙ୍କ ବଚନ ଶ୍ରବଣ କରି ଶିବରାଜାଙ୍କର ଅନେକ ଗୁଣ କୀର୍ତ୍ତନଦ୍ୱାରା ତାହାଙ୍କର ପ୍ରଂଶସାପୂର୍ବକ ପ୍ରଦକ୍ଷିଣ କଲେ । ୭ । ନାରଦ ଏହିପରି ରାଜନ୍ୟ ମାହାତ୍ମ୍ୟ ବର୍ଣ୍ଣନ କରିଅଛନ୍ତି । ୮-

 

Unknown

॥ ଅଧ୍ୟାୟ – ୧୯୫ ॥

 

ମାର୍କଣ୍ଡେୟ କହିଲେ– ଆଉ ଗୋଟିଏ କଥା ଶ୍ରବଣ କର । ନହୁଷନନ୍ଦନ ରାଜା ଯଯାତି ସ୍ୱୀୟ ରାଜ୍ୟରେ ପୌରଜନଙ୍କଦ୍ୱାରା ସମାବୃତ ହୋଇ ବସିଥିଲେ । ଏମନ୍ତ ସମୟରେ ଜଣେ ବ୍ରାହ୍ମଣ ତାଙ୍କ ଗୁରୁଙ୍କ ନିମିତ୍ତ ଧନପ୍ରାର୍ଥୀ ହୋଇ ତାହାଙ୍କ ନିକଟକୁ ଆଗମନ କଲେ । ବ୍ରାହ୍ମଣ କହିଲେ, ହେ ରାଜନ୍‌ ! ଆମ୍ଭେ ପ୍ରତିଜ୍ଞାନୁସାରେ ଗୁରୁଙ୍କ ନିମିତ୍ତ ଭିକ୍ଷା କରୁଅଛୁ । ରାଜା କହିଲେ,-। ୧ । ହେ ଭଗବନ ! କି ପ୍ରତିଜ୍ଞା ବ୍ୟକ୍ତ କରନ୍ତୁ । ୨ । ବ୍ରାହ୍ମଣ କହିଲେ, ହେ ମହାରାଜ ! ଏହି ଜୀବଲୋକରେ କୌଣସି ମନୁଷ୍ୟଠାରେ ଯାଚ୍‌ଜ୍ଞା କଲେ, ସେ ଅତିଶୟ ବିଦ୍ୱେଷ କରେ । ଅତଏବ ଆପଣଙ୍କୁ ପଚାରୁଅଛି, ଆପଣ କିରୂପେ ଆମ୍ଭର ପ୍ରାର୍ଥୀ ଓ କି ପ୍ରିୟ ଦ୍ରବ୍ୟ ପ୍ରଦାନ କରିବେ ? ୩ ।

 

ରାଜା କହିଲେ, ହେ ଦାନାର୍ହ ! ଆମ୍ଭେ ଦାନକରି ତାହା କୀର୍ତ୍ତନ କରୁନାହିଁ । ଯେଉଁ ପଦାର୍ଥ ଅପ୍ରାପ୍ୟ, ତାହା ଆମ୍ଭେ ଶୁଣୁନାହିଁ; କିନ୍ତୁ ପ୍ରାପ୍ୟଧନ ଅର୍ଥାତ୍ ସ୍ତ୍ରୀ ପୁତ୍ର ଅଥବା ଆମ୍ଭର ଦେହକୁ ଯଦି କେହି ପ୍ରାର୍ଥନା କରେ, ତେବେ ତାହାର ପ୍ରାର୍ଥନା ଶୁଣୁ ଓ ତାହା ପ୍ରଦାନ କରିବା ନିମିତ୍ତ ସୁଖୀ ହେଉ-। ୪ । ବ୍ରାହ୍ମଣ ଯଦି ଆମ୍ଭ ନିକଟରେ ଅର୍ଥ ଯାଚ୍‌ଜ୍ଞା କରେ, ତେବେ ଆମ୍ଭର ମନ କୁପିତ ହୁଏନାହିଁ-। ଯାଚ୍‌ଜ୍ଞାମାନ ବିପ୍ର ଆମ୍ଭର ପ୍ରିୟ । ଆମ୍ଭେ ଅର୍ଥ ଦାନକରି କଦାପି ଅନୁଶୋଚନା କରୁନାହିଁ । ଅତଏବ ଆପଣଙ୍କୁ ଆମ୍ଭେ ସହସ୍ର ଗୋଦାନ କରୁଅଛୁ-। ଯଯାତି ରାଜା ଏହି କଥା କହି ବ୍ରାହ୍ମଣଙ୍କୁ ସହସ୍ର ଗୋଦାନ କଲେ । ବ୍ରାହ୍ମଣ ମଧ୍ୟ ସେ ଦାନକୁ ଗ୍ରହଣ କଲେ । ୬ ।

 

॥ ଅଧ୍ୟାୟ – ୧୯୬ ॥

 

ବୈଶମ୍ପାୟନ କହିଲେ– ପାଣ୍ଡୁନନ୍ଦନ ଯୁଧିଷ୍ଠିର ମାର୍କଣ୍ଡେୟଙ୍କୁ ପୁନର୍ବାର କହିଲେ, ହେ ବ୍ରହ୍ମନ୍‌ ! ଆପଣ ପୁନର୍ବାର ରାଜନ୍ୟମାନଙ୍କର ମହାଭାଗ୍ୟ କୀର୍ତ୍ତନ କରନ୍ତୁ । ୧ । ମାର୍କଣ୍ଡେୟ କହିଲେ, ମହାରାଜ ! ଶ୍ରବଣ କରନ୍ତୁ । ବୃଷଦର୍ଭ ଓ ସେଦୁକ ନାମରେ ଦୁଇ ରାଜା ଥିଲେ । ସେ ଦୁହେଁ ଅସ୍ତ୍ର ଉପାୟ ଲାଭକରି କୃତକୃତ୍ୟ ହୋଇଥିଲେ । ତତ୍ପରେ ନୀତିଶାସ୍ତ୍ରମାନଙ୍କୁ ମଧ୍ୟ ଅଧ୍ୟୟନ କରିଥିଲେ । ୨ । ରାଜା ସେଦୁକ ଜାଣିଥିଲେ ଯେ ବୃଷଦର୍ଭ ବାଳକ ରାଜା । ତାହାଙ୍କର ଗୋପନୀୟ ବ୍ରତ ଥିଲା ଯେ, ସେ ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ ଓ ରୌପ୍ୟ ବ୍ୟତୀରେକେ ଆଉ କୌଣସି ଧାତୁ ଦିଅନ୍ତି ନାହିଁ । ୩ ।

 

ତଦନନ୍ତର ବେଦାଧ୍ୟୟନସମ୍ପନ୍ନ ଜଣେ ବ୍ରାହ୍ମଣ ଏକସମୟରେ ଆସି ସେଦୁକ ରାଜାଙ୍କୁ ଆଶୀର୍ବାଦ କରି ଗୁରୁଦକ୍ଷିଣା ନିମିତ୍ତ ଯାଚ୍‌ଜ୍ଞା କଲେ । ହେ ମହାରାଜ ! ଆପଣ ଆମ୍ଭଙ୍କୁ ସହସ୍ରେ ଅଶ୍ୱ ପ୍ରଦାନ କରନ୍ତୁ । ସେଦୁକ କହିଲେ, ୫ । ହେ ବ୍ରହ୍ମନ୍‌ ! ଆପଣଙ୍କୁ ଗୁରୁ ଦକ୍ଷିଣା ନିମିତ୍ତ ଆମ୍ଭର ସହସ୍ରେ ଅଶ୍ୱ ପ୍ରଦାନ କରିବାର କ୍ଷମତା ନାହିଁ । ଅତଏବ ଆପଣ ବୃଷଦର୍ଭ ରାଜାଙ୍କ ନିକଟକୁ ଗମନ କରନ୍ତୁ । ସେହି ରାଜା ପରମ ଧର୍ମଜ୍ଞ । ଆପଣ ତାହାଙ୍କ ନିକଟରେ ଭିକ୍ଷା କରନ୍ତୁ । ସେ ଆପଣଙ୍କୁ ସହସ୍ରେ ଅଶ୍ୱ ଦେବେ । ତାହାଙ୍କର ଏହିପରି ଗୋପନୀୟ ବ୍ରତ ଅଛି । ୭ । ତଦନନ୍ତର ବ୍ରାହ୍ମଣ ବୃଷଦର୍ଭଙ୍କ ନିକଟକୁ ଯାଇ ସହସ୍ରେ ଅଶ୍ୱ ଯାଚ୍‌ଜ୍ଞା କଲେ; କିନ୍ତୁ ବୃଷଦର୍ଭ ସେହି ବ୍ରାହ୍ମଣଙ୍କୁ କୋରଡା ଧରି ମାରିଲେ । ୮ ।

 

ପରେ ବ୍ରାହ୍ମଣ ତାହାଙ୍କୁ କହିଲେ– ଆମ୍ଭେ ନିରପରାଧ । କେଉଁ କାରଣରୁ ତୁମ୍ଭେ ଆମ୍ଭଙ୍କୁ ହିଂସା କରୁଅଛ ? ଏହିପରି କହି ରାଜାଙ୍କୁ ବ୍ରାହ୍ମଣ ଅଭିଶାପ ଦେବାକୁ ଉଦ୍ୟତ ହେଲେ । ଯେତେବେଳେ ରାଜା ତାହାଙ୍କୁ କହିଲେ, ହେ ବିପ୍ର ! ଆପଣଙ୍କୁ ଯେ ଦାନ ନ ଦିଏ, ଆପଣ କ’ଣ ତାହାଙ୍କୁ ଅଭିଶାପ ଦିଅନ୍ତି ? ଏହି କି ଆପଣଙ୍କର ବ୍ରାହ୍ମଣ୍ୟପଣ ?୧୦ । ବ୍ରାହ୍ମଣ କହିଲେ, ହେ ରାଜାଧିରାଜ ! ସେଦୁକ ରାଜା ମୋତେ ଆପଣଙ୍କ ସମୀପକୁ ଭିକ୍ଷାନିମିତ୍ତ ପ୍ରେରଣ କରିଅଛନ୍ତି । ଆମ୍ଭେ ତାହାଙ୍କ ଆଦେଶାନୁସାରେ ଆପଣଙ୍କ ନିକଟକୁ ଆସି ଯାଚ୍‌ଜ୍ଞା କଲୁ । ୧୧ । ରାଜା ବିଚାରିଲେ– ଏହି ବ୍ରାହ୍ମଣ ଯାଚ୍‌ଜ୍ଞା କରିବାକୁ ଆସିଅଛନ୍ତି; କିଛି ନ ଦେଇ କିପରି ଏହାଙ୍କୁ ଦୂର କରିବା ? ଅତଏବ ଅଦ୍ୟ ଆମ୍ଭର ଯାହା ଆୟ ହେବ; ତାହା ଆପଣଙ୍କୁ ପୂର୍ବାହ୍ନରେ ଦାନ କରିବୁ । ୧୨ । ଏହା କହି ରାଜା ସେହି ବ୍ରାହ୍ମଣଙ୍କୁ ଏକ ଦିନର ଉତ୍ପନ୍ନ ଅର୍ଥ ପ୍ରଦାନ କଲେ । ସେହି ଧନ ସହସ୍ର ଅଶ୍ୱର ମୂଲ୍ୟ ଅପେକ୍ଷା ଅଧିକ ହେଲା । ୧୩ ।

 

॥ ଅଧ୍ୟାୟ – ୧୯୭ ॥

 

ମାର୍କଣ୍ଡେୟ କହିଲେ– ହେ ମହାରାଜ ! ଆଉ ଏକ ଇତିହାସ ଶ୍ରବଣ କରନ୍ତୁ । ଦେବତାମାନେ ଏକଦା ଏହି କଥା ସ୍ଥିର କଲେ ଯେ ଚାଲ, ଆମ୍ଭେମାନେ ମହୀତଳକୁ ଯାଇ ଉଶୀନରଙ୍କ ପୁତ୍ର ଶିବିରାଜାଙ୍କ ନିକଟରେ ଉପସ୍ଥିତ ହେବା ଓ ସେ କିପରି ସାଧୁ ପରୀକ୍ଷା କରିବା । ପରେ ଅଗ୍ନି ଓ ଇନ୍ଦ୍ର ପରସ୍ପର ଡକାଡକି ହୋଇ ଭୂମଣ୍ଡଳରେ ଉପସ୍ଥିତ ହେଲେ । ଅଗ୍ନି କପୋତ ରୂପ ଧରି ପଳାଇଲେ ଓ ଇନ୍ଦ୍ର ଶ୍ୟେନ ପକ୍ଷୀ ରୂପରେ ମାଂସାର୍ଥୀ ହୋଇ କପୋତକୁ ଗୋଡାଇଲେ-। ରାଜା ଶିବି ଦିବ୍ୟାସନରେ ବସିଅଛନ୍ତି । ଏମନ୍ତ ସମୟରେ କପୋତ ତାହାଙ୍କ କ୍ରୋଡ ମଧ୍ୟରେ ନିପତିତ ହେଲା । ତାହା ଦେଖି ପୁରୋହିତ ରାଜାଙ୍କୁ କହିଲେ, ଏହି କପୋତ ଶ୍ୟେନ ପକ୍ଷୀକୁ ଭୟକରି ପ୍ରାଣରକ୍ଷାର୍ଥ ଆପଣଙ୍କ ଶରଣାପନ୍ନ ହୋଇଅଛି । ୪ । ପଣ୍ଡିତମାନେ କପୋତକୁ ନିପାତ କରିବା ଅନିଷ୍ଟକର ବୋଲି କହିଅଛନ୍ତି । ରାଜାମାନେ ଅନିଷ୍ଟ ଆଶଙ୍କା କରି କପୋତକୁ ରକ୍ଷା କରନ୍ତି-। ଅତଏବ ଆପଣ ମଧ୍ୟ ଏହାକୁ ରକ୍ଷା କରିବା ନିମିତ୍ତ ଧନଦାନ କରନ୍ତୁ । ୫ । ତତ୍ପରେ ରାଜାଙ୍କୁ କପୋତ କହିଲେ, ଆମ୍ଭେ ଶ୍ୟେନପକ୍ଷୀଠାରୁ ଭୀତ ହୋଇ ପ୍ରାଣରକ୍ଷା ନିମିତ୍ତ ଆପଣଙ୍କର ଶରଣାଗତ ହେଲୁ । ଆମ୍ଭେ ବେଦପାଠ କରୁ । ଗୋଟି ଗୋଟି ଅକ୍ଷର କରି ଆମ୍ଭେ ବେଦାଧ୍ୟୟନ କରିଅଛୁ । ଆମ୍ଭର ଛନ୍ଦଜ୍ଞାନ ନାହିଁ । ପ୍ରକୃତରେ ଆମ୍ଭେ କପୋତ ନୋହୁ । ଅତଏବ ଆପଣ ଶ୍ୟେନପକ୍ଷୀ ହସ୍ତରେ ଆମ୍ଭଙ୍କୁ ଅର୍ପଣ କରନ୍ତୁ ନାହିଁ । ଶ୍ରୋତ୍ରିୟ ବ୍ରାହ୍ମଣଙ୍କୁ ଦାନ କରିବା ଉତ୍ତମ ଦାନ ନୁହେଁ । ୮ ।
 

ଅନନ୍ତର ଶ୍ୟେନପକ୍ଷୀ ରାଜାଙ୍କୁ କହିଲା, ୯ । ହେ ରାଜନ୍‌ ! ସଂସାରରେ ପର୍ଯ୍ୟୟକ୍ରମେ ଜୀବର ଜନ୍ମ ହୁଏ ନାହିଁ; ସୁତରାଂ ପୂର୍ବ ଜନ୍ମରେ ହୁଏତ ଆପଣ ଏହି କପୋତଠାରୁ ଜନ୍ମଗ୍ରହଣ କରିଥିବେ, ତାହା କିଏ କହିପାରେ ? ଏହି ହେତୁରୁ ଆପଣ କଅଣ ଜନ୍ମାନ୍ତରରେ ଆପଣଙ୍କର ପିତା ଥିଲେ ? ଏହି କପୋତକୁ ରକ୍ଷା କରିବା ନିମିତ୍ତ ଆମ୍ଭ ଆହାରରେ ବିଘ୍ନ କରୁଅଛନ୍ତି ? ଏପରି କାର୍ଯ୍ୟ କରିବେ ନାହିଁ । ରାଜା କହିଲେ– ଏହି କପୋତ ଓ ଶ୍ୟେନ ଯେପରି କଥା କହୁଅଛନ୍ତି, ପକ୍ଷୀମାନେ କୌଣସି କାଳରେ କଅଣ ଏହିପରି ଉତ୍କୃଷ୍ଟ ଦେବଭାଷା କହିବାର କେହି ଶୁଣିଅଛନ୍ତି । ୧୦ । ଏ ଦୁହିଁଙ୍କୁ ଏପରି ଜାଣି ଅଦ୍ୟ ଆମ୍ଭେ କିପରି ସାଧୁ କର୍ମ କରିବା । ୧୧ । ରାଜା ପୁଣି କହିଲେ, ଯେଉଁ ବ୍ୟକ୍ତି ଭୀତ ଓ ଶରଣାଗତ ବ୍ୟକ୍ତିକୁ ଶତ୍ରୁହସ୍ତରେ ସମର୍ପଣ କରେ, ସେ ଯଥାକାଳରେ ପରିତ୍ରାଣ ଇଚ୍ଛା କଲେ ସୁଦ୍ଧା ପରିତ୍ରାଣ ପାଏ ନାହିଁ । ଯଥାକାଳରେ ତାହା ରାଜ୍ୟରେ ବୃଷ୍ଟି ହୁଏ ନାହିଁ । ଯଥାକାଳରେ ବୀଜକୁ ରୋପଣ କଲେ ସୁଦ୍ଧା ସେ ଅଙ୍କୁରିତ ହୁଏ ନାହିଁ । ୧୨ । ଶରଣାଗତ ବ୍ୟକ୍ତିକୁ ଯେ ଶତ୍ରୁହସ୍ତରେ ସମର୍ପଣ କରେ, ତାହାର ସନ୍ତାନମାନେ ଜାତ ହୋଇ ଶୈଶବାବସ୍ଥାରେ ମୃତ ହୁଅନ୍ତି । ତାହାଙ୍କର ପିତୃଲୋକମାନେ କଦାପି ସ୍ୱର୍ଗବାସ କରିବାକୁ ସମର୍ଥ ହୁଅନ୍ତି ନାହିଁ । ଦେବତାମାନେ ମଧ୍ୟ ତାହାଙ୍କର ହବ୍ୟକୁ ଗ୍ରହଣ କରନ୍ତି ନାହିଁ । ୧୩ । ଯେଉଁ ମନୁଷ୍ୟ ଭୀତ ଓ ଶରଣାଗତ ବ୍ୟକ୍ତିକୁ ଶତ୍ରୁ ହସ୍ତରେ ସମର୍ପଣ କରେ, ସେ ଯାହା ଆହାର କରେ ତାହା ନିଷ୍ଫଳ, ତାହାର ହୃଦୟ କ୍ରୂର, ସ୍ୱର୍ଗଲୋକରୁ ସେ ଶୀଘ୍ର ଭ୍ରଷ୍ଟ ହୁଏ ଓ ଇନ୍ଦ୍ରାଦି ଦେବଗଣ ତାହା ପ୍ରତି ବଜ୍ର ପ୍ରହାର କରନ୍ତି । ୧୪ ।

 

ହେ ଶ୍ୟେନ ! ଶିବିବଂଶୀୟମାନେ ଏହି କପୋତ ପରିବର୍ତ୍ତେ ଅନ୍ନ ସହିତ ଗୋଟିଏ ବୃଷଭକୁ ପାକକରି ତୁମ୍ଭ ଆହାର ନିମିତ୍ତ ପ୍ରଦାନ କରନ୍ତୁ । ତୁମ୍ଭେ ଯେଉଁ ସ୍ଥାନରେ ବାସକର, ସେଠାକୁ ତୁମ୍ଭ ନିମିତ୍ତ ଯଥେଷ୍ଟ ମାଂସ ବହନ କରି ନେଇଯାଆନ୍ତୁ । ୧୫ ।

 

ଶ୍ୟେନ କହିଲେ– ହେ ରାଜନ୍‌ ! ଆମ୍ଭେ ବୃଷକୁ ଭକ୍ଷଣ କରିବାକୁ ଇଚ୍ଛା କରୁ ନାହୁଁ ଅଥବା ଏହି କପୋତ ଅପେକ୍ଷା ଅଧିକ ମାଂସ ପ୍ରାର୍ଥନା କରୁନାହୁଁ । ଦୈବ ଆମ୍ଭଙ୍କୁ ଏହି କପୋତ ଅଦ୍ୟ ଦେଇଅଛନ୍ତି । ଅତଏବ ଏହାକୁ ବିନାଶ କଲେ ଆମ୍ଭର ଭୋଜନ ହେବ, ତାହା ଆପଣ ଅବଧାରଣ କରିଅଛନ୍ତି । ଅତଏବ ଆମ୍ଭଙ୍କୁ ଆପଣ ଏହି କପୋତ ପ୍ରଦାନ କରନ୍ତୁ ।

 

ରାଜା କହିଲେ– ହେ ଶ୍ୟେନ ! ଆମ୍ଭର ପୁରୁଷମାନେ ଯାଇ ଦେଖନ୍ତୁ, ଆମ୍ଭେ ଯେଉଁ ବୃଷଭକୁ ଦେବାକୁ କହୁଅଛୁ, ସେ ସର୍ବାଙ୍ଗସମ୍ପନ୍ନ ହୋଇଥିବ । ଏହି ଭୟାତୁର କପୋତ ପରିବର୍ତ୍ତେ ସେହି ବୃଷ ଧନ ସୂରୂପ ହେଉ; ସେହି ବୃଷକୁ ଆମ୍ଭ ନିକଟରୁ ନେଇ ତୁମ୍ଭଠାରେ ଅର୍ପଣ କରନ୍ତୁ । ତୁମ୍ଭେ ଏହି କପୋତକୁ ହିଂସା କରନାହିଁ । ୧୭ । ହେ ପ୍ରିୟଦର୍ଶକ ଶ୍ୟେନ ! ଏହି କପୋତଟି ଆମ୍ଭର ପାଳନଯୋଗ୍ୟ ଅଟେ । ଆମ୍ଭର ନିଶ୍ଚୟ ବୋଧହେଉଅଛି ଯେ ସୋମଯୁକ୍ତ ଯଜ୍ଞ ଯେପରି ରକ୍ଷଣୀୟ, ଏହି କପୋତଟି ମଧ୍ୟ ତାଦୃଶ ରକ୍ଷଣୀୟ ଅଟେ । ଆମ୍ଭେ ପ୍ରାଣ ପଛକେ ପରିତ୍ୟାଗ କରିବୁ, ତଥାପି କପୋତଟିକୁ ଦେବୁ ନାହିଁ । ତୁମ୍ଭେ ଏହା ନିମିତ୍ତ ଅନେକ କ୍ଳେଶ ସ୍ୱୀକାର କରିଅଛ, ଆଉ ଚେଷ୍ଟା କରେ ନାହିଁ । ଆମ୍ଭେ କଦାପି ତୁମ୍ଭଙ୍କୁ କପୋତ ସମର୍ପଣ କରିବୁ ନାହିଁ । ୧୮ । ଅଥବା ହେ ଶ୍ୟେନ ! ଶିବିବଂଶୀୟମାନେ ଯେପରି ଆମ୍ଭର କର୍ମରେ ପ୍ରସନ୍ନ ହୋଇ ଆମ୍ଭଙ୍କୁ ପ୍ରଶଂସା କରିବେ ଓ ଆମ୍ଭେ ଏହି କପୋତ ତୁମ୍ଭଙ୍କୁ ନ ଦେଇ ତୁମ୍ଭର ଯେପରି ପ୍ରିୟ କାର୍ଯ୍ୟ କରିବୁ, ଏହି ଉଭୟ ପକ୍ଷ ରକ୍ଷାକରି ତୁମ୍ଭେ ଆମ୍ଭଙ୍କୁ ଯାହା ଅନୁଶାସନ କରିବ, ତାହା ଆମ୍ଭେ କରିବାକୁ ପ୍ରସ୍ତୁତ ଅଛୁ । ତୁମ୍ଭେ ଯାହା କହିବ, ଆମ୍ଭେ ତାହା କରିବୁ । ୧୯ ।

 

ଶ୍ୟେନ କହିଲେ ପିତଃ, ହେ ରାଜନ୍‌ ! ଯଦି ଏପରି କହିଲେ, ତେବେ ଏହି କପୋତର ମାଂସ ଯେଉଁ ପରିମାଣ ହେବ, ତାବତ୍ ପରିମିତ ମାଂସ ଆପଣଙ୍କ ଦକ୍ଷିଣ ଊରୁ ମଧ୍ୟରୁ କାଟି ଆମ୍ଭଙ୍କୁ ଦିଅନ୍ତୁ । ଏହାହେଲେ କପୋତ ପରିତ୍ରାଣ ପାଇବ ଓ ଆମ୍ଭର ମଧ୍ୟ ପ୍ରିୟକାର୍ଯ୍ୟ କରିବାର ହେବ ଅଥଚ ଶିବିବଂଶୀୟମାନେ ଆପଣଙ୍କୁ ପ୍ରଶଂସା କରିବେ । ୨୦ । ଅନନ୍ତର ରାଜା ଦକ୍ଷିଣ ଊରୁ ମଧ୍ୟରୁ ଖଣ୍ଡିଏ ମାଂସ କର୍ତ୍ତନ କରି କପୋତ ସହିତ ତୁଳାଦଣ୍ଡରେ ତୁଳିଲେ । ତହିଁରେ କପୋତ ଗୁରୁତର ହେଲା । ୨୧ । ତତ୍ପରେ ରାଜା ପୁନର୍ବାର ଦେହର ଅନ୍ୟ ସ୍ଥାନରୁ ମାଂସ କାଟି କରି ତୁଳାରେ ରଖିଲେ; ତହିଁରେ ସୁଦ୍ଧା କପୋତ ଗୁରୁତର ହେଲା । ପୁନର୍ବାର ସେ ତାଙ୍କର ସର୍ବ ଶରୀରର ମାଂସ ତୁଳା ଉପରେ ଆରୋପଣ କଲେ; ତଥାପି କପୋତ ଗୁରୁତର ହେବାର ଦେଖାଗଲା । ୨୨ । ଅନନ୍ତର ରାଜା ସ୍ୱୟଂ ତୁଳାରେ ଆରୋହଣ କଲେ; ଏଥିରେ ସୁଦ୍ଧା ତାହାଙ୍କ ଚିତ୍ତରେ ଅସନ୍ତୋଷ ଜନ୍ମିଲା ନାହିଁ । ଶ୍ୟେନ ଏହି ବ୍ୟାପାର ଦେଖି କପୋତ ପରିତ୍ରାଣ ପାଇଲା ବୋଲି କହି ସେହି ସ୍ଥାନରୁ ଅନ୍ତର୍ହିତ ହେଲେ । ୨୩ ।

 

ଅନନ୍ତର ରାଜା କପୋତକୁ କହିଲେ, ହେ କପୋତ ! ଶିବିବଂଶୀୟମାନେ ଜାଣିବା ନିମିତ୍ତ ଆମ୍ଭେ ତୁମ୍ଭଙ୍କୁ ପଚାରୁଅଛୁ, ଶ୍ୟେନ ପକ୍ଷୀ କିଏ ? ଈଶ୍ୱରଙ୍କ ଭିନ୍ନ ଆଉ କେହି ଏପରି କର୍ମ କରି ନ ପାରନ୍ତି । ଅତଏବ ହେ ଭଗବନ ! ଆପଣ ଆମ୍ଭର ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ୨୪ । କପୋତ କହିଲେ, ଆମ୍ଭେ ଧୂମକେତୁ ବୈଶ୍ୱାନର ଅଟୁ । ଏହି ଶ୍ୟେନ ସାକ୍ଷାତ୍ ବଜ୍ରପାଣି ପୁରନ୍ଦର । ହେ ସୌରନ୍ଦେୟ ! ତୁମ୍ଭେ ଶ୍ରେୟ ବ୍ୟକ୍ତି । ତୁମ୍ଭଙ୍କୁ ଜାଣିବା ଅଭିଳାଷରେ ଆମ୍ଭେ ଦୁହେଁ ତୁମ୍ଭ ନିକଟକୁ ଆସିଥିଲୁ । ହେ ରାଜନ୍‌ ! ଆମ୍ଭଙ୍କୁ ପରିତ୍ରାଣ କରିବା ନିମିତ୍ତ ତୁମ୍ଭେ ଯେ ତରବାରୀଦ୍ୱାରା ମାଂସପେଶୀ କର୍ତ୍ତନ କରି ପ୍ରଦାନ କରିଅଛ, ତହିଁରେ ତୁମ ଅଙ୍ଗରେ ଯେଉଁ କ୍ଷତ ହୋଇଅଛି, ତାହାକୁ ଆମ୍ଭେ ସୁବର୍ଣ୍ଣର୍ ପ୍ରାୟ ରୁଚିର କରିଅଛୁ ଓ ତନ୍ମଧ୍ୟରୁ ସୁଗନ୍ଧ ନିଃସୃତ ହେବ । ୨୬ । ତୁମ୍ଭେ ଦେବର୍ଷି ସମ୍ମତ ଅତିଶୟ ଯଶସ୍ୱୀ ହୋଇ ଏହି ପ୍ରଜାମାନଙ୍କୁ ପାଳନ କରିବ । ତୁମ୍ଭର ଏହି ଅଙ୍ଗର ପାର୍ଶ୍ୱରୁ କପୋତରାମା ନାମରେ ଗୋଟିଏ ପୁତ୍ର ଜାତ ହେବ । ତୁମ୍ଭେ ଦେଖିବ ଯେ ସେ ସୌରଥଗଣଙ୍କ ମଧ୍ୟରେ ଶ୍ରେଷ୍ଠ ହେବ; ଯଶରେ ବିଖ୍ୟାତ ହେବ ଓ ତେଜରେ ଦୀପ୍ତମାନ ହେବ । ଏପରି ଶୂର ଓ ଉତ୍କଷ୍ଟ ଶରୀର ପୁତ୍ରକୁ ଲାଭ କରନ୍ତୁ । ୨୮ ।

 

॥ ଅଧ୍ୟାୟ – ୧୯୮ ॥

 

ବୈଶମ୍ପାୟନ କହିଲେ– ମାର୍କଣ୍ଡେୟଙ୍କୁ ଯୁଧିଷ୍ଠିର ପୁନର୍ବାର ପଚାରିଲେ, ଆପଣ ପୁନର୍ବାର ରାଜନ୍ୟମାନଙ୍କର ଯଶ କୀର୍ତ୍ତନ କରନ୍ତୁ ।

 

ତଦନନ୍ତର ମାର୍କଣ୍ଡେୟ କହିଲେ– ବିଶ୍ୱାମିତ୍ରଙ୍କ ସନ୍ତାନ ଅଷ୍ଟକ ନାମରେ ଜଣେ ରାଜା ଥିଲେ । ତାହାଙ୍କ ଅଶ୍ୱମେଧ ଯଜ୍ଞକୁ ସବୁ ରାଜା ଆସିଥିଲେ । ତନ୍ମଧ୍ୟରେ ପ୍ରତର୍ଦ୍ଦନ, ବସୁମନା ଓ ଉଶୀନରସୁତ ଶିବି ଏହି ତିନିଭାଇ ମଧ୍ୟ ଆସିଥିଲେ । ଅଷ୍ଟକ ରାଜା ଯଜ୍ଞ ସମାପନା କରି ଭ୍ରାତାମାନଙ୍କ ସହିତ ରଥାରୋହଣ କରି ଗମନ କରୁଥିଲେ । ଏମନ୍ତ ସମୟରେ ଦେବର୍ଷି ନାରଦଙ୍କୁ ଆସୁଥିବାର ଦେଖିଲେ । ଭାଇମାନେ ତାହାଙ୍କୁ ଅଭିବାଦନ କରି ହାତଯୋଡ଼ି କହିଲେ, ଆପଣ ରଥାରୋହଣ କରନ୍ତୁ । ତଦନନ୍ତର ସେମାନଙ୍କ ମଧ୍ୟରୁ ଗୋଟିଏ ଭାଇ ଦେବର୍ଷିଙ୍କୁ ପ୍ରସନ୍ନ କରି କହିଲେ, “ହେ ଭଗବନ ! ଆମ୍ଭର କିଛି ପଚାରିବାକୁ ଇଚ୍ଛା ହେଉଅଛି” । ୩ । ଋଷି କହିଲେ, ‘ପଚାର’ । ସେ କହିଲେ, ଆମ୍ଭେମାନେ ସମସ୍ତେ ଆୟୁଷ୍ମାନ ଓ ଗୁଣସମ୍ପନ୍ନ ଅଟୁ । ଅତଏବ ଆମ୍ଭେ ଚାରି ଜଣ ସ୍ୱର୍ଗକୁ ଯାଇ ସେଠାରେ ଦୀର୍ଘକାଳ ବାସକରିବୁ । କିନ୍ତୁ ଆମ୍ଭମାନଙ୍କ ମଧ୍ୟରେ କିଏ ସ୍ୱର୍ଗରୁ ପୃଥିବୀରେ ପତିତ ହେବେ ? ଋଷି କହିଲେ– ଏହି ଅଷ୍ଟକ । ଅଷ୍ଟକ ପଚାରିଲେ- କେଉଁ କାରଣରୁ ? ଋଷି କହିଲେ, ଆମ୍ଭେ ଏକ ସମୟରେ ଏହି ଅଷ୍ଟକଙ୍କ ଗୃହରେ ବାସ କରିଥିଲୁ । ସେ ଆମ୍ଭଙ୍କୁ ରଥରେ ବସାଇ ନଗରରୁ ବାହାରକୁ ଘେନିଗଲେ । ତତ୍କାଳରେ ଆମ୍ଭେ ଦେଖିଲୁ, ନାନାବର୍ଣ୍ଣର ବିଚିତ୍ର ସହସ୍ର ସହସ୍ର ଗୋରୁ ପୃଥକ୍ ପୃଥକ୍ ରହିଅଛନ୍ତି । ଆମ୍ଭେ ପଚାରିଲୁ, ଏସବୁ ଗୋରୁ କାହାର ? ସେ କହିଲେ, ଆମ୍ଭେ ଏହିସବୁ ଗୋରୁ ଉତ୍ସର୍ଗ କରିଅଛୁ । ଏହିପରି କହିବାରୁ ତୁମ୍ଭର ଆତ୍ମଶ୍ଳାଘା କରିବାର ହେଲା । ଏହି ହେତୁରୁ ତୁମ୍ଭେ ସ୍ୱର୍ଗରୁ ପତିତ ହେବ । ତତ୍ପରେ ସେମାନେ କହିଲେ, ସମ୍ପ୍ରତି ଆମ୍ଭେ ତିନି ଜଣ ଯିବୁ । ଆମ୍ଭମାନଙ୍କ ମଧ୍ୟରୁ କିଏ ପତିତ ହେବ ?

 

ଋଷି କହିଲେ, ପ୍ରତର୍ଦ୍ଦନ । ପ୍ରତର୍ଦ୍ଦନ କହିଲେ, ତାହାର କାରଣ କ’ଣ ? ଋଷି କହିଲେ, ଆମ୍ଭେ ଏହି ପ୍ରତର୍ଦ୍ଦନଙ୍କ ଗୃହକୁ ଥରେ ଯାଇଥିଲୁ । ସେ ଆମ୍ଭଙ୍କୁ ରଥରେ ବସାଇ ରଥ ବାହିଲେ । ୬ । ଏମନ୍ତ ସମୟରେ ଏହାଙ୍କ ନିକଟରେ ଜଣେ ବ୍ରାହ୍ମଣ ଯାଚ୍‌ଜ୍ଞା କଲା ଯେ ଆପଣ ଆମ୍ଭଙ୍କୁ ଗୋଟିଏ ଅଶ୍ୱ ଦିଅନ୍ତୁ । ପ୍ରତର୍ଦ୍ଦନ ବ୍ରାହ୍ମଣଙ୍କୁ କହିଲେ, ଆମ୍ଭେ ଫେରିଆସି ଦାନ କରିବୁ । ବ୍ରାହ୍ମଣ କହିଲେ, ଶୀଘ୍ର ପ୍ରଦାନ କରିବା ହୁଅନ୍ତୁ । ପ୍ରତର୍ଦ୍ଦନ ବିଚାରିଲେ, ବ୍ରାହ୍ମଣଙ୍କୁ ଶୀଘ୍ର ଅଶ୍ୱ ଦେବା ଉଚିତ-। ଏହା ବିଚାରି ଦକ୍ଷିଣ ପାଖରେ ରଥଚକ୍ର ନିକଟରେ ଯେଉଁ ଅଶ୍ୱଟି ଯୋଜିତ ହୋଇଥିଲା, ତାହାକୁ ପ୍ରଦାନ କରି ଗମନ କଲେ । ପୁନରପି ଆଉ ଜଣେ ବ୍ରାହ୍ମଣ ଅଶ୍ୱାର୍ଥୀ ହୋଇ ଆସିଲେ । ତାହାକୁ ମଧ୍ୟ ତତ୍‌କ୍ଷଣାତ ଅଗ୍ରଭାଗର ବାମ ପାର୍ଶ୍ୱର ଅଶ୍ୱଟିକୁ ମୋଚନ କରି ଦାନ କଲେ । ୮ ।

 

ପରେ ପୁନର୍ବାର ଆଉ ଜଣେ ଅଶ୍ୱାର୍ଥୀ ବ୍ରାହ୍ମଣ ଆସିଲେ । ତାହାଙ୍କୁ କହିଲେ, ଆମ୍ଭେ ଫେରିଆସିଲେ ଦେବୁ । ବ୍ରାହ୍ମଣ କହିଲେ, ଶୀଘ୍ର ପ୍ରଦାନ କରନ୍ତୁ । ତେତେବେଳେ ରାଜା ବ୍ରାହ୍ମଣଙ୍କୁ ଅବଶିଷ୍ଟ ଯେଉଁ ଅଶ୍ୱ ଥିଲା, ତାହାକୁ ପ୍ରଦାନ କଲେ ଓ ସ୍ୱୟଂ ରଥଧୁରକୁ ଗ୍ରହଣ କରି କହିଲେ, ଏବେ ବ୍ରାହ୍ମଣମାନଙ୍କ ନିମିତ୍ତ ଆଉ କିଛି ନାହିଁ ଯେ ସେ ମାଗିବେ । ୯ । ସେ ପ୍ରତିଦିନ ଦାନ କରନ୍ତି, ଏକଥା ସତ୍ୟ; କିନ୍ତୁ ସେ ଅସୂୟାପୂର୍ବକ ବାକ୍ୟ ପ୍ରୟୋଗ କରିଥିବାରୁ ସ୍ୱର୍ଗଲୋକରୁ ମର୍ତ୍ତ୍ୟରେ ପତିତ ହେବେ ।

 

ତତ୍ପରେ ଆଉ ଜଣେ ରାଜା କହିଲେ, ଆମ୍ଭେ ଦୁଇ ଜଣ ସ୍ୱର୍ଗକୁ ଯିବୁ । ଆମ୍ଭ ଦୁଇ ଜଣଙ୍କ ମଧ୍ୟରୁ କିଏ ସ୍ୱର୍ଗରୁ ପତିତ ହେବ ? ଋଷି କହିଲେ, ‘ବସୁମନା’ । ୧୧ ।

 

ବସୁମନା ପଚାରିଲେ– କାରଣ କ’ଣ ? ଋଷି କହିଲେ, ଆମ୍ଭେ ଏକଦା ଭ୍ରମଣ କରୁ କରୁ ବସୁମନାଙ୍କ ଗୃହଠାରେ ଉପସ୍ଥିତ ହେଲୁ । ୧୨ । ଯେତେବେଳେ ସେ * ପୁଷ୍ପରଥରେ ବସି ଗମନ କରିବା ନିମିତ୍ତ ସ୍ୱସ୍ତିବାଚନ କରାଉଥିଲେ ; ଏମନ୍ତ ସମୟରେ ଆମ୍ଭେ ବସୁମନାଙ୍କ ସମୀପକୁ ଗଲୁ । ସ୍ୱସ୍ତି ବାଚନ ସମାପ୍ତ ହେବାରୁ ବ୍ରାହ୍ମଣମାନଙ୍କୁ ରଥ ପ୍ରଦର୍ଶିତ ହେଲା । ୧୩ । ଆମ୍ଭେ ମଧ୍ୟ ସେହି ରଥର ପ୍ରଶଂସା କଲୁ । ତାହା ଶୁଣି ରାଜା କହିଲେ, ହେ ଭଗବନ ! ଆପଣ ରଥର ପ୍ରଶଂସା କଲେ; ଅତଏବ ଏହି ରଥ ଆପଣଙ୍କର ହେଉ । ୧୪ । ଅନନ୍ତର ପୁନର୍ବାର ଆମ୍ଭେ ଏକ ସମୟରେ ରାଜାଙ୍କର ରଥ ଆୟୋଜନବେଳେ ଉପସ୍ଥିତ ହୋଇ କହିଲୁ, ଏ ରଥଟି ଉତ୍ତମ ହୋଇଅଛି । ରାଜା କହିଲେ, ଏ ରଥଟି ଆପଣଙ୍କର ହେଉ । ପୁନରପି ତୃତୀୟ ଥର ରଥର ସ୍ୱସ୍ତିବାଚନ ହେଲା । ତେତେବେଳେ ମଧ୍ୟ ରାଜା ବ୍ରାହ୍ମଣମାନଙ୍କୁ ରଥ ଦେଖାଇଲେ ଓ ଆମ୍ଭଙ୍କୁ ଦେଖି କହିଲେ, ଭଗବନ-! ଆପଣ ପୁଷ୍ପ ରଥର ପ୍ରଶଂସା ସମ୍ୟକ୍ରୂପେ କରିଅଛନ୍ତି । ସେ ଏହିରୂପେ କହିଲେ, କିନ୍ତୁ ରଥ ପ୍ରଦାନ କଲେ ନାହିଁ । ଆମ୍ଭଙ୍କୁ ବୃଥା ସ୍ତବ କରିବାର କି ପ୍ରୟୋଜନ ଥିଲା ? ଅତଏବ ଏ ମଧ୍ୟ ପତିତ ହେବେ । ୧୫ । ଅପର ରାଜା କହିଲେ, ଆପଣଙ୍କ ସହିତ ଆଉ ଜଣେ ସ୍ୱର୍ଗକୁ ଯିବେ-। ଏ ଦୁହିଁଙ୍କ ମଧ୍ୟରୁ କିଏ ପତିତ ହେବ ? ନାରଦ କହିଲେ, ଶିବି ସ୍ୱର୍ଗୂ ଯିବେ ଓ ଆମ୍ଭେ ପତିତ ହେବୁ । ସେ ପଚାରିଲେ, କାରଣ କ’ଣ ? ନାରଦ କହିଲେ, ଆମ୍ଭେ ଶିବିଙ୍କ ସମାନ ନୋହୁ; ଯେ ହେତୁରୁ ଏକଦା ଜଣେ ବ୍ରାହ୍ମଣ ଶିବିଙ୍କ ସମୀପରେ ଆଗତ ହେଲେ ଓ କହିଲେ, ୧୬ । ଶବି ! ଆମ୍ଭେ ଅନ୍ନାର୍ଥୀ । ଶିବି ତାହାଙ୍କୁ କହିଲେ, କ’ଣ କରିବାକୁ ହେବ, ଅଜ୍ଞା କରନ୍ତୁ ।

 

[*ପୁଷ୍ପରଥ–ଏହି ରଥରେ ବସି ଗମନ କଲେ ଗିରି, ସାଗର ପ୍ରଭୃତି ଅତିକ୍ରମ କରାଯାଇପାରେ ।]

 

ବ୍ରାହ୍ମଣ କହିଲେ, ବୃହତ୍‌ଗର୍ଭ ନାମରେ ତୁମ୍ଭର ଯେଉଁ ପୁତ୍ର ଅଛି, ତୁମ୍ଭେ ତାହାକୁ ବିନଷ୍ଟ କରି ସଂସ୍କାର ପୂର୍ବକ ଅନ୍ନ ପ୍ରସ୍ତୁତ କର । ଆମ୍ଭର ପ୍ରତୀକ୍ଷା କର । ତଦନନ୍ତର ରାଜା ଆପଣା ପୁତ୍ରକୁ ବିନାଶ କରି ଓ ତାହାର ମାଂସ ବିଧିପୂର୍ବକ ସଂସ୍କାର କରି ପାକ କଲେ । ପାକ ଶେଷ ହେବାରୁ ତାହାକୁ ଗୋଟିଏ ପାତ୍ରରେ ରଖି ମୁଣ୍ଡାଇ ବ୍ରାହ୍ମଣଙ୍କୁ ଅନ୍ୱେଷଣ କରିବାକୁ ବାହାରିଲେ । ୧୮ । ଶିବି ସେହି ବ୍ରାହ୍ମଣଙ୍କୁ ଅନ୍ୱେଷଣ କରୁଅଛନ୍ତି, ଏମନ୍ତ ସମୟରେ ଜଣେ ବ୍ୟକ୍ତି ତାହାଙ୍କୁ କହିଲେ, ଆପଣ ଯେଉଁ ବ୍ରାହ୍ମଣକୁ ଅନ୍ୱେଷଣ କରୁଅଛନ୍ତି, ସେହି ବ୍ରାହ୍ମଣ କ୍ରୂଦ୍ଧ ହୋଇ ନଗର ମଧ୍ୟରେ ପ୍ରବେଶ କରି ଆପଣାର ଗୃହ, ଅନ୍ତଃପୁର, ଧନାଗାର, ଆୟୁଧାଗାର, ଅଶ୍ୱଶାଳା ଓ ହସ୍ତୀଶାଳା ଦଗ୍ଧ କରିଅଛନ୍ତି । ୧୯ । ଏହି ସମାଚାର ଶ୍ରବଣ କରି ସୁଦ୍ଧା ଶିବିଙ୍କର ମୁଖବର୍ଣ୍ଣ ବିବର୍ଣ୍ଣ ହେଲା ନାହିଁ । ଏଥି ଉତ୍ତାରୁ ସେ ନଗର ମଧ୍ୟରେ ପ୍ରବେଶ କରି ସେହି ବ୍ରାହ୍ମଣଙ୍କୁ ପାଇ କହିଲେ, ଭଗବନ ! ଅନ୍ନ ପ୍ରସ୍ତୁତ ହୋଇଅଛି । ବ୍ରାହ୍ମଣ କିଛି ଉତ୍ତର ଦେଲେ ନାହିଁ । ବାସ୍ତବରେ ସେ ବିସ୍ମିତ ହୋଇ ମୁଖ ତଳକୁ କଲେ । ୨୦ । ଅନନ୍ତର ରାଜା ବ୍ରାହ୍ମଣଙ୍କୁ ପ୍ରସନ୍ନ କରିବା ନିମିତ୍ତ କହିଲେ, ହେ ଭଗବନ ! ଭୋଜନ କରିବା ହେଉନ୍ତୁ । ବ୍ରାହ୍ମଣ ମୁହୂର୍ତ୍ତ କାଳ ନିରୀକ୍ଷଣ କରି କହିଲେ, ୨୧ । ତୁମ୍ଭେ ଏହାକୁ ଭୋଜନ କର । ରାଜା ହେଉ ବୋଲି ସ୍ୱୀକାର କଲେ ଓ ପୂର୍ବପ୍ରାୟ ନିର୍ବିକାର ଚିତ୍ତରେ ସମାଦରପୂର୍ବକ କପାଳପାତ୍ରକୁ ଉଠାଇ ଭୋଜନ କରିବାକୁ ଇଚ୍ଛା କଲେ । ତାହା ଦେଖି ବ୍ରାହ୍ମଣ ରାଜାଙ୍କ ହସ୍ତ ଧରି କହିଲେ, ମହାରାଜ ! ଆପଣ କ୍ରୋଧକୁ ଜୟ କରିଅଛନ୍ତି, ବ୍ରାହ୍ମଣଙ୍କ ନିମିତ୍ତ ଆପଣଙ୍କର ଅଦେୟ କିଛି ନାହିଁ । ଏହା କହି ସେହି ମହାଭାଗ ରାଜାଙ୍କୁ ଅର୍ଚ୍ଚନା କଲେ । ୨୩ ।

 

ତଦନନ୍ତର ରାଜା ନିକଟକୁ ନିରୀକ୍ଷଣ କରି ଦେଖିଲେ ଯେ, ଦେବକୁମାର ପ୍ରାୟ ଅଳଙ୍କୃତ ହୋଇ ତାହାଙ୍କର ପୁତ୍ର ବର୍ତ୍ତମାନ ଅଛନ୍ତି । ତାହାଙ୍କ ଶରୀରରୁ ପୁଣ୍ୟଗନ୍ଧ ନିଃସୃତ ହେଉଅଛି । ବ୍ରାହ୍ମଣ ସେହିସବୁ କାର୍ଯ୍ୟ ସମାହିତ କରି ଅନ୍ତର୍ହିତ ହେଲେ । ବିଧାତା ସେହି ବ୍ରାହ୍ମଣ ବେଶରେ ରାଜର୍ଷି ଶିବିଙ୍କୁ ପରୀକ୍ଷା କରିବା ନିମିତ୍ତ ସମାଗତ ହୋଇଥିଲେ । ସେ ତିରୋହିତ ହୁଅନ୍ତେ, ଅମାତ୍ୟମାନେ ରାଜାଙ୍କୁ କହିଲେ, ଆପଣ ସବୁ ଅବଗତ ଅଛନ୍ତି । କି ମାନସରେ ଆପଣ ଏହିପରି କର୍ମ କଲେ ? ଶିବି ଉତ୍ତର କଲେ, ଯଶ କି ଅର୍ଥ, କି ଭୋଗ ବିଳାସ ହେତୁରୁ ଆମ୍ଭେ ଏହି କାର୍ଯ୍ୟ କରିନାହୁଁ ଏହା ପାପ-ପଥ ନୁହେଁ; ଏହି ହେତୁରୁ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣରୂପେ ଆଚରଣ କଲୁ । ୨୬-। ସାଧୁମାନେ ଯେଉଁ ପଥରେ ଅବସ୍ଥାନ କରନ୍ତି, ସେହି ପଥଟି ପ୍ରଶସ୍ତ । ଆମ୍ଭର ମନ ସେହି ପ୍ରଶସ୍ତ ପଥରେ ପ୍ରବୃତ୍ତ ହୁଏ । ହେ ରାଜନ୍‌ ! ଆମ୍ଭେ ଶିବି ରାଜାଙ୍କର ଏହି ମହାସୌଭାଗ୍ୟ ଅବଗତ ଅଛୁ-। ଏ ନିମନ୍ତେ ତାହା ଯଥାର୍ଥରୂପେ ବର୍ଣ୍ଣନ କଲୁଁ । ୨୭ ।

 

॥ ଅଧ୍ୟାୟ – ୧୯୯ ॥

 

ବୈଶମ୍ପାୟନ କହିଲେ, ମହାରାଜ ! ଋଷି ଓ ପାଣ୍ଡବମାନେ ସମସ୍ତେ ଏକତ୍ର ହୋଇ ମାର୍କଣ୍ଡେୟଙ୍କୁ ପଚାରିଲେ, “ଆପଣଙ୍କ ଅପେକ୍ଷା ଚିରଜୀବୀ ଆଉ କେହିଅଛନ୍ତି କି ନାହିଁ ?” ମାର୍କଣ୍ଡେୟ ସେମାନଙ୍କୁ କହିଲେ, ଇନ୍ଦ୍ର ଦ୍ୟୁମ୍ନ ନାମରେ ରାଜର୍ଷି ଥିଲେ । ତାହାଙ୍କର ପୁଣ୍ୟକ୍ଷୟ ହେବାରୁ ସେ ସ୍ୱର୍ଗରୁ ପ୍ରଚ୍ୟୁତ ହୋଇ ଆମ୍ଭ ସମୀପରେ ଉପସ୍ଥିତ ହେଲେ ଓ କହିଲେ ଆମ୍ଭର କୀର୍ତ୍ତି ବିନଷ୍ଟ ହେଲା; ଆପଣ ଆମ୍ଭଙ୍କୁ ଜାଣନ୍ତି ? ଆମ୍ଭେ ତାହାଙ୍କୁ କହିଲୁ, ଆମ୍ଭେ ତ ଏକ ସ୍ଥାନରେ ବାସକରୁ ନାହିଁ । ତୀର୍ଥପର୍ଯ୍ୟଟନଦ୍ୱାରା ଆମ୍ଭମାନଙ୍କର ସମୟ ଅତିପାତ ହୁଏ । ଏହି ହେତୁରୁ ଆମ୍ଭେ ଆପଣଙ୍କୁ ଚିହିନାହୁଁ । ବିଶେଷରେ ପୁଣ୍ୟକର୍ମରେ ବ୍ୟାକୁଳିତ ଥିବାରୁ ଆପଣଙ୍କ ଅନୁଷ୍ଠାନ କ’ଣ ତାହା ମଧ୍ୟ ଜାଣୁ ନାହିଁ । ଅତି କୃଚ୍ଛ୍ର ଉପବାସାତି ହେତୁରୁ ଦେହରେ ଗ୍ଲାନି ହୁଏ । ଏହି ହେତୁରୁ ଆପଣଙ୍କ ଅନୁଷ୍ଠାନରେ ଆମ୍ଭେ ପ୍ରବୃତ୍ତ ହୋଇପାରୁନାହିଁ; ସୁତରାଂ ଆପଣଙ୍କୁ ଚିହ୍ନିବାର ଅବସର ନାହିଁ । ୩ । ତତ୍ପରେ ଇନ୍ଦ୍ରଦ୍ୟୁମ୍ନ ଆମ୍ଭଙ୍କୁ କହିଲେ, ଆପଣଙ୍କ ଅପେକ୍ଷା ଆଉ କେହି ଚିରିଜୀବୀ ଅଛନ୍ତି ? ଆମ୍ଭେ ତାହାଙ୍କୁ କହିଲୁ, ପ୍ରାବରକର୍ଣ୍ଣ ନାମରେ ଗୋଟିଏ ଉଲୂକ ଅଛି । ସେ ହିମାଳୟରେ ବସତି କରେ । ସେ ଆମ୍ଭ ଅପେକ୍ଷା ଚିରଞ୍ଜୀବୀ । ସେ ହୁଏତ ଆପଣଙ୍କୁ ଚିହ୍ନିଥିବ । ଯେଉଁ ସ୍ଥାନରେ ଉଲୂକ ବାସକରେ, ସେ ସ୍ଥାନ ଏଠାରୁ ଅନେକ ଦୂର । ତଦନନ୍ତର ଇନ୍ଦ୍ରଦ୍ୟୁମ୍ନ ଅଶ୍ୱରୂପ ଧରି ଆମ୍ଭଙ୍କୁ ସେହି ଉଲୂକ ଯେଉଁ ସ୍ଥାନରେ ବାସ କରେ, ସେହି ସ୍ଥାନକୁ ବହି ନେଇଗଲା ।

 

ତତ୍ପରେ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ଉଲୂକକୁ ପଚାରିଲେ, ତୁମ୍ଭେ ଆମ୍ଭଙ୍କୁ ଚିହ୍ନ ? ୫ । ଉଲୂକ ମୁହୂର୍ତ୍ତେ କାଳ ଭାବି କହିଲା, ଆମ୍ଭେ ଆପଣଙ୍କୁ ଚିହ୍ନିନାହୁଁ । ଉଲୂକର ବଚନ ଶ୍ରବଣ କରି ଇନ୍ଦ୍ରଦ୍ୟୁମ୍ନ କହିଲେ,। ୬ । ତୁମ୍ଭ ଅପେକ୍ଷା ଆଉ କେହି ଚରିଜୀବୀ ଅଛନ୍ତି ? ଇନ୍ଦ୍ରଦ୍ୟୁମ୍ନ ଉଲୂକକୁ ଏହିପରି କହିବାରୁ ସେ ଇନ୍ଦ୍ରଦ୍ୟୁମ୍ନ କହିଲା, ଇନ୍ଦ୍ରଦ୍ୟୁମ୍ନ ନାମରେ ଗୋଟିଏ ସରୋବର ଅଛି । ତହିଁରେ ନାଡ଼ୀଜଙ୍ଘ ନାମକ ଗୋଟିଏ ବକ ବାସ କରିଥାଏ । ସେ ଆମ୍ଭ ଅପେକ୍ଷା ଦୀର୍ଘଜୀବୀ । ଆପଣ ତାହାକୁ ପଚାରିବା ହେଉନ୍ତୁ । ତତ୍ପରେ ଇନ୍ଦ୍ରଦ୍ୟୁମ୍ନ ଆମ୍ଭଙ୍କୁ ଓ ସେହି ଉଲୂକକୁ ନେଇ ଯେଉଁଠାରେ ନାଡ଼ୀଜଙ୍ଘ ବକ ବାସ କରୁଥିଲା, ସେହି ସରୋବରକୁ ଗମନ କଲେ । ୭ । ଆମ୍ଭେମାନେ ସେହି ବକକୁ ଦେଖି ପଚାରିଲୁ, ତୁମ୍ଭେ ଏହି ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଜାଣ ? ନାଡ଼ୀଜଙ୍ଘ ମୁହୂର୍ତ୍ତେ କାଳ ଭାବନା କରି କହିଲେ, ଆମ୍ଭେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଚିହ୍ନି ନାହୁଁ । ତଦନନ୍ତର ଆମ୍ଭେମାନେ ସମସ୍ତେ ତାହାଙ୍କୁ ପଚାରିଲୁ, ଆପଣଙ୍କ ଅପେକ୍ଷା ଆଉ କେହି ଦୀର୍ଘଜୀବୀ ଅଛନ୍ତି ? ସେ ଆମ୍ଭମାନଙ୍କୁ କହିଲେ, ଅକୂପାର ନାମରେ ଗୋଟିଏ କଚ୍ଛପ ଅଛି । ସେ ଏହି ସରୋବରରେ ବାସ କରେ । ସେ ଆମ୍ଭ ଅପେକ୍ଷା ଦୀର୍ଘଜୀବୀ । ସେ ଯଦି ଏହି ରାଜାଙ୍କୁ କୌଣସି ପ୍ରକାରେ ଚିହ୍ନିଥାଏ ତ ଚିହ୍ନିଥିବ; ଅତଏବ ଆପଣମାନେ ତାହାଙ୍କୁ ପଚାରନ୍ତୁ । ୮ । ତତ୍ପରେ ସେହି ବକ ଅକୂପାର ନାମକ କଚ୍ଛପକୁ ପଚାରିଲା, ତୁମ୍ଭଠାରୁ କୌଣସି ବିଷୟ ଆମ୍ଭେମାନେ ଜାଣିବାକୁ ଇଚ୍ଛା କରୁଅଛୁ । ଅତଏବ ତୁମ୍ଭେ ସ୍ୱଚ୍ଛନ୍ଦରେ ଆଗମନ କର; ଭୟ କର ନାହିଁ । କଚ୍ଛପ ସେହି ବାକ୍ୟ ଶ୍ରବଣ କରି ସରୋବରରୁ ଉତ୍‌ଥିତ ହୋଇ ଯେଉଁଠାରେ ଆମ୍ଭେମାନେ ଥିଲୁ ସେହି ସ୍ଥାନକୁ ଆସିଲେ । କଚ୍ଛପ ଏହି ସରୋବର ତୀରକୁ ଆଗତ ହୁଅନ୍ତେ, ଆମ୍ଭେମାନେ ତାହାକୁ ପଚାରିଲୁ, ତୁମ୍ଭେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଚିହ୍ନ ? ୯ । ସେ ମୁହୂର୍ତ୍ତେ କାଳ ଧ୍ୟାନ କରି ଅଶ୍ରୁପୂର୍ଣ୍ଣ ଲୋଚନରେ ଓ ଉଦ୍‌ବିଗ୍ନ ହୃଦୟରେ ହତଚେତନ ପ୍ରାୟ ହୋଇ କୃତାଞ୍ଜଳିପୂର୍ବକ ନିବେଦନ କଲେ । ଆମ୍ଭେ କଅଣ ଏହାଙ୍କୁ ଜାଣିନାହୁଁ ? ଏ ଯେତେବେଳେ ଯଜ୍ଞସ୍ଥଳରେ ସହସ୍ରେ ଥର ଯୂପ ସଂସ୍ଥାପିତ କଲେ, ଆମ୍ଭେ ତଦବଧି ଏହି ସରୋବରରେ ବାସ କରିଅଛୁ । ସେ ଯେଉଁ ଗୋରୁମାନଙ୍କୁ ଦକ୍ଷିଣା ଦେଇଥିଲେ, ସେମାନଙ୍କ ଖୁରାଘାତରେ ଏହି ସରୋବର ଉତ୍ପନ୍ନ ହୋଇଅଛି । ୧୧ ।

 

ମହାରାଜ ! ଆମ୍ଭେମାନେ କଚ୍ଛପର ଏହି ପ୍ରକାର କଥା ଶ୍ରବଣ କଲାପରେ ଦେବଲୋକରୁ ଦେବରଥ ଆଗମନ କଲା । ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ଏହି ଦୈବ୍ୟବାଣୀ ହେଲା– ହେ ରାଜନ୍‌ ! ତୁମ୍ଭ ନିମିତ୍ତ ସ୍ୱର୍ଗରେ ସ୍ଥାନ ପ୍ରସ୍ତୁତ ଅଛି । ତୁମ୍ଭେ ଯଥୋଚିତ ସ୍ଥାନକୁ ଆଗମନ କର । ୧୨ । ଏ ସ୍ଥାନରେ କେତୋଟି ଶ୍ଳୋକ ଅଛି, ତାହାର ଅର୍ଥ ଏହି– ପୁଣ୍ୟକର୍ମର ଧ୍ୱନି ଦ୍ୱିଲୋକ ଓ ଭୂଲୋକକୁ ସ୍ପର୍ଶ କରେ-। ଯେତେ କାଳ ପର୍ଯ୍ୟନ୍ତ ସେହି ଶବ୍ଦ ଥାଏ, ତେତେ କାଳ ପର୍ଯ୍ୟନ୍ତ ସେହି ମନୁଷ୍ୟ ସ୍ୱର୍ଗରେ ଅଛନ୍ତି ବୋଲି କଥିତ ହୁଏ । ୧୩ । ଲୋକ ମଧ୍ୟରେ ଯଦି କୌଣସି ପ୍ରାଣୀର ଅକୀର୍ତ୍ତି କଥିତ ହୁଏ, ତେବେ ସେହି ଅକୀର୍ତ୍ତିସୂଚକ ଶବ୍ଦ ଯେତେକାଳ ପର୍ଯ୍ୟନ୍ତ କୀର୍ତ୍ତିତ ହେଉଥାଏ, ତେତେ କାଳ ପର୍ଯ୍ୟନ୍ତ ଏ ଅଧମ ଲୋକରେ ପତିତ ହୋଇଥାଏ । ୧୪ । ଏହି ହେତୁରୁ ମନୁଷ୍ୟର କର୍ତ୍ତବ୍ୟ ଯେ ସେ ଅନନ୍ତକାଳ ସ୍ୱର୍ଗବାସ ନିମିତ୍ତ ଏପରି ସତ୍‌କର୍ମ କରିବେ ଯେ ସେହି ସତକର୍ମ ଅନନ୍ତକାଳ ଲୋକରେ କଥିତ ହେଉଥିବ । ପାପଚିତ୍ତ ପରିତ୍ୟାଗ କରି ଧର୍ମକୁ ଆଶ୍ରୟ କରିବା ଉଚିତ । ୧୫ ।

 

ଏ କଥା ଶଣି ସେହି ରାଜା କହିଲେ, ଯେତେବେଳ ଯାଏ ଏହି ଦୁଇ ବୃଦ୍ଧଙ୍କୁ ଆମ୍ଭେ ସ୍ୱ ସ୍ୱ ସ୍ଥାନରେ ଛାଡ଼ି ନ ଆସିଛୁ, ତେତେବେଳ ପର୍ଯ୍ୟନ୍ତ ତୁମ୍ଭେ ଅପେକ୍ଷା କର । ୧୬ । ଏହା କହି ସେ ଆମ୍ଭଙ୍କୁ ଓ ପ୍ରାବାର କର୍ଣ୍ଣ ଉଲ୍ୱଳକୁ ଯଥାସ୍ଥାନରେ ରଖିଆସି ଦେବଯାନରେ ଅଧିଷ୍ଠିତ ହୋଇ ସ୍ୱର୍ଗଗାମୀ ହେଲେ । ମହାରାଜ ! ଆମ୍ଭେ ଚିରଞ୍ଜୀବୀ ହୋଇଥିବାରୁ ଏହିସବୁ କାର୍ଯ୍ୟ ପ୍ରତ୍ୟକ୍ଷ କରିଅଛୁ । ୧୭ । ମାର୍କଣ୍ଡେୟ ଋଷି ଏହିସବୁକଥା ପାଣ୍ଡବମାନଙ୍କୁ କହିଲେ । ତାହା ଶ୍ରବଣ କରି ପାଣ୍ଡବମାନେ କହିଲେ, ଆପଣ ସ୍ୱର୍ଗଚ୍ୟୁତ ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱସ୍ଥାନରେ ପ୍ରତିପାଦିତ କରି ଅର୍ଥାତ୍ ରଖାଇ ଉତ୍ତମ କର୍ମ କରିଅଛନ୍ତି । ତତ୍ପରେ ମାର୍କଣ୍ଡେୟ ସେମାନଙ୍କୁ କହିଲେ, ଦେବକୀ ପୁତ୍ର କୃଷ୍ଣ ମଧ୍ୟ ରାଜର୍ଷି ନୃପଙ୍କୁ ନରକରୁ ଉଦ୍ଧାର କରି ସ୍ୱର୍ଗରେ ବସାଇଥିଲେ । ୧୮ ।

 

॥ ଅଧ୍ୟାୟ – ୨୦୦ ॥

 

ବୈଶମ୍ପାୟନ କହିଲେ, ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କର ସ୍ୱର୍ଗପ୍ରାପ୍ତ ବୃତ୍ତାନ୍ତକୁ ମହାଭାଗ ମାର୍କଣ୍ଡେୟଙ୍କଠାରୁ ଧର୍ମରାଜ ଯୁଧିଷ୍ଠିର ଶ୍ରବଣ କରି ପୁନର୍ବାର ସେହି ମୁନିଙ୍କି ପଚାରିଲେ, ହେ ମହାମୁନେ ! କିପରି ଅବସ୍ଥାରେ ମନୁଷ୍ୟ ଦାନ କଲେ ଇନ୍ଦ୍ରଲୋକକୁ ଯାଇପାରେ, ତାହା ଆପଣ ଆମ୍ଭ ନିକଟରେ କହନ୍ତୁ । ଗୃହସ୍ଥାଶ୍ରମରେ ବାଲ୍ୟ, ଯୌବନ ଓ ବାର୍ଦ୍ଧକ୍ୟ ଅବସ୍ଥାରେ ଯେ ରୂପ ଫଳପ୍ରାପ୍ତି ହୁଏ, ତାହା କୀର୍ତ୍ତନ କରନ୍ତୁ । ୩ । ମାର୍କଣ୍ଡେୟ କହିଲେ, ମୁନଷ୍ୟର ବଥାଜନ୍ମ ଚାରି ପ୍ରକାର ଓ ବୃଥାଦାନ ଷୋଡଶ ପ୍ରକାର ଅଟେ । ଅପୁତ୍ରକର ଜନ୍ମ ବୃଥା । ଧର୍ମବହିଷ୍କୃତ ବ୍ୟକ୍ତିର ଜନ୍ମ ମଧ୍ୟ ବୃଥା । ୪ । ଯେଉଁ ବ୍ୟକ୍ତି ପରିପାକରେ ଭୋଜନ କରେ, ତାର ଜନ୍ମ ବୃଥା । ଯେଉଁମାନେ କେବଳ ଆପଣା ନିମିତ୍ତ ପାକ କରନ୍ତି, ଦେବତା କି ଅତିଥିଙ୍କୁ ନ ଦେଇ ସ୍ୱୟଂ ଭକ୍ଷଣ କରନ୍ତି, ସେମାନଙ୍କର ଜନ୍ମ ମଧ୍ୟ ବୃଥା । ୫ । ଯେଉଁ ବ୍ୟକ୍ତି ଯାବଜ୍ଜୀବନ ବହ୍ମଚର୍ଯ୍ୟ ବ୍ରତକୁ ଅବଲମ୍ବନ କରି ପରିଶେଷରେ ତହିଁରୁ ପରିଭ୍ରଷ୍ଟ ହୁଏ, ଈଦୃଶ ବ୍ରାହ୍ମଣକୁ ଦାନକରିବା ବୃଥା । ଅନ୍ୟାୟ ପୂର୍ବକ ଧନ ଉପାର୍ଜନ କରି ଦାନ କରିବା ମଧ୍ୟ ବୃଥା । ମିଥ୍ୟାପ୍ରିୟ ଗୁରୁଙ୍କୁ ଦାନ କରିବା ମଧ୍ୟ ବୃଥା । ଏହିପରି, ତସ୍କର, ମିଥ୍ୟାବାଦୀ, ପାପାତ୍ମା, କୃତଘ୍ନ, ଗ୍ରାମଯାଜକ, ବେଦ-ବିକ୍ରେତା, ଶୂଦ୍ରର ପାଇକାରୀ, ସନ୍ଧ୍ୟା ବନ୍ଦନାଦିହୀନ ବ୍ରାହ୍ମଣ, ବ୍ରହ୍ମବନ୍ଧୁ, ବୃଷଳି ପତି, ସ୍ତ୍ରୀ ଲୋକ, ସର୍ପକ୍ରୀଡକ ଓ ପରିଚାôରକଙ୍କୁ ଦାନକଲେ ସେ ଦାନର ଫଳ ମିଳେ ନାହିଁ । ଅତଏବ ଏହି ଷୋଡ଼ଶ ପ୍ରକାର ଦାନ ବୃଥା ବୋଲି କଥିତ ହୋଇଅଛି । ଯେଉଁ ମନୁଷ୍ୟ ଅଜ୍ଞାନରେ ଆବୃତ୍ତହୋଇ ଭୟ ବା କ୍ରୋଧ ହେତୁରୁ ଦାନ କରେ, ତାହାର ଫଳକୁ ସେ ଗର୍ଭସ୍ଥିତ ହୋଇ ଭୋଗ କରେ । ଏହା ବ୍ୟତିରେକେ ଅପର କୌଣସି ଗର୍ହିତଦାନ ଦ୍ୱିଜମାନଙ୍କୁ ପ୍ରଦାନ କଲେ, ତାହାର ଫଳ ବାର୍ଦ୍ଧକ୍ୟାବସ୍ଥାରେ ଭୋଗ ହୁଏ । ଯହିଁରେ ସ୍ୱର୍ଗପଥକୁ ଜୟ କରାଯାଇପାରେ, ଏପରି ଅଭିଳାଷରେ ସବୁ ଅବସ୍ଥାରେ ଦ୍ୱିଜମାନଙ୍କୁ ସବୁ ଦ୍ରବ୍ୟ ଦାନ କରିବା ଉଚିତ । ୧୧ ।

 

ଯୁଧିଷ୍ଠିର କହିଲେ, ଦେଖାଯାଏ ଯେ ବିପ୍ରମାନେ ଚାରି ବର୍ଣ୍ଣଠାରୁ ଦାନ ଗ୍ରହଣ କରନ୍ତି । ସେମାନେ କି ବିଶେଷ ଉପାୟଦ୍ୱାରା ଆପଣାକୁ ଓ ପରକୁ ଉଦ୍ଧାର କରନ୍ତି ? ୧୨ । ମାର୍କଣ୍ଡେୟ କହିଲେ, ସେମାନେ ଜପ, ମନ୍ତ୍ର, ବେଦାଧ୍ୟୟନ କରନ୍ତି । ବେଦକୁ ନୌକା କରି ତଦ୍ଦ୍ୱାରା ସ୍ୱୟଂ ପାରିହୁଅନ୍ତି ଓ ପରକୁ ପାରିକରନ୍ତି । ୧୩ । ଯେ ବ୍ରାହ୍ମଣକୁ ସନ୍ତୁଷ୍ଟ କରନ୍ତି, ଦେବତାମାନେ ତାହାଙ୍କ ପ୍ରତି ତୁଷ୍ଟ ହୁଅନ୍ତି । ବିପ୍ରମାନଙ୍କ ଆଶୀର୍ବଚନଦ୍ୱାରା ସେ ସ୍ୱର୍ଗଲୋକକୁ ଗମନ କରନ୍ତି । ୧୪ । ପିତୃଗଣ ଓ ଦେବତାଗଣଙ୍କୁ ପୂଜାକଲେ ଓ ବ୍ରାହ୍ମଣମାନଙ୍କୁ ଅର୍ଚ୍ଚନା କଲେ ତୁମ୍ଭେ ଅନନ୍ତ ପୁଣ୍ୟଲୋକକୁ ଗମନ କରିବ, ଏଥିରେ ସଂଶୟ ନାହିଁ । ୧୫ । ଯାହାଙ୍କର ସ୍ୱର୍ଗଲୋକକୁ ଗମନ କରିବାର ଅଭିଳାଷ ଥାଏ, ସେ ପ୍ରାଣାନ୍ତକାଳରେ ଯେତେବେଳେ କି ଦେହ ଶ୍ଳେଷାଦ୍ୱାରା ଅଶକ୍ତ ହୋଇଥାଏ, ସେତେବେଳେ ଶ୍ରାଦ୍ଧ କରାଯାଏ, ଯେତେବେଳେ ଅନିନ୍ଦିତ ବ୍ରାହ୍ମଣକୁ ଭୋଜନ କରାଇବାକୁ ହୁଏ । ଅଥବା ଚିତ୍ରିତ, ଯେଉଁମାନେ କୁନଖୀ, କୁଷ୍ଠରୋଗାକ୍ରାନ୍ତ, ମାୟାବୀ, * କୁଣ୍ଡ, **ଗୋଲକ ଓ ଯେଉଁମାନେ କାଣ୍ଡ ଓ କାଣ୍ଡବାଂଶ ପିଠିରେ ପକାଇ ବୁଲୁଥାନ୍ତି, ଅର୍ଥାତ୍ କ୍ଷତ୍ରିୟ ବୃତ୍ତିଧାରୀ, ଯେଉଁମାନେ ଜାରକ, ଏପରି ବ୍ୟକ୍ତିଙ୍କୁ ଶ୍ରାଦ୍ଧରେ ଭୋଜନ ଦେବ ନାହିଁ । ଅଗ୍ନି ଯେପରି ଇନ୍ଧନକୁ ଦଗ୍ଧ କରେ, ସେହିପରି ନିନ୍ଦିତ ଶ୍ରାଦ୍ଧଦ୍ୱାରା ଶ୍ରାଦ୍ଧକର୍ତ୍ତା ଦଗ୍ଧ ହୁଏ । ଯେଉଁ ବ୍ୟକ୍ତିଙ୍କୁ ଶ୍ରାଦ୍ଧରେ ନିଯୁକ୍ତ କରିବାକୁ ହୁଏ, ସେମାନେ ଯଦି ମୂଳ, ଅନ୍ଧ, ବଧିର ବା ଅନ୍ୟ କୌଣସିରୂପେ ବିକୃତାଙ୍ଗ ହୋଇଥାନ୍ତି, ତେବେ ସେମାନଙ୍କୁ ଅନ୍ୟ ବେଦପାରଗ ବିପ୍ରମାନଙ୍କ ସହିତ ମିଶ୍ରିତ କରି ନିଯୋଗ କରିବ ନାହିଁ । ୧୯ ।

 

[* ସ୍ୱାମୀ ବର୍ତ୍ତମାନ ଥାଇ ଉପପତିଠାରୁ ଜାତ ସନ୍ତାନକୁ କୁଣ୍ଡ କହନ୍ତି ।

** ବିଧବାଠାରୁ ଉପପତିଦ୍ୱାରା ଜାତ ସନ୍ତାନକୁ ଗୋଲକ କହନ୍ତି ।]

 

ହେ ଯୁଧିଷ୍ଠିର ! ଯେଉଁମାନଙ୍କୁ ଦାନ କରିବାକୁ ହୁଏ, ତାହା ଶ୍ରବଣ କର । ଯେଉଁ ବ୍ରାହ୍ମଣ ଆପଣାକୁ ଓ ଦାତାକୁ ଉଦ୍ଧାର କରିବାକୁ ସମର୍ଥ ହୁଏ, ଯେ ଆଗମ ଶାସ୍ତ୍ରବେତ୍ତା, ଏତାଦୃଶ ବ୍ରାହ୍ମଣଙ୍କୁ ଦାନ କରିବ । ଯେଉଁ ବ୍ରାହ୍ମଣ ଦାତାକୁ ଓ ଆପଣାକୁ ଉଦ୍ଧାର କରିପାରେ, ତାହାକୁ ଶକ୍ତିମାନ୍ ବ୍ରାହ୍ମଣ ବୋଲାଯାଏ । ୨୧ । ଅତିଥିଭୋଜନ କରାଇଲେ *** ଅଗ୍ନିତ୍ରୟ ଯାଦୃଶ ତୃପ୍ତ ହୁଅନ୍ତି, ଘୃତାହୁତି ଦେଲେ ଅଥବା ପୁଷ୍ପ କି ଅନୁଲୋପନଦ୍ୱାରା ତାଦୃଶ ତୃପ୍ତ ହୁଅନ୍ତି ନାହିଁ । ଅତଏବ ହେ ପାର୍ଥ ! ତୁମ୍ଭେ ସର୍ବପ୍ରକାର ଯତ୍ନକରି ଅତିଥିଭୋଜନ କରାଅ । ହେ ରାଜନ୍‌ ! ଯେଉଁମାନେ ଅତିଥିଙ୍କୁ ପାଦଧୌତର ଉଦକ, ପାଦମର୍ଦ୍ଦନର୍ଥ ଘୃତାଦି, ଦୀପ, ଅନ୍ନ ଓ ଆଶ୍ରୟ ଦାନ କରନ୍ତି, ସେମାନଙ୍କୁ ଯମ ସମୀପକୁ ଯିବାକୁ ହୁଏନାହିଁ । ଦେବତାଙ୍କ ସମ୍ମୁଖରୁ ନିର୍ମାଲ୍ୟ ପରିଷ୍କାର କରିବା, ଦ୍ୱିଜମାନଙ୍କର ପରିଚର୍ଯ୍ୟା କରିବା ଓ ଗାତ୍ର ସମ୍ମାହନ କରିବା ଏହିସବୁ ଗୋଟିଏ ଗୋଟିଏ କାର୍ଯ୍ୟ ଗୋଦାନ ଅପେକ୍ଷା ଅଧି ଫଳଦାୟକ ହୁଏ । କପିଳା ଧେନୁ ଦାନ କଲେ ସଂସାରରୁ ମୁକ୍ତି ମିଳେ, ଏଥିରେ ସଂଶୟ ନାହିଁ । ଅତଏବ ଶ୍ରୋତ୍ରିୟ, ଦରିଦ୍ର, ଅଗ୍ନିହୋତ୍ରୀ ପୁତ୍ରଦ୍ୱାରା ପୋଷଣରେ ଅସମର୍ଥ, ଅନୁପକାରୀ ବ୍ରାହ୍ମଣକୁ କପିଳା ଧେନୁକୁ ଅଳଙ୍କୃତକରି ଦାନକରିବ । ୨୭ । ହେ ଭରତ ! ଏହିପରି ବ୍ୟକ୍ତିଙ୍କୁ ଦାନ କରିବା କର୍ତ୍ତବ୍ୟ, ସମୃଦ୍ଧିଶୀଳ ବ୍ୟକ୍ତିଙ୍କୁ ଦାନ କରିବ ନାହିଁ । ସେମାନଙ୍କୁ ଦାନ କଲେ କି ଫଳ ? ୨୮ ।

 

[*** ଅଗ୍ନିତ୍ରୟ ଅର୍ଥାତ୍ ଦକ୍ଷିଣାଗ୍ନି, ଗାର୍ହପତ୍ୟ ଓ ହବନାୟ ।]

 

ଗୋଟିଏ ବ୍ରାହ୍ମଣକୁ ଗୋଟିଏ ଗୋରୁ ଦେବ, ବହୁ ବ୍ୟକ୍ତିଙ୍କୁ ଗୋଟିଏ ଦାନ କଦାପି କରିବ ନାହିଁ । ଯେ ହେତୁରୁ ଦାନ ଗ୍ରହଣକାରୀ ବ୍ୟକ୍ତିମାନେ ଯଦି ସେହି ଗୋରୁକୁ ବିକ୍ରି କରନ୍ତି, ତାହାହେଲେ ତିନିପୁରୁଷ ପର୍ଯ୍ୟନ୍ତ କୁଳ ବିନଷ୍ଟ ହୁଏ । ୨୯ । ସେହି ଦାନଦ୍ୱାରା ଦାତା ଓ ଗ୍ରହୀତା କେହି ପରିତ୍ରାଣ ପାଏନାହିଁ । ଯେଉଁ ବ୍ୟକ୍ତି ଅଶୀ ରତି ବିଶୁଦ୍ଧ ସୁବର୍ଣ୍ଣ ପ୍ରଦାନ କରେ, ତାହାର ଶହେ ସୁବର୍ଣ୍ଣ ମୁଦ୍ରା ଦେବାର ଫଳ ଲାଭହୁଏ । ଯେଉଁ ବ୍ୟକ୍ତି ଫଳବାହୀ ଓ ବଳବାନ ବୃଷଭକୁ ଦାନ କରେ, ତାହାର ଅଭିଳଷିତ କାମନା ପରିପୂର୍ଣ୍ଣ ହୁଏ । ପଥ ମଧ୍ୟରେ ପଥଶ୍ରାନ୍ତ, କ୍ଷୀଣ ଦେହ, ଧୂଳିପାଦ, ପୁରୁଷମାନେ ଅନ୍ନଦାତା କିଏ ଅଛି ବୋଲି ଯଦି ପଚାରନ୍ତି, ଯେ ସେମାନଙ୍କୁ ଅନ୍ନଦାତାର ଠିକଣା କହିଦିଏ, ଏଥିରେ ଅନ୍ନଦାତାର ଯେଉଁ ପୁଣ୍ୟ ଯେଉଁ ବିଜ୍ଞ ବ୍ୟକ୍ତି ସେହି ଶ୍ରମାର୍ତ୍ତ ପଥିକକୁ ଅନ୍ନଦାତାଙ୍କ ଠିକଣା କହିଦିଅନ୍ତି, ତାହାଙ୍କର ମଧ୍ୟ ସେହି ପୁଣ୍ୟ ହୁଏ । ୩୫ । ଯେହେତୁରୁ ଏହି ସଂସାର ମଧ୍ୟରେ ଅନ୍ନଦାନ ସମାନ ବିଚିତ୍ର ପୁଣ୍ୟଫଳ ଅନ୍ୟ କୌଣସି ଦାନରେ ଦୃଷ୍ଟ ହୁଏ ନାହିଁ । ଯେଉଁ ବ୍ୟକ୍ତି ଆପଣା ଶକ୍ତି ଅନୁସାରେ ସୁସଂସ୍କୃତ ଅନ୍ନ ବିପ୍ରଙ୍କୁ ପ୍ରଦାନ କରେ, ସେ ତଦ୍ଦ୍ୱାରା ପ୍ରଜାପତି ଲୋକକୁ ପ୍ରାପ୍ତ ହୁଏ, ଯେ ହେତୁରୁ ଅନ୍ନ ଅପେକ୍ଷା ଅଧିକ ଉତ୍କଷ୍ଟ ଆଉ କିଛିନାହିଁ । ଅନ୍ନ ସବୁଠାରୁ ବିଶିଷ୍ଟ । ୩୭ । କଥିତ ଅଛି ଯେ ଅନ୍ନ ପ୍ରଜାପତି । ଅନ୍ନ ସମ୍ବତ୍ସରରୂପୀ । ସମ୍ବତ୍ସର ଯଜ୍ଞସ୍ୱରୂପ । ଯଜ୍ଞରେ ସବୁ ଦ୍ରବ୍ୟ ପ୍ରତିଷ୍ଠିତ ଅଛି । ତହିଁରୁ ସ୍ଥାବର ଜଙ୍ଗମ ସର୍ବପ୍ରାଣୀଙ୍କର ଉତ୍ପତ୍ତି । ଏହି କାରଣରୁ ଅନ୍ନଦାନ ବିଶେଷ ଫଳପ୍ରଦ ବୋଲି ବେଦରେ ଉକ୍ତ ଅଛି । ୩୯ ।

 

ଯେଉଁମାନେ ବୃହତ୍ ଜଳାଶୟ, ବାମ୍ଫୀ, କୂପ ଓ ଆଶ୍ରୟସ୍ଥାନକୁ ଉତ୍ସର୍ଗ କରନ୍ତି ଓ ଅନ୍ନ ଦାନ କରନ୍ତି, ମଧୁର ବାଣୀ କହନ୍ତି, ସେମାନେ ଯମର ବାକ୍ୟକୁ ଶୁଣନ୍ତି ନାହିଁ । ୪୦ । ଯେଉଁ ପୁରୁଷ ଶୀଳ, ବିପ୍ରକୁ ଧାନ୍ୟ ଦିଅନ୍ତି ଓ ଶ୍ରମଦ୍ୱାରା ଉପାର୍ଜିତ ଧନକୁ ପ୍ରଦାନ କରନ୍ତି, ତାହାଙ୍କ ପ୍ରତି ବସୁନ୍ଧରା ସନ୍ତୁଷ୍ଟ ହୁଅନ୍ତି; ଅଥଚ ତାହାଙ୍କର ଧନ ବୃଦ୍ଧି ହୁଏ । ୪୧ । ଅନ୍ନଦାତା ସ୍ୱର୍ଗକୁ ପ୍ରଥମେ ଗମନ କରନ୍ତି । ତାହାଙ୍କ ପଛେ ସତ୍ୟବାଦୀ ବ୍ୟକ୍ତି ଯାଆନ୍ତି ଓ ଯାହାଙ୍କୁ ପ୍ରାର୍ଥନା ନ କଲେ ହେଁ ଆଗନ୍ତୁକ ବ୍ୟକ୍ତିର ମନ ଜାଣି ଦାନ କରନ୍ତି, ସେ ତାହାଙ୍କ ସଙ୍ଗେ ଗମନ କରନ୍ତି । ୪୨ । ବାସ୍ତବରେ ଏହି ତିନି ଜଣଙ୍କର ସମାନ ଗତି ହୁଏ । ବୈଶମ୍ପାୟନ କହିଲେ, ରାଜା ଯୁଧିଷ୍ଠିର ଭ୍ରାତାମାନଙ୍କ ସହିତ କୌତୂହଳାନ୍ୱିତ ହୋଇ ପୁନରପି ମହାତ୍ମା ମାର୍କଣ୍ଡେୟଙ୍କୁ ପଚାରିଲେ,। ୪୩ । ହେ ମହାମୁନେ ! ଯମଲୋକରୁ ନରଲୋକର ପଥ କିପରି ପୃଥକ୍‌, ସେ ପଥର ପରିମାଣ କେତେ, ତାହାରସ୍ୱରୂପ କଅଣ ଓ କି ଉପାୟଦ୍ୱାରା ପୁରୁଷମାନେ ତହିଁରୁ ଉତ୍ତୀର୍ଣ୍ଣ ହୁଅନ୍ତି, ଆପଣ ଏସବୁ କଥା ଆମ୍ଭ ନିକଟରେ ବର୍ଣ୍ଣନା କରନ୍ତୁ । ୪୪ । ମାର୍କଣ୍ଡେୟ କହିଲେ, ହେ ଧାର୍ମିକଶ୍ରେଷ୍ଠ ନରପାଳ ! ତୁମ୍ଭର ଏହି ପ୍ରଶ୍ନ ଅତି ଗୁହ୍ୟ, ପବିତ୍ର ଋଷିସଂସ୍ତୁତ ଓ ଧର୍ମସମ୍ମତ ଅଟେ । ଆମ୍ଭେ ତୁମ୍ଭ ନିକଟରେ ତାହାର ଉତ୍ତର ଦେଉଅଛୁ, ଶ୍ରବଣ କର । ୪୫ ।

 

ହେ ନରାଧିପ ! ଯମଲୋକରୁ ମୁନଷ୍ୟଲୋକ ଛୟାଅଶୀ ସହସ୍ର ଯୋଜନ ଦୂର ଅଟେ । ୪୬ । ସେହିପଥ ଆକାଶମୟ, ଜଳହୀନ ଓ ଭୟଙ୍କର ଦୁର୍ଗମ ଅଟେ । ସେଠାରେ ବୃକ୍ଷଛାୟା ନାହିଁ, ପାନୀୟ ନାହିଁ କି ଆଶ୍ରୟ ଆଦି କିଛି ନାହିଁ । ଯେଉଁଠାରେ ପଥଶ୍ରାନ୍ତ ବ୍ୟକ୍ତିମାନେ ଶ୍ରମ ଦୂର କରିବେ, ଏପରି କୌଣସି ସ୍ଥାନ ନାହିଁ । ଯମଙ୍କ ଅଜ୍ଞାକାରୀ ଦୂତମାନେ ବଳପୂର୍ବକ କିନ୍ନରକିନ୍ନରୀ କି ଅନ୍ୟକେହି ପୃଥିବୀସ୍ଥିତ ପ୍ରାଣୀକୁ ସେହି ପଥ ଦେଇ ଘେନିଯାନ୍ତି । ହେ ପାର୍ଥିବ ! ଯେଉଁମାନେ ବ୍ରାହ୍ମଣମାନଙ୍କୁ ଉତ୍ତମ ଘୋଟକାଦି ବାହନ ପ୍ରଦାନ କରନ୍ତି, ସେହିମାନେ ସେ ପୁଣ୍ୟଦ୍ୱାରା ସେହି ପଥକୁ ଅତିକ୍ରମ କରିପାରନ୍ତି । ଛତ୍ରଦାତା ଛତ୍ରଦ୍ୱାରା ଆତପତାପ ନିବାରଣରେ ଗମନ କରେ । ୫୦ । ଅନ୍ନଦାତା ତୃପ୍ତ ହୋଇ ଗମନ କରେ । ଅନ୍ନଦାନ ନ କଲେ ସେହି ପଥରେ ଅତୃପ୍ତହୋଇ ଯିବାକୁ ହୁଏ । ବସ୍ତ୍ରଦାତା ବସ୍ତ୍ର ପରିଧାନ ପୂର୍ବକ ଗମନ କରେ । ବସ୍ତ୍ରଦାନ ନ କରିଥିଲେ ନଗ୍ନହୋଇ ଯିବାକୁ ହୁଏ । ୫୧ । ହିରଣ୍ୟଦାତା ଅଳଙ୍କାରରେ ଭୂଷିତ ହୋଇଯାଏ ଓ ଭୂମିଦାତା ସର୍ବନାମ ପରିପୂର୍ଣ୍ଣ ହୋଇ ସୁଖରେ ଗମନ କରେ । ୫୨ । ଶସ୍ୟଦାତା କ୍ଳେଶ ନ ପାଇ ଗମନ କରେ । ଗୃହଦାତା ବିମାନରେ ବସି ସୁଖରେ ଯାତ୍ରା କରେ । ୫୩ । ଜଳଦାତା ତୃଷାମୁକ୍ତ ହୋଇ ହୃଷ୍ଟମାନସରେ, ଗୋପ୍ରଦାତା ସର୍ବପାପରୁ ବିମୁକ୍ତ ହୋଇ ସୁଖରେ ସେହି ପଥକୁ ଉତ୍ତୀର୍ଣ୍ଣ ହୁଏ । ଏକମାସୀ ଉପବାସ ବ୍ୟକ୍ତିମାନେ ହଂସଯୁକତ ବିମାନରେ ଆରୋହଣ କରି ଗମନ କରନ୍ତି । ୫୫-। ଷଷ୍ଠରାତ୍ରି ଉପବାସୀ ବ୍ୟକ୍ତିମାନେ ମୟୂରଯୋଜିତ ବିମାନରେ ଆରୋହଣ କରିଯାନ୍ତି । ହେ ପାଣ୍ଡବ ! ଯେଉଁ ବ୍ୟକ୍ତି ଥରେ ଆହାର କରେ, ତିନି ରାତ୍ରି ଯାପନ କରି ତନ୍ମଧ୍ୟରେ ଆହାର ନ କରେ, ତାହାର ଅନାମୟ ଲୋକକୁ ଗତିହୁଏ ।

 

ଜଳରେ ଏପରି ଦିବ୍ୟଗୁଣ ଅଛି ଯେ ତାହା ପ୍ରେତଲୋକରେ ସୁଖକର ହୁଏ । ୫୭ । ଅତଏବ ଯେ ଜଳଦାନ କରନ୍ତି, ସେମାନଙ୍କ ନିମିତ୍ତ ପୁଷ୍ପୋଦକା ନାମ୍ନୀ ନଦୀ ପ୍ରବାହିତ ହେଉଅଛି; ସେମାନେ ସେହି ନଦୀର ଅମୃତସଦୃଶ ଶୀତଳ ଜଳ ପାନ କରନ୍ତି । ୫୮ । ଯେଉଁମାନେ ଦୁଷ୍କୃତ କରନ୍ତି, ସେମାନଙ୍କୁ ସେହି ନଦୀ ପୂଯ ପ୍ରଦାନ କରେ । ହେ ମହାରାଜ ! ସେହି ନଦୀ ଏହି ପ୍ରକାରେ ସର୍ବକାମ ପ୍ରଦାନ କରେ । ୫୯ ।

 

ଅତଏବ ହେ ରାଜେନ୍ଦ୍ର ! ତୁମ୍ଭେ ମଧ୍ୟ ଏହିସବୁ ବ୍ରାହ୍ମଣମାନଙ୍କୁ ପୂଜା କର । ଯେଉଁ ବ୍ୟକ୍ତି ପଥଶ୍ରମରେ କ୍ଷୀଣଦେହ ହୋଇ ପଥର ଧୂଳିରେ ଧୂଷରିତ ହୋଇଥାଏ ଓ ଅନ୍ନଦାତାର ଗୃହ ପଚାରୁଥାଏ, ଅଥବା୍ ଭୋଜନ ଆଶାରେ ତୁମ୍ଭ ଗୃହକୁ ଆଗମନ କରେ, ତାହାକୁ ଯତ୍ନପୂର୍ବକ ପୂଜା କରିବ । ସେ ଅତିଥି ଅଟନ୍ତି ଓ ସେ ବ୍ରାହ୍ମଣ ବୋଲି ଜାଣିବ । ସେ ଗମନ କଲେ ଇନ୍ଦ୍ରାଦି ଦେବଗଣ ନିରାଶ ହୋଇଯାନ୍ତି । ଅତଏବ ହେ ରାଜେନ୍ଦ୍ର, ତୁମ୍ଭେ ମଧ୍ୟ ବିଧିପୂର୍ବକ ଅତିଥିମାନଙ୍କର ପୂଜା କରିବ-। ଆମ୍ଭେ ତୁମ୍ଭଙ୍କୁ ଶତ ଶତ ପ୍ରକାର କଥା କହିଲୁ, ଏବେ ଆଉ କ’ଣ ଶୁଣିବାକୁ ଇଚ୍ଛା ହେଉଛି, କହ-। ୬୩ । ଯୁଧିଷ୍ଠିର କହିଲେ, ହେ ବିଭୋ ! ଏହି ଧର୍ମସମାଶ୍ରିତ ପୁଣ୍ୟକଥା ଯେତେ କହିବେ, ଆମ୍ଭେ ତେତେ ଶୁଣିବାକୁ ଇଚ୍ଛା କରୁ । ୬୪ । ମାର୍କଣ୍ଡେୟ କହିଲେ– ନରପାଳ ! ଧର୍ମସଂକ୍ରାନ୍ତ, ନିତ୍ୟ ସର୍ବପାପବିନାଶକାରୀ ଅନ୍ୟ ପ୍ରସ୍ତାବମାନଙ୍କୁ ଆମ୍ଭେ କହୁଅଛୁ, ତୁମ୍ଭେ ମନଦେଇ ଶ୍ରବଣ କର । ୬୫-। ସେଠାରେ କପିଳା ଦାନ କଲେ ଯେଉଁ ଫଳ ହୁଏ, ବିପ୍ରମାନଙ୍କ ପାଦଧାବନରେ ମଧ୍ୟ ସେହି ଫଳ ହୁଏ । ୬୭ । ଦ୍ୱିଜମାନଙ୍କ ପଦଧୌତଜଳରେ ଯେତେକାଳ ପର୍ଯ୍ୟନ୍ତ ଭୂମି ଆର୍ଦ୍ର ହୋଇଥାଏ, ତେତେକାଳ ପର୍ଯ୍ୟନ୍ତ ପିତୃଗଣ ପୁଷ୍କର ପତ୍ରରେ ଜଳପାନ କରନ୍ତି-। ୬୭ । ଅତିଥିମାନଙ୍କୁ ଆସିବା ହେଉନ୍ତୁ ବୋଲି କହିଲେ ଅଗ୍ନି ପରିତୃପ୍ତ ହୁଅନ୍ତି । ଆସନ ପ୍ରଦାନ କଲେ ଇନ୍ଦ୍ର ତୃପ୍ତ ହୁଅନ୍ତି ଓ ସେମାନଙ୍କ ପାଦ ପ୍ରକ୍ଷାଳନ କଲେ ପିତୃଲୋକେ ସନ୍ତୁଷ୍ଟ ହୁଅନ୍ତି; ଅଥଚ ଅତିଯୁକ୍ତ ଅନ୍ନ ଦେଲେ ପ୍ରଜାପତି ସନ୍ତୁଷ୍ଟ ହୁଅନ୍ତି । ୬୮ ।

 

ଯେତେବେଳେ ଗୋଟିଏ ଧେନୁ ପ୍ରସବ କରେ, ସେତେବେଳେ ବତ୍ସାର ପାଦ ଓ ମସ୍ତକ ଦୃଷ୍ଟ ହୁଏ; ସେହି ସମୟରେ ସ୍ଥିରଚିତ୍ତ ହୋଇ ସେହି ଧେନୁକୁ ପ୍ରଦାନ କରିବ । ୬୯ । ଯୋନି ମଧ୍ୟରେ ଯେତେବେଳ ପର୍ଯ୍ୟନ୍ତ ସେହି ବତ୍ସା ଦୃଷ୍ଟ ହେଉଥାଏ ତେତେବେଳ ପର୍ଯ୍ୟନ୍ତ ଧେନୁ ଗର୍ଭରୁ ତ୍ୟାଗ କରିନାହିଁ, ତେତେବେଳେ ପର୍ଯ୍ୟନ୍ତ ସେହି ଧେନୁକୁ ପୃଥିବୀ ସମାନ ଜାଣିବ । ୭୦ । ହେ ଯୁଧିଷ୍ଠିର ! ତେତେବେଳେ ସେହି ଧେନୁକୁ ଦାନ କଲେ ପୃଥିବୀ-ଦାନର ଫଳ ହୁଏ । ତାହାର ଯେତେ ସଂଖ୍ୟକ ଲୋମଥାଏ ଓ ବତ୍ସାର ମଧ୍ୟ ଯେତେ ଲୋମ ଥାଏ, ଦାତା ତେତେ ସହସ୍ର ଯୁଗ ସ୍ୱର୍ଗଲୋକରେ ବାସକରେ । ୭୧ । ହେ ଭରତ ! ଯେ କୃଷ୍ଣ ବର୍ଣ୍ଣର ଧେନୁକୁ ସୁବର୍ଣ୍ଣ ନାସା, ଉତ୍ତମ ଖୁର ଓ ସର୍ବ ରତ୍ନରେ ଅଳଙ୍କୃତ କରି ଏବଂ ସେହି ଧେନୁକୁ ତିଳଦ୍ୱାରା ଆଚ୍ଛାଦିତ କରି ଦାନ ଦିଏ, ସେହି ଦାତାଙ୍କର ମଧ୍ୟ ପୂର୍ବୋକ୍ତ ଫଳ ଲାଭହୁଏ । ୭୨ । ଯେ ପ୍ରତିଗ୍ରହ କରି ପୁନର୍ବାର ସେହି ଧେନୁକୁ ଅନ୍ୟ ସାଧୁଜନଙ୍କୁ ଦାନ କରନ୍ତି, ସେ ତତ୍‌କ୍ଷଣାତ ତହିଁରୁ ଅଧିକ ଫଳଲାଭ କରନ୍ତି । ଗିରିଗୁହା, ବନ, କାନନ, ସମୁଦ୍ର ସହିତ ଚତୁସୀମା ମଧ୍ୟ ବର୍ତ୍ତିନୀ ପୃଥିବୀ ଦାନ କଲେ ଯେଉଁ ଫଳ ହୁଏ, ପ୍ରତିଗ୍ରହକାରୀ ଦାନ କଲେ ତାହାଙ୍କର ମଧ୍ୟ ତାଦୃଶ ପୁଣ୍ୟ ହୁଏ, ଏଥିରେ ସଂଶୟ ନାହିଁ । ୭୪ ।

 

ଯେଉଁ ବିପ୍ର ଜାନୁ ମଧ୍ୟରେ ଦୁଇ ଭୁଜ ରଖି ଭୋଜନ ପାତ୍ରକୁ ରଖି ମୌନହୋଇ ଭୋଜନ କରନ୍ତି, ତାହାଙ୍କର ମନ୍ଦ ଅଦୃଷ୍ଟ ମୋଚନ ହୁଏ । ୭୫ । ଯେଉଁ ବ୍ରାହ୍ମଣମାନେ ମଦ୍ୟପାନ ନ କରନ୍ତି, ଯେଉଁମାନଙ୍କର ଦୋଷକୁ ଅନ୍ୟ ଲୋକେ କୀର୍ତ୍ତନ ନ କରନ୍ତି ଓ ଯେଉଁମାନେ ନିତ୍ୟ ସଂହିତା ପାଠ କରନ୍ତି, ସେମାନେ ଆପଣାକୁ ଉଦ୍ଧାର କରିବାକୁ ସମର୍ଥ ହୁଅନ୍ତି । ୭୬ । ଯାହାକିଛି ହବ୍ୟ ଥାଏ, ଶ୍ରୋତ୍ରିୟ ବ୍ରାହ୍ମଣମାନେ ତହିଁର ଯୋଗ୍ୟପାତ୍ର । ଯେ ପ୍ରକାର ଜ୍ୱଳନ୍ତ ଅଗ୍ନିରେ ଆହୁତି ପ୍ରଦତ୍ତ ହେଲେ ଅବ୍ୟର୍ଥ ହୁଏ, ସେହି ଶ୍ରୋତ୍ରିୟ ବ୍ରାହ୍ମଣକୁ ଯାହା ପ୍ରଦତ୍ତ ହୁଏ, ତାହା ଅବ୍ୟର୍ଥ ହୁଏ । ୭୭ । ବିପ୍ରମାନଙ୍କର ମନ୍ୟୁକୁ ଅସ୍ତ୍ର ବୋଲି ଜାଣିବ, ସେମାନେ ଶସ୍ତ୍ରଦ୍ୱାରା ଯୁଦ୍ଧ କରନ୍ତି ନାହିଁ । ବଜ୍ରପାଣି ଇନ୍ଦ୍ର ଯେପରି ବଜ୍ରଦ୍ୱାରା ବିନାଶ କରନ୍ତି, ତଦ୍ରୂପ ବ୍ରାହ୍ମଣମାନେ ମନ୍ୟୁଦ୍ୱାରା ଅନିଷ୍ଟ ବିନାଶ କରନ୍ତି । ୭୮ ।

 

ହେ ଅନଘ ! ଧର୍ମଘଟିତ ଏହିସବୁ କଥା ତୁମ୍ଭ ନିକଟରେ କୀର୍ତ୍ତନ କଲୁ । ନୈମିଷାରାଜ୍ୟବାସୀ ମୁନିମାନେ ଏହିକଥା ଶୁଣି ପ୍ରୀତ ହେଲେ । ସେମାନେ ଶୋକ, ଭୟ ଓ କ୍ରୋଧ ପରିତ୍ୟାଗ କଲେ, ସେମାନଙ୍କର ପାପ ବିମୋଚନ ହେଲା । ଯେଉଁ ସାଂସାରିକ ମନୁଷ୍ୟମାନେ ଏହା ଶ୍ରବଣ କରନ୍ତି, ସେମାନଙ୍କୁ ଆଉ ଜନ୍ମଗ୍ରହଣ କରିବାକୁ ହୁଏନାହିଁ । ୮୦ । ଯୁଧିଷ୍ଠିର କହିଲେ, ହେ ଧାର୍ମିକଶ୍ରେଷ୍ଠ ! ହେ ମହାବିଜ୍ଞ ! ଏପରି କି ଶୌଚ କର୍ମ ଅଛି, ଯାହାଦ୍ୱାରା ବ୍ରାହ୍ମଣମାନେ ସର୍ବଦା ଶୁଦ୍ଧ ଥାନ୍ତି । ଏ ବିଷୟ ଶ୍ରବଣ କରିବାକୁ ଆମ୍ଭର ଏକାନ୍ତ ଅଭିଳାଷ ହୋଇଅଛି । ୮୧ । ମାର୍କଣ୍ଡେୟ କହିଲେ, ଯାହାଙ୍କର ବାକ୍ୟ-ଶୌଚ, କର୍ମ-ଶୌଚ ଓ ଜଳ-ଶୌଚ ଅଛି, ସେମାନେ ଏହି ତ୍ରିବିଧ ଶୌଚଦ୍ୱାରା ନିଃସନ୍ଦେହ ସ୍ୱର୍ଗଲାଭ କରନ୍ତି । ୮୨ । ଗାୟତ୍ରୀ ଦେବୀ ପାବନୀ ଓ ବେଦମାତା ଅଟନ୍ତି । ଯେଉଁ ବ୍ରାହ୍ମଣ ସେହି ଦେବୀଙ୍କର ଉପାସନା କରନ୍ତି, ସାୟଂକାଳ ଓ ପ୍ରାତଃକାଳରେ ସାନ୍ଧ୍ୟୋପାସନା କରନ୍ତି, ଗାୟତ୍ରୀ ଦେବୀ ତାହାଙ୍କୁ ପାପମୁକ୍ତ କରନ୍ତି । ସେ ସସାଗରାଭୂମଣ୍ଡଳକୁ ପ୍ରତିଗ୍ରହ କରି ସୁଦ୍ଧା ବିଷାଦପ୍ରାପ୍ତ ହୁଅନ୍ତି ନାହିଁ । ୧୪ । ଅନ୍ତରିକ୍ଷସ୍ଥିତ ସୂର୍ଯ୍ୟାଦି ଗ୍ରହମାନେ ଯଦି ବିଗୁଣ ହୋଇଥାଆନ୍ତି, ତାହାହେଲେ ସେମାନେ ମଧ୍ୟ ଶୁଭ ହୁଅନ୍ତି ଓ ଅତିଶୟ ମଙ୍ଗଳଦାୟକ ହୁଅନ୍ତି । ଦାରୁଣ ଓ ଭୟଙ୍କର ରାକ୍ଷସମାନେ ସୁଦ୍ଧା ସେହି ସାନ୍ଧ୍ୟୋପାସନାକାରୀ ଦ୍ୱିଜବରଙ୍କୁ ପରାଭବ କରିପାରନ୍ତି ନାହିଁ । ୮୬ । ଯେଉଁ ବ୍ରାହ୍ମଣମାନେ ବ୍ରହ୍ମଚିନ୍ତା କରନ୍ତି, ସେମାନେ ଜ୍ୱଳନ୍ତ ଅଗ୍ନିପ୍ରାୟ । ସେମାନଙ୍କର ଅଧ୍ୟାପନା, ଯାଜନ ଓ ପ୍ରତିଗ୍ରହ ଦୋଷ ମଧ୍ୟରେ ଗଣ୍ୟ ହୁଏ ନାହିଁ । ୮୭ ।

 

ହେ ମହାରାଜ ! ବ୍ରାହ୍ମଣମାନେ ବେଦ ପଢି ଥାଆନ୍ତୁ ବା ନ ଥାଆନ୍ତୁ, ପ୍ରାକୃତ ଅଥବା ସଂସ୍କୃତ ହେଉନ୍ତୁ, ସେମାନଙ୍କର ଅବମାନନା କରିବ ନାହିଁ । ଭସ୍ମାଚ୍ଛାଦିତ ଅଗ୍ନିପ୍ରାୟ ସେମାନଙ୍କୁ ସର୍ବଦା ଜାଣିବ । ୮୮ । ଯେ ପ୍ରକାର ଶ୍ମଶାନରେ ଦୀପ୍ତ ହୁତାଶନ ଦୃଶ୍ୟ ହୁଏନାହିଁ, ସେହି ପ୍ରକାର ବ୍ରାହ୍ମଣ ବିଦ୍ୱାନ ହେଉନ୍ତୁ ଅଥବା ବିଦ୍ୟା ନ ପଢି ଥାଆନ୍ତୁ, ତାହାଙ୍କୁ ଦେବସ୍ୱରୂପ ଜାଣିବ । ୮୯ । ଯେ ପ୍ରକାର ନଗରମାନଙ୍କରେ ପ୍ରାକାର, ପୁରଦ୍ୱାର ଓ ଭିନ୍ନଭିନ୍ନ ପ୍ରକାର ପ୍ରାସାଦ ଥିଲେ ହେଁ ବ୍ରାହ୍ମଣଙ୍କ ବସତି ଅଭାବରୁ ଶୋଭା ପାଆନ୍ତି ନାହିଁ,। ୯୦ । ସେହିପରି ହେ ନରପତେ ! ଯେଉଁଠାରେ ବେଦାଧ୍ୟୟନସମ୍ପନ୍ନ ବ୍ରାହ୍ମଣ ବାସକରନ୍ତି ନାହିଁ, ସେ ସ୍ଥାନର ନାମ ନଗର ନୁହେଁ । ୯୧-। ଯେଉଁ ସ୍ଥାନରେ ଗୋଷ୍ଠରେ ହେଉ କି ଅରଣ୍ୟରେ ହେଉ, ବହୁ ଶ୍ରୁତବ୍ରାହ୍ମଣ ଥାନ୍ତି, ପଣ୍ଡିତମାନେ ସେହି ସ୍ଥାନକୁ ନଗର ଓ ତୀର୍ଥ ବୋଲି କୀର୍ତ୍ତନ କରନ୍ତି । ୯୨ । ରକ୍ଷାକାରୀ ନରପତି ଓ ତପସ୍ୱୀ ବ୍ରାହ୍ମଣମାନଙ୍କ ଅଭିମୁଖକୁ ଗମନ କରି ସେମାନଙ୍କ ପୂଜା କଲେ ତତ୍‌କ୍ଷଣାତ ପାପରୁ ମୁକ୍ତ ହୁଅନ୍ତି । ୯୩ । ବୁଧମାନେ କହନ୍ତି ଯେ ପୁଣ୍ୟତୀର୍ଥରେ ଅଭିଷେଚନ, ପବିତ୍ର ନାମକୀର୍ତ୍ତନ ଓ ସାଧୁମାନଙ୍କ ସହିତ ସମ୍ଭାଷଣ କରିବା ପ୍ରଶସ୍ତ ପଥ ଅଟେ । ୯୪ ।

 

ସାଧୁମାନେ ସର୍ବଦା ସାଧୁ ସଂସର୍ଗଦ୍ୱାରା ପବିତ୍ର ବୋଲି ଆପଣାକୁ ବୋଧ କରନ୍ତି । ସାଧୁଙ୍କ ସୁଭାଷିତ ବାକ୍ୟକୁ ଜଳ ଜ୍ଞାନ କରି ତାହା ଶୁଣି ମଧ୍ୟ ଆପେ ପବିତ୍ର ହେଲେ ବୋଲି ସନ୍ତୁଷ୍ଟ ହୁଅନ୍ତ । ୯୫ । ମନୁଷ୍ୟର ଯେବେ ମନ ନିର୍ମଳ ନ ହଏ, ତେବେ ସେମାନଙ୍କର ତ୍ରିଦଣ୍ଡୀ ହେବା ବୃଥା; ମୌନବତୀ ଓ ଜଟାଧାରୀ ହେବା ବୃଥା; ମୁଣ୍ଡନ ହେବା, ବଳ୍‌କଳ ଅଥବା ଚର୍ମ ପରିଧାନ କରିବା; ବ୍ରତଚର୍ଯ୍ୟା, ତୀର୍ଥସ୍ନାନ, ଅଗ୍ନିହୋତ୍ର,ବନବାସ ଓ ଶରୀରଶୋଷଣ ମଧ୍ୟ ତାହାଙ୍କର ବୃଥା ହୁଏ । ୯୭ । ଚକ୍ଷୁ, କର୍ଣ୍ଣ, ନାସିକା, ରସନା, ତ୍ୱକ୍ ଓ ମନ ଏହି ଛଅଟି ଇନ୍ଦ୍ରିୟ । ହେ ରାଜେନ୍ଦ୍ର ! ସେମାନେ ମନଦ୍ୱାରା ବିଷୟଭୋଗ କରନ୍ତି । ପ୍ରଥମେ ସେମାନେ ବିଷୟଭୋଗ ନ କଲେ ମନକୁ ନିଗ୍ରହ କରିବା ଦୁରୂହ । ଯେପରି ଅନାହାରରେ ରହିବା ଅପେକ୍ଷା ଆହାର କରିବା ଦୁରୂହ । ସେହିପରି ପ୍ରଥମେ ମନ ବିଷୟଭୋଗ ନ କଲେ ତହିଁରୁ ନିବୃତ୍ତ ହେବା ତାହା ପକ୍ଷରେ କଠିନ । ୯୮ । ଯେଉଁମାନେ ମନ, ବଚନ, କର୍ମ, ଓ ବୁଦ୍ଧିଦ୍ୱାରା ପାପାଚରଣ ନ କରନ୍ତି, ସେହି ମହାତ୍ମାମାନେ ପ୍ରକୃତରେ ତପସ୍ୟା କରନ୍ତି । ପବନଦ୍ୱାରା ଶରୀର ଶୋଷଣ କଲେ ତପସ୍ୟା ହୁଏନାହିଁ । ୯୯ । ଯାହାଙ୍କର ଜ୍ଞାତିମାନଙ୍କଠାରେ ଦୟାନାହିଁ, ତାହାଙ୍କର ଦେହ ଶୁକ୍ଳ ହେଲେ ହେଁ ପାପରହିତ ନୁହେଁ । କାରଣ ଏହି ଯେ ତାହାଙ୍କ ହୃଦୟରେ ଜ୍ଞାତିବର୍ଗଙ୍କ ପ୍ରତି ଯେଉଁ ଦ୍ୱେଷ ରହିଲା, ସେହି ଦ୍ୱେଷଟିକ କେବଳ ତାହାଙ୍କ ତପସ୍ୟାର ବିଘ୍ନକାରୀ ଅଟେ । ୧୦୦ । ଯେଉଁ ବ୍ୟକ୍ତି ଗୃହରେ ଥାଇ ସୁଦ୍ଧା ଶୁଚିବନ୍ତ ଓ ଅଳଂକୃତ ହୋଇଥାନ୍ତି, ସେହି ମୁନି ଜୀବିତକାଳ ପର୍ଯ୍ୟନ୍ତ ସେ ଯେବେ ଦୟାବନ୍ତ ହୁଅନ୍ତି, ତେବେ ସେ ସର୍ବପାପପରୁ ମୁକ୍ତ ହେବେ । ୧୦୧ ।

 

ଆହାର ନକଲେ ପାପକର୍ମାମାନେ ପରିଶୁଦ୍ଧ ହୁଅନ୍ତି ନାହିଁ । ଅନାହାରଦ୍ୱାରା ଉପରର ମାଂସ ଓ ଶୋଣିତ କେବଳ ଅବସନ୍ନ ହୁଏ । ୧୦୨ । ଅନଶନଦ୍ୱାରା ଶରୀରରେ କ୍ଳେଶ ହୁଏ; କିନ୍ତୁ ପାପକ୍ଷୟ ହୁଏନାହିଁ । ମନ ନିର୍ମଳ ନହେଲେ ପାପ ଦଗ୍ଧ ହୁଅନ୍ତି ନାହିଁ । ୧୦୩ । ପୁଣ୍ୟକର୍ମ କଲେ ଯଥାର୍ଥ ପ୍ରବ୍ରଜ୍ୟାଶ୍ରମର କାର୍ଯ୍ୟ କରିବାକୁ ହୁଏ । ଆହାର ନ କଲେ କି ଫଳମୂଳ ଭକ୍ଷଣ କରି ଅଥବା ମୌନହୋଇ କିମ୍ବା ବାୟୁ ଭକ୍ଷଣ କରି ସନ୍ୟାସୀ ହୁଅନ୍ତି ନାହିଁ; ଅଥଚ ମସ୍ତକ ମୁଣ୍ଡନ କରି ସ୍ଥଣ୍ଡିଳରେ ଶଯ୍ୟାକରି, ଜଟା ଧାରଣ କରି, ଗୁହା ମଧ୍ୟରେ ପ୍ରବେଶ କରି ଅଥବା ନିତ୍ୟ ଅନାହାରରେ ରହି କିମ୍ବା ଅଜ୍ନ ଶୁଶ୍ରୁଷା କରି କିମ୍ବା ଜଳମଧ୍ୟରେ ପ୍ରବେଶ କରି କିମ୍ବା ଭୂମିରେ ଶୋଇରହି କେହି ତପସ୍ୱୀ ହୁଏନାହିଁ । ୧୦୬ । ଉକ୍ତ ପ୍ରକାରେ ଯେ ପୁଣ୍ୟାତ୍ମା ହୁଅନ୍ତି, ସେହିମାନେ ଜରାମରଣ ଅତିକ୍ରମ କରିଥାନ୍ତି । ଜ୍ଞାନକର୍ମଦ୍ୱାରା ସେମାନଙ୍କର ବ୍ୟାଧି କ୍ଷୀଣ ହୁଏ ଓ ସେମାନେ ମୋକ୍ଷ ଲାଭ କରନ୍ତି । ୧୦୭ । ଅଗ୍ନିରେ ଭର୍ଜିତ ହେଲେ ବୀଜମାନେ ଅଙ୍କୁରିତ ହୁଅନ୍ତି ନାହିଁ । ସେହି ପ୍ରକାର ଜ୍ଞାନଦ୍ୱାରା ମନ ନିର୍ମଳ ହେଲେ ତହିଁ ସଙ୍ଗେ କ୍ଳେଶଲିପ୍ତ ହୋଇ ଆତ୍ମାକୁ ବଦ୍ଧକରେ ନାହିଁ । ୧୦୮ । ସାଗର ମଧ୍ୟରେ ଫେନମାନେ ଯେପରି ସ୍ୱୟଂ ନଷ୍ଟ ହୁଅନ୍ତି, ସେହିପରି ଏହି ଶରୀର ମଧ୍ୟରୁ ଆତ୍ମା ବାହାରିଗଲେ ଏହି ଶରୀରଟା ମୃତପିଣ୍ଡ ପ୍ରାୟ ସ୍ୱୟଂ ମିଳେଇଯାଏ । ୧୦୯-। ଗୋଟିଏ ଶ୍ଳୋକ ଅଥବା ଅର୍ଦ୍ଧ ଶ୍ଲୋକ ପାଠକରି ଯେବେ ସକଳ ଅନ୍ତଃକରଣଗାମୀ ଆତ୍ମାକୁ ମନୁଷ୍ୟ ଚିହ୍ନିପାରେ, ତେବେ ତାହାର ଅଶେଷ ଆୟୋଜନ କ୍ଷୀଣ ହୁଏ; (ଅର୍ଥ– ଆତ୍ମଲାଭ ହେଲାପରେ ଆଉ ମନୁଷ୍ୟର କି ପ୍ରୟୋଜନ ? ଆତ୍ମଲାଭ ପର୍ଯ୍ୟନ୍ତ ସିନା ମନୁଷ୍ୟଙ୍କର ପ୍ରୟୋଜନ ଥାଏ, ଆମ୍ଭଲାଭ ପରେ ଆଉ ତାହାର କି ପ୍ରୟୋଜନ ରହିଲା ? ଅତଏବ ସେ ସ୍ୱୟଂନିଷ୍ପନ୍ନ ନିର୍ବିକାର ଆତ୍ମାରୂପରେ ଅବସ୍ଥାନ କଲା । ୧୧୦ । କେହି ଅବା ସହସ୍ରେ ଶ୍ଲୋକ ମଧ୍ୟରୁ ଦିଓଟି ମାତ୍ର ଅକ୍ଷରକୁ ଅଭିସନ୍ଧାନ କରି ଆତ୍ମଲାଭ କରନ୍ତି; ସେମାନଙ୍କର ଏତେ ଶ୍ଳୋକରେ କି ପ୍ରୟୋଜନ-? ପ୍ରତ୍ୟୟ ସିନା ମୋକ୍ଷର ଲକ୍ଷଣ ଅଟେ । ଅତଏବ ଆତ୍ମାର ପ୍ରତ୍ୟୟ ହେଲେ ଅଧିକ ଅନାବଶ୍ୟକ-। ୧୧୧ ।

 

ଜ୍ଞାନବେତ୍ତା ବୃଦ୍ଧମାନେ କହିଅଛନ୍ତି ଯେ ଯାହା ମନରେ ସଂଶୟ ହୁଏ, ସେ ସଂଶୟାତ୍ମା । ତାହାର ଇହଲୋକ ନାହିଁ ଅଥବା ସୁଖ ନାହିଁ । ଯେହେତୁରୁ ମୋକ୍ଷର ଲକ୍ଷଣ ପ୍ରତ୍ୟୟ ଅଟେ । ସେ ବ୍ୟକ୍ତି ସଂଶୟାତ୍ମା ହେବାରୁ ତାହାର ପ୍ରତ୍ୟୟ ହୁଏନାହିଁ । ୧୧୨ । ଯେ ବେଦମାନଙ୍କର ଅର୍ଥ ଜାଣନ୍ତି, ସେ ବେଦର ପ୍ରୟୋଜନ ଜାଣନ୍ତି । ଯେ ବେଦର ଅର୍ଥ ନ ଜାଣନ୍ତି (ମନୁଷ୍ୟମାନେ ଦାବାଗ୍ନିକୁ ଦେଖି ଭୟ କଲା ପ୍ରାୟ), ବେଦମାନଙ୍କଠାରୁ ଉଦଯୋଗ ପ୍ରାପ୍ତ ହୁଅନ୍ତି, ୧୧୩ । ସେ ଅକାରଣରେ ବେଦବିରୁଦ୍ଧ ତର୍କ କରିବେ ନାହିଁ । ଯଦି ତୁମ୍ଭେ ଏକାକ୍ଷରଦ୍ୱାରା ଅଭିସନ୍ଧାନ କରି ତତ୍ତ୍ୱପଦାର୍ଥକୁ ଜାଣିବାକୁ ଇଚ୍ଛା କର, ତେବେ ଶୁଷ୍କ ତର୍କକୁ ପରିତ୍ୟାଗ କରି ଶ୍ରୁତି ଓ ସ୍ମୃତିକୁ ଆଶ୍ରୟ କର, ଯାହାର ସାଧନାର ବିପର୍ଯ୍ୟୟ ହୁଏ ତାହାର ବୁଦ୍ଧି ସିଦ୍ଧି ହୁଏନାହିଁ । ୧୧୪ । ଅତଏବ ବେଦଦ୍ୱାରା ପ୍ରଯତ୍ନପୂର୍ବକ ପରମାତ୍ମା ତତ୍ତ୍ୱକୁ ଅବଗତ ହେବ; ଯେହେତୁରୁ ବେଦ ସେହି ପରମାତ୍ମାଙ୍କର ଶରୀର ଅଟେ । ପରମାତ୍ମାଙ୍କର ଉପଲବ୍ଧ ନିମିତ୍ତ ବେଦ୍ୟ ହୁଅନ୍ତି । ୧୧୫ । ଦେବଗଣଙ୍କର ଯେତେ ପରମାୟୁ ବେଦରେ କଥିତ ଅଛି, ସେମାନଙ୍କର ସେହି ପରମାୟୁ ଯଥାର୍ଥ ହୁଏ । ଯଜ୍ଞାଦି କର୍ମ୍ମମାନଙ୍କର ଯେଉଁ ଫଳ ହେବାର ବେଦରେ କଥିତ ଅଛି, ପ୍ରତି ଯୁଗରେ ସେହି ସବୁ ଫଳ ତଦନୁରୂପ ହୁଏ ଏବଂ ଯେଉଁ ଶରୀରଧାରୀଙ୍କର ଯେପରି ପ୍ରଭାବ ବର୍ଣ୍ଣିତ ଅଛି, ସେମାନଙ୍କର ତାଦୃଶ ପ୍ରଭାବ ହେବାର ଦେଖାଯାଏ । ୧୧୭ । ଇନ୍ଦ୍ରିୟ ସନ୍ତୋଷ ନିମିତ୍ତ ବିଷୟ ଭୋଗକୁ ପରିତ୍ୟାଗ କରିବ । ଇନ୍ଦ୍ରିୟମାନଙ୍କୁ ପରିତୃଷ୍ଟ ନ କରିବା ପ୍ରକୃତରେ ଅନଶନ ଅଟେ । ୧୧୮ । ତପସ୍ୟାଦ୍ୱାରା ସ୍ୱର୍ଗକୁ ଗମନ କରାଯାଏ, ଦାନଦ୍ୱାରା ସ୍ୱର୍ଗ ଭୋଗ ହୁଏ; ତୀର୍ଥରେ ସ୍ନାନ କଲେ ପାପ କ୍ଷୟ ହୁଏ; ଜ୍ଞାନ ନ ହେଲେ ମୋକ୍ଷ ହୁଏନାହିଁ; ଅତଏବ ଜ୍ଞାନଦ୍ୱାରାମୋକ୍ଷ ସାଧନ ହୁଏ । ୧୧୮ ।

 

ବୈଶମ୍ପାୟନ ବୋଇଲେ– ହେ ରାଜେନ୍ଦ୍ର ! ଯୁଧିଷ୍ଠିର ଏହି ବାକ୍ୟ ଶ୍ରବଣ କରି ମହାଯଶା ମାର୍କଣ୍ଡେୟଙ୍କୁ ପ୍ରତିବଚନ କହିଲେ, ହେ ଭଗବନ ! ଉତ୍ତମ ଦାନବିଧି ଶ୍ରବଣ କରିବାକୁ ଆମ୍ଭର ଇଚ୍ଛା ହେଉଅଛି । ମାର୍କଣ୍ଡେୟ କହିଲେ, ହେ ରାଜେନ୍ଦ୍ର ଯୁଧିଷ୍ଠିର ! ତୁମ୍ଭେ ଯେ ଦାନଧର୍ମ ଶୁଣିବାକୁ ଇଚ୍ଛା କରୁଅଛ, ଏହା କହିବାକୁ ଆମ୍ଭର ମଧ୍ୟ ସନ୍ତୋଷ ହେଉଅଛି । ହେ ରାଜନ୍‌ ! ଏ ଗୌରବର କଥା ଅଟେ । ୧୨୦ । ଅତଏବ ଶ୍ରୁତି ଓ ସ୍ମୃତିରେ ଦାନର ଯେ ଗୋପନୀୟ ଉପଦେଶ ଅଛି, ତାହା ତୁମ୍ଭେ ଶ୍ରବଣ କର । ହେ ଯୁଧିଷ୍ଠିର ! ହସ୍ତୀମାନଙ୍କ ଛାୟାରେ ବସି ସେମାନେ କର୍ଣ୍ଣରେ ଯେଉଁ ଦ୍ରବ୍ୟମାନଙ୍କୁ ବିଞ୍ଚୁଥିବେ, ସେହି ଦ୍ରବ୍ୟଦ୍ୱାରା ଯଦି ଶ୍ରାଦ୍ଧ କରାଯାଏ, ତେବେ ଲକ୍ଷେ କଳ୍ପପର୍ଯ୍ୟନ୍ତ ସେହି ଶ୍ରାଦ୍ଧର ଫଳ କ୍ଷୟ ହୁଏନାହିଁ । ୧୨୧ । ଅନ୍ନାଦି ଦାନଦ୍ୱାରା ଯଦି କାହାର ଜୀବନ ରକ୍ଷା ହୁଏ, ତେବେ ହେ ମହୀପତେ ! ସେହି ଦାନର ଫଳ ଅକ୍ଷୟ ହୁଏ । ଯେ ବୈଶ୍ୟମାନଙ୍କର ବସତି ସ୍ଥାପନ କରେ, ସେ ସର୍ବଯଜ୍ଞ ଆହରଣ କରିବା ଫଳ ଲାଭ କରେ । ୧୨୨ । ଯେଉଁଠାରେ ନଦୀ ବିପରୀତ ଦିଗକୁ ପ୍ରବାହିତ ହୁଏ, ସେହିଠାରେ ଯେ ଉତ୍ତମ ଅଶ୍ୱମାନଙ୍କୁ ପ୍ରାଦନ କରନ୍ତି, ଇନ୍ଦ୍ର ତାହାଙ୍କର ଅନ୍ନଦାନକୁ ଅନୁସରଣ କରି ଉତ୍ତମ ଫଳ ପ୍ରଦାନ କରନ୍ତି । ନୌକାଦ୍ୱାରା ଯେ ପ୍ରକାର ମହାଜଳପ୍ଲାବନରେ ରକ୍ଷା ଲାଭହୁଏ, ଉପର୍ଯ୍ୟୁକ୍ତ ଦାନଦ୍ୱାରା ସେହି ପ୍ରକାର ମହାପାପରୁ ପରିତ୍ରାଣ ପ୍ରାପ୍ତି ହୁଏ । ୧୨୩ । ଗ୍ରହଣ କାଳରେ ବ୍ରାହ୍ମଣକୁ ଦଧିମଣ୍ଡ ଦାନ କଲେ ଅକ୍ଷୟ ଫଳ ଲାଭହୁଏ । ଦର୍ଶ ଓ ପୌର୍ଣ୍ଣମାସୀରେ ଯେଉଁ ଦାନ କରିବା ବିଧେୟ, ତଦ୍ରୂପ ଦାନ କଲେ ଦଶ ଗୁଣ ଫଳ ଲାଭ ହୁଏ । ୧୨୪ । ଯେଉଁ ବର୍ଷରେ ଯେଉଁ ଦ୍ରବ୍ୟ ଦାନ କରିବା ପ୍ରସିଦ୍ଧ ଅଟେ, ସେହି ବର୍ଷରେ ସେହି ଦାନ କଲେ ଶତ ଗୁଣ ଫଳ ହୁଏ । ବିଷୁବରେଖାରେ ଦିନମଣି ଥିଲେ ଯେଉଁଦାନ କରାଯାଏ,ସେ ଦାନରେ ଅନନ୍ତ ଫଳଲାଭ ହୁଏ । ତଦ୍ରୂପ ମିଥୁନ, କନ୍ୟା ମୀନ ସଂକ୍ରାନ୍ତିରେ ସୂର୍ଯ୍ୟ ଥିଲେ, ଯେଉଁ ଦାନ କରାଯାଏ, ତହିଁରେ ମଧ୍ୟ ଅନନ୍ତ ଫଳ ଲାଭ ହୁଏ । ୧୨୫ ।

 

ପଣ୍ଡିତମାନେ କହନ୍ତି, ଋତୁ ବିଶେଷରେ ଦାନ କଲେ ଦଶ ଗୁଣ, ଅୟନାଦି ବିଶେଷରେ ଶତ ଗୁଣ ଫଳ ନିଶ୍ଚୟ ହୁଏ । ସୂର୍ଯ୍ୟଗ୍ରହଣ ବେଳେ ଯେଉଁ ଦାନ କରାଯାଏ, ତାହାର ସହସ୍ର ଗୁଣ ଫଳ ହୁଏ । ବିଷୁବ ରେଖାରେ ସୂର୍ଯ୍ୟଗ୍ରହଣ ବେଳେ ଦାନ କଲେ ଦାତା ଅକ୍ଷୟ ଫଳ ଭୋଗ କରେ-। ୧୨୬ । ହେ ରାଜନ୍‌ ! ଭୂମି ଦାନ ନ କଲେ ଭୂମି ଲାଭ ହୁଏ ନାହିଁ । ଯେ ଯାନ ଦାନ କରିନଥାଏ ସେ କଦାପି ଯାନରେ ଆରୋହଣ କରି ଗତାୟତ କରେ ନାହିଁ । ବ୍ରାହ୍ମଣମାନେ ଯେଉଁ ଯେଉଁ କାମନା କରନ୍ତି, ସେମାନଙ୍କର ସେହି ସେହି କାମନାକୁ ଯେ ପୂରଣ କରିଥାନ୍ତି, ସେମାନେ ଜାତ ହୋଇ ସେହି ସେହି କାମନାର ଫଳ ଭୋଗ କରନ୍ତି । ୧୨୭ । ଅଗ୍ନିଙ୍କର ପୁତ୍ର ସୁବର୍ଣ୍ଣ, ବିଷ୍ଣୁଙ୍କର ପତ୍ନୀ ଏହି ପୃଥିବୀ, ସୂର୍ଯ୍ୟଙ୍କର ଅପତ୍ୟ ଗୋରୁମାନେ; ଅତଏବ ଯେଉଁ ବ୍ୟକ୍ତି କାଞ୍ଚନ, ଧେନୁ ଓ ମହୀଦାନ କରନ୍ତି, ସେମାନଙ୍କର ଏହି ତିନିଲୋକ ଦାନ ଦେବାର ଫଳ ଲାଭ ହୁଏ । ୧୨୮ । ଦାନ ଅପେକ୍ଷା ଆଉ କାହିଁରେ ଚରିସ୍ଥାୟୀ ଫଳ ଲାଭ ହୁଏନାହିଁ । ତିନି ଲୋକ ମଧ୍ୟରେ ଦାନ ଅପେକ୍ଷା ଆଉ କିଛି ଉତ୍ତମ କର୍ମ ନାହିଁ । ଅତଏବ ଯେଉଁମାନେ ବିଶିଷ୍ଟ ବୁଦ୍ଧି ସମ୍ପନ୍ନ, ସେମାନେ କହନ୍ତି ଯେ ଦାନ ସର୍ବାପେକ୍ଷା ପ୍ରଧାନ ।

 

॥ ଅଧ୍ୟାୟ – ୨୦୧ ॥

 

ବୈଶମ୍ପାୟନ କହିଲେ, ରାଜା ଯୁଧିଷ୍ଠିର ମହର୍ଷି ମାର୍କଣ୍ଡେୟଙ୍କଠାରୁ ରାଜର୍ଷି ଇନ୍ଦଦ୍ୟୁମ୍ନଙ୍କର ସ୍ୱର୍ଗପ୍ରାପ୍ତ କଥା ଶ୍ରବଣ କରି କହିଲେ, ୧ । ହେ ମହାରାଜ ! ଭରତବର୍ଷଭ ଯୁଧିଷ୍ଠିର, ପୁନର୍ବାର ତପୋବୁଦ୍ଧ, ଦୀର୍ଘାୟୁଷ, ଅକଳ୍ମଷ ମାର୍କଣ୍ଡେୟଙ୍କୁ ପଚାରିଲେ । ୨ । ହେ ଧର୍ମଜ୍ଞ ! ଆପଣଙ୍କୁ ଦେବ, ଦାନବ, ରାକ୍ଷସ, ରାଜବଂଶ ଓ ଋଷିମାନଙ୍କ ବିବିଧ ବୃତ୍ତାନ୍ତମାନ ବିଦିତ ଅଛି । ୩ । ହେ ଦ୍ୱିଜୋତ୍ତମ-! ଇହଲୋକରେ ଆପଣଙ୍କୁ କିଛି ମାତ୍ର ଅବିଦିତ ନାହିଁ । ହେ ମୁନିବର ! ଦେବ, ମନୁଷ୍ୟ, ଉରଗ ଓ ରକ୍ଷଗଣଙ୍କ କଥା ଆପଣ ଜାଣନ୍ତି । ଆପଣଙ୍କୁ ଦେବ, ମନୁଷ୍ୟ, ଗନ୍ଧର୍ବ, ଯକ୍ଷ ଓ କିନ୍ନରମାନଙ୍କର କଥା ଜଣାଅଛି । ୪ । ଦେବ, ଗନ୍ଧର୍ବ, ଯକ୍ଷ, କିନ୍ନର ଓ ଅପସରାଗଣଙ୍କ କଥା ମଧ୍ୟ ଆପଣ ଜାଣନ୍ତି-। ହେ ଦ୍ୱିଜୋତ୍ତମ ! ତତ୍ତ୍ୱପୂର୍ବକ ସେମାନଙ୍କ ଚରିତ୍ର ଶୁଣିବାକୁ ଇଚ୍ଛା କରୁଅଛୁ । ଇକ୍ଷ୍ୱାକୁବଂଶରେ କୁବଳାଶ୍ୱ ନାମରେ ଜଣେ ମହାବଳ ପରାକ୍ରାନ୍ତ ରାଜା ଥିଲେ । କେଉଁ କାରଣରୁ ସେ ଆପଣା ନାମକୁ ପରିବର୍ତ୍ତନ କରି ଧୁନ୍ଧୁମାର ନାମ ଗ୍ରହଣ କଲେ ? ୬ । ହେ ଭାର୍ଗବସତ୍ତମ ! ଏହାର ତତ୍ତ୍ୱ ଜାଣିବାକୁ ଇଚ୍ଛା କରୁଅଛୁ । ବୁଦ୍ଧିମାନ କୁବଳାଶ୍ୱଙ୍କର ନାମ କେଉଁ କାରଣରୁ ପରିବର୍ତ୍ତିତ ହେଲା-? ୭ ।

 

ବୈଶମ୍ପାୟନ କହିଲେ, ଯୁଧିଷ୍ଠିରଙ୍କଠାରୁ ମହାମୁନି ମାର୍କଣ୍ଡେୟ ଏହି ରୂପ ପ୍ରଶ୍ନ ଶ୍ରବଣ କରି, ହେ ଭାରତ ! ସେ ଧୁନ୍ଧୁମାରଙ୍କର ଉପାଖ୍ୟାନ କହିବାକୁ ଲାଗିଲେ । ୮ । ମାର୍କଣ୍ଡେୟ ବୋଇଲେ, ହେ ରାଜନ୍‌ ! ଯୁଧିଷ୍ଠିର ! ଧୁନ୍ଧୁମାରଙ୍କର ଏହି ଚରିତ୍ର ଧର୍ମସମ୍ମ୍‌ତ ଅଟେ । ଅତଏବ ସେହି ଆଖ୍ୟାନ କହୁଅଛି, ଶ୍ରବଣ କର । ୯ । ଇକ୍ଷ୍ୱାକୁବଂଶୀୟ କୁବଳାଶ୍ୱ ନାମଧେୟ ସେହି ମହୀପତି ଯେଉଁ କାରଣରୁ ଧୁନ୍ଧୁମାର ସଂଜ୍ଞା ଲାଭ କଲେ ତାହା କହୁଅଛୁ, ହେ ରାଜନ୍‌ ! ଶ୍ରବଣ କର । ୧୦ । ହେ ଭାରତ ! ଉତ୍ତଙ୍କ ନାମରେ ଜଣେ ମହର୍ଷିଙ୍କର ନାମ ଶୁଣିଥିବ । ମରଧନ୍ୱ ପ୍ରଦେଶରେ ତାହାଙ୍କର ରମଣୀୟ ଆଶ୍ରମ ଥିଲା । ୧୧ । ହେ ମହାରାଜ ! ମହର୍ଷି ଉତ୍ତଙ୍କ ଦୁଷ୍କର ତପସ୍ୟାଚରଣ କଲେ । ସେ ଋଷି ବହୁସଂଖ୍ୟକ ବର୍ଷ ବିଷ୍ଣୁଙ୍କୁ ଆରାଧନା କଲେ । ୧୨ । ଭଗବାନ ବିଷ୍ଣୁ ତାହାଙ୍କଠାରେ ପ୍ରୀତ ହୋଇ ସ୍ୱୟଂ ଆସି ଦର୍ଶନ କଲେ । ୧୩ । ଉତ୍ତଙ୍କ ବୋଇଲେ– ହେ ଦେବ ! ଏହି ପ୍ରଜାବର୍ଗଙ୍କୁ, ସୁରାସୁର ଓ ମନୁଷ୍ୟମାନଙ୍କୁ, ସ୍ଥାବର ଜଙ୍ଗମ ପ୍ରାଣୀମାନଙ୍କୁ ତୁମ୍ଭେ ସୃଷ୍ଟି କରିଅଛ । ୧୪ । ହେ ମହାଦ୍ୟୁତେ ! ବ୍ରହ୍ମା ଓ ବେଦମାନେ, ଯାହା କି ବେଦ୍ୟବସ୍ତୁ, ତାହା ମଧ୍ୟ ତୁମ୍ଭଦ୍ୱାରା ସୃଜନ ହୋଇଅଛି । ହେ ଦେବ ! ଗଗନ ତୁମ୍ଭର ମସ୍ତକ, ଚନ୍ଦ୍ର, ସୂର୍ଯ୍ୟ ଏ ଦୁହେଁ ତୁମ୍ଭର ନେତ୍ର ଦ୍ୱୟ । ୧୫ । ପବନ ତୁମ୍ଭର ନିଃଶ୍ୱାସ ପ୍ରଶ୍ୱାସ । ହେ ଅଚ୍ୟୁତ ! ଅଗ୍ନି ତୁମ୍ଭର ତେଜ, ଦିଗମାନେ ତୁମ୍ଭର ବାହୁ, ମହାସମୁଦ୍ର ତୁମ୍ଭର କୁକ୍ଷି ଅଟେ । ୧୬ । ହେ ଦେବ ! ପର୍ବତସବୁ ତୁମ୍ଭର ଊରୁ, ହେ ମଧୁସୂଦନ ! ଆକାଶ ତୁମ୍ଭର ଜଙ୍ଘ ଦ୍ୱୟ, ଦେବୀ ପୃଥିବୀ ତୁମ୍ଭର ପାଦ ଦ୍ୱୟ, ଔଷଧିମାନେ ତୁମ୍ଭର ରୋମ ଅଟନ୍ତି । ୧୭ । ଇନ୍ଦ୍ର, ସୋମ, ଅଗ୍ନି, ବରୁଣ, ଦେବ, ଅସୁର, ମହୋରଗମାନେ ବିବିଧ ସ୍ତବଦ୍ୱାରା ତୁମ୍ଭଙ୍କୁ ସ୍ତବ କରି ଓ ପ୍ରଣାମ କରି କରଯୋଡ଼ି ତୁମ୍ଭ ସମକ୍ଷରେ ଆଗତ ହୁଅନ୍ତି । ୧୮ । ହେ ଭୁବନେଶ୍ୱର ! ତୁମ୍ଭେ ସବୁ ପ୍ରାଣୀଙ୍କଠାରେ ବ୍ୟାପ୍ତ ହୋଇଅଛ । ମହା ବୀର୍ଯ୍ୟଶାଳୀ ଯୋଗୀମାନେ ଓ ମହର୍ଷିବୃନ୍ଦ ତୁମ୍ଭଙ୍କୁ ସ୍ତବ କରନ୍ତି । ୧୯ । ତୁମ୍ଭେ ତୁଷ୍ଟ ହେଲେ ଜଗତ୍ ସ୍ୱସ୍ଥ ହୁଏ ଓ ତୁମ୍ଭେ କ୍ରୁଦ୍ଧ ହେଲେ ମହତ ଭୟ ଉପସ୍ଥିତ ହୁଏ । ହେ ପୁରୁଷୋତ୍ତମ ! ତୁମ୍ଭେ ଭୟସମୂହ ଏକାକୀ ଅପନୋଦନ କର । ୨୦ । ଦେବଗଣଙ୍କର, ମନୁଷ୍ୟମାନଙ୍କର ଓ ସର୍ବପ୍ରାଣୀମାନଙ୍କର ତୁମ୍ଭେ ସୁଖାବହ ଅଟ ।

 

ହେ ଦେବ ! ତିନିଗୋଟି ବିକ୍ରମଦ୍ୱାରା ତୁମ୍ଭେ ତିନିଲୋକକୁ ହରଣ କରିଥିଲ । ତୁମ୍ଭର ବିକ୍ରମଣଦ୍ୱାରା ଦେବତାଗଣ ପରମ ନିର୍ବାଣ ଲାଭ କଲେ । ୨୨ । ହେ ମହାଦ୍ୟୁତେ ! ତୁମ୍ଭେ କ୍ରୁଦ୍ଧ ହେଲେ ଦୈତ୍ୟେନ୍ଦ୍ରମାନେ ପରାଭୂତ ହୁଅନ୍ତି । ତୁମ୍ଭେ ଭୂତମାନଙ୍କର ସର୍ବପ୍ରକାର କର୍ତ୍ତା ଓ ବିକର୍ତ୍ତା ଅଟ । ୨୩ । ଦେବତାମାନେ ତୁମ୍ଭଙ୍କୁ ଆରାଧନା କରି ସବୁଠାରେ ସୁଖଲାଭ କରନ୍ତି । ମହାତ୍ମା ଭକ୍ତଙ୍କଦ୍ୱାରା ହୃଷୀକେଶ ଏହି ପ୍ରକାରେ ସ୍ତୁତ ହୁଅନ୍ତେ । ୨୪ । ଉତ୍ତକଙ୍କ ପ୍ରତି ବିଷ୍ଣୁ ପ୍ରୀତ ହୋଇ ବର ବରଣ କର ବୋଲି କହିଲେ । ଉତ୍ତଙ୍କ କହିଲେ, ଜଗତର ପ୍ରଭୁ, ନିତ୍ୟ, ଦେବ, ଜଗତର ସ୍ରଷ୍ଟା ହରିଙ୍କୁ ଯାହା ଆମ୍ଭେ ଦର୍ଶନ କଲୁ ଏହି ଯଥେଷ୍ଟ; ଆଉ କି ଅଧିକ ବର ଯାଚ୍‍ଜ୍ଞା କରିବୁ ? ବିଷ୍ଣୁ ବୋଇଲେ– ହେ ସତ୍ତମ ! ତୁମ୍ଭର ନିଲୋର୍ଭରେ ଓ ଭକ୍ତିଦ୍ୱାରା ଆମ୍ଭେ ଅତ୍ୟନ୍ତ ପ୍ରୀତ ହେଲୁ । ହେ ଦ୍ୱିଜ ! ବ୍ରହ୍ମନ୍‌ ! ଅବଶ୍ୟ ତୁମ୍ଭେ ଆମ୍ଭଠାରୁ ଗୋଟିଏ ବର ପ୍ରାର୍ଥନା କର । ହେ ଭରତସତ୍ତମ ! ଏହି ପ୍ରକାରେ ଅନୁରୋଧ କରିବାରୁ ଉତ୍ତଙ୍କ କରଯୋଡ଼ି ଏହି ବର ମାଗିଲେ, ଭଗବନ, ଯଦି ଆମ୍ଭଠାରେ ତୁମ୍ଭେ ପ୍ରୀତ ହୋଇଥାଅ, ତେବେ ହେ ପୁଣ୍ଡରିକଲୋଚନ ! ଆମ୍ଭଙ୍କୁ ଏହି ବର ଦିଅ ଯେ, ଧର୍ମରେ, ସତ୍ୟରେ, ଚିତ୍ତଦମନରେ ସର୍ବଦା ଆମ୍ଭର ବୁଦ୍ଧି ପ୍ରସରୁ । ହେ ମହେଶ୍ୱର ! ଭକ୍ତିଦ୍ୱାରା ତୁମ୍ଭଠାରେ ଆମ୍ଭର ସର୍ବଦା ଏହି ଅଭ୍ୟାସ ହେଉ । ୨୯ ।

 

ଶ୍ରୀ ଭଗବାନ କହିଲେ– ହେ ଦ୍ୱିଜ ! ଆମ୍ଭ ପ୍ରସାଦରୁ ତୁମ୍ଭେ ଏହିସବୁ ଯେତେ କଥା କହିଲ, ତାହା ତୁମ୍ଭଠାରେ ପ୍ରତିଭାଷିତ ହେବ । ଯେଉଁ ଯୋଗରେ ଦେବତାମାନେ ଯୁକ୍ତ ହୋଇଥାନ୍ତି, ତୁମ୍ଭେ ମଧ୍ୟ ସେହି ଯୋଗରେ ଅଭ୍ୟସ୍ତ ହେବ । ୩୦ । ତିନି ଲୋକ ମଧ୍ୟରେ ତୁମ୍ଭେ ମହତ କାର୍ଯ୍ୟ କରିବ । ଲୋକମାନଙ୍କ ସଂହାର ନିମିତ୍ତ ଧୁନ୍ଧୁ ନାମରେ ମହାସୁର ଘୋର ତପସ୍ୟାରେ ରତ ହେବ; ତୁମ୍ଭେ ତାହାକୁ ସଂସାର କରିବ । ହେ ତାତ ! ଇକ୍ଷ୍ୱାକୁବଂଶରେ ଅପରାଜିତ, ବୀର୍ଯଶାଳୀ, ବୃହଦଶ୍ୱ ନାମରେ ବିଖ୍ୟାତ ମହୀପତି ଜନ୍ମଲାଭ କରିବେ । ତାହାଙ୍କ ପୁତ୍ର କୁବଳାଶ୍ୱ ଶୁଚି ଓ ଦମଯୁକ୍ତ ବୋଲି ବିଖ୍ୟାତ ହେବେ । ୩୩ । ସେହି ରାଜା ଆମ୍ଭଙ୍କୁ ଆରାଧନା କରି ଯୋଗବଳ ଲାଭଦ୍ୱାରା ଓ ତୁମ୍ଭର ଶାସନରେ ରହି, ହେ ବିପ୍ରର୍ଷେ ! ସେ ଧୁନ୍ଧୁମାର ହେବେ । ବିଷ୍ଣୁ ଏହି ପ୍ରକାରେ ସେହି ବିପ୍ରଙ୍କୁ କହି ସେହିଠାରେ ଅନ୍ତର୍ହିତ ହେଲେ । ୩୪ ।

 

॥ ଅଧ୍ୟାୟ – ୨୦୨ ॥

 

ମାର୍କଣ୍ଡେୟ ବୋଇଲେ– ହେ ରାଜନ୍‌ ! ଇକ୍ଷ୍ୱାବାକୁ ସ୍ୱର୍ଗାରୋହଣ କରନ୍ତେ, ପରମ ଧର୍ମାତ୍ମା ଶଶାଦ ଅଯୋଧ୍ୟାର ନୃପ ହୋଇ ପୃଥିବୀକୁ ଶାସନ କଲେ । ୧ । ଶଶାଦଙ୍କ ପୁତ୍ର ବୀର୍ଯ୍ୟବାନ କକୁତ୍ରସ୍ଥ ଓ କକୁତ୍ରସ୍ଥଙ୍କର ପୁତ୍ର ଅନେନାଃ ଓ ତାହାଙ୍କ ପୁତ୍ର ପୃଥୁ । ୨ । ପୃଥୁଙ୍କର ପୁତ୍ର ବିଶ୍ୱଶଶ୍ୱ ତାହାଙ୍କ ଠାରୁ ଆର୍ଦ୍ରି ଜାତ ହେଲେ । ଆର୍ଦ୍ରିଙ୍କର ପୁତ୍ର ଯବନାଶ ତାହାଙ୍କଠାରୁ ଶ୍ରାବ ଜାତ ହେଲେ । ୩ । ଶ୍ରାବଙ୍କର ପୁତ୍ର ଶାବସ୍ତ । ଯେଉଁ ରାଜା ଶ୍ରାବନ୍ତୀପୁରୀ ନିର୍ମାଣ କରିଥିଲେ । ଶ୍ରାବସ୍ତଙ୍କର ଦାୟାଦ ମହାବଳଶାଳୀ ବୃହଦଶ୍ୱ । ୪ । ବୃହଦଶ୍ୱଙ୍କ ଦାୟାଦ କୁବଳାଶ୍ୱ ନାମରେ ବିଖ୍ୟାତ ଥିଲେ । କୁବଳାଶ୍ୱରଙ୍କର ଏକବିଂଶତ ସହସ୍ର ପୁତ୍ର ଥିଲେ । ୫ । ସେ ସମସ୍ତେ ସର୍ବବିଦ୍ୟାରେ ପାରଗ, ବଳବନ୍ତ; କିନ୍ତୁ ଅତିଶୟ ଦାରୁଣ ଥିଲେ । କୁବଳାଶ୍ୱ ଆପଣାର ପିତାଙ୍କଠାରୁ ଗୁଣରେ ଅଧିକ ହୋଇଥିଲେ । ରାଜା ବୃହଦଶ୍ୱ ତାହାଙ୍କୁ ଯଥାସମୟରେ ରାଜ୍ୟରେ ଅଭିଷିକ୍ତ କଲେ-। ହେ ମହାରାଜ ! କୁବଳାଶ୍ୱ ଶୂର ଥିଲେ ଓ ଉତ୍ତମ ଧାର୍ମିକ ଥିଲେ । ୭ । ମହୀପତି ବୃହଦଶ୍ୱ ରାଜଲକ୍ଷ୍ମୀଙ୍କୁ ପୁତ୍ରଙ୍କଠାରେ ସମର୍ପଣ କରି ତପସ୍ୟା ନିମିତ୍ତ ସ୍ୱୟଂ ବନ ଗମନ କଲେ-। ସେହି ଶତ୍ରୁହନ୍ତା ବୃହଦଶ୍ୱ ଅତିଶୟ ବୁଦ୍ଧିମାନ ଥିଲେ । ୮ ।

 

ମାର୍କଣ୍ଡେୟ କହିଲେ, ହେ ନରାଧିପ ! ଉତ୍ତଙ୍କ ନାମରେ ଋଷି ଶୁଣିଲେ ଯେ ରାଜା ବୃହଦଶ୍ୱ ବନକୁ ପ୍ରସ୍ଥାନ କରିଅଛନ୍ତି । ୯ । ବୃହଦଶ୍ୱ ଅସ୍ତ୍ରବେତ୍ତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ । ମହାତେଜା ଉତ୍ତଙ୍କ ସେହି ନରପତିଙ୍କ ନିକଟକୁ ଯାଇ ତସପ୍ୟାରୁ ତାହାଙ୍କୁ ନିବାରଣ କଲେ । ଉତ୍ତଙ୍କ କହିଲେ– ଆପଣ ରକ୍ଷକର କାର୍ଯ୍ୟ କରିବାକୁ ଯୋଗ୍ୟ ଅଟନ୍ତି । ଆପଣ ରାଜ୍ୟ ଶାସନ କଲେ, ହେ ରାଜନ୍‌ ! ଆମ୍ଭେମାନେ ସମସ୍ତେ ନିରୁଦ୍ୱିଗ୍ନ ହେବୁ । ୧୧ । ହେ ରାଜନ୍‌ ! ତୁମ୍ଭେ ମହାତ୍ମା ! ତୁମ୍ଭେ ଏହି ପୃଥିବୀକୁ ରକ୍ଷା କଲେ ପୃଥିବୀ ସୁଶାସିତା ହେବ । ତୁମ୍ଭେ ଅରଣ୍ୟକୁ ତପସ୍ୟାର୍ଥ ଗମନ କର ନାହିଁ । ପ୍ରଜାପାଳନ କଲେ ମହାନ ଧର୍ମ ହୁଏ । ତାହା ମହାଜନମାନେ ଦେଖିଅଛନ୍ତି । ଅରଣ୍ୟକୁ ଯାଇ ତପସ୍ୟା ତଲେ ତାଦୃଶ ଧର୍ମ ହୁଏନାହିଁ । ଅତଏବ ତୁମ୍ଭର ବୁଦ୍ଧି ତପସ୍ୟାରେ ପ୍ରସାରିଣୀ ନୋହୁ । ୧୩ । ହେ ରାଜେନ୍ଦ୍ର ! ପ୍ରଜାପାଳନରେ ଯେଉର୍ ଧର୍ମକୁ ପୂର୍ବକାଳରେ ରାଜର୍ଷିମାନେ ଆଚରି ଅଛନ୍ତି; ଆଉ କୌଣସି କାର୍ଯ୍ୟରେ ଏପରି ଧର୍ମାଚରଣ କରିବା ଦେଖାଯାଏ ନାହିଁ । ୧୪ । ରାଜାଙ୍କଦ୍ୱାରା ପ୍ରଜାମାନେ ରକ୍ଷଣୀୟ ହୁଅନ୍ତି; ଅତଏବ ହେ ପାର୍ଥିବ, ତୁମ୍ଭେ ସେମାନଙ୍କୁ ରକ୍ଷା କର । ସେମାନଙ୍କୁ ରକ୍ଷା ନ କଲେ ତୁମ୍ଭେ ନିରୁଦ୍ୱିଗ୍ନ ହୋଇ ତପସ୍ୟା କରିପାରିବ ନାହିଁ । ୧୫ । ଆମ୍ଭ ଆଶ୍ରମ ସମୀପରେ ମରୁଧନ୍ୱ ଦେଶରେ ଉଜ୍ଜ୍ୱାଳନ ନାମରେ ବାଲୁକାପୂର୍ଣ୍ଣ ସମୁଦ୍ର ଅଛି । ସେ ସମୁଦ୍ର ବହୁ ଯୋଜନ ବିସ୍ତୀର୍ଣ୍ଣ ଓ ତାହାର ଆୟତନ ମଧ୍ୟ ବହୁ ଯୋଜନ । ସେଠାରେ ମହାବୀର୍ଯ୍ୟ ପରାକ୍ରମଶାଳୀ, ଭୟଙ୍କର ଦାନବେନ୍ଦ୍ର ବାସ କରେ । ୧୭ । ସେ ମଧୁକୈଟର ଦୁହିଙ୍କର ପୁତ୍ର ଅଟେ । ତାହାର ନାମ ଧୁନ୍ଧୁ । ସେ ଅତିଶୟ ଦାରୁଣ । ହେ ରାଜନ୍‌-! ସେହି ଅତି ବିକ୍ରମଶାଳୀ ଦାନବ ଭୂମି ମଧ୍ୟରେ ବାସକରେ । ୧୮ ।

 

ହେ ମହାରାଜ ! ତୁମ୍ଭେ ତାହାକୁ ବିନାଶ କରି ପରେ ବନକୁ ଗମନ କରିବ । ସେହି ଦାନବ ସଂସାର ବିନାଶ କରିବା ନିମିତ୍ତ ଦାରୁଣ ତପସ୍ୟାରେ ରତ ହୋଇଅଛି । ୧୯ । ହେ ପାର୍ଥିବ-! ଏହି ନରଲୋକକୁ ଓ ଦେବଲୋକକୁ ବିନାଶ କରିବା ନିମିତ୍ତ ସେ ଉଦ୍ୟତ ଅଛି । ଦେବ, ଦୈତ୍ୟ ଓ ରାକ୍ଷସମାନେ କେହି ତାହାକୁ ବିନାଶ କରିପାରିବେ ନାହିଁ । ୨୦ । ହେ ରାଜନ୍‌ ! ସର୍ବଲୋକ ପିତାମହଙ୍କଠାରୁ ସେ ବର ପାଇଅଛି ଯେ ସେ ଯକ୍ଷ, ଗନ୍ଧର୍ବ, ନାଗ କାହାରିଦ୍ୱାରା ବଧ୍ୟ ହେବନାହିଁ-। ୨୧ । ହେ ରାଜନ୍‌ ! ତୁମ୍ଭେ ତାହାକୁ ବିନାଶ କର । ଏଥିରୁ ତୁମ୍ଭର ବୁଦ୍ଧି ଅନ୍ୟଥା ନ ହେଉ-। ଏହାକୁ ବିନାଶ କଲେ ତୁମ୍ଭେ ମହତୀ କୀର୍ତ୍ତି ପ୍ରାପ୍ତ ହେବ । ସେହି କୀର୍ତ୍ତି ତୁମ୍ଭର ଚିରସ୍ଥାୟୀ ହୋଇ ରହିବ ଓ ସେ କୀର୍ତ୍ତିର କ୍ଷୟ ହେବ ନାହିଁ । ୨୨ । ସେହି କ୍ରୂର ଦାନବ ବାଲୁକା ମଧ୍ୟଗତ ହୋଇ ଶୋଇଥାଏ । ସମ୍ବତ୍ସର ପୂର୍ଣ୍ଣ ହେଲେ ସେ ଥରେ ନିଃଶ୍ୱାସ ତ୍ୟାଗ କରେ । ୨୩ । ତତ୍କାଳରେ ପର୍ବତ କାନନ ସହିତ ଏହି ଧରା କମ୍ପିତ ହୁଏ । ତାହାର ନିଃଶ୍ୱାସ ପବନଦ୍ୱାରା ମହତ ଧୂଳି ଉତ୍‌ଥିତ ହୁଏ । ୨୪ । ସପ୍ତାହ ପର୍ଯ୍ୟନ୍ତ ଭୂକମ୍ପନ ଶବ୍ଦ ଆକାଶକୁ ଆଶ୍ରୟ କରେ । ଧୂମମିଶ୍ରିତ ଅଗ୍ନିସ୍ଫୁଲିଙ୍ଗ ଉତ୍‌କ୍ଷିପ୍ତ ହୁଏ । ଦାରୁଣ ବୈଶ୍ୱାନର ଜ୍ୱଳିତ ହୁଏ । ୨୫ ।

 

ହେ ରାଜନ୍‌ ! ଏହି କାରଣରୁ ମୁଁ ନିଜ ଆଶ୍ରମରେ ରହିପାରୁନାହିଁ । ହେ ରାଜେନ୍ଦ୍ର ! ଲୋକର ହିତକାମନାରେ ତୁମ୍ଭେ ତାହାକୁ ବିନାଶ କର । ୨୬ । ସେହି ଅସୁର ନିହତ ହେଲେ ଲୋକମାନେ ସୁସ୍ଥ ହେବେ । ଆମ୍ଭ ମତରେ ତାହାକୁ ବିନାଶ କରିବା ନିମିତ୍ତ ତୁମ୍ଭେ ଏକାକୀ ସମର୍ଥ ଅଟ । ତୁମ୍ଭର ତେଜକୁ ବିଷ୍ଣୁ ନିଜ ତେଜଦ୍ୱାରା ପରିବର୍ଦ୍ଧିତ କରିବେ । ହେ ନରେଶ୍ୱର ! ପୂର୍ବେ ଆମ୍ଭଙ୍କୁ ବିଷ୍ଣୁ ବର ଦେଇଅଛନ୍ତି ଯେ ଯେଉଁ ମହୀପତି ସେହି ଭୟଙ୍କର ମହାସୁରକୁ ବଧ କରିବେ ତାହାଙ୍କ ଦେହରେ ଦୁରାସଦ ବୈଷ୍ଣବ ତେଜ ପ୍ରବେଶ କରିବ । ୨୯ । ହେ ରାଜନ୍ଦ୍ରେ ! ପୃଥିବୀ ମଧ୍ୟରେ ଦୁଃସହ ସେହି ବିଷ୍ଣୁତେଜକୁ ତୁମ୍ଭେ ନିଜ ଦେହରେ ସ୍ଥାପନ କରି ଭୟଙ୍କର ପରାକ୍ରମଶାଳୀ ସେହି ଦୈତ୍ୟକୁ ନିସୂଦନ କର । ୩୦ । ମହାତେଜା ସେହି ଧୁନ୍ଧୁ ଅଳ୍ପ ତେଜରେ ହତ ହୋଇନପାରେ । ହେ ପୃଥିବୀଶ୍ୱର ! ଅଳ୍ପ ତେଜସ୍ୱୀ ବ୍ୟକ୍ତି ଶତବର୍ଷରେ ସୁଦ୍ଧା ତାହାକୁ ବଧ କରିନପାରେ । ୩୧ ।

 

॥ ଅଧ୍ୟାୟ – ୨୦୩ ॥

 

ମାର୍କଣ୍ଡେୟ କହିଲେ, ହେ କୁରୁଶ୍ରେଷ୍ଠ ! ରାଜର୍ଷି ବୃହଦଶ୍ୱ ଅପରାଜିତ ଉତ୍ତକଙ୍କ ବଚନ ଶ୍ରବଣ କଲେ । ହେ କୌରବଶ୍ରେଷ୍ଠ ! ତଦନନ୍ତର ସେ କୃତାଞ୍ଜଳିପୁଟରେ ନିବେଦନ କଲେ । ୧ । ହେ ବ୍ରହ୍ମନ୍‌ ! ତୁମ୍ଭର ଏହି ଅଭିଗମନ ନିଷ୍ଫଳ ହେବନାହିଁ । କୁବଳାଶ୍ୱ ନାମରେ ଆମ୍ଭର ପୁତ୍ର ଅଛନ୍ତି । ହେ ଭଗବନ ! ସେ ଧୈର୍ଯ୍ୟଶାଳୀ, କ୍ଷିପ୍ରକାରୀ ଓ ପୃଥିବୀରେ ତାହାଙ୍କ ସମାନ ବୀର୍ଯ୍ୟଶାଳୀ ବ୍ୟକ୍ତି କେହି ନାହିଁ । ସେ ତୁମ୍ଭର ଏହି ପ୍ରିୟକାର୍ଯ୍ୟ ସମାଧାନ କରିବେ; ଏଥିରେ କୌଣସି ସଂଶୟ ନାହିଁ । ତାହାଙ୍କର ପୁତ୍ରମାନେ ଅଛନ୍ତି । ଯାହାଙ୍କର ବାହୁ ତେଜସ୍ୱୀ ସେହି ମୁନି ତଥାସ୍ତୁ ବୋଲି କହି ମହାତ୍ମା ଉତ୍ତକଙ୍କଠାରେ ନିଜ ପୁତ୍ରକୁ ନିୟୋଜିତ କରି ସ୍ୱୟଂ ତପସ୍ୟାର୍ଥ ବନକୁ ଗମନ କଲେ । ୫ ।

 

ଯୁଧିଷ୍ଠିର କହିଲେ, ହେ ଭଗବନ, ତପୋଧନ ! ଏହି ମହାବୀର୍ଯ୍ୟଶାଳୀ ଦୈତ୍ୟ କିଏ ? କାହାର ପୁତ୍ର ଓ କାହାର ନାତି ? ଏହା ଆମ୍ଭେ ଜାଣିବାକୁ ଇଚ୍ଛା କରୁଅଛୁଁ । ହେ ତପୋଧନ ! ଏପରି ବଳଶାଳୀ ଦୈତ୍ୟ କଥା ଆମ୍ଭେ କଦାପି ଶୁଣିନାହୁଁ । ୭ । ଏହାର ଯଥାର୍ଥ ବିବରଣ ଶୁଣିବାକୁ ଇଚ୍ଛା କରୁଅଛୁ । ହେ ମହାପ୍ରାଜ୍ଞ ! ବିସ୍ତାରପୂର୍ବକ ଆପଣ ଏହାର ସମୁଦାୟ ବୃତ୍ତାନ୍ତ କୀର୍ତ୍ତନ କରନ୍ତୁ-। ୮ ।

 

ମାର୍କଣ୍ଡେୟ କହିଲେ, ହେ ନରାଧିପ ! ତୁମ୍ଭେ ଏହାର ବୃତ୍ତାନ୍ତ ସମୁଦାୟ ଶ୍ରବଣ କର । ହେ ମହାପ୍ରାଜ୍ଞ ! ଆମ୍ଭେ ତାହାର ଚରିତ୍ର ବିସ୍ତାର ପୂର୍ବକ କହୁଅଛୁ । ୯ । ହେ ଭରତବର୍ଷଭ ! ଯେତେବେଳେ ଏହି ସ୍ଥାବରଜଙ୍ଗମ ସହିତ ଲୋକ ନଷ୍ଟହୋଇ ଏକାର୍ଣ୍ଣବ ହେଲା ଓ ପ୍ରାଣୀମାନେ ସମସ୍ତେ ନଷ୍ଟ ହେଲେ । ୧୦ । ସର୍ବଲୋକ କର୍ତ୍ତା, ସର୍ବଲୋକର ଜନକ, ନିତ୍ୟ ଅବ୍ୟୟ ବିଷ୍ଣୁ, ଯାହାଙ୍କୁ ସିଦ୍ଧ ମୁନିମାନେ ସର୍ବଲୋକର ଈଶ୍ୱର ବୋଲି ବୋଲନ୍ତି,। ୧୧ । ସେହି ଭଗବାନ ବିଷ୍ଣୁ ଯେତେବେଳେ ଯୋଗାଭ୍ୟାସ କରି ଜଳରେ ଶୟନ କଲେ, ଶେଷ ନାମକ ନାଗ ତାଙ୍କର ଶଯ୍ୟା ହୋଇଥିଲା । ଯେଉଁ ବିଷ୍ଣୁ ଲୋକବର୍ତ୍ତା, ଭଗବାନ ଅଚ୍ୟୁତ ଓ ହରି ନାଗର ମହତ ଦେହରେ ଏହି ପୃଥିବୀକୁ ବେଷ୍ଟନ କରି ଶୋଇଥିଲେ, ସେହି ଦେବଙ୍କ ନାଭିରୁ ସୂର୍ଯ୍ୟପ୍ରଭାସମ ପ୍ରଭାଶାଳୀ ଦିବ୍ୟ ପଦ୍ମ ବିନିସୃତ ହେଲା । ତହିଁରୁ ପିତାମହ ଉତ୍ପନ୍ନ ହେଲେ । ୧୪ । ସାକ୍ଷାତ୍‍ ଲୋକଗୁରୁ ବ୍ରହ୍ମା ସୂର୍ଯ୍ୟପ୍ରଭାସମ ପ୍ରଭାଶାଳୀ ସେହି ପଦ୍ମରୁ ଚତୁର୍ବେଦ ସହିତ ଚତୁମୂର୍ତ୍ତି ଧରି ଚତୁମୁର୍ଖ ହୋଇ ଉତ୍ପନ୍ନ ହେଲେ । ଆପଣାର ପ୍ରଭାବରୁ ଦୁରାଧର୍ଷ ହୋଇଥିଲେ । ସେହି ମହାବଳ ପରାକ୍ରମଶାଳୀଙ୍କର ଜନ୍ମହେବାର କେତେକ କାଳ ପରେ ବୀର୍ଯର୍୍ୟବନ୍ତ ମଧୁକୈଟଭ ନାମରେ ଦୁଇ ଜଣ ଅସୁର ପ୍ରଭୁ ହରିଙ୍କୁ ଦେଖିଲେ ଯେ ସେ ଦିବ୍ୟନାଗ-ଭୋଗରେ ଶୟନ କରିଅଛନ୍ତି । ତାହାଙ୍କର ତେଜ ମହାନ ହୋଇଅଛି । ୧୭ । ଯେଉଁ ଶଯ୍ୟାରେ ଶୋଇଅଛନ୍ତି, ସେ ବହୁ ଯୋଜନ ବିସ୍ତୀର୍ଣ୍ଣ; ଯାହାର ଆୟତନ ମଧ୍ୟ ବହୁ ଯୋଜନ । ତହିଁରେ ସେ ହରି ମସ୍ତକରେ କିରୀଟ, ଗଳାରେ କୌସ୍ତୂଭମଣିର ହାର ଲମ୍ବାଇ ପୀତବର୍ଣ୍ଣ ପଟ୍ଟାମ୍ବର ପରିଧାନ କରିଥିଲେ । ୧୮ ।

 

ହେ ରାଜନ୍‌ ! ଯେଉଁ ହରି ନିଜ ଶୋଭାରେ ଦୀପ୍ୟମାନ ହୋଇଥିଲେ ଓ ତେଜ ଏବଂ ଶରୀର ଶୋଭାଦ୍ୱାରା ସହସ୍ର ସନ୍ନିଭ ଅଦ୍ଭୁତ ରୂପରେ ଦୃଶ୍ୟ ହୋଇଥିଲେ.। ୧୯ । ତାହାଙ୍କୁ ମଧୁକୈଟଭ ଦୁହେଁ ଦେଖି ବିସ୍ମୟାପନ୍ନ ହେଲେ । ପଦ୍ମ ମଧ୍ୟରେ ପଦୁନେତ୍ର ବ୍ରହ୍ମାଙ୍କୁ ଦେଖି ତାହାଙ୍କୁ ଭୟ ଦେଖାଇଲେ । ଅତିତେଜସ୍ୱୀ ମହାଯଶା ବ୍ରହ୍ମା ସେ ଦୁହିଁଙ୍କୁ ଦେଖି ଶଙ୍କିତ ହେଲେ । ୨୧ । ତତ୍ପରେ ସେ ପଦ୍ମ ମଧ୍ୟରେ ପ୍ରବେଶ କରନ୍ତେ କେଶବ ଜାଗ୍ରତ ହେଲେ । ଅନନ୍ତର ଗୋବିନ୍ଦ ସେହି ବଳବନ୍ତ ଦାନବମାନଙ୍କୁ ଦେଖିଲେ । ୨୨ । ବ୍ରହ୍ମା ସେ ଦୁହିଁଙ୍କୁ ଦେଖି ବୋଇଲେ, ଆପଣ ଦୁହେଁ ମହାବଳଶାଳୀ, ଶୁଭାଗମନ କରିବା ହେଉନ୍ତୁ । ଆପଣଙ୍କୁ ଦେଖି ଆମ୍ଭ ମନରେ ଅତ୍ୟନ୍ତ ପ୍ରୀତି ଜାତ ହେଉଅଛି । ଆମ୍ଭେ ତୁମ୍ଭ ଦୁହିଁଙ୍କୁ ଉତ୍କୃଷ୍ଟ ବର ପ୍ରଦାନ କରିବୁ । ୨୩ । ହେ ମହାରାଜ ! ମହାଦର୍ପଶାଳୀ, ମହାବଳ ସେହି ଦୁଇ ଦାନବ ହାସ୍ୟକରି ମଧୁସୂଦନଙ୍କୁ ଏହି ପ୍ରତିବଚନ କହିଲେ, ହେ ଦେବ-ସୁରୋତ୍ତମ ! ତୁମ୍ଭେ ଆମ୍ଭଠାରେ ବରଯାଚ୍‍ଜ୍ଞା କର । ଆମ୍ଭେ ଦୁହେଁ ତୁମ୍ଭଙ୍କୁ ବରଦାନ କରିବୁ । ଅତଏବ କୌଣସି ବିଚାର ନ କରି ଯେଉଁ ବର ଇଚ୍ଛା, ସେ ବର ପ୍ରାର୍ଥନା କର । ୨୫ । ଭଗବାନ ବୋଇଲେ, ଆମ୍ଭର ଏହି ବର ପ୍ରାର୍ଥନାରେ ଇଚ୍ଛା ଅଛି, ତୁମ୍ଭେ ଦୁହେଁ ଅତିଶୟ ବଳସମ୍ପନ୍ନ; ତୁମ୍ଭ ସମାନ ଆଉ କେହି ବଳବାନ ନାହିଁ । ୨୬ । ଅତଏବ ଏହି ଲୋକହିତ ନିମିତ୍ତ ଆମ୍ଭେ ତୁମ୍ଭ ଦୁହିଁଙ୍କ ଠାରୁ ଏହି ବର ମାଗୁଅଛୁ ଯେ ତୁମ୍ଭେ ଆମ୍ଭର ବଧ୍ୟ ହୁଅ । ୨୭ ।

 

ମଧୁକୈଟଭ ଦୁହେଁ କହିଲେ ଆମ୍ଭେ କଦାପି ଏଥି ପୂର୍ବରୁ ମିଥ୍ୟା କହିନାହୁଁ । ଭ୍ରମରେ ସୁଦ୍ଧା ମିଥ୍ୟା କହିନାହୁଁ । ଅନ୍ୟ ବେଳକଥା କ’ଣ କହିବା ? ହେ ପୁରୁଷୋତ୍ତମ ! ତୁମ୍ଭେ ଜାଣ ଯେ ଆମ୍ଭ ଦୁଇ ଜଣ ସତ୍ୟ ଓ ଧର୍ମରେ ନିରତ ଥାଉଁ । ୨୮ । ବଳରେ, ରୂପରେ ଓ ସୌନ୍ଦର୍ଯ୍ୟରେ ଅଥଚ ଇନ୍ଦ୍ରିୟ ଦମନରେ ଆମ୍ଭ ଦୁହିଁଙ୍କ ସମାନ କେହି ନାହିଁ । ଧର୍ମ, ତପ, ସଦାଚାର ଓ ଦାନରେ ଅଥଚ ଶୀଳତା ଓ ଆତ୍ମଦମନରେ ମଧ୍ୟ ଆମ୍ଭ ସମାନ କେହି ନାହିଁ । ୨୯ । ହେ କେଶବ ! ବର୍ତ୍ତମାନ ମହାନ ଉପପ୍ଳବ ଉପସ୍ଥିତ ହୋଇଅଛି । ତୁମ୍ଭେ ଯାହା କହିଲ, ତାହା ଶୀଘ୍ର କର; ଯେ ହେତୁରୁ କାଳକୁ କେହି ଅତିକ୍ରମ କରିନପାରେ । ୩୦ । ହେ ଦେବ ! ସୁରୋତ୍ତମ ! ବିଭୋ ! ଆମ୍ଭେ ଦୁହେଁ ଇଚ୍ଛା କରୁଅଛୁ ଯେ ଏହି ଆକାଶରେ ଅନାବୃତ-ସ୍ଥାନରେ ଆମ୍ଭ ଦୁହିଁଙ୍କୁ ବଧ କର । ୩୧ । ହେ ସୁଲୋଚନ ! ସୁରସତ୍ତମ ! ଦେବ ! ଆମ୍ଭେ ଦୁହେଁ ତୁମ୍ଭର ପୁତ୍ର ହେବୁ । ଏହି ବର ମଧ୍ୟ ମାଗୁଅଛୁ । ୩୨ । ଆମ୍ଭେ ଯାହା ତୁମ୍ଭଙ୍କୁ କହିଲୁ, ସେ କଥା ଯେପରି ମିଥ୍ୟା ନହୁଏ ।

 

ଶ୍ରୀ ଭଗବାନ କହିଲେ, ଆମ୍ଭେ ଏହା ନିଶ୍ଚୟ କରିବୁ । ତୁମ୍ଭେ ଯାହା କହିଲ, ସେ କଥା ସବୁ ଅବଶ୍ୟ ହେବ । ୩୩ । ମାର୍କଣ୍ଡେୟ ବୋଇଲେ, ଗୋବିନ୍ଦ ଚିନ୍ତାକରି ଦେଖିଲେ ଯେ ଅନାବୃତ କୌଣସି ସ୍ଥାନ ନାହିଁ । ପୃଥିବୀରେ କି ଆକାଶରେ କୌଣସିଠାରେ ଅନାବୃତ ସ୍ଥାନ ନାହିଁ । ୩୪ । ତଦନନ୍ତର ଦେବବର ଦେଖିଲେ ଯେ ନିଜର ଊରୁଦ୍ୱୟ ଅନାବୃତ ରହିଅଛି । ହେ ରାଜନ୍‌ ! ମହାଯଶା ମଧୁସୂଦନ ସେହି ଊରୁ ଉପରେ ମଧୁକୈଟଭ ଦୁହିଁଙ୍କର ମସ୍ତକଦ୍ୱୟ ରଖି ତୀକ୍ଷ୍‌ଣ ଚକ୍ରଦ୍ୱାରା ସେ ଦୁହିଁଙ୍କୁ ଛେଦନ କଲେ । ୩୫ ।

 

॥ ଅଧ୍ୟାୟ – ୨୦୪ ॥

 

ମାର୍କଣ୍ଡେୟ କହିଲେ, ହେ ମହାରାଜ ! ସେ ଦୁହିଁଙ୍କର ମହାବଳଶାଳୀ, ଦ୍ୟୁତିସମ୍ପନ୍ନ ଗୋଟିଏ ପୁତ୍ର ମହାତପସ୍ୟାରେ ନିଯୁକ୍ତ ହେଲେ । ୧ । ଏକ ପାଦରେ ଦଣ୍ଡାୟମାନ ହୋଇ ତପସ୍ୟା କରିବାରୁ ଦେହରେ ଶିରାମାନ ଦୃଶ୍ୟ ହେଉଥିଲା । ବ୍ରହ୍ମା ତାହାଙ୍କୁ ଦେଖି ପ୍ରୀତହୋଇ ବର ଦେବାକୁ କହିଲେ । ସେ ପୁତ୍ର ଏହି ବର ପ୍ରାର୍ଥନା କଲେ । ୨ । ଦେବ, ଦାନବ, ଯକ୍ଷ, ଗନ୍ଧର୍ବ, ଉରଗ ଓ ରକ୍ଷୋଗଣଙ୍କଦ୍ୱାରା ଆମ୍ଭେ ଅବଧ୍ୟ ହେବୁ । ଏହି ବର ଯାଚ୍‍ଜ୍ଞା କରୁଅଛୁ । ୩ । ଏହିପରି ହେଉ,ତୁମ୍ଭେ ଯାଅ ବୋଲି ପିତାମହ କହିଲେ । ତତ୍ପରେ ସେହି ଅସୁର ପୁତ୍ରଦ୍ୱାରା ବ୍ରହ୍ମାଙ୍କର ପାଦସ୍ପର୍ଶ କରି ଗମନ କଲେ । ୪ ।

 

ଧୁନ୍ଧୁ ସେହି ବର ଲାଭକରି ମହୀବାର୍ଯ୍ୟ ଓ ମହାପରାକ୍ରମଶାଳୀ ହେଲା । ସେ ପିତୃବଧ ବିଷୟ ସ୍ମରଣ କରି ଶୀଘ୍ର ବିଷ୍ଣୁଙ୍କ ନିକଟକୁ ଗଲା । ୫ । ସମସ୍ତ ଦେବତା ଓ ଗନ୍ଧର୍ବମାନଙ୍କୁ ଜୟ କରି ଧୁନ୍ଧୁ ଅସହ୍ୟ ହେଲା । ସେ ଦେବତାମାନଙ୍କୁ ଓ ବିଷ୍ଣୁଙ୍କୁ ସର୍ବଦା ଅତିଶୟ ପୀଡିତ କଲା । ୬ । ହେ ଭରତର୍ଷଭ ! ବାଲୁକାପୂର୍ଣ୍ଣ ସମୁଦ୍ରରେ ଉଜ୍ଜାଳକ ନାମକ ସ୍ଥାନକୁ ସେହି ଦୁଷ୍ଟାତ୍ମା ଆଗମନ କରି ବାସ କଲା । ୭ । ହେ ବିଭୋ ! ବାଲୁକା ମଧ୍ୟରେ ଲୁଚି ରହି ସେ ଉତ୍ତଙ୍କ ଋଷିଙ୍କ ଆଶ୍ରମରେ ସର୍ବଦା ଅତ୍ୟାଚାର କଲା । ୮ । ମଧୁକୈଟଭଙ୍କ ପୁତ୍ର ଭୟଙ୍କର ପରାକ୍ରମଶାଳୀ ତପସ୍ୟାଦ୍ୱାରା ବଳୋଦ୍ରିକ୍ତ ହୋଇ ଲୋକବିନାଶ ନିମିତ୍ତ ଶୟନ କରିଥାଏ । ୯ । ଉତ୍ତଙ୍କ ଋଷିଙ୍କ ଆଶ୍ରମ ନିକଟରେ ଅଗ୍ନି ତେଜକୁ ନିଃଶ୍ୱାସଦ୍ୱାରା ପ୍ରକ୍ଷିପ୍ତ କରେ । ଏହି ସମୟରେ କୁବଳାଶ୍ୱ ନାମରେ ରାଜା ଆପଣାର ବଳବାହନ ସହିତ ପୁତ୍ରମାନଙ୍କୁ ଓ ଉତ୍ତଙ୍କ ଋଷିଙ୍କୁ ଘେନି ଧୁନ୍ଧୁ ବିପକ୍ଷରେ ଯାତ୍ରା କଲେ । ପିତାଙ୍କ ପଶ୍ଚାତ୍ ତାହାଙ୍କର ଅପରିମିତ ବଳଶାଳୀ ଏକୋଇଶ ହଜାର ପୁତ୍ର ଗମନ କଲେ । ୧୨ ।

 

ଅନନ୍ତର ଭଗବାନ ବିଷ୍ଣୁ ଲୋକହିତାର୍ଥ ଉତ୍ତଙ୍କ ଋଷିଙ୍କ ପ୍ରାର୍ଥନାନୁସାରେ କୁବଳାଶ୍ୱ ନରପତିଙ୍କ ଶରୀରରେ ନିଜ ପ୍ରଭାବ ଘେନି ପ୍ରବେଶ କଲେ । ୧୩ । ତହିଁରେ କୁବଳାଶ୍ୱ ଦୁର୍ଦ୍ଧଷ ହୋଇ ଯୁଦ୍ଧ କରିବାକୁ ବହିର୍ଗତ ହେଲେ । ଆକାଶବାଣୀ ହେଲା, ଅଦ୍ୟ କୁବଳାଶ୍ୱ ଧୁନ୍ଧୁମାର ହେବେ-। ୧୪ । ଦେବଗଣ ତାହାଙ୍କ ଚତୁର୍ଦ୍ଦିଗରେ ପୁଷ୍ପ ବୃଷ୍ଟି କଲେ । ଦୁନ୍ଦଭି ସବୁ ସ୍ୱଇଚ୍ଛାରେ ବାଦିତ ହେଲା । ୧୫ । ଶୀତଳ ବାୟୁ ମନ୍ଦମନ୍ଦ ହୋଇ ପ୍ରବାହିତ ହେଲା । ସୁରପତି ଜଳବର୍ଷଣଦ୍ୱାରା ପୃଥିବୀକୁ ଧୂଳିହୀନ କଲେ । ୧୬ ।

 

ହେ ଯୁଧିଷ୍ଠିର ! ଯେଉଁ ସ୍ଥାନରେ ମହାସୁର ଧୁନ୍ଧୁ ବାସ କରୁଥିଲା, ସେହି ସ୍ଥାନରେ କ୍ରମେକ୍ରମେ ଦେବଯାନସମୂହ ଉପସ୍ଥିତ ହେଲା । ୧୭ । ମହର୍ଷିଗଣ ଦେବ ଓ ଗନ୍ଧର୍ବମାନଙ୍କୁ ଘେନି କୌତୂହଳାକ୍ରାନ୍ତ ହୋଇ ଧୁନ୍ଧୁ ଓ କୁବଳାଶ୍ୱଙ୍କ ଯୁଦ୍ଧ ଦେଖିବା ନିମିତ୍ତ ସେଠାରେ ଉପସ୍ଥିତ ହେଲେ । ୧୮ । ହେ କୌରବ୍ୟ ! ନାରାୟଣଙ୍କ ତେଜଦ୍ୱାରା ସେହି ନରପତି ପରିପୁଷ୍ଟ ହୋଇ ଶୀଘ୍ର ସେଠାରେ ପୁତ୍ରଗଣଙ୍କ ସହିତ ଉପନୀତ ହେଲେ । ୧୯ । ସମୁଦ୍ରର ଚତୁର୍ଦ୍ଦିଗରେ ବେଷ୍ଟନ କରିବା ନିମିତ୍ତ ରାଜା ସେମାନଙ୍କୁ ଆଜ୍ଞା ଦେଲେ । କୁବଳାଶ୍ୱଙ୍କ ପୁତ୍ରମାନେ ସାତ ଦିନ ପର୍ଯ୍ୟନ୍ତ ବିଶ୍ରାମ ନ କରି ସେହି ବାଲୁକା-ସମୁଦ୍ରକୁ ଖୋଳିବାରୁ ମହାବଳ ଧୁନ୍ଧୁର ଦେଖାପାଇଲେ । ୨୧ । ହେ ଭରତର୍ଷଭ ! ବାଲୁକା ମଧ୍ୟରେ ତାହାର ଭୟଙ୍କର ମୂର୍ତ୍ତି ତେଜିୟାନ ସୂର୍ଯ୍ୟଙ୍କ ପ୍ରାୟ ତେଜ ପ୍ରକାଶ କଲା । ୨୨ । ହେ ରାଜସିଂହ ! କାଳାନଳ ପ୍ରାୟ ତେଜସ୍ୱୀ ସେହି ଧୁନ୍ଧୁ ପଶ୍ଚିମ ଦିଗକୁ ସ୍ୱକୀୟ ଶରୀର ତେଜଦ୍ୱାରା ଆଚ୍ଛାଦିତ କରି ଶୟନ କରିଥିଲା । କୁବଳାଶ୍ୱ ପୁତ୍ରମାନେ ତାହାକୁ ଚତୁର୍ଦ୍ଦିଗରୁ ଘେରିଗଲେ । କେହି ଗଦା, କେହି ମୂଷଳ, କେହି ବା ତୀକ୍ଷ୍‌ଣ ଶରଦ୍ୱାରା ତାହାକୁ ଆଘାତ କଲେ । ଏହିପରି ଧୁନ୍ଧୁ ପଟ୍ଟିଶ, ପରିଘ, ପ୍ରାସ ଓ ନିଶିତ ଖଡ୍‌ଗ ପ୍ରଭୃତି ଅସ୍ତ୍ରଶସ୍ତ୍ରଦ୍ୱାରା ଆହତ ହୋଇ କ୍ରୋଧରେ ଶଯ୍ୟା ପରିତ୍ୟାଗ କରି ଉଠିଲା । ସେ କ୍ରୋଧାନ୍ଧ ହୋଇ ଆକ୍ରମଣକାରୀଙ୍କ ସମସ୍ତ ଅସ୍ତ୍ର ଭକ୍ଷଣ କଲା । ୨୫ । ତାହାର ମୁଖରୁ ସମ୍ବର୍ତ୍ତକ ଅଗ୍ନି ସଦୃଶ ଅଗ୍ନି ନିର୍ଗତ ହେଲା । ସେହି ଅଗ୍ନିଦ୍ୱାରା ଅବିଳମ୍ବେ ଧୁନ୍ଧୁଙ୍କ ପୁତ୍ରମାନେ ଭସ୍ମୀଭୂତ ହେଲେ । ୨୬ ।

 

ହେ ରାଜଶ୍ରେଷ୍ଠ ! ମହର୍ଷି କପିଳଙ୍କର କ୍ରୋଧାଗ୍ନିଦ୍ୱାରା ଯେପରି ସଗର ରାଜାଙ୍କ ପୁତ୍ରମାନେ ଭସ୍ମୀଭୂତ ହୋଇଥିଲେ, ସେହିପରି ଧୁନ୍ଧୁ ମୁଖୋତ୍‌ଥିତ ବହ୍ନିଦ୍ୱାରା କୁବଳାଶ୍ୱ ପୁତ୍ରମାନେ କ୍ଷଣକାଳ ମଧ୍ୟରେ ଭସ୍ମ ହେଲେ । ତହୁଁ ସେ ତାହାକୁ ଆକ୍ରମଣ କଲେ । ୨୯ । ହେ ମହାରାଜ ! ଧୁନ୍ଧୁର ଶରୀରରୁ ଭୁରି ପରିମାଣରେ ନିରନ୍ତର ଅଗ୍ନିମିଶ୍ରିତ ବାରି ନିର୍ଗତ ହେଲା । ରାଜା କୁବଳାଶ୍ୱ ସେହି ବାରିମୟ ତେଜକୁ ପାନ କରି ଯୋଗ ବାରିଦ୍ୱାରା ଧୁନ୍ଧୁର ମୁଖସ୍ଥିତ ଅଗ୍ନିକୁ ପ୍ରଶମିତ କଲେ । ୩୦ । ହେ ଭରତ ଶ୍ରେଷ୍ଠ ! ରାଜେନ୍ଦ୍ର ! ସର୍ବଲୋକ ରକ୍ଷା ନିମିତ୍ତ ପରାକ୍ରମ ଦୈତ୍ୟପ୍ରତି କୁବଳାଶ୍ୱ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ । ଅସୁର ସେହି ଅସ୍ତ୍ରଦ୍ୱାରା ଦଗ୍ଧ ହେଲା । ୩୨ । ଦ୍ୱିତୀୟ ତ୍ରିଲୋକପତି ପ୍ରାୟ ସୁର ଶତ୍ରୁ ଧୁନ୍ଧୁଙ୍କୁ ମହାମନା ରାଜା କୁବଳାଶ୍ୱ ବଧ କରି ଧୁନ୍ଧୁମାର ବୋଲି ବିଖ୍ୟାତ ହେଲେ ଅଥଚ ତାହାଙ୍କର ରଥ କୌଣସିଠାରେ ପ୍ରତିହତ ହେଲା ନାହିଁ । ତ୍ରିଦଶଗଣ ଓ ମହର୍ଷିଗଣ ପ୍ରୀତ ହୋଇ ତାହାଙ୍କର ସେ ନାମ ଦେଲେ । ୩୪ ।

 

ସେମାନେ କହିଲେ, ତୁମ୍ଭର କେଉଁ ବର ଇଚ୍ଛା, ବରଣ କର । ସେ ରାଜର୍ଷି କରଯୋଡ଼ି ପ୍ରଣତ ହୋଇ ଅତିଶୟ ଆହ୍ଲାଦପୂର୍ବକ ଏହି ବଚନ କହିଲେ । ୩୫ । ଊତ୍ତମ ଦ୍ୱିଜମାନଙ୍କୁ ମୁଁ ବିତ୍ତପ୍ରଦାନ କରିବି; ଶତ୍ରୁମାନେ କେହି ମୋତେ ଜୟ କରିପାରିବେ ନାହିଁ; ମୁଁ ବିଷ୍ଣୁଙ୍କର ସଖା ହେବି-। କୌଣସି ପ୍ରାଣୀଠାରେ ଦ୍ରୋହ କରିବି ନାହିଁ । ଧର୍ମରେ ସର୍ବଦା ମୋର ମନ ଥିବ, ଅକ୍ଷୟ ସ୍ୱର୍ଗରେ ବାସ କରିବି । ଦେବତାମାନେ ପ୍ରୀତ ହୋଇ “ତଥାସ୍ତୁ” ବୋଲି ସେହି ରାଜାଙ୍କୁ କହିଲେ । ୩୭ । ଋଷି ଓ ଗନ୍ଧର୍ବଙ୍କ ସହିତ ବୁଦ୍ଧିମାନ ଉତ୍ତଙ୍କ ସେହି ରାଜାଙ୍କୁ ବିବିଧ ପ୍ରକାର ଆଶୀ ବଚନଦ୍ୱାରା ସମ୍ଭାଷଣ କରି ସ୍ୱ ସ୍ୱ ସ୍ଥାନକୁ ପ୍ରସ୍ଥାନ କଲେ ।

 

ହେ ଯୁଧିଷ୍ଠିର ! ତତ୍କାଳରେ ତାହାଙ୍କର ତିନିଗୋଟି ମାତ୍ର ପୁତ୍ର ଅବଶିଷ୍ଟ ରହିଥିଲେ । ୩୯-। ହେ ଭାରତ ! ସେମାନଙ୍କ ନାମ ଦୃଢ଼ାଶ୍ୱ, କପିଳାଶ୍ୱ ଓ ଚନ୍ଦ୍ରାଶ୍ୱ । ସେମାନଙ୍କଠାରୁ ମହାତ୍ମା ଇକ୍ଷ୍ୱାକୁ ନରପତିମାନଙ୍କର ବଂଶ ବିସ୍ତାର ହେଲା । ହେ ସତ୍ତମ ! ଏହି ପ୍ରକାରେ କୁବଳାଶ୍ୱଙ୍କଦ୍ୱାରା ଅସୁର ଧୁନ୍ଧୁ ନିହତ ହେଲା । ୪୧ । ମହାଦୈତ୍ୟ ଧୁନ୍ଧୁ ମଧୁକୈଟଭ ଦୁହିଁଙ୍କର ପୁତ୍ରଥିଲେ । ନରପତି କୁବଳାଶ୍ୱ ତାହାଙ୍କୁ ନିହତ କରି ଧୁନ୍ଧୁମାର ନାମ ପ୍ରାପ୍ତ ହେଲେ । ୪୨ । ସେହି ଦିନଠାରୁ ନାମର ଅର୍ଥ ଅନୁସାରେ କୁବଳାଶ୍ୱ ନରପତିଙ୍କର ନାମ ଧୁନ୍ଧୁମାର ବୋଲି ବିଖ୍ୟାତ ହେଲା । ହେ ରାଜନ୍‌-! ତୁମ୍ଭେ ଯାହା ବିଚାରିଥିଲ, ତାହା ସବୁ ତୁମ୍ଭଙ୍କୁ କହିଲି । ୪୩ । ଧୁନ୍ଧୁମାରଙ୍କର ଏହି ପୁଣ୍ୟ ଉପାଖ୍ୟାନକୁ ପୂର୍ବକାଳରେ ଯେ ଶ୍ରବଣ କରେ, ସେ ଧର୍ମତ୍ମା ପୁତ୍ର ଲାଭ କରେ । ତାହାର ପରମାୟୁ ଦୀର୍ଘ ହୁଏ । ସେ ଐଶ୍ୱର୍ଯ୍ୟଶାଳୀ ହୁଏ । ସେ ଶରୀରରେ କୌଣସି କ୍ଳେଶ ପ୍ରାପ୍ତ ହୁଏ ନାହିଁ କିମ୍ବା ତାହାର ବ୍ୟାଧିଭୟ ନ ଥାଏ । ୪୫ ।

 

॥ ଅଧ୍ୟାୟ – ୨୦୫ ॥

 

ବୈଶମ୍ପାୟନ ବୋଇଲେ, ହେ ଭରତଶ୍ରେଷ୍ଠ ! ତଦନନ୍ତର ରାଜା ଯୁଧିଷ୍ଠିର ମହାତେଜସ୍ୱୀ ମାର୍କଣ୍ଡେୟଙ୍କୁ ଦୁର୍ବୋଧ୍ୟ ଧର୍ମ ପ୍ରଶ୍ନ ପଚାରିଲେ । ହେ ଭଗବନ ! ସ୍ତ୍ରୀମାନଙ୍କର ମହାତ୍ମ୍ୟ ଶୁଣିବାକୁ ଆମ୍ଭେ ଇଚ୍ଛା କରୁଅଛୁ । ହେ ବିପ୍ର ! ଆପଣ ଧର୍ମର ସୂକ୍ଷ୍ମଦର୍ଶୀ ଅଟନ୍ତି । ଆପଣ ଏହାଙ୍କୁ ଯଥାବତ୍ କୀର୍ତ୍ତନ କରନ୍ତୁ । ୨ । ହେ ଭୃଗୁନନ୍ଦନ ! ଦେବଗଣ, ସୂର୍ଯ୍ୟ, ଚନ୍ଦ୍ର, ବାୟୁୁ, ପୃଥିବୀ, ବହ୍ନି, ପିତାମାତା ପ୍ରଭୃତି ଗୁରୁ ପରମ୍ପରା, ମାନି ଯେଉଁ ଧର୍ମର ଅନୁଷ୍ଠାନ କରି ଆସୁଅଛନ୍ତି, ଉକ୍ତ ବିଷୟ ବିସ୍ତାରପୂର୍ବକ ବର୍ଣ୍ଣନ କରନ୍ତୁ । ୪ । ସବୁ ଗୁରୁ ମାନନୀୟ ଏବଂ ଯେଉଁ ସ୍ତ୍ରୀମାନଙ୍କର ଗୋଟିଏ ପତି ସେମାନେ ମଧ୍ୟ ମାନନୀୟା । ଆମ୍ଭମାନଙ୍କୁ ବୋଧ ହେଉଅଛି ସେ ପତିବ୍ରତା ସ୍ତ୍ରୀମାନେ ସ୍ୱାମୀର ଯେଉଁ ଶୁଶ୍ରୂଷା କରନ୍ତି, ତାହା ଅତି ଦୁଷ୍କର । ୫ । ଅତଏବ ହେ ପ୍ରଭୋ ! ଅନୁଗ୍ରହ କରି ପତିବ୍ରତାଙ୍କ ମହାତ୍ମ୍ୟ କୀର୍ତ୍ତନ କରନ୍ତୁ ।

 

ହେ ଅନଘ ! ସାଧ୍ୱୀ ସ୍ତ୍ରୀମାନେ ଇନ୍ଦ୍ରିୟ ସଂଯମ ଓ ପ୍ରବଳ ମନୋବୃତ୍ତିକୁ ନିରୋଧ କରି ପତ୍ନୀକୁ ଦେବତୁଲ୍ୟ ଜ୍ଞାନ କରି ସେମାନଙ୍କର ଶୁଶ୍ରୂଷା କରନ୍ତି । ହେ ପ୍ରଭୋ ! ସେମାନଙ୍କର ଏହିପରି ନିଶ୍ଚୟ ବ୍ରତ ଅଛି । ୬ । ପିତୃ ମାତୃ ଶୁଶ୍ରୂଷା ଓ ସ୍ତ୍ରୀମାନଙ୍କର ପତିଶୁଶ୍ରୂଷା ଯେପରି କଠିନ, ସେପରି ଆଉ କିଛି ଏଡ଼େ କଠିନ ଦେଖାଯାଏ ନାହିଁ । ୮ । ଯେଉଁ ସ୍ତ୍ରୀମାନେ ସାଧୁଜନଙ୍କ ଆଚାର ଅବଲମ୍ବନ କରି ପିତାମାତାଙ୍କ ସେବାରେ ଯେଉଁସବୁ କାର୍ଯ୍ୟ କରନ୍ତି, ତାହା ଅତି ଦୁରୂହ । ୯ । ପତିପରାୟଣା ଓ ସତ୍ୟବାଦିନୀ ନାରୀମାନେ ଦଶମାସ ପର୍ଯ୍ୟନ୍ତ ଦୁର୍ବହ ଗର୍ଭଭାର ବହନ କରି ପରିଶେଷରେ ପ୍ରସବ କାଳରେ ଯେଉଁ ଦୁଃସହ ବେଦନା ଅନୁଭବ କରନ୍ତି, ଅଥଚ ହେ ଦ୍ୱିଜସତ୍ତମ ! ତତ୍ପରେ ଯତ୍ନପୂର୍ବକ ସେହି ଅପତ୍ୟମାନଙ୍କୁ ପୋଷଣ କରନ୍ତି, ତହିଁରୁ ଅଧିକ ଦୁଷ୍କର ଆଉ କ’ଣ ଅଛି-? ଯେଉଁ ବ୍ୟକ୍ତିମାନେ କ୍ରୂରକର୍ମା ଓ କ୍ରୂର କର୍ମରେ ରତ ଥାଆନ୍ତି, ସେମାନଙ୍କଦ୍ୱାରା ପରିବୃତ ହୋଇ ସୁଦ୍ଧା ସେ ନିଜର କର୍ତ୍ତବ୍ୟକର୍ମରେ ତତ୍ପର ହୋଇଥାନ୍ତି । ସେମାନଙ୍କ କାର୍ଯ୍ୟକୁ ସୁଦ୍ଧା ଆମ୍ଭେ ଦୁଷ୍କର ବୋଲି ଜ୍ଞାନ କରୁ । ୧୩ । ହେ ବିପ୍ର ! କ୍ଷତ୍ରିୟମାନଙ୍କର ଯଥାର୍ଥ ଆଚାର କି ପ୍ରକାର ତାହା ବର୍ଣ୍ଣନା କରିବା ହେଉନ୍ତୁ । ନୃଶଂସ ବ୍ୟକ୍ତିଙ୍କ ପକ୍ଷରେ ମହମାôଙ୍କ ଧର୍ମ ଆଚରଣ କରିବା ଦୁର୍ଲ୍ଲଭ ଅଟେ-। ୧୪ । ହେ ପ୍ରଶ୍ନ ବିଚାରକ ! ଏହିସବୁ ପ୍ରଶ୍ନର ଉତ୍ତର ଆପଣଙ୍କଠାରୁ ଅବଗତ ହେବାକୁ ଇଚ୍ଛା କରୁଅଛୁ । ୧୫ ।

 

ମାର୍କଣ୍ଡେୟ କହିଲେ– ହେ ଭରତଶ୍ରେଷ୍ଠ ! ଆମ୍ଭେ ତୁମ୍ଭ ପ୍ରଶ୍ନର ଯଥାର୍ଥ ଉତ୍ତର ପ୍ରଦାନ କରୁଅଛୁ । ତୁମ୍ଭେ ମନଯୋଗପୂର୍ବକ ଶ୍ରବଣ କର । କେହି ପିତାଙ୍କୁ ଓ କେହି ମାତାଙ୍କୁ ଗୁରୁ ବୋଲି ସ୍ୱୀକାର କରନ୍ତି । ଅପତ୍ୟର ଲାଳନପାଳନ ନିମିତ୍ତ ମାତା ଦୁଷ୍କର କାର୍ଯ୍ୟକୁ କୁଣ୍ଠିତା ନ ହୋଇ ସମ୍ପାଦନ କରନ୍ତି । ୧୭ । ତପସ୍ୟା, ଦେବଯଜନ, ବନ୍ଦନ, ତିତିକ୍ଷା ଓ ଅଭିଚାରଦ୍ୱାରା ପିତା ପୁତ୍ରକାମନା କରନ୍ତି । ୧୮ । ହେ ବୀର ! ଏହି ପ୍ରକାରେ ଦାରୁଣ କଷ୍ଟ ସହି ପୁତ୍ରଲାଭ କରନ୍ତେ, ସେମାନେ କି ଉପାୟଦ୍ୱାରା ପରିଣତ ଅବସ୍ଥାପ୍ରାପ୍ତ ହେବେ ତଦ୍‌ବିଷୟରେ ଚିନ୍ତାଗ୍ରସ୍ତ ହୁଅନ୍ତି । ୧୯-। ହେ ଭାରତ ! ପିତାମାତା ଆଶା କରନ୍ତି ଯେ ତାହାଙ୍କର ପୁତ୍ର ଯଶ, କୀର୍ତ୍ତି, ଐଶ୍ୱର୍ଯ୍ୟ, ଧର୍ମ ଓ ସନ୍ତାନ ଲାଭ କରିବେ । ଯେଉଁ ସନ୍ତାନ ସେମାନଙ୍କର ତାଦୃଶ କାମନା ପୂରଣ କରନ୍ତି, ସେହିମାନେ ଧାର୍ମିକ । ୨୦ । ଯେଉଁ ବ୍ୟକ୍ତି ପିତାମାତାଙ୍କର କାମନା ପୂର୍ଣ୍ଣ କରେ, ସେ ଇହଲୋକ ଓ ପରକାଳରେ ଅବିନଶ୍ୱର କୀର୍ତ୍ତି ଲାଭ କରେ । ୨୧ । ଯଜ୍ଞ, କ୍ରିୟା, ଶ୍ରାଦ୍ଧ ଓ ଉପବାସାଦି ସ୍ତ୍ରୀମାନଙ୍କର ସ୍ୱର୍ଗଲାଭର ପ୍ରସିଦ୍ଧ ହେତୁ ନୁହେଁ । କେବଳ ପତି ଶୁଶ୍ରୂଷାଦ୍ୱାରା ସେମାନେ ସ୍ୱର୍ଗଲାଭ କରିପାରନ୍ତି । ୨୨ । ହେ ରାଜନ୍‌ ! ଯୁଧିଷ୍ଠିର ! ଏହି ପ୍ରକରଣରେ ଆମ୍ଭେ ପାତିବ୍ରତ୍ୟ ଧର୍ମ କୀର୍ତ୍ତନ କରିବୁ । ଆପଣ ଅବହିତ ହୋଇ ଶ୍ରବଣ କରନ୍ତୁ । ୨୩ ।

 

॥ ଅଧ୍ୟାୟ – ୨୦୬ ॥

 

ମାର୍କଣ୍ଡେୟ କହିଲେ– ହେ ରାଜନ୍‌ ! କୌଶିକ ନାମରେ ଜଣେ ବ୍ରାହ୍ମଣ ଥିଲେ । ସେ ତପସ୍ୱୀ, ଧର୍ମଶୀଳ ଓ ବେଦାଧ୍ୟୟନରେ ତତ୍ପର । ୧ । ଏକଦା ସେ କୌଣସି ତରୁମୂଳରେ ବସି ବେଦୋଚ୍ଚାରଣ କରୁଥିଲେ । ଏମନ୍ତ ସମୟରେ ଗୋଟିଏ ବକ ବୃକ୍ଷ ଉପରେ ଥାଇ ତାହାଙ୍କ ଦେହରେ ପୁରୀଷ ବିସର୍ଜନ କଲା । ୨ । ବ୍ରାହ୍ମଣ ତାହାର ଏତାଦୃଶ କାର୍ଯ୍ୟ ଦେଖି କୁପିତ ହେଲେ । ପରନ୍ତୁ ସେ ବ୍ରାହ୍ମଣ ମୁହୁର୍ମୁହୁ ସେହି ବକ ପ୍ରତି କଠିନ ଦୃଷ୍ଟି ନିକ୍ଷେପ କଲେ । ତହିଁରେ ସେ ବକ ବୃକ୍ଷରୁ ଧରଣୀ ପରେ ନିପତିତ ହେଲା । ୪ । ବ୍ରାହ୍ମଣ ସେହି ବଳାକାକୁ ଭୂମିରେ ପଡି ମରିଯିବାର ଦେଖି କରୁଣ ରସରେ ଦ୍ରବିତ ହେଲେ ଓ ଅତିଶୟ ଅନୁତାପ କଲେ । ୫ । ଆମ୍ଭେ କ୍ରୋଧବଶ ହୋଇ କେଉଁ ହେତୁରୁ ଏପରି ମନ୍ଦ କାର୍ଯ୍ୟ କଲୁ । ଏହି ପ୍ରକାରେ ବହୁ ବିଳାପ କରି ଭିକ୍ଷାନିମିତ୍ତ ସେହି ବ୍ରାହ୍ମଣ ଗ୍ରାମକୁ ଗମନ କଲେ । ୬ ।

 

ହେ ଭରତଶ୍ରେଷ୍ଠ ! ଯେଉଁମାନଙ୍କର ଆଚାର ପବିତ୍ର ଓ ଯେଉଁମାନେ କୁଳୀନ, ସେହିମାନଙ୍କ ଗୃହରେ ଭ୍ରମଣ କରୁ କରୁ ଦିନେ ସେ ପୂର୍ବପରିଚିତ ଜଣେ ବ୍ୟକ୍ତିଙ୍କ ଘରକୁ ଗମନ କଲେ । ତତ୍ପରେ ଭିକ୍ଷା ଦିଅ ବୋଲି ଯାଚ୍‍ଜ୍ଞା କରନ୍ତେ, ଗୃହପତ୍ନୀ କହିଲେ, ଆପଣ କ୍ଷଣକାଳ ବିଳମ୍ବ କରନ୍ତୁ । ମୁଁ କୁଟୁମ୍ବିନୀ; ପାତ୍ର ମାର୍ଜନ କରୁଅଛି । ୮ । ଏହି ଅବସରରେ ତାହାଙ୍କ ସ୍ୱାମୀ କ୍ଷୁଧାତୁର ହୋଇ ଗୃହ ମଧ୍ୟରେ ପ୍ରବେଶ କଲେ । ୯ । ଗୃହିଣୀ ସ୍ୱାମୀଙ୍କୁ ଆସିବାର ଦେଖି ବାହ୍ମଣଙ୍କୁ ଭିକ୍ଷାଦାନ ନକରି ସ୍ୱାମୀଙ୍କୁ ପାଦ୍ୟ, ଆସନ ଓ ଆଚମନୀୟ ପ୍ରଦାନ କଲେ । ୧୦ । ତତ୍ପରେ ବିନୟରେ ଅବନତ ହୋଇ ସେହି କାମିନୀ ବହୁବିଧ ମଧୁର ଭୋଜ୍ୟଦ୍ୱାରା ପତିଙ୍କ ପରିଚର୍ଯ୍ୟା କରିବାରେ ନିଯୁକ୍ତ ହେଲେ । ୧୧ । ସ୍ୱାମୀ ଭୋଜନ କଲାପରେ ଯାହା ଅବିଶିଷ୍ଟ ଥାଏ, ତାହା ସେ ଭୋଜନ କରନ୍ତି । ସ୍ୱାମୀଙ୍କୁ ଦେବ ସମାନ ମାନ୍ୟ କରନ୍ତି । ୧୨ । ଅନ୍ୟ କୌଣସିଠାରେ ମନ ନ ଦେଇ କାୟମନୋବାକ୍ୟରେ ପତିଙ୍କ ଚରଣ ଶୁଶ୍ରୂଷାରେ ନିରତ ହୋଇଥାନ୍ତି-। ୧୩ । ସେହି କାମିନୀଙ୍କର ଆଚାର ଶୁଦ୍ଧ, ସେ ପବିତ୍ରା, ବନ୍ଧୁମାନଙ୍କର ହିତୈଷିଣୀ, କାହିଁରେ ପତିଙ୍କର ମଙ୍ଗଳ ହେବ ତାହା ସାଧନ କରିବା ତାହାଙ୍କର ବ୍ରତ ଥିଲା । ୧୪ । ସେହି ରମଣୀ ଜିତେନ୍ଦ୍ରିୟା; ଦେବତା,ଅତିଥି, ଭୃତ୍ୟ ଓ ଶ୍ୱଶୁର ପ୍ରଭୃତି ଗରୁଜନଙ୍କ ସେବାରେ କାଳକ୍ଷେପ କରନ୍ତି-। ୧୫ ।

 

ଅନନ୍ତର ପତି ଶୁଶ୍ରୂଷା କରୁ କରୁ ସେହି ରମଣୀ ଭିକ୍ଷାର୍ଥି ବ୍ରାହ୍ମଣଙ୍କୁ ଦେଖି ତାହାଙ୍କୁ ଭିକ୍ଷା ଦେବା କଥା ସ୍ମରଣ କଲେ । ୧୬ । ତେତେବେଳେ ସେ ଲଜ୍ଜିତା ହୋଇ ବ୍ରାହ୍ମଣଙ୍କୁ ବିଦା କରି ଦେବା ନିମିତ୍ତ ଭିକ୍ଷା ଘେନି ବାହାରକୁ ଆସିଲେ । ୧୭ ।

 

ବ୍ରାହ୍ମଣ କହିଲେ, ବରାନନେ ! ତୁମ୍ଭେ ଆମ୍ଭଙ୍କୁ ଅପେକ୍ଷା କରିବାକୁ କହି ବର୍ତ୍ତମାନ ବିଦାୟ ଦେବାକୁ ବିସ୍ମୃତ ହେବାର କାରଣ କ’ଣ । ୧୮ ।

 

ମାର୍କଣ୍ଡେୟ କହିଲେ, ହେ ମାନବେନ୍ଦ୍ର ! ପତିପରାୟଣା ସେହି ସ୍ତ୍ରୀ ଦେଖିଲେ ଯେ ବ୍ରାହ୍ମଣ ହୁତାଶନ ପ୍ରାୟ କ୍ରୋଧରେ ପ୍ରଜ୍ୱଳିତ ହୋଇ ଅଛନ୍ତି । ତହୁଁ ସେ କାମିନୀ ସାନ୍ତ୍ୱନା ବାକ୍ୟରେ କହିଲେ,। ୧୯ । ଆପଣ ବିଦ୍ୟାବନ୍ତ, ଆପଣ ମୋତେ କ୍ଷମା କରନ୍ତୁ । ମୋର ପତି ସବୁ ଦେବତାଙ୍କଠାରୁ ଅଧିକ ପୂଜନୀୟ । ସେ ମଧ୍ୟ କ୍ଷୁଧାତୁର ଓ ଶ୍ରାନ୍ତ ହୋଇ ଉପସ୍ଥିତ ହେଲେ । ସୁତରାଂ ମୁଁ ତାହାଙ୍କ ଶୁଶ୍ରୂଷାରେ ନିଯୁକ୍ତ ଥିଲି । ୨୦ ।

 

ବ୍ରାହ୍ମଣ କହିଲେ, “ତୁ ବଡ ଦାମ୍ଭିକା, ବ୍ରାହ୍ମଣ ତୋର ପୂଜ୍ୟ ହେଲେ ନାହିଁ, ପତି ପୂଜ୍ୟ ହେଲା; ତୁ ଗୃହକର୍ମରେ ଥାଇ ବ୍ରାହ୍ମଣକୁ ଅବମାନନା କଲୁ । ୨୧ । ମର୍ତ୍ତ୍ୟଲୋକଙ୍କ କଥା ଦୂରେ ଥାଉ, ବ୍ରାହ୍ମଣମାନଙ୍କ ନିକଟରେ ଦେବରାଜ ଇନ୍ଦ୍ର ମଧ୍ୟ ମସ୍ତକ ଅବନତ କରନ୍ତି । ତୁ ଗର୍ବିତା; ତୁ କ’ଣ ଜାଣିନାହୁଁ ଯେ ବ୍ରାହ୍ମଣମାନେ ଜ୍ୱଳନ୍ତ ହୁତାଶନ ସଦୃଶ କ୍ରୂଦ୍ଧ ହେଲେ ସେମାନେ ପୃଥିବୀକୁ ସୁଦ୍ଧା ଦଗ୍ଧ କରିପାରନ୍ତି । ନାରୀ କହିଲେ, ହେ ବିପ୍ର ! ଆପଣ ଋଷି ! ମୁଁ ବଳାକା ନୁହେଁ, ଆପଣ କ୍ରୂଦ୍ଧ ହୁଅନ୍ତୁ ନାହିଁ । ୨୩ । ଆପଣ କ୍ରୋଧରେ ବଶୀଭୂତ ହୋଇ କୋପ ଦୃଷ୍ଟିରେ ମୋର କ’ଣ କରିବେ ? ମନସ୍ୱୀ ଓ ଦେବତୁଲ୍ୟ ବ୍ରାହ୍ମଣମାନଙ୍କୁ ମୁଁ ଅବଜ୍ଞା କରେ ନାହିଁ । ୨୪ । ଅତଏବ ମୋର ଏହି ଅପରାଧ କ୍ଷମା କରନ୍ତୁ । ହେ ନିଷ୍ପାପ ! ବୁଦ୍ଧି ଶକ୍ତି ସମ୍ପନ୍ନ ବ୍ରାହ୍ମଣମାନଙ୍କର ମାହାତ୍ମ୍ୟ ଓ ତପସ୍ୟାର ପ୍ରଭାବ ବିଶେଷରୂପେ ମୁଁ ଅବଗତ ଅଛି । ୨୬ । ସେମାନଙ୍କ କ୍ରୋଧଦ୍ୱାରା ସାଗର ଜଳ ଲବଣମୟ ହୋଇଅଛି । ଯେଉଁ ମୁନିମାନେ ତପସ୍ୟାରତ, ସେମାନଙ୍କ ମାହାତ୍ମ୍ୟ ମଧ୍ୟ ମୁଁ ବିଶେଷରୂପେ ଅବଗତ ଅଛି । ସେମାନଙ୍କ କ୍ରୋଧାନଳ ଅଦ୍ୟାବଧି ଦଣ୍ଡକାରଣ୍ୟରେ ଦୀପ୍ୟମାନ ରହିଅଛି । ବ୍ରାହ୍ମଣମାନଙ୍କୁ ଅବଜ୍ଞା କରିବାରୁ ଦୁଷ୍ଟ ମହାସୁର ବାତାପି ଅଗସ୍ତି ଋଷିଙ୍କର ଉଦରଗତ ହୋଇ ଜୀର୍ଣ୍ଣ ହୋଇଥିଲା । ବ୍ରାହ୍ମଣମାନଙ୍କ ପ୍ରଭାବ ବିଷୟରେ ମୁଁ ଅନେକ କଥା ଜାଣେ । ୨୮ ।

 

ହେ ବ୍ରହ୍ମନ୍‌ ! ମହାତ୍ମାମାନଙ୍କର କୋପ ଯେପରି, ପ୍ରସାଦ ମଧ୍ୟ ସେହିପରି , ଅତଏବ ହେ ପୁଣ୍ୟଶୀଳ । ଆମ୍ଭର ଏହି କର୍ତ୍ତବ୍ୟକର୍ମରେ ତ୍ରୁଟି ହୋଇଅଛି । ଆପଣ ମାର୍ଜନା କରନ୍ତୁ । ୨୯ । ପତିଶୁଶ୍ରୂଷା ମୋ ପକ୍ଷରେ ନିର୍ମଳ ଧର୍ମ । ପତିସେବା ମୋହର ଅଭୀଷ୍ଟ, ପତି ମୋର ଦେବତାମାନଙ୍କ ମଧ୍ୟରେ ଦେବତା, ସବୁ ଦେବ ମଧ୍ୟରେ ଗୁରୁତମ ଅଟନ୍ତି । ୩୦ । ହେ ଦ୍ୱିଜବର ! ଅତଏବ ଆମ୍ଭେ ପତି ଶୁଶ୍ରୂଷା ରୂପକ ଧର୍ମକୁ ପ୍ରତିପାଳନ କରୁଅଛୁ । ହେ ବ୍ରହ୍ମନ୍‌ ! ପତିସେବାଦ୍ୱାରା ଯେପରି ଫଳ ହୁଏ, ତାହା ଆପଣ ପ୍ରତ୍ୟକ୍ଷ ଦେଖନ୍ତୁ । ୩୧ । ଆପଣ କ୍ରୂଦ୍ଧ ହୋଇ ଯେ ବଳାକାକୁ ଦଗ୍ଧ କରିଥିଲେ, ତାହା ମୁଁ ପୂର୍ବରୁ ଜାଣିଅଛି ।

 

ହେ ବ୍ରାହ୍ମଣଶ୍ରେଷ୍ଠ ! ଶରୀର ମଧ୍ୟରେ କ୍ରୋଧ ଥାଇ ଶତ୍ରୁପଣ କରେ । ୩୨ । ଅତଏବ ଯେଉଁ ମହାତ୍ମା ସେହି କ୍ରୋଧ ଓ ମୋହକୁ ପରିତ୍ୟାଗ କରନ୍ତି, ଦେବଗଣ ତାହାଙ୍କୁ ଏକା ବ୍ରାହ୍ମଣ ବୋଲି ନିର୍ଦ୍ଦେଶ କରନ୍ତି । ଯେ ସଂସାର ମଧ୍ୟରେ ସତ୍ୟ ବାକ୍ୟ କହନ୍ତି, ଗୁରୁଙ୍କୁ ସନ୍ତୁଷ୍ଟ ବାକ୍ୟ କହନ୍ତି, କେହି ଅନିଷ୍ଟାଚରଣ କଲେ ତାହା ପ୍ରତି ହିଂସା କରିବାକୁ ପରାଙ୍‍ମୁଖ ହୁଅନ୍ତି, ସେହିମାନଙ୍କୁ ଏକା ଦେବତାମାନେ ବ୍ରାହ୍ମଣ ବୋଲି ବୋଲନ୍ତି । ଯେଉଁ ବ୍ୟକ୍ତି ଏହି ସଂସାରରେ ଜିତେନ୍ଦ୍ରିୟ, ଧର୍ମପରାୟଣ, ସ୍ୱାଧ୍ୟାୟରେ ରତଥାନ୍ତି; ଶୁଚିବନ୍ତ କାମ ଓ କ୍ରୋଧକୁ ବଶୀଭୂତ କରିଥାନ୍ତି, ଦେବତାମାନେ ତାହାଙ୍କୁ ବ୍ରାହ୍ମଣ ବୋଲି ବୋଲନ୍ତି । ୩୪ । ଯେଉଁ ବ୍ୟକ୍ତି ଧର୍ମଜ୍ଞ, ମନସ୍ୱୀ ଓ ସମସ୍ତଙ୍କୁ ଆପଣା ସମାନ ଜ୍ଞାନ କରନ୍ତି, ଧର୍ମପଥରେ ବିହାର କରନ୍ତି, ଦେବଗଣ ତାହାଙ୍କୁ ବ୍ରାହ୍ମଣ ବୋଲି ଜାଣନ୍ତି । ୨୫ । ଅଧ୍ୟୟନ, ଅଧ୍ୟାପନ, ଯଜନ, ଯାଜନ ଓ ଯଥାଶକ୍ତି ଦାନ କରନ୍ତି, ଦେବତାମାନେ ତାହାଙ୍କୁ ବ୍ରାହ୍ମଣ ବୋଲି ଜାଣନ୍ତି । ଯେ ବ୍ରହ୍ମଚାରୀ, ଦାନଶୀଳ ବେଦାଧ୍ୟୟନରେ ସର୍ବଦା ମନୋଯୋଗୀ ଥାନ୍ତି, ଦେବଗଣ ତାହାଙ୍କୁ ଯଥାର୍ଥ ବ୍ରାହ୍ମଣ ବୋଲି ବୋଲନ୍ତି । ବ୍ରାହ୍ମଣମାନଙ୍କର ଯହିଁରେ କୁଶଳ ହୁଏ, ସେହି ବିଷୟ ତାହାଙ୍କ ନିକଟରେ କୀର୍ତ୍ତନ କରିବ । ୩୮ । ସେହି ବ୍ୟକ୍ତିମାନେ ସର୍ବଦା ସତ୍ୟ ବ୍ୟବହାର କରନ୍ତି । ସେମାନଙ୍କ ମନ କଦାପି ଅସଦ୍ ବିଷୟରେ ଆସକ୍ତ ହୁଏନାହିଁ । ବ୍ରାହ୍ମଣର ଧର୍ମ ସ୍ୱାଧ୍ୟାୟ, ଦମ ଓ ଋଜୁତା ବୋଲି ପରିକୀର୍ତ୍ତିତ ଅଛି । ୩୯ । ହେ ଦ୍ୱିଜୋତ୍ତମ ! ଧର୍ମବେତ୍ତା ଜନମାନେ ଇନ୍ଦ୍ରୟନିଗ୍ରହ, ସର୍ବଦା ସତ୍ୟ କଥନ ଓ ସରଳତାକୁ ପରମ ଧର୍ମ ବୋଲି ବୋଲନ୍ତି । ୪୦ । ଧର୍ମକୁ ଜାଣିବା ବଡ ଦୁଷ୍କର । ସର୍ବକାଳରେ ଧର୍ମ ସତ୍ୟରେ ପ୍ରତିଷ୍ଠିତ ଅଛି । ବୃଦ୍ଧ ଜନମାନେ ଅନୁଶାସନ କରିଅଛନ୍ତି ଯେ ବେଦ ଧର୍ମର ପ୍ରମାଣସ୍ୱରୂପ । ପରନ୍ତୁ ବେଦରେ ବହୁବିଧ ଧର୍ମର ଉପଦେଶ ଅଛି । ସୁତରାଂ ଧର୍ମ ଅତିଶୟ ସୂକ୍ଷ୍ମ ଓ ଧର୍ମକୁ ବୁଝିବା ଦୁସ୍ତର-। ହେ ଭଗବନ ! ଆପଣ ମଧ୍ୟ ଧର୍ମଜ୍ଞ, ସର୍ବଦା ବେଦାଧ୍ୟୟନ କରନ୍ତି ଓ ଶୁଚିବନ୍ତ । ୪୨ ।

 

କିନ୍ତୁ ହେ ଭଗବନ ! ମୋ ବିଚାରରେ ଆପଣ ଧର୍ମର ତତ୍ତ୍ୱ ଜାଣନ୍ତି ନାହିଁ । ହେ ବିପ୍ର ! ଯଦି ତୁମ୍ଭେ ପରମ ଧର୍ମକୁ ନ ଜାଣ । ୪୩ । ତେବେ ମିଥିଳାପୁରକୁ ଗମନ କରି ସେଠାରେ ଧର୍ମବ୍ୟାଧକୁ ପଚାର । ସେ ପିତାମାତାଙ୍କର ଶୁଶ୍ରୂଷା କରେ ଓ ସତ୍ୟବାଦୀ ଅଟେ । ଇନ୍ଦ୍ରିୟମାନଙ୍କୁ ସେ ଜୟ କରିଅଛି । ୪୪ । ସେ ବ୍ୟାଧ ମିଥିଳାରେ ବାସ କରେ । ସେ ତୁମ୍ଭଙ୍କୁ ଧର୍ମ ଉପଦେଶ ଦେବ । ହେ ଦ୍ୱିଜୋତ୍ତମ ! ତୁମ୍ଭର ମଙ୍ଗଳ ହେଉ; ତୁମ୍ଭେ ସେହିଠାକୁ ଗମନ କର । ୪୫ ।

 

ଆମ୍ଭେ ଯାହା କହିଲୁ ତାହା ଆମ୍ଭ ପକ୍ଷରେ ଅଧିକ ହେଲେ ହେଁ ଆପଣ ମୋତେ କ୍ଷମା କରନ୍ତୁ । ହେ ଅନିନ୍ଦିତ ! ଯେଉଁମାନେ ଧର୍ମ ଉପାର୍ଜ୍ଜନର ଇଚ୍ଛା କରନ୍ତି, ସେମାନଙ୍କଠାରେ ସ୍ତ୍ରୀଜାତି ସର୍ବଦା ଅବାଧ୍ୟ ଅଟନ୍ତି । ୪୬ । ବ୍ରାହ୍ମଣ କହିଲେ, “ହେ ଶୋଭନେ ! ଆମ୍ଭେ ଅତିଶୟ ପ୍ରୀତ ହୋଇଅଛୁ । ତୁମ୍ଭର ମଙ୍ଗଳ ହେଉ, ତୁମ୍ଭେ ମୋତେ ଯେତେ କଥା କହିଲ ଏଥିରେ ମୋର ପରମ ମଙ୍ଗଳ ହେବ । ମୋର କ୍ରୋଧ ଗଲାଣି, ମୁଁ ଯାଉଛି । ୪୭ । ମାର୍କଣ୍ଡେୟ କହିଲେ– ଦ୍ୱିଜସତ୍ତମ କୌଶିକ ଆପଣାକୁ ନିନ୍ଦାକରି ସେହି ପତିବ୍ରତା ସ୍ତ୍ରୀଠାରୁ ବିଦାୟ ହୋଇ ଆସି ଆପଣା ଘରକୁ ଗଲେ । ୪୮ ।

 

॥ ଅଧ୍ୟାୟ – ୨୦୭ ॥

 

ମାର୍କଣ୍ଡେୟ କହିଲେ– ଗୋଟିଏ ସ୍ତ୍ରୀର ଧର୍ମ ସମ୍ବନ୍ଧରେ ଏତାଦୃଶ ଆଶ୍ଚର୍ଯ୍ୟ ଉପଦେଶ ବିଷୟ ମନେମନେ ଭାବି ସ୍ୱୟଂ କୌଣସି ଅପରାଧ କରିଥିଲା ପରି ତାହାଙ୍କର ବୋଧହେବାରୁ ସେ ଆପଣାଙ୍କୁ ନିନ୍ଦା କଲେ । ଧର୍ମର ସୂକ୍ଷ୍ମଗତି ଚିନ୍ତା କରି କହିଲେ, ଆମ୍ଭେ ଶ୍ରଦ୍ଧାପୂର୍ବକ ମିଥିଳାକୁ ଗମନ କରିବୁ । ୨ । ସେଠାରେ ଧର୍ମାତ୍ମା ବ୍ୟାଧ ବାସ କରୁଅଛି । ସେହି ତପୋଧନକୁ ଧର୍ମ ପ୍ରଶ୍ନ କରିବା ନିମିତ୍ତ ଅଦ୍ୟ ଗମନ କରିବୁ । ସେହି ସ୍ତ୍ରୀ ବଚନରେ ଶ୍ରଦ୍ଧାନ୍ୱିତ ହୋଇ ବଳାକାର ମରଣ ବୃତ୍ତାନ୍ତ, ସେହି ସ୍ତ୍ରୀ କିପରି ଅବଗତ ହେଲା, ଏ ବିଷୟଦ୍ୱାରା ତାହାର ଅତିମାନସିକ କ୍ଷମତା ଥିବାର ଆଶଙ୍କା କରି ତଦୀୟ ଧର୍ମଘଟିତ ଶୁଭ ବଚନଦ୍ୱାରା ପ୍ରୀତ ହୋଇ କୌତୂହଳ ପରିତୃପ୍ତ କରିବା ନିମିତ୍ତ ମିଥିଳାନଗରକୁ ପ୍ରସ୍ଥାନ କଲେ । ୪ ।

 

ସେ ଅରଣ୍ୟ, ଗ୍ରାମ ଓ ନଗରମାନଙ୍କୁ ଅତିକ୍ରମ କରି ଜନକପାଳିତ ମିଥିଳାନଗରୀକୁ ଗମନ କଲେ । ୫ । ଯେଉଁଠାରେ ଯଜେ୍ଞାତ୍ସବ ହେଉଅଛି, ପତାକାମାନ ଚତୁର୍ଦ୍ଦିଗରେ ଉଡ୍‌ଡୀନ ହେଉଅଛି । ୬ । ଗୋପୁର, ଅଟ୍ଟାଳିକା, ହର୍ମ୍ୟ ଓ ପ୍ରାକରଦ୍ୱାରା ଶୋଭମାନ ହେଉଅଛି; ବହୁବିଧ ପଣ୍ୟଦ୍ରବ୍ୟରେ ବିପଣୀମାନେ ସୁଶୋଭିତ ହୋଇଅଛନ୍ତି, ଯେଉଁ ରମଣୀୟ ନଗରୀସ୍ଥିତ, ବୃହତ୍ ରାଜପଥସବୁ ସୁବିଭକ୍ତ ହୋଇଅଛନ୍ତି, ଅଶ୍ୱ, ରଥ, ଗଜ ଓ ବହୁସଂଖ୍ୟକ ଯୋଦ୍ଧାମାନଙ୍କଦ୍ୱାରା ସେ ପରିବୃତ ହୋଇଅଛି, ଯେଉଁଠାରେ ହୃଷ୍ଟପୁଷ୍ଟ ଜନମାନେ ନିତ୍ୟ ଉତ୍ସବରେ ମାତିଅଛନ୍ତି, ସମୁଦାୟ ସ୍ଥାନ ଉତ୍ସବାଦିରେ ପରିପୂର୍ଣ୍ଣ ରହିଅଛି, ଏହି ପ୍ରକାରେ ସେ ବିପ୍ର ବହୁବିଧ ବୃତ୍ତାନ୍ତଶାଳୀ ସ୍ଥାନମାନଙ୍କୁ ଅତିକ୍ରମ କରି କେତେକ ବ୍ରାହ୍ମଣଙ୍କୁ ଧର୍ମବ୍ୟାଧ ବୃତ୍ତାନ୍ତ ପଚାରିଲେ । ସେମାନେ ତାହାଙ୍କୁ ତାହାର ବାସସ୍ଥାନ ଦେଖାଇ ଦେଲେ । ଧର୍ମତତ୍ତ୍ୱ ଅନୁସନ୍ଧାନକାରୀ କୌଶିକ ସେ ସ୍ଥାନ ଯାଇ ଦେଖିଲେ ଯେ ଯେଉଁ ସ୍ଥାନରେ ପଶୁମାନେ ହତ ହୁଅନ୍ତି, ସେହି ସ୍ଥାନରେ କୁର୍ମବ୍ୟାଧ ଥିଲା । ୧୦ । ସେ ବସି ମୃଗ ଓ ମହିଷମାଂସ ବିକ୍ରୟ କରୁଥିଲା । ୧୧ । କ୍ରେତାମାନେ ଏକତ୍ର ମେଳା କରୁଥିବାରୁ ବ୍ରାହ୍ମଣଙ୍କୁ ଏକାନ୍ତରେ ବସାଇଲେ । ତପସ୍ୱୀ ବ୍ୟାଧ ବ୍ରାହ୍ମଣଙ୍କୁ ଆସିବାର ଦେଖି ସସଂଭ୍ରମେ ଉଠି ଏକାନ୍ତରେ ଯେଉଁ ସ୍ଥାନରେ ବ୍ରାହ୍ମଣ ବସିଥିଲେ, ସେଠାକୁ ଆସିଲା । ୧୨ ।

 

ବ୍ୟାଧ କହିଲା– “ହେ ଭଗବନ ! ଆପଣଙ୍କୁ ଅଭିବାଦନ କରୁଅଛି; ଆପଣଙ୍କର ଶୁଭାଗମନ ହେଉ । ହେ ଦ୍ୱିଜୋତ୍ତମ ! ମୁଁ ବ୍ୟାଧ ଅଟେ । ଆପଣଙ୍କର କୁଶଳ ହେଉ । ମୁଁ କ’ଣ କରିବି, ଆଜ୍ଞା ହେଉ । ୧୩ । ପତିବ୍ରତା ସ୍ତ୍ରୀ ତୁମ୍ଭଙ୍କୁ ଯାହା ଯାହା କହିଲେ ଯେ ତୁମ୍ଭେ ମିଥିଳାକୁ ଯାଅ; ମୋତେ ବିଦିତ ଅଛି । ତୁମ୍ଭେ ଯହିଁ ନିମିତ୍ତ ଆଗମନ କରିଅଛ, ତାହା ମୁଁ ଜାଣେ । ୧୪ । ଧର୍ମବ୍ୟାଧର ସେହି ବାକ୍ୟ ଶ୍ରବଣ କରି ବିପ୍ର ଅତିଶୟ ବିସ୍ମିତ ହେଲେ । ସେ ଦ୍ୱିଜ ଭାବିଲେ ଯେ ଆଉ ଗୋଟିଏ ଆଶ୍ଚର୍ଯ୍ୟ ବିଷୟ ଆମ୍ଭେ ଦେଖିଲୁ । ୧୫ । ବ୍ୟାଧ ବୋଇଲେ, ହେ ଅନଘ ! ତୁମ୍ଭର ବାସସ୍ଥାନ ଏଠାରେ ନୁହେଁ । ହେ ଭଗବନ ! ଯଦି ତୁମ୍ଭର ଇଚ୍ଛା ହୁଏ, ତେବେ ଆସ, ଗୃହକୁ ଯିବା । ୧୬ ।

 

ମାର୍କଣ୍ଡେୟ କହିଲେ– ବିପ୍ର ହୃଷ୍ଟ ହୋଇ କହିଲେ, ହେଉ, ତୁମ୍ଭେ ଚାଲ । ଦ୍ୱିଜଙ୍କୁ ଆଗରେ କରି ସେ ବ୍ୟାଧ ତାହାଙ୍କ ପଛେ ପଛେ ଗୃହକୁ ଗମନ କଲା । ୧୭ । ବ୍ୟାଧ ସେ ରମଣୀୟ ଗୃହ ମଧ୍ୟରେ ପ୍ରବେଶ କରି ଉତ୍ତମ ଆସନରେ ବସି ପୂଜିତ ହେଲେ । ଦ୍ୱିଜୋତ୍ତମ ପାଦ୍ୟ ଓ ଆଚମନୀୟ ପ୍ରତି ଗ୍ରହଣ କଲେ । ୧୮ । ତଦନନ୍ତର ସୁଖରେ ଉପବିଷ୍ଟ ହୋଇ ବ୍ୟାଧକୁ ଏହି ବଚନ କହିଲେ– ମୋତେ ବୋଧ ହେଉଅଛି, ତୁମ୍ଭେ ଏହି ଯେଉଁ କର୍ମ କରୁଅଛ, ସେ କର୍ମ ତୁମ୍ଭର ଯୋଗ୍ୟ ନୁହେଁ । ହେ ତାତ ! ତୁମ୍ଭର ଏହି ଘୋର କର୍ମ ଦେଖି ଆମ୍ଭେ ଅତିଶୟ ଅନୁତପ୍ତ ହେଉଅଛୁ । ୧୯ ।

 

ବ୍ୟାଧ ବୋଇଲେ– ହେ ଦ୍ୱିଜ ! ଏହି କର୍ମ ମୋର କୁଳର ଉଚିତ । ମୋର ପିତୃପିତାମହମାନେ ଏହି କର୍ମ କରୁଥିଲେ । ତୁମ୍ଭେ ମୋ ପ୍ରତି କ୍ରୋଧ କରନାହିଁ । ବିଧାତା ମୋ ନିମିତ୍ତ ଯେଉଁ କାର୍ଯ୍ୟ ଅବଧାରିତ କରିଅଛନ୍ତି, ମୁଁ ସେହି କାର୍ଯ୍ୟ କରୁଅଛି । ଅତ୍ୟନ୍ତ ଭକ୍ତି ଓ ଯତ୍ନପୂର୍ବକ ମୋର ପ୍ରାଚୀନ ମହାଗୁରୁ ଜନକ ଜନନୀଙ୍କର ମୁଁ ସେବା କରେ । ୨୧ । କଦାପି ଅସତ୍ୟ କଥା କହେ ନାହିଁ । କାହାରି ପ୍ରତି ମୋର ହିଂସା ନାହିଁ କି ଦ୍ୱେଷ ନାହିଁ । କ୍ଷମତାଅନୁସାରେ ମୁଁ ଦାନ କରେ । ଭୋଜ୍ୟଦ୍ରବ୍ୟଦ୍ୱାରା ଦେବତାମାନଙ୍କୁ ପୂଜା କରି ଅତିଥିମାନଙ୍କର ସେବା କରେ । ତହିଁରେ ଅନୁଚରମାନଙ୍କୁ ପରିତୃପ୍ତ କରି ଅବଶିଷ୍ଟ ଯାହା ରହେ ତଦ୍ଦ୍ୱାରା ଦିନପାତ କରେ । ୨୨ । ହେ ଦ୍ୱିଜୋତ୍ତମ ! ମୁଁ କାହାରି କୁତ୍ସା କରେ ନାହିଁ । ମୋ’ଠାରୁ ବଳବାନ ଲୋକକୁ ନିନ୍ଦା କରେ ନାହିଁ-। ଯେ ହେତୁରୁ ପୂର୍ବ କୃତକାର୍ଯ୍ୟ କର୍ତ୍ତାଙ୍କୁ ଅନୁସରଣ କରେ । ୨୩ । କୃଷି, ପଶୁରକ୍ଷା ଓ ବାଣିଜ୍ୟ କାର୍ଯ୍ୟ ଏହି ତିନି ଗୋଟି ବ୍ୟବସାୟଦ୍ୱାରା ମନୁଷ୍ୟ ଜୀବିକା ନିର୍ବାହ କରେ । ତତ୍ପରେ ଦଣ୍ଡନୀତି ଓ ତ୍ରୟୀ ବିଦ୍ୟାଦ୍ୱାରା ମନୁଷ୍ୟ ପରଲୋକର ଉତ୍ତରସାଧକ ହୁଏ । ୨୪ । ଶୂଦ୍ର ସେବାଦ୍ୱାରା, ବୈଶ୍ୟ କୃଷିଦ୍ୱାରା, କ୍ଷତ୍ରିୟ ସଂଗ୍ରାମ କରି ଓ ବ୍ରାହ୍ମଣମାନେ ବ୍ରହ୍ମଚର୍ଯ୍ୟା, ତପସ୍ୟା, ମନ୍ତ୍ରପାଠ, ସତ୍ୟ କଥନଦ୍ୱାରା ଜୀବିକା ନିର୍ବାହ କରନ୍ତି । ପ୍ରଜାମାନେ ସ୍ୱ ଧର୍ମରେ ରତ ହୋଇଥାନ୍ତି । ଯେଉଁମାନେ ଧର୍ମରୁ ଚ୍ୟୁତ ହୁଅନ୍ତି, ରାଜା ସେମାନଙ୍କୁ ଶାସନ କରି ସ୍ୱଧର୍ମରେ ପୁନଶ୍ଚ ନିୟୋଜିତ କରନ୍ତି । ୨୬-। ନୃପତିଙ୍କୁ ଭୟ କରିବା ସର୍ବ ପ୍ରକାରେ କର୍ତ୍ତବ୍ୟ । ଯେ ହେତୁରୁ ସେମାନେ ପ୍ରଜାବର୍ଗର ଅଧୀଶ୍ୱର । ଶରଦ୍ୱାରା ଯେପରି ମୃଗମାନଙ୍କର ଗତିରୋଧ କରନ୍ତି, ତଦ୍ଦ୍ୱାରା ଦୁଷ୍ଟାଚାର ପ୍ରଜାଗଣଙ୍କୁ ଦୁଷ୍କର୍ମରୁ ବିରତ କରନ୍ତି । ୨୭ ।

 

ହେ ବିପ୍ରର୍ଷେ ! ଜନକ ରାଜାଙ୍କର ଏହି ବିଶାଳ ରାଜ୍ୟରେ ଜଣେ ସୁଦ୍ଧା କେହି କୁକର୍ମୀ ନାହିଁ । ଚତୁବିଧ ବର୍ଣ୍ଣ ନିଜ ନିଜ କର୍ତ୍ତବ୍ୟକର୍ମରେ ନିରନ୍ତର ଅନୁଷ୍ଠିତ ହୁଅନ୍ତି । ୨୮ । ଆପଣାର ପୁତ୍ର ସୁଦ୍ଧା ଯେବେ ଦୁର୍ବୃତ୍ତ ଓ ଦଣ୍ଡନୀୟ ହୁଏ, ତେବେ ରାଜର୍ଷି ଜନକ ତାହା ପ୍ରତି ଦଣ୍ଡ ବିଧାନ କରନ୍ତି । କୌଣସି ଧାର୍ମିକ ବ୍ୟକ୍ତିର ଗ୍ଳାନି କରନ୍ତି ନାହିଁ । ୨୯ । ଏହି ନୃପତି ସୁଯୋଗ୍ୟ ଚାରମାନଙ୍କୁ ନିଯୁକ୍ତ କରି ଧର୍ମାନୁସାରେ ସର୍ବକର୍ମ ସ୍ୱଚକ୍ଷୁରେ ଦେଖିଲା ପ୍ରାୟ ଦେଖନ୍ତି । କ୍ଷତ୍ରିୟମାନେ ଲକ୍ଷ୍ମୀ, ରାଜ୍ୟ ଓ ଦଣ୍ଡର ଅଧିକାରୀ ଅଟନ୍ତି । ୩୦ । ସବୁ ରାଜାମାନେ ସ୍ୱକୀୟ ଧର୍ମାନୁସାରେ ଉନ୍ନତି କାମନା କରନ୍ତି । ରାଜାମାନେ ସବୁ ବର୍ଣ୍ଣର ରକ୍ଷାକର୍ତ୍ତା ହୋଇଥାନ୍ତି । ୩୧ ।

 

ହେ ବ୍ରହ୍ମନ୍‌ ! ଏବେ ମୁଁ ସ୍ୱହସ୍ତରେ ପଶୁବଧ କରେ ନାହିଁ । ଅନ୍ୟମାନେ ମହିଷାଦି ପଶୁଙ୍କୁ ନିହତ କଲେ ମୁଁ ସେହି ମାଂସକୁ ବିକ୍ରୟ କରେ । ୩୧ । ମୁଁ ମାଂସ ଭୋଜନ କରେ ନାହିଁ । ଋତୁକାଳ ବ୍ୟତୀତ ଭାର୍ଯ୍ୟା ସହିତ ସହବାସ କରେ ନାହିଁ । ସର୍ବଦା ଉପବାସ କରି ସମସ୍ତ ଦିନ ଶେଷ ହେଲେ ରଜନୀରେ ବାରେ ମାତ୍ର ଭୋଜନ କରେ । ୩୩ । ହେ ଦ୍ୱିଜ ! ଧର୍ମାନୁଷ୍ଠାନ କଲେ ଦୁଃଶୀଳ ବ୍ୟକ୍ତି ମଧ୍ୟ ସୁଶୀଳ ହୁଏ । ପ୍ରାଣୀ ହିଂସାରେ ଯେଉଁ ବ୍ୟକ୍ତି ନିରତ ହୋଇଥାଏ, ସେ ମଧ୍ୟ କ୍ରମେ କ୍ରମେ ଧାର୍ମିକ ହୋଇପାରେ । ୩୪ । ନରପତିମାନଙ୍କ ଦୋଷରୁ ମହାନ ଧର୍ମ ସଂକୀର୍ଣ୍ଣ ହୋଇ ଅଧର୍ମ ଉତ୍ପନ୍ନ ହୁଏ ଓ ସେହିହେତୁରୁ ପ୍ରଜାମାନେ ସଂକୀର୍ଣ୍ଣ ହୁଅନ୍ତି । ୩୫ । ରାଜା ଯଥେଚ୍ଛାଚାରୀ ହେଲେ ରାଜ୍ୟ ମଧ୍ୟରେ ଶତ ଶତ ଭୀଷଣାକୃତି ବାମନ, କୁବ୍‌ଜ, ସ୍ଥୂଳମସ୍ତକ, କ୍ଳୀବ, ଅନ୍ଧ, ବଧିର ଓ ସ୍ତବ୍‍ଧ ଲୋଚନ ପୁରୁଷ ଜନ୍ମଗ୍ରହଣ କରନ୍ତି । ୩୬ । ପ୍ରକୃତରେ ପାର୍ଥିବମାନଙ୍କର ଅଧର୍ମ ପ୍ରଜାନିଚୟର ଅମଙ୍ଗଳର ନିଦାନ । ରାଜର୍ଷି ଜନକ ସ୍ୱଧର୍ମରେ ରତଥାନ୍ତି । ପ୍ରଜାମାନଙ୍କୁ ସର୍ବଦା ଧର୍ମାନୁସାରେ ପାଳନ କରନ୍ତି ଓ ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରନ୍ତି । ଯେଉଁମାନେ ଆମ୍ଭର ନିନ୍ଦା କରନ୍ତି ଅଥବା ପ୍ରଶଂସା କରନ୍ତି, ସେମାନଙ୍କୁ ନିର୍ବିଶେଷରେ ପରିତୁଷ୍ଟ କରୁ । ନିନ୍ଦୁକ ଓ ପ୍ରଶଂସକ ଦୁହିଁଙ୍କୁ ଆମ୍ଭେ ସମ ଦୃଷ୍ଟିରେ ଦେଖୁ । ଯେଉଁ ନରପତିମାନେ ସ୍ୱଧର୍ମରେ ଅନୁରକ୍ତ ଥାଇ ତଦ୍ଦ୍ୱାରା ଜୀବନଧାରଣ କରନ୍ତି, ଦମଯୁକ୍ତ, ଅଭ୍ୟୁଦୟଶୀଳ ସେହି ନରପତିମାନଙ୍କୁ ଆଉ କିଛି କରିବାକୁ ହୁଏ ନାହିଁ । ସର୍ବଦା ଯଥାସାଧ୍ୟ ଅନ୍ନଦାନ, ଦକ୍ଷିଣା, ତିତିକ୍ଷା, ଧର୍ମାଚରଣ ସର୍ବଭୂତରେ ଦୟା ପ୍ରଭୃତି ଗୁଣ ଥିଲେ ହେଁ ତ୍ୟାଗ ବ୍ୟତିରେକେ ସେମାନେ ଫଳପ୍ରଦ ହୁଅନ୍ତି ନାହିଁ । ୪୧ । ମିଥ୍ୟାବାକ୍ୟ ପରିତ୍ୟାଗ କରିବ, କେହି ପ୍ରାର୍ଥନା ନ କଲେ ସୁଦ୍ଧା ତାହାର କ୍ରିୟାନୁଷ୍ଠାନ କରିବ । କାମ ଅଥବା କ୍ରୋଧର କିମ୍ବା ଦ୍ୱେଷର ବଶୀଭୂତ ହୋଇ ଧର୍ମର ବିପରୀତ କାର୍ଯ୍ୟ କରିବ ନାହିଁ । ୪୨ । ପ୍ରିୟ ଘଟଣା ଉପସ୍ଥିତ ହେଲେ ଅତିଶୟ ହୃଷ୍ଟ ଅଥବା ଅପ୍ରିୟ ଘଟଣାରେ ମ୍ରିୟମାଣ ହେବନାହିଁ । ଅର୍ଥକଷ୍ଟ ଉପସ୍ଥିତ ହେଲେ ଶୋକରେ ଅଭିଭୂତ ହୋଇ କଦାପି ଧର୍ମକୁ ପରିତ୍ୟାଗ କରିବ ନାହିଁ । ୪୩ ।

 

ଯଦି କୌଣସି ଅପକର୍ମ କଦାପି ଅନୁଷ୍ଠିତ ହୋଇଥାଏ, ତେବେ ପୁନର୍ବାର ତାଦୃଶ କର୍ମରେ ପ୍ରବେଶ କରିବ ନାହିଁ । ମନ୍ଦ କର୍ମ ନିମିତ୍ତ ଅନୁତାପ କରିବ । ଯେଉଁ କାର୍ଯ୍ୟକଲେ ମଙ୍ଗଳଲାଭର ସମ୍ଭାବନା, ତହିଁରେ ଆପଣାକୁ ନିଯୁକ୍ତ କରିବ । ୪୪ । କେହି ଅନିଷ୍ଟ କଲେ ତାହା ପ୍ରତି କଦାପି ହିଂସା କରିବ ନାହିଁ । ପ୍ରକୃତରେ ତାହା ପ୍ରତି ସାଧୁ ବ୍ୟବହାର କରିବ । ଯେଉଁ ବ୍ୟକ୍ତି ପାପ କରିବାକୁ ଇଚ୍ଛା କରେ, ସେ ସ୍ୱୟଂ ନଷ୍ଟ ହୁଏ । ୪୫ । ଅସାଧୁ ବ୍ୟକ୍ତିଙ୍କ ପକ୍ଷରେ ପାପାଚାର ଉପଯୁକ୍ତ ଅଟେ । ଯେଉଁମାନେ ଧର୍ମନାହିଁ ବୋଲି ଚିନ୍ତାକରି ସାଧୁଜନଙ୍କୁ ଉପହାସକରି ଧର୍ମରେ ଅନାସ୍ଥା ପ୍ରଦର୍ଶନ କରନ୍ତି, ସେମାନେ ନିଶ୍ଚୟ ବିନାଶପ୍ରାପ୍ତ ହୁଅନ୍ତି । ପାପାତ୍ମା ଲୋକର ଜୀବନ * ଭସ୍ତ୍ରର ବାୟୁସଦୃଶ । ଅହଙ୍କାର ପୂର୍ଣ୍ଣ ସବୁ କଳ୍ପନା ଅସାର ହୁଏ । ଦିବସରେ ଯେପରି ପ୍ରଭାକର ରୂପମାନଙ୍କୁ ପ୍ରକାଶିତ କରନ୍ତି, ସେହିପରି ମୃଢ ବ୍ୟକ୍ତିଙ୍କ ଅନ୍ତରାତ୍ମା ସେମାନଙ୍କସ୍ୱରୂପ ପ୍ରକଟିତ କରେ । ୪୮ । ମୂର୍ଖ ବ୍ୟକ୍ତି କେବଳ ଆତ୍ମପ୍ରକାଶ ଦୋଷରୁ ସଜ୍ଜନଙ୍କଠାରେ ପ୍ରତିଷ୍ଠିତ ହୋଇପାରନ୍ତି ନାହିଁ । କୃତବିଦ୍ୟ ବ୍ୟକ୍ତି ସୌନ୍ଦର୍ଯ୍ୟବିହୀନ ହେଲେ ହେଁ ଶୋଭମାନ ହୁଅନ୍ତି । ୪୯ । ପରନିନ୍ଦା ଓ ଆତ୍ମପ୍ରକାଶ କରନ୍ତି ନାହିଁ । ଏପରି ବ୍ୟକ୍ତି ଭୂମଣ୍ଡଳରେ ମିଳିବା ବଡ ଦୁରୂହ । ୫୦ । ମନ୍ଦ କର୍ମକରି ଅନୁତାପ କଲେ, ପାପରୁ ମନୁଷ୍ୟ ମୁକ୍ତ ହୁଏ, ପୁନଶ୍ଚ ସେ ଯେବେ ପ୍ରତିଜ୍ଞା କରେ, ଆଉ ସେ କଦାପି ତଦ୍ରୂପ କର୍ମ ନ କରିବ, ତେବେ ସେ ଭବିଷ୍ୟତରେ କରିବା ପାପରୁ ମୁକ୍ତ ହୁଏ । ହେ ବ୍ରହ୍ମନ୍‌-! ଧର୍ମ ବିଷୟରେ ଏହି ପ୍ରକାରେ ଶ୍ରୁତି ଥିବାର ଜଣାଯାଏ । ୫୨ । ଧର୍ମଶୀଳ ବ୍ୟକ୍ତି ଭ୍ରମବଶତଃ କୌଣସି ପାପ କର୍ମ କଲେ ପଶ୍ଚାତ୍ ତହିଁରୁ ମୁକ୍ତ ହୋଇ ପାରନ୍ତି । ଯେହେତୁରୁ ତାହାଙ୍କର ପୂର୍ବସଞ୍ଚିତ ପୁଣ୍ୟଦ୍ୱାରା ଅଜ୍ଞାନକୃତ ପାପ ଧ୍ୱଂସ ହୁଏ । ୫୩ । ମନୁଷ୍ୟ ପାପକରି କରିନାହିଁ ବୋଲି ଅସ୍ୱୀକାର କରିବ ନାହିଁ, ଯେ ହେତୁରୁ ତାହାର ଅନ୍ତରାତ୍ମା ସେ ପାପକୁ ପ୍ରତ୍ୟକ୍ଷ କରୁଥାନ୍ତି । ୫୪ । ବସ୍ତ୍ର ମଧ୍ୟରେ ଛିନ୍ଦ୍ର ଥିଲେ ହେଁ ଯେପରି ତାହା ଦୋଷ ମଧ୍ୟରେ ଗଣ୍ୟ ହୁଏନାହିଁ, ସେହିପରି ସାଧୁଜନମାନଙ୍କ ଦୋଷକୁ ଯେ ଗ୍ରହଣ କରନ୍ତି ନାହିଁ, ସେ ଆପଣାର ମଙ୍ଗଳ କରନ୍ତି । ୫୫ । ପୁରୁଷ ପ୍ରଥମେ ପାପକରି ପରେ ଯଦି ଧର୍ମପଥରେ ଗମନ କରେ, ତେବେ ସେ ମେଘବିମୁକ୍ତ ଚନ୍ଦ୍ରମାଙ୍କ ପ୍ରାୟ ସର୍ବପାପରୁ ମୁକ୍ତ ହୁଏ । ୫୬ । ସୂର୍ଯ୍ୟ ଉଦୟ ହେଲାକ୍ଷଣି ଅନ୍ଧକାର ରାଶି ଯେପରି ତିରୋହିତ ହୁଏ, ସେହିପରି ମଙ୍ଗଳମୟ ପଥ ଆଶ୍ରୟ କଲାକ୍ଷଣି ପାପସମୂହ ବିନଷ୍ଟ ହୁଅନ୍ତି । ୫୭-
 

[*ଭସ୍ତ୍ର–ଚର୍ମନିର୍ମିତ ଭାତି, ଯଦ୍ଦ୍ୱାରା ଅଗ୍ନିକୁ ପ୍ରଜ୍ୱଳିତ କରାଯାଏ ।]

 

ହେ ଦ୍ୱିଜସତ୍ତମ ! ପାପର ଜନୟିତା ଲୋଭ; ଯେଉଁ ମନୁଷ୍ୟମାନେ ଶାସ୍ତ୍ରାଧ୍ୟୟନ କରି ନ ଥାନ୍ତି,ସେମାନେ ଲୋଭପରତନ୍ତ୍ର ହୋଇ ପାପାନୁଷ୍ଠାନ କରନ୍ତି । ୫୮ । ଅଧର୍ମ ବ୍ୟକ୍ତି ଧର୍ମାଚରଣ କଲେ, ସେ ତୃଣାଚ୍ଛାଦିତ କୂପପ୍ରାୟ ସେମାନଙ୍କର ଦମ, ପବିତ୍ରପଣ, ଧର୍ମଘଟିତ ଉପଦେଶ ସବୁଥାଏ; କିନ୍ତୁ ଶିଷ୍ଟାଚାର ସେମାନଙ୍କଠାରେ କଦାପି ଦୃଶ୍ୟ ହୁଏନାହିଁ । ୫୯ । ମାର୍କଣ୍ଡେୟ ବୋଇଲେ, ସେହି ମହାପ୍ରାଜ୍ଞ ବିପ୍ର ଧର୍ମବ୍ୟାଧଙ୍କୁ ପଚାରିଲେ, “ହେ ନରୋତ୍ତମ ! ଶିଷ୍ଟାଚାର ଏହି ବୋଲି କିପରି ଜାଣିବା ? ୬୦ । ଆପଣ ଧାର୍ମିକଶ୍ରେଷ୍ଠ ଅଟନ୍ତି; ଆପଣ ମହାମତି, ଏକଥା ଆପଣଙ୍କଠାରୁ ଯଥାର୍ଥରୂପେ ଶୁଣିବାକୁ ଇଚ୍ଛା କରୁଅଛୁ । ୬୧ । ବ୍ୟାଧ ବୋଇଲା, ଯଜ୍ଞ, ଦାନ, ଧର୍ମ, ତପସ୍ୟା, ସତ୍ୟ– ହେ ଦ୍ୱିଜୋତ୍ତମ ! ଏହି ପାଞ୍ଚଗୋଟି ଶିଷ୍ଟାଚାର ମଧ୍ୟରେ ସର୍ବଦା ପବିତ୍ର ଅଟନ୍ତି । ୬୨ । ଯେଉଁମାନେ କାମ, କ୍ରୋଧ, ଦମ୍ଭ ଓ ନିଷ୍ଠୁରତାକୁ ଆପଣାର ବଶୀଭୂତ କରି ଧର୍ମ କରୁଅଛୁ ବୋଲି ମନ ମଧ୍ୟରେ ସନ୍ତୁଷ୍ଟ ହୁଅନ୍ତି, ସେହିମାନେ ଶିଷ୍ଟଜନସମ୍ମତ ଶିଷ୍ଟାଚାରୀ ଅଟନ୍ତି । ୬୩ । ଯଜ୍ଞ, ବେଦାଧ୍ୟୟନ ସମ୍ପନ୍ନ ସେହି ବ୍ୟକ୍ତିମାନେ କଦାପି ସ୍ୱାତନ୍ତ୍ର‌୍ୟ ଅବଲମ୍ବନ କରନ୍ତି ନାହିଁ । ଆଚାର ରକ୍ଷାକରିବା ମଧ୍ୟ ଶିଷ୍ଟଙ୍କ ଗୋଟିଏ ଲକ୍ଷଣ ଅଟେ । ୬୪ । ଗୁରୁଙ୍କ ସେବା, ସତ୍ୟକଥନ, ଦାନ ଓ ଅକ୍ରୋଧ ଏହି ଚାରୋଟି ଶିଷ୍ଟାଚାରରେ ଧର୍ମ ବୋଲି କଥିତ ଅଛି । ଶିଷ୍ଟାଚାରରେ ମନକୁ ସର୍ବତୋଭାବେ ବିନଷ୍ଟ କରି ଯେପରି ବୃତ୍ତିଲାଭ କରାଯାଏ, ତଦ୍ରୂପ ବୃତ୍ତିଲାଭ ଅନ୍ୟ କାହିଁରେ ସୁଦ୍ଧା ସମ୍ଭବ ହୁଏନାହିଁ । ୬୭ । ଯେଉଁ ବ୍ୟକ୍ତିମାନଙ୍କ ଚିତ୍ତ ମୋହରେ ଅନ୍ଧ ହୁଏ ଓ ଧର୍ମ ପ୍ରତି ଦ୍ୱେଷ କରନ୍ତି, ସେ ପାପାତ୍ମାଙ୍କର ଅନୁକାରୀ ମଧ୍ୟ ପାପରେ ନିପୀଡିତ ହୁଅନ୍ତି । ୬୮ । ଯେଉଁମାନେ ଜିତେନ୍ଦ୍ରିୟ ହୋଇ ବେଦପାଠ ବିତରଣ କରନ୍ତି ଓ ଧର୍ମମାର୍ଗରେ ଗମନ କରନ୍ତି, ସେହିମାନେ ଶିଷ୍ଟ । ୬୯ । ଶିଷ୍ଟାଚାରୀ ବ୍ୟକ୍ତି ଉପାଧ୍ୟାୟଙ୍କ ମତାନୁସାରେ କାର୍ଯ୍ୟକରି ମର୍ଯ୍ୟାଦାପୂର୍ବକ ଧର୍ମବିଷୟ ଆଲୋଚନା କରନ୍ତି । ୭୦ ।

 

ତୁମ୍ଭେ ଧାର୍ମିକମାନଙ୍କୁ ସେବାକରି ଜ୍ଞାନକୁ ଆଶ୍ରୟ କର, ଅଥଚ ନାସ୍ତିକ, ମର୍ଯ୍ୟାଦାବିହୀନ, କ୍ରୂର ଓ ପାପମତିରେ ସ୍ଥିତ ଜନମାନଙ୍କୁ ତ୍ୟାଗ କର । ୭୧ । ଜନ୍ମପରେ ଜନ୍ମପ୍ରଭାବ ନଦୀ ହେଲା । ତାହିଁରେ ପଞ୍ଚେନ୍ଦ୍ରିୟ ଜଳସୂରୂପ : କାମ ଓ ଲୋଭ ତହିଁରେ କୁମ୍ଭୀର ଅଟନ୍ତି । ଆପଣ ଧୈର୍ଯ୍ୟଙ୍କୁ ନୌକା କରି ସେହି ଜନ୍ମନଦୀକୁ ପାର ହୁଅନ୍ତୁ । ୭୨ । ଶୁକ୍ଳ ବସ୍ତୁକୁ ଲୋହିତ ପ୍ରଭୃତି ବର୍ଣ୍ଣରେ ରଞ୍ଜିତ କଲେ, ଯେପରି ମନୋହର ଦିଶେ, ସେହିପରି ବୁଦ୍ଧି ଯୋଗଦ୍ୱାରା କ୍ରମଶଃ ସଞ୍ଚିତ ଧର୍ମ ସାଧ୍ୟ ମଧ୍ୟ ଶିଷ୍ଟାଚାର ସମନ୍ୱିତ ହେଲେ ଅପୂର୍ବ ଶୋଭା ଧାରଣ କରେ । ୭୩ । ଅହିଂସା ଓ ସତ୍ୟ ବାକ୍ୟ ସମସ୍ତଙ୍କର ହିତକର । ‘ଅହିଂସା ପରମୋଧର୍ମ’ ଓ ସେହି ଅହିଂସା ସତ୍ୟରେ ପ୍ରତିଷ୍ଠିତ ଅଛି । ପ୍ରବୃତ୍ତିମାନେ ସତ୍ୟରେ ପ୍ରତିଷ୍ଠିତ ହୋଇ ପ୍ରବୃତ୍ତ ହୁଅନ୍ତି । ୭୪ । ଶିଷ୍ଟାଚାରଯୁକ୍ତ ସତ୍ୟ ସର୍ବାପେକ୍ଷା ଗୁରୁତର । ଧର୍ମ, ଆଚାର ମଧ୍ୟ ସାଧୁମାନଙ୍କର ଲକ୍ଷଣ ଅଟେ । ୭୫ । ଯେଉଁ ପ୍ରାଣୀର ଯେପରି ପ୍ରକୃତି, ସେ ତଦ୍ରୁପ ପ୍ରକୃତି ପ୍ରାପ୍ତ ହୁଏ । ଇନ୍ଦ୍ରିୟପରତନ୍ତ୍ର ପାପାତ୍ମାମାନେ କ୍ରୋଧ, କାମ ଓ ଲୋଭ ଅଥଚ ମୋହର ବଶବର୍ତ୍ତୀ ହୁଅନ୍ତି । ୭୬ । ନ୍ୟାୟମାଗାନୁସାରେ ଯେଉଁ କାର୍ଯ୍ୟ କରାଯାଏ, ତାହାକୁ ଧର୍ମ କହନ୍ତି; କିନ୍ତୁ ନ୍ୟାୟର ବିପରୀତ ଓ ଆଚାରରେ ଅସମ୍ମତ ଯେଉଁ କର୍ମ, ତାହାକୁ ଅଧର୍ମ ବୋଲାଯାଏ । ୭୭ । ଯେଉଁମାନେ ଶିଷ୍ଟାଚାରୀ, ସେମାନେ କ୍ରୋଧ କରନ୍ତି ନାହିଁ କିମ୍ବା ଦ୍ୱେଷ କରନ୍ତି ନାହିଁ; ଅହଙ୍କାର ଓ ମାତ୍ସର୍ଯ୍ୟ ପାଖକୁ ଯାଆନ୍ତି ନାହିଁ; ସେମାନେ ସରଳ ଓ ଶାନ୍ତସ୍ୱଭାବ । ସେମାନେ ବେଦରେ ପାରଦର୍ଶୀ, ତାହାଙ୍କର ଆଚାର ଅତି ପବିତ୍ର; ସେମାନଙ୍କର ସ୍ୱଭାବ ସଜ୍ଜନଙ୍କ ସ୍ୱଭାବ ପ୍ରାୟ । ସେମାନେ ମନସ୍ୱୀ, ଇନ୍ଦ୍ରିୟମାନଙ୍କୁ ଦମନ କରି ସର୍ବଦା ଗୁରୁସେବାରେ ରହିଥାନ୍ତି । ୭୯ । ଯେଉଁମାନେ ସତ୍ତ୍ୱଗୁଣାବଲମ୍ବୀ ଓ ଯେଉଁମାନେ ସଦାଚାରୀ, ଯେ କି ନିଜକୃତ ସତ୍କର୍ମଦ୍ୱାରା ସର୍ବତ୍ର ସତ୍କୃତ ହୁଅନ୍ତି, ସେମାନଙ୍କ ଅନ୍ତଃକରଣରୁ ହିଂସାଦି ଦୋଷମାନେ ତିରୋହିତ ହୁଅନ୍ତି । ୮୦-। ଯେଉଁମାନେ ପଣ୍ଡିତ ହୁଅନ୍ତି, ସେମାନେ ସେହି ପ୍ରାଚୀନ ସଦାଚାରକୁ ଧର୍ମ ବୋଲି ମାନ୍ୟକରି ସ୍ୱର୍ଗଗାମୀ ହୁଅନ୍ତି । ୮୧ । ଯେ ଆସ୍ତିକ, ଅଭିମାନବିହୀନ, ବିପ୍ରସେବାରେ ନିଯୁକ୍ତ, ବେଦୋକ୍ତ ବୃତ୍ତିକୁ ଜାଣନ୍ତି, ସେହି ସନ୍ଥ ସ୍ୱର୍ଗ ଲାଭ କରନ୍ତି । ୮୨ । ବେଦୋକ୍ତ ଧର୍ମ, ଶାସ୍ତ୍ରୋକ୍ତ ଧର୍ମ ଓ ଶିଷ୍ଟାଚାର ଧର୍ମ ଏହି ତିନିକୁ ଶିଷ୍ଟମାନେ ଶିକ୍ଷା କରନ୍ତି । ଯେଉଁମାନେ ବିଦ୍ୟାରେ ପାରଦର୍ଶୀ; ଯେଉଁମାନେ ତୀର୍ଥରେ ଅବଗାହନ କରନ୍ତି; ସର୍ବଭୂତରେ ଦୟା କରନ୍ତି; କାହାରିଠାରେ ହିଂସା କରନ୍ତି ନାହିଁ । ୮୪ । ଯେଉଁମାନେ ନିଷ୍ଠୁର ବାକ୍ୟ ପରିତ୍ୟାଗ କରି ଦ୍ୱିଜାତିର ପ୍ରିୟ କାର୍ଯ୍ୟ କରନ୍ତି, ଯେଉଁମାନେ ଶୁଭାଶୁଭ କର୍ମର ଫଳସଞ୍ଚୟ ବିଷୟ ଅବଗତ ଅଛନ୍ତି, ସେହିମାନେ ଶିଷ୍ଟାଚାରୀ ଓ ଶିଷ୍ଟଜନଙ୍କର ପ୍ରିୟ ।

 

ଯେଉଁମାନେ ନ୍ୟାୟପରାୟଣ, ଗୁଣବାନ୍ ଓ ସବୁପ୍ରାଣୀଙ୍କର ହିତକାମନା କରନ୍ତି, ଯାହାଙ୍କର ସ୍ୱଭାବ ସତ୍ ଓ ସଦ୍‌ଗୁଣ ସମ୍ପନ୍ନ, ସତ୍ପଥଗାମୀ, ଦାତା, ସର୍ବସ୍ୱ ଆପେ ନେବେ ବୋଲି ଇଚ୍ଛା କରନ୍ତି; ଯେଉଁମାନେ ସର୍ବଜନଙ୍କଦ୍ୱାରା ପୂଜନୀୟ ହୁଅନ୍ତି; ଯେଉଁମାନେ ଶାସ୍ତ୍ରସମ୍ପନ୍ନ, ତପସ୍ୱୀ, ସର୍ବଭୁତରେ ଦୟା କରନ୍ତି, ସେହିମାନେ ଶିଷ୍ଟ ଓ ଶିଷ୍ଟଜନମାନେ ତାହାଙ୍କୁ ଶିଷ୍ଟ ବୋଲି କହନ୍ତି । ୮୮ । ସେମାନେ ସର୍ବଦା ଦାନଧର୍ମର ଅନୁଷ୍ଠାନ କରନ୍ତି । ସେମାନେ ଇହକାଳରେ ଐଶ୍ୱର୍ଯ୍ୟ ଓ ପରକାଳରେ ସୁଖମୟ ଲୋକ ଲାଭ କରନ୍ତି । ଯେଉଁମାନେ କଳତ୍ର ଭୃତ୍ୟାଦିଙ୍କର ପୀଡା ଦେଖି ସତତ ଦୁଃଖିତ ହୁଅନ୍ତି, ଯେଉଁମାନେ ସାଧ୍ୟାତୀତ ଦାନ କରନ୍ତି, ସର୍ବଦା ସାଧୁଜନମାନଙ୍କ ସଙ୍ଗରେ ବସତି କରନ୍ତି, ଯେଉଁମାନେ ଲୋକଯାତ୍ରାକୁ, ଧର୍ମକୁ ଓ ଯହିଁରେ ଆପଣାର ମଙ୍ଗଳ ହେବ ତାହାକୁ ଅବେକ୍ଷଣ କରନ୍ତି, ସେହିମାନେ ସାଧୁ ଓ ସେହିମାନେ ଚିରକାଳ ଉନ୍ନତି ଲାଭ କରନ୍ତି । ଯାହାଙ୍କର ହିଂସା, ନିଷ୍ଠୁରତା, କାମ, କପଟତା, ଅଭିମାନ ନାହିଁ, ଯେଉଁମାନେ କାହାରି ସହିତ ଦ୍ରୋହ ନ କରନ୍ତି, ଯେ କି ଧୈର୍ଯ୍ୟଶୀଳ, ତିତିକ୍ଷ ଓ ସର୍ବଭୁତରେ ଦୟାବାନ୍‌, ସେହିମାନେ ସାଧୁ ଓ ଲୋକସାକ୍ଷୀ । ୯୨-। ଦାନ କରିବ, ସଦା ସତ୍ୟ କହିବ, କଦାପି କାହାରି ଅପକାର କରିବ ନାହିଁ– ଏହି ତିନିପ୍ରକାର ବ୍ୟବହାର ସାଧୁଜନମାନଙ୍କର ସମ୍ପଦ ଅଟେ । ଶିଷ୍ଟାଚାର ସମ୍ପନ୍ନ ମହାତ୍ମା ଜନ ସବୁଠାରେ ଦୟା କରନ୍ତି । ସେମାନେ କରୁଣାବାନ, ଅର୍ଥାତ୍ କାହାରି ଦୁଃଖ ସହିପାରନ୍ତି ନାହିଁ । ସେମାନେ ସନ୍ତୁଷ୍ଟ ହୋଇ ଉତ୍ତମ ଧର୍ମପଥର ଅନୁସରଣ କରନ୍ତି । ୯୫ । ଅକ୍ରୋଧ, କ୍ଷମା, ଶାନ୍ତି, ସନ୍ତୋଷ, ପ୍ରିୟବଚନ କହିବା, କାମକ୍ରୋଧକୁ ତ୍ୟାଗ କରିବା, ଶାସ୍ତ୍ରବିଦିତ କର୍ମକୁ ଆଚରଣ କରିବା–ଏହିପରି ଧର୍ମାନୁସାରୀ ବ୍ୟକ୍ତିଙ୍କୁ ଶିଷ୍ଟାଚାରୀ ବୋଲାଯାଏ । ୯୭ । ହେ ଦ୍ୱିଜ ସତ୍ତମ ! ଜ୍ଞାନର ପ୍ରାସାଦରେ ଆରୋହଣ କରି ବିବିଧ ଲୋକମାନଙ୍କ ଆଚାରକୁ ପର୍ଯ୍ୟବେକ୍ଷଣପୂର୍ବକ ପାପପୁଣ୍ୟର ଆଲୋଚନାଦ୍ୱାରା ସାଧୁମାନେ ମହତ ଭୟରୁ ବିମୁକ୍ତ ହୁଅନ୍ତି । ହେ ବ୍ରହ୍ମନ୍‌ ! ଦ୍ୱିଜବର ! ଆମ୍ଭେ ଯେତେ ଦୂର ଜାଣୁ, ଏହି ଶିଷ୍ଟାଚାର ପ୍ରସଙ୍ଗରେ ତାହାସବୁ ଆପଣଙ୍କୁ ନିବେଦନ କଲୁ । ୯୯ ।

 

Unknown

॥ ଅଧ୍ୟାୟ – ୨୦୮ ॥

 

ମାର୍କଣ୍ଡେୟ କହିଲେ– ହେ ଯୁଧିଷ୍ଠିର, ତଦନନ୍ତର ଧର୍ମବ୍ୟାଧ ବ୍ରାହ୍ମଣଙ୍କୁ ସମ୍ବୋଧନ କରି କହିଲା– ହେ ବ୍ରାହ୍ମଣ, ଆମ୍ଭେ ଯେଉଁ କର୍ମ କରୁ ତାହା ଅବଶ୍ୟ ଭୟାବହ; ତହିଁରେ କୌଣସି ସନ୍ଦେହ ନାହିଁ । ୧ । କିନ୍ତୁ ବିଧାତାଙ୍କ ପ୍ରଭାବ ଅସୀମ । ବିଶେଷରେ ପୂର୍ବଜନ୍ମର କର୍ମଫଳକୁ ଅତିକ୍ରମ କରିବା କାହାରି ସାଧ୍ୟ ନୁହେଁ । ସୁତରାଂ ଆମ୍ଭେ ଯେ ମନ୍ଦ କର୍ମ ଅନୁଷ୍ଠାନ କରିଅଛୁ, ତାହା ପୂର୍ବଜନ୍ମର ପାପର ପରିଣାମ ଅଟେ । ୨ । ହେ ବ୍ରହ୍ମନ୍‌ ! ଆମ୍ଭେ ସେହି ଦୋଷକୁ ପରିତ୍ୟାଗ କରିବା ନିମିତ୍ତ ଯତ୍ନ କରୁଅଛୁ । ବିଧାତା ପ୍ରଥମେ ପ୍ରାଣୀମାନଙ୍କର ପ୍ରାଣହରଣ କରନ୍ତି । ପରେ ଘାତକ କେବଳ ନିମିତ୍ତ ମାତ୍ର ହୁଏ । ୩ । ଅତଏବ ଆମ୍ଭେମାନେ ମଧ୍ୟ ପଶୁବଧରେ ନିମିତ୍ତ ହୋଇଅଛୁ ।

 

ହେ ଦ୍ୱିଜ ! ଆମ୍ଭେମାନେ ଯେଉଁ ମାଂସ ବିକ୍ରୟ କରୁ, ତାହା ଭକ୍ଷଣ କଲେ ଧର୍ମ ହୁଏ । କାରଣ ତଦ୍ଦ୍ୱାରା ଅତିଥି, ଭୃତ୍ୟ ଓ ପିତୃଲୋକଙ୍କର ସନ୍ତୋଷ ହୁଏ । ୫ । ହେ ବିପ୍ର ! ଆହୁରି ଶୁଣନ୍ତୁ; ଔଷଧ, ଲତା, ପଶୁ, ମୃଗ ଓ ପକ୍ଷୀ, ଯାହାକୁ ଲୋକେ ଭକ୍ଷଣ କରନ୍ତି, ତାହା ମଧ୍ୟ ବେଦବିହିତ ଅଟେ । ୬ । ଉଶୀନରଙ୍କ ପୁତ୍ର ଶିବି ଆପଣା ମାଂସ ପ୍ରଦାନ କରି ଦୁଲ୍ଲର୍ଭ ସ୍ୱର୍ଗଲୋକ ପ୍ରାପ୍ତ ହୋଇଥିଲେ । ୭ । ପୂର୍ବେ ରାଜର୍ଷି ରନ୍ତି ଦେବଙ୍କ ପାକଶାଳାରେ ପ୍ରତ୍ୟହ ଦୁଇ ସହସ୍ର ଗୋବଧ ହେଉଥିଲା । ହେ ଦ୍ୱିଜବର ! ସେ ପ୍ରତ୍ୟହ ମାଂସ ସହିତ ଅନ୍ନ ଦାନ କରୁଥିଲେ ବୋଲି ଅସୀମ କୀର୍ତ୍ତି ଲାଭ କରିଥିଲେ । ଚତୁର୍ମାସ୍ୟାରେ ପଶୁବଧ କରିବାର ବିଧାନ ଅଛି । ୧୦ । ବେଦରେ ମଧ୍ୟ କଥିତ ଅଛି ଯେ ଅଗ୍ନି ମାଂସାଭିଳାଷୀ ଅଟନ୍ତି । ଅତଏବ ଦ୍ୱିଜମାନେ ଯଜ୍ଞରେ ସର୍ବଦା ପଶୁବଧ କରନ୍ତି । ୧୧ । ସେହି ସବୁ ପଶୁ ମନ୍ତ୍ରଦ୍ୱାରା ସଂସ୍କୃତ ହେବାରୁ ସ୍ୱର୍ଗଲାଭ କରନ୍ତି । ହେ ଦ୍ୱିଜବର ! ଅଗ୍ନି ଯେବେ ମାଂସକାମୀ ହୋଇନଥାନ୍ତେ, ତେବେ କେହି ମାଂସ ଭକ୍ଷଣ କରନ୍ତେ ନାହିଁ । ୧୩ । ଆହୁରି ମୁନିମାନେ ମାଂସ ଭକ୍ଷଣରେ ଏହି ରୂପ ବିଧି କରିଅଛନ୍ତି ଯେ ଯଦି କେହି ଶ୍ରାଦ୍ଧରେ ଦେବତା ଓ ପିତୃଲୋକଙ୍କୁ ବିଧିପୂର୍ବକ ମାଂସ ଦାନ କରନ୍ତି ଓ ପରେ ଭୋଜନ କରନ୍ତି, ତେବେ ସେ ମାଂସ ଭକ୍ଷଣରେ ତାହାଙ୍କର ଦୋଷ ହୁଏନାହିଁ । ୧୪ । ପ୍ରକୃତରେ ବେଦବିଧି ଅନୁସାରେ ସେହି ବ୍ୟକ୍ତି ମାଂସ ଭକ୍ଷଣ ନ କରେ ବୋଲି ବୋଲାଯାଏ । ଯେପରି ବ୍ରାହ୍ମଣ ବ୍ରହ୍ମଚାରୀ ହୋଇ ତାହାର ସ୍ତ୍ରୀ ସହିତ ଋତୁକାଳରେ ସମ୍ଭୋଗ କଲେ ବ୍ରହ୍ମଚାରୀପଣର ହାନି ହୁଏନାହିଁ, ସେହିପରି ବିଧି ବିବେଚନା କରି ମାଂସ ଭକ୍ଷଣ କଲେ କୌଣସି ହାନି ନାହିଁ । ସୌଦାସ ନରପତି ଶାପଗ୍ରସ୍ତ ହୋଇ ଯେ ବହୁ ସଂଖ୍ୟକ ମନୁଷ୍ୟ ଭକ୍ଷଣ କରିଥିଲେ, ସେ କାର୍ଯ୍ୟ ଅତିଶୟ ଦୂଷଣୀୟ ବୋଧହୁଏ । ୧୬-

 

ହେ ଦ୍ୱିଜସତ୍ତମ ! ମାଂସ ବିକ୍ରୟକୁ ଆମ୍ଭେ ସ୍ୱକୀୟ ଧର୍ମ ଜାଣି ଏହି କାର୍ଯ୍ୟ ପରିତ୍ୟାଗ କରୁନାହୁଁ । ପୂର୍ବଜନ୍ମ କୃତକର୍ମର ଫଳ ବୋଲି ତାହାଦ୍ୱାରା ଜୀବିକାନିର୍ବାହ କରୁଅଛୁ । ହେ ବ୍ରହ୍ମନ୍‌ ! ଆହୁରି ଦେଖିବା ହେଉନ୍ତୁ, ସ୍ୱଧର୍ମ ପରିପାଳନରେ ପୃଣ୍ୟ ଓ ସ୍ୱଧର୍ମକୁ ଅବଜ୍ଞା କଲେ ପ୍ରତ୍ୟବାୟ ସଞ୍ଚିତ ହୁଏ । ୧୮ । ପୂର୍ବକୃତ କର୍ମ ପ୍ରାଣୀକୁ ପରିତ୍ୟାଗ କରେ ନାହିଁ । ଜନ୍ମାନ୍ତର କର୍ମର ଫଳ ଅବଶ୍ୟ ଭୋଗ କରିବାକୁ ହୁଏ । ଏହି ନିୟମକୁ ବିଧାତା ବିଶେଷରୂପେ ପ୍ରତିପନ୍ନ କରିଅଛନ୍ତି । କେଉଁ କର୍ମ କଲେ ମଙ୍ଗଳ ହେବ ଓ କ’ଣ କଲେ ପରାଭବ ନହେବ, ଏହି ବିଷୟ ପର୍ଯ୍ୟାଲୋଚନା କରିବା କ୍ରୂର ବ୍ୟକ୍ତିଙ୍କ ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ । ୨୦ । ଏହିରୂପେ ସେହି ଘୋର କର୍ମର ବହୁପ୍ରକାର ନିର୍ଣ୍ଣୟ ସଂଶୋଧିତ ହୋଇପାରେ । ଆମ୍ଭେ ଦାନ, ସତ୍ୟକଥନ, ଗୁରୁସେବା ଓ ବ୍ରାହ୍ମଣଙ୍କ ସେବାରେ ନିରନ୍ତର ନିଯୁକ୍ତ ଅଛୁ । ଆମ୍ଭ ମନରେ ଅଭିମାନ ନାହିଁ । ଆମ୍ଭେ କାହାର ନିନ୍ଦା କରୁନାହିଁ । ପରର ନିନ୍ଦାକରିବା ଆମ୍ଭ ସ୍ୱଭାବର ସମ୍ପୂର୍ଣ୍ଣରୂପେ ବିରୁଦ୍ଧ ଅଟେ । ୨୨ । ଅନେକ ଲୋକ କୃଷିକର୍ମକଚ ସାଧୁଜନଙ୍କ ବୃତ୍ତି ବୋଲି ବୋଲନ୍ତି; କିନ୍ତୁ ତହିଁରେ ମଧ୍ୟ ବହୁସଂଖ୍ୟକ ପ୍ରାଣୀ ହିଂସା ହୁଏ । ଏଥିରେ ତୁମ୍ଭର କି ବୋଧ ହେଉଅଛି ? ଧାନ୍ୟାଦିର ବୀଜ ସମୁଦାୟ ଜୀବନିକର ବୋଲି ଉକ୍ତ ହୁଏ । ଏଥିରୁ ଆଉ କି ବୋଧ କରିପାର ? ଲୋକେ ପଶୁମାନଙ୍କୁ ଆକ୍ରମଣ କରି ବିନଷ୍ଟ ଓ ଭକ୍ଷଣ କରନ୍ତି, ବୃକ୍ଷ ଓ ଔଷଧିମାନଙ୍କୁ ଛେଦନ କରନ୍ତି ।

 

ହେ ବ୍ରହ୍ମନ୍‌ ! ବୃକ୍ଷ, ଫଳ ଓ ଜଳ ସର୍ବତ୍ର ଅସଂଖ୍ୟ ଜୀବ ବାସକରନ୍ତି । ବାସ୍ତବରେ ଏହି ପୃଥିବୀର ସର୍ବସ୍ଥାନରେ ପ୍ରାଣୀମାନେ ପରିପୂର୍ଣ୍ଣ ହୋଇ ରହିଅଛନ୍ତି । ୨୭ । ହେ ଦ୍ୱିଜସତ୍ତମ ! ଅନେକ ପ୍ରାଣୀ ଅପର ପ୍ରାଣୀଙ୍କୁ ଭକ୍ଷଣକରି ଜୀବନଧାରଣ କରନ୍ତି । ଏପରି ମଧ୍ୟ ଦେଖାଯାଏ ଯେ ସ୍ୱଜାତୀୟ ପ୍ରାଣୀମାନେ ପରସ୍ପରକୁ ଭକ୍ଷଣ କରି ଜୀବନଧାରଣ କରନ୍ତି । ବୃହତ୍ ମତ୍ସ୍ୟମାନେ କ୍ଷୁଦ୍ର ମତ୍ସ୍ୟ ଭକ୍ଷଣ କରନ୍ତି । ଏଥି ଉତ୍ତାରୁ ତୁମ୍ଭର ଆଉ କି ପ୍ରତୀତି ହେଉଅଛି ? ହେ ବିପ୍ରେନ୍ଦ୍ର ! ମନୁଷ୍ୟମାନେ ଗମନାଗମନ କଲାବେଳେ ପଦଦ୍ୱାରା ଧରଣୀତଳସ୍ଥିତ ଅନେକ ଜୀବଙ୍କୁ ସଂହାର କରନ୍ତି । ଯେଉଁମାନେ ଜ୍ଞାନ ଓ ବିଜ୍ଞାନସମ୍ପନ୍ନ, ସେମାନେ ମଧ୍ୟ ଶୟନ କଲାବେଳେ ଓ ଉପବେଶନ କାଳରେ କେତେକ ସଂଖ୍ୟକ ଜୀବଙ୍କୁ ନଷ୍ଟ ନ କରନ୍ତି ? ଅତଏବ ଏଥିରୁ ତୁମ୍ଭର କି ବୋଧହୁଏ ? ଏହି ନିଖିଳ ଭୂମଣ୍ଡଳ ଓ ଆକାଶ ଜୀବସମୂହରେ ପରିପୂର୍ଣ୍ଣ । ଅତଏବ ଏପରିସ୍ଥଳରେ ଅଜ୍ଞତାବଶରୁ କେତେ ପ୍ରାଣୀ ବିନଷ୍ଟ ନ ହୁଅନ୍ତି ? ଏଥିରୁ ତୁମ୍ଭର କି ବୋଧ ହେଉଅଛି ? ପୂର୍ବକାଳରେ ମହାତ୍ମାମାନେ ଅହିଂସାର ମାହାତ୍ମ୍ୟ କୀର୍ତ୍ତନ କରିଅଛନ୍ତି ?

 

କିନ୍ତୁ ଏହି ପୃଥିବୀରେ କିଏ ପ୍ରାଣୀବଧ ନ କରେ ? ଏହିରୂପ ବିବେଚନା କରି ଦେଖିଲେ, ସ୍ପଷ୍ଟ ବୋଧହେବ ଯେ ପୃଥିବୀର କେହି ଅହିଂସକ ନାହିଁ । ୩୩ । ହେ ଦ୍ୱିଜବର ! ଅହିଂସାପରାୟଣ ଯତିମାନେ ସୁଦ୍ଧା ହିଂସା କରନ୍ତି, କିନ୍ତୁ ସେମାନେ ନିୟତ ସାବଧାନ ଥାଆନ୍ତି ବୋଲି ହିଂସା ଦ୍ୱେଷରେ ଅଳ୍ପ ପରିମାଣରେ ଦୋଷୀ ହୁଅନ୍ତି । ୩୪ । ସଦ୍‌ବଂଶଜାତ, ଗୁଣବାନ୍ ପୁରୁଷମାନେ ନାନାବିଧ ନିନ୍ଦନୀୟ କର୍ମକରି ସୁଦ୍ଧା ଲଜ୍ଜିତ ହୁଅନ୍ତି ନାହିଁ । ୩୫ । ଯେରୂପେ ମିତ୍ର ମିତ୍ରକୁ ଅଭିନନ୍ଦନ କରେ ନାହିଁ, ଶତ୍ରୁ ଶତ୍ରୁକୁ ସମାଦର କରେ ନାହିଁ ଓ ଯେପରି ସମୃଦ୍ଧ ବ୍ୟକ୍ତି ଆପଣାର ବାନ୍ଧବଙ୍କୁ ଅନାଦର କରେ, ସେହିପରି ପଣ୍ଡିତ ଓ ମୂଢ଼ ଜନଙ୍କ ମଧ୍ୟରେ ପରସ୍ପର ଅନାଦର ଲକ୍ଷିତ ହୁଏ । ପଣ୍ଡିତଭିମାନୀ ମୃଢ ବ୍ୟକ୍ତିମାନେ ଗୁରୁଜନମାନଙ୍କର ସୁଦ୍ଧା ନିନ୍ଦା କରନ୍ତି । ୩୭ । ହେ ଦ୍ୱିଜବର ! ଏହିପରି ବିପର୍ଯ୍ୟୟ ହେତୁରୁ ଧର୍ମାଧର୍ମ ମଧ୍ୟ ବିପର୍ଯ୍ୟସ୍ତ ହୁଏ; ଅଥାତ୍ ଧର୍ମ ଅଧର୍ମ ପ୍ରାୟ ବୋଧହୁଏ ଓ ଅଧର୍ମ ଧର୍ମ ପ୍ରାୟ ବୋଧହୁଏ । ଏଥିରେ ତୁମ୍ଭେ କ’ଣ ସ୍ଥିର କରୁଅଛ । ୩୮ । ବାସ୍ତବରେ କେଉଁ କର୍ମ ଧର୍ମସମ୍ମତ ଓ କିଏ ଅଧର୍ମରୁ ଜାତ, ଏହା ବିସ୍ତୃତରୂପେ ବର୍ଣ୍ଣନା କରାଯାଇପାରେ; କିନ୍ତୁ ଯେ ସ୍ୱର୍କମରେ ଲିପ୍ତ ଥାଆନ୍ତି, ସେ ଅସୀମ ଯଶସ୍ୱୀ ହୁଅନ୍ତି । ୩୯ ।

 

॥ ଅଧ୍ୟାୟ – ୨୦୯ ॥

 

ମାର୍କଣ୍ଡେୟ କହିଲେ– ହେ ଯୁଧିଷ୍ଠିର ! କୁଶିକ ଗୋତ୍ରର ସେହି ବ୍ରାହ୍ମଣ ନିପୁଣ ଥିଲେ ହେଁ ଧାର୍ମିକଶ୍ରେଷ୍ଠ ଧର୍ମବ୍ୟାଧ ପୁନର୍ବାର ତାହାଙ୍କୁ କହିଲେ, ୧ । ବୃଦ୍ଧମାନେ କହନ୍ତି, ଧର୍ମ ବିଷୟରେ ଶ୍ରୁତ ପ୍ରମାଣ ଅଟେ । ଧର୍ମର ଗତି ଅତି ସୂକ୍ଷ୍ମ, ଅଥଚ ସେହି ଧର୍ମର କେତେ ଶାଖା ତାହା ମଧ୍ୟ ଅସଂଖ୍ୟ । ୨ । ପ୍ରାଣସଂଶୟ ବେଳେ ଓ ବିବାହରେ ମିଥ୍ୟା କଥା ଦୋଷଜନକ ହୁଏନାହିଁ । ଏପରିସ୍ଥଳେ ମିଥ୍ୟା କଥା କହିବା ସତ୍ୟ ହୁଏ ଓ ସତ୍ୟ କଥା କହିବା ମିଥ୍ୟା ହୁଏ; ଅର୍ଥାତ୍ ଅଧର୍ମଜନକ ହୁଏ । ୩ । ଅତଏବ ସାଧୁମାନେ କହିଅଛନ୍ତି ଯେ ଯାହା ପ୍ରାଣୀମାନଙ୍କର ହିତକର, ସେହି ଏକା ସତ୍ୟସୂରୂପ ଓ ଧର୍ମସମ୍ମତ ହୁଏ । ଅତଏବ ଦେଖିବା ହେଉନ୍ତୁ, ଧର୍ମର ଗତି କେଡେ ସୂକ୍ଷ୍ମ ! ଅଧର୍ମ ମଧ୍ୟ ଧର୍ମସ୍ୱରୂପ ପରିଗଣିତ ହେଲା । ୪ । ଲୋକେ ଯେତେ ଶୁଭ କି ଅଶୁଭ କର୍ମ କରନ୍ତି, ପରିଣାମରେ ସେମାନେ ଅବଶ୍ୟ ତାହାର ଫଳ ଭୋଗ କରନ୍ତି । ୫ । ଅନଭିଜ୍ଞ ବ୍ୟକ୍ତିମାନେ ଦୁଃଖଦଶା ପ୍ରାପ୍ତ ହେଲେ, ଦେବଗଣଙ୍କ ପ୍ରତି ଦୋଷାରୋପ କରି ସେମାନଙ୍କୁ ନିନ୍ଦା କରନ୍ତି । କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ନିଜ ଦୋଷରୁ ତାଦୃଶ ଫଳ ଭୋଗ କରୁଅଛନ୍ତି । ୬ । ମୂଢ଼, ଶଠ, ଯେଉଁ ବ୍ୟକ୍ତିମାନଙ୍କର ସ୍ୱଭାବ ଚଞ୍ଚଳ, ସେମାନେ ସର୍ବସମୟରେ ସୁଖ ଓ ଦୁଃଖର ବିପର୍ଯ୍ୟୟ ଭୋଗକରନ୍ତି; ଅର୍ଥାତ୍ ସୁଖ ସ୍ଥଳରେ ଦୁଃଖ ଓ ଦୁଃଖ ସ୍ଥଳରେ ସୁଖପ୍ରାପ୍ତ ହୁଅନ୍ତି । ଏହିପରି ବ୍ୟକ୍ତିମାନଙ୍କୁ ପ୍ରଜ୍ଞା, ଅଥବା ସୁନୀତି ଓ ପୌରୁଷ କେହି ପରିତ୍ରାଣ କରିପାରନ୍ତି ନାହିଁ । ପୁରୁଷକାରର ଫଳ ଯେବେ ସ୍ୱାଧୀନ ହୋଇଥାନ୍ତା, ତାହାହେଲେ ସମସ୍ତେ ନିଜ ନିଜ ମନୋରଥକୁ ଚିରତାର୍ଥ କରିପାରନ୍ତେ । ଏହି କାରଣରୁ ଜିତେନ୍ଦ୍ରିୟ, ବୁଦ୍ଧି ସମ୍ପନ୍ନ ଓ କାର୍ଯ୍ୟରେ କୁଶଳ ସାଧୁବ୍ୟକ୍ତିମାନେ ସୁଦ୍ଧା ସ୍ୱ ସ୍ୱ କର୍ମର ଅଭିପ୍ରେତ ଫଳରୁ ବଞ୍ଚିତ ହୁଅନ୍ତି ।

 

ପୁନଶ୍ଚ ଯେଉଁମାନେ ସର୍ବଦା ହିଂସା ଓ ପ୍ରତାରଣାରେ ସମୟ କ୍ଷେପଣ କରନ୍ତି, ସେମାନେ ମଧ୍ୟ ସୁଖରେ କାଳାତିପାତ କରିବାର ଦୃଶ୍ୟ ହୁଏ । କେହି କେହି ଏପରି ଅଛନ୍ତି ଯେ ସେମାନେ କୌଣସି ଚେଷ୍ଟା ନ କରି ସୁଦ୍ଧା ଧନଶାଳୀ ହୁଅନ୍ତି । ୧୧ । କେହି ଅବା କର୍ମ କରି ସୁଦ୍ଧା ଦ୍ରବ୍ୟ ଲାଭ କରିପାରନ୍ତି ନାହିଁ । କେତେ ଶତ ବ୍ୟକ୍ତି ପୁତ୍ର କାମନାରେ ଦେବପୂଜା ଓ ତପାନୁଷ୍ଠାନ କରନ୍ତି ନାହିଁ; କିନ୍ତୁ ପରିଶେଷରେ ସେମାନଙ୍କର ପୁତ୍ର ନିକର ଦଶମାସ ଗର୍ଭରେ ଥାଇ ଭୂମିଷ୍ଠ ହୋଇ କୁଳାଙ୍ଗାର ହୁଅନ୍ତି । କେହି ଅବା ପିତାଙ୍କ ତପସ୍ୟାଦ୍ୱାରା ଜନ୍ମଗ୍ରହଣ କରି ପିତୃସଞ୍ଚିତ ଧନ, ଧାନ୍ୟ ଓ ବିପୁଳ ଲକ୍ଷ୍ମୀଙ୍କୁ ଭୋଗ କରନ୍ତି । ୧୩ । ହେ ବିପ୍ର ! ବ୍ୟାଧିମାନେ ମନୁଷ୍ୟଙ୍କ କର୍ମର ଫଳରୁ ଜାତ ହୁଅନ୍ତି, ଏଥିରେ ସଂଶୟ ନାହିଁ । ୧୪ । ଅତଏବ ନିଜର କର୍ମାନୁସାରେ ମନୁଷ୍ୟମାନେ ଫଳର ଅଧିକାରୀ ହୁଅନ୍ତି । ବ୍ୟାଧମାନେ ଯେପରି ସାମାନ୍ୟ ହରିଣକୁ ନିହତ କରନ୍ତି, ସେହିପରି ବୈଦ୍ୟମାନେ ବହୁବିଧ ଔଷଧ ସଂଗ୍ରହ କରି ଚିକିତ୍ସାଦ୍ୱାରା ବ୍ୟାଧିମାନଙ୍କୁ ନିବାରଣ କରନ୍ତି । ୧୫ ।

 

କିନ୍ତୁ ହେ ଧାର୍ମିକ ବର ! ଦେଖିବା ହେଉନ୍ତୁ, କାହାରି ଭୋଗିବାକୁ ସମ୍ପତ୍ତି ଥିଲେ ହେଁ ରୋଗର ଅଧୀନ ହୋଇ ସେ ସମ୍ପତ୍ତି ଭୋଗ କରିବାକୁ ସମର୍ଥ ହୁଏ ନାହିଁ । ହେ ବିପ୍ରବର ! ପୁନର୍ବାର ଅନେକ ଲୋକ ବଳଶାଳୀ ହୋଇ ସୁଦ୍ଧା କ୍ଳେଶ ପାଆନ୍ତି ଓ ଦୁଃଖରେ ଭୋଜନ ଲାଭ କରନ୍ତି । ପ୍ରକୃତରେ ମନୁଷ୍ୟମାନେ ଅସହାୟ ହୋଇ ଶୋକରେ ଓ ମୋହରେ ଭାସୁଥାଆନ୍ତି । କର୍ମଫଳ ପ୍ରବଳ ହୋଇ ସେମାନଙ୍କୁ ସଂସାର ପ୍ରଭାବରେ ନିକ୍ଷିପ୍ତ କରି ଭସାଇ ନେଇଯାଏ । ଯଦି ସ୍ୱାଧୀନତା ଥାନ୍ତା, ତେବେ ଜରାମରଣ କାହାରିକୁ ଆକ୍ରମଣ କରିପାରନ୍ତେ ନାହିଁ । ୧୯ । କର୍ମଫଳ ନିଜର ବଶବର୍ତ୍ତୀ ହୋଇଥିଲେ, କେହି ଅପ୍ରିୟ ଲାଭ ଇଚ୍ଛାରେ ପ୍ରତୀକ୍ଷା କରନ୍ତେ ନାହିଁ । ପ୍ରିୟ ଇଚ୍ଛାରେ ରହି ପରିଣାମରେ ଅପ୍ରିୟସଂଯୁକ୍ତ ହୁଅନ୍ତି; ପ୍ରକୃତରେ ସମସ୍ତେ ସର୍ବପ୍ରକାର ମନୋରଥକୁ ଚରିତାର୍ଥ କରନ୍ତେ । ସମସ୍ତେ ଲୋକର ଉପରକୁ ଗମନ କରିବାକୁ ଅଭିଳାଷୀ ହୁଅନ୍ତି ଓ ତନ୍ନିମିତ୍ତ ସାଧ୍ୟାନୁସାରେ ଯତ୍ନ କରନ୍ତି; କିନ୍ତୁ କାର୍ଯ୍ୟରେ ଅଭିପ୍ରେତ ଫଳ ଘଟେ ନାହିଁ । ୨୦ । ଏକ ଶୁଭ ନକ୍ଷତ୍ରରେ ଓ ଶୁଭ ଲଗ୍ନରେ ଜାତ ହୋଇ ସୁଦ୍ଧା କର୍ମବିପାକାନୁସାରେ ପୃଥକ୍ ପୃଥକ୍ ଫଳଭୋଗୀ ହୁଅନ୍ତି । ୨୧ । ହେ ଦ୍ୱିଜୋତ୍ତମ ! କୌଣସି ବ୍ୟକ୍ତି ନିଜ ଶୁଭାଶୁଭର ନିୟନ୍ତା ହୋଇ ନପାରେ । ପୂର୍ବକୃତ କର୍ମ୍ମମାନ ଇହଲୋକର ଶୁଭାଶୁଭ ବିଧାନ କରେ । ୨୨ । ହେ ବ୍ରହ୍ମନ୍‌ ! ବେଦରେ ଉକ୍ତ ଅଛି ଯେ ଇହଲୋକରେ ପ୍ରାଣୀମାନଙ୍କର ଦେହ ଅନିତ୍ୟ ଅଟେ, କେବଳ ଜୀବ ଏକମାତ୍ର ନିତ୍ୟ । ୨୩ । ଶରୀର ନଷ୍ଟ ହେଲେ କେବଳ ଦେହ ନଷ୍ଟ ହୁଏ । ଜୀବ କର୍ମ୍ମବନ୍ଧରେ ବଦ୍ଧ ହୋଇ ଅନ୍ୟ ଦେହରେ ବିନଷ୍ଟ ହୁଏ । ୨୪ ।

 

ବ୍ରାହ୍ମଣ ବୋଇଲେ– ହେ କର୍ମଜ୍ଞଶ୍ରେଷ୍ଠ ! ଜୀବ କେଉଁ ପ୍ରକାରେ ନିତ୍ୟ, ଆମ୍ଭେ ତାହା ଯଥାବତ୍ ଜାଣିବାକୁ ଇଚ୍ଛା କରୁଅଛୁଁ । ୨୫ । ବ୍ୟାଧ କହିଲେ, ଦେହ ନାଶ ହେଲେ ଜୀବର ବିନାଶ ହୁଏ ନାହିଁ । ଯେଉଁ ମୂଢ଼ମାନେ କହନ୍ତି, ଜୀବ ମୃତ ହୁଏ, ସେ କଥା ମିଥ୍ୟା । ଜୀବ ଦେହରୁ ଅନ୍ତରିତ ହୋଇ ଗମନ କରେ । ଶରୀରଠାରୁ ଭିନ୍ନ ହେବା ତାହାର ମୃତ୍ୟୁ । ୨୬ । ମନୁଷ୍ୟ ଲୋକରେ କୃତକର୍ମ୍ମର ଫଳକୁ ଅନ୍ୟକେହି ଭୋଗ କରେ ନାହିଁ । ଅଳ୍ପ କର୍ମ ହେଲେ ହେଁ ଯେ ତାହାକୁ କରିଥାଏ, ସେ ଫଳ ଭୋଗ କରେ । କୃତକର୍ମ କଦାପି ନଷ୍ଟ ହୁଏ ନାହିଁ । ୨୭ । ପୁଣ୍ୟକର୍ମ୍ମକାରୀ ପୁଣ୍ୟଶୀଳ ହୁଅନ୍ତି ଓ ପାପକର୍ମ୍ମକାରୀମାନେ ନରାଧମ ହୁଅନ୍ତି । ସ୍ୱକୀୟ କର୍ମ୍ମମାନ ମନୁଷ୍ୟର ଅନୁଗାମୀ ହୁଅନ୍ତି । ପଶ୍ଚାତ୍ ସେହି କର୍ମ୍ମମାନ ଜୀବକୁ ପୁନର୍ବାର ଇହଲୋକରେ ଜନ୍ମଗ୍ରହଣ କରନ୍ତି । ୨୮ ।

 

ବ୍ରାହ୍ମଣ କହିଲେ– ହେ ସତ୍ତମ ! କି ନିମିତ୍ତ ଜୀବ ଜାତ ହୁଏ ? କି ନିମିତ୍ତ ସେହି ଜୀବ ପୁଣ୍ୟଶୀଳ ଗୃହରେ ଅଥବା ପାପ ଯୋନିରେ ଜନ୍ମଗ୍ରହଣ କରେ ? କି କାରଣରୁ ସେହି ଜୀବ ପୁଣ୍ୟ ଜାତିରେ ଅଥବା ପାପ ଜାତିରେ ଜାତ ହୁଏ ? ୨୯ । ବ୍ୟାଧ କହିଲେ, ହେ ଦ୍ୱିଜୋତ୍ତମ ! ତହିଁର କାରଣ ସଂକ୍ଷେପରେ ଆମ୍ଭେ ଶୀଘ୍ର କହିବୁ; ଆପଣ ଶ୍ରବଣ କରନ୍ତୁ । ଜନ୍ମର ବିଷୟ ପିଣ୍ଡୋତ୍ପତ୍ତି ପ୍ରକାଶକ ଗ୍ରନ୍ଥରେ ବିଶେଷରୂପେ ବର୍ଣ୍ଣିତ ଅଛି; କିନ୍ତୁ ଆପାତତଃ ଦୃଶ୍ୟ ହେଉଅଛି ଯେ, ଗର୍ଭାଧାନ କାଳରେ ପୂର୍ବଜ୍ମନର କର୍ମଫଳ ସମ୍ବଳିତ ହୁଏ । ୩୦ । ସେହି ସମୟରେ କର୍ମଫଳର ଜୀବକୁ ସଞ୍ଚୟ କରି ପୁନର୍ବାର ଜାତ ହୁଏ । ଶୁଭାଶୁଭ ମିଶ୍ରିତ କର୍ମଫଳ ଘେନି ମନୁଷ୍ୟ ଯୋନିରେ ଓ ନିରନ୍ତର ଶୁଭକର୍ମ୍ମ କରିଥିଲେ ତାହାର ଫଳସୂରୂପ ତିର୍ଯ୍ୟକ୍ ଯୋନିରେ ନିରନ୍ତର ଜନ୍ମ ହୁଏ । ଯେ ନିତାନ୍ତ ପାପାଚାରୀ ହୋଇଥାଏ, ସେ ନିରୟାଗାମୀ ହୁଏ । ୩୨ । ମନୁଷ୍ୟ ନିଜକୃତ ଦୋଷରେ ଅଭିଯୁକ୍ତ ହୁଏ; ଅର୍ଥାତ୍ ତାହାର ନିଜର କୌଣସି କ୍ଷମତା ନ ଥାଏ । ସେହି କର୍ମଦୋଷର ଅଧୀନ ହୋଇ ଜାତି ମୃତ୍ୟୁ ଓ ଦୁଃଖରେ ପଡି ପଚି ଏହି ସଂସାରରେ ସଞ୍ଚରଣ କରେ । ୩୩ । ଜୀବମାନେ କର୍ମବନ୍ଧରେ ନିବଦ୍ଧ ହୋଇ ସହସ୍ର ସହସ୍ର ତିର୍ଯ୍ୟକ୍ ଯୋନିରେ ଓ ନରକରେ ଭ୍ରମଣ କରନ୍ତି । ଜୀବମାନେ କାଳଗ୍ରାସରେ ନିପତିତ ହୋଇ ଆପଣା କୃତ ଅଶୁଭ କର୍ମଦ୍ୱାରା ପରଲୋକରେ ଦୁଃଖ ଲାଭ କରନ୍ତି ଓ ସେହି ଦୁଃଖ ଭୋଗ କରିବା ନିମିତ୍ତ ଅଶୁଭ ଯୋନିରେ ଜାତ ହୁଅନ୍ତି । ୩୫ । ତଦନନ୍ତର ଅନ୍ୟାନ୍ୟ ବହୁସଂଖ୍ୟକ ଅଭିନବ ପାପ ଯୋନିରେ ପୁନର୍ବାର ଜାତ ହୁଅନ୍ତି । ରୋଗୀ ବ୍ୟକ୍ତି ଆତୁର ହୋଇ ଯେପରି ଅପଥ୍ୟ ଭକ୍ଷଣ କରେ, ରୋଗକୁ ଅଧିକ ବର୍ଦ୍ଧିତ କରେ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ହୁଏ, ସେହିପରି ପାପକାରୀ ପାପ ଯୋନିରେ ନବ ନବ ପାପ କରି ତାହାର ଭୋଗ ନିମିତ୍ତ ତଦନୁରୂପ ଯୋନିରେ ଜାତ ହୁଅନ୍ତି ।

 

ଇହଲୋକରେ ଦୁଃଖାର୍ତ୍ତ ବ୍ୟକ୍ତିଙ୍କର ସଂଖ୍ୟା ଅଧିକ । ଯେଉଁମାନଙ୍କୁ ସୁଖୀ ବୋଲି ବୋଧ ହୁଏ, ବିଶେଷ ଅନୁସନ୍ଧାନ କରି ଦେଖିଲେ,ସେମାନଙ୍କର ସୁଖ କେବଳ ନାମ ମାତ୍ର ସୁଖ ବୋଲି ପ୍ରତିପନ୍ନ ହୁଏ । ୩୬ । ଏହିରୂପେ ଜୀବ ନିରନ୍ତର ଦୁଃଖାର୍ତ୍ତ ହୋଇ ସୁଦ୍ଧା ଆପଣାକୁ ଦୁଃଖୀ ବୋଲି ଜ୍ଞାନ କରେ ନାହିଁ; ସୁତରାଂ ସେ ଜୀବ ବନ୍ଧନରୁ ମୁକ୍ତ ହୁଏ ନାହିଁ; ଅଥଚ ନୂତନ କର୍ମମାନେ ଉଦ୍ଧତ ହେଉଥାଆନ୍ତି । ୩୭ । ଏହି ଜୀବମାନେ ବହୁ ପ୍ରକାର ବେଦନାଯୁକ୍ତ ହୋଇ ଚକ୍ରପ୍ରାୟ ସଂସାରରେ ପରିଭ୍ରମଣ କରନ୍ତି । ହେ ଦ୍ୱିଜବର ! ମନୁଷ୍ୟମାନେ ଯଦି ବିଷୟବାସନାକୁ ବିସର୍ଜ୍ଜନ କରି କର୍ମଦ୍ୱାରା ବିଶୁଦ୍ଧ ହୋଇ ତପସ୍ୟା ଓ ଯୋଗର ଅନୁଷ୍ଠାନ କରନ୍ତି, ତାହାହେଲେ ସେମାନେ ନାନା କର୍ମଦ୍ୱାରା ପୃଣ୍ୟ ଲୋକମାନଙ୍କୁ ସମ୍ଭୋଗ କରିପାରନ୍ତି । ୩୯ । ବାସ୍ତବରେ ସଂସାର- ବନ୍ଧନରୁ ନିର୍ମୁକ୍ତ ଓ ଶୁଭ କର୍ମାନୁଷ୍ଠାନ ହେତୁରୁ ମନୁଷ୍ୟ ବିଶୁଦ୍ଧ ହେଲେ ଏପରି ସୁକୃତ ଲୋକକୁ ଗମନ କରେ ଯେ ସେଠାକୁ ଯାଇ ତାହାକୁ ଆଉ ଶୋକ କରିବାକୁ ହୁଏ ନାହିଁ । ୪୦ । ପାପୀ ମନୁଷ୍ୟ ପାପାଚରଣ କରି କରି ପାପର ଅନ୍ତକୁ ପ୍ରାପ୍ତ ହୁଏ ନାହିଁ । ଅତଏବ ପାପରୁ ବିରତ ହୋଇ ପୁଣ୍ୟ କରିବାକୁ ଯତ୍ନ କରିବା କର୍ତ୍ତବ୍ୟ । ୪୧ । କାହାରି ପ୍ରତି ଦ୍ୱେଷ ନ କରି କୃତଜ୍ଞ ହୋଇ ମଙ୍ଗଳଦାୟକ କର୍ମକୁ ସେବା କରିବାଦ୍ୱାରା ମନୁଷ୍ୟ ସୁଖ, ଧର୍ମ ଓ ସ୍ୱର୍ଗକୁ ଲାଭ କରେ । ୪୨ । ଯାହାଙ୍କର ସଂସ୍କାର ହୋଇଥାଏ ସେ ଜିତେନ୍ଦ୍ରିୟ, ଶୌଚପରାୟଣ; ଯାହାଙ୍କର ମନ ସଂଯତ ହୋଇଥାଏ, ସେହି ପ୍ରାଜ୍ଞ ବ୍ୟକ୍ତି ଇହଲୋକ ଓ ପରଲୋକରେ ଅନାୟାସରେ ସୁଖସମ୍ଭୋଗ କରନ୍ତି । ୪୩ । ହେ ଦ୍ୱିଜ ! ଯେ ଆଗମ ପାଠ କରିଅଛନ୍ତି, ଶିଷ୍ଟ ଓ ଶାସ୍ତ୍ରରେ ପାରଦର୍ଶୀ, ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଆତ୍ମଧର୍ମାନୁସାରେ କର୍ମାନୁଷ୍ଠାନ କଲେ, ଲୋକ ମଧ୍ୟରେ କର୍ମର ସଙ୍କର ହୁଏନାହିଁ-। ଅତଏବ ମନୁଷ୍ୟର କର୍ତ୍ତବ୍ୟ ଏହି ଯେ ସେ ସାଧୁମାନଙ୍କ ଧର୍ମରେ ବିଚରଣ କରିବ, ଶିଷ୍ଟଜନପ୍ରାୟ କର୍ମାଚରଣ କରିବ ଓ ଯହିଁରେ ଲୋକର କ୍ଳେଶ ନ ହୁଏ, ଏହିପରି ଜୀବିକା ଲାଭ କରିବାକୁ ଇଚ୍ଛା କରିବ । ୪୫ । ହେ ବିପ୍ରବର ! ପ୍ରାଜ୍ଞ ବ୍ୟକ୍ତି ଧର୍ମରେ ଅଭିରତ ଥାଆନ୍ତି, ଧର୍ମକର୍ମଦ୍ୱାରା ଜୀବିକା ନିର୍ବାହ କରନ୍ତି । ଅତଏବ ଧର୍ମୋପାର୍ଜିତ ବୃତ୍ତି ନିର୍ବାହ କରନ୍ତି । ୪୬ ।

 

ହେ ସତ୍ତମ ! ଯେଉଁ ଧର୍ମରେ ଅଂସଖ୍ୟ ଗୁଣ ଦେଖିବ, ଯାହାକୁ ଆଶ୍ରୟ କଲେ ଧର୍ମାତ୍ମା ହେବ ଓ ଯେଉଁଠାରେ ଚିତ୍ତ ପ୍ରସନ୍ନ ହେବ, ସେହି ଧର୍ମର ମୂଳରେ ସେଚନ କରିବ; ଅର୍ଥାତ୍ ଯେଉଁ କର୍ମ ଆଚରଣ କଲେ ସେହି ଧର୍ମ ପରିପୁଷ୍ଟ ହେବ, ସେହିପରି କର୍ମ ଆଚରଣ କରିବ । ୪୭ । ହେ ଦ୍ୱିଜବର ! ପଣ୍ଡିତମାନେ ଧର୍ମର ଏହିପରି ଫଳ କହିଥାଆନ୍ତି ଯେ ତଦ୍ଦ୍ୱାରା ଲୋକରେ ଇଚ୍ଛାନୁରୂପ ଶଦ୍ଦ, ସ୍ପର୍ଶ, ରୂପ ଓ ଗନ୍ଧଜନିତ ସମୁଦାୟ ସୁଖ ଓ ପ୍ରଭୁତ୍ୱ ଲାଭ ହୁଏ । ହେ ଦ୍ୱିଜଶ୍ରେଷ୍ଠ ! ପ୍ରଜ୍ଞା ଯାହାଙ୍କର ନେତ୍ରସ୍ୱରୂପ ତାଦୃଶ ମନୁଷ୍ୟ ଧର୍ମରୁ ଉକ୍ତ ଫଳ ଲାଭ କରି ତୁଷ୍ଟ ହୁଅନ୍ତି ନାହିଁ । ୪୯ । ସେମାନେ ତୁଷ୍ଟ ନ ହୋଇ ଜ୍ଞାନଲୋଚନଦ୍ୱାରା ବୈରାଗ୍ୟ ଅବଲମ୍ବନ କରନ୍ତି । ସେ ସଂସାରରେ ରାଗ, ଦ୍ୱେଷ ପ୍ରଭୃତି ଦୋଷର ବଶୀଭୂତ ହୁଅନ୍ତି ନାହିଁ; ସ୍ୱେଚ୍ଛାନୁସାରେ ବିଷୟଭୋଗରେ ବିରକ୍ତ ହୁଅନ୍ତି; କିନ୍ତୁ ଧର୍ମକୁ ସେ ପରିତ୍ୟାଗ କରନ୍ତି ନାହିଁ । ସେ କେବଳ ସଂସାରକୁ ବିନିଶ୍ୱର ଜାଣି ସର୍ବ ବିଷୟ ଯଦ୍ଦ୍ୱାରା ପରିତ୍ୟାଗ କରିବେ, ତହିଁରେ ଯତ୍ନବାନ୍ ହୁଅନ୍ତି । ୫୧ । ତଦନନ୍ତର ଦୈବ ଆଶ୍ରୟ କରି ସେ ମୋକ୍ଷଲାଭରେ ଯତ୍ନ କରନ୍ତି; ଅଥଚ ନିର୍ଦ୍ଦୟ ପ୍ରାପ୍ତ ହୋଇ ପାପ କର୍ମକୁ ତ୍ୟାଗ କରନ୍ତି । ୫୨ । ସେ ଧାର୍ମିକ ହୁଅନ୍ତି ଓ ପରମ ମୋକ୍ଷ ଲାଭ କରନ୍ତି । ତପସ୍ୟାଦ୍ୱାରା ପ୍ରାଣୀମାନଙ୍କର ପରମ ମଙ୍ଗଳ ହୁଏ । ଶମ ଦମ ଦୁହେଁ ସେ ତପସ୍ୟାର ମୂଳ ଅଟନ୍ତି । ୫୩ । ଏତଦ୍ଦ୍ୱାରା ମନ ମଧ୍ୟରେ ଯେଉଁସବୁ ଅଭିଳାଷ ହୋଇଥାଏ, ତାହା ପ୍ରାପ୍ତ ହୁଏ । ଜ୍ଞାନୀ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ଦମନ କରି ସର୍ବଦା ସତ୍ୟ ଓ ଦମଦ୍ୱାରା ବ୍ରହ୍ମପଦ ପ୍ରାପ୍ତ ହୁଅନ୍ତି, ଯାହା ଅପେକ୍ଷା ଅଧିକ ଆଉ କିଛି ନାହିଁ । ୫୪-। ବ୍ରାହ୍ମଣ କହିଲେ, ଆପଣ ଧାର୍ମିକଶ୍ରେଷ୍ଠ ଓ ବ୍ରାତାଚାରୀ; ଆପଣ ଯେଉଁ ସବୁ ଇନ୍ଦ୍ରିୟମାନଙ୍କ କଥା କହିବା ହେଲେ ସେମାନେ କ’ଣ ଓ ସେମାନଙ୍କର ନିଗ୍ରହ କେଉଁ ପ୍ରକାରରେ କରିବାକୁ ହୁଏ ? ନିଗ୍ରହର ଫଳ କ’ଣ ଓ କି ପ୍ରକାରେ ସେହି ଫଳପ୍ରାପ୍ତି ହୁଏ-? ୫୫ । ହେ ସୁଧାର୍ମିକ ! ଏହି ଧର୍ମ ଯଥାର୍ଥରୂପେ ଜାଣିବା ନିମିତ୍ତ ଆମ୍ଭର ଅଭିଳାଷ ହେଉଅଛି । ୫୬ ।

 

॥ ଅଧ୍ୟାୟ – ୨୧୦ ॥

 

ମାର୍କଣ୍ଡେୟ କହିଲେ, ହେ ଯୁଧିଷ୍ଠିର ! ଆପଣ ନରେଶ୍ୱର ଅଟନ୍ତି । ବିପ୍ରମୁଖରୁ ଧର୍ମବ୍ୟାଧ ଏହିପରି କଥା ଶୁଣି ଯାହା ଉତ୍ତର ଦେଇଥିଲେ, ତାହା କହୁଅଛି, ଶ୍ରବଣ କରିବା ହେଉନ୍ତୁ । ୧ । ବ୍ୟାଧ କହିଲେ, ହେ ଦ୍ୱିଜବର ! ପ୍ରଥମେ ମନୁଷ୍ୟମାନଙ୍କର ମନ ରୂପ, ରସ ପ୍ରଭୃତି ଜ୍ଞାନନିମିତ୍ତ ପ୍ରବୃତ୍ତ ହେଲା । ତାହା ଲାଭ ପରେ ମନ କାମ ଓ କ୍ରୋଧକୁ ଭଜନ କଲା । ୨ । ତଦନନ୍ତର ସେହି କାମ ଓ କ୍ରୋଧକୁ ଚରିତାର୍ଥ କରିବା ନିମିତ୍ତ ମହାନ କର୍ମମାନଙ୍କୁ ଅନୁଷ୍ଠାନ କଲା । ତହିଁ ସଙ୍ଗେ ସଙ୍ଗେ ରୂପ, ରସ, ଗନ୍ଧ, ସେବନ କରିବାରେ ରତ ହେଲା । ୩ । ତଦନନ୍ତର ଅନୁରାଗ ଜନ୍ମ ହେଲା; ଦ୍ୱେଷ ମଧ୍ୟ ତହିଁ ଉତ୍ତାରୁ ଜାତ ହେଲା । ତଦନନ୍ତର ଲୋଭ ସମ୍ଭୂତ ହୋଇ ମୋହକୁ ଉତ୍ପନ୍ନ କଲା । ୪ । ମନୁଷ୍ୟ ଲୋଭାଭିଭୂତ ହୁଅନ୍ତେ ରାଗ ଓ ଦ୍ୱେଷର ମଧ୍ୟ ବଶବର୍ତ୍ତୀ ହେଲା । ଏଣୁ ଧର୍ମରେ ତାହାର ମତି ପ୍ରବର୍ତ୍ତିଲା ନାହିଁ । ଅନାୟାସରେ ସେ କପଟ ଧର୍ମକୁ ଆଶ୍ରୟ କଲା । ୫ । ସେ କପଟରେ ଧର୍ମାଚରଣ କଲା ଓ ଛଳନାରେ ଅର୍ଥୋପାର୍ଜନ କଲା । ହେ ଦ୍ୱିଜବର ! କପଟତାଦ୍ୱାରା ଧନ ଉପାର୍ଜ୍ଜନ ହେବାରୁ ସେହି କପଟ କାର୍ଯ୍ୟରେ ମନ ନିରତ ହୋଇ କ୍ରମଶଃ ପାପାଚରଣ କରିବାରେ ପ୍ରବୃତ୍ତ ହେଲା ।

 

ହେ ଦ୍ୱିଜବର ! ତାହାର ସୁହୃଦ୍ ବର୍ଗ ନିବାରଣ କଲେ ହେଁ ମନ ମାନିଲା ନାହିଁ । ପଣ୍ଡିତମାନେ ନାହିଁ କଲେ ହେଁ ତାହାଙ୍କ ବାରଣ ମାନିଲା ନାହିଁ । ୭ । ମିତ୍ରବର୍ଗ ଓ ପଣ୍ଡିତମାନଙ୍କୁ ସେହି ପାପକାରୀ ବ୍ୟକ୍ତି ଯେଉଁ ଉତ୍ତର ଦେଲା, ସେ ଉତ୍ତର ବେଦସମ୍ମତ ବୋଲି ପ୍ରକାଶିତ । ବାସ୍ତବରେ ସେ ଉତ୍ତର ବେଦ ଅଭିପ୍ରାୟର ବିରୋଧୀ ଅଟେ । ରାଗ ଓ ଦ୍ୱେଷରୁ ତାହାର ତିନି ପ୍ରକାର ଅଧର୍ମ ହୁଏ । ୮ । ମନ ମଧ୍ୟରେ ପାପ ଚିନ୍ତା କରେ । ପାପ କଥା କହେ ଓ ପାପ କର୍ମ ଆଚରଣ କରେ । ଅଧର୍ମରେ ପ୍ରବୃତ୍ତ ହେବାରୁ ତାହାର ସଦ୍‌ଗୁଣମାନ ନଷ୍ଟ ହୁଅନ୍ତି । ୯ । ପାପକର୍ମା ବ୍ୟକ୍ତି ଆପଣା ସମାନ ପ୍ରକୃତିର ଲୋକଙ୍କ ସହିତ ପ୍ରୀତି କରେ । ପାପୀ ସହିତ ମିତ୍ରପଣ କରିବାରୁ ସେ ଇହଲୋକରେ ଦୁଃଖ ପାଏ ଓ ପରଲୋକରେ ମଧ୍ୟ ବିପଦଗ୍ରସ୍ତ ହୁଏ । ୧୦ । ହେ ବ୍ରହ୍ମନ୍‌ ! ପାପାତ୍ମାଙ୍କର ଏହିପରି ଦଶା ହୁଏ । ଏବେ ଧର୍ମଲାଭ କିପରି ହୁଏ, ତାହା ଶ୍ରବଣ କରନ୍ତୁ । ଯେଉଁ ବ୍ୟକ୍ତି ପୂର୍ବରୁ ଏହିସବୁ ଦୋଷ ଦେଖି ସାବଧାନ ହୁଏ, ୧୧ । ସେ ଦୁଃଖ ସୁଖରେ ସମଭାବ ହୋଇ ସାଧୁମାନଙ୍କର ସେବା କରେ । ସାଧୁଙ୍କ ସଙ୍ଗରୁ ଧର୍ମରେ ତାହାର ମତି ଅନୁରକ୍ତ ହୁଏ । ୧୨-

 

ବ୍ରାହ୍ମଣ କହିଲେ, ଆପଣ ଯେଉଁ ସତ୍ୟଧର୍ମ କହିଲେ, ଏପରି କେହି କହି ନାହାନ୍ତି । ଆପଣଙ୍କ ପ୍ରଭାବ ଦେବତୁଲ୍ୟ ଓ ଆମ୍ଭ ମତରେ ଆପଣ ଗୋଟିଏ ମହାଋଷି ଅଟନ୍ତି । ୧୩ ।

 

ବ୍ୟାଧ ବୋଇଲେ–ବ୍ରାହ୍ମଣମାନେ ମହାଭାଗ ଅଟନ୍ତି । ସେମାନେ ପିତୃଗଣଙ୍କ ପ୍ରାୟ, ଅଗ୍ରେ ସେମାନଙ୍କୁ ଭୋଜନ ଦେବାକୁ ହୁଏ । ପଣ୍ଡିତମାନେ ସର୍ବଦା ଯଥାଶକ୍ତି ସେମାନଙ୍କର ପ୍ରିୟକାର୍ଯ୍ୟ କରନ୍ତି । ୧୪ । ହେ ଦ୍ୱିଜଶ୍ରେଷ୍ଠ ! ବ୍ରାହ୍ମଣମାନଙ୍କର ଯାହା ପ୍ରିୟ, ତାହା ଆମ୍ଭେ କହିବୁ, ଶୁଣ । ଆପଣ ବ୍ରାହ୍ମଣମାନଙ୍କୁ ନମସ୍କାର କରି ଆମ୍ଭଠାରୁ ବ୍ରହ୍ମବିଦ୍ୟା ଶ୍ରବଣ କରନ୍ତୁ । ୧୫ । ଏହି ସ୍ଥାବର ଓ ଜଙ୍ଗମାତ୍ମକ ବିଶ୍ୱ ସର୍ବପ୍ରକାରେ ଅଜେୟ, ଅର୍ଥାତ୍ ଜୟ କରି ହୁଏ ନାହିଁ । ଏହି ସଚରାଚର ଜଗତ୍ ମହାଭୂତାତ୍ମକ, ବ୍ରହ୍ମ,ଏହାଠାରୁ ଅଧିକ ଉତ୍କୃଷ୍ଟ ଆଉ କିଛି ନାହିଁ । ୧୬ । ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ଏହି ପାଞ୍ଚୋଟି ମହାଭୂତ । ଏମାନଙ୍କ ଗୁଣ ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ । ୧୭ । ସେହି ଗୁଣମାନଙ୍କର ମଧ୍ୟ ସ୍ୱତନ୍ତ୍ର ଗୁଣ ଦୃଶ୍ୟ ହୁଏ, ଅଥଚ ଗୋଟିକର ଗୁଣ ଅନ୍ୟଠାରେ ସଂକ୍ରମିତ ହୁଏ । ଶେଷ ତିନୋଟିରେ ପୂର୍ବ ପୂର୍ବ ଗୁଣମାନ କ୍ରମରେ ବର୍ତ୍ତମାନ ଅଛନ୍ତି । ୧୮ । ଷଷ୍ଠ ଗୁଣର ନାମ ଚେତନା, ଯାହାକୁ ମନ ବୋଲି କହନ୍ତି । ସପ୍ତମକୁ ବୁଦ୍ଧ ବୋଲି କହନ୍ତି, ତହିଁରୁ ଅହଙ୍କାର ଜାତ ହୁଏ । ୧୯ । ପଞ୍ଚ ଇନ୍ଦ୍ରିୟ, ଆତ୍ମା ଓ ସତ୍ତ୍ୱ, ରଜ, ତମ ଏହି ସତର ଗୋଟିକୁ ଅବ୍ୟକ୍ତ ବୋଲାଯାଏ । ୨୦ । ଏହି ସପ୍ତଦଶ ଓ ଇନ୍ଦ୍ରିୟାର୍ଥ ପଞ୍ଚ ଓ ବ୍ୟକ୍ତାବ୍ୟକ୍ତ ଦୁହିଁଙ୍କି ଘେନି ଚତୁର୍ବିଂଶକୁ ବ୍ୟକ୍ତାବ୍ୟକ୍ତ ଗୁଣ ବୋଲାଯାଏ । ତନ୍ମଧ୍ୟରୁ କେତେକ ଇନ୍ଦ୍ରିୟର ବଶୀଭୂତ ଓ ଆଉ କେତେଗୁଡ଼ିଏ ଇନ୍ଦ୍ରିୟର ଅନାୟତ୍ତ । ଏହିସବୁ ଆପଣଙ୍କ ନିକଟରେ କୀର୍ତ୍ତିତ ହେଲା । ଆଉ ଏବେ କ’ଣ ଶୁଣିବାକୁ ଇଚ୍ଛା କରୁଅଛନ୍ତି । ୨୧ ।

 

॥ ଅଧ୍ୟାୟ – ୨୧୧ ॥

 

ମାର୍କଣ୍ଡେୟ କହିଲେ–ହେ ଭାରତ ! ଧର୍ମବ୍ୟାଧ ବଚନକୁ ବ୍ରାହ୍ମଣ ଶ୍ରବଣ କରି ପୁନର୍ବାର ମାନସ ସନ୍ତୋଷଦାୟକ କଥାରମ୍ଭ କଲେ । ବ୍ରାହ୍ମଣ କହିଲେ–ହେ ଧାର୍ମିକଶ୍ରେଷ୍ଠ ! ପଣ୍ଡିତମାନେ ଯେଉଁ ପାଞ୍ଚଟିକୁ ମହାଭୂତ ବୋଲନ୍ତି, ସେହି ପାଞ୍ଚଟି ମଧ୍ୟରେ ଗୋଟି ଗୋଟିକର ଗୁଣ ଆପଣ ସମ୍ୟକ୍‍ରୂପେ ଆମ୍ଭଙ୍କୁ କହନ୍ତୁ । ୧ । ବ୍ୟାଧ ବୋଇଲେ–ଭୂମି, ଜଳ, ତେଜ ଓ ଆକାଶ ଏମାନେ ସମସ୍ତେ ଗୁଣୋତ୍ତର; ଅର୍ଥାତ୍ ଏମାନଙ୍କର ଉତ୍ତରୋତ୍ତର ଗୁଣ ପୂର୍ବରେ ଅଛି; ଅର୍ଥାତ୍ ଆକାଶର ଗୁଣ ବାୟୁରେ, ତେଜରେ, ଜଳରେ ଓ ଭୂମିରେ ଅଛି । ବାୟୁର ଗୁଣ ତେଜରେ, ଜଳରେ ଓ ଭୂମିରେ ଅଛି । ତେଜର ଗୁଣ ଜଳରେ ଓ ଭୂମିରେ ଅଛି । ଏହିପରି ପରସ୍ପରର ଗୁଣ ପୂର୍ବ ପୂର୍ବରେ ଅଛି । ୩ । ହେ ବ୍ରହ୍ମନ୍‌ ! ଭୂମିର ପାଞ୍ଚଗୋଟି ଗୁଣ–ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ । ଜଳର ଚାରିଗୋଟି ଗୁଣ–ଶବ୍ଦ, ସ୍ପର୍ଶ, ରୂପ ଓ ରସ । ତେଜର ତିନି ଗୁଣ–ଶବ୍ଦ, ସ୍ପର୍ଶ ଓ ରୂପ । ବାୟୁର ଦୁଇ ଗୁଣ–ଶବ୍ଦ ଓ ସ୍ପର୍ଶ । ଆକାଶର ଏକ ଗୁଣ–କେବଳ ଶବ୍ଦ । ୭ । ହେ ବ୍ରହ୍ମନ୍‌ ! ଏହିପରି ପଞ୍ଚଭୂତରେ ପନ୍ଦର ଗୁଣ ରହିଲା । ଏହିସବୁ ଗୁଣମାନେ ସର୍ବଭୂତରେ ଅଛନ୍ତି ଓ ଲୋକମାନେ ସମସ୍ତେ ସର୍ବଭୂତରେ ଅଛନ୍ତି । ୮ । ହେ ଦ୍ୱିଜ ! ଏମାନେ ପରସ୍ପର କେହି କାହାରିକୁ ଅତିକ୍ରମ କରନ୍ତି ନାହିଁ । ସମସ୍ତେ ପରସ୍ପର ସମଞ୍ଜସ ହୋଇଥାଆନ୍ତି । ଯେତେବେଳେ ଚରାଚର ଭୂତବର୍ଗ* ବିଷୟ ଭାବକୁ ଆଚରଣ କରନ୍ତି, ସେତେବେଳେ କାଳକ୍ରମେ ଦେହୀ ଗୋଟିଏ ଦେହକୁ ପରିତ୍ୟାଗ କରି ଅନ୍ୟ ଦେହକୁ ଆଶ୍ରୟ କରେ । ଏମାନେ କ୍ରମରେ ଗୋଟିକ ଉତ୍ତାରୁ ଗୋଟିଏ ଜାତ ହୁଅନ୍ତି ଓ ଗୋଟିକ ଉତ୍ତାରୁ ଗୋଟିଏ ବିପରୀତ ଭାବରେ ବିନଷ୍ଟ ହୁଅନ୍ତି** । ୧୦ । ସ୍ଥାବର ଓ ଜଙ୍ଗମାତ୍ମକ ଏହି ବିଶ୍ୱ ଯେଉଁସବୁ ପଦାର୍ଥରେ ଆବୃତ୍ତ ହୋଇଅଛି, ତହିଁରେ ମଧ୍ୟ ପଞ୍ଚଭୂତର ଧାତୁମାନେ ଦୃଶ୍ୟ ହୁଅନ୍ତି । ୧୧ । ଇନ୍ଦ୍ରିୟମାନଙ୍କଦ୍ୱାରା ଯେଉଁମାନଙ୍କର ସର୍ଜନା ହୁଏ, ସେମାନଙ୍କୁ ବ୍ୟକ୍ତି ବୋଲାଯାଏ ଓ ଯେଉଁମାନେ କେବଳ ଲିଙ୍ଗ ଶରୀର ଗ୍ରାହ୍ୟ, ଅତୀନ୍ଦ୍ରିୟ ଓ ଅନୁମାନାଦିଦ୍ୱାରା କେବଳ ପରିଜ୍ଞେୟ, ସେମାନଙ୍କୁ ଅବ୍ୟକ୍ତ ବୋଲାଯାଏ । ୧୨ । ଇନ୍ଦ୍ରିୟମାନେ ସ୍ୱ ସ୍ୱ ବିଷୟକୁ ଗ୍ରହଣ କରନ୍ତି । ସେତେବେଳେ ଆତ୍ମା ସେହି ଇନ୍ଦ୍ରିୟମାନଙ୍କୁ ନିଗୃହୀତ କରନ୍ତି । ଏହି କାର୍ଯ୍ୟକୁ ଆତ୍ମାଙ୍କର ତପଶ୍ଚରଣ କୁହାଯାଏ । ୧୩ । ଦେହୀ ତତ୍କାଳରେ ଲୋକ ମଧ୍ୟରେ ଆତ୍ମାକୁ ଓ ଆତ୍ମାରେ ଲୋକମାନଙ୍କୁ ଆବୃତ ହୋଇଥିବାର ଦେଖନ୍ତି । ୧୪ । ଏ ଜଗତ୍ ଆତ୍ମାର ଉପାଧି ଅଟେ । ଅତଏବ ଏଥିରେ ଯେଉଁ ଆତ୍ମା ଅଛନ୍ତି, ସେ ସୋପାଧିକ । ତହିଁରୁ ପୃଥକ୍ ଯେଉଁ ବିଶୁଦ୍ଧ ଆତ୍ମା, ସେ ନିରୁପାଧିକ । ଯେଉଁ ବ୍ୟକ୍ତି ଏହି ସୋପାଧିକ ଓ ନିରୁପାଧିକ ଆତ୍ମାକୁ ଦେଖନ୍ତି, ସେ ପ୍ରାରବ୍ଧ କର୍ମର ବଶୀଭୂତ ହୋଇଥାନ୍ତି । ଦେହ ପତନ ହେବାପର୍ଯ୍ୟନ୍ତ ଭୂତମାନଙ୍କୁ ପ୍ରତ୍ୟକ୍ଷ କରନ୍ତି । ସ୍ୱୟଂ ନିରୁପାଧି ହେତୁ ବ୍ରହ୍ମସ୍ୱରୂପ ହୋଇ ସର୍ବ ଅବସ୍ଥାରେ ସର୍ବପ୍ରାଣୀଙ୍କୁ ଅବଲୋକନ କରନ୍ତି; କିନ୍ତୁ ସେ ସ୍ୱୟଂ କଦାପି କର୍ମରେ ଲିପ୍ତ ହୁଅନ୍ତି ନାହିଁ । ୧୬ । ଯେଉଁ ବ୍ୟକ୍ତି ମାୟାଜନିତ କ୍ଳେଶକୁ ଅତିକ୍ରମ କରିଥାଆନ୍ତି, ସେ ବ୍ୟକ୍ତି ଜୀବନଯାତ୍ରା ନିର୍ବାହ କରି ପରମ ପୁରୁଷାର୍ଥ ମୋକ୍ଷକୁ ଲାଭ କରନ୍ତି । ୧୭-। ଭଗବନ ପ୍ରଜାପତି ବିଶୁଦ୍ଧ ବୁଦ୍ଧିଶାଳୀ ଅଟନ୍ତି । ସେ ମୁକ୍ତିପ୍ରାପ୍ତ ଜୀବକୁ ଆଦିଅନ୍ତରହିତ ବୋଲି ବୋଲନ୍ତି । ସେହି ମୁକ୍ତ ଜୀବକୁ ଆତ୍ମଯୋନି ବୋଲି ମଧ୍ୟ କହନ୍ତି । ନିତ୍ୟ ସୁଖଦୁଃଖାଦିରୁ ଯେତେ ବିକାର ଜାତ ହୁଏ, ସେହି ମୁକ୍ତଜୀବକୁ ଏତାଦୃଶ ବିକାରବିହୀନ ମଧ୍ୟ କୁହାଯାଏ । ପୁନଶ୍ଚ ସେହି ମୁକ୍ତଜୀବର ନାମ ଉପମାଶୂନ୍ୟ ଓ ଅମୂର୍ତ୍ତ । ୧୮ ।

 

[* ବିଷୟ ଭାବ–ଅର୍ଥାତ୍ ଦେହଲାଭ ଚିନ୍ତା କରନ୍ତି । ଯେତେବେଳେ ଭୂତମାନେ ଇଚ୍ଛା କରନ୍ତି ଯେ ଆମ୍ଭର ଦେହ ହେଉ ।

** ଆକାଶରୁ ବାୟୁ, ଅଗ୍ନିରୁ ଜଳ, ଜଳରୁ ଭୂମି ଜାତ ହୁଅନ୍ତି । ପୁନଶ୍ଚ ବିନଷ୍ଟ ହେଲାବେଳେ ଭୂମି ଜଳରେ ଲୀନ ହୁଏ । ଜଳ ଅଗ୍ନିରେ ଲୀନ ହୁଏ । ଅଗ୍ନି ବାୟୁରେ ଲୀନ ହୁଏ ଓ ବାୟୁ ଆକାଶରେ ଲୀନ ହୁଏ । ସ୍ଥୂଳରେ ଏପରି, ସୂକ୍ଷ୍ମରେ ଅର୍ଥାତ୍ ପଞ୍ଚତନ୍ମାତ୍ରରେ ଏହିପରି ମଧ୍ୟ ହୁଏ ।]

 

ହେ ବିପ୍ର ! ଆପଣ ଆମ୍ଭଙ୍କୁ ଯାହା ପ୍ରଶ୍ନ କରୁଅଛନ୍ତି, ତାହାର ମୂଳ ତପସ୍ୟା, ଇନ୍ଦ୍ରିୟ ସଂଯମ କଲେ ତପସ୍ୟା ହୁଏ; ଅନ୍ୟ କୌଣସି ଉପାୟରେ ତପସ୍ୟା ଅନୁଷ୍ଠିତ ହୋଇନପାରେ । ସ୍ୱର୍ଗ ଓ ନରକର କାରଣ ଇନ୍ଦ୍ରିୟ ଅଟେ । ଇନ୍ଦ୍ରିୟମାନଙ୍କୁ ନିଗ୍ରହ କଲେ ସ୍ୱର୍ଗଲାଭ ହୁଏ ଓ ଇନ୍ଦ୍ରିୟମାନଙ୍କର ଅଧୀନ ହେଲେ ନରକ ଲାଭ ହୁଏ । ୧୯ । ଇନ୍ଦ୍ରିୟ ସଂଯମର ନାମ ଯୋଗବିଧି । ଇନ୍ଦ୍ରିୟ ସଂସର୍ଗରେ ରାଗ, ଦ୍ୱେଷ ପ୍ରଭୃତି ଜାତ ହୁଅନ୍ତି ଓ ଇନ୍ଦ୍ରିୟମାନେ ସଂଯତ ହେଲେ ସିଦ୍ଧି ଲାଭ ହୁଏ । ୨୧ । ଯେଉଁ ବ୍ୟକ୍ତି ମନ ପ୍ରଭୃତି ଛଅ ଇନ୍ଦ୍ରିୟଙ୍କୁ ବଶୀଭୂତ କରିବାକୁ ସମର୍ଥ ହୁଅନ୍ତି, ସେହି ଜିତେନ୍ଦ୍ରିୟ ବ୍ୟକ୍ତି ପାପରେ ଲିପ୍ତ ହୁଅନ୍ତି ନାହିଁ । ଅନର୍ଥ କଥା କ’ଣ କହିବା ? ଅନର୍ଥମାନେ ସୁଦୂରପରାହତ । ୨୨ । ପୁରୁଷର ଦେହ ରଥସଦୃଶ, ତନ୍ମଧ୍ୟରେ ଯେଉଁ ଆତ୍ମା ଅଛନ୍ତି, ସେ ରଥର ନିୟନ୍ତା । ଇନ୍ଦ୍ରିୟମାନେ ସମସ୍ତେ ରଥଯୋଜିତ ଅଶ୍ୱ ଅଟନ୍ତି । ରଥୀ ଯେପରି ଅଶ୍ୱମାନଙ୍କୁ ସଂଯତ କଲେ ରଥଚଢ଼ି ସୁଖରେ ବିହରଣ କରେ, ସେହିପରି ପୁରୁଷ ଇନ୍ଦ୍ରିୟମାନଙ୍କୁ ଦମନ କଲେ ପରମସୁଖରେ କାଳାତିପାତ କରେ । ୨୩ । ଯେଉଁ ଧୀରପୁରୁଷ ଆତ୍ମନିଷ୍ଠହୋଇ ଅଶ୍ୱଗଣଙ୍କ ସଦୃଶ ପ୍ରମତ୍ତ ଷଡ଼େନ୍ଦ୍ରିୟଙ୍କ ବାଗ୍‌ଦଉଡ଼ିକୁ ଧରିପାରନ୍ତି, ଅର୍ଥାତ୍ ସେମାନଙ୍କୁ ନିଗୃହୀତ କରିପାରନ୍ତି, ସେ ଉତ୍କୃଷ୍ଟ ସାରଥି ବୋଲାନ୍ତି । ରଥ ଚଳିବାବେଳେ ବାଗ୍ ଶିଥିଳ କଲେ ପଥମଧ୍ୟରେ ଅଶ୍ୱମାନେ ଯଦି ଚପଳତା ପ୍ରକାଶ କରନ୍ତି, ତେବେ ସେମାନଙ୍କୁ ଦମନକରିବା ଯେପରି ଉତ୍ତମ ସାରଥିର କାର୍ଯ୍ୟ, ସେହିପରି ଇନ୍ଦ୍ରିୟମାନେ ବିଟୋଳପଣ କଲେ ସେମାନଙ୍କୁ ବଶୀଭୂତ କରିବା ସାଧୁ, ଧୀର ପୁରୁଷଙ୍କର କରଣୀୟ କାର୍ଯ୍ୟ ଅଟେ । ପ୍ରବଳ ପବନ ନୌକାକୁ ଜଳରେ ଯେପରି ଏଣେତେଣେ ଘେନିଯାଏ, ସେହିପରି ଇନ୍ଦ୍ରିୟର ଅଧୀନ ମନ ଆପଣାର ଇଚ୍ଛାନୁସାରେ ମନୁଷ୍ୟର ବୁଦ୍ଧିକୁ ହରଣ କରେ । ୨୬ । ବିଷୟାସକ୍ତ ବ୍ୟକ୍ତିମାନେ ବିଷୟଜନିତ ସୁଖଭୋଗକୁ ଉତ୍ତମ ଜ୍ଞାନ କରନ୍ତି ଓ ବୈରାଗ୍ୟକୁ ଘୃଣା କରନ୍ତି; କିନ୍ତୁ ଯେଉଁମାନେ ବିଷୟର ଦୋଷ ଦେଖି ବୈରାଗ୍ୟ ଅବଲମ୍ବନ କରନ୍ତି ଓ ବିଷୟ ତ୍ୟାଗ କରନ୍ତି, ସେମାନେ ଧ୍ୟାନଜନିତ ଉତ୍କୃଷ୍ଟ ଫଳ ଭୋଗ କରନ୍ତି । ୨୭ ।

 

॥ ଅଧ୍ୟାୟ – ୨୧୨ ॥

 

ମାର୍କଣ୍ଡେୟ କହିଲେ–ହେ ଭାରତ ! ଧର୍ମବ୍ୟାଧ ଏହିପରି ଧର୍ମର ସୂକ୍ଷ୍ମ ତତ୍ତ୍ୱମାନଙ୍କୁ ବର୍ଣ୍ଣନା କଲା ପରେ ବ୍ରାହ୍ମଣ ସମାହିତ ହୋଇ ଧର୍ମ ସମ୍ବନ୍ଧୀୟ ଅପର କଥାମାନ ପଚାରିଲେ । ୧ । ବ୍ରାହ୍ମଣ କହିଲେ, ହେ ସତ୍ତମ ! ଆପଣ ସତ୍ତ୍ୱ,ରଜ, ତମ ଗୁଣସବୁର କଥା ବିଶେଷରୂପେ କୀର୍ତ୍ତନ କରନ୍ତୁ । ୨ । ବ୍ୟାଧ କହିଲେ, ହେ ବ୍ରହ୍ମନ୍‌ ! ଆପଣ ଯାହା ପଚାରିବା ହେଉଅଛନ୍ତି, ଏହି ତିନି ଗୁଣର ବିଷୟ ଆମ୍ଭେ ଆପଣଙ୍କୁ କହିବା, ଶ୍ରବଣ କରନ୍ତୁ । ୩ । ଏହି ତିନିଗୁଣ ମଧ୍ୟରେ ତମୋଗୁଣ ମୋହାତ୍ମକ, ରଜୋଗୁଣ ସବୁଥିର ପ୍ରବର୍ତ୍ତକ ଅଟେ ଓ ସତ୍ତ୍ୱଗୁଣ ବିଶେଷରେ ପ୍ରକାଶିତ ହେବାରୁ ସବୁଠାରୁ ଶ୍ରେଷ୍ଠ ଅଟେ । ୪ । ଯେଉଁ ବ୍ୟକ୍ତିଠାରେ ବହୁଳ ପରିମାଣରେ ଅବିଦ୍ୟା ଥାଏ, ଯେ କି ମୁଢ଼ ଅଟେ, ସେ ଅଧିକ ସମୟରେ ନିଦ୍ରାଳୁ, ଯାହାର ଚେତନା ନ ଥାଏ, ଯାହାର ଇନ୍ଦ୍ରିୟଗଣ ଦୁଷ୍କର୍ମରେ ପ୍ରବୃତ୍ତ ହୁଅନ୍ତି, ଯେ ଗର୍ବରେ ଅଚେତନ ପ୍ରାୟ ହୋଇଥାଏ ଓ ଯେ କ୍ରୋଧୀ ଓ ଅଳସୁଆ, ଏହିମାନଙ୍କୁ ତମୋଗୁଣୀ ବୋଲି ଜାଣିବ । ୫ ।

 

ହେ ବିପ୍ରର୍ଷେ ! ଯେଉଁ ବ୍ୟକ୍ତି କଥା କହି ମନକୁ ସନ୍ତୁଷ୍ଟ କରେ, ଯେ ମନ୍ତ୍ରୀ, ଦ୍ୱେଷଶୂନ୍ୟ, ପୂର୍ବଜନ୍ମ ବାସନା ହେତୁରୁ କର୍ମାରମ୍ଭ କରେ, ଯେ ଉଗ୍ର ସ୍ୱଭାବ ଓ ଅଭିମାନୀ, ସେହି ବ୍ୟକ୍ତି ରାଜସ୍ୱ ପ୍ରକୃତିର ନିଦର୍ଶନ ସ୍ଥଳ । ୬ । ଯେଉଁ ବ୍ୟକ୍ତି ବିଜ୍ଞ, ଜ୍ଞାନୀ, ଧୀର, ବିଷୟକର୍ମରେ ଯାହାଙ୍କର ଇଚ୍ଛା ନ ଥାଏ, ଯାହାଙ୍କର କ୍ରୋଧ ଓ ଦ୍ୱେଷ ନାହିଁ, ଯେ ବୁଦ୍ଧିମାନ ଓ ଜିତେନ୍ଦ୍ରିୟ, ସେହି ବ୍ୟକ୍ତି ସାତ୍ତ୍ୱିକ ଅଟନ୍ତି-। ୭ । ସତ୍ତ୍ୱଗୁଣାବଲମ୍ବୀ ଲୋକ ବିଷୟକର୍ମରେ ନିଯୁକ୍ତ ହେଲେ ଦୁଃଖ ବୋଧ କରନ୍ତି-। ଯେତେବେଳେ ସେ ଜ୍ଞେୟ ବସ୍ତୁକୁ ଜାଣନ୍ତି, ତେତେବେଳେ ସେ ଲୋକାଚାରକୁ ନିନ୍ଦା କରନ୍ତି-। ୮ । ସାତ୍ତ୍ୱିକ ଜନଠାରେ ବୈରାଗ୍ୟର ଲକ୍ଷଣ ପୂର୍ବରୁ ଜଣାପଡ଼େ । ତାହାଙ୍କର ଅହଙ୍କାର ହ୍ରାସ ହୁଏ; କୁଟିଳତା ଦୂରୀଭୂତ ହୁଏ ଓ ମନ ମଧ୍ୟରେ ପ୍ରସାଦ ଗୁଣ ଉଦିତ ହୁଏ । ୯ । ତଦନନ୍ତର ତାହାଙ୍କର ମାନାପମାନ ସମାନ ହୁଅନ୍ତି । ଶୀତ ଉଷ୍ଣ ଦୁହେଁ ମଧ୍ୟ ସମଶୀଳ ହୁଅନ୍ତି । ତତ୍କାଳରେ ତାହାଙ୍କର କୌଣସି କାର୍ଯ୍ୟରେ କୌଣସି ପ୍ରକାର ସଂଯମର ଆବଶ୍ୟକ ହୁଏ ନାହିଁ । ୧୦ । ହେ ବ୍ରହ୍ମନ୍‌ ! ଶୂଦ୍ର ଯୋନିରେ ଉତ୍ପନ୍ନ ହୋଇ ସୁଦ୍ଧା କେହି ଯେବେ ସଦ୍‌ଗୁଣସମୂହର ସେବା କରେ, ତେବେ ସେ ବୈଶ୍ୟ ଅଥବା କ୍ଷତ୍ରିୟ ହୋଇପାରେ । ୧୧ । ଏମନ୍ତ କି ଏକା ସରଳ ଗୁଣରେ ଅଭିନିବିଷ୍ଟ ଥିଲେ ସେ ବ୍ରାହ୍ମଣତ୍ୱ ଲାଭ କରିପାରେ । ୧୨ । ହେ ବିପ୍ର ! ଆପଣଙ୍କ ନିକଟରେ ଏହି ସମୁଦାୟ ଗୁଣର କଥା କୀର୍ତ୍ତନ କଲୁ, ଏବେ ଆଉ କଅଣ ଶ୍ରବଣ କରିବାକୁ ଇଚ୍ଛା କରନ୍ତି, କହନ୍ତୁ । ୧୩ ।

 

॥ ଅଧ୍ୟାୟ – ୨୧୩ ॥

 

ବ୍ରାହ୍ମଣ କହିଲେ–ହେ ନରୋତ୍ତମ ! (ଅଗ୍ନିଃ ପାର୍ଥିବଂ, ଧାତୁଂ ଆସାଦ୍ୟ ଶାରୀରଃ କଥଂ ଭବେତ୍‌) ଏହି ଦେହ ବହୁଳ ପରିମାଣରେ ମୃତ୍ତିକାଦ୍ୱାରା ଗଠିତ ହୋଇଅଛି । ବିଜ୍ଞାନାଖ୍ୟ ତେଜଃ ଏହି ଶରୀରକୁ ଆଶ୍ରୟ କରି କିପରି ଦେହାଭିମାନୀ ହେଉଅଛି ? ଅଥଚ ପ୍ରାଣ, ଅପାନ ପ୍ରଭୃତି ବାୟୁମାନେ ନାଡ଼ୀପଥକୁ ଆଶ୍ରୟ କରି କି ପ୍ରକାରେ ଦେହକୁ ଚେଷ୍ଟାଯୁକ୍ତି କରୁଅଛନ୍ତି ? ୧ । ମାର୍କଣ୍ଡେୟ କହିଲେ–ହେ ଯୁଧିଷ୍ଠିର ! ବ୍ରାହ୍ମଣ ଏହି ପ୍ରଶ୍ନ ପଚାରିବାରୁ ବ୍ୟାଧ ସେହି ମହାତ୍ମା ବ୍ରାହ୍ମଣଙ୍କୁ ଉତ୍ତର ଦେଲେ । ୨ । ବ୍ୟାଧ କହିଲେ, “ବିଜ୍ଞାନାତ୍ମା ନିତ୍ୟ ପ୍ରକାଶିତ ହୋଇଥାନ୍ତି । ସେ ଚିଦାତ୍ମାଙ୍କୁ ଆଶ୍ରୟ କରି ଶରୀର ମଧ୍ୟରେ ଚେତନାର ସଞ୍ଚାର କରନ୍ତି । ସେହି ଚିଦାତ୍ମା ଓ ବିଜ୍ଞାନାତ୍ମାଙ୍କଠାରେ ପ୍ରାଣମାନେ ରହି ଚେଷ୍ଟିତ ହୁଅନ୍ତି ।” ୩ । ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ସମସ୍ତେ ପ୍ରାଣୀମାନଙ୍କଠାରେ ପ୍ରତିଷ୍ଠିତ ଅଛନ୍ତି । ଭୂତମାନଙ୍କର କାର୍ଯ୍ୟରୂପ ପରଂବ୍ରହ୍ମ ଓ ସେହି ବିରାଟଙ୍କର କାରଣ ଏବଂ ଆମ୍ଭେମାନେ ତାହାଙ୍କୁ ଉପାସନା କରୁ । ୪ । ବିଜ୍ଞାନାତ୍ମା, ଚିଦାତ୍ମା ଓ ପ୍ରାଣୀମାନଙ୍କର ଯେଉଁ ସମଷ୍ଟି ତାହାକୁ ଜୀବାତ୍ମା କହନ୍ତି । ସେ ସନାତନ ପୁରୁଷ ଅଟନ୍ତି । ତାହାଙ୍କୁ ମହାନ ବୁଦ୍ଧି ଓ ଅହଙ୍କାର ବୋଲି କହନ୍ତି । ପଞ୍ଚଭୂତଙ୍କର ବିଷୟ ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ । ସେହି ସନାତନ ପୁରୁଷ ଏମାନଙ୍କୁ ଉପାଧିସ୍ୱରୂପ ପ୍ରାପ୍ତହୋଇ ଜୀବସଂଜ୍ଞା ଧାରଣ କରନ୍ତି । ସେହି ଜୀବ ଦେହ ମଧ୍ୟରେ ଅନ୍ତରରେ ଓ ବାହ୍ୟରେ ପ୍ରାଣବାୟୁ ପ୍ରଭାବରୁ ନିଜର ଶକ୍ତି ବିସ୍ତାର କରନ୍ତି । ୬ । ତଦନନ୍ତର ସେହି ପ୍ରାଣମାନ ବାୟୁ ରୂପରେ ପରିଣତ ହେଲେ ଜୀବ ଭିନ୍ନ ଭିନ୍ନ ଗତି ଲାଭ କରନ୍ତି । ସେହି ସମାନ ବାୟୁ ଅପାନ ନାମରେ ଖ୍ୟାତ ହୋଇ ଜଠରାନଳକୁ ଆଶ୍ରୟ କରି ପୁରୀଷାଶୟରେ ମୂତ୍ର ଓ ପୁରୀଷକୁ ବହନ କରି ପରିବର୍ତ୍ତିତ ହୁଏ । ପ୍ରଯତ୍ନ, କର୍ମ ଓ ବଳ ଏହି ତ୍ରିବିଧ ବିଷୟରେ ଅପାନ ବାୟୁ ବାସ କରେ । ଅଧ୍ୟାତ୍ମବେତ୍ତା ପୁରୁଷମାନେ ତାହାକୁ ଉଦାନ ନାମ ଦିଅନ୍ତି । ୮ ।

 

ଏହି ପ୍ରାଣବାୟୁ ମନୁଷ୍ୟ ଶରୀରର ପ୍ରତ୍ୟେକ ସନ୍ଧିସ୍ଥଳରେ ସନ୍ନିବିଷ୍ଟ ଅଛି ବୋଲି ତାହାର ନାମ ବ୍ୟାନ ହୁଏ । ୯ । ଜଠରାନଳକୁ ତ୍ୱକ୍ ବେଷ୍ଟନ କରିଅଛି । ସେହି ଅଗ୍ନି ବାୟୁଦ୍ୱାରା ପ୍ରେରିତ ହୋଇ ଅନ୍ନ ପାନାଦି ରସ, ଶୋଣିତାଦି ଧାତୁ ଓ ବାତପିତ୍ତ କଫଦୋଷମାନଙ୍କୁ ପରିଣତ କରି ସଂଚରଣ କରୁଅଛି । ୧୦ । ପ୍ରାଣ, ଅପାନ, ସମାନ, ବ୍ୟାନ ଓ ଉଦାନ ଏହି ପଞ୍ଚବାୟୁ ଏକତ୍ର ରହିବାରୁ ସେମାନଙ୍କର ସଂଘର୍ଷ ହୁଏ । ସେହି ସଂଘର୍ଷରୁ ଯେଉଁ ଉଷ୍ମା ଜାତ ହୁଏ, ତାହାକୁ ଜଠରାନଳ ବୋଲାଯାଏ । ସେହି ଅଗ୍ନିରେ ପ୍ରାଣୀମାନଙ୍କର ଭକ୍ଷିତ ଅନ୍ନପାନାଦି ପରିପାକ ହୁଏ । ୧୧ । ସମାନ ଓ ଉଦାନ ଏହି ଦୁଇ ବାୟୁଙ୍କ ମଧ୍ୟରେ ପ୍ରାଣ ଓ ଅପାନ ବାୟୁ ସ୍ଥାପିତ ହୋଇଅଛନ୍ତି । ସେଥିନିମିତ୍ତ ପ୍ରାଣ, ଅପାନ ଓ ସମାନ ଏହି ତିନି ବାୟୁଙ୍କ ସଂଘର୍ଷରୁ ଯେଉଁ ଅନଳ ଜାତ ହୁଏ, ସେ ଅନଳ ଏହି ସପ୍ତଧାତୁମୟ ଦେହକୁ ସମ୍ୟକ୍ରୂପେ ବର୍ଦ୍ଧିତ କରୁଅଛି । ଏହି ଅଗ୍ନିର ବାୟୁପର୍ଯ୍ୟନ୍ତ ପ୍ରଦେଶ ଅପାନ ବୋଲି ଅଭିହିତ ହୁଏ । ସେହି ଅପାନରୁ ଦେହୀମାନଙ୍କର ପ୍ରାଣାଦିବାୟୁ-ପ୍ରବାହ ଆବିର୍ଭୂତ ହେଉଅଛି । ୧୩ । ପ୍ରାଣବାୟୁ ଅଗ୍ନିର ବେଗକୁ ବହନ କରି ଅପାନ ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରତିହତ ହୁଏ । ଏହା ପ୍ରତିହତ ହୁଅନ୍ତେ ସେଠାରୁ ଊର୍ଦ୍ଧ୍ୱକୁ ଗମନ କରି ଅଗ୍ନିକୁ ସୁଦ୍ଧା ଉତ୍‌କ୍ଷିପ୍ତ କରେ । ୧୪ । ନାଭିର ଅଧୋଭାଗରେ ପାକାଶୟ, ଊର୍ଦ୍ଧ୍ୱଭାଗରେ ଆମାଶୟ ଓ ମଧ୍ୟଭାଗରେ ଶରୀରସ୍ଥିତ ସମୁଦାୟ ପ୍ରାଣ ପ୍ରତିଷ୍ଠିତ ଅଛି । ୧୫ । ଶରୀରସ୍ଥ ନାଡ଼ୀମାନ ହୃଦୟରୁ ତିର୍ଯ୍ୟକ, ଊର୍ଦ୍ଧ୍ୱ ଓ ଅଧୋଭାଗରେ ପ୍ରସାରିତ ହୋଇଅଛନ୍ତି । ଏହିପରି ଦଶ ପ୍ରକାର ପ୍ରାଣବାୟୁ ପ୍ରଭାବରେ ପରିଚାଳିତ ହୋଇ ନାଡ଼ୀମାନ ଅନ୍ନରସକୁ ବହନ କରୁଅଛନ୍ତି । ୧୬ । ଯୋଗୀମାନେ ଶ୍ରମକୁ ଜୟକରି ଧୀରଭାବରେ ସେହି ନାଡ଼ୀପଥଦ୍ୱାରା ବ୍ରହ୍ମଲାଭ କରନ୍ତି ଓ ମୂର୍ଦ୍ଧାରେ ଆତ୍ମାକୁ ଧାରଣ କରନ୍ତି । ଏହି ପ୍ରକାରେ ସର୍ବ ଦେହରେ ପ୍ରାଣ ଓ ଅପାନ ବାୟୁ ବିସ୍ତୃତ ହୋଇ ରହିଅଛନ୍ତି । ୧୭ । ଲିଙ୍ଗଶରୀର ମଧ୍ୟରେ ପ୍ରାଣାଦି ଷୋଡ଼ଶ କଳାସମ୍ପନ୍ନ ଆତ୍ମାକୁ ନିତ୍ୟ ଯୋଗ ବଳରେ ଅବଗତ ହେବ । ୧୮ । ସ୍ଥାଳୀରେ ଅଗ୍ନି ରହିଲା ପ୍ରାୟ ସେହି ଆତ୍ମା ପ୍ରାଣାଦି ଷୋଡ଼ଶ କଳା ମଧ୍ୟରେ ନିରନ୍ତର ବାସ କରୁଅଛନ୍ତି । ସେହି ନିତ୍ୟ ପରମାତ୍ମା କେବଳ ଯୋଗଦ୍ୱାରା ଲଭ୍ୟ ହୁଅନ୍ତି । ୧୯ । ପୁଷ୍କର ପତ୍ରରେ ଜଳବିନ୍ଦୁ ରହିଲା ପ୍ରାୟ ତନ୍ମଧ୍ୟରେ ସେହି ଦେବ ବାସ କରୁଅଛନ୍ତି । ସେହି ଏକା କ୍ଷେତ୍ରଜ୍ଞ, ତାହାଙ୍କୁ ଯୋଗ ଲଭ୍ୟ ପରମାତ୍ମା ବୋଲି ଜାଣ । ୨୦ ।

 

ସତ୍ତ୍ୱ, ରଜ ଓ ତମୋଗୁଣ ଜୀବାତ୍ମାଙ୍କୁ ଆଶ୍ରୟ କରିଥାଆନ୍ତି । ସେହି ଜୀବ ନିର୍ଗୁଣ ପରମାତ୍ମାଙ୍କର ଅଧୀନ ଅଟନ୍ତି । ୨୧ । ଜଡ଼ ଶରୀରାଦିକୁ ଜୀବର ଉପଭୋଗ୍ୟ ବୋଲି ନିର୍ଦ୍ଦେଶ କରନ୍ତି । ଜୀବ ରୂପରେ ଆତ୍ମା ସ୍ୱୟଂ ଚେଷ୍ଟିତ ହୋଇ ଈଶ୍ୱର ରୂପରେ ଅନ୍ୟ ସମସ୍ତଙ୍କୁ ସଚେଷ୍ଟ କରାନ୍ତି । ଆତ୍ମଜ୍ଞାନୀ ବ୍ୟକ୍ତିମାନେ ସେହି ପରମାତ୍ମାଙ୍କୁ ଜୀବ ଓ ଈଶ୍ୱରଙ୍କ ଅପେକ୍ଷା ଉତ୍କୃଷ୍ଟ ଅଥଚ ସପ୍ତଭୁବନ ପ୍ରବର୍ତ୍ତକ ବୋଲି କୀର୍ତ୍ତନ କରନ୍ତି । ଏହି ପ୍ରକାରେ ଭୂତାତ୍ମା ସର୍ବଭୂତରେ ପ୍ରକାଶମାନ ହେଉଅଛନ୍ତି । ଜ୍ଞାନବାନ୍ ଲୋକ ସୂକ୍ଷ୍ମ ବୁଦ୍ଧିଦ୍ୱାରା ତାହାକୁ ଦର୍ଶନ କରେ । ୨୩ । ଚିତ୍ତର ପ୍ରସନ୍ନତା ବଳରେ ଜ୍ଞାନୀମାନଙ୍କର ସମସ୍ତ ଶୁଭାଶୁଭ କର୍ମ ବିନଷ୍ଟ ହୋଇଯାଏ । ପରିଶେଷରେ ସେହି ବ୍ୟକ୍ତି ବିଶୁଦ୍ଧ ଚିତ୍ତରେ ବ୍ରହ୍ମ-ସାକ୍ଷାତ୍ କରି ଅନନ୍ତ ସୁଖ ସମ୍ଭୋଗ କରେ । ୨୪ । ପରିତୃପ୍ତ ବ୍ୟକ୍ତି ଯେପରି ପରମ ସୁଖରେ ଥାଏ ଓ ନିର୍ବାତ ସ୍ଥାନରେ ସୁଚାରୁରୂପେ ପ୍ରଦୀପ୍ତ ଦୀପ ଯେପରି ସ୍ଥିର ହୋଇ ଜଳୁଥାଏ, ଆତ୍ମଲାଭରେ ପ୍ରସନ୍ନ ବ୍ୟକ୍ତି ମଧ୍ୟ ତାଦୃଶ ସ୍ଥିର ହୋଇଥାଏ । ୨୫ । ଅଳ୍ପାହାରୀ ଓ ବିଶୁଦ୍ଧଚିତ୍ତ ବ୍ୟକ୍ତି ରାତ୍ରିର ପ୍ରଥମ ଭାଗରେ ହେଉ ଅଥବା ଶେଷ ଭାଗରେ ହେଉ, ନିରନ୍ତର ଯୋଗ ସାଧନା କରନ୍ତି ଓ ମନଦୀପକୁ ପ୍ରଦୀପ୍ତ କରି ତଦ୍ଦ୍ୱାରା ନିର୍ଗୁଣ ବ୍ରହ୍ମକୁ ଦର୍ଶନ କରନ୍ତି । ପରମାତ୍ମାଙ୍କ ଦର୍ଶନ ହେଲେ ସେ ମୁକ୍ତିଲାଭ କରନ୍ତି । ୨୭ । ସବୁ ପ୍ରକାର ଉପାୟଦ୍ୱାରା କ୍ରୋଧ ଓ ଲୋଭକୁ ବଶୀଭୂତ କଲେ ମନୁଷ୍ୟର ପବିତ୍ରତା ସମ୍ପାଦିତ ହୁଏ । ତପସ୍ୟା କେବଳ ସେତୁସ୍ୱରୂପ ନିର୍ଦ୍ଦିଷ୍ଟ ହୋଇଅଛି । ୨୮ ।

 

ମନୋମଧ୍ୟରେ କ୍ରୋଧ ଉପସ୍ଥିତ ହେଲେ, ତପସ୍ୟାରେ ବିଘ୍ନ ହୁଏ । ମତ୍ସରପଣର ଉଦୟ ହେଲେ ଧର୍ମଲାଭ ହୁଏ ନାହିଁ । ମାନାପମାନର ଭୟ ହେଲେ ବିଦ୍ୟାଲାଭରୁ ବଞ୍ଚିତ ହୁଏ ଓ ପ୍ରମତ୍ତ ହେଲେ ଆତ୍ମାଙ୍କର ସାକ୍ଷାତ୍‍ ହୁଏ ନାହିଁ । ୨୯ । ନୃଶଂସପଣ ପରିତ୍ୟାଗ କରିବା ପରମ ଧର୍ମ । କ୍ଷମାଦେବା ଅତିଶୟ ବଳର ଲକ୍ଷଣ ଅଟେ । ସବୁ ଜ୍ଞାନ ମଧ୍ୟରେ ଆତ୍ମଜ୍ଞାନ ଶ୍ରେଷ୍ଠ ଅଟେ ଓ ସବୁ ବ୍ରତ ମଧ୍ୟରେ ସତ୍ୟ କହିବା ପରମ ବ୍ରତ ଅଟେ । ୩୦ । ଯହିଁରେ ସମସ୍ତଙ୍କର ହିତ ହୁଏ, ତାହା ସତ୍ୟ ଅଟେ । ସତ୍ୟ କହିବା ଶ୍ରେୟସ୍କର ଓ ସତ୍ୟ ପ୍ରଭାବରୁ ଯଥାର୍ଥ ଜ୍ଞାନ ଓ ହିତସାଧନ ହୁଏ । ଯାହାଙ୍କର ସବୁ ସମାରମ୍ଭ କାମନାଶୂନ୍ୟ ହୋଇଥାଏ, ସେ ବିଷୟ ବାସନାକୁ ଏକାବେଳକେ ବିସର୍ଜନ କରିଥାଆନ୍ତି । ସେ ଯଥାର୍ଥ ବୁଦ୍ଧିମାନ ଓ ଉଦାସୀନ ଅଟନ୍ତି । ୩୨ । ଏହିପରି ଉଦାସୀନ ବ୍ୟକ୍ତିଙ୍କୁ ଗୁରୁ ଯୋଗ ଶ୍ରବଣ ନ କରାଇ କେବଳ ସଙ୍କେତଦ୍ୱାରା ତଦ୍‌ବିଷୟରେ ଉପଦେଶ ପ୍ରଦାନ କରନ୍ତି । ଭୋଗତୃଷ୍ଣାରେ ଚିତ୍ତର ଔଦାସ୍ୟ ଜାତହେଲେ କ୍ରମେ କ୍ରମେ ବ୍ରହ୍ମଙ୍କଠାରେ ପ୍ରୀତି ଜନ୍ମେ; ଏହାକୁ ଯୋଗ କହନ୍ତି ଓ ଏତଦ୍ଦ୍ୱାରା ବ୍ରହ୍ମ ସଂଯୋଗ ହୁଏ । ୩୩ । ପ୍ରାଣୀମାନଙ୍କୁ ହିଂସା କରିବ ନାହିଁ । ସମସ୍ତଙ୍କ ସହିତ ମିତ୍ରପଣ ସ୍ଥାପନ କରିବ । ଏହି ଛାର ଜୀବନ ନିମିତ୍ତ କାହାରି ସହିତ ବିବାଦ କରିବ ନାହିଁ । ୩୪ । ଅକିଞ୍ଚନପଣ, ସନ୍ତୋଷ, ନୈରାଶ୍ୟ ଓ ଅଚାପଲ୍ୟ ଓ ଆତ୍ମଜ୍ଞାନ, ଏହିସବୁ ସର୍ବୋତ୍କୃଷ୍ଟ ଗୁଣ ଓ ଏମାନଙ୍କୁ ହୃଦୟରେ ସ୍ଥାନଦେବା ଅବଶ୍ୟ କର୍ତ୍ତବ୍ୟ । ୩୫ । ବିଷୟବାସନା ପରିତ୍ୟାଗ କରି ମନକୁ ସ୍ଥିର କରି ଇହଲୋକରେ ଓ ପରଲୋକରେ ଶୋକରହିତ ସ୍ଥାନକୁ ଆଶ୍ରୟ କରିବ । ୩୬ । ତପସ୍ୟାରେ ରତ ହେବ; ଇନ୍ଦ୍ରିୟମାନଙ୍କୁ ଦମନ କରିବ; ମନକୁ ସଂଯତ କରିବ ଓ ଋଷିହୋଇ ସମୁଦାୟ ବିଷୟରୁ ନିଷ୍ପୃହ ହେବା କର୍ତ୍ତବ୍ୟ । ୩୭ । ଲୌକିକ ଗୁଣମାନ ଅଗୁଣ ବୋଲି ବୋଧ ହୁଏ । ଯେ ସ୍ତ୍ରୀସଙ୍ଗ ପରିତ୍ୟାଗ କରନ୍ତି, ଯେ ବ୍ରହ୍ମ ସାକ୍ଷାତ୍କାର ନିମିତ୍ତ ସର୍ବଦା ପ୍ରବୃତ୍ତ ହୋଇଥାଆନ୍ତି, ତାହାଙ୍କୁ ବ୍ରହ୍ମବିତ୍ତ କୁହାଯାଏ ଓ ସେ ବିଶୁଦ୍ଧ ସୁଖ ପ୍ରାପ୍ତ ହୁଅନ୍ତି । ୩୮ । ଯେଉଁ ମନୁଷ୍ୟ ସୁଖଦୁଃଖ ଦୁହିଁଙ୍କୁ ପରିତ୍ୟାଗ କରନ୍ତି ଓ ବିଷୟସଙ୍ଗରୁ ରହିତ ହୁଅନ୍ତି, ସେ ମୋକ୍ଷପଥ ଲାଭ କରନ୍ତି । ୩୯ । ହେ ଦ୍ୱିଜୋତ୍ତମ ! ଆମ୍ଭେ ଯାହା ଶ୍ରବଣ କରିଥିଲୁ, ତାହା ସଂକ୍ଷେପରେ ଆପଣଙ୍କୁ କହିଲୁ । ଆଉ କଅଣ ଶ୍ରବଣ କରିବାକୁ ଇଚ୍ଛା କରୁଅଛ ? ୪୦ ।

 

॥ ଅଧ୍ୟାୟ – ୨୧୪ ॥

 

ମାର୍କଣ୍ଡେୟ କହିଲେ–ହେ ଯୁଧିଷ୍ଠିର ! ଧର୍ମବ୍ୟାଧ ଏହିରୂପେ ସମସ୍ତ ମୋକ୍ଷଧର୍ମ କୀର୍ତ୍ତନ କରନ୍ତେ ବ୍ରାହ୍ମଣ ଅତ୍ୟନ୍ତ ଆନନ୍ଦଚିତ୍ତ ହୋଇ ତାହାଙ୍କୁ ଏହି କଥା କହିଲେ । ୧ । ତୁମ୍ଭେ ଯେଉଁ ଯେଉଁ ବିଷୟ କୀର୍ତ୍ତନ କଲ, ସେସବୁ ନ୍ୟାୟାନୁଗତ; ଏଥିରୁ ନିଶ୍ଚୟ ବୋଧହେଉଅଛି ଯେ, ଧର୍ମ ବିଷୟରେ ତୁମ୍ଭଙ୍କୁ କିଛିମାତ୍ର ଅଜଣା ନାହିଁ । ୨ । ବ୍ୟାଧ କହିଲେ, ହେ ଦ୍ୱିଜୋତ୍ତମ ! ଆମ୍ଭେ ଯେଉଁ ଧର୍ମପ୍ରଭାବରୁ ଏହି ସିଦ୍ଧି ଲାଭ କରିଅଛୁ, ତାହା ଆପଣ ପ୍ରତ୍ୟକ୍ଷ କରନ୍ତୁ । ୩ । ହେ ଭଗବନ ! ଆପନ ସତ୍ୱର ଗାତ୍ରୋତ୍‌ଥାନ କରି ଅନ୍ତଃପୁର ମଧ୍ୟକୁ ଯାଇ ବାରେ ମାତ୍ର ଆମ୍ଭର ଜନକ ଜନନୀଙ୍କୁ ଦର୍ଶନ କରନ୍ତୁ । ୪ ।

 

ମାର୍କଣ୍ଡେୟ କହିଲେ–ବ୍ୟାଧର କଥା ଶୁଣି ବ୍ରାହ୍ମଣ ଅନ୍ତଃପୁରରେ ପ୍ରବେଶ କରି ଗୋଟିଏ ରମଣୀୟ ଚତୁଃଶାଲା-ସୌଧ ଦର୍ଶନ କଲେ । ସେ ଗୃହ ଦେବଗୃହ ସମ ଅତିଶୟ ମନୋରମ ହୋଇଥିଲା । ଦେବତାମାନେ ମଧ୍ୟ ସେଠାକୁ ଆଦରପୂର୍ବକ ଆସୁଥିଲେ । ଶଯ୍ୟା ଓ ଆସନ ସ୍ଥାନେ ସ୍ଥାନେ ବିସ୍ତୁତ ହୋଇଅଛି । ୬ । ସେଠାରେ ଧର୍ମବ୍ୟାଧର ପିତାମାତା ଶୁକ୍ଳାମ୍ବର ପରିଧାନ କରି ପୂଜିତ ହେଉଥିଲେ । ଆହାର କରି ସନ୍ତୁଷ୍ଟ ମାନସରେ ଉତ୍ତମ ଆସନରେ ଉପବିଷ୍ଟ ହୋଇଥିଲେ । ଧର୍ମବ୍ୟାଧ ସେହି ଦମ୍ପତିଙ୍କୁ ଦେଖି ମସ୍ତକ ଅବନତ କରି ସେମାନଙ୍କ ପଦତଳେ ପଡ଼ିଲେ । ୭ । ତହିଁରେ ବୃଦ୍ଧ ମାତାପିତା କହିଲେ, ହେ ଧର୍ମଜ୍ଞ ! ଗାତ୍ରୋତ୍‌ଥାନ କର । ତୁମ୍ଭର ଧର୍ମ ତୁମ୍ଭଙ୍କୁ ରକ୍ଷା କରୁ । ତୁମ୍ଭର ବିଶୁଦ୍ଧ ବ୍ୟବହାରଦ୍ୱାରା ଆମ୍ଭେମାନେ ପ୍ରୀତ ହୋଇଅଛୁ । ଅତଏବ ତୁମ୍ଭେ ଅଭିଳଷିତ ଗତି, ଜ୍ଞାନ ଓ ମେଧା ଲାଭକରି ଦୀର୍ଘାୟୁ ହୁଅ । ତୁମ୍ଭେ ଆମ୍ଭମାନଙ୍କର ସତ୍‌ପୁତ୍ର, ନିତ୍ୟ ଯଥା–କାଳରେ ତୁମ୍ଭେ ଆମ୍ଭମାନଙ୍କର ସେବା କରୁଅଛ । ୯ । ଦେବତାମାନଙ୍କ ମଧ୍ୟରେ ସୁଦ୍ଧା ତୁମ୍ଭେ ଅନ୍ୟ କୌଣସି ଦେବତାଙ୍କୁ ପୂଜା କରୁନାହିଁ । ସର୍ବଦା ଚିତ୍ତଦମନ କରି ତୁମ୍ଭେ ବ୍ରାହ୍ମଣଙ୍କ ସଦୃଶ ଦମଗୁଣଯୁକ୍ତ ହୋଇଅଛ । ୧୦ । ହେ ପୁତ୍ର ! ତୁମ୍ଭର ଦମ ଗୁଣକୁ ଦେଖି ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭେ ଯେଉଁ ପୂଜା କରୁଅଛ ତାହା ଦେଖି, ତୁମ୍ଭର ପିତାମହ ଓ ପ୍ରପିତାମହମାନେ ସୁଦ୍ଧା ତୁମ୍ଭ ପ୍ରତି ସତତ ସନ୍ତୁଷ୍ଟ ଅଛନ୍ତି । ୧୧ । କାୟମନୋବାକ୍ୟରେ ତୁମ୍ଭେ ଆମ୍ଭମାନଙ୍କର ଶୁଶ୍ରୂଷା କରିବାରେ ତ୍ରୁଟି କରୁନାହଁ । ଆମ୍ଭମାନଙ୍କର ସେବା ବ୍ୟତିରେକେ ଅନ୍ୟ କାର୍ଯ୍ୟରେ ତୁମ୍ଭର ଆଗ୍ରହ ନାହିଁ । ୧୨-

 

ହେ ବତ୍ସ ! ଯମଦଗ୍ନିଙ୍କର ପୁତ୍ର ପରଶୁରାମ ଯେପରି ବୃଦ୍ଧ ପିତାମାତାଙ୍କୁ ପୂଜା କରୁଥିଲେ, ତୁମ୍ଭେ ମଧ୍ୟ ସେପରି ଆମ୍ଭମାନଙ୍କର ଉତ୍ତମରୂପେ ପୂଜା କରୁଅଛ, ବରଞ୍ଚ ତାହାଙ୍କ ଅପେକ୍ଷା ତୁମ୍ଭେ ଆମ୍ଭର ଅଧିକ ସେବା କରୁଅଛ । ୧୩ । ପରନ୍ତୁ ଧର୍ମବ୍ୟାଧ ଆପଣାର ପିତାମାତାଙ୍କୁ ସେହି ବ୍ରାହ୍ମଣଙ୍କ ବିଷୟ ନିବେଦନ କଲେ । ତହିଁରେ ସେମାନେ ସ୍ୱାଗତ ପ୍ରଶ୍ନଦ୍ୱାରା ସେହି ବ୍ରାହ୍ମଣଙ୍କର ସତ୍କାର କଲେ । ୧୪ । ବ୍ରାହ୍ମଣ ମଧ୍ୟ ସେହି ପୂଜା ପ୍ରତିହତ କରି ସେମାନଙ୍କୁ ପଚାରିଲେ, ଗୃହରେ ତୁମ୍ଭର ପୁତ୍ର ଓ ଭୃତ୍ୟମାନଙ୍କର ମଙ୍ଗଳ ତ ? ଏହି ବୃଦ୍ଧାବସ୍ଥାରେ ତୁମ୍ଭମାନଙ୍କର ଶରୀର ନିରୋଗ ଅଛି ତ ? ୧୫ । ବୃଦ୍ଧମାନେ କହିଲେ–ହେ ବିପ୍ର ! ଆମ୍ଭେମାନେ ସପୁତ୍ରଭୃତ୍ୟ ସର୍ବଥା କୁଶଳୀ ଅଛୁ-। ହେ ଭଗବନ ! ଆପଣ ମଧ୍ୟ ଏ ସ୍ଥଳରେ ନିର୍ବିଘ୍ନରେ ଉପନୀତ ହୋଇଅଛନ୍ତି ତ ? ୧୬ । ମାର୍କଣ୍ଡେୟ କହିଲେ–ବ୍ରାହ୍ମଣଙ୍କ ପ୍ରଶ୍ନବାକ୍ୟ ଶୁଣି ଆନନ୍ଦିତ ହୋଇ ସେମାନଙ୍କୁ ପ୍ରତ୍ୟୁତ୍ତର ଦେଲେ–ହଁ, ଆମ୍ଭେ ନିର୍ବିଘ୍ନରେ ଆସିଅଛୁ । ତଦନନ୍ତର ଧର୍ମବ୍ୟାଧ ବ୍ରାହ୍ମଣଙ୍କୁ ଚାହିଁ ସେମାନଙ୍କୁ ଏହି କଥା କହିଲେ । ବ୍ୟାଧ କହିଲେ, ହେ ଭଗବନ ! ଆମ୍ଭର ଏହି ପିତାମାତା ଦୁହେଁ ଆମ୍ଭର ପରମଦେବତା ଅଟନ୍ତି । ସୁରଗଣଙ୍କ ଉଦ୍ଦେଶ୍ୟରେ ଯାହା କର୍ତ୍ତବ୍ୟ, ଆମ୍ଭେ ତାହା ଏହାଙ୍କଠାରେ କରୁଅଛୁ । ୧୮ । ଇନ୍ଦ୍ରାଦି ତେତିଶ କୋଟି ଦେବତାମାନେ ଯେପରି ସର୍ବଲୋକରେ ପୂଜ୍ୟ ଅଟନ୍ତି, ସେହିପରି ଏହି ବୃଦ୍ଧ ଦମ୍ପତି ଆମ୍ଭର ସର୍ବଦା ପୂଜନୀୟ । ୧୯ । ବ୍ରାହ୍ମଣମାନେ ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ସଂଗ୍ରହ କରି ସେମାନଙ୍କର ପୂଜା କରନ୍ତି, ସେହିପରି ଆମ୍ଭେ ମଧ୍ୟ ଅନଳସ ହୋଇ ଏମାନଙ୍କର ସେବା କରୁ । ୨୦ । ହେ ବ୍ରହ୍ମନ୍‌ ! ଏହି ପିତାମାତା ଦୁହେଁ ଆମ୍ଭର ପରମ ଦେବତା । ସେମାନଙ୍କୁ ପୁଷ୍ପ, ଫଳ ଓ ରତ୍ନସମୂହଦ୍ୱାରା ସର୍ବଦା ପରିତୁଷ୍ଟ କରୁଅଛୁ । ୨୧ ।

 

ହେ ଦ୍ୱିଜ ! ପଣ୍ଡିତମାନେ ଯେଉଁ ତିନି ଅଗ୍ନି କଥା କହନ୍ତି, ଆମ୍ଭ ପକ୍ଷରେ ଏହି ପିତାମାତା ସେହି ଅଗ୍ନିସ୍ୱରୂପ । ହେ ବିପ୍ର ! ଏହାଙ୍କୁ ଆମ୍ଭେ ଯଜ୍ଞ ଓ ବେଦପ୍ରାୟ ମାନ୍ୟ କରୁ । ୨୨ । ଆମ୍ଭର ପଞ୍ଚପ୍ରାଣ, ପୁତ୍ର, ଭାର୍ଯ୍ୟା ଓ ମିତ୍ର ସମସ୍ତେ ଏହାଙ୍କ ନିମିତ୍ତ । ଆମ୍ଭେ ପୁତ୍ରକଳତ୍ର ସହିତ ସର୍ବଦା ଏମାନଙ୍କର ସେବା କରୁ । ୨୩ । ହେ ଦ୍ୱିଜସତ୍ତମ ! ଆମ୍ଭେ ସ୍ୱୟଂ ଏମାନଙ୍କୁ ସ୍ନାନ କରାଇ ସ୍ୱୟଂ ଏମାନଙ୍କର ପଦ ପ୍ରକ୍ଷାଳନ କରୁ ଓ ସ୍ୱୟଂ ଏମାନଙ୍କୁ ଆହାର ପ୍ରଦାନ କରୁ । ୨୪ । ଯେଉଁ ବାକ୍ୟ ଏମାନଙ୍କୁ ସୁଖକର ହୁଏ, ସେହି ବାକ୍ୟ ପ୍ରୟୋଗ କରୁ । ଅପ୍ରିୟ ବାକ୍ୟ କଦାପି ପ୍ରୟୋଗ କରୁ ନାହିଁ-। ଯହିଁରେ ଏମାନଙ୍କର ପ୍ରୀତି ହୁଏ, ତାହା ଧର୍ମଗର୍ହିତ ହେଲେ ହେଁ ଆମ୍ଭେ ତଦନୁଷ୍ଠାନରେ ପ୍ରବୃତ୍ତ ହେଉ । ୨୫ । ହେ ଦ୍ୱିଜବର ! ଏହାଙ୍କର ପ୍ରିୟ କାର୍ଯ୍ୟ ସାଧନକୁ ଆମ୍ଭେ ଗୁରୁଧର୍ମ ଜ୍ଞାନ କରି ତାହାର ଅନୁଷ୍ଠାନ କରୁ । ନିରଳସ ହୋଇ ସର୍ବଦା ଏମାନଙ୍କର ଶୁଶ୍ରୂଷା କରୁ । ୨୬ । ହେ ବ୍ରହ୍ମନ୍‌ ! ଯେଉଁ ପୁରୁଷ କଲ୍ୟାଣ କାମନା କରେ, ତାହା ପକ୍ଷରେ ପିତାମାତା, ଅଗ୍ନି, ଆତ୍ମା ଓ ଗୁରୁ ଏହି ପାଞ୍ଚଗୋଟି ଗୁରୁପଦବାଚ୍ୟ ହୁଅନ୍ତି । ୨୭ । ଏମାନଙ୍କଠାରେ ଯେ ସର୍ବଦା ସଦ୍‌ବ୍ୟବହାର କରନ୍ତି, ସେମାନଙ୍କର ପ୍ରତିଦିନ ଅଗ୍ନିସେବାର ଫଳ ଲାଭ ହୁଏ । ଗୃହସ୍ଥଙ୍କର ଏହି ଧର୍ମ ସନାତନ ଧର୍ମ ଅଟେ । ୨୮ ।

 

॥ ଅଧ୍ୟାୟ – ୨୧୫ ॥

 

ମାର୍କଣ୍ଡେୟ କହିଲେ, ଧର୍ମାତ୍ମା ବ୍ୟାଧ ସେହି ବ୍ରାହ୍ମଣଙ୍କୁ ଆପଣାର ପିତାମାତାଙ୍କୁ ଦେଖା କରାଇ ପୁନର୍ବାର ସେ ବିପ୍ରକୁ କହିଲେ, ପିତାମାତାଙ୍କୁ ଶୁଶ୍ରୂଷା କରିବାହେତୁ ଆମ୍ଭର ତପସ୍ୟା ବଳ ଦେଖିବା ହେଉନ୍ତୁ । ତଦ୍ଦ୍ୱାରା ଆମ୍ଭର ଚକ୍ଷୁ ସର୍ବତ୍ର ପ୍ରବୃତ୍ତ ହେଉଅଛି । ଆପଣ ମିଥିଳାକୁ ଗମନ କରନ୍ତୁ । ସେଠାରେ ଜଣେ ଧର୍ମବ୍ୟାଧ ବାସ କରନ୍ତି । ସେ ଆପଣଙ୍କୁ ଧର୍ମୋପଦେଶ ପ୍ରଦାନ କରିବେ । ଏହି କଥା କହି ସେହି ପତିବ୍ରତା ନାରୀ ଆପଣଙ୍କୁ ପଠାଇଥିଲେ । ଏ କଥା ଆମ୍ଭେ ଦିବ୍ୟଚକ୍ଷୁଦ୍ୱାରା ଜାଣିପାରି ଅଛୁ । ୩ । ବ୍ରାହ୍ମଣ କହିଲେ–ହେ ଧର୍ମଜ୍ଞ ! ଆପଣ ଯଥାର୍ଥ ଜିତେନ୍ଦ୍ରିୟ ଓ ସତ୍ୟବ୍ରତାଚାରୀ ଅଟନ୍ତି । ସେହି ସତ୍ୟନିଷ୍ଠା ପତିବ୍ରତା ଯେପରି କହିଥିଲେ ପ୍ରକୃତରେ ଆମ୍ଭେ ତାହା ଦେଖିଲୁ । ତୁମ୍ଭେ ପ୍ରକୃତରେ ଗୁଣବାନ ବୋଲି ଆମ୍ଭଙ୍କୁ ବୋଧ ହେଉଅଛି । ୪ ।

 

ବ୍ୟାଧ କହିଲେ–ହେ ବିପ୍ରର୍ଷେ ! ସେହି ପତିବ୍ରତା ଓ ସତ୍ୟଶୀଳା କାମିନୀ ଆମ୍ଭଙ୍କୁ ବିଶେଷରୂପେ ଜାଣନ୍ତି ବୋଲି ଆପଣଙ୍କୁ ଆମ୍ଭ ନିକଟକୁ ଆସିବାକୁ କହିଥିଲେ । ୫ । ହେ ବିପ୍ର ! ତୁମ୍ଭଠାରେ ଅନୁଗ୍ରହ କରି ଆମ୍ଭେ ପିତାମାତାଙ୍କୁ ଦେଖାଇଲୁ । ହେ ଦ୍ୱିଜ ! ତାତ ! ମୋର ବାକ୍ୟ ଶ୍ରବଣ କର । ତୁମ୍ଭର ହିତ କଥା କହିବୁ । ୬ । ଆପଣ ପିତାମାତାଙ୍କୁ ନ କହିି ସେମାନଙ୍କର ଅନୁମତି ନ ନେଇ ଗୃହରୁ ବେଦାଧ୍ୟୟନ ନିମିତ୍ତ ନିଷ୍କ୍ରାନ୍ତ ହେଲ । ହେ ଅନିନ୍ଦିତ ! ଏହି କାର୍ଯ୍ୟ ତୁମ୍ଭର ଅଯୁକ୍ତ । ତୁମ୍ଭର ଶୋକରେ ପୁଣ୍ୟଶୀଳ ବୃଦ୍ଧ ଦମ୍ପତି ଅନ୍ଧ ହେଲେ । ୮ । ସେମାନଙ୍କୁ ଯାଇ ପ୍ରସନ୍ନ କର । ଧର୍ମ ତୁମ୍ଭଙ୍କୁ ଅତିକ୍ରମ ନ କରୁ । ତୁମେ ତପସ୍ୱୀ ଓ ମହାତ୍ମା ଅଟ । ଧର୍ମରେ ତୁମ୍ଭେ ସର୍ବଦା ନିରତ ହୋଇଥାଅ । ୯ । ତୁମ୍ଭେ ଶୀଘ୍ର ସେମାନଙ୍କୁ ପ୍ରସନ୍ନ କର, ନତୁବା ତୁମ୍ଭର ଏହିସବୁ ଗୁଣ ବ୍ୟର୍ଥ ହେବ । ହେ ବ୍ରହ୍ମନ୍‌ ! ଆମ୍ଭେ ଯାହା କହିଲୁ ତହିଁରେ ଶ୍ରଦ୍ଧା କର । ଆମ୍ଭ କଥାର ଅନ୍ୟଥା କଦାପି କରିବ ନାହିଁ । ହେ ବିପ୍ରବର ! ଅଦ୍ୟ ତୁମ୍ଭେ ଗମନ କର । ଆମ୍ଭେ ତୁମ୍ଭର ଶ୍ରେୟ କହୁଅଛୁ । ୧୦ ।

 

ବ୍ରାହ୍ମଣ କହିଲେ–ହେ ଗୁଣାନ୍ୱିତ ! ଆପଣ ଯାହା କହିବା ହେଲେ ନିଶ୍ଚୟ ସେକଥା ସବୁ ସତ୍ୟ ଅଟେ । ତୁମ୍ଭର ଧର୍ମାଚାର ଦେଖି ଆମ୍ଭେ ତୁମ୍ଭଠାରେ ପ୍ରୀତ ହୋଇଅଛୁ, ତୁମ୍ଭର ମଙ୍ଗଳ ହେଉ-। ୧୧ । ବ୍ୟାଧ କହିଲେ– ଆପଣ ସନାତନ, ଶାଶ୍ୱତ ଓ ଦିବ୍ୟଧର୍ମକୁ ଶିକ୍ଷା କରିଅଛନ୍ତି । ଅତଏବ ଆପଣ ଦେବସଦୃଶ ଅଟନ୍ତି । ଅସ୍ଥିରମନା ବ୍ୟକ୍ତିମାନେ ଏପରି କାର୍ଯ୍ୟ ଅନୁଷ୍ଠାନ କରିପାରନ୍ତି ନାହିଁ-। ୧୨ । ହେ ଦ୍ୱିଜବର ! ତୁମ୍ଭେ ପିତାମାତାଙ୍କ ନିକଟକୁ ଯାଇ ଅନଳସ ଭାବରେ ଶୀଘ୍ର ସେମାନଙ୍କର ପୂଜା କର । ଏଥିରୁ ବଳି ଆମ୍ଭେ ଅନ୍ୟ କୌଣସି ଧର୍ମ ଦେଖୁ ନାହୁଁ । ୧୩ । ବ୍ରାହ୍ମଣ କହିଲେ–ଭାଗ୍ୟବଳରୁ ମୁଁ ଏଠାକୁ ଆଗମନ କଲି । ଭାଗ୍ୟବଳରୁ ତୁମ୍ଭ ସଙ୍ଗେ ମୋର ସାକ୍ଷାତ୍‍ ହେଲା । ତୁମ୍ଭ ପ୍ରାୟ ଧର୍ମପ୍ରଦର୍ଶକ ବ୍ୟକ୍ତି ଏହି ଲୋକରେ ଦୁର୍ଲ୍ଲଭ । ୧୪ । ସହସ୍ରେ ମନୁଷ୍ୟ ମଧ୍ୟରେ ଗୋଟିଏ ବ୍ୟକ୍ତି ଧର୍ମଜ୍ଞ ଥାଏ କି ନା ସନ୍ଦେହ । ହେ ନରଶ୍ରେଷ୍ଠ ! ତୁମ୍ଭ ସହିତ ମିତ୍ରତା କରି ଆମ୍ଭେ ଅତ୍ୟନ୍ତ ପ୍ରୀତ ହୋଇଅଛୁ । ତୁମ୍ଭର ମଙ୍ଗଳ ହେଉ । ୧୫ । ଆମ୍ଭେ ନରକରେ ପଡ଼ିଥିଲୁ । ଅଦ୍ୟ ଆପଣ ଆମ୍ଭଙ୍କୁ ଉଦ୍ଧାର କଲେ ଅଥବା ହେ ଅନଘ ! ଦୈବବଶରୁ ଆମ୍ଭେ ତୁମ୍ଭର ଦେଖାପାଇଲୁ । ୧୬ । ହେ ପୁରୁଷଶାର୍ଦ୍ଦୂଳ ! ରାଜା ଯଯାତି ଯେପରି ଭୌମ ନରକରେ ପତିତ ହୋଇଥିଲେ, ତାହାଙ୍କ ଦୌହିତ୍ରମାନେ ତାହାଙ୍କୁ ଉଦ୍ଧାର କଲେ, ସେହିପରି ଏହି ଦ୍ୱିଜକୁ ତୁମ୍ଭେ ରକ୍ଷା କଲ । ୧୭ । ତୁମ୍ଭ ବଚନ ପ୍ରମାଣେ ଆମ୍ଭେ ପିତାମାତାଙ୍କୁ ଶୁଶ୍ରୂଷା କରିବୁ; ଅକୃତାତ୍ମା ବ୍ୟକ୍ତି ଧର୍ମାଧର୍ମ ନିଶ୍ଚୟ କରିବାକୁ ସମର୍ଥ ହୁଏ ନାହିଁ । ୧୮ । ସନାତନ ଧର୍ମ ଜାଣିବା ଦୁରୂହ । ତୁମ୍ଭେ ଶୂଦ୍ର ଯୋନିରେ ଜନ୍ମ ହୋଇଅଛ । ମୁଁ ତୁମ୍ଭଙ୍କୁ ଶୂଦ୍ରଜ୍ଞାନ କରୁ ନାହିଁ । ଏଥିରେ ଅବଶ୍ୟ କିଛି କାରଣ ଥିବ । ଯେଉଁ କାରଣବଶରୁ ତୁମ୍ଭେ ଶୂଦ୍ର ହୋଇ ଜନ୍ମ ଗ୍ରହଣ କଲ, ହେ ମହାମତେ ! ତାହାର ତତ୍ତ୍ୱ ଆମ୍ଭେ ଜାଣିବାକୁ ଇଚ୍ଛା କରୁଅଛୁ । ତୁମ୍ଭେ ସ୍ଥିରଚିତ୍ତ ହୋଇ ସତ୍ୟ କହ । ୨୦ ।

 

ବ୍ୟାଧ କହିଲେ, ହେ ଦ୍ୱିଜବର ! ବ୍ରାହ୍ମଣ ବଚନକୁ ମୁଁ ଅବଜ୍ଞା କରିନପାରେ । ହେ ଅନଘ-! ପୂର୍ବଜନ୍ମରେ ମୋର ଯାହା ହୋଇଥିଲା, ତାହା କହୁଅଛି ଶ୍ରବଣ କର । ୨୧ । ହେ ଦ୍ୱିଜଶ୍ରେଷ୍ଠ-! ପୂର୍ବ ଦେହରେ ଆମ୍ଭେ ବ୍ରାହ୍ମଣ ଥିଲୁ; ବେଦାଧ୍ୟୟନକାରୀ ବେଦ ଓ ବେଦାଙ୍ଗରେ ପାରଗ ଥିଲୁ-। ୨୨ । ହେ ବ୍ରହ୍ମନ୍‌ ! ନିଜ ଦୋଷରୁ ଆମ୍ଭେ ଈଦୃଶ ଦଶା ପ୍ରାପ୍ତ ହେଲୁ । ଧନୁର୍ବେଦପାରଗ ଜଣେ ରାଜା ଆମ୍ଭର ସଖା ଥିଲେ । ୨୩ । ହେ ଦ୍ୱିଜ ! ତାହାଙ୍କ ସଂସର୍ଗରୁ ଆମ୍ଭେ ମଧ୍ୟ ଧନୁର୍ବିଦ୍ୟାରେ ଶ୍ରେଷ୍ଠତା ଲାଭ କଲୁଁ । ଏହି ସମୟରେ ଦିନେ ସେହି ନୃପତି ମୃଗୟା କରିବାକୁ ଗଲେ । ୨୪ । ତାହାଙ୍କ ସଙ୍ଗେ ମୁଖ୍ୟ ଯୋଦ୍ଧାମାନେ ଗଲେ ଓ ମନ୍ତ୍ରୀମାନେ ମଧ୍ୟ ତାହାଙ୍କ ସଙ୍ଗରେ ଗଲେ । ଆମ୍ଭେ ମଧ୍ୟ ତାହାଙ୍କ ସହିତ ମୃଗୟାକୁ ଗମନ କଲୁ । ସେହି ଆଶ୍ରମରେ ରାଜା ଅନେକ ମୃଗ ବଧ କଲେ । ହେ ଦ୍ୱିଜବର ! ଆମ୍ଭେ ମଧ୍ୟ ଅନେକ ଶର ନିକ୍ଷେପ କଲୁ । ଦୈବାତ୍ ଗୋଟିଏ ଶର ଯାଇ ଋଷିଙ୍କ ଦେହରେ ବିଦ୍ଧ ହେଲା । ୨୬ । ହେ ବ୍ରହ୍ମନ୍‌ ! ସେ ଋଷି ଚିତ୍କାର କରି ଭୂମିରେ ନିପତିତ ହେଲେ । ସେ କହିଲେ, ଆମ୍ଭେ କାହାର କିଛି ଅପରାଧ କରିନାହୁଁ । କେଉଁ ପାପମତି ଏ କାର୍ଯ୍ୟ କଲା ? ୨୭ । ହେ ବିଭୋ ! ମୃଗ ମନେକରି ଆମ୍ଭେ ତାହାଙ୍କ ନିକଟରେ ସହସା ଉପସ୍ଥିତ ହେଲୁଁ । ଦେଖିଲୁଁ ଯେ ଶରଦ୍ୱାରା ଜଣେ ଋଷି ବିଦ୍ଧ ହୋଇଅଛନ୍ତି । ୨୮ । ଏହି ଅକାର୍ଯ୍ୟ କରିଥିବାରୁ ଆମ୍ଭର ମନ ଅତିଶୟ ବ୍ୟଥିତ ହେଲା । ମହୀତଳରେ ପଡ଼ି ସେହି ଉଗ୍ର ତପସ୍ୱୀ ବିପ୍ର ଶବ୍‌ଦ କରୁଥିଲେ । ଆମ୍ଭେ ତାହାଙ୍କୁ କହିଲୁ ଯେ ଅଜ୍ଞାତରେ ଆମ୍ଭେ ଏ କାର୍ଯ୍ୟ କରିଅଛୁଁ । ଆମ୍ଭର ସବୁ ଦୋଷ କ୍ଷମା କରିବା ହେଉନ୍ତୁ । ମୁନି ଏହିପରି କଥା ଶୁଣି କ୍ରୋଧରେ ମୂର୍ଚ୍ଛିତ ହୋଇ ଆମ୍ଭଙ୍କୁ ଏହି ପ୍ରତିବଚନ କହିଲେ, ହେ କ୍ରୂର ! ତୁ ବ୍ୟାଧ ହୋଇ ଶୂଦ୍ର ଯୋନିରେ ଜାତ ହେବୁ ।

 

॥ ଅଧ୍ୟାୟ – ୨୧୬ ॥

 

ବ୍ୟାଧ କହିଲେ, ହେ ଦ୍ୱିଜବର ! ଏହି ପ୍ରକାରେ ଆମ୍ଭେ ଋଷିଙ୍କଠାରୁ ଅଭିଶାପ ପାଇଥିଲୁଁ-। ତତ୍କାଳରେ ଆମ୍ଭେ ତାହାଙ୍କୁ ବଚନଦ୍ୱାରା ପ୍ରସନ୍ନ କଲୁ ଓ କହିଲୁ; ଭଗବନ ! ଅଜ୍ଞାତରେ ଆମ୍ଭେ ଏହି କାର୍ଯ୍ୟ କରିଅଛୁ । ଆପଣ ପ୍ରସନ୍ନ ହେଉନ୍ତୁ । ଆମ୍ଭର ସବୁ ଦୋଷ କ୍ଷମାକରିବା ହେଉନ୍ତୁ-। ୨ । ଋଷି ବୋଇଲେ–ଆମ୍ଭର ଶାପ ଅନ୍ୟଥା ହେବ ନାହିଁ; ନିଶ୍ଚୟ ଅଭିଶାପ ଫଳିବ । ତଥାପି ଦୟାବହି ତୁମ୍ଭ ପ୍ରତି କିଛି ଅନୁଗ୍ରହ କରିବା । ୩ । ଶୂଦ୍ର ଯୋନିରେ ଥାଇ ସୁଦ୍ଧା ତୁମ୍ଭେ ଧର୍ମଜ୍ଞ ହେବ, ମାତାପିତାଙ୍କର ଶୁଶ୍ରୂଷା କରିବ । ତଦ୍ଦ୍ୱାରା ତୁମ୍ଭେ ଉଦ୍ଧାର ହେବ; ଏଥିରେ ସଂଶୟ ନାହିଁ । ୪-। ସେମାନଙ୍କ ସେବା କରି ତୁମ୍ଭେ ସିଦ୍ଧିଲାଭ କରିବ ଅଥଚ ମହତ୍ତ୍ୱପ୍ରାପ୍ତ ହେବ; ତୁମ୍ଭେ ଜାତିସ୍ମର ହେବ ଓ ସ୍ୱର୍ଗକୁ ଗମନ କରିବ । ୫ । ତୁମ୍ଭର ଅଭିଶାପ କ୍ଷୟ ହେଲ ପୁନର୍ବାର ବ୍ରାହ୍ମଣ ହେବ । ଏହି ପ୍ରକାରେ ପୂର୍ବ କାଳରେ ସେହି ଉଗ୍ରତେଜା ଋଷି ଆମ୍ଭଙ୍କୁ ଅଭିଶାପ ଦେଇଥିଲେ । ୬ । ହେ ମନୁଷ୍ୟଶ୍ରେଷ୍ଠ ! ଆମ୍ଭଠାରେ ଅନୁଗ୍ରହ କରି ସେ ଶାପୋଦ୍ଧାର କଲେ, ତହୁଁ ଆମ୍ଭେ ତାହାଙ୍କ ଦେହରୁ ଶର କାଢ଼ିନେଲୁ । ୭ । ଆମ୍ଭେ ତାହାଙ୍କୁ ଆଶ୍ରମକୁ ବହିନେଇ ଗଲୁ । ତଥାପି ସେ ପ୍ରାଣତ୍ୟାଗ କଲେ ନାହିଁ । ପୂର୍ବେ ଆମ୍ଭର ଯେପରି ଘଟଣା ହୋଇଥିଲା, ତାହାସବୁ ତୁମ୍ଭଙ୍କୁ କହିଲୁ । ହେ ଦିଜୋତ୍ତମ ! ଆମ୍ଭେ ଅବଶ୍ୟ ଋଷିଙ୍କ ବଚନାନୁସାରେ ସ୍ୱର୍ଗଗାମୀ ହେଲୁ । ୯ । ବ୍ରାହ୍ମଣ କହିଲେ, ହେ ବୁଦ୍ଧିମନ୍ତ ! ଏହି ପ୍ରକାରେ ମନୁଷ୍ୟମାନେ ସୁଖଦୁଃଖ ପ୍ରାପ୍ତ ହୁଅନ୍ତି । ତୁମ୍ଭେ ଉତ୍କଣ୍ଠିତ ହୁଅ ନାହିଁ-। ୧୦ । ତୁମ୍ଭେ ଆପଣାର ଜାତିକୁ ଜାଣିପାରି ଦୁଷ୍କର କର୍ମ କରିଅଛ । ତୁମ୍ଭେ ନିତ୍ୟଧର୍ମପରାୟଣ ଓ ଲୋକବ୍ୟବହାରର ତତ୍ତ୍ୱକୁ ଜାଣିଅଛ । ୧୧ । କର୍ମଦୋଷରୁ ଜାତ ଅଳ୍ପ କ୍ଳେଶ କିଛି କାଳ ଭୋଗ କରି ପୁନର୍ବାର ବ୍ରାହ୍ମଣ ହେବ । ୧୨ । ବର୍ତ୍ତମାନ ଆମ୍ଭ ମତରେ ତୁମ୍ଭେ ବ୍ରାହ୍ମଣ ଅଟ; ଏଥିରେ ସଂଶୟ ନାହିଁ; କାରଣ ବ୍ୟବହାରଦ୍ୱାରା ବ୍ୟକ୍ତି ବ୍ରାହ୍ମଣ ହୁଏ । ମନୁଷ୍ୟମାନେ କର୍ମଦୋଷରୁ ଦୁର୍ଗତି ଲାଭ କରନ୍ତି; କିନ୍ତୁ ତୁମ୍ଭର ଉଭୟବିଧ କାର୍ଯ୍ୟରେ ଅତି ସାମାନ୍ୟ ଦୋଷ ଦେଖାଯାଉଅଛି । ତୁମ୍ଭେ ଉତ୍କଣ୍ଠିତ ହୁଅ ନାହିଁ, ତୁମ୍ଭ ସଦୃଶ ବ୍ୟକ୍ତିମାନେ ବିଷଣ୍ଣ ହୁଅନ୍ତି ନାହିଁ । ତୁମ୍ଭେ ସର୍ବଦା ଧର୍ମପରାୟଣ ଓ ଲୋକବୃତ୍ତିର ତତ୍ତ୍ୱକୁ ଜାଣ । ୧୬ ।

 

ବ୍ୟାଧ କହିଲେ, ଶରୀର-ଦୁଃଖ ଔଷଧଦ୍ୱାରା ଦୂରୀକୃତ କରିବାକୁ ହୁଏ । ମନର ଦୁଃଖ ପ୍ରଜ୍ଞାଦ୍ୱାରା ନଷ୍ଟ ହୁଏ । ବିଜ୍ଞାନର ଏତାଦୃଶ ସାମର୍ଥ୍ୟ ଅଛି । ବିଜ୍ଞମାନେ ଏହା ଜାଣି ବାଳକପ୍ରାୟ କର୍ମ କରନ୍ତି ନାହିଁ । ୧୭ । ଅଳ୍ପବୁଦ୍ଧି ବ୍ୟକ୍ତିମାନେ ପ୍ରିୟବିୟୋଗ ଓ ଅପ୍ରିୟ ସଂଯୋଗ ହେତୁରୁ ମାନସିକ ଦୁଃଖରେ ଆକ୍ରାନ୍ତ ହୁଅନ୍ତି । ୧୮ । କିନ୍ତୁ ସଂସାରରେ ସମସ୍ତେ ସୁଖ, ଦୁଃଖ ଓ ମୋହରେ ସଂଯୁକ୍ତ ଏବଂ ବିଯୁକ୍ତ ହୁଅନ୍ତି । ଏହି ଶୋକ ସ୍ଥାନ କେବଳ ଜଣଙ୍କ ନିମିତ୍ତ ହୋଇନାହିଁ । ୧୯ । ମନୁଷ୍ୟମାନେ ଅପ୍ରିୟ ଘଟଣା ଘଟିଲା ପରେ ବିରକ୍ତ ହୁଅନ୍ତି; କିନ୍ତୁ ସେ ଅନିଷ୍ଟ ଘଟିବା ଆରମ୍ଭରେ ଯଦି ସେମାନେ ଅବଗତ ହୋଇଥାଆନ୍ତେ, ତେବେ ଯହିଁରେ ସେ ଅନିଷ୍ଟ ନ ଘଟିବ, ତହିଁର ପ୍ରତିକାର ଚେଷ୍ଟା କରୁଥାଆନ୍ତେ । ୨୦ । ଅନିଷ୍ଟ ହେତୁରୁ ଯେଉଁ ବ୍ୟକ୍ତି ଶୋକ କରନ୍ତି, ତାହାଙ୍କର କିଛି ଫଳ ହୁଏ ନାହିଁ । ସେମାନେ କେବଳ ଅନୁତାପରେ ଭାଗୀ ହୁଅନ୍ତି । ଯେଉଁ ପଣ୍ଡିତମାନେ ଜ୍ଞାନତୃପ୍ତ ହୋଇ ସୁଖ ଓ ଦୁଃଖ ଦୁହିଁଙ୍କୁ ବର୍ଜନ କରନ୍ତି, ସେହିମାନେ ଏକା ସୁଖରେ ବର୍ଦ୍ଧିତ ହୁଅନ୍ତି । ମୂଢ଼ବ୍ୟକ୍ତି ଅସନ୍ତୋଷର ପ୍ରାପ୍ତ ହୁଅନ୍ତି । ପଣ୍ଡିତମାନେ ସନ୍ତୋଷ ପାଆନ୍ତି । ୨୨ । ଅସନ୍ତୋଷର ଅନ୍ତ ନାହିଁ । ସନ୍ତୋଷ ପରମ ସୁଖ ଅଟେ । ଜ୍ଞାନମାର୍ଗରେ ଯେଉଁମାନେ ଗମନ କରନ୍ତି, ସେମାନେ ପରମଗତି ଲାଭ କରି କଦାପି ଶୋକପ୍ରାପ୍ତ ହୁଅନ୍ତି ନାହିଁ । ୨୩ । ମନକୁ ବିଷଣ୍ଣ କରିବା ଅନୁଚିତ । ବିଷାଦ ଯେ ସେ ଉତ୍ତମ ବିଷ ଅଟେ । ସର୍ପକ୍ରୁଦ୍ଧ ହୋଇ ଯେପରି ବାଳକକୁ ନିହତ କରେ, ସେହିପରି ପ୍ରଜ୍ଞାହୀନ ବ୍ୟକ୍ତିକୁ ବିଷାଦବିଷ ବିନାଶ କରେ । ୨୪ । ଯେତେବେଳେ ବିକ୍ରମ ପ୍ରକାଶ କରିବା ଆବଶ୍ୟକ, ତେତେବେଳେ ଯେଉଁ ବ୍ୟକ୍ତି ବିଷାଦରେ ଅଭିଭୂତ ହୁଏ, ସେହି ବ୍ୟକ୍ତି ତେଜହୀନ ହୁଏ ଓ ତାହାର ପୁରୁଷାର୍ଥ ବିନଷ୍ଟ ହୁଏ । ୨୫ । କର୍ମ କଲେ ତାହାର ଫଳ ଅବଶ୍ୟ ଘଟେ । କିନ୍ତୁ ନିର୍ବେଦ ପ୍ରାପ୍ତ ହେଲେ କୌଣସି ଶୁଭ ଫଳ ଘଟେ ନାହିଁ । ୨୬ । ଦୁଃଖ ଉପସ୍ଥିତ ହେଲେ ବିଷାଦରେ ମଗ୍ନ ନ ହୋଇ ଯହିଁରେ ଦୁଃଖର ମୋଚନ ହୁଏ, ତାଦୃଶ ଉପାୟ କରିବା ବିଧେୟ । ୨୭ । ଯେଉଁମାନେ ତତ୍ତ୍ୱଜ୍ଞାନ ପ୍ରାପ୍ତ ହୋଇଅଛନ୍ତି, ସେମାନେ ପ୍ରାଣୀମାନଙ୍କର ଅନିତ୍ୟତା ବିଷୟ ସମ୍ୟକ୍‌ରୂପେ ବିବେଚନା କରି ପରମଗତି ଲାଭ କରନ୍ତି । ୨୮ । ହେ ବିଦ୍ୱନ୍‌ ! ଆମ୍ଭେ ମଧ୍ୟ ଶୋକ କରୁ ନାହିଁ; କେବଳ କାଳକୁ ଅପେକ୍ଷା କରିଅଛୁ । ହେ ବ୍ରହ୍ମନ୍‌ ! ହେ ସତ୍ତମ ! ଏହିସବୁ ନିଦର୍ଶନଦ୍ୱାରା ଆମ୍ଭେ ବିଷାଦ ପରିତ୍ୟାଗ କରୁ । ୨୯ ।

 

ବ୍ରାହ୍ମଣ କହିଲେ, ହେ ଧର୍ମଜ୍ଞ ! ତୁମ୍ଭେ ଜ୍ଞାନବାନ ଓ ମେଧାବୀ ଅଟ । ତୁମ୍ଭର ବୁଦ୍ଧି ମଧ୍ୟ ମହତୀ । ଜ୍ଞାନ ବିଷୟରେ ମଧ୍ୟ ତୁମ୍ଭେ ପରିତୃପ୍ତି ଲାଭ କରିଅଛ । ଅତଏବ ଆମ୍ଭେ ତୁମ୍ଭ ନିମନ୍ତେ କଦାପି ଶୋକ କରୁନାହୁଁ । ୩୦ । ତୁମ୍ଭର ମଙ୍ଗଳ ହେଉ । ସମ୍ପ୍ରତି ଆମ୍ଭେ ତୁମ୍ଭ ନିକଟରୁ ବିଦାୟ ଗ୍ରହଣ କରୁଅଛୁ । ଧର୍ମ ତୁମ୍ଭଙ୍କୁ ସର୍ବତୋଭାବେ ରକ୍ଷା କରନ୍ତୁ । ହେ ଧାର୍ମିକବର ! ତୁମ୍ଭେ ସର୍ବଦା ପ୍ରମତ୍ତ ନ ହୋଇ ଧର୍ମାଚରଣ କର । ୩୧ । ମାର୍କଣ୍ଡେୟ କହିଲେ–ତତ୍କାଳରେ ବ୍ରାହ୍ମଣ କୃତାଞ୍ଜଳି ହୋଇ ଆଜ୍ଞା ହେଉ ବୋଲି କହି ବ୍ୟାଧକୁ ପ୍ରଦକ୍ଷିଣ କରି ଗମନ କଲେ । ୩୨ । ତଦନନ୍ତର ସେହି ବ୍ରାହ୍ମଣ ସ୍ୱଗୃହକୁ ଗମନ କରି ସ୍ଥିର ଚିତ୍ତ ହୋଇ ବୃଦ୍ଧ ପିତାମାତାଙ୍କର ସେବା କରିବାରେ ସର୍ବ ପ୍ରକାରେ ପ୍ରବୃତ୍ତ ହେଲେ । ୩୩ । ହେ ଧାର୍ମିକପ୍ରବର, ତାତ ଯୁଧିଷ୍ଠିର ! ତୁମ୍ଭେ ଧର୍ମ ବିଷୟରେ ଯେଉଁ କଥା ପଚାରିଥିଲ, ତାହା ସବୁ ତୁମ୍ଭ ସମୀପରେ କୀର୍ତ୍ତନ କଲୁ । ପ୍ରତିବ୍ରତା ମାହାତ୍ମ୍ୟ ଓ ବ୍ରାହ୍ମଣ ସମୀପରେ ଧର୍ମବ୍ୟାଧ ଯେଉଁ ସବୁ କଥା କହିଥିଲେ ଓ ସେ ଯେପରି ନିଜ ପିତାମାତାଙ୍କର ଶୁଶ୍ରୂଷା କରୁଥିଲେ ତାହାସବୁ ମଧ୍ୟ କୀର୍ତ୍ତନ କଲୁ । ଯୁଧିଷ୍ଠିର କହିଲେ, ହେ ବ୍ରହ୍ମନ୍‌ ! ଆପଣ ସବୁ ଧର୍ମଜ୍ଞଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ମୁନିଙ୍କ ମଧ୍ୟରେ ଆପଣ ସତ୍ତମ ଅଟନ୍ତି । ଆପଣ ଯେଉଁ ଧର୍ମାଖ୍ୟାନ କହିଲେ, ତାହା ଅତିଶୟ ଆଶ୍ଚର୍ଯ୍ୟ । ହେ ବିଦ୍ୱନ୍‌ ! ସେହି ଆଖ୍ୟାନ ଏଡ଼େ ସୁଶ୍ରାବ୍ୟ ହେଲା ଯେ ଏତେ କାଳ ଆମ୍ଭଙ୍କୁ ମୁହୂର୍ତ୍ତ ପ୍ରାୟ ବୋଧ ହେଲା । ୩୬ । ହେ ଭଗବନ ! ଏହି ଉତ୍ତମ ଧର୍ମ କଥା ଶ୍ରବଣ କରି ଆମ୍ଭେ କୌଣସି ପ୍ରକାର ପରିତୃପ୍ତ ହେଲୁନାହିଁ । ୩୭ ।

 

॥ ଅଧ୍ୟାୟ – ୨୧୭ ॥

 

ବୈଶମ୍ପାୟନ କହିଲେ, ଧର୍ମରାଜ ଯୁଧିଷ୍ଠିର ଏହି ଧର୍ମ ସମ୍ବନ୍ଧୀୟ ଶୁଭ ଉପାଖ୍ୟାନ ଶ୍ରବଣ କରି ମାର୍କଣ୍ଡେୟ ଋଷିଙ୍କୁ ପୁନର୍ବାର ପ୍ରଶ୍ନ କଲେ । ୧ । ଯୁଧିଷ୍ଠିର ବୋଇଲେ, ପୂର୍ବକାଳରେ ଅଗ୍ନି କି ନିମିତ୍ତ ଜଳରେ ପ୍ରବେଶ କରିଥିଲେ ଓ ଅଗ୍ନି ଅନ୍ତର୍ହିତ ହୁଅନ୍ତେ ମହାଦ୍ୟୁତି ଅଙ୍ଗିରା କିପରି ସ୍ୱୟଂ ଅଗ୍ନି ହୋଇ * ହବ୍ୟ ଗ୍ରହଣ କଲେ ? ୨ । ହେ ଭଗବନ ! ଅଗ୍ନି ଏକ ଅଟନ୍ତି; କିନ୍ତୁ କର୍ମସମୂହରେ ସେ ଅନେକ ହୁଅନ୍ତି । ଏହାର କାରଣ ଶୁଣିବାକୁ ମୁଁ ଇଚ୍ଛା କରୁଅଛି । ୩ । ମହାମୁନେ ! କାର୍ତ୍ତିକେୟ ଯେପରି ଉତ୍ପନ୍ନ ହୋଇଥିଲେ, ଅଗ୍ନିଙ୍କର ଯେପରି ପୁତ୍ର ଜନ୍ମ ହୋଇଥିଲା ଓ ରୁଦ୍ରଙ୍କଠାରୁ କାର୍ତ୍ତିକେୟ ସେହିପରି ଜାତ ହୁଅନ୍ତେ ଗଙ୍ଗା ଓ କୃତ୍ତିକା ନକ୍ଷତ୍ରମାନେ କିପରି ତାହାଙ୍କର ମାତା ହୋଇଥିଲେ । ୪-। ଆପଣଙ୍କଠାରୁ ଏହା ଶ୍ରବଣ କରିବାକୁ ଇଚ୍ଛା କରୁଅଛୁ । ହେ ଭାର୍ଗବସତ୍ତମ ! ହେ ମହାମୁନେ-! ଆମ୍ଭର ଅତିଶୟ କୌତୂହଳ ଜାତ ହୋଇଅଛି; ଆପଣ ଯଥାତଥ୍ୟ କହିବା ହେଉନ୍ତୁ । ୫ ।

 

[* ଦେବତାମାନଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଯାହା ହୋମ କରାଯାଏ, ତାହାକୁ ହବ୍ୟ କହନ୍ତି ।]

 

ମାର୍କଣ୍ଡେୟ କହିଲେ, ଅଗ୍ନି ଯେରୂପେ କ୍ରୂଦ୍ଧ ହୋଇ ତପସ୍ୟା କରିବା ନିମିତ୍ତ ଜଳ ମଧ୍ୟରେ ପ୍ରବିଷ୍ଟ ହୋଇଥିଲେ ଓ ଭଗବାନ ଅଙ୍ଗିରା ଯେପରି ସ୍ୱଂୟ ଅଗ୍ନି ହୋଇ ପ୍ରତାପଦ୍ୱାରା ଲୋକମାନଙ୍କୁ ସନ୍ତାପିତ କରି ତିମିରରାଶି ନାଶ କରିଥିଲେ, ଏ ସମ୍ବନ୍ଧରେ ପୁରାତନ ଇତିହାସରେ ଯାହା କଥିତ ଅଛି, ତାହା ଆମ୍ଭେ କହୁଅଛୁ । ହେ ମହାବାହୋ ! ପୂର୍ବକାଳରେ ଅଙ୍ଗିରା ଋଷି ଘୋର ତପସ୍ୟାଚରଣ କରିଥିଲେ । ସେ ଆଶ୍ରମରେ ଥାଇ ଏପରି ତପସ୍ୟା କଲେ ଯେ ଅଗ୍ନିଙ୍କଠାରୁ ସେ ଅଧିକ ତେଜସ୍ୱୀ ହୋଇ ସମୁଦାୟ ଜଗତ୍ ପ୍ରକାଶ କଲେ । ୮ । ତେଜସ୍ୱୀ ହୁତାଶନ ମଧ୍ୟ ତପସ୍ୟାରେ ରତଥିଲେ । ସେ ମଧ୍ୟ ଅଙ୍ଗିରାଙ୍କ ତେଜରେ ସନ୍ତପ୍ତ ଓ ଗ୍ଳାନିଯୁକ୍ତ ହୋଇ କିଛି ମାତ୍ର ଜାଣିପାରିଲେ ନାହିଁ । ଅଗ୍ନି ଏପରି ଜ୍ଞାନ ଶୂନ୍ୟ ହେଲେ ଯେ କେଉଁଠାରେ କ’ଣ ହେଉଅଛି, ତାହା ସେ ଜାଣିପାରିଲେ ନାହିଁ । ୯ । ଭଗବାନ ହୁତାଶନ ଭାବିଲେ ଯେ ବ୍ରହ୍ମା ଆଉ ଗୋଟିଏ ଅଗ୍ନି ସୃଷ୍ଟି କରିଅଛନ୍ତି । ୧୩ । ଏବେ ଅଗ୍ନିତ୍ୱ ବିନଷ୍ଟ ହେଲା । ଆମ୍ଭେ ପୁନରପି କିପରି ଅଗ୍ନି ହେବୁ ? ଏହିପରି ଅଗ୍ନି ଅତ୍ୟନ୍ତ ଭାବନା କଲେ । ଏତନ୍ମଧ୍ୟରେ ଦେଖିଲେ ଯେ ମହାମୁନି ଅଙ୍ଗିରା ଅଗ୍ନି ସଦୃଶ ହୋଇ ଲୋକମାନଙ୍କୁ ତାପ ପ୍ରଦାନ କରୁଅଛନ୍ତି । ଏହିପରି ଅଗ୍ନି ଭୀତ ହୋଇ ଋଷିଙ୍କ ସମୀପକୁ ଆଗମନ କଲେ । ତାହାଙ୍କୁ ଦେଖି ଅଙ୍ଗିରା କହିଲେ, । ୧୨ । ଆପଣ ଶୀଘ୍ର ଅଗ୍ନିହୋଇ ଲୋକମାନଙ୍କୁ ରକ୍ଷା କରନ୍ତୁ । ତିନିଲୋକ ମଧ୍ୟରେ ସ୍ଥାବର ଜଙ୍ଗମ ସମସ୍ତେ ଆପଣଙ୍କର ପରିଚିତ ଅଟନ୍ତି । ୧୩ । ବ୍ରହ୍ମା ପ୍ରଥମେ ଅନ୍ଧକାର ନାଶ କରି ଆପଣଙ୍କସ୍ୱରୂପ ସୃଜନ କରିଥିଲେ । ଅତଏବ ହେ ଅନ୍ଧକାରନାଶକ ! ଆପଣ ଶୀଘ୍ର ସ୍ୱସ୍ଥାନକୁ ପ୍ରତିଗମନ କରନ୍ତୁ । ୧୪ । ଅଗ୍ନି ବୋଇଲେ, ଆମ୍ଭର କୀର୍ତ୍ତି ନଷ୍ଟ ହେଲା । ଲୋକରେ ଆପଣ ହୁତାଶନ ବୋଲି ପ୍ରଖ୍ୟାତ ହେଲେ । ଆପଣଙ୍କୁ ସମସ୍ତେ ଅଗ୍ନି ବୋଲି ଜାଣିବେ; ଆମ୍ଭଙ୍କୁ କେହି ଅଗ୍ନି ବୋଲି କହିବେ ନାହିଁ । ୧୫ ।

 

ହେ ପ୍ରଜାପତି ନନ୍ଦନ ! ଆମ୍ଭେ ଅଗ୍ନିପଣକୁ ତ୍ୟାଗ କଲୁଁ । ତୁମ୍ଭେ ପ୍ରଥମେ ଅଗ୍ନି ହୁଅ । ଆମ୍ଭେ * ଦ୍ୱିତୀୟ ଅଗ୍ନି ହେବୁ । ୧୬ ।

 

[* ପ୍ରଥମ ଅଗ୍ନି–ସୂତ୍ରାତ୍ମା: ଦ୍ୱିତୀୟ ଅଗ୍ନି–ବିରାଟ ।]

 

ଅଙ୍ଗିରା କହିଲେ, ହେ ଦେବ ! ଆପଣ ତିମିରନାଶକାରୀ ଅଗ୍ନି ହୋଇ ପ୍ରଜାମାନଙ୍କର ସ୍ୱର୍ଗପ୍ରାପ୍ତି ପାଇଁ ହବ୍ୟବାହନ ହେଉନ୍ତୁ ଓ ଆମ୍ଭଙ୍କୁ ମଧ୍ୟ ପ୍ରକୃତରୂପେ ପ୍ରଥମେ ଗୋଟିଏ ପୁତ୍ର ପ୍ରଦାନ କରନ୍ତୁ । ୧୭ । ମାର୍କଣ୍ଡେୟ କହିଲେ, ଅଙ୍ଗିରାଙ୍କର ସେହି ବାକ୍ୟ ଶ୍ରବଣ କରି ହୁତାଶନ ତାହାଙ୍କର ଅଭିଳାଷ ପୂର୍ଣ୍ଣ କଲେ । ତଦନନ୍ତର ଅଙ୍ଗିରାଙ୍କର ମଧ୍ୟ ବୃହସ୍ପତି ନାମରେ ଗୋଟିଏ ପୁତ୍ର ଜାତ ହେଲେ । ୧୮ । ହେ ଭାରତ ! ଅଗ୍ନିଙ୍କଠାରୁ ଅଙ୍ଗିରାଙ୍କର ସୁତୋତ୍ପତ୍ତି ହେବାର ଶୁଣି ଦେବତାମାନେ ଆସି ଅଙ୍ଗିରାଙ୍କୁ ତହିଁର କାରଣ ପଚାରିଲେ । ୧୯ । ଦେବତାମାନେ କାରଣ ପଚାରନ୍ତେ, ଅଙ୍ଗିରାଋଷି ସେମାନଙ୍କ ସମୀପରେ ସମୁଦାୟ କାରଣ ବ୍ୟକ୍ତ କଲେ । ଦେବତାମାନେ ମଧ୍ୟ ଅଙ୍ଗିରାଙ୍କ କଥା ଅନୁମୋଦନ କଲେ । ହେ ରାଜନ୍‌ ! ଅଗ୍ନି ନାନାପ୍ରକାର, ସେମାନେ ବହୁବିଧ କର୍ମଦ୍ୱାରା ବିଖ୍ୟାତ । ଏକ ଏକ ପ୍ରକାର ଅଗ୍ନିଙ୍କଦ୍ୱାରା ଏକ ଏକ ପ୍ରକାର କାର୍ଯ୍ୟ ସୁସମ୍ପନ୍ନ ହୁଏ । ୨୧ ।

 

॥ ଅଧ୍ୟାୟ – ୨୧୮ ॥

 

ମାର୍କଣ୍ଡେୟ କହିଲେ, ହେ କୁରୁବଂଶଶ୍ରେଷ୍ଠ ! ବ୍ରହ୍ମାଙ୍କ ତୃତୀୟ ପୁତ୍ର ଅଙ୍ଗିରା, ତାହାଙ୍କ ଭାର୍ଯ୍ୟାଙ୍କ ନାମ ଶୁଭା; ଶୁଭାଙ୍କ ଗର୍ଭରେ ଯେଉଁସବୁ ପୁତ୍ର କନ୍ୟା ଜାତ ହୋଇଥିଲେ, ସେମାନଙ୍କର ନାମ ଶ୍ରବଣ କରନ୍ତୁ । ୧ । ହେ ରାଜନ୍‌ ! ତାହାଙ୍କର ପୁତ୍ର ବୃହସ୍ପତି, ବୃହତ୍‌କୀର୍ତ୍ତି, ବୃହତ୍ତେଜ, ବୃହଦ ବେଦାଧ୍ୟୟନ, ବୃହଦ୍‌ମନ, ବୃହନ୍‌ମନ, ବୃହଦ୍‌ମନ୍ତ୍ର ଓ ବୃହତ୍‌ପ୍ରଭା ଥିବାରୁ ତାହାଙ୍କର ନାମ ବୃହସ୍ପତି ହେଲା । ୨ । ଅଙ୍ଗିରାଙ୍କର ପ୍ରଥମା କନ୍ୟାର ନାମ ଦେବୀ ଭାନୁମତୀ । ପୂର୍ବେ ଯେତେ ସନ୍ତତି କଥିତ ହେଲେ ତନ୍ମଧ୍ୟରେ ଏହାଙ୍କ ରୂପ ଅନିର୍ବଚନୀୟ । ଅଙ୍ଗିରାଙ୍କର ଦ୍ୱିତୀୟା କନ୍ୟାର ନାମ ରାଗା-। ସର୍ବ ପ୍ରାଣୀଙ୍କର ତାହାଙ୍କଠାରେ ତତ୍କାଳରେ ଅନୁରାଗ ଜାତ ହେଉଥିବାରୁ ତାହାଙ୍କର ନାମ ରାଗା ହେଲା । ୪ । ଶରୀରର ସୂକ୍ଷ୍ମତା ହେତୁରୁ ସେ କେତେବେଳେ ଦୃଶ୍ୟ ହୁଅନ୍ତି ଓ କେତେବେଳେ ଅଦୃଶ୍ୟ ହୁଅନ୍ତି । ଏହି ହେତୁରୁ ଲୋକମାନେ ତାହାଙ୍କୁ କନ୍ଦର୍ପସୂତା ବୋଲି କହନ୍ତି । ତାହାଙ୍କର ନାମ ସିନୀବାଲୀ । ସେ ଅଙ୍ଗିରାଙ୍କର ତୃତୀୟା କନ୍ୟା । ଅଙ୍ଗିରାଙ୍କର ଚତୁର୍ଥା କନ୍ୟାର ନାମ ଅର୍ଚ୍ଚଷ୍ମତୀ-। ତାହାଙ୍କ ପ୍ରଭାଦ୍ୱାରା ଲୋକେ ରାତ୍ରରେ ସୁଦ୍ଧା ରୂପାଦି ଦର୍ଶନ କରନ୍ତି । ଅଙ୍ଗିରାଙ୍କର ପଞ୍ଚମା କନ୍ୟା ହବିଷ୍ମତୀ । ତାହାଙ୍କଠାରେ ହବିଃ ପ୍ରଦାନଦ୍ୱାରା ଦେବତାମାନଙ୍କର ଅର୍ଚ୍ଚନା ହୁଏ । ଏହି କାରଣରୁ ତାହାଙ୍କର ନାମ ହବିଷ୍ମତୀ ହୋଇଅଛି । ଅଙ୍ଗିରାଙ୍କର ଷଷ୍ଠା କନ୍ୟାର ନାମ ମହୀଷ୍ମତୀ । ସେ ବଡ଼ ପୁଣ୍ୟଶୀଳ ଥିଲେ । ୬ । ହେ ମହାମତେ ! ଅଙ୍ଗିରାଙ୍କର ସପ୍ତମା କନ୍ୟା ମହାମତୀ ନାମରେ ବିଖ୍ୟାତ ଥିଲେ । ସୋମ ଯାଗାଦି ଦୀପ୍ତିଶାଳୀ ମହାଯଜ୍ଞସମୂହରେ ତାହାଙ୍କୁ ମହାମତୀ ବୋଲାଯାଏ-। ୭ । ଅଷ୍ଟମ କନ୍ୟା ଭଗବତୀଙ୍କୁ ଦେଖି ଲୋକେ ବିସ୍ମୟରେ କୁହୁକୁହୁ ବୋଲି କହିଲେ । ତହୁଁ ଏହି ଅଷ୍ଟମା କନ୍ୟାର ନାମ କୁହୁ ହେଲା । ୮ ।

 

॥ ଅଧ୍ୟାୟ – ୨୧୯ ॥

 

ମାକଣ୍ଡେୟ କହିଲେ, ବୃହସ୍ପତିଙ୍କର ଚନ୍ଦ୍ରକାନ୍ତା (ତାରା) ନାମ୍ନୀ ଯେଉଁ ଯଶସ୍ୱିନୀ ଭାର୍ଯ୍ୟା ଥିଲେ, ସେ ହୁତାଶନାତ୍ମକ ଛଅ ଗୋଟି ପୁତ୍ର ଓ ଏକ ଗୋଟି କନ୍ୟା ଉତ୍ପନ୍ନ କଲେ । ୧ । ଅମାବାସ୍ୟା ଓ ପୌର୍ଣ୍ଣମାସାଦିରେ ପ୍ରତ୍ୟେକ ପ୍ରଧାନ ପ୍ରଧାନ ଯଜ୍ଞରେ ଯେଉଁ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଘୃତାହୁତି ଦେବାକୁ ହୁଏ, ସେହି ଅଗ୍ନି ବୃହସ୍ପତିଙ୍କର ପୁତ୍ର ଅଟନ୍ତି । ତାହାଙ୍କର ନାମ ଶଂଯୁ ଓ ସେ ମହାବ୍ରତସମ୍ପନ୍ନ ଥିଲେ । ଏହି ଅଗ୍ନି ଯେତେବେଳେ ପ୍ରଜ୍ୱଳିତ ହୁଅନ୍ତି; ସେତେବେଳେ ତାହାଙ୍କର ଅସଂଖ୍ୟ ଶିଖା ଦୃଶ୍ୟ ହୁଏ । ଚାତୁର୍ମାସ୍ୟା ଯଜ୍ଞ ଓ ଅଶ୍ୱମେଧ ଯଜ୍ଞରେ ତାହାଙ୍କ ଆରାଧନା ନିମିତ୍ତ ପ୍ରଥମ ପଶୁ ପ୍ରବଳିତ ହୁଏ । ୩ । ଶଂଯୁଙ୍କର ଭାର୍ଯ୍ୟା ନିରୁପମା ରୂପବତୀ; ତାହାଙ୍କର ନାମ ସତ୍ୟା-। ସତ୍ୟ ନିମିତ୍ତ ସେ ଧର୍ମଙ୍କଠାରୁ ଜାତ ହୋଇଥିଲେ । ଶଂଯୁଙ୍କର ପୁତ୍ର ଅତିଶୟ ପ୍ରଦୀପ୍ତ ଅଗ୍ନି ଓ ତାହାଙ୍କର ତିନିଗୋଟି କନ୍ୟା ମଧ୍ୟ ବ୍ରତପରାୟଣା । ୪ । ଯଜ୍ଞରେ ପ୍ରଥମ ଆଦ୍ୟ ଭାଗଦ୍ୱାରା ଯେଉଁ ଅଗ୍ନି ଅର୍ଚ୍ଚିତ ହୁଅନ୍ତି, ସେହି ଅଗ୍ନିଙ୍କର ନାମ ଭରଦ୍ୱାଜ । ସେ ଶଂଯୁଙ୍କର ପ୍ରଥମ ପୁତ୍ର ବୋଲି କଥିତ ହୁଅନ୍ତି । ୫ । ସାକଲ୍ୟ, ପୌର୍ଣ୍ଣମାସ୍ୟ ଯଜ୍ଞରେ ଯାହାଙ୍କ ଉପରେ ସୁକଦ୍ୱାରା ଘୃତାହୁତି ହୁଏ, ସେହି ଅଗ୍ନିଙ୍କର ନାମ ଉର୍ଜ୍ଜଭର । ଶଂଯୁଙ୍କର ସେ ଦ୍ୱିତୀୟ ପୁତ୍ର । ୬ । ଶଂଯୁଙ୍କର ଆଉ ଯେଉଁ ତିନୋଟି କନ୍ୟା ଥିଲେ, ସେମାନଙ୍କ ଅପେକ୍ଷା ଭରତ ବଡ଼ । ଉର୍ଜ୍ଜଭରଙ୍କ ପୁତ୍ରଙ୍କର ନାମ ଭରତ ଓ କନ୍ୟାଙ୍କର ନାମ ଭାରତୀ । ୭ । ହେ ଭରତସତ୍ତମ ! ପ୍ରଜାପତି * ଭରତ ନାମକ ଅଗ୍ନିଙ୍କର ପୁତ୍ର ପାବକ ଅଟନ୍ତି । ଲୋକରେ ତାହାଙ୍କର ମହିମାବଶରୁ ସେ ପୂଜିତ ହୁଅନ୍ତି । ୮ । ଭରଦ୍ୱାଜଙ୍କ ଭାର୍ଯ୍ୟାଙ୍କ ନାମ ବୀରା । ବୀରାଙ୍କ ଗର୍ଭରେ ଭରଦ୍ୱାଜଙ୍କ ଔରସରୁ ବୀରାନାମା ଅଗ୍ନିଙ୍କର ଜନ୍ମ ହେଲା । ବ୍ରାହ୍ମଣମାନେ ସୋମଙ୍କ ଉଦ୍ଦେଶ୍ୟରେ ଯେପରି ଆଜ୍ୟଦ୍ୱାରା ଆହୁତି ପ୍ରଦାନ କରିଥାଆନ୍ତି, ସେହିପରି ଏହି ବୀରନାମାଗ୍ନିଙ୍କୁ ଆହୁତି ପ୍ରଦାନ କରନ୍ତି । ବୀରଙ୍କର ଆଉ ତିନୋଟି ନାମ–ରଥପ୍ରଭୁ, ରଥାଧ୍ୱାନା ଓ କୁମ୍ଭରେତା । ୧୦ । ସେହି ଅଗ୍ନିଙ୍କର ଭାର୍ଯ୍ୟା ସରଯୁଙ୍କୁ ତାହାଙ୍କଠାରୁ ସିଦ୍ଧି ନାମକ ପୁତ୍ର ଜନ୍ମ କରି ତାହାର ପ୍ରଭାଦ୍ୱାରା ସୂର୍ଯ୍ୟଙ୍କୁ ଆବୃତ କଲେ । ଏହି ହେତୁରୁ ଅଗ୍ନି ଦୈବତ୍ୟ ଯାଗରେ ଏହାଙ୍କୁ ଆବାହନ କରନ୍ତି । ୧୧ ।

 

[*ଭରତ ନାମକ ଅଗ୍ନି ପ୍ରଜାପତି ଥିଲେ ।]

 

ସେହି ଅଗ୍ନି ଆପଣାର ଯଶ, ତେଜଃ ଓ ଐଶ୍ୱର୍ଯ୍ୟରୁ କଦାପି ପ୍ରଚ୍ୟୁତି ହୁଅନ୍ତି ନାହିଁ । ଏହି ହେତୁରୁ ତାହାଙ୍କର ନାମ ନିଶ୍ଚବନ ଅଗ୍ନି । ସେ କେବଳ ପୃଥିବୀକୁ ସ୍ତବ କରନ୍ତି । ତାହାଙ୍କ ପୁତ୍ରଙ୍କ ନାମ ବିପାକ ଅଗ୍ନି, ସେ କଳୁଷଶୂନ୍ୟ ବିଶୁଦ୍ଧ ଅର୍ଚ୍ଚିଷ୍ମାନ । ୧୩ । ସେ ଅଗ୍ନିଙ୍କର ଏପରି କ୍ଷମତା ଯେ ଯେଉଁମାନେ ରୋଦନ କରନ୍ତି, ସେମାନଙ୍କୁ ସେ ଶାନ୍ତ କରନ୍ତି । ଏହି ହେତୁରୁ ତାହାଙ୍କର ନାମ ନିଷ୍କୃତି । ତାହାଙ୍କୁ ସେବାକଲେ ପ୍ରାଣୀମାନେ ନିଷ୍କୃତି ଲାଭ କରନ୍ତି ଓ ବେଦନାରୁ ଉଦ୍ଧାର ପାଆନ୍ତି । ତାହାଙ୍କ ପୁତ୍ରର ନାମ ସ୍ୱନ । ସେ ଲୋକମାନଙ୍କ ଶରୀରରେ ରୋଗପ୍ରଦାନ କରନ୍ତି । ଏହି ଅଗ୍ନିଙ୍କ ପ୍ରଭାବରୁ ପ୍ରାଣୀମାନେ ଆର୍ତ୍ତସ୍ୱରରେ ଚିତ୍କାର କରନ୍ତି । ୧୫ । ଯେଉଁ ଅଗ୍ନି ଏହି ପୃଥିବୀରେ ସବୁ ପ୍ରାଣୀଙ୍କ ବୁଦ୍ଧିକୁ ଅଧିକାର କରିଅଛନ୍ତି, ଅଧ୍ୟାତ୍ମବେତ୍ତାମାନେ ସେହି ଅଗ୍ନିକୁ ବିଶ୍ୱଜିତ୍ ବୋଲି କୀର୍ତ୍ତନ କରନ୍ତି । ୧୬ । ଯେଉଁ ଅଗ୍ନି ପ୍ରାଣୀମାନଙ୍କର ଅଭ୍ୟନ୍ତରରେ ଥାଇ ଭୁକ୍ତ ଅନ୍ନପାନାଦିକୁ ପାକ କରନ୍ତି, ତାହାଙ୍କୁ ବିଶ୍ୱଭୁକ୍ ବୋଲି କୀର୍ତ୍ତନ କରନ୍ତି । ୧୭ । ବ୍ରହ୍ମଚାରୀ, ସଂଯତାତ୍ମା ଓ ବୃହଦ୍ ବ୍ରତାଚାରୀ ବ୍ରାହ୍ମଣମାନେ ପାକଯଜ୍ଞରେ ଏହି ବିଶ୍ୱଭ୍ମଙ୍‌ନାମା ଅଗ୍ନିକୁ ପୂଜା କରନ୍ତି । ୧୮ । ପବିତ୍ର ଗୋମତୀ ନାମ୍ନୀ ନଦୀ ତାହାଙ୍କର ଭାର୍ଯ୍ୟା ଥିଲେ । ଧର୍ମକର୍ତ୍ତାମାନେ ସେହି ଅଗ୍ନିଦ୍ୱାରା ସମୁଦାୟ କର୍ମ ସମ୍ପାଦନ କରନ୍ତି । ୧୯ । ଯେଉଁ ଦାରୁଣ ବାଡ଼ାବାଗ୍ନି ସମୁଦ୍ରର ଜଳକୁ ପାନ କରନ୍ତି ଓ ସତତ ଊର୍ଦ୍ଧଗାମୀ ହୁଅନ୍ତି, ତାହାଙ୍କର ନାମ ଊର୍ଦ୍ଧ୍ୱଭାକ; ପ୍ରାଣକୁ ଯେଉଁ ଅଗ୍ନି ଆଶ୍ରୟ କରିଥାଏ ତାହାର ନାମ କବି । ୨୦ । ଲୋକେ ଯାହାକୁ ଜଳପତ ସ୍ୱିଷ୍ଟ ନାମ ହବି ପ୍ରଦାନ କରନ୍ତି, ତାହାଙ୍କର ନାମ ସ୍ୱିଷ୍ଟକୃଦଗ୍ନି । ଯେଉଁ ଅଗ୍ନି ପ୍ରଳୟ କାଳରେ ସମୁଦାୟ ଲୋକ ବିନଷ୍ଟ ହେଲେ ହେଁ କ୍ରୋଧସ୍ୱରୂପ ବର୍ତ୍ତମାନ ଥାଆନ୍ତି, ତାହାଙ୍କ ନାମ ମନ୍ୟୁ । ମନ୍ୟୁଙ୍କ କନ୍ୟାଙ୍କ ନାମ ସ୍ୱାଦା । ତାହାଙ୍କ ସ୍ୱଭାବ ଅତିଶୟ କ୍ରୂର ଓ ଦାରୁଣ । ସେ ସର୍ବପ୍ରାଣୀଙ୍କଠାରେ ବର୍ତ୍ତମାନ ଅଛନ୍ତି । ସ୍ୱର୍ଗରେ ସୁଦ୍ଧା ତାହାଙ୍କ ସମାନ ରୂପରେ କେହି ସୁନ୍ଦରୀ ନାହାନ୍ତି । ରୂପରେ ଏହାଙ୍କ ସମାନ କେହି ନ ଥିବାରୁ ଦେବତାମାନେ ଏହାଙ୍କୁ କାମପାବକ ବୋଲନ୍ତି । ୨୩ । ଯେଉଁ ଅଗ୍ନି ହୃଷ୍ଟ ହୋଇ ମନ ମଧ୍ୟରେ ବିଚାର କରନ୍ତି ଯେ ଆମ୍ଭେ ଏହାକୁ ଜୟ କରିବୁ–ଏହା ବିଚାରରେ ଯେ କ୍ରୋଧ ବହି ଧନୁର୍ଦ୍ଧାରୀ ହୋଇ ଗଳାରେ ମାଳା ଲମ୍ବାଇ ରଥରେ ବସି ସମର ମଧ୍ୟରେ ଶତ୍ରୁ ବିନାଶ କରନ୍ତି, ତାହାକୁ ଅମୋଘାଗ୍ନି ବୋଲନ୍ତି । ୨୪ । ଉକ୍ୱ ନାମକ ମହାଭାଗ ଅଗ୍ନି ଦେବୋକ୍ତ ତିନିଗୋଟି ଉକ୍‌ଥନାମା ମନ୍ତ୍ରଦ୍ୱାରା ସ୍ତୁତ ହୁଅନ୍ତି । ତାହାଙ୍କ ପୁତ୍ର ମହାବାକ୍‌ ! ତାହାଙ୍କର ଅପର ଗୋଟିଏ ନାମ ସମାଶ୍ୱାସ । ୨୫ ।

 

॥ ଅଧ୍ୟାୟ – ୨୨୦ ॥

 

ମାର୍କଣ୍ଡେୟ କହିଲେ–ସେହି ଉକ୍‌ଥ ବ୍ରହ୍ମାଙ୍କ ସଦୃଶ ଯଶସ୍ୱୀ ଓ ଧର୍ମିଷ୍ଠ ପୁତ୍ର ଲାଭକରିବା ନିମିତ୍ତ ବହୁ ବର୍ଷ ପର୍ଯ୍ୟନ୍ତ ତୀବ୍ର ତପସ୍ୟାଚରଣ କଲେ । ୧ । ତତ୍କାଳରେ କାଶ୍ୟପ, ବଶିଷ୍ଠ, ପ୍ରାଣପୁତ୍ର ପ୍ରାଣ, ଅଙ୍ଗିରାଙ୍କ ପୁତ୍ର ଚ୍ୟବନ ଓ ସୁବର୍ଚ୍ଚକ–ଏହି ପଞ୍ଚାଗ୍ନି ମହା-ବ୍ୟାହୁତି-ମନ୍ତ୍ରଦ୍ୱାରା ଧ୍ୟାନ କରନ୍ତେ ମହତୀ ଜ୍ୱଳାସଂଯୁକ୍ତ ପଞ୍ଚବର୍ଣ୍ଣ ବିଶିଷ୍ଟ ଗୋଟିଏ ତେଜ ସମୁତ୍ପନ୍ନ ହେଲା । ସେହି ତେଜର ଏପରି ସାମର୍ଥ୍ୟ ଯେ ସେ ଜଗତ୍ ସୃଷ୍ଟି କରିପାରନ୍ତି । ୩ ।

 

ହେ ଭାରତ ! ତାହାଙ୍କର ମସ୍ତକ ପ୍ରଜ୍ଜଳିତ ଅଗ୍ନିବର୍ଣ୍ଣ ପ୍ରାୟ; ଦୁଇ ବାହୁ ସୂର୍ଯ୍ୟଙ୍କ ପ୍ରାୟ ପ୍ରଭାଶାଳୀ; ତ୍ୱକ୍ ଓ ନେତ୍ର, ସୁବର୍ଣ୍ଣ ବର୍ଣ୍ଣର ଆଭା ପ୍ରାୟ; ଜଙ୍ଘା ଦୁଇଟି କୃଷ୍ଣ ବର୍ଣ୍ଣ । ୪ । ଏହିପରି ପଞ୍ଚ ମହାତପା ଋଷି ତପୋବଳଦ୍ୱାରା ତାହାଙ୍କୁ ପଞ୍ଚବର୍ଣ୍ଣବିଶିଷ୍ଟ କଲେ । ଏହି କାରଣରୁ ସେହି ଦେବ ପାଞ୍ଚଜନ୍ୟ ନାମରେ ବିଖ୍ୟାତ ହେଲେ । ତାହାଙ୍କୁ ତପ ମଧ୍ୟ କୁହାଯାଏ । ସେହି ତପଙ୍କଠାରୁ ପାଞ୍ଚ ଗୋଟି ବଂଶ ପ୍ରବର୍ତ୍ତିତ ହେଲେ । ୫ । ସେହି ମହାତପା ଦଶ ସହସ୍ର ବର୍ଷ ତପସ୍ୟା କରି ପିତୃଗଣ ସମ୍ବନ୍ଧୀୟ ଭୟଙ୍କର ଅଗ୍ନିକୁ ଜାତ କଲେ । ସେହି ଅଗ୍ନିଙ୍କ ନାମ ଦକ୍ଷିଣାଗ୍ନି । ସେହି ଅଗ୍ନି ଜାତ ହେଲା ପରେ ପିତୃଗଣଙ୍କର ପ୍ରଜାମାନଙ୍କୁ ସୃଷ୍ଟି କଲେ । ୬ । ମସ୍ତକରୁ ବୃହତ୍ ରଥନ୍ତର, ମୁଖରୁ ହରିହର, ନାଭିରୁ ଶିବ, ରକ୍ତରୁ ଇନ୍ଦ୍ର, ପ୍ରାଣରୁ ବାୟୁ ଓ ଅଗ୍ନି ଏବଂ ବାହୁଦ୍ୱୟରୁ ଉଦାତ୍ତ, ଅନୁଦାତ୍ତ; ବିଶ୍ୱ ସଂସାର ଓ ଭୂତସମୁଦାୟ ସୃଷ୍ଟି କଲେ । ୮ । ବୃହଦ୍‌ରଥଙ୍କଠାରୁ ପ୍ରଣିଧି, କାଶ୍ୟପଙ୍କର ମହତ୍ତର; ଅଙ୍ଗିରାଙ୍କର ଭାନୁ, ବର୍ଚ୍ଚଙ୍କର ସୌରଭ ଓ ପ୍ରାଣଙ୍କର ଅନୁଦାତ୍ତ; ଏହି ପାଞ୍ଚଗୋଟି ପୁତ୍ର ଉତ୍ପନ୍ନ ହୋଇ ପଞ୍ଚବିଂଶତି ପୁତ୍ର ହେଲେ । ଏତଦ୍‌ଭିନ୍ନ ଯଜ୍ଞାପହାରୀ ଅନ୍ୟ ପଞ୍ଚଦଶ ଦେବତାଙ୍କୁ ସେ ସୃଷ୍ଟି କଲେ । ୧୦ । ସୁଭୀମ, ଅତିଭୀମ, ଭୀମ, ଭୀମବଳ ଓ ଅବଳ, ସୁମିତ୍ର, ମିତ୍ରବାନ, ମିତ୍ରଜ୍ଞ, ମିତ୍ରବର୍ଦ୍ଧନ ଓ ମିତ୍ରଧର୍ମା, ସୁରପ୍ରବୀର, ବୀର, ସୁବେଶ, ସୁବର୍ଚ୍ଚା ଓ ସୁରହନ୍ତା, ଏହି ପଞ୍ଚଦଶ ଦେବତାଙ୍କୁ ତିନି ଭାଗରେ ବିଭକ୍ତ କରି ସୃଷ୍ଟି କଲେ । ୧୩ ।

 

ଏମାନେ ପାଞ୍ଚଗୋଟି ଲେଖାଏଁ ତ୍ରିବିଧ ସ୍ଥାନରେ ସଂସ୍ଥିତ ହୋଇଅଛନ୍ତି । ଏମାନେ ପୃଥିବୀରେ ଥାଇ ସ୍ୱର୍ଗରୁ ଯଜ୍ଞ ଅପହରଣ କରିବାକୁ ଆରମ୍ଭ କଲେ । ୧୪ । ଏମାନେ ସୁରଗଣଙ୍କ ଯଜ୍ଞକୁ ହରଣକରି ନିଅନ୍ତି ଓ ମହତ ହବିକୁ ସୁଦ୍ଧା ବିନଷ୍ଟ କରନ୍ତି । ଅଗ୍ନିଙ୍କ ପ୍ରତି ସ୍ପର୍ଦ୍ଧାକରି ସେମାନେ ଏହିପରି ବିନାଶ କରିବାରେ ପ୍ରବୃତ୍ତ ହୁଅନ୍ତି । ୧୫ । ଏହି କାରଣରୁ ଯେଉଁ ଯାଜ୍ଞିକମାନେ ଉତ୍ତମ କୌଶଳ ଜାଣନ୍ତି, ସେମାନେ ବହିର୍ବେଦିରେ ସେମାନଙ୍କ ନିମିତ୍ତ ଆଦ୍ୟଭାଗ କଳ୍ପିତ କରନ୍ତି । ସେହି ବହିର୍ବେଦିସ୍ଥିତ ଅନଳ ସମୀପରେ ସେମାନେ ଆଦ୍ୟଭାଗକୁ ଗ୍ରହଣ କରି ଅଗ୍ରସର ହୋଇପାରନ୍ତି ନାହିଁ । ୧୬ । ଅଗ୍ନି ସଞ୍ଚୟକର୍ତ୍ତା ଯଜମାନ ସେମାନଙ୍କୁ ଆସନ ପ୍ରଦାନ ପୂର୍ବକ ମନ୍ତ୍ରବଳରେ ସନ୍ତୁଷ୍ଟ କଲେ ସେମାନେ ଆଉ କଦାପି ଯଜ୍ଞୀୟ ହବିକୁ ଅପହରଣ କରନ୍ତି ନାହିଁ । ୧୭ । ତପଙ୍କର ବୃହଦୁକଥ ନାମରେ ଆଉ ଗୋଟିଏ ପୁତ୍ର ଭୂମିକୁ ଆଶ୍ରୟ କରିଅଛନ୍ତି । ଅଗ୍ନିହୋତ୍ର ଯଜ୍ଞର ଅନୁଷ୍ଠାନ ବେଳେ ସାଧୁମାନେ ଭୂମଣ୍ଡଳରେ ତାହାଙ୍କର ପୂଜା କରନ୍ତି । ୧୮ । ତପଙ୍କର ଯେଉଁ ପୁତ୍ରଟିର ନାମ ରଥନ୍ତର ଅଗ୍ନିବୋଲି ପଠିତ ହୁଅନ୍ତି, ତାହାଙ୍କ ନିମିତ୍ତ ଯେଉଁ ଆଦ୍ୟ କଳ୍ପିତ ହୁଏ, ତାହା ମିତ୍ରବିନ୍ଦ ଅର୍ଥାତ୍ ମହାବିରାଟଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ହୁଏ । ଏହାର ତାତ୍ପର୍ଯ୍ୟ ଏହି ଯେ, ରଥନ୍ତର-ଅଗ୍ନି ଯେ ସେ ମହାବିରାଟ ଅଟନ୍ତି, ସୁତରାଂ ସେ ବୃହସ୍ପତିଙ୍କ ଅପେକ୍ଷା ଶ୍ରେଷ୍ଠ । ୨୯ । ମହାଯଶା ତପ ଏହିରୂପେ ପରମପ୍ରୀତ ହୋଇ ପୁତ୍ରମାନଙ୍କଠାରୁ ସୁଖଲାଭ କରିଥିଲେ । ୨୦ ।

 

Unknown

॥ ଅଧ୍ୟାୟ – ୨୨୧ ॥

 

ମାର୍କଣ୍ଡେୟ କହିଲେ, ଶଂଯୁଙ୍କର ପୁତ୍ର ଭରତନାମା ଅଗ୍ନି ଅନେକ ବୃହତ୍ ନିୟମଦ୍ୱାରା ଆପଣା ଚିତ୍ତକୁ ଦମନ କରିଥିଲେ । ସେହି ଅଗ୍ନିଙ୍କର ଆଉ ଗୋଟିଏ ନାମ ପୁଷ୍ଟିମତି ଥିଲା । ତାହାଙ୍କୁ ସନ୍ତୁଷ୍ଟ କଲେ ସେ ପୁଷ୍ଟି ପ୍ରଦାନ କରନ୍ତି । ଏହି ଅଗ୍ନି ପ୍ରଜାମାନଙ୍କୁ ଭରଣ କରନ୍ତି ବୋଲି ତାହାଙ୍କ ନାମ ଭରତ କୁହାଯାଏ । ୧ । ଆହୁରି ତପଙ୍କର ତୃତୀୟ ପୁତ୍ର ଶିବନାମା ଅଗ୍ନି; ସେ ଶକ୍ତିପୂଜା କରନ୍ତି । ଦୁଃଖାର୍ତ୍ତ ପ୍ରାଣୀମାନଙ୍କର ସର୍ବଦା ଦୁଃଖ ମୋଚନ କରିବାରୁ ତାହାଙ୍କୁ ଶିବ କୁହାଯାଏ । ୨ । ତପନାମା ଅଗ୍ନିଙ୍କର ମହତୀ ତପସ୍ୟାଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହେବାର ଦେଖି ତାହାଙ୍କର ଉତ୍ତରାଧିକାରୀ ହୋଇ ପୁରନ୍ଦର ନାମରେ ଅଗ୍ନି ଜାତ ହେଲେ । ପୁରନ୍ଦର ଅତିଶୟ ବୁଦ୍ଧିମାନ, ପିତାଙ୍କର ଐଶ୍ୱର୍ଯ୍ୟକୁ ହରଣକରିବା ଅଭିଳାଷରେ ସେ ତପଙ୍କର ପୁତ୍ରହୋଇ ଜାତ ହୋଇଥିଲେ । ୩ । ଉଷ୍ମା ନାମରେ ଆଉ ଗୋଟିଏ ମଧ୍ୟ ସନ୍ତାନ ଜନ୍ମିଲେ । ସେ ଭୂତଗଣଙ୍କ ମଧ୍ୟରେ ଉଷ୍ମା ହେବା ଲକ୍ଷିତ ହୁଏ । ମନୁନାମା ଅଗ୍ନି ମଧ୍ୟ ତପଙ୍କଠାରୁ ଜାତ ହୋଇଥିଲେ । ସେ ପ୍ରଜାପତିଙ୍କର ଅଧିକାରପ୍ରାପ୍ତ ହୋଇଥିଲେ । ୪ । ବେଦପାରଗ ବ୍ରାହ୍ମଣମାନେ ତଦନନ୍ତର ଶମ୍ଭୁନାମା ଅଗ୍ନିଙ୍କର ଜନ୍ମକଥା କହନ୍ତି । ତତ୍ପରେ ଆବସଥ୍ୟ ଅଗ୍ନିଙ୍କର ଜନ୍ମ ହେଲା । ତାହାଙ୍କୁ ବ୍ରାହ୍ମଣମାନେ ମହାପ୍ରଭାଶାଳୀ ପ୍ରଦୀପ୍ତ ଅଗ୍ନି ବୋଲି ବର୍ଣ୍ଣନା କରନ୍ତି । ୫ । ପୂର୍ବୋକ୍ତ ପ୍ରଜାସୃଷ୍ଟି ଉତ୍ତାରୁ ତପଙ୍କଠାରୁ ସୁବର୍ଣ୍ଣପ୍ରଭା ସଦୃଶ ପ୍ରଭାଶାଳୀ ଉର୍ଜସ୍କର ପାଞ୍ଚ ଗୋଟି ଯଜ୍ଞସୂତ ଜନ୍ମ କଲେ । ୬ । ଅସ୍ତ ହେଲାବେଳେ ମହାଭାଗ ସୂର୍ଯ୍ୟ ପରିଶ୍ରାନ୍ତ ହୋଇ ପ୍ରଶାନ୍ତନାମା ଅଗ୍ନି ହୁଅନ୍ତି । ତାହାଙ୍କୁ ମଧ୍ୟ ତପନାମା ଅଗ୍ନି ଉତ୍ପନ୍ନ କଲେ । ଦିତିଙ୍କର ପୁତ୍ର ଅତି ଭୟଙ୍କର ମୂର୍ତ୍ତିମାନଙ୍କୁ ସେ ସୃଷ୍ଟି କଲେ । ୭ । ତପଙ୍କର ପୁତ୍ର ପ୍ରଜାପତି ଭାନୁଙ୍କୁ ଅଙ୍ଗିରା ମଧ୍ୟ ସୃଷ୍ଟି କଲେ । ବେଦପାରଗ ଦ୍ୱିଜମାନେ ସେହି ଭାନୁଙ୍କୁ ବୃହଭାନୁ ବୋଲି କୀର୍ତ୍ତନ କରନ୍ତି । ୮ ।

 

ଭାନୁଙ୍କର ଭାର୍ଯ୍ୟା ସୁପଜା ଓ ବୃହଦ୍ଭାଷା । ବୃହଦ୍ଭାଷା ସୂର୍ଯ୍ୟଙ୍କର କନ୍ୟା ଥିଲେ । ସେମାନେ ଦୁହେଁ ଛଅ ଗୋଟି ପୁତ୍ର ଉତ୍ପନ୍ନ କଲେ । ସେମାନଙ୍କର ଯେତେ ପ୍ରଜା ହୋଇଥିଲେ, ସେମାନଙ୍କର ନାମ ଶ୍ରବଣ କର । ୯ । ଯେଉଁ ଅଗ୍ନିମାନେ ଦୁର୍ବଳ ଭୂତଗଣଙ୍କୁ ବଳ ପ୍ରଦାନ କରନ୍ତି, ସେହି ଅଗ୍ନିମାନଙ୍କୁ ପଣ୍ଡିତମାନେ ବଳଦ ବୋଲି କହନ୍ତି । ସେ ଭାନୁଙ୍କର ପ୍ରଥମ ସନ୍ତାନ । ୧୦ । ପ୍ରାଣୀମାନେ ଶାନ୍ତଭାବକୁ ଅବଲମ୍ବନ କଲେ, ଯେଉଁ ଅଗ୍ନିଦାରୁଣ ମନ୍ୟୁରୂପକୁ ଧାରଣ କରନ୍ତି, ତାହାଙ୍କୁ ମନ୍ୟୁମାନ ବୋଲାଯାଏ । ସେ ଭାନୁଙ୍କର ଦ୍ୱିତୀୟ ପୁତ୍ର ଅଟନ୍ତି । ୧୧ । ଦର୍ଶ ଓ ପୌର୍ଣ୍ଣ ମାସ ଯଜ୍ଞରେ ଯାହାଙ୍କ ଉଦ୍ଦେଶ୍ୟରେ ଆହୁତି ପ୍ରଦତ୍ତ ହେବାର କଥା ଅଛି, ଇହଲୋକରେ ଯେଉଁ ଅଗ୍ନି ବିଷ୍ଣୁନାମରେ ପ୍ରସିଦ୍ଧ ଅଟନ୍ତି, ସେହି ଅଗ୍ନି ଭାନୁଙ୍କର ତୃତୀୟ ପୁତ୍ର ଅଟନ୍ତି । ସେ ଧୃତିମାନ ନାମା ଅଙ୍ଗିରା । ୧୨ । ଇନ୍ଦ୍ରଙ୍କ ସହିତ ଯେଉଁ ଅଗ୍ନିଙ୍କୁ ଆଶ୍ରୟନାମା ପ୍ରଦତ୍ତ ହୁଏ, ତାହାଙ୍କ ନାମ ଆଶ୍ରୟଣାଗ୍ନି । ୧୩ । ସେ ଭାନୁଙ୍କର ଚତୁର୍ଥ ସନ୍ତାନ । ବିଶ୍ୱଦେବ ଭାନୁଙ୍କର ପଞ୍ଚମପୁତ୍ର ଅଟନ୍ତି । ସେ ଚତୁର୍ମାସ୍ୟା ଯାଗରେ ନିତ୍ୟ ବିହିତ ଆଗ୍ନେୟ ପ୍ରଭୃତି ଅଷ୍ଟପ୍ରକାର ହବିର ଉତ୍ପତ୍ତି ସ୍ଥାନ । ତାହାଙ୍କର ଆଉ ଗୋଟିଏ ନାମ ଅଗ୍ରହ । ଭାନୁଙ୍କର ଷଷ୍ଠପୁତ୍ର ସ୍ତୁଭ । ୧୪ । ସେହି ଭାନୁନାମା ମନୁଙ୍କର ନିଶାନାମ୍ନୀ ଆଉ ଗୋଟିଏ ଭାର୍ଯ୍ୟା ଥିଲେ । ତାହାଙ୍କଠାରୁ ଗୋଟିଏ କନ୍ୟା ଓ ଆଗୀ, ସୋମ ନାମରେ ଦୁଇ ପୁତ୍ର ଓ ପଞ୍ଚପାବକ ଏହି ପରି ଆଠଗୋଟି ଅପତ୍ୟଙ୍କୁ ପ୍ରସବ କଲେ । ୧୫-। ଚତୁର୍ମାସ୍ୟା ଯଜ୍ଞରେ ଯେଉଁ ଶ୍ରୀମନ୍ ଅଗ୍ନିଙ୍କୁ ପ୍ରଥମ ହବିଦ୍ୱାରା ପର୍ଯନ୍ୟଙ୍କ ସହିତ ପୂଜା କରନ୍ତି, ସେ ବୈଶ୍ୱାନରନାମା ଅଗ୍ନି । ମନୁଙ୍କର ଶେଷୋକ୍ତ ପଞ୍ଚପୁତ୍ରଙ୍କ ମଧ୍ୟରେ ଏହି ବୈଶ୍ୱାନର ପ୍ରଥମ ପୁତ୍ର । ୧୬ । ଏହି ସମସ୍ତ ଲୋକ ମଧ୍ୟରେ ଯେ ପ୍ରଭୁ ବୋଲି ପରିକଥିତ ହୁଅନ୍ତି, ସେହି ଅଗ୍ନିଙ୍କ ନାମ ବିଶ୍ୱପତି । ବିଶ୍ୱପତି ମନୁଙ୍କର ଦ୍ୱିତୀୟ ପୁତ୍ର ଅଟନ୍ତି । ୧୭ । ମନୁଙ୍କର ଯେଉଁ କନ୍ୟା, ତାହାଙ୍କ ନାମ ରୋହିଣୀ । ରୋହୀଣୀଙ୍କଠାରୁ ଘୃତ ଉତ୍ତମରୂପେ ଇଷ୍ଟ ହେଉଥିବାରୁ ତାହାଙ୍କ ନାମ ସ୍ୱିଷ୍ଟକୃତ୍ ହୋଇଅଛି । କର୍ମଦୋଷରୁ ସେ କନ୍ୟା ହୋଇ ହିରଣ୍ୟକଶିପୁଙ୍କର ପତ୍ନୀ ହୋଇଥିଲେ; କିନ୍ତୁ ପ୍ରକୃତରେ ସେ ପ୍ରଜାପତି ବହ୍ନି ଥିଲେ । ଯେଉଁ ଅଗ୍ନି ପ୍ରାଣବାୟୁମାନଙ୍କୁ ଆଶ୍ରୟକରି ପ୍ରାଣୀମାନଙ୍କ ଦେହରେ ପ୍ରବର୍ତ୍ତିତ ହୁଅନ୍ତି, ତାହାଙ୍କ ନାମ ସନ୍ନିହିତ । ଶବ୍ଦ ଓ ରୂପ ଏ ଦୁହେଁ ତାହାଙ୍କଠାରୁ ଗୃହୀତ ହୁଅନ୍ତି । ସେହି ସନ୍ନିହିତ ମନୁଙ୍କର ତୃତୀୟପୁତ୍ର ଅଟନ୍ତି । ୧୯ । ଯେଉଁ ଦେବଙ୍କର ଗମନମାର୍ଗ ଶୁକ୍ଳବର୍ଣ୍ଣ ଅପୁନରାବୃତ୍ତି ଓ ପୁନରାବୃତ୍ତି ରୂପ ଫଳ ପ୍ରଦାନ କରନ୍ତି, ଯେ ହୁତାଶନଙ୍କୁ ଅତିଲମ୍ବନ କରନ୍ତି, ସେ ସ୍ୱୟଂ ଅକଳୁଷ ହେଲେ ହେଁ କ୍ରୋଧକୁ ଆଶ୍ରୟ କରି(୧) କଳୁଷର କର୍ତ୍ତା ହୁଅନ୍ତି ଓ ଏଥିନିମିତ୍ତ ଯାହାଙ୍କୁ ଯତିମାନେ ପରମର୍ଷି କପିଳ ବୋଲି କହନ୍ତି, ସେ ମନୁଙ୍କର ଚତୁର୍ଥ ପୁତ୍ର । ସେ ସାଂଖ୍ୟଯୋଗର ପ୍ରବର୍ତ୍ତକ କପିଳନାମା ଅଗ୍ନି ଅଟନ୍ତି । ୨୧ ।

 

[(୧) କଳ୍ମଷର–ସର୍ବଦା କାମ୍ୟକର୍ମର ଅନୁଷ୍ଠାତ୍ରୀ ।]

 

ମୁନିଙ୍କର ଯାଗ ନିମିତ୍ତ ବୈଶ୍ୱଦେବ ପର୍ଯ୍ୟନ୍ତ ଯାହା ପ୍ରଦାନ କରାଯାଏ, ତାହାର ନାମ ଅଗ୍ର । ପୃଥିବୀରେ ନାନାବିଧ ଯଜ୍ଞରେ ଯାହାଙ୍କଦ୍ୱାରା ପ୍ରାଣୀମାନେ ଅପର ପ୍ରାଣୀମାନଙ୍କୁ ସେହି ଅଗ୍ରକୁ ପ୍ରଦାନ କରନ୍ତି, ସେହି ଅଗ୍ନିଙ୍କୁ ଅଗ୍ରଣୀ ଅଗ୍ନି ବୋଲାଯାଏ । ପ୍ରାୟଶ୍ଚିତ୍ତ ନିମିତ୍ତ ମନୁ ଏହି ଭୂମଣ୍ଡଳରେ ଆଉ କେତେଗୁଡ଼ିଏ ଭୟଙ୍କର ମୂର୍ତ୍ତିଧାରୀ ପାବକଙ୍କୁ ସୃଷ୍ଟି କରିଥିଲେ । ଯେତେବେଳେ ବାୟୁ ସଂଯୋଗରେ ଅନଳମାନେ ଈଷତ୍ ପରସ୍ପର ସ୍ପର୍ଶ ନ କରନ୍ତି, ତେତେବେଳେ ଶୁଚିନାମକ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟକପାଳ ନାମକ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୨୪ । ଦକ୍ଷିଣାଗ୍ନି ଯେତେବେଳେ ଅନ୍ୟ ଦୁଇ ଅଗ୍ନିଙ୍କଦ୍ୱାରା ସୃଷ୍ଟ ହୁଅନ୍ତି, ତେତେବେଳେ ବିତିନାମକ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୨୫ । ଗୃହସ୍ଥିତ ଅଗ୍ନିମାନଙ୍କୁ ଯଦି ଦାବାଗ୍ନିମାନେ ସଂସ୍ପର୍ଶ କରନ୍ତି, ତାହାହେଲେ ଶୁଚିନାମକ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୨୬ । ଯଦି ଋତୁମତୀ ରମଣୀ ଅଗ୍ନିହୋତ୍ର ଅଗ୍ନିକୁ ସ୍ପର୍ଶକରେ, ତାହାହେଲେ ଦସ୍ୟୁମାନ ନାମକ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୨୭ । ଅଗ୍ନିହୋତ୍ରର ଅନୁଷ୍ଠାନବେଳେ ଯଦି କୌଣସି ମୃତ ପ୍ରାଣୀର କଥା ଶୁଣାଯାଏ, ଅଥବା ପଶୁମାନେ ମରିଯାଆନ୍ତି, ତାହାହେଲେ ସୁରମାନ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୨୮ । ଯେଉଁ ବ୍ରାହ୍ମଣ ପୀଡ଼ିତ ହୋଇ ତ୍ରିରାତ୍ରି ଅଗ୍ନିହୋତ୍ରର ଅନୁଷ୍ଠାନ ନ କରନ୍ତି, ତାହାହେଲେ ତାହାଙ୍କ ଉତ୍ତାରୁ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୨୯ । ଯାହାଙ୍କର ଦର୍ଶ ଓ ପୌର୍ଣ୍ଣମାସ ଯଜ୍ଞ ପ୍ରତିଷ୍ଠିତ ହୋଇଥାଏ, ତାହାଙ୍କର ପଥିକୃତ ବହ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୩୦ । ଯେତେବେଳେ ସୁତିକାଗ୍ନି ଅଗ୍ନିହୋତ୍ରର ଅଗ୍ନିକୁ ସଂସ୍ପର୍ଶ କରେ, ତେତେବେଳେ ଅଗ୍ନିମାନ ନାମା ଅଗ୍ନିଙ୍କ ଉଦ୍ଦେଶ୍ୟରେ ଅଷ୍ଟାକପାଳ ଯଜ୍ଞଦ୍ୱାରା ଇଷ୍ଟି କରିବା କର୍ତ୍ତବ୍ୟ । ୩୧ ।

 

॥ ଅଧ୍ୟାୟ – ୨୨୨ ॥

 

ମାର୍କଣ୍ଡେୟ କହିଲେ, ଜଳ ମଧ୍ୟରେ ସହନାମା ଅଗ୍ନିଙ୍କର ମୁଦିତା ବୋଲି ଭାର୍ଯ୍ୟା ଥିଲେ । ସେହି ଅଗ୍ନି ସୁବିଖ୍ୟାତ ଓ ତାହାଙ୍କ ପତ୍ନୀ ପ୍ରିୟତମା ଥିଲେ । ଭୂଲୋକ ଓ ଭୁବଲୋକ, ଏହି ଦୁଇଥିରେ ସେ ଅଧୀଶ୍ୱର ଅଟନ୍ତି । ସେଠାରେ ତାହାଙ୍କ ପତ୍ନୀଗର୍ଭରୁ ଅଦ୍ଭୁତ ନାମରେ ଗୋଟିଏ ମହାନ ପାବକ ଉତ୍ପନ୍ନ ହେଲେ । ୧ । ଦ୍ୱିଜାତିଙ୍କ ମଧ୍ୟରେ ପରମ୍ପରା ଉପଦେଶ ଅଛି ଯେ ସେହି ଅଗ୍ନିଙ୍କୁ ସେମାନେ ସର୍ବେଶ୍ୱର ବୋଲି ଜାଣନ୍ତି । ଏଥି ଉତ୍ତାରୁ ଜରାୟୁଜ ପ୍ରଭୃତି ସମସ୍ତ ଜୀବଙ୍କର ସେହି ଅଗ୍ନି ଆତ୍ମା ଓ ଭୁବନର ଭର୍ତ୍ତା ବୋଲି ନିର୍ଦ୍ଦିଷ୍ଟ ହୁଅନ୍ତି । ୨ । ମହାତେଜା ସେହି ଅଗ୍ନି ସର୍ବମହାଭୁତଙ୍କର ପତିସ୍ୱରୂପ ସର୍ବଦା ବିଚରଣ କରନ୍ତି । ୩ । ସେହି ଅଗ୍ନି ଗୃହପତି ନାମଧରି ସମୁଦାୟ ଯଜ୍ଞରେ ନିରନ୍ତର ପୂଜିତ ହୁଅନ୍ତି । ଇହଲୋକରେ ଯେତେ ଦ୍ରବ୍ୟ ଅଗ୍ନିରେ ପ୍ରଦତ୍ତ ହୁଏ, ତାହାସବୁ ସେ ବହନ କରନ୍ତି । ୪ । ସହଙ୍କ ପୁତ୍ରଙ୍କ ନାମ ମହଦ୍ଭୁତ ନାମା ଅଗ୍ନି । ସେ ସବୁ ଜଳର ଗର୍ଭସ୍ୱରୂପ ଓ ମହାଭାଗ ଅଟନ୍ତି । ସେ ଭାବଲୋକର ଭର୍ତ୍ତା, ଭୂପତି ଓ ମହତଙ୍କର ପତି ବୋଲି ଭକ୍ତ ହୁଅନ୍ତି । ତାହାଙ୍କର ପୁତ୍ର ଭରତନାମା ଅଗ୍ନି ମୃତ ଜୀବମାନଙ୍କୁ ଦହନ କରନ୍ତି । ଏହି ଭରତଙ୍କ ପୁତ୍ର କ୍ରତୁ ଅଟନ୍ତି । ସେ ଅଗ୍ନିଷ୍ଟୋମ ଯଜ୍ଞରେ ନିୟତନାମା ଅଗ୍ନିସ୍ୱରୂପ ସର୍ବଦା ପ୍ରତିଷ୍ଠିତ ହୁଅନ୍ତି । ୬-। ସେହି ଅଗ୍ନି ପ୍ରଥମ ଅଟନ୍ତି । ଦେବତାମାନେ ତାହାଙ୍କୁ ପ୍ରଭା ବୋଲି ଅନ୍ୱେଷଣ କରନ୍ତି । ଏକଦା ତାହାଙ୍କୁ ଦେବତାମାନେ ଅନ୍ୱେଷଣ କରୁଥିଲେ ଯେ ସେ ହବିର୍ବହନ କରିବେ । କିନ୍ତୁ ସେ ଦେବତାମାନଙ୍କୁ ଆସିବାର ଦେଖି ଭୟରେ ସମୁଦ୍ର ମଧ୍ୟରେ ପ୍ରବେଶ କଲେ । ଦେବତାମାନେ ମଧ୍ୟ ତାହାଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କଲେ; କିନ୍ତୁ ତାହାଙ୍କୁ ଅନ୍ୱେଷଣ କରିପାରିଲେନାହିଁ-। ତତ୍ପରେ କଠୋର ତପସ୍ୱୀ ଅଙ୍ଗିରାଙ୍କୁ ଦେଖି ଅଗ୍ନି କହିଲେ, ହେ ବୀର ! ଆମ୍ଭେ ଅତିଶୟ ଦୁର୍ବଳ ହୋଇଅଛୁ । ଅତଏବ ଆପଣ ଦେବଗଣଙ୍କର ହବ୍ୟ ବହନ କରନ୍ତୁ । ଆପଣ ପିତ୍ତାଖ୍ୟ ଅଗ୍ନିତ୍ୱ ପ୍ରାପ୍ତ ହୋଇ ଆମ୍ଭର ଏହି ପ୍ରିୟ କାର୍ଯ୍ୟ କରନ୍ତୁ । ୯ ।

 

ଅଥର୍ବାଙ୍ଗିରସକୁ ଏହି ରୂପ ଆଦେଶ କରି ଅଗ୍ନି ଦେଶାନ୍ତରକୁ ଗମନ କଲେ; କିନ୍ତୁ ମତ୍ସ୍ୟମାନେ ତାହାଙ୍କ ଠିକଣା ଦେବତାମାନଙ୍କୁ କହିଦେଲେ । ତତ୍ପରେ ଅଗ୍ନି କ୍ରୂଦ୍ଧ ହୋଇ ମତ୍ସ୍ୟମାନଙ୍କୁ ଅଭିଶାପ ଦେଲେ ଯେ ତୁମ୍ଭେମାନେ ବିବିଧ ପ୍ରାଣୀଙ୍କର ଖାଦ୍ୟ ହେବ । ମତ୍ସ୍ୟମାନେ ଭରତନାମା ଅଗ୍ନିଙ୍କ ବାସସ୍ଥାନ କହିଦେଲେ ହେଁ ସେ ଅଗ୍ନି ଅଥର୍ବାଙ୍ଗିରସଙ୍କୁ ଭକ୍ତରୂପେ ପ୍ରାର୍ଥନା କଲେ । ୧୧ । ଦେବଗଣ ଅତିଶୟ ଅନୁନୟ କଲେ ହେଁ ସେ ବିଚେତନ ହୋଇ ସମୁଦାୟ ହବ୍ୟ ବହନ କରିବାକୁ ଅନିଚ୍ଛୁକ ହେଲେ । ଆହୁରି ସେ ଶରୀର ପରିତ୍ୟାଗ କଲେ । ୧୨ । ଆଗ୍ନେୟ ଶରୀରକୁ ପରିତ୍ୟାଗ କରି ସେହି ଅଗ୍ନି ଭୂତଳରେ ପ୍ରବିଷ୍ଟହେଲେ ଓ ଭୂମି ମଧ୍ୟରେ ପ୍ରବିଷ୍ଟ ହୋଇ ନାନାବିଧ ପୃଥକ୍ ପୃଥକ୍ ଧାତୁମାନଙ୍କୁ ସୃଷ୍ଟିକଲେ । ୧୩ । ତାହାଙ୍କ ଯୂପରୁ ବାସନା ଓ ତେଜ ଜାତ ହେଲେ । ଅସ୍ଥିସମୂହରୁ ଦେବଦାରୁ, ଶ୍ଳେଷରୁ ସ୍ଫଟିକ, ପିତ୍ତରୁ ମରକତ ଯକୃତ୍‌ରୁ କୃଷ୍ଣାୟସ ଉତ୍ପନ୍ନ ହେଲେ । ସେହି କାଷ୍ଠ, ପାଷାଣ ଓ ଲୌହଦ୍ୱାରା ପ୍ରଜାମାନେ ଶୋଭିତ ହୋଇଅଛନ୍ତି । ତାହାଙ୍କ ନଖରୁ ସମସ୍ତ ମେଘପଟଳ ଉତ୍ପନ୍ନ ହେଲା । ହେ ରାଜନ୍‌ ! ତାହାଙ୍କର ଶିରାସମୂହରୁ ବିଦ୍ରୂମ ଜାତ ହେଲା । ତଦ୍‌ଭିନ୍ନ ତାହାଙ୍କ ଦେହରୁ ସୁବର୍ଣ୍ଣ ଓ ପାରଦ ପ୍ରଭୃତି ବିବିଧ ଧାତୁ ମଧ୍ୟ ଉତ୍ପନ୍ନ ହୋଇଥିଲା-। ଏହି ରୂପ ଦେହ ପରିତ୍ୟାଗ କରି ସେହି ଅଗ୍ନି ଉତ୍କୃଷ୍ଟ ତପସ୍ୟାରେ ରତ ହେଲେ; ଅର୍ଥାତ୍ ଆତ୍ମାଦ୍ୱାରା ପରମାତ୍ମାଙ୍କୁ ନିରୁପାଧିକ ଧ୍ୟାନ କଲେ । ୧୬ ।

 

ପରନ୍ତୁ ଭୃଗୁ ଓ ଅଙ୍ଗିରା ପ୍ରଭୃତି ଋଷିମାନେ ତପସ୍ୟାଦ୍ୱାରା ତାହାଙ୍କୁ ପୁନର୍ଜିବିତ କଲେ । ତପସ୍ୟାଦ୍ୱାରା ବର୍ଦ୍ଧିତ ହୋଇ ସେହି ଅଗ୍ନି ପୁନର୍ବାର ପ୍ରଜ୍ଜ୍ୱଳିତ ହେଲେ । ୧୭ । ପରନ୍ତୁ ସେହି ଅଗ୍ନି ଋଷିଙ୍କୁ ଦେଖି ଭୟକରି ମହାର୍ଣ୍ଣବରେ ପ୍ରବିଷ୍ଟ ହେଲେ । ଅଗ୍ନିଙ୍କ ବିନାଶ ହେବାରୁ ସମୁଦାୟ ଜଗତ୍ ଭୀତହୋଇ ଅଥର୍ବାଙ୍ଗିରସ ଋଷିଙ୍କୁ ଆଶ୍ର୍ରୟ କଲେ ଓ ଦେବଗଣ ମଧ୍ୟ ସେହି ଅଥର୍ବଙ୍କୁ ଆଦର ସହିତ ପୂଜା କଲେ । ୧୮ । ତେତେବେଳେ ସର୍ବଭୂତଙ୍କ ସମ୍ବନ୍ଧରେ ସେ ଋଷି ମହାର୍ଣ୍ଣବକୁ ମଥିତ କଲେ । ତଦ୍ଦ୍ୱାରା ଅଗ୍ନିଙ୍କର ଦେଖାପାଇ ସ୍ୱୟଂ ପ୍ରାଣୀମାନଙ୍କୁ ସୃଷ୍ଟି କରିବାକୁ ଆରମ୍ଭ କଲେ । ୧୯-। ପୂର୍ବେ ଏହିରୂପେ ଅଗ୍ନି ବିନଷ୍ଟ ହୋଇଥିଲେ । ତହିଁପରେ ଭଗବାନ ଅଥର୍ବ ତାହାଙ୍କୁ ଆହ୍ୱାନ କରିବାରୁ ସେ ସର୍ବପ୍ରାଣୀଙ୍କର ହବ୍ୟ ବହନ କରୁଅଛନ୍ତି । ୨୦ । ମହାସମୁଦ୍ର ମଧ୍ୟରେ ଭ୍ରମଣ କରି ଅଗ୍ନି ନାନା ପ୍ରଦେଶରେ ବିଚରଣ କରି ଉକ୍ତ ପ୍ରକାରେ ବେଦୋକ୍ତ ବହୁସଂଖ୍ୟକ ଅଗ୍ନିଙ୍କୁ ଉତ୍ପନ୍ନ କଲେ । ୨୧ । ହେ ଭାରତ ! ସିନ୍ଧୁନଦ, ପଞ୍ଚନଦ, ଶୋଣ, ଦେବକା, ସରସ୍ୱତୀ, ଗଙ୍ଗା, ଶତକୁମ୍ଭା, ସରଯୂ, ଗଣ୍ଡକୀ, ଚର୍ମଣ୍ୱତୀ, ମହୀ, ମେଧା, ମେଧାବେର୍ଣ୍ଣା, ଉପବେର୍ଣ୍ଣା, ଭୀମା, ବଡ଼ବା, ଭାରତୀ, ସୁପ୍ରୟୋଗା, କାବେରୀ, ମୁର୍ମ୍ମରା, ତୁଙ୍ଗବେର୍ଣ୍ଣା ଓ କପିଳା ଏହିସବୁ ନଦୀ ହୁତାଶନମାନଙ୍କର ଜନନୀ ବୋଲି କୀର୍ତ୍ତିତ ହୋଇଅଛନ୍ତି । ୨୬ । ଅଦ୍ଭୁତନାମା ଭାର୍ଯ୍ୟାଙ୍କ ନାମ ପ୍ରିୟା । ତାହାଙ୍କର ତେତେ ପୁତ୍ର ହୋଇଥିଲେ ତନ୍ମଧ୍ୟରେ ବିଭୁ ସର୍ବଜ୍ୟେଷ୍ଠ ଅଟନ୍ତି । ଯେତେ ଅଗ୍ନିମାନଙ୍କର ନାମ କଥିତ ହେଲା, ସୋମଯଜ୍ଞ ମଧ୍ୟ ସେତେ ପ୍ରକାର ଅଛି । ୨୭ । ଅତ୍ରିଙ୍କ ବଂଶରେ ବ୍ରହ୍ମାଙ୍କର ଅଗ୍ନିରୂପା ମାନସୀ ପ୍ରଜା ଉତ୍ପନ୍ନ ହୋଇଥିଲେ । ପୁତ୍ରମାନଙ୍କୁ ସୃଷ୍ଟି କରିବା ଅଭିଳାଷରେ ଅତ୍ରି ଋଷି ବ୍ରହ୍ମାଙ୍କର ସେହି ମାନସ ଜାତ ପ୍ରଜାମାନଙ୍କୁ ଆତ୍ମାଠାରେ ଧାରଣ କଲେ । ୨୮ । ତଦ୍ଦ୍ୱାରା ବ୍ରହ୍ମାଙ୍କ ଶରୀରରୁ ସେହି ହୁତାଶନମାନେ ବହିର୍ଗତ ହେଲେ । ଅପରିମିତ ପ୍ରଭାବଶାଳୀ, ଶ୍ରୀସମ୍ପନ୍ନ, ଅନ୍ଧକାରନାଶକ ମହାତ୍ମା ଅଗ୍ନିସମୂହ ଯେ ରୂପ ଉତ୍ପନ୍ନ ହୋଇଥିଲେ, ତାହାର ସବୁ ବିବରଣ ତୁମ୍ଭ ନିକଟରେ କୀର୍ତ୍ତନ କଲୁଁ । ୨୯ । ସମସ୍ତ ବେଦ ମଧ୍ୟରେ ଅଦ୍ଭୁତ ନାମ ଅଗ୍ନିଙ୍କ ଯେରୂପ ମହିମା ବର୍ଣ୍ଣିତ ହୋଇଅଛି, ସମୁଦାୟ ଅଗ୍ନିଙ୍କର ମାହାତ୍ମ୍ୟ ସେହିରୂପ । ତାହାର କାରଣ ଏହି ଯେ ସବୁ ହୁତାଶନ ଏକ । ଏହି ଭଗବାନ ପ୍ରଥମ ଅଗ୍ନିଙ୍କୁ ଗୋଟିଏ ବୋଲି ଜାଣିବ । ଜ୍ୟୋତିଷ୍ଟମ ଯଜ୍ଞପ୍ରାୟ ସେ ଅଙ୍ଗିରାଙ୍କ ଶରୀରରୁ ବହୁପ୍ରକାରେ ନିର୍ଗତ ହୋଇଅଛନ୍ତି । ଯେଉଁମାନେ ବହୁବିଧ ମନ୍ତ୍ରଦ୍ୱାରା ପୂଜିତ ହୋଇ ପ୍ରାଣୀମାନଙ୍କର ହବ୍ୟବାହନ କରନ୍ତି, ଆମ୍ଭେ ସେହି ଅଗ୍ନିମାନଙ୍କର ବଂଶ କୀର୍ତ୍ତନ କଲୁ । ୩୨ ।

 

॥ ଅଧ୍ୟାୟ – ୨୨୩ ॥

 

ମାର୍କଣ୍ଡେୟ କହିଲେ, ହେ କୁରୁନନ୍ଦନ ! ତୁମ୍ଭେ ନିଷ୍ପାପ ଅଟ । ଆମ୍ଭେ ତୁମ୍ଭ ନିକଟରେ ଅଗ୍ନିମାନଙ୍କର ବିବିଧ ବଂଶ କୀର୍ତ୍ତନ କଲୁ । ଏବେ କାର୍ତ୍ତିକେୟଙ୍କ ଜନ୍ମବୃତ୍ତାନ୍ତ ଶ୍ରବଣ କର । ୧ । ବ୍ରହ୍ମର୍ଷିମାନଙ୍କ ଭାର୍ଯ୍ୟାଙ୍କଠାରୁ ଯେଉଁ ବ୍ରାହ୍ମଣପୁତ୍ର ଜାତ ହେଲେ, ସେ ଅଦ୍ଭୁତ ପ୍ରକାରର ଓ କୀର୍ତ୍ତିବର୍ଦ୍ଧନ; ତାହାଙ୍କର ବୃତ୍ତାନ୍ତ କହିବା । ୨ । ପୂର୍ବେ ଦେବତା ଓ ଅସୁରମାନେ ଅସ୍ତ୍ରଶସ୍ତ୍ରଦ୍ୱାରା ପରସ୍ପରକୁ ବିନାଶ କରୁଥିଲେ । ତହିଁରେ ଭୟଙ୍କର ଦାନବମାନେ ସର୍ବଦା ଜୟଲାଭ କରୁଥିଲେ । ଅତଏବ ସେମାନଙ୍କର ଜଣେ ସେନାପତି ଆବଶ୍ୟକ ହେଲା । ୪ । ଅସୁରମାନେ ସୁରସେନଙ୍କୁ ପରାଜିତ କରିବାର ଦେଖି ଇନ୍ଦ୍ର ଭାବିଲେ, ଯେଉଁ ମହାବଳ ବ୍ୟକ୍ତି ଆପଣା ବଳଦ୍ୱାରା ଦୈବସୈନ୍ୟଙ୍କୁ ରକ୍ଷା କରିପାରନ୍ତି, ଏପରି କୌଣସି ପୁରୁଷଙ୍କୁ ଆମ୍ଭେ ଅନୁସନ୍ଧାନ କରିବୁ । ମାନସଶୈଳରେ ବସି ଇନ୍ଦ୍ର ଏହିପରି ଭାବନା କରୁଅଛନ୍ତି, ଏମନ୍ତ ସମୟରେ ସେ ଗୋଟିଏ ସ୍ତ୍ରୀଲୋକର କଣ୍ଠସ୍ୱର ଶୁଣିଲେ । କୌଣସି ପୁରୁଷ ଆମ୍ଭ ନିକଟକୁ ଆସି ଆମ୍ଭଙ୍କୁ ପରିତ୍ରାଣ କରନ୍ତୁ, ସେ ଆମ୍ଭଙ୍କୁ ଗୋଟିଏ ପତି ନିର୍ଦ୍ଦିଷ୍ଟ କରି ଦିଅନ୍ତୁ, ଅଥବା ସ୍ୱୟଂ ଆମ୍ଭର ପତି ହେଉନ୍ତୁ ।

 

ସୁରପତି ଇନ୍ଦ୍ର ସେକଥା ଶୁଣି ରମଣୀଙ୍କୁ କହିଲେ, ତୁମ୍ଭେ ଭୟ କରିବାର କୌଣସି କାରଣ ନାହିଁ । ଏହା କହିଲା ପରେ ଇନ୍ଦ୍ର ଦେଖିଲେ ଯେ କେଶୀ ନାମରେ ଗୋଟିଏ ଅସୁର ମସ୍ତକରେ ମୁକୁଟଧାରୀ ଓ ହସ୍ତରେ ଗଦାଧାରୀ ହୋଇ ସେହି କନ୍ୟା କରକୁ ଧରିଅଛି । ସେହି ଅସୁର ଧାତୁମାନ୍ ଶୈଳପ୍ରାୟ ଇନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ଦେବରାଜ ତାହାକୁ କହିଲେ, । ୯ । ରେ ଅନାର୍ଯ୍ୟକର୍ମା ! ତୁ କି ନିମିତ୍ତ ଏହି କନ୍ୟାକୁ ହରଣ କରିବାକୁ ଇଚ୍ଛା କରୁଅଛୁ ? ତୁ ଆମ୍ଭଙ୍କୁ ଜାଣ ଯେ ଆମ୍ଭେ ବଜ୍ରଧାରୀ ଇନ୍ଦ୍ର ! ଏହି ସ୍ତ୍ରୀକୁ ତୁ ସତ୍ୱର ପରିତ୍ୟାଗ କର । ୧୦ । କେଶୀ କହିଲା, ଇନ୍ଦ୍ର ! ତୁମ୍ଭେ ଏହାକୁ ପରିତ୍ୟାଗ କର । ଆମ୍ଭେ କାମିନୀକୁ ଅଗ୍ରେ ଅଭିଳାଷ କରିଅଛୁ । ହେ ବାସବ ! ତୁମ୍ଭେ କ’ଣ ବିଚାରିଅଛ ଯେ ଜୀବିତ ଥାଉ ଥାଉ ତୁମ୍ଭେ ସ୍ୱକୀୟ ଗୃହକୁ, ପ୍ରତିଗମନ କରିବ ? ୧୧ । ଏହି କଥା କହି ଇନ୍ଦ୍ରଙ୍କ ବଧ ସାଧିବାକୁ ଗଦା ନିକ୍ଷେପ କଲା । ଗଦା ଆସୁ ଆସୁ ଅର୍ଦ୍ଧପଥରେ ଇନ୍ଦ୍ର ତାହାକୁ ବଜ୍ରଦ୍ୱାରା ଛେଦନ କଲେ । ୧୨ । ଏହା ଦେଖି କେଶୀ ଗୋଟାଏ ଶୈଳଶୃଙ୍ଗ ନେଇ ଇନ୍ଦ୍ରଙ୍କ ଉପରକୁ ନିକ୍ଷେପ କଲା । ହେ ରାଜନ୍‌ ! ତାହାଙ୍କୁ ମଧ୍ୟ ଇନ୍ଦ୍ର ବିଦୀର୍ଣ୍ଣ କରି ଭୂମିରେ ନିପାତିତ କଲେ । ୧୪ ! ତତ୍ପରେ କେଶୀ ସେହି ପତମାନ ଶୈଳଶୃଙ୍ଗଦ୍ୱାରା ତାଡ଼ିତ ହୁଅନ୍ତେ, ମହାଭାଗା କନ୍ୟାକୁ ପରିତ୍ୟାଗ କରି ପଳାୟନ କଲା । ଅସୁର ପଳାଇଲା ପରେ ଇନ୍ଦ୍ର ସେହି କନ୍ୟାକୁ କହିଲେ, “ହେ ଶୁଭାନନେ ! ତୁମ୍ଭେ କାହାର କନ୍ୟା, ଏ ସ୍ଥାନକୁ କିପରି ଆସିଲ ? । ୧୫ ।”

 

॥ ଅଧ୍ୟାୟ – ୨୨୪ ॥

 

କନ୍ୟା କହିଲେ, ଆମ୍ଭେ ପ୍ରଜାପତିଙ୍କର କନ୍ୟା; ଦେବସେନା ନାମରେ ବିଖ୍ୟାତ ଅଟୁ । ଆମ୍ଭର ଭଗିନୀଙ୍କ ନାମ ଦୈତ୍ୟସେନା । ତାହାଙ୍କୁ ଆଗରୁ କେଶୀ ହରଣ କରି ନେଇ ଯାଇଅଛି । ପ୍ରଜାପତିଙ୍କଠାରୁ ଅନୁମତି ନେଇ ଆମ୍ଭେ ଦୁଇ ଭଗିନୀ ସର୍ବଦା ଏହି ମାନସ ଶୈଳକୁ ସଖାମାନଙ୍କ ସହିତ ବିହରଣ କରିବାକୁ ଆଗମନ କରୁ । ୨ । କେଶୀ ମଧ୍ୟ ଆମ୍ଭମାନଙ୍କୁ ହରଣ କରିବାକୁ ଅଭିଳାଷ କରେ । ହେ ସୁରନାଥ ! ଦୈତ୍ୟସେନା ଏହା ଅଭିଳାଷ ମଧ୍ୟ କରେ; କିନ୍ତୁ ଆମ୍ଭେ ଏହାକୁ ଅଭିଳାଷ କରୁନାହିଁ । ୩ । ହେ ଭଗବନ ! ଏହି କାରଣରୁ କେଶୀ ତାହାକୁ ହରଣ କରିଅଛି । ଆମ୍ଭେ ଆପଣଙ୍କ ବଳଦ୍ୱାରା ପରିତ୍ରାଣ ପାଇଲୁ । ହେ ସୁରେନ୍ଦ୍ର ! ଆମ୍ଭେ ଇଚ୍ଛା କରୁ ଯେ, ଆପଣ ଆମ୍ଭଙ୍କୁ ଏପରି ଗୋଟିଏ ପତି ଦିଅନ୍ତୁ ଯେ, ତାହାଙ୍କୁ କେହି ଜୟ କରିପାରିବେ ନାହିଁ । ୪ । ଇନ୍ଦ୍ର କହିଲେ, ତୁମ୍ଭେ ଆମ୍ଭ ମାଉସୀଙ୍କ ଝିଅ, ଯେ ହେତୁରୁ ଦାକ୍ଷାୟଣୀ ଆମ୍ଭର ଜନନୀ । ଅତଏବ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେ ଆମ୍ଭଠାରେ ନିଜ ପରାକ୍ରମର ପରିଚୟ ପ୍ରଦାନ କର । ୫ । କନ୍ୟା କହିଲେ, ହେ ମହାବାହୋ ! ଆମ୍ଭେ ଅବଳା, ପିତାଙ୍କ ବରଦାନରୁ ଆମ୍ଭର ପତି ବଳବାନ ହେବେ । ସୁରାସୁରମାନେ ସମସ୍ତେ ତାହାଙ୍କୁ ନମସ୍କାର କରିବେ । ୬ ।

 

ଇନ୍ଦ୍ର କହିଲେ, ଆନନ୍ଦିତେ ! ତୁମ୍ଭର ପତି କେଡ଼େ ବଳଶାଳୀ ହେବେ ? ହେ ଦେବି ! ଆମ୍ଭେ ତାହା ଶୁଣିବାକୁ ଇଚ୍ଛା କରୁଅଛୁ । ୭ । କନ୍ୟା କହିଲେ, ଆମ୍ଭର ପତି ଦେବ, ଦାନବ, ଯକ୍ଷ, ରାକ୍ଷସ, କିନ୍ନର, ପିଶାଚ, ଉରଗ ଓ ଦୁଷ୍ଟ ଦୈତ୍ୟମାନଙ୍କୁ ଜୟ କରିବେ । ସେ ମହାବୀର୍ଯ୍ୟଶାଳୀ ଓ ମହାବଳ ପରାକ୍ରମ ହେବେ । ୮ । ତୁମ ସଙ୍ଗରେ ଥାଇ ସର୍ବପ୍ରାଣୀଙ୍କୁ ଜୟ କରିବେ, ଯେ ବ୍ରାହ୍ମଣ୍ୟ ଓ କୀର୍ତ୍ତିବର୍ଦ୍ଧନ ହେବେ, ତାହାଙ୍କୁ ଆମ୍ଭର ପତି ବୋଲି ଜାଣ । ୯ । ମାର୍କଣ୍ଡେୟ କହିଲେ, କନ୍ୟାର ବଚନ ଶ୍ରବଣ କରି ଇନ୍ଦ୍ର ଅତିଶୟ ଚିନ୍ତା କଲେ । ସେ ବିଚାରିଲେ, ଏହି ଦେବୀ ଯାହା କହୁଅଛନ୍ତି, ଏପରି ବ୍ୟକ୍ତି କିଏ ? ଏହାଙ୍କର ପତି କିଏ ହେବେ, ଆମ୍ଭେ ଜାଣିପାରୁନାହୁଁ । ୧୦ । ସୂର୍ଯ୍ୟଙ୍କ ସମ ତେଜସ୍ୱୀ ବାସବ ଦେଖିଲେ ଯେ ପ୍ରଭାକର ଉଦୟାଚଳରେ ଅଛନ୍ତି ଓ ମହାଭାଗ ଚନ୍ଦ୍ର ତାହାଙ୍କ ଦେହରେ ପ୍ରବେଶ କରୁଅଛନ୍ତି । ୧୧ । ଆହୁରି ଇନ୍ଦ୍ର ଦେଖିଲେ, ଅମାବାସ୍ୟା ପ୍ରବୃତ୍ତ ହୁଅନ୍ତେ, ସେହି ରୌଦ୍ର ମୁହୂର୍ତ୍ତରେ ଦେବାସୁରମାନଙ୍କର ଯୁଦ୍ଧ ହେଉଅଛି । ୧୨ । ପୂର୍ବ ସନ୍ଧ୍ୟା ରକ୍ତବର୍ଣ୍ଣ ମେଘରେ ଯୁକ୍ତ ହୋଇଅଛି ଓ ବରୁଣାଳୟର ଜଳରାଶି ରକ୍ତବର୍ଣ୍ଣ ଧାରଣ କରିଅଛି । ୧୩ । ଭୃଗୁ ଓ ଅଙ୍ଗିରା ପ୍ରଭୃତିଙ୍କଦ୍ୱାରା ବିବିଧ ମନ୍ତ୍ରଦ୍ୱାରା ଆହୁତ ହବ୍ୟକୁ ଅଗ୍ନି ଗ୍ରହଣକରି ପ୍ରଭାକରଙ୍କଠାରେ ପ୍ରବିଷ୍ଟ ହେଉଅଛନ୍ତି । ୧୪ । ଅମାବାସ୍ୟା ମଧ୍ୟ ସେହି କାଳରେ ଜାତ ହୋଇଅଛି । ତହିଁରେ ଚବିଶ ଗୋଟି ସୂର୍ଯ୍ୟ ଉପସ୍ଥିତ ହୋଇଅଛନ୍ତି । ସେହିପରି ରୌଦ୍ରମୂର୍ତ୍ତି ଚନ୍ଦ୍ରଙ୍କୁ ମଧ୍ୟ ଅମାବାସ୍ୟା ଘୋଟିଅଛି; ଅର୍ଥାତ୍ ଅମାବାସ୍ୟା ଚତୁର୍ବିଂଶ ସୂର୍ଯ୍ୟଙ୍କୁ ଓ ତନ୍ମଧ୍ୟସ୍ଥିତ ଭୟଙ୍କର ମୂର୍ତ୍ତିଧାରୀ ଚନ୍ଦ୍ରଙ୍କୁ ଉପାସନା କରୁଅଛି । ୧୫ ।

 

ଏହି ପ୍ରକାରେ ଚନ୍ଦ୍ର ସୂର୍ଯ୍ୟଙ୍କର ଏକତ୍ରାବସ୍ଥିତି ଓ ସେହି ଭୟଙ୍କର ମିଳନକୁ ଇନ୍ଦ୍ର ଦେଖି ଭାବନା କଲେ । ୧୬ । ଚନ୍ଦ୍ର ଓ ସୂର୍ଯ୍ୟଙ୍କର ପରିଧି ଭୟଙ୍କର ଦିଶୁଅଛି । ଅତଏବ ଏହି ରାତ୍ରି ଶେଷରେ ମହତ ଯୁଦ୍ଧ ଘଟିବ । ୧୭ । ଏହି ସିନ୍ଧୁନଦୀ ମଧ୍ୟ ଅତିଶୟ ରକ୍ତବାହିନୀ ହୋଇଅଛି । ଅଗ୍ନିମୁଖୀ ଶୁଶାଳିନୀ ସୂର୍ଯ୍ୟଙ୍କୁ ଚାହିଁ ବିକଟ ସ୍ୱରରେ ରବ କରୁଅଛି । ୧୮ । ଚନ୍ଦ୍ର, ସୂର୍ଯ୍ୟ ଓ ଅଗ୍ନି ଏହି ସମସ୍ତଙ୍କର ତେଜ ଏକତ୍ର ହେବା ଅତି ଭୟଙ୍କର ଓ ଆଶ୍ଚର୍ଯ୍ୟ ଘଟଣା ଅଟେ । ୧୯ । ଏହି ସମୟରେ ଚନ୍ଦ୍ର ଯେଉଁ ସୂତକୁ ଜନ୍ମ କରିବେ, ସେହି ସୂତ ଏହି କନ୍ୟାଙ୍କର ପତି ହେବେ । ଅଗ୍ନି ମଧ୍ୟ ଏହି ସମସ୍ତ ଗୁଣରେ ସଂଯୁକ୍ତ ହୋଇଅଛନ୍ତି । ଅଗ୍ନି ମଧ୍ୟ ଦେବତା ଅଟନ୍ତି । ଅତଏବ ଅଗ୍ନି ଯଦି କୌଣସି ଗର୍ଭ ଉତ୍ପାଦନ କରନ୍ତି, ତାହା ହେଲେ ଉକ୍ତ ପୁତ୍ର ଏହି ଦେବୀଙ୍କର ପତି ହୋଇପାରନ୍ତି । ଏହିପରି ଚିନ୍ତାକରି ଭଗବାନ ଇନ୍ଦ୍ର ତତ୍କାଳରେ ଦେବସେନାକୁ ଘେନି ବ୍ରହ୍ମଲୋକରେ ଉପସ୍ଥିତ ହେଲେ । ସେଠାରେ ଇନ୍ଦ୍ର ବ୍ରହ୍ମାଙ୍କୁ ନମସ୍କାର କରି କହିଲେ, ହେ ସର୍ବଲୋକ ପୂଜନୀୟ ! ଆପଣ ଏହି କନ୍ୟାକୁ ଗୋଟିଏ ସାଧୁ ଓ ବୀର ପତି ଦେଉନ୍ତୁ । ୨୨ । ବ୍ରହ୍ମା ବୋଇଲେ, ହେ ଦାନବସୂଦନ-! ଏହି କାର୍ଯ୍ୟ ଆମ୍ଭେ ପୂର୍ବରୁ ଚିନ୍ତା କରୁଅଛୁ । ଯେପରି କି ସେହି ଗର୍ଭ ବଳବାନ ଓ ବିକ୍ରମଶାଳୀ ହେବ, ତାହା ଆମ୍ଭେ ଚିନ୍ତା କରିଅଛୁ । ୨୩ । ହେ ଇନ୍ଦ୍ର ! ସେ ତୁମ୍ଭର ସେନାପତି ହେବେ; ଅଥଚ ଏହି ଦେବୀଙ୍କର ସେହି ବଳବାନ ପୁରୁଷ ପତି ହେବେ । ୨୪ । ଦେବେନ୍ଦ୍ର ଏହି କଥା ଶୁଣି ତାହାଙ୍କୁ ନମସ୍କାର କରି କନ୍ୟାଙ୍କ ସହିତ ଯେଉଁଠାରେ ଦେବର୍ଷିମାନେ ଥିଲେ, ସେଠାକୁ ଗମନ କଲେ-। ୨୫ । ବଶିଷ୍ଟ ଆଦି ମୁଖ୍ୟ ଓ ମହାବଳ-ବିପ୍ରଶ୍ରେଷ୍ଠମାନଙ୍କ ଯଜ୍ଞରେ ସୋମରସ ପାନ କରିବା ଅଭିଳାଷରେ ଓ ସେମାନଙ୍କର ତପସ୍ୟାର ଭାଗ ଗ୍ରହଣ କରିବା ନିମିତ୍ତ ଇନ୍ଦ୍ରାଦି ଦେବତାମାନେ ସମସ୍ତେ ସେଠାରେ ଉପସ୍ଥିତ ହୋଇଥିଲେ । ଦ୍ୱିଜମାନେ ପ୍ରଜ୍ୱଳିତ ହୁତାଶନରେ ଆହୁତି ପ୍ରଦାନ କଲେ । ଏହି ପ୍ରକାରେ ଇଷ୍ଟି ସମ୍ପନ୍ନ ହୁଅନ୍ତେ, ହୃତବହନକାରୀ ଅଦ୍ଭୁତନାମା ଅଗ୍ନି ସୂର୍ଯ୍ୟ ମଣ୍ଡଳରୁ ଆସି ମୌନଭାବରେ ସେଠାରେ ଉପନୀତ ହେଲେ । ୨୮ । ମନ୍ତ୍ରପାଠପୂର୍ବକ ଦ୍ୱିଜମାନେ ଯେଉଁ ଆହୁତି ପ୍ରଦାନ କରିଥିଲେ । ତାହାକୁ ସେ ବିଧିପୂର୍ବକ ପ୍ରତିଗ୍ରହ କରି ଦେବତାମାନଙ୍କୁ ପ୍ରଦାନ କଲେ-। ୩୦ । ହେ ଭରତଶ୍ରେଷ୍ଠ ! ସେଠାରୁ ସେ ନିଷ୍କ୍ରାମଣ କଲାବେଳେ ଦେଖିଲେ ଯେ ସେହିଁ ମହାତ୍ମା ଋଷିମାନଙ୍କ ପତ୍ନୀ ମଧ୍ୟରୁ କେହି କେହି ଆସନରେ ଉପବିଷ୍ଟା ହୋଇଥିଲେ ଓ କେହି କେହି ନିଦ୍ରିତ ଥିଲେ । ୩୧ । ଋଷିଙ୍କର ପତ୍ନୀମାନେ ସମସ୍ତେ ସୁବର୍ଣ୍ଣର ବେଦୀ ଓ ଚନ୍ଦ୍ରଲେଖା ପ୍ରାୟ ନିର୍ମଳ; ଅଗ୍ନିଶିଖା ପ୍ରାୟ ତେଜସ୍ୱୀ ଓ ତାରା ପ୍ରାୟ ଅଦ୍ଭୁତ ସୁନ୍ଦରୀ ଥିଲେ । ଅଗ୍ନି ସେହି ଋଷିପତ୍ନୀମାନଙ୍କୁ ଦେଖି କାମରେ ବଶୀଭୂତ ହେଲେ । ସେମାନଙ୍କଠାରେ ମନ ରହିବାରୁ ଇନ୍ଦ୍ରିୟ ସବୁ କ୍ଷୁଭିତ ହେଲେ-। ୩୩ । ଅପର କ୍ଷଣରେ ଅଗ୍ନି ବିବେଚନା କଲେ କି ଆମ୍ଭେ ଯେ ଏହିପରି ବିଚଳିତ ହେଉଅଛୁ, ଏହା ଅନ୍ୟାୟ ଅଟେ । ଏହି ଦ୍ୱିଜଶ୍ରେଷ୍ଠମାନଙ୍କର ପତ୍ନୀମାନେ ସମସ୍ତେ ସାଧ୍ୱୀ । ସେମାନେ ଆମ୍ଭଙ୍କୁ କାମନା ନ କଲେ ହେଁ ଆମ୍ଭେ ସେମାନଙ୍କୁ ଅଭିଳାଷ କରୁଅଛୁ-। ୩୪ । ଗାର୍ହପତ୍ୟରେ ପ୍ରବିଷ୍ଟ ହୋଇ ସର୍ବଦା ଆମ୍ଭେ ଏମାନଙ୍କୁ ଦେଖୁଅଛୁ । ଅତଏବ ବିନା କାରଣରେ ଆମ୍ଭର ଏମାନଙ୍କୁ ଦର୍ଶନ କରିବା ଅଥବା ସ୍ପର୍ଶ କରିବା ଅନ୍ୟାୟ । ୩୫ ।

 

ମାର୍କଣ୍ଡେୟ କହିଲେ, ଅଗ୍ନି ଯେତେବେଳେ ପ୍ରଜ୍ୱଳିତ ହୁଅନ୍ତି, ତେତେବେଳେ ସୁବର୍ଣ୍ଣ ବର୍ଣ୍ଣ ଋଷିପତ୍ନୀମାନଙ୍କୁ ନିଜର ଶିଖାଦ୍ୱାରା ସ୍ପର୍ଶ କଲା ପ୍ରାୟ ହୋଇ ହୃଷ୍ଟ ଚିତ୍ତରେ ଗାର୍ହପତ୍ୟକୁ ଆଶ୍ରୟ କରି ରହିଲେ । ୩୬ । ଏହି ପ୍ରକାରେ ଅଗ୍ନି ସେମାନଙ୍କଠାରେ ମନୋନିବେଶ କରି ସେହି ବରାଙ୍ଗନାମାନଙ୍କୁ କାମନା କରି ଦୀର୍ଘକାଳ ସେଠାରେ ବାସ କଲେ । ୩୭ । ପରିଶେଷରେ ବ୍ରାହ୍ମଣ ପତ୍ନୀମାନଙ୍କୁ ଲାଭ କରିନପାରିବାରୁ ମଦନାନଳରେ ତାହାଙ୍କର ଶରୀର ସନ୍ତପ୍ତ ହେଲା । ତହୁଁ ସେ ଦେହତ୍ୟାଗ କରିବାକୁ ନିଶ୍ଚୟ କରି ଅରଣ୍ୟକୁ ପ୍ରସ୍ଥାନ କଲେ । ୩୮ । ଏହି ସମୟରେ ଦକ୍ଷପ୍ରଜାପତି କନ୍ୟା ସ୍ୱାହା ତାହାଙ୍କ ପ୍ରତି ପ୍ରଥମେ ଆସକ୍ତ ହେଲେ । ସ୍ୱାହାଙ୍କର ରୂପ ଅତି ମନୋହର; ବହୁ କାଳରୁ ସେ ଅଗ୍ନିଙ୍କର ଛିଦ୍ର ଅନ୍ୱେଷଣ କରୁଥିଲେ । ୩୯ । କିନ୍ତୁ ସେହି ସୁନ୍ଦରୀ ଅଗ୍ନିଙ୍କର କୌଣସି ଦୋଷ ଦେଖିପାରିଲେ ନାହିଁ । ବର୍ତ୍ତମାନ ସେ ଜାଣିଲେ ଯେ ବହ୍ନି କେଉଁ କାରଣରୁ ବନକୁ ଗମନ କରିଅଛନ୍ତି । ୪୦ । ଏହା ଜାଣି ସେହି କାମିନୀ ଚିନ୍ତା କଲେ ଯେ, ସେ ସପ୍ତର୍ଷିମାନଙ୍କର ଭାର୍ଯ୍ୟାରୂପଧରି ଅଗ୍ନିଙ୍କ ସମୀପରେ କାମାର୍ତ୍ତା ହୋଇ ଉପସ୍ଥିତ ହେବେ । ଅଗ୍ନି ମୋହିତ ହୋଇ ତାହାଙ୍କୁ କାମନା କରିବେ । ଏପରି କଲେ ଅଗ୍ନିଙ୍କର ପ୍ରୀତି ହେବ ଓ ତାହାଙ୍କର ମଧ୍ୟ କାମନା ପୂର୍ଣ୍ଣ ହୋଇପାରିବ । ୪୨ ।

 

॥ ଅଧ୍ୟାୟ – ୨୨୫ ॥

 

ମାର୍କଣ୍ଡେୟ କହିଲେ, ହେ ନରାଧିପ ! ଅଙ୍ଗିରା ଋଷିଙ୍କର ଭାର୍ଯ୍ୟା ଶିବଙ୍କ ଶୀଳତା, ରୂପ ଓ ଗୁଣରେ ତାହାଙ୍କୁ ସମସ୍ତେ ପ୍ରଶଂସା କରୁଥିଲେ । ୧ । ବରାଙ୍ଗନା ସ୍ୱାହା ପ୍ରଥମେ ତାହାଙ୍କର ରୂପ ଧାରଣ କରି ଅଗ୍ନିଙ୍କ ସମୀପକୁ ଆଗମନ କଲେ । ୨ । ଓ ତାହାଙ୍କୂ କହିଲେ, ହେ ଅଗ୍ନେ ! ଆମ୍ଭେ କାମସନ୍ତପା ହୋଇଅଛୁ । ତୁମ୍ଭେ ଆମ୍ଭଙ୍କୁ କାମନା କର । ଏ କାର୍ଯ୍ୟ ତୁମ୍ଭର କର୍ତ୍ତବ୍ୟ ଅଟେ । ଅନ୍ୟଥା ତୁମ୍ଭେ ନିଶ୍ଚୟ ଜାଣିବ ଯେ ଆମ୍ଭେ ପ୍ରାଣ ପରିତ୍ୟାଗ କରିବୁ । ହେ ହୁତାଶନ ! ଆମ୍ଭେ ଅଙ୍ଗିରା ଋଷିଙ୍କର ପତ୍ନୀ ଅଟୁ । ଆମ୍ଭର ନାମ ଶିବା, ଅନ୍ୟ ଋଷିଙ୍କ ପତ୍ନୀମାନେ ମନ୍ତ୍ରଣା କରି ଆମ୍ଭଙ୍କୁ ପଠାଇ ଅଛନ୍ତି । ସେଥି ନିମିତ୍ତ ଆମ୍ଭେ ତୁମ୍ଭ ନିକଟକୁ ଆସିଅଛୁ । ୩ । ଅନଳ କହିଲେ, ଆମ୍ଭେ ଯେ କାମାର୍ତ୍ତ ହୋଇଅଛୁ, ତାହା ତୁମ୍ଭେ କିପରି ଅବଗତ ହେଲ ? ସପ୍ତର୍ଷିଗଣଙ୍କର ଯେଉଁସବୁ ପ୍ରିୟତମା ପତ୍ନୀଙ୍କ କଥା କହିଲ, ସେମାନେ ଅବା କି ପ୍ରକାରେ ଜାଣିଲେ ଯେ ଆମ୍ଭେ କାମାର୍ତ୍ତ ହୋଇଅଛୁ ? ୪ । ଶିବା କହିଲେ, ତୁମ୍ଭେ ସର୍ବଦା ଆମ୍ଭମାନଙ୍କର ପ୍ରଣୟର ପାତ୍ର । ପରନ୍ତୁ ଆମ୍ଭେମାନେ ତୁମ୍ଭଙ୍କୁ ଭୟ କରିଥାଉଁ । ସମ୍ପ୍ରତି ଋଷିପତ୍ନୀମାନେ ଆପଣଙ୍କର ଭାବ ଅବଗତ ହୋଇ ଆମ୍ଭଙ୍କୁ ଆପଣଙ୍କ ନିକଟକୁ ପ୍ରେରଣ କରିଅଛନ୍ତି । ଆପଣଙ୍କ ସହିତ ସଙ୍ଗମ ଅଭିଳାଷରେ ଆମ୍ଭେ ଏ ସ୍ଥାନକୁ ଆସିଅଛୁ । ଅତଏବ ଆପଣ ଆମ୍ଭର ଅଭୀଷ୍ଟସାଧନ କରିବାକୁ ଯତ୍ନ କରନ୍ତୁ । ହେ ହୁତାଶନ ! ଆମ୍ଭର ଯାମାନେ ଆମ୍ଭଙ୍କୁ ପ୍ରତୀକ୍ଷା କରୁଅଛନ୍ତି । ଆମ୍ଭେ ଶୀଘ୍ର ଗମନ କରିବୁ । ୬ । ମାର୍କଣ୍ଡେୟ କହିଲେ, ତଦନନ୍ତର ଅନଳ ପ୍ରୀତ ଓ ହୃଷ୍ଟ ହୋଇ ସେହି ଶିବାଙ୍କର ପାଣି ଗ୍ରହଣ କଲେ-। ଦେବୀ ଶିବା ହର୍ଷରେ ଉଲ୍ଲସିତ ହୋଇ ତାହାଙ୍କ ସହିତ ସଙ୍ଗମ କରି ଶୁକ୍ରଗ୍ରହଣ କଲେ । ୭-। ଶିବା ଚିନ୍ତା କଲେ ଯେ ଏହି କାନନ ମଧ୍ୟରେ କେହି ଯଦି ଆମ୍ଭର ଏହି ରୂପକୁ ଦେଖନ୍ତି, ତାହାହେଲେ ସେ ପାବକଙ୍କ ପ୍ରତି ମିଥ୍ୟା ଦୋଷ ଆରୋପ କରିବେ ଯେ, ସେ ଋଷିପତ୍ନୀଙ୍କୁ ହରଣ କରିଅଛନ୍ତି । ଅତଏବ ଶୁକ୍ରରକ୍ଷାର୍ଥ ଆମ୍ଭେ ଗରୁଡ଼ ରୂପ ଧାରଣ କରିବା; ତା’ହେଲେ ଆମ୍ଭର ବନକୁ ଆସିବାର ଅନାୟାସରେ ସମ୍ପନ୍ନ ହେବ । ୯ ।

 

ମାର୍କଣ୍ଡେୟ ବୋଇଲେ, ଏହିରୂପେ ଚିନ୍ତାକରି ସ୍ୱାହା ତତ୍କାଳରେ ଗରୁଡ଼ ରୂପ ଧରି ଅରଣ୍ୟରୁ ନିର୍ଗତ ହେଲେ । ପରେ ଶରସ୍ତମ୍ଭସମୂହରେ ଗୋଟିଏ ଶ୍ୱେତପର୍ବତ ସମ୍ବୃତ ହୋଇଥିବାର ଦେଖିଲେ । ୧୦ । ଦୃଷ୍ଟିବିଷ, ସପ୍ତଶିରା, ଅଦ୍ଭୁତ ଭୁଜଙ୍ଗ ଓ ଭୟଙ୍କର ପିଶାଚ, ନାନାବିଧ କୁରଙ୍ଗ ଓ ବିହଙ୍ଗମଦ୍ୱାରା ସେହି ପର୍ବତ ପରିପୂର୍ଣ୍ଣ ହୋଇଥିଲା । ସେହି ଦୁର୍ଗମ ପର୍ବତ ପୃଷ୍ଠକୁ ସ୍ୱାହା ସତ୍ୱର ଗମନ କରି ସେଠାରେ ଗୋଟିଏ କନକ କୁଣ୍ଡରେ ଥିବା ସେହି ଆଗ୍ନେୟ ତେଜକୁ ନିକ୍ଷିପ୍ତ କଲେ । ଏହିରୂପେ ସ୍ୱାହା କ୍ରମଶଃ ସପ୍ତର୍ଷିମାନଙ୍କ ପତ୍ନୀଙ୍କ ଛଦ୍ମବେଶଧରି ଅଗ୍ନିଙ୍କୁ ଭଜନା କଲେ, କିନ୍ତୁ ଅରୁନ୍ଧତୀଙ୍କ ତପସ୍ୟା ପ୍ରଭାବରୁ ଓ ତାହାଙ୍କର ପତିସେବାହେତୁରୁ ତାହାଙ୍କର ଦିବ୍ୟରୂପକୁ ଅନୁକରଣ କରିବାରେ ଅସମର୍ଥା ହେଲେ । ହେ କୁରୁବର ! ପ୍ରତିପଦ ତିଥିରେ ଏହିରୂପେ ସ୍ୱାହା ସେହି କନକ କୁଣ୍ଡରେ ଛଅଥର ଆଗ୍ନେୟ ତେଜକୁ ନିକ୍ଷିପ୍ତ କଲେ । ୧୫ । ତହିଁରୁ ଋଷିଙ୍କ ପୂଜ୍ୟ ଗୋଟିଏ ପୁତ୍ର ଉତ୍ପନ୍ନ ହେଲେ । ସ୍କନ୍ନ ଅର୍ଥାତ୍ ସ୍ଖଳିତ ତେଜରୁ ଜନ୍ମ ହୋଇଥିଲେ ବୋଲି ତାହାଙ୍କର ନାମ ସ୍କନ୍ଦ ହେଲା । କୁମାରଙ୍କର ଛଅ ଗୋଟି ମସ୍ତକ; କର୍ଣ୍ଣ, ନୟନ, ହସ୍ତ ପ୍ରତ୍ୟେକ ଦ୍ୱାଦଶ ସଂଖ୍ୟକ । ୧୭ । ଏକ ଗ୍ରୀବା ଓ ଏକ ଜଠର ହେଲା । ସେ ଦ୍ୱିତୀୟାରେ ବ୍ୟକ୍ତ ହୋଇ ତୃତୀୟାରେ ଶିଶୁ ହେଲେ । ୧୮ । ଚତୁର୍ଥୀରେ ତାହାଙ୍କର ଅଙ୍ଗ ପ୍ରତ୍ୟଙ୍ଗମାନ ସମ୍ଭୁତ ହେଲା । ଲୋହିତ ବର୍ଣ୍ଣ ମେଘ ବିଜୁଳିରେ ସମ୍ବୃତ ହେଲାବେଳେ ତନ୍ମଧ୍ୟରେ ସୂର୍ଯ୍ୟ ଯେପରି ଶୋଭାନ୍ୱିତ ହୋଇଥାନ୍ତି, ଗୁହ ସେହିପରି ଉଦିତ ହେଲେ । ତାହାଙ୍କ ହସ୍ତରେ ଯେଉଁ ବିପୁଳ ଧନୁ ଥିଲା ତାହା ଦେଖିଲେ ଲୋମ ଅଙ୍କୁରିତ ହୁଏ । ୨୦ । ତ୍ରିପୁରନାଶକ ମହାଦେବ ଅସୁରମାନଙ୍କୁ ବିନାଶ କରିବା ନିମିତ୍ତ ଯେଉଁ ଧନୁ ଧରିଥିଲେ ତାହାକୁ କାର୍ତ୍ତିକେୟ ହସ୍ତରେ ଧରି ମହାନାଦ ବିସର୍ଜନ କଲେ, ଯାହା ଶୁଣି ଚରାଚର ତ୍ରିଭୁବନ ସମ୍ମୋହିତ ହେଲା । ୨୧ ।

 

ମହାମେଘମାନଙ୍କ ନିର୍ଘୋଷସଦୃଶ ଗୃହଙ୍କ ଭୀମ ନାଦ ଶ୍ରବଣ କରି ଚିତ୍ର ଓ ଐରାବତ ନାମକ ମହାନାଗଦ୍ୱୟ ତଦୀୟ ଅଭିମୁଖକୁ ଧାବମାନ ହେଲେ । ସୂର୍ଯ୍ୟସମ ତେଜସ୍ୱୀ ସେହି ବାଳକ ହସ୍ତୀ ଦୁହିଁଙ୍କୁ ଦେଖି ଦୁଇ ହାତରେ ଧରିଲେ । ଅନ୍ୟ ଏକ ହସ୍ତରେ ଶକ୍ତି ଓ ଅପର ହସ୍ତରେ ଗୋଟିଏ କୁକ୍‌କୁଟକୁ ଧରି ଭୟଙ୍କର ରାବରେ କ୍ରୀଡ଼ା କଲେ । ୨୫ । ଆଉ ଦୁଇ ହସ୍ତଦ୍ୱାରା ପ୍ରାଣୀମାନଙ୍କର ଭୟଜନକ ଶଙ୍ଖ ଧରି ଆଧୁପିତ କଲେ । ୨୬ । ଅପର ଦୁଇ ହସ୍ତକୁ ବାରମ୍ବାର ଆକାଶରେ ଆଘାତ କଲେ । ଏହିପ୍ରକାରେ ସେହି ମହାସେନ ତିନି ଭୁବନକୁ ମୁଖମାନଙ୍କଦ୍ୱାରା ପାନ କଲା ପ୍ରାୟ କ୍ରୀଡ଼ା କଲେ । ୨୭ । ସୂର୍ଯ୍ୟ ଯେପରି ଉଦୟବେଳେ ଦିଶନ୍ତି ସେହିପରି ଶ୍ୱେତ ପର୍ବତ ଶିଖରେ ଅକଳନ୍ତା ବଳଶାଳୀ ସେହି ଶିଶୁ ଉପବିଷ୍ଟ ହେଲେ । ୨୮ । କୁମାର ଏହିରୂପେ ନାନାବିଧ ମୁଖଦ୍ୱାରା ଦିଗମାନଙ୍କୁ ବିଲୋକନ କରି ଓ ବିବିଧ ଭାବମାନଙ୍କୁ ପ୍ରକାଶ କରି ପୁନଃ ପୁନଃ ନାଦ କଲେ । ୨୯ । ତାହାଙ୍କର ସେହି ନିନାଦ ଶ୍ରବଣ କରି ଜନମାନେ ମହୀତଳରେ ନିପତିତ ହେଲେ । କେହି କେହି ଭୀତ ଓ ଉଦ୍‌ବିଗ୍ନମନା ହୋଇ ତାହାଙ୍କର ଶରଣାଗତ ହେଲେ । ତତ୍କାଳରେ ନାନାଜାତୀୟ ଯେଉଁସବୁ ପ୍ରାଣୀମାନେ ସେହି ଦେବଙ୍କର ଆଶ୍ରୟ ନେଇଥିଲେ, ତାହାଙ୍କର ମହାବଳ ବ୍ରାହ୍ମଣ ପାରିଷଦ ବୋଲି ବିଖ୍ୟାତ ହେଲେ । ୩୧ ।

 

ମହାବାହୁ କୁମାର ଗାତ୍ରୋତ୍‌ଥାନ କରି ଶରଣାର୍ଥୀମାନଙ୍କୁ ଆଶ୍ୱାସିତ କଲେ ଅଥଚ କୋଦଣ୍ଡକୁ ଆକର୍ଷଣ କରି ଶ୍ୱେତପର୍ବତ ଉପରେ ଶରରାଜି ବର୍ଷଣ କଲେ । ୩୨ । ସେହି ଶରସମୂହଦ୍ୱାରା କାର୍ତ୍ତିକେୟ ହିମାଳୟଙ୍କ ପୁତ୍ର କ୍ରୌଞ୍ଚ ପର୍ବତକୁ ବିଦୀର୍ଣ୍ଣ କଲେ । ତହିଁରେ ହଂସ ଓ ଗୃଧ୍ରମାନେ ବିଦୀର୍ଣ୍ଣ ପଥ ଦେଇ ମେରୁମହୀଧରକୁ ଗମନ କରନ୍ତି । ୩୩ । ଶ୍ୱେତ ପର୍ବତ ନିପତିତ ହୁଅନ୍ତେ ଅନ୍ୟ ପର୍ବତମାନେ ଆର୍ତ୍ତନାଦ କଲେ । ୩୪ । କୁମାରଙ୍କ ବଳ ଅପରିମେୟ । ସେ ପର୍ବତମାନଙ୍କର ସେହି ନାଦକୁ ଶ୍ରବଣ କରି ସୁଦ୍ଧା ବ୍ୟଥିତ ହେଲେ ନାହିଁ । ଆହୁରି ଶକ୍ତିକୁ ଉତ୍ତୋଳନ କରି ନାଦ କଲେ । ୩୫ । ତତ୍କାଳରେ ସେହି ମହାତ୍ମା ହସ୍ତରୁ ସେହି ନିର୍ମଳଶକ୍ତିକୁ କ୍ଷେପଣ କରି ଶ୍ୱେତଗିରି ଶିଖରକୁ ଭେଦ କଲେ । ୩୬ । ଅନ୍ୟ ଗିରିମାନଙ୍କ ସହିତ ଶ୍ୱେତଗିରି ଅଭିହିତ ହୁଅନ୍ତେ ସେମାନେ ସମସ୍ତେ ଏହି ମହାତ୍ମାଙ୍କଠାରୁ ଭୀତ ହୋଇ ପୃଥ୍ୱୀକୁ ପରିତ୍ୟାଗ କରି ଊର୍ଦ୍ଧ୍ୱକୁ କୁଦା ମାରିଲେ । ୩୭ । ତଦ୍ଦ୍ୱାରା ଭୂମି ବ୍ୟଥିତ ହୋଇ ଚତୁର୍ଦ୍ଦିଗରେ ବିଦୀର୍ଣ୍ଣ ହେଲା ଓ ଆର୍ତ୍ତହୋଇ କୁମାରଙ୍କ ଅନୁଗ୍ରହରୁ ପୁନର୍ବାର ବଳବାନ ହେଲା । ୩୮ । ପର୍ବତମାନେ ମଧ୍ୟ କୁମାରଙ୍କୁ ନମସ୍କାର କରି ପୃଥିବୀକୁ ପ୍ରତ୍ୟାଗତ ହେଲେ । ଅନନ୍ତର ଲୋକମାନେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସ୍କନ୍ଦଙ୍କ ଅର୍ଚ୍ଚନାରେ ପ୍ରବୃତ୍ତ ହେଲେ । ୩୯ ।

 

॥ ଅଧ୍ୟାୟ – ୨୨୬ ॥

 

ମାର୍କଣ୍ଡେୟ କହିଲେ–ସେହି ମହାସତ୍ତ୍ୱ ଓ ମହାବଳ କାର୍ତ୍ତିକେୟ ଜନ୍ମ ହୁଅନ୍ତେ ଭୟଙ୍କର ରୂପରେ ନାନାବିଧ ଉତ୍ପାତମାନ ଦେଖାଗଲା । ୧ । ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲା । ଶୀତଳ ପଦାର୍ଥମାନ ଉଷ୍ମ ହେଲା ଓ ଉଷ୍ମ ପଦାର୍ଥ ଶୀତଳ ହେଲା । ଗ୍ରହ, ଦିଗମାନେ ଓ ଆକାଶ ପ୍ରଜ୍ଜ୍ୱଳିତ ହେଲେ । ପୃଥିବୀ ବାରମ୍ବାର ଶବ୍ଦ କଲା । ୨ । ଲୋକମାନଙ୍କ ରକ୍ଷାକର୍ତ୍ତା ଋଷିମାନେ ଚତୁର୍ଦ୍ଦିଗରେ ଉତ୍ପାତମାନ ଦେଖି ଉଦ୍‌ବିଗ୍ନମନା ହୋଇ ଶାନ୍ତି କର୍ମ କରିବାରେ ପ୍ରବୃତ୍ତ ହେଲେ । ୩ । ଚୈତ୍ରରଥ ବନରେ ଯେଉଁମାନେ ବାସ କରୁଥିଲେ ସେମାନେ କହିଲେ ଯେ ସପ୍ତର୍ଷିମାନଙ୍କ ପତ୍ନୀଙ୍କ ସହିତ ଅଗ୍ନି ସଙ୍ଗମ କରି ସେମାନଙ୍କର ତାଦୃଶ ଅମଙ୍ଗଳ ଘଟାଉଅଛନ୍ତି । ୪ । ଆଉମାନେ ଯେ କି ସ୍ୱାହା ଦେବୀଙ୍କୁ ଗରୁଡ଼ି ରୂପ ଧାରଣ କରି ଯିବାର ଦେଖିଥିଲେ ସେମାନେ କହିଲେ ଯେ ସେହି ଗରୁଡ଼ି ସମସ୍ତ ଅନିଷ୍ଟର ହେତୁ । ୫ । ପରନ୍ତୁ ସ୍ୱାହା ଦେବୀ ଯେ ତାଦୃଶ କର୍ମ କରିଥିଲେ ତାହା କେହି ଜାଣିପାରିଲେ ନାହିଁ । ସୁପର୍ଣ୍ଣା ସେହି ଦୁର୍ନାମ ଶ୍ରବଣ କରି ସ୍କନ୍ଦକୁ ନିଜର ପୁତ୍ର ବିବେଚନା କରି ତାହାଙ୍କ ନିକଟକୁ ଧୀରେ ଧୀରେ ଯାଇ ଉପସ୍ଥିତ ହେଲେ ଓ କହିଲେ–ଆମ୍ଭେ ତୁମ୍ଭର ଜନନୀ । ୭ ।

 

ଏଣେ ସପ୍ତର୍ଷିମାନେ ଶୁଣିଲେ ଯେ ସେମାନଙ୍କର ଗୋଟିଏ ମହାତେଜସ୍ୱୀ ପୁତ୍ର ଉତ୍ପନ୍ନ ହୋଇଅଛନ୍ତି । ଏହା ଶ୍ରବଣ କରି ସେମାନେ ଅରୁନ୍ଧତୀଙ୍କୁ ଛାଡ଼ି ନିଜ ନିଜର ଅପର ଛଅ ପତ୍ନୀଙ୍କୁ ପରିତ୍ୟାଗ କଲେ । ୮ । ସେହି ବନବାସୀ ସମସ୍ତେ ତତ୍କାଳରେ କହିଲେ ଯେ ଛଅଗୋଟି ଋଷିପତ୍ନୀଙ୍କଠାରୁ ସ୍କନ୍ଦ ଜାତ ହୋଇଥିଲେ । ସ୍ୱାହା ଯାଇ ତପସ୍ୱୀମାନଙ୍କୁ କହିଲେ, ଏ ଆମ୍ଭର ପୁତ୍ର, ତୁମ୍ଭମାନଙ୍କର ପୁତ୍ର ନୁହନ୍ତି । ୯ । ହେ ରାଜନ୍‌ ! ମହାମୁନି ବିଶ୍ୱାମିତ୍ର ସପ୍ତର୍ଷିଗଣଙ୍କର ଇଷ୍ଟ ସମାପ୍ତ କରି କାମସନ୍ତପ୍ତ ଅଗ୍ନିଙ୍କ ପଛେ ପଛେ ଗୋପନ ଭାବରେ ଗମନ କରିଥିଲେ । ବିଶ୍ୱାମିତ୍ରଙ୍କୁ କେହି ଦେଖି ନ ଥିଲେ; କିନ୍ତୁ ସେ ସବୁ ବୃତ୍ତାନ୍ତ ଯଥାର୍ଥରୂପେ ଅବଗତ ହୋଇଥିଲେ । ୧୧ । ବିଶ୍ୱାମିତ୍ର ପ୍ରଥମେ କୁମାରଙ୍କର ଶରଣାପନ୍ନ ହୋଇଥିଲେ ଓ ସେ ମହାସେନଙ୍କର ଦିବ୍ୟ ସ୍ତବ କରିଥିଲେ । ୧୨ । ସେହି ମହାମୁନି ବିଶ୍ୱାମିତ୍ର କୁମାରଙ୍କ ବାଲ୍ୟକାଳରେ ସମ୍ପନ୍ନ କରିଥିଲେ । ୧୩ । ଷଡ଼ାନନଙ୍କର ମହାତ୍ମ୍ୟ ବର୍ଣ୍ଣନ, କୁକ୍‌କୁଟାୟ ସାଧନ ଓ ଶକ୍ତିଦେବୀଙ୍କର ସାଧନ, କୁମାରଙ୍କ ପାରିଷଦବର୍ଗ ସାଧନ ଯେପରି କରିବାକୁ ହୁଏ, ତାହା ସେହି ମହାମୁନି ବର୍ଣ୍ଣନା କରିଥିଲେ । ୧୪ । ସେହି ଋଷି ଲୋକହିତ ନିମିତ୍ତ ଏହିସବୁ କର୍ମ କରିଥିଲେ ମଧ୍ୟ ତାହାଙ୍କର ଏହି କାର୍ଯ୍ୟ ଦେଖି କୁମାର ତାହାଙ୍କ ପ୍ରତି ଅତିଶୟ ସନ୍ତୁଷ୍ଟ ହୋଇଥିଲେ । ୧୫ । ସପ୍ତର୍ଷିମାନଙ୍କ ସମକ୍ଷରେ ବିଶ୍ୱାମିତ୍ର କହିଲେ, ଆପଣମାନଙ୍କ ପତ୍ନୀମାନଙ୍କର କୌଣସି ଅପରାଧ ନାହିଁ । ସ୍ୱାହା ରୂପାନ୍ତର ଧରି ଅଗ୍ନିଙ୍କ ସହିତ ସଙ୍ଗମ କରିଥିଲେ । ୧୬ । ସପ୍ତର୍ଷିମାନେ ବିଶ୍ୱାମିତ୍ରଙ୍କଠାରୁ ଆଦ୍ୟୋପ୍ରାନ୍ତ ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ପତ୍ନୀମାନଙ୍କୁ ସର୍ବତୋଭାବେ ପରିତ୍ୟାଗ କଲେ ।

 

ମାର୍କଣ୍ଡେୟ କହିଲେ–ଏଣେ ଦେବତାମାନେ କୁମାରଙ୍କ ବୃତ୍ତାନ୍ତ ଶ୍ରବଣ କରନ୍ତେ ଋଷିମାନେ ସମସ୍ତେ ଏକତ୍ର ହୋଇ ଇନ୍ଦ୍ରଙ୍କୁ କହିଲେ । ୧୭ । ହେ ଶକ୍ର ! କୁମାରଙ୍କ ବଳ ଅତିଶୟ ଅସହନୀୟ; ଅତଏବ ଆପଣ ବିଳମ୍ବ ନ କରି ଏହାଙ୍କୁ ବିନଷ୍ଟ କରନ୍ତୁ । ଦେବେନ୍ଦ୍ର ! ଆପଣ ଯଦି ଏହାଙ୍କୁ ବିନଷ୍ଟ ନ କରନ୍ତି, ତାହାହେଲେ ଏହି ମହାବଳ ପୁରୁଷ ତିନିଲୋକକୁ, ଆମ୍ଭମାନଙ୍କୁ ଓ ଆପଣଙ୍କୁ ସୁଦ୍ଧା ସମ୍ୟକ୍‌ରୂପେ ନିଗୃହୀତ କରି ସ୍ୱୟଂ ଦେବରାଜ ହେବେ । ବାସବ ଏକଥା ଶୁଣି ବ୍ୟଥିତ ହୋଇ ସେମାନଙ୍କୁ କହିଲେ–ଏହି ବାଳକ ଅତିଶୟ ବଳବାନ ହୋଇଅଛି । ଯୁଦ୍ଧରେ ବିକ୍ରମ ପ୍ରକାଶ କରି ବିଧାତାଙ୍କୁ ସୁଦ୍ଧା ଏ ସଂହାର କରିପାରନ୍ତି; କିନ୍ତୁ ଏ ବାଳକ ଅଟନ୍ତି । ବାଳକକୁ ବିନାଶ କରିବା ନିମିତ୍ତ ଆମ୍ଭର ଉତ୍ସାହ ହେଉ ନାହିଁ । ୨୦ । ଇନ୍ଦ୍ରଙ୍କ ବଚନ ଶ୍ରବଣ କରି ଦେବଗଣ ତାହାଙ୍କୁ କହିଲେ, ଆପଣ ଏ ପ୍ରକାର କଥା କହୁଅଛନ୍ତି; ଅତଏବ ଆପଣ ନିର୍ବୀର୍ଯ୍ୟା ଲୋକମାତୃଗଣ ଅଦ୍ୟ ସ୍କନ୍ଦଙ୍କ ସମୀପକୁ ଗମନ କରନ୍ତୁ । ୨୧ । ଏମାନେ ସମସ୍ତେ କାମବୀର୍ଯ୍ୟା । ଏଣୁ ଏମାନେ ଯାଇ ତାହାଙ୍କୁ ବିନାଶ କରନ୍ତୁ । ଲୋକମାତାମାନେ ‘ତଥାସ୍ତୁ’ ବୋଲି କହି ପ୍ରସ୍ଥାନ କଲେ । ପରନ୍ତୁ ସେହି ବାଳକକୁ ସେମାନଙ୍କଠାରୁ ଅଧିକ ପରାକ୍ରାନ୍ତ ଦେଖି ମୁଖ ଶୁଷ୍କ କଲେ । ୨୨ ।

 

ସେମାନେ ସ୍କନ୍ଦଙ୍କୁ ପରାଜିତ କରିନପାରି ତାହାଙ୍କର ଶରଣାଗତ ହେଲେ ଓ କହିଲେ–ହେ ମହାବଳ ! ତୁମ୍ଭେ ଆମ୍ଭମାନଙ୍କର ପୁତ୍ର ହୁଅ । ୨୩ । ତୁମ୍ଭପ୍ରତି ସ୍ନେହ ଜାତ ହେବାରୁ ଆମ୍ଭମାନଙ୍କ ସ୍ତନରୁ କ୍ଷୀର ସ୍ରବୁ ଅଛି । ଅତଏବ ତୁମ୍ଭେ ଆମ୍ଭମାନଙ୍କୁ ‘ମା’ ବୋଲି ଗ୍ରହଣ କର । ଯେତେ ବଳବାନ ଅଛନ୍ତି, ସେମାନଙ୍କ ମଧ୍ୟରେ କାର୍ତ୍ତିକେୟ ଶ୍ରେଷ୍ଠ ଓ ପ୍ରଭାବଶାଳୀ ଅଟନ୍ତି । ଲୋକମାତାଙ୍କ ବଚନ ଶ୍ରବଣ କରି ସ୍ତନପାନ କରିବା ଇଚ୍ଛାରେ ସେମାନଙ୍କୁ ବିଧିପୂର୍ବକ ପୂଜାକରି ତାହାଙ୍କର ଅଭିଳାଷ ପୂର୍ଣ୍ଣ କଲେ । ତଦନନ୍ତର ଦେଖିଲେ ଯେ ତାହାଙ୍କର ପିତା ଅଗ୍ନି ଆଗମନ କରୁଅଛନ୍ତି । ୨୫ । ସ୍କନ୍ଦ ତାହାଙ୍କୁ ଅର୍ଚ୍ଚନା କରି ମାତୃଗଣଙ୍କ ସହିତ ବେଷ୍ଟନ କଲେ । ୨୬ । ସମୁଦାୟ ମାତୃଗଣଙ୍କ ମଧ୍ୟରେ ଯେଉଁ ସ୍ତ୍ରୀ କ୍ରୋଧରୁ ଜାତ, ସେ ଶୂଳହସ୍ତା ହୋଇ ଜନନୀ ଯେ ପ୍ରକାର ପୁତ୍ରକୁ ରକ୍ଷା କରେ, ସେହିପରି ସ୍କନ୍ଦକୁ ରକ୍ଷା କରିବାରେ ପ୍ରବୃତ୍ତ ହେଲେ । ଯେଉଁ ନାରୀ କ୍ରୂରସ୍ୱଭାବା ଓ ରକ୍ତପାନପ୍ରିୟା ଓ ଲୋହିତ ସମୁଦ୍ରତନୟା, ସେ କାର୍ତ୍ତିକେୟଙ୍କୁ ପୁତ୍ରସ୍ନେହରେ ଆଲିଙ୍ଗନ କରି ସର୍ବତୋଭାବେ ତାହାଙ୍କୁ ରକ୍ଷା କଲେ । ୨୮ । ନିଗମପ୍ରସିଦ୍ଧ ଅଗ୍ନି ଛାଗରୂପ ଧରି ବହୁ ସନ୍ତାନ ଜନ୍ମ କରି କାର୍ତ୍ତିକେୟଙ୍କ ଖେଳ ଦେଖିଲେ । ଶୈଳ ଉପରେ ସେମାନଙ୍କୁ ଧରି କୁମାର କ୍ରୀଡ଼ାରେ ରତ ହେଲେ । ୨୯ ।

 

॥ ଅଧ୍ୟାୟ – ୨୨୭ ॥

 

ମାର୍କଣ୍ଡେୟ କହିଲେ, ଗ୍ରହ, ଉପଗ୍ରହ, ଋଷି, ମାତୃଗଣ ଏବଂ ହୁତାଶନଙ୍କୁ ଆଦିକରି ଉଜ୍ଜ୍ୱଳ ପାରିଷଦବର୍ଗ ପୁନଶ୍ଚସ୍ୱର୍ଗଗାମୀ ଭୟଙ୍କର ପ୍ରାଣୀମାନେ ମହାସେନଙ୍କୁ ସର୍ବଦିଗରୁ ବେଷ୍ଟନ କରି ମାତୃଗଣଙ୍କ ସହିତ ଅବସ୍ଥାନ କଲେ । ସ୍କନ୍ଦଙ୍କୁ ଜୟ କରିବା କଠିନ ଜ୍ଞାନ କରି ବିଜୟାକାଙ୍‌କ୍ଷୀ ଦେବରାଜ ଐରାବତରେ ଆରୋହଣ କରି ଦେବତାମାନଙ୍କୁ ସଙ୍ଗରେ ଘେନି ସ୍କନ୍ଦଙ୍କ ନିକଟକୁ ଗମନ କଲେ । ବଜ୍ରଧାରୀ ବଳବାନ ସୂରପତି ଦେବଗଣଙ୍କଦ୍ୱାରା ପରିବୃତ୍ତ ହୋଇ ମହାସେନଙ୍କୁ ନିହତ କରିବା ନିମିତ୍ତ ଶୀଘ୍ରତର ଗତି କଲେ । ଦେବସେନାମାନେ ଅତି ଉଗ୍ର ଓ ପ୍ରଭାଶାଳୀ; ସେମାନେ ମହତ ନିନାଦ ମୋଚନ କଲେ । ସେମାନଙ୍କର ପତାକା ବିଚିତ୍ର ଦିଶୁଥିଲା । ଦେବତାମାନେ ନାନାପ୍ରକାର ବାହନରେ ଆରୂଢ଼ ହୋଇଥିଲେ ଓ ହସ୍ତରେ ଅନେକ ପ୍ରକାର କୋଦଣ୍ଡ ଧରିଥିଲେ । ୫ । କୁମାର ଦିବ୍ୟ ବସ୍ତ୍ରରେ ସମ୍ବୀତ ହୋଇଥିଲେ, ଶୋଭାରେ ଜଳୁଥିଲେ, ଅଳଙ୍କାରରେ ଭୂଷିତ ହୋଇଥିଲେ । ସେ ଦେଖିଲେ ଯେ ଇନ୍ଦ୍ର ତାହାଙ୍କୁ ନିହତ କରିବାକୁ ଆସୁଅଛନ୍ତି । ଏହା ଦେଖି କୁମାର ତାହାଙ୍କ ସମ୍ମୁଖକୁ ଗଲେ । ୬ । ହେ ପାର୍ଥ ! ଅଗ୍ନିଙ୍କ ତନୟକୁ ବିନାଶ କରିବା ଅଭିଳାଷରେ ସୁରପତି ଇନ୍ଦ୍ର ମହାବଳସମନ୍ୱିତ ହୋଇ ଅଥଚ ଅମରବୃନ୍ଦ ଓ ପରମର୍ଷିଗଣଙ୍କଦ୍ୱାରା ପୂଜିତ ହୋଇ ଦେବସେନାଙ୍କ ଗର୍ବକୁ ବର୍ଦ୍ଧନ କରି ଦ୍ରୂତ ଗତିରେ ଯାଇ କୁମାରଙ୍କ ସମୀପରେ ଉପସ୍ଥିତ ହେଲେ । ୮ । ଦେବରାଜ ଦେବଗଣଙ୍କ ସହିତ ମିଳିତ ହୋଇ ସିଂହନାଦ କଲେ । ଗୁହ ମଧ୍ୟ ସେହି ଶବ୍ଦ ଶୁଣି ସାଗର ପ୍ରାୟ ଗର୍ଜନ କଲେ । ୯ । ସମୁଦ୍ର ଗର୍ଜନ ପ୍ରାୟ ତାହାଙ୍କର ମହତ ଶବ୍ଦ ଶ୍ରବଣ କରି ଦେବସୈନ୍ୟମାନେ ବିଭ୍ରାନ୍ତ ହୋଇ ଯେ ଯେଉଁଠାରେ ଥିଲେ ସେହିଠାରେ ଅଚେତନ ହେଲେ । ୧୦ । ଦେବତାମାନେ ତାହାଙ୍କୁ ନିହତ କରିବା ଆଶାରେ ଆସିଥିବାର ଦେଖି ଅଗ୍ନିପୁତ୍ର କ୍ରୁଦ୍ଧହୋଇ ମୁଖରୁ ଅତି ବୃହତ୍ ଅଗ୍ନିଶିଖାମାନ ବିସର୍ଜନ କଲେ । ୧୧-। ତହିଁରେ ଦେବସେନା ଦଗ୍ଧ ହେଲେ ଓ କେହି କେହି କମ୍ପିତ ହୋଇ ଭୂତଳରେ ନିପତିତ ହେଲେ-। କାହାରି କାହାରି ମସ୍ତକରେ ଅଗ୍ନି ସଂଯୁକ୍ତ ହେଲା; କାହାରି ଦେହ ଦଗ୍ଧ ହେଲା; କାହାରି ଅବା ବାହନ ଓ ଆୟୁଧମାନେ ଦଗ୍ଧ ହେଲେ । ୧୨ । ତାରାଗଣ ଆକାଶରୁ ଓଲଟି ପଡ଼ିଲା ପ୍ରାୟ ଦେବସେନା ଦଗ୍ଧ ହୋଇ କାର୍ତ୍ତିକେୟଙ୍କ ଶରଣାପନ୍ନ ହେଲେ । ୧୩ । ଦେବଗଣ ତଦନନ୍ତର ବଜ୍ରଧରଙ୍କୁ ପରିତ୍ୟାଗ କରି ଶାନ୍ତି ଲାଭ କଲେ । ଦେବଗଣ ପରିତ୍ୟାଗ କରିବା ଦେଖି ଇନ୍ଦ୍ର ସ୍କନ୍ଦଙ୍କ ପ୍ରତି ବଜ୍ରପାତ କଲେ । ୧୪ ।

 

ହେ ମହାରାଜ ! ସୁରପତିଙ୍କଦ୍ୱାରା ବଜ୍ର ନିକ୍ଷିପ୍ତ ହୋଇ ମହାତ୍ମା ସ୍କନ୍ଦଙ୍କ ଦକ୍ଷିଣ ପାଶ୍ୱର୍କୁ ଭେଦ କଲା । ୧୫ । ବଜ୍ର ପ୍ରହାରଦ୍ୱାରା ସ୍କନ୍ଦଙ୍କ ଦେହରୁ ଆଉ ଗୋଟିଏ ପୁରୁଷ ଜାତ ହେଲା । ସେହି ପୁରୁଷ ଦେଖିବାକୁ ସୁବର୍ଣ୍ଣ ବର୍ଣ୍ଣ ପ୍ରାୟ । ହସ୍ତରେ ସେ ଶକ୍ତି ଧରିଅଛନ୍ତି ଓ କର୍ଣ୍ଣରେ ତାହାଙ୍କର କୁଣ୍ଡଳଦ୍ୱୟ ଶୋଭାପାଉଅଛି । ୧୬ । ବଜ୍ର ପ୍ରହାରରୁ ଜାତ ହୋଇଥିବା କାରଣରୁ ସେହି ପୁରୁଷର ନାମ ବିଶାଖା ହେଲା । କାଳାନଳସମ ତେଜସ୍ୱୀ ଆଉ ଗୋଟିଏ ପୁରୁଷ ଉତ୍ପନ୍ନ ହେଲେ । ତାହାଙ୍କୁ ଦେଖି ବାସବ ଭୀତ ହୋଇ କୃତାଞ୍ଜଳିପୁଟରେ କୁମାରଙ୍କର ଶରଣାଗତ ହେଲେ । ସଜ୍ଜନଶ୍ରେଷ୍ଠ କୁମାର ସୈନ୍ୟ ସହିତ ଇନ୍ଦ୍ରଙ୍କୁ ଅଭୟ ଦାନ କଲେ । ତଦନନ୍ତର ତ୍ରିଦଶମାନେ ପ୍ରହୃଷ୍ଟ ହୋଇ ନାନାବିଧ ବାଦିତ୍ର ବାଦନ କଲେ ।

 

॥ ଅଧ୍ୟାୟ – ୨୨୮ ॥

 

ମାର୍କଣ୍ଡେୟ କହିଲେ, ସମ୍ପ୍ରତି କାର୍ତ୍ତିକେୟଙ୍କର ଭୟଙ୍କର ପାରିଷଦବର୍ଗଙ୍କ ବୃତ୍ତାନ୍ତ ଶ୍ରବଣ କର । ୧ । ବଜ୍ର ପ୍ରହାରଦ୍ୱାରା କୁମାରଙ୍କ ଦକ୍ଷିଣ ପାର୍ଶ୍ୱରୁ ସେହି ଦାରୁଣ କୁମାରମାନେ ଜାତ ହୋଇଥିଲେ; ଅଥଚ ତାହାଙ୍କ ଦେହରୁ ସେହି ବଜ୍ର ପ୍ରହାରଦ୍ୱାରା ବଳଶାଳିନୀ କୁମାରୀମାନେ ଜାତ ହେଲେ । କୁମାରମାନେ ବିଶାଖାଙ୍କୁ ପିତା ବୋଲି କଳ୍ପନା କଲେ । କୌଶଳସମ୍ପନ୍ନ ଭଗବାନ ଭଦ୍ରଶାଖ କୁମାର ସମରରେ ଛାଗମୁଖଯୁକ୍ତ ହୋଇ ଚାହୁଁଥିବା ମାତୃଗଣଙ୍କ ସମକ୍ଷରେ ସମସ୍ତଙ୍କୁ ରକ୍ଷା କରି ନିଜ ପୁତ୍ର କନ୍ୟାମାନଙ୍କଦ୍ୱାରା ପରିବୃତ୍ତ ହୋଇଥିଲେ । ୪ । ଏହି କାରଣରୁ ଭୂମଣ୍ଡଳସ୍ଥିତ ଲୋକମାନେ ଅଗ୍ନିପୁତ୍ରଙ୍କୁ କୁମାରପିତା ବୋଲି କହନ୍ତି । ଅପିଚ ପୁତ୍ରାଭିଳାଷୀ ମାନବମାନେ ଗୃହ କାନ୍ଥରେ ମହାବଳସମ୍ପନ୍ନ ରୁଦ୍ରରୂପ ଅଗ୍ନି ଓ ସ୍ୱାହାରୂପିଣୀ ଉମାଙ୍କୁ ଲେଖି ଆରାଧନା କଲେ ସେମାନେ ପୁତ୍ରବାନ ହୁଅନ୍ତି । ପୁଣି ତପନାମା ଅଗ୍ନି ଯେଉଁସବୁ କନ୍ୟାଙ୍କୁ ଉତ୍ପନ୍ନ କରିଥିଲେ ସେମାନେ ସ୍କନ୍ଦଙ୍କ ସମୀପକୁ ଆଗମନ କଲେ । ସ୍କନ୍ଦ ସେମାନଙ୍କୁ ସମାଦରପୂର୍ବକ କହିଲେ ଆମ୍ଭେ ତୁମ୍ଭର କ’ଣ କରିବା କହ ? କୁମାରୀମାନେ କହିଲେ, ତୁମ୍ଭେ ଆମ୍ଭର ଏହି ଗୋଟିଏ ପ୍ରିୟ କାର୍ଯ୍ୟ କର ଯେ, ଆମ୍ଭେ ସର୍ବଲୋକଙ୍କର ଉତ୍ତମ ମାତା ହେଉ ଓ ସେମାନେ ଆମ୍ଭଙ୍କୁ ପୂଜା କରନ୍ତୁ ।

 

ଉଦାରବୁଦ୍ଧି ଶିଖିବାହନ ସେହି କନ୍ୟାମାନଙ୍କୁ କହିଲେ, ହେଉ, ତାହା ହେବ । ଆପଣମାନେ ଶିବା ଓ ଅଶିବା ହୋଇ ଭିନ୍ନ ଭିନ୍ନ ପ୍ରକାର ହେବେ । ତଦନନ୍ତର ମାତୃକାଗଣ କାର୍ତ୍ତିକେୟଙ୍କୁ ପୁତ୍ର ନିଶ୍ଚୟ କରି ଗମନ କଲେ । ୯ । କାଳୀ, ହଳିମା, ମାଳିନୀ, ବୃଂହିଳା, ଆର୍ଯ୍ୟା, ପଲାଲ ଓ ବୈମିତ୍ରା ଏହି ସାତ ଜଣ ଏହି ଶିଶୁର ଜନନୀ । ୧୦ । କାର୍ତ୍ତିକେୟଙ୍କ ପ୍ରସାଦରୁ ଏମାନଙ୍କଠାରୁ ଗୋଟିଏ ପୁତ୍ର ଜାତ ହେଲା । ତାହାର ନାମ ଶିଶୁ; ସେ ଅତି ଦାରୁଣ, ବଳବାନ ଓ ତାହାଙ୍କର ନେତ୍ରଦ୍ୱୟ ରକ୍ତବର୍ଣ୍ଣ ଏବଂ ଅତି ଭୟଙ୍କର । ୧୧ । ସ୍କନ୍ଦଙ୍କର ମାତୃଗଣଙ୍କଠାରୁ ସେ ଜାତ ହୋଇ ଅଷ୍ଟମ ବୀର ବୋଲି କଥିତ ହୋଇଅଛନ୍ତି । ପରନ୍ତୁ ଛାଗମୟ ମୁଖକୁ ସ୍କନ୍ଦଙ୍କର ଷଷ୍ଠମୁଖ ବୋଲି ଜାଣ । ସେହି ଛାଗମୁଖ କାର୍ତ୍ତିକେୟଙ୍କର ଷଷ୍ଠମୁଖର ମଧ୍ୟବର୍ତ୍ତୀ ଓ ମାତୃକାଗଣ ତାହାଙ୍କୁ ସର୍ବଦା ଆଦର କରନ୍ତି । ୧୩ । ଯେଉଁ ମସ୍ତକରେ ଭଦ୍ରଶାଖା ଥାଇ ଶକ୍ତିକୁ ସୃଷ୍ଟି କରିଥିଲେ, ସେହି ମସ୍ତକଟି କୁମାରଙ୍କ ଛଅଗୋଟି ମସ୍ତକ ମଧ୍ୟରେ ପ୍ରଧାନ ଅଟେ । ୧୪ । ହେ ନରାଧିପ ! ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ଏହିପରି ବିବିଧ ପ୍ରକାର ଘଟଣା ଘଟି ଷଷ୍ଠୀ ତିଥିରେ ମହାଭୟଙ୍କର ସଂଗ୍ରାମ ହୋଇଥିଲା । ୧୫ ।

 

॥ ଅଧ୍ୟାୟ – ୨୨୯ ॥

 

ମାର୍କଣ୍ଡେୟ କହିଲେ, ଦିନେ ସ୍କନ୍ଦ ବସିଅଛନ୍ତି, ଅଙ୍ଗରେ ହିରଣ୍ୟ କବଚ ପିନ୍ଧିଅଛନ୍ତି, ତାହାଙ୍କର ଚୂଡ଼ା ହିରଣ୍ମୟ ଓ ମୁକୁଟ ମଧ୍ୟ ହିରଣ୍ମୟ ଦିଶୁଅଛି । ନେତ୍ରଦ୍ୱୟ ତାହାଙ୍କର ହିରଣ୍ମୟ ବର୍ଣ୍ଣ, ସେ ମହାପ୍ରଭାଶାଳୀ ହୋଇଅଛନ୍ତି, ରକ୍ତ ବର୍ଣ୍ଣ ବସ୍ତ୍ର, ଆବୃତ୍ତଦଂଷ୍ଟ୍ର ତାହାଙ୍କର ତୀକ୍ଷ୍‌ଣ ଓ ମନୋରମ ହୋଇଅଛି । ସର୍ବପ୍ରକାର ସୁଲକ୍ଷଣରେ ଶୋଭିତ ହୋଇ ତ୍ରିଲୋକରେ ପ୍ରିୟଙ୍କର ଦିଶୁଅଛନ୍ତି । ୨ । ସେହି ପୁରୁଷ ବରଦ ଓ ଶୂର ଏବଂ ଯୁବା ଅଟନ୍ତି । କର୍ଣ୍ଣରେ ତାହାଙ୍କର ଉଜ୍ଜ୍ୱଳ କୁଣ୍ଡଳଦ୍ୱୟ ଶୋଭା ପାଉଅଛି । ଏହିପରି ସେହି ସୁନ୍ଦର ପୁରୁଷଙ୍କୁ ପଦ୍ମରୂପା ଲକ୍ଷ୍ମୀ ଶରୀର ଧାରିଣୀ ହୋଇ ଭଜନା କଲେ । ସେହି ସୁକୁମାର ନରଙ୍କର ଯଶଃ ସର୍ବତ୍ର ବ୍ୟାପ୍ତ ହୋଇଅଛି । ସେ ଲକ୍ଷ୍ମୀଯୁକ୍ତ ହୋଇଅଛନ୍ତି-। ପୌର୍ଣ୍ଣମାସୀ ଚନ୍ଦ୍ରମାଙ୍କ ପ୍ରାୟ ବସିଅଛନ୍ତି । ୪ । ବ୍ରାହ୍ମଣମାନେ ସେହି ମହାବଳ ସ୍କନ୍ଦଙ୍କୁ ପୂଜା କଲେ ଓ ମହର୍ଷିମାନେ ତତ୍କାଳରେ ତାହାଙ୍କୁ କହିଲେ । ୫ ।

 

ଋଷିମାନେ କହିଲେ, ହେ ହିରଣ୍ୟଗର୍ଭ, ଆପଣଙ୍କର ମଙ୍ଗଳ ହେଉ, ଆପଣ ଲୋକମାନଙ୍କର କଲ୍ୟାଣ ବର୍ଦ୍ଧନ କରନ୍ତୁ । ହେ ସୁରୋତ୍ତମ ! କେବଳ ଛଅ ଦିନ ହେଲା ଆପଣ ଜନ୍ମଗ୍ରହଣ କରିଅଛନ୍ତି । ଏତନ୍ମଧ୍ୟରେ ସମସ୍ତ ଲୋକ ଆପଣଙ୍କର ବଶୀଭୂତ ହେଲା । ୬ । ପରନ୍ତୁ ଆପଣଙ୍କଠାରୁ ଏହି ଲୋକ ଅଭୟଦାନ ପ୍ରାପ୍ତ ହୋଇଅଛି । ଅତଏବ ଆପଣ ଇନ୍ଦ୍ର ହୋଇ ତ୍ରୈଲୋକ୍ୟର ଭୟ ଦୂର କରନ୍ତୁ । ୭ । ସ୍କନ୍ଦ କହିଲେ, ହେ ତପୋଧନବୃନ୍ଦ ! ସୁରପତି ଇନ୍ଦ୍ର ସମସ୍ତ ଲୋକର କି କାର୍ଯ୍ୟ କରନ୍ତି ଓ ସୁରଗଣଙ୍କୁ ଅବା ସେ କି ପ୍ରକାରେ ରକ୍ଷା କରନ୍ତି ? ୮ । ଋଷିମାନେ କହିଲେ, ସୁରନାଥ ଇନ୍ଦ୍ର ପ୍ରାଣୀମାନଙ୍କର ବଳ ଓ ତେଜଃ ବୃଦ୍ଧି କରନ୍ତି, ପ୍ରଜାମାନଙ୍କର ସୁଖବିଧାନ କରନ୍ତି ଓ ସନ୍ତୁଷ୍ଟ ହୋଇ ସମସ୍ତଙ୍କର ସର୍ବ ଅଭିଳାଷ ପ୍ରଦାନ କରନ୍ତି । ଦୁର୍ବୃତ୍ତ ଲୋକମାନଙ୍କୁ ସେ ବିନାଶ କରନ୍ତି । ବ୍ରତଧାରୀମାନଙ୍କର ଅଭିଳାଷ ପୂର୍ଣ୍ଣ କରନ୍ତି । ସମସ୍ତ ଭୂତବର୍ଗଙ୍କୁ ସ୍ୱ ସ୍ୱ କାର୍ଯ୍ୟରେ ଅନୁଶାସନ କରନ୍ତି । ୧୦ । ଯେଉଁଠାରେ ସୂର୍ଯ୍ୟ ନାହାନ୍ତି ସେଠାରେ ସେହି ଇନ୍ଦ୍ର ସୂର୍ଯ୍ୟ ହୁଅନ୍ତି, ଯେଉଁଠାରେ ଚନ୍ଦ୍ର ନାହାନ୍ତି, ସେଠାରେ ସେ ଚନ୍ଦ୍ର ହୁଅନ୍ତି । କାରଣବଶରୁ ସେ ଅଗ୍ନି, ବାୟୁ, ପୃଥ୍ୱୀ ଓ ଜଳତ୍ୱ ପ୍ରାପ୍ତ ହୁଅନ୍ତି । ୧୧ । ଏହିସବୁ କାର୍ଯ୍ୟ ଇନ୍ଦ୍ରଙ୍କର କର୍ତ୍ତବ୍ୟ ଅଟେ । ଯେ ହେତୁରୁ ସେ ଅତ୍ୟନ୍ତ ବଳଶାଳୀ । ହେ ବୀର ! ଆପଣ ମଧ୍ୟ ବଳରେ ଶ୍ରେଷ୍ଠ ଅଟନ୍ତି । ଅତଏବ ଆପଣ ଆମ୍ଭମାନଙ୍କର ଇନ୍ଦ୍ର ହେଉନ୍ତୁ । ୧୨ । ଇନ୍ଦ୍ର କହିଲେ, ହେ ମହାବାହୋ ! ଆପଣ ଇନ୍ଦ୍ର ହୁଅନ୍ତୁ । ଆମ୍ଭମାନଙ୍କର ସମସ୍ତଙ୍କର ସୁଖ ବହନ କରନ୍ତୁ । ହେ ସତ୍ତମ ! ଆପଣ ଉତ୍ତମ ରୂପ ପ୍ରାପ୍ତ ହୋଇଅଛନ୍ତି; ଅଦ୍ୟ ଅଭିଷିକ୍ତ ହୁଅନ୍ତୁ । ୧୩ ।

 

ସ୍କନ୍ଦ କହିଲେ, ହେ ଶକ୍ର ! ତୁମ୍ଭେ ବ୍ୟଗ୍ର ନ ହୋଇ ତ୍ରିଲୋକ ଶାସନ କର । ବିଜୟରେ ରତ ହୁଅ । ୧୪ । ଆମ୍ଭେ ତୁମ୍ଭର କିଙ୍କର, ଆମ୍ଭର ଇନ୍ଦ୍ର ହେବାର ଇଚ୍ଛା ନାହିଁ । ୧୫ । ଇନ୍ଦ୍ର କହିଲେ, ହେ ବୀର ! ଆପଣଙ୍କର ବଳ ଅତି ଆଶ୍ଚର୍ଯ୍ୟ, ଅତଏବ ଆପଣ ସୁରଗଣଙ୍କ ଶତ୍ରୁମାନଙ୍କୁ ବିନାଶ କରନ୍ତୁ । ଆପଣଙ୍କ ବଳ ଦେଖି ଲୋକେ ବିସ୍ମୟାପନ୍ନ ହୋଇଅଛନ୍ତି । ବିଶେଷରେ ଆମ୍ଭେ ବଳହୀନ ହେବାରୁ ଆପଣ ଆମ୍ଭଙ୍କୁ ପରାଜିତ କରିଅଛନ୍ତି । ସୁତରାଂ ତୁମ୍ଭେ ପୁରନ୍ଦର ପଦରେ ଅଧିଷ୍ଠିତ ହୋଇ ରହିଲେ ହେଁ ସମସ୍ତେ ଆମ୍ଭଙ୍କୁ ଅବଜ୍ଞା କରିବେ । ସେମାନେ ନିରଳସ ହୋଇ ଯଦ୍ଦ୍ୱାରା ଆମ୍ଭ ଦୁଇ ଜଣ ମଧ୍ୟରେ ବିରୋଧ ହୁଏ ତତ୍ ବିଷୟରେ ଯତ୍ନଶୀଳ ହେବେ । ୧୭ । ହେ ମହାବଳ ! ବିଭୋ ! ଭେଦ ହେଲେ ଲୋକେ ଦ୍ୱିଧା ଭାବକୁ ଆଶ୍ରୟ କରିବେ । ତତ୍ପରେ ଭେଦ ହେତୁରୁ ଆମ୍ଭ ଦୁହିଁଙ୍କ ମଧ୍ୟରେ ସମର ହେବ, ଯହିଁରେ ଆପଣ ଅନାୟାସରେ ଆମ୍ଭଙ୍କୁ ପରାସ୍ତ କରିବେ । ୧୮ । ସୁତରାଂ ଆପଣ ଇନ୍ଦ୍ର ହେଉନ୍ତୁ, ଏଥିରେ ଆପଣ କିଛିମାତ୍ର ସଂଶୟ ନ କରନ୍ତୁ ।

 

ସ୍କନ୍ଦ କହିଲେ–ହେ ଇନ୍ଦ୍ର, ଆପଣଙ୍କର ମଙ୍ଗଳ ହେଉ । ଆପଣ ଯେପରି ତ୍ରୈଲୋକ୍ୟର ଅଧିଶ୍ୱର, ସେହିପରି ଆମ୍ଭର ମଧ୍ୟ ଅଧୀଶ୍ୱର ଅଟନ୍ତି । ୧୯ । ସମ୍ପ୍ରତି ଆପଣଙ୍କର କେଉଁ ଅନୁଶାସନକୁ ପାଳନ କରିବୁ ତାହା ବୋଲିବା ହେଉନ୍ତୁ । ଇନ୍ଦ୍ର ବୋଇଲେ, ହେ ମହାବଳ ! ଆପଣ ଯଦି ନିଶ୍ଚୟ କରି ଏହି ବାକ୍ୟ ସତ୍ୟ କରିଥାନ୍ତି, ତେବେ ଆପଣଙ୍କ ଆଦେଶରେ ଆମ୍ଭେ ଇନ୍ଦ୍ର ହେବୁ-। ହେ ମହାବଳ ସ୍କନ୍ଦ ! ଆପଣ ଯେବେ ଆମ୍ଭର ଶାସନ ସମ୍ପାଦନ କରିବାକୁ ଇଚ୍ଛା କରନ୍ତି, ତେବେ ତାହା ଶ୍ରବଣ କରନ୍ତୁ । ୨୧ । ଆପଣ ସୁରବୃନ୍ଦଙ୍କର ସେନାପତି ପଦରେ ଅଭିଷିକ୍ତ ହେଉନ୍ତୁ-। ସ୍କନ୍ଦ କହିଲେ, ଯହିଁରେ ଦନୁଜମାନଙ୍କର ବିନାଶ, ସୁରଗଣଙ୍କର ଅଭିପ୍ରାୟ ସିଦ୍ଧି ହେବ । ୨୨-। ଓ ଯହିଁରେ ଗୋ ବ୍ରାହ୍ମଣମାନଙ୍କର ହିତ ହେବ, ତନ୍ନିମିତ୍ତ ଆପଣ ମୋତେ ସେନାପତି ପଦରେ ଅଭିଷିକ୍ତ କରନ୍ତୁ । ମାର୍କଣ୍ଡେୟ କହିଲେ, ଇନ୍ଦ୍ର ଓ ସୁରଗଣ ମିଳିତ ହୋଇ ସ୍କନ୍ଦଙ୍କୁ ସେନାପତି ପଦରେ ଅଭିଷିକ୍ତ କଲେ । ୨୩ । ସ୍କନ୍ଦ ସେଠାରେ ଅତିଶୟ ଶୋଭାନ୍ୱିତ ହେଲେ । ମହର୍ଷିଗଣ ତତ୍କାଳରେ ତାହାଙ୍କର ଅର୍ଚ୍ଚନା କଲେ । ତାହାଙ୍କ ମସ୍ତକୋପରି ବିଚିତ୍ର ସୁବର୍ଣ୍ଣର ଛତ୍ର ଧୃତ ହେଲା-। ପ୍ରଜ୍ୱଳିତ ଅଗ୍ନି ମଣ୍ଡଳ ପ୍ରାୟ ଦୀପ୍ତି ବିଶିଷ୍ଟ ହୋଇଅଛି । ଯଶସ୍ୱୀ ନୀଳକଣ୍ଠ ମହାଦେବ ସ୍ୱୟଂ ଆସି ତାହାଙ୍କ ହସ୍ତରେ ବିଶ୍ୱକର୍ମ୍ମା-ବିନିର୍ମିତ୍ତ ହିରଣ୍ମୟ ଦିବ୍ୟମାଳା ବନ୍ଧନ କଲେ । ହେ ପରନ୍ତପ ମାନବେନ୍ଦ୍ର ଯୁଧିଷ୍ଠିର ! ଭଗବାନ ବୃଷଧ୍ୱଜ ଅତିଶୟ ପ୍ରୀତହୋଇ ଭଗବତୀଙ୍କୁ ସଙ୍ଗରେ ଘେନି ଏହି ପ୍ରକାରେ ତାହାଙ୍କର ପୂଜା କଲେ । ବ୍ରାହ୍ମଣମାନେ ରୁଦ୍ରଙ୍କୁ ଅଗ୍ନି ବୋଲି ବର୍ଣ୍ଣନା କରନ୍ତି । ସେହି ନିମିତ୍ତ କୁମାର ହେଲେ ରୁଦ୍ରଙ୍କର ପୁତ୍ର । ୨୭ । ରୁଦ୍ର ଯେଉଁ ରେତ ତ୍ୟାଗ କରିଥିଲେ ତାହା ଶ୍ୱେତ ଶୈଳ ହୋଇଥିଲା । ପୁନରପି ସେହି ଶ୍ୱେତ ଶୈଳରେ କୃତ୍ତିକା ନକ୍ଷତ୍ରମାନେ ଅଗ୍ନିଙ୍କର ଇନ୍ଦ୍ରିୟସ୍ୱରୂପ କାର୍ଯ୍ୟ କରୁଥିଲେ । ୨୮ । ଏହି ହେତୁରୁ ଦେବଗଣ ଗୁଣୀଶ୍ରେଷ୍ଠ ଗୁହଙ୍କୁ ରୁଦ୍ର ପୁତ୍ର ବୋଲି ବର୍ଣ୍ଣନା କରିଅଛନ୍ତି । ରୁଦ୍ର ମଧ୍ୟ ତାହାଙ୍କର ପୂଜା କଲେ । ୨୯ । ଅଗ୍ନିଙ୍କ ଦେହରେ ରୁଦ୍ର ପ୍ରବିଷ୍ଟ ହୋଇ ସେହି ଶିଶୁଙ୍କର ଜନ୍ମଦାନ କରିଥିଲେ । ଅତଏବ ଅଗ୍ନିଙ୍କ ମଧ୍ୟବର୍ତ୍ତୀ ରୁଦ୍ରଙ୍କଠାରୁ ଜନ୍ମ ଗ୍ରହଣ କରିବାରୁ ସ୍କନ୍ଦ ରୁଦ୍ରଙ୍କର ପୁତ୍ର ବୋଲାଇଲେ । ୩୦ ।

 

ହେ ଭାରତ ! ରୁଦ୍ର, ଅଗ୍ନି, ସ୍ୱାହା ଓ ଛଅଗୋଟି ଋଷିଙ୍କ ଭାର୍ଯ୍ୟା ଏମାନେ ସମସ୍ତେ ଦେବବର ସ୍କନ୍ଦଙ୍କର ଜନ୍ମଦାତା; ଏହି କାରଣରୁ ଗୁହ ରୁଦ୍ରଙ୍କର ପୁତ୍ର ହେଲେ । ୩୧ । ଶ୍ରୀମାନ୍ ଅଗ୍ନିପୁତ୍ର ନିର୍ମଳ, ଜ୍ୟୋତିର୍ମୟ, ଲୋହିତ ବସ୍ତ୍ର ଯୁଗଳ ପରିଧାନ କରି ପ୍ରଦୀପ୍ତ ହୋଇ ଲୋହିତ-ମେଘ-ଯୁଗ୍ମ-ସମନ୍ୱିତ ସୂର୍ଯ୍ୟଙ୍କ ପ୍ରାୟ ଶୋଭାବନ୍ତ ଦିଶିଲେ । ୩୨ । ଅଗ୍ନି ନିଜର କେତୁପ୍ରାୟ ଯେଉଁ କୁକ୍‌କୁଟକୁ ଅଳଙ୍କାରସ୍ୱରୂପ ପ୍ରଦାନ କରିଥିଲେ ତାହା ମଧ୍ୟ ସ୍କନ୍ଦଙ୍କ ରଥ ଉପରକୁ ଉଠି କାଳାନଳ ପ୍ରାୟ ପ୍ରଭାନ୍ୱିତ ହେଲା । ୩୩ । ଯେଉଁ ଶକ୍ତିସବୁ ପ୍ରାଣୀମାନଙ୍କର ଚେଷ୍ଟା, ପ୍ରଭା, ଶାନ୍ତି ଓ ବଳସ୍ୱରୂପା, ଯେଉଁ ଶକ୍ତି ସୁରଗଣଙ୍କର ଜୟବର୍ଦ୍ଧନୀ, ସେହି ଶକ୍ତି ସ୍କନ୍ଦଙ୍କର ଅଗ୍ରବର୍ତ୍ତିନୀ ହେଲେ । ୩୪ । ତଦନନ୍ତର ତାହାଙ୍କ ସହିତ ଜାତ ହୋଇଥିବା କବଚ ମଧ୍ୟ ଆସି ତାହାଙ୍କ ଦେହରେ ସନ୍ନିବିଷ୍ଟ ହେଲା । ଯେତେବେଳେ କୁମାର ସଂଗ୍ରାମରେ ପ୍ରବୃତ୍ତ ହୁଅନ୍ତି, ତେତେବେଳେ ସେହି କବଚ ଆବିର୍ଭୂତ ହୁଏ । ୩୫ । ହେ ଜନାଧିପ ! ଶକ୍ତି, ଧର୍ମ, ବଳ, ତେଜ, ସୁନ୍ଦରପଣ, ସତ୍ୟ, ଉନ୍ନତି, ବ୍ରହ୍ମଣ୍ୟତା, ଧୈର୍ଯ୍ୟ, ଭକ୍ତଗଣଙ୍କର ରକ୍ଷା, ଲୋକମାନଙ୍କର ରକ୍ଷଣାବେକ୍ଷଣ, ଶତ୍ରୁନାଶନ ଏହିସବୁ ଗୁଣ କାର୍ତ୍ତିକେୟଙ୍କ ସଙ୍ଗେ ସଙ୍ଗେ ଜାତ ହୋଇଥିଲା । ୩୭ । ଏହିରୂପେ ସ୍କନ୍ଦ ସମସ୍ତ ଗୁଣଧରି ସୁରଗଣଙ୍କଦ୍ୱାରା ଅଭିଷିକ୍ତ ହୋଇ ପରିପୂର୍ଣ୍ଣ ଚନ୍ଦ୍ରମଣ୍ଡଳ ପ୍ରାୟ ଶୋଭା ପ୍ରାପ୍ତ ହେଲେ । ତାହାଙ୍କ ଚିତ୍ତରେ ମଧ୍ୟ ଯେପରି ହର୍ଷ ହେଲା, ସେ ରୂପରେ ମଧ୍ୟ ତାଦୃଶ ଭୂଷିତ ହେଲେ । ୩୮ । ଅଭିଷେକ କାଳରେ ତାହାଙ୍କର ସର୍ବ ପାର୍ଶ୍ୱରେ ଅଭୀଷ୍ଟ ବେଦଧ୍ୱନି, ସୁରବୃନ୍ଦଙ୍କର ବାଦ୍ୟଧ୍ୱନି, ଗନ୍ଧର୍ବମାନଙ୍କର ସଙ୍ଗୀତ ଧ୍ୱନି ପ୍ରକଟିତ ହେଲା । ୩୯ । ହୃଷ୍ଟ, ତୁଷ୍ଟ ଓ ସୁନ୍ଦରରୂପେ ଅଳଙ୍କୃତ ଅପ୍‌ସରାମାନେ ଅଥଚ ପିଶାଚ ଓ ଗଣଦେବତାମାନେ ତାହାଙ୍କୁ ପରିବେଷ୍ଟନ କଲେ । ୪୦ । ଅମରଗଣଙ୍କଦ୍ୱାରା ଅଭିଷିକ୍ତ ହୋଇ ଅନଳପୁତ୍ର ସ୍କନ୍ଦ ସମସ୍ତଙ୍କ ମଧ୍ୟରେ କ୍ରୀଡ଼ାକରି ବିରାଜମାନ ହେଲେ । ଦେବଗଣ କୁମାରଙ୍କୁ ଦେଖିଲେ ଯେ ସୂର୍ଯ୍ୟ ଯେପରି ଅନ୍ଧକାରକୁ ବିନାଶ କରି ଆକାଶରେ ଉଦିତ ହୋଇଥାନ୍ତି, ସେହି ଅନଳପୁତ୍ର ତଦ୍‌ବତ୍ ଦିଶୁଅଛନ୍ତି । ୪୨ ।

 

ସହସ୍ର ସହସ୍ର ଦେବସେନା ଆସି ତାହାଙ୍କୁ କହିଲେ, ଆପଣ ଆମ୍ଭମାନଙ୍କର ପତି । ସମସ୍ତ ସେନାପତି ଓ ପ୍ରାଣିବର୍ଗ ତାହାଙ୍କୁ ବେଷ୍ଟନ କରି ପୂଜା ଓ ସ୍ତୁତି କଲେ । ତହୁଁ ସେ ସମସ୍ତଙ୍କୁ ସାନ୍ତ୍ୱନା ଦେଲେ । ଇନ୍ଦ୍ର ମଧ୍ୟ ସ୍କନ୍ଦଙ୍କୁ ସେନାପତି ପଦରେ ଅଭିଷିକ୍ତ କରି ଦେବସେନା ନାମ୍ନୀ ସେହି କନ୍ୟାଙ୍କୁ ସ୍ମରଣ କଲେ । ଯେଉଁ ଦେବସେନାଙ୍କୁ କେଶୀ ଅସୁର ଘେନି ଯାଇଥିଲା, ଇନ୍ଦ୍ର ତାହାଙ୍କୁ ଦାନବହାତରୁ ମୁକ୍ତ କରିଥିଲେ । ଇନ୍ଦ୍ର କହିଲେ, ଏହି କାର୍ତ୍ତିକେୟ ନିଶ୍ଚୟ ତାହାଙ୍କର ପତି ହେବେ; ବ୍ରହ୍ମା ଏହାଙ୍କୁ ସେହି କନ୍ୟାର ପତି ବୋଲି ସ୍ଥିର କରିଅଛନ୍ତି । ୪୫ । ଏହିପରି ଚିନ୍ତାକରି ଦେବସେନାକୁ ଅଳଙ୍କୃତ କରି ଅଣାଇଲେ; ବଳି ନିସୂଦନ ସ୍କନ୍ଦଙ୍କୁ କହିଲେ, ଏହି କନ୍ୟା ତୁମ୍ଭର ଜନ୍ମ ନୋହୁଣୁ ସ୍ୱୟମ୍ଭୁ ତୁମ୍ଭ ନିମିତ୍ତ ନିର୍ଦ୍ଦିଷ୍ଟ କରିଥିଲେ । ଏହି କାରଣରୁ ତୁମ୍ଭେ ଏହାଙ୍କର ପତି ହୋଇ ବିଧିପୂର୍ବକ ମନ୍ତ୍ର ପାଠଦ୍ୱାରା ପାଣିଗ୍ରହଣ କର । ୪୭ । ପଦ୍ମଫୁଲ ପରି କାନ୍ତିଯୁକ୍ତ ପାଣିଦ୍ୱାରା ସେହି ଦେବୀଙ୍କର ଦକ୍ଷିଣ ପାଣିକୁ ଗ୍ରହଣ କର । ଏହିପରି ଉକ୍ତ ହୁଅନ୍ତେ କୁମାର ବିଧିପୂର୍ବକ ସେହିକନ୍ୟାଙ୍କର ପାଣିଗ୍ରହଣ କଲେ । ମନ୍ତ୍ରଜ୍ଞ ବୃହସ୍ପତି ଜପ ଓ ହୋମକାର୍ଯ୍ୟ ସମ୍ପନ୍ନ କଲେ । ଏହି ପ୍ରକାରେ ସମସ୍ତେ ଜାଣିଲେ ଯେ ଦେବସେନା କାର୍ତ୍ତିକେୟଙ୍କର ମହିଷୀ ହେଲେ । ୪୯ । ଏହାଙ୍କୁ ଅନେକ ନାମଦ୍ୱାରା ବ୍ରାହ୍ମଣମାନେ ଅଭିହିତ କରନ୍ତି; ଷଷ୍ଠୀ, ଲକ୍ଷ୍ମୀ, ଆଶା, ସୁଖପ୍ରଦା, ସିନୀବାଳୀ, କୁହୁ, ସଦ୍‌ବୃତ୍ତି, ଅପରାଜିତା ନାମରେ ଦେବସେନାଙ୍କୁ ଉଚ୍ଚାରଣ କରନ୍ତି । ୫୦ । ଯେଉଁ ସମୟରୁ ଦେବସେନା ସ୍କନ୍ଦଙ୍କୁ ପତିସ୍ୱରୂପ ଲାଭ କଲେ, ସେହି ସମୟରୁ ଦେବୀ ଲକ୍ଷ୍ମୀ ଶରୀରଧାରିଣୀ ହୋଇ ସ୍କନ୍ଦଙ୍କୁ ଆଶ୍ରୟ କଲେ । ୫୧ । ପଞ୍ଚମୀ ତିଥିରେ ସ୍କନ୍ଦ ଶ୍ରୀ ଅର୍ଥାତ୍ ଶୋଭାଯୁକ୍ତ ହୋଇଥିଲେ ବୋଲି ତାହାକୁ ଶ୍ରୀପଞ୍ଚମୀ କୁହାଯାଏ ଓ ଷଷ୍ଠୀ ତିଥିରେ ସ୍କନ୍ଦ କୃତକାର୍ଯ୍ୟ ହୋଇଥିଲେ ବୋଲି ଷଷ୍ଠୀକୁ ମହାତିଥି ବୋଲାଯାଏ । ୫୨ ।

 

॥ ଅଧ୍ୟାୟ – ୨୩୦ ॥

 

ମାର୍କଣ୍ଡେୟ କହିଲେ, କାର୍ତ୍ତିକେୟଙ୍କୁ ଦେବସେନାଙ୍କ ପତି ହେବା ଓ ଲକ୍ଷ୍ମୀଯୁକ୍ତ ହେବା ଶ୍ରବଣ କରି ମହର୍ଷିଙ୍କ ମଧ୍ୟରୁ ଛଅ ଜଣ ଋଷିଙ୍କର ଛଅ ପତ୍ନୀ ତାହାଙ୍କୁ ଦେଖିବାକୁ ଆଗମନ କଲେ-। ୧ । ସେହି ଋଷିପତ୍ନୀମାନେ ନିଜ ନିଜ ସ୍ୱାମୀମାନଙ୍କଦ୍ୱାରା ପରିତ୍ୟକ୍ତା ହୋଇ ସର୍ବକର୍ମଦକ୍ଷ ଦେବସେନାଙ୍କ ପତିଙ୍କ ନିକଟକୁ ଶୀଘ୍ର ଆଗତ ହୋଇ କହିଲେ । ୨ । ପୁତ୍ର, ଆମ୍ଭର ପତିମାନେ ଦେବସଦୃଶ, ସେମାନେ ଅକାରଣ ଆମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି । ସେମାନଙ୍କୁ କେହି ଯାଇ କହିଅଛି ଯେ ଆମ୍ଭମାନଙ୍କ ଗର୍ଭରୁ ତୁମ୍ଭେ ଜନ୍ମଗ୍ରହଣ କରିଅଛ । ସେହି ପରିବାଦକୁ ସତ୍ୟମାନେ କରି କୋପ ହେତୁରୁ ଆମ୍ଭମାନଙ୍କୁ ପୁଣ୍ୟସ୍ଥାନରୁ ପରିଭ୍ରଷ୍ଟ କରିଅଛନ୍ତି । ୩ । ଅତଏବ ଆମ୍ଭମାନଙ୍କୁ ପରିତ୍ରାଣ କରିବା ଆପଣଙ୍କର କର୍ତ୍ତବ୍ୟ । ହେ ବିଭୋ ! ତୁମ୍ଭ ପ୍ରସାଦରୁ ଆମ୍ଭେମାନେ ଅକ୍ଷୟ ସ୍ୱର୍ଗ ସୁଦ୍ଧା ଲାଭ କରିପାରୁ । ଏଥିନିମିତ୍ତ ଆମ୍ଭେମାନେ ତୁମ୍ଭଙ୍କୁ ପୁତ୍ର କରିବାକୁ ଅଭିଳାଷିନୀ ହୋଇଅଛୁ-। ଅତଏବ ଆମ୍ଭମାନଙ୍କର ଏହି ମନୋରଥ ପରିପୂର୍ଣ୍ଣ କରି ତୁମ୍ଭେ ଅଋଣୀ ହୁଅ । ୫ ।

 

ସ୍କନ୍ଦ ବୋଇଲେ–ଆପଣମାନେ ଆମ୍ଭର ମାତୃଗଣ ଓ ଆମ୍ଭେ ଆପଣମାନଙ୍କର ପୁତ୍ର ଅଟୁ-। ଆପଣମାନେ ଅନିନ୍ଦିତା । ଅତଏବ ଯାହା ଇଚ୍ଛା କରନ୍ତି, ତାହାସବୁ ଆପଣମାନଙ୍କଠାରେ ସମ୍ଭବିପାରେ । ୬ । ମାର୍କଣ୍ଡେୟ ବୋଇଲେ, ଅନନ୍ତର ଦିନେ ଶକ୍ତିଧରଙ୍କ ନିକଟକୁ ବାସବ କିଛି କହିବାକୁ ଆସିଲେ । କୁମାର ପଚାରିଲେ, ଆପଣଙ୍କର କି କାର୍ଯ୍ୟ ଅଛି, କହିବା ହେଉନ୍ତୁ । ତହିଁରେ ବାସବ କହିଲେ, । ୭ । ରୋହିଣୀଙ୍କର ଅନୁଜା ଦେବୀ ଅଭିଜିତ; ସବୁଠାରୁ ବଡ଼ ହେବି ବୋଲି ଇଚ୍ଛା କରି ତପସ୍ୟା କରିବାକୁ ବନକୁ ଗମନ କଲେ । ୮ । ଏହି କାରଣରୁ ସେହି ନକ୍ଷତ୍ର ଗଗନରୁ ଖସି ପଡ଼ିବାରୁ ଗୋଟିଏ ନକ୍ଷତ୍ରର ସ୍ଥାନ ଖାଲି ହେଲା । ଏବେ ସେହି ସ୍ଥାନକୁ ଆମ୍ଭେ କିପରି ପୂରଣ କରିବୁ, ଆମ୍ଭଙ୍କୁ ବୁଦ୍ଧି ଦିଶୁନାହିଁ । ହେ ସ୍କନ୍ଦ ! ଏ ବିଷୟରେ ତୁମ୍ଭେ ବ୍ରହ୍ମାଙ୍କ ସହିତ ବିବେଚନା କରି କିପରି କାଳ ପୂରଣ ହେବ ତାହା ସ୍ଥିର କର । ୯ । ଧନିଷ୍ଠା ପ୍ରଭୃତି ଯେଉଁ କାଳସବୁ ଭୋଗ କରିବେ ବୋଲି ବ୍ରହ୍ମା କଳ୍ପନା କଲେ, ରୋହିଣୀ ପୂର୍ବରୁ ସେହି କାଳ ଥିଲେ । ସୁତରାଂ କାଳର ସଂଖ୍ୟା ମଧ୍ୟ ସମାନ ଥିଲା । ୧୦ । ବାସବ ଏହିରୂପେ କହନ୍ତେ କୃତ୍ତିକା ସୁରଲୋକକୁ ଗମନ କଲେ । ସେହି ଅଗ୍ନି ଦୈବତ ନକ୍ଷତ୍ର ସପ୍ତର୍ଷିପ୍ରାୟ ଶୋଭା ପାଉଅଛନ୍ତି । ୧୧ । ଗରୁଡ଼ଙ୍କ ମାତା ବିନତା ମଧ୍ୟ କୁମାରଙ୍କୁ କହିଲେ, ତୁମ୍ଭେ ଆମ୍ଭର ପିଣ୍ଡ-ପ୍ରଦାନକାରୀ ପୁତ୍ର । ହେ ପୁତ୍ର ! ଆମ୍ଭେ ଇଚ୍ଛାକରୁ ଯେ ତୁମ୍ଭ ସହିତ ସର୍ବଦା ବାସ କରିବୁ । ୧୨ । ସ୍କନ୍ଦ କହିଲେ, ତାହାହେଉ, ଆପଣଙ୍କୁ ମୋର ନମସ୍କାର, ଆପଣ ଆମ୍ଭଙ୍କୁ ପୁତ୍ର ସ୍ନେହରେ ଶାସନ କରନ୍ତୁ । ହେ ଦେବି ! ଆପଣଙ୍କ ପୁତ୍ରବଧୂ ସର୍ବଦା ଆପଣଙ୍କର ସେବା କରିବେ । ଆପଣ ଏହିଠାରେ ବାସ କରନ୍ତୁ । ୧୩ ।

 

ମାର୍କଣ୍ଡେୟ କହିଲେ, ତଦନନ୍ତର ସବୁ ମାତୃଗଣ କୁମାରଙ୍କୁ ଆସି କହିଲେ ଯେ କବିମାନେ ଆମ୍ଭଙ୍କୁ ସର୍ବଲୋକଙ୍କର ମାତୃଗଣ ବୋଲି ପୂଜା କରନ୍ତି; କିନ୍ତୁ ଆମ୍ଭେମାନେ କେବଳ ତୁମ୍ଭର ଜନନୀ ହେବାକୁ ଇଚ୍ଛା କରୁ । ତୁମ୍ଭେ ଆମ୍ଭମାନଙ୍କୁ ଅର୍ଚ୍ଚନା କର । ୧୪ । ସ୍କନ୍ଦ କହିଲେ, ଆପଣମାନେ ଆମ୍ଭର ଜନନୀ ହେଲେ । ଆମ୍ଭେ ଆପଣଙ୍କର ପୁତ୍ର; ସମ୍ପ୍ରତି ଆମ୍ଭେ ଆପଣମାନଙ୍କର କି କାର୍ଯ୍ୟ କରିବୁ ତାହା କହନ୍ତୁ । ୧୫ ।

 

ମାତୃଗଣ କହିଲେ–ହେ ସୁରଶ୍ରେଷ୍ଠ ! ଆମ୍ଭମାନଙ୍କର ଏହି ପ୍ରାର୍ଥନା ଯେ, ପୂର୍ବେ ବ୍ରାହ୍ମୀ, ମାହେଶ୍ୱରୀ, ବାରାହୀ ପ୍ରଭୃତି ଯେଉଁମାନେ ଏହି ଲୋକରେ ମାତୃଗଣ ବୋଲି ବିଖ୍ୟାତ ହୋଇଅଛନ୍ତି, ସେହି ମାତୃପଦ ଆମ୍ଭମାନଙ୍କର ହେଉ; ସେମାନଙ୍କର ନ ହେଉ । ସେମାନଙ୍କୁ ଲୋକେ ପୂଜା ନ କରି ଆମ୍ଭମାନଙ୍କୁ ପୂଜା କରନ୍ତୁ । ତୁମ୍ଭ ନିମିତ୍ତ ସେମାନେ ଆମ୍ଭର ଯେତେ ପୂଜା ହରଣ କରିଅଛନ୍ତି, ସେମାନଙ୍କୁ ଆମ୍ଭଙ୍କୁ ଫେରାଇ ଦିଅନ୍ତୁ । ଏହା ତୁମ୍ଭେ ବିଧାନ କର । ୧୭ ।

 

ସ୍କନ୍ଦ କହିଲେ–ଆପଣମାନେ ଯେଉଁ ପ୍ରଜାଙ୍କୁ ଦାନ କରିଅଛନ୍ତି, ସେମାନଙ୍କୁ ଆପଣମାନେ ପାଇପାରିବେ ନାହିଁ । ଅତଏବ ଅନ୍ୟ ଯେଉଁମାନଙ୍କୁ ଆପଣମାନଙ୍କର ଇଚ୍ଛା ହୁଏ ସେମାନଙ୍କୁ ଆମ୍ଭେ ପ୍ରଦାନ କରୁଅଛୁ । ମାତୃଗଣ କହିଲେ, ଆମ୍ଭେମାନେ ତୁମ୍ଭ ସହିତ ଅବସ୍ଥାନ କରି ଭିନ୍ନ ଭିନ୍ନ ରୂପ ଧାରଣ କରି ସେହି ମାତୃଗଣଙ୍କର ପ୍ରଜାମାନଙ୍କୁ ଓ ସେମାନଙ୍କର ଗୁରୁଜନମାନଙ୍କୁ ଭକ୍ଷଣ କରିବାକୁ ଇଚ୍ଛା କରୁଅଛୁ । ଅତଏବ ତୁମ୍ଭେ ସେ ସମସ୍ତଙ୍କୁ ଆମ୍ଭଙ୍କୁ ପ୍ରଦାନ କର । ୧୯ । ସ୍କନ୍ଦ କହିଲେ, ଆମ୍ଭେ ଆପଣମାନଙ୍କୁ ସମୁଦାୟ ପ୍ରଜା ପ୍ରଦାନ କରୁଅଛୁ; କିନ୍ତୁ ଆପଣମାନଙ୍କର ଏହି ଅଭିଳଷିତ ବାକ୍ୟ ଅତିଶୟ କଷ୍ଟକର ହେଉଅଛି । ଅତଏବ ଆପଣମାନଙ୍କର ମଙ୍ଗଳ ହେଉ; ଆପଣମାନଙ୍କୁ ମୋର ନମସ୍କାର, ଆପଣମାନେ ସେହିି ପ୍ରଜାମାନଙ୍କୁ ରକ୍ଷା କରନ୍ତୁ । ୨୦ ।

 

ମାତୃଗଣ କହିଲେ, ହେ କୁମାର ! ତୁମ୍ଭର କଲ୍ୟାଣ ହେଉ । ତୁମ୍ଭେ ଯେପରି ଅଭିଳାଷ କରିଅଛ, ଆମ୍ଭେମାନେ ତଦନୁସାରେ ପ୍ରଜାମାନଙ୍କୁ ରକ୍ଷା କରିବୁ; କିନ୍ତୁ ହେ ପ୍ରଭୋ ! ତୁମ୍ଭ ସହିତ ସବୁଦିନେ ଏକତ୍ର ବାସକରିବାକୁ ଆମ୍ଭମାନଙ୍କର ଅଭିଳାଷ ହେଉଅଛି । ୨୧ । ସ୍କନ୍ଦ କହିଲେ–ଷୋହଳ ବର୍ଷ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥକ୍ ପୃଥକ୍ ରୂପଧରି ସେମାନଙ୍କୁ ବାଧା ଦିଅ । ୨୨-। ଅଥଚ ଆମ୍ଭେ ଆପଣମାନଙ୍କୁ ଅବ୍ୟୟ, ରୌଦ୍ର ଆତ୍ମା ପ୍ରଦାନ କରିବୁ । ଆପଣମାନେ ତାହା ସହିତ ପୂଜିତହୋଇ ପରମସୁଖରେ ଏକତ୍ର ବାସକରିବେ । ୨୩ । ମାର୍କଣ୍ଡେୟ କହିଲେ–ତତ୍ପରେ ମନୁଷ୍ୟମାନଙ୍କ ପ୍ରଜାସମୂହକୁ ଭକ୍ଷଣ କରିବା ନିମିତ୍ତ କୁମାରଙ୍କ ଶରୀରରୁ ଅଗ୍ନିତୁଲ୍ୟ ପ୍ରଭାଯୁକ୍ତ ଗୋଟିଏ ମହାବଳ ପୁରୁଷ ନିର୍ଗତ ହେଲେ । ୨୪ । ସେ କ୍ଷୁଧାରେ ପୀଡ଼ିତ ଓ ଅଚେତନ ହୋଇ ଭୂପୃଷ୍ଠରେ ପତିତ ହେଲେ । ତଦନନ୍ତର କୁମାରଙ୍କ ଅନୁଜ୍ଞାପାଇଁ ସେ ରୌଦ୍ରରୂପୀ ଗ୍ରହ ହୋଇ ଉଠିଲେ । ୨୫ । ଦ୍ୱିଜଶ୍ରେଷ୍ଠମାନେ ସେହି ଗ୍ରହକୁ “ସ୍କନ୍ଦାପସ୍ମାର” ନାମରେ ଉଲ୍ଲେଖ କରନ୍ତି । ଅପରନ୍ତୁ ଗରୁଡ଼ଙ୍କ ମାତା ବିନତା ମହାରୌଦ୍ର ଶକୁନି ଗ୍ରହ ବୋଲି କୀର୍ତ୍ତିତ ହୁଅନ୍ତି । ୨୬ । ପଣ୍ଡିତମାନେ ଯାହାକୁ ପୂତନା ରାକ୍ଷସୀ ବୋଲି କହିଅଛନ୍ତି ତାହାକୁ ପୂତନା ଗ୍ରହ ବୋଲି ଜାଣିବ । ସେହି ନିଶାଚରୀ ପିଶାଚୀ, ଦାରୁଣ କଷ୍ଟଦାୟିନୀ, ଭୀମରୂପିଣୀ, ଭୀମମୂର୍ତ୍ତି ଧାରିଣୀ ‘ଶୀତପୂତନା’ ନାମରେ କଥିତ ହୁଏ । ସେହି ରାକ୍ଷସୀ, ନାରୀମାନଙ୍କର ଗର୍ଭମାନ ହରଣ କରେ । ୨୮ । ଅଦିତିଙ୍କୁ ରେବତୀ ବୋଲି କହନ୍ତି, ତାହାଙ୍କର ଯେଉଁ ଗ୍ରହ ତାହାଙ୍କୁ ରୈବତ ବୋଲନ୍ତି । ସେହି ମହାଭୀମ ମହାଗ୍ରହ ମଧ୍ୟ ବାଳକମାନଙ୍କୁ ବାଧିତ କରେ । ୨୯ । ଦୈତ୍ୟମାନଙ୍କର ଜନନୀ ଦିତିଙ୍କୁ ପଣ୍ଡିତମାନେ ‘ମୁଖ ମୁଣ୍ଡିକା’ ବୋଲି କହନ୍ତି । ସେହି ‘ମୁଖମୁଣ୍ଡିକା’ ଶିଶୁମାନଙ୍କ ମାଂସକୁ ଅତିଶୟ ଶ୍ରଦ୍ଧା କରେ । ୩୦ ।

 

ହେ କୌରବନନ୍ଦନ ! ସ୍କନ୍ଦଙ୍କଠାରୁ ଯେଉଁ ସବୁ କୁମାର ଓ କୁମାରୀମାନେ ଜାତ ହୋଇଅଛନ୍ତି; ସେମାନେ ମଧ୍ୟ ଉତ୍ତମ ମହାଗ୍ରହ ଓ ଗ୍ରହଭୋଜୀ ଅଟନ୍ତି । ୩୧ । କୁମାରମାନେ ସେହିସବୁ ପତ୍ନୀମାନଙ୍କର ପତିବୋଲି କୀର୍ତ୍ତିତ ହୋଇଅଛନ୍ତି । ସେହି ରୌଦ୍ର କର୍ମକାରୀ ଗ୍ରହମାନେ ଗୋପନଭାବରେ ଆସି ବାଳକମାନଙ୍କୁ ଗ୍ରହଣ କରନ୍ତି । ୩୨ । ହେ ନୃପ ! ଯେଉଁ ସୁରଭୀଙ୍କୁ ପଣ୍ଡିତମାନେ ଗୋମାତାରୂପେ କୀର୍ତ୍ତନ କରନ୍ତି, ସେମାନଙ୍କ ଉପରେ ଶକୁନି ଗ୍ରହ ଆରୋହଣ କରି ଭୂମଣ୍ଡଳରେ ଶିଶୁମାନଙ୍କୁ ଭୋଜନ କରନ୍ତି । ୩୩ । ହେ ଜନାଧିପ ! ସରମା ନାମରେ ଯେଉଁ ଦେବୀ କୁକୁରମାନଙ୍କ ଜନନୀ ସେ ମଧ୍ୟ ମନୁଷ୍ୟ ପତ୍ନୀମାନଙ୍କର ଗର୍ଭ ଗ୍ରହଣ କରନ୍ତି । ୩୪ । ଯେ ବୃକ୍ଷମାନଙ୍କର ଜନନୀ ସେ କରଞ୍ଜ ବୃକ୍ଷରେ ବାସକରନ୍ତି । ସେ ବରଦାୟିନୀ, ଦେଖିବାକୁ ସୁନ୍ଦରୀ ଏବଂ ସେ ସର୍ବଦା ପ୍ରାଣୀମାନଙ୍କ ପ୍ରତି ଅନୁଗ୍ରହ କରନ୍ତି । ସେହି ହେତୁ ପୁତ୍ରାର୍ଥୀ ମନୁଷ୍ୟମାନେ ତାହାଙ୍କୁ କରଞ୍ଜବୃକ୍ଷରେ ନମସ୍କାର କରନ୍ତି । ମଦ୍ୟ ମାଂସପ୍ରିୟ ଏହି ଅଷ୍ଟାଦଶ ଗ୍ରହ ଓ ଅନ୍ୟ ସମସ୍ତ ଗ୍ରହ ଦଶ ରାତ୍ରି ପର୍ଯ୍ୟନ୍ତ ସୂତିକା କରି ଗର୍ଭିଣୀମାନଙ୍କ ଶରୀରରେ ପ୍ରବିଷ୍ଟ ହୁଅନ୍ତି । ୩୭ । ସେଠାରେ ସେହି ଗର୍ଭକୁ ସେ ଭୋଜନ କରନ୍ତି; ତହିଁରେ ଗର୍ଭିଣୀ ନାଗ ପ୍ରସବ କରେ । ଯେ ଗନ୍ଧର୍ବମାନଙ୍କର ଜନନୀ ସେ ଗର୍ଭକୁ ଗ୍ରହଣକରି ଚାଲିଯାଆନ୍ତି । ୩୮ । ତହିଁରେ ଯେଉଁ ନାଗ ଗର୍ଭବତୀ ହୋଇଥାଏ, ତାହାର ଗର୍ଭ ଲୀନ ହୋଇଯାଏ । ଯେ ଅପ୍‌ସରାଗଣଙ୍କର ଜନନୀ ସେ ଗର୍ଭସଂଗ୍ରହ କରି ସେହିଠାରେ ରହନ୍ତି । ୩୯ । ତହିଁରେ ପଣ୍ଡିତମାନେ କହନ୍ତି ଯେ ଗର୍ଭନଷ୍ଟ ହୋଇଗଲା । ଲୋହିତ ସମୁଦ୍ରର କନ୍ୟା କୁମାରଙ୍କର ଧାତ୍ରୀବୋଲି ବିଖ୍ୟାତ ଅଟନ୍ତି । ୪୦ । ଲୋକେ ତାହାଙ୍କୁ ଲୋହିତାୟନୀ କହନ୍ତି । ତାହାଙ୍କର ବାସସ୍ଥାନ କଦମ୍ବ ବୃକ୍ଷ, ଲୋକେ ତାହାଙ୍କୁ ସେହି ସ୍ଥାନରେ ପୂଜା କରନ୍ତି । ପୁରୁଷଙ୍କ ମଧ୍ୟରେ ଯେପରି ରୁଦ୍ର, ପ୍ରମଦାଗଣଙ୍କ ମଧ୍ୟରେ ଆର୍ଯ୍ୟା ସେହିପରି । କୁମାରଙ୍କ ଜନନୀ ଆର୍ଯ୍ୟାଙ୍କୁ ଲୋକେ ଇଷ୍ଟସାଧନ ଉଦ୍ଦେଶ୍ୟରେ ପୂଜା କରନ୍ତି । କୁମାରଗଣଙ୍କର ଯେଉଁ ମହାଗ୍ରହମାନେ ଅଛନ୍ତି ସେମାନଙ୍କ ବିବରଣୀ ଆମ୍ଭେ କହିବୁ । ୪୨ ।

 

ଷୋହଳ ବର୍ଷପର୍ଯ୍ୟନ୍ତ ସେମାନେ ଶିଶୁଙ୍କର ଅମଙ୍ଗଳ କରନ୍ତି । ତତ୍ପରେ ସେମାନେ ଶୁଭ କରନ୍ତି । ମାତୃକାଗଣ ଓ ପୁରୁଷଗ୍ରହଙ୍କ କଥା ଏହିରୂପେ କହିଲୁ । ସେମାନଙ୍କୁ ମନୁଷ୍ୟମାନେ ସର୍ବଦା ସ୍କନ୍ଦଗ୍ରହ ବୋଲି ଜାଣନ୍ତି । ସ୍ନାନ, ଧୂପ, ଅଞ୍ଜନ, ବଳିକର୍ମ, ଉପହାର ଓ ସ୍କନ୍ଦଙ୍କର ବିଶେଷରୂପେ ଅର୍ଚ୍ଚନାଦ୍ୱାରା ସେହି ମାତୃକା ଓ ଗ୍ରହମାନଙ୍କର ଶାନ୍ତିବିଧାନ କରିବା କର୍ତ୍ତବ୍ୟ । ୪୪ ।

 

ହେ ରାଜେନ୍ଦ୍ର ! ସେମାନେ ଯଦି ଏହିପରି ଭାବରେ ଉତ୍ତମରୂପେ ଅର୍ଚ୍ଚିତ, ପୂଜିତ ଓ ନମସ୍କୃତ ହୁଅନ୍ତି, ତେବେ ସେମାନେ ମନୁଷ୍ୟମାନଙ୍କର ପରମାୟୁ ବୃଦ୍ଧି କରନ୍ତି ଓ ବଳ ପ୍ରଦାନ କରନ୍ତି । ୪୫ । ସମ୍ପ୍ରତି ଷୋହଳ ବର୍ଷ ପରେ ମନୁଷ୍ୟମାନଙ୍କର ଯେଉଁ ଗ୍ରହମାନେ ଫଳଦାୟୀ ହୁଅନ୍ତି, ମହାଦେବଙ୍କୁ ନମସ୍କାର କରି ଆମ୍ଭେ ସେମାନଙ୍କ କଥା କହିବା । ୪୬ । ଯେଉଁ ମନୁଷ୍ୟ ଜାଗ୍ରତାବସ୍ଥାରେ ଅଥବା ନିଦ୍ରିତଥାଇ ଦେବଗଣଙ୍କୁ ଦର୍ଶନ କରେ, ସେ ହଠାତ୍ ଉନ୍ମତ୍ତ ହୋଇଯାଏ । ସେହି ଗ୍ରହକୁ ଦେବଗ୍ରହ ବୋଲି କହନ୍ତି । ୪୭ । ବସିବା ଅବସ୍ଥାରେ ଅଥବା ଶୟନରେ ଯେଉଁ ବ୍ୟକ୍ତି ପିତୃଗଣଙ୍କୁ ଦର୍ଶନ କରେ ସେ ଶୀଘ୍ର ଉନ୍ମାଦ ଯୁକ୍ତ ହୁଏ ଅଥଚ ସେହି ଗ୍ରହକୁ ପିତୃଗ୍ରହ ବୋଲି କହନ୍ତି । ୪୮ । ଯେଉଁ ବ୍ୟକ୍ତି ସିଦ୍ଧଗଣଙ୍କୁ ଅବମାନନା କରେ ଓ ସିଦ୍ଧମାନେ ଯାହାପ୍ରତି କ୍ରୁଦ୍ଧହୋଇ ଅଭିଶାପ ପ୍ରଦାନ କରନ୍ତି ସେ ସତ୍ୱର ଉନ୍ମତ୍ତ ହୁଏ । ସେ ଗ୍ରହର ନାମ ସିଦ୍ଧଗ୍ରହ । ୪୯ । ଯେଉଁ ବ୍ୟକ୍ତି ନାନାବିଧ ଗନ୍ଧକୁ ଆଘ୍ରାଣ କରେ ଅଥବା ପୃଥକ୍ ପୃଥକ୍ ରସମାନଙ୍କୁ ଆଘ୍ରାଣ କରେ, ସେ ଶୀଘ୍ର ଉନ୍ମତ୍ତ ହୁଏ । ସେ ଗ୍ରହକୁ ରାକ୍ଷସ ଗ୍ରହ କରନ୍ତି । ୫୦ । ସ୍ୱର୍ଗସ୍ଥିତ ଗନ୍ଧର୍ବମାନଙ୍କ ମଧ୍ୟରୁ ଯେ ଭୂମଣ୍ଡଳକୁ ଆସି ମନୁଷ୍ୟ ଶରୀରରେ ସମ୍ୟକ୍ରୂପେ ଆବିଷ୍ଟ ହୁଏ, ସେ ମନୁଷ୍ୟ ସତ୍ୱର ଉନ୍ମତ୍ତ ହୁଏ ଓ ସେହି ଗ୍ରହକୁ ଗାନ୍ଧର୍ବ ଗ୍ରହ ବୋଲାଯାଏ । ୫୧ । ପିଶାଚଗଣ ଯେଉଁ ପୁରୁଷ ପ୍ରତି ନିତ୍ୟ ଅଧିରୋପଣ କରନ୍ତି ସେ କ୍ଷିପ୍ତ ଓ ଉନ୍ମତ୍ତ ହୁଏ । ସେ ଗ୍ରହର ନାମ ପୈଶାଚ ଗ୍ରହ । ୫୨ । ସମୟ ବିଶେଷରେ ପୁରୁଷକୁ ଯକ୍ଷମାନେ ଆକ୍ରମଣ କରନ୍ତି, ସେ ସତ୍ୱର ବାତୁଳ ହୁଏ । ସେହି ଗ୍ରହର ନାମ ଯକ୍ଷଗ୍ରହ । ୫୩ । ଦୋଷସମୂହଦ୍ୱାରା ଅର୍ଥାତ୍ ବାତ, ପିତ୍ତ, କଫ ଏମାନେ ପ୍ରକୁପିତ ହେଲେ ଯେଉଁ ମନୁଷ୍ୟର ଚିତ୍ତ ମୁଗ୍ଧ ହୁଏ ସେ ଶୀଘ୍ର ଉନ୍ମତ୍ତ ହୁଏ । ଶାସ୍ତ୍ରାନୁସାରେ ତାହାର ଉପଶମ କରିବା କର୍ତ୍ତବ୍ୟ । ୫୪ । ଦୁଃଖ ଅଥବା ଭୟ ହେତୁରୁ ଯେଉଁ ଦ୍ରବ୍ୟ ଅଥବା ମୂର୍ତ୍ତି ଦର୍ଶନ କରେ ସେ ମନୁଷ୍ୟ ଶୀଘ୍ର ଉନ୍ମତ୍ତ ହୁଏ । ସାନ୍ତ୍ୱନାଦ୍ୱାରା ତାହାର ଉପଶମ ବିଧେୟ । ୫୫ । ଗ୍ରହମାନେ ତିନି ପ୍ରକାର ହୁଅନ୍ତି, କେହି କ୍ରୀଡ଼ାଭିଳାଷୀ, କେହି ଭକ୍ଷଣାଭିଳାଷୀ ଓ କେହି ଅବା କାମାଭିଳାଷୀ । ୫୬ । ସତୁରି ବର୍ଷପର୍ଯ୍ୟନ୍ତ ମାନବଙ୍କର ଏହିସବୁ ଗ୍ରହ ଘଟଣାହୁଏ, ତତ୍ପରେ ଜ୍ୱର ସେମାନଙ୍କର ଗ୍ରହରୂପୀ ହୁଏ । ୫୭ । ଯେଉଁମାନେ ସର୍ବଦା ଜିତେନ୍ଦ୍ରିୟ, ଦମଯୁକ୍ତ, ଶୁଚି, ଅନଳସ, ଆସ୍ତିକ ଓ ଶ୍ରଦ୍ଧାଶୀଳ–ସେମାନଙ୍କୁ ଗ୍ରହମାନେ ତ୍ୟାଗ କରନ୍ତି, ଅର୍ଥାତ୍ ସେମାନଙ୍କ ପାଖକୁ ଯାନ୍ତି ନାହିଁ । ୫୮ । ହେ ରାଜନ୍‌ ! ମାନବମାନଙ୍କର ଏହି ଗ୍ରହ କଥା ତୁମ୍ଭ ସମୀପରେ କୀର୍ତ୍ତନ କଲୁ । ଯେଉଁ ମନୁଷ୍ୟମାନେ ମହାଦେବଙ୍କର ଭକ୍ତ ଅଟନ୍ତି, ସେମାନଙ୍କ ପାଖକୁ ଗ୍ରହମାନେ ଯାନ୍ତି ନାହିଁ କି ସେମାନଙ୍କୁ ଛୁଅନ୍ତି ନାହିଁ । ୫୯ ।

 

॥ ଅଧ୍ୟାୟ – ୨୩୧ ॥

 

ମାର୍କଣ୍ଡେୟ କହିଲେ, ଯେତେବେଳେ କୁମାରଙ୍କଦ୍ୱାରା ମାତୃଗଣଙ୍କର ଏହିପରି ଶୁଭକାର୍ଯ୍ୟ ସମ୍ପନ୍ନ କରାହେଲା, ତେତେବେଳେ ସ୍ୱାହା ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭର ଔରସ ପୁତ୍ର । ୧ । ଆମ୍ଭେ ଇଚ୍ଛା କରୁଅଛୁଁ, ତୁମ୍ଭେ ଆମ୍ଭଙ୍କୁ ପରମ ଦୁର୍ଲ୍ଲଭ ପ୍ରୀତି ଦାନ କର ।” ତତ୍ପରେ ସ୍କନ୍ଦ ପ୍ରୀତ ହୋଇ ତାହାଙ୍କୁ କହିଲେ, ତୁମ୍ଭେ କି ପ୍ରକାର ପ୍ରୀତି ଇଚ୍ଛା କରୁଅଛ ? ୨ ।

 

ସ୍ୱାହା ବୋଇଲେ–ହେ ମହାଭୁଜ ! ଆମ୍ଭେ ଦକ୍ଷପ୍ରଜାପତିଙ୍କର ପ୍ରିୟତମା କନ୍ୟା ଅଟୁ । ଆମ୍ଭର ନାମ ସ୍ୱାହା, ବାଲ୍ୟକାଳରୁ ଆମ୍ଭେ ହୁତାଶନଙ୍କଠାରେ କାମନା କରିଥିଲୁ । ୩ । ହେ ପୁତ୍ର ! ଅଗ୍ନି ଆମ୍ଭଙ୍କୁ ସମ୍ୟକ୍ରୂପେ କାମାଭିଳାଷିନୀ ବୋଲି ଜାଣନ୍ତି ନାହିଁ । ହେ ତାତ ! ଆମ୍ଭେ ଅନଳଙ୍କ ସହିତ ସର୍ବଦା ଏକତ୍ର ବାସ କରିବାକୁ ଇଚ୍ଛା କରୁଅଛୁଁ । ୪ । ସ୍କନ୍ଦ କହିଲେ–ହେ ଦେବୀ ! ସତ୍ ପଥରେ ଥାଇ ଯେଉଁ ମନୁଷ୍ୟମାନେ ସଚ୍ଚରିତ୍ର ହୋଇ ଆଜିଠାରୁ ବ୍ରାହ୍ମଣମାନଙ୍କଦ୍ୱାରା ମନ୍ତ୍ରପୁତ ଯେତେ ହବ୍ୟ ଓ କବ୍ୟ ଦାନ କରିବେ, ତାହା ସବୁ ସ୍ୱାହା ବାକ୍ୟକୁ ଅଗ୍ରେ ଉଚ୍ଚାରଣ କରି ସମର୍ପଣ କରିବେ । ହେ ଶୋଭନେ ! ଏପରି ହେଲେ ଅଗ୍ନି ତୁମ୍ଭ ସହିତ ନିରନ୍ତର ବାସ କରିବେ । ୬ ।

 

ମାର୍କଣ୍ଡେୟ କହିଲେ–ସ୍ୱାହାଙ୍କୁ କାର୍ତ୍ତିକେୟ ଏହିପରି ବଚନ କହନ୍ତେ ସ୍ୱାହା ଆପଣାର ପତି ଅଗ୍ନିଙ୍କ ସହିତ ମିଳିତ ଓ ପରିତୁଷ୍ଟ ହୋଇ କୁମାରଙ୍କୁ ଅର୍ଚ୍ଚନା କଲେ । ୭ । ତତ୍ପରେ ପ୍ରଜାପତି ବ୍ରହ୍ମା କୁମାରଙ୍କୁ କହିଲେ, ତୁମ୍ଭର ପିତା ତ୍ରିପୁରାରୀ ମହାଦେବଙ୍କ ନିକଟକୁ ଗମନ କର ନାହିଁ । ୮ । ସବୁ ଲୋକଙ୍କର ହିତସାଧନ ନିମିତ୍ତ ମହାଦେବ ଅଗ୍ନିଙ୍କ ଶରୀରରେ ଆବିଷ୍ଟ ହୋଇ ଓ ଉମା ସ୍ୱାହାଙ୍କ ଦେହରେ ପ୍ରବେଶ କରି ତୁମ୍ଭଙ୍କୁ ଅପରାଜିତ ସ୍ୱୂରପ ଜନ୍ମଦାନ କଲେ । ମହାତ୍ମା ରୁଦ୍ର ଉମାଙ୍କ ଦେହରେ ଯେଉଁ ଶୁକ୍ର ସେଚନ କରିଥିଲେ ତାହା ଏହି ପର୍ବତରେ ନିପତିତ ହେଲା । ସେହି ଶୁକ୍ରରୁ ମିଞ୍ଜିକା ଓ ମିଞ୍ଜିକ ବୋଲି ମିଥୁନ ସମ୍ଭୂତ ହେଲେ । ସେହି ଶୁକ୍ରର ଅବଶିଷ୍ଟ କିୟଦଂଶ ଲୋହିତ ସାଗରରେ ପତିତ ହେଲା ଓ କିୟଦଂଶ ଅରୁଣ କିରଣରେ ସଂଲଗ୍ନ ହେଲା, ଅପର କିୟଦଂଶ ଭୂମଣ୍ଡଳରେ ପତିତ ହେଲା । ୧୧ । ଅବଶିଷ୍ଟ ଯାହା କିଛି ତରୁଣଗଣଙ୍କଠାରେ ସଂଯୁକ୍ତ ହେଲା । ଏହିପରି ସେହି ଶୁକ୍ର ପଞ୍ଚଧା ବିଭକ୍ତ ହୋଇ ପଞ୍ଚସ୍ଥାନରେ ପତିତ ହେଲା । ତୁମ୍ଭର ଏହି ଯେଉଁ ବିବିଧାକାର ଭୟଙ୍କର ମୂର୍ତ୍ତିଧାରୀ ମାଂସାଶୀ ପରିଷଦବର୍ଗ ଅଛନ୍ତି, ସେମାନଙ୍କୁ ପଣ୍ଡିତମାନେ ସେହି ରୁଦ୍ରଙ୍କଠାରୁ ସମ୍ଭୂତ ହୋଇଅଛନ୍ତି ବୋଲି ଜାଣନ୍ତୁ । ପିତୃବତ୍ସଳ, ଅମେୟାତ୍ମା କାର୍ତ୍ତିକେୟ ହେଉ ବୋଲି କହି ପିତା ମହେଶ୍ୱରଙ୍କର ଅର୍ଚ୍ଚନା କଲେ । ୧୩ ।

 

ମାର୍କଣ୍ଡେୟ କହିଲେ, ସେହି ପଞ୍ଚଗଣମାନଙ୍କୁ ଧନାର୍ଥୀମାନେ ପୂଜା କରନ୍ତି । ରୋଗମାନେ ନିମିତ୍ତ ମଧ୍ୟୁ ସେମାନଙ୍କର ପୂଜା କରିବାକୁ ହୁଏ । ୧୪ । ଯେଉଁ ବ୍ୟକ୍ତି ବାଳକମାନଙ୍କର ହିତାଭିଳାଷୀ ହୁଅନ୍ତି ସେମାନଙ୍କର କର୍ତ୍ତବ୍ୟ ଯେ ସେ ରୁଦ୍ରଙ୍କଠାରୁ ଜାତ ମିଞ୍ଜିକା ମିଥୁନଙ୍କୁ ସର୍ବଦା ନମସ୍କାର କରିବେ । ୧୫ । ଯେଉଁମାନେ ପୁତ୍ର କାମନା କରନ୍ତି, ସେମାନଙ୍କର କର୍ତ୍ତବ୍ୟ ଯେ ବୃକ୍ଷରୁ ଜାତ ହୋଇଥିବା ମନୁଷ୍ୟ ମାଂସାହାରିଣୀ ବୃଦ୍ଧିକା ନାମ୍ନୀ ସ୍ତ୍ରୀମାନଙ୍କୁ ନମସ୍କାର କରିବେ । ୧୬ । ଏହି ପ୍ରକାରେ ପିଶାଚମାନଙ୍କର ଅସଂଖ୍ୟଗଣ କଥିତ ହୁଅନ୍ତି । ହେ ନୃପ ! ଏବେ କୁମାରଙ୍କର ଘଣ୍ଟା ଓ ପତାକାର ଜନ୍ମ ବୃତ୍ତାନ୍ତ ଶ୍ରବଣ କର । ଐରାବତ ହସ୍ତୀଙ୍କର ବୈଜୟନ୍ତୀ ନାମରେ ଯେଉଁ ଦୁଇଗୋଟି ଘଣ୍ଟା ଥିଲା, ବୁଦ୍ଧିମାନ ଶକ୍ର ସ୍ୱୟଂ ସେହି ଘଣ୍ଟା ଅଣାଇ କୁମାରଙ୍କୁ ପ୍ରଦାନ କଲେ । ୧୮ । ତନ୍ମଧ୍ୟରୁ ଗୋଟିଏ ଘଣ୍ଟା ବିଶାଖାଙ୍କର ହେଲା ଓ ଆଉ ଗୋଟିଏ ସ୍କନ୍ଦଙ୍କର ରହିଲା । କାର୍ତ୍ତିକେୟ ଓ ବିଶାଖା ଦୁହିଁଙ୍କର ପତାକା ଲୋହିତ ବର୍ଣ୍ଣ । ୧୯ । ଦେବତାମାନେ ଆହ୍ଲାଦପୂର୍ବକ ଯେଉଁ ଖେଳନା ସବୁ କାର୍ତ୍ତିକେୟଙ୍କୁ ଦେଇଥିଲେ, ମହାବଳ ଓ ମହାସେନ ସେମାନଙ୍କୁ ଘେନି ଖେଳା କରନ୍ତି । ୨୦ । ପିଶାଚଗଣ, ସୁରଗଣ ଓ ସ୍ତ୍ରୀମାନଙ୍କଦ୍ୱାରା ପରିବୃତ୍ତ ହୋଇ କନକ ପର୍ବତ ପୃଷ୍ଠରେ କୁମାର ସୁଶୋଭିତ ହେଲେ । ୨୧ । ସୁନ୍ଦର କାନନସମାକୀର୍ଣ୍ଣ ସେହି ଶୈଳ ମଧ୍ୟ ବୀରବର କାର୍ତ୍ତିକେୟଙ୍କ ଅଧିଷ୍ଠାନରେ କିରଣମାଳୀ ପ୍ରଭାକରଙ୍କ ସହଯୋଗରେ ମନ୍ଦର ମହୀଧରଙ୍କ ପ୍ରାୟ ସୁଶୋଭିତ ହେଲେ । ୨୨ । ବିକଶିତ ପାରିଜାତ ବନ, ସନ୍ତାନକ ବନ, କରବୀର ବନ, ଜବା ବନ, ଜବା ବନ, ଅଶୋକ ବନ, କଦମ୍ବ ବୃକ୍ଷର ଷଣ୍ଢ, ଦିବ୍ୟ ଓ କୁରଙ୍ଗ ବିହଙ୍ଗମଙ୍କଦ୍ୱାରା ଶ୍ୱେତ ଶୈଳ ଅତିଶୟ ଶୋଭା ପାଇଲା । ୨୪ । ସେଠାରେ ସବୁ ଦେବଗଣ ଓ ସମୁଦାୟ ଦେବର୍ଷିଗଣ ଅବସ୍ଥିତ ହେଲେ । ସମୁଦ୍ର କ୍ଷୁଭିତ ହେଲେ ଯେପରି ଶବ୍‌ଦ ଶୁଭେ, ସେହିପରି ମେଘମାନଙ୍କ ନାଦରେ ଓ ତୂର୍ଯ୍ୟସମୂହର ଧ୍ୱନିରେ ସେହି ସ୍ଥାନ ପ୍ରକମ୍ପିତ ହେଲା । ୨୫ । ଗନ୍ଧର୍ବ ଓ ଅପ୍‌ସରାଗଣ ନୃତ୍ୟରେ ଓ ସଙ୍ଗୀତରେ ପ୍ରବୃତ୍ତ ହେଲେ । ହୃତ ଭୂତଗଣଙ୍କ ମହାରବ ଚତୁର୍ଦ୍ଦିଗରେ ଶ୍ରୁତ ହେଲା । ୨୬ । ଏହିରୂପେ ଶକ୍ରଙ୍କ ସହିତ ସମୁଦାୟ ଜଗତ୍ ଶ୍ୱେତଶୈଳରେ ବାସ କରି ଆନନ୍ଦିତ ହୋଇ ଅଗ୍ନିନନ୍ଦନଙ୍କୁ ଅବଲୋକନ କଲେ । ତାହାଙ୍କ ଦର୍ଶନରେ କାହାରି ଗ୍ଳାନି ରହିଲା ନାହିଁ । ୨୭ ।

 

ମାର୍କଣ୍ଡେୟ କହିଲେ, ଭଗବାନ ଅଗ୍ନିପୁତ୍ର ଯେତେବେଳେ ସେନାପତି ପଦରେ ଅଭିଷିକ୍ତ ହେଲେ, ତେତେବେଳେ ପ୍ରଭାବଶାଳୀ ଶ୍ରୀମାନ୍ ଶ୍ରୀକଣ୍ଠ ହର୍ଷାନ୍ୱିତ ହୋଇ ଭଗବତୀଙ୍କ ସହିତ ଅରୁଣ ବର୍ଣ୍ଣ ରଥରେ ଆରୋହଣ କରି ଭଦ୍ରାବଟକୁ ପ୍ରସ୍ଥାନ କଲେ । ୨୯ । ତାହାଙ୍କ ବିଶାଳ ରଥରେ ସହସ୍ରେ ସିଂହ ସଂଯୋଜିତ ହୋଇଥିଲେ । କାଳ ସାରଥି ହୋଇ ରଥକୁ ଚାଳି ଶୁଭ୍ର ବର୍ଣ୍ଣ ଆକାଶମଣ୍ଡଳରେ ଉତ୍‌ପତିତ ହେଲେ । କେଶରୀମାନେ ଆପଣାର ସୁନ୍ଦର କେଶରସମୂହ ଆଲୋଡ଼ିତ କରି ଓ ଗର୍ଜନ କରି ଚରାଚର ସର୍ବପ୍ରାଣୀଙ୍କର ତ୍ରାସ ଜନ୍ମାଇ ଗଗନରେ ବିହରଣ କଲେ-। ସେତେବେଳେ ବୋଧ ହେଲା ଯେ ସେମାନେ ଆକାଶକୁ ପାନ କରିବାକୁ ଉଦ୍ୟତ ହୋଇଅଛନ୍ତି-। ସେହି ରଥରେ ଉମାଙ୍କ ସହିତ ପଶୁପତି ବସି ପ୍ରଭାନ୍ୱିତ ଦିଶିଲେ । ୩୧ । ବିଜୁଳି ସହିତ ସୂର୍ଯ୍ୟ ଯେପରି ଶୋଭା ପାନ୍ତି, ଇନ୍ଦ୍ର ଚାପରେ ଯେପରି ଶୁକ୍ଳ ମେଘ ସୁଦୃଶ୍ୟ ହୁଏ, ସେହିପରି ଉମାଙ୍କ ସହିତ ମହାଦେବ ଶୋଭା ପାଇଲେ । ତାହାଙ୍କ ସମକ୍ଷରେ ଭଗବାନ କୁବେର ଗୁହ୍ୟକଗଣଙ୍କ ସହିତ ପୁଷ୍ପକ ବିମାନରେ ଆରୋହଣ କରି ଗମନ କଲେ । ଐରାବତ ଉପରେ ଇନ୍ଦ୍ର ବସି ସୁରଗଣଙ୍କ ସହିତ ବରଦାତା ବୃଷଭଧ୍ୱଜାଙ୍କ ପୃଷ୍ଠ ଭାଗରେ ଗମନ କଲେ । ଅମୋଘନାମା ମହାଯକ୍ଷ ଓ ମାଲ୍ୟ-ବିଭୂଷିତ ଜୃମ୍ଭକନାମା ଯକ୍ଷ ରାକ୍ଷସଙ୍କ ସହିତ ଅଳଙ୍କୃତ ହୋଇ ରୁଦ୍ରଙ୍କ ଦକ୍ଷିଣପକ୍ଷକୁ ଆଶ୍ରୟକରି ପ୍ରସ୍ଥାନ କଲେ । ତାହାଙ୍କ ଦକ୍ଷିଣ ଭାଗରେ ଉତ୍ତମ ଉତ୍ତମ ଯୋଦ୍ଧାମାନେ, ବହୁସଂଖ୍ୟକ ଦେବଗଣ । ୩୫ । ବସୁଗଣ, ରୁଦ୍ରଗଣ ମିଳିତ ହୋଇ ଗମନ କଲେ-। କାଳ ସେହି ସମୟରେ ଭୟଙ୍କର ମୂର୍ତ୍ତିଧାରୀ ଭୀମ ରୂପୀ ଶତ ଶତ ବ୍ୟାଧିଦ୍ୱାରା ବେଷ୍ଟିତ ହୋଇ ଯମଙ୍କ ସହିତ ପ୍ରସ୍ଥାନ କଲେ । ବିଜୟ ନାମରେ ରୁଦ୍ରଙ୍କ ଶୂଳ ଯମଙ୍କ ପଛେ ପଛେ ଚାଲିଲେ-। ସେହି ଶୂଳ ସୁନ୍ଦର, ଅଳଙ୍କୃତ, ଶିଖରକ୍ରୟଯୁକ୍ତ, ଶାଣିତ ଓ ଭୟଙ୍କର ଦିଶୁଥିଲା । ଭଗବାନ ଜଳେଶ୍ୱର ବରୁଣ ଉଗ୍ର ପାଶ ଧରି । ୩୮ । ବହୁପ୍ରକାର ଜଳଜନ୍ତୁଙ୍କଦ୍ୱାରା ପରିବୃତ୍ତ ହୋଇ ସେହି ଶୂଳ ମନ୍ଦ ମନ୍ଦ ଗମନ କଲେ । ବିଜୟ ନାମକ ଶୂଳ ପୃଷ୍ଠଭାଗରେ ରୁଦ୍ରଦେବଙ୍କର ଗଦା, ମୂଷଳ, ପଟ୍ଟିଶ, ନାନାବିଧ ଶକ୍ତି ଓ ପ୍ରହରଣ ସହିତ ଗମନ କଲେ ।

 

ହେ ରାଜନ୍‌ ! ରୁଦ୍ରଙ୍କ ମହାପ୍ରଭାନ୍ୱିତ ଛତ୍ର ଓ ମହର୍ଷିଗଣସେବିତ କମଣ୍ଡଳୁ ଏ ଦୁହେଁ ପଟ୍ଟିଶ ପଛେ ପଛେ ଗମନ କଲେ । କମଣ୍ଡଳୁର ଦକ୍ଷିଣ ଭାଗରେ ଦଣ୍ଡ ଚାଲିଲେ । ସେହି ଦଣ୍ଡ ଲକ୍ଷ୍ମୀଙ୍କଦ୍ୱାରା ବେଷ୍ଟିତ ହୋଇଥାନ୍ତି, ସୁରଗଣ ତାହାଙ୍କୁ ଅର୍ଚ୍ଚନା କରୁଥାନ୍ତି, ଭୃଗୁ ଅଙ୍ଗିରା ପ୍ରଭୃତି ଋଷିମାନେ ତାହା ସଙ୍ଗରେ ଗମନ କରୁଥାନ୍ତି । ଏହି ପ୍ରକାରେ ସେହି ଦଣ୍ଡ ଓ କମଣ୍ଡଳୁର ଶୋଭା ଅତିଶୟ ଉଜ୍ଜ୍ୱଳ ହୋଇଥାଏ । ଏମାନଙ୍କ ପଛରେ ନିର୍ମଳ ରଥ ଉପରେ ରୁଦ୍ର ଅଧିଷ୍ଠିତ ହୋଇ । ୪୨ । ନିଜର ତେଜଦ୍ୱାରା ସବୁ ଦେବତାଙ୍କୁ ହୃଷ୍ଟକରି ପ୍ରସ୍ଥାନ କଲେ । ଋଷି, ଅମର, ଅପ୍‌ସରା, ଗନ୍ଧର୍ବ, ଭୁଜଙ୍ଗ, ନକ୍ଷତ୍ରପୁଞ୍ଜ, ଗ୍ରହ, ଦେବତାମାନଙ୍କର ଶିଶୁ ଓ ବିବିଧାକାର ସ୍ତ୍ରୀମାନେ ଗମନ କଲେ-। ଦେବତରଙ୍ଗିଣୀ ହ୍ରଦ ଓ ସାଗରମାନେ ମଧ୍ୟ ରୁଦ୍ରଙ୍କ ପଛେ ପଛେ ଚାଲିଲେ । ମନୋହରରୂପା ବରାଙ୍ଗନାମାନେ ପୁଷ୍ପସମୂହକୁ ବର୍ଷଣ କରି କରି ଗମନ କଲେ । ୪୫ । ଜଳଧର ଆସି ପିନାକପାଣି ମହାଦେବଙ୍କୁ ନମସ୍କାରକରି ତାହାଙ୍କର ଅନୁଗାମୀ ହେଲେ । ତତ୍କାଳରେ ତାହାଙ୍କ ମସ୍ତକରେ ଚନ୍ଦ୍ର ଶୁଭ୍ରବର୍ଣ୍ଣ ଛତ୍ର ଧରିଥିଲେ । ୪୬ । ବାୟୁ ଓ ଅଗ୍ନି ଦୁହେଁ ଦୁଇଗୋଟି ଚାମରଧରି ତାହାଙ୍କ ପାର୍ଶ୍ୱରେ ଗମନ କଲେ ।

 

ହେ ରାଜନ୍‌ ! ଲକ୍ଷ୍ମୀଙ୍କଦ୍ୱାରା ସୁରପତି ବେଷ୍ଟିତ ହୋଇ ରାଜର୍ଷିମାନଙ୍କ ସହିତ ଉମାପତିଙ୍କୁ ସ୍ତବ କରି କରି ତାହାଙ୍କ ପଛେ ପଛେ ଗମନ କଲେ । ଗୌରୀ, ବିଦ୍ୟା, ଗାନ୍ଧାରୀ, କେଶିନୀ ଓ ସୁମିତ୍ର ପ୍ରଭୃତି ସମସ୍ତେ ସାବିତ୍ରୀଙ୍କ ସହିତ ପାର୍ବତୀଙ୍କ ପଛେ ପଛେ ଗମନ କଲେ । କବିମାନେ ଯେ ଯେଉଁ ବିଦ୍ୟା ସୃଷ୍ଟି କରିଥିଲେ, ସେମାନେ ସମସ୍ତେ ସେହି ସେହି ବିଦ୍ୟା ସହିତ ଗମନ କଲେ । ୪୯ । ଇନ୍ଦ୍ରାଦି ସୁରଗଣ ଯାହାଙ୍କ ବାକ୍ୟକୁ ସେନାମୁଖରେ ପ୍ରତିପାଳନ କରନ୍ତି, ସେହି ରାକ୍ଷସ ଗ୍ରହ ପତାକା ଧରି ଆଗେ ଆଗେ ଚାଲିଲେ । ୫୦ । ପୈଙ୍ଗିଳ ନାମରେ ଯକ୍ଷେନ୍ଦ୍ର, ଯେ ସର୍ବଦା ଶ୍ମଶାନରେ ବ୍ୟାପ୍ତ ଥାନ୍ତି, ଯେ ରୁଦ୍ରଙ୍କର ସଖା ଓ ଲୋକମାନଙ୍କର ଆନନ୍ଦଦାୟକ । ୫୧ । ସେହି ଦେବ ଏମାନଙ୍କ ସହିତ ମିଳିତ ହୋଇ ଆପଣା ସୁଖରେ, କେତେବେଳେ ଆଗରେ ଓ କେତେବେଳେ ପଛରେ ଗମନ କଲେ । ଏଥିରେ ତାହାଙ୍କର ଗତିର ସ୍ଥିରତା ନ ଥିଲା । ୫୨ । ମାନବମାନେ ସତ୍‌କର୍ମଦ୍ୱାରା ଇହଲୋକରେ ଯେଉଁ ରୁଦ୍ରଦେବଙ୍କୁ ଅର୍ଚ୍ଚନା କରନ୍ତି, ଯାହାଙ୍କୁ ଶିବ, ଈଶ, ରୁଦ୍ର ଓ ପିତାମହ ବୋଲି କବିମାନେ ବର୍ଣ୍ଣନା କରନ୍ତି । ୫୩ । ସେହି ମହେଶ୍ୱର ବିବିଧ ପ୍ରକାରେ ଆରାଧିତ ହୁଅନ୍ତି । ବ୍ରାହ୍ମଣ୍ୟ, କୃର୍ତ୍ତିକାନନ୍ଦନ, ଦେବସେନାଙ୍କ ପତି ଏହିରୂପେ ଦେବସେନାଙ୍କଦ୍ୱାରା ଆବୃତ ହୋଇ ଦେବଦେବଙ୍କର ଅନୁଗାମୀ ହେଲେ । ୫୪ । ଅନନ୍ତର ମହାସେନଙ୍କୁ ମହାଦେବ ଗୋଟିଏ ବୃହତ୍ କଥା କହିଲେ ଯେ ତୁମ୍ଭେ ଅତିନ୍ଦ୍ରିୟ ହୋଇ ସୁରଗଣଙ୍କର ସପ୍ତମ ବ୍ୟୁହକୁ ରକ୍ଷା କର । ସ୍କନ୍ଦ କହିଲେ, ହେ ପ୍ରଭୋ ! ଆମ୍ଭେ ସପ୍ତମ ମାରୁତ ବ୍ୟୁହକୁ ରକ୍ଷା କରିବୁ । ଆଉ ଯଦି କିଛି କରିବାର ହୁଏ, ତାହାହେଲେ ବିଳମ୍ବ ନ କରି କହନ୍ତୁ । ୫୬ । ରୁଦ୍ର କହିଲେ, ହେ ପୁତ୍ର ! କାର୍ଯ୍ୟବେଳେ ସର୍ବଦା ଆମ୍ଭଙ୍କୁ ଦେଖୁଥିବ । ଆମ୍ଭର ଦର୍ଶନ ଓ ଆମ୍ଭ ପ୍ରତି ଭକ୍ତିଦ୍ୱାରା ତୁମ୍ଭେ ପରମ କଲ୍ୟାଣ ପ୍ରାପ୍ତ ହେବ । ୫୭ ।

 

ମାର୍କଣ୍ଡେୟ କହିଲେ, ଏହା କହି ମହେଶ୍ୱର ତାହାଙ୍କୁ ଆଲିଙ୍ଗନ କରି ବିଦାୟ ଦେଲେ । ହେ ମହାରାଜ ! ସ୍କନ୍ଦଙ୍କୁ ବିଦାୟ ଦେବା ପରେ ମହତ ଉତ୍ପାତର ଚିହ୍ନମାନ ଜାତ ହୋଇ ଦେବଗଣଙ୍କୁ ମୁଗ୍ଧ କଲା । ଆକାଶ ଓ ନକ୍ଷତ୍ରମାନେ ପ୍ରଜ୍ୱଳିତ ହେଲେ । ଲୋକମାନେ ସମସ୍ତେ ଅଚେତନ ହେଲେ । ୫୯ । ପୃଥିବୀ କମ୍ପିତ ହୋଇ ମହାନ ନାଦ ବିସର୍ଜନ କଲା । ଜଗତ ଅନ୍ଧକାରମୟ ହେଲା, ଏହିପରି ଦାରୁଣ ଘଟଣା ଦେଖି ଶଙ୍କରଙ୍କ ମନ କ୍ଷୁଭିତ ହେଲା । ୬୦ । ମହାଭାଗା ପାର୍ବତୀ, ଅମରଗଣ ଓ ମହର୍ଷିଗଣ ମଧ୍ୟ କ୍ଷୁଭିତ ହେଲେ । ସେମାନେ ମୁଗ୍ଧ ହୁଅନ୍ତେ ପର୍ବତପ୍ରାୟ ଓ ସମୁଦ୍ରପ୍ରାୟ ଭୟଙ୍କର ସେନା ପ୍ରହରଣ ସହିତ ଦୃଶ୍ୟମାନ ହେଲେ । ସେହି ଭୟଙ୍କର ସୈନ୍ୟମାନେ ବିବିଧ ପ୍ରଜାର ଗର୍ଜନ କଲେ । ୬୨ । ଓ ଯୁଦ୍ଧରେ ଦେବତା ଓ ଭଗବାନ ଶଙ୍କରଙ୍କ ପ୍ରତି ଅଭିଧାବିତ ହେଲେ । ସେହି ଆଗନ୍ତୁକ ସୈନ୍ୟ ଦେବସେନା ମଧ୍ୟରେ ନାନାବିଧ ଶର ନିକ୍ଷେପ କଲେ । ଶୈଳ, ଶତଘ୍ନୀ, ପ୍ରାସ, ଅସୀ, ପରିଘ ଓ ଗଦାମାନଙ୍କୁ ମଧ୍ୟ ସୁରସେନା ମଧ୍ୟକୁ ନିକ୍ଷିପ୍ତ କଲେ । ସେହି ଭୟଙ୍କର ମହାସ୍ତ୍ରମାନେ ନିପତିତ ହୋଇ କ୍ଷଣକାଳ ମଧ୍ୟରେ ସୁରସେନାଙ୍କୁ ପୀଡ଼ିତ କଲେ । ଅସୁରମାନେ ଦେବତାଙ୍କ ଯୋଦ୍ଧା, ତୁରଙ୍ଗ, ମାତଙ୍ଗ, ଆୟୁଧ ଓ ମହାରଥମାନଙ୍କୁ ବ୍ୟସ୍ତ କଲେ । ସୁତରାଂ ସେମାନଙ୍କ ସୈନ୍ୟ ବିମୁଖ ହେବାପ୍ରାୟ ଦୃଶ୍ୟ ହେଲା । ବନରେ ଅଗ୍ନି ଲାଗି ତରୁମାନଙ୍କୁ ଦଗ୍ଧ କଲା ପ୍ରାୟ ଅସୁରମାନଙ୍କଦ୍ୱାରା ଅଧିକାଂଶ ସୁରସେନା ଦଗ୍ଧ ହୋଇଗଲେ । ଏହିରୂପେ ମହାସମରରେ ନିପୀଡ଼ିତ ହୋଇ ସୁରଗଣ ଭିନ୍ନଦେହ ଓ ଭିନ୍ନମସ୍ତକ ହେଲେ; ତଥାପି କେହି ସେମାନଙ୍କୁ ରକ୍ଷା କଲେ ନାହିଁ । ଏଥିଉତ୍ତାରୁ ବଳନିସୂଦନ ସୁରସୈନ୍ୟଙ୍କୁ ବିଷାଦଗ୍ରସ୍ତ ଦେଖି ଆଶ୍ୱାସ ପ୍ରଦାନ କରି କହିଲେ, ହେ ସୁରବୃନ୍ଦ ! ତୁମ୍ଭମାନଙ୍କର କୁଶଳ ହେଉ; ତୁମ୍ଭେମାନେ ଭୟ ପରିତ୍ୟାଗ କରି ଶସ୍ତ୍ରମାନଙ୍କୁ ଗ୍ରହଣ କର । ୬୯ । ତୁମ୍ଭେମାନେ ବିକ୍ରମ ପ୍ରକାଶ କର; ବ୍ୟଥିତ ହୁଅ ନାହିଁ । ଏହି ଭୟଙ୍କର ଦୁର୍ବୃତ୍ତ ଦାନବମାନଙ୍କୁ ଜୟ କର । ଆମ୍ଭ ସହିତ ଏହି ମହାସୁରମାନଙ୍କ ପ୍ରତି ଧାବିତ ହୁଅ । ତୁମ୍ଭମାନଙ୍କର ମଙ୍ଗଳ ହେଉ । ଦେବରାଜଙ୍କର ବଚନ ଶ୍ରବଣ କରି ତ୍ରିଦଶଗଣ ଆଶ୍ୱସ୍ତ ହେଲେ । ୭୧ । ଇନ୍ଦ୍ରଙ୍କୁ ଆଶ୍ରୟ କରି ସେମାନେ ଦାନବମାନଙ୍କ ସହିତ ଯୁଦ୍ଧ କଲେ ।

 

ତତ୍ପରେ ତ୍ରିଦଶଗଣ ଓ ମହାବଳ ମରୁଦ୍‌ଗଣ, ସାଧ୍ୟଗଣ ଓ ବସୁଗଣ କ୍ରୁଦ୍ଧହୋଇ ସମରରେ ଶସ୍ତ୍ରମାନଙ୍କୁ ବିସର୍ଜନ କଲେ । ୭୩ । ଦେବଗଣଙ୍କର ତୀକ୍ଷ୍‌ଣ ଶରମାନ ଶତ୍ରୁପକ୍ଷର ସେନାଦେହକୁ ଭେଦ କରି ଶୋଣିତ ପାନ କଲେ । ଶରମାନ ପତିତ ହେଲାବେଳେ ବୋଧ ହେଲା ଯେ ପର୍ବତନିକରରୁ ବିଷଧରସମୂହ ଆଗତ ହୋଇ ଅସୁରସେନାଙ୍କୁ ଦଂଶନ କରୁଅଛନ୍ତି । ହେ ରାଜନ୍‌ ! ବିଚ୍ଛିନ୍ନ ମେଘଖଣ୍ଡ ପ୍ରାୟ ଦାନବମାନଙ୍କ ଶରୀର ଶରଜାଲରେ ନିର୍ଭିନ୍ନ ହେଲା । ଅନନ୍ତର ସମୁଦାୟ ଅମରବୃନ୍ଦ ବିବିଧ ଶର ପ୍ରକ୍ଷିପ୍ତ କରି ସୁରାରି ସୈନ୍ୟଙ୍କୁ ସମରରେ ବିତ୍ରାସିତ ଓ ପରାଙ୍‍ମୁଖ କଲେ । ଏହା ଦେଖି ଦେବପକ୍ଷର ସମସ୍ତେ ହର୍ଷାବିଷ୍ଟ ହୋଇ ଓ ଆୟୁଧମାନଙ୍କୁ ଉତ୍ତୋଳନ କରି ମହାନ ନାଦ ମୋଚନ କଲେ । ଅନେକ ପ୍ରକାର ବାଦ୍ୟ ମିଳିତ ହୋଇ ବାଜିଲେ । ଏହିରୂପେ ସୁର ଓ ଅସୁରମାନଙ୍କର ସଂଗ୍ରାମ ଉଭୟ ପକ୍ଷରେ ଅତି ଦାରୁଣ ଘଟଣାମାନ ସଂଘଟିତ କଲା । ତହିଁରେ ରଣସ୍ଥଳ ମାଂସ ଓ ଶୋଣିତରେ କର୍ଦ୍ଦମମୟ ହେଲା, ପରନ୍ତୁ ଦେବଗଣଙ୍କର ବିପଦ ସହସା ଦୃଷ୍ଟ ହେଲା । ୭୯ । ଭୟଙ୍କର ଦାନବମାନେ ଦେବତାମାନଙ୍କୁ ପୂର୍ବପ୍ରାୟ ବିନିହତ କଲେ । ଦନୁଜେନ୍ଦ୍ରମାନଙ୍କର ତ୍ୱର୍ଯ୍ୟ ନିନାଦ, ପ୍ରଚଣ୍ଡ ଭେରୀ ଶବ୍ଦ ଓ ଦାରୁଣ ସିଂହନାଦ ପ୍ରବର୍ତ୍ତିତ ହେଲା । ଅନନ୍ତର ମହିଷ ନାମରେ ଗୋଟାଏ ମହାବଳସମ୍ପନ୍ନ ଦାନବ ଗୋଟାଏ ବିଶାଳ ଶୈଳକୁ ଗ୍ରହଣ କରି ଭୟଙ୍କର ଦୈତ୍ୟସୈନ୍ୟ ମଧ୍ୟରୁ ବହିର୍ଗତ ହେଲା । ଶୈଳକୁ ଉତ୍ତୋଳନ କରି ଆଗମନ କଲାବେଳେ ବୋଧହେଲା ଯେପରିକି ସୂର୍ଯ୍ୟ ମେଘ ଜାଲରେ ପରିବାରିତ ହୋଇଅଛନ୍ତି । ଏହା ଦେଖି ଦେବସେନାମାନେ ପଳାୟନ କଲେ । ତତ୍ପରେ ମହିଷାସୁର ଦ୍ରୁତବେଗରେ ଅମରଗଣଙ୍କ ପ୍ରତି ସେହି ଶୈଳକୁ ନିକ୍ଷିପ୍ତ କଲା । ୮୩ ।

 

ହେ ମହାରାଜ ! ଦେବସୈନ୍ୟ ମଧ୍ୟରେ ସେହି ଗିରି ନିପତିତ ହୋଇ ଦଶ ସହସ୍ର ଦେବଙ୍କୁ ନିହତ କଲା । ୮୪ । ତଦନନ୍ତର ମହିଷ ଦନୁଜଗଣଙ୍କ ସହିତ ମିଳିତ ହୋଇ ଦେବଗଣଙ୍କୁ ସଂଗ୍ରାମରେ ବିତ୍ରାସିତ କଲା । ମୃଗେନ୍ଦ୍ର ଯେପରି କ୍ଷୁଦ୍ର ହରିଣଙ୍କୁ ଆକ୍ରମଣ କରେ ତଦ୍ରୂପ ସେ ଦେବସେନାଙ୍କ ପ୍ରତି ଧାବିତ ହେଲା । ୮୫ । ଇନ୍ଦ୍ର ପ୍ରଭୃତି ଦେବଗଣ ମହିଷାସୁରକୁ ଧାବିତ ହେବାର ଦେଖି ରଣରେ ଭୀତ ହୋଇ ଆୟୁଧ ପ୍ରଭୃତି ନିକ୍ଷେପ କରି ପଳାୟନ କଲେ । ୮୬ । ତହିଁରେ ମହିଷ ରୋଷାବିଷ୍ଟ ହୋଇ ରୁଦ୍ରଙ୍କ ରଥାଭିମୁଖରେ ସତ୍ୱର ଧାବିତ ହେଲା । ଦ୍ରୂତବେଗରେ ସେ ଆସି ରଥର ଯୁଗନ୍ଧରକୁ ଗ୍ରହଣ କଲା । ୮୭ । ମହିଷ କ୍ରୋଧାନ୍ୱିତ ହୋଇ ଯେତେବେଳେ ରୁଦ୍ରଙ୍କ ରଥ ନିକଟକୁ ସମାଗତ ହେଲେ ତତ୍କାଳରେ ସୁରଲୋକ ଓ ଭୂମଣ୍ଡଳ ଘୋର ଗର୍ଜନ ବିସର୍ଜନ କଲେ । ମହର୍ଷିଗଣ ବିମୁଗ୍ଧ ହୋଇ ଭୂମିପୃଷ୍ଠରେ ପଡ଼ିଲେ । ୮ । ଜଳଧର ବର୍ଣ୍ଣ ସଦୃଶ ମହାଦେହ ଦୈତ୍ୟମାନେ ତତ୍କାଳରେ ଗର୍ଜନ କରିବାରେ ପ୍ରବୃତ୍ତ ହେଲେ । ସେମାନେ ନିଶ୍ଚୟ ବିଚାରିଲେ ଯେ ସେମାନଙ୍କର ଜୟ ହେଲା । ୮୯ । ଭଗବାନ ରୁଦ୍ର ତଦ୍ରୂପ ଆକ୍ରାନ୍ତ ହୋଇ ସୁଦ୍ଧା ଅସୁର ବିନାଶ କଲେ ନାହିିଁ । ସେହି ଦୁରାତ୍ମା ମୃତ୍ୟୁରୂପୀ ସେନାନୀଙ୍କୁ ସ୍ମରଣ କଲେ । ୯୦ । ମହିଷାସୁର ମଧ୍ୟ ରୁଦ୍ରଙ୍କ ରଥକୁ ଦେଖି ଭୟାନକ ନାଦ କଲା, ଦେବତାମାନଙ୍କୁ ତ୍ରାସିତ ଓ ଦୈତ୍ୟମାନଙ୍କୁ ହର୍ଷଯୁକ୍ତ କଲା । ୯୧ । ଲୋହିତବସନ ପରିଧାନ କରି ଲୋହିତ କୁସୁମମାଳାରେ ବିଭୂଷିତ ହୋଇ ଲୋହିତାଶ୍ୱ ମହାବାହୁ କାର୍ତ୍ତିକେୟ ସୁବର୍ଣ୍ଣ କବଚ ଧାରଣ କରି ସୂର୍ଯ୍ୟସଦୃଶ ରଥରେ ବସି ଆଗମନ କଲେ । ଦେତ୍ୟସେନା ତାହାଙ୍କୁ ଦେଖି ସହସା ରଣକ୍ଷେତ୍ରରୁ ପଳାୟନ କଲେ । ୯୪ ।

 

ହେ ରାଜେନ୍ଦ୍ର ! ମହାସେନ ମହିଷର ସେନାଙ୍କୁ ଦେଖି ତହିଁ ପ୍ରତି ପ୍ରଜ୍ଜ୍ୱଳିତ ଶକ୍ତିକୁ ନିର୍କ୍ଷିପ୍ତ କଲେ । ୯୫ । ଶକ୍ତି ଆସି ମହିଷର ମସ୍ତକ ହରଣ କଲା; ତହୁଁ ମହିଷ ଦ୍ୱିଖଣ୍ଡିତ ହୋଇ ପ୍ରାଣତ୍ୟାଗ କଲା । ୯୬ । ତତ୍କାଳରେ ଷୋଡ଼ଶ ଯୋଜନ ପର୍ଯ୍ୟନ୍ତ ଉତ୍ତର କୁରୁ ରାଜ୍ୟର ଦ୍ୱାର ଅବରୁଦ୍ଧ ହେଲା-। ପର୍ବତପ୍ରାୟ ତାହାର ମସ୍ତକ ପତିତ ହେବାରୁ ସେହି ପଥ ଅଗମ୍ୟ ହେଲା । ୯୭ । ସମ୍ପ୍ରତି ଉତ୍ତର କୁରୁନିବାସୀମାନେ ଯଥାସୁଖରେ ଗତାୟତ କରୁଅଛନ୍ତି । ସୁର ଓ ଅସୁରଗଣ ଦେଖିଲେ–କାର୍ତ୍ତିକେୟଙ୍କ ହସ୍ତରୁ ସେହି ଶକ୍ତି ନିକ୍ଷିପ୍ତ ହୋଇ ସହସ୍ର ସହସ୍ର ଶତ୍ରୁଙ୍କୁ ନିହତ କରି ପୁନଶ୍ଚ ତାହାଙ୍କ ହସ୍ତରେ ଉପସ୍ଥିତ ହେଲା । ବୁଦ୍ଧିମାନ ମହାସେନ ଶରସମୂହ ପ୍ରହାରଦ୍ୱାରା ଦାନବମାନଙ୍କୁ ବିନିହତ କଲେ । ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନଙ୍କୁ କାର୍ତ୍ତିକେୟଙ୍କ ପରିଷଦବର୍ଗ ଧ୍ୱଂସ ଓ ଭକ୍ଷଣ କଲେ । ୧୦୦ । ସେହି ପାରିଷଦମାନେ ଅତିଶୟ ପ୍ରୀତିଯୁକ୍ତ ହୋଇ ଦନୁଜମାନଙ୍କର ମାଂସ ଭକ୍ଷଣ ଓ ଶୋଣିତ ପାନ କରି କ୍ଷଣକାଳ ମଧ୍ୟରେ ଏହି ଜଗତକୁ ଦନୁଜଶୂନ୍ୟ କଲେ । ୧୦୧ । ମିହିର ଯେପରି ତିମିରରାଶିକୁ ହରଣ କରନ୍ତି, ପାବକ ଯେପରି ପାଦପଗଣଙ୍କୁ ଭୟ କରନ୍ତି, ପବନ ଯେପରି ଜଳଦପଟଳକୁ ବିଭିନ୍ନ କରନ୍ତି, କୀର୍ତ୍ତମାନ୍ କାର୍ତ୍ତିକେୟ ମଧ୍ୟ ତଦ୍ରୂପ ସ୍ୱକୀୟ ବୀର୍ଯ୍ୟଦ୍ୱାରା ଶତ୍ରୁମାନଙ୍କୁ ପରାଜିତ କଲେ । ୧୦୨ । କିରଣ ରାଶିକୁ ବିସ୍ତାରିତ କଲେ ଆଦିତ୍ୟ ଯେପରି ଶୋଭାପାନ୍ତି, ଭଗବାନ କୃତ୍ତିକାନନ୍ଦନ ଅମରଗଣଙ୍କଦ୍ୱାରା ସମ୍ୟକ୍ରୂପେ ପୂଜ୍ୟ ହୋଇ ପଶୁପତିଙ୍କୁ ଅଭିବାଦନ କରି ତାଦୃଶ ଶୋଭାପ୍ରାପ୍ତ ହେଲେ । ୧୦୩ । କାର୍ତ୍ତିକେୟ ଶତ୍ରୁମାନଙ୍କୁ ବିନାଶ କରି ଯେତେବେଳେ ମହେଶ୍ୱରଙ୍କ ନିକଟକୁ ଗଲେ ତତ୍କାଳେ ପୁରନ୍ଦର ତାହାଙ୍କୁ ଆଲିଙ୍ଗନ କରି କହିଲେ, ହେ ସ୍କନ୍ଦ ! ଏହି ମହିଷ ବ୍ରହ୍ମାଙ୍କଠାରୁ ବର ପାଇଥିଲା, କିନ୍ତୁ ତୁମ୍ଭଦ୍ୱାରା ନିହତ ହେଲା । ହେ ବିଜୟିବର ! ତାହା ଆଗରେ ଦେବତାମାନେ ତୃଣ ସମାନ । ୧୦୫ ।

 

ହେ ମହାବାହୋ ! କିନ୍ତୁ ତୁମ୍ଭେ ସେହି ଦେବକଣ୍ଟକକୁ ଶାନ୍ତ କଲ । ରଣରେ ତୁମ୍ଭେ ମହିଷପ୍ରାୟ ଶତ ଶତ ଦାନବମାନଙ୍କୁ ନିହତ କଲ । ସେମାନେ ପୂର୍ବେ ଆମ୍ଭମାନଙ୍କୁ ଅତିଶୟ ସନ୍ତପ୍ତ କରୁଥିଲେ । ତୁମ୍ଭ ହାତରେ ନ ମରି ଯେଉଁମାନେ ଅବଶିଷ୍ଟ ରହିଲେ ଶତଶତ ସଂଖ୍ୟକ ସେହି ଦାନବମାନଙ୍କୁ ତୁମ୍ଭର ପାରିଷଦବର୍ଗ ଭକ୍ଷଣ କଲେ । ୧୦୭ । ଉମାପତିଙ୍କ ପ୍ରାୟ ତୁମ୍ଭେ ରଣରେ ଅଜେୟ ଓ ସମର୍ଥ ଅଟ । ଏହା ତୁମ୍ଭର ପ୍ରଥମ କୀର୍ତ୍ତି । ଆହୁରି ମଧ୍ୟ ତୁମ୍ଭର ଖ୍ୟାତି ଅକ୍ଷୟ ହୋଇ ତିନି ଲୋକରେ ବର୍ତ୍ତମାନ ହେବ । ହେ ମହାଭୁଜ ! ସୁରଗଣ ତୁମ୍ଭର ବଶବର୍ତ୍ତୀ ହେବେ । ୧୦୯ । ମହାସେନଙ୍କୁ ଏହିପରି କହି ପୁରନ୍ଦର ଦେବଗଣଙ୍କ ସହିତ ନିବୃତ୍ତ ହେଲେ । ତତ୍ପରେ ଶଚୀପତି ତ୍ର‌୍ୟମ୍ବକଙ୍କଠାରୁ ଅନୁଜ୍ଞାଘେନି ପ୍ରସ୍ଥାନ କଲେ । ସ୍ୱର୍ଗବାସୀମାନେ ସ୍ୱ ସ୍ୱ ନିକେତନକୁ ଗମନ କଲେ । ଗଲାବେଳେ ରୁଦ୍ର ସେମାନଙ୍କୁ କହିଲେ, ଆମ୍ଭଙ୍କୁ ଯେପରି ମାନ୍ୟ କର, ସ୍କନ୍ଦଙ୍କୁ ମଧ୍ୟ ସେହିପରି ମାନ୍ୟ କର । ଏହା କହି କହି ଭଦ୍ରବଟକୁ ଗମନ କଲେ । ୧୧୧ । ଅଗ୍ନିନନ୍ଦନ ଏହି ପ୍ରକାରେ ଏକ ଦିନ ମଧ୍ୟରେ ତ୍ରିଲୋକକୁ ଜୟ କରି ଓ ଦାନବମାନଙ୍କୁ ନିହତ କରି ମହର୍ଷିଗଣଙ୍କଦ୍ୱାରା ପୂଜିତ ହେଲେ । ୧୧୨ । ଯେଉଁ ବିପ୍ର ସମାହିତ ହୋଇ ସ୍କନ୍ଦଙ୍କର ଏହି ବିବରଣ ପାଠକରେ, ସେ ଇହଲୋକରେ ପୁଷ୍ଟିପ୍ରାପ୍ତ ହୋଇ ପରଲୋକରେ ସ୍କନ୍ଦଲୋକକୁ ଗମନ କରେ । ୧୧୩ ।

 

॥ ଅଧ୍ୟାୟ – ୨୩୨ ॥

 

ଯୁଧିଷ୍ଠିର କହିଲେ–ଭଗବନ ଦ୍ୱିଜୋତ୍ତମ ! ଏହି ମହାତ୍ମା କୁମାରଙ୍କର ଯେତେ ନାମ ତ୍ରିଭୁବନରେ ବିଖ୍ୟାତ ଅଛି, ତାହାସବୁ ଶ୍ରବଣ କରିବାକୁ ଆମ୍ଭେ ଇଚ୍ଛା କରୁଅଛୁଁ । ବୈଶମ୍ପାୟନ କହିଲେ, ଋଷିଙ୍କ ସମୀପରେ ବସି ଯୁଧିଷ୍ଠିର ଏହିରୂପ ପଚାରନ୍ତେ, ମହାତପା ମହାତ୍ମା ଭଗବାନ ମାର୍କଣ୍ଡେୟ କହିଲେ । ୧ । ଆଗ୍ନେୟ, ସ୍କନ୍ଦ, ଦୀପ୍ତକୀର୍ତ୍ତି, ଅନାମୟ, ମୟୂରକେତୁ, ଧର୍ମାତ୍ମା, ଭୂତେଶ, ମହିଷାର୍ଦ୍ଦନ । ୩ । କାମଜିତ୍‌, କାମଦ, କାନ୍ତ, ସତ୍ୟବାକ, ଭୁବନେଶ୍ୱର, ଶିଶୁଶୀଘ୍ର, ଶୁଚି, ଚଣ୍ଡ, ଦୀପ୍ତବର୍ଣ୍ଣ, ଶୁଭାନନ । ୪ । ଅମୋଘ, ଅନଘ, ରୌଦ୍ରପ୍ରିୟ, ଚନ୍ଦ୍ରାନନ, ଦୀପ୍ତଶକ୍ତି, ପ୍ରଶାନ୍ତାତ୍ମା, ଭଦ୍ରକୃତ୍‌, କୁଚମୋହନ, । ୫ । ଷଷ୍ଠୀପ୍ରିୟ, ପବିତ୍ର, ମାତୃବତ୍ସଳ, କନ୍ୟାଭର୍ତ୍ତା, ବିଭକ୍ତ, ସ୍ୱାହେୟ, ରେବତୀସୁତ, । ୬ । ପ୍ରଭୁନେତା, ବିଶାଖ, ନୈଶମେୟ, ସୁଦୁଶ୍ଚର, ସୁବ୍ରତ, ଲଳିତ, ବାଳକ୍ରୀଡ଼ନକପ୍ରିୟ, । ୭ । ଖଚାରୀ, ବ୍ରହ୍ମଚାରୀ, ଶୂର, ଶରଦନୋଦ୍ଭବ, ବିଶ୍ୱାମିତ୍ରପ୍ରିୟ, ଦେବସେନାପ୍ରିୟ, । ୮ । ବାସୁଦେବପ୍ରିୟ, ପ୍ରିୟ ଓ ପ୍ରିୟକୃତ୍‌, କାର୍ତ୍ତିକେୟଙ୍କର ଏହି ନାମାବଳୀକୁ ଯେ ପାଠକରନ୍ତି, ସେ ଇହଲୋକରେ କୀର୍ତ୍ତି ଓ ଧନଲାଭ କରି ପରଲୋକରେ ସ୍ୱର୍ଗକୁ ଗମନ କରନ୍ତି । ଏଥିରେ କିଛି ସଂଶୟ ନାହିଁ । ୯ ।

 

ମାର୍କଣ୍ଡେୟ କହିଲେ, ହେ କୁରୁପ୍ରବୀର ! ଶକ୍ତିଧରଙ୍କୁ ଋଷିମାନେ ସେବା କରନ୍ତି । ଷଡ଼ାନନ ବୀରବର ଓ ଅପ୍ରମେୟ ଅଟନ୍ତି । ସେ ଗୁହଙ୍କୁ ଆମ୍ଭେ ଭକ୍ତି ସହକାରେ ସ୍ତବ କରିବୁ । ତୁମ୍ଭେ ସ୍ଥିରଚିତ୍ତରେ ତତ୍ସମୁଦାୟ ବୋଧଗମ୍ୟ କର । ୧୪ । ହେ କାର୍ତ୍ତିକେୟ ! ତୁମ୍ଭେ ବ୍ରାହ୍ମଣ୍ୟ, ବ୍ରହ୍ମଜ, ବ୍ରହ୍ମବିତ୍‌, ବ୍ରହ୍ମେଶ୍ୱର, ବ୍ରହ୍ମନିଷ୍ଠ ବ୍ୟକ୍ତିଙ୍କର ନେତା । ୧୧ । ତୁମ୍ଭେ ସ୍ୱାହା, ସ୍ୱଧା, ପରମପବିତ୍ର, ଭୂଦେବ ପ୍ରାୟ ବ୍ରତଧାରୀ, ବ୍ରହ୍ମଜ୍ଞ ଓ ବ୍ରାହ୍ମଣମାନଙ୍କର ନେତା ଅଟ । ୧୧ । ତୁମ୍ଭେ ସ୍ୱାହା, ସ୍ୱଧା, ପରମପବିତ୍ର, ମନ୍ତ୍ରସ୍ତୁତ, ପ୍ରଥିତ ଓ ଷଡ଼ର୍ଚ୍ଚ । ତୁମ୍ଭେ ସମ୍ବତ୍ସର, ଷଟ୍‌ତ୍ସର, ଷଟ୍‌ଋତୁ, ପକ୍ଷ, ମାସ, ଅୟନ ଓ ଦିଗ୍‌ମଣ୍ଡଳ । ୧୨ । ତୁମ୍ଭେ କମଳନେତ୍ର, ଅରବିନ୍ଦବକ୍ର, ସହସ୍ରବକ୍ର ଓ ସହସ୍ରବ୍ରହ୍ମ । ତୁମ୍ଭେ ଲୋକପାଳ ଓ ପରମ ହବିଃ । ତୁମ୍ଭେ ସମୁଦାୟ ଦେବଦାନବଙ୍କର ଭାବୟିତା । ୧୩ । ତୁମ୍ଭେ ସେନାଧିପତି, ପ୍ରଚଣ୍ଡ, ପ୍ରଭୁ, ବିଭୁ ଓ ଶକ୍ରଜେତା । ତୁମ୍ଭେ ସହସ୍ରଭୁ, ତୁମ୍ଭେ କ୍ଷିତି, ତୁମ୍ଭେ ସହସ୍ରତୁଷ୍ଟି, ସହସ୍ରଭୁକ୍ । ୧୪ । ସହସ୍ରଶୀର୍ଷ, ସହସ୍ରପାତ୍‌, ଅନନ୍ତରୂପ ଓ ଶକ୍ତିଧାରୀ । ହେ ଦେବ ! ତୁମ୍ଭେ ସ୍ୱେଚ୍ଛାରେ ଗଙ୍ଗା, ସ୍ୱାହା, ମହୀ ଓ କୃତ୍ତିକାଗଣଙ୍କର ପୁତ୍ର ହୋଇଅଛ । ୧୫ । ହେ ଷଡ଼ାନନ ! ତୁମ୍ଭେ କୁକ୍‌କୁଟ ଯୋନିରେ କ୍ରୀଡ଼ାକର । ଅଭିଳାଷାନୁସାରେ ତୁମ୍ଭେ ନାନାବିଧ କାମ୍ୟ ରୂପ ଧରିପାର । ତୁମ୍ଭେ ସର୍ବଦା ଦକ୍ଷ, ସୋମ, ମରୁଦ୍‌ଗଣ, ଧର୍ମ, ବାୟୁ, ଗିରୀନ୍ଦ୍ର ଓ ଇନ୍ଦ୍ର । ୧୬ । ତୁମ୍ଭେ ଉଗ୍ରଧନ୍ୱା ସନାତନଗଣଙ୍କର ସନାତନ ଓ ପ୍ରଭୁମାନଙ୍କର ପ୍ରଭୁ ଅଟ । ତୁମ୍ଭେ ସତ୍ୟର କର୍ତ୍ତା, ଦାନବଦଳର ସଂହର୍ତ୍ତା, ଶତ୍ରୁମାନଙ୍କର ଜେତା, ଦେବଗଣଙ୍କର ନେତା । ୧୭ । ହେ ମହାତ୍ମନ ! ତୁମ୍ଭେ ସେହି ପରମ ସୂକ୍ଷ୍ମ, ତପସ୍ୟାସ୍ୱରୂପ । ତୁମ୍ଭେ ସ୍ୱୟଂ ପରାବର ହୋଇ ଧର୍ମକାମ ଓ ପରପଦାର୍ଥଙ୍କର ସୁଦ୍ଧା ପରାବରଜ୍ଞ ହୋଇଅଛ । ହେ ସର୍ବାମର ପ୍ରବୀର ! ତୁମ୍ଭେ ତେଜରେ ଏହି ସମୁଦାୟ ଜଗତ୍ ବ୍ୟାପ୍ତ ହୋଇଅଛ । ହେ ଲୋକନାଥ ! ଆମ୍ଭେ ଶକ୍ତି ଅନୁରୂପ ତୁମ୍ଭର ଏହି ସ୍ତୁତି କଲୁ । ହେ ଦ୍ୱାଦଶନେତ୍ର ! ହେ ଦ୍ୱାଦଶବାହୋ ! ତୁମ୍ଭଙ୍କୁ ନମସ୍କାର । ଏଥିଉତ୍ତାରୁ ଆମ୍ଭେ ତୁମ୍ଭ ମହିମାର ଗତି ଆଉ ଅଧିକ ଜାଣୁନାହିଁ । ୧୯ । ଯେଉଁ ବିପ୍ର ସମାହିତ ହୋଇ ସ୍କନ୍ଦଙ୍କର ଏହି ଜନ୍ମ ବୃତ୍ତାନ୍ତ ପାଠ କରନ୍ତି, ଯେ ଭୁଦେବମାନଙ୍କୁ ଶ୍ରବଣ କରନ୍ତି, ୨୦ । ସେ ଧନ, ଆୟୁଃ, ପ୍ରଦୀପ୍ତଯଶଃ ଓ ଅନେକ ପୁତ୍ର ଲାଭ କରନ୍ତି; ରିପୁମାନଙ୍କୁ ଜୟ କରନ୍ତି; ପୁଷ୍ଟି ଓ ତୁଷ୍ଟି ଲାଭକରି ପରିଶେଷରେ ସ୍କନ୍ଦଲୋକକୁ ଗମନ କରନ୍ତି । ୨୧ ।

 

॥ ଅଧ୍ୟାୟ – ୨୩୩ ॥

 

ବୈଶମ୍ପାୟନ କହିଲେ, ମହାତ୍ମା ପାଣ୍ଡୁପୁତ୍ରମାନେ ଓ ବିପ୍ରସମୂହ ଆସନ ଗ୍ରହଣ କଲା ଦ୍ରୂପଦଦୁହିତା ଓ ସତ୍ୟଭାମା ଦୁହେଁ ତତ୍କାଳରେ ଆଶ୍ରମ ମଧ୍ୟରେ ପ୍ରବେଶ କଲେ । ସେମାନେ ପ୍ରଫୁଲ୍ଲ ଚିତ୍ତରେ ହାସ୍ୟ ପରିହାସ କରି ସୁଖରେ ଉପବିଷ୍ଟ ହେଲେ । ହେ ରାଜେନ୍ଦ୍ର ! ପରସ୍ପର ପ୍ରିୟବାଦିନୀ ସେହି ରମଣୀ ଦୁହେଁ ବହୁ କାଳ ପରସ୍ପରକୁ ସାକ୍ଷାତ୍‍ କରି କୁରୁ ଓ ଯଦୁଗୁଣ ସମ୍ବନ୍ଧୀୟ ନାନାବିଧ ବିଚିତ୍ର ବାକ୍ୟାଳାପ କରିବାରେ ପ୍ରବୃତ୍ତ ହେଲେ ।

 

ଅନନ୍ତର କୃଷ୍ଣଙ୍କ ପ୍ରିୟା ମହିଷୀ, ଶତ୍ରାଜିତନନ୍ଦିନୀ, ସୁମଧ୍ୟମା ସତ୍ୟଭାମା । ଦ୍ରୌପଦୀଙ୍କୁ ନିର୍ଜ୍ଜନରେ ଏହି କଥା ପଚାରିଲେ । ହେ ଦ୍ରୌପଦୀ ! ତୁମ୍ଭେ କିପରି ବ୍ୟବହାରଦ୍ୱାରା ଲୋକପାଳସମ ମହାବଳଶାଳୀ, ଅତିଶୟ ଦୃଢ଼ଦେହ, ଯୁବା ପାଣ୍ଡୁ ନନ୍ଦନମାନଙ୍କୁ ବଶୀଭୂତ କରି ରଖିଥାଅ ? ହେ ଶୋଭନେ ! ସେମାନେ କି ପ୍ରକାର ତୁମ୍ଭର ବଶବର୍ତ୍ତୀ ହୋଇଥାଆନ୍ତି ଓ କି ନିମିତ୍ତ ସେମାନେ ତୁମ୍ଭପ୍ରତି କଦାପି ରୋଷ ପ୍ରକାଶ କରନ୍ତି ନାହିଁ ? ୫ । ହେ ପ୍ରିୟଦର୍ଶନେ ! ପାଣ୍ଡୁନନ୍ଦନମାନେ ସମସ୍ତେ ସର୍ବଦା ତୁମ୍ଭର ବଶମ୍ବଦ ହୋଇ ମୁଖକୁ ଚାହିଁଥାଆନ୍ତି, ଏହାର କାରଣ କ’ଣ ? ତୁମ୍ଭେ ଆମ୍ଭଙ୍କୁ ସତ୍ୟ କରି କହ । ତୁମ୍ଭଠାରେ କ’ଣ କୌଣସି ବ୍ରତଚର୍ଯ୍ୟା ଓ ତପସ୍ୟା ଅଛି କି ? ସଙ୍ଗମାଦି ସମୟରେ ପ୍ରପକ୍ତମନ୍ତ୍ରସଂଯୁକ୍ତ କୌଣସି ଔଷଧ ଅଛି ? ବିଦ୍ୟାବଳ, ମୂଳମନ୍ତ୍ର, ଜପ, ହୋମ ଅଥବା ଅନ୍ୟ କୌଣସି ପ୍ରକାର ଉପାୟ ଅଛି ? ହେ ପାଞ୍ଚାଳ ! ହେ କୃଷ୍ଣେ ! ଯଦ୍ଦ୍ୱାରା କୃଷ୍ଣ ସର୍ବଦା ଆମ୍ଭର ବଶାନୁଗାମୀ ହେବେ, ତାଦୃଶ ସୌଭାଗ୍ୟଦାୟକ କୌଣସି ପଦାର୍ଥ ଥିଲେ ଅଦ୍ୟ ଆମ୍ଭଙ୍କୁ କହ । ୮ । ଯଶସ୍ୱିନୀ ସତ୍ୟଭାମା ଏହିପରି ପଚାରି ତୁନି ହେଲେ । ପତିବ୍ରତା ମହାଭାଗ ଦ୍ରୂପଦତନୟା ତାହାଙ୍କୁ ପ୍ରତ୍ୟୁତ୍ତର ଦେଲେ । ୯ । ସତ୍ୟଭାମେ ! ତୁମ୍ଭେ ଜାଣିଶୁଣି ଆମ୍ଭଙ୍କୁ ଅସତୀ ନାରୀଙ୍କ ଆଚରଣ କଥା ପଚାରୁଅଛ । ଯେଉଁ ପଥରେ ଅସାଧୁଜନମାନେ ଯାଆନ୍ତି, ସେ ବିଷୟର ଉତ୍ତର ଦେବା କିପରି ସଙ୍ଗତ ହୋଇପାରେ ? ୧୦ । ଏ ବିଷୟରେ ପୁନଃ ପ୍ରଶ୍ନ କରିବା, ଅଥବା ସଂଶୟ କରିବା ଅନୁଚିତ; ସେ ହେତୁରୁ ତୁମ୍ଭେ ଅତିଶୟ ବୁଦ୍ଧିମତୀ, ବିଶେଷରେ କୃଷ୍ଣଙ୍କର ପ୍ରେୟସୀ ମହିଷୀ ଅଟ । ୧୧ । ଯେଉଁ କ୍ଷଣରେ ପତି ଜାଣିଲେ ଯେ ମନ୍ତ୍ର ଅଥବା ମୂଳଦ୍ୱାରା ତାହାଙ୍କର ପତ୍ନୀ ତାହାଙ୍କୁ ବଶୀଭୂତ କରିବାକୁ ଇଚ୍ଛା କରୁଅଛି, ତତ୍‌କ୍ଷଣାତ ପତ୍ନୀକୁ ଗୁହସ୍ଥିତ ଭୁଜଙ୍ଗମ ପ୍ରାୟ ଜାଣି ଉଦ୍‌ବିଗ୍ନ ହେବେ । ୧୨ । ଯେଉଁ ବ୍ୟକ୍ତି ଉଦ୍‌ବିଗ୍ନ ହୁଏ, ତାହାର ଶାନ୍ତି ନାହିଁ ? ବାସ୍ତବରେ ମନ୍ତ୍ରାଦିଦ୍ୱାରା ପତି କଦାପି ପତ୍ନୀର ବଶବର୍ତ୍ତୀ ହୁଅନ୍ତି ନାହିଁ । ୧୩ । ତଥାପି ଶତ୍ରୁମାନେ ଦାରୁଣ ରୋଗକଥା ଶୁଣି କେତେକ ଉପାୟ କରନ୍ତି । ହିଂସାର୍ଥୀ ସ୍ତ୍ରୀମାନେ ମୂଳ ପରିବର୍ତ୍ତେ ଗରଳ ଦିଅନ୍ତି । ୧୪ । ତହିଁରେ ଯେଉଁସବୁ ଚୂର୍ଣ୍ଣ ଦିଆହୋଇଥାଏ, ପୁରୁଷ ଯେବେ ତାହା ରସନଦ୍ୱାରା ସେବନ କରେ, ଅଥବା ତାହାର ଚର୍ମରେ ସେହି ଚୁର୍ଣ୍ଣ ଲାଗେ, ତେବେ ନିଃସନ୍ଦେହରେ ସେହି ପୁରୁଷ ବିନଷ୍ଟ ହୁଏ । ୧୫ । ଅନେକ ସମୟରେ ନାରୀମାନେ ଆପଣାର ପୁରୁଷମାନଙ୍କୁ ଏହି ପ୍ରକାରେ ରୋଗଯୁକ୍ତ କରାନ୍ତି । ସେମାନେ ଉଦରୀ, କୁଷ୍ଠୀ, ପୁଂସ୍ତ୍ୱହୀନ, ଜଡ଼, ଅନ୍ଧ ଅଥବା ବଧିର ହୁଅନ୍ତି । ୧୬ । ପାପୀୟସୀ ଅବଳାମାନେ ଏହିପରି କରି ସ୍ୱାମୀଙ୍କୁ ଆୟତ୍ତ କରନ୍ତି । ପରନ୍ତୁ କୌଣସି ପ୍ରକାରେ ପତିଙ୍କର ଅନିଷ୍ଟ କରିବା ପତ୍ନୀର କର୍ତ୍ତବ୍ୟ ନୁହେଁ । ୧୭ । ହେ ଯଶସ୍ୱିନୀ ସତ୍ୟଭାମେ ! ମହାତ୍ମା ପାଣ୍ଡବମାନଙ୍କ ପ୍ରତି ଆମ୍ଭେ ଯେପରି ଆଚରଣ କରୁ, ସେହିସବୁ ସତ୍ୟ ବ୍ୟବହାର ଆମ୍ଭଠାରୁ ଶ୍ରବଣ କର । ୧୮ ।

 

ଆମ୍ଭେ ସର୍ବଦା ଅଭିମାନ ତ୍ୟାଗକରି କାମ ଓ କ୍ରୋଧକୁ ଦମନ କରି ଯତ୍ନପୂର୍ବକ ପାଣ୍ଡବମାନଙ୍କର ପରିଚର୍ଯ୍ୟା କରୁ । ଈର୍ଷାକୁ ପ୍ରତିସଂହାର କରି ଚିତ୍ତକୁ ଆତ୍ମାଠାରେ ନିବିଷ୍ଟ କରି ଓ ନିରାଭିମାନିନୀ ହୋଇ ପତିମାନଙ୍କର ଶୁଶ୍ରୂଷା କରୁ । ତଦ୍ଦ୍ୱାରା ସେମାନେ ସମସ୍ତେ ଆମ୍ଭ ପ୍ରତି ସନ୍ତୁଷ୍ଟ ଥାନ୍ତି । ୨୦ । କୁତ୍ସିତ କଥା କହିବା, କୁତ୍ସିତରୂପେ ବସିବା, କୁତ୍ସିତରୂପେ ଚାହିଁବା, କୁତ୍ସିତରୂପେ ଗମନ କରିବା ତ୍ୟାଗ କରି ଓ ପତିମାନଙ୍କ କଟାକ୍ଷଦ୍ୱାରା ହୃଦୟର ଅଭିପ୍ରାୟ ଜାଣି ଶଙ୍କିତ ହୋଇ କାର୍ଯ୍ୟ କରୁ । ସୂର୍ଯ୍ୟ ଓ ଅଗ୍ନିସମାନ, ସୋମସଦୃଶ ମହାରଥ ପ୍ରତାପଶାଳୀ ପୃଥାନନ୍ଦନମାନଙ୍କୁ ଆମ୍ଭେ ଉକ୍ତରୂପେ ସେବା କରୁ । ୨୨ । ଦେବ ଅଥବା ମନୁଷ୍ୟ ଅଥବା ଗନ୍ଧର୍ବ ହେଉ ଅଥବା ଅଳଙ୍କୃତ କୌଣସି ଯୁବାପୁରୁଷ ହେଉ, ଯେଡ଼େ ଧନୀ ଅଥବା ସୁନ୍ଦର ହେଉ, ପାଣ୍ଡବଙ୍କ ବ୍ୟତିରେକେ ଅନ୍ୟପୁରୁଷ ଆମ୍ଭର ଅଭିମତ ନୁହେଁ । ୨୩ । ଆମ୍ଭର ସ୍ୱାମୀ ଭକ୍ଷଣ କରି ନ ଥିଲେ ଆମ୍ଭେ ଭକ୍ଷଣ କରୁ ନାହିଁ, ବସି ନ ଥିଲେ ଆମ୍ଭେ ବସୁ ନାହିଁ । ଶୋଇ ନ ଥିଲେ ଆମ୍ଭେ ଶୋଉ ନାହିଁ । ଭର୍ତ୍ତାଙ୍କ କଥା ତେଣେ ଥାଉ, କର୍ମଚାରୀମାନେ ସୁଦ୍ଧା ଭକ୍ଷଣ କରି ନ ଥିଲେ ଆମ୍ଭେ ଭକ୍ଷଣ କରୁନାହିଁ । କ୍ଷେତ୍ର, ବନ ଅଥବା ଗ୍ରାମରୁ ଭର୍ତ୍ତା ଯେବେ ଗୃହକୁ ଆଗମନ କରନ୍ତି, ତେବେ ଆମ୍ଭେ ଆସନରୁ ଉତ୍‌ଥିତ ହୋଇ ଆସନ ଓ ଜଳଦ୍ୱାରା ଅଭ୍ୟର୍ଥନା କରୁଁ । ୨୫ । ପାକପାତ୍ରମାନ ଓ ଗୃହର ଉପକରଣମାନ ଆମ୍ଭେ ପରିଷ୍କୃତ ରଖୁ । ନିର୍ମଳ ଅନ୍ନକୁ ଯଥାକାଳରେ ଭୋଜନ ନିମିତ୍ତ ପ୍ରଦାନ କରୁ । ବାସସ୍ଥାନକୁ ପରିଷ୍କାର ରଖୁ । ଶସ୍ୟକୁ ସୁରକ୍ଷା କରୁ । କୁତ୍ସିତ ବଚନ ମୁଖରେ କହୁନାହିଁ । ମନ୍ଦ ନାରୀଙ୍କ ସହିତ ବସାଉଠା କରୁନାହିଁ । ଅନଳସ ହୋଇ ସର୍ବଦା ତାହାଙ୍କର ଆଦେଶ ପ୍ରତିପାଳନ କରୁଁ । ୨୭ । ପରିହାସସ୍ଥଳ ବ୍ୟତିରେକେ ହାସ୍ୟ କରୁ ନାହିଁ । ସବୁବେଳେ ଦାଣ୍ଡଦ୍ୱାରେ ବସୁ ନାହିଁ । ମଳମୂତ୍ରାଦି ପରିତ୍ୟାଗ ସ୍ଥାନରେ ଅଥବା ଗୃହର ନିକଟବର୍ତ୍ତୀ ଉପବନାଦିରେ ବହୁତ ବେଳଯାଏ ରହୁ ନାହିଁ । ଅତିଶୟ ହାସ୍ୟ ଅଥବା ଅତିଶୟ କ୍ରୋଧ ଯହିଁରେ ହେବ, ସେପରି କଥା କହୁନାହିଁ । ହେ ସତେ ! ଏହିପରି ଆମ୍ଭେ ନିୟତ ପତିମାନଙ୍କର ସେବା କରୁଁ-। ୨୯ ।

 

ପତିଙ୍କର ବିଚ୍ଛେଦ କୌଣସି ପ୍ରକାରେ ଆମ୍ଭର ଇଷ୍ଟ ନୁହେଁ । କୁଟୁମ୍ବର କୌଣସି କାର୍ଯ୍ୟ କରିବାକୁ ପତି ଯେବେ ପ୍ରବାସ ଗମନ କରନ୍ତି, ୩୦ ! ତେବେ ଆମ୍ଭେ ଫୁଲ ଘେନୁନାହିଁ; ଅଥବା ଦେହରେ ସୁଗନ୍ଧ ଦ୍ରବ୍ୟ ଲେପନ କରୁନାହିଁ । ଆମ୍ଭର ପତି ଯେଉଁ ଯେଉଁ ଦ୍ରବ୍ୟ ଭୋଜନ ନ କରନ୍ତି, ଅଥବା ପାନ ନ କରନ୍ତି କିମ୍ବା ସେବନ ନ କରନ୍ତି, ତାହାସବୁ ଆମ୍ଭେ ପରିତ୍ୟାଗ କରୁ । ହେ ବରାଙ୍ଗନେ ! ପତି ଆମ୍ଭଙ୍କୁ ଯେପରି ରହିବାକୁ କହିଥାନ୍ତି, ଆମ୍ଭେ ସେହି ଅନୁସାରେ ବ୍ୟବହାର କରୁ-। ଆମ୍ଭେ ଉତ୍ତମରୂପେ ବସ୍ତ୍ରଭୂଷଣ ପରିଧାନ କରି ଯହିଁରେ ପତି ସନ୍ତୁଷ୍ଟ ହେବେ, ଯହିଁରେ ସେମାନଙ୍କର ହିତ ହେବ, ସେହିପରି କର୍ମରେ ରତ ହୋଇଥାଉ । ଆମ୍ଭର ଶାଶୁ ପୂର୍ବେ ଯେପରି କହି ଦେଇଅଛନ୍ତି, ସେହିପରି ଆମ୍ଭେ କୁଟୁମ୍ବମାନଙ୍କଠାରେ ବ୍ୟବହାର କରୁଁ । ୩୩ । ଭିକ୍ଷା ଯେପରି ଦେବାକୁ ହୁଏ, ଯେପରି ଦେବତା ଓ ଭୂତମାନଙ୍କୁ ବଳି ଦିଆଯାଏ, ପର୍ବଦିନରେ ଯେପରି ପାକ କରିବାକୁ ହୁଏ, ମାନ୍ୟବ୍ୟକ୍ତିଙ୍କର ଯେପରି ସେବା ଓ ସମାଦର କରିବାକୁ ହୁଏ ଏବଂ ଆଉ ଯାହା ଆମ୍ଭଙ୍କୁ ଜଣାଅଛି । ୩୪ । ଆମ୍ଭେ ଅନିନ୍ଦ୍ରିତ ହୋଇ ଦିବାରାତ୍ରି ତଦନରୂପ କାର୍ଯ୍ୟ କରୁଁ । ଅଧିକ କି କହିବୁ, ଆମ୍ଭେ ସର୍ବଦା ସର୍ବପ୍ରକାରେ ବିନୟପୂର୍ବକ ନିୟମାନୁସାରେ କାର୍ଯ୍ୟ କରୁ । ୩୫ । ଯେଉଁମାନଙ୍କର ସ୍ୱଭାବ ମୃଦୁ, ଚରିତ୍ର ସାଧୁ, ବଚନ ସତ୍ୟ, ଯେ ସତ୍ୟଧର୍ମକୁ ରକ୍ଷା କରନ୍ତି, ସେହି ପତିମାନଙ୍କୁ କୁପିତ ବିଷଧର ପ୍ରାୟ ଜାଣି ଆମ୍ଭେ ପରିଚର୍ଯ୍ୟା କରୁ । ୩୬ । ଯେହେତୁରୁ ଆମ୍ଭ ବିବେଚନାରେ ସ୍ୱାମୀଙ୍କ ସହିତ ଯେଉଁ ଧର୍ମରେ ପ୍ରବୃତ୍ତ ହେଉ, ସେହି ଧର୍ମ ସ୍ତ୍ରୀମାନଙ୍କର ପରମ ଧର୍ମ ଅଟେ । ପତି ସେମାନଙ୍କର ଦେବତା, ପତି ସେମାନଙ୍କର ଗତି, ପତି ଭିନ୍ନ ନାରୀମାନଙ୍କର ଅନ୍ୟ ଗତି ନାହିଁ । ୩୭ । ଅତଏବ ପତିଙ୍କର ଅପ୍ରିୟ ଆଚରଣ କରିବା କୌଣସି କାମିନୀର ଉଚିତ ନୁହେଁ । ହେ ଶୁଭଗେ ! ଆମ୍ଭେ ପତିମାନଙ୍କୁ ଅତିକ୍ରମ କରି ଭୋଜନ, ଭୂଷଣ ଅଥବା ଶୟନ କରୁ ନାହିଁ; ଅର୍ଥାତ୍ ସେ ନ ଶୋଉଣୁ ଆମ୍ଭେ ଶୋଉ ନାହିଁ । ଯେଉଁ ଅଳଙ୍କାରକୁ ସେ ସୁଖ ନ ପାଆନ୍ତି, ତାହା ଆମ୍ଭେ ପିନ୍ଧୁ ନାହିଁ । ଶାଶୁଙ୍କୁ ଆମ୍ଭେ କଦାପି ନିନ୍ଦା କରୁନାହିଁ । ସର୍ବଦା ସର୍ବପ୍ରକାରେ ସାବଧାନ ହୋଇ ଚଳୁ । ଆମ୍ଭେ ଆଳସ୍ୟ ନ କରି ସର୍ବକାର୍ଯ୍ୟରେ ଉଦ୍ୟତ ହୋଇଥିବାରୁ ଓ ସାବଧାନ ଥିବାରୁ ଅଥଚ ଗୁରୁଶ୍ୱଶ୍ରୂଷା କରିବାରୁ ପତିମାନେ ଆମ୍ଭର ବଶୀଭୂତ ହୋଇଅଛନ୍ତି । ୩୯-। ଆମ୍ଭର ଶାଶୁ ଆର୍ଯ୍ୟା କୁନ୍ତୀ ବୀରପ୍ରସବିନୀ, ସତ୍ୟବାଦିନୀ ଓ ପୃଥ୍ୱୀ ପ୍ରାୟ ସହନଶୀଳ; ଆମ୍ଭେ ସ୍ୱୟଂ ତାହାଙ୍କୁ ଭୋଜନ, ପାନ ଓ ଆଚ୍ଛାଦନଦ୍ୱାରା ସର୍ବଦା ସେବା କରୁ । ତାହାଙ୍କ ଅପେକ୍ଷା ଭଲ ଲୁଗା ପିନ୍ଧୁ ନାହିଁ କି ଉତ୍ତମ ଦ୍ରବ୍ୟ ଭୋଜନ କରୁନାହିଁ । ବାକ୍ୟରେ ତାହାଙ୍କୁ କଦାପି ନିନ୍ଦା କରୁନାହିଁ-। ୪୧ ।

 

ପୂର୍ବେ ଯୁଧିଷ୍ଠିରଙ୍କ ଗୃହରେ ପ୍ରତିଦିନ ଯେଉଁ ଆଠହଜାର ବ୍ରାହ୍ମଣ ସୁବର୍ଣ୍ଣପାତ୍ରରେ ଭୋଜନ କରୁଥିଲେ, । ୪୨ । ଯୁଧିଷ୍ଠିର ଯେଉଁ ଅଠାଅଶୀ ହଜାର ଗୃହମେଧୀ ସ୍ନାତକ ବ୍ରାହ୍ମଣମାନଙ୍କୁ ପ୍ରତ୍ୟେକଙ୍କପ୍ରତି ତିରିଶ ଜଣ ଲେଖାଏ ଦାସୀ ନିଯୁକ୍ତ କରି ଭରଣ ପୋଷଣ କରୁଥିଲେ । ୪୩ । ଏଥି ଉତ୍ତରୁ ଆଉ ଯେ ଦଶ ହଜାର ଊର୍ଦ୍ଧ୍ୱରେତା ଯତିମାନଙ୍କୁ ସୁସଂସ୍କୃତ ଅନ୍ନ ହିରଣ୍ୟପାତ୍ରରେ ପ୍ରଦତ୍ତ ହେଉଥିଲା, ସେହିସବୁ ବ୍ରହ୍ମବାଦୀ ବ୍ରାହ୍ମଣମାନଙ୍କୁ ଆମ୍ଭେ ବୈଶ୍ୱଦେବ ପରେ ଅଗ୍ରେ ଭୋଜନ, ପାନ ଓ ଆଚ୍ଛାଦନଦ୍ୱାରା ଯଥାଯୋଗ୍ୟ ଅର୍ଚ୍ଚନା କରୁ । ୪୫ । ମହାତ୍ମା ଯୁଧିଷ୍ଠିରଙ୍କର ଯେଉଁ ଲକ୍ଷେ ଦାସୀ ଥିଲେ, ସେ ସମସ୍ତଙ୍କର ନାମ, ରୂପ ଓ କିଏ କି ଭୋଜନ କରନ୍ତି, କ’ଣ ପରିଧାନ କରନ୍ତି ଓ କିଏ କି କର୍ମ କରନ୍ତି, ତାହାସବୁ ଆମ୍ଭଙ୍କୁ ଜଣାଅଛି । ସେହି ଦାସୀମାନେ ଶଙ୍ଖା, ସୁବର୍ଣ୍ଣ, ଶିରୋଭୂଷଣ, କଣ୍ଠରେ ସ୍ୱର୍ଣ୍ଣହାର ପିନ୍ଧି ଥାଆନ୍ତି । ସେମାନେ ଉତ୍ତମରୂପେ ଅଳଙ୍କୃତା ହୋଇଥାଆନ୍ତି; ମହାମୂଲ୍ୟ ମାଲ୍ୟ, ଆଭରଣ, ଉତ୍ତମ ବସନ ପିନ୍ଧି ଚନ୍ଦନରେ ଚର୍ଚ୍ଚିତା ହୋଇଥାଆନ୍ତି ଏବଂ ଅତିରିକ୍ତ ସୁବର୍ଣ୍ଣ ଓ ରତ୍ନରାଜିରେ ବିଭୂଷିତା ହୋଇଥାଆନ୍ତି ଅଥଚ ନୃତ୍ୟ ଓ ଗୀତ ଗାୟନରେ ମଧ୍ୟ ବିଶାରଦା ଅଟନ୍ତି । ୪୮ । ଧର୍ମରାଜଙ୍କର ଆଉ ଲକ୍ଷେ ଦାସୀ ହସ୍ତରେ ପାତ୍ରୀ ଘେନି ଦିନରାତ୍ର ଅତିଥିମାନଙ୍କୁ ଭୋଜନ କରାନ୍ତି । ୪୯ ।

 

ଇନ୍ଦ୍ରପ୍ରସ୍ଥରେ ନିବାସ କରୁଥିଲାବେଳେ କୁନ୍ତୀନନ୍ଦନଙ୍କ ପଛେ ପଛେ ଲକ୍ଷେ ଅଶ୍ୱ ଓ ଲକ୍ଷେ ହସ୍ତୀ ଅନୁଗାମୀ ହୁଅନ୍ତି । ୫୦ । ନରନାଥ ଯୁଧିଷ୍ଠିର ଯେତେବେଳେ ପୃଥ୍ୱୀ ପରିପାଳନ କରୁଥିଲେ, ସେତେବେଳେ ଏମାନେ ସବୁ ଥିଲେ; କିନ୍ତୁ ମୁଁ ସେମାନଙ୍କର ସଂଖ୍ୟା ନିର୍ଦ୍ଦିଷ୍ଟ କରିଦିଏ ଓ କିଏ କେତେବେଳେ କେଉଁଠାକୁ ଯିବେ, ତାହା ସବୁ ସ୍ଥିର କରି ଦିଏ ଓ ଶ୍ରବଣ କରେ । ୫୧ । ଅନ୍ତଃପୁରବାସୀଙ୍କଠାରୁ ଗୋପାଳ ଓ ମେଷପାଳ ପର୍ଯ୍ୟନ୍ତ ଯେତେ ଭୃତ୍ୟବର୍ଗ ଥିଲେ ଓ ଯେ ଯାହା କରୁଥିଲେ, ତାହାସବୁ ଆମ୍ଭଙ୍କୁ ଜଣାଥିଲା । ୫୨ । ହେ ଯଶସ୍ୱିନି ! କଲ୍ୟାଣି ! ମୁଁ ଏକାକୀ ରାଜାଙ୍କର ଯେତେ ଆୟ ଓ ବ୍ୟୟ ହୁଏ, ତାହା ଅବଗତ ହେଉଥିଲି । ୫୩ । କୁଟୁମ୍ବଙ୍କର ଭାର ସମର୍ପଣ କରି ସ୍ୱୟଂ ଉପାସନାରେ ରତ ହୋଇ ପାରୁଥିଲେ । ୫୪ । ଦୁରାତ୍ମାମାନଙ୍କ ପକ୍ଷରେ ଏହି ଭାର ବହନ କରିବା ଅସମ୍ଭବ; କିନ୍ତୁ ମୁଁ ନିଜର ସୁଖ ପରିତ୍ୟାଗ କରି ଦିବାରାତ୍ର ଏ କାର୍ଯ୍ୟ କରୁଥିଲି-। ୫୫ । ଆମ୍ଭର ଭର୍ତ୍ତାମାନେ ଧର୍ମ କାର୍ଯ୍ୟରେ ରତ ହୋଇ ଥାଆନ୍ତି ଓ ମୁଁ ଏକାକିନୀ ସେମାନଙ୍କର ଭଣ୍ଡାରଘର ପର୍ଯ୍ୟବେକ୍ଷଣ କରୁଥିଲି, ଯେଉଁ ଭଣ୍ଡାର ଘର ବରୁଣଙ୍କ ରତ୍ନାକର ପ୍ରାୟ ଅଗମ୍ୟ ଥିଲା-। ୫୬ । ଦିବାରାତ୍ର କ୍ଷୁଧା ଓ ପିପାସା ସହ୍ୟ କରି କୁରୁନନ୍ଦନଙ୍କ ଆରାଧନାରେ ତତ୍ପର ଥିଲି-। କେତେବେଳେ ରାତ୍ର ପ୍ରଭାତ ହୁଏ ଓ ସନ୍ଧ୍ୟା ଉପସ୍ଥିତ ହୁଏ, ତାହା ମୋତେ ଜଣାଯାଏ ନାହିଁ । ୫୭ । ସବୁଦିନେ ମୁଁ ସମସ୍ତଙ୍କ ଆଗରୁ ଉଠେ ଓ ସମସ୍ତଙ୍କ ପଛେ ଶୟନ କରେ-

 

ହେ ସତ୍ୟଭାମେ ! ଏହିସବୁ ମୋର ବଶୀକରଣ ମନ୍ତ୍ର । ୫୮ । ପତିଙ୍କୁ ବଶୀଭୂତ କରିବା ଏହି ମହତ ଉପାୟ ଆମ୍ଭଙ୍କୁ ଜଣାଅଛି । ମୁଁ ଅସାଧ୍ୱୀ ନାରୀଙ୍କ ପ୍ରାୟ ମନ୍ଦାଚରଣ କରେ ନାହିଁ କି କରିବାକୁ ଅଭିଳାଷ କରେ ନାହିଁ । ୫୯ । ବୈଶମ୍ପାୟନ କହିଲେ, ଦ୍ରୂପଦନନ୍ଦିନୀଙ୍କର କାହାଣୀକୁ ସତ୍ୟଭାମା ଶୁଣି ଓ ତାହାଙ୍କର ଧର୍ମସଂଯୁକ୍ତ ବାକ୍ୟ ଅବଗତ ହୋଇ ଧର୍ମଚାରିଣୀ ଦ୍ରୌପଦୀଙ୍କୁ ସତ୍କାରପୂର୍ବକ କହିଲେ, । ୬୦ । ହେ ଦ୍ରୂପଦନନ୍ଦିନି ! ମୁଁ ଅପରାଧିନୀ ହୋଇଅଛି । ହେ ଯାଜ୍ଞସେନି-! ମୋତେ କ୍ଷମା କର । ଦେଖ, ସଖୀମାନେ ଏହିପରି ପରିହାସରେ ଯାହା ଯାହା କହିଥାଆନ୍ତି, ତାହା ମନରେ ଧର ନାହିଁ । ୬୧ ।

 

Unknown

॥ ଅଧ୍ୟାୟ – ୨୩୪ ॥

 

ଦ୍ରୌପଦୀ କହିଲେ, ସଖି ! କିପରି ପତିଙ୍କ ଚିତ୍ତକୁ ଆକର୍ଷଣ କରିବାକୁ ହୁଏ, ତାହା ତୁମ୍ଭଙ୍କୁ କହିଲି । ଏଥିରେ କୁହୁକ କିଛି ନାହିଁ । ମୁଁ ଯେପରି କହିଲି, ତୁମ୍ଭେ ସେପରି ସଉତୁଣୀଙ୍କଠାରୁ ଆପଣା ପତିଙ୍କୁ ବଳପୂର୍ବକ ହରଣ କରି ଆଣିପାରିବ । ୧ । ହେ ସତ୍ୟଭାମେ ! ଲୋକରେ ସମୁଦାୟ ଦେବତାଙ୍କ ମଧ୍ୟରେ ପତିଙ୍କ ପ୍ରାୟ କେହି ଦେବତା ନାହାନ୍ତି । ଯେହେତୁ ତାହାଙ୍କ ପ୍ରସାଦରୁ ସର୍ବପ୍ରକାର ଅଭିଳଷିତ ସିଦ୍ଧ ହୋଇପାରେ ଓ କୋପକଲେ ସବୁ ବିନାଶ କରିପାରନ୍ତି । ୨ । ତାହାଙ୍କଠାରୁ ସନ୍ତାନ, ନାନାବିଧ ଭୋଗ, ସୁଦୃଶ୍ୟ ଶଯ୍ୟା, ଆସନ, ବସନ, ମାଲ୍ୟ, ସୁଗନ୍ଧଦ୍ରବ୍ୟ, ମହତୀ କୀର୍ତ୍ତି ଓ ସ୍ୱର୍ଗଲୋକ ଲାଭ ହୋଇପାରେ । ୩ । ସଂସାରରେ ସୁଖଦ୍ୱାରା କଦାପି ସୁଖଲାଭ ହୁଏ ନାହିଁ; କିନ୍ତୁ ସାଧ୍ୱୀ ସ୍ତ୍ରୀ ଦୁଃଖଦ୍ୱାରା ସବୁସୁଖ ଲାଭ କରିପାରେ । ଅତଏବ ତୁମ୍ଭେ ସୌହାର୍ଦ୍ଦ୍ୟ, ପ୍ରେମ ଓ ବେଶଭୂଷାଦ୍ୱାରା କୃଷ୍ଣଙ୍କୁ ପ୍ରତିଦିନ ଆରାଧନା କର । ୪ । ତାହାଙ୍କୁ ଉତ୍ତମ ଆସନ ଦେଇ, ମନୋହର ମାଲ୍ୟ ପିନ୍ଧାଇ, ସୁବାସ ଦ୍ରବ୍ୟ ଲେପନ କରି, ଯହିଁରେ ଯେ ପ୍ରସନ୍ନ ହେବେ, ତାହା ସମ୍ପନ୍ନ କରି ତାହାଙ୍କର ପ୍ରୀତିଭାଜନ ହୁଅ । ଯହିଁରେ ସେ ପ୍ରସନ୍ନ ହେବେ ତାହା ତୁମ୍ଭେ ସର୍ବଦା ତତ୍ପର ହୋଇ କରିବ । ୫ । ପତି ଯେତେବେଳେ ଦ୍ୱାର ନିକଟକୁ ଆସିଲେ ତେତେବେଳେ ତାହାଙ୍କ କଣ୍ଠସ୍ୱର ଶୁଣି ତତ୍‌କ୍ଷଣାତ ଉଠି ଛିଡ଼ା ହେବ । ସେ ଯେତେବେଳେ ଗୃହକୁ କୌଣସି କାର୍ଯ୍ୟ କରିବାକୁ ଦାସୀଙ୍କୁ ଡାକିଲେ ମଧ୍ୟ ତୁମ୍ଭେ ସ୍ୱୟଂ ଉଠି ସେହି କାର୍ଯ୍ୟ ସମ୍ପନ୍ନ କରିବ ।

 

ହେ ସତ୍ୟଭାମେ ! କୃଷ୍ଣ ଜାଣନ୍ତୁ ଯେ ସତ୍ୟଭାମା ତାହାଙ୍କୁ ସର୍ବପ୍ରକାରେ ଭଜନା କରନ୍ତି । ୭ । ତୁମ୍ଭର ପତି ତୁମ୍ଭ ନିକଟରେ ଯେଉଁ କଥା କହିବେ, ତାହା ଗୋପନୀୟ ହୋଇ ନ ଥିଲେ ହେଁ ତୁମ୍ଭେ ଗୋପନ କରି ରଖିବ । କାରଣ ଏହି ଯେ ତୁମ୍ଭର କୌଣସି ସପତ୍ନୀ ଯେବେ ସେ କଥା ଶ୍ରବଣ କରି ତାହାଙ୍କ ନିକଟରେ ବ୍ୟକ୍ତ କରେ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କର ସ୍ନେହ ହ୍ରାସ ହୋଇପାରେ । ୮ । ଯେଉଁମାନେ ତୁମ୍ଭ ପତିଙ୍କର ପ୍ରୀତିପାତ୍ର, ଅନୁରକ୍ତ ଓ ହିତକାରୀ, ସେମାନଙ୍କୁ ତୁମ୍ଭେ ନାନାବିଧ ଉତ୍ତମ ଦ୍ରବ୍ୟ ଭୋଜନ କରାଇବ ଓ ଯେଉଁମାନଙ୍କୁ ସେ ଦ୍ୱେଷ କରନ୍ତି ଓ ଯେଉଁମାନେ ତୁମ୍ଭ ସ୍ୱାମୀଙ୍କର ବିପକ୍ଷ ଓ ଅହିତକାରୀ ଏବଂ ଯେଉଁମାନେ କୁହୁକ କରିବାକୁ ଉଦ୍ୟତ, ସେମାନଙ୍କ ସଙ୍ଗ ସର୍ବଦା ପରିତ୍ୟାଗ କରିବ । ୯ । ପୁରୁଷମାନଙ୍କ ନିକଟରେ ଅନବଧାନତା ପରିତ୍ୟାଗ କରି ମୌନାବଲମ୍ବନପୂର୍ବକ ଆପଣାର ଅଭିପ୍ରାୟ ବ୍ୟକ୍ତ କରିବ ନାହିଁ । ତୁମ୍ଭର ପୁତ୍ର ପ୍ରଦ୍ୟୁମ୍ନ ଓ ଶାମ୍ବଙ୍କ ସହିତ ସୁଦ୍ଧା ତୁମ୍ଭେ ନିର୍ଜନରେ ବସା ଉଠା ଅଥବା ସମ୍ଭାଷଣ କରିବ ନାହିଁ । ଯେଉଁ ନାରୀମାନେ ପତିବ୍ରତା, ଉତ୍ତମ କୁଳରୁ ଜାତ, ସେହିମାନଙ୍କ ସଙ୍ଗେ ସଖ୍ୟ ସ୍ଥାପନ କରିବ । ଅତିଶୟ କୋପନସ୍ୱଭାବ, ମତ୍ତ, ବହୁଭୋଜୀ, ଚୌର, ଦ୍ୱେଷପର ଓ ଚଞ୍ଚଳସ୍ୱଭାବା ନାରୀମାନଙ୍କ ସଙ୍ଗ ସର୍ବଦା ପରିତ୍ୟାଗ କରିବ । ୧୧ । ଏହିରୂପ ବ୍ୟବହାରଦ୍ୱାରା ତୁମ୍ଭର ଯଶ ହେବ, ସୌଭାଗ୍ୟ ବଢ଼ିବ; ଶତ୍ରୁମାନେ ନିପାତିତ ହେବେ ଓ ତୁମ୍ଭର ଇଷ୍ଟ ସିଦ୍ଧ ହେବ । ଅତଏବ ତୁମ୍ଭେ ମହାମୂଲ୍ୟ ମାଲ୍ୟ, ଆବରଣ, ଅଙ୍ଗରାଗ ଘେନି ପବିତ୍ର ଗନ୍ଧବତୀ ହୋଇ ପତିଙ୍କୁ ଆରାଧନା କର । ୧୨ ।

 

॥ ଅଧ୍ୟାୟ – ୨୩୫ ॥

 

ବୈଶମ୍ପାୟନ କହିଲେ, ମାର୍କଣ୍ଡେୟ ପ୍ରଭୃତି ବିପ୍ରବର୍ଗ ଓ ମହାତ୍ମା ପାଣ୍ଡୁନନ୍ଦନଙ୍କ ସଙ୍ଗେ ମଧୁସୂଦନ ଜନାର୍ଦ୍ଦନ କଥାପ୍ରସଙ୍ଗରେ କିୟତ୍କାଳ ସେଠାରେ ଅବସ୍ଥାନ କଲେ । ୧ । ପରିଶେଷରେ ସେମାନଙ୍କ ସହିତ ବିଦାୟକାଳୋଚିତ ସମ୍ଭାଷଣାଦି କରିସାରି ରଥରେ ଆରୋହଣ କରିବାକୁ ଅଭିଳାଷୀ ହୋଇ ସତ୍ୟଭାମାଙ୍କୁ ଡାକିଲେ । ୨ । ଅନନ୍ତର ସତ୍ୟଭାମା ସେଠାରେ ଦ୍ରୂପଦଦୁହିତାଙ୍କୁ ଆଲିଙ୍ଗନ କରି ବାଷ୍ପରୁଦ୍ଧ ସ୍ୱରରେ ଏହି ମନୋହର ବାକ୍ୟ କହିଲେ । ୩ । ହେ କୃଷ୍ଣେ ! ତୁମ୍ଭର ଉତ୍କଣ୍ଠିତ ହେବା ଓ ମନୋଦୁଃଖ କରିବା ଅଥବା ନିଶାଜାଗରଣ କରିବା ନିଷ୍ପ୍ରୟୋଜନ । ତୁମ୍ଭେ ଦେବତୁଲ୍ୟ ପତିଗଣଙ୍କଦ୍ୱାରା ଶତ୍ରୁଜିତ ଭୂମଣ୍ଡଳ ଅବଶ୍ୟ ପ୍ରାପ୍ତ ହେବ । ୪ । ହେ ଅସିତେକ୍ଷଣେ ! ତୁମ୍ଭ ସଦୃଶୀ ଶୀଳସମ୍ପନ୍ନା ଓ ପ୍ରଶଂସିତଲକ୍ଷଣା ସ୍ତ୍ରୀଙ୍କର ଚିରକାଳ କ୍ଳେଶ ହୁଏ ନାହିଁ । ୫ । ଅତଏବ ଆମ୍ଭେ ପ୍ରତିଜ୍ଞା କରି କହୁଅଛୁ ଯେ ତୁମ୍ଭେ ଅବଶ୍ୟ ଭର୍ତ୍ତୃଗଣଙ୍କ ସହିତ ନିଷ୍କଣ୍ଟକ ଭାବରେ ଓ ନିର୍ବିଘ୍ନରେ ଏହି ଭୂମିକୁ ଭୋଗ କରିବ । ୬ । ହେ ଦ୍ରୂପଦନନ୍ଦିନି ! ତୁମ୍ଭେ ନିଶ୍ଚୟ ଦେଖିବ ଯେ ଯୁଧିଷ୍ଠିର ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଓ ସମୁଦାୟ ଶତ୍ରୁମାନଙ୍କୁ ନିଃଶେଷ କରି ଏହି ଭୂମଣ୍ଡଳକୁ ଆପଣାର କରଗତ କରିବେ । ୭ । ଯେଉଁ କୁରୁନାରୀମାନେ ଅହଙ୍କାରରେ ଉନ୍ମତ୍ତା ହୋଇ ତୁମ୍ଭର ବନଗମନ ସମୟରେ ପରିହାସ କରିଥିଲେ, ସେମାନେ ଶୀଘ୍ର ପ୍ରାଣତ୍ୟାଗର ସଂକଳ୍ପ କରିବେ । ଏହା ତୁମ୍ଭେ ଦେଖିବ । ୮ ।

 

ହେ କୃଷ୍ଣେ ! ତୁମ୍ଭେ ଦୁଃଖଦଶା ପ୍ରାପ୍ତ ହେଲା ପରେ ଯେଉଁମାନେ ତୁମ୍ଭର ଅପ୍ରିୟ କାର୍ଯ୍ୟ କରିଥିଲେ, ସେମାନେ ସମସ୍ତେ ଯମାଳୟକୁ ପ୍ରସ୍ଥାନ କରିଅଛନ୍ତି, ଏହା ଜାଣିବ । ୯ । ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କଦ୍ୱାରା ତୁମ୍ଭର ପୁତ୍ର ପ୍ରତିବିନ୍ଧ୍ୟ, ସୁତସୋମ, ଶ୍ରୁତକର୍ମା, ଶତାନିକ ଓ ଶ୍ରୁତସେନ ବୋଲି ଯେଉଁ ବୀରମାନେ ଜନ୍ମି ଅଛନ୍ତି, ସେମାନେ ସମସ୍ତେ କୁଶଳରେ ଅଛନ୍ତି ଓ କୃତାସ୍ତ୍ର ହୋଇଅଛନ୍ତି । ୧୧ । ସେମାନେ ଅଭିମନ୍ୟୁଙ୍କ ପରି ପ୍ରୀଚଚିତ୍ତରେଦ୍ୱାରାବତୀ ନଗରୀରେ ଅତିଶୟ ଅନୁରକ୍ତା ହୋଇଅଛନ୍ତି । ସୁଭଦ୍ରା ମଧ୍ୟ ସେମାନଙ୍କ ଦୁଃଖରେ ଦୁଃଖିନୀ ଓ ସୁଖରେ ସୁଖିନୀ ହୋଇ ସର୍ବତୋଭାବରେ ପ୍ରୀତି ସହକାରେ ସେମାନଙ୍କ ପ୍ରତି ବ୍ୟବହାର କରୁଅଛନ୍ତି । ପୁନଶ୍ଚ ସେହି ପୁତ୍ରମାନଙ୍କ ବ୍ୟବହାରଦ୍ୱାରା ସୁଭଦ୍ରା ମଧ୍ୟ ସର୍ବଥା ତୁମ୍ଭରି ପରି ବ୍ୟଥାରହିତା ହୋଇ ସୁଖଯତ୍ନ କରୁଅଛନ୍ତି । ୧୩ । ପ୍ରଦ୍ୟୁମ୍ନଙ୍କର ମାତା ମଧ୍ୟ ସେହିପରି ସର୍ବପ୍ରକାର ଯତ୍ନରେ ସେମାନଙ୍କର ଭଜନା କରୁଅଛନ୍ତି ଓ କେଶବ ଭାନୁ ପ୍ରଭୃତି ସୁତଗଣଙ୍କ ସହିତ ତୁମ୍ଭ ପୁତ୍ରମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରୁଅଛନ୍ତି । ୧୪ । ହେ ଭାବିନି ! ଆମ୍ଭର ଶ୍ୱଶୁର ଏମାନଙ୍କର ଭୋଜନ ଓ ଆଚ୍ଛାଦନ ବିଷୟରେ ନିତ୍ୟ ନିଯୁକ୍ତ ଅଛନ୍ତି ଓ ରାମ ପ୍ରଭୃତି ସମୁଦାୟ ଅନ୍ଧକ ଓ ବୃଷ୍ଣିଗଣ ଏମାନଙ୍କର ଯତ୍ନ ନେଉଅଛନ୍ତି; କାରଣ ସେମାନେ ପ୍ରଦ୍ୟୁମ୍ନଙ୍କ ପ୍ରତି ଯେପରି ସ୍ନେହ କରିଥାନ୍ତି, ତୁମ୍ଭର ପୁତ୍ରମାନଙ୍କୁ ସେହିପରି ସ୍ନେହ କରନ୍ତି । କୃଷ୍ଣମହିଷୀ ଭାବିନୀ ସତ୍ୟଭାମା ଏହିପରି ମନୋହର, ହୃଦୟଙ୍ଗମ, ପ୍ରିୟ ଅଥଚ ସତ୍ୟବାକ୍ୟସବୁ କହି କୃଷ୍ଣଙ୍କ ରଥକୁ ଗମନ କରିବାକୁ ଇଚ୍ଛା କଲେ । ତତ୍ପରେ ସର୍ବତୋଭାବେ ଦ୍ରୂପଦଦୁହିତାଙ୍କୁ ପ୍ରଦକ୍ଷିଣ କରି କେଶବଙ୍କ ରଥରେ ଆରୋହଣ କଲେ । ସେତେବେଳେ ଯଦୁଶ୍ରେଷ୍ଠ କୃଷ୍ଣ ଈଷତ୍ ହାସ୍ୟ କରି ଦ୍ରୂପଦନନ୍ଦିନୀଙ୍କୁ ଯଥୋଚିତ ସାନ୍ତ୍ୱନା ଦେଇ ଓ ପାଣ୍ଡୁନନ୍ଦନମାନଙ୍କୁ ଫେରାଇ ଦେଇ ବେଗଗାମୀ ତୁରଙ୍ଗମାନଙ୍କଦ୍ୱାରା ସେଠାରୁ ଯାଇ ନିଜପୁରରେ ଉପସ୍ଥିତ ହେଲେ ।

 

॥ ଅଧ୍ୟାୟ – ୨୩୬ ॥

 

ଜନମେଜୟ କହିଲେ, କୁନ୍ତୀନନ୍ଦନମାନେ ନରଶ୍ରେଷ୍ଠ ଅଟନ୍ତି । କାନନ ମଧ୍ୟରେ ସେମାନେ ଏହିପରି ଅବସ୍ଥାନ କରି ଖରା, ବର୍ଷା, ପବନ, ଶୀତ ଓ ଉଷ୍ମ ସହ୍ୟ କରି କ୍ଷୀଣକାୟ ହୋଇଗଲେ । ସେହି ପୁଣ୍ୟ ଅରଣ୍ୟ ଓ ସରୋବର ପ୍ରାପ୍ତ ହୋଇ ବେଦନନ୍ତର କଅଣ କଲେ, କହିବା ହେଉନ୍ତୁ । ୧ । ବୈଶମ୍ପାୟନ କହିଲେ, ପାଣ୍ଡୁନନ୍ଦନମାନେ ସେହି ସରୋବର ନିକଟରେ ଉପନୀତ ହେଲା ଉତ୍ତାରୁ ମନୁଷ୍ୟର ବାସସ୍ଥାନକୁ ପରିତ୍ୟାଗ କରି ପର୍ଣ୍ଣଶାଳା ନିର୍ମାଣ କରି ରମଣୀୟ ଅରଣ୍ୟ, ଶୈଳ, ନଦୀପ୍ରଦେଶମାନଙ୍କରେ ବିଚରଣ କଲେ । ୨ । ସେହି ବୀରଶ୍ରେଷ୍ଠମାନେ ବନରେ ବାସ କରୁଥିବାବେଳେ ସ୍ୱାଧ୍ୟାୟଶୀଳ ତପସ୍ୱୀ, ବେଦବେତ୍ତା ବ୍ରାହ୍ମଣ, ପୁରାଣାଚାର୍ଯ୍ୟମାନେ ତାହାଙ୍କ ନିକଟକୁ ସମାଗତ ହେଲେ । ଅନନ୍ତର ସେହି ନରପୁଙ୍ଗବମାନେ ତାହାଙ୍କର ଯଥାବିଧାନ ପୂଜା କଲେ । ୩ ।

 

ତଦନନ୍ତର ଦିନେ କଥାବାର୍ତ୍ତା କହିବା ବିଷୟରେ ଅତି କୁଶଳ ଜଣେ ବ୍ରାହ୍ମଣ ଅକସ୍ମାତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ । ବିଚିତ୍ରବୀର୍ଯ୍ୟଙ୍କର ସେହି ବଂଶଧରମାନଙ୍କୁ ଦେଖି ଆହ୍ଲାଦପୂର୍ବକ ସେମାନଙ୍କ ନିକଟରୁ ଆସି ବୃଦ୍ଧ ରାଜା ଧୃତରାଷ୍ଟ୍ରଙ୍କ ସମୀପରେ ଉପସ୍ଥିତ ହେଲେ । ୪ । ବୃଦ୍ଧରାଜା ତାହାଙ୍କର ସତ୍କାର କରି ପ୍ରଶ୍ନ କରନ୍ତେ, ସେହି ବ୍ରାହ୍ମଣ କଥା ଆରମ୍ଭ କଲେ । ଧର୍ମ, ପବନ, ଇନ୍ଦ୍ର ଓ ଅଶ୍ୱିନୀକୁମାରଙ୍କ ପ୍ରାୟ ଯେପରି ଶୀତୋଷ୍ଣ ସହ୍ୟକରି ବନରେ ବାସ କରୁଥିଲେ; ସେମାନଙ୍କ କଥା ସେ ବିପ୍ର କହିବାକୁ ଆରମ୍ଭ କଲେ । ୬ । ତଦନନ୍ତର ତାହାଙ୍କର କଥା ବିଚିତ୍ରବୀର୍ଯ୍ୟପୁତ୍ର ରାଜା ଧୃତରାଷ୍ଟ୍ର ଶ୍ରବଣ କରି କୃପାରେ ସନ୍ତପ୍ତ ହୋଇ ରାଜାଙ୍କର ପୁତ୍ର ଓ ପୌତ୍ରମାନେ ଯେପରି ବନ ମଧ୍ୟରେ ଦୁଃଖ ନଦୀରେ ଭାସୁଥିଲେ, ତାହା ଶ୍ରବଣ କଲେ । ୭ । ସେମାନଙ୍କ ଦୁଃଖବୃତ୍ତାନ୍ତ ଶ୍ରବଣ କରି ରାଜାଙ୍କ ଅନ୍ତଃକରଣ ଶୋକରେ ସନ୍ତାପିତ ହେଲା । ନିଃଶ୍ୱାସ ପବନରେ ଆହତ ହୋଇ ତାହାଙ୍କ ମୁଖରୁ କଥା ନିଃସୃତ ନୋହିଲେ ହେଁ ଆପଣାକୁ ସେହିସବୁ ଦୁଃଖର ମୂଳକାରଣ ଜାଣି କୌଣସି ପ୍ରକାରେ ଶୋକସମ୍ବଣ କରି କହିଲେ, । ୮ । ଆମ୍ଭର ପୁତ୍ରମାନଙ୍କ ମଧ୍ୟରେ ଜ୍ୟେଷ୍ଠ, ସତ୍ୟଶୀଳ, ଆର୍ଯ୍ୟପଥାନୁଗାମୀ, ଧର୍ମରାଜ ଯାହାଙ୍କର ଏହି ପୃଥିବୀତଳରେ କେହି ଶତ୍ରୁ ନାହାନ୍ତି ଓ ଯେ ପୂର୍ବେ ରଙ୍କୁ ମୃଗର ଲୋମନିର୍ମିତ କୋମଳ ଆସ୍ତରଣରେ ଶୟନ କରୁଥିଲେ, ସେ କିପରି ଭୂମିରେ ଶୟନ କରୁଅଛନ୍ତି । ୯ । ମଗଧଦେଶୀୟ ଭାଟମାନଙ୍କ ସ୍ତୁତି ପାଠ ଶ୍ରବଣ କରି ପୂର୍ବେ ଯେ ନିଦ୍ରାରୁ ପ୍ରବୃଦ୍ଧ ହେଉଥିଲେ ବର୍ତ୍ତମାନ ସେହି ଇନ୍ଦ୍ରସଦୃଶ ବୀର ପକ୍ଷୀମାନଙ୍କର ବିରାବ ଶ୍ରବଣ କରି ଭୂତଳସ୍ଥ ଶଯ୍ୟାରୁ ଜାଗରିତ ହେଉଥିବେ । ୧୦ । କୃଷ୍ଣାଙ୍କ ସମୀପରେ କୋପପୂର୍ଣ୍ଣ କଳେବର ବୃକୋଦର ଯେ କି ପୂର୍ବେ ମହାର୍ହ ଶଯ୍ୟାରେ ଶୟନ କରୁଥିଲେ, ସେ କିପରି ଏବେ ବସୁଧାତଳରେ ଶୟନ କରୁଅଛନ୍ତି ? ତାହାଙ୍କର ଏହି ଦୁଃଖ କୃଷ୍ଣା ଦେଖୁଥିବାରୁ ସେହି କୋପରାଶି କେତେ ଦୂର ପ୍ରଜ୍ଜ୍ୱଳିତ ହେଉ ନ ଥିବ ! ୧୧ । ସୁକୁମାରାଙ୍ଗ, ମନସ୍ୱୀ ଅର୍ଜୁନ ରାଜା ଧର୍ମସୁତଙ୍କ ବଶରେ ଥିବାରୁ ସିନା କ୍ରୋଧବଂଶରୁ ତାଙ୍କର କି ନିଦ୍ରା ହେଉଥିବ ? ୧୨ । ଯୁଧିଷ୍ଠିର, କୃଷ୍ଣା, ଭୀମ, ନକୁଳ ଓ ସହଦେବ ଏମାନଙ୍କୁ ସୁଖବିଯୁକ୍ତ ଦେଖି ସେହି ଉଗ୍ରତେଜା ଅର୍ଜୁନ ସର୍ପ ପ୍ରାୟ ନିଃଶ୍ୱାସ ତ୍ୟାଗ କରି ନିଶ୍ଚୟ ଶୟନରୁ ରାତ୍ରିରେ ବିରତ ହେଉଥିବେ ! ୧୩ । ସମୀରଣସୁତ ଭୀମଙ୍କର ପରାକ୍ରମ ସମୀରଣ ପ୍ରାୟ ହେଲେ ହେଁ ସେ ଧର୍ମପାଶରେ ବଦ୍ଧ ହୋଇଥିବାରୁ ସୁଖର ଯୋଗ୍ୟ ଅସୁଖୀ ନକୁଳ ସହଦେବଙ୍କୁ ସମୃଦ୍ଧ ରୂପ ଦେବସଦୃଶ ହୋଇ ମନ ମଧ୍ୟରେ ଦୁଃଖ ପାଉଥିବାରୁ ନିଦ୍ରାତ୍ୟାଗୀ ଓ ଧର୍ମ ଏବଂ ସତ୍ୟଦ୍ୱାରା ନିବାରିତ ହେଉଥିବାର ବିଲୋକନ କରି ଶାନ୍ତଭାବ ଅବଲମ୍ବନ କରିଅଛନ୍ତି । ୧୫ । ଭୂମିରେ ପଡ଼ି ସେହି ଭୀମ କେବଳ ସତ୍ୟ ଓ ଧର୍ମଦ୍ୱାରା ନିବାରିତ ହୋଇଅଛନ୍ତି । ତାହା ନ ହେଲେ ଆମ୍ଭମାନଙ୍କ ଅପେକ୍ଷା ସେ ଅଧିକ ଭାବୁଅଛନ୍ତି ଯେ କିପରି ଆମ୍ଭର ପୁତ୍ରମାନଙ୍କୁ ବଧ କରିବେ । ୧୬ ।

 

ଯୁଧିଷ୍ଠିର ଯେତେବେଳେ କପଟରେ ନିର୍ଜିତ ହେଲେ, ତେତେବେଳେ ଦୁଃଶାସନ ଯେଉଁ କଟକ୍ତି ନିଷ୍ଠୁର ଭାବରେ କହିଥିଲେ, ସେହିସବୁ ଭୀମଙ୍କ ଶରୀରରେ ପ୍ରବେଶ କରି କୁଟାଗଦାରେ ଅଗ୍ନି ସଂଯୋଗ ହେଲେ ଯେପରି ଦଗ୍ଧ ହେଉଅଛି । ୧୮ । ଧର୍ମପୁତ୍ର ଯୁଧିଷ୍ଠିର ପାପ କର୍ମ କରିବେ ନାହିଁ ? ଧନଞ୍ଜୟ ତାହାଙ୍କର ଅନୁଗାମୀ ହୋଇ ରହିବେ; କିନ୍ତୁ ପବନ ନ ହେଲେ ଯେପରି ଅଗ୍ନି ଅଧିକ ପ୍ରଜ୍ଜ୍ୱଳିତ ହୋଇ ଉଠେ, ସେହିପରି ବନବାସଦ୍ୱାରା ଭୀମଙ୍କର କୋପ କ୍ରମଶଃ ବର୍ଦ୍ଧିତ ହେଉଅଛି । ୧୮ । ସେହି ବୀର କୋପରେ ଦଗ୍ଧ ହୋଇ ହସ୍ତରେ ହସ୍ତକୁ ପୀଡ଼ନ କରୁଅଛି; ଦୀର୍ଘ ଓ ଉଷ୍ମ ନିଃଶ୍ୱାସ ପରିତ୍ୟାଗ କରୁଅଛି ଯେପରି କି ମୋର ପୁତ୍ରପୌତ୍ରମାନଙ୍କୁ ସେ ତତ୍‌କ୍ଷଣାତ ଦଗ୍ଧ କରିବ । ୧୯ । ଗାଣ୍ଡୀବଧନ୍ୱା ଓ ବୃକୋଦର ଯଦି ରୋଷପରବଶ ହୁଅନ୍ତି, ତେବେ ସମରରେ ବଜ୍ରସମ ଶରମାନଙ୍କୁ ପ୍ରହାର କରି ଶତ୍ରୁମାନଙ୍କ ସେନା ମଧ୍ୟରୁ ଗୋଟିଏ ସୁଦ୍ଧା ଜୀବିତ ରଖନ୍ତି ନାହିଁ-। ୨୦ । ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ, ଦୁଃଶାସନ ଏମାନେ ବଡ଼ ମନ୍ଦ ବୁଦ୍ଧି; ଜୁଆଖେଳି ଏମାନେ ରାଜ୍ୟହରଣ କରିଅଛନ୍ତି । ତେତେବେଳେ ତାହାଙ୍କୁ ବଡ଼ ସୁଖ ଲାଗିଲା; କିନ୍ତୁ ଶେଷରେ ଯେ ସେମାନଙ୍କର ବିନାଶ ହେବ, ଏ କଥା ସେମାନେ ଜାଣିପାରିଲେ ନାହିଁ । ୨୧ । ମନୁଷ୍ୟ ଶୁଭାଶୁଭ କର୍ମ କରି ତାହାର ଫଳ ପ୍ରତୀକ୍ଷା କରେ; କିନ୍ତୁ ସେ ଫଳ ଫଳିଲାବେଳେ ତାହାର କୌଣସି ବଳ ନ ଥାଏ; ଅବଶ୍ୟ ସେ ଫଳ ଭୋଗକରେ; କଦାପି ତହିଁରୁ ନିଷ୍କୃତି ଲଭିପାରେ ନାହିଁ । ୨୨ ।

 

କ୍ଷେତ୍ରକୁ ଉତ୍ତମରୂପେ କର୍ଷଣ କରି ବୀଜ ବପନ କଲେ, ଇନ୍ଦ୍ର ବର୍ଷା କଲେ, ତଥାପି ଉତ୍ତମ ଫଳ ନ ଫଳିଲା । ଏଥି ନିମିତ୍ତ ଆମ୍ଭେ ଭାବୁଅଛୁ ଯେ ଦୈବବଳ ସବୁଠାରୁ ଅଧିକ । ୨୩ । ଶକୁନି ଅକ୍ଷପ୍ରିୟ, ସେ ଯୁଧିଷ୍ଠିରଙ୍କ ସହିତ ଅସାଧୁ ବ୍ୟବହାର କରିଛି । ଆମ୍ଭେ ମଧ୍ୟ କୁପୁତ୍ରଙ୍କ ବଶୀଭୂତ ହୋଇ ସେହିପରି ମନ୍ଦ କର୍ମ କରିଅଛୁ । ତଦ୍ଦ୍ୱାରା କୁରୁଙ୍କର ବିନାଶକାଳ ଉପସ୍ଥିତ ହେଲା-। ୨୪ । ନ ବଞ୍ଚିଲେହେଁ ପବନ ବହେ, ଗର୍ଭିଣୀହେଲେ ନିଶ୍ଚୟ ସେ ପ୍ରସବ କରେ । ଦିନ ଶେଷ ହେଲେ ରଜନୀ ହୁଏ, ରଜନୀ ଶେଷ ହେଲେ ଦିବସ ଆରମ୍ଭ ହୁଏ । ୨୫ । ଆମ୍ଭେ ଯଦି କୌଣସି ଉପାୟଦ୍ୱାରା ଅର୍ଥ ଉପାର୍ଜନ କରୁ ଅଥବା ଆଉ କେହି ଉପାର୍ଜନ କରି କୃପଣ ହୋଇ ସେ ଅର୍ଥକୁ ଯଦି ବ୍ୟୟ କରା ନ ଯାଏ, ତଥାପି କାଳ ଉପସ୍ଥିତ ହେଲେ ସେହି ଅର୍ଥ ଅବଶ୍ୟ ଅନର୍ଥର ମୂଳ ହେବ । ତେବେ କି ପ୍ରକାର ଅର୍ଥ ସାଧନ ହେବ, ଏହା ଯଦି ବୋଲାଯାଏ, କାହିଁରେ ସେ ଅର୍ଥ ନଷ୍ଟ ନ ହୁଏ, କିପରି ସେହି ଅର୍ଥ ରକ୍ଷିତ ହୁଏ, ଅରକ୍ଷିତ ହେଲେ କିପରି ସେହି ଅର୍ଥ ଶତଧା ହୋଇ ବାହାରିଯାଏ,ଏ ସବୁ ବିଷୟ ଭାବନା କଲେ ଜାଣିବ ଯେ କୃତକର୍ମର ନାଶ ନାହିଁ । ୨୭ । ଧନଞ୍ଜୟ ଅରଣ୍ୟରୁ ଇନ୍ଦ୍ରଲୋକକୁ ଗମନ କଲେ । ତାହାଙ୍କର ବଳ ଦେଖ । ସେଠାରେ ସେ ଚତୁର୍ବିଧ ଦିବ୍ୟ ଅସ୍ତ୍ରମାନଙ୍କୁ ଲାଭ କରି ଏଠାକୁ ପୁନରାଗତ ହେଲେ । ୧୮ । ଶରୀର ସହିତ ସ୍ୱର୍ଗକୁ ଯାଇ କେଉଁ ମନୁଷ୍ୟ ପୁନର୍ବାର ମର୍ତ୍ତ୍ୟକୁ ଆସିବାକୁ ଇଚ୍ଛା କରେ ? କେବଳ କାଳପ୍ରାପ୍ତ, ମରଣଇଚ୍ଛୁକ, କୁରୁମାନଙ୍କୁ ବିନାଶ କରିବା ନିମିତ୍ତ ସେ ଆସିଛନ୍ତି । ୨୯ । ଧନୁର୍ଦ୍ଧର ସବ୍ୟସାଚୀ ଅର୍ଜୁନ, ସେହି ଦାରୁଣବେଗ ବିଶିଷ୍ଟ ଗାଣ୍ଡୀବ ଧନୁ ଓ ତାହାଙ୍କର ଦିବ୍ୟ ଅସ୍ତ୍ର, ଏ ତିନି ହେଁ ତେଜସ୍ୱୀ । ଏ ତିନିଙ୍କର ତେଜକୁ କିଏ ଏଠାରେ ସହ୍ୟ କରିପାରେ ? ଏପରି ବ୍ୟକ୍ତି ଏଠାରେ କିଏ ଅଛି ? ୩୦ । ସୁବଳନନ୍ଦନ ଶକୁନି ଧୃତରାଷ୍ଟ୍ରଙ୍କର ସେହି ବାକ୍ୟକୁ ଶ୍ରବଣ କରି ନିର୍ଜନରେ କର୍ଣ୍ଣଙ୍କ ସହିତ ଦୁର୍ଯ୍ୟୋଧନଙ୍କୁ ସମୁଦାୟ ନିବେଦନ କଲେ । ଅଳ୍ପଚେତା ଦୁର୍ଯ୍ୟୋଧନ ମଧ୍ୟ ତାହା ଶୁଣି ବିଷାଦଗ୍ରସ୍ତ ହେଲେ । ୩୧ ।

 

॥ ଅଧ୍ୟାୟ – ୨୩୭ ॥

 

ବୈଶମ୍ପାୟନ କହିଲେ, ଧୃତରାଷ୍ଟ୍ରଙ୍କର ସେହି ବାକ୍ୟ ଶ୍ରବଣ କରି ଶକୁନି ଅବସର ଅନୁସାରେ କର୍ଣ୍ଣଙ୍କ ସହିତ ଦୁର୍ଯ୍ୟୋଧନଙ୍କୁ କହିଲେ । ୧ । ହେ ଭାରତ ! ପାଣ୍ଡବମାନଙ୍କୁ ନିର୍ବାସିତ କରି ଆପଣା ପରାକ୍ରମରେ ଏହି ପୃଥିବୀକୁ ଏକାକୀ ଭୋଗ କର । ୨ । ହେ ନରାଧିପ ! ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗବାସୀ ରାଜାମାନେ କରପ୍ରଦ ହୋଇଅଛନ୍ତି । ୩ । ପୂର୍ବେ ଯେଉଁ ଲକ୍ଷ୍ମୀ ପାଣ୍ଡବମାନଙ୍କୁ ଭଜନା କରିଥିଲେ, ସେ ଲକ୍ଷ୍ମୀ ତଦ୍ରୂପ ଦୀପ୍ୟମାନ ହୋଇ ଭ୍ରାତୃ ସହିତ ତୁମ୍ଭଙ୍କୁ ଭଜନା କରୁଅଛନ୍ତି । ୪ ।

 

ହେ ରାଜନ୍‌ ! ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥକୁ ଗମନ କରନ୍ତେ ଯେଉଁ ସମୃଦ୍ଧିଶାଳିନୀ ଲକ୍ଷ୍ମୀ ତାହାଙ୍କଠାରେ ଦୃଶ୍ୟ ହୋଇଥିଲା, ସେ ବର୍ତ୍ତମାନ ତୁମ୍ଭଠାରେ ବାସ କରୁଅଛନ୍ତି । ଆମ୍ଭେମାନେ ଏହା ଦେଖିଲୁ । ୫ । ହେ ରାଜେନ୍ଦ୍ର ! ହେ ଶତ୍ରୁନାଶନ ! ପୂର୍ବେ ଯୁଧିଷ୍ଠିରଙ୍କ ବୁଦ୍ଧି ବଳଦ୍ୱାରା ଯେଉଁ ରାଜାମାନେ ତାହାଙ୍କୁ ସେବା କରୁଥିଲେ, ଅଦ୍ୟ ସେହି ରାଜାମାନେ ତୁମ୍ଭର ଆଜ୍ଞାଧୀନ ହୋଇଅଛନ୍ତି-। ୭ । ସମସ୍ତେ ତୁମ୍ଭର ଶାସନାଧୀନ ହୋଇ କ’ଣ କରିବୁ, କି ଆଜ୍ଞା ହେଉଅଛି ବୋଲି ପଚାରୁଅଛନ୍ତି । ହେ ରାଜନ୍‌ ! ସାଗରାମ୍ବରା ଏହି ନିଖିଳ ପୃଥିବୀ ତୁମ୍ଭ ଅଧୀନରେ ଅଛି । ପର୍ବତ ସହିତ ଗ୍ରାମ ଓ ନଗର, ନାନାବିଧ ବନ ଓ ଦେଶବତୀ ଧରା ପର୍ବତରେ ଶୋଭନୀୟା ହୋଇ ତୁମ୍ଭଙ୍କୁ ଆଶ୍ରୟ କରିଅଛି । ୯ । ହେ ରାଜନ୍‌ ! ଦ୍ୱିଜମାନେ ତୁମ୍ଭଙ୍କୁ ବନ୍ଦନା କରୁଅଛନ୍ତି । ରାଜାମାନେ ତୁମ୍ଭଙ୍କୁ ପୂଜା କରୁଅଛନ୍ତି । ସ୍ୱର୍ଗରେ ଯେପରି ଦେବତାମାନେ, ଆକାଶରେ ଯେପରି ସୂର୍ଯ୍ୟ, ସେହିରୂପେ ତୁମ୍ଭେ ନିଜ ପୌରୁଷଦ୍ୱାରା ଭ୍ରାଜମାନ ହୋଇଅଛ । ୧୦ । ରୁଦ୍ରଗଣ ଯେପରି ଯମକୁ, ବାସବଙ୍କୁ ଯେପରି ମରୁଦ୍‌ଗଣ ବେଷ୍ଟନ କରିଥାନ୍ତି, ତଦ୍ରୂପ ହେ ରାଜନ୍‌ ! କୁରୁଗଣଙ୍କଦ୍ୱାରା ତୁମ୍ଭେ ବେଷ୍ଟିତ ହୋଇ ନକ୍ଷତ୍ର ପତିଙ୍କ ପ୍ରାୟ ଶୋଭା ପାଉଅଛ । ୧୧ । ଯେଉଁ ପାଣ୍ଡବମାନେ ତୁମ୍ଭର ଆଜ୍ଞା ପ୍ରତିପାଳନ କରନ୍ତି ଓ ତୁମ୍ଭ ଅଧୀନରେ ନାହାନ୍ତି, ସେମାନେ ଶ୍ରୀହୀନ ହୋଇ ବନବାସ କରୁଅଛନ୍ତି । ଏହି ସମୟରେ ତାହାଙ୍କୁ ଦେଖିବା କର୍ତ୍ତବ୍ୟ । ୧୨ ।

 

ହେ ମହାରାଜ ! ଦ୍ୱୈତବନ ନାମରେ ଏକ ସରୋବର ଅଛି ବୋଲି ଶୁଣାଯାଏ । ସେଠାରେ ବ୍ରାହ୍ମଣମାନେ ବେଦପାରଗ ବ୍ରାହ୍ମଣମାନଙ୍କ ସହିତ ବାସ କରୁଅଛନ୍ତି । ୧୩ । ହେ ମହାରାଜ ! ଆପଣ ପରମ ରାଜଲକ୍ଷ୍ମୀଦ୍ୱାରା ଯୁକ୍ତ ହୋଇ ନିଜ ତେଜଦ୍ୱାରା ଯେପରି ସୂର୍ଯ୍ୟତେଜ ପ୍ରଦାନ କରନ୍ତି, ତଦ୍ରୂପ ପାଣ୍ଡୁପୁତ୍ରମାନଙ୍କୁ ସନ୍ତାପିତ କର । ୧୪ । ତୁମ୍ଭେ ରାଜ୍ୟରେ ସ୍ଥିତ ହୋଇଅଛ-। ପାଣ୍ଡୁସୂତମାନେ ରାଜ୍ୟରୁ ବିଚ୍ୟୁତ ହୋଇଅଛନ୍ତି । ସେମାନେ ଶ୍ରୀହୀନ ହୋଇଅଛନ୍ତି ଅଥଚ ତୁମ୍ଭେ ଶ୍ରୀଯୁକ୍ତ ହୋଇଅଛ । ତୁମ୍ଭେ ସମୃଦ୍ଧ ଓ ସେମାନେ ଅସମୃଦ୍ଧ । ଏହି ଅବସ୍ଥାରେ ସେମାନଙ୍କୁ ଦେଖିବା କର୍ତ୍ତବ୍ୟ । ୧୫ । ତୁମ୍ଭେ ଅଭିଜନମାନଙ୍କଦ୍ୱାରା ବେଷ୍ଟିତ ହୋଇ ମହୈଶ୍ୱର୍ଯ୍ୟରେ ଥିବାର ଦେଖି ପାଣ୍ଡବମାନେ ଦୁଃଖିତ ହେଉନ୍ତୁ । ନହୁଷ ନନ୍ଦନ ଯଯାତିଙ୍କ ପ୍ରାୟ ତୁମ୍ଭେ ଐଶ୍ୱର୍ଯ୍ୟଶାଳୀ ହୋଇଅଛ-। ତୁମ୍ଭେ ଏତାଦୃଶ ପ୍ରଦୀପ୍ତ ଐଶ୍ୱର୍ଯ୍ୟକୁ ମିତ୍ର ଓ ଶତ୍ରୁଙ୍କର ଦେଖିବା କର୍ତ୍ତବ୍ୟ; ଯେ ହେତୁରୁ ମିତ୍ରମାନେ ସେ ଭାଗ୍ୟ ଦେଖି ପରିତୁଷ୍ଟ ହେବେ ଓ ଶତ୍ରୁମାନେ ଦେଖିଲେ ତାହାଙ୍କର ହୃଦୟ ବିଦୀର୍ଣ୍ଣ ହେବ-। ୧୭ । ଯେଉଁ ବ୍ୟକ୍ତି ସୁଖରେ ରହି ଶତ୍ରୁମାନଙ୍କୁ ଦୁଃଖରେ ଥିବାର ଦେଖନ୍ତି, ସେ ପର୍ବତର ଉପରି ଭାଗରେ ଥାଇ ନିମ୍ନ ଭୂମିସ୍ଥିତ ଜନମାନଙ୍କୁ ଦେଖି ସୁଖୀ ହେଲା ପ୍ରାୟ ପରମ ସୁଖ ଲାଭ କରନ୍ତି-। ୧୮ । ହେ ନୃପତିଶର୍ଦ୍ଦୁଳ ! ଶତ୍ରୁମାନଙ୍କୁ ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଦେଖିଲେ ମନ ମଧ୍ୟରେ ଯେଉଁ ସୁଖ ଲାଭ ହୁଏ, ସେ ସୁଖ ପୁତ୍ର, ଧନ ଅଥବା ରାଜ୍ୟଲାଭରୁ ମିଳେ ନାହିଁ । ୧୯ । ଅର୍ଜୁନ ବଳ୍‌କଳ ଓ ମୃଗଚର୍ମ ପରିଧାନ କରି ଆଶ୍ରମରେ ଥିବେ ଓ ତୁମ୍ଭେ ସିଦ୍ଧାର୍ଥ ହୋଇ ତାହାଙ୍କୁ ଦେଖିବ, ଏଥିରେ ତୁମ୍ଭର କେଡ଼େ ସୁଖ ନ ହେବଟି ? ୨୦ । ତୁମ୍ଭର ଭାର୍ଯ୍ୟା ଉତ୍ତମ ବସନ ପିନ୍ଧିଥିବେ, ସେ ଦ୍ରୌପଦୀଙ୍କୁ ବଳ୍‌କଳ ଓ ଚର୍ମ ଖଣ୍ଡିଏ ପିନ୍ଧିଥିବାର ଦେଖିଲେ ପୁନର୍ବାର ନିର୍ବେଦ ପ୍ରାୟ ହେବେ-। ୨୧ । ସେ ଆପଣାକୁ ନିନ୍ଦା କରନ୍ତୁ, ଧନଚ୍ୟୁତ ଜୀବନକୁ ଧିକ୍‌କାର କରନ୍ତୁ । ସଭା ମଧ୍ୟରେ ତୁମ୍ଭ ଭାର୍ଯ୍ୟାଙ୍କୁ ସୁନ୍ଦରରୂପେ ଅଳଙ୍କୃତ ହୋଇଥିବାର ଦେଖି ତାହାଙ୍କର ଅଧିକତର ଦୁଃଖ ହେବ । ୨୨ । ବୈଶମ୍ପାୟନ ବୋଇଲେ, ହେ ଜନମେଜୟ ! କର୍ଣ୍ଣ ଶକୁନିଙ୍କ ସହିତ ରାଜାଙ୍କୁ ଏହିରୂପେ କହି ତୃଷ୍ଣୀଭାବ ଅବଲମ୍ବନ କଲେ । ୨୩ ।

 

॥ ଅଧ୍ୟାୟ – ୨୩୮ ॥

 

ବୈଶମ୍ପାୟନ କହିଲେ, କର୍ଣ୍ଣଙ୍କର ବଚନ ଶ୍ରବଣ କରି ରାଜା ଦୁର୍ଯ୍ୟୋଧନ ହୃଷ୍ଟ ହେଲେ । ପରନ୍ତୁ ପୁନର୍ବାର ଦୀନ ହୋଇ ଏହି କଥା କହିଲେ, ହେ କର୍ଣ୍ଣ ! ତୁମ୍ଭେ ଯାହା କହିଲ, ତାହାସବୁ ମୋ ମନରେ ଅଛି; କିନ୍ତୁ ଯେଉଁଠାରେ ପାଣ୍ଡବମାନେ ଅଛନ୍ତି ସେଠାକୁ ଗମନ କରିବା ନିମିତ୍ତ ଆଜ୍ଞା ପାଇଲେ ତ ହୁଏ । ୨ । ମହୀପତି ଧୃତରାଷ୍ଟ୍ର ସେହି ବୀରମାନଙ୍କ ନିମିତ୍ତ ଶୋଚନା କରୁଅଛନ୍ତି । ପାଣ୍ଡବମାନେ ତପସ୍ୟା କରିବାରୁ ଓ ଯୋଗ ସାଧିବାରୁ ଆମ୍ଭ ଅପେକ୍ଷା ସେମାନଙ୍କୁ ଅଧିକ ବୋଲି ମନେ କରୁଅଛନ୍ତି । ୩ । ଆମ୍ଭେମାନେ ମନରେ ଯାହା ପାଞ୍ଚିଅଛୁ, ନୃପତି ମନ ମଧ୍ୟରେ ତହିଁରେ ସମ୍ମତ ହେଲେ ହେଁ ବାହାରକୁ ଆମ୍ଭ କାର୍ଯ୍ୟରେ ଅନୁଜ୍ଞା ଦେବେ ନାହିଁ । ୪ । ପାଣ୍ଡବମାନଙ୍କୁ ସେଠାରୁ ତଡ଼ିଦେବା ବ୍ୟତିରେକେ ଦ୍ୱୈତବନକୁ ଯିବାର ଆଉ କୌଣସି ପ୍ରୟୋଜନ ଜଣାପଡ଼ୁନାହିଁ-। ୫ । ଦ୍ୟୁତକାଳ ଉପସ୍ଥିତ ହୁଅନ୍ତେ ବିଦୁର ତୁମ୍ଭଙ୍କୁ, ମୋତେ ଓ ସୌବଳଙ୍କୁ ଯେଉଁ ସବୁ କଥା କହିଥିଲେ ତାହା ସବୁ ତୁମ୍ଭେ ଜାଣ । ୬ । ସେହିସବୁ ବାକ୍ୟ ଓ ଆଉ ଯେଉଁ ଦୁଃଖର କଥା ଅଛି, ତାହା ଚିନ୍ତାକରି ଯିବା ନ ଯିବା କୌଣସି କଥା ମୁଁ ସ୍ଥିର କରିପାରୁ ନାହିଁ । ୭ । ଅରଣ୍ୟ ମଧ୍ୟରେ ଭୀମାର୍ଜୁନ ଦୁହେ କ୍ଳିଷ୍ଟ ହୋଇଥିବେ ଓ କୃଷ୍ଣା ତାଙ୍କ ସହିତ ଥିବେ । ସେମାନଙ୍କୁ ଦେଖିଲେ ମୋର ଯେଉଁ ପ୍ରୀତି ହେବ, ଏହି ବସୁଧାକୁ ଲାଭ କରି ସୁଦ୍ଧା ତାଦୃଶ ସୁଖ ହୋଇ ନାହିଁ । ପଣ୍ଡୁସୂତମାନେ ବଳ୍‌କଳ ବା ଚର୍ମପରିଧାନ କରିଥିବେ । ଦ୍ରୌପଦୀ କଷାୟ ବସନ ପିନ୍ଧି ବନରେ ଥିବେ-। ସେମାନଙ୍କୁ ଆମ୍ଭେ ଦେଖିବୁ । ଏଥିରୁ ଆଉ କି ଅଧିକ ସୁଖ ହୋଇପାରେ ? ୧୦ । ଧର୍ମରାଜ ଓ ଭୀମସେନ ଯଦି ମୋତେ ପରମାଲକ୍ଷ୍ମୀଯୁକ୍ତ ଦେଖନ୍ତି, ତେବେ ମୋର ଜୀବନ ସାର୍ଥକ ହେବ-। ୧୧ । କେଉଁ ଉପାୟରେ ସେହି ବନକୁ ଯିବା, ତାହା ମୋତେ ଦୃଶ୍ୟ ହେଉନାହିଁ । ମହୀପତି ଯହିଁରେ ଆମ୍ଭଙ୍କୁ ଯିବା ନିମିତ୍ତ ଅନୁଜ୍ଞା ଦିଅନ୍ତି ତାହାର ଉପାୟ କର । ଶକୁନିଙ୍କୁ ସଙ୍ଗରେ ଘେନି ଦୁଃଶାସନ ଯାଇ ତହିଁର ଉପାୟ ଉଦ୍ଭାବନ କରନ୍ତୁ । ୧୩ । ଯିବା ନ ଯିବା ବିଷୟ ଅଦ୍ୟ ନିଶ୍ଚୟ କରି ଆଗାମୀ କାଲି ଆମ୍ଭେ ମହୀପତିଙ୍କ ନିକଟରୁ ଗମନ କରିବୁ । ୧୪ ।

 

ସେଠାରେ ଆମ୍ଭେ ଓ କୁରୁସତ୍ତମ ଭୀଷ୍ମ ବସିଥିବାବେଳେ, ହେ କର୍ଣ୍ଣ ! ତୁମ୍ଭେ ସୁବଳଙ୍କ ସହିତ ସେହି ଉପାୟ ସ୍ପଷ୍ଟରୂପେ କହିବ । ୧୫ । ଯିବା ବିଷୟରେ ଭୀଷ୍ମଙ୍କର ଓ ରାଜାଙ୍କର ବଚନ ଶୁଣି ପିତାମହଙ୍କୁ ବିନୟ କଲି । ସେମାନେ ହେଉ ବୋଲି କହି ସ୍ୱ ସ୍ୱ ଗୃହକୁ ଗଲେ । ରାତ୍ରି ପ୍ରଭାତ ହୁଅନ୍ତେ ରାଜାଙ୍କ ନିକଟକୁ କର୍ଣ୍ଣ ଯାଆନ୍ତୁ । ତଦନନ୍ତର କର୍ଣ୍ଣ ହସି ହସି ଦୁର୍ଯ୍ୟୋଧନଙ୍କୁ କହିଲେ, “ହେ ଜନେଶ୍ୱର” ! ଆମ୍ଭେ ଉପାୟ ଦେଖିଲୁ, ତୁମ୍ଭେ ଶୁଣ । ୧୮ । ହେ ନରାଧିପ ! ଦ୍ୱୈତବନରେ ସମସ୍ତ ଘୋଷ ଥାଆନ୍ତି । ଘୋଷ ଦେଖିବା ନିମିତ୍ତ ଆମ୍ଭେମାନେ ଯାତ୍ରାକରିବା, ଏ କାର୍ଯ୍ୟ ଆମ୍ଭର କର୍ତ୍ତବ୍ୟ । ଏହି ଉପାୟ ଉତ୍ତମ । ଏଥିରେ ସଂଶୟ ନାହିଁ । ହେ ରାଜନ୍‌ ! ଘୋଷକୁ ଯିବା ସର୍ବଦା ଆମ୍ଭମାନଙ୍କର କର୍ତ୍ତବ୍ୟ । ଏହା ଶୁଣିଲେ ରାଜା ତୁମ୍ଭଙ୍କୁ ଅବଶ୍ୟ ଅନୁଜ୍ଞା ଦେବେ । ୨୦ । ଏହିପରି ସେ ଦୁହେଁ କହି ଘୋଷଯାତ୍ରା କରିବା ବିଷୟ ସ୍ଥିର କଲେ । ଗାନ୍ଧାର ରାଜା ଶକୁନି ହସି ହସି କହିଲେ, । ୨୧ । ଗମନ ନିମିତ୍ତ ମୁଁ ଗୋଟିଏ ଉତ୍ତମ ଉପାୟ ଦେଖିଅଛି । ତାହା ଶୁଣିଲାକ୍ଷଣି ରାଜା ତୁମ୍ଭଙ୍କୁ ଅନୁଜ୍ଞା ଦେବେ । ୨୨ । ଦ୍ୱୈତବନରେ ସମସ୍ତ ଘୋଷ ବାସ କରନ୍ତି । ହେ ନରାଧିପ-! ସେମାନେ ତୁମ୍ଭର ପ୍ରତୀକ୍ଷା କରନ୍ତି । ଅତଏବ ଘୋଷ ଦେଖିବା ବାହାନାରେ ଆମ୍ଭେମାନେ ଯିବା, ଏଥିରେ ସଂଶୟ ନାହିଁ । ୨୩ । ତଦନନ୍ତର ସମସ୍ତେ ହସି ହସି ପରସ୍ପରର କରତଳ ସ୍ପର୍ଶ କଲେ ଓ ଉକ୍ତ କଥା ନିଶ୍ଚୟ କରି କୁରୁସତ୍ତମଙ୍କୁ ଦେଖିବାକୁ ଗଲେ । ୨୪ ।

 

॥ ଅଧ୍ୟାୟ – ୨୩୯ ॥

 

ବୈଶମ୍ପାୟନ କହିଲେ, ହେ ଭରତନନ୍ଦନ ! ଜନମେଜୟ ! ତଦନନ୍ତର ସେମାନେ ସମସ୍ତେ ରାଜା ଧୃତରାଷ୍ଟ୍ରଙ୍କୁ ଦର୍ଶନ କରି ତାହାଙ୍କର କୁଶଳ ପଚାରିଲେ । ରାଜା ମଧ୍ୟ ସେମାନଙ୍କୁ କୁଶଳ ପ୍ରଶ୍ନ କଲେ । ୧ । ତଦନନ୍ତର ସମଙ୍ଗ ନାମରେ ଜଣେ ଗୋପାଳ ଆସି ଧୃତରାଷ୍ଟ୍ରଙ୍କ ସମୀପରେ ଉପସ୍ଥିତ ହୋଇ ପୂର୍ବ ଶିକ୍ଷାନୁସାରେ ନିବେଦନ କଲା, “ମହାରାଜ ! ଗୋମାନେ ନିକଟରେ ଅଛନ୍ତି । ୨ । ତଦନନ୍ତର ହେ ରାଜନ୍‌ ! ରାଧାପୁତ୍ର କର୍ଣ୍ଣ ଓ ଶକୁନି ଦୁହେଁ ଜନାଧିପ ଧୃତରାଷ୍ଟ୍ରଙ୍କୁ କହିଲେ, । ୩ । ହେ କୌରବ ! ସମ୍ପ୍ରତି ଗୋରୁମାନେ ମନୋହର ସ୍ଥାନରେ ଅବସ୍ଥିତ ଅଛନ୍ତି । ସେମାନଙ୍କର ଗଣନା କରିବା ଓ ବୟଃକ୍ରମ, ବର୍ଣ୍ଣ, ଜାତି ଓ ନାମ ଲେଖିବାର ସମୟ ଉପସ୍ଥିତ ହୋଇଅଛି । ବାଛୁରୀମାନଙ୍କ ଦେହରେ ଚିହ୍ନ ଦିଆଯିବାର ସମୟ ମଧ୍ୟ ହୋଇଅଛି । ୪ । ବିଶେଷରେ ଏହି ସମୟରେ ଆପଣଙ୍କ ପୁତ୍ରମାନଙ୍କର ମୃଗୟା କରିବାକୁ ଯିବା ଉଚିତ । ଅତଏବ, ହେ ନୃପ ! ଆପଣ ଦୁର୍ଯ୍ୟୋଧନଙ୍କ ଗମନ ବିଷୟରେ ଅନୁଜ୍ଞା ପ୍ରଦାନ କରନ୍ତୁ । ଧୃତରାଷ୍ଟ୍ର କହିଲେ, ହେ ତାତ ! ମୃଗୟା ଶୁଭକାରୀ ଅଟେ । ଯେହେତୁ ତହିଁରେ ଗୋରୁମାନଙ୍କୁ ପର୍ଯ୍ୟବେକ୍ଷଣ କରିବାକୁ ହୁଏ; ପରନ୍ତୁ ଆମ୍ଭ ବିବେଚନାରେ ଗୋପାଳମାନଙ୍କ ପ୍ରତି ବିଶ୍ୱାସ କରିବା କର୍ତ୍ତବ୍ୟ ନୁହେଁ । ୬ । ଆମ୍ଭେମାନେ ଶୁଣିଅଛୁ, ନରଶ୍ରେଷ୍ଠ ପାଣ୍ଡୁନନ୍ଦନମାନେ ସେହି ଘୋଷପଲ୍ଲୀ ସମୀପରେ ଅଛନ୍ତି । ଏହି କାରଣରୁ ତୁମ୍ଭମାନଙ୍କର ସେଠାକୁ ଗମନକରିବା ବିଧେୟ ନୁହେଁ । ଆମ୍ଭେ ତହିଁରେ ଅନୁଜ୍ଞା ଦେଇ ପାରୁନାହୁଁ । ୭ ।

 

ହେ ରାଧେୟ ! ସେହି ମହାରଥମାନେ ସ୍ୱଭାବତଃ ସମର୍ଥ ! ତହିଁରେ ପୁଣି ପ୍ରତାରଣାଦ୍ୱାରା ପରାଜିତ ହୋଇ ଅରଣ୍ୟରେ କ୍ଳେଶପ୍ରାପ୍ତ ହୋଇ ନିରନ୍ତର ତପୋନିଷ୍ଠ ହୋଇଅଛନ୍ତି । ୮ । ଧର୍ମରାଜ ସମ୍ୟକ୍ରୂପେ କ୍ରୁଦ୍ଧ ନ ହେଲେ ହେଁ ହୋଇ ନ ପାରନ୍ତି; କିନ୍ତୁ ଭୀମସେନ କୌଣସିରୂପେ ସହ୍ୟ କରିବେ ନାହିଁ । ଦ୍ରୂପଦରାଜଙ୍କ ଦୁହିତା କୃଷ୍ଣା ସାକ୍ଷାତ୍‍ ତେଜଃ ସ୍ୱରୂପା । ତୁମ୍ଭେମାନେ ଯେବେ ଗର୍ବ ଅଥବା ମୋହଯୁକ୍ତ ହୋଇ ସେମାନଙ୍କଠାରେ ଅପରାଧ କର, ତପୋନିଷ୍ଠ ପାଣ୍ଡବମାନେ ତୁମ୍ଭମାନଙ୍କୁ ନିଜର ତପୋବଳଦ୍ୱାରା ଦଗ୍ଧ କରିପାରନ୍ତି । ୧୦ । ଅଥବା ସେହି ବୀରମାନଙ୍କଠାରେ ଆୟୁଧସବୁ ଅଛି । ବର୍ତ୍ତମାନ ସେମାନେ କୋପରେ ଅଧୀର ହୋଇ କୃପାଣଧରି ତୁମ୍ଭଙ୍କୁ ଶସ୍ତ୍ରତେଜରେ ଦଗ୍ଧ କରିପାରନ୍ତି । ୧୧ । ଅଥଚ ତୁମ୍ଭେ ବହୁସଂଖ୍ୟକ ବୋଲି ମନେ କରି ଯଦି ସେମାନଙ୍କୁ ଜୟ କରିବାକୁ ଉଦ୍ୟତ ହୁଅ, ତେବେ ତାହା ମଧ୍ୟ ଅତିଶୟ ଅଭଦ୍ରଜନୋଚିତ କର୍ମ ହେବ; ଏଥିରେ ସନ୍ଦେହ ନାହିଁ । ତୁମ୍ଭେମାନେ କଦାପି ତାଙ୍କୁ ଜୟ କରିପାରିବ ନାହିଁ । ୧୨ । କାରଣ ମହାବାହୁ ଧନଞ୍ଜୟ ଇନ୍ଦ୍ରଲୋକରେ ବସତି କରି ଦିବ୍ୟାସ୍ତ୍ରମାନ ପ୍ରାପ୍ତହୋଇ ସେଠାରୁ ପୁନର୍ବାର କାନନକୁ ଆଗମନ କରିଅଛନ୍ତି । ୧୩ । ଯେଉଁ ବିଭତ୍ସୁ ପୂର୍ବେ କୃତାସ୍ତ୍ର ନ ହୋଇ, ସୁଦ୍ଧା ପୃଥ୍ୱୀ ଜୟ କରିଥିଲେ, ସେହି ମହାରଥ ବର୍ତ୍ତମାନ କୃତାସ୍ତ୍ର ହୋଇ ସୁଦ୍ଧା ତୁମ୍ଭଙ୍କୁ କ’ଣ ଜୟ କରିନପାରିବେ । ୧୪ । ଯଦି ଆମ୍ଭର ବାକ୍ୟ ଅନୁସାରେ ତୁମ୍ଭେମାନେ ସେଠାରେ ସାବଧାନ ହୋଇ ରହ, ତଥାପି ତୁମ୍ଭମାନଙ୍କର ସେଠାରେ ବାସ କରିବା ସୁଖପ୍ରଦ ହେବ ନାହିଁ । ଅବିଶ୍ୱାସ ହେତୁରୁ ତୁମ୍ଭମାନଙ୍କୁ ସର୍ବଦା ସେଠାରେ ଉଦ୍‌ବିଗ୍ନହୋଇ ରହିବାକୁ ହେବ । ଏହି ହେତୁରୁ ସେଠାକୁ ଯିବା ଅନୁଚିତ । ୧୫ । ଯଦି କୌଣସି ସୈନିକ ଯୁଧିଷ୍ଠିରଙ୍କର ଅପକାର କରେ, ତେବେ ସେ ନ ଜାଣି କରିଥିଲେ ମଧ୍ୟ ତହିଁରେ ତୁମ୍ଭମାନଙ୍କର ଦୋଷ ହେବ । ୧୬ । ଏହି କାରଣରୁ ତୁମ୍ଭେ ରାଜପୁରୁଷମାନଙ୍କୁ ନିଯୁକ୍ତିକରି ପଠାଅ । ହେ ଭରତ ! ସ୍ୱୟଂ ସେଠାକୁ ଗମନକରିବା ଆମ୍ଭଙ୍କୁ ରୁଚୁନାହିଁ । ୧୭ ।

 

ଶକୁନି ବୋଇଲେ, ହେ ଭାରତ ! ପାଣ୍ଡବଜ୍ୟେଷ୍ଠ ଧର୍ମଜ୍ଞ ଅଟନ୍ତି । ସଭାରେ ସେ ପ୍ରତିଜ୍ଞା କରିଅଛନ୍ତି ଯେ ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ସେ ବନରେ ବାସ କରିବେ । ୧୮ । ତାହାଙ୍କର ସୋଦର ପାଣ୍ଡବମାନେ ମଧ୍ୟ ଧର୍ମାଚାରୀ ଓ ଜ୍ୟେଷ୍ଠ ଭ୍ରାତାଙ୍କର ଅନୁଗାମୀ ଅଟନ୍ତି । କୁନ୍ତୀସୂତ ଯୁଧିଷ୍ଠିର ଆମ୍ଭମାନଙ୍କ ପ୍ରତି କ୍ରୋଧ କରିବେ ନାହିଁ । ୧୯ । ମୃଗୟା କରିବାକୁ ଯିବା ଆମ୍ଭମାନଙ୍କର ଅତିଶୟ ଇଚ୍ଛା । କେତେକ କାର୍ଯ୍ୟ କରିବାକୁ ଆମ୍ଭେମାନେ ଯାଉଅଛୁ; ପାଣ୍ଡବଙ୍କ ଦର୍ଶନ ନିମିତ୍ତ ଯାଉନାହୁଁ । ୨୦ । ସେଠାରେ କୌଣସି ଅନାର୍ଯ୍ୟ କର୍ମ କରାଯିବ ନାହିଁ, ନତୁବା ଯେଉଁଠାରେ ସେମାନେ ଆଶ୍ରୟ ନେଇଅଛନ୍ତି, ସେଠାକୁ ଆମ୍ଭେମାନେ ଯିବୁ ନାହିଁ । ୨୧ । ବୈଶମ୍ପାୟନ ବୋଇଲେ, ଜନେଶ୍ୱର ଧୃତରାଷ୍ଟ୍ରଙ୍କୁ ଶକୁନି ଏମନ୍ତ କହନ୍ତେ ସେହି ରାଜା ଦୁର୍ଯ୍ୟୋଧନଙ୍କୁ ଓ ତାହାଙ୍କର ଅମାତ୍ୟମାନଙ୍କୁ ଗମନାର୍ଥ ଅନୁଜ୍ଞା ଦେଲେ; କିନ୍ତୁ ସେ ସ୍ୱଇଚ୍ଛାରେ ଅନୁଜ୍ଞା ଦେଲେ ନାହିଁ । ଗାନ୍ଧାରୀଙ୍କ ପୁତ୍ର ଦୁର୍ଯ୍ୟୋଧନ ଅନୁଜ୍ଞା ଲାଭକରି ବୃହତ୍ ସେନାଗଣଦ୍ୱାରା ଆବୃତ ହୋଇ କର୍ଣ୍ଣଙ୍କ ସହିତ ପ୍ରସ୍ଥାନ କଲେ । ୨୩ । ଦୁଃଶାସନ ଓ ସୁବଳସୂତ ବୁଦ୍ଧିମାନ ଶକୁନି ଭ୍ରାତାମାନଙ୍କଦ୍ୱାରା ବେଷ୍ଟିତ ହୋଇ ପ୍ରସ୍ଥାନ କଲେ । ସହସ୍ର ସହସ୍ର ଅନ୍ୟ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଗମନ କଲେ । ଦୁର୍ଯ୍ୟୋଧନ ପ୍ରସ୍ଥାନ କଲାବେଳେଦ୍ୱାରା ସହିତ ପୌରଦଜନମାନେ ଦ୍ୱୈତବନସ୍ଥିତ ସରୋବରକୁ ଗମନ କଲେ । ୨୫ । ଆଠ ସହସ୍ର ରଥ, ତିନି ଅୟୁତ ହସ୍ତୀ, ବହୁ ସହସ୍ର ସେନା, ନଅ ସହସ୍ର ଅଶ୍ୱ, ବହୁ ସହସ୍ର ପଦାତି ଓ ଶତ ସହସ୍ର ଶକଟ, ନିଜର ପଟ୍ଟମଣ୍ଡପ, ବଣିକ, ବନ୍ଦି ଓ ମୃଗୟାଶୀଳ ମନୁଷ୍ୟମାନେ ସେମାନଙ୍କର ଅନୁଗାମୀ ହେଲେ । ହେ ମହାରାଜ ! ବର୍ଷାକାଳରେ ଉଦ୍ଧତ ମହାସମୀରଣ ପ୍ରାୟ ଦୁର୍ଯ୍ୟୋଧନଙ୍କ ପ୍ରୟାଣ ସମୟରେ ସୁମହାନ ଶବ୍ଦ ଉତ୍‌ଥିତ ହେଲା । ୨୮ । ଅନନ୍ତର ସେ ସବୁ ବାହନମାନଙ୍କ ସହିତ ଦ୍ୱୈତବନସ୍ଥିତ ସରୋବର ନିକଟରେ ଉପନୀତ ହୋଇ ସେଠାରୁ ଦୁଇ କ୍ରୋଶ ଦୂରରେ ନିବସିତ ହେଲେ । ୨୯ ।

 

॥ ଅଧ୍ୟାୟ – ୨୪୦ ॥

 

ବୈଶମ୍ପାୟନ କହିଲେ, ଅନନ୍ତର ରାଜା ଦୁର୍ଯ୍ୟୋଧନ ନାନା ବିପିନରେ ବାସ କରି ପରିଶେଷରେ ଘୋଷପଲ୍ଲୀ ସମୀପରେ ଉପଗତ ହୋଇ ସେନା ସନ୍ନିବେଶ କଲେ । ୧ । ପରିଚାରକ ପୁରୁଷମାନେ ତାହାଙ୍କ ବାସସ୍ଥାନ ସୁପରିଚିତ, ଜଳଯୁକ୍ତ ଓ ପାଦପ–ସମାକୀର୍ଣ୍ଣ ରମଣୀୟ ସ୍ଥାନରେ ନିର୍ମାଣ କଲେ । ୨ । ତାହାଙ୍କ ବାସଗୃହ ସମୀପରେ କର୍ଣ୍ଣ, ଶକୁନି ଓ ଭ୍ରାତୃଗଣଙ୍କର ପୃଥକ୍ ପୃଥକ୍ ଆବାସସ୍ଥାନ ନିର୍ମିତ ହେଲା । ୩ । ନୃପତି ଦୁର୍ଯ୍ୟୋଧନ ତତ୍କାଳରେ ଶତ ଶତ ଓ ସହସ୍ର ସହସ୍ର ଗୋରୁ ଅବଲୋକନ ଓ ସଂଖ୍ୟାକରି ସେମାନଙ୍କୁ ଚିହ୍ନିତ କଲେ । ୪ । ବାଛୁରୀମାନଙ୍କୁ ଅଙ୍କିତ କଲେ; ଯେଉଁସବୁ ଅନଡ୍ୱାହ ମଣହେବାର ଯୋଗ୍ୟ ହୋଇଥିଲେ, ସେମାନଙ୍କୁ ମଧ୍ୟ ଚିହ୍ନ ଦେଲେ ଓ ଯେଉଁ ଧେନୁଙ୍କର ବାଛୁରୀ ସବୁ ନିତାନ୍ତ ସାନ ଥିଲେ, ସେମାନଙ୍କର ମଧ୍ୟ ଗଣନା ଆରମ୍ଭ ହେଲା । ୫ । କୁରୁଙ୍କ ପୁତ୍ର ଦୁର୍ଯ୍ୟୋଧନ ତିନି ବର୍ଷ ବୟସ୍କ ଅନଡ୍ୱାହମାନଙ୍କୁ ଗଣନା କରି ସମ୍ୟକ୍‌ରୂପେ ସ୍ମରଣ କାର୍ଯ୍ୟ ନିର୍ବାହ କରି ଗୋପାଳମାନଙ୍କଦ୍ୱାରା ପରିବୃତ ହୋଇ ହୃଷ୍ଟଚିତ୍ତରେ ଇତସ୍ତତଃ ବିଚରଣ କଲେ । ୬ । ତାହାଙ୍କ ସଙ୍ଗରେ ଯେତେ ପୌରଜନ ଓ ସହସ୍ର ସହସ୍ର ସୈନିକ ଥିଲେ, ସେମାନେ ସେହି କାନନ ମଧ୍ୟରେ ସୁରଗଣଙ୍କ ସଦୃଶ ସ୍ୱେଚ୍ଛାନୁସାରେ କ୍ରୀଡ଼ାରମ୍ଭ କଲେ । ଅନନ୍ତର ସୁରଗଣଙ୍କ ସଦୃଶ ସଙ୍ଗୀତ, ନୃତ୍ୟ ଓ ବାଦିତ୍ରରେ ସୁନିପୁଣ ଗୋପଗଣ ଓ ସୁନ୍ଦରରୂପେ ଅଳଙ୍କୃତ କନ୍ୟାସମୂହଦ୍ୱାରା ଧୃତରାଷ୍ଟ୍ରଙ୍କ ନନ୍ଦନ ଦୁର୍ଯ୍ୟୋଧନ ସେବିତ ହେଲେ । ୮ । ସ୍ତ୍ରୀଗଣଙ୍କଦ୍ୱାରା ପରିବୃତ ହୋଇ ରାଜା ହୃଷ୍ଟ ଅନ୍ତଃକରଣରେ ଅନେକ ଧନ ଦାନ କଲେ । ସେମାନଙ୍କୁ ଯଥାଯୋଗ୍ୟ ଅନ୍ନ ଓ ପାନ ମଧ୍ୟ ପ୍ରଦାନ କଲେ । ୯ । ତଦନନ୍ତର ସେମାନେ ସମସ୍ତେ ମିଳିତ ହୋଇ ମହିଷ, ମୃଗ, ଗବୟ ଓ ବରାହମାନଙ୍କୁ ଚତୁଃପାର୍ଶ୍ୱରେ ବିନାଶ କଲେ । ୧୦ । ରାଜା ଦୁର୍ଯ୍ୟୋଧନ ବିପିନ ମଧ୍ୟରେ କଳମ୍ବସମୂହଦ୍ୱାରା କୁରଙ୍ଗ ଓ ବହୁସଂଖ୍ୟକ ମାତଙ୍ଗ ବିଦ୍ଧ କରି ମୃଗୟୁମାନଙ୍କଦ୍ୱାରା ଆନୟନ କଲେ । ୧୧ ।

 

ହେ ଭାରତ ! ବଜ୍ରଧାରୀ ମହେନ୍ଦ୍ର ସଦୃଶ ସେ ପରମ ସମୃଦ୍ଧିସମ୍ପନ୍ନ ହୋଇ ଗୋରସ ଓ ନାନାବିଧ ଉପଭୋଗ ଭକ୍ଷଣ କଲେ । ମତ୍ତ-ଭ୍ରମରନିଷେବିତ ମୟୂରନିକରଙ୍କ ରବଦ୍ୱାରା ଆକୁଳିତ ବକୁଳ, ସପ୍ତଚ୍ଛଦ ଓ ପୁନ୍ନାଗପ୍ରଭୃତି ତରୁଗଣଙ୍କଦ୍ୱାରା ସମାକୀର୍ଣ୍ଣ, ଦ୍ୱୈତବନସ୍ଥିତ ପବିତ୍ର ସରୋବର ନିକଟକୁ ଗମନ କଲେ । ହେ ରାଜନ୍‌ ! ଦ୍ୱୈତବନସ୍ଥିତ ପବିତ୍ର ସରୋବର ନିକଟରେ ରମଣୀୟ ବନ ଓ ଉପବନମାନଙ୍କୁ ଦର୍ଶନ କରି ଯଦୃଚ୍ଛାକ୍ରମେ ସେଠାରେ ଅବସ୍ଥିତ ହୋଇ ସରୋବର ସମୀପରେ ନିବେଶ ସଂସ୍ଥାପନ କଲେ । ସେଠାରେ ଧର୍ମପତ୍ନୀ ଦ୍ରୌପଦୀଙ୍କ ସହିତ ଯୁଧିଷ୍ଠିର ଦିବ୍ୟ ବନ୍ୟ ପଦାର୍ଥଦ୍ୱାରା ଏକାହସହ ସାଧ୍ୟ ଯଜ୍ଞଦ୍ୱାରା ରାଜର୍ଷିଯଜ୍ଞ ଅନୁଷ୍ଠାନ କରୁଥିଲେ । ୧୭ ।

 

ହେ ଭାରତ ! ତଦନନ୍ତର ଦୁର୍ଯ୍ୟୋଧନ ଭ୍ରାତୃଗଣଙ୍କ ସହିତ ପରିଚାରମାନଙ୍କୁ ଆଦେଶ ଦେଲେ ଯେ ତୁମ୍ଭେମାନେ କ୍ରୀଡ଼ାଗୃହମାନ ଶୀଘ୍ର ନିର୍ମାଣ କର । ୧୮ । ସେମାନେ ଦୁର୍ଯ୍ୟୋଧନଙ୍କୁ “ଯେ ଆଜ୍ଞା” ବୋଲି କହି କେଳିମନ୍ଦିରମାନ ପ୍ରସ୍ତୁତ କରିବା ଅଭିଳାଷରେ ଦ୍ୱୈତବନସ୍ଥ ସରୋବର ନିକଟକୁ ଗମନ କଲେ । ୧୯ । ସେହି ସରୋବର ନିକଟବର୍ତ୍ତୀ ବନରେ ଅନୁଚରମାନେ ପ୍ରବିଷ୍ଟ ହୁଅନ୍ତେ ଗନ୍ଧର୍ବମାନେ ଦୁର୍ଯ୍ୟୋଧନଙ୍କର ସେନାଧ୍ୟକ୍ଷଙ୍କୁ ନିବାରଣ କଲେ । ୨୦ । ହେ ବିଶାଂପତେ-! ଦେବ, ଅପ୍‌ସରା ଓ ପୁତ୍ରଗଣଙ୍କ ସହିତ ଗନ୍ଧର୍ବରାଜ ବିହାର କରିବା ନିମିତ୍ତ କୁବେର-ଭବନକୁ ଆସି ପୂର୍ବରୁ ସେହି ସ୍ଥାନକୁ ଆବରଣ କରିଥିଲେ । ହେ ରାଜନ୍‌ ! ସେହି ସରୋବର ଗନ୍ଧର୍ବରାଜଙ୍କଦ୍ୱାରା ଆବୃତ ହୋଇଥିବାର ଦେଖି କୁରୁଭୃତ୍ୟମାନେ ରାଜା ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇ କହିଲେ । ୨୩ ।

 

ଦୁର୍ଯ୍ୟୋଧନ ଦୂତମୁଖରୁ ସେହି ବୃତ୍ତାନ୍ତ ଶ୍ରବଣ କରି ଗନ୍ଧର୍ବମାନଙ୍କୁ ତଡ଼ି ଦିଅ ବୋଲି ଯୁଦ୍ଧଦୁର୍ମଦ ସୈନ୍ୟମାନଙ୍କୁ ଆଦେଶ ପ୍ରଦାନ କଲେ । ୨୪ । ରାଜା ସୁଯୋଧନଙ୍କର ସେହି ବଚନ ଶ୍ରବଣ କରି ସୈନ୍ୟଶ୍ରେଷ୍ଠମାନେ ଦ୍ୱୈତବନ ସରୋବର ସମୀପକୁ ଯାଇ ଗନ୍ଧର୍ବମାନଙ୍କୁ କହିଲେ । ୨୫ । ଧୃତରାଷ୍ଟ୍ରଙ୍କର ପୁତ୍ର ପରାକ୍ରମଶାଳୀ ଦୁର୍ଯ୍ୟୋଧନ ନାମକ ରାଜା ବିହାର କରିବା ନିମିତ୍ତ ଏହି ସ୍ଥାନକୁ ଆଗମନ କରିଅଛନ୍ତି । ଅତଏବ ତୁମ୍ଭେମାନେ ସ୍ଥାନାନ୍ତର ଗମନ କର । ୨୬ । ହେ ବିଶାମ୍ପତେ ! ଗନ୍ଧର୍ବମାନେ ଉକ୍ତପ୍ରକାର କଥିତ ହୁଅନ୍ତେ, ସେମାନେ ହାସ୍ୟକରି ସେହି କୁରୁ ସୈନ୍ୟମାନଙ୍କ ପ୍ରତି ପରୁଷ ବଚନମାନ କହିଲେ । ତୁମ୍ଭମାନଙ୍କର ରାଜା ମନ୍ଦବୁଦ୍ଧି ସୁଯୋଧନର କିଛି ମାତ୍ର ଜ୍ଞାନ ନାହିଁ । ଯେହେତୁରୁ ସୁରଲୋକବାସୀଙ୍କୁ ସେ ତାହାର କରଗତ କରିଥିଲା ପରି ଆଜ୍ଞା ପ୍ରଦାନ କରିଅଛି । ୨୮ । ତୁମ୍ଭେମାନେ ମଧ୍ୟ ମନ୍ଦପ୍ରଜ୍ଞ ହୋଇ ସ୍ୱୟଂ ମରଣକୁ ବରଣ କରୁଅଛ, ଏଥିରେ ସଂଶୟ ନାହିଁ । କାରଣ ତାହାର ବଚନଦ୍ୱାରା ମୁଗ୍ଧ ହୋଇ ଆମ୍ଭମାନଙ୍କ ନିକଟରେ ସୁଦ୍ଧା ବ୍ୟକ୍ତ କରୁଅଛ । ୨୯ । ଯେଉଁଠାରେ ସେହି କୌରବରାଜ ଅଛି, ତୁମ୍ଭେମାନେ ସମସ୍ତେ ସେହି ସ୍ଥାନକୁ ଶୀଘ୍ର ପଳାୟନ କର; ନତୁବା ଆଜି ଯମାଳୟକୁ ଗମନ କରିବ । ଦୁର୍ଯ୍ୟୋଧନଙ୍କର ସେନାଧ୍ୟକ୍ଷମାନେ ଗନ୍ଧର୍ବମାନଙ୍କ ମୁଖରୁ ଉକ୍ତପ୍ରକାର ପରୁଷବାକ୍ୟ ଶ୍ରବଣ କରି ଯେଉଁଠାରେ ରାଜା ଧୃତରାଷ୍ଟ୍ରପୁତ୍ର ଥିଲେ, ସେହି ସ୍ଥାନକୁ ସତ୍ୱର ଗମନ କଲେ । ୩୧ ।

 

॥ ଅଧ୍ୟାୟ – ୨୪୧ ॥

 

ବୈଶମ୍ପାୟନ କହିଲେ, ହେ ମହାରାଜ ! ତଦନନ୍ତର ସମସ୍ତ କୁରୁବଳମାନେ ଏକତ୍ର ମିଳିତ ହୋଇ ରାଜା ଦୁର୍ଯ୍ୟୋଧନଙ୍କ ନିକଟରେ ଉପସ୍ଥିତ ହେଲେ ଓ ଗନ୍ଧର୍ବମାନଙ୍କଦ୍ୱାରା କୁରୁରାଜଙ୍କ ପ୍ରତି ଯାହା କଥିତ ହୋଇଥିଲା, ତାହାସବୁ ନିବେଦନ କଲେ । ୧ । ହେ ଭାରତ ! ଗନ୍ଧର୍ବମାନେ ସୈନ୍ୟମାନଙ୍କୁ ନିବାରଣ କରିବାର ଶୁଣି ପ୍ରତାପବାନ କୁରୁରାଜ କ୍ରୋଧରେ ପରିପୂର୍ଣ୍ଣ ହୋଇ ନିଜ ସେନାମାନଙ୍କୁ ପୁନରାଜ୍ଞା ପ୍ରଦାନ କଲେ । ୨ । ଆମ୍ଭର ଅପ୍ରିୟକାରୀ, ଅଧର୍ମଜ୍ଞ ଗନ୍ଧର୍ବମାନଙ୍କୁ ଶାସନ କର । ଯଦିବା ଦେବଗଣଙ୍କ ସହିତ ସୁରପତି ଇନ୍ଦ୍ର ସେଠାରେ କ୍ରୀଡ଼ା କରୁଥାଆନ୍ତି, ତେବେ ସୁଦ୍ଧା ଫେରିଆସିବ ନାହିଁ । ୩ । ଦୁର୍ଯ୍ୟୋଧନଙ୍କର ଏହି ବଚନ ଶ୍ରବଣ କରି ମହାପରାକ୍ରମଶାଳୀ କୌରବମାନେ ଓ ସହସ୍ର ସହସ୍ର ଯୋଦ୍ଧା ସୁସଜ୍ଜିତ ହେଲେ । ୪ । ତଦନନ୍ତର କୁରୁବଳ ମହାସିଂହନିନାଦଦ୍ୱାରା ଦଶ ଦିଗକୁ ଆଚ୍ଛାଦନ କଲେ ଓ ଗନ୍ଧର୍ବମାନଙ୍କୁ ପ୍ରମଥନ କରି ବଳପୂର୍ବକ ଦ୍ୱୈତବନରେ ପ୍ରବିଷ୍ଟ ହେଲେ । ୫ । ହେ ବସୁଧାଧିପ ! ତତ୍ପରେ ଅପର ଗନ୍ଧର୍ବମାନେ ଶାନ୍ତ ବଚନଦ୍ୱାରା କୁରୁବଳମାନଙ୍କୁ ନିବାରଣ କରନ୍ତେ ରାଜାଙ୍କ ସହିତ କୁରୁବଳମାନେ ଗନ୍ଧର୍ବମାନଙ୍କୁ ଅନାଦର କରି ମହାବନରେ ପ୍ରବିଷ୍ଠ ହେଲେ । ୭ । ହେ ଭାରତ ! ସେହି ସମୟରେ ଗଗନଚାରୀମାନେ ଯାଇ ଚିତ୍ରସେନଙ୍କ ସମୀପରେ ନିବେଦନ କରନ୍ତେ, ଗନ୍ଧର୍ବରାଜ ଅତିଶୟ କ୍ରୁଦ୍ଧ ହୋଇ ନିଜ ପରିବାରବର୍ଗଙ୍କୁ ଏହି ଆଜ୍ଞା ପ୍ରଦାନ କଲେ ଯେ ଅନାର୍ଯ୍ୟ ସେହି ସମସ୍ତ କୌରବଗଣଙ୍କୁ ତୁମ୍ଭେମାନେ ଶାସନ କର । ୯ । ଆଜ୍ଞା ପ୍ରାପ୍ତହେବାକ୍ଷଣି ସମସ୍ତ ଗନ୍ଧର୍ବମାନେ ଶସ୍ତ୍ରାସ୍ତ୍ର ଧାରଣ କରି କୌରବମାନଙ୍କ ପ୍ରତି ଧାବମାନ ହେଲେ ଓ କୁରୁବଳମାନ ଶୀଘ୍ରଗାମୀ ଗନ୍ଧର୍ବମାନଙ୍କୁ ଯୁଦ୍ଧାର୍ଥେ ଉଦ୍ୟତ ହୋଇଥିବାର ଦେଖିଲେ । ୧୦ ।

 

ସେହିକ୍ଷଣି ସମସ୍ତ କୁରୁସୈନ୍ୟ ଯୁଦ୍ଧରେ ପରାଙ୍‍ମୁଖ ହୋଇ ଦ୍ରୁତବେଗରେ ପଳାୟନ କଲେ । ତାହା ଦେଖି ବୀର ରାଧାସୁତ କର୍ଣ୍ଣ ପରାଙ୍‌ୁଖ ନ ହୋଇ ବହୁସଂଖ୍ୟକ ଗନ୍ଧର୍ବସେନାଙ୍କୁ ଆସୁଥିବାର ପ୍ରତୀକ୍ଷା କଲେ । ୧୨ । ସୂତପୁତ୍ର କର୍ଣ୍ଣ ବହୁସଂଖ୍ୟକ ଶରବର୍ଷଣଦ୍ୱାରା ଗନ୍ଧର୍ବ ସେନାମାନଙ୍କୁ ନିବାରଣ କଲେ ଓ କ୍ଷୁରପ୍ର, ବିଶିଖ, ଭଲ୍ଲ, ବତ୍ସଦନ୍ତ ଓ ଅନ୍ୟାନ୍ୟ ଲୌହଶସ୍ତ୍ରସମୂହଦ୍ୱାରା ବହୁସଂଖ୍ୟକ ଗନ୍ଧର୍ବଙ୍କର ଶିରଚ୍ଛେଦନ କଲେ । ୧୪ । ଧୀମାନ କର୍ଣ୍ଣଙ୍କଦ୍ୱାରା କ୍ଷଣକାଳ ମଧ୍ୟରେ ଚିତ୍ରସେନଙ୍କର ସମସ୍ତ ସେନା ବିଧ୍ୱଂସିତ ହେଲେ । ୧୫ । ପୁନରପି କ୍ଷଣକାଳ ମଧ୍ୟରେ ଶତ ଶତ ଓ ସହସ୍ର ସହସ୍ର ଆପତନଶୀଳ, ମହାବେଗବାନ ଗନ୍ଧର୍ବ ସୈନ୍ୟମାନଙ୍କଦ୍ୱାରା ପୃଥିବୀ ପରିପୂର୍ଣ୍ଣ ହୋଇଗଲା । ୧୬ । ଅନନ୍ତର ରାଜା ଦୁର୍ଯ୍ୟୋଧନ ଶକୁନି, ସୌବଳ, ଦୁଃଶାସନ, ବିକର୍ଣ୍ଣ ଓ ଅନ୍ୟାନ୍ୟ ଧୃତରାଷ୍ଟ୍ର ପୁତ୍ରମାନେ ତତ୍କାଳରେ ଗରୁଡ଼ଙ୍କର ଶବ୍ଦସଦୃଶ ଶବ୍ଦ କରୁଥିବା ରଥରେ ଆରୋହଣ କରି କର୍ଣ୍ଣ ଅଗ୍ରସର ହେଲେ ଓ ପୁନର୍ବାର ଯୁଦ୍ଧରେ ପ୍ରବୃତ୍ତ ହୋଇ ଗନ୍ଧର୍ବମାନଙ୍କୁ ନିହତ କଲେ । କର୍ଣ୍ଣଙ୍କୁ ରକ୍ଷାକରିବା ଅଭିଳାଷରେ ବହୁସଂଖ୍ୟକ ରଥ ଓ ଅଶ୍ୱାରୋହୀମାନଙ୍କଦ୍ୱାରା ଗନ୍ଧର୍ବସେନାଗଣଙ୍କୁ ନିବାରଣ କଲେ । ତତ୍ପରେ ସମୁଦାୟ ଗନ୍ଧର୍ବଗଣ କୌରବଗଣଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲେ । ୨୦ ।

 

ସେହି ସମୟରେ ଲୋମହର୍ଷଣ ତୁମୁଳ ଯୁଦ୍ଧ ପ୍ରାରମ୍ଭ ହେଲା । ତଦନନ୍ତର ଗନ୍ଧର୍ବମାନେ କୌରବମାନଙ୍କର ଶରାଘାତଦ୍ୱାରା ମୃଦୁଭାବକୁ ଧାରଣ କଲେ । ୨୧ । ଗନ୍ଧର୍ବମାନଙ୍କୁ ପୀଡ଼ିତ ହୋଇଥିବାର ଦେଖି କୌରବଗଣ ହର୍ଷରେ ଉଚ୍ଚ ଧ୍ୱନି ଆରମ୍ଭ କଲେ । ସ୍ୱୀୟଗଣଙ୍କୁ ତ୍ରାସିତ ହୋଇଥିବାର ଦେଖି ଚିତ୍ରସେନ କ୍ରୋଧଯୁକ୍ତ ହେଲେ । ୨୨ । କ୍ରୋଧୀ ଚିତ୍ରସେନ କୌରବମାନଙ୍କର ବଧ ସଙ୍କଳ୍ପକରି ଆସନ ପରିତ୍ୟାଗ କଲେ । ଅନନ୍ତର ବିଚିତ୍ର ଯୁଦ୍ଧବିଶାରଦ ଗନ୍ଧର୍ବରାଜ ମାୟାସ୍ତ୍ର ଧାରଣ କରି ରଣରେ ପ୍ରବୃତ୍ତ ହୁଅନ୍ତେ କୌରବମାନେ ସେହି ମାୟାଯୁଦ୍ଧଦ୍ୱାରା ବିମୋହିତ ହେଲେ । ୨୩ । ହେ ଭାରତ ! ସେହି ସମୟରେ ଦୁର୍ଯ୍ୟୋଧନଙ୍କର ଏକ ଏକ ସୈନ୍ୟ ଦଶ ଦଶ ଗନ୍ଧର୍ବ-ସେନାମାନଙ୍କଦ୍ୱାରା ସମାକୀର୍ଣ୍ଣ ହେଲେ । ୨୪ । ହେ ରାଜନ୍‌ ! ଯେଉଁ କୌରବମାନେ ଜୟାଭିଳାଷୀ ହୋଇଥିଲେ, ସେମାନେ ରଣରେ ବହୁସଂଖ୍ୟକ ସୈନ୍ୟଙ୍କଦ୍ୱାରା ଅତିଶୟ ପୀଡ଼ିତ ହୋଇ ଭୟରେ ପଳାୟନ କଲେ । ୨୫ ।

 

ହେ ରାଜନ୍‌ ! ସକଳ କୁରୁବଳ ଯୁଦ୍ଧରେ ଛିନ୍ନଭିନ୍ନ ହୋଇଯିବାରୁ ସୂର୍ଯ୍ୟନନ୍ଦନ କର୍ଣ୍ଣ ଗିରିତୁଲ୍ୟ ଅଚଳ ଭାବରେ ସ୍ଥକିତ ହୋଇ ରହିଲେ । ୨୬ । ଦୁର୍ଯ୍ୟୋଧନ, କର୍ଣ୍ଣ ଓ ସୁବଳନନ୍ଦନ ଶକୁନି ଏମାନେ ରଣରେ ଅତିଶୟ ବିଚକ୍ଷଣ ହୋଇଥିଲେ ସୁଦ୍ଧା ପୁନରପି ଗନ୍ଧର୍ବମାନଙ୍କ ସହିତ ଯୁଦ୍ଧାରମ୍ଭ କଲେ । ୨୭ । ପରନ୍ତୁ କର୍ଣ୍ଣଙ୍କୁ ବିନାଶ କରିବା ଇଚ୍ଛାରେ ସକଳ ଗନ୍ଧର୍ବଗଣ ଶତ ଶତ ଓ ସହସ୍ର ସହସ୍ର ସଂଖ୍ୟାରେ ମିଳିତ ହୋଇ ଏକାବେଳକେ ରଣସ୍ଥଳରେ ତାହାଙ୍କ ପ୍ରତି ଧାବମାନ ହେଲେ । ୨୮ । ସେହି ମହାପରାକ୍ରମଶାଳୀ ଗନ୍ଧର୍ବମାନେ ସୂତପୁତ୍ର କର୍ଣ୍ଣଙ୍କର ବଧାଭିଳାଷୀ ହୋଇ ଅସୀ, ପଟ୍ଟୀଶ, ଶୂଳ ଓ ଗଦା ଏହି ଅସ୍ତ୍ରମାନଙ୍କୁ ଧାରଣ କରି ତାହାଙ୍କର ଚତୁର୍ଦ୍ଦିଗରେ ବେଷ୍ଟନ କଲେ । ୨୯ । କେହି ତାହାଙ୍କ ରଥର ଯୁଗକାଷ୍ଠକୁ ଛେଦନ କଲା, କାହାଦ୍ୱାରା ଧ୍ୱଜ ନିପାତିତ ହେଲା, କେହି ଈଶାକୁ ବିନଷ୍ଟ କଲା, କାହାଦ୍ୱାରା ତୁରଙ୍ଗମାନେ ନିହତ ହେଲେ । କେହି ସାରଥିକୁ ସୁଦ୍ଧା ନିପାତିତ କଲା । ୩୦ । କାହାଦ୍ୱାରା ଛକ୍ର ଛେଦିତ ହେଲା, କେହି ବି ରଥଭଗ୍ନ ଓ କେହି ଅବା ସନ୍ଧିଭଞ୍ଜନ କଲା । ଏହିପରି ବହୁ ସହସ୍ର ଗନ୍ଧର୍ବମାନେ ତାହାଙ୍କ ରଥକୁ ଖଣ୍ଡ ଖଣ୍ଡ କରି ବିଧ୍ୱସ୍ତ କଲେ । ୩୧ । ତତ୍ପରେ ସୂତପୁତ୍ର କର୍ଣ୍ଣ ଅସୀ-ଚର୍ମକୁ ଧାରଣ କରି ସ୍ୱୀୟରଥରୁ ଲମ୍ଫ ପ୍ରଦାନପୂର୍ବକ ବିକର୍ଣ୍ଣଙ୍କ ରଥରେ ବସି ଆତ୍ମପରିତ୍ରାଣ ନିମିତ୍ତ ଘୋଟନମାନଙ୍କୁ ଚାଳନ କଲେ । ୩୨ ।

 

॥ ଅଧ୍ୟାୟ – ୨୪୨ ॥

 

ବୈଶାମ୍ପାୟନ କହିଲେ, ହେ ମହାରାଜ ! ଗନ୍ଧର୍ବଗଣ ମହାରଥ କର୍ଣ୍ଣଙ୍କୁ ପରାସ୍ତ କରିବାର ଦେଖି ସମସ୍ତ କୌରବ ଦୁର୍ଯ୍ୟୋଧନଙ୍କ ସାକ୍ଷାତ୍‍ରେ ପଳାୟନ କଲେ । ୧ । କିନ୍ତୁ ହେ ମହାରାଜ ! ଦୁର୍ଯ୍ୟୋଧନ ସ୍ୱୀୟ ସେମାନଙ୍କୁ ଯୁଦ୍ଧରୁ ପରାଙ୍‍ମୁଖ ହୋଇ ପଳାୟନ କରିବାର ଦେଖି ସୁଦ୍ଧା ସ୍ୱୟଂ ପରାଙ୍‍ମୁଖ ହେଲେ ନାହିଁ । ସେହି ଅରିନ୍ଦମ ଦୁର୍ଯ୍ୟୋଧନ ଗନ୍ଧର୍ବମାନଙ୍କର ମହାସେନାଙ୍କୁ ପତିତହେବାର ଦେଖି ଜଳବର୍ଷଣ ପରି ବହୁସଂଖ୍ୟକ ଶର ବୃଷ୍ଟି କଲେ । ୩ । କିନ୍ତୁ ଗନ୍ଧର୍ବମାନେ ତାହାଙ୍କ ଶର ପ୍ରୟୋଗଦ୍ୱାରା ଚିନ୍ତିତ ନ ହୋଇ ସେହି ରଥୀ ଦୁର୍ଯ୍ୟୋଧନଙ୍କୁ ବିନାଶ କରିବା ଇଚ୍ଛାରେ ତାହାଙ୍କ ଚତୁର୍ଦ୍ଦିଗରେ ବେଷ୍ଟନ କଲେ ଓ ଶରସମୂହଦ୍ୱାରା ତାହାଙ୍କ ରଥର ଯୁଗ, ଈଶ, ବଋଥ, ଧ୍ୱଜ, ସାରଥି, ସମସ୍ତ ତୁରଙ୍ଗମ, ତ୍ରିବେଣୁ ଓ ତଳ୍ପ ଏମାନଙ୍କୁ ଖଣ୍ଡ ଖଣ୍ଡ କରି ବିନଷ୍ଟ କଲେ । ୫ । ଦୁର୍ଯ୍ୟୋଧନ ବିରଥହୋଇ ଭୃପୃଷ୍ଟରେ ପତିତ ହୁଅନ୍ତେ ମହାବାହୁ ଚିତ୍ରସେନ ଦ୍ରୁତବେଗରେ ଯାଇ ପ୍ରାଣକୁ ଆକର୍ଷଣ କରିବା ସଦୃଶ ତାହାଙ୍କୁ ଗ୍ରହଣ କଲେ । ୬ ।

 

ହେ ରାଜେନ୍ଦ୍ର ! ଦୁର୍ଯ୍ୟୋଧନକୁ ଗ୍ରହଣକଲା ପରେ ଗନ୍ଧର୍ବଗଣ, ରଥାରୋହୀ ଦୁଃଶାସନକୁ ଚତୁର୍ଦ୍ଦିଗରେ ବେଷ୍ଟନ କରି ଗ୍ରହଣ କଲେ । ଅପିଚ କେତେଗୁଡ଼ିଏ ଗନ୍ଧର୍ବସେନା, ବିବିଂଶତି ଚିତ୍ରସେନ, ବିନ୍ଦ, ଅନବିନ୍ଦ ଓ ଅପରାପର ରାଜପତ୍ନୀମାନଙ୍କୁ ମଧ୍ୟ ଗ୍ରହଣ କରି ଧାବମାନ ହେଲ । ୮ । ତତ୍କାଳରେ ଦୁର୍ଯ୍ୟୋଧନଙ୍କର ଯୋଦ୍ଧାମାନେ ଗନ୍ଧର୍ବଗଣଙ୍କଦ୍ୱାରା ଅତିଶୟ ତାଡ଼ିତହୋଇ ବିଚ୍ଛିନ୍ନ ସେନାମାନଙ୍କ ସହିତ ପାଣ୍ଡବମାନଙ୍କ ସମୀପକୁ ଗମନ କଲେ । ୯ । ଗନ୍ଧର୍ବଗଣ ମହୀପତି ଦୁର୍ଯ୍ୟୋଧନଙ୍କୁ ହରଣ କଲା ପରେ କୌରବମାନଙ୍କର ଶକଟ, ଆପଣ, ପଟ୍ଟମଣ୍ଡପ, ଯାନ ଓ ବାହନ ସମସ୍ତ ପାଣ୍ଡବମାନଙ୍କଠାରେ ଶରଣାପନ୍ନ ହେଲେ । ୧୦ । ସେନାଗଣ କହିଲେ, ପ୍ରିୟଦର୍ଶୀ, ମହାବାହୁ, ମହାପରାକ୍ରମଶାଳୀ, ରାଜା ଦୁର୍ଯ୍ୟୋଧନଙ୍କୁ ଗନ୍ଧର୍ବଗଣ ଅପହରଣ କରି ନେଇଯାଇଅଛନ୍ତି ! ଅତଏବ ହେ ପାଣ୍ଡବଗଣ ! ଆପଣମାନେ ଶୀଘ୍ର ତାହାଙ୍କର ଅନୁଗାମୀ ହେଉନ୍ତୁ । ୧୧ । ଦୁଃଶାସନ, ଦୁର୍ବିସହ, ଦୁର୍ମ୍ମୁଖ, ଦୁର୍ଜ୍ଜୟ ଓ ସମୁଦାୟ ରାଜପତ୍ନୀମାନଙ୍କୁ ଗନ୍ଧର୍ବମାନେ ବନ୍ଧନକରି ଘେନିଯାଉଅଛନ୍ତି । ୧୨ । ସୁଯୋଧନଙ୍କ ରାଜହିତୈଷୀ ମନ୍ତ୍ରିଗଣ ଏହିପରି ଆର୍ତ୍ତଭାବରେ ରୋଦନ କରୁ କରୁ ଯୁଧିଷ୍ଠିରଙ୍କ ନିକଟରେ ଉପସ୍ଥିତ ହେଲେ । ୧୩ । ଦୁର୍ଯ୍ୟୋଧନଙ୍କର ସେହି ବୃଦ୍ଧ ମନ୍ତ୍ରିମାନେ ଦୀନ ଓ ବ୍ୟଥିତ ହୋଇ ଧର୍ମରାଜଙ୍କ ସମୀପରେ ପ୍ରାର୍ଥନା କରନ୍ତେ, ଭୀମସେନ ସେମାନଙ୍କୁ କହିଲେ, । ୧୪ । “ଆମ୍ଭେମାନେ ଗଜ ଓ ଅଶ୍ୱମାନଙ୍କଦ୍ୱାରା ଅତି ଯତ୍ନରେ ଯାହାସବୁ ନିଷ୍ପନ୍ନ କରନ୍ତୁ ସମ୍ପ୍ରତି ସେହିସବୁ ଗନ୍ଧର୍ବମାନଙ୍କର ନିଷ୍ପାଦିତ ହେଲା । ୧୫ ।

 

କୌରବମାନେ ଅନ୍ୟ ଅଭିଳାଷରେ ପ୍ରବୃତ୍ତ ହୋଇଥିଲେ; କିନ୍ତୁ ସେହି ଉଦ୍ଦେଶ୍ୟରେ ଅର୍ଥ ଅନର୍ଥ ହୋଇପଡ଼ିଲା । ବାସ୍ତବରେ ଏହା କେବଳ ଦୁର୍ଯ୍ୟୋଧନ ଦୁଷ୍ଟ ଦ୍ୟୁତକ୍ରୀଡ଼ାରେ ନିପୁଣହୋଇ କରିଥିବା କୁମନ୍ତ୍ରଣାର ଫଳ ଅଟେ । ୧୬ । ଆମ୍ଭେମାନେ ଶ୍ରବଣ କରିଅଛୁଁ ଯେ ଦୁର୍ବଳ ବ୍ୟକ୍ତିର ଶତ୍ରୁକୁ ଅନ୍ୟ ବ୍ୟକ୍ତି ବିନଷ୍ଟ କରେ; କିନ୍ତୁ ସମ୍ପ୍ରତି ଗନ୍ଧର୍ବମାନେ ଏହି ଅଲୌକିକ କାର୍ଯ୍ୟ ସମ୍ପାଦନ କରିଥିବା ଆମ୍ଭେମାନେ ପ୍ରତ୍ୟକ୍ଷ କଲୁ । ୧୭ । ଇହଲୋକରେ ଆମ୍ଭମାନଙ୍କର ପ୍ରିୟକାର୍ଯ୍ୟ କରିବା ନିମିତ୍ତ ଭାଗ୍ୟକ୍ରମେ କୌଣସି ପୁରୁଷ ମଧ୍ୟ ବିଦ୍ୟମାନ ଅଛନ୍ତି; କିନ୍ତୁ ଆମ୍ଭେମାନେ ଉପସ୍ଥିତ ଥାଉ ଥାଉ ଆମ୍ଭମାନଙ୍କର ସୁଖାବହ ଭାର ଯେ ବ୍ୟକ୍ତି ଅପହରଣ କରିଅଛି, ସେହି ଦୁର୍ମତି ଦୁର୍ଯ୍ୟୋଧନ ସମଭାବରେ ରହିଅଛି । ଆମ୍ଭେମାନେ ବିଷମପଦରେ ଅବସ୍ଥାନପୂର୍ବକ ଶୀତ, ବାତ ଓ ଆତପ ସହ୍ୟକରି ତପସ୍ୟାଦ୍ୱାରା କ୍ଳେଶଭୋଗ କରୁଅଛୁ । ତଥାପି ସେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛି । ୧୯ । ପରନ୍ତୁ ଯେଉଁମାନେ ସେହି ଅଧର୍ମାଚାରୀ, ଦୁରାତ୍ମା କୁରୁନନ୍ଦନର ସ୍ୱଭାବ ଅନୁକରଣ କରନ୍ତି, ସମ୍ପ୍ରତି ସେମାନେ ତାହାର ପରାଭବକୁ ଦେଖୁଅଛନ୍ତି । ୨୦ । ଯେ ବ୍ୟକ୍ତି ଏହି ବିଷୟରେ ତାହାକୁ ଉପଦେଶ ଦେଉଅଛି, ସେ ଅତ୍ୟନ୍ତ ଅଧାର୍ମିକ ଅଟେ । କିନ୍ତୁ ପାଣ୍ଡବମାନେ ନିଷ୍ଠୁର ହୃଦୟ ନୁହନ୍ତି; ଆମ୍ଭେ ତାହା ତୁମ୍ଭଙ୍କୁ ପ୍ରତ୍ୟକ୍ଷରେ କହୁଅଛୁ । ୨୧ । କୁନ୍ତୀନନ୍ଦନ ଭୀମସେନ ଏହିପରି ନିନ୍ଦାଯୁକ୍ତ ସ୍ୱରରେ କହନ୍ତେ, ରାଜା ଯୁଧିଷ୍ଠିର ତାହାଙ୍କୁ କହିଲେ, ଏହି ସମୟରେ ପରୁଷୋକ୍ତି କରିବା ଉଚିତ ନୁହେଁ । ୨୨ ।

 

॥ ଅଧ୍ୟାୟ – ୨୪୩ ॥

 

ଯୁଧିଷ୍ଠିର କହିଲେ, ହେ ବତ୍ସ ! କୌରବମାନେ ଭୟାର୍ତ୍ତପୂର୍ବକ ବିଷମ ସଙ୍କଟରେ ପଡ଼ି ଆମ୍ଭମାନଙ୍କଠାରେ ଶରଣ ପଶିଅଛନ୍ତି । ସେମାନଙ୍କୁ ଏହିପରି ନିଷ୍ଠୁର ବାକ୍ୟ କାହିଁକି କହୁଅଛ ? । ୧ । ହେ ବୃକୋଦର ! ଜ୍ଞାତିଗଣଙ୍କ ମଧ୍ୟରେ ଭେଦ, କଳହ, ବିରୋଧ ଓ ପ୍ରସକ୍ତ ଏ ସମସ୍ତ ହୁଏ; କିନ୍ତୁ କୁଳଧର୍ମ ନଷ୍ଟ ହୁଏ ନାହିଁ । ୨ । ଯେତେବେଳେ ଅନ୍ୟ କୌଣସି ବାହ୍ୟ ଲୋକ ଜ୍ଞାତିମାନଙ୍କର କୁଳଧର୍ମ ବିନଷ୍ଟ କରିବାକୁ ଉଦ୍ୟତ ହୁଏ, ସେତେବେଳେ ସତ୍‌ପୁରୁଷମାନେ ବାହ୍ୟ ଲୋକର ସେହି ପରାଭବକୁ ସହି ପାରନ୍ତି ନାହିଁ । ୩ । ଆମ୍ଭେମାନେ ବହୁକାଳରୁ ଏହି ସ୍ଥାନରେ ବାସ କରିଅଛୁ, ସୁତରାଂ ସେହି ଦୁର୍ବୁଦ୍ଧ ଗନ୍ଧର୍ବରାଜ ଆମ୍ଭମାନଙ୍କୁ ନିଶ୍ଚୟ ଜାଣିଅଛି । ତଥାପି ସେ ଆମ୍ଭମାନଙ୍କୁ ଅବଜ୍ଞାକରି ଏହି ଅପ୍ରିୟ କାର୍ଯ୍ୟ କରିଅଛି । ୪ । ହେ ପ୍ରଭୋ ! ଗନ୍ଧର୍ବମାନେ ବଳପୂର୍ବକ ଦୁର୍ଯ୍ୟୋଧନଙ୍କୁ ଗ୍ରହଣକରିବା ହେତୁରୁ ଓ ବାହ୍ୟ ଲୋକଦ୍ୱାରା ସ୍ତ୍ରୀମାନଙ୍କର ଅଭିମର୍ଷ ହେବା ହେତୁରୁ ଆମ୍ଭମାନଙ୍କର କୁଳ ବିନଷ୍ଟ ହେଲା । ୫ । ଅତଏବ ହେ ନରଶ୍ରେଷ୍ଠମାନେ ! ଶରଣାଗତ ବ୍ୟକ୍ତିମାନଙ୍କ ପରିତ୍ରାଣାର୍ଥ ଓ ଆମ୍ଭର କୁଳଧର୍ମ ରକ୍ଷାନିମିତ୍ତ ତୁମ୍ଭେମାନେ ଶୀଘ୍ର ସୁସଜ୍ଜିତ ହୋଇ ଉଠ । ୬ ।

 

ହେ ମାନବଶ୍ରେଷ୍ଠଗଣ ! ଅର୍ଜୁନ, ନକୁଳ, ସହଦେବ ଓ ତୁମ୍ଭେ ସମସ୍ତେ ଅନ୍ୟ ବୀରମାନଙ୍କଦ୍ୱାରା ଅଜେୟ ଅଟ । ଅତଏବ ଗନ୍ଧର୍ବମାନଙ୍କଦ୍ୱାରା ଦୁତ ସୁଯୋଧନଙ୍କୁ ମୋଚନ କର-। ୭ । ହେ ନରବ୍ୟାଘ୍ରଗଣ ! ଧୃତରାଷ୍ଟ୍ରପୁତ୍ରମାନଙ୍କର ଏହି ରଥମାନେ ନିର୍ମଳ କନକପତାକାରେ ଶୋଭିତ ଓ ସକଳ ଶସ୍ତ୍ରରେ ପରିପୂର୍ଣ୍ଣ ହୋଇ ରହିଅଛି । ୮ । ସୁସଜ୍ଜିତ ଓ ନିନାଦଯୁକ୍ତ ଏହି ରଥମାନଙ୍କରେ ଇନ୍ଦ୍ରରଥାଦି ସୂତମାନେ ଅଧିଷ୍ଠାନ କରିଅଛନ୍ତି । ଅତଏବ ତୁମ୍ଭେମାନେ ଧୃତାସ୍ତ୍ର ହୋଇ ଆରୋହଣ କର । ୯ । ସୁଯୋଧନର ମୋଚନ ନିମିତ୍ତ ଏହି ସମସ୍ତ ରଥମାନଙ୍କରେ ତୁମ୍ଭେମାନେ ଆରୋହଣ କରି ଅନଳସପୂର୍ବକ ଗନ୍ଧର୍କମାନଙ୍କ ସହିତ ଯୁଦ୍ଧ କରିବାକୁ ପ୍ରଯତ୍ନ କର-। ୧୦ । ହେ ବୃକୋଦର ! ସମସ୍ତ କ୍ଷତ୍ରିୟଗଣଙ୍କର ଏଠାରେ ଉପସ୍ଥିତ ଶରଣାର୍ଥୀଙ୍କୁ ପରମ ପରାକ୍ରମଦ୍ୱାରା ପରିତ୍ରାଣ କରିବା ବିଧେୟ ଅଟେ । ଅଧିକନ୍ତୁ ତୁମ୍ଭମାନଙ୍କ ସମ୍ବନ୍ଧରେ କ’ଣ କହିବା,-। ୧୧ । ତୁମ୍ଭେମାନେ ମହାଶୂର । ଯଦି ଶତ୍ରୁ ସୁଦ୍ଧା କୃତାଞ୍ଜଳି ପୂର୍ବକ ଶରଣାଗତ ହୋଇ “ପରିତ୍ରାଣ କରିବାକୁ ଅଭିଧାବନ କର”ବୋଲି କହେ, ତେବେ ତାହାକୁ ଦେଖି ଇହଲୋକରେ କୌଣସି ଆର୍ଯ୍ୟ ବ୍ୟକ୍ତି ଉଦ୍ଧାର କରିବାରୁ ନିରୁଦ୍ୟମ ହୋଇ କଦାପି ରହେ ନାହିଁ । ୧୨ । ହେ ପାଣ୍ଡବଗଣ ! ବର ପ୍ରଦାନ, ରାଜ୍ୟରକ୍ଷା ପୁତ୍ରଜନ୍ମ ଓ ଶତ୍ରୁକ୍ଳେଶରୁ ମୋଚନ ଏମାନେ ପରସ୍ପର ସମାନ ଅଟନ୍ତି । ସୁଯୋଧନ ବିପଦଗ୍ରସ୍ତ ହୋଇ ତୁମ୍ଭମାନଙ୍କର ବାହୁବଳକୁ ଅବଲମ୍ବନପୂର୍ବକ ତାହାର ଜୀବନରକ୍ଷା ଅନ୍ୱେଷଣ କରୁଅଛି । ଏଥିରୁ ଆଉ ଅଧିକ କ’ଣ ହୋଇପାରେ ! ୧୪ । ହେ ବୀର ବୃକୋଦର ! ଯଦି ଆମ୍ଭର ଯଜ୍ଞ ଆରମ୍ଭ ହୋଇ ନ ଥାନ୍ତା, ତେବେ ଆମ୍ଭେ ସ୍ୱୟଂ ପ୍ରଧାବିତ ହୋଇଥାଆନ୍ତୁ; ଏଥିରେ କୌଣସି ସନ୍ଦେହ ନାହିଁ । ୧୫ । ହେ କୁରୁନନ୍ଦନ ଭୀମ ! ଯେପରି ଶାନ୍ତ ବଚନଦ୍ୱାରା ସୁଯୋଧନ ମୁକ୍ତ ହେବ, ସେହି ସମସ୍ତ ଉପାୟଦ୍ୱାରା ଯତ୍ନବାନ୍ ହୋଇଥାଅ । ୧୬ । ଯଦି ଗନ୍ଧର୍ବରାଜ ଶାନ୍ତବଚନଦ୍ୱାରା ଶାସିତ ନ ହୁଅନ୍ତି, ତେବେ ତୁମ୍ଭେମାନେ ମୃଦୁ ପରାକ୍ରମଦ୍ୱାରା ଦୁର୍ଯ୍ୟୋଧନକୁ ମୁକ୍ତ କରିବ । ୧୭ ।

 

ହେ ଭୀମ ! ସେହି ଗନ୍ଧର୍ବରାଜ ଯଦି ମୃଦୁ ଯୁଦ୍ଧଦ୍ୱାରା କୌରବମାନଙ୍କୁ ଛାଡ଼ି ନ ଦିଅନ୍ତି, ତେବେ ସମସ୍ତ ଉପାୟଦ୍ୱାରା ଗନ୍ଧର୍ବବଳକୁ ଦଳନ କରି ଉଦ୍ଧାର କରିବ । ୧୮ । ହେ ଭରତନନ୍ଦନ ଭୀମ ! ଆମ୍ଭର ଯାଗକର୍ମ ଆରମ୍ଭ ହୋଇଥିବାରୁ ଏହି ଆଦେଶ କେବଳ ଆମ୍ଭେ ପ୍ରଦାନ କଲୁ । ୧୯ । ବୈଶମ୍ପାୟନ କହିଲେ, ଅଜାତଶତ୍ରୁ ଗୁରୁ ଧର୍ମରାଜଙ୍କର ବାକ୍ୟ ଶ୍ରବଣ କରି କୌରବମାନଙ୍କର ମୋକ୍ଷଣ କରିବାକୁ ଅର୍ଜୁନ ପ୍ରତିଜ୍ଞା କଲେ । ୨୦ । ଅର୍ଜୁନ କହିଲେ, ଯଦି ଶାନ୍ତ ବଚନଦ୍ୱାରା ଗନ୍ଧର୍ବମାନେ କୌରବମାନଙ୍କୁ ଛାଡ଼ି ନ ଦିଅନ୍ତି, ତେବେ ଆଜି ଭୂମି ଗନ୍ଧର୍ବରାଜଙ୍କର ରୁଧିର ପାନ କରିବ । ୨୧ । ହେ ରାଜନ୍‌ ! ସତ୍ୟବାଦୀ ଅର୍ଜୁନଙ୍କର ପ୍ରତିଜ୍ଞା ଶ୍ରବଣ କରି ପୁନରପି କୌରବମାନଙ୍କ ମନରେ ଆନନ୍ଦ ଫେରିଆସିଲା । ୨୨ ।

 

॥ ଅଧ୍ୟାୟ – ୨୪୪ ॥

 

ବୈଶମ୍ପାୟନ କହିଲେ, ଭୀମସେନ ପ୍ରଭୃତି ନରୋତ୍ତମମାନେ ଧର୍ମରାଜଙ୍କର ବାକ୍ୟ ଶ୍ରବଣ କରି ସମସ୍ତେ ପ୍ରଫୁଲ୍ଲ ବଦନରେ ସମୃତ୍‌ଥିତ ହେଲେ । ୧ । ହେ ଭାରତ ! ଅନନ୍ତର ସମସ୍ତ ମହାରଥମାନେ କାଞ୍ଚନ, ଚିତ୍ରିତ ଅଭେଦ୍ୟ କବଚମାନ ପରିଧାନ କଲେ । ୨ । ନାନାବିଧ ଦିବ୍ୟ ଆୟୁଧ ଧାରଣ କଲେ । ସେହି ସମସ୍ତ ଧନୁର୍ଦ୍ଧାରୀ ଧ୍ୱଜମାନଙ୍କୁ ଧାରଣ କରିଥିଲେ ଓ ରଥମାନଙ୍କଦ୍ୱାରା ସନ୍ନିଦ୍ଧ ହୋଇଥିଲେ । ୩ । ଅନଳସଦୃଶ ଦୀପ୍ତିମାନ୍‌, ରଥୀଶାର୍ଦ୍ଦୁଳ ପାଣ୍ଡବମାନେ ବେଗଗାମୀ ତୁରଙ୍ଗମାନଙ୍କଦ୍ୱାରା ଯୋଜିତ ଓ ଶାସ୍ତ୍ରାସ୍ତ୍ରନିକରଦ୍ୱାରା ସୁସଜ୍ଜିତ ରଥମାନଙ୍କରେ ଆରୋହଣ କରି ସେଠାରୁ ଶୀଘ୍ର ପ୍ରସ୍ଥାନ କଲେ । ଅନନ୍ତର କୌରବସେନାମାନେ ତାହା ଦେଖି ଉଚ୍ଚୈଃସ୍ୱରରେ କୋଳାହଳ କଲେ । ୫ । ଜୟାଭିମାନୀ ମହାରଥ, ଗଗନଚାରୀ ଗନ୍ଧର୍ବମାନେ ମହାରଥ ପାଣ୍ଡବମାନଙ୍କୁ ରଣାକାଙ୍‌କ୍ଷୀ ଓ ମିଳିତ ହୋଇଥିବାର ଦେଖି ବେଗଗାମୀ ହେଲେ । ୬ । କ୍ଷଣକାଳ ମଧ୍ୟରେ ସମସ୍ତ ଜୟାଭିମାନୀ ଗନ୍ଧର୍ବମାନେ ଦ୍ୱୈତବନରେ ଉପସ୍ଥିତ ହେଲେ ଓ ସେମାନେ ଜୟୀ ହେଲୁ ବୋଲି ମନେ କରି ଫେରିଆସିଲେ । ୭ । ରଣକ୍ଷେତ୍ରରେ ସେହି ବୀର ପାଣ୍ଡବଚତୁଷ୍ଟୟ ଲୋକପାଳମାନଙ୍କ ପରି ରଥରେ ବିରାଜମାନ ହୋଇଥିଲେ । ଗନ୍ଧମାର୍ଦ୍ଦନବାସୀ ଗନ୍ଧର୍ବମାନେ ଏହା ଦେଖି ସୈନ୍ୟ ବ୍ୟୁହମାନ ପ୍ରସ୍ତୁତ କରି ଜାଗ୍ରତ ହୋଇ ରହିଲେ । ଧୀମାନ୍ ରାଜା ଯୁଧିଷ୍ଠିରଙ୍କ ବଚନାନୁସାରେ, ହେ ଭାରତ ! ମୃଦୁଭାବରେ ଯୁଦ୍ଧାରମ୍ଭ ହେଲା । ୯ ।

 

ପରନ୍ତୁ ଯେତେବେଳେ ଗନ୍ଧର୍ବରାଜଙ୍କର ମନ୍ଦଚେତା ସୈନ୍ୟମାନଙ୍କ ସହିତ ମୃଦୁ ସମର କରି ସୁଦ୍ଧା ଶ୍ରେୟଲାଭ ହେଲା ନାହିଁ, ତେତେବେଳେ ପରନ୍ତପ ଧନଞ୍ଜୟ ସେହି ଗଗନଚାରୀ ଗନ୍ଧର୍ବମାନଙ୍କୁ ମିଷ୍ଟ ବାକ୍ୟପ୍ରୟୋଗ କରି କହିଲେ, ତୁମ୍ଭେମାନେ ମୋହର ଭ୍ରାତା ରାଜା ସୁଯୋଧନଙ୍କୁ ପରିତ୍ୟାଗ କର । ୧୨ । ଯଶସ୍ୱୀ ପାଣ୍ଡୁନନ୍ଦନ ସେହି ଗନ୍ଧର୍ବମାନଙ୍କୁ ଏହିପରି କହିବାରୁ ସେମାନେ ସେହି ସମୟରେ ଅଟ୍ଟହାସ କରି ଅର୍ଜୁନଙ୍କୁ କହିଲେ, । ୧୩ । ହେ ତାତ ! ସେହି ଏକ ବ୍ୟକ୍ତି ଆମ୍ଭମାନଙ୍କୁ ଯାହା ଆଦେଶ କରନ୍ତି; ଆମ୍ଭେମାନେ ତାହା କରୁ । ସେହି ସୁରେଶ୍ୱର ଭିନ୍ନ ଅନ୍ୟକେହି ଆମ୍ଭମାନଙ୍କର ଶାସନକର୍ତ୍ତା ହୋଇପାରେ ନାହିଁ । ୧୫ । ଗନ୍ଧର୍ବମାନେ କୁନ୍ତୀପୁତ୍ର ଧନଞ୍ଜୟଙ୍କୁ ଏହିପରି କହିବାରୁ ସେ ପୁନର୍ବାର ଗନ୍ଧର୍ବମାନଙ୍କୁ କହିଲେ । ୧୬ । ପରଦାରାକୁ ସ୍ପର୍ଶ କରିବା ଓ ମନୁଷ୍ୟମାନଙ୍କ ସହିତ ସଂଗ୍ରାମ କରିବା, ଏହି ଦୁଇ ଗୋଟି ଗନ୍ଧର୍ବରାଜଙ୍କର ନିନ୍ଦନୀୟ ଓ ଅନୁଚିତ କର୍ମ ଅଟେ । ୧୭ । ଅତଏବ ତୁମ୍ଭେମାନେ ଧର୍ମରାଜଙ୍କର ଶାସନାନୁବର୍ତ୍ତୀ ହୋଇ ମହାବୀର୍ଯ୍ୟ କୌରବଙ୍କୁ ବିସର୍ଜନ କର । ୧୮ । ହେ ଗନ୍ଧର୍ବଗଣ ! ଯଦି ମଧୁର ବାକ୍ୟାନୁସାରେ ତୁମ୍ଭେମାନେ କୌରବଙ୍କୁ ମୁକ୍ତ ନ କର, ତେବେ ଆମ୍ଭେ ସ୍ୱୟଂ ବଳ ପ୍ରକାଶ କରି ସୁଯୋଧନଙ୍କୁ ମୁକ୍ତି କରିବୁ । ୧୯ । ତଦନନ୍ତର ପୃଥାନନ୍ଦନ ଅର୍ଜୁନ ଏହା କହି ଗନ୍ଧର୍ବମାନଙ୍କ ପ୍ରତି ତୀକ୍ଷ୍‌ଣ ବାଣମାନଙ୍କୁ ପ୍ରୟୋଗ କଲେ । ୨୦ । ପ୍ରବଳ ପରାକ୍ରମଶାଳୀ ଗନ୍ଧର୍ବମାନେ ପାଣ୍ଡବମାନଙ୍କୁ ଓ ପାଣ୍ଡବମାନେ ଗନ୍ଧର୍ବମାନଙ୍କ ପ୍ରତି ଜଳଧାରା ସଦୃଶ ଶର ବର୍ଷଣ କଲେ । ହେ ଭାରତ ! ତତ୍ପରେ ତରସ୍ୱୀ ଗନ୍ଧର୍ବମାନଙ୍କର ଓ ଭୀଷଣ ବେଗଗାମୀ ପାଣ୍ଡବମାନଙ୍କର ପରସ୍ପର ତୁମୁଳ ଯୁଦ୍ଧ ଉପସ୍ଥିତ ହେଲା । ୨୨ ।

 

॥ ଅଧ୍ୟାୟ – ୨୪୫ ॥

 

ବୈଶମ୍ପାୟନ ବୋଇଲେ, ତଦନନ୍ତର ଦିବ୍ୟାସ୍ତ୍ରଧାରୀ, ହେମମାଳୀ ଗନ୍ଧର୍ବମାନେ ପ୍ରଦୀପ୍ତ ଶରସମୂହ ବିସର୍ଜନ କରୁ କରୁ ପାଣ୍ଡବମାନଙ୍କର ଚତୁର୍ଦ୍ଦିଗରେ ବେଷ୍ଟନ କଲେ । ୧ । ହେ ରାଜନ୍‌ ! ଚତୁର୍ବୀର ପାଣ୍ଡୁନନ୍ଦନମାନେ ଓ ସହସ୍ର ସହସ୍ର ଗନ୍ଧର୍ବ ପରସ୍ପର ଯୁଦ୍ଧରେ ପ୍ରବୃତ୍ତ ହେବାରୁ ତାହା ଗୋଟିଏ ଆଶ୍ଚର୍ଯ୍ୟ ବ୍ୟାପାର ସଦୃଶ ପ୍ରତୀତ ହେଲା । ୨ । ଗନ୍ଧର୍ବମାନେ କର୍ଣ୍ଣ ଓ ଦୁର୍ଯ୍ୟୋଧନ ଉଭୟଙ୍କ ରଥକୁ ଯେପରି ଶତ ଶତ ଖଣ୍ଡ କରି ଭାଙ୍ଗି ପକାଇଥିଲେ, ସେହିପରି ପାଣ୍ଡବମାନେ ଗନ୍ଧର୍ବମାନଙ୍କ ପ୍ରତି ଆଚରଣ କଲେ । ୩ । ହେ ରାଜନ୍‌ ! ନରଶ୍ରେଷ୍ଠ ପାଣ୍ଡବମାନେ ରଣରେ ଗନ୍ଧର୍ବମାନଙ୍କୁ ଶତ ଶତ ସଂଖ୍ୟାରେ ଆପତିତ ହେବାର ଦେଖି ତାହାଙ୍କୁ ବହୁ ଶରବର୍ଷଣଦ୍ୱାରା ଆକ୍ରମଣ କଲେ । ୪ । ସେହି ଗଗନଚାରୀ ଗନ୍ଧର୍ବମାନେ ବହୁ ଶରବର୍ଷଣଦ୍ୱାରା ଚତୁର୍ଦ୍ଦିଗରେ ସମାକୀର୍ଣ୍ଣ ହୋଇ ସୁଦ୍ଧା ପାଣ୍ଡବମାନଙ୍କ ସମୀପରେ ଅବସ୍ଥାନ କରିପାରିଲେନାହିଁ । ୫ । ଅନନ୍ତର ମହାକ୍ରୋଧୀ ଗନ୍ଧର୍ବମାନଙ୍କୁ ଅର୍ଜୁନ ଅତିକ୍ରୁଦ୍ଧ ହୋଇ ନିରୀକ୍ଷଣ କଲେ ଓ ତତ୍କାଳରେ ଦିବ୍ୟ ମହାସ୍ତ୍ରମାନ ପ୍ରୟୋଗ କରିବାକୁ ଆରମ୍ଭ କଲେ । ୬ । ଉତ୍କଟ ବଳଶାଳୀ ଅର୍ଜୁନ ଆଗ୍ନେୟ ଅସ୍ତ୍ରଦ୍ୱାରା ସଂଗ୍ରାମରେ ଦଶ ଲକ୍ଷ ଗନ୍ଧର୍ବଙ୍କୁ ନିହତ କଲେ । ୭ । ହେ ରାଜନ୍‌ ! ବଳିଶ୍ରେଷ୍ଠ ମହା ଧନୁର୍ଦ୍ଧାରୀ ବୃକୋଦର ମଧ୍ୟ ସେହିପରି ତୀଷ୍ମ ବାଣମାନଙ୍କଦ୍ୱାରା ଶତ ଶତ ଗନ୍ଧର୍ବ ରଣରେ ନିଧନ କଲେ । ୮ । ରାଜନ୍‌ ! ପରାକ୍ରମଶାଳୀ ମାଦ୍ରୀପୁତ୍ର ନକୁଳ ଓ ସହଦେବ ସମ୍ମୁଖ-ଯୁଦ୍ଧକରି ଶତ ଶତ ଶତ୍ରୁଙ୍କୁ ଆକ୍ରମଣପୂର୍ବକ ବିନଷ୍ଟ କଲେ । ୯ । ତଦନନ୍ତର ମହାରଥ ପାଣ୍ଡବମାନେ ଦିବ୍ୟାସ୍ତ୍ରମାନଙ୍କଦ୍ୱାରା ଅନେକ ଗନ୍ଧର୍ବଙ୍କୁ ବଧ କଲାରୁ ଅବଶିଷ୍ଟ ଗଗନଚାରୀମାନେ କୌରବମାନଙ୍କୁ ଗ୍ରହଣ କରି ଆକାଶକୁ ପଳାୟନ କଲେ । ସେମାନେ ଆକାଶକୁ ପଳାୟନ କରିବାର ଦେଖି କୁନ୍ତୀନନ୍ଦନ ଅର୍ଜୁନ ମହାଶର-ଜାଲଦ୍ୱାରା ସର୍ବଦିଗରେ ଗନ୍ଧର୍ବମାନଙ୍କୁ ବେଷ୍ଟନ କଲେ । ୧୧ । ସେମାନେ ପିଞ୍ଜରାବଦ୍ଧ ପକ୍ଷୀମାନଙ୍କ ପରି ଶରସମୂହଦ୍ୱାରା ରୁଦ୍ଧ ହୋଇ କ୍ରୋଧରେ ଅର୍ଜୁନଙ୍କ ପ୍ରତି ଗଦା, ଶକ୍ତି ଓ ଋଷ୍ଟିମାନ ବର୍ଷଣ କଲେ । ପରମାସ୍ତ୍ରବିତ୍ ଧନଞ୍ଜୟ ଭଲ୍ଲନିକରଦ୍ୱାରା ସେହି ଗଦା, ଶକ୍ତି ଓ ଋଷ୍ଟି ବର୍ଷଣକୁ ବାରଣ କରି ଗନ୍ଧର୍ବମାନଙ୍କର ସମସ୍ତ ଶରୀର ଛିନ୍ନ ଭିନ୍ନ କରିଦେଲେ । ୧୩ । ସେମାନଙ୍କର ମସ୍ତକ, ବାହୁ ଓ ଚରଣ ସମୂହ ଖଣ୍ଡ ଖଣ୍ଡ ହୋଇ ଭୂମିରେ ପତିତ ହେବାରୁ ପାଷାଣ ବୃଷ୍ଟି ହେଉଥିଲା ପରି ପ୍ରତୀତ ହେଲା । ଅତଏବ ଶତ୍ରୁମାନଙ୍କର ଭୟ ଉପସ୍ଥିତ ହେଲା । ୧୪ । ମହାତ୍ମା ପାଣ୍ଡବମାନେ ସେହି ଆକାଶସ୍ଥ ଗନ୍ଧର୍ବମାନଙ୍କୁ ଏହିପରି ବଧ କଲାରୁ ସେମାନେ ମହୀତଳସ୍ଥ ପାଣ୍ଡବମାନଙ୍କୁ ଶରବର୍ଷଣଦ୍ୱାରା ସମାକୀର୍ଣ୍ଣ କଲେ । ୧୫ । ପରନ୍ତୁ ପରନ୍ତପ ତେଜସ୍ୱୀ ଧନଞ୍ଜୟ ଗନ୍ଧର୍ବମାନଙ୍କର ସମସ୍ତ ଶରବର୍ଷଣକୁ ଅସ୍ତ୍ରନିକରଦ୍ୱାରା ନିବାରଣ କରି ସେମାନଙ୍କୁ ପ୍ରତିବିଦ୍ଧ କଲେ । ୧୬ ।

 

କୁରୁନନ୍ଦନ ଅର୍ଜୁନ, ସ୍ଥୂଣାକର୍ଣ୍ଣ, ଇନ୍ଦ୍ର ଜାଲ, ସୌର, ଆଗ୍ନେୟ ଓ ସୌମ୍ୟ ଏହି ଅସ୍ତ୍ରମାନଙ୍କୁ ବିସର୍ଜନ କଲେ । ୧୭ । ଇନ୍ଦ୍ରଙ୍କଦ୍ୱାରା ଅସୁରମାନେ ଯେପରି ଦଗ୍ଧ ହୁଅନ୍ତି ସେହିପରି କୁନ୍ତୀପୁତ୍ରଙ୍କର ଶରସମୂହଦ୍ୱାରା ସେହି ଗନ୍ଧର୍ବମାନେ ଦଗ୍ଧ ହୋଇ ପରମ ଦୁଃଖରେ ଅଭିଭୁତ ହେଲେ । ୧୮ । ସେମାନେ ଊର୍ଦ୍ଧ୍ୱରେ ଇତସ୍ତତଃ ଆକ୍ରମଣ କରୁଥିଲେ ସୁଦ୍ଧା ଅର୍ଜୁନ ତାହାଙ୍କୁ ଶରସମୂହ ଓ ଭଲ୍ଲମାନଙ୍କଦ୍ୱାରା ନିବାରଣ କଲେ । ୧୯ । ହେ ଭାରତ ! ଚିତ୍ରସେନ ଗନ୍ଧର୍ବମାନଙ୍କୁ କୁନ୍ତୀନନ୍ଦନଙ୍କଠାରୁ ଭୀତହେବାର ଦେଖି ଗଦାଧାରଣ କରି ତାହାଙ୍କ ପ୍ରତି ଧାବମାନ ହେଲେ । ୨୦-। ସେ ଗଦାହସ୍ତ ହୋଇ ଯୁଦ୍ଧକୁ ସତ୍ୱର ଆଗମନ କରିବା ସମୟରେ ପୃଥାପୁତ୍ର ତାହାଙ୍କର ଲୌହନିର୍ମିତ ଗଦାକୁ ଶରସମୂହଦ୍ୱାରା ସାତଖଣ୍ଡ କରିପକାଇଲା । ୨୧ । ତରସ୍ୱୀ ଧନଞ୍ଜୟ ଶରନିକରଦ୍ୱାରା ଗଦାକୁ ଖଣ୍ଡ ଖଣ୍ଡ କରିଦେବାର ଦେଖି ସେହି ଚିତ୍ରସେନ ମାୟାବିଦ୍ୟାଦ୍ୱାରା ଆପଣାକୁ ଗୋପନ କରି ପାଣ୍ଡବମାନଙ୍କ ସହିତ ସଂଗ୍ରାମ କଲେ । ୨୨ । ସେ ଯେଉଁ ଦିବ୍ୟାସ୍ତ୍ରମାନ ପ୍ରୟୋଗ କରିଥିଲେ, ତତ୍କାଳରେ ବୀର ଅର୍ଜୁନ ସେହି ସମସ୍ତ ଦିବ୍ୟାସ୍ତ୍ରଦ୍ୱାରା ନିବାରଣ କଲେ । ୨୩-। ମହାତ୍ମା ଅର୍ଜୁନ ସେହି ଅସ୍ତ୍ରମାନଙ୍କଦ୍ୱାରା ବଳବାନ ଚିତ୍ରସେନଙ୍କୁ ବାରଣ କରନ୍ତେ, ସେ ସେହି ସମୟରେ ମାୟାବିଦ୍ୟାଦ୍ୱାରା ଅନ୍ତର୍ହିତ ହେଲେ । ୨୪ । ଅନନ୍ତର ସେ ଅନ୍ତର୍ହିତ ହୋଇ ପ୍ରହାର କରିବା ସମୟରେ ଅର୍ଜୁନ ତାହାଙ୍କୁ ଲକ୍ଷ୍ୟ କରି ଆକାଶଗାମୀ ଦିବ୍ୟାସ୍ତ୍ରମାନ ଅଭିମନ୍ତ୍ରିତ କରି ପ୍ରୟୋଗ କରିବାରୁ ସେ ତାଡ଼ିତ ହେଲେ । ୨୫ । ବହୁରୂପୀ ଧନଞ୍ଜୟ କ୍ରୁଦ୍ଧ ହୋଇ ତତ୍କାଳରେ ଶବ୍ଦବୋଧ-ଅସ୍ତ୍ରକୁ ଅବଲମ୍ବନ କରି ତାହାଙ୍କର ତିରୋଭାବ ବିନାଶ କଲେ । ୨୬ । ମହାତ୍ମା ଅର୍ଜୁନ ସେହି ସମସ୍ତ ଅସ୍ତ୍ରଦ୍ୱାରା ଗନ୍ଧର୍ବମାନଙ୍କୁ ବଧ କଲାରୁ ତାହାଙ୍କର ପ୍ରିୟସଖା ଚିତ୍ରସେନ ସେହି ସମୟରେ ସ୍ୱୟଂ ଦୀନଭାବ ପ୍ରକାଶ କଲେ । ୨୭ । ଅନନ୍ତର ସଖା ଚିତ୍ରସେନଙ୍କୁ ଯୁଦ୍ଧରେ ପରାସ୍ତ ହେବାର ଦେଖି ପାଣ୍ଡବଶ୍ରେଷ୍ଠ ଅର୍ଜୁନ ଯେଉଁ ଶରସମୁଦାୟ ପ୍ରୟୋଗ କରିଥିଲେ, ତାହା ସବୁ ଫେରାଇ ଆଣିଲେ । ଧନଞ୍ଜୟ ଅସ୍ତ୍ରକୁ ଫେରାଇ ଆଣିବାର ଦେଖି ପାଣ୍ଡବମାନେ ଚଞ୍ଚଳ ତୁରଙ୍ଗମ, ଶରବେଗ ଓ ଶରାସନମାନ ମଧ୍ୟ ପୁନରାବର୍ତ୍ତନ କଲେ । ଚିତ୍ରସେନ, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ପରସ୍ପର କୁଶଳ ସମ୍ବାଦ କଥୋପକଥନ କରି ଅବସ୍ଥାନ କଲେ । ୩୦-

 

॥ ଅଧ୍ୟାୟ – ୨୪୬ ॥

 

ବୈଶମ୍ପାୟନ କହିଲେ–ତଦନନ୍ତର ମହାଧନୁର୍ଦ୍ଧାରୀ ମହାତେଜସ୍ୱୀ ଅର୍ଜୁନ ହାସ୍ୟକରି ଗନ୍ଧର୍ବ ସୈନ୍ୟମାନଙ୍କ ମଧ୍ୟରେ ଚିତ୍ରସେନଙ୍କୁ କହିଲେ । ୧ । ହେ ବୀର ! ଆପଣମାନେ କୌରବଗଣଙ୍କୁ କି ହେତୁରୁ ଦମନ କଲେ ଓ କାହିଁକି ଅବା ସ୍ତ୍ରୀ ସହିତ ଦୁର୍ଯ୍ୟୋଧନଙ୍କୁ ନିଗ୍ରହ କଲେ-? ୨ । ଚିତ୍ରସେନ କହିଲେ–ହେ ଧନଞ୍ଜୟ ! ଯେଉଁ ଦୁରାତ୍ମା ଦୁର୍ଯ୍ୟୋଧନ ଓ ପାପାତ୍ମା କର୍ଣ୍ଣ ସମପଦରେ ବିଦ୍ୟମାନ ଅଛନ୍ତି, ସେମାନେ ଆପଣମାନଙ୍କୁ ଅନାଥ ସଦୃଶ ବିପଦଗ୍ରସ୍ତ ହୋଇ ବନରେ କ୍ଳେଶ ପାଉଥିବା ଓ ଇତସ୍ତତଃ ଭ୍ରମଣ କରୁଥିବାର ଜାଣିଥିଲେ । ତଥାପି ସେମାନେ ଆପଣମାନଙ୍କୁ ଦେଖିବା ଅଭିଳାଷରେ ସେହି ଦ୍ୱୈତବନକୁ ଯାଇଥିଲେ । ଆମ୍ଭେ ସେଠାରେ ଥାଇ ତାହା ଅବଗତ ହେଲୁ । ୪ । ସେମାନେ ଯଶସ୍ୱିନୀ ଦ୍ରୌପଦୀଙ୍କୁ ଉପହାସ କରିବା ନିମିତ୍ତ ଆସିଥିବା କଥା ସୁରେଶ୍ୱର ମଧ୍ୟ ଜାଣି ଆମ୍ଭଙ୍କୁ କହିଲେ, । ୫ । ତୁମ୍ଭେ ଯାଅ, ମନ୍ତ୍ରୀମାନଙ୍କ ସହିତ ଦୁର୍ଯ୍ୟୋଧନଙ୍କୁ ବନ୍ଧନ କରି ଘେନିଆସ । ଧନଞ୍ଜୟ ଭ୍ରାତୃଗଣଙ୍କ ସହକାରେ ତୁମ୍ଭଙ୍କୁ ରକ୍ଷା କରିବେ-। ୬ । ସେହି ପାଣ୍ଡବମାନେ ତୁମ୍ଭର ପ୍ରିୟ ସଖା ଓ ଶିଷ୍ୟ ଅଟନ୍ତି ବୋଲି ଇନ୍ଦ୍ରଙ୍କର ଆଦେଶ ହେବାରୁ ଆମ୍ଭେ ଦ୍ରୁତଗତିରେ ଏଠାକୁ ଆସିଥିଲୁ । ଏହି ଦୁରାତ୍ମା ମଧ୍ୟ ସମ୍ପ୍ରତି ବଦ୍ଧ ହୋଇଅଛି; ଅତଏବ ସେହି ସୁରରାଜଙ୍କ ଆଜ୍ଞାନୁସାରେ ଏହାକୁ ନେଇ ସୁରାଳୟକୁ ପ୍ରସ୍ଥାନ କରିବୁ ।

 

ଅର୍ଜୁନ କହିଲେ, ହେ ଚିତ୍ରସେନ ! ଆପଣ ଯଦି ମୋହର ମଙ୍ଗଳ ବାଞ୍ଛା କରନ୍ତି, ତେବେ ଧର୍ମରାଜଙ୍କ ଆଦେଶାନୁସାରେ ଆମ୍ଭମାନଙ୍କ ଭ୍ରାତା ସୁଯୋଧନଙ୍କୁ ମୁକ୍ତ କରି ଦିଅନ୍ତୁ । ୯ । ଚିତ୍ରସେନ କହିଲେ, ଯେ ଧନଞ୍ଜୟ ! ଏହି ପାପାତ୍ମା, ପ୍ରମତ୍ତ ଦୁର୍ଯ୍ୟୋଧନକୁ ଛାଡ଼ିଦେବା ଉଚିତ ନୁହେଁ; କାରଣ ସେ ଧର୍ମରାଜ ଓ କୃଷ୍ଣାଙ୍କୁ ବଞ୍ଚନା କରିଅଛି । ୧୦ । କୌନ୍ତେୟ ! ଧର୍ମରାଜ ଯୁଧିଷ୍ଠିର ଏହାର ମନୋରଥ ଜାଣିପାରନ୍ତି ନାହିଁ । ଅତଏବ ଏହା ଶ୍ରବଣ କରି ଆପଣଙ୍କର ଯାହା ଇଚ୍ଛା ତାହା କରନ୍ତୁ । ୧୧ । ବୈଶମ୍ପାୟନ କହିଲେ, ତତ୍ପରେ ସେମାନେ ସମସ୍ତେ ରାଜା ଯୁଧିଷ୍ଠିରଙ୍କ ସମୀପରେ ଉପସ୍ଥିତ ହୋଇ ଦୁର୍ଯ୍ୟୋଧନଙ୍କର ସକଳ ବୃତ୍ତାନ୍ତ ନିବେଦନ କଲେ । ଅଜାତଶତ୍ରୁ ଯୁଧିଷ୍ଠିର ଗନ୍ଧର୍ବମାନଙ୍କର ସେହି ସମୁଦାୟ ବାକ୍ୟ ଶ୍ରବଣ କରି କୌରବମାନଙ୍କୁ ମୁକ୍ତ କରିଦେଲେ ଓ ଗନ୍ଧର୍ବମାନଙ୍କୁ ପ୍ରଶଂସା କଲେ । ୧୩ । ଆପଣମାନେ ସମସ୍ତେ ବଳିଷ୍ଠ ଓ ଶକ୍ତିମାନ ହୋଇ ସୁଦ୍ଧା ଏହି ଦୁର୍ବୁତ୍ତ ଦୁର୍ଯ୍ୟୋଧନକୁ ଓ ଏହାର ମନ୍ତ୍ରୀ ଜ୍ଞାତି ଓ ବାନ୍ଧବମାନଙ୍କୁ ଯେ ନିହତ କରି ନାହାନ୍ତି, ଏହା ଭାଗ୍ୟର ବିଷୟ ଅଟେ । ୧୪ । ହେ ତାତ ! ଗନ୍ଧର୍ବମାନେ ମୋହର ମହାନ ଉପକାର କରିଅଛନ୍ତି; ଏହି ଦୁରାତ୍ମା ଦୁର୍ଯ୍ୟୋଧନକୁ ମୁକ୍ତ କରିଦେବାରୁ ମୋହର କୁଳ କଳଙ୍କିତ ହେଲା ନାହିଁ । ୧୫ । ଆପଣମାନଙ୍କୁ ଦେଖି ମୁଁ ପ୍ରୀତ ହୋଇଅଛି । ଆପଣମାନଙ୍କର ଯାହା ଇଚ୍ଛା ତାହା ଆଜ୍ଞା କରନ୍ତୁ ଓ ସମସ୍ତ ମନୋବାଞ୍ଛା ପୂର୍ଣ୍ଣକରି ଶୀଘ୍ର ପ୍ରସ୍ଥାନ କରନ୍ତୁ । ୧୬ । ବୁଦ୍ଧିମାନ ପାଣ୍ଡୁନନ୍ଦନ ଏହିପରି ଗନ୍ଧର୍ବମାନଙ୍କୁ ଆଜ୍ଞା କରିବାରୁ ସେମାନେ ହୃଷ୍ଟଚିତ୍ତରେ ଚିତ୍ରସେନ ଓ ଅପ୍‌ସରାମାନଙ୍କ ସହିତ ପ୍ରସ୍ଥାନ କଲେ । ୧୭ । କୌରବମାନେ ସମରରେ ଯେଉଁ ଗନ୍ଧର୍ବମାନଙ୍କୁ ବଧ କରିଥିଲେ, ସୁରେନ୍ଦ୍ର ସେମାନଙ୍କୁ ଦିବ୍ୟ ଅମୃତ ବର୍ଷଣଦ୍ୱାରା ଜୀବିତ କରାଇଲେ । ୧୮ । ପାଣ୍ଡବମାନେ ସେମାନଙ୍କର ଜ୍ଞାତି ଓ ସମୁଦାୟ ରାଜମହିଷୀଙ୍କୁ ମୋଚନ କଲେ ଓ ଗନ୍ଧର୍ବ ପରାଭବ ରୂପ ଦୁଃସାଧ୍ୟ କର୍ମ କରି ଆନନ୍ଦିତ ହେଲେ । ୧୯ ।

 

ମହାତ୍ମା, ମହାରଥ ପାଣ୍ଡବମାନେ ସପରିବାର କୌରବମାନଙ୍କଦ୍ୱାରା ପୂଜିତ ହୋଇ ଯାଗାଗ୍ନି ସଦୃଶ ଶୋଭା ପାଇଲେ । ୨୦ । ଅନନ୍ତର ଯୁଧିଷ୍ଠିର ମୁକ୍ତ ଦୁର୍ଯ୍ୟୋଧନଙ୍କୁ ଭ୍ରାତୃଗଣଙ୍କ ସହିତ ସେହି ସମୟରେ ଏହି କଥା କହିଲେ । ୨୧ । ହେ ବତ୍ସ ! ଏହିପରି ଦୁଃସାହସିକ କର୍ମ ଆଉ କଦାପି କରିବ ନାହିଁ । ହେ ଭାରତ ! ଏହିପରି ସାହସୀମାନେ କଦାପି ଆପଣାର ସୁଖ ବୃଦ୍ଧି କରିପାରନ୍ତି ନାହିଁ । ୨୨ । ହେ କୁରୁନନ୍ଦନ ! ତୁମ୍ଭେ ଭାଇମାନଙ୍କ ସଙ୍ଗରେ ସୁଖୀ ହୋଇ ଗୃହକୁ ଯାଅ ଓ ବିମନା ନ ହୋଇ ସ୍ୱୀୟ କାର୍ଯ୍ୟ ସମାଧାନ କର । ୨୩ । ବୈଶମ୍ପାୟନ ବୋଇଲେ, ତତ୍କାଳରେ ଧର୍ମପୁତ୍ର ଯୁଧିଷ୍ଠିର ରାଜା ଦୁର୍ଯ୍ୟୋଧନଙ୍କୁ ଏହିପରି ଆଦେଶ କରିବାରୁ ସେ ଧର୍ମରାଜଙ୍କୁ ହତଚେତନ ଓ ଆତୁର ଲୋକମାନଙ୍କ ସଦୃଶ ବିନୟ ଭାବରେ ଅଭିବାଦନ କଲେ । ୨୪ । ତତ୍ପରେ ବିଦୀର୍ଣ୍ଣହୃଦୟ ଓ ଲଜ୍ଜାନ୍ୱିତ ହୋଇ ନିଜ ଗ୍ରାମକୁ ପ୍ରସ୍ଥାନ କଲେ । ସୁଯୋଧନ ଗମନ କଲା ପରେ ବୀର କୌନ୍ତେୟ ଯୁଧିଷ୍ଠିର ଭ୍ରାତୃଗଣଙ୍କ ସହିତ ଦ୍ୱିଜାତିମାନଙ୍କଦ୍ୱାରା ପୂଜ୍ୟ ଓ ଅମରବୃନ୍ଦ-ପରିବୃତ୍ତ ଇନ୍ଦ୍ରଙ୍କ ସଦୃଶ ସେହି ତପସ୍ୱୀମାନଙ୍କଦ୍ୱାରା ବେଷ୍ଟିତ ହୋଇ ପ୍ରୀତିପୂର୍ଣ୍ଣ ଚିତ୍ତରେ ସେହି ଦ୍ୱୈତବନରେ ବିହାର କଲେ । ୨୭ ।

 

॥ ଅଧ୍ୟାୟ – ୨୪୭ ॥

 

ଜନମେଜୟ ବୋଇଲେ–ଆମ୍ଭର ବୋଧ ହେଉଅଛି ଯେ ପ୍ରଥମରେ ଶତ୍ରୁମାନଙ୍କଦ୍ୱାରା ପରାଜିତ ଓ ବଦ୍ଧ, ପଶ୍ଚାତ୍ ମହାତ୍ମା ପାଣ୍ଡବମାନଙ୍କଦ୍ୱାରା ମୁକ୍ତ ସେହି ଅଭିମାନୀ ଦୁରାତ୍ମା ସର୍ବଦା ଆତ୍ମପ୍ରଶଂସା ଓ ଗର୍ବରେ ଲିପ୍ତ ହୋଇ ପୁରୁଷକାର ଓ ଉଦାରଭାବଯୁକ୍ତ ପାଣ୍ଡବମାନଙ୍କୁ ଅବମାନନା କରେ । ଈଦୃଶ ଯେଉଁ ପାପାତ୍ମା ଦୁର୍ଯ୍ୟୋଧନ ସର୍ବଦା ଅହଙ୍କାର କରୁଥାଏ, ତାହାର ହସ୍ତିନାପୁର ପ୍ରବେଶ ଦୁଷ୍କର ଅଟେ । ୩ । ହେ ବୈଶମ୍ପାୟନ ! ଆପଣ ଲଜ୍ଜିତ ଓ ଶୋକବ୍ୟାକୁଳଚେତା ଦୁର୍ଯ୍ୟୋଧନର ହସ୍ତିନାପୁର ପ୍ରବେଶ ବିସ୍ତାର କରି କୀର୍ତ୍ତନ କରନ୍ତୁ । ୪ । ବୈଶମ୍ପାୟନ କହିଲେ, ଧର୍ମରାଜ ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧନଙ୍କୁ ମୁକ୍ତ କଲାରୁ ସେ ଲଜ୍ଜାରେ ମୁଖ ତଳକୁ କରି ଦୁଃଖିତ ହୋଇ ଗମନ କଲେ । ସେହି ରାଜା ଶୋକରେ ହତବୁଦ୍ଧି ହୋଇ ପରାଭବ ଚିନ୍ତା କରୁ କରୁ ଚତୁରଙ୍ଗ ବଳ ସହିତ ଆପଣା ଭୁବନକୁ ପ୍ରସ୍ଥାନ କଲେ । ୬ ।

 

ବାଟରେ ଆସୁ ଆସୁ ଯେଉଁ ସ୍ଥାନରେ ତୃଣ ଓ ଜଳ ଥାଏ, ସେଠାରେ ଯାନମାନଙ୍କରୁ ଉଠି ଇଚ୍ଛାନୁସାରେ ଶୁଭ ଓ ରମଣୀୟ ଭୂମି ଭାଗରେ ଉପବିଷ୍ଟ ହୁଅନ୍ତି । ୭ ହସ୍ତୀ, ଅଶ୍ୱ, ରଥ ଓ ପଦାତି ସୈନ୍ୟ ସମସ୍ତ ଯଥାସ୍ଥାନରେ ନିବିଷ୍ଟ ହେବା ପରେ ରାଜା ଦୁର୍ଯ୍ୟୋଧନ ପଲଙ୍କରେ ଉପବିଷ୍ଟ ହେଲେ । ସେତେବେଳେ କର୍ଣ୍ଣ ଅଗ୍ନିସଦୃଶ କାନ୍ତିମାନ ଦୁର୍ଯ୍ୟୋଧନଙ୍କୁ ନିଶାବସାନରେ ରାହୁଗ୍ରସ୍ତ ଚନ୍ଦ୍ରଙ୍କ ପରି ମ୍ଳାନ ଦେଖିଲେ ଓ ତାଙ୍କ ସମୀପରେ ଉପସ୍ଥିତ ହୋଇ ଏହି କଥା କହିଲେ । ୯ । ହେ ଗାନ୍ଧାରୀନନ୍ଦନ ! ଅଦୃଷ୍ଟବଶରୁ ଆପଣ ଜୀବିତ ଅଛନ୍ତି ଓ ଭାଗ୍ୟକ୍ରମେ ଆମ୍ଭମାନଙ୍କର ପୁନର୍ବାର ମିଳନ ହେଲା ଓ ବିଧିବଶରୁ କାମରୂପୀ ଗନ୍ଧର୍ବମାନେ ଆପଣଙ୍କଦ୍ୱାରା ପରାଜିତ ହୋଇଅଛନ୍ତି । ୧୦ । ହେ କୁରୁନନ୍ଦନ ! ସୌଭାଗ୍ୟବଶତଃ ଆପଣଙ୍କର ଦୟାଭିଳାଷୀ, ଯୁଦ୍ଧନିପୁଣ ଅରିନ୍ଦମ ଓ ମହାରଥ ଭ୍ରାତୃଗଣଙ୍କୁ ଦେଖିଲେ । ୧୧ । ଆମ୍ଭେ ତ ଆପଣଙ୍କ ସାକ୍ଷାତ୍‍ରେ ଗନ୍ଧର୍ବମାନଙ୍କଦ୍ୱାରା ତାଡ଼ିତ ହୋଇ ପଳାୟନ କରୁଥିବା ସୈନ୍ୟମାନଙ୍କୁ ରଖିବାକୁ ସମର୍ଥ ହୋଇପାରିଲୁ ନାହିଁ । ୧୨ । ହେ ଭାରତ ! ଆମ୍ଭେ ମଧ୍ୟ ଶରସମୂହଦ୍ୱାରା ବିକ୍ଷତାଙ୍ଗ ଓ ଅତିଶୟ ପୀଡ଼ିତ ହୋଇ ଯୁଦ୍ଧରୁ ପଳାୟନ କରିଥିଲୁ; କିନ୍ତୁ ଆପଣ ଯେ ପତ୍ନୀ, ବଳ ଓ ବାହନମାନଙ୍କ ସହିତ ଅକ୍ଷତାଙ୍ଗ ହୋଇ ନିରାପଦରେ ସେହି ଅଲୌକିକ ଯୁଦ୍ଧରୁ ଫେରି ଆସିଛନ୍ତି, ଏହାକୁ ଆମ୍ଭେ ଅତ୍ୟାଶ୍ଚର୍ଯ୍ୟ ବିଷୟ ବୋଲି ମଣୁଅଛୁ । ୧୪ । ହେ ଭରତନନ୍ଦନ ମହାରାଜ ! ଆପଣ ଭ୍ରାତୃଗଣଙ୍କ ସହିତ ଯୁଦ୍ଧରେ ଯାହା କରିଅଛନ୍ତି, ଏହି ପୃଥିବୀରେ ସେହିପରି କାର୍ଯ୍ୟ କରିବାକୁ ଆଉ ଜଣେ ଦେଖାଯାଏ ନାହିଁ । ୧୫ । ବୈଶମ୍ପାୟନ ବୋଇଲେ, କର୍ଣ୍ଣ ଏହିପରି କହିବାରୁ ରାଜା ଦୁର୍ଯ୍ୟୋଧନ ବାଷ୍ପଗଦ୍‌ଗଦ ବଚନରେ ସେହି ଅଙ୍ଗରାଜ କର୍ଣ୍ଣଙ୍କୁ କହିଲେ । ୧୬ ।

 

॥ ଅଧ୍ୟାୟ – ୨୪୮ ॥

 

ଦୁର୍ଯ୍ୟୋଧନ କହିଲେ–ହେ ରାଧେୟ ! ତୁମ୍ଭେ ନ ଜାଣି ଏହି କଥା କହିଲ । ତୁମ୍ଭ କଥାରେ ମୁଁ ଦୋଷ ଦେଇ ପାରୁନାହିଁ । ମୁଁ ସ୍ୱୀୟ ତେଜଦ୍ୱାରା ଗନ୍ଧର୍ବମାନଙ୍କୁ ପରାଜିତ କରି ନାହିଁ । ୧ । ହେ ମହାବାହୋ ! ଆମ୍ଭର ସହୋଦରମାନେ ଆମ୍ଭଙ୍କୁ ସଙ୍ଗରେ ନେଇ ଦୀର୍ଘକାଳପର୍ଯ୍ୟନ୍ତ ଗନ୍ଧର୍ବମାନଙ୍କ ସହିତ ଯୁଦ୍ଧ କରିଥିଲେ ଓ ଉଭୟ ପକ୍ଷର ସୈନ୍ୟମାନେ ନଷ୍ଟ ହୋଇଥିଲେ । ୨ । କିନ୍ତୁ ତେତେବେଳେ ଶୁର, ମାୟାନିପୁଣ ସେହି ଗନ୍ଧର୍ବମାନେ ଆକାଶରେ ଥାଇ ଯୁଦ୍ଧ କଲେ, ସେତେବେଳେ ଆମ୍ଭର ସଂଗ୍ରାମ, ସେହି ଗଗନଚାରୀମାନଙ୍କ ସମର ସହିତ ସମାନ ହୋଇପାରିଲା ନାହିଁ । ୩ । ଆମ୍ଭେମାନେ ରଣରେ ବଦ୍ଧ ଓ ପରାଜିତ ହେଲୁ ଓ ସେମାନେ ଆମ୍ଭମାନଙ୍କର ଦୁଃଖାଭିଭୂତ ଭୃତ୍ୟ, ମନ୍ତ୍ରୀ, ପୁତ୍ର, କଳତ୍ର ଓ ବାହନମାନଙ୍କ ସହିତ ଆମ୍ଭମାନଙ୍କୁ ହରଣ କରି ଉଚ୍ଚ ଆକାଶମାର୍ଗରେ ଗମନ କଲେ । ୪ ।

 

ଅନନ୍ତର ଆମ୍ଭମାନଙ୍କର କୌଣସି କୌଣସି ମହାରଥ ସେନା ଓ ମନ୍ତ୍ରୀମାନେ ଶରଣରକ୍ଷଣ ପାଣ୍ଡବମାନଙ୍କ ନିକଟକୁ ଯାଇ ଦୀନଭାବରେ ସେମାନଙ୍କୁ କହିଲେ–ଅମାତ୍ୟ, କଳତ୍ର ଓ ଅନୁଜମାନଙ୍କ ସହିତ କୌରବରାଜ ଦୁର୍ଯ୍ୟୋଧନଙ୍କୁ ଗଗନାଶ୍ରିତ ଗନ୍ଧର୍ବମାନେ ହରଣ କରି ନେଇଯାଇଅଛନ୍ତି । ସପରିବାର ନରାଧିପ ସେହି ସୁଯୋଧନଙ୍କୁ ଆପଣମାନେ ମୁକ୍ତ କରନ୍ତୁ । ଅତଏବ ଆପଣମାନଙ୍କର ମଙ୍ଗଳ ହେଉ । ୭ । ଯେପରି କୌରବ ମହିଷୀମାନେ କଳଙ୍କିନୀ ନ ହେବେ, ତାହା କରନ୍ତୁ । ଏହିପରି ପାଣ୍ଡବମାନଙ୍କୁ କହନ୍ତେ ଧର୍ମାତ୍ମା ପାଣ୍ଡବଶ୍ରେଷ୍ଠ ଯୁଧିଷ୍ଠିର ତେତେବେଳେ ଅନୁଜମାନଙ୍କୁ ପ୍ରସନ୍ନ କରାଇ ଆମ୍ଭମାନଙ୍କର ମୁକ୍ତି ବିଷୟରେ ଆଜ୍ଞା ପ୍ରଦାନ କଲେ-। ତତ୍ପରେ ମହାରଥ, ପୁରୁଷଶ୍ରେଷ୍ଠ ପାଣ୍ଡବମାନେ ସେଠାକୁ ଯାଇ ଆମ୍ଭମାନଙ୍କୁ ମୁକ୍ତ କରିବାକୁ ସମର୍ଥ ହୋଇଥିଲେ ସୁଦ୍ଧା ପ୍ରଥମେ ଶାନ୍ତବାକ୍ୟଦ୍ୱାରା ଆମ୍ଭମାନଙ୍କର ମୁକ୍ତି ପ୍ରାର୍ଥନା କଲେ-। ତଥାପି ସେମାନେ ଯେତେବେଳେ ଆମ୍ଭମାନଙ୍କୁ ମୁକ୍ତ କଲେ ନାହିଁ, ସେତେବେଳେ ଭୀମ, ଅର୍ଜୁନ, ମହାପରାକ୍ରମଶାଳୀ ନକୁଳ ଓ ସହଦେବ ସେମାନଙ୍କ ପ୍ରତି ଅନେକ ପ୍ରକାର ଶର ବୃଷ୍ଟି କଲେ-। ୧୧ । ଅନନ୍ତର ସମସ୍ତ ଦିବୌକସ ରଣ ପରିତ୍ୟାଗପୂର୍ବକ ମହାଦୁଃଖୀ ଆମ୍ଭମାନଙ୍କୁ ଧରି ହୃଷ୍ଟମାନସରେ ଆକାଶକୁ ପଳାୟନ କଲେ । ୧୨ । ତତ୍ପରେ ଆମ୍ଭେମାନେ ଦେଖିଲୁ ଯେ, ଧନଞ୍ଜୟ ଚତୁର୍ଦ୍ଦିଗରେ ଶରସମୂହଦ୍ୱାରା ବେଷ୍ଟିତ ହୋଇ ଅଲୌକିକ ଅସ୍ତ୍ରସବୁ ପ୍ରୟୋଗ କରୁଅଛନ୍ତି-। ୧୩ । ସେହି ସମୟରେ ପାଣ୍ଡବମାନେ ତୀକ୍ଷ୍‌ଣ ଶରସମୂହଦ୍ୱାରା ଦିଗମାନଙ୍କୁ ଆଚ୍ଛନ୍ନ କରିଥିବାର ଦେଖି ଅର୍ଜୁନଙ୍କର ସଖା ଚିତ୍ରସେନ ସ୍ୱୟଂ ଦେଖାଦେଲେ । ୧୪ । ପାଣ୍ଡବମାନଙ୍କୁ ଆଲିଙ୍ଗନ କରି ପରସ୍ପର କୁଶଳ କଥାମାନ କୁହାକୁହି ହେଲେ । ୧୫ । ସେହି ବୀର ଗନ୍ଧର୍ବମାନେ ପାଣ୍ଡବମାନଙ୍କ ସହିତ ମିଳିତ ହୋଇ ସମରସଜ୍ଜା ପରିତ୍ୟାଗ କଲେ ଓ ଚିତ୍ରସେନ ଧନଞ୍ଜୟ ପରସ୍ପର ପୂଜିତ ହେଲେ । ୧୬ ।

 

॥ ଅଧ୍ୟାୟ – ୨୪୯ ॥

 

ଦୁର୍ଯ୍ୟୋଧନ କହିଲେ, ତତ୍କାଳରେ ପରବୀରହନ୍ତା ଅର୍ଜୁନ ଚିତ୍ରସେନଙ୍କ ସହିତ ମିଳିତ ହୋଇ ପ୍ରଫୁଲ୍ଲ ବଦନରେ ପୌରୁଷବଚନ ସମୂହ କହିଲେ । ୧ । ହେ ବୀର ଗନ୍ଧର୍ବସତ୍ତମ ! ଆମ୍ଭର ଭ୍ରାତାମାନଙ୍କୁ ଆପଣ ମୁକ୍ତ କରିବା ଉଚିତ୍‌; ଯେହେତୁ ପାଣ୍ଡବମାନେ ଜୀବିତ ଥାଉ ଥାଉ ସେମାନେ ଅବମାନନାର ଯୋଗ୍ୟ ହେବେ ନାହିଁ । ୨ ।

 

ହେ କର୍ଣ୍ଣ ! ଦାର ସହିତ ସୁଖବିହୀନ ପାଣ୍ଡବମାନଙ୍କୁ ଆମ୍ଭେମାନେ ଦେଖିବୁ ବୋଲି ବାହାରିଥିଲ, କିନ୍ତୁ ସେହି ମନ୍ଦ ବିଚାରକୁ ମହାତ୍ମା ଧନଞ୍ଜୟ ଚିତ୍ରସେନଙ୍କ ସମୀପରେ କହିବାରୁ ସେ ଆମ୍ଭଙ୍କୁ କହିଲେ । ତାହାଙ୍କ ମୁଖରୁ ଉଚ୍ଚାରଣ ହେବା ମାତ୍ରକେ ଆମ୍ଭେ ଲଜ୍ଜିତ ହୋଇ ଭୂତଳରେ ପ୍ରବେଶ କରିବା ନିମିତ୍ତ ମାର୍ଗ ସନ୍ଧାନ କଲୁ । ଅନନ୍ତର ଗନ୍ଧର୍ବମାନେ ପାଣ୍ଡବମାନଙ୍କ ସହିତ ଯୁଧିଷ୍ଠିରଙ୍କ ନିକଟକୁ ଆଗମନ କଲେ । ୫ । ତାହାଙ୍କଠାରେ ଆମ୍ଭମାନଙ୍କର ଦୁର୍ମନ୍ତ୍ରଣା ଓ ବନ୍ଧନ-ବିଷୟ ନିବେଦନ କଲେ । ଅପିଚ ଆମ୍ଭେ ସ୍ତ୍ରୀମାନଙ୍କ ସମକ୍ଷରେ ବଦ୍ଧ, ଦୀନ, ଓ ଶତ୍ରୁମାନଙ୍କର ବଶୀଭୂତ ହୋଇ ରହିଥିଲୁ । ଯେଉଁମାନଙ୍କୁ ଆମ୍ଭେ ତଡ଼ିଦେଇଥିଲୁ ଓ ଯେଉଁମାନଙ୍କର ଆମ୍ଭେ ଶତ୍ରୁ, ସେହି ଯୁଧିଷ୍ଠିରଙ୍କ ସମୀପରେ ଆମ୍ଭେ ଉପହାରସ୍ୱରୂପ ଉପସ୍ଥିତ ହେଲୁ । ଏଥିରୁ ଆଉ ଅଧିକ ଦୁଃଖ କଅଣ ଅଛି ? ସେହି ପାଣ୍ଡବମାନେ ମୋହ ପରି ମନ୍ଦାତ୍ମାକୁ ମୁକ୍ତକରି ଜୀବନ ପ୍ରଦାନ କରିଅଛନ୍ତି । ହେ ବୀର ! ଆମ୍ଭେ ଯଦି ସେହି ଯୁଦ୍ଧରେ ପ୍ରାଣତ୍ୟାଗ କରିଥାଆନ୍ତୁ, ତେବେ ଆମ୍ଭର ଶ୍ରେୟ ହୋଇ ଥାଆନ୍ତା । ଏହିପରି ଅପମାନିତ ବ୍ୟକ୍ତିର ଜୀବନରେ କି ପ୍ରୟୋଜନ ? ଗନ୍ଧର୍ବମାନଙ୍କଦ୍ୱାରା ହତ ହୋଇଥିଲେ ଏହି ପୃଥିବୀରେ ଆମ୍ଭେ ଅକ୍ଷୟ ପୁଣ୍ୟଲୋକମାନ ପ୍ରାପ୍ତ ହୋଇଥାଆନ୍ତୁ । ହେ ନରବରମାନେ ! ଆମ୍ଭେ ଯାହା ବ୍ୟବସ୍ଥା କରିଅଛୁ, ତାହା ଶ୍ରବଣ କର । ୧୦ । ଆମ୍ଭେ ଏହି ସ୍ଥାନରେ ରହି ଅନାହାରରେ ପ୍ରାଣତ୍ୟାଗ କରିବୁ । ତୁମ୍ଭେମାନେ ନିଜ ନିଜ ଗୃହକୁ ବାହାରିଯାଅ । ମୋହର ସମସ୍ତ ଭ୍ରାତା ସୁଦ୍ଧା ସ୍ୱୀୟ ଭବନକୁ ଗମନ କରନ୍ତୁ । ୧୧ । କର୍ଣ୍ଣ ପ୍ରଭୃତି ଯାବତୀୟ ସୁହୃଦଗଣ ଏବଂ ବାନ୍ଧବମାନେ ଦୁଃଶାସନକୁ ଅଗ୍ରସର କରି ସ୍ୱନଗରକୁ ପ୍ରସ୍ଥାନ କରନ୍ତୁ । ୧୨ । ଆମ୍ଭେ ଶତ୍ରୁମାନଙ୍କଦ୍ୱାରା ନିରାକୃତ ହୋଇଅଛୁ । ଶତ୍ରୁମାନଙ୍କର ମାନହନ୍ତା ଓ ମିତ୍ରମାନଙ୍କର ମାନବର୍ଦ୍ଧକ ହୋଇ ଆମ୍ଭେ ଯାହା ଶତ୍ରୁମାନଙ୍କର ପ୍ରୀତିବର୍ଦ୍ଧକ ଓ ମିତ୍ରମାନଙ୍କର ଦୁଃଖଦାୟକ ହେଲୁ, ସେହି ହେତୁରୁ କଦାପି ଗୃହାଭିମୁଖୀ ହେବୁ ନାହିଁ ଅଥବା ହସ୍ତିନାପୁରକୁ ଯାଇ ରାଜା ଧୃତରାଷ୍ଟ୍ରଙ୍କୁ କ’ଣ କହିବୁ ? ୧୪ । ଭୀଷ୍ମ, ଦ୍ରୋଣ, କୃପ, ଅଶ୍ୱତ୍‌ଥାମା, ବିଦୁର, ସଞ୍ଜୟ, ବାହ୍ଲିକ, ଭୂରିଶ୍ରବା, ଅନ୍ୟାନ୍ୟ ବୃଦ୍ଧ ସଭ୍ୟ, ବ୍ରାହ୍ମଣ, ଶିଳ୍ପଶାସ୍ତ୍ରବେତ୍ତା ଓ ଉଦାସୀମାନେ ଆମ୍ଭଙ୍କୁ କଅଣ କହିବେ ? ମୁଁ ଅବା ସେମାନଙ୍କୁ କ’ଣ କହିବି ? ୧୬ । ଶତ୍ରୁମାନଙ୍କର ଅଗ୍ରଗଣ୍ୟ ହୋଇ ଓ ତାହାଙ୍କ ସମ୍ମୁଖରେ ବିକ୍ରମ ପ୍ରକାଶ କରିଥିଲୁ । ଏବେ ଆମ୍ଭେମାନେ ସ୍ୱୀୟ ଦୋଷରୁ ପରିଭ୍ରଷ୍ଟ ହେଲୁ । ସେମାନଙ୍କୁ ଆଉ ଏବେ କିପରି ମୁଖ ଦେଖାଇବୁ ? ୧୭ । ମତ୍ ସଦୃଶ ଗର୍ବିତ ହୋଇ ଦୁର୍ବିନୀତ ବ୍ୟକ୍ତିମାନେ ଶ୍ରୀ, ବିଦ୍ୟା ଓ ଐଶ୍ୱର୍ଯ୍ୟପ୍ରାପ୍ତ ହୋଇଥିଲେ ସୁଦ୍ଧା ଚିରକାଳ କୁଳରେ ରହିପାରନ୍ତି ନାହିଁ । ୧୮ । ଅହୋ ! ଆମ୍ଭେ ମୋହବଶତଃ ଦୁର୍ବୁଦ୍ଧିଦ୍ୱାରା ଦୁଷ୍କୃତ, ଦୁଃଖପ୍ରଦ ଓ ଅନୁଚିତ କର୍ମ ସମ୍ପାଦନ କରିଅଛୁ । ଅତଏବ ବିଷମ ସଙ୍କଟରେ ପତିତ ହେଲୁ । ୧୯ ।

 

ସେହି ହେତୁରୁ ଆମ୍ଭେ ଏଠାରେ ଅନଶନରେ କେବଳ ଜୀବନ ପରିତ୍ୟାଗ କରିବାକୁ ଇଚ୍ଛା କରୁଅଛୁ । ଶତ୍ରୁମାନଙ୍କଦ୍ୱାରା ବିପଦରୁ ଉଦ୍ଧାର ପାଇ କୌଣସି, ବିବେକୀ ପୁରୁଷ ଜୀବନଧାରଣ କରିପାରେ କି ? ୨୦ । ଆମ୍ଭେ ଅଭିମାନୀ ହୋଇ ସୁଦ୍ଧା ପୌରୁଷବିହୀନ ହେବାରୁ ମହାପରାକ୍ରମଶାଳୀ ଶତ୍ରୁ ପାଣ୍ଡବମାନେ ଆମ୍ଭଙ୍କୁ ଉପହାସ ଓ ଅପମାନ କଲେ । ୨୧ । ବୈଶମ୍ପାୟନ କହିଲେ, ଦୁର୍ଯ୍ୟୋଧନ ଏହିପରି ଚିନ୍ତିତ ହୋଇ ଦୁଃଶାସନଙ୍କୁ କହିଲେ, ହେ ଭାରତ-ଦୁଃଶାସନ ! ତୁମ୍ଭେ ଆମ୍ଭର ଏହି କଥାଟିକୁ ବୋଧ କର । ୨୨ । ଆମ୍ଭେ ପ୍ରଦାନ କରୁଥିବା ଅଭିଷେକ ଗ୍ରହଣ କରି ତୁମ୍ଭେ ନରପତି ହୁଅ । କର୍ଣ୍ଣ ଓ ଶକୁନିଦ୍ୱାରା ପାଳିତ ଏହି ବିଶାଳ ପୃଥିବୀକୁ ଶାସନ କର । ୨୩ । ଇନ୍ଦ୍ର ଯେପରି ସୁରଗଣଙ୍କୁ ପାଳନ କରନ୍ତି, ତୁମ୍ଭେ ସେହିପରି ଭ୍ରାତୃଗଣଙ୍କ ମନରେ ବିଶ୍ୱାସ ଜନ୍ମାଇ ତାହାଙ୍କୁ ପାଳନ କରୁଥିବ । ଯେପରି ଦେବତାମାନେ ଇନ୍ଦ୍ରଙ୍କର ଉପଜୀବୀ ଅଟନ୍ତି, ସେହିପରି ବାନ୍ଧବମାନେ ତୁମ୍ଭଙ୍କୁ ଅବଲମ୍ବନ କରି ଜୀବନ ଧାରଣ କରୁଥାଆନ୍ତୁ । ୨୪ । ତୁମ୍ଭେ ପ୍ରମତ୍ତ ନ ହୋଇ ବ୍ରାହ୍ମଣମାନଙ୍କର ଯଥାଯୋଗ୍ୟ ବୃତ୍ତିବିଧାନ କରିବ ଓ ତୁମ୍ଭେ ସର୍ବଦା ବନ୍ଧୁ ଓ ମିତ୍ରମାନଙ୍କର ଗତିଦାୟକ ହେବ । ୨୫ । ବିଷ୍ଣୁ ଯେପରି ଦେବଗଣଙ୍କୁ ଦେଖନ୍ତି, ସେହିପରି ତୁମ୍ଭେ ଜ୍ଞାତିଗଣଙ୍କୁ ଦେଖୁଥିବ; ଅତଏବ ହସ୍ତୀନାକୁ ଯାଇ ପୃଥିବୀ ପାଳନ କର । ୨୬ । ସମୁଦାୟ ମିତ୍ରଗଣଙ୍କୁ ଆନନ୍ଦିତ ଓ ଶତ୍ରୁମାନଙ୍କୁ ଭର୍ତ୍ସନା କରୁଥିବ । ଏହିପରି କହି ଦୁଃଶାସନକୁ କଣ୍ଠରେ ଆଲିଙ୍ଗନ କରି ଯାଅ ବୋଲି କହିଲେ । ୨୭ । ତାହାଙ୍କର ସେହି ବାକ୍ୟ ଶ୍ରବଣ କରି ଦୁଃଶାସନ ଦୀନ, ଦୁଃଖାର୍ତ୍ତ ଓ କୃତାଞ୍ଜଳି ହୋଇ ଗଦ୍‌ଗଦ ସ୍ୱରରେ ତାହାଙ୍କୁ ପ୍ରଣିପାତ କଲେ । ୨୮ । ସେ ଅଶ୍ରୁରୁଦ୍ଧ ସ୍ୱରରେ ସ୍ୱୀୟ ଅଗ୍ରଜଙ୍କୁ ପ୍ରସନ୍ନ ହେଉନ୍ତୁ ବୋଲି କହି ବ୍ୟଥିତଚିତ୍ତରେ ଭୂପୃଷ୍ଠରେ ପତିତ ହେଲେ । ୨୯ । ସେହି ନରଶ୍ରେଷ୍ଠ ଦୁଃଶାସନ ଦୁଃଖିତ ହୋଇ ତାହାଙ୍କର ଚରଣଯୁଗଳରେ ଅଶ୍ରୁ ବିସର୍ଜନ କରି କହିଲେ, ଏପରି କଦାପି ହୋଇପାରିବ ନାହିଁ । ୩୦ । ଯଦି ସମସ୍ତ ଭୂମଣ୍ଡଳ ବିଦୀର୍ଣ୍ଣ ହୋଇଯାଏ, ଆକାଶମଣ୍ଡଳ ଖଣ୍ଡ ଖଣ୍ଡ ହୋଇଯାଏ, ପ୍ରଭାକର ସ୍ୱୀୟ-ପ୍ରଭା ପରିତ୍ୟାଗ କରନ୍ତି, ଚନ୍ଦ୍ରମା ଶୀତଳତା ବିସର୍ଜନ କରନ୍ତି, । ୩୧ । ବାୟୁ ଯଦି ଚଞ୍ଚଳତା ପରିହାର କରନ୍ତି, ହିମାଚଳ ଯଦି ସ୍ୱସ୍ଥାନରୁ ବିଚଳିତ ହୁଏ, ସମୁଦ୍ରର ଜଳ ଯଦି ଶୁଷ୍କ ହୋଇଯାଏ, ଅନଳ ଯଦି ଉଷ୍ଣତା ତ୍ୟାଗ କରେ,-। ୩୨ । ହେ ରାଜନ୍‌ ! ତେବେ ସୁଦ୍ଧା ଆପଣଙ୍କ ବିନା ଏହି ବସୁନ୍ଧରାକୁ ଆମ୍ଭେ ଶାସନ କରିପାରିବୁ ନାହିଁ । ଆପଣ ପ୍ରସନ୍ନ ହେଉନ୍ତୁ, ପ୍ରସନ୍ନ ହେଉନ୍ତୁ; ଆପଣ ଶତ ସମ୍ବତ୍ସର ଆମ୍ଭମାନଙ୍କର କୁଳରେ ରାଜା ହେବେ । ଏହିପରି ଦୁଃଶାସନ ବାରମ୍ବାର କହିବାରେ ପ୍ରବୃତ୍ତ ହେଲେ ।

 

ହେ ଭାରତ ! ସେ ରାଜା ସୁଯୋଧନଙ୍କୁ ଏହିପରି କହି ଜ୍ୟେଷ୍ଠ ଭ୍ରାତାଙ୍କର ପୂଜ୍ୟାସ୍ପଦ ପଦଯୁଗଳ ସ୍ପର୍ଶ କରି ଉଚ୍ଚୈଃସ୍ୱରରେ ରୋଦନ କଲେ । ସେହି ଦୁଃଶାସନ ଓ ସୁଯୋଧନଙ୍କୁ ଏହିପରି ଦୁଃଖିତ ହେବାର ଦେଖି କର୍ଣ୍ଣ ବ୍ୟଥିତ ଚିତ୍ତରେ ସେମାନଙ୍କ ନିକଟକୁ ଯାଇ କହିଲେ, ହେ କୌରବଦ୍ୱୟ ! ଆପଣମାନେ ସାମାନ୍ୟ ପ୍ରଜ୍ଞାଶୂନ୍ୟ ଲୋକ ପରି କି ନିମିତ୍ତ ବିଷଣ୍ଣ ହେଉଅଛନ୍ତି ? ୩୬ । ଶୋକକଲେ କାହାରି କଦାଚ ଶୋକନିବୃତ୍ତି ହୁଏ ନାହିଁ । ଶୋକ କରିବାଦ୍ୱାରା ଯେତେବେଳେ ଶୋକାକୁଳ ବ୍ୟକ୍ତିର ଦୁଃଖ ହ୍ରାସ ହୁଏ ନାହିଁ, ସେତେବେଳେ ଆପଣମାନେ ଆଉ ଦୁଃଖ କରି ଅବା କି ଫଳଲାଭ କରୁଅଛନ୍ତି ? ଆପଣମାନେ ଧୈର୍ଯ୍ୟଧାରଣ କରନ୍ତୁ ଓ ଶୋକକରି ଶତ୍ରୁମାନଙ୍କୁ ଆନନ୍ଦିତ କରନ୍ତୁ ନାହିଁ । ୩୮ । ହେ ରାଜନ୍‌ ! ପାଣ୍ଡବମାନେ ଆପଣଙ୍କୁ ମୁକ୍ତ କରିବାଦ୍ୱାରା କର୍ତ୍ତବ୍ୟକର୍ମ କରିଅଛନ୍ତି । ପ୍ରଜାମାନେ ସର୍ବଦା ରାଜାଙ୍କର ପ୍ରିୟକାର୍ଯ୍ୟ କରିବା ବିଧେୟ-। ୩୯ । ଆପଣ ସେମାନଙ୍କୁ ପାଳନ କରନ୍ତି ବୋଲି ସେମାନେ ଚିନ୍ତିତ ହୋଇ ବାସ କରୁଅଛନ୍ତି-। ଅତଏବ ଏପରି ଅବସ୍ଥାରେ ସାମାନ୍ୟ ଲୋକସଦୃଶ ଆପଣଙ୍କର ଶୋକ କରିବା ଉଚିତ ନୁହେଁ-। ୪୦ । ଆପଣ ଏଠାରେ ପ୍ରାୟୋପବେଶନରେ ଯତ୍ନବାନ୍ ହୋଇଥିବାର ଦେଖି ଆପଣଙ୍କର ଭ୍ରାତାମାନେ ବିଷଣ୍ଣ ହୋଇଅଛନ୍ତି । ଅତଏବ ଆପଣଙ୍କର ମଙ୍ଗଳ ହେଉ ଓ ଆପଣ ଉତ୍‌ଥିତ ହୋଇ ଭ୍ରାତୃଗଣଙ୍କ ନିକଟକୁ ଯାଇ ସେମାନଙ୍କୁ ଆଶ୍ୱାସ ପ୍ରଦାନ କରନ୍ତୁ । ୪୧ ।

 

॥ ଅଧ୍ୟାୟ – ୨୫୦ ॥

 

କର୍ଣ୍ଣ ବୋଇଲେ, ହେ ରାଜନ୍‌ ! ଅଦ୍ୟ ଆପଣଙ୍କର ଏଥିରେ ସ୍ୱଳ୍ପବୁଦ୍ଧିତା ବୋଧ ହେଉଅଛି-। ହେ ବୀର ! ଶତ୍ରୁକର୍ଷଣ ! ଆପଣ ଶତ୍ରୁମାନଙ୍କର ବଶୀଭୂତ ହେଲା ଉତ୍ତାରୁ ପାଣ୍ଡବମାନେ ଯେ ଆପଣଙ୍କୁ ମୁକ୍ତ କରିଅଛନ୍ତି, ଏଥିରେ କି ଅବା ଆଶ୍ଚର୍ଯ୍ୟ ଅଛି ? ହେ କୁରୁନନ୍ଦନ-! ସେମାନଙ୍କର କର୍ତ୍ତବ୍ୟ ଜ୍ଞାତ ଭାବରେ ବା ଅଜ୍ଞାତ ଭାବରେ ହେଉ ସେମାନେ ନିଜ ରାଜାର ପ୍ରିୟ କାର୍ଯ୍ୟ ଅନୁଷ୍ଠାନ କରିବେ । ପ୍ରାୟ ପ୍ରଧାନ ପୁରୁଷମାନେ ସେନାମାନଙ୍କୁ କ୍ଷୁଭିତ କରନ୍ତି-। ୩ । ସେମାନେ ଯୁଦ୍ଧରେ ମଧ୍ୟ ଗୃହୀତ ହୁଅନ୍ତି ଓ ସ୍ୱୀୟ ସେନାମାନଙ୍କଦ୍ୱାରା ମୁକ୍ତ ହୋଇଥାନ୍ତି-। ରାଜାଙ୍କ ଅଧିକାରରେ ଯେଉଁ ସେନାମାନେ ଓ ଅନ୍ୟାନ୍ୟ ପ୍ରଜାମାନେ ଥାଆନ୍ତି, ସେମାନେ ସମସ୍ତେ ମିଳିତ ହୋଇ ରାଜା ନିମିତ୍ତ ଯଥା ସାଧ୍ୟ ଚେଷ୍ଟା କରନ୍ତି । ଏହା ସେମାନଙ୍କର କର୍ତ୍ତବ୍ୟ କର୍ମ-। ଅତଏବ ହେ ରାଜନ୍‌ ! ଯଦି ଆପଣଙ୍କର ଦେଶବାସୀ ପାଣ୍ଡବମାନେ ଇଚ୍ଛାନୁସାରେ ଆପଣଙ୍କୁ ମୁକ୍ତ କରିଥାନ୍ତି, ତେବେ ସେଥିରେ ଆପଣଙ୍କର କି ଦୁଃଖ ହେଉଅଛି ?

 

ହେ ରାଜନ୍‌ ! ଆପଣ ଯେତେବେଳେ ସ୍ୱକୀୟ ସେନାସମୂହଦ୍ୱାରା ଆବୃତ୍ତ ହୋଇ ଯାତ୍ରା କଲେ, ସେତେବେଳେ ପାଣ୍ଡବମାନେ ଯାହା ଆପଣଙ୍କର ଅନୁଗାମୀ ହୋଇନାହାନ୍ତି, ତାହା ସେମାନଙ୍କର ଅନୁଚିତ ହୋଇଅଛି ।

 

ହେ ନୃପୋତ୍ତମ ! ସେହି ପାଣ୍ଡବମାନେ ପୂର୍ବରୁ ଆପଣଙ୍କର କିଙ୍କର ହୋଇଅଛନ୍ତି । ଅତଏବ ସେହି ଶୂର ଓ ବଳବନ୍ତମାନେ ଯୁଦ୍ଧରେ ଆପଣଙ୍କର ଅପରାଙ୍‍ମୁଖ ସହାୟକାରୀ କାହିଁକି ନ ହେବେ ? ପାଣ୍ଡବମାନଙ୍କର ସମୁଦାୟ ରତ୍ନ ଆପଣ ଅଦ୍ୟାପି ଭୋଗ କରୁଅଛନ୍ତି । ୮ । ଦେଖନ୍ତୁ, ତଥାପି ସେହି ବୁଦ୍ଧିମାନ ପାଣ୍ଡବମାନେ ପ୍ରାୟୋପବେଶନଦ୍ୱାରା ପ୍ରାଣତ୍ୟାଗ କରି ନାହାନ୍ତି-। ଅତଏବ, ହେ ରାଜନ୍‌ ! ଆପଣଙ୍କର ମଙ୍ଗଳ ହେଉ । ଆପଣ ବିଳମ୍ବ ନ କରି ଉତ୍‌ଥାନ କରନ୍ତୁ-। ୯ । ହେ ନୃପତେ ! ରାଜାଙ୍କର ସମସ୍ତ ପ୍ରିୟକାର୍ଯ୍ୟକୁ ତାହାଙ୍କର ବିଷୟବାସୀମାନେ ଯେ ଅନୁଷ୍ଠାନ କରିବେ, ଏହା ସେମାନଙ୍କର କର୍ତ୍ତବ୍ୟ । ଅତଏବ ସେଥିରେ ଆପଣଙ୍କର ପରିବେଦନା କାହିଁକି-? ୧୦ । ହେ ଅରିମର୍ଦ୍ଦନ ରାଜେନ୍ଦ୍ର ! ଆପଣ ଯେବେ ମୋ କଥା ନ କରନ୍ତି, ତେବେ ମୁଁ ଏଠାରେ ଅବସ୍ଥାନ କରି ଆପଣଙ୍କର ପାଦଦ୍ୱୟ ସେବା କରୁଥିବି । ୧୧ । ହେ ନରର୍ଷଭ ! ଆପଣଙ୍କୁ ଛାଡ଼ି ମୋର ଜୀବନଧାରଣ କରିବାକୁ ଉତ୍ସାହ ହେଉ ନାହିଁ । ହେ ନୃପ ! ଆପଣ ଏଠାରେ ପ୍ରାୟୋପବେଶନ କଲେ ରାଜାମାନଙ୍କର ହାସ୍ୟାସ୍ପଦ ହେବେ । ୧୨ । ବୈଶମ୍ପାୟନ କହିଲେ, ରାଜା ଦୁର୍ଯ୍ୟୋଧନ ଦେହତ୍ୟାଗ ନିମିତ୍ତ କୃତନିଶ୍ଚୟ ହୋଇଥିଲେ; ସୁତରାଂ କର୍ଣ୍ଣ ତତ୍କାଳରେ ଏହିପରି କହିଲେ ହେଁ ସେଠାରୁ ସେ ଉତ୍‌ଥିତ ହେବାକୁ ଇଚ୍ଛା କଲେ ନାହିଁ । ୧୩ ।

 

॥ ଅଧ୍ୟାୟ – ୨୫୧ ॥

 

ବୈଶମ୍ପାୟନ କହିଲେ, ହେ ରାଜନ୍‌ ! ସହିଷ୍ଣୁ ରାଜା ଦୁର୍ଯ୍ୟୋଧନ ପ୍ରାୟୋପବେଶନଦ୍ୱାରା ପ୍ରାଣତ୍ୟାଗ କରିବାକୁ ଉଦ୍ୟତ ଦୁଅନ୍ତେ ସୁବଳସୂତ ଶକୁନି ତତ୍କାଳରେ ତାହାଙ୍କୁ ସାନ୍ତ୍ୱନା କରି ଏହି ବଚନ କହିଲେ । ୧ । ଶକୁନି ବୋଇଲେ, ହେ କୌରବ ! ତୁମ୍ଭେ କର୍ଣ୍ଣଙ୍କର ବାକ୍ୟ ଶ୍ରବଣ କଲ । ସେ ଯାହା କହିଲେ, ତାହା ଯଥାର୍ଥ ! ହେ ନୃପତେ ! ଆମ୍ଭେ ତୁମ୍ଭଙ୍କୁ ସମୃଦ୍ଧ ରାଜଲକ୍ଷ୍ମୀ ଆଣିଦେଲୁଁ । ତୁମ୍ଭେ ତାହା ମୋହବଶରୁ ପରିତ୍ୟାଗ କରି କାହିଁକି ଆଜି ବୁଦ୍ଧିହୀନ ହୋଇ ପ୍ରାଣତ୍ୟାଗ କରିବାକୁ ଇଚ୍ଛୁକ ହେଉଅଛ ? ଆମ୍ଭେ ଏଥିରୁ ଜାଣୁଅଛୁଁ ଯେ ବୃଦ୍ଧଜନମାନଙ୍କର ବଚନ ଗ୍ରହଣ କର ନାହିଁ । ୩-। ଯେଉଁ ବ୍ୟକ୍ତି ଉପସ୍ଥିତ ହର୍ଷ ଓ ଦୁଃଖକୁ ଦମନ କରିପାରେ ନାହିଁ ସେ ଶ୍ରୀପ୍ରାପ୍ତ ହୋଇ ସୁଦ୍ଧା ଜଳମଗ୍ନ ଅପକ୍ୱ ମୃତ୍ତିକା ପାତ୍ର ମିଳେଇଗଲା ପ୍ରାୟ ଶୀଘ୍ର ନଷ୍ଟ ହୋଇଯାଏ । ୪ । ଯେଉଁ ରାଜା ଅତ୍ୟନ୍ତ ଭୀରୁ, ସାମର୍ଥ୍ୟହୀନ, ପ୍ରମାଦଯୁକ୍ତ ଓ ଦ୍ୟୁତବ୍ୟସନବଶତଃ ବିଷୟାକ୍ରାନ୍ତ ହୋଇଥାଆନ୍ତି, ତାହାଙ୍କୁ ପ୍ରଜାମାନେ ଭକ୍ତି କରନ୍ତି ନାହିଁ । ୫ । ହେ ରାଜେନ୍ଦ୍ର ! ପାଣ୍ଡବମାନେ ତ ତୁମ୍ଭର ସତ୍କାର କରିଅଛନ୍ତି । ତୁମ୍ଭେ ସନ୍ତୁଷ୍ଟ ନ ହୋଇ କାହିଁକି ଶୋକ କରୁଅଛ ? ତୁମ୍ଭେ ଶୋକକରି ପାଣ୍ଡବମାନଙ୍କର ଉତ୍ତମ କର୍ମ ନଷ୍ଟ କରନାହିଁ । ଯେ ବିଷୟରେ ତୁମ୍ଭେ ଆନନ୍ଦିତ ହେବ ଓ ପାଣ୍ଡବମାନଙ୍କର ଇଷ୍ଟସାଧନ କରିବା ଉଚିତ, ସେ ସ୍ଥଳରେ ତୁମ୍ଭର ଶୋକ କରିବା ବିପରୀତ ହୋଇଅଛି । ୭ । ତୁମ୍ଭେ ପ୍ରସନ୍ନ ହୁଅ, ପ୍ରାଣତ୍ୟାଗ କରନାହିଁ, ତୁଷ୍ଟ ହୋଇ ପାଣ୍ଡବମାନଙ୍କର ଉପକାର ସ୍ମରଣ କର ଓ ତଦ୍ଦ୍ୱାରା ଯଶ ଓ ଧର୍ମ ଲାଭ କର । ୮ ।

 

ଏହି କାର୍ଯ୍ୟ ତୁମ୍ଭେ ସୁସିଦ୍ଧ କଲେ, ପାଣ୍ଡବମାନଙ୍କଠାରେ କୃତଜ୍ଞ ହେବ । ସେମାନଙ୍କୁ ତୁମ୍ଭେ ଭ୍ରାତୃସ୍ନେହରେ ଆବଦ୍ଧ କରି ତାହାଙ୍କର ପୈତୃକ ରାଜ୍ୟ ସମର୍ପଣ କର । ତାହାହେଲେ ତୁମ୍ଭେ ସୁଖୀ ହେବ । ବୈଶମ୍ପାୟନ କହିଲେ, ଦୁର୍ଯ୍ୟୋଧନ ଶକୁନିଙ୍କର ବଚନ ଶ୍ରବଣ କରି ଓ ଭ୍ରାତୃସ୍ନେହରେ ବିକଳଚିତ୍ତ, ବୀର, ଅରିନ୍ଦମ ଦୁଃଶାସନକୁ ନିଜ ପାଦତଳେ ପତିତ ହେବାର ଦେଖି ସୁଲକ୍ଷଣ ବାହୁଯୁଗଳଦ୍ୱାରା ତାହାଙ୍କୁ ଉତ୍‌ଥାପନ କଲେ ଓ ଆଲିଙ୍ଗନ କରି ମସ୍ତକରେ ଆଘ୍ରାଣ କଲେ । ତତ୍କାଳରେ କର୍ଣ୍ଣ ଓ ସୁବଳନନ୍ଦନଙ୍କ କଥା ଶ୍ରବଣ କରି ନରପତି ଦୁର୍ଯ୍ୟୋଧନ ଅତିଶୟ ବିରକ୍ତ ଓ ଲଜ୍ଜିତ ହୋଇ ରାଜ୍ୟଲାଭରେ ନିରାଶ ହେଲେ । ୧୩ । ଓ ମିତ୍ରମାନଙ୍କ ସେହି ବଚନ ଶୁଣି ଦୀନଭାବରେ ସେମାନଙ୍କୁ କହିଲେ, “ଆମ୍ଭର ଧର୍ମ, ଧନ, ସୁଖ, ଐଶ୍ୱର୍ଯ୍ୟଭୋଗ ବା ରାଜତ୍ୱରେ ପ୍ରୟୋଜନ ନାହିଁ । ଅତଏବ ତୁମ୍ଭେମାନେ ମୋହର ସଂକଳ୍ପରେ ବିଘ୍ନ ନ କରି ଏଠାରୁ ପ୍ରସ୍ଥାନ କର । ମୁଁ ପ୍ରାୟୋପବେଶନ କରିବାକୁ ନିଶ୍ଚିତମନା ହୋଇଅଛି । ୧୫ । “ତୁମ୍ଭେମାନେ ସମସ୍ତେ ନଗରକୁ ପ୍ରସ୍ଥାନ କରି ଆମ୍ଭର ସକଳ ଗୁରୁଜନଙ୍କୁ ଅର୍ଚ୍ଚନା କର ।” ସେମାନେ ଏହି କଥା ଶୁଣି ରାଜାଙ୍କୁ ପ୍ରତ୍ୟୁତ୍ତର ଦେଲେ–ହେ ରାଜେନ୍ଦ୍ର ! ଆପଣଙ୍କର ଯେଉଁ ଗତି ହେବ, ଆମ୍ଭମାନଙ୍କର ମଧ୍ୟ ସେହି ଗତି ହେବ । ହେ ଭାରତ ! ଆପଣଙ୍କୁ ଛାଡ଼ି ଆମ୍ଭେମାନେ କିପରି ବା ପୁରରେ ପ୍ରବେଶ କରିବୁ ? ୧୭ ।

 

ବୈଶମ୍ପାୟନ କହିଲେ–ସୁହୃଦ୍‌ବର୍ଗ, ମନ୍ତ୍ରିବୃନ୍ଦ, ଭ୍ରାତୃଗଣ ଓ ସ୍ୱଜନମାନେ ଏହିପରି ନାନାପ୍ରକାର କହି ସୁଦ୍ଧା ତାଙ୍କ ସଂକଳ୍ପ ଭଗ୍ନ କରି ପାରିଲେ ନାହିଁ । ସେହି ରାଜଶ୍ରେଷ୍ଠ ଧୃତରାଷ୍ଟ୍ରପୁତ୍ର ସ୍ୱର୍ଗଗମନ କରିବା ନିମିତ୍ତ ନିଶ୍ଚୟ କରି ଭୂମିରେ କୁଶତୃଣ ବିସ୍ତାର କରି ଉପବେଶନ କଲେ ଓ ଜଳସ୍ପର୍ଶ କରି ଶୁଚି, ଚୀରାମ୍ବରଧାରୀ ଓ ସଂଯତବାକ୍ୟ ହୋଇ ସ୍ନାନପାନାଦି ବାହ୍ୟ କାର୍ଯ୍ୟ ପରିତ୍ୟାଗ କଲେ । ତତ୍ପରେ କେବଳ ମାନସୋପଚାରରେ ଆରାଧନା କରି ପରମ ନିୟମ ଅବଲମ୍ବନ କଲେ । ୨୦ । ଅନନ୍ତର ଯେଉଁ ପାତାଳାବାସୀ ଭୟଙ୍କର ମୂର୍ତ୍ତି ଦାନବ ଓ ଦୈତ୍ୟମାନେ ଦେବତାମାନଙ୍କଦ୍ୱାରା ପୂର୍ବେ ପରାଜିତ ହୋଇଥିଲେ, ସେମାନେ ଦୁର୍ଯ୍ୟୋଧନଙ୍କର ସେହି ଦୃଢ଼ସଂକଳ୍ପ ଅବଗତ ହେଲେ । ତଦ୍ଦ୍ୱାରା ସ୍ୱକୀୟ ପକ୍ଷର ଅମଙ୍ଗଳ ହେବାର ଜାଣି ସେହି ଅବସରରେ ଦୁର୍ଯ୍ୟୋଧନଙ୍କୁ ଆହ୍ୱାନ କରିବା ପାଇଁ ଅଗ୍ନିସାଧ୍ୟ-ଯଜ୍ଞ କର୍ମମାନ ଆରମ୍ଭ କଲେ । ୨୨-। ଉପନିଷଦରେ ମନ୍ତ୍ର ଓ ଜପଦ୍ୱାରା ଅନୁଷ୍ଠିତ ଯେଉଁ କ୍ରିୟାମାନ କଥିତ ଅଛି, ମନ୍ତ୍ରବିଶାରଦ ଯଜ୍ଞକର୍ତ୍ତାମାନେ ତେତେବେଳେ ବୃହସ୍ପତି ଓ ଶୁକ୍ରାଚାର୍ଯ୍ୟଙ୍କ କଥିତ ଓ ଅଥର୍ବବେଦପ୍ରୋକ୍ତ ମନ୍ତ୍ରମାନଙ୍କଦ୍ୱାରା ସେହି କ୍ରିୟାସବୁ ଅନୁଷ୍ଠାନ କଲେ । ବେଦବେଦାଙ୍ଗବେତ୍ତା, ସୁଦୃଢ଼ ବ୍ରତାବଲମ୍ବୀ ବ୍ରାହ୍ମଣମାନେ ଉତ୍ତମରୂପେ ମିଳିତ ହୋଇ ମନ୍ତ୍ରଯୁକ୍ତ ହବି ଓ କ୍ଷୀରଦ୍ୱାରା ଅଗ୍ନିରେ ହୋମ କରିବାକୁ ପ୍ରବୃତ୍ତ ହେଲେ । ୨୫ ।

 

ହେ ରାଜନ୍‌ ! ସେ କର୍ମସିଦ୍ଧ ହେବାରୁ ତତ୍କାଳରେ ମନ୍ତ୍ରକୁଣ୍ଡରୁ ଗୋଟିଏ ଅତି ଅଦ୍ଭୁତ ଆଜ୍ଞାକାରୀ ଦେବତା ମୁଖବ୍ୟାଦାନ କରି ସମୁତ୍‌ଥିତ ହେଲା ଓ ଆମ୍ଭେ କ’ଣ କରିବୁ ବୋଲି କହିଲା-। ୨୬ । ଦୈତ୍ୟମାନେ ତାହାଙ୍କୁ ସେହି ସମୟରେ ପ୍ରୀତିଚିତ୍ତରେ ପ୍ରତ୍ୟୁତ୍ତର ଦେଲେ ଯେ ଧୃତରାଷ୍ଟ୍ର ପୁତ୍ର ରାଜା ଦୁର୍ଯ୍ୟୋଧନ ପ୍ରାୟୋପବେଶନ କରିଅଛନ୍ତି । ତୁମ୍ଭେ ତାହାଙ୍କୁ ଏଠାକୁ ଘେନିଆସ । ୨୭-। ସେହି ଦେବତା ‘ହେଉ’ ବୋଲି କହି ତତ୍‌କ୍ଷଣାତ ରାଜା ସୁଯୋଧନଙ୍କ ନିକଟରେ ନିମିଷମାତ୍ରକେ ଉପସ୍ଥିତ ହେଲେ । ୨୮ । ରାଜାଙ୍କୁ ଘେନି ଭୂତଳରେ ପ୍ରବିଷ୍ଟ ହେଲା ଓ ମୁହୂର୍ତ୍ତ ମଧ୍ୟରେ ତାହାଙ୍କୁ ଆଣି ଦାନବମାନଙ୍କ ନିକଟରେ ଉପନୀତ ହେଲା । ଅନନ୍ତର ଦାନବମାନେ ଦୁର୍ଯ୍ୟୋଧନଙ୍କୁ ରାତ୍ରିରେ ଆନୀତ ହୋଇଥିବାର ଦେଖି ସମସ୍ତେ ପ୍ରଫୁଲ୍ଲ ନୟନ ଓ ହୃଷ୍ଟ ଚିତ୍ତରେ ତାହାଙ୍କୁ ଅଭିମାନପୂର୍ବକ ଏହି ବାକ୍ୟ କହିଲେ ।

 

॥ ଅଧ୍ୟାୟ – ୨୫୨ ॥

 

ଦାନବମାନେ କହିଲେ–ହେ ଭରତକୁଳପ୍ରସତ ରାଜେନ୍ଦ୍ର ସୁଯୋଧନ ! ତୁମ୍ଭେ ଶୂର ଓ ମହାତ୍ମାମାନଙ୍କଦ୍ୱାରା ସର୍ବଦା ପରିବୃତ୍ତ ଥାଇ ସୁଦ୍ଧା ପ୍ରୟୋପବେଶନ ରୂପ ସାହସିକ କର୍ମ କାହିଁକି କରୁଅଛ ? ଆତ୍ମତ୍ୟାଗୀ ବ୍ୟକ୍ତି ଅଧୋଗାମୀ ହୁଏ ଓ ଯଶଃବିହୀନ ଲୋକ ନିନ୍ଦିତ ହୁଏ । ୨ । ତୁମ୍ଭପରି ବୁଦ୍ଧିମନ୍ତ ଲୋକମାନେ କଦାପି ମୂଳଘାତୀ, ଆତ୍ମହତ୍ୟାଦି ପାପକର୍ମ ଓ ଅଶୁଭ କର୍ମମାନଙ୍କରେ ଲିପ୍ତ ହୁଅନ୍ତି ନାହିଁ । ୩ । ହେ ରାଜନ୍‌ ! ଯେଉଁ ବୁଦ୍ଧିଦ୍ୱାରା ଧର୍ମାର୍ଥ ସୁଖ, ଯଶଃ, ପ୍ରତାପ, ବୀର୍ଯ୍ୟନାଶ ହୁଏ ଓ ଶତ୍ରୁମାନଙ୍କ ହର୍ଷବର୍ଦ୍ଧନ ହୁଏ, ସେହି ବୁଦ୍ଧି ପରିତ୍ୟାଗ କରିବା ବିଧେୟ-। ୪ । ହେ ନୃପ ! ଆତ୍ମାର ତତ୍ତ୍ୱ, ଦିବ୍ୟତା ଓ ଶରୀରର ନିର୍ମାଣ ଶ୍ରବଣ କରି ଧୈର୍ଯ୍ୟ ଅବଲମ୍ବନ କର । ୫ । ହେ ରାଜନ୍‌ ! ପୂର୍ବରୁ ଆମ୍ଭେମାନେ ତପସ୍ୟା କରି ମହେଶ୍ୱରଙ୍କଠାରୁ ତୁମ୍ଭଙ୍କୁ ପ୍ରାପ୍ତ ହୋଇଥିଲୁ । ତୁମ୍ଭର ପୂର୍ବ କାୟ ମଧ୍ୟ ବଜ୍ରସମୂହଦ୍ୱାରା ନିର୍ମିତ ହୋଇଅଛି । ୬ । ହେ ଅନଘ ! ତୁମ୍ଭର ଅଧଃକାୟ ଅସ୍ତ୍ର ଓ ଶସ୍ତ୍ରଦ୍ୱାରା ଅଭେଦ୍ୟ ଅଟେ ଓ ଭଗବତୀଙ୍କଦ୍ୱାରା ତୁମ୍ଭର ଶରୀର ପୁଷ୍ପମୟ ଅପିଚ ସ୍ତ୍ରୀମାନଙ୍କର ମନୋରମ ହୋଇଅଛି । ୭ । ହେ ନୃପୋତ୍ତମ, ରାଜଶ୍ରେଷ୍ଠ ! ଏହିପରି ଈଶ୍ୱରସମ୍ବନ୍ଧୀୟ ତୁମ୍ଭର ଦିବ୍ୟ ଶରୀର ଦେବୀଙ୍କଦ୍ୱାରା ଜାତ ହୋଇଅଛି । ଅତଏବ ତୁମ୍ଭେ ସାଧାରଣ ମନୁଷ୍ୟ ନୁହଁ । ୮ । ଅପିଚ ଭଗଦତ୍ତ ପ୍ରଭୃତି ମହାବୀର୍ଯ୍ୟବନ୍ତ ଦିବ୍ୟାସ୍ତ୍ରବେତ୍ତା, ଶୂର କ୍ଷତ୍ରିୟମାନେ ମଧ୍ୟ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କରିବେ । ୯ । ଅତଏବ ତୁମ୍ଭର ବିଷଣ୍ଣ ହେବା ନିଷ୍ପ୍ରୟୋଜନ ଓ ତୁମ୍ଭର କୌଣସି ଭୟର କାରଣ ନାହିଁ । ତୁମ୍ଭର ସାହାଯ୍ୟ ସକାଶେ ପୃଥିବୀରେ ଦାନବମାନେ ଜାତ ହୋଇଅଛନ୍ତି । ୧୦ । ପରନ୍ତୁ ଅସୁରମାନେ ମଧ୍ୟ ଭୀଷ୍ମ, ଦ୍ରୋଣ, କୃପ ପ୍ରଭୃତିଙ୍କ ଦେହରେ ପ୍ରବେଶ କରିବେ । ସେମାନେ ପ୍ରବେଶ କଲେ ଦ୍ରୋଣ ପ୍ରଭୃତି ବୀର ଦୟା ପରିତ୍ୟାଗ କରି ତୁମ୍ଭ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବେ । ୧୧ । ହେ କୁରୁସତ୍ତମ ! ଦାନବମାନେ ସେମାନେ ଶରୀରରେ ପ୍ରବିଷ୍ଟ ହୋଇ ଅନ୍ତରାତ୍ମାକୁ ଆକ୍ରମଣ କଲେ । ସେମାନଙ୍କ ସ୍ନେହଶୂନ୍ୟ ହୋଇ ଯେତେବେଳେ ସଂଗ୍ରାମରେ ପ୍ରବୃତ୍ତ ହେବେ ସେତେବେଳେ ପୁତ୍ର, ଭ୍ରାତା, ପିତା, ବାନ୍ଧବ, ଶିଷ୍ୟ, ଜ୍ଞାତି, ବାଳକ ଓ ବୃଦ୍ଧ କେହି ନିଷ୍କୃତି ଲାଭ କରିବେ ନାହିଁ । ଚିତ୍ତ କଳୁଷିତ ହୁଅନ୍ତେ ସେହି ପୁରୁଷଶ୍ରେଷ୍ଠମାନେ ହର୍ଷାନ୍ୱିତ ହୋଇ ସ୍ନେହକୁ ଦୂରରେ ତ୍ୟାଗ କରି ବନ୍ଧୁବୃନ୍ଦଙ୍କ ପ୍ରତି ପ୍ରହାର କରିବେ । ହେ କୁରୁଶ୍ରେଷ୍ଠ ! କାର୍ଯ୍ୟାକାର୍ଯ୍ୟ ବିବେଚନାରେ ବିମୂଢ଼ ହୋଇ ସେମାନେ ପରସ୍ପରକୁ କହିବେ ।

 

ଆଜି ଭାଗ୍ୟବଶତଃ ତୁମ୍ଭେ ଆମ୍ଭ ସମ୍ମୁଖକୁ ଆସିଅଛ । ଆମ୍ଭଠାରୁ ପରିତ୍ରାଣ ପାଇବ ନାହିଁ-। ଏହିପରି ପରସ୍ପରବିରୁଦ୍ଧ ଭୀଷଣ ଓ ଆପଣାର ଶ୍ଳାଘା କରି ସର୍ବପ୍ରକାର ଅସ୍ତ୍ରଶସ୍ତ୍ରଦ୍ୱାରା ଅରିବୃନ୍ଦ ବିନାଶ ଓ ଜନକ୍ଷୟ କରିବାରେ ପ୍ରବୃତ୍ତ ହେବେ । ଦୈବବଶରୁ ମହାବଳସମ୍ପନ୍ନ ମହାତ୍ମା ପଞ୍ଚପାଣ୍ଡବମାନେ ମଧ୍ୟ ସେମାନଙ୍କ ସହିତ ପ୍ରତିଯୁଦ୍ଧରେ ପ୍ରବୃତ୍ତ ହେବେ ଓ ସେମାନଙ୍କୁ ବିନଷ୍ଟ କରିବେ । ହେ ପାର୍ଥିବ ! କ୍ଷତ୍ରିୟ ଯୋନିରେ ସମୁତ୍ପନ୍ନ ଦନୁଜ ଓ ପୁଣ୍ୟଜନମାନେ ମଧ୍ୟ ସମରରେ ବିକ୍ରମ ପ୍ରକାଶ ପୂର୍ବକ ଗଦା, ମୂଷଳ, ଶୂଳ ଓ ନାନାବିଧ ଶସ୍ତ୍ରଦ୍ୱାରା ତୁମ୍ଭର ଶତ୍ରୁଗଣଙ୍କ ସହିତ ସଂଗ୍ରାମ କରିବେ । ୧୮ । ହେ ବୀର ! ତୁମ୍ଭର ଅନ୍ତଃକରଣରେ ଅର୍ଜୁନଙ୍କଠାରୁ ଯେଉଁ ଭୟ ହୋଇଅଛି, ତାହାର ପ୍ରତିକାରସ୍ୱରୂପ ଆମ୍ଭେମାନେ ଅର୍ଜୁନଙ୍କର ବଧୋପାୟ ବିଧାନ କରିଅଛୁ-। ୧୯ । ନିଧନପ୍ରାପ୍ତ ନରକାସୁରର ଆତ୍ମା କର୍ଣ୍ଣଙ୍କ ମୂର୍ତ୍ତି ଧରିଅଛି । ହେ ବୀର ! ସେହି ବିକ୍ରମଗର୍ବିତ ଯୋଦ୍ଧାଶ୍ରେଷ୍ଠ ମହାରଥ ନରକାରତାର କର୍ଣ୍ଣ ପୂର୍ବବୈରକୁ ସ୍ମରଣ କରି କେଶବ ଓ ଅର୍ଜୁନଙ୍କ ସହିତ ସମରରେ ପ୍ରବୃତ୍ତି ହେବେ; ଅଥଚ ପାର୍ଥ ଓ ତୁମ୍ଭର ସମୁଦାୟ ଶତ୍ରୁଙ୍କୁ ସଂଗ୍ରାମରେ ପରାଜିତ କରିବେ । ୨୧ । ବଜ୍ରଧାରୀ ଇନ୍ଦ୍ର ଏହି କଥା ଅବଗତ ହୋଇ ସବ୍ୟସାଚୀଙ୍କୁ ରକ୍ଷା କରିବା ନିମିତ୍ତ ଛଳନାଦ୍ୱାରା କର୍ଣ୍ଣଙ୍କଠାରୁ କୁଣ୍ଡଳଯୁଗଳ ଓ ତାହାଙ୍କର ସହଜ କବଚ ମଧ୍ୟ ହରଣ କରି ନେବେ । ୨୨ । ତନ୍ନିମିତ୍ତ ଏ ବିଷୟରେ ମଧ୍ୟ ଆମ୍ଭେମାନେ ପୂର୍ବରୁ ସତର୍କ ହୋଇ ସଂସପ୍ତକ ନାମରେ ବିଖ୍ୟାତ ଶତ ଶତ ସହସ୍ର ସହସ୍ର ଦୈତ୍ୟ ଓ ନୈକଷେୟମାନଙ୍କୁ ନିଯୁକ୍ତ କରି ରଖିଅଛୁ । ୨୩ । ସେମାନେ ବୀର୍ଯ୍ୟଶାଳୀ ଅର୍ଜୁନଙ୍କୁ ନିଶ୍ଚୟ ବିନଷ୍ଟ କରିବେ । ଅତଏବ ତୁମ୍ଭେ ଶୋକ ତ୍ୟାଗ କର । ହେ ନୃପତେ ! ତୁମ୍ଭେ ଏହି ସମସ୍ତ ଭୂମଣ୍ଡଳ ସମ୍ଭୋଗ କରିପାରିବ । ଏଥିରେ କେହି ତୁମ୍ଭର ପ୍ରତିଦ୍ୱନ୍ଦ୍ୱୀ ହେବେ ନାହିଁ । ୨୪ । ଅତଏବ ବିଷାଦପ୍ରାପ୍ତ ହୁଅ ନାହିଁ, ବିଷଣ୍ଣ ହେବା ତୁମ୍ଭର ଉପଯୁକ୍ତ ନୁହେଁ । ହେ କୌରବ ! ତୁମ୍ଭେ ବିନଷ୍ଟ ହେଲେ ଆମ୍ଭେମାନେ ମଧ୍ୟ ପକ୍ଷହୀନ ଦଶା ଲଭିବୁ । ୨୬ ।

 

ବୈଶମ୍ପାୟନ କହିଲେ–ହେ ଭାରତ ! ଦାନବ ଓ ଦୈତ୍ୟ ଶ୍ରେଷ୍ଠମାନେ ଏହିପରି ରାଜକୁଞ୍ଜର ଦୁର୍ଯ୍ୟୋଧନଙ୍କୁ କହି ଓ ଆଲିଙ୍ଗନ କରି, ପୁତ୍ରସ୍ନେହରେ ତାହାଙ୍କ ବୁଦ୍ଧି ସ୍ଥିର କଲେ ଓ କହିଲେ, ତୁମ୍ଭେ ଜୟ ଲାଭ କର । ୨୮ । ମହାବାହୁ ଦୁର୍ଯ୍ୟୋଧନ ବିଦାୟ ହୋଇ ଦୈତ୍ୟଗଣଙ୍କଠାରୁ ଆସି ଯେଉଁଠାରେ ପ୍ରାୟୋପବେଶନ କରୁଥିଲେ ସେହି ସ୍ଥାନକୁ ଦେବତାଙ୍କଦ୍ୱାରା ଆନୀତ ହେଲେ । ୨୯ । ଅଗ୍ନିଜାତ ସେହି ଦେବତା ଦୁର୍ଯ୍ୟୋଧନଙ୍କୁ ନେଇ ପୁନର୍ବାର ସେହି ସ୍ଥାନରେ ନିବେଷିତ କରି ଓ ତାହାଙ୍କର ଅର୍ଚ୍ଚନା କରି ଅନୁଜ୍ଞା ଘେନି ସେହି ସ୍ଥାନରୁ ଅନ୍ତର୍ହିତ ହେଲେ । ୩୦ । ହେ ଭାରତ ! ଦେବତା ଗମନ କରନ୍ତେ ରାଜା ଦୁର୍ଯ୍ୟୋଧନ ଏହିସବୁ ଘଟନା ସ୍ୱପ୍ନସ୍ୱରୂପ ମନେ କଲେ । ୩୧ । ତାହାଙ୍କର ମନେହେଲା ଯେ ସେ ପାଣ୍ଡବମାନଙ୍କୁ ନିଶ୍ଚୟ ପରାଜିତ କରିବେ । କର୍ଣ୍ଣ ଓ ସଂସପ୍ତକ ଦାନବମାନେ ଅର୍ଜୁନଙ୍କ ବିନାଶରେ ସମର୍ଥ ବୋଲି ବିବେଚନା କଲେ । ହେ ଭରତର୍ଷଭ ! ଦୁର୍ମତି ଧୃତରାଷ୍ଟ୍ର ପୁତ୍ର ଏହିପରି ଭାବନା କରି ପାଣ୍ଡବଙ୍କ ପରାଜୟ ସ୍ଥିର କରି ଜାଗ୍ରତ ହେଲେ । କର୍ଣ୍ଣ ମଧ୍ୟ ନାରକାସୁରର ଅନ୍ତରାତ୍ମାଦ୍ୱାରା ଆବିଷ୍ଟ ହୋଇ ଧନଞ୍ଜୟଙ୍କୁ ବିନାଶ କରିବାରେ ସ୍ଥିର ପ୍ରତିଜ୍ଞ ହେଲେ । ସଂସପ୍ତକମାନେ ମଧ୍ୟ ରାକ୍ଷସଙ୍କଦ୍ୱାରା ଆବିଷ୍ଟ ହୋଇ ରଜଃ ଓ ତମୋଗୁଣର ଆଧିକ୍ୟବଶତଃ ଅର୍ଜୁନଙ୍କୁ ବଧ କରିବେ ବୋଲି ସ୍ଥିର କଲେ-। ହେ ରାଜନ୍‌ ! ଭୀଷ୍ମ, ଦ୍ରୋଣ, କୃପ ପ୍ରଭୃତି ବୀରମାନଙ୍କ ମନ ଦାନବାକ୍ରାନ୍ତ ହେବାରୁ ପୂର୍ବପ୍ରାୟ ପାଣ୍ଡୁନନ୍ଦନଙ୍କ ପ୍ରତି ସେମାନଙ୍କର ସ୍ନେହ ରହିଲା ନାହିଁ । ଭୂପତି ଦୁର୍ଯ୍ୟୋଧନ ଏ କଥା କାହାରିଠାରେ ବ୍ୟକ୍ତ କଲେ ନାହିଁ । ୩୭ ।

 

ରଜନୀ ଅବସାନ ହୁଅନ୍ତେ ସୂର୍ଯ୍ୟସୁତ କର୍ଣ୍ଣ କରଯୋଡ଼ି ଈଷତ୍ ହାସ୍ୟକରି ନରପତି ଦୁର୍ଯ୍ୟୋଧନଙ୍କୁ ହେତୁଯୁକ୍ତ ବଚନମାନ କହିଲେ । ୩୮ । ହେ କୌରବେୟ ! କୌଣସି ବ୍ୟକ୍ତି ପ୍ରାଣତ୍ୟାଗ କରି ଶତ୍ରୁକୁ ଜୟ କରିପାରେ ନାହିଁ । ଜୀବିତ ଥିଲେ ସିନା ସମସ୍ତେ ଆପଣାର ମଙ୍ଗଳ ଲାଭ କରନ୍ତି । ମୃତ ବ୍ୟକ୍ତିର ମଙ୍ଗଳ କାହିଁ ? ସୁତରାଂ ତାହାର ଜୟ କେଉଁଠାରେ ? ଅତଏବ ସମ୍ପ୍ରତି ଆପଣଙ୍କର ବିଷାଦର ସମୟ ନୁହେଁ । ଭୟ ଅଥବା ମରଣର ସମୟ ହୋଇନାହିଁ । ଏହିପରି କହି ସେ ମହାଭୁଜ ନିଜ ଭୁଜଯୁଗଳଦ୍ୱାରା ସୁଯୋଧନଙ୍କୁ ଆଲିଙ୍ଗନ କରି ଆହୁରି କହିଲେ । ୪୦ । ହେ ରାଜନ୍‌ ! ଉଠିବା ହେଉନ୍ତୁ । କି ନିମିତ୍ତ ଶୟନ କରୁଅଛନ୍ତି ? ଶୋକ କରିବା ତୁମ୍ଭର ଅନୁଚିତ । ତୁମ୍ଭେ ଶତ୍ରୁନିୟନ୍ତା, ବୀର୍ଯ୍ୟଦ୍ୱାରା ଶତ୍ରୁମାନଙ୍କୁ ପ୍ରତାପିତ କରି କି ନିମିତ୍ତ ସମ୍ପ୍ରତି ଅପୁନରାବୃତ୍ତ ଲାଭ କରିବାରେ ପ୍ରବୃତ୍ତ ହୋଇଅଛନ୍ତି ? ୪୧ । ଯଦି ଅର୍ଜୁନଙ୍କ ପରାକ୍ରମ ଦେଖି ଆପଣଙ୍କ ଚିତ୍ତରେ ଭୟ ଜାତ ହୋଇଥାଏ, ତେବେ ମୁଁ ନିଶ୍ଚୟ ପ୍ରତିଜ୍ଞା କରି କହୁଅଛି ଯେ ସମରରେ ମୁଁ ଅର୍ଜୁନଙ୍କୁ ନିହତ କରିବ । ୪୨ । ହେ ଜନାଧିପ ! ଆମ୍ଭେ ଏହି ଆୟୁଧକୁ ସ୍ପର୍ଶ କରି ଶପଥ କରୁଅଛୁ, ତ୍ରୟୋଦଶ ବର୍ଷ ଅତୀତ ହେଲେ ଆମ୍ଭେ ପୃଥାନନ୍ଦନମାନଙ୍କୁ ଅବଶ୍ୟ ଆପଣଙ୍କର ବଶବର୍ତ୍ତୀ କରିବୁ । ୪୩ । କର୍ଣ୍ଣଙ୍କର ଏହି ବାକ୍ୟ ଶୁଣି ଦାନବମାନଙ୍କର ଉପଦେଶ ହୃଦୟଙ୍ଗମ କରି ଓ ଦୁଃଶାସନାଦିଙ୍କ ଅନୁରୋଧ ଅଲଙ୍ଘନୀୟ ଜ୍ଞାନ କରି ସୁଯୋଧନ ଗାତ୍ରୋତ୍‌ଥାନ କଲେ । ୪୪ । ସେହି ମନୁଜଶ୍ରେଷ୍ଠ ମତି ଦାନବଙ୍କ ବାକ୍ୟ ଶ୍ରବଣ କରି ସୁସ୍ଥିର ହେଲା । ତହୁଁ ସେ ନରେଶ୍ୱର ତୁରଙ୍ଗ, ମାତଙ୍ଗ ଓ ଶତାଙ୍ଗସମୂହସଂଯୁକ୍ତ ସେନାମାନଙ୍କୁ ଯୋଜନା କରିବାରେ ଆଦେଶ କଲେ । ହେ ରାଜନ୍‌ ! ଯେତେବେଳେ ଆକାଶରୁ ମେଘଜାଲ ଅନ୍ତର୍ହିତ ହୁଏ; ତେତେବେଳେ ଶରତକାଳଳୀନ କୁସୁମ ପ୍ରସ୍ଫୁଟିତ ହୋଇ ସେହି ଆକାଶର ଯେପରି ଶୋଭା ବିସ୍ତାର କରେ ସେହିପରି ଶ୍ୱେତଛତ୍ର, ଧବଳ ପତାକା ଓ ପାଣ୍ଡୁର ବର୍ଣ୍ଣ ଚାମରସମୂହରେ ମାତଙ୍ଗପୂର୍ଣ୍ଣ ଶତାଙ୍ଗ ସେନା ସୁଶୋଭିତ ହେଲା । ସୁରନଦୀ ପ୍ରାୟ ସେହି ସୁଦୀର୍ଘସେନାପଂକ୍ତି ପ୍ରବାହିତ ହେଲା । ହେ ରାଜେନ୍ଦ୍ର ! ଜନେଶ୍ୱର ଧୃତରାଷ୍ଟ୍ରନନ୍ଦନ ସୁଯୋଧନ ପରମଶୋଭାରେ ବିଭାଷିତ ହୋଇ ଚକ୍ରବର୍ତ୍ତୀଙ୍କ ଯୋଗ୍ୟ କୁସୁମମାଳାମାନ ସ୍ଥାନେ ସ୍ଥାନେ ଗ୍ରହଣ କରି ଓ ଦ୍ୱିଜନିକରଦ୍ୱାରା ନାନା ସ୍ଥାନରେ ଯୁକ୍ତ ଆଶୀର୍ବାଦମାନ ଅନୁମୋଦନ କରି ପ୍ରସ୍ଥାନ କଲେ । ୪୯ । ସୂତପୁତ୍ର ଓ ଦ୍ୟୁତକୁଶଳ ଶକୁନିଙ୍କୁ ସଙ୍ଗରେ ଘେନି ସେ ଅଗ୍ରେ ଚଳିଲେ । ଦୁଃଶାସନ ପ୍ରଭୃତି ଭ୍ରାତାମାନେ, ଭୂରିଶ୍ରବା, ସୋମଦତ୍ତ ଓ ମହାରାଜ ବାହ୍ଲିକ ବିବିଧାକାର ରଥ ଓ ଉତ୍ତମୋତ୍ତମ ତୁରଙ୍ଗ ଓ ମାତଙ୍ଗଦ୍ୱାରା ସେହି ନରପତିସିଂହଙ୍କ ପଛେ ପଛେ ଚାଲିଲେ । ହେ ରାଜେନ୍ଦ୍ର ! ଏହିପରି ଅଳ୍ପ ସମୟ ମଧ୍ୟରେ ସେମାନେ ନିଜ ପୁରରେ ପ୍ରବେଶ କଲେ । ୫୨ ।

 

॥ ଅଧ୍ୟାୟ – ୨୫୩ ॥

 

ଜନମେଜୟ କହିଲେ, ମହାତ୍ମା ପୃଥାନନ୍ଦନମାନେ ସେହି ଦ୍ୱୈତ ବନରେ ବାସ କଲାବେଳେ ମହାଧନୁର୍ଦ୍ଧାରୀ ଧୃତରାଷ୍ଟ୍ରନନ୍ଦନମାନେ କ’ଣ କରୁଥିଲେ ? ସୂର୍ଯ୍ୟଙ୍କ ପୁତ୍ର କର୍ଣ୍ଣ ଓ ମହାବଳ ଶକୁନି, ଭୀଷ୍ମ, ଦ୍ରୋଣ, କୃପ ଅବା କ’ଣ କହିଥିଲେ, ତାହା ଆମ୍ଭମାନଙ୍କୁ କହନ୍ତୁ । ୨ । ବୈଶମ୍ପାୟନ କହିଲେ, ହେ ମହାରାଜ ! ପାଣ୍ଡବମାନେ ପୂର୍ବପ୍ରାୟ ସେଠାରେ ଥିଲେ । ସୁଯୋଧନଙ୍କୁ ସେମାନେ ଗନ୍ଧର୍ବଙ୍କ ହସ୍ତରୁ ମୁକ୍ତ କରନ୍ତେ, ସେମାନେ ହସ୍ତିନାପୁରକୁ ଆଗମନ କଲେ । ଭୀଷ୍ମ ସେହି ଧୃତରାଷ୍ଟ୍ରପୁତ୍ରଙ୍କୁ କହିଲେ, ହେ ତାତ ! ତପୋବନକୁ ଯାତ୍ରା କରିବା ପୂର୍ବରୁ ଆମ୍ଭେ କହିଥିଲୁ ଯେ ତୁମ୍ଭେ ସେଠାକୁ ଗମନ କରିବା ଆମ୍ଭର ଅଭିମତ ନୁହେଁ; କିନ୍ତୁ ତୁମ୍ଭେ ଆମ୍ଭର ଅଭିମତ କାର୍ଯ୍ୟ କଲ ନାହିଁ । ହେ ବୀର ! ସେହି ହେତୁରୁ ତୁମ୍ଭର ଶତ୍ରୁମାନେ ତୁମ୍ଭଙ୍କୁ ବଳପୂର୍ବକ ଘେନି ଗଲେ ଓ ପରିଶେଷରେ ପାଣ୍ଡୁପୁତ୍ରମାନଙ୍କଦ୍ୱାରା ତୁମେ ମୁକ୍ତି ଲାଭ କଲ । ତଥାପି ତୁମ୍ଭର ଲଜ୍ଜା ହେଉ ନାହିଁ । ହେ ଗାନ୍ଧାରୀନନ୍ଦନ ! ରାଜନ୍‌ ! କର୍ଣ୍ଣ ଯେତେବେଳେ ଗନ୍ଧର୍ବଙ୍କ ସହିତ ଯୁଦ୍ଧ କରି ତୁମ୍ଭ ସମକ୍ଷରେ ଓ ତୁମ୍ଭ ସେନାମାନଙ୍କ ସମକ୍ଷରେ ପଳାୟନ କରିଥିଲେ, ହେ ମହାବାହୋ, ନୃପନନ୍ଦନ ରାଜେନ୍ଦ୍ର ! ତୁମ୍ଭେ ସୈନ୍ୟ ସହିତ ଆର୍ତ୍ତନାଦ କରିବାବେଳେ ମହାତ୍ମା ପାଣ୍ଡୁପୁତ୍ରମାନେ ଯେପରି ବିକ୍ରମ ପ୍ରକାଶ କରିଥିଲେ ତାହା ତୁମ୍ଭେ ସ୍ୱଚକ୍ଷୁରେ ଦର୍ଶନ କରିଅଛ ଓ ସୂତପୁତ୍ର ଦୁର୍ମତି କର୍ଣ୍ଣର ବିକ୍ରମ ମଧ୍ୟ ପ୍ରତ୍ୟକ୍ଷ କଲ । ୮ । ହେ ଧର୍ମବତ୍ସଳ ନୃପୋତ୍ତମ ! ଧନୁର୍ବେଦ, ଶୌର୍ଯ୍ୟ, ଧର୍ମ ଅଥବା ଅନ୍ୟ କୌଣସି ବିଷୟରେ ସୁଦ୍ଧା କର୍ଣ୍ଣ ପାଣ୍ଡୁପୁତ୍ରମାନଙ୍କର ଚତୁର୍ଥାଂଶର ସମାନ ନୁହନ୍ତି । ୯-। ଅତଏବ ହେ ସନ୍ଧିଜ୍ଞଶ୍ରେଷ୍ଠ ! ଏହି ବଂଶର ଉନ୍ନତିନିମିତ୍ତ ଆମ୍ଭେ କହୁଅଛୁ ଯେ ମହାତ୍ମା ପାଣ୍ଡବମାନଙ୍କ ସହିତ ତୁମ୍ଭର ସନ୍ଧି କରିବା ଯୁକ୍ତିସିଦ୍ଧ ବୋଲି ଆମ୍ଭଙ୍କୁ ପ୍ରତୀତ ହେଉଅଛି । ୧୦-। ହେ ରାଜନ୍‌ ! ଜନେଶ୍ୱର ଧୃତରାଷ୍ଟ୍ରପୁତ୍ର ଭୀଷ୍ମଙ୍କଠାରୁ ଏହି ବଚନ ଶ୍ରବଣ କରି ଅତିଶୟ ହାସ୍ୟକରି ସୁବଳସୂତଙ୍କ ସହିତ ହଠାତ୍ ସେଠାରୁ ପ୍ରସ୍ଥାନ କଲେ । ୧୧ । ସୁଯୋଧନଙ୍କୁ ପ୍ରସ୍ଥାନ କରିବାର ଦେଖି ମହା ଧନୁର୍ଦ୍ଧାରୀ କର୍ଣ୍ଣ, ଦୁଃଶାସନ ପ୍ରଭୃତି ମଧ୍ୟ ତାହାଙ୍କ ପଛେ ପଛେ ପ୍ରସ୍ଥାନ କଲେ । ୧୨ । ହେ ରାଜନ୍‌ ! କୁରୁ ପିତାମହ ଭୀଷ୍ମ ସେମାନଙ୍କୁ ପ୍ରସ୍ଥାନ କରିବାର ଦେଖି ସ୍ୱୟଂ ଲଜ୍ଜାରେ ଅଧୋବଦନ ହୋଇ ସ୍ୱକୀୟ ଗୃହକୁ ଗମନ କଲେ । ୧୩ ।

 

ହେ ମହାରାଜ ! ଭୀଷ୍ମ ଗମନ କରନ୍ତେ ଦୁର୍ଯ୍ୟୋଧନ ପୁନର୍ବାର ସେହି ସ୍ଥାନକୁ ଆଗମନ କରି ମନ୍ତ୍ରୀମାନଙ୍କୁ ଘେନି ମନ୍ତ୍ରଣା କରିବାରେ ପ୍ରବୃତ୍ତ ହେଲେ । ୧୪ । ସେ ଏହି ପ୍ରସ୍ତାବ କଲେ-(୧) ସମ୍ପ୍ରତି କାହିଁରେ ଆମ୍ଭମାନଙ୍କର ଶ୍ରେୟ ହେବ ? (୨) କି କାର୍ଯ୍ୟ ଆମ୍ଭମାନଙ୍କର ଅବଶିଷ୍ଟ ଅଛି-? (୩) ଅଦ୍ୟ ଆମ୍ଭେମାନେ ଯେଉଁ ହିତକର ବିଷୟ ମନ୍ତ୍ରଣା କରିବୁ, ତାହା କି ପ୍ରକାରେ ଉତ୍ତମରୂପେ ନିଷ୍ପନ୍ନ ହେବ ? ୧୫ । କର୍ଣ୍ଣ କହିଲେ, ହେ କୁରୁନନ୍ଦନ ଦୁର୍ଯ୍ୟୋଧନ ! ଆପଣଙ୍କୁ ଆମ୍ଭେ ଯେଉଁ କଥା କହିବୁ ତାହା ହୃଦୟଙ୍ଗମ କରନ୍ତୁ । ଭୀଷ୍ମ ସର୍ବଦା ଆମ୍ଭମାନଙ୍କର ନିନ୍ଦା ଓ ପାଣ୍ଡବମାନଙ୍କର ପ୍ରଶଂସା କରନ୍ତି । ୧୬ । ହେ ମହାବାହୋ ! ନରେଶ୍ୱର ! ଆପଣଙ୍କ ପ୍ରତି ଦ୍ୱେଷ ଥିବାରୁ ସେ ଆମ୍ଭ ପ୍ରତି ମଧ୍ୟ ଦ୍ୱେଷ କରନ୍ତି ଓ ଆପଣଙ୍କ ସମୀପରେ ଆମ୍ଭଙ୍କୁ ନିନ୍ଦା କରନ୍ତି । ଅତଏବ ହେ ଶତ୍ରୁହନ୍ତା ! ଭରତନନ୍ଦନ ! ସମ୍ପ୍ରତି ଆପଣଙ୍କ ସମକ୍ଷରେ ପାଣ୍ଡୁପୁତ୍ରମାନଙ୍କର ଯଶ ଓ ଆପଣଙ୍କର ନିନ୍ଦାଯୁକ୍ତ ଯେଉଁ କଥାମାନ ଭୀଷ୍ମ କହିଲେ ତାହା ଆମ୍ଭେ କୌଣସି ପ୍ରକାରେ ସହ୍ୟ କରିପାରିବୁ ନାହିଁ । ହେ ରାଜନ୍‌ ! ଆପଣ ଅନୁଜ୍ଞା କରନ୍ତୁ । ଭୃତ୍ୟ ଓ ବାହନ ସହିତ ସେନାମାନଙ୍କୁ ଘେନି ଏହି ବସୁନ୍ଧରା ପରାଜୟ କରିବୁ । ଶୈଳ, ବନ, କାନନସମନ୍ୱିତ ଏହି ସର୍ବଂସହା ଆମ୍ଭେ ପରାଜିତ କରିବୁ । ବଳଶାଳୀ ପାଣ୍ଡୁପୁତ୍ର ଚାରିଜଣ ମିଳି ଯେଉଁ ବସୁନ୍ଧରା ଜୟ କରିଥିଲେ ଆମ୍ଭେ ଆପଣଙ୍କ ନିମିତ୍ତ ଏକାକୀ ସେହି ଧରା ଜୟ କରିବୁ; ଏଥେôର ସନ୍ଦେହ ନାହିଁ । ନିନ୍ଦାଇ ଅଯୋଗ୍ୟ ବ୍ୟକ୍ତିକୁ ସେ ନିନ୍ଦା କରନ୍ତି; ଓ ପ୍ରଶଂସାରେ ଅପାତ୍ରକୁ ଯେ ପ୍ରଶଂସା କରନ୍ତି ସେହି କୁରୁକୁଳାଧମ ଦୁର୍ବୁଦ୍ଧି ଭୀଷ୍ମ ତାହା ସ୍ୱଚକ୍ଷୁରେ ଦେଖନ୍ତୁ । ଅଦ୍ୟ ସେ ଆମ୍ଭର ବଳକୁ ବିଲୋକନ କରନ୍ତୁ ଓ ଆମ୍ଭଙ୍କୁ ନିନ୍ଦା କରନ୍ତୁ । ୨୨ ।

 

ହେ ରାଜନ୍‌ ! ଆମ୍ଭଙ୍କୁ ଅନୁଜ୍ଞା ଦେଉନ୍ତୁ । ଆପଣଙ୍କର ନିଶ୍ଚୟ ଜୟ ହେବ । ଆମ୍ଭେ ଆୟୁଧ ଛୁଇଁ ଆପଣଙ୍କ ସମୀପରେ ଏହି କଥା ପ୍ରତିଜ୍ଞା କରି କହୁଅଛୁ । ୨୩ । ହେ ଭରତପ୍ରବର ମହାରାଜ ! କର୍ଣ୍ଣଙ୍କର ସେହି କଥା ଶ୍ରବଣ କରି ନରପତି ଦୁର୍ଯ୍ୟୋଧନ ପରମ ପ୍ରୀତ ହୋଇ ତାହାଙ୍କୁ କହିଲେ, ହେ ମହାବଳ ! ତୁମ୍ଭେ ସର୍ବଦା ଆମ୍ଭର ହିତ କାର୍ଯ୍ୟରେ ରତ ଥାଅ । ଅତଏବ ଆମ୍ଭେ ଅଦ୍ୟ ତୁମ୍ଭର ବଚନ ଶ୍ରବଣ କରି ଅନୁଗୃହୀତ ହେଲୁ ଓ ଅଦ୍ୟ ଆମ୍ଭର ଜନ୍ମ ସଫଳ ହେଲା । ୨୫ । ହେ ବୀର ! ଯେତେବେଳେ ରିପୁକୁଳ ଦମନ କରିବା ତୁମ୍ଭର ଅଭିମତ ହୋଇଅଛି, ତେତେବେଳେ ତୁମ୍ଭେ ନିର୍ଗତ ହୁଅ ଓ ତୁମ୍ଭର ମଙ୍ଗଳ ହେଉ ଏବଂ ମୋତେ ତଦ୍‌ବିଷୟରେ ଆବଶ୍ୟକ ଅନୁଶାସନ କର । ୨୬ । ହେ ଅରିନ୍ଦମ ! ମହାଧନୁର୍ଦ୍ଧାରୀ କର୍ଣ୍ଣ ଦୁର୍ଯ୍ୟୋଧନଙ୍କଠାରୁ ସେହି ବଚନ ୍‌ଶ୍ରବଣ କରି ସମର-ଗମନର ଉପଯୋଗୀ ଦ୍ରବ୍ୟର ଆୟୋଜନ କରିବାକୁ ଆଜ୍ଞା ଦେଲେ । ୨୭ । ଶୁଭ ଦୈବତ ନକ୍ଷତ୍ର, ଶୁଭ ତିଥି ଓ ମୁହୂର୍ତ୍ତରେ ଶୋଭନ ଓ ମଙ୍ଗଳପ୍ରଦ ଦ୍ରବ୍ୟଦ୍ୱାରା ସ୍ନାତ ହୋଇ ଦ୍ୱିଜାତିଙ୍କ ଆଶୀର୍ବାଦରେ ପୂଜିତ ହୋଇ ରଥ ନିର୍ଘୋଷରେ ତ୍ରିଲୋକ ନିନାଦିତ କରି ନିର୍ଗତ ହେଲେ-। ୨୯ ।

 

॥ ଅଧ୍ୟାୟ – ୨୫୪ ॥

 

ବୈଶମ୍ପାୟନ ବୋଇଲେ, ହେ ଭରତପ୍ରବର ! ନୃପବର ! ତଦନନ୍ତର ମହାଧନୁର୍ଦ୍ଧର କର୍ଣ୍ଣ ବିପୁଳ ସୈନ୍ୟରେ ପରିବୃତ୍ତ ହୋଇ ଦ୍ରୁପଦରାଜାଙ୍କର ରମଣୀୟ ନଗରକୁ ନିରୁଦ୍ଧ କଲେ । ଘୋର ଯୁଦ୍ଧଦ୍ୱାରା ସେହି ବଳଶାଳୀ ନୃପତିଙ୍କୁ ବଶୀଭୂତ କଲେ ଓ ତାହାଙ୍କୁ ବାର୍ଷିକ କର ଦେବାକୁ ବାଧ୍ୟ କଲେ । ହେ ରାଜେନ୍ଦ୍ର ! ସୂତ୍ରପୁତ୍ର କର୍ଣ୍ଣ ଦ୍ରୁପଦଙ୍କୁ ନିର୍ଜିତ କଲା ପରେ ତାହାଙ୍କର ଅନୁଗତ ଅନ୍ୟ ସମସ୍ତ ନରପତିଙ୍କୁ ମଧ୍ୟ କର ପ୍ରଦାନ କଲେ । ତତ୍ପରେ ସେ ଉତ୍ତର ଦିଗକୁ ଗମନ କରି ସେଠାରେ ନରପତିମାନଙ୍କୁ ବଶୀଭୂତ କଲେ । ଭଗଦତ୍ତଙ୍କୁ ପରାଜିତ କରି କ୍ରମଶଃ ଅନ୍ୟ ରାଜାମାନଙ୍କୁ ଜୟ କରି ହିମାଳୟରେ ଅଧିରୂଢ଼ ହେଲେ । ୫ । ସେଠାରେ ସର୍ବଦିଗକୁ ପ୍ରସ୍ଥାନ କରି ହିମାଳୟବାସୀ ନରପତିମାନଙ୍କୁ ପରାଜିତ କଲେ । ୬ । ତତ୍ପରେ ସେହି ପର୍ବତରୁ ଅବତରଣ କରି ଶୀଘ୍ର ଗମନଦ୍ୱାରା ଅଙ୍ଗ, ବଙ୍ଗ, କଳିଙ୍ଗ, ମୁଣ୍ଡିକ, ମିଥିଳ, ମାଗଧ ଓ କର୍କଖଣ୍ଡ ପ୍ରଭୃତି ସମସ୍ତ ଦେଶକୁ ଆପଣାର ରାଜ୍ୟଭୁକ୍ତ କଲେ । ତତ୍ପରେ ଆବଶୀର, ଯୋଦ୍ଧା ଓ ଅହିକ୍ଷତ୍ର ଏହି ଦେଶମାନଙ୍କୁ ମଧ୍ୟ ଆପଣାର ବଶୀଭୂତ କଲେ । ସୂତପୁତ୍ର କର୍ଣ୍ଣ ଏହିରୂପେ ପୂର୍ବଦିଗକୁ ବିନିର୍ଜିତ କରି ବତ୍ସଭୂମିରେ ଉପନୀତ ହେଲେ । ବତ୍ସଭୂମି ଜୟ କଲା ପରେ କେବଳୀ, ମୃତ୍ତିକାମତି ମୋହନ, ପତ୍ତନ, ତ୍ରିପୁରା ଓ କୋଶଳା ପ୍ରଭୃତି ଦେଶମାନ ପରାସ୍ତ କରି ସର୍ବତ୍ର କର ଗ୍ରହଣ କଲେ । ତତ୍ପରେ ସେ ଦକ୍ଷିଣ ଦିଗକୁ ଗମନ କରି ମହାରଥ ରାଜନ୍ୟମାନଙ୍କୁ ପରାଜିତ କରି ଦାକ୍ଷିଣାତ୍ୟରେ ରୁକ୍ମୀ ରାଜାଙ୍କ ସହିତ ସମରରେ ପ୍ରବୃତ୍ତ ହେଲେ । ରୁକ୍ମୀ କର୍ଣ୍ଣଙ୍କ ସହିତ ଘୋର ସଂଗ୍ରାମ କରି ତାହାଙ୍କୁ କହିଲେ । ୧୨ ।

 

ହେ ରାଜେନ୍ଦ୍ର ! ଆପଣଙ୍କର ବଳ ଓ ବିକ୍ରମଦ୍ୱାରା ଆମ୍ଭେ ପ୍ରୀତ ହେଲୁ । ଆମ୍ଭେ ଆପଣଙ୍କର ବିଘ୍ନ କରିବୁ ନାହିଁ । କେବଳ କ୍ଷତ୍ରିୟଧର୍ମ ମାତ୍ର ପ୍ରତିପାଳନ କଲୁ । ୧୩ । ସମ୍ପ୍ରତି ଆପଣ ଯେତେ ସଂଖ୍ୟକ କାଞ୍ଚନ ଅଭିଳାଷ କରନ୍ତି ଆମ୍ଭେ ତାହା ପ୍ରୀତିପୂର୍ବକ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ । ରୁକ୍ମୀରାଜାଙ୍କ ସହିତ ସମାଗତ ହୋଇ କର୍ଣ୍ଣ ତତ୍ପରେ ପାଣ୍ଡ୍ୟ ନୃପତିଙ୍କ ସମୀପକୁ ଓ ଶ୍ରୀ ଶୈଳକୁ ଗମନ କଲେ । ୧୪ । ଦକ୍ଷିଣ ଦିଗରେ କେରଳ, ନୀଳ, ବେଣଦାରିପୁତ୍ର ଓ ଅନ୍ୟାନ୍ୟ ଯେଉଁ ନୃପତିମାନେ ଥିଲେ, ସେମାନଙ୍କୁ ମଧ୍ୟ କର୍ଣ୍ଣଙ୍କର ବଶୀଭୂତ କଲେ । ତଦନନ୍ତର ସେ ଶିଶୁପାଳନନ୍ଦନଙ୍କ ସମୀପକୁ ଗମନ କରି ତାହାଙ୍କୁ ଜୟ କଲେ । ୧୬ । ତଦନନ୍ତର ଚେଦି ଦେଶର ନିକଟବର୍ତ୍ତୀ ଅନ୍ୟାନ୍ୟ ଦେଶମାନଙ୍କୁ ମଧ୍ୟ ବଶୀଭୂତ କଲେ । ହେ ଭରତବର୍ଷଭ ! ତଦନନ୍ତର କର୍ଣ୍ଣ ଅବନ୍ତୀଦେଶୀୟ ମହୀପାଳମାନଙ୍କୁ ଅଧୀନ କରି ସନ୍ଧିଦ୍ୱାରା ବୃଷ୍ଣିଗଣଙ୍କ ସହିତ ମିଳିତ ହୋଇ ପଶ୍ଚିମଦିଗକୁ ଯୁଦ୍ଧ ଯାତ୍ରା କଲେ । ୧୭ । ବୀର୍ଯ୍ୟଶାଳୀ କର୍ଣ୍ଣ ବରୁଣ ଦିଗକୁ ଆଗମନ କରି ସେଠାରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗସ୍ଥିତ ଭୂଭାଗମାନ ଅଧିକାର କରି ସେହି ଦିଗସ୍ଥିତ ସମସ୍ତ ଯବନ ଓ ବବୀର ନରପତିଙ୍କୁ କରପ୍ରଦ କଲେ । ୧୮ । ମ୍ଳେଚ୍ଛ, ଆଟବିକ ଓ ପାର୍ବତୀୟ ରାଜାଙ୍କ ସହିତ ଭଦ୍ର, ରୋହିତକ, ଆଗ୍ନେୟ ଓ ମାଳବ ପ୍ରଭୃତି ସମୁଦାୟ ଜାତିଙ୍କୁ ଅନାୟାସରେ ନିର୍ଜିତ କଲେ । ନଗ୍ନଜିତପ୍ରଭୃତି ମହାରଥମାନେ ସମସ୍ତଙ୍କର ପରାଜୟ ସାଧନ କରି ଶଶକ ଓ ଯବମାନଙ୍କୁ ବିଜିତ କଲେ । ୨୧ । ଏହିରୂପେ ସେହି ମହାରଥ ପୁରୁଷବ୍ୟାଘ୍ର ସମସ୍ତ ଅବନୀମଣ୍ଡଳ ଜୟ ଓ ବଶୀଭୂତ କରି ସ୍ୱୟଂ ହସ୍ତୀନାପୁରରେ ଉପନୀତ ହେଲେ । ୨୨ । ହେ ମହାରାଜ ! ତତ୍କାଳରେ ନରପତି ଦୁର୍ଯ୍ୟୋଧନ ପିତା, ଭ୍ରାତା ଓ ବାନ୍ଧବମାନଙ୍କୁ ସଙ୍ଗରେ ଘେନି ଆଗୁଆଣୀ ହୋଇ ଯୁଦ୍ଧବିଜୟୀ ସମରଶୋଭୀ କର୍ଣ୍ଣଙ୍କୁ ଯଥାବିଧି ପୂଜା କଲେ ଓ ପ୍ରୀତିପୂର୍ଣ୍ଣ ଚିତ୍ତରେ ନଗର ମଧ୍ୟରେ ଘୋଷଣା କରାଇଲେ । ୨୪ । ହେ କର୍ଣ୍ଣ ! ତୁମ୍ଭର ମଙ୍ଗଳ ହେଉ ! ଭୀଷ୍ମ, ଦ୍ରୋଣ, କୃପ, ଅଥବା ବାହ୍ଲିକ କାହାରିଠାରୁ ଯାହା ପ୍ରାପ୍ତ ହୋଇନାହୁଁ ତାହା ଆମ୍ଭେ ତୁମ୍ଭଠାରୁ ଲାଭ କଲୁ । ୨୫ । ହେ ମହାବାହୋ ! ଅଧିକ କହିବା ପ୍ରୟୋଜନ ନାହିଁ । ତୁମ୍ଭେ ଆମ୍ଭର ଏହି ବାକ୍ୟ ଶ୍ରବଣ କର ଯେ ତୁମ୍ଭରି ସହାୟପ୍ରାପ୍ତ ହେବାରୁ ଆମ୍ଭେ ଯଥାର୍ଥ ସହାୟବାନ ହେଲୁ । ୨୬ । ହେ ପୁରୁଷଶ୍ରେଷ୍ଠ ! ପାଣ୍ଡୁନନ୍ଦନମାନେ ଅଥବା ଅଭ୍ୟୁଦୟସମ୍ପନ୍ନ ରାଜନ୍ୟବର୍ଗ ତୁମ୍ଭର ଷୋଡ଼ଶାଂଶର ଏକାଂଶ ଯୋଗ୍ୟ ନୁହନ୍ତି । ୨୭ ।

 

ଅତଏବ ହେ ମହାଧନୁର୍ଦ୍ଧାରୀନ ! କର୍ଣ୍ଣ ବଜ୍ରଧାରୀ ଦେବରାଜ ଯେପରି ଅସୁରଗଣଙ୍କୁ ପରାସ୍ତ କରି ଆସି ଅଦିତିଙ୍କ ସହିତ ସାକ୍ଷାତ୍‍ କରିଥିଲେ, ସେହିପରି ତୁମ୍ଭେ ଯଶସ୍ୱିନୀ ଗାନ୍ଧାରୀ ଓ ବୃଦ୍ଧରାଜା ଧୃତରାଷ୍ଟ୍ରଙ୍କୁ ଅଦ୍ୟ ସନ୍ଦର୍ଶନ କର । ୨୮ । ହେ ରାଜନ୍‌ ! ତଦନନ୍ତର ହସ୍ତୀନାନଗରରେ ବହୁତ ପ୍ରକାର ହଳାହଳ ଶବ୍ଦ ଓ ହାହାକାର ଧ୍ୱନି ପ୍ରାଦୁର୍ଭୂତ ହେଲା । ୨୯ । ହେ ଜନାଧିପ ! ସେଠାରେ କୌଣସି ନରପତି କର୍ଣ୍ଣଙ୍କୁ ପ୍ରଶଂସା କଲେ ଓ କେହି କେହି ତାହାଙ୍କର ନିନ୍ଦା କଲେ, କେହି ଅବା ମୌନଭାବ ଅବଲମ୍ବନ କରି ରହିଲେ । ୩୦ । ହେ ଅବନୀଶ୍ୱର ରାଜେନ୍ଦ୍ର ! ଶସ୍ତ୍ରଧାରୀଙ୍କ ଶ୍ରେଷ୍ଠ ସୂର୍ଯ୍ୟପୁତ୍ର, ବୀର୍ଯ୍ୟବାନ କର୍ଣ୍ଣ ଏହିରୂପେ ଅଳ୍ପକାଳ ମଧ୍ୟରେ ପର୍ବତ, ବନ, ଗିରି, କାନନ, ମଧ୍ୟଭୂମି, ସମୁଦ୍ର ଓ କ୍ଷେତ୍ରନିକର ସମନ୍ୱିତ, ଅଥଚ ପତ୍ତନ, ନଗର, ଦ୍ୱୀପ ଓ ଅନୁପ-ପରିପୂର୍ଣ୍ଣ ନାନାବିଧ ଦେଶ ସହ ବସୁନ୍ଧରା ବଶୀଭୂତ କରି ଅକ୍ଷୟ ଧନ ସଂଗ୍ରହ କରି ନରପତି ଦୁର୍ଯ୍ୟୋଧନଙ୍କ ସମୀପରେ ଉପନୀତ ହେଲେ । ୩୩ । ତତ୍ପରେ ରାଜମନ୍ଦିରର ଅନ୍ତଃପୁରରେ ପ୍ରବେଶ କରି ଗାନ୍ଧାରୀଙ୍କ ସହିତ ଧୃତରାଷ୍ଟ୍ରଙ୍କୁ ସନ୍ଦର୍ଶନ କଲେ । ୩୪ । ହେ ନରବ୍ୟାଘ୍ର ! ସେହି ଧର୍ମଜ୍ଞ କର୍ଣ୍ଣ ପୁତ୍ରପ୍ରାୟ ହୋଇ ସେହି ଦୁହିଁଙ୍କ ଚରଣ ଗ୍ରହଣ କଲେ । ଧୃତରାଷ୍ଟ୍ର ମଧ୍ୟ ତାହାଙ୍କୁ ପ୍ରେମାଲିଙ୍ଗନପୂର୍ବକ ବିଦାୟ ଦେଲେ । ୩୫ । ହେ ଭାରତ ! ତଦବଧି ରାଜା ଦୁର୍ଯ୍ୟୋଧନ ଓ ସୁବଳସୂତ ଶକୁନି ମନେ କଲେ ଯେ ପାଣ୍ଡୁନନ୍ଦନମାନେ ସମରରେ କର୍ଣ୍ଣଙ୍କଦ୍ୱାରା ନିର୍ଜିତ ହେଲେ । ୩୬ ।

 

॥ ଅଧ୍ୟାୟ – ୨୫୫ ॥

 

ବୈଶମ୍ପାୟନ କହିଲେ, ହେ ଜନାଧିପ ! ଶତ୍ରୁହନ୍ତା ସୂର୍ଯ୍ୟପୁତ୍ର କର୍ଣ୍ଣ ବସୁନ୍ଧରା ଜୟ କରି ଦୁର୍ଯ୍ୟୋଧନଙ୍କୁ କହିଲେ । ୧ । ହେ କୁରୁନନ୍ଦନ ! ଶତ୍ରୁନାଶନକାରୀ ଦୁର୍ଯ୍ୟୋଧନ ! ଆପଣଙ୍କୁ ମୁଁ ଗୋଟିଏ କଥା କହିବି; ତାହା ହୃଦୟରେ ଘେନନ୍ତୁ ଓ ତଦନୁସାରେ କାର୍ଯ୍ୟ ଅନୁଷ୍ଠାନ କରନ୍ତୁ । ୨ । ବେ ବୀର ନୃପତିସତ୍ତମ ! ସମ୍ପ୍ରତି ସମଗ୍ର ଭୂମଣ୍ଡଳ ଆପଣଙ୍କର ଅଧିକୃତ ହେଲା । ଏଥିରେ ଆପଣଙ୍କର କେହି ପ୍ରତିବାଦୀ ନାହିଁ । ଆପଣ ଦେବରାଜଙ୍କ ପ୍ରାୟ ହତଶତ୍ରୁ ହୋଇଅଛନ୍ତି । ପୃଥିବୀକୁ ଏବେ ସୁଖରେ ପାଳନ କରନ୍ତୁ । ୩ । ବୈଶମ୍ପାୟନ କହିଲେ, କର୍ଣ୍ଣଙ୍କର ସେହି କଥା ଶ୍ରବଣ କରି ରାଜା ଦୁର୍ଯ୍ୟୋଧନ ଉତ୍ତର ଦେଲେ, ହେ ପୁରୁଷର୍ଷଭ ! ତୁମ୍ଭେ ଯାହାର ସହାୟ ଓ ଅନୁରକ୍ତ, ତାହାର କୌଣସି ଅଭାବ ନାହିଁ । ୪ । ଆମ୍ଭର ଇଷ୍ଟ ସାଧନ ନିମିତ୍ତ ତୁମ୍ଭେ ସର୍ବତୋଭାବେ ଉଦ୍ୟତ ହୋଇଅଛ, ପରନ୍ତୁ ଆମ୍ଭର ଗୋଟିଏ କାମନା ହୋଇଅଛି; ତାହା ସମ୍ୟକ୍ରୂପେ ଶ୍ରବଣ କର । ୫ । ହେ ସୂର୍ଯ୍ୟପୁତ୍ର ! ଯୁଧିଷ୍ଠିରଙ୍କର କ୍ରତୁଶ୍ରେଷ୍ଠ ମହା ରାଜସୂୟ ଯଜ୍ଞ ଦର୍ଶନ କରି ସେହିପରି ଯଜ୍ଞ କରିବାକୁ ଆମ୍ଭର ଇଚ୍ଛା ଜାତ ହୋଇଅଛି । ଅତଏବ ଆମ୍ଭର ସେହି ଅଭିଳାଷ ତୁମ୍ଭେ ପୂର୍ଣ୍ଣ କର । ୬ । କର୍ଣ୍ଣ ଏହି ବଚନ ଶ୍ରବଣ କରି ନୃପତିଙ୍କୁ ଉତ୍ତର ଦେଲେ, ହେ କୁରୁଶ୍ରେଷ୍ଠ ସୁଯୋଧନ ! ସମ୍ପ୍ରତି ସମସ୍ତ ନରପତି ଆପଣଙ୍କର ବଶବର୍ତ୍ତୀ ହୋଇଅଛନ୍ତି । ୭ । ଅତଏବ ଆପଣ ସ୍ୱଚ୍ଛନ୍ଦରେ ଦ୍ୱିଜବରମାନଙ୍କୁ ଆହ୍ୱାନ କରନ୍ତୁ । ତତ୍ପରେ ଯଜ୍ଞର ଉପକରଣସବୁ ଆହରଣ କରନ୍ତୁ । ୮ । ହେ ଶତ୍ରୁଦମନକାରୀ ରାଜେନ୍ଦ୍ର ! ବେଦପାରଗ ଋତ୍ୱିକମାନେ ଆହୃତ ହୋଇ ଶାସ୍ତ୍ରାନୁସାରେ ଆପଣଙ୍କର ଯଜ୍ଞକର୍ମ ସମ୍ପାଦନ କରନ୍ତୁ । ୯ ।

 

ହେ ଭରତଶ୍ରେଷ୍ଠ ! ଆପଣଙ୍କର ସେହି ମହାଯଜ୍ଞ ଆରବ୍ଧ ହେଉ; ତହିଁରେ ବହୁ ପରିମାଣ ଅନ୍ନପାନାଦିଯୁକ୍ତ ସମ୍ଭାର ଆବଶ୍ୟକ ଅଟେ । ତାହାସବୁ ସଂଗୃହୀତ ହେଉ । ୧୦ । ହେ ରାଜନ୍‌ ! କର୍ଣ୍ଣଙ୍କର ଏହି ବାକ୍ୟ ଶୁଣି ଦୁର୍ଯ୍ୟୋଧନ ପୁରୋହିତଙ୍କୁ ଅଣାଇ ଏହି କଥା କହିଲେ । ୧୧ । ଆମ୍ଭନିମିତ୍ତ ଆପଣ ଏହି ରାଜସୂୟ ଯଜ୍ଞ ଆରମ୍ଭ କରନ୍ତୁ । ଏଥିରେ ଯେତେ ଉତ୍କୃଷ୍ଟ ଦକ୍ଷିଣା ଓ ଅନ୍ନପାନାଦିର ଆବଶ୍ୟକ ଅଛି, ତାହା ମଧ୍ୟ ସଂଗ୍ରହ କରନ୍ତୁ । ୧୨ । ନରପତିଙ୍କ ଏହି ବାକ୍ୟ ଶ୍ରବଣରେ ଦ୍ୱିଜସତ୍ତମ ତାହାଙ୍କୁ କହିଲେ, ହେ କୌରବଶ୍ରେଷ୍ଠ ନୃପସତ୍ତମ ! ଯୁଧିଷ୍ଠିର ବର୍ତ୍ତମାନ ଥାଉ ଥାଉ ଆପଣଙ୍କ କୁଳରେ ସେହି ଯଜ୍ଞର ଅନୁଷ୍ଠାନ ହୋଇ ପାରିବ ନାହିଁ । ବିଶେଷରେ ଆପଣଙ୍କର ପିତା ଦୀର୍ଘାୟୁ; ନୃପତି ଧୃତରାଷ୍ଟ୍ର ଜୀବିତ ଅଛନ୍ତି । ଏହି ନିମିତ୍ତ ରାଜସୂୟ ଯଜ୍ଞ କରିବାରେ ତୁମ୍ଭେ ଯୋଗ୍ୟ ନୁହଁ । ହେ ପ୍ରଭୋ ! ରାଜସୂୟ ସଦୃଶ ଅପର ଗୋଟିଏ ମହତ ଯଜ୍ଞ ଅଛି । ଆପଣ ସେହି ଯଜ୍ଞ ଅନୁଷ୍ଠାନ କରନ୍ତୁ ଓ ତତ୍‌ବିଷୟରେ ଆମ୍ଭେ ଯାହା କହୁଅଛୁ ତାହା ଶ୍ରବଣ କରନ୍ତୁ । ହେ ପାର୍ଥିବ ! ଏହି ଯେଉଁ ମହୀପତିମାନେ ଆପଣଙ୍କର କରପ୍ରଦ ହୋଇଅଛନ୍ତି, । ୧୬ । ସେମାନେ ବିକୃତ ଓ ଅବିକୃତ ସୁବର୍ଣ୍ଣ ଆପଣଙ୍କୁ କରସ୍ୱରୂପ ପ୍ରଦାନ କରନ୍ତୁ । ତଦ୍ଦ୍ୱାରା ଆପଣଙ୍କର ଗୋଟିଏ ସୁବର୍ଣ୍ଣ ଲାଙ୍ଗଳ ପ୍ରସ୍ତୁତ ହେଉ । ୧୭ । ସେହି ଲାଙ୍ଗଳଦ୍ୱାରା ଆପଣଙ୍କର ଯଜ୍ଞାୟତନ ଭୂମି କର୍ଷିତ ହେଉ । ହେ ନୃପଶ୍ରେଷ୍ଠ ! ସେହି ସୁବର୍ଣ୍ଣ ଲାଙ୍ଗଳଦ୍ୱାରା ଯେଉଁ ଭୂମି କର୍ଷିତ ହେବ, ତହିଁ ଉପରେ ଆପଣଙ୍କର ସଂଗୃହୀତ, ସଂସ୍କୃତଅନ୍ନ ନିର୍ବିଘ୍ନରେ ରକ୍ଷିତ ହେଉ । ଆପଣଙ୍କର ଏହି ଯଜ୍ଞର ନାମ “ବୈଷ୍ଣବ ଯଜ୍ଞ” । ଯଥାର୍ଥ ସାଧୁ ବ୍ୟକ୍ତିମାନେ ଏହି ଯଜ୍ଞର ଅଧିକାରୀ ଅଟନ୍ତି । ୧୯ । ସନାତନ ବିଷ୍ଣୁଙ୍କ ବ୍ୟତିରେକେ ଆଉ କେହି ଏ ଯଜ୍ଞ ଅଗ୍ରେ ଅନୁଷ୍ଠାନ କରି ନାହାନ୍ତି । ହେ ଭାରତ ! ଏହି ମହାଯଜ୍ଞ ରାଜସୂୟ ଯଜ୍ଞକୁ ସ୍ପର୍ଦ୍ଧା କରେ । ଏହି ଯଜ୍ଞ ଆମ୍ଭେମାନେ କରିବାକୁ ଇଚ୍ଛା କରୁ । ଏଥିରେ ଆପଣଙ୍କର ଶ୍ରେୟ ହେବ ଓ ବିନା ବିଘ୍ନରେ ନିଷ୍ପନ୍ନ ହେବ । ସୁତରାଂ ଏଥିରେ ଆପଣଙ୍କର ସ୍ପୃହା ଫଳବତୀ ହେବ । ୨୧ ।

 

ଭୂଦେବମାନଙ୍କଠାରୁ ତାଦୃଶ ବାଣୀ ଶ୍ରବଣ କରି ମହୀପାଳ ସୁଯୋଧନ କର୍ଣ୍ଣ, ସୁବଳନନ୍ଦନଙ୍କୁ ଓ ଭ୍ରାତାମାନଙ୍କୁ କହିଲେ, । ୨୨ । ବିପ୍ରମାନଙ୍କ ବାକ୍ୟରେ ଆମ୍ଭର ସମ୍ପୂର୍ଣ୍ଣ ରୁଚି ହେଉଅଛି । ଏଥିରେ ଆମ୍ଭର ସନ୍ଦେହ ନାହିଁ । ଅତଏବ ତୁମ୍ଭମାନଙ୍କର ଯଦି ଏଥିରେ ଅଭିଳାଷ ଥାଏ, ତେବେ ଶୀଘ୍ର ବ୍ୟକ୍ତ କର । ୨୩ । ନରପତିଙ୍କର ସେହି ଆଦେଶଦ୍ୱାରା ସେମାନେ ସମସ୍ତେ “ହେଉ” ବୋଲି କହିଲେ । ହେ ନୃପବର ! ତଦନନ୍ତର ନରପତି ନାନାପ୍ରକାର କାର୍ଯ୍ୟରେ ସମୁଚିତ ବ୍ୟକ୍ତିମାନଙ୍କୁ ନିଯୁକ୍ତ କଲେ । ଲାଙ୍ଗଳ ନିର୍ମାଣ ନିମିତ୍ତ ଶିଳ୍ପୀମାନଙ୍କୁ ଆଦେଶ ଦେଲେ । ଅନ୍ୟ କାର୍ଯ୍ୟମାନ ଆୟୋଜନ ନିମିତ୍ତ ଯଥାକ୍ରମେ ଆଜ୍ଞା ପ୍ରବର୍ତ୍ତିତ ହେଲା । ୨୫ ।

 

॥ ଅଧ୍ୟାୟ – ୨୫୬ ॥

 

ବୈଶମ୍ପାୟନ କହିଲେ, ତଦନନ୍ତର ଶିଳ୍ପୀମାନେ, ପ୍ରଧାନ ପ୍ରଧାନ ଅମାତ୍ୟବର୍ଗ ଓ ମହାପ୍ରାଜ୍ଞ ବିଦୁର ଦୁର୍ଯ୍ୟୋଧନଙ୍କୁ ନିବେଦନ କଲେ । ୧ । ହେ ରାଜନ୍‌ ! ଯଜ୍ଞର ସମସ୍ତ ଆୟୋଜନ ସମ୍ପନ୍ନ ହୋଇଅଛି । କାଞ୍ଚନମୟ ମହାମୂଲ୍ୟ ଲାଙ୍ଗଲ ନିର୍ମିତ ହୋଇଅଛି । ହେ ରାଜନ୍‌ ! ଧୃତରାଷ୍ଟ୍ର ପୁତ୍ର ଏହି କଥା ଶୁଣି ବୈଷ୍ଣବଯଜ୍ଞ ଆରମ୍ଭ କରିବା ନିମିତ୍ତ ଆଜ୍ଞା ପ୍ରଦାନ କଲେ । ୩ । ବହୁ ପରିମାଣରେ ସଂସ୍କୃତ ଅନ୍ନ ରାଶି ରାଶି ସଞ୍ଚିତ ହେଲା ଓ ଗାନ୍ଧାରୀଙ୍କର ପୁତ୍ର ଶାସ୍ତ୍ରାନୁସାରେ ସେହି ଯଜ୍ଞରେ ଦୀକ୍ଷିତ ହେଲେ । ୪ । ଧୃତରାଷ୍ଟ୍ର, ମହାଯଶା ବିଦୁର, ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ ଓ ଯଶସ୍ୱିନୀ ଗାନ୍ଧାରୀ ଏମାନେ ସମସ୍ତେ ସମ୍ପୂର୍ଣ୍ଣ ଆନନ୍ଦ ଅନୁଭବ କଲେ । ୫ । ହେ ରାଜେନ୍ଦ୍ର ! ମହୀପତି ଓ ବ୍ରାହ୍ମଣମାନଙ୍କର ନିମନ୍ତ୍ରଣ ନିମିତ୍ତ ଶୀଘ୍ରଗାମୀ ଦୂତମାନେ ପ୍ରେରିତ ହେଲେ । ୬ । ସେହି ଦୂତମାନେ ତ୍ୱରିତବାହନଦ୍ୱାରା ନିଜ ନିଜ ଅଭୀଷ୍ଟ ସ୍ଥାନକୁ ଗମନ କଲେ । ତନ୍ମଧ୍ୟରେ ପ୍ରସ୍ଥାନକାରୀ ଗୋଟିଏ ଦୂତକୁ ଦୁଃଶାସନ କହିଲେ, । ୭ । ତୁମ୍ଭେ ସତ୍ୱର ଦ୍ୱୈତବନକୁ ଗମନ କରି ପାପପୁରୁଷ ପାଣ୍ଡବ ଓ ଏହି ବନରେ ଯେଉଁସବୁ ବ୍ରାହ୍ମଣମାନେ ବାସ କରନ୍ତି, ସେମାନଙ୍କୁ ମଧ୍ୟ ଯଥା ନିୟମରେ ଆମନ୍ତ୍ରଣ କର । ପାଣ୍ଡବମାନଙ୍କ ନିକଟକୁ ଦୂତ ଗମନ କରି ଓ ସେମାନଙ୍କୁ ପ୍ରଣାମ କରି ଯୁଧିଷ୍ଠିରଙ୍କୁ କହିଲା, ହେ ମହାରାଜ ! କୁରୁସତ୍ତମ ନରୋତ୍ତମ ଦୁର୍ଯ୍ୟୋଧନ ନିଜ ବଳରେ ଉପାର୍ଜ୍ଜିତ ବହୁଳ ଅର୍ଥଦ୍ୱାରା ଯଜ୍ଞ ଆରମ୍ଭ କରୁଅଛନ୍ତି । ହେ ରାଜନ୍‌ ! ସେଠାକୁ ରାଜା ଓ ବ୍ରାହ୍ମଣମାନେ ନାନାସ୍ଥାନରୁ ଆଗମନ କରୁଅଛନ୍ତି । ସେଥିନିମିତ୍ତ କୁରୁନନ୍ଦନ ଆମ୍ଭଙ୍କୁ ପ୍ରେରଣ କରିଅଛନ୍ତି । ୧୧ । ଅତଏବ ଆପଣମାନେ ନୃପତିଙ୍କର ମନୋଭିଳଷିତ ସେହି ଯଜ୍ଞକୁ ଦର୍ଶନ କରିବା ହେଉନ୍ତୁ । ତତ୍ପରେ ନୃପଶାର୍ଦ୍ଦୁଳ ରାଜା ଯୁଧିଷ୍ଠିର ଦୂତଠାରୁ ସେହି ବାକ୍ୟ ଶ୍ରବଣ କରି କହିଲେ, ପୂର୍ବପୁରୁଷମାନଙ୍କର କୀର୍ତ୍ତି ବର୍ଦ୍ଧନକରି ନୃପତି ସୁଯୋଧନ ସୌଭାଗ୍ୟକ୍ରମେ ଏହି ମହାଯଜ୍ଞ ଅନୁଷ୍ଠାନ କରୁଅଛନ୍ତି । ଆମ୍ଭେମାନେ ମଧ୍ୟ ସେଠାରେ ଉପଗତ ହେବୁ; କିନ୍ତୁ ବର୍ତ୍ତମାନ କଦାପି ଯିବୁ ନାହିଁ । ଯେହେତୁରୁ ତ୍ରୟୋଦଶ ବର୍ଷ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅବଶ୍ୟ ପ୍ରତିଜ୍ଞା କରିବାକୁ ହେବ । ୧୪-

 

ଧର୍ମରାଜଙ୍କର ଏହି ବାକ୍ୟ ଶ୍ରବଣକରି ଭୀମ କହିଲେ, ଯେତେବେଳେ ଅସ୍ତ୍ର ଶସ୍ତ୍ରଦ୍ୱାରା ପ୍ରଜ୍ୱଳିତ ଅଗ୍ନି ଉପରେ ଦୁର୍ଯ୍ୟୋଧନ ନିପତିତ ହେବ, ସେହି ସମୟରେ ଧର୍ମରାଜ ନୃପ ଯୁଧିଷ୍ଠିର ସେଠାକୁ ଗମନ କରିବେ । ତୁମ୍ଭେ ଯାଇ ସୁଯୋଧନଙ୍କୁ ଏହି କଥା କହିବ ଯେ ତ୍ରୟୋଦଶ ବର୍ଷ ଗତ ହୁଅନ୍ତେ ଯେତେବେଳେ ସମର-ଯଜ୍ଞରେ ଧୃତରାଷ୍ଟ୍ର-ପୁତ୍ରମାନଙ୍କ ଉପରେ କ୍ରୋଧ ଘୃତ ଢଳାଯିବ, ସେହି ସମୟରେ ଆମ୍ଭେ ଯିବୁ । ୧୭ । ହେ ରାଜନ୍‌ ! ଅବଶିଷ୍ଟ ପାଣ୍ଡୁନନ୍ଦନମାନେ କୌଣସି ଅପ୍ରିୟ କଥା କହିଲେ ନାହିଁ । ଦୂତ ଯାହା ଶୁଣିଥିଲା ଅବିକଳ ସେହି କଥା ଯାଇ ଦୁର୍ଯ୍ୟୋଧନଙ୍କଠାରେ ନିବେଦନ କଲା । ୧୮ । ତଦନନ୍ତର ନାନା ଜନପଦରୁ ନରପତି ଓ ମହାଭାଗ ବ୍ରାହ୍ମଣମାନେ ସୁଯୋଧନଙ୍କ ସଦନକୁ ଆଗମନ କଲେ । ୧୯ । ଯଥାଶାସ୍ତ୍ର ଓ ଯଥାବିଧି ଅଥଚ କ୍ରମ ଅନୁସାରେ ସେମାନେ ଆରାଧିତ ହୋଇ ପରମହର୍ଷ ପ୍ରାପ୍ତ ହେଲେ । ୨୦ । କୌରବଗଣଙ୍କଦ୍ୱାରା ପରିବୃତ ନରେନ୍ଦ୍ର ଧୃତରାଷ୍ଟ୍ର ମଧ୍ୟ ଅତିଶୟ ହୃଷ୍ଟହୋଇ ବିଦୁରଙ୍କ ପ୍ରତି ଆଦେଶ କଲେ । ୨୧ । ହେ କ୍ଷତ୍ର ! ଯଜ୍ଞଶାଳାରେ ସମସ୍ତେ ଯେପରି ଅନ୍ନସଂଯୁକ୍ତ ହୋଇ ସୁଖୀ ଓ ତୃପ୍ତ ହୁଅନ୍ତି, ତୁମ୍ଭେ ସତ୍ୱର ତାହା ବିଧାନ କର । ୨୨ । ହେ ଅରିନ୍ଦମ ! ଧର୍ମଜ୍ଞ ବିଦ୍ୟାବାନ୍ ବିଦୁର ତାହାଙ୍କର ସେହି ଆଦେଶ ଶୁଣି ଅଙ୍ଗୀକାର କରି ସର୍ବଜାତୀୟ ଲୋକମାନଙ୍କୁ ଯଥାବିଧି ଅର୍ଚ୍ଚନା କଲେ । ୨୩ । ଯହିଁରେ ସମସ୍ତେ ଏତାଦୃଶ ଖାଦ୍ୟ ପାନୀୟ ପ୍ରଭୃତି, ଅଥଚ ସୁଗନ୍ଧମାଲ୍ୟ ଓ ବସନଦ୍ୱାରା ସମସ୍ତଙ୍କୁ ସଂଯୋଜିତ କଲେ । ୨୪ । ବଳସମ୍ପନ୍ନ ରାଜେନ୍ଦ୍ର ଦୁର୍ଯ୍ୟୋଧନ ବାସସ୍ଥାନମାନ ନିର୍ମାଣ କରାଇଥିôଲେ । ତହିଁରେ ସହସ୍ର ସହସ୍ର ସମାଗତ ନରପତି ଓ ବ୍ରାହ୍ମଣମାନେ ଶାସ୍ତ୍ରାନୁସାରେ ସଂବର୍ଦ୍ଧିତ ହୋଇ ବିବିଧ ଧନଦାନରେ ପୂଜିତ ହେଲେ । ସମୁଦାୟ ନୃପତିଙ୍କୁ ବିଦାୟ ଦେଲା ପରେ ଭ୍ରାତୃବର୍ଗରେ ପରିବାରିତ ହୋଇ ରାଜା ଦୁର୍ଯ୍ୟୋଧନ କର୍ଣ୍ଣ ଓ ଶକୁନିଙ୍କୁ ସଙ୍ଗରେ ଘେନି ହସ୍ତୀନାରେ ପ୍ରବିଷ୍ଟ ହେଲେ । ୨୭ ।

 

॥ ଅଧ୍ୟାୟ – ୨୫୭ ॥

 

ବୈଶମ୍ପାୟନ କହିଲେ–ମହାରାଜ ! ମହାବଳଶାଳୀ ଧନୁର୍ଦ୍ଧାରୀ ରାଜସତ୍ତମ ଦୁର୍ଯ୍ୟୋଧନ ଯେତେବେଳେ ପ୍ରବେଶ କଲେ, ତେତେବେଳେ ବନ୍ଦିନିକର ଓ ଅନ୍ୟାନ୍ୟ ଲୋକେ ତାହାଙ୍କର ସ୍ତୁତି ପାଠ କଲେ । ୧ । ପୁରବାସୀ ଜନମାନେ ତାହାଙ୍କ ଉପରେ ଲାଜା ଓ ଚନ୍ଦନଚୂର୍ଣ୍ଣ ବିକୀର୍ଣ୍ଣକରି କହିଲେ, ହେ ନୃପତେ ! ଭାଗ୍ୟକ୍ରମେ ଆପଣଙ୍କର ଏହି ଯଜ୍ଞ ନିର୍ବିଘ୍ନରେ ସମାପ୍ତ ହେଲା । ୨ । ତନ୍ମଧ୍ୟରେ କେତେକ ବାତିକ ଓ ଉଚିତ ବକ୍ତା କହିଲେ, ଦୁର୍ଯ୍ୟୋଧନଙ୍କର ଏହି ଯଜ୍ଞ ଯୁଧିଷ୍ଠିରଙ୍କ ଯଜ୍ଞର ସମାନ ହୋଇନାହିଁ । ୪ । ପରନ୍ତୁ ସୁଯୋଧନଙ୍କ ମିତ୍ରମାନେ କହିଲେ ଯେ ଏହି ଯଜ୍ଞ ସବୁ ଯଜ୍ଞଠାରୁ ଉତ୍ତମ ହୋଇଅଛି । ଯଯାତି, ନହୁଷ, ମାନ୍ଧାତା ଓ ଭରତ ଏମାନେ ସମସ୍ତେ ଏହି ଯଜ୍ଞକରି ପବିତ୍ରହୋଇ ସୁରଲୋକକୁ ଗମନ କରିଥିଲେ । ହେ ଭରତବର୍ଷଭ ! ଏହିପରି ପ୍ରିୟ ବଚନମାନ ଶ୍ରବଣ କରି ନରପତି ଦୁର୍ଯ୍ୟୋଧନ ହୃଷ୍ଟ ହୋଇ ନଗର ମଧ୍ୟରେ ଓ କ୍ରମଶଃ ନିଜଗୃହରେ ପ୍ରବିଷ୍ଟ ହେଲେ । ହେ ରାଜନ୍‌ ! ତଦନନ୍ତର ସେହି ରାଜା ପିତାମାତା ଭୀଷ୍ମ, ଦ୍ରୋଣ, କୃପ ପ୍ରଭୃତି ଓ ବିଦୁରଙ୍କର ଚରଣଯୁଗଳରେ ଅଭିବାଦନ କଲେ । ତାହାଙ୍କର କନିଷ୍ଠ ଭ୍ରାତାମାନେ ତତ୍ପରେ ଆସି ତାହାଙ୍କୁ ଅଭିବାଦନ କଲେ । ୮ । ଭ୍ରାତୃଗଣଙ୍କଦ୍ୱାରା ପରିବାରିତ ହୋଇ ଦୁର୍ଯ୍ୟୋଧନ ମହାମୂଲ୍ୟ ଆସନରେ ଉପବେଶନ କଲେ । ହେ ମହାରାଜ ! ତତ୍କାଳରେ କର୍ଣ୍ଣ ଉଭାହୋଇ ତାହାଙ୍କୁ ଏହି କଥା କହିଲେ–ହେ ଭରତଶ୍ରେଷ୍ଠ ! ଭାଗ୍ୟକ୍ରମେ ଆପଣଙ୍କର ଏହି ମହାଯଜ୍ଞ ସମାପ୍ତ ହେଲା । ହେ ନରଶ୍ରେଷ୍ଠ ! ପାଣ୍ଡବମାନଙ୍କୁ ସଂଗ୍ରାମରେ ନିହତ କରି ଆପଣ ଯେତେବେଳେ ପୁନର୍ବାର ରାଜସୂୟ ଯଜ୍ଞ ଅନୁଷ୍ଠାନ କରିବେ, ତେତେବେଳେ ଆମ୍ଭେ ପୁନର୍ବାର ଆପଣଙ୍କୁ ଏହିପରି ଅଭିନନ୍ଦିତ କରିବୁ । କର୍ଣ୍ଣଙ୍କର ଏହି ବାକ୍ୟରେ ମହାଯଶା ମହାରାଜ ଦୁର୍ଯ୍ୟୋଧନ ପ୍ରୀତ ହୋଇ ନିମ୍ନୋକ୍ତମତେ କହିଲେ, । ୧୧ ।

 

ହେ ନରବର ! ତୁମ୍ଭେ ସତ୍ୟ କହିଅଛ । ହେ ବୀର ! ଯେତେବେଳେ ଦୁରାତ୍ମା ପାଣ୍ଡୁପୁତ୍ରମାନେ ଯୁଦ୍ଧରେ ହତ ହେବେ ଓ ଆମ୍ଭର ମହାକ୍ରତୁ ରାଜସୂୟ ଯଜ୍ଞ ସମାପ୍ତ ହେବ, ତେତେବେଳେ ପୁନର୍ବାର ଆମ୍ଭଙ୍କୁ ଏହିପରି ସଂବର୍ଦ୍ଧିତ କରିବ । ମହାରାଜ କୁରୁପୁତ୍ର ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଆଲିଙ୍ଗନ କରି ଏହି କଥା କହି ରାଜସୂୟ ଯଜ୍ଞ କିପରି ହେବ, ତାହା ଚିନ୍ତା କଲେ । ତତ୍ପରେ ସେହି ନରପତି ଆପଣାର ପାର୍ଶ୍ୱସ୍ଥିତ କୌରବଗଣଙ୍କୁ ମଧ୍ୟ କହିଲେ । ୧୪ । ହେ କୌରବଗଣ ! କେବେ ଆମ୍ଭେ ସମୁଦାୟ ପାଣ୍ଡୁ ପୁତ୍ରଙ୍କୁ ନିହତ କରି ଐଶ୍ୱର୍ଯ୍ୟସାଧ୍ୟ ସେହି ରାଜସୂୟ ଯଜ୍ଞ ଅନୁଷ୍ଠାନ କରିବୁ । ୧୫ । ତତ୍କାଳରେ କର୍ଣ୍ଣ ତାହାଙ୍କୁ କହିଲେ, ହେ ରାଜକୁଞ୍ଜର ! ଆମ୍ଭର ବାକ୍ୟ ଶ୍ରବଣ କରନ୍ତୁ । ଯେ ପର୍ଯ୍ୟନ୍ତ ଆମ୍ଭେ ଧନଞ୍ଜୟଙ୍କୁ ନିହତ ନ କରିବୁ, ସେ ପର୍ଯ୍ୟନ୍ତ ଆମ୍ଭେ ଅନ୍ୟ କାହାରିଦ୍ୱାରା ପାଦ ପ୍ରକ୍ଷାଳନ କରାଇବୁ ନାହିଁ । ୧୬ । ମାଂସ ଭକ୍ଷଣ କରିବୁ ନାହିଁ । ଅସୁର ବ୍ରତାଚରଣ କରିବୁ ନାହିଁ, ଅର୍ଥାତ୍ ମଦ୍ୟପାନ ପରିତ୍ୟାଗ କରିବୁ ଓ ଯେଉଁ ବ୍ୟକ୍ତି ଆମ୍ଭଙ୍କୁ ଯାଚଜ୍ଞା କରିବେ ତାହାଙ୍କୁ “ନାହିଁ” ବୋଲି କହିବୁ ନାହିଁ । ୧୭ । ସମରରେ ଅର୍ଜୁନଙ୍କୁ ବଧ କରିବାର ପ୍ରତିଜ୍ଞା କର୍ଣ୍ଣଙ୍କଠାରୁ ଶୁଣି ମହାରଥ କୌରବମାନଙ୍କ ମଧ୍ୟରେ ହର୍ଷ ଧ୍ୱନି ଜାତ ହେଲା । ୧୮ । ତତ୍ପରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ମନେ କଲେ ଯେ ପାଣ୍ଡବମାନେ ବିଜିତ ହେଲେ । ହେ ଭାରତ ! ପ୍ରଭାବଶାଳୀ ଶ୍ରୀମାନ୍ ରାଜେନ୍ଦ୍ର ଦୁର୍ଯ୍ୟୋଧନ ନରପତିମାନଙ୍କୁ ପରିତ୍ୟାଗ କରି ସ୍ୱକୀୟ ଭବନରେ ପ୍ରବିଷ୍ଟ ହେଲେ । ବୋଧହେଲା ଯେପରିକି କୁବେର ଯାଇ ଚୈତ୍ରରଥ ବନରେ ପ୍ରବେଶ କଲେ । ତଦନନ୍ତର ଧନୁର୍ଦ୍ଧାରୀ ନରେନ୍ଦ୍ରମାନେ ମଧ୍ୟ ନିଜ ନିଜ ନିକେତନକୁ ଗମନ କଲେ । ୨୦ । ଏଣେ ମହାଧନୁର୍ଦ୍ଧାରୀ ପାଣ୍ଡୁ ନନ୍ଦନମାନେ ଦୂତବାକ୍ୟ ଶୁଣି ସେହି ବାକ୍ୟ ଚିନ୍ତାକରି ମନମଧ୍ୟରେ ସୁଖଲାଭ କରିପାରିଲେନାହିଁ । ୨୧ । ହେ ରାଜେନ୍ଦ୍ର ! ଅର୍ଜୁନଙ୍କ ବଧ ବିଷୟରେ କର୍ଣ୍ଣ ଯେଉଁ ପ୍ରତିଜ୍ଞା କରିଥିଲେ, ତାହାର ବାର୍ତ୍ତା ଦୂତଗଣଙ୍କଦ୍ୱାରା ପାଣ୍ଡବମାନଙ୍କଠାରୁ ପ୍ରେରିତ ହେଲା । ୨୨ ।

 

ହେ ନରାଧିପ ! ତାହା ଶ୍ରବଣକରି ଯୁଧିଷ୍ଠିର ଅତିଶୟ ଉଦ୍‌ବିଗ୍ନ ହେଲେ । ଅଭେଦ୍ୟ କବଚଧାରୀ କର୍ଣ୍ଣଙ୍କୁ ଅତି ବିକ୍ରମଶାଳୀ ମନେକରି ଓ ଆପଣାର କ୍ଳେଶ ସ୍ମରଣକରି ଯୁଧିଷ୍ଠିର କୌଣସି ପ୍ରକାରେ ଶାନ୍ତିଲାଭ କରି ପାରିଲେ ନାହିଁ । ତତ୍ପରେ ମହାତ୍ମା ଯୁଧିଷ୍ଠିର ସେହି ହିଂସ୍ରଜନ୍ତୁ ସମାକୀର୍ଣ୍ଣ ଦୈତ୍ୟବନକୁ ପରିତ୍ୟାଗ କରିବାକୁ ସଂକଳ୍ପ କଲେ । ଏଣେ ଧୃତରାଷ୍ଟ୍ର ପୁତ୍ର ନୃପତି ଦୁର୍ଯ୍ୟୋଧନ ଭାଇମାନଙ୍କୁ ଘେନି ଭୀଷ୍ମ, ଦ୍ରୋଣ, କୃପ ପ୍ରଭୃତି ବୀରମାନଙ୍କ ସହାୟରେ ବସୁମତୀକୁ ଶାସନ କଲେ । ସମରଶୋଭୀ ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ସାହାଯ୍ୟରେ ନରପତିମାନଙ୍କର ପ୍ରିୟ କାର୍ଯ୍ୟ ସମ୍ପାଦନ କଲେ ଓ ଯଜ୍ଞସମୂହ ଅନୁଷ୍ଠାନକରି ଦକ୍ଷିଣାଦ୍ୱାରା ବ୍ରାହ୍ମଣଶ୍ରେଷ୍ଠଙ୍କର ଅର୍ଚ୍ଚନା କଲେ । ୨୭-। ହେ ରାଜନ୍‌ ! ସେହି ବଳଶାଳୀ ରାଜା ଦୁର୍ଯ୍ୟୋଧନ ମନେ କଲା ଯେ ଦାନ ଓ ଭୋଗ ଏ ଦୁହେଁ ଧନ ଉପାର୍ଜନର ଫଳ । ଏହା ମନେକରି ସୋଦରଗଣଙ୍କର ମଧ୍ୟ ପ୍ରିୟକାର୍ଯ୍ୟ ସାଧନ କଲା । ୨୮ ।

 

॥ ଅଧ୍ୟାୟ – ୨୫୮ ॥

 

ଜନମେଜୟ କହିଲେ, ମହାବଳ ପାଣ୍ଡୁପୁତ୍ରମାନେ ଦୁର୍ଯ୍ୟୋଧନଙ୍କୁ ଗନ୍ଧର୍ବମାନଙ୍କଠାରୁ ମୁକ୍ତକରି ସେହି ଅରଣ୍ୟ ମଧ୍ୟରେ କଅଣ କଲେ ତାହା କହିବା ହେଉନ୍ତୁ । ଆମ୍ଭର ଶୁଣିବାର ଆଗ୍ରହ ହେଉଅଛି । ବୈଶମ୍ପାୟନ କହିଲେ, କୁନ୍ତୀପୁତ୍ର ଯୁଧିଷ୍ଠିର ଦିନେ ରାତ୍ରିରେ ଶୟନ କରିଥିଲେ, ଏମନ୍ତ ସମୟରେ ଦ୍ୱୈତବନସ୍ଥିତ ମୃଗମାନେ କ୍ରନ୍ଦନ କରି ତାହାଙ୍କ ନିଦ୍ରାର ଶେଷ ଭାଗରେ ଆସି ଦେଖାଦେଲେ । ମୃଗମାନେ କୃତାଞ୍ଜଳିପୂର୍ବକ କମ୍ପିତ କଳେବର ହୋଇ ଉପସ୍ଥିତ ହୁଅନ୍ତେ, ଯୁଧିଷ୍ଠିର ପଚାରିଲେ, ତୁମ୍ଭେମାନେ କିଏ ? କଅଣ କରୁଅଛ ? ତୁମ୍ଭର ଯାହା କହିବାର ଅଛି, ତାହା କର । ୩-। ଦ୍ୱୈତବନରେ ଅନେକ ମୃଗ ନିହତ ହୋଇଥିଲେ । ତନ୍ମଧ୍ୟରୁ ଅବଶିଷ୍ଟ ଯେତେ ଥିଲେ, ସେମାନେ ଯୁଧିଷ୍ଠିରଙ୍କ ପ୍ରଶ୍ନ ଶୁଣି ଉତ୍ତର ଦେଲେ । ୪ । ହେ ଭାରତ ! ଆମ୍ଭେମାନେ ଦ୍ୱୈତବନର ଏତିକି ମୃଗ ଅବଶିଷ୍ଟ ଅଛୁ । ହେ ମହାରାଜ ! ଆପଣମାନେ ଏଠାରୁ ଆବାସ ପରିବର୍ତ୍ତନ କରନ୍ତୁ । ମୃଗକୁଳ ନିଃଶେଷ ପ୍ରାୟ । ୫ । ଆପଣଙ୍କ ଭାଇମାନେ ଶୂର ଓ କୃତାନ୍ତ ଅଟନ୍ତି ! ସୁତରାଂ ସେମାନେ କୁରଙ୍ଗକୁଳକୁ ବିନଷ୍ଟ କଲେଣି । ଆଉ ଅଳ୍ପମାତ୍ର ଅବଶିଷ୍ଟ ଅଛନ୍ତି । ୬ । ହେ ମତିମାନ ! ରାଜେନ୍ଦ୍ର ଯୁଧିଷ୍ଠିର ! ଆମ୍ଭେମାନେ ମୃଗବଂଶର ବୀଜସ୍ୱରୂପ ଅଳ୍ପମାତ୍ର ଅବଶିଷ୍ଟ ଅଛୁ । ଅତଏବ ଆପଣଙ୍କ ପ୍ରସାଦରୁ ଆମ୍ଭେମାନେ ଯେପରି ବୃଦ୍ଧିପ୍ରାପ୍ତ ହେବୁ, ତାହା କରନ୍ତୁ । ୭ ।

 

କ୍ଷିତିପତି ଧର୍ମରାଜ ଯୁଧିଷ୍ଠିର ସର୍ବପ୍ରାଣୀଙ୍କ ହିତରେ ରତ ଥାଆନ୍ତି । ଭୟତ୍ରସ୍ତ-ଦୁଃଖିତ କୁରଙ୍ଗମାନଙ୍କୁ ବିଲୋକନ କରି ସେ ଅତିଶୟ ଦୟାର୍ଦ୍ର ହେଲେ ଓ ସେମାନଙ୍କୁ କହିଲେ, ହେଉ, ତୁମ୍ଭେମାନେ ଯାହା କହିଲ, ତାହା କରିବୁ । ୯ । ଏହା କହିବା ପରେ ରାଜାଙ୍କ ନିଦ୍ରାଭଙ୍ଗ ହେଲା । ରାତ୍ର ଅବସାନ ହୁଅନ୍ତେ ସେ କୁରଙ୍ଗମାନଙ୍କ ପ୍ରତି ଦୟା ପ୍ରକାଶ କରି ଭ୍ରାତାମାନଙ୍କୁ ଏକତ୍ର ଡାକି କହିଲେ । ୧୦ । ରଜନୀରେ ନିଦ୍ରାର ଚରମାବସ୍ଥାରେ ଦ୍ୱୈତବନର ହତାବଶିଷ୍ଟ ମୃଗମାନେ ଆସି ଆମ୍ଭଙ୍କୁ କହିଲେ ଆମ୍ଭେମାନେ ମୃଗବଂଶର ବୀଜସ୍ୱରୂପ ଏତିକିମାତ୍ର ଅବଶିଷ୍ଟ ଅଛୁ; ଅତଏବ ଆପଣଙ୍କର କଲ୍ୟାଣ ହେଉ, ଆପଣ ଆମ୍ଭମାନଙ୍କ ପ୍ରତି କୃପା କରନ୍ତୁ । ୧୧ । ସେମାନେ ଏ କଥା ସତ୍ୟ କହିଅଛନ୍ତି । ଅରଣ୍ୟଚାରୀ କୁରଙ୍ଗମାନଙ୍କ ପ୍ରତି ଆମ୍ଭର ଦୟା କରିବା କର୍ତ୍ତବ୍ୟ । ଏକ ବର୍ଷ ଆଠ ମାସ ହେଲା ଆମ୍ଭେମାନେ ଏହାଙ୍କୁ ଭକ୍ଷଣ କରୁଅଛୁ । ୧୨ ।

 

ଅତଏବ ଚାଲ, ଏବେ ପୁନର୍ବାର ସେହି ବହୁମୃଗାକୀର୍ଣ୍ଣ ତୃଣବିନ୍ଦୁ ସରୋବର ନିକଟବର୍ତ୍ତୀ ଭୂଭାଗ ମରୁଭୂମିର ଶିରୋଦେଶ ବୋଲି ବିଖ୍ୟାତ ଅଛି । ସେ ସ୍ଥାନ ପରମ ରମଣୀୟ । ଅରଣ୍ୟ ଅତି ଉତ୍ତମ ଅଟେ । ଆମ୍ଭ ବନବାସର ଅବଶିଷ୍ଟ ସମୟ କାମ୍ୟକବନରେ ବିହାର କରି ଚିତ୍ତ ପ୍ରସନ୍ନ କରିବା । ହେ ରାଜନ୍‌ ! ତଦନନ୍ତର ଧର୍ମଜ୍ଞ ପାଣ୍ଡୁପୁତ୍ରମାନେ ସେଠାରୁ ଇନ୍ଦ୍ରସେନ ପ୍ରଭୃତି ଭୃତ୍ୟଗଣଙ୍କୁ ସଙ୍ଗରେ ଘେନି ଶୀଘ୍ର ପ୍ରସ୍ଥାନ କଲେ । ବ୍ରାହ୍ମଣମଣ୍ଡଳୀ ଓ ଅନ୍ୟାନ୍ୟ ସହବାସୀ ବ୍ୟକ୍ତି ମଧ୍ୟ ସେମାନଙ୍କର ଅନୁଗାମୀ ହେଲେ । ପୂର୍ବେ ଯେଉଁ ପଥରେ ଲୋକମାନଙ୍କର ଗତି ଥିଲା ଓ ଯେଉଁଠାରେ ବିଶୁଦ୍ଧ ଜଳ ଓ ଉତ୍ତମ ଖାଦ୍ୟଦ୍ରବ୍ୟ ଥିଲା, ସେହି ପଥରେ ସେମାନେ ଗମନ କରି ପରିଶେଷରେ ପବିତ୍ର କାମ୍ୟକବନରେ ଉପନୀତ ହେଲେ । ପୁଣ୍ୟବାନ୍ ମନୁଷ୍ୟମାନେ ସୁରଲୋକରେ ପ୍ରବେଶ କଲା ପରି ଏହି ତପସ୍ୱୀ ଭରତକୁଳର କୌରବୀରମାନେ ଦ୍ୱିଜସମୂହଙ୍କଦ୍ୱାରା ପରିବୃତ ହୋଇ ତତ୍କାଳରେ ସେହି କାମ୍ୟକବନରେ ପ୍ରବେଶ କଲେ । ୧୭ ।

 

॥ ଅଧ୍ୟାୟ – ୨୫୯ ॥

 

ବୈଶମ୍ପାୟନ କହିଲେ, ହେ ଭରତଶ୍ରେଷ୍ଠ ! ବନବାସୀ ମହାମନା ପାଣ୍ଡୁପୁତ୍ରମାନଙ୍କର ଏକାଦଶ ବର୍ଷ ଅତି କଷ୍ଟରେ ଅତିବାହିତ ହେଲା । ସୁଖ ସମ୍ଭୋଗର ଯୋଗ୍ୟ ହେଲେ ହେଁ ସେହି ଶ୍ରେଷ୍ଠପୁରୁଷମାନେ ଫଳମୂଳାହାରୀ ହୋଇ ନିରତିଶୟ ଦୁଃଖ ସହ୍ୟ କଲେ । ୨ । ମହାବାହୁ ରାଜର୍ଷି ନରପତି ଯୁଧିଷ୍ଠିର ମନ ମଧ୍ୟରେ ଚିନ୍ତା କଲେ ଯେ ତାହାଙ୍କ କର୍ମଦୋଷରୁ ଭାଇମାନେ ମଧ୍ୟ ତାହାଙ୍କ ସଦୃଶ ଦୁଃଖପ୍ରାପ୍ତ ହେଲେ । ୩ । ଜୁଆଖେଳରେ ଦୁର୍ଯ୍ୟୋଧନ ଓ ତାହାର ପକ୍ଷବ୍ୟକ୍ତି ଯେଉଁସବୁ ଦୁଷ୍ଟପଣ ପ୍ରକାଶ କରିଥିଲେ, ସେହିସବୁ ଅନ୍ୟାୟ କର୍ମ, ଗୋଟିଏ ଗୋଟିଏ ଶଲ୍ୟପ୍ରାୟ ତାହାଙ୍କ ହୃଦୟରେ ବିଦ୍ଧ ହୋଇଥିବାରୁ ନିଦ୍ରିତ ହେବା ତାହାଙ୍କ ପକ୍ଷରେ ଅତି କଠିନ ହୋଇଥିଲା । ୪ । ସୂର୍ଯ୍ୟପୁତ୍ରଙ୍କର ଦାରୁଣ ବାକ୍ୟ ଶ୍ରବଣକରି ସେହି ପାଣ୍ଡୁପୁତ୍ର ଭୟଙ୍କର କ୍ରୋଧବିଷକୁ ଦମନକରି ଦୀନଭାବରେ କେବଳ ଦୀର୍ଘଶ୍ୱାସ ପରିତ୍ୟାଗ କରୁଥିଲେ । ୫ । ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଯଶସ୍ୱିନୀ ଦ୍ରୁପଦନନ୍ଦିନୀ ମଧ୍ୟ ଯୁଧିଷ୍ଠିରଙ୍କ ମୁଖକୁ ଚାହିଁ ଅତିଶୟ କଷ୍ଟ ଭୋଗ କରୁଥିଲେ । ଆଉ ଅତି ଅଳ୍ପ ସମୟ ଅବଶିଷ୍ଟ ଅଛି ମନେକରି ସେମାନେ ତତ୍କାଳରେ କ୍ରୋଧ ଓ ଅମର୍ଷପୂର୍ଣ୍ଣ ଆପଣା ଦେହକୁ ଚେଷ୍ଟାଦ୍ୱାରା ବଳଶାଳୀ କଲେ ।

 

ତଦନନ୍ତର କିୟତ୍କାଳ ପରେ ସତ୍ୟବତୀଙ୍କ ନନ୍ଦନ ମହାଯୋଗୀ ବେଦବ୍ୟାସ ଆସି ପାଣ୍ଡୁନନ୍ଦନମାନଙ୍କୁ ଦେଖିବା ଅଭିଳାଷରେ ସେଠାରେ ଉପସ୍ଥିତ ହେଲେ । କୁନ୍ତୀପୁତ୍ର ଯୁଧିଷ୍ଠିର ସେହି ମହାତ୍ମାଙ୍କୁ ଆସିବାର ଦେଖି ଆଗୁଆ ହୋଇ ବିଧିପୂର୍ବକ ତାହାଙ୍କର ସମାଦର କଲେ । ସେହି ପାଣ୍ଡୁନନ୍ଦନମାନେ ବ୍ୟାସଙ୍କୁ ପ୍ରଣିପାତଦ୍ୱାରା ପରିତୁଷ୍ଟ କରି ସେ ଆସନ ଗ୍ରହଣ କଲା ପରେ ଏମାନେ ମଧ୍ୟ ଜିତେନ୍ଦ୍ରିୟ ଓ ଶୁଶ୍ରୂଷା ହୋଇ ତାହାଙ୍କ ସମୀପରେ ଉପବେଶନ କଲେ । ବ୍ୟାସ ଦେଖିଲେ ଯେ, ତାହାଙ୍କର ପୌତ୍ରମାନେ ଅରଣ୍ୟ ମଧ୍ୟରେ ବଣ୍ୟ ଫଳମୂଳ ଭକ୍ଷଣଦ୍ୱାରା ଜୀବନଧାରଣ କରି କୃଶାଙ୍ଗ ହୋଇଅଛନ୍ତି । ଏହା ଦେଖି ସେହି ମହର୍ଷି ଅନୁକମ୍ପାରେ ବାଷ୍ପଗଦ୍‌ଗଦ ସ୍ୱରରେ କହିଲେ, ହେ ଧର୍ମଧାରୀପ୍ରବର ମହାବାହୋ ଯୁଧିଷ୍ଠିର ! ଶ୍ରବଣ କର । ୧୨ । ତପଶ୍ଚରଣ ବ୍ୟତିରେକେ ମାନବମାନେ ସଂସାରରେ ଉତ୍ତମ ସୁଖ ପ୍ରାପ୍ତ ହୁଅନ୍ତି ନାହିଁ । ହେ ପୁରୁଷଶ୍ରେଷ୍ଠ ! ପର୍ଯ୍ୟାୟକ୍ରମେ ମନୁଷ୍ୟ ସୁଖଦୁଃଖ ଭୋଗ କରେ । କୌଣସି ବ୍ୟକ୍ତି ଅସୀମ ସୁଖ ପ୍ରାପ୍ତ ହୋଇପାରେ ନାହିଁ । ବୁଦ୍ଧିମାନ ମନୁଷ୍ୟମାନେ ସୁଖଦୁଃଖକୁ ଅସ୍ଥାୟୀ ଜାଣି ସୁଖରେ ହୃଷ୍ଟ ହୁଅନ୍ତି ନାହିଁ କି ଦୁଃଖରେ ଶୋକ କରନ୍ତି ନାହିଁ । ସୁଖ ଆଗତ ହେଲେ ତାହାକୁ ସମ୍ଭୋଗ କରିବ ଓ ଦୁଃଖ ଆଗତ ହେଲେ ତାହାକୁ ସହ୍ୟ କରିବ । ୧୫ । ନାନାପ୍ରକାର ଶସ୍ୟ ମଧ୍ୟରେ ଯେଉଁ କାଳରେ ଯାହାର ଉତ୍ପତ୍ତି ହୁଏ, ତତ୍କାଳରେ ଯେପରି ତାହା ସେବନ କରାଯାଏ, ସେହି ରୂପ କାଳପ୍ରାପ୍ତ ଅବସ୍ଥାକୁ ଉପାସନା କରିବା ବିଧେୟ । ହେ ଭାରତ ! ତପସ୍ୟା ଅପେକ୍ଷା ଉତ୍କୃଷ୍ଟ ସାଧନ ଆଉ ନାହିଁ । ତପସ୍ୟାଦ୍ୱାରା ଲୋକରେ ମହତ ଫଳ ଲାଭ ହୁଏ । ତପସ୍ୟାର ଅସାଧ୍ୟ କିଛି ନାହିଁ । ଏହା ତୁମ୍ଭେ ନିଶ୍ଚୟ ବୋଧଗମ୍ୟ କର । ହେ ମହାରାଜ ! ସତ୍ୟ, ସରଳତା, କୋପ, ତ୍ୟାଗ, ଦମ, ଶମ, ଅସୂୟା, ଅହିଂସା, ଶୁଦ୍ଧାଚାର ଓ ଇନ୍ଦ୍ରିୟସଂଯମ, ଏହି କେତେ ଗୋଟି ଗୁଣ ପୁଣ୍ୟକର୍ମା ମାନବଙ୍କୁ ପବିତ୍ର କରେ । ୧୮ । ଯେଉଁମାନେ ପଶୁମାର୍ଗରେ ଗମନ କରନ୍ତି, ଯେଉଁମାନଙ୍କର ଅଧର୍ମରେ ରୁଚି ହୁଏ, ସେହି ମୂଢ଼ ଲୋକେ କଷ୍ଟ ଯୋନିରେ ଜାତ ହୋଇ କୌଣସି ପ୍ରକାରେ ସୁଖଭୋଗ କରିପାରନ୍ତି ନାହିଁ । ୧୯ । ଇହଲୋକରେ ଯେଉଁ କର୍ମ କରାଯାଏ, ପରଲୋକରେ ତାହାର ଫଳ ଭୋଗ ହୁଏ । ଅତଏବ ତପସ୍ୟା ଓ ନିୟମଦ୍ୱାରା ଏହି ଦେହକୁ ସଂଯତ କରିବ । ୨୦ । ହେ ରାଜନ୍‌ ! କାହାରି ପ୍ରତି ମତ୍ସରୀ ନ ହୋଇ ହୃଷ୍ଟଚିତ୍ତରେ ଉପଯୁକ୍ତ ସମୟରେ ଉଚିତ ପାତ୍ରରେ ସମ୍ୟକ୍ ପ୍ରକାରେ ଅର୍ଚ୍ଚନା କରିବା ଓ ନମସ୍କାରପୂର୍ବକ ଯଥାଶକ୍ତି ଦାନ କରିବା ବିଧେୟ । ୨୧ ।

 

ଯେଉଁମାନେ ସତ୍ୟବାଦୀ, ନିରଳସ, ଅକ୍ରୋଧୀ ଓ ସରଳ, ସେମାନେ ପରମ ଶାନ୍ତି ଲାଭ କରନ୍ତି । ୨୨ । ଦମସମ୍ପନ୍ନ ମନୁଷ୍ୟ ଶମପରାୟଣ ହେବାରେ କଦାପି କ୍ଲେଶପ୍ରାପ୍ତ ହୁଏ ନାହିଁ । ୨୩ । ଯେଉଁ ବ୍ୟକ୍ତି ଉପାର୍ଜିତ ଦ୍ରବ୍ୟକୁ ବିଭାଗ କରିଦିଏ, ଯେ ଦାତା, ଯେ ଭୋଗୀ ଓ ଯେ ସୁଖୀ, ସେହି ମନୁଷ୍ୟମାନେ ଅହିଂସକ ହୁଅନ୍ତି ଓ ପରେ ଆରୋଗ୍ୟ ଲାଭ କରନ୍ତି । ୨୪ । ଜିତେନ୍ଦ୍ରିୟ ପୁରୁଷମାନେ ମାନ୍ୟବ୍ୟକ୍ତିଙ୍କୁ ମାନ୍ୟ ଦିଅନ୍ତି, ସତ୍‌କୁଳରେ ଜନ୍ମ ଲାଭ କରନ୍ତି ଓ ସେମାନେ କଦାପି ବ୍ୟସନରେ ଯୁକ୍ତ ହୁଅନ୍ତି ନାହିଁ । ୨୫ । ଯାହାଙ୍କର ବୁଦ୍ଧି ଶୁଭକର୍ମର ପକ୍ଷପାତୀ, ସେମାନେ ଲୋକାନ୍ତର ପ୍ରାପ୍ତ ହେଲେ ସୁଦ୍ଧା ଇହଜନ୍ମର ଶୁଭବୁଦ୍ଧି ଘେନି ପୁନର୍ବାର ଶୁଭମତି ହୋଇ ଜନ୍ମ ଗ୍ରହଣ କରନ୍ତି । ୨୬ । ଯୁଧିଷ୍ଠିର କହିଲେ, ହେ ମହାମୁନେ ! ଦାନ, ଧର୍ମ ଓ ତପସ୍ୟା– ଏ ଦୁହିଁଙ୍କ ମଧ୍ୟରୁ କେଉଁଟି ପରଲୋକରେ ଅଧିକ ଉପଯୋଗୀ ହୁଏ ଓ କିଏ ତନ୍ମଧ୍ୟରୁ ଦୁଷ୍କର ? ତାହା ବୋଲିବା ହେଉନ୍ତୁ । ୨୭ ।

 

ବ୍ୟାସ କହିଲେ ହେ ବତ୍ସ ! ଭୂମଣ୍ଡଳରେ ଦାନ ଅପେକ୍ଷା ଆଉ କିଛି ଦୁଷ୍କର ନୁହେଁ । ଧନ ପ୍ରତି ଅତିଶୟ ସ୍ପୃହା ଜାତ ହୁଏ ଓ ସେ ଧନ ଅତି ଦୁଃଖରେ ମିଳେ । ୨୮ । ହେ ମତିମାନ ! ଯେଉଁ ମନୁଷ୍ୟମାନେ ବୁଦ୍ଧିମାନ, ସେମାନେ ମଧ୍ୟ ଧନ ନିମିତ୍ତ ସବୁଠାରୁ ପ୍ରିୟ ପ୍ରାଣୀମାନଙ୍କୁ ପରିତ୍ୟାଗ କରନ୍ତି; ଅଥଚ ଧନ ନିମିତ୍ତ ଅରଣ୍ୟରେ ଓ ସମୁଦ୍ରରେ ପ୍ରବିଷ୍ଟ ହୁଅନ୍ତି । ୨୯ । ଧନ ଉପାର୍ଜନ ନିମିତ୍ତ କେହି କେହି ଲୋକ କୃଷିକର୍ମ କରନ୍ତି ଅଥବା ପଶୁପାଳନ କର୍ମକୁ ଅବଲମ୍ବନ କରନ୍ତି । କେହି କେହି ଅନ୍ୟ ବ୍ୟକ୍ତିର ପ୍ରେଷ୍ୟ ହୁଅନ୍ତି । ୩୦ । ଅର୍ଥାତ୍ ଦୁଃଖରେ ଉପାର୍ଜିତ ଅର୍ଥକୁ ପରିତ୍ୟାଗ କରିବା ସବୁଠାରୁ ଦୁଷ୍କର । ଯେତେବେଳେ ଦେଖାଗଲା ଯେ ଦାନ ଅପେକ୍ଷା ଆଉ କିଛି ଅଧିକ ଦୁଷ୍କର ନାହିଁ, ତେତେବେଳେ ଆମ୍ଭ ମତରେ ଦାନ ଶ୍ରେଷ୍ଠତର ଅଟେ । ୩୧ । ପରନ୍ତୁ ଦାନ ବିଷୟରେ ବିଶେଷତ୍ୱ ଏହି ଯେ, ଯେଉଁ ଅର୍ଥ ଦତ୍ତ ହୁଏ, ତାହା ନ୍ୟାୟୋପାର୍ଜିତ ହେବା ଆବଶ୍ୟକ ଓ ଯେଉଁ ବ୍ୟକ୍ତିକୁ ଦାନ କରାଯାଏ, ସେ ଯେବେ ସଚ୍ଚରିତ୍ର ଓ ସାଧୁ ହୋଇଥାଆନ୍ତି ଓ ଯେଉଁ ସମୟରେ ଦାନ କରାଯାଏ, ତାହା ଯଦି ଉପଯୁକ୍ତ ସମୟ ହୋଇଥାଏ, ତେବେ ଆହୁରି ଉତ୍ତମ ହୁଏ-। ଏଥି ଉତ୍ତାରୁ ଦାନ କରିବାର ସ୍ଥାନ ମଧ୍ୟ ସମୁଚିତ ହେବା ପ୍ରୟୋଜନ । ୩୨ । ଅନ୍ୟାୟରେ ଯେଉଁ ଧନ ଉପାର୍ଜିତ ହୁଏ, ସେ ଧନ ଦାତାର ଉପକାରୀ ହୋଇପାରେ ନାହିଁ । ୩୩ । ହେ ଯୁଧିଷ୍ଠିର-! ଯୋଗ୍ୟ କାଳରେ, ଯୋଗ୍ୟ ପାତ୍ରରେ ଓ ବିଶୁଦ୍ଧ ଚିତ୍ତରେ ଅଳ୍ପମାତ୍ର ଦାନ ଦେଲେ ହେଁ ସେ ଦାନ ପରଲୋକରେ ଅନନ୍ତ ଫଳ ଦିଏ ବୋଲି ଋଷିମାନେ କହିଅଛନ୍ତି । ୩୪ । ମୁଦ୍‌ଗଲ ଋଷି ଦ୍ରୋଣ ପରିମିତ ଧାନ୍ୟ ଦାନ କରି ଯେଉଁ ଫଳ ପ୍ରାପ୍ତ ହୋଇଥିଲେ, ସେହି ପୁରାତନ ଇତିହାସ ଉଦାହରଣସ୍ୱରୂପ ଉଲ୍ଲେଖ କରୁଅଛୁ । ୩୬ ।

Image